Unknown

 

 

 

 

 

 

 

 

 

 

 

ପ୍ରବନ୍ଧର ପୃଥିବୀ

ଚିତ୍ତରଞ୍ଜନ ଦାସ

 

....ପ୍ରବନ୍ଧ ସମ୍ପର୍କରେ ଲିଖିତ ଦଶଟିଯାକ ଲେଖା ପ୍ରାୟ ଧାରାବାହିକ ଭାବରେ ଏକଦା 'ଝଙ୍କାର' ମାସିକ ପତ୍ରିକାରେ ପ୍ରକାଶ ପାଇଥିଲା । 'ପରିଶିଷ୍ଟ' ର ବିଷୟଗୁଡ଼ିକ ମଧ୍ୟରୁ କେତୋଟି ବିଶେଷ ଅନୁଷ୍ଠାନମାନଙ୍କରେ ପଠିତ ହୋଇଥିଲା ଅଥବା ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା-। ...ପ୍ରବନ୍ଧର ଶେଷରେ ସନ୍ଦର୍ଭଟିକୁ ସୂଚିତ କରି ଦିଆଯାଇଛି ।

 

ଏହି ଅବସରରେ ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତା ତଥା ପତ୍ରିକାମାନଙ୍କର ସମ୍ପାଦକ ବନ୍ଧୁମାନଙ୍କୁ ମୋର କୃତଜ୍ଞତା ଜଣାଉଛି ।

 

ଲେଖକ

☆☆☆

 

ସୂଚୀପତ୍ର

 

୧.

ପ୍ରବନ୍ଧର ପୃଥିବୀ

୨.

ପ୍ରବନ୍ଧର ପିତାମାତା

୩.

ପ୍ରବନ୍ଧର ପ୍ରେରଣା

୪.

ପ୍ରବନ୍ଧର ଶୈଳୀ

୫.

ପ୍ରବନ୍ଧର ଭାଷା

୬.

ପ୍ରବନ୍ଧର ପାକଶାଳା

୭.

ପ୍ରବନ୍ଧର ଜ୍ଞାତିପଂକ୍ତି

୮.

ପ୍ରବନ୍ଧର ପଣ୍ୟଭଣ୍ଡାର

୯.

ପ୍ରବନ୍ଧର ଫଳଶ୍ରୁତି

୧୦.

ପ୍ରବନ୍ଧର ପ୍ରଜ୍ଞାୟନ

ପରିଶିଷ୍ଟ

୧୧.

ସମାଜ, ବ୍ୟକ୍ତି ଓ ସ୍ଵାଧୀନତା

୧୨.

ଫକୀରମୋହନଙ୍କର ମେଦିନୀ-ଧାରଣା

୧୩.

ଓଡ଼ିଆ ସାହିତ୍ୟ, ସର୍ବଭାରତୀୟ ପରିପ୍ରେକ୍ଷୀରେ

୧୪.

ଇଂରାଜୀ ମିଡ଼ିଅମ୍ ସାହିତ୍ୟ

୧୫.

ବାସ୍ତବବାଦର ବାସ୍ତବତା

୧୬.

ପୁସ୍ତକ ସମୀକ୍ଷା

☆☆☆

 

ପ୍ରବନ୍ଧର ପୃଥିବୀ

 

ପୃଥିବୀଟିଏ ଅଛି ବୋଲି ମଣିଷଟିଏ ରହିଛି ଏବଂ ମଣିଷଟିଏ ଅଛି ବୋଲି ପୃଥିବୀଟିଏ ବି ରହିଛି । ମଣିଷର ପୃଥିବୀ ହେଉଛି ନାନା ସମ୍ବନ୍ଧର ପୃଥିବୀଟିଏ । ସମ୍ବନ୍ଧଗୁଡ଼ିକ ରହିଛି ବୋଲି ଜଣେ ମଣିଷ ଏହି ପୃଥିବୀକୁ ତା' ଅନୁଭବ କରିପାରୁଛି । ଆହୁରି ନିର୍ଭୁଲ ଭାବରେ କହିଲେ, ଏହି ପୃଥିବୀରେ ସେ ତା'ର ନିଜ ପୃଥିବୀଟିକୁ ଆବିଷ୍କାର କରି ନେଇପାରୁଛି । ତା' ନିଜ ପୃଥିବୀଟି ବଡ଼ ନା ତା' ନିଜ ପୃଥିବୀଟିକୁ ଘେରି ରହିଥିବା ତଥାକଥିତ ସେହି ବୃହତ୍ତର ପୃଥିବୀଟି ଅଧିକ ବଡ଼ ? ଯୋଉଟି ତା'ର ଅଧିକ ଚିହ୍ନା, ସେଇଟି ତା' ପାଇଁ ଅଧିକ ବଡ଼ । ସେହି ନିଜ ପୃଥିବୀଟି ମଧ୍ୟରୁ ହିଁ ସିଏ ବୃହତ୍ତର ପୃଥିବୀଟି ସହିତ ଖିଅ ଲଗାଇପାରୁଛି । ଚିହ୍ନାକୁ ମାଧ୍ୟମ କରି ଅଚିହ୍ନା ଭିତରକୁ ପ୍ରବେଶ କରୁଛି । ଚିହ୍ନା ପୃଥିବୀଟିର ପରିବେଶ ଏହିପରି ଭାବରେ ବଢ଼ି ବଢ଼ି ଚାଲିଛି । ଆଗେ ସବୁକିଛି ସ୍ଥାନୀୟ ଥିଲା, ସେଥିପାଇଁ ମଣିଷଟିର ପୃଥିବୀଟା ମଧ୍ୟ ଭାରି ସ୍ଥାନୀୟ ହୋଇ ରହିଥିଲା । ଉପନିଷଦର ଭାଷାରେ ଯଦି ସ୍ଥାନୀୟକୁ ଅଳପ ବୋଲି କୁହାଯାଏ, ତେବେ ସ୍ଥାନୀୟକୁ ପସରା କରି ଓ ତାହାକୁ ହିଁ ସବୁକିଛି ବୋଲି ଧରିନେଇ ଜୀବନ ବଞ୍ଚୁଥିବା ମଣିଷର ଜୀବନଟିକୁ ମଧ୍ୟ ଆମେ ନ୍ୟାୟତଃ ସ୍ଥାନୀୟ ବୋଲି କହିପାରିବା । ଏବେ ଆମ ଏ ଯୁଗରେ ମଧ୍ୟ ବହୁ ମନୁଷ୍ୟଙ୍କର ଜୀବନ ଭାରି ସ୍ଥାନୀୟ ଓ ଭାରି ଅଳପ ହୋଇରହିଛି । ଆଗ୍ରହ, ଅନୁରାଗ ଓ ଅଙ୍ଗୀକାର ଅତ୍ୟନ୍ତ ସ୍ଥାନୀୟ ତଥା ଅଳପ ହୋଇ ରହିଛି ।

 

ଏପାଖରେ ସ୍ଥାନୀୟତା, ଅଳ୍ପତା, ସେପାଖରେ ଭୂମା । ଅଳପ ଓ ଦୈନନ୍ଦିନ ଭିତରେ ଥାଇ ମଧ୍ୟ ମଣିଷ ଯେତେବେଳେ ଭୂମାର କଳ୍ପନା କରିପାରିଲା, ସେତେବେଳେ ତା'ର ଦ୍ଵିତୀୟ ଜନ୍ମ ହୋଇଥିବ । ଭୂମା ଯେ ଏହି ସ୍ଥାନୀୟର ବାହାରେ ଅଳପଗୁଡ଼ାକୁ ଛାଡ଼ି ଆଉ କେଉଁଠି ରହିଛି, ସେକଥା ଆଦୌ ନୁହେଁ । କେବଳ ଦୈର୍ଘ୍ୟ ଓ ପ୍ରସ୍ଥର ତାତ୍କାଳିକତାକୁ ଆବୋରି ନେଇ ତାହାରି ଭିତରେ ଛନ୍ଦି ହୋଇ ଜୀବନ ବଞ୍ଚୁଥିବା ପର୍ଯ୍ୟନ୍ତ ଆମେ ସ୍ଥାନୀୟ ହୋଇ ରହିଥିବା । ସମ୍ପ୍ରସାରିତ ହେବାକୁ ମନକଲେ, ଅଧିକ ଗଭୀରକୁ ଯିବାକୁ ମନକଲେ ଅର୍ଥାତ୍, ଆମେ ଯେତିକି ଭିତରେ ନିତ୍ୟନୈମିତ୍ତିକ ଭାବରେ ଆତଯାତ ହେଉଛୁ, ସେଗୁଡ଼ିକର ଗାର ସେ ପାଖକୁ ଯିବାଲାଗି ମନକଲେ ଆମର ଆଖିଗୁଡ଼ିକ ଭୂମାଦ୍ଵାର ଆକର୍ଷିତ ହେବାକୁ ଆରମ୍ଭ କରେ ଏବଂ ହୃଦୟ ସତେଅବା ଭୂମାକୁ ସ୍ପର୍ଶ କରିବାକୁ ହାତ ବଢ଼ାଏ । ଏକ ନୂଆ ଉପନୟନ ସମ୍ଭବ ହୋଇଯାଏ । ସେହି ଉପନୟନ ଆମକୁ ଆମର ସହଜାତ ଅନେକ ସଙ୍କୋଚ ମଧ୍ୟରୁ ବାହାର କରି ନେଇଯାଏ । ଚେତନା ବିସ୍ତାର ଲାଭ କରେ । ସେହି ବିସ୍ତାର କେଡ଼େ ଭଲଲାଗେ । ବିସ୍ତାର, ସତତ ବିସ୍ତାର ଯେତେବେଳେ ଜୀବନର ଅସଲ ଧର୍ମରେ ପରିଣତ ହୁଏ ଏବଂ ଯଦି ସେତେବେଳେ ଭାଷାଟିଏ ଦେଇ ମଣିଷ ଆପଣାର ସେଇ ବିସ୍ତୃତ ହୋଇ ଯାଉଥିବାର, ସେତୁଟିଏ ପକାଉଥିବାର ବା ସୋପାନ ପରେ ସୋପାନ ଉଠି ଯାଉଥିବାର ଅନୁଭବଟିକୁ ପ୍ରକାଶ କରେ, ତେବେ ସେହିଠାରୁ ହିଁ ସାହିତ୍ୟର ସୃଷ୍ଟି ହୋଇଥାଏ ।

 

ସାହିତ୍ୟ ଯୁଗଯୁଗର । ସବାମୂଳ ପର୍ଯ୍ୟାୟଟିର ସାହିତ୍ୟକୁ ଏହି ଆଧୁନିକ କାଳରେ ଆମେ ଅଲଗା କରି ବୁଝିପାରିବା ନିମନ୍ତେ ଲୋକ ସାହିତ୍ୟ କହୁଛୁ । ଆଗ ସାହିତ୍ୟ ଥିଲା, ତା'ପରେ ଯାଇ ଲିପିର ସର୍ଜନା ହେଲା । ଲିପି ଏହି ମଣିଷ ଗଢ଼ିଲା, ଲିପି ସୃଷ୍ଟି ହେବାପରେ ମଣିଷର ଭାଷା ଓ ସାହିତ୍ୟ ଅଧିକ ସ୍ଥାୟୀ ହୋଇ ରହିଲେ, ଏହିପରି ଭାବରେ ଭାଷା ଓ ସାହିତ୍ୟର ଗୋଟିଏ ଗୋଟିଏ ପରମ୍ପରା ମଧ୍ୟ ଚିହ୍ନଟ କରାଯାଇ ପାରିଲା । ପୃଥିବୀରେ ଏବେ ମଧ୍ୟ ମନୁଷ୍ୟମାନଙ୍କର ସମୂହ ରହିଛି, ଯେଉଁମାନଙ୍କର ଲିପି ନାହିଁ । ଭାରତବର୍ଷରେ କୋଉ ଯୁଗରୁ ବର୍ଣ୍ଣମାଳାର ସୃଷ୍ଟି ହେଲାଣି । ତଥାପି ଏବେ ମଧ୍ୟ ଏଠାରେ ପ୍ରାୟ ଅଧେ ମଣିଷ ରହିଛନ୍ତି, ଯେଉଁମାନେ କି ଅକ୍ଷର ଜାଣି ନଥିବାରୁ ଆମ ଦରବାରମାନଙ୍କରୁ ବଞ୍ଚିତ ହୋଇ ରହିଛନ୍ତି– ସେମାନଙ୍କର ମଧ୍ୟ ସାହିତ୍ୟ ରହିଛି । ଯେଉଁଠି ଜୀବନ, ଯେଉଁଠି ସମୂହ, ସେଠାରେ ସାହିତ୍ୟ ରହିବ ହିଁ ରହିବ । ନିରକ୍ଷରମାନେ ଚିରଦିନ ସକାଶେ କଦାପି ନିରକ୍ଷର ହୋଇ ରହିବେ ନାହିଁ । ସେମାନେ ମଧ୍ୟ ଅବଶିଷ୍ଟମାନଙ୍କ ସହିତ ସାମିଲ୍ ହେବେ । ନିଜକୁ ନାନା ନୂତନ ଆଖିଦେଇ ଆବିଷ୍କାର କରି ଶିଖିବେ । ଅଧିକ ଦୂରକୁ ଚିନ୍ତା କରି ଶିଖିବେ, ଏକ ନୂତନ ପ୍ରତିଷ୍ଠାବୋଧର ଅଧିକାରୀ ହେବେ । ମଣିଷ ଏମିତି କ'ଣ ଉପାଦାନଟିଏ ରହିଛି, ଯାହାକି ଅଳପ ମଧ୍ୟରେ ଆଦୌ ବାନ୍ଧିହୋଇ ରହିବା ପାଇଁ ରାଜି ହୁଏନାହିଁ । ସୁରାଖଟିଏ ମିଳିଗଲା ମାତ୍ରେ ବାଡ଼ ଭାଙ୍ଗି, ଗାର ଡେଇଁ ବାହାରକୁ ବାହାରି ଆସେ । ସମଗ୍ର ପୃଥିବୀକୁ ଏପରି ଏକ ସମୟ ଆସୁଛି, ଅତି ଶୀଘ୍ର ଆସୁଛି, ଯେତେବେଳେ କି ତଥାକଥିତ ଲୋକସାହିତ୍ୟ ବୋଲି ଆଉ କିଛି ରହିବ ନାହିଁ । ଅର୍ଥାତ୍ ଯାବତୀୟ ସାହିତ୍ୟ ଲୋକସାହିତ୍ୟରେ ପରିଣତ ହେବ ।

 

ପୃଥିବୀର ସବୁ ସାହିତ୍ୟରେ ମୂଳରେ ଖାଲି ପଦ୍ୟ । ଗଦ୍ୟ ବହୁତ ପଛରେ ଆସିଛି । ଅବଶ୍ୟ ଏକଥାଟି ସତ୍ୟ ଯେ, ସବୁ ମଣିଷ ସବୁ କାଳରେ ଗଦ୍ୟରେ ହିଁ କଥା କହିଛନ୍ତି ଏବଂ ସାହିତ୍ୟକୁ ସତେଅବା ଅଭିନବ ଓ ଅଲଗା କ'ଣ ବୋଲି ଭାବି ସେଥିପାଇଁ ପଦ୍ୟ ଫାନ୍ଦିବାକୁ ମନ କରିଅଛି । ଆମେ ଜାଣୁ କି ନଜାଣୁ, ଆମ ଜୀବନରେ ସର୍ବଦା ଏକ ଛନ୍ଦ ରହିଛି । ଆମ ଭାବନାରେ ଛନ୍ଦ ରହିଛି କଳ୍ପନାରେ ମଧ୍ୟ ଛନ୍ଦ ରହିଛି । ତେଣୁ, ଗଦ୍ୟରେ କଥା କହୁଥିଲେ ମଧ୍ୟ ସେଥିରେ ବି ଅବଶ୍ୟ ଛନ୍ଦ ରହିବ ହିଁ ରହିବ । ଆମର ସାମୂହିକ ଅଭ୍ୟାସଗୁଡ଼ିକ ଆମକୁ ଯେତେ ଯାନ୍ତ୍ରିକ ଏବଂ ଏକରୂପ କରିବାର ଉଦ୍ୟମ କରୁଥିଲେ ମଧ୍ୟ, ତଥାପି ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପାର୍ଥକ୍ୟ ଅବଶ୍ୟ ରହିଛି-। ଏହି ପାର୍ଥକ୍ୟ, ଏହି ଅନନ୍ୟତା ହେଉଛି ବ୍ୟକ୍ତିରେ ବ୍ୟକ୍ତିତ୍ଵ; ଜୀବନପ୍ରକାଶର ଏପରି ଏକ ଛନ୍ଦ, ଯାହାକି ତାକୁ ପଲଗୁଡ଼ିକ ଭିତରୁ ତଥାପି ସ୍ଵତନ୍ତ୍ର କରି ଚିହ୍ନାଇଦିଏ । ଆଦିମ ସମାଜଗୁଡ଼ିକ ଆଧୁନିକ ହେବା ସହିତ ମନୁଷ୍ୟମାନେ ଏହି ସ୍ଵାତନ୍ତ୍ରଟି ବିଷୟରେ ଅଧିକ ସଚେତନ ହୋଇଛନ୍ତି ଓ ହେଉଛନ୍ତି । ଜୀବନ ପଦ୍ୟମୟ ନୁହେଁ, ଜୀବନ ହେଉଛି ଗଦ୍ୟଦ୍ଵାରା ସମୃଦ୍ଧ । ଏହି ଗଦ୍ୟ ଭିତରେ ଏକ ଛନ୍ଦୋବଦ୍ଧତା ପ୍ରଚ୍ଛନ୍ନ ହୋଇ ରହିଥାଏ, ଯାହାକୁ କି ଆମେ ଆଗ୍ରହ କଲେ ଅବଶ୍ୟ ଆବିଷ୍କାର କରିପାରିବା । ସେହି ଆବିଷ୍କାର ପାଇଁ ସମର୍ଥ ନହୋଇ ଅନେକ ମଣିଷ ଜୀବନ ଭିତରେ ଛନ୍ଦିହୋଇ ଯାଆନ୍ତି । ଛନ୍ଦିହୋଇ ଯାଇଥିବା ମଣିଷମାନେ ସମ୍ଭବତଃ ଏକ ପରିତ୍ରାଣ ଖୋଜି ପାଇବାର ଲୋଭରେ ପଡ଼ି ଜୀବନକୁ, ସଂସାରକୁ ଓ ସଂସାରର ଯାବତୀୟ ସମ୍ୱନ୍ଧକୁ ମାୟା ବୋଲି କହିଥିଲେ । ସେମାନେ ସତେ ଅବା ଆଉ କୁଆଡ଼େ ପଳାଇ ଯିବାପାଇଁ ଅଝଟ କରି କିସମ କିସମର 'ମନବୋଧ ଚଉତିଶା' ମାନ ଲେଖିଥିଲେ । 'ବୈରାଗ୍ୟ ଶତକ' ମାନ ରଚନା କରିଥିଲେ-। ସାହିତ୍ୟରେ ପଦ୍ୟର ଉତ୍ସ ସନ୍ଧାନ କରି ଆମେ ଏହିପରି କୌଣସି ଅନୁମାନଟିଏ କେତେଦୂର କରିପାରିବା କେଜାଣି ?

 

ମାତ୍ର, ସାହିତ୍ୟରେ କାବ୍ୟ ଓ ପଦ୍ୟକାରିତା’ର ଇତିହାସ ଆମକୁ ସଚରାଚର ସେହିପରି ସୂଚନାଟିଏ ପ୍ରାୟ ସବୁଠାରେ ଦେଇଯାଇଥାଏ । ଜୀବନରେ ବିରକ୍ତ ହୋଇ ମଣିଷ ପଦ୍ୟରେ କିଞ୍ଚିତ୍ ଅବସର ହୁଏତ ଲୋଡ଼ିଥିଲା । କିଞ୍ଚିତ୍ ହାଲୁକା ହେବାପାଇଁ ସାହିତ୍ୟକୁ ମନାକଲା । ଅନୁଭୂତ ସତ୍ୟଗୁଡ଼ିକ ଆଡ଼କୁ ସିଧାହୋଇ ଅନାଇ ପାରିଲାନାହିଁ ବୋଲି ସମ୍ଭବତଃ କିଞ୍ଚିତ୍ ଅଳଙ୍କରଣର ଆଶ୍ରୟ ନେଲା ଓ କାବ୍ୟସାହିତ୍ୟର ରଚନା କଲା । ଏହି ସଂସାର ଭିତରେ ନିଜ ଅନ୍ଦାଜର ଗୋଡ଼ଗୁଡ଼ାକୁ ସେ ଥିରକରି ରଖିପାରିଲା ନାହିଁ ବୋଲି ଉର୍ଦ୍ଧ୍ଵରେ ଏକ ସ୍ଵର୍ଗର କଳ୍ପନା କରିଥିଲା । ସ୍ଵର୍ଗ ହେଉଛି ଏପରି ଏକ ଅନ୍ୟପୁର, ଯେଉଁଠି ଆଉ ସବୁକିଛି ମିଳିବ ଏବଂ ଏହି ସଂସାରଟା ନଥିବ-। ସେଠି ବୈକୁଣ୍ଠରେ ଭଗବାନ ବସିଥିବେ, ଅମୃତ ଆସ୍ଵାଦନ କରିବାର ମହାଭାଗ୍ୟ ପ୍ରଶସ୍ତ ହୋଇ ରହିଥିବ, ଇନ୍ଦ୍ର ନାମକ ଜଣେ ରାଜାଙ୍କର ଇନ୍ଦ୍ରପୁରୀଟିଏ ରହିଥିବ । ପ୍ରାଚୀନ ପଦ୍ୟ ସାହିତ୍ୟ ଆମକୁ କେଡ଼େ ପୁଲକ ସହିତ ଆମର ଅପୂର୍ଣ୍ଣ କାମନାଗୁଡ଼ିକର ଏକ ସ୍ଵର୍ଗଆଡ଼କୁ ଉଡ଼ାଇ ନେଇ ଯାଇପାରୁଥିଲା । ପ୍ରାଚୀନ କାବ୍ୟରେ ଦେବତାମାନେ ଥିଲେ, ଅମର ପ୍ରେମ କାହାଣୀମାନ ରହିଥିଲା, ଅସୁରମାନଙ୍କ ଉପରେ ବିଜୟର କାହାଣୀମାନ ରହିଥିଲା, ସକଳ ସୁଖ ରହିଥିଲା, କେବଳ ଆମେ ନଥିଲୁ । କ୍ଲେଶ ଏବଂ କ୍ଳେଦପୂର୍ଣ୍ଣ ଏହି ପୃଥିବୀରେ ଆମେ କେବଳ ସେହି ସଦାରମଣୀୟ ସ୍ଥାନଟିକୁ ଝୁରି ହେଉଥିଲୁ । ଆଦର୍ଶ ପ୍ରେମ, ଆଦର୍ଶ ରାଜା, ଆଦର୍ଶ ଭାଇ, ଆଦର୍ଶ ପୁତ୍ର ଓ ପିତା । ଏହି ସବୁଗୁଡ଼ିକର ଦୃଷ୍ଟାନ୍ତ ଆମ କାବ୍ୟଗୁଡ଼ିକରୁ ମିଳୁଥିଲା, ପଦ୍ୟମୟ ପ୍ରୟାଣଗୁଡ଼ିକରୁ ମିଳୁଥିଲା । ଏକ ରସମୟ କ୍ଷତିପୂରଣରେ ଆମକୁ ଧୌତ ଓ ଧନ୍ୟ କରିଦେଇ ପାରୁଥିଲା । ଅମରାବତୀ ସତେଅବା ପଦ୍ୟର ଆବାହନ ଉଚ୍ଚାଟନର ବଳରେ ଏକାବେଳେ ଏହି ଧରଣୀ ଉପରକୁ ଲାଗି ଆସୁଥିଲା ।

 

ଧରଣୀ ପୃଷ୍ଠରେ ମଧ୍ୟ ଇନ୍ଦ୍ରମାନେ ରହିଥିଲେ । ସେମାନେ ରାଜା ହୋଇ ଶାସନ କରୁଥିଲେ । ରାଜମାନଙ୍କୁ ଆମ ସଂସ୍କୃତ ଭାଷାର ନରଦେହଧାରୀ ଇହାଧିପତି ନାରାୟଣ ବୋଲି ବର୍ଣ୍ଣନା କରାଯାଇଛି । ରାଜା ହେଉଛନ୍ତି ନରମାନଙ୍କ ମଧ୍ୟରେ ଉତ୍ତମ, ନଶ୍ଵର ସଂସାର ମଧ୍ୟରେ ସତେଅବା ଏକମାତ୍ର ମହାଭାଗ୍ୟବାନ । ତେଣୁ, ବିସ୍ମିତ ହେବାର ଆଦୌ କିଛିନାହିଁ ଯେ ପ୍ରାଚୀନ ସାହିତ୍ୟର ଭରଣପୋଷଣ ସେହି ରାଜାମାନଙ୍କର ଏକ ଅନ୍ୟତମ ଧର୍ମରେ ପରିଣତ ହୋଇ ରହିଥିଲା । ରାଜାମାନେ କଦାପି ଗଦ୍ୟକୁ ଗ୍ରହଣ କରି ପାରିନଥାନ୍ତେ । ତେଣୁ, ସେତେବେଳେ ପଦ୍ୟ ହିଁ ସାହିତ୍ୟର ବାହନ ହୋଇ ରହିଥିଲା, ସଭାରେ ଆମୋଦ ଦାନକରିବା ହିଁ ତାହାର ମୁଖ୍ୟାଭିଳାଷ ହୋଇ ରହିଥିଲା । ରାଜା ମଧ୍ୟ ଅନ୍ତଃପୁରରେ ସଂପୃକ୍ତ ଅବରମାନଙ୍କ ସହିତ ଗଦ୍ୟର କଥା ହେଉଥିଲେ ସତ, ମାତ୍ର ସାହିତ୍ୟଲାଗି ଉଦ୍ଦିଷ୍ଟ ବିରଳ ବିଶେଷ ମୁହୂର୍ତ୍ତମାନଙ୍କରେ ପଦ୍ୟହିଁ ଏକମାତ୍ର ବରଣୀୟ ମାଧ୍ୟମ ହୋଇ ରହିଥିଲା । କାବ୍ୟଗୁଡ଼ିକୁ ବହୁ ମଣ୍ଡନଦ୍ଵାରା ଝଲଝଲ କରି ଏକ ଛନ୍ଦରେ ପକାଇ ଗଭାଟିଏ ଗୁନ୍ଥି ଦେବାରେ ହିଁ କବିର କୃତିତ୍ଵ ଆପଣାର ପ୍ରତିଷ୍ଠାକୁ ପ୍ରତିପାଦିତ କରି ପାରୁଥିଲା । ଦରବାରକୁ ଖୁବ୍ ଶୋଭା ପାଉଥିଲା । ଦରବାରର ପ୍ରାୟ ସବୁକିଛି ପରି ସାହିତ୍ୟ ମଧ୍ୟ ଅସାଧାରଣ କ'ଣ ଗୋଟାଏ ହୋଇ ରହିଥିଲା–ସତ୍ୟକୁ ମୁଖା ପିନ୍ଧାଇ ଅଳଙ୍କାର ଦେଇ କହିପାରିଲେ ସତ୍ୟର ମାନକୁ ବୃଦ୍ଧି କରାଯାଇ ପାରିବ ବୋଲି ନିଷ୍ଠାପର ଭାବରେ ବିଶ୍ଵାସ କରାଯାଉଥିଲା ।

 

ପ୍ରାଚୀନକାଳରେ ପଣ୍ଡିତମାନେ ରାଜାମାନଙ୍କର ପ୍ରୀତ୍ୟର୍ଥେ କାବ୍ୟ ରଚନା କରୁଥିଲେ । ଭାରତବର୍ଷରେ ଲୋକମାନେ କହୁଥିବା ଭାଷାରେ ମଧ୍ୟ ସାହିତ୍ୟ ରଚନା କରିବା ପାଇଁ ବାରଣ ରହିଥିଲା । ରାଜା ଓ ପଣ୍ଡିତ ସାଧାରଣ ଜୀବନର ସମ୍ୱନ୍ଧଗୁଡ଼ିକରେ ଯେଉଁ ଭାଷାରେ ଚଳପ୍ରଚଳ ହେଉଥିଲେ, ସେହି ଭାଷାରେ ସାହିତ୍ୟ ଲେଖା ହେଉନଥିଲା, ସାହିତ୍ୟ ଯେଉଁ ଭାଷାରେ ଲେଖାହେଉଥିଲା, ତାହାକୁ ଦେବଭାଷା ବୋଲି କୁହାଯାଉଥିଲା । ଦେବତାଙ୍କ ପରି ସମ୍ମାନ ପାଉଥିବା ରାଜାଙ୍କର ଆମୋଦ ନିମନ୍ତେ ସାହିତ୍ୟଗୁଡ଼ିକ ସେହି ଭାଷାରେ ଲେଖା ହେଉଥିଲା ବୋଲି ସେହି ଭାଷାଟିର ଏଭଳି ନାମକରଣ ହୋଇଥିଲା କି ? ଅଥବା, ସେହି ସାହିତ୍ୟକୁ ଲେଖିଥିବା ଓ ଉପଭୋଗ କରୁଥିବା ବିଶେଷ ପ୍ରାଣୀମାନେ ଏକ ବିଶେଷ ଭାଷାରେ ସାହିତ୍ୟକୁ ବ୍ୟକ୍ତହେବାକୁ ଦେଇ ନିଜକୁ ଦେବତାମାନଙ୍କର ସମସ୍ତରୀୟ ବୋଲି ଅନୁଭବ କରୁଥିଲେ ବୋଲି ସେପରି ହୋଇଥିଲା କି ? ଇଉରୋପରେ ମଧ୍ୟ ବହୁ ଶତାବ୍ଦୀ ଧରି ଲାଟିନ୍ ଭାଷାରେ ଯାବତୀୟ ସାହିତ୍ୟିକତା କରାଯାଇ ଆସିଥିଲା । ଲୋକମୁଖରେ ଜୀବନ୍ତ ହୋଇ ରହିଥିବା କଥିତ ଭାଷାକୁ ବର୍ଜିତ କରି ରଖାଯାଇଥିଲା । ଗଦ୍ୟ ଏବଂ କଥିତଭାଷା ବହୁ କଷ୍ଟରେ ସାହିତ୍ୟ ଭିତରକୁ ଅନୁମତି ପାଇଥିଲେ । ସେଥିଲାଗି ରୀତିମତ ଯୁଦ୍ଧମାନ ଯୁଝିବାକୁ ପଡ଼ିଥିଲା । ପୃଥିବୀଯାକର ସାହିତ୍ୟରେ ଏହି ଘଟଣାକୁ ସମ୍ଭବତଃ ମଣିଷମାନଙ୍କର ସର୍ବପ୍ରଥମ ପ୍ରତିବାଦ ବୋଲି କୁହାଯାଇ ପାରିବ । ଏକ ଅସମାନ ସମାଜରେ ବହୁଜନଙ୍କର ଭାଷା ସତେଅବା ନିୟମତଃ ବହୁ ନିନ୍ଦା ଏବଂ ଘୃଣାର ଶିକାର ହୋଇ ଆସିଛି । ଅସମାନ ସମାଜରେ ଯେଉଁ ଅଳ୍ପସଂଖ୍ୟକ କେତେଜଣ ଅଧିକ ସମ୍ଭାବନା ମାଡ଼ି ବସିଥାନ୍ତି, ସେମାନେ ଚଳନ୍ତି ଭାଷାଟାକୁ ହେୟ ଦୃଷ୍ଟିରେ ଦେଖି କିପରି ତାହାରି ଦ୍ଵାରା ନିଜକୁ ଉଚ୍ଚତର ଓ ଅଧିକ ଶ୍ରୀଯୁକ୍ତ ବୋଲି ମନେ କରୁଥାନ୍ତି, ଆମ ଭାରତବର୍ଷରେ ଏବେ ମଧ୍ୟ ତାହାର ନଜିର ମିଳିଯିବ । ଶାସନରେ ମିଳିବ, ଦରବାରମାନଙ୍କରେ ବି ମିଳିଯିବ ।

 

ତଥାପି କଥିତ ଭାଷା ହିଁ ଗୃହୀତ ହେଲା । ଆମ ଦେଶରେ ଗୌତମ ବୁଦ୍ଧ ଏବଂ ସନ୍ଥମାନଙ୍କୁ ହିଁ ସେଥିଲାଗି ପ୍ରାୟ ସବୁଯାକ ଶ୍ରେୟଃ ଦେବାକୁ ପଡ଼ିବ । ଗଦ୍ୟ ଆସି ପହଞ୍ଚିବାକୁ ଆହୁରି ଅଧିକ ସମୟ ଲାଗିଥିଲା । ସାହିତ୍ୟରେ ଯେ ସାଧାରଣ ମନୁଷ୍ୟମାନଙ୍କର କୌଣସି ଅଧିକାର ନାହିଁ, ପଦ୍ୟର ଏକପାଖିଆ ପ୍ରାଦୁର୍ଭାବଟା ସମ୍ଭବତଃ ସେହି କଥାଟିକୁ ଜାରି କରି ରଖିବାକୁ ଇଚ୍ଛା କରୁଥିଲା । ଓଡ଼ିଶାରେ ଦାଣ୍ଡିବୃତ୍ତକୁ ଆମେ ପଦ୍ୟବୋଲି କହିବା ନା ଗଦ୍ୟବୋଲି କହିବା ? ପଦ୍ୟର ପ୍ରତୀତି ଦେଇ ଗଦ୍ୟର ପ୍ରବେଶ ଘଟାଇବା ନିମନ୍ତେ ସମ୍ଭବତଃ ଏହାକୁ ସାହିତ୍ୟ କ୍ଷେତ୍ରରେ ବ୍ରାତ୍ୟମାନଙ୍କର ଏକ ଅଭିନବ ଉଦ୍ୟମ ବୋଲି କୁହା ଯାଇପାରିବ । ଭାରି ଆଶ୍ଚର୍ଯ୍ୟ ଲାଗେ ଯେ ଓଡ଼ିଶା ଓ ଭାରତବର୍ଷ ସମେତ ସମଗ୍ର ପୃଥିବୀର ଆଧୁନିକ କବିତା ଯେଉଁ ବୃତ୍ତରେ ଲେଖାଯାଉଛି, ତାହାକୁ ଏକାଧିକ ସଙ୍ଗତି ସହିତ ଦାଣ୍ଡିବୃତ୍ତ ବୋଲି କହିଲେ ତଦ୍ଦ୍ଵାରା କିଛି ଅପରାଧ ହୋଇଗଲା ବୋଲି କେହି କରିବାକୁ ଇଚ୍ଛା କରିବେ ନାହିଁ । ପଦ୍ୟ ଛିଣ୍ଡି ଛିଣ୍ଡି ଯାଉଥିବ, ଗଦ୍ୟ ମାଡ଼ି ମାଡ଼ି ଆସୁଥିବ– ଏହିପରି ଏକ ମଧ୍ୟବର୍ତ୍ତୀ ପର୍ଯ୍ୟାୟର ବୃତ୍ତ ହେଉଛି ଓଡ଼ିଶାର ଦାଣ୍ଡିବୃତ୍ତ । ସାରଳା ମହାଭାରତ ଏବଂ ଜଗମୋହନ ରାମାୟଣରେ ଗଦ୍ୟର ସେହି ପରଖଟି ମିଶିଥିବାରୁ ଆମକୁ ଆଉ ଏତେ ନିଜର ଓ ନିକଟର ପରି ମନେ ହୋଇଥାଏ କି ? ସନ୍ଥ ଅରକ୍ଷିତ ଦାସ 'ମହୀମଣ୍ଡଳ ଗୀତା'ର ଏକାନବେଟା ଅଧ୍ୟାୟ ଲେଖି ମଝିରେ ପ୍ରାୟ କୌଣସି କାରଣ ନଥାଇ ଗୋଟିଏ ଅଧ୍ୟାୟକୁ କାହିଁକି ଯେ ଗଦ୍ୟରେ ଲେଖିଲେ, ସେକଥା କିଏ ନିଶ୍ଚିତ ଭାବରେ କହିପାରିବ ? ସେ ଯେ କୌଣସି ପ୍ରୟୋଜନରୁ ତାହା କରିଥାନ୍ତୁ ପଛକେ, ଓଡ଼ିଆ ଗଦ୍ୟ ଯେ ସେତେବେଳେ ମଧ୍ୟ କେଡ଼େ ଅର୍ଥସମର୍ଥ, ସାବଲୀଳ ଏବଂ ବ୍ୟଞ୍ଜନାନିଷ୍ଠ ଥିଲା, ଆମକୁ ଅନ୍ତତଃ ସେହି କଥାଟିର ଏକ ପ୍ରମାଣ ମିଳିଯାଇ ପାରିଲା । ଗଦ୍ୟରେ କୌଣସି ସ୍ଵଭାବଗତ ଅସମର୍ଥତା ରହିଥିଲା ବୋଲି ଯେ ତାହାକୁ ଭିତରକୁ ପଶିବାଲାଗି ଅନୁମତି ଦିଆଯାଉନଥିଲା, ସେକଥା ମୋଟେ ଠିକ୍ ନୁହେଁ ବୋଲି ଏଥିରୁ ଧରା ପଡ଼ିଯାଉଛି । ସମାଜର ଊର୍ଦ୍ଧ୍ଵମାନେ ସାହିତ୍ୟକୁ କେବଳ ନିଜ ପଲଙ୍କ ଉପରେ ବାନ୍ଧି ରଖି ଏକା ଭୋଗ କରିବାକୁ ଆଣ୍ଟ କରୁଥିଲେ ବୋଲି ଏକଥା ହେଉଥିଲା ।

 

ଆଧୁନିକ କାଳରେ ଯାଇ ଗଦ୍ୟ ସତକୁ ସାହିତ୍ୟକୁ ଆସିଲା । ଏକାବେଳେ ନିଜ ଅଧିକାରରେ ଆସିଲା । ପଦ୍ୟ ସହିତ ରଣରେ ଯେ ଜିତି ଆସିଲା ତା' ନୁହେଁ, ମାତ୍ର ସାମୂହିକ ଜୀବନର ଅଳିନ୍ଦ ଓ ଗବାକ୍ଷଗୁଡ଼ିକ ଏପରି ନାନା ନୂଆ ନୂଆ ବିବେକରେ ଖୋଲିଗଲା ଯେ ଗଦ୍ୟକୁ ପଦ୍ୟ ଆଉ ରୋକି ରଖିପାରିଲା ନାହିଁ ଏବଂ ସାହିତ୍ୟରେ ପଦ୍ୟ ଓ ଗଦ୍ୟ ଉଭୟ ପାଇଁ ଥାନ ବି ହେଲା । ଆଧୁନିକ ପଦ୍ୟ ସ୍ଵୀକାର କରୁ କି ନକରୁ, ଗଦ୍ୟ ଆସିବା ହେତୁ ହିଁ ସାହିତ୍ୟର ବହୁ ନୂଆ ପ୍ରସ୍ଥ ଖୋଲିଗଲା । ଆଧୁନିକ ଜୀବନ ଯେପରି ବହୁ ନୂତନ ସମ୍ଭାବନା ଓ ଉଜ୍ଜ୍ଵଳତା’ର ପ୍ରତିଶ୍ରୁତି ବହନ କରି ପୃଥିବୀ ଜୀବନରେ କେତେ ନୂତନ ଦିଗ୍‍ବଳୟର ଉଦ୍‍ଘାଟନ ସମ୍ଭବ କରି ଆଣିଲା, ଏକୁଟିଆ ପଦ୍ୟ ତାହାର ସାହିତ୍ୟିକ ପ୍ରୟୋଜନଗୁଡ଼ିକୁ ହୁଏତ ମୋଟେ ମେଣ୍ଟାଇ ପାରିନଥାନ୍ତା । ତେଣୁ, ସମୟର ଏକ ଅପ୍ରତିରୋଧ ଆହ୍ୱାନର ଜବାବ ଦେଇ ଗଦ୍ୟ ଆସି ପହଞ୍ଚିଲା । ଗଦ୍ୟ କଥିତ ଭାଷାରେ ହିଁ ଲେଖାହେଲା । ପଣ୍ଡିତମାନେ ତଥାପି ଗଦ୍ୟ ଭିତରେ ମଧ୍ୟ ସାଧୁଭାଷା ବୋଲି ଏକ ବିଶେଷ ଗ୍ରନ୍ଥିଳତା ଭିତରେ ଆପଣାକୁ ତଥାପି ଅସହଜ ଓ କୃତ୍ରିମ କରି ରଖିଲେ ସତ, ତଥାପି ଗଦ୍ୟ ସତେଅବା ଆଖିବୁଜି କୁଆଡ଼େ କୁଆଡ଼େ ମାଡ଼ିଗଲା । ପ୍ରଧାନତଃ ଗଦ୍ୟରୁ ହିମ୍ମତ ପାଇ ସାହିତ୍ୟ ଏକ ସର୍ବଜନର ସମ୍ପଦରେ ପରିଣତ ହୋଇପାରିଲା । ସାହିତ୍ୟକୁ ଆଉ ମୋଟେ ଦରବାର ଭିତରେ ଆବଦ୍ଧ କରି ରଖି ହେଲାନାହିଁ । ଆଗର ରୀତିବନ୍ଧ କୁଆଡ଼େ ଧାଇଁ ପଳାଇଗଲା । ଗୋଟିଏ ଯୁଗଥିଲା, ଯେତେବେଳେ କି କାବ୍ୟର ବ୍ୟକରଣ ଅନୁସାରେ ସାହିତ୍ୟ ରୀତିର ଅନୁସରଣ କରୁଥିଲା ଓ ସେହି ଗରଜରେ ପଡ଼ି ଜୀବନର ବହୁ କ୍ଷେତ୍ରକୁ ସାହିତ୍ୟର ବାହାର ବୋଲି କହିପାରୁଥିଲା । ଗଦ୍ୟ ଆସିଯିବା ପରେ ସାହିତ୍ୟ ଜୀବନର ଅନୁସରଣ କଲା, ଜୀବନ ପରି ପ୍ରସାରଯୁକ୍ତ ହେଲା । ଏଣିକି ପଦ୍ୟକୁ କବିତା ବୋଲି କୁହାଗଲା ଓ କବିତା ଏହି ସବୁ ନୂତନ ପବନର ସାମନା କରିପାରିବା ଲାଗି ନିଜକୁ ନାନାପ୍ରକାରେ ଖାପ ଖୁଆଇ ନେବାକୁ ଚେଷ୍ଟାକଲା ।

 

ସମଗ୍ର ଜୀବନକୁ ବଞ୍ଚିବା, ଅର୍ଥାତ୍‍ ବ୍ୟକ୍ତିଗତ ତଥା ସାମୂହିକ କ୍ଷେତ୍ରରେ ଜୀବନକୁ ଅଧିକରୁ ଅଧିକ ସମଗ୍ରଭାବରେ ବଞ୍ଚିବାକୁ ମୂଳତଃ ଏକ ସୃଜନାତ୍ମକ ଉଦ୍ୟମ ବୋଲି ଯାବତୀୟ ଦୃଷ୍ଟିରୁ କୁହାଯାଇ ପାରୁଥିଲେ ମଧ୍ୟ ଏକ କାଳରେ ସାହିତ୍ୟକୁ ଜୀବନରେ ଏକ ବିଶେଷ ପ୍ରହରର ଧନ୍ଦାବୋଲି ବିଚାରୁଥିବା ମଣିଷମାନେ ନିଜର ଅନ୍ଦାଜଗୁଡ଼ିକ ବଡ଼ ସଙ୍କୁଚିତ କରିନେଇ ସାହିତ୍ୟ ଲେଖିବାକୁ ସୃର୍ଜନାତ୍ମକ ବୋଲି କହିବାର ଅଭ୍ୟାସରେ ଆସି ପଡ଼ିଗଲେ । ମୂଳତଃ ଏକ ସୃଜନମୂଳ ଜୀବନର ଯାବତୀୟ ଅନୁଭବ ଓ ଉପଲବ୍ଧିକୁ ଯେତେବେଳେ ନିଜ ଆଗ୍ରହଟିକୁ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନା ବା ମାର୍ଗ ଯୋଗାଇଦେଇ କିଛି ଲେଖାଯାଏ, ନ୍ୟାୟତଃ ଅଧିକ ସୁସ୍ଥଭାବରେ ଆମେ ତାହାକୁ ଅବଶ୍ୟ ସର୍ଜନାତ୍ମକ ବୋଲି କହିପାରନ୍ତେ । ସେହି ଅଭିବ୍ୟକ୍ତି ପଦ୍ୟରେ ହୋଇପାରେ, ଗଦ୍ୟରେ ବି ହୋଇପାରେ । ଯେତେବେଳେ କେବଳ ପଦ୍ୟକୁ ହିଁ ସାହିତ୍ୟାକାରିତା’ର ସବୁଯାକ ଆଙ୍ଗିକ ବୋଲି ସ୍ଵୀକାର କରାଯାଉଥିଲା, ସେତେବେଳେ ସାହିତ୍ୟରେ ସୃଜନକର୍ମ କହିଲେ ଯେ ସମସ୍ତେ ରାଜି ହୋଇ ଯାଇଥିବା ପରି କେବଳ କାବ୍ୟ ଓ କବିତାକୁ ହିଁ ସୃଜନାତ୍ମକ ରଚନା ବୋଲି ମାନି ନିଆଯାଉଥିଲା, ସେଥିରେ ନବୁଝି ପାରିବାର ପ୍ରକୃତରେ ଆଦୌ କିଛିନାହିଁ । ଏହି ଦୃଷ୍ଟିରୁ ଏବେ ମଧ୍ୟ ସାହିତ୍ୟ କାର୍ଯ୍ୟଟିକୁ ଭାରି ନିଷ୍ଠାପରଭାବରେ ଏକ ସାରସ୍ଵତ କାର୍ଯ୍ୟବୋଲି କୁହାଯାଏ । ସରସ୍ଵତୀ ଅର୍ଥାତ୍ ବାଗଦେବୀଙ୍କୁ ସକଳ ସାହିତ୍ୟ ସ୍ଫୁରଣର ଅଧିଷ୍ଠାତ୍ରୀ ଉତ୍ସବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ ଅନେକେ ହୁଏତ ଏବେ ମଧ୍ୟ ପଦ୍ୟ ବ୍ୟତୀତ ଗଦ୍ୟକୁ କଦାପି ସୃଜନାତ୍ମକତା ମଧ୍ୟରେ ସାମିଲ୍ କରିବାକୁ ରାଜି ହେବେ ନାହିଁ । ଅବଶ୍ୟ ଆମ ଆଖିମାନେ ପ୍ରସାରିତ ହେବା ସଙ୍ଗେ ସଙ୍ଗେ ଆମର ସଂଜ୍ଞାମାନେ ମଧ୍ୟ କ୍ରମେ ବଦଳି ଯାଇଥିବେ । ରାଜ୍ୟରେ ଗଳ୍ପ, ଉପନ୍ୟାସ ଓ ନାଟକମାନ ଲେଖାହେବା ପରେ ଏଗୁଡ଼ିକରେ କଳ୍ପନାରୋପଣର ପ୍ରାଧାନ୍ୟ ରହିଥିବା ହେତୁ ଏଗୁଡ଼ିକୁ ମଧ୍ୟ ସୃଜନାତ୍ମକ କାର୍ଯ୍ୟବୋଲି କହିବାରେ ଏବେ କେହି ଆପତ୍ତି କରୁନାହାନ୍ତି । କିନ୍ତୁ, ସେମାନଙ୍କ ପାଇଁ ପ୍ରାୟ ଏକ ଧର୍ମସଂକଟ ସୃଷ୍ଟି କରାଇ ଗଦ୍ୟରେ ଯେଉଁସବୁ ନବୀନତମ ପ୍ରସାରଣମାନ ହେଲାଣି ଓ ହେବାରେ ଲାଗିଛି, ତାହାକୁ ସର୍ଜନାତ୍ମକତା’ର ଆୟତନ ମଧ୍ୟରେ ସମତୁଲ କରି ବସାଇବାକୁ ଅଭ୍ୟସ୍ତ ମାପକାଠିମାନେ ସହଜରେ ରାଜି ହେଉନାହାନ୍ତି ।

 

ପ୍ରବନ୍ଧ, ସମାଲୋଚନା, ରମ୍ୟରଚନା ଓ ସେହି କାଟର ଆଉ କେତେକ ବର୍ଗକୁ ସାହିତ୍ୟକାର୍ଯ୍ୟର ସୁଧୀମାନେ ସାହିତ୍ୟର ସୃଜନାତ୍ମକ ଧାଡ଼ିରେ ଆଣି ବସାଇବାକୁ ହୁଏତ ଏବେ ମଧ୍ୟ କୁଣ୍ଠା ଅନୁଭବ କରୁଛନ୍ତି । ଆଗେ ସାହିତ୍ୟରେ ପ୍ରବନ୍ଧଟିଏ ଲେଖିବାର କୌଣସି ଅବକାଶ ହିଁ ନଥିଲା । ପ୍ରବନ୍ଧଟିଏ ଲେଖି ଜଣେ ପଣ୍ଡିତ ତାକୁ ଶୁଣାଇବାକୁ ରାଜସଭାରେ ଯାଇ ପହଞ୍ଚିଥିଲେ ତାକୁ ରାଜା ଏବଂ ତାଙ୍କର ଗହଣିଆ ଅନ୍ୟ ରସିକମାନେ ଆଦୌ ଶୁଣିଥାନ୍ତେ କି ନାହିଁ କେଜାଣି ? ଶୁଣି ଖୁସିହୋଇ ରଚୟିତାଙ୍କୁ ଗୋଟିଏ ସ୍ଵର୍ଣ୍ଣମୁଦ୍ରା ଦେବା ତ ଆହୁରି ଦୂରର କଥା ! ରାଜା ବିକ୍ରମାଦିତ୍ୟ ଅବଶ୍ୟ ସାହିତ୍ୟାନୁରାଗୀ ଥିଲେ; ମାତ୍ର, ଯଦି କାଳିଦାସ କୌଣସି ଦିନ ଆତ୍ମବିଡ଼ମ୍ବନାରେ ପଡ଼ି ତାଙ୍କ ପାଇଁ ପ୍ରବନ୍ଧଟିଏ ଲେଖି ନେଇଥାନ୍ତେ, ତେବେ ସିଏ ସ୍ଵୟଂ କିଛି ଅସ୍ତୁ ବା ନଅସ୍ତୁ ବୋଲି କହିବା ପୂର୍ବରୁ ତାଙ୍କ ସଭାର ଅନ୍ୟ ରତ୍ନମାନେ ସୁନିଶ୍ଚିତ ଭାବରେ ନାକ ଟେକିବାକୁ ଇଚ୍ଛା କରିଥାନ୍ତେ । ଆମ ଓଡ଼ିଶାରେ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖି କବିସୂର୍ଯ୍ୟ ଆଖ୍ୟା ଲାଭ କରିଥିବା ବଳଦେବ ଯଦି ରାଧାକୃଷ୍ଣଙ୍କର ପ୍ରେମ ବିଷୟରେ ପ୍ରବନ୍ଧଟିଏ ନେଇ ପେଶ୍ କରିଥାନ୍ତେ, ତେବେ ତାଙ୍କର ଦଶା କ'ଣ ହୋଇଥାନ୍ତା କେଜାଣି ? ତେଣୁ ପ୍ରବନ୍ଧ ତା' ନିଜର ସମୟ ହେବାପରେ ଯାଇ ଆମ ସାହିତ୍ୟ ଭିତରକୁ ଆସିଲା । ଜୀବନ, ମଣିଷ ଓ ସମାଜ ବିଷୟରେ ଏକ ଅନ୍ୟ ଦୃଷ୍ଟିର ଅବତା’ରଣା ହୋଇସାରିବା ପରେ ଯାଇ ପ୍ରବନ୍ଧଟିକୁ ସାହିତ୍ୟ ଭିତରକୁ ଆସିବାଲାଗି ବାଟ ଛାଡ଼ି ଦିଆଗଲା । ଆଧୁନିକ ଯୁଗ, ମଣିଷ ବିଷୟରେ ଏକ ଆଧୁନିକ ଅନ୍ୟ ଅନ୍ଦାଜ, ଏକ ଆଉଭଳି ଭବିଷ୍ୟଦୃଷ୍ଟି, ତା'ପରେ ଯାଇ ପ୍ରବନ୍ଧ ନିମନ୍ତେ ସାହିତ୍ୟରେ ଏକ ଅନୁକୂଳତା’ର ସୃଷ୍ଟି ହେଲା । ପ୍ରାଚୀନ କାବ୍ୟତତ୍ତ୍ଵର କାରିଗରମାନେ ଉପଭୋଗ୍ୟ ସାହିତ୍ୟର ଧାତୁ ନିରୂପଣ କରିବାକୁ ଯାଇ ଯେଉଁ ରସାଦିର ଅବତା’ରଣା କରିଛନ୍ତି, ସେଥିରେ ଏବେ ମଧ୍ୟ ଅଦ୍ଵୈତବାଦୀ ପରି ବିଶ୍ଵାସ କରୁଥିବା ଅର୍ଥାତ୍ କେବଳ ତାହାକୁ ହିଁ ସତ୍ୟ ଓ ଆଉ ଯାବତୀୟ କିଛିକୁ ମାୟାବୋଲି ମାନୁଥିବା ବହୁ ବ୍ୟାଖ୍ୟାକାର ପ୍ରବନ୍ଧକୁ ହୁଏତ ଏକାନ୍ତ ଅପାଂକ୍ତେୟ ଓ ତେଣୁ ଅବାନ୍ତର ବୋଲି କହି ସଭାରୁ ଉଠି ପଳାଇଯିବାକୁ ନିଜର କର୍ତ୍ତବ୍ୟବୋଲି ବିଚାର କରିବେ । ସେମାନେ ଏଆଡ଼କୁ ଗୋଡ଼ ଖସାଇବାକୁ ଏକାନ୍ତ ବିପଜ୍ଜନକ ବୋଲି କହିବେ ।

 

ସେମାନଙ୍କ ଲାଗି ସମାଲୋଚନା ତ ଆହୁରି ଅଧିକ ବିପଜ୍ଜନକ ବୋଲି ମନେହେବ । ସମାଲୋଚନାର ପ୍ରବେଶ ଦ୍ଵାରା ସାହିତ୍ୟର ଶୁଦ୍ଧତା ଏକାବେଳକେ ନଷ୍ଟ ହୋଇଯିବ ବୋଲି ଅଭିଯୋଗ ମଧ୍ୟ ହେବ । ଯେଉଁଠି ଦେବୀ ସରସ୍ଵତୀ ସମସ୍ତ ସାହିତ୍ୟ ପ୍ରେରଣାର ଉତ୍ସ ବୋଲି ପୂର୍ଣ୍ଣ ସନ୍ତର୍ପଣରେ ମାନି ନିଆଯାଇଥିବ, ସେଠି ସମାଲୋଚନାକୁ ଅନୁମତି ଦିଆଗଲେ ତାହାକୁ ହୁଏତ ବାଗ୍-ଦେବୀଙ୍କର ଅବମାନନା ବୋଲି ବିଚାର କରାଯିବ । ଗୋଟାଏ ପାଖରେ ବିମୋହନକାରୀ ସାହିତ୍ୟ, ସେଥିରେ ଆପଣ ସବାଆଗ କବିତା ଓ ସେହି ଧର୍ମର ଅନ୍ୟାନ୍ୟ କାବ୍ୟକାରିତାକୁ ଅବଶ୍ୟ ବୁଝିବେ ଏବଂ ଏକାଳର ସାହିତ୍ୟ ହାଟର ଖବର କିଛି ପରିମାଣରେ ଜାଣିଥିଲେ କଷ୍ଟେମଷ୍ଟେ ଗଳ୍ପ, ଉପନ୍ୟାସ ଓ ନାଟକକୁ ସମ୍ଭବତଃ କିଛି ଥାନ ଛାଡ଼ିଦେବାକୁ ଅସମ୍ମତ ହେବେନାହିଁ । ଆଉ ଗୋଟିଏ ହେଉଛି ବିମୋଚନକାରୀ ସାହିତ୍ୟ । କାବ୍ୟ, କବିତା, ଗଳ୍ପ ଏବଂ ନାଟକ ବା ଉପନ୍ୟାସର ଏକାଧିକ ଅବସରରେ ଦୁଃଖରେ ହେଉ ଅଥବା ଆନନ୍ଦରେ ହେଉ, ଅଶ୍ରୁମୋଚନ କରିବାର କିଛି ଅବକାଶ ଅବଶ୍ୟ ମିଳିବ । କବି, ଗଳ୍ପକାର ବା ନାଟକକାର ଆପଣଙ୍କୁ ଜଣେ ଯାଦୁଗର ପରି ମନେ ହେଉଥିବେ, ଯିଏକି ନିଜର ଭାଷା, ବର୍ଣ୍ଣନା ଏବଂ ଶୈଳୀ ମାଧ୍ୟମରେ ଏକ ନାଟକୀୟ ଦୃଶ୍ୟପଟର ବିରଚନା କରି ପାଠକକୁ ନଚାଇବାରେ ଲାଗିଥିବେ, ଉପରକୁ ଟେକିନେଇ ଯାଉଥିବେ ଓ ପୁଣି ଭୂମି ଉପରେ ଆଣି କଚାଡ଼ି ଦେଉଥିବେ । ପ୍ରବନ୍ଧ ଓ ସମାଲୋଚନାକୁ ଆମେ ଯେଉଁ ଅର୍ଥରେ ବିମୋଚନକାରୀ ସାହିତ୍ୟ ବୋଲି କହିବା, ସେଥିରେ ଉପରକୁ ଉଡ଼ିଯିବା ଏବଂ ପୁଣି ଭୂଇଁରେ କଚାଡ଼ି ହୋଇ ପଡ଼ିବାର ସେପରି କୌଣସି କବିକର୍ମ ନଥିବ । ପ୍ରବନ୍ଧ ଓ ସମାଲୋଚନା ଆପଣଙ୍କର ନିଜ ଭିତରକୁ ବାଟ ଖୋଲି ନେଇ ଯାଉଥିବ । ଯେଉ ଗଣ୍ଡିଗୁଡ଼ାକୁ ସତେଅବା ନିଜ ଭିତରେ କୌଣସି ଦେବାରକୁ ଡରି ଫିଟାଇବା ତ ଦୂରର କଥା, ଅନାଇବାକୁ ମଧ୍ୟ ଆପଣ ଇଚ୍ଛା ବି କରୁନଥିଲେ, ତାହା ସେଗୁଡ଼ିକ ଫିଟାଇ ଦେବାର ପ୍ରସ୍ତାବ ନେଇ ଆପଣଙ୍କ ପାଖରେ ଆସି ପହଞ୍ଚିଯିବ । କୌଣସି ଯାଦୁଗର ପରି ଆପଣଙ୍କ ଘର ଭିତରକୁ ପଶିଆସି ଆପଣଙ୍କୁ ବିବସନ କରି ପକାଇବ ନାହିଁ, ହୁଏତ ଆପଣଙ୍କର ନିଜ ହାତରେ ହିଁ ଗଣ୍ଠିଗୁଡ଼ିକୁ ଫିଟାଇବାର ଏକ ଅନ୍ୟ ଅବକାଶ ସୃଷ୍ଟିକରିବ । ସେଥିଲାଗି ସାହସ ଦେବ, ସଖ୍ୟ ଯୋଗାଇଦେବେ । ଜୀବନରେ ଉଚିତ ସଖା ଜଣେ ମିଳିଲେ ଅନିଚ୍ଛୁକ, ଆତ୍ମଭୀତ ଏବଂ ଦ୍ଵିଧାଗ୍ରସ୍ତ ମଣିଷଟିଏ ମଧ୍ୟ କେଡ଼େ ସ୍ଵତଃପ୍ରଣୋଦିତ ଓ ସୁସ୍ଥ ଭାବରେ ଯେ ମଙ୍ଗିଯାଏ, ଅସଲ ପ୍ରବନ୍ଧ ଆପଣଙ୍କୁ ସେହି ମହାର୍ଘ ଅନୁଭବଟିକୁ ଆଣି ଦେବାର ଶ୍ରଦ୍ଧାପୋଷଣ କରିଥାଏ ।

 

ଜୀବନରେ ଯାହାକିଛି ଏକ ସୁସ୍ଥ Dialogue ର କାରଣ ହୁଏ, ତାହାହିଁ ଅସଲ ବିମୋଚନଗୁଡ଼ିକ ଲାଗି ବାଟ ଫିଟାଏ । ଏହି Dialogue ନିଜ ସହିତ, ନିଜକୁ ବେଷ୍ଟନ କରି ରହିଥିବା ଗତିଶୀଳ କାଳଟି ସହିତ, ଗତିଶୀଳ ପୃଥ୍ଵୀ (Space) ଟି ସହିତ । Dialogue ନିଜର ସମ୍ଭାବନାଗୁଡ଼ିକ ସହିତ ଏବଂ ଏହି ପୃଥ୍ଵୀଲାଗି ଅପେକ୍ଷା କରି ରହିଥିବା ସମ୍ଭାବନାଗୁଡ଼ିକ ସହିତ । ସାହିତ୍ୟରେ ଆମେ ପ୍ରବନ୍ଧ ବୋଲି କ୍ରମେ ଯାହାକୁ କହି ଶିଖୁଛୁ ଏବଂ ଯାହାର ପ୍ରସ୍ଥଗୁଡ଼ିକୁ ଅଧିକରୁ ଅଧିକ ଅଙ୍ଗୀକାରବଦ୍ଧ ଭାବରେ କ୍ରମେ ଆବିଷ୍କାର କରୁଛୁ, ତାହା ସର୍ବ ପ୍ରଥମେ ଓ ସର୍ବ ପ୍ରଧାନ ଅର୍ଥରେ ସେହି Dialogue ହିଁ ପ୍ରତିନିଧିତ୍ଵ କରିଥାଏ । ଏଥିରେ ଭାବ ସର୍ବପ୍ରାଥମିକ ସୂତ୍ରଧର ଓ ସୂତ୍ରକାର ରୂପେ ରହିଥାଏ । ଭାବପ୍ରବଣତା’ର ସାମୟିକ କାଳିସୀଟିକୁ ନିଜ ଦେହରୁ ଛଡ଼ାଇପାରିଲେ ଯାଇ ମଣିଷ ଅସଲ ଭାବର ଭାଜନ ହୁଏ । ଗୋଟାଏ ମାର୍ଗର ଯୋଗ ରହିଛି, ଯାହାକି ଭାବାବେଶକୁ ହିଁ ଆପଣାର ଚରମ ପ୍ରାପ୍ତି ରୂପେ ଗ୍ରହଣ କରି ନେଇଯାଏ । ବାରବାର ପଘାରୁ ଛିଣ୍ଡି ଆସୁଥିବ ଓ ପୁଣି ବାରବାର ପଘା ଭିତରେ ଯାଇ ଧରାଦେଉଥିବ, ବହୁତ ପୀଡ଼ା ଅନୁଭବ କରୁଥିବ ଓ ସେଥିରୁ ଗୋଟିଏ କିମ୍ଭୂତ ପ୍ରକାର ଆନନ୍ଦ ଅନୁଭବ କରୁଥିବ, ଏସବୁ ଧନ୍ଦା ପ୍ରବନ୍ଧକୁ ମୋଟେ ପୋଷାଏ ନାହିଁ । ଅପରପକ୍ଷରେ ପ୍ରବନ୍ଧ କୌଣସି ପରାମର୍ଶ ଦିଏନାହିଁ, କୌଣସି ଉପଦେଶ ଦେବାର ଅସହଜତାରେ ବି ପଡ଼ି ଯାଏ ନାହିଁ । ଶାସ୍ତ୍ରର ସାହାଯ୍ୟ ନିଏ ସିନା, ମାତ୍ର ଶାସ୍ତ୍ରକୁ ଗାଦୀବ୍ରହ୍ମ ବୋଲି ମାନେନାହିଁ । ପାଣିରେ ପହଁରିବାକୁ ଭଲପାଏ, ମାତ୍ର ପାଣିରେ ଯେପରି ବୁଡ଼ି ମରିବାକୁ ନପଡ଼େ, କମ୍ ଉଡ଼େନାହିଁ, ମାତ୍ର ମୋହରେ ପଡ଼ି ମିଛ ଆକାଶଗୁଡ଼ାକୁ ମୋଟେ ଉଡ଼ି ପଳାଏ ନାହିଁ । ସିଏ ଫେରି ଆସିପାରେ ଓ ଆପଣାକୁ ଭୂଇଁ ସହିତ ଯୁକ୍ତ କରି ରଖିବାରେ ହିଁ ସବୁଠାରେ ଅଧିକ ଆନନ୍ଦ ପାଏ । ତା'ର ଯାବତୀୟ ଆକାଶକଳନାର ଚେର ଏହି ଭୂଇଁରେ ରହିଥାଏ । ସିଏ ଭୂଇଁକୁ ନେଇ ସ୍ଵପ୍ନ ଦେଖେ । ଆକାଶଗୁଡ଼ିକ ଯେ ଏହି ଭୂଇଁ ଉପରକୁ ନଇଁ ଆସିବା ଲାଗି ଅଭିପ୍ରେତ ହୋଇ ରହିଛନ୍ତି, ସେଥିରେ ଦୃଢ଼ ବିଶ୍ଵାସ ରଖିଥାଏ । ମୋଟେ ସେହି ବିଶ୍ଵାସରୁ ହୁଡ଼ି ଯାଏନାହିଁ ।

 

କବିତା କାମିନୀପ୍ରାୟ ହେବବୋଲି ସେକାଳରେ ତତ୍ତ୍ଵକାରମାନେ କହିଯାଇଛନ୍ତି । ସେକାଳରେ ନାରୀମାନଙ୍କୁ କାମିନୀପ୍ରାୟ ଦେଖାଯାଉଥିଲା, ଉପଭୋଗ କରାଯାଉଥିଲା । ଆପେ କାମୁକ ଅଥବା କାମଦ୍ଵାର ଆତୁର ଜାନ୍ତବ ଦ୍ରବ୍ୟଟିଏ ନହେଲେ ନାରୀକୁ ସବାଆଗ ନିଜଭଳି ମଣିଷଟିଏ ପରି ନଦେଖି କାମିନୀଟିଏ ପରି ଦେଖିବା ନିଶ୍ଚୟ ବଡ଼ କଷ୍ଟକର ହେବ । ଏବେ ଆମ ଏ ଯୁଗରେ ମଧ୍ୟ ଏମିତି ଆତୁର ମଣିଷ ବହୁତ ରହିଛନ୍ତି, ଯେଉଁମାନେ କି ଯାବତୀୟ ପ୍ରୟୋଜନର କ୍ଷେତ୍ରରେ ନାରୀକୁ କାମିନୀ ପରି ଦେଖନ୍ତି । ସମ୍ଭବତଃ ଏପରି ବହୁତ କବି ମଧ୍ୟ ଅବଶ୍ୟ ରହିଥିବେ, ଯେଉଁମାନେ ନିଜ ଗଢ଼ା କବିତାଟିକୁ ମଧ୍ୟ କାମିନୀ ପ୍ରାୟ ଦେଖୁଥିବେ ଓ ଭୋଗ କରୁଥିବେ । ସାହିତ୍ୟରେ ଜଣେ ପ୍ରବନ୍ଧାକାର ଅଥବା ପ୍ରବନ୍ଧପାଠକ ଗୋଟିଏ ପ୍ରବନ୍ଧକୁ କ'ଣ ଭଳି ଦେଖିବା ସମୁଚିତ ହେବ ? ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ସିଏ ପ୍ରବନ୍ଧଟିକୁ କାମିନୀ ପରି ମୋଟେ ଦେଖିବ ନାହିଁ-। ଆଦୌ କୌଣସି ରଚନାକୁ କାମିନୀ ପରି ଦେଖିବାକୁ ବାହାରିଥିବା ଜଣେ ମଣିଷ କଦାପି ପ୍ରବନ୍ଧ ଲେଖିବ ନାହିଁ, ପ୍ରବନ୍ଧ ପଡ଼ିବ ବି ନାହିଁ । ହୁଏତ ଇଏବି ଗୋଟିଏ କାରଣ, ଯେଉଁଥିପାଇଁ ଆଗ କାଳରେ ସାହିତ୍ୟ ରାଜ୍ୟରେ ଆଦୌ କୌଣସି ପ୍ରବନ୍ଧ ସମ୍ଭବ ହୋଇନଥିଲା । ଏହି ଗୋଟିଏ କଥାକୁ ମଧ୍ୟ ମନନର କ୍ଷେତ୍ରରେ ତଉଲି ତଉଲି ଆମେ ଯେତିକି ଯେତିକି ଅଧିକ ଗଭୀରକୁ ଯାଉଥିବା ଅଥବା ଆମ ସାହିତ୍ୟଦୃଷ୍ଟିରେ ପରିପ୍ରେକ୍ଷୀଗୁଡ଼ିକୁ ପ୍ରସାରିତ କରିଦେଇ ପାରୁଥିବା, ସାହିତ୍ୟର ଭଳି ଭଳି କିସମ ଭିତରେ ପ୍ରବନ୍ଧ ନାମକ କିସମଟି ଆମକୁ ଅଧିକରୁ ଅଧିକ ସମୀଚୀନତା ସହିତ ଭାରି ଅଲଗା ଦେଖା ଯାଉଥିବ । ପ୍ରବନ୍ଧ ପାଇଁ, ଉଭୟ ଲେଖିବା ପାଇଁ ଏବଂ ପଢ଼ିବା ପାଇଁ, ଏକ ଅନ୍ୟ କିସମର ଆନୁଗତ୍ୟ ଦରକାର ବୋଲି ଆମେ ସେତିକି ସ୍ପଷ୍ଟ ହୋଇ ଯାଉଥିବା । ପ୍ରବନ୍ଧର ମାଧ୍ୟମରେ ସାହିତ୍ୟ ସହିତ ଯୁକ୍ତହୋଇ ରହିବାକୁ ହେଲେ ନିଜକୁ ଯେ ଏକ ଅନୁରୂପ ସ୍ଵତନ୍ତ୍ରତା ସହିତ ମଣକରି ଆଣିବାକୁ ହେବ,ସେହି କଥାଟି ମଧ୍ୟ ଆମକୁ ଅଧିକ ଜଳଜଳ ହୋଇ ଦିଶି ଯାଉଥିବ ।

 

[ଝଙ୍କାର, ୪୯/୫, ଅଗଷ୍ଟ ୧୯୯୭]

☆☆☆

 

ପ୍ରବନ୍ଧର ପିତାମାତା

 

ଭାରତୀୟ ଅଧ୍ୟାତ୍ମଶାସ୍ତ୍ରରେ ଆକାଶକୁ ପିତାବୋଲି ସମ୍ବୋଧନ କରାଯାଇଛି । ଆକାଶ ଏଠି ନୁହେଁ, ଉର୍ଦ୍ଧ୍ଵରେ । ଉର୍ଦ୍ଧ୍ଵରେ କହିଲେ ଅନେକ ମଣିଷ ଦୂରରେ ବୋଲି ବୁଝିବାକୁ ମନ କରିବେ-। ସେହି ଆକାଶକୁ ଆବାହନ କରାଯାଇଛି । ଯେଉଁଟି ଉପରେ ଛିଡ଼ାହୋଇ ଆସ୍ପୃହାବାନ୍ ମନୁଷ୍ୟ ଆକାଶର ଆବାହନ କରିଛି, ସେଇଟି ହେଉଛି ପୃଥିବୀ । ଏହି ପୃଥିବୀ, ଆମରି ପୃଥିବୀ-। ଅଧ୍ୟାତ୍ମଶାସ୍ତ୍ର ପୃଥିବୀକୁ ମାଆ ବୋଲି ଘୋଷଣା କରିଛି । ଆମର ଅତି ନିକଟରେ ଏହି ପୃଥିବୀ, ଆମେ ପୃଥିବୀରେ ବିଚରଣ କରୁଛୁ, ପୃଥିବୀ ଉପରେ ହିଁ ଆତଯାତ ହେଉଛୁ । ଏହି ପୃଥିବୀରେ ଛିଡ଼ାହୋଇ ଚତୁର୍ଦ୍ଦିଗକୁ ଚାହିଁ ଦେଖିଲେ ଆକାଶଟା ପୃଥିବୀକୁ ଲାଗିକରି ରହିଥିବାର ଦେଖାଯିବ-। ଏହି ପୃଥିବୀ ନଥିଲେ ଆକାଶ କାହା ଉପରେ ଭରାଦେଇ ସତକୁସତ ରହିପାରିଥାନ୍ତା ? ଏବଂ, ଆକାଶଟା ବି ନଥିଲେ ପୃଥିବୀ ମଧ୍ୟ କୋଉଠି ସରିବା ପରି ମନେହେଉଥାନ୍ତା-? ବେଳେବେଳେ ସତେଅବା ପରିପୂର୍ଣ୍ଣତା’ର ଆଖିରେ ଦେଖିଲେ ଆକାଶ ଆଉ ପୃଥିବୀ ପରସ୍ପରର ପରିପୂରକ ପରି ମନେ ହୁଅନ୍ତି, ସେହି ଗୋଟିଏ ମୁଦ୍ରାର ଦୁଇପାଖ ବୋଲି ଅନୁଭବ ହୁଅନ୍ତି ।

 

ଆମ ଜୀବନର ଗୋଟିଏ ପାଖ ତା'ର ଆକାଶ ଏବଂ ଆଉ ଗୋଟିଏ ପାଖ ଆମ ପୃଥିବୀ । ଆମ ପୃଥିବୀ ବୋଲି ଯେତେ ସହଜରେ କହିହୁଏ, ଅଧିକାଂଶ ମଣିଷ ସେତିକି ସହଜରେ ଆକାଶକୁ ଆମ ଆକାଶ ବୋଲି କହିପାରନ୍ତି ନାହିଁ କାହିଁକି କେଜାଣି ? ଭାରତର ଆଦି ଅଧ୍ୟାତ୍ମରେ କେଡ଼େ ସୁନିବିଡ଼ ଭାବରେ ଆକାଶକୁ ଯାହାର ମସ୍ତକ ବୋଲି କୁହାଯାଇଛି, ପୃଥିବୀକୁ ତାଙ୍କରି ପାଦଦ୍ଵୟ ବୋଲି କୁହାଯାଇଛି । ଆକାଶ ଈଶ୍ଵରଙ୍କର ମସ୍ତକ ଏବଂ ପୃଥିବୀ ହେଉଛି ତାଙ୍କର ପାଦ । ଆକାଶ ହେଉଛି ସତ୍ୟର ମସ୍ତକ ଏବଂ ପୃଥିବୀ ହେଉଛି ତା'ର ପାଦ । ସତ୍ୟକୁ ଏକ ସମଗ୍ର ଶରୀର ପରି ଅନୁମାନ କଲେ ତା’ର ମସ୍ତକ ଏବଂ ତା’ର ପାଦ ଭିତରେ ବସ୍ତୁତଃ କୌଣସି ଫରକ ରହନ୍ତା ନାହିଁ । ଭାରତୀୟ ଧର୍ମୀୟ ଶାସ୍ତ୍ରମାନେ ଯେତେବେଳେ ସତେଅବା କେଉଁ ଅନ୍ୟ ପ୍ରୟୋଜନରେ ପଡ଼ି ସମ୍ପ୍ରଦାୟମାନଙ୍କର ସମ୍ପତ୍ତିରେ ପରିଣତ ହୋଇଗଲେ, ସେତେବେଳେ ଈଶ୍ଵରଙ୍କର ମସ୍ତକ ଓ ପାଦ ମଧ୍ୟରେ କେତେ ବାଛବିଚାର ପଡ଼ିଲା, ମସ୍ତକକୁ ଊର୍ଦ୍ଧ୍ଵ ଏବଂ ପାଦକୁ ନିମ୍ନବୋଲି ବର୍ଣ୍ଣିତ ହେଲା । ବ୍ରାହ୍ମଣ ତାଙ୍କର ମସ୍ତକରୁ ଜାତ ହୋଇଛି ଏବଂ ଶୂଦ୍ର ମାତ୍ର ପାଦରୁ ଜନ୍ମିଛି ବୋଲି ଘୋଷଣା କରାଗଲା । ଅଧ୍ୟାତ୍ମକୁ ସତେଅବା ବୋକା ବନାଇବାର ଫିସାଦ କରାଗଲା । ଈଶ୍ଵରଙ୍କର ମସ୍ତକ ଓ ପାଦ ଈଶ୍ଵରଙ୍କର । ଈଶ୍ଵରଙ୍କୁ କଳନା କରିପାରୁଥିବା ମଣିଷ ସେଥିଲାଗି ମସ୍ତକ ଓ ପାଦ ମଧ୍ୟରେ ଆଦୌ କୌଣସି ଭେଦବୋଧ କଦାପି ରଖିବ ନାହିଁ । ଆକାଶ ଓ ପୃଥିବୀକୁ ସିଏ ବ୍ରହ୍ମରାଶିର ଦୁଇ ପ୍ରାନ୍ତ କରି ଦେଖିବ । ଆକାଶକୁ ଅନୁମାନ କରିବା ସମୟରେ ସେ ପୃଥିବୀ ବିଷୟରେ ଅନ୍ୟମନସ୍କ ହେବନାହିଁ କିମ୍ବା ପୃଥିବୀ ଉପରେ ବାଟ ଚାଲୁଥିବା ସମୟରେ ସେ ଆକାଶ ବିଷୟରେ ଆଦୌ ସନ୍ଦିହାନ ହେବନାହିଁ ।

 

ସାହିତ୍ୟ ନାମକ ସତ୍ୟର ଅବୟବ କଳ୍ପନାରେ ଆମେ କେତେଦୂର ପ୍ରାସଙ୍ଗିକତା ରକ୍ଷାକରି ପଦ୍ୟକୁ ଆକାଶ ବୋଲି କହିବା ଏବଂ ଗଦ୍ୟକୁ ପୃଥିବୀ ବୋଲି କହିବା ? ଏବେ ଏ ଯୁଗରେ ମଧ୍ୟ ଏପରି ଅନେକ ସାହିତ୍ୟିକ ରହିଛନ୍ତି, ଯେଉଁମାନେ କି ପଦ୍ୟ କହିଲେ କୌଣସି ନା କୌଣସି ପ୍ରକାରର ପଳାଇବାକୁ ବୁଝନ୍ତି । ସତେଅବା ଜୀବନରୂପୀ, ବାସ୍ତବରୂପୀ କୌଣସି ଚାହାଳିକୁ ଡରୁଥାନ୍ତି ବୋଲି ସେମାନେ ନିଜର କାବ୍ୟକାରିତାକୁ କାନିପରି ବ୍ୟବହାର କରି ତାହାରି ତଳେ ଲୁଚି ରହିଥାନ୍ତି । କେତେ କେତେ ବୁଦ୍ଧିମତ୍ତା ପ୍ରୟୋଗ କରି ସେମାନେ କାନିଟିକୁ ତିଆରି କରିଥାନ୍ତି । ଗଦ୍ୟକୁ ଯଦି ପଦ୍ୟର ଏକ ଅପରପକ୍ଷ ବୋଲି ବିଚାର କରି ପୃଥିବୀ ବୋଲି କୁହାଯାଏ, ତେବେ ସେହି ପୃଥିବୀକୁ ପଳାଇବାକୁ ଆମେ ହୁଏତ ଯେତେ ବୁଦ୍ଧି ଖରଚ କରିବାକୁ ମନ କରୁଥିବା, ଜୀବନର ଦାଣ୍ଡରେ ହୁଏତ ସେତିକି ସେତିକି ଅପଦସ୍ଥ ହେବାରେ ଲାଗିଥିବା । ଅନେକ ମଣିଷ ଏପରି କ'ଣ ଗୋଟିଏ ଧାତୁରେ ତିଆରି ହୋଇଥାନ୍ତି କେଜାଣି, ସର୍ଜନାତ୍ମକତା କହିଲେ ସେମାନେ ସେହି ପଳାଇବାକୁ ହିଁ ବୁଝନ୍ତି । ଆପଣ କେବେ ଆମ ସମୟର ଏକ କବିତା ପାଠୋତ୍ସବ ଦେଖିଛନ୍ତି ? ନିଜର ସର୍ଜନାତ୍ମକତାକୁ ପ୍ରତିପାଦନ କରିବାଲାଗି ଉତ୍ସବମନା କବିମାନେ ସତେଅବା ଆଉ କୋଉଠୁ ପଳାଇଆସି ଘଡ଼ିକ ଲାଗି ଗୋଟିଏ ଥାନରେ ରୁଣ୍ଡ ହୋଇଥାନ୍ତି । ସତେଅବା କୋଉ ସଂସାରରେ ଧରାଦେବେ ନାହିଁ ବୋଲି ନିଷ୍ପତ୍ତି କରି ଏକ ଅନ୍ୟ ସଂସାର ମଧ୍ୟରେ ପ୍ରବେଶ କରିଥାନ୍ତି । ଅମାପମାପ ଖୁସି ଅନୁଭବ କରୁଥାନ୍ତି । ସେମାନେ କୋଉ ସ୍ୱୟମ୍ବର ସଭାରେ ଏକମାତ୍ର ନିଜକୁ ହିଁ ସମସ୍ତଙ୍କଠାରୁ ଅଧିକ ଯୋଗ୍ୟ କି ଅଧିକ ବୀରବୋଲି ପ୍ରମାଣିତ କରିବାକୁ ଆସିଥାନ୍ତି । ଆକାଶରେ ଉଡ଼ୁଥିବା ପରି ମାଲୁମ ହୁଅନ୍ତି । ଓଡ଼ିଆ ସାହିତ୍ୟର ସବୁଜ ଯୁଗରେ କବିମାନେ ଏକତ୍ର ସ୍ଵାକ୍ଷର କରି ଯେଉଁ କବିତାଗୁଚ୍ଛ ରଚନା କରିଥିଲେ, ସେଥିରେ ଆମକୁ ସେହି ଆକାଶଚାରଣାର ନମୁନା ସବୁ ଏକାବେଳେ ସିଧା ଦେଖିବାକୁ ମିଳିଯିବ ।

 

ଭାରତୀୟ ଯୋଗଶାସ୍ତ୍ରରେ ରାଜଯୋଗ ବୋଲି ପ୍ରକାରଟିଏ ରହିଛି । ସଂପ୍ରଦାୟ ଅନୁସାରେ ଅର୍ଥାତ୍ ପ୍ରକରଣ ଭେଦରେ ତାହାର ଷଡ଼ଙ୍ଗ, ସପ୍ତାଙ୍ଗ ଏବଂ ଅଷ୍ଟାଙ୍ଗ ଶାଖାମାନ ରହିଛି-। ଅର୍ଥାତ୍, ପାହାଚଗୁଡ଼ିକୁ କୋଉଠି ସାତଟି ଓ ଆଉଠାଏ ଆଠୋଟି ବୋଲି ଦର୍ଶାଯାଇଛି-। ସବାଶେଷ ପାହାଚଟି ହେଉଛି ସମାଧି । କିଛି ସମୟ ନିମନ୍ତେ ଈପ୍‍ସିତ ମଧ୍ୟରେ, ଅକଳ୍ପନା ଭିତରେ, ଏକ ତଦ୍‍ଗତତା ମଧ୍ୟରେ ଲୀନ ହୋଇଯିବା ହେଉଛି ସମାଧି । ସେହି ପ୍ରାପ୍ତିଟି ପାଇଁ ଯାବତୀୟ ବିଶେଷ ଅଭ୍ୟାସ ଓ କସରତ । ବେଳେବେଳେ ବିସ୍ମିତ ହେବାକୁ ହୁଏ ଯେ, ଯୁଗ ଯୁଗ ଧରି ଭାରତବର୍ଷରେ ଏତେ ଏତେ ମଣିଷ କେବଳ ଘଡ଼ିଏ ଲୀନ ହୋଇଯିବାକୁ ଏପରି ବାଇଆଙ୍କ ପରି ରାଜଯୋଗକୁ ମନ କରିଛନ୍ତି । ଏହାକୁ କେଡ଼ ପୁଲକରେ ଯୋଗନିଦ୍ରା ବୋଲି କୁହାଯାଇଛି-। ଯଦି ଆଖର ପୁନର୍ବାର ଏହି ପୃଥ୍ଵୀଟା ଉପରକୁ ଖସି ପଡ଼ିବାକୁ ବାଧ୍ୟ ହେବ, ତେବେ ଆକାଶରେ କେତେକ୍ଷଣ ଅଣଅକ୍ତିଆର ଭାବରେ ବିହରଣ କରିବାରେ କେଉଁ ଶ୍ରେୟ ରହିଛି କେଜାଣି-? ଏହି ମାର୍ଗରେ ସତେଅବା ଅନ୍ତଃସଂଲଗ୍ନ ହୋଇ ଏକ ବିଡ଼ମ୍ବନା, ଆତ୍ମବିଡ଼ମ୍ବନା ତଥାପି ରହିଥିଲା ବୋଲି ଭାରତରେ ଅନେକ ଯୋଗୀ ଯୋଗସାଧନା କରିବା ସଙ୍ଗେ ସଙ୍ଗେ ମଠ ବି କଲେ-। ପ୍ରାୟ ସଂସାରୀ ହେଲେ, ଏକ ଆଧ୍ୟାତ୍ମିକ ସଂସାର ଭିତରେ ରହୁଛନ୍ତି ବୋଲି ନିଜକୁ ଆଶ୍ଵାସନା ଦେଲେ-। ବାର ବାର ପ୍ରବେଶ କରି ବାର ବାର ଫେରି ଆସିବାର ଦୈନ୍ୟରୁ ବାଆଁରେଇ ହୋଇ ରହିବା ସକାଶେ ସେମାନେ ଭଳି ଭଳି ଭେକ-ପ୍ରସାଧନର ଭିଆଣ କଲେ, ଧ୍ୟାନାର୍ଚ୍ଚନାର ବହୁ ବିଧିକୁ ସତେଅବା ଈଶ୍ଵରଙ୍କ ଆଦେଶ ପରି ମାନିଲେ । ପୃଥିବୀକୁ ମୋଟେ ମନ କରିବେ ନାହିଁ ବୋଲି ସଂକଳ୍ପ କରି ତଥାପି ଝଅକ ମାରି ପୃଥିବୀଟାକୁ କାମୁଡ଼ି କରି ରହିଲେ । ଏମାନଙ୍କୁ ନିଜ ନିକିତିରେ ତଉଲି ଭଗବାନ ପ୍ରତ୍ୟହ ହୁଏତ କେତେ ହସୁଥିବେ, ଏକାବେଳକେ ହସି ହସି ଗଡ଼ି ଯାଉଥିବେ-। ଏହାକୁ ମଣିଷମାନଙ୍କର ଲୀଳା ବୋଲି ଜାଣୁଥିବେ ।

 

ସାହିତ୍ୟ ସେକାଳରେ ଆକାଶରେ ଉଡ଼ୁଥିଲା । ପଦ୍ୟ ହିଁ ସେହି ସାହିତ୍ୟର ଏକମାତ୍ର ପ୍ରାଣସନ୍ତକ ହୋଇ ରହିଥିଲା । ଗଦ୍ୟ କହିଲେ ପୃଥିବୀଟାକୁ ବୁଝାଉଥିଲା । ସତେଅବା ନିଜର ପୃଥିବୀଜନ୍ମକୁ ଏକ ଶାସ୍ତି ସଦୃଶ ଭୋଗ କରୁଥିବା ପରି ପଦ୍ୟସାହିତ୍ୟର ଝୁଣ୍ଟିଆ ପିନ୍ଧି ସାହିତ୍ୟ କ୍ଷଣକ ଲାଗି ହେଲେ ମଧ୍ୟ ଆଉ କୁଆଡ଼କୁ ଉଡ଼ି ପଲାଉଥିଲା । ସେହି ଉଡ଼ି ପଳାଇବାକୁ ପ୍ରାୟ ଭାବବିହ୍ଵଳ ଭାବରେ ମୋକ୍ଷ ବୋଲି କୁହାଯାଉଥିଲା । ଆଗକାଳରେ ମୋକ୍ଷ ହିଁ ସାହିତ୍ୟର ଉଦ୍ଦେଶ୍ୟ ହୋଇ ରହିଥିଲା । ପୃଥିବୀ ବାହାରେ ଅବଶ୍ୟ ଏପରି ଏକ ରାଜ୍ୟ ରହିଥିବ, ଯେଉଁଠି ଏକ ଜାଲଗୁଡ଼ାକ ନଥିବ, ବନ୍ଧନ ନଥିବ-ଚିରନ୍ତନ ସୁଖ ଥିବ-ତାହାକୁ କ୍ରମେ ଗେଲବସର ଭାବରେ ସ୍ଵର୍ଗ ବୋଲି କୁହାଗଲା । ସ୍ଵର୍ଗ ହେଉଛି ଦେବତାମାନଙ୍କର ଘର, ପରିପୂର୍ଣ୍ଣ ସୁଖର ଘର । ଏଠି ଯାହା ନାହିଁ ବୋଲି ମଣିଷ ଅହର୍ନିଶ ଛଟପଟ ହେଉଛି, ସେଠି ସେହିଗୁଡ଼ିକ ହିଁ ତୁମର ଆସ୍ଵାଦନ ନିମନ୍ତେ ଅମିତ ପରିମାଣରେ ପଡ଼ିରହିଛି । ତଥାପି, ସତେଅବା ଏକ ଅସୂୟାର ବଶବର୍ତ୍ତୀ ହୋଇ ମଣିଷମାନେ ଘୋଷଣା କରିଦେଲେ ଯେ ସବୁ ମଣିଷ ସେଠାକୁ କଦାପି ଯିବେନାହିଁ । କେବଳ ନିର୍ବାଚିତମାନେ ଯାଇପାରିବେ । ପୁଣ୍ୟବାନ୍‍ମାନେ ହିଁ ସେଠାକୁ ପ୍ରବେଶାଧିକାର ପାଇବେ, –ସେଠାରେ ସେମାନେ ସପରିବାରର ବି ବିହାର କରିବେ ବୋଲି ଓଡ଼ିଶାରେ କବି ଗଙ୍ଗାଧର ମେହେର କେଡ଼େ ରସାଣିତ ଭାବରେ ବର୍ଣ୍ଣନା କରିଛନ୍ତି । ପୁଣ୍ୟବାନ୍‍ମାନଙ୍କ ପାଇଁ ସ୍ଵର୍ଗ ଏବଂ ପପାପୀମାନଙ୍କ ପାଇଁ ନର୍କ । ଏହି ତତ୍ତ୍ଵଗୁଡ଼ିକୁ ବିଶ୍ଵର ନାନା ସାହିତ୍ୟରେ କେଡ଼େ ମଞ୍ଜୁଳ ଭାବରେ ବର୍ଣ୍ଣନା କରାଯାଇଛି । ଭାରତରେ ପୁରଣକାରମାନେ କେଡ଼େ ଧୈର୍ଯ୍ୟର ସହିତ ସେହି କଥାଗୁଡ଼ିକ କାହାଣୀ ଛଳରେ ପଦ୍ୟରେ ବଖାଣି ଯାଇଛନ୍ତି । ଏଗୁଡ଼ିକୁ ମଣିଷ ଚେଷ୍ଟା କରିଥିଲେ ମଧ୍ୟ ନିରାଟ ଗଦ୍ୟ କହିପାରିଥାନ୍ତା କି ନାହିଁ କେଜାଣି ? ପୃଥିବୀକୁ ଅସ୍ଵୀକାର କରିବା ନିମନ୍ତେ ମଣିଷର ଯେତେ ଯେତେ ଆକାଶଭାବନା ପଦ୍ୟର ମାଧ୍ୟମରେ ଫୁଲେଇ ହୋଇ ପଳାଇବାର ଫିକର କରିଛି, ତାହା ସତେଯେପରି ତଥାପି ଆକାଶକୁ ଚିହ୍ନିବା ଲାଗି ସମର୍ଥ ହୋଇନାହିଁ । କାରଣ, ପୃଥିବୀକୁ ନ ଚିହ୍ନିଲେ ତୁମେ ଆକାଶକୁ ପ୍ରକୃତରେ କିପରି ବା ଚିହ୍ନି ପାରିବ ? ପୃଥିବୀ ଉପରେ ଭରା ନଦେଇ ଆକାଶ କିପରି କେଉଁଠି ଠିଆ ବି ହୋଇପାରିବ ? ଭୂମିଟିଏ ନଥିଲେ ତୁମେ ଲମ୍ବଟିଏ କେଉଁଠି ଟାଣିପାରିବ ଏବଂ ଅନୁପ୍ରସ୍ଥ ସହିତ ଅଙ୍ଗୀକାରବଦ୍ଧ ହୋଇ ନଥିଲେ ଅନୁଲମ୍ବର କି ପରିଚୟ ପାଇବ ? ଯେ ପୃଥ୍ଵୀ ଓ ଆକାଶ ଦୁଇଟିଯାକକୁ ପରସ୍ପରର ପରିପୂରକ ରୂପେ ସ୍ଵୀକାର କରିନେଇ ପାରିଥିବ, ସିଏ ଏହି ଭୂମିଟି ଉପରେ ହିଁ ସ୍ଵର୍ଗକୁ ନିର୍ମାଣ କରିବାର ସୁସ୍ଥ ସୂତ୍ରଟିକୁ ଅବଶ୍ୟ ବୁଝିବ । ସିଏ ପୃଥିବୀ ଉପରେ ଛିଡ଼ା ହୋଇ ଆକାଶକୁ ଛୁଇଁବାକୁ ପ୍ରୟାସ କରିବ । ଆଧୁନିକ ମଣିଷ ନାନାଭାବେ ସେହି ସ୍ଵର୍ଗାବତରଣର ଛବିଟି ଦ୍ଵାରା ଅନୁପ୍ରାଣିତ ହୋଇଆସିଛି ଏବଂ ସମ୍ଭବତଃ ସେହି କାରଣରୁ ପଦ୍ୟ ପରିବର୍ତ୍ତେ ଗଦ୍ୟକୁ ନିଜର ସଙ୍ଗୀରୂପେ ବାଛିନେବାକୁ ମନ କଲାଣି । ଏଇଠି ତା' ଜୀବନ ମଧ୍ୟରେ ନୂଆ ନୂଆ ଛନ୍ଦ–ସମ୍ଭାବନାର ଆବିଷ୍କାର କରିବା ସଙ୍ଗେ ସଙ୍ଗେ ସିଏ ଗଦ୍ୟ ଭିତରେ ମଧ୍ୟ ବହୁତର ସମ୍ଭାବନାର ଉଦ୍‍ଘାଟନ ନିମନ୍ତେ ସୁରାଖ ପାଇଲାଣି । ସବୁ ସାହିତ୍ୟର ରୋମାଣ୍ଟିକ୍ ଯୁଗରେ ଗଦ୍ୟକୁ ଆଶ୍ରାକରି ମଧ୍ୟ ପଳାଇ ଯିବାକୁ ଇଚ୍ଛା କରୁଥିବା ଦୃଷ୍ଟାନ୍ତମାନ ଆମକୁ ଭୂରି ଭୂରି ଅବଶ୍ୟ ମିଳିଯିବ । ପଳାଇ ଯିବା ପାଇଁ ମନ କରୁଥିବା ପର୍ଯ୍ୟନ୍ତ ମଣିଷଟିଏ ଧରା ନଦେବାକୁ ହିଁ ଜୀବନର ଚରମ ଧର୍ମ ବୋଲି ଗ୍ରହଣ କରିନେଇଥାଏ । ପ୍ରାୟ ସବୁ ସାହିତ୍ୟରେ ଧରା ନଦେବାକୁ ହିଁ ଜୀବନର ଚରମ ଧର୍ମ ବୋଲି ଗ୍ରହଣ କରିନେଇଥାଏ । ପ୍ରାୟ ସବୁ ସାହିତ୍ୟରେ ଧରା ନଦେବାକରୁ ହିଁ ପରମ ସମ୍ପଦ ବୋଲି ବିଚାର କରୁଥିବା ଲେଖକମାନେ ହିଁ ପଦ୍ୟର ଆଶ୍ରୟ ନେବାକୁ ସବୁଠାରୁ ଅଧିକ ନିରାପଦ ବୋଲି ମନେକରି ଆସିଛନ୍ତି ।

 

ଏହି ସଂସାର ପଳାଇ ଯିବାପାଇଁ ଆଦୌ ନୁହେଁ, ଏହି ସଂସାର ଧରା ଦେବାପାଇଁ । ଏହି ସଂସାର ବନ୍ଧନଗୁଡ଼ିକୁ ଛିଣ୍ଡାଇବା ପାଇଁ ନୁହେଁ, ଏହି ସଂସାର ଜାଣି ଜାଣି ଅଧିକରୁ ଅଧିକ ବନ୍ଧନରେ ବାନ୍ଧିହୋଇ ଯିବାପାଇଁ । କାହାକୁ ସୁନ୍ଦର ବୋଲି ଚିହ୍ନିବାକୁ ହେଲେ ତା' ସହିତ ବାନ୍ଧିହୋଇ ଯିବାକୁ ହୁଏ । କୌଣସି ସକାଳକୁ, ଅରଣ୍ୟାକୁ, ନିର୍ଝରିଣୀକୁ ଏବଂ ଏପରିକି କୌଣସି ବିସ୍ତୃତଯୁକ୍ତ ଆକାଶକୁ ସୁନ୍ଦର ବୋଲି ଅନୁଭବ କରିବା ନିମନ୍ତେ ସେଗୁଡ଼ିକ ସହିତ ଜାଣି ଜାଣି ବାନ୍ଧିହୋଇ ଯିବାକୁ, ସେଗୁଡ଼ିକୁ ଛୁଇଁ ପାରିବାକୁ ପଡ଼ିଥାଏ । ଏହିସବୁ ରହସ୍ୟକୁ ମଣିଷ ଏକାବେଳକେ ଏହି ଆଧୁନିକ ଯୁଗକୁ ଆସି ବୁଝିପାରିଲା । ସତକୁସତ ଛୁଇଁପାରିଲେ, ସ୍ଵୀକାର କରିନେଇ ପାରିଲେ ଯେ ପ୍ରକୃତରେ ତଥାକଥିତ କୁତ୍ସିତ ମଧ୍ୟ ସୁନ୍ଦର ଦେଖାଯିବାକୁ ଆରମ୍ଭ କରେ, ଅନୁଭବୀ ପ୍ରତ୍ୟେକ ସେହି ସତ୍ୟଟିକୁ ଅବଶ୍ୟ ଅଙ୍ଗେ ଲିଭାଇଥିବେ । ସଂସାରକୁ ବନ୍ଧନଟାଏ ବୋଲି ମଣି ଡରୁଥିବା ମଣିଷ ପ୍ରକୃତରେ ନିଜକୁ ହିଁ ନାନାଭାବେ ଅସ୍ପୃଶ୍ୟ କରି ରଖିଥାଏ । ସବୁ ମଣିଷକୁ ସଙ୍ଗୀ ଓ ସହଚରୀ ବୋଲି ସ୍ଵୀକାର କରିବାକୁ ଅମଙ୍ଗ ହେଉଥିବା ଯୁଗଟା ପଦ୍ୟର ଲଟି ଭିତରେ ନିଜକୁ ବାନ୍ଧି ରଖିଥିଲା ଓ ଅନେକଙ୍କଠାରୁ ଅଲଗା ହୋଇ ରହିଥିଲା । ସଭାରେ ଗାଉଥିଲା, ସଭାରେ ହିଁ ଶୁଣୁଥିଲା । ନିଜ ବିଷୟରେ କିଛି କହିବାକୁ ହୁଏତ କିଛି ସାହସ କରୁନଥିଲା ବୋଲି ସେ ଦେବତାମାନଙ୍କୁ ଆଳ କରି କାବ୍ୟର ଫାଶମାନ ବସାଉଥିଲା ଓ କାବ୍ୟିକତା ନାମକ ସେହି ଗୋପନ ପ୍ରବୃତ୍ତିଟିକୁ ଚରିତାର୍ଥ କରିବାର ପ୍ରୟାସମାନ କରୁଥିଲା । କାବ୍ୟରେ ବେତା ବେତା ନିୟମ ରହିଥିଲା ଏବଂ ତାହାରି କଷଟି ଉପରେ ଶୁଦ୍ଧ ଓ ଅଶୁଦ୍ଧର ବିବେଚନା କରାଯାଉଥିଲା । ସାହିତ୍ୟାମୋଦୀ ରଜାମାନେ କେବଳ ଶୁଦ୍ଧ ସାହିତ୍ୟକୁ ଯୋଗ୍ୟ ସାହିତ୍ୟ ବୋଲି ସ୍ଵୀକୃତି ଦେଉଥିଲେ ଏବଂ ପୁରସ୍କୃତ କରୁଥିଲେ ।

 

ଜୀବନର ନ୍ୟାୟ ନିରୂପଣ କରିବାକୁ ଯାଇ ଯେଉଁମାନେ ଆକାଶକୁ ପୃଥିବୀଠାରୁ ଅଲଗା କରି ଠାବକରନ୍ତି, ସେମାନେ ସଚରାଚର ପୃଥିବୀରେ ଜନ୍ମ ହୋଇଥିଲେ ମଧ୍ୟ ଆକାଶଟାକୁ ଝୁରିବାରେ ଲାଗିଥାନ୍ତି । ପାଦ ଉପରେ ଛିଡ଼ା ହୋଇଥିଲେ ମଧ୍ୟ ସତେଅବା କେବଳ ମସ୍ତକଟାକୁ ହିଁ ସବୁକିଛି ବୋଲି କହନ୍ତି । ଅତି ବିହ୍ଵଳଭାବରେ କହିବାରେ ଲାଗିଥାନ୍ତି । ସେମାନେ ବାସ୍ତବ ଭିତରେ ଥାଆନ୍ତି, ମାତ୍ର ଆଦର୍ଶଟାକୁ ଝୁରିବାରେ ସତେଅବା ଅଧିକ ଆଶ୍ଵାସନା ଲାଭ କରୁଥାନ୍ତି । ମୋକ୍ଷକୁ ମୂଳତଃ ସେହିମାନେ ହିଁ ପରମଧ୍ୟେୟ ବୋଲି ଘୋଷଣା କରନ୍ତି । ଏଠୁ ଆଉ କେଉଁଠାକୁ ପଳାଇବା ନିମନ୍ତେ ସାହିତ୍ୟରେ କମ୍ ସ୍ୟାହି ଏହି କାଟର ମଣିଷମାନଙ୍କ ଦ୍ଵାରା ଖର୍ଚ୍ଚ ହୋଇନାହିଁ । ଏହି ପଳାଇବାଟାକୁ ବେଳେବେଳେ କାବ୍ୟାତୁର ଓ ବାସ୍ତବବିମୁଖମାନେ ପ୍ରାୟ ଏକମାତ୍ର ସର୍ଜନାତ୍ମକତା ବୋଲି କହି ଆସିଛନ୍ତି । ଝୁରିବାଟାକୁ ଯଦି ସର୍ଜନାତ୍ମକତା ବୋଲି କୁହାଯିବ, ତେବେ ଈଶ୍ଵର ପୃଥିବୀରୁ ସର୍ଜନାତ୍ମକତାକୁ କାଢ଼ିନେଇ ସେଇ ଦୁଃଖୀମାନଙ୍କୁ ରକ୍ଷାକରନ୍ତୁ ବୋଲି କହିବାକୁ ବି ଭାରି ମନହେବ । ଆକାଶ ପାଇଁ ବାଉଳା ହୋଇ ପ୍ରକୃତରେ କୁଆଡ଼କୁ ନିର୍ଭରଯୋଗ୍ୟ ଭାବରେ ପଳାଏ ହୁଏନାହିଁ ବୋଲି ପଳାୟନମନା ଅନେକେ ଏହି ପୃଥିବୀଟାକୁ ନିଜର ଭାବନାରେ ଆଗ ଦୁଇଖଣ୍ଡ କରିଦିଅନ୍ତି । ଏପାଖଟାକୁ ବନ୍ଧନ ବୋଲି କହି ସେପାଖଟାକୁ ମୋକ୍ଷ ବୋଲି କହନ୍ତି ଏବଂ ପ୍ରାୟ ଏକ ଆତ୍ମଲାଳସାର ପ୍ରକୋପରେ ସେପାଖକୁ ପଳାଇ ଯାଆନ୍ତି । ନିଜ ମନକୁ ବୁଝାଇବା ନିମନ୍ତେ ଏମାନେ ସଂସାର ତ୍ୟାଗ କରନ୍ତି । ଯତି ହୁଅନ୍ତି, ବିରାଗୀ ହୁଅନ୍ତି– ଏକ ବିଶେଷ ସ୍ଥାନକୁ ବାଛିନେଇ ସେଇଠି ଜୀବନଯାପନ କରନ୍ତି । ଆଶ୍ରମବାସ କରନ୍ତି । ଆମ ଏକାଳରେ ଯେମିତି ଥୋକେ ମଣିଷ ପୃଥିବୀରେ ଏତେ ଏତେ ସଙ୍ଗ ମହଜୁଦ ରହିଥିଲେ ଏବଂ ଏତେ ଏତେ କ୍ଷେତ୍ର ସତତ ଆମନ୍ତ୍ରଣ କରିବାରେ ଲାଗିଥିଲେ ମଧ୍ୟ ସୃଜନାତ୍ମକ ଭାବରେ ନିଃସଙ୍ଗତାକୁ ସାଥୀ କରି ବୁଲନ୍ତି ଓ ଏହି ସବୁଟି ଭିତରେ ଥାଇ ମଧ୍ୟ ନିଜର ଏକ ସ୍ଵତନ୍ତ୍ର ସାହିତ୍ୟାଶ୍ରମରେ ବିହାର କରୁଥିବାର ଢମ କରୁଥାନ୍ତି, ଇଏ ପ୍ରାୟ ସେହିପରି କଥାଟିଏ ।

 

ଖାଲି କ'ଣ ଯୋଗିଏ ଆଶ୍ରମବାସୀ ହୁଅନ୍ତି ? ଭୋଗୀମାନେ ମଧ୍ୟ ସମାନ ମହାତ୍ତ୍ଵାକାଙ୍‍କ୍ଷାଗୁଡ଼ିକ ଦ୍ଵାରା ତାଡ଼ିତ ହୋଇ ଆଶ୍ରମବାସୀ ହୁଅନ୍ତି । ପୃଥିବୀ ଭିତରେ ଥାଇ ମଧ୍ୟ ସତେଅବା ନିଜର ଏକ ଅଲଗା ଆକାଶରେ ବାସକରିବା ନିମନ୍ତେ ସେମାନେ ଧାନ ଜମାନ୍ତି, ଅନ୍ୟ ଅନେକଙ୍କୁ ନାନାଭାବେ ବଞ୍ଚିତ କରି ଧନ ଜମାନ୍ତି, କୁଡ଼ିଆ ଗୁଡ଼ାକ ମଧ୍ୟରେ ହର୍ମ୍ୟ ତୋଳନ୍ତି, ଉଚ୍ଚରେ ରହନ୍ତି, ଉଚ୍ଚ ହୋଇ ଦିଶନ୍ତି । ସମାଜର ସବୁ ମଉକାକୁ ସେଇମାନେ ମାଡ଼ି ବସିଥାନ୍ତି, ସବୁ ବିଦ୍ୟାର ଅଧିକାରୀ ସେଇମାନେ ହୁଅନ୍ତି । ନିଜର କ୍ଷମତାକୁ ଆପଣାର ବପୁନିଷ୍ଠ ଜୀବନର ମଥାମଣି କରି ପିନ୍ଧିଥାନ୍ତି–ସେଥିରୁ ଖୁସିପାଆନ୍ତି ଏବଂ ଏହିପରି ଖୁସି ପାଇବାଟାକୁ ସଂସ୍କୃତି ବୋଲି ଧରି ନେଇଥାନ୍ତି । ଆଧୁନିକ ଭାରତବର୍ଷ ସତେଅବା ଏହିପରି ଥୋକେ ବାବାଜୀଙ୍କ ଦ୍ଵାରା ନିରନ୍ତର ଉପଦ୍ରୁତ ହୋଇ ରହିଛି । ଆମ ଭାଗ୍ୟରେ ତୋଟା ଭିତରେ ସେହିମାନେ ନିଜ ନିଜର ଆଶ୍ରମବତ୍ ହର୍ମ୍ୟ ଓ ଦ୍ଵୀପଗୁଡ଼ିକୁ ବନାଇ ଅଲଗା ହୋଇ ରହିଛନ୍ତି । ସାହିତ୍ୟ ଚରୁଛନ୍ତି, ସାହିତ୍ୟକୁ ଚରାଉଛନ୍ତି ଏବଂ ଆମ ଭିତରେ ସତେଅବା ଏକମାତ୍ର ଅଣ୍ଡିରା ବୋଲାଇ ଆମ ସାହିତ୍ୟର ପୃଷ୍ଠପୋଷକତା କରୁଛନ୍ତି । ସେହିମାନଙ୍କ ଉପଦ୍ରବ ହେତୁ ଏବର ସାହିତ୍ୟ ପ୍ରଧାନତଃ ଏକାନ୍ତ ମାରଣାମାନଙ୍କର ଏକ ମାମଲତରେ ପରିଣତ ହୋଇରହିଛି । ଏଠି ପୃଥ୍ଵୀକୁ ଚିହ୍ନୁଥିଲେ ସବୁ ମଣିଷର କଥା ଅବଶ୍ୟ ପଡ଼ନ୍ତା । ଆଜ୍ଞାମାନେ ତଳକୁ ଓହ୍ଲାଇ ଆସିବାକୁ ହିଁ ଶ୍ରଦ୍ଧା ବୋଲି କହନ୍ତେ । ସେମାନେ ମଣିଷମାନଙ୍କୁ ଅଧସ୍ତନ ବୋଲି ନୁହେଁ, ବନ୍ଧୁ ବୋଲି ଚିହ୍ନନ୍ତେ । ବନ୍ଧୁ ଲୋଡ଼ିବା ପାଇଁ ହି ସାହିତ୍ୟ ଲେଖା ହୁଅନ୍ତା । ଅନୁମାନ କରାଯାଇପାରେ, ସେଠାରେ ପଦ୍ୟ ନୁହେଁ, ଗଦ୍ୟକୁ ହିଁ ଅଧିକ ଲୋଡ଼ାଯାଆନ୍ତା । ଯେଉଁ ଦେଶ ବା ସମୂହରେ ଅନେକଙ୍କୁ ଭାଗ୍ୟହୀନ କରି ରଖି ଅଳପ ଭାଗ୍ୟବାନ ମଣିଷ ସବୁକିଛି ମାଡ଼ି ବସିଥାନ୍ତି, ସେଠାରେ ପୃଥ୍ଵୀକୁ ବହୁପ୍ରକାରେ ଭୁରୁଡ଼ାଇ ଦିଆଯାଇ ତଥାକଥିତ ଆକାଶଗୁଡ଼ାକର ଦ୍ଵାହି ଦେଇ ସ୍ଥୂଳ ଅଳପମାନଙ୍କର ବହୁବିଧ ମଣୋହି ଅବଶ୍ୟ ଲାଗି ରହିଥାଏ । ସେତେବେଳେ ବି କମ୍ ସାହିତ୍ୟ ଲେଖାଯାଏ ନାହିଁ । କବିତା ପାଠୋତ୍ସବ ଆଦୌ କମ୍ ହୁଏନାହିଁ । ଅଳପଙ୍କୁ ହିଁ ସମଗ୍ର ଦେଶ ବୋଲି କୁହାଯିବ । ସଂସାରତ୍ୟାଗୀ ଯତିମାନେ ଯେପରି ଭଗବାନଙ୍କୁ ଖୋଜି ଖୋଜି ଡହଳ ବିକଳ ହୋଇ ସଂସାରକୁ ବାହାରି ଆସିଛନ୍ତି ବୋଲି କେବଳ ସେହିମାନେ ହିଁ ଭଗବାନଙ୍କୁ ନିଜ ଗୁହାଳରେ ଆଣି ବାନ୍ଧି ରଖିଥିବା ପରି ଆଣ୍ଟ ଦେଖାନ୍ତି, ଏଇଟା ସମ୍ଭବତଃ ପ୍ରାୟ ସେହିପରି ଏକ ମିଛ ପ୍ରତୀତିରେ ପରିଣତ ହୋଇ ରହିଥାଏ ।

 

ଏଥର ଆମେ କଥାଗୁଡ଼ିକୁ ଏକାଠି ସଜାଡ଼ି ଆଣିବାକୁ ଚେଷ୍ଟାକରିବା । ଆକାଶରେ ଥାଇ ପୃଥିବୀ ଓ ଆକାଶକୁ ଗୋଟିଏ ଆରଟି ଠାରୁ ଅଲଗା ବୋଲି ଦାବି କରାଯାଇପାରେ । ପୃଥିବୀରେ ଥାଇ ମଧ୍ୟ ପୃଥିବୀ ଓ ଆକାଶ ପରସ୍ପରଠାରୁ ଅଲଗା ବୋଲି ମଧ୍ୟ ଖୁବ୍ ଦାବି କରାଯାଇପାରେ । ଏହି ଦ୍ଵିତୀୟ ଶ୍ରେଣୀର ମନୁଷ୍ୟମାନେ ମଧ୍ୟ ପୃଥିବୀରେ ଯୁଗେ ଯୁଗେ ରହିଥିଲେ, ଏବେବି ରହିଛନ୍ତି । ସେମାନେ ଯୁଗେ ଯୁଗେ ବଡ଼ ଅକିଞ୍ଚନ ହୋଇ ରହିଛନ୍ତି । ପୃଥିବୀ ଭିତରେ ଘାଣ୍ଟିହୋଇ ଏପରି ଅଚେତା ହୋଇ ରହିଛନ୍ତି ଯେ, ଆକାଶଟାଏ ରହିଛି ଅଥବା ରହିବା ଉଚିତ ବୋଲି ଅନୁଭବ କରିବା ନିମନ୍ତେ ସେମାନଙ୍କର ବଳନାହିଁ କିମ୍ବା ଫୁରୁସତ ମଧ୍ୟ ନାହିଁ । ଏକାଧିକ ଭାଷାର ସାହିତ୍ୟର ଉତ୍ସ ଉଦବେଳନଗୁଡ଼ିକୁ ନିରେଖି ଦେଖିଲେ ମନେହେଉଛି, ସତେଅବା ସେହିମାନଙ୍କୁ ଗଣନା ଭିତରେ ସୁମାରି କରିବାକୁ ମନକରି ହିଁ ସାହିତ୍ୟମାନେ ଗଦ୍ୟକୁ ମନ କରିଛନ୍ତି । ଜୀବନରେ ଗଦ୍ୟ ତ ମୂଳରୁ ଥିଲା, ତେଣୁ ଗଦ୍ୟକୁ ଖୋଜିଥିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ମଣିଷମାନେ ମଥା ଦ୍ଵାରା ଭାବିବା ପୂର୍ବରୁ ଏବଂ ମଥା ଉପରେ ଆକାଶଟିଏ ରହିଛି ବୋଲି ସଚେତ ହେବା ପୂର୍ବରୁ, ବହୁ ପୂର୍ବରୁ ପାଦଟି ରହିଥିଲା । ତେଣୁ ଭୂମିଟିଏ ଥିଲା । ଜୀବନର କ୍ଷେତ୍ରରେ ସାହିତ୍ୟ ବୋଲି ସମ୍ପଦଟିଏ ପ୍ରବେଶ କଲାବେଳକୁ ଆଗ ପଦ୍ୟଆଡ଼େ କାହିଁକି ଓଳମଟା ଢଳିପଡ଼ିଲା, ତାହାର ମଧ୍ୟ କେତେଭଳି ଅନୁମାନ କରାଯାଇପାରେ । ପ୍ରଥମକାଳୀନ ସମାଜଗୁଡ଼ିକ ଉଚ୍ଚ ନୀଚ ହୋଇ ରହିଥିଲେ । ସଭାର ଏନ୍ତୁଡ଼ିଶାଳରେ ରାଜାମାନଙ୍କର ଛାଇକୁ ଆଶ୍ରା କରି ଲିଖିତ ସାହିତ୍ୟର ଆବିର୍ଭାବ ହେଲାବୋଲି ଆଉ ସେପରି ଘଟିଲା କି ? ତଥାପି, ଏକ ନିର୍ଦ୍ଦିଷ୍ଟ ସମ୍ଭ୍ରମ ରକ୍ଷାକରି କୁହାଯାଇ ପାରିବ ଯେ ପଦ୍ୟ ଗଦ୍ୟ ମଧ୍ୟକୁ ସଂପ୍ରସାରିତ ହୋଇଗଲା । ସମ୍ବନ୍ଧଗୁଡ଼ିକରେ, ସମାଜରେ ତଥା ଚେତନାରେ ଯହୁଁ ଯହୁଁ ଅଧିକ ପ୍ରସାରଣ ଘଟିଲା ଓ ପୁରୁଣାଟା ଆଉ ସେହି ପ୍ରସାରଣଗୁଡ଼ିକୁ ମୋଟେ ଅଟକାଇ ପାରିଲାନାହିଁ, ସେତିକିବେଳେ ପଦ୍ୟ ଗଦ୍ୟ ମଧ୍ୟ ପ୍ରସାରିତ ହୋଇଆସିଲା । ଆକାଶ ପୃଥିବୀ ମଧ୍ୟକୁ ସଂପ୍ରସାରିତ ହୋଇଆସିଲା ।

 

ଆଗରୁ ତ ଆକାଶ ବିହାରୀମାନେ ପୃଥିବୀକୁ ମାୟାବୋଲି କହୁଥିଲେ । ସେମାନେ ପୃଥିବୀକୁ ଡ଼ରୁଥିଲେ । ତେଣୁ ତାକୁ ପ୍ରାଣପଣେ ଅସ୍ଵୀକାର କରୁଥିଲେ । ଡରୁଥିବା ମଣିଷ ଦୂରକୁ ଦୂରକୁ ଚାଲିଯିବାରୁ ହିଁ ଅନେକ ଆଶ୍ଵାସନା ଲାଭ କରିଥାଏ । ସାହିତ୍ୟର ରୀତିଯୁଗରେ ମଣିଷମାନଙ୍କର ସାକ୍ଷାତ ଜୀବନରେ କେତେ କ'ଣ ଶୃଙ୍ଗାର ପ୍ରକୃତରେ ରହିଥିଲା, ସେକଥା କେହି କହିପାରିବେ ନାହିଁ । ମାତ୍ର, ଶବ୍ଦଗୁଡ଼ାକୁ, ଶବ୍ଦାର୍ଥଗୁଡ଼ାକୁ ନେଇ ଅବାରିତ ମୈଥୁନ କରାଯାଉଥିଲା ଏବଂ ଏହି ଯାବତୀୟ ଚିତ୍ତହାରିତା’ର ପଶ୍ଚାତରେ ଜୀବନକୁ ସମ୍ମୁଖୀନ ହେବା ବିଷୟରେ ଏକ ଭୟ ରହିଥିଲା । ସେହି ମଧ୍ୟଯୁଗରେ ମଧ୍ୟ ବହୁତ କଥା କୁହାଯାଇପାରିଥାନ୍ତା, ଯାହାକି ଆମ ସାମୂହିକ ଜୀବନକୁ ନାନା ଭୟ ଘାରି ରହିଥିବା ହେତୁ କୁହାଯାଇ ପାରୁନଥିଲା । ଆମର ଏଠାରେ ମଧ୍ୟ ଯୁଗର ନାନା ସଙ୍କୋଚ ଆମକୁ କାମୁଡ଼ି ରହିଥିବା ସମୟରେ ତେଣେ ଇଉରୋପରେ ଆଧୁନିକର ପ୍ରଥମ ମୂଳଦୁଆମାନ ପଢ଼ିବାକୁ ଆରମ୍ଭ ହୋଇ ସାରିଥିଲା । ଭାରତୀୟ ସାହିତ୍ୟକୁ ଗଦ୍ୟ ପ୍ରବେଶ କରିବାର ବହୁ ପୂର୍ବରୁ ଇଉରୋପରେ ଗଦ୍ୟର ପ୍ରତ୍ୟୟପୂର୍ଣ୍ଣ ସ୍ଥାନଟିଏ ତିଆରି ହୋଇଯାଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀର ଇଟାଲୀରେ pico della mirandella ମନୁଷ୍ୟର ଅମିତ ସମ୍ଭାବନାଗୁଡ଼ିକର ଘୋଷଣା କରି An Oration on Man ବୋଲି ଯେଉଁ ସାହସୀ ଇସ୍ତାହାରଟିକୁ ଲେଖିଥଲେ ଏବଂ ପୃଥ୍ଵୀ–ମନୁଷ୍ୟର ଇତିହାସରେ ଯାହାକୁ ପ୍ରାୟ ଏକ ସର୍ବପ୍ରଥମ Manifesto ବୋଲି କୁହାଯାଇପାରିବ, ତାହା ପଦ୍ୟରେ ନୁହେଁ, ଗଦ୍ୟରେ ଲେଖାଯାଉଥିଲା । ଜୀବନରେ ବହୁତ ଗଭୀରତା ରହିଛି, ଯାହାକୁ କେବଳ ଗଦ୍ୟରେ ସ୍ପର୍ଶ କରାଯାଇପାରିବ । ଯତିମାନେ, ବୈରାଗୀମାନେ ହଟିଯିବେ, ଗଦ୍ୟ ପାରିବ, ସଂସାରୀ ହିଁ ପାରିବ । ସିଏ ଏପରି ଜଣେ ସଂସାରୀ ହୋଇଥିବା ଚାହି ଯିଏକି ଅତ୍ୟନ୍ତ ସଚେତନ ଭାବରେ ଏହି ଭୂମି ଉପରେ, ପୃଥିବୀ ଉପରେ ଠିଆ ହୋଇଥିବ ଏବଂ ଭୂମିକୁ ପ୍ରସାରିତ କରିଦେଇ ହିଁ ଆକାଶକୁ ଅନୁଭବ କରୁଥିବ । ପୃଥିବୀରେ ପଦ୍ୟରେ ଲେଖାଯାଇଥିବା ବହୁ ସାହିତ୍ୟକୁ ହୁଏତ ଏକ ପ୍ରତ୍ୟାହାର ବୋଲି କୁହାଯାଇପାରିବ । ପଦ୍ୟ ପ୍ରତ୍ୟାହାର ନିମନ୍ତେ ଭଳି ଭଳି ପ୍ରଲୋଭନ ଦେଖାଏ ଏବଂ ଗଦ୍ୟ ସତେଅବା ଆହ୍ଵାନ ଦେବାରେ ଲାଗିଥାଏ । ଏଇଠି ଅବଶ୍ୟ କିଛି ଘଟିବ ଏବଂ ଆକାଶର ଆଦର୍ଶଟି ଏଇ ଭୂମିକୁ ନଇଁଆସିବ ବୋଲି ସତେଅବା କେଉଁ ସାହସିନୀ ଜନନୀ ପରି ସାହସ ଯୋଗାଇଦେଇ ଯାଉଥାଏ । ମନୁଷ୍ୟଚିତ୍ତର ସାର୍ଥକତମ କଳ୍ପନାଗୁଡ଼ିକ ହେଉଛି ଏହି ଓହ୍ଲାଇ ଆଣିବାର କଳ୍ପନା, ପ୍ରୋମ୍‍ଥିଉସ୍‍ର କଳ୍ପନା, ଗଦ୍ୟର କଳ୍ପନା, ଆଧୁନିକ ଯାବତୀୟ ଆସ୍ପୃହାର କଳ୍ପନା । ମନୁଷ୍ୟ ଯେତିକି ସମ୍ମତ ହୋଇ ତାହାର ଯୋଗ୍ୟ ହୋଇପାରିବ, ପୃଥିବୀରେ ବିଶ୍ଵାସମାନେ ସେତିକି ବଢ଼ିବେ, ସେତେବେଳେ ଦେବତାମାନେ ମନୁଷ୍ୟର ସଙ୍ଗୀ ହେବାପାଇଁ ମର୍ତ୍ତ୍ୟକୁ ଓହ୍ଲାଇଆସିବେ–ମନୁଷ୍ୟ ଆଦୌ ଦୂରରେ, ଆଦୌ କୌଣସି ସ୍ଵପ୍ନପ୍ରୟାଣ ଦ୍ଵାରା କାବ୍ୟିକ କରିଗରୀର କୌଣସି ସୁଖାବତୀପୁରରେ ନୁହେଁ, ନିଜ ହୃଦୟ ମଧ୍ୟରେ ହିଁ ସେମାନଙ୍କର ସାକ୍ଷାତ ଲାଭ କରିବ ।

 

ସାମ୍ପ୍ରତିକ କାଳରେ ତାହାର ଯାବତୀୟ ପ୍ରାସଙ୍ଗିକତା ସହିତ ଗଳ୍ପ, ଉପନ୍ୟାସ ଓ ନାଟକ ବୋଲି ଗଦ୍ୟରେ ଯାହାକିଛି ଲେଖାହୋଇଛି ତଥା ହେଉଛି, ତାହା ପାଶ୍ଚାତ୍ୟ ସାହିତ୍ୟରେ ହୋଇଛି-। ଭାରତର ସଂସ୍କୃତ ସାହିତ୍ୟରେ ସେକାଳେ ମଧ୍ୟ ଗଳ୍ପ ଓ ନାଟକ ବୋଲି ଯାହାକିଛି ଥିଲା, ସେଥିରେ ଏବର ଗଳ୍ପ–ତଥା ନାଟକୋପାଦାନର କେତେ କମ୍ ସମ୍ପୃକ୍ତି ଯେ ରହିଥିଲା, ତାହା ଦେଖିଲେ ଅନେକ ସମୟରେ ପ୍ରାୟ ଚକିତ ହେବାକୁ ପଡ଼ିଥାଏ । ସେତେବେଳେ ମଧ୍ୟ ମଣିଷମାନେ ଥିଲେ । ମନୁଷ୍ୟ ହୃଦୟକୁ ଉଦବେଳିତ କରି ବହୁବର୍ଣ୍ଣ ତରଙ୍ଗମାନ ଅବଶ୍ୟ ଉତ୍‍ଥିତ ହେଉଥିଲେ । ମାତ୍ର, ସେତେବେଳର ସାହିତ୍ୟ ଭିତରକୁ ସେଗୁଡ଼ିକର ପ୍ରବେଶାଧିକାର ନଥିଲା-। ସେଥିଲାଗି, ଭାରତୀୟ ଗଳ୍ପ କିମ୍ବା ନାଟକର ଇତିବୃତ୍ତ ଲେଖା ହେବାବେଳେ ସଂସ୍କୃତ ବେଳର ସେହି କ୍ଷୀଣ ମୂଳଗୁଡ଼ିକୁ କ୍ଵଚିତ୍ ସନ୍ଦର୍ଭ ବୋଲି ସ୍ଵୀକାର କରାଯାଇଥାଏ । ସେଥିରେ ଆମ ଏବର ଜୀବନର ହୃଦୟଟିକୁ ଆବେଦନ କଲାପରି ହୁଏତ ଆଦୌ କିଛିହେଲେ ନଥାଏ । ନ୍ୟାୟତଃ ଆମେ ଇଉରୋପୀୟ ଉତ୍ସଗୁଡ଼ିକୁ ସୂଚାଇ ଦେବାକୁ ବାଧ୍ୟ ହୋଇଥାଉ । ଏପରିକି ଆଧୁନିକ ପଦ୍ୟକାରିତା’ର ମୂଳଗୁଡ଼ିକୁ ଦର୍ଶାଇ ଏବଂ ସୂଚାଇଦେବା ନିମନ୍ତେ ମଧ୍ୟ ଆଗ ଇଉରୋପକୁ ହିଁ ଯିବାକୁ ପଡେ । ଭାରତୀୟ ବିଭିନ୍ନ ଭାଷାରେ ସମ୍ପ୍ରତି କବିତା ବୋଲି ଏବେ ଯାହା ଲେଖାହେଉଛି, ସେଗୁଡ଼ିକ ନିମନ୍ତେ ଆମ କବିମାନେ ଉପଚାରଗୁଡ଼ିକୁ ଅନେକତଃ ସେହି ମାମୁଘରୁ ଆଣୁଛନ୍ତି-। ଆଧୁନିକ ଅର୍ଥାତ୍ ଚଳନ୍ତି ପଚାଶ ବର୍ଷର ଓଡ଼ିଆ କବିତାରେ ଭାରତ ଅପେକ୍ଷା ଇଉରୋପ ହିଁ ଅଧିକତର ପରିମାଣରେ ରହିଛି । ଏବଂ ଗଦ୍ୟ ଅର୍ଥାତ୍ ଗଳ୍ପ, ଉପନ୍ୟାସ ତଥା ନାଟକର ଉତ୍ତରାଧିକାର ବିଷୟରେ ଚର୍ଚ୍ଚା ହେଲାବେଳେ ଠିକ୍ ସେହି ନ୍ୟାୟରେ ଇଉରୋପକୁ ହିଁ ନିର୍ଦ୍ଦେଶିତ କରି ଦିଆଯାଉଅଛି । ଏପରି ହେବାର କାରଣ ଅତ୍ୟନ୍ତ ସ୍ପଷ୍ଟ ।

 

କାରଣ ହେଉଛି, ଆଧୁନିକ ଭାତରତବର୍ଷର ନାଡୀସ୍ପନ୍ଦନଗୁଡ଼ିକୁ ଆମେ ଭାରତବର୍ଷର ବାଡ଼ ଭିତରେ ରହି ବୁଝିବାକୁ ଆଦୌ ସମର୍ଥ ହେବାନାହିଁ । ଆଧୁନିକ ଜ୍ଞାନର ଭିନ୍ନ ଭିନ୍ନ କ୍ଷେତ୍ରରେ ଅନ୍ତତଃ ବିଗତ ପଚାଶ ବର୍ଷ ଭିତରେ ଯାହାସବୁ ନବୋନ୍ମେଷ ଏବଂ ନବୋଦ୍ୟମାନ ଘଟିଛି ଓ ଘଟୁଛି, ସେଥିରେ ପଶ୍ଚିମର ପ୍ରଜ୍ଞାଟି ହିଁ ପୁରୋଗାମୀ ପରି କାର୍ଯ୍ୟକରିଛି । ଶିକ୍ଷା, ସମାଜଚର୍ଚ୍ଚା ଓ ରାଜନୀତିର କ୍ଷେତ୍ରରେ ଯାହାକିଛି ଆମକୁ ନୂଆକରି ନିଜଆଡ଼କୁ ଚାହିଁବାକୁ ଶିଖାଉଛି, ତାହା ଆମେ ସେହି ପ୍ରଜ୍ଞାରୁ ହିଁ ଚୟନ କରି ଆଣୁଛୁ । ତେଣୁ ଆମ ଆଧୁନିକ ସାହିତ୍ୟ କଦାପି ଆମର ସେହି ପୁରାତନ ଦାଣ୍ଡିଗୁଡ଼ାକର ଅନୁସରଣ କରିବ ନାହିଁ । ଅର୍ଥନୀତିରେ ଯାହାହେଉ ବା ନହେଉ ପଛକେ, ସାହିତ୍ୟରେ, ସଂସ୍କୃତି-ସମ୍ବନ୍ଧୀୟ ଯାବତୀୟ ମୂଲ୍ୟ ନିର୍ଦ୍ଧାରଣରେ ଜଗତୀକରଣର ପ୍ରକ୍ରିୟା ଆମ ଘର ଭିତରକୁ ସଂକ୍ରମିତ ହୋଇଆସୁଛି । ଆମକୁ ଆତ୍ମସମୀକ୍ଷା ଏବଂ ଜଗତ୍ ସମୀକ୍ଷାର ନୂଆ ଆଖିମାନ ଦେଇଯାଉଛି । ଏବଂ କହିବା ବାହୁଲ୍ୟ, ଏଠି ପ୍ରବନ୍ଧ ମଧ୍ୟ ସେହି ସଂକ୍ରମଣ ଭିତରୁ ଜନ୍ମଲାଭ କରିଛି । ଆଙ୍ଗିକ ଦୃଷ୍ଟିରୁ ଆପଣ ପ୍ରବନ୍ଧର ଯେପରିଭାବେ ସଂଜ୍ଞା ନିରୂପଣ କରନ୍ତୁ ପଛକେ, ଆଧୁନିକ ପ୍ରବନ୍ଧ କହିଲେ ମୂଳତଃ ଯେଉଁ ଗୋତ୍ରଟିକୁ ବୁଝାଇବ, ସେଇଟି କେବଳ କୌଣସି ଗୋଟିଏ ଦେଶର ନୁହେଁ, ତାହା ସମଗ୍ର ପୃଥିବୀର । ପରିପ୍ରେକ୍ଷୀ ନୂତନ ହେବାକୁ ବାଧ୍ୟ ହେବ । ସମ୍ମୁଖକୁ ଦୃଷ୍ଟିପାତ କରିବାର ଯାବତୀୟ ପୁରାତନ ରୀତି ବଦଳିବାକୁ ବାଧ୍ୟହେବ-। ନଚେତ୍, ପୁରୁଣା ଖଟୁଲିମାନେ ଟଳିପଡ଼ୁଥିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଆଶ୍ରୟ କରି ବସିଥିବା ଆମ୍ଭେମାନେ ମଧ୍ୟ ଅବଶ୍ୟ ଟଳିପଡ଼ିବା । ଭାରବର୍ଷରେ ଶିକ୍ଷା ଅଧିକ ସାର୍ବଜନୀନ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଆପଣାର ସାମୂହିକ ନିୟତଗୁଡ଼ିକ ବିଷୟରେ ପୁରୁଣା ଅନ୍ଦାଜମାନେ ବଦଳି ଯାଉଥିବା ସଙ୍ଗେ ସଙ୍ଗେ ଏବଂ ଗୋଟିଏ ଭାଷାରେ କହିଲେ, ଆମ ଶାସ୍ତ୍ର ତଥା ସାହିତ୍ୟରେ ବର୍ଣ୍ଣିତ ହୋଇଥିବା ଆକାଶମାନେ ଆମ ପୃଥିବୀଗୁଡ଼ିକ ଉପରକୁ ଓହ୍ଲାଇ ଆସୁଥିବା ସଙ୍ଗେ ସଙ୍ଗେ, ଆମ ସାହିତ୍ୟ-ସମୀକ୍ଷା ଅର୍ଥାତ୍ ଜୀବନ-ସମୀକ୍ଷାର ଜାତିଗୋତ୍ର ସବୁ ବଦଳି ଯାଉଥିବ-। ଆମ ଆଗରେ ପ୍ରତ୍ୟହ ନୂଆ ନୂଆ ଆହ୍ଵାନଗୁଡ଼ିକୁ ଆଣି ଉଭା କରିଦେଉଥିବ । ପୁରୁଣାଗୁଡ଼ିକ ମଧ୍ୟରୁ ଆମେ ପ୍ରାୟ ବିଧିନିର୍ଦ୍ଦିଷ୍ଟ ଭାବରେ ନୂଆ ନୂଆ ବ୍ୟଞ୍ଜନାର ଆବିଷ୍କାର କରୁଥିବା, ଯାହାକୁ ଚିରନ୍ତନ ଓ ଶାଶ୍ଵତ ବୋଲି ଏପର୍ଯ୍ୟନ୍ତ କହିଆସିଥିଲୁ, ସେଗୁଡ଼ିକ ଭିତରେ ମଧ୍ୟ ଅଦ୍ଭୁତପୂର୍ବ କେତେ କେତେ ଜୀବନଖୋରାକ ଓ ଉଦ୍‍ଭାବନ ଦ୍ଵାର ପାଇଯିବାରେ ଲାଗିଥିବ ।

 

ପୂର୍ବତନ ପଥଗୁଡ଼ିକୁ ଚାଲି ଯେଉଁମାନେ ଆମକୁ ଏଯାଏ ଆଣି ପହଞ୍ଚାଇଛନ୍ତି, ସେମାନେ ଆମର ନମସ୍ୟ ଏବଂ ଅବଶ୍ୟ ସ୍ମରଣୀୟ । ସେମାନଙ୍କ ପାଖରେ ଆମେ କୃତଜ୍ଞ ରହିବା-। କିନ୍ତୁ, ମୋହମୁକ୍ତ ହୋଇ କୃତଜ୍ଞ ରହିବା । ଆହୁରି ଆଗକୁ ଅପେକ୍ଷା କରିଥିବା ଆହ୍ଵାନଗୁଡ଼ିକ ସାହିତ୍ୟରେ ମଧ୍ୟ ଆମକୁ କେତେ କୁଆଡ଼େ ମଡ଼ାଇ ନେଇଯିବ–କେତେ ଅମଡ଼ା ମଡ଼ାଇବ ଓ କେତେ ଅଚିହ୍ନାକୁ ଆଣି ଚିହ୍ନାଇଦେବ । ଆମ ସାହିତ୍ୟରେ ହୁଏତ ପ୍ରବନ୍ଧ ହିଁ ଆମକୁ ସେହି ପ୍ରକ୍ରିୟାରେ ଉପଯୁକ୍ତ ଆଖିଗୁଡ଼ିକୁ ଆଣି ଯୋଗାଇଦେବ । କବିମାନେ ତ ଘରେ ପଶୁ ପଶୁ ନିଃସଙ୍ଗ ଅନୁଭବ କଲେଣି, ଛାନିଆ ହେଲେଣି । ଆମ ଗଳ୍ପ ଲେଖକ ଓ ଉପନ୍ୟାସକାରମାନେ ବି ସତେଅବା ପିଲାଙ୍କ ପରି ସେହି ପୁରୁଣା କୁଲେଇଗୁଡ଼ାକ ଧରି ଖେଳିବାରେ ଲାଗିଛନ୍ତି । ମିଛିମିଛିକା ପିଲା ହେବାଟାକୁ ହିଁ ଅନେକ ସମୟରେ ପରୀକ୍ଷା ଓ ନିରୀକ୍ଷା ବୋଲି କହୁଛନ୍ତି । ନାଟକମାନେ ବି କୋଉଠି କୋଉ ଚମ୍ପାଫୁଲଟିଏ ଶୁଙ୍ଘି ଆସିଥିବା ପରି କବିବରଙ୍କର କାବ୍ୟଗୁଡ଼ାକ ପରି ଆଉ କୋଉ ଜଙ୍ଗଲମାନଙ୍କରେ ପାରିଧି କରି ପଳାଇଲେଣି । ଶବ୍ଦସଂଳାପ, ରଙ୍ଗମଞ୍ଚ ଏବଂ ବାହାରିଆ ଆଉ କେତେଟା ଠାଣି ବଦଳାଇଦେଲେ ନାଟକଟା ଅଲବତ ବଦଳିଯିବ ବୋଲି କେଡ଼େ ଦମ୍ଭରେ କହୁଛନ୍ତି । ଏହି ସବୁକିଛିକୁ ସେମାନଙ୍କର ଯଥାର୍ଥ ପ୍ରସ୍ଥଗୁଡ଼ିକ ସହିତ ପରିଚିତ କରାଇ ଦେବାପାଇଁ ଆମ ସମୀକ୍ଷାର ଯଥେଷ୍ଟ ବଳ ରହିଥିବା ଦରକାର । ଆମ କବିମାନେ ଓ ଗଳ୍ପକାରମାନେ କେଡ଼େ ଆତ୍ମସନ୍ତୋଷ ସହିତ କହି ପକାଉଛନ୍ତି ଯେ ସେମାନେ ବହୁତ ଉନ୍ନତି କଲେଣି, ବଜାରରେ ପ୍ରତିଯୋଗୀମାନଙ୍କର ତୁଳନାରେ ସମକକ୍ଷ ଓ ବେଳେବେଳେ ଅଧିକ ଦକ୍ଷ ହୋଇ ଦେଖାଗଲେଣି ଏବଂ ସେମାନଙ୍କର ଭାରି ଦୁଃଖ ଯେ ପ୍ରବନ୍ଧ ନାମକ ସେମାନଙ୍କର ଧଡ଼ିଆ ସାନଭାଇଟି ସେମାନଙ୍କ ସହିତ ପାଦକୁ ପାଦ ମିଳାଇ ମୋଟେ ଆସିପାରୁନାହିଁ । ଯୋଉଠି ସମୀକ୍ଷା ଓ ପ୍ରବନ୍ଧ ନଥାଏ ଅଥଚ କବିତା ଓ ଗଳ୍ପ-ଉପନ୍ୟାସମାନେ ସାଆନ୍ତମାନଙ୍କ ପରି ଦାଣ୍ଡଯାକଟାକୁ ଭର୍ତ୍ତି କରି ରଖିଥାନ୍ତି, ସେଠି ନିଶ୍ଚୟ କୋଉଠି କ'ଣ ଅସୁସ୍ଥତା ଅବଶ୍ୟ ରହିଛି ବୋଲି ଖୁବ୍ ସନ୍ଦେହ କରାଯାଇପାରିବ । ସେତେବେଳେ ପ୍ରବନ୍ଧ ଓ ସମୀକ୍ଷା ନେଉଳଭାଇଟି ପରି ଚାଲିଥାଉ ବୋଲି ବିଧାତା ଆଦେଶ ଦିଅନ୍ତି ଏବଂ ତାହାରି ଦ୍ଵାରା ହିଁ ପରିତ୍ରାଣ ମିଳେ, ବ୍ୟାଧି ଦୂରହୁଏ ।

 

[ଝଙ୍କାର, ଶାରଦୀୟ ସଂଖ୍ୟା, ୧୯୯୭]

☆☆☆

 

Unknown

ପ୍ରବନ୍ଧର ପ୍ରେରଣା

 

ପ୍ରେରଣା ଗୋଟାଏ ନା ପଚିଶଟା ? ଅନେକ ମଣିଷ ଗୋଟାଏ ଭରସାରେ ତଥାପି ଅଟଳ ହୋଇ ରହିପାରନ୍ତି ନାହିଁ ବୋଲି ସମ୍ଭବତଃ ପାଞ୍ଚଟା ବା ପଚିଶଟାକୁ ଭରସା କରିଥାଆନ୍ତି । ଗୋଟାଏ ଜାଗାରେ ପାଞ୍ଚଟାକୁ ଭରସା କାଲେ ଭରସାକାରୀର ବଳ ପାଞ୍ଚଗୁଣ ବଢ଼େ ଅଥବା ମାତ୍ର ଏକପଞ୍ଚାମାଂଶ ହୋଇଯାଏ, ସେକଥା ନେଇ ଆମେ ମନକଲେ ଯେକୌଣସି ଅବସରରେ ମଧ୍ୟ ଏକ ବିତର୍କ ଆରମ୍ଭ କରିଦେଇପାରିବା । ସବାଆଗ ନିଜ ଭିତରୁ ହିଁ ବଳ ପାଉଥିବାରୁ ମଣିଷ ତା'ପରେ ଏହି ବାହାର ବିଶ୍ଵଟାକୁ ମଧ୍ୟ ବଳ ଓ ଶକ୍ତିର ପ୍ରତୀକ ବୋଲି ଭଣିତା କଲା ଅଥବା ବାହାରେ ଭ୍ରମି ଭ୍ରମି କ୍ଷତବିକ୍ଷତ ହୋଇ ସିଏ ନିଜ ପାଖକୁ, ନିଜ ଭିତରକୁ ଫେରିଆସିଲା ଓ ସେହି ଭିତରେ ହିଁ ଅସଲ ଉତ୍ସଟିକୁ ଆବିଷ୍କାର କଲା, ସେ ବିଷୟରେ ମଧ୍ୟ ଦ୍ଵିବିଧ ମତ ଅବଶ୍ୟ ରହିବ । ସାହିତ୍ୟ ଲେଖିବାରେ ମୁଁ ଯେଉଁ ପ୍ରେରଣା ଲାଭ କରୁଛି, ସିଏ ମୋ ଭିତରେ ନା ମୋ ବାହାରେ ? କେତେ ଦେଶର ପୁରାଣରେ ଏପରି ଜଣେ ବିଶେଷ ଦେବୀ ବା ଦେବତାଙ୍କୁ ମାନି ନିଆଯାଉଛି, ଯିଏକି ଯାବତୀୟ କାବ୍ୟଶକ୍ତିର ଆକର ଓ ଭଣ୍ଡାର । ତାଙ୍କ ହାତରେ ପୁସ୍ତକ ଅଥବା ଲେଖନ ଏବଂ କେବଳ ତାଙ୍କରି ଦୟା ହେଲେ ଯାଇ କବିର କଲମ ମୁନରୁ କାବ୍ୟ ସମ୍ଭବ ହୁଏ । ସାହିତ୍ୟ ବିଷୟରେ, ସାହିତ୍ୟ ପ୍ରେରଣା ବିଷୟରେ ଆମ ପୃଥିବୀରେ ସମ୍ଭବତଃ ତାହାହିଁ ହେଉଛି ସର୍ବପ୍ରଥମ ସିଦ୍ଧାନ୍ତ । କାବ୍ୟସୃଜନର ଯନ୍ତ୍ର ସିନା କବି, ମାତ୍ର କାବ୍ୟର ଅସଲ ଅଧୀଶ୍ଵର ହେଉଛନ୍ତି ପ୍ରକୃତରେ ସେଇ, ଯାହାଙ୍କ ପାଇଁ କବି କାବ୍ୟଟିଏ ଲେଖିବାକୁ ମନକରିଛି । ଓଡ଼ିଶାରେ ଜୟଦେବ ଓ ସାରଳାଙ୍କଠାରୁ ଏକାବେଳକେ ଏବର ଭୀମ ଭୋଇଙ୍କ ପର୍ଯ୍ୟନ୍ତ ଆମେ ସର୍ବତ୍ର ସେହି ପ୍ରବୃତ୍ତିଟିକୁ ଦେଖିବାକୁ ପାଇବା । ସେଥିରେ ରହିଥିବା ସତ୍ୟାସତ୍ୟକୁ ଆମେ କଦାପି ବିଚାର କରିବାକୁ ମନ କରିବା ନାହିଁ । ମାତ୍ର କାବ୍ୟସର୍ଜନାର କ୍ଷେତ୍ରରେ କାମ୍ୟକର୍ମଟି ପ୍ରତି କାବ୍ୟକାରର କେଉଁଭଳି ଏକ ମନ ବା ସମ୍ବନ୍ଧସୂତ୍ର ରହିଥିଲା, ସେ ବିଷୟରେ ନିଶ୍ଚୟ କିଛି ଅନୁମାନ କରିପାରିବା ।

 

ତେଣୁ ଆଗ ଦେବୀଙ୍କର ଆଶ୍ରା ନେବାକୁ ହୁଏ, ଅଧିଆ ପଡ଼ିବାକୁ ପଡ଼େ । ଦେବୀ ସିଦ୍ଧି ପ୍ରଦାନ କରନ୍ତି । ତା'ପରେ ଯାଇ କାବ୍ୟ ସ୍ଫୁରେ । ଆମ ଆଧୁନିକ ଯୁଗରେ ଅବଶ୍ୟ ଏହି ପ୍ରତ୍ୟୟଟି ପଛରେ ଆଗଭଳି ସେତେ ସମର୍ଥନ ମିଳିବ ନାହିଁ ସତ, କିନ୍ତୁ ତଥାପି ଏଭଳି ପଦ୍ୟାମୋଦୀ ଅବଶ୍ୟ ମିଳିବେ, ଯେଉଁମାନେ ଅତ୍ୟନ୍ତ ବିଗଳିତ ଭାବପ୍ରବଣତା ସହିତ ସମ୍ଭବତଃ ସେହିଭଳି କୌଣସି ସୂତ୍ରସିଦ୍ଧାନ୍ତ ସହିତ ନିଜକୁ ବନ୍ଧିକରି ରଖିଥିବେ । ପୂର୍ବକାଳର ପଦ୍ୟରଚନାକାରୀକୁ ନିଜର ଏହି ଅଭିନବ ଧର୍ମଟିରେ ବାଟ ଚାଲିବା ପୂର୍ବରୁ ଗତାନୁଗତିକ ଜୀବନ, ଗତାନୁଗତିକ ସମ୍ବନ୍ଧ ଓ ଏପରିକି ଗତାନୁଗତିକ ଗଦ୍ୟଭାଷାର ବେଷ୍ଟନୀଗୁଡ଼ିକ ମଧ୍ୟରୁ ଆପଣାକୁ ଅଳ୍ପେ ବହୁତେ ପ୍ରତ୍ୟାହୃତ କରିନେବାକୁ ପଡ଼ୁଥିଲା । ନିଜ ପ୍ରେରଣାର ନୂଆ କୋରଡ଼ଟି ମଧ୍ୟରେ ସିଏ ସମ୍ଭବତଃ କୌଣସି ମନୁଷ୍ୟାକୃତି ପୁଦ୍‍ଗଳମାନଙ୍କୁ ଆଦୌ ଦେଖିବାକୁ ପାଉନଥିଲା; ସତେଅବା ଏହି ନିତ୍ୟନୈମିତ୍ତିକ ପୃଥିବୀଟିକୁ ଛାଡ଼ି ଚାଲିଯାଇ ଅଥବା ଏଠାରୁ ଉଠିଯାଇ ପାରିଲେ ଯାଇ କୌଣସି କାବ୍ୟୋନ୍ମେଷ ଘଟିବ ବୋଲି ସିଏ ଅତ୍ୟନ୍ତ ଅଭ୍ୟସ୍ତ ଭାବରେ ବିଶ୍ଵାସ ବି କରୁଥିଲା । ତେଣୁ, କୌଣସି ଦେବୀ ବା ଦେବତାଙ୍କର କୃପାପାରୁଶ ଲାଭ ନକଲେ କାବ୍ୟସାମର୍ଥ୍ୟ କଦାପି ସମ୍ଭବ ନୁହେଁ ବୋଲି ଏକ ଅତ୍ୟନ୍ତ ଦୃଢ଼ ବିଶ୍ଵାସପରମ୍ପରା ମଧ୍ୟ ଯୁଗଯୁଗରୁ ଗଡ଼ି ଆସୁଥିଲା । ସଂସ୍କୃତ କାବ୍ୟାଦର୍ଶରୁ ପରମ୍ପରାଟି ଯଥାକାଳରେ ଭାରତୀୟ ଭାଷାଗୁଡ଼ିକର ମଣ୍ଡଳକୁ ମଧ୍ୟ ଖୁବ୍ ସ୍ଵାଭାବିକ ଭାବରେ ଆସି ଯାଇଥିବ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରୀତିକାବ୍ୟର ହର୍ମ୍ୟ ନିର୍ମାଣରେ ଉତ୍ତମ ସିଦ୍ଧିଲାଭ କରିବା ସକାଶେ ଯେ ରାମତା’ରକ ମନ୍ତ୍ରର ଆଶ୍ରୟ ନେଇଥିଲେ, ସେଥିରେ ଆଦୌ କୌଣସି ଅସଙ୍ଗତ ରହିଗଲା ବୋଲି ସେତେବେଳେ କେହି କଦାପି ସନ୍ଦେହ କରିନଥିବେ ।

 

ସାହିତ୍ୟକୁ ମୋକ୍ଷର ମାଧ୍ୟମରୂପେ ଅବଲମ୍ବନ କରିବାର ଧାରାଟି ମଧ୍ୟ ମୋକ୍ଷପ୍ରଧାନ ଭାରତୀୟ ଦୃଷ୍ଟିରୁ ସେହି ମୂଳକାଳଟିରୁ ରହି ଆସିଥିବାରୁ ସ୍ପଷ୍ଟ ଲକ୍ଷ୍ୟ କରାଯାଇପାରିବ । ସଂସାରରୁ ପଳାଇଯିବା, ସଂସାରଦହନରୁ ମୁକ୍ତିଲାଭ କରିବା ବୁଦ୍ଧିଦ୍ଵାରା ସନ୍ଦୀପିତ କାବ୍ୟିକ ବ୍ୟକ୍ତିତ୍ଵମାନେ ସେତେବେଳେ ତାହାକୁ ହିଁ ସ୍ପଷ୍ଟତଃ ନିଜ କାବ୍ୟସାଧନାର ଚରମ ଶ୍ରେୟସ୍ୱରୂପ ଗଣନା କରୁଥିଲେ । ବ୍ୟାକରଣକାର ମୋକ୍ଷଲାଗି ବ୍ୟାକରଣ ଶାସ୍ତ୍ର ଲେଖୁଥିଲେ, ମୂଳତଃ ମୋକ୍ଷ ନିମନ୍ତେ ବାତ୍ସାୟନ ଋଷି କାମଶାସ୍ତ୍ର ନାମକ ଗ୍ରନ୍ଥର ରଚନା କରିଥିଲେ । କଥିତ ଅଛି, ସେକାଳର ଅଶ୍ଵଶାସ୍ତ୍ରରେ ମଧ୍ୟ ମୋକ୍ଷକୁ ହିଁ ଯାବତୀୟ ପ୍ରସଙ୍ଗାଲୋଚନାର ଅସଲ ଲକ୍ଷ୍ୟ ବୋଲି ମାନି ନିଆ ଯାଇଥିଲା । ଆମ ଏ ଯୁଗରେ ଏସବୁ ହୁଏତ ଭାରି କଉତୁକିଆ ମନେ ହୋଇପାରେ । ମାତ୍ର ସେତେବେଳେ ଏସବୁ ପଛରେ ଯାବତୀୟ ନିଷ୍ଠା ପରିପୂର୍ଣ୍ଣ ହୋଇ ରହିଥିଲା । ମୋକ୍ଷ ଅର୍ଥାତ୍‍ ସେ ରାଜ୍ୟକୁ ପ୍ରସ୍ଥାନ । କୌଣସି ଗର୍ହିତ କାର୍ଯ୍ୟ କରୁଥିଲା ବୋଲି ବ୍ୟକ୍ତି ସ୍ଵର୍ଗରୁ ବିତାଡ଼ିତ ହୋଇ ମର୍ତ୍ତ୍ୟକୁ ଆସୁଥିଲା, ତେଣୁ ପୁନର୍ବାର ଅମର୍ତ୍ତ୍ୟକୁ ବାହୁଡ଼ି ଯିବାଲାଗି ହିଁ ଆବଶ୍ୟକ ସବୁକିଛି କରିବାକୁ ସଦ୍‍ବୁଦ୍ଧି, ସଦ୍‍ଜ୍ଞାନ ଏବଂ ସଦ୍‍ବିବେକ ବୋଲି ନ୍ୟାୟତଃ ବିଶ୍ଵାସ କରାଯାଉଥିଲା । ତେଣୁ ସାହିତ୍ୟ ନିର୍ମାଣର ଆଦିକାଳରେ ସେହି ସ୍ଵର୍ଗର ଦେବୀ ବା ଦେବତାମାନେ ଯେ ସର୍ବମୂଳ ପ୍ରେରଣା ହୋଇ ରହୁଥିଲେ ଏବଂ ଦେବତାମାନଙ୍କୁ ଚୟନ କରିଆଣି ଯେ କାବ୍ୟଗୁଡ଼ିକ ପାଇଁ ପାତ୍ରପାତ୍ରୀ ନିରୂପଣ କରାଯାଉଥିଲା, ଆମକୁ ଏଥିପାଇଁ ମଧ୍ୟ ସେହି ବିଶ୍ଵାସରୁ କିଛି ସୁରାଖ ମିଳିଯାଇ ପାରିବ । ମର୍ତ୍ତ୍ୟର ଜାଲ ଭିତରୁ ଆଶୁ ନିସ୍ତାର ଲାଭକରି ସୁନିଶ୍ଚିତ ସ୍ଵର୍ଗଗତି ଲାଭ କରିବାକୁ ହିଁ ପୁରାଣ, ମାହାତ୍ମ୍ୟ, ତୀର୍ଥଦର୍ଶନ, ବ୍ରତପାଳନ ଓ ଧର୍ମଆଚରଣର ସର୍ବବାଦୀ-ସମ୍ମତ ଔଚିତ୍ୟ ବୋଲି ମାନି ନିଆଯାଉଥିଲା । ଏବେ ମଧ୍ୟ ଭାରତବର୍ଷରେ କମ୍ ଲୋକ ନିଷ୍ଠାପର ଭାବରେ ସେହି ଗୁଳାଟିକୁ ଆଦୌ ଅନୁସରଣ କରୁନଥିବେ । ସଂସାରରୁ ଛୁଟି ପାଇବା ନିମନ୍ତେ ଭଲ ଧର୍ମସଙ୍ଗତିଯୁକ୍ତ ଏକ ସଂସାରଜୀବନ ଯାପନ କରିବା ଓ ସେଥିଲାଗି ଅନୁରୂପ ସାହିତ୍ୟ ଦ୍ଵାରା ଅନୁଗୃହୀତ ହେବା–ଭାରତବର୍ଷରେ ସମ୍ଭବତଃ ସେହି ମୌଳିକ ବିରୋଧଟି ହିଁ ଯୁଗେ ଯୁଗେ ବହୁ ବିଡ଼ମ୍ବନା ଓ ବହୁ ଉପେକ୍ଷାର କାରଣ ହୋଇ ରହିଆସିଛି ।

 

ଆଉ ଥୋକେ ସାହିତ୍ୟକାର ଅଛନ୍ତି, ଯେଉଁମାନେ କି ସାହିତ୍ୟତତ୍ତ୍ଵକୁ ଏକ କାଳିସୀତତ୍ତ୍ଵର ଯୁକ୍ତି ଦେଇ ବୁଝାଇବାକୁ ଚେଷ୍ଟା କରିଥାନ୍ତି । ସାହିତ୍ୟକର୍ମକୁ ସେମାନେ ସତେଅବା ଏକ କାଳିସୀକର୍ମର ସମଧର୍ମୀ ବୋଲି ବିଚାର କରିଥାନ୍ତି । କାଳିସୀ ଲାଗେ, ପୁଣି ଛାଡ଼ିଯାଏ । ଦେବୀଙ୍କୁ ସିନା ଆବାହନ କରାଯାଏ, ମାତ୍ର କାଳୀସିକୁ କେହି ଆବାହନ କରିନଥାଏ । କାଳିସୀ ଆସେ, ମାଡ଼ିବସେ । ସ୍ଵୟଂ ମଣିଷଟି ସମ୍ଭବତଃ ପ୍ରସ୍ତୁତ ନଥାଏ । ମଣିଷରୂପୀ ସୃଜନାକାରିଟୀ ନିଜେ ପ୍ରସ୍ତୁତ ହୋଇ ନ ରହିଥିବା ସମୟରେ ସୃଜନର ପ୍ରକ୍ରିୟାଟି କିପରି ଯେ ତାକୁ ନିମିତ୍ତ କରି ସମ୍ଭବ ହେବ, ସେହି କଥାଟିକୁ ଭାବିଲେ ପ୍ରକୃତରେ କୌଣସି ଥଳକୂଳ ହିଁ ମିଳେ ନାହିଁ । ତପସ୍ୟାର କର୍ମରେ ସଂପୃକ୍ତ ବ୍ୟକ୍ତିଟି କୌଣସି ଅଂଶଗ୍ରହଣ କରିବନାହିଁ ଅଥଚ ତପସ୍ୟାର ଫଳକୁ ଭୁଞ୍ଜି ପାରୁଥିବ, ଏକଥା କିପରି ସମ୍ଭବ ହୁଏ କେଜାଣି ? ଯାବତୀୟ ପରିପୂର୍ଣ୍ଣତା’ର ଉପଲବ୍ଧି ପ୍ରକୃତରେ ତପସ୍ୟା ଦ୍ଵାରା ହୁଏ; ଫଳ ଭୁଞ୍ଜିବାଟାକୁ ଯିଏ ଜୀବନର ଅସଲ କଥା ବୋଲି ଭାବୁଥିବ, ସିଏ ହୁଏତ ଅନ୍ୟ ପ୍ରକାରେ ଅନୁଭବ କରୁଥିବ । କାଳିସୀ ଲାଗିଥିବା ସମୟରେ ଯେଉଁ ବିଶେଷ ପ୍ରକୋପ ଏବଂ ପରାକ୍ରମଗୁଡ଼ିକ ଦେଖିବାକୁ ମିଳେ, ତାହା ହେଉଛି ଗୋଟାସୁଦ୍ଧା କାଳିସୀର ଏବଂ ଯେଉଁ ବ୍ୟକ୍ତିଟିକୁ ଯନ୍ତ୍ରରୂପେ ବ୍ୟବହାର କରି ଏହିସବୁ ପ୍ରକୋପ ଓ ପରାକ୍ରମର ପ୍ରଦର୍ଶନ ହୁଏ କାଳିସୀ ଛାଡ଼ିଯିବା ପରେ ବିଚରା ସେହି ବ୍ୟକ୍ତିଟି ସର୍ବତ୍ର ଭାରି ନିସ୍ତେଜ ହୋଇ ପଡ଼ି ରହିଥାଏ । ସତେଅବା, ଏପରି କୌଣସି ତେଜସ୍ଵୀତା ସିଏ ଦେଖାଇଥାଏ, ଯେଉଁଥିରେ କି ତା'ର ମୋଟେ କୌଣସି ଭାଗନଥାଏ । ଏହି ସବୁକିଛିର ପର୍ଯ୍ୟାଲୋଚନା କଲେ, କାଳିସୀ-ତତ୍ତ୍ଵଟିକୁ ଯେ କାହିଁକି ସାହିତ୍ୟସର୍ଜନାର ମାହାଲ ଭିତରେ ଆଣି ଏପରି ଗୁନ୍ଥି ଦିଆଗଲା, ତାହାର ଆଦୌ କୌଣସି ସମୀଚୀନତା ରହିଥିବା ପରି ଆଦୌ ମନେ ହୁଏ ନାହିଁ । ଅଥଚ ଏବେ ମଧ୍ୟ ଏକାଧିକ ବ୍ୟକ୍ତି ଆମ ସାହିତ୍ୟକ୍ଷେତ୍ରରେ ରହିଥିବେ, ଯେଉଁମାନେ କି ସାହିତ୍ୟର ପ୍ରେରଣାଘରେ ଅନ୍ଦାଜଗୁଡ଼ିକର ବାଲି ବୁଲାଇ ସତେଅବା ସେହି କାଳିସୀଟି ପାଖରେ ଯାଇ ହାବୁଡ଼ି ଯାଇଥାନ୍ତି ।

 

ଯାବତୀୟ କଳାଶକ୍ତିକୁ ଏକ କାଳିସୀ ଶକ୍ତି ବୋଲି ପ୍ରତିପାଦନ କରିବାର ଚେଷ୍ଟା ଓଡ଼ିଆ ସାହିତ୍ୟରେ ମଧ୍ୟ ହୋଇଛି ଏବଂ ଏକାବେଳେକେ ଆମର ଏହି ଚଳନ୍ତି ଯୁଗଟାରେ ମଧ୍ୟ ହୋଇଛି । ସାହିତ୍ୟ ଲେଖିବା ସମୟରେ ଯେଉଁ ଶକ୍ତିଟି ଲେଖକକୁ ସତେଅବା ଛାଟମାରି ବାଟ ବତାଇ ନେଇ ଯାଉଥାଏ, ତାହା ତା'ର କଳାଶକ୍ତି, ତା' ଭିତରେ ସେହି ସମୟଟି ନିମନ୍ତେ ପଶି ତମକୁ ଅଧିକାର କରି ନେଇଥିବା କାଳିସୀ ଶକ୍ତି । ଖାଲି ପଦ୍ୟବେଳକୁ ନୁହେଁ, ଗଦ୍ୟବେଳକୁ ମଧ୍ୟ ସେହି କାଳିସୀ ଶକ୍ତି । କାଳିସୀ ଶକ୍ତିର ବଳରେ ହିଁ ମଣିଷଟିଏ ଏକ ଲେଖକରେ ରୂପାନ୍ତରିତ ହୋଇଯାଏ, ଏକ ଅସାଧାରଣ ଭୂମିକା ଗ୍ରହଣ କରେ ଏବଂ ଲେଖି ଯାଉଥାଏ । ଯେତେବେଳେ ଲେଖା ସରେ, ସେତେବେଳେ ସିଏ ତା’ ସାଧାରଣ ଅବସ୍ଥାକୁ ଫେରିଆସେ, ଏକାବେଳକେ ତୁମଆମ ପରି ହୋଇଯାଏ, ତୁମ ଆମ ପରି ଏହି ସଂସାରନାମକ ଚିହ୍ନା ପଲଟି ଭିତରେ ଜୀବନ ବଞ୍ଚେ । ଏହି ତତ୍ତ୍ଵଟିକୁ ବାଢ଼ିଦେଇ ହୁଏତ ସାହିତ୍ୟକୁ କୌଣସି ଏକ ବିଶେଷ ସ୍ତରକୁ ଉଠାଇ ନିଆଯାଏ ଏବଂ ଯେତେ ସାମୟିକ ଭାବରେ ହେଲେ ମଧ୍ୟ ସେହି ବେଢ଼ାଟି ଭିତରକୁ ପଶି ଯାଇଥିବା ହେତୁ ନିଜକୁ ସତେଅବା ବିଶେଷ ଭାଗ୍ୟବାନ ବୋଲି ମନେହୁଏ ସତ; ମାତ୍ର ତଥାପି ସଙ୍ଗତ ସମାଧାନଟିଏ ମୋଟେ ମିଳେ ନାହିଁ । ଏହାହିଁ କ'ଣ ଗୋଟିଏ କାରଣ ଯେଉଁଥିପାଇଁ ଆମ ସମାଜରେ ସାହିତ୍ୟକୁ ପ୍ରାୟ ଏକ ଅସାଧାରଣ କର୍ମ ଓ ସାହିତ୍ୟକାରକୁ ମଧ୍ୟ ଏକ ଅସାଧାରଣ ପ୍ରାଣୀ ବୋଲି ଅନୁମାନ କରି ନିଆଯାଇଛି ? କଥାଟିକୁ ଆହୁରି ଟିକିଏ ମଞ୍ଜୁଳତା ଦେଇ ଠିକ୍ ଏହି କାରଣରୁ ହିଁ, ଯେଉଁ ଜାତିର ସାହିତ୍ୟ ଯେତେ ଉନ୍ନତ, ସେହି ଜାତି ସେତେ ଉନ୍ନତ ବୋଲି ମଧ୍ୟ ବେଳେବେଳେ କୁହାଯାଇ ଆସିଛି କି ? ଏବେବି ଆମ ସାହିତ୍ୟାନୁଷ୍ଠାନମାନଙ୍କରେ ସାହିତ୍ୟନାମକ ଏକ ଧନ୍ଦା ସହିତ କୌଣସି ସମ୍ପର୍କ ନଥିବା ଏକାବେଳକେ ଅନ୍ୟ ଧାତୁର ଓ ଅନ୍ୟ ପଂକ୍ତିର ମଣିଷମାନେ ତଥାପି ସତେଅବା ପୂର୍ଣ୍ଣ ସାହିତ୍ୟାନୁରାଗ ସହିତ ଯେପରି ନହରପହର ହେଉଥାନ୍ତି, ସେତେବେଳେ ସେମାନଙ୍କ ଉପରେ ଦୃଷ୍ଟିପାତ କଲେ ମନେହୁଏ, ସେମାନେ ହୁଏତ ଅନ୍ତତଃ କ୍ଷଣକ ସକାଶେ ଟିକିଏ ସାହିତ୍ୟ ସହିତ ଘଷି ହୋଇ ତରିଯିବେ ବୋଲି ଆସିଛନ୍ତି । ତରିଯିବେ, ଅର୍ଥାତ୍ କିଞ୍ଚିତ୍ ଉପରକୁ ଉଠିଯିବେ ବୋଲି ଅନୁଭବ କରିବେ ଓ ପବିତ୍ର ହୋଇଯିବେ । ଆମ ସାହିତ୍ୟନାମକ ମଞ୍ଚରେ ନାୟକମାନଙ୍କ ତୁଳନାରେ ଏହି ପାର୍ଶ୍ଵନାୟକମାନେ ହିଁ ସତେଅବା ଅଧିକ ସଂଖ୍ୟାରେ ରହିଥାଆନ୍ତି । ସମ୍ଭବତଃ ସେହି କାରଣରୁ, ଆମ ଅନୁଷ୍ଠାନମାନଙ୍କରେ ସାହିତ୍ୟ ଜମେ ବେଶି, ବେଶି ଚହଟେ, –ହୁଏତ ସେତେବେଶି ପ୍ରଭବସମର୍ଥ ହୋଇପାରେ ନାହିଁ । ସେହି ଜମିବାଟା ହିଁ କେଡ଼େ ବଡ଼ ହୋଇ ଦେଖା ଯାଉଥାଏ ।

 

ମାତ୍ର, ସାହିତ୍ୟ ଆମ ଭିତରେ ଆମକୁ ଏହିପରି କଳାତ୍ମକ ଆଡ଼ମ୍ବରପୂର୍ଣ୍ଣ ଭାବରେ ଦୁଇଭାଗ କରି ରଖିଥିବ ନା ଆମକୁ ଯୋଡ଼ିବ ? ଆମ ଭିତରେ ରହିଥିବା ଅସଲ କଣ୍ଢେଇଟି ଯଦି ଭାଙ୍ଗି ସାତଖଣ୍ଡ ହୋଇ ପଡ଼ିଥାଏ, ସାହିତ୍ୟ ତାକୁ ପୁନର୍ବାର ଏକ ଔଚିତ୍ୟ ଦେବାଲାଗି ଯୋଡ଼ି ଆଣିବାକୁ ମନକରିବ ନା ଆମକୁ ସାତଭାଗ କରି ରଖିବାରେ ହିଁ ପୁଲକ ଅନୁଭବ କରୁଥିବ ? ତେଣୁ, ଯେଉଁମାନେ ନିଜ ଭିତରେ କାଳିସୀର ପ୍ରବେଶ ଘଟିଲେ ଯାଇ ଯେ ସାହିତ୍ୟର ସର୍ଜନା ସମ୍ଭବ ହୁଏ ବୋଲି କହନ୍ତି, ସେମାନଙ୍କର ଅସଲ ଲାଜ ଓ ଅସଲ ବୋଧଗୁଡ଼ିକର ଘରେ କେଉଁଠାରେ କ'ଣ ବିଗିଡ଼ି ଯାଇଥାଏ ବୋଲି ସେମାନେ ସେପରି କହିଥାନ୍ତି । ମୋ ଭିତରେ ମୁଁ ଦୁଇଖଣ୍ଡ ବା ତିନିଖଣ୍ଡ ହୋଇ ରହିଛି, ସଂସ୍କୃତ ଗପର ସେହି ଭାରଣ୍ଡପକ୍ଷୀ ପରି ଦୁଇଟା ଥଣ୍ଟରେ ଆହାର ସଂଗ୍ରହ କରୁଛି ବୋଲି ପେଟଟାକୁ ମଧ୍ୟ ଦୁଇଟା ବୋଲି ଅନୁମାନ କରୁଛି, ଜଣେ ମଣିଷର ଅନ୍ତର୍ଗତ ସୁସ୍ଥତା ଦୃଷ୍ଟିରୁ ତାହାକୁ ପ୍ରକୃତରେ ଏକ ଦୁଃଖ ବା ଦୁର୍ଦ୍ଦଶା ବୋଲି କୁହାଯିବା ଉଚିତ । ଆମେ ସାହିତ୍ୟ ଦ୍ଵାରା ସେହି ଦୁର୍ଦ୍ଦଶା ଭିତରୁ ମୁକୁଳି ଆସିବା ନା ସାହିତ୍ୟକୁ ସେହି ଗୁହାଳଟାରେ ନେଇ ଭର୍ତ୍ତି କରି ରଖିବା ? ଆମେ କ'ଣ କରିବା, ତାହା ଆମ ନିଜର ମର୍ଜି ଓ ବାସନାଗୁଡ଼ିକ ଉପରେ ଅବଶ୍ୟ ନିର୍ଭର କରିବ; ମାତ୍ର ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଆମେ ନିଜ ଜୀବନରେ କେଉଁଟିକୁ ବାଛିବା, ତାହା ଦୁଇଟି ଭିନ୍ନ ଭିନ୍ନ ପ୍ରେରଣା ଉପରେ ହିଁ ନିର୍ଭର କରିବ । ପୃଥିବୀରେ ପ୍ରେରଣା ପଚିଶିଟା ରହଛି, ରହିଥିବ; ଆମେ ଯେଉଁଟିକୁ ବାଛିବା, ସେଇଟି ହିଁ ଆମ ଜୀବନର ଓ ଆମ ସାହିତ୍ୟର ପ୍ରେରଣା ହୋଇ ରହିବ । ଏବଂ କାଳିସୀକୁ କଦାପି କେହି ବାଛେନାହିଁ, କାଳିସୀ ତ ଉପରୁ ଆସି ପଡ଼େ, ଅଧିକାର କରିନିଏ, ଗିଳି ପକାଏ । ତେଣୁ, ଯେଉଁ ପ୍ରେରଣାଟିକୁ ଆମେ ସତକୁ ସତ ବାଛିବା, ତାହା ଯଦି ପ୍ରକୃତରେ ଏକ ପ୍ରେରଣା ହୋଇଥିବ ଏବଂ ଯଦି ଆମେ ବାଛିବାର ଏକ ପ୍ରକ୍ରିୟା ଦ୍ଵାରା ସେଇଟିକୁ ଗ୍ରହଣ କରିଥିବା, ତେବେ ତାହାକୁ କଦାପି କାଳିସୀ ବୋଲି କୁହାଯାଇ ପାରିବ ନାହିଁ । ସାହିତ୍ୟର ବେଦୀ ଉପରେ ଯେବେ କାଳିସୀଟାକୁ ହିଁ ପ୍ରେରଣାରୂପେ ବସାଇ ଦିଆଯାଏ; ସେତେବେଳେ ସେଠାରେ ନିଜକୁ ବର ବୋଲି ଧରି ନେଉଥିବା ଲେଖକଟାକୁ ପ୍ରକୃତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଯାଇ ପଡ଼ିଯିବା ପରି ମନେ ହେଉଥିବ । ଏବଂ ଅଧିକ ବିଡ଼ମ୍ବନାର ବିଷୟ ହେଉଛି ଯେ, ସେହି ଦୟନୀୟତା ସତ୍ତ୍ୱେ ନିଜକୁ ତଥାପି ଗୋଟିଏ ବାଦଶାହ ପରି ଲାଗୁଥିବ । କାଳିସୀକୁ କନିଆ ବୋଲି ବରିଥିବା ଏ ପକ୍ଷଟିର ଅବସ୍ଥା ଦୟନୀୟ ନହୋଇ ସତକୁ ସତ ଆଉ କ'ଣ ହୋଇପାରିବ ? ଏବର ଏହି ସାମ୍ପ୍ରତିକ ଯୁଗରେ ମଧ୍ୟ ଏମିତି ଅନେକଙ୍କୁ ଆମେ ସାହିତ୍ୟର ତୁଠବାଟରେ ଅବଶ୍ୟ ଭେଟିବୁ, ଯେଉଁମାନେ କି କବିତାରେ, ଗପରେ ବା ଆଉ କେତେଟା କ'ଣ ସବୁରେ ରହିଛନ୍ତି ବୋଲି କେଡ଼େ ଦର୍ପରେ ଗହଣାଗାଣ୍ଠି ନାଇ ବୁଲୁଥିବେ ଅଥଚ ଭିତରେ ଭାରି ହନ୍ତସନ୍ତ ହୋଇ ରହିଥିବେ । ସେମାନେ ନିଜ ପାଖରେ କୌଣସି ଜବାବ ଦେଇ ପାରୁନଥିବେ । ନିଜ ପାଖରୁ ଲୁଚି ବୁଲୁଥିବେ । ନିଜ ସାଧାରଣ ଜୀବନଟା ସହିତ ନିଜ ସାହିତ୍ୟିକ ଜୀବନଟାର ସମ୍ଭବତଃ ଆଦୌ କୌଣସି ସମୀକରଣ କରାଇ ପାରୁନଥିବେ । କାଳିସୀର କାମୁଡ଼ାଗୁଡ଼ାକ ସେମାନଙ୍କୁ ଭଲବି ଲାଗୁଥିବ ସତ, ତଥାପି ଆପଣାର ଅସଲ ଘରଗୁଡ଼ିକୁ ପ୍ରାୟ ଅସ୍ଵୀକାର କରି ସେମାନେ କାହିଁକି ଏହି କାଳିସୀଟା ଆଡ଼କୁ ଏପରି ଭାବରେ ଆଉଜି ପଡ଼ିଲେ, ସେଥିପାଇଁ ସେମାନଙ୍କୁ ନିଜ ପାଖରେ ବଡ଼ ବେଅକଲ ମଧ୍ୟ ଲାଗୁଥିବ ।

 

କାଳିସୀ ସହିତ ଏହି ଲଟାପଟାଟା ହେତୁ ହୁଏତ ଆଧୁନିକ ସାହିତ୍ୟ ନିଜର ଧର୍ମ ହୁଡ଼ିଥିବା ଏକ ଧନ୍ଦାପରି ଭାରି ପଦାରେ ପଡ଼ି ଯାଉଥିବା ପରି ମନେ ହୋଇଥାଏ । ଏହି ସାହିତ୍ୟର ପଥଚାରୀମାନେ ଆମରି ସହିତ ରହିଥାନ୍ତି, ତଥାପି ଆମାଠାରୁ ସତେଅବା ଗୋଟାଏ ଅଲଗା ଅଡ଼ା ଭିତରେ ବାସ କରୁଥାନ୍ତି ଏବଂ ଅଡ଼ା ଭିତରେ ଅଲଗା ହୋଇ ରହିବାକୁ ହିଁ ସାହିତ୍ୟର ଅସଲ ଉପଚାର ବୋଲି ଆମ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରୁଥାନ୍ତି । ଏହିପରିଭାବରେ ଆପଣାକୁ ଅଳ୍ପ ବହୁତ ଧୂର୍ତ୍ତତା’ର ସହିତ ଦାୟିତ୍ୟହୀନ କରି ରଖିବାକୁ ସତେଅବା ଏକ କାରଣ ପାଇ ଯାଉଥାନ୍ତି । ସାମ୍ପ୍ରତ୍ତିକ ଭାରତବର୍ଷରେ ଆମର ଯେଉଁ ଅଳ୍ପ କେତେ ପ୍ରତିଶତ ନିଜକୁ ଆମ ସାମୂହିକ ଜୀବନଯାତ୍ରାର ଶୀର୍ଷ ଅର୍ଥାତ୍ ଶିଷ୍ଟ ଥାନଗୁଡ଼ିକରେ ନେଇ ରଖିଛନ୍ତି, ସେମାନେ ଗତ ପଚାଶବର୍ଷ ହେଲା ମୁଖ୍ୟତଃ ନିଜକୁ ଦାୟିତ୍ଵହୀନ କରି ରଖିଛନ୍ତି । ସେମାନଙ୍କର ଯାବତୀୟ ହଟଚମଟ ଏକ ରାଜକୀୟ ଢଙ୍ଗରେ ଚାଲିଛି ସିନା, ମାତ୍ର ସେମାନେ ଏହି ସମାଜ ପ୍ରତି, ଏହି କାଳ ପ୍ରତି ଆପଣାର ଆନୁଗତ୍ୟ ପ୍ରକଟ କରିବାର କ୍ଷେତ୍ରରେ ଅଧିକାଂଶତଃ ଏକ ଦାୟିତ୍ଵହୀନତା’ର ପରିଚୟ ହିଁ ଦେଇଛନ୍ତି । ସତେଅବା ଏକ ଉପେକ୍ଷା ଓ ଅବଜ୍ଞାର ଗୋଟିଏ ଗୋଟିଏ ଜାକଜମକପୂର୍ଣ୍ଣ ନମୁନା ହେବା ନିମନ୍ତେ ସେମାନେ ଏତେ ପାଠ ପଢ଼ିଥିଲେ, ଏତେ ଏତେ ଉଚ୍ଚପଦ ପାଇଲେ, ଏତେ କମାଇଲେ ଏବଂ ଏତେ ଜମାଇଲେ । ସାହିତ୍ୟ ତା'ର ମୂଳ ଧର୍ମଗୁଡ଼ିକୁ ମାନିଥିଲେ ଓ ହୃଦୟର ପଟେ ରହିଥିଲେ ଏଗୁଡ଼ାକୁ ଚ୍ୟାଲେଞ୍ଜ କରିଥାନ୍ତା, ଏସବୁକୁ ହସି ପାରିଥାନ୍ତା; ଅସଲ ଜୀବନବୋଧର ଯେ ଏମାନେ ପରିପନ୍ଥୀ, ସେହି କଥାଟିକୁ ନିଶ୍ ଛଳ ଭାବରେ କହିପାରିଥାନ୍ତା । ପ୍ରତିବାଦ କରିଥାନ୍ତା । ଭାରତରେ ସାମ୍ପ୍ରତିକ ସାହିତ୍ୟ କିନ୍ତୁ ସେହି ଶିଷ୍ଟମାନଙ୍କର ଅଣ୍ଟିବୁଜୁଳା ହୋଇ ରହିଗଲା । ସେଇଥିରୁ ସତେଅବା କୋଟି ପ୍ରେରଣା ପାଇଲା । ତେଣୁ ଅସୁନ୍ଦର ହେଲା, କଥା ସୁନ୍ଦର ହେବାକୁ ପ୍ରୟାସ କଲା । ସତେଅବା ଏକ ବିଶେଷ ଧନ୍ଦା ହୋଇରହିଲା । କ୍ଷମତାପଟଟା ଯେ ଏହି ସାହିତ୍ୟକୁ କେଡ଼େ ନିପାତନସିଦ୍ଧ ଭାବରେ କୋଳ କରିବାକୁ ବାହାରି ଆସିଲା, ଗତ ପଚାଶ ବର୍ଷର ସାହିତ୍ୟ ଆମ ପାଖରେ ତାହାରି ଭୁରି ଭୁରି ପ୍ରମାଣକୁ ଆଣି ଗଦା କରିଦେଇ ପାରିବ । ନିଜକୁ ଦୁଇଭାଗ କରି ନିଜ ଉପବନଟିକୁ ବଞ୍ଚିବା ଏବଂ ସେଥିଲାଗି ସାହିତ୍ୟକୁ ମଧ୍ୟ ମାଧ୍ୟମ ରୂପେ ବ୍ୟବହାର କରିବା–ଇଏ ସତକୁ ସତ ଏକ ପ୍ରେରଣା ନା ଅପ୍ରେରଣା ?

 

ଏହିଭଳି ଏକ ବହୁ ବିଡ଼ମ୍ୱନ ଏବଂ ବହୁ ଅସୁନ୍ଦରତା’ର ସମୟରେ ପ୍ରବନ୍ଧ ପୁଣି କେଉଁଠାରୁ ପ୍ରେରଣା ପାଇବ ? ଆମର ଏହି କାଳଟିରେ କବିତା, ନାଟକ ଓ ଗପରେ କାହିଁକି ଶଗଡ଼ଧାଡ଼ି ଲାଗିଛି ଏବଂ ପ୍ରବନ୍ଧ କାହିଁକି କାଁ ଭାଁ ସମ୍ଭବ ହେଉଛି, ଆମକୁ ଏକ କାରଣ ମଧ୍ୟ ହୁଏତ ଏହାରି ଭିତରୁ ମିଳିଯାଇ ପାରିବ । ବେଳେବେଳେ ତ ଏପରି କହିବାକୁ ବି ମନହେଉଛି ଯେ, ପ୍ରବନ୍ଧ ପାଇଁ ଆଉ କେହି ପ୍ରେରଣା ପାଉନାହାନ୍ତି । ଅଥବା, ପ୍ରବନ୍ଧଟିଏ ଲେଖିବା ସକାଶେ ପ୍ରକୃତରେ ଯେ କେଉଁଠାରେ ପ୍ରେରଣାଟିଏ ରହିଥିବ, ସେଆଡ଼େ ମୁଣ୍ଡ ଖେଳାଇବାକୁ ଆଉ କାହାରି ମନନାହିଁ । ମନନାହିଁ, ଧୈର୍ଯ୍ୟ ନାହିଁ, ତେଣୁ ଫୁରସତ ମଧ୍ୟ ନାହିଁ । ତଥାପି ବିବେକ କହୁଛି ଯେ, ଏ ଯୁଗରେ କେବଳ ପ୍ରବନ୍ଧ ହିଁ ଲେଖା ହେଉଥାନ୍ତା, ପ୍ରବନ୍ଧ ହିଁ ପରିପୂର୍ଣ୍ଣ ଦୃଷ୍ଟିକୁ ଆଣି ଯୋଗାଇ ଦେଉଥାନ୍ତା, ଏହି ଯାବତୀୟ ଆତୁରତା, ବିହ୍ଵଳତା ଏବଂ ଆତ୍ମସନ୍ତୋଷର ଅଳିଆଭିତରୁ ପ୍ରବନ୍ଧ ହିଁ ଆମକୁ ଆଶଦେଇ, ଆଶ୍ଵାସନା ଦେଇ ସାଷ୍ଟାମ ଓ ସୁସ୍ଥ କରି ରଖି ପରୁଥାନ୍ତା । ଯେକୌଣସି ଯୁଗର ସମୀକ୍ଷା ସବାଆଗ ସେହି ଯୁଗର ସାହିତ୍ୟକୁ ହିଁ ହୋଇପାରିବା ଉଚିତ । ଏବଂ ସାହିତ୍ୟ ଭିତରେ ସବାଆଗ ପ୍ରବନ୍ଧ ଉପରେ ହିଁ ସେଥିପାଇଁ ସମସ୍ତଙ୍କର ନିଘା ରହିବା ହିଁ ସବୁଠାରୁ ଅଧିକ ସ୍ଵାଭାବିକ-। ଏକାଧିକ ଦୃଷ୍ଟିରୁ ଆମେ ପ୍ରବନ୍ଧକୁ ହୁଏତ କବିତା, ଗଳ୍ପ ଓ ନାଟକାଦିର ଜନନୀ ବୋଲି କହିପାରିବା । ସାହିତ୍ୟର ପରିବାରଟି ମଧ୍ୟରେ ଛୁଆଙ୍କ ପରି ଗପ, କବିତା, ନାଟକ କେତେ କୁଆଡ଼େ ବୁଲିବେ, କେତେ ବଙ୍କେଇ ଯାଉ ଯାଉ ପୁଣି ସିଧା ହେବାକୁ ଇଚ୍ଛା କରୁଥିବେ-। ସେମାନେ କେତେ ଇଡ଼ି ହୋଇ ଅଣେଇ ହୋଇ ଯାଉଥିବେ । ଯିଏ ଯାହାର ବାଗରେ, ବାଟରେ ମାଡ଼ି ଯାଉଥିବେ ସିନା, ହୁଏତ ପରସ୍ପର ସହିତ ସେମାନଙ୍କର ଅତ୍ୟନ୍ତ ନିବିଡ଼ ଭାବରେ ନାଡ଼ିଟିଏ ଲାଗିଛି ବୋଲି ଚେତାରେ ବି ନଥିବେ, –ପ୍ରବନ୍ଧ ହିଁ ମାଆପରି ହୋଇ ସେମାନଙ୍କୁ ଏକାଠି ସାଉଁଟି ଆଣିବ, ସେମାନଙ୍କୁ ଏକ ସମୁଚିତ ପରିପ୍ରେକ୍ଷୀ ଦେଇ ଦେଖିବ, –ସେମାନଙ୍କର ସମୀକ୍ଷା କରିବ-। କେବଳ ମାଆ ହିଁ ତ ତା'ର ଛୁଆମାନଙ୍କୁ ଏକତ୍ର ଗୋଟିଏ ସମଗ୍ର ଭିତରେ ସମ୍ଭାଳି ଦେଖିପାରିବ । ଯାବତୀୟ ଆଗାମୀ କାଳରେ ପ୍ରବନ୍ଧର ଭୂମିକା ଧର୍ମତଃ ଏହାହିଁ ହୋଇ ରହିବ । ଅତୀତରେ ଯଦି ପ୍ରବନ୍ଧନାମକ ଏହି ବର୍ଗଟି ରହିଥାନ୍ତା ଓ ଆପଣାର କାର୍ଯ୍ୟଟିକୁ କରିଥାନ୍ତା, ତେବେ ଆମର ସାହିତ୍ୟ ମଧ୍ୟ କେତେ ଆଗରୁ ସାବାଳକତା ଲାଭକରି ପାରିଥାନ୍ତା, ଆପଣାର ଭୁବନଟି ପରି ସର୍ବତ୍ରଗାମୀ ଓ ସର୍ବସଂବେଦୀ ହୋଇପାରିଥାନ୍ତା । ଏବଂ ଏକଥା ମଧ୍ୟ କହିବାକୁ ସାହସ ହେଉଛି ଯେ, ମନୁଷ୍ୟ ସମାଜର ଚେତନାୟନ କ୍ଷେତ୍ରରେ ତଦ୍ଦ୍ଵାରା ଆହୁରି କେତେ କ'ଣ ସମ୍ଭବ ହୋଇ ପାରିଥାନ୍ତା-

 

ପ୍ରାଚୀନ ଭାରତୀୟ ସାହିତ୍ୟତତ୍ତ୍ଵରେ ବିଶ୍ରାମ ଓ ହର୍ଷକୁ ଯାବତୀୟ ସାହିତ୍ୟରେ ଅଭିପ୍ରେତ ଫଳ ବୋଲି ଆମକୁ କେଡ଼େ ବାଗରେ ବୁଝାଇ ଦିଆଯାଇଛି । ସେକାଳଟି ଯେପରି ଭାବରେ ଥିଲା ଓ ଆତଯାତ ହେଉଥିଲା, ସେହି ଦୃଷ୍ଟିରୁ ଏପରି ଗୋଟିଏ କଥାକୁ ଅବଶ୍ୟ ବୁଝି ହେଉଛି । ସାହିତ୍ୟ ଅତି ଅଳପଙ୍କର କ୍ରୀଡ଼ାସମ୍ପଦ ହୋଇ ରହିଥିଲା । ଅଳପମାନେ ହିଁ ପ୍ରାୟ ଅଭ୍ୟସ୍ତ ଭାବରେ ସାହିତ୍ୟକୁ ନିଜ କ୍ରୀଡ଼ାଧିକାର ବୋଲି ମାନୁଥିଲେ । ପୃଥିବୀଟା କେବେ ବଦଳିବ ବୋଲି ବଞ୍ଚିତ ଅଥବା ବଞ୍ଚକ କୌଣସି ପକ୍ଷହିଁ ବିଚାର କରି ପାରୁନଥିଲା । ମଣିଷମାନଙ୍କୁ ବିଧାତା ହାତରେ କ୍ରୀଡ଼ନକ ବୋଲି ବିଚାର କରା ଯାଉଥିଲା । ଈଶ୍ଵର କହିଲେ ଭାଗ୍ୟକୁ ବୁଝାଉଥିଲା । ସେହି ଭାଗ୍ୟର ଖିଆଲ ଅନୁସାରେ ପୃଥିବୀ ଚାଲୁଥିଲା । ଭାଗ୍ୟବାନ୍ ମାନେ ମଧ୍ୟ କମ୍ ମୋହାଚ୍ଛନ୍ନଭାବରେ ମୁଖ୍ୟତଃ ଏକ କ୍ରୀଡ଼ନକ ହୋଇ ରହିନଥିଲେ । ଜଗତକୁ ମାୟା ବୋଲି କୁହାଯାଉଥିଲା ଏବଂ ତାହାରି ଭିତରେ ସମସ୍ତେ ନିଦ୍ରାମଗ୍ନ ହୋଇ ରହିଥିଲେ । କାଁ ଭାଁ କୌଣସି କାରଣରୁ ଯାହାର ନିଦ ଭାଙ୍ଗି ଯାଉଥିଲା, ସିଏ ସତେଅବା ଡାକରା ଆସିଯିବା ପରି ସଂସାର ଛାଡ଼ି ପଳାଇ ଯାଉଥିଲା । ଯିଏ ଜ୍ଞାନୀ ହେଉଥିଲା, ବାବାଜୀ ହୋଇ ବାହାରେ ରହି ଯାଉଥିଲା । ଯେଉଁମାନେ ସଂସାର ଭିତରେ ରହୁଥିଲେ, ସେମାନେ ସଂସାରକୁ ବଞ୍ଚୁଥିବାର ପ୍ରତ୍ୟେକ ମୁହୂର୍ତ୍ତରେ ସତେଅବା ବଡ଼ ହନ୍ତସନ୍ତ ଭାବରେ ନଚାହେବାରେ ଏବଂ କଚାହେବାରେ ଲାଗିଥିଲେ । ସତେଅବା ପଛରେ କିଏ ଗୋଡ଼ାଇଥିବା ପରି କୁଆଡ଼େ ଦଉଡ଼ି ପଳାଇବାରେ ଅଧିକ ଶକ୍ତି ଓ ସମୟ ଦେଉଥିଲେ । ଏବଂ ପ୍ରାୟ ଡହଳବିକଳ ହୋଇ ବିଶ୍ରାମ ଖୋଜୁଥିଲେ ଏବଂ ସେହି ବିଶ୍ରାମକୁ ସେତେବେଳେ କେତେ ମଣିଷ ସାହିତ୍ୟ ଭିତରେ ବି ଖୋଜୁଥିଲେ । କଥିତ ଅଛି, ପିରାମିଡ଼ମାନଙ୍କର ନିର୍ମାଣ କରୁଥିବା ମୂଲିଆମାନେ ଦିନଯାକର ଶ୍ରମ କଲବଲ ପରେ ରାତିରେ ଉଚ୍ଚସ୍ଵରରେ ଗୀତବୋଲି ଅବସାଦ ଦୂର କରୁଥିଲେ– ଉଶ୍ଵାସ ଅନୁଭବ କରୁଥିଲେ । ପୃଥିବୀରେ ଆମ ଅଧିକାଂଶ ମଣିଷଙ୍କ ପାଇଁ ହୁଏତ ଏବେ ମଧ୍ୟ ବିଶ୍ରାମ ପ୍ରଧାନତଃ ପ୍ରାୟ ଏହି ସ୍ତରର ଏକ ବିସ୍ମରଣ ପ୍ରହର ହୋଇ ହିଁ ରହିଛି । ତେଣୁ, ଆମ ସାହିତ୍ୟ ମଧ୍ୟ, ଆମକୁ ସତେଅବା ଏକ ବିଶ୍ରାମର ପ୍ରେରଣା ହିଁ ଦେଉଛି ।

 

ସାମ୍ପ୍ରତିକ ପୃଥିବୀରେ ଦୁଃଖଗୁଡ଼ିକର ଆୟତନ ଯେତିକି ବଢ଼ୁଛି, ମଣିଷମାନେ ସେମାନଙ୍କର ସାହିତ୍ୟକୁ ଯେତେଦୂର ସମ୍ଭବ କିଞ୍ଚିତ୍ ହରଷ ଲାଭ କରିବାର ଏକ ସାଧନ ରୂପେ ବିଚାର କରିବାକୁ ଶିଖୁଛନ୍ତି । ଏବେ ଯେ ଆମ ସମାଜରେ ସାହିତ୍ୟର ଅନୁଷ୍ଠାନମାନ ଅଧିକ ସଂଖ୍ୟାରେ ଏକ ଅଧିକ ବିବର୍ଦ୍ଧନଯୁକ୍ତ ଭାବରେ ହେବାରେ ଲାଗିଛି ଏବଂ ଆମେ ମୂଳତଃ ଟିକିଏ ହର୍ଷ ଲାଭକରିବା ଲାଗି ଅଧିକରୁ ଅଧିକ ଆଗ୍ରହରେ ଯେ ମେଳ ହୋଇ ଏହି ସବୁ ଅନୁଷ୍ଠାନ ମଧ୍ୟରେ ଆସି ସାମିଲ ହେଉଛୁ, ଆମ ଅସଲ ଜୀବନ ବଞ୍ଚିବାର କ୍ଷେତ୍ରରେ ଆମକୁ ଅଙ୍ଗେ ନିଭାଇବାକୁ ପଡ଼ୁଥିବା ଦୁଃଖମାନେ କ୍ରମେ ଅଧିକ ଓ ପ୍ରବଳ ହେବାରେ ଲାଗିଛନ୍ତି ବୋଲି ଏପରି ହେଉଛି କି ? ଆହ୍ଵାନଗୁଡ଼ିକ ରହିଛି, ଅଥଚ ଆମେ ସେଗୁଡ଼ିକର ସମ୍ମୁଖୀନ ହୋଇ ପାରୁନାହୁଁ, ପର୍ବତଗୁଡ଼ିକ ରହିଛି ଅଥଚ ଆମେ ପର୍ବତଗୁଡ଼ିକୁ ଟଳାଇ ପାରୁନାହୁଁ, ସମ୍ଭବତଃ ଏହି ଅସମର୍ଥତା’ର ଦୁଃଖ ହେଉଛି ଆମ ଏକାଳର ସବୁଠାରୁ ଅଧିକ ଯନ୍ତ୍ରଣାଦାୟକ ଦୁଃଖ । ଏହି ପର୍ବତଗୁଡ଼ାକ ଯେ ଆମର ଯିବାବାଟରେ ଛିଡ଼ା ହୋଇ ରହିଛନ୍ତି,ସେଥିରେ ଆମେ ନିଜେ ମଧ୍ୟ ଯେ ଦାୟୀ, ଏହି ଦୁଃଖମାନେ ଯେ ଆମକୁ ଏପରି ଅଳ୍ପଶକ୍ତି ଏବଂ ହନ୍ତସନ୍ତ କରି ରଖିଛନ୍ତି, ତାହାର କାରଣଗୁଡ଼ିକ ମଧ୍ୟରେ ଆମେ ନିଜେ ମଧ୍ୟ ଯେ ରହିଛୁ, ସେକଥା ବୁଝି ପାରୁଥିଲେ ହୁଏତ ସବୁକିଛି ସନ୍ଦର୍ଭ ଏକାବେଳକେ ଅନ୍ୟ ପ୍ରକାରର ହୋଇଯାଆନ୍ତା । ଏହି ପୃଥିବୀଟାକୁ ଆମରି କୃତି ବା କରଣି ବୋଲି ଆମେ ସ୍ଵୀକାର କରିନେଇ ପାରୁନାହୁଁ ବୋଲି ଆମେ ତାହାକୁ ମାୟା ବୋଲି କହୁଛୁ ଏବଂ ତା'ପରେ ନାନାମନ୍ତେ ବାବାଜୀ ହେବାକୁ ମନ ବି କରୁଛୁ । ମଣିଷର ଏହି ଅସମର୍ଥତାକୁ ମଣିଷର ସତେଅବା ଏକ ସ୍ଵଭାବଭାଗ୍ୟ ବୋଲି ଧରି ନେଇଥିଲେ ବୋଲି ଆମ ସୂତ୍ରକାରୀମାନେ ଆମକୁ ତଥାପି କିଛି ବିଶ୍ରାମ ଏବଂ ହର୍ଷ ଆଣି ଦେଇପାରିବା ନିମନ୍ତେ ଆମଲାଗି ସାହିତ୍ୟର ବରାଦ କରି ଦେଇଥିଲେ । ଇତିମଧ୍ୟରେ ସଂସାର କେତେ ବଦଳିଲାଣି, ମଣିଷମାନେ କେତେ କେତେ ନୂଆ ଆଖିର ଅଧିକାରୀ ହେଲେଣି ଓ କେତେ କେତେ ଅଭୂତପୂର୍ବ ପ୍ରତିଶ୍ରୁତି ମଧ୍ୟ ମଣିଷର ସମ୍ମୁଖରେ ଅନାବୃତ ହେବାରେ ଲାଗିଛନ୍ତି । ତଥାପି, ସାହିତ୍ୟ ବିଷୟରେ ସେହି ପୁରୁଣା ସଂଜ୍ଞାଟି ଯେପରି ଏବେ ମଧ୍ୟ ମଣିଷମାନଙ୍କର ମନୀଷାକୁ କାମୁଡ଼ି ଧରିଛି ଏବଂ ତେଣୁ ନୂଆ ପ୍ରତିଶ୍ରୁତିମାନେ ମଣିଷର ହୃଦୟଯାଏ ଯିବା ସକାଶେ ପ୍ରକୃତରେ ବାଟଟିଏ ପାଇ ପାରୁନାହାନ୍ତି ।

 

ବିଶ୍ରାମ ଏବଂ ହର୍ଷ ଯେ ପ୍ରବନ୍ଧର ବି ପ୍ରେରଣା ରୂପେ କାର୍ଯ୍ୟ କରେ, ପ୍ରବନ୍ଧ ଲେଖୁଥିବା କୌଣସି ବ୍ୟକ୍ତି ସେହି କଥାଟିକୁ ଆଦୌ ସ୍ଵୀକାର କରିବାନାହିଁ । ଏପରିକି ସୁଗଠିତ ଏକ ଆଗ୍ରହ ନେଇ ପ୍ରବନ୍ଧର ପାଠ କରୁଥିବା ଜଣେ ପାଠକ ମଧ୍ୟ ସେହି କଥାଟାକୁ ମୋଟେ ମାନି ନେବନାହିଁ । ଯେଉଁମାନେ ପ୍ରାୟ ଏକ ଗୁଳାଭିତରେ ଯାଇ ପଡ଼ିଯାଇଥିବା ପରି କବିତା, ଗପ, ଉପନ୍ୟାସ ବା ନାଟକ ପଢ଼ନ୍ତି, ସେମାନେ ଅଧିକାଂଶତଃ ପ୍ରବନ୍ଧ ପଢ଼ିବାକୁ ଆଦୌ ମନକରନ୍ତି ନାହିଁ । ନିଜକୁ ହୁଏତ ଜଣେ ନିଷ୍ଠାପର ହିନ୍ଦୁପରି ଅନୁଭବ କରି ପ୍ରବନ୍ଧକୁ ସତେଅବା ପଠାଣଟା, ଭଳି ଦେଖନ୍ତି ଓ ତାହାର କଡ଼ମାଡ଼ନ୍ତି ନାହିଁ । ସଚରାଚର ସବୁ ପିଲା କେବଳ ଗପ ହିଁ ଶୁଣିବାକୁ ଚାହାନ୍ତି, ଗପବହି ପଢ଼ନ୍ତି । ଗପଟିଏ କହିବାଲାଗି ବଡ଼ମାନଙ୍କ ପାଖରେ କେତେ ନା କେତେ ଅଳି କରୁଥାନ୍ତି । ବୟସ୍କ ହେବାଲାଗି ସବୁଯାକ ଅବସର ଏବଂ ଆହ୍ଵାନ ଆସି ପହଞ୍ଚିଯିବା ପରେ ମଧ୍ୟ ତଥାପି ସମାଜରେ କେତେ ମଣିଷ ଯାବତୀୟ ପ୍ରକାରେ ପିଲାହୋଇ ରହିବାକୁ ହିଁ ମନ କରୁଥାନ୍ତି । ସତେଅବା ବଡ଼ ହେବାର, ପାଳକ ହେବାର, ଦାୟିତ୍ଵ ନେବାର ଆହ୍ଵାନଗୁଡ଼ିକୁ ଯଥାସମ୍ଭବ ଅଧିକ କାଳ ପର୍ଯ୍ୟନ୍ତ ଏଡ଼ିବାରେ ଲାଗିଥାନ୍ତି । ଗୋଟାଏ ଗୋଟାଏ ସମାଜରେ ମଧ୍ୟ ଆମ ବେଷ୍ଟନୀଗତ ପରିମଳଗୁଡ଼ିକ ପ୍ରାୟ ଅଭ୍ୟସ୍ତ ଭାବରେ ଏପରି ହୋଇ ରହିଥାନ୍ତି ଯେ, ସେଥିରେ ମଣିଷମାନଙ୍କୁ ଯଥାସମ୍ଭବ ଅଧିକରୁ ଅଧିକ କାଳ ପର୍ଯ୍ୟନ୍ତ ପିଲାଟିଏ ହୋଇ ରହିବାକୁ ନାନାବିଧ ପ୍ରଶ୍ରୟ ମିଳୁଥାଏ । ଏହିଭଳି ସମାଜରେ ମଧ୍ୟ ବଯସ୍କମାନେ ସତେଅବା ଏକ ମନୋମୁଗ୍ଧକାରୀ ଅନୁକୂଳତା ଲାଭକରି ସବାଆଗ ଗପ ଶୁଣିବାକୁ ଓ ଗପ ପଢ଼ିବାକୁ ଅଧିକ ମନ ରଖିଥାନ୍ତି କି ?ଏବଂ ଆମର ଏହି ସାମ୍ପ୍ରତିକ ସମାଜରେ ଅଧିକ ମଣିଷ ବୟସ୍କ ହୋଇଥିଲେ ମଧ୍ୟ ତଥାପି ଯେ ଗଳ୍ପରେ, ନାଟକରେ ଏବଂ କାବ୍ୟ କବିତାରେ ମନ ରଖିଥାନ୍ତି, ତାହାର ପଶ୍ଚାତରେ ଏଭଳି କୌଣସି କାରଣ ରହିଥିବାର ଅନୁମାନ କରାଯାଇ ପାରିବ କି ? ଆମ ଭିତରେ ପିଲାଦିନେ ଫୁଲେଇ ହୋଇ ବୁଲୁଥିବା କଅଁଳା ବାଛୁରୀଟି ସତେଅବା ବର୍ଷବର୍ଷ ଗଡ଼ିଗଲେ ମଧ୍ୟ ତଥାପି ଧରା ଦିଏନାହିଁ, ଆପଣାମନକୁ ତଥାପି ଗୁହାଳ ଭିତରେ ପଶେ ନାହିଁ, ଦାୟିତ୍ୱ ନିଏନାହିଁ, ଦାୟିତ୍ୱ ନେବାକୁ କଷଣ ବୋଲି ମଣେ ଏବଂ ତେଣୁ ସ୍ଵାଭାବିକ ଧର୍ମ ତଥା ସ୍ଵାଭାବିକ ଆହ୍ୱାନଗୁଡ଼ିକର କ୍ଷେତ୍ରରେ ନିଜଲାଗି ଓ ସମଗ୍ର ପୃଥିବୀଲାଗି ବହୁ କଷଣର କାରଣ ବି ହୁଏ । ସେହି କଅଁଳା ବାଛୁରୀଟି ନିଶ୍ଚୟ ସବାଆଗ ଗଳ୍ପକୁ ମନ କରୁଥିବ, ନାଟକକୁ ମନ କରୁଥିବ, କବିତା-ପାଠୋତ୍ସବରେ ହୁଏତ ସେଇ ସବାଆଗ ଯାଇ ପଶିଯିବାକୁ ଓ ବସିଯିବାକୁ ଭାରି ମନ କରୁଥିବ । ସ୍ଵୟଂ ବିଧାତା ମଧ୍ୟ ହୁଏ ତ ହଡ଼ବଡ଼େଇ ଯାଉଥିବେ ।

 

ଓଡ଼ିଶାରେ ଏପରି କେତେସଂଖ୍ୟକ ପାଠକ ଥିବେ, ଯେଉଁମାନେ କି କେବେହେଲେ ପ୍ରବନ୍ଧଟିଏ ପଢ଼ିନଥିବେ । ସେମାନେ କେବଳ କବିତା, ଗଳ୍ପ, ଉପନ୍ୟାସ ଓ ନାଟକାଦି ପାଠ କରିଥିବେ । ହଁ, ପାଠ ପଢ଼ିବା ସମୟରେ ପାଠ୍ୟପୁସ୍ତକରୁ ଅବଶ୍ୟ କିଛି ପ୍ରବନ୍ଧ ପଢ଼ିଥିବେ ଏବଂ ପରୀକ୍ଷା ଦେଲାବେଳେ ନିଜେ ବି କେତେକ ପ୍ରବନ୍ଧ ଅବଶ୍ୟ ଲେଖିଥିବେ । ମାତ୍ର ଆପଣ ଗୋଟିଏ ପ୍ରବନ୍ଧପାଠକ ବି ଖୋଜିକରି ବାହାର କରନ୍ତୁ, ଯିଏକି ଖାଲି ପ୍ରବନ୍ଧ ବ୍ୟତୀତ ଆଉ କିଛି ପଢ଼ିନାହିଁ । ଏହା ଅନେକଙ୍କର କାନକୁ ବିଚିତ୍ର ହୁଏତ ଲାଗୁଥିବ, ତଥାପି ଏହାକୁ କଦାପି ଆକସ୍ମିକ ବୋଲି କହି ଉଡ଼ାଇ ଦେଇ ହେବନାହିଁ । ଆମେ ଇଚ୍ଛା କଲେ ଏପରି ହେବାର କାରଣ ବିଷୟରେ ମଧ୍ୟ କିଛି କିଛି ଚିନ୍ତା କରିପାରିବା । ପ୍ରବନ୍ଧ ଲେଖିବା ଏବଂ ପାଠକରିବା ପଛରେ ଏପରି ଗୋଟିଏ ପ୍ରେରଣା ସର୍ବଦା ରହିଥାଏ, ଯାହାକି ପ୍ରବନ୍ଧର ଲେଖକ ଓ ପ୍ରବନ୍ଧର ପାଠକକୁ କବିତା, ଗଳ୍ପ, ଉପନ୍ୟାସ ଓ ନାଟକାଦି ଆଡ଼କୁ ସତେଅବା ସ୍ଵତଃପ୍ରବୃତ୍ତ ଭାବରେ ପରିଚାଳିତ କରି ନେଇଯାଏ । ଅର୍ଥାତ୍, ପ୍ରବନ୍ଧ ଭିତରେ ଏପରି କିଛି ଥାଏ, ଯାହାକି ତାହାର ଲେଖକ ତଥା ପାଠକକୁ ବାଡ଼ଗୁଡ଼ିକୁ ଉଠାଇ ଦେବାର ପ୍ରେରଣା ଆଣିଦିଏ, କାନ୍ଥଗୁଡ଼ିକୁ ତଥା କୁଣ୍ଠାଗୁଡ଼ିକୁ ଅପସାରିତ କରିନିଏ । ଅନୁରୂପ ଏକ ପ୍ରତିଯୁକ୍ତି ସହିତ ଏପରି ବି କୁହାଯାଇପାରିବ କି ଯେ, କବିତା, ଗଳ୍ପ, ଉପନ୍ୟାସ ଓ ନାଟକାଦିରେ ଏପରି କିଛି ଥାଏ, ଯାହା ସଂପୃକ୍ତ ଲେଖକ ଅଥବା ପାଠକକୁ ସତେଅବା ଏକ ଗୁହା ଭିତରେ ଅଧିକରୁ ଅଧିକ ସଂକୀର୍ଣ୍ଣ କରି ଆଣିବାକୁ ଉଦ୍ୟମ କରୁଥାଏ ଓ ସେହିପରି ଏକ ପ୍ରଚୋଦନା ଦେବାରେ ଲାଗିଥାଏ ? ସେହି ବିଷୟରେ ଚିନ୍ତାକଲେ ହୁଏତ ଆମକୁ ଆଗକୁ ଆହୁରି କେତେ କେତେ ସତ୍ୟାନୁମାନ ମିଳିଯାଇ ପାରିବେ । ଏବଂ ପୃଥିବୀ ବର୍ତ୍ତମାନ ଚେତନାର, ସତ୍ୟର ଏବଂ ଆତ୍ମ-ଉନ୍ମୀଳନର ଯେଉଁ ସ୍ତରରେ ରହିଛି, ଯଦି ଆମ ଅନୁଗ୍ରହରୁ ଦୀର୍ଘକାଳ ସେହିଠାରେ ହିଁ ରହେ, ତେବେ ଏକଥା ମଧ୍ୟ ସତ୍ୟ ଯେ, ଆହୁରି ଅନେକ ଅବଧି ପର୍ଯ୍ୟନ୍ତ ଏଠି ଆମ ଭିତରୁ ଅଧିକ ମନୁଷ୍ୟ କବିତା, ଗଳ୍ପ, ଉପନ୍ୟାସ ଓ ନାଟକାଦି ପଢ଼ୁଥିବେ ଓ ଲେଖୁଥିବେ ଏବଂ ଅପେକ୍ଷାକୃତ କମ୍ ମନୁଷ୍ୟ ପ୍ରବନ୍ଧ ପାଠ କରୁଥିବେ ଓ ପ୍ରବନ୍ଧ ଲେଖୁଥିବେ । ଏଥିରେ, ଗଳ୍ପ, ଉପନ୍ୟାସ, କବିତା ଓ ନାଟକାଦିର ଖୁସି ହେବାଲାଗି ଆଦୌ କୌଣସି କାରଣ ନାହିଁ । କିମ୍ବା ପ୍ରବନ୍ଧରେ ମୁହଁ ଶୁଖେଇବା ଲାଗି ମଧ୍ୟ ମୋଟେ କୌଣସି କାରଣ ନାହିଁ । କାରଣ, ଉଭୟ ବର୍ଗ ମଧ୍ୟରେ ପ୍ରତିଯୋଗିତା’ର ବି କୌଣସି ଅବକାଶ ନାହିଁ ।

 

ସାହିତ୍ୟ ଅବଶ୍ୟ ଏକ ପୃଥିବୀ । ତଥାପି ସାହିତ୍ୟକୁ ଯେଉଁମାନେ ସବୁଠାରୁ ବଡ଼ ପୃଥିବୀ ବୋଲି କହନ୍ତି, ସେମାନେ ମିଥ୍ୟା ହିଁ କହନ୍ତି । ଅନେକ ଗୁହାବାସୀ ବୈରାଗୀ ଅଥବା ତୁଚ୍ଛା ଭୋଗୀ ରହିଛନ୍ତି, ଯେଉଁମାନେ କି ଗୁମ୍ଫାଟାକୁ ହିଁ ସବାବଡ଼ ଓ ସମଗ୍ର ପୃଥିବୀ ବୋଲି କହିଥାନ୍ତି । ସାହିତ୍ୟଠାରୁ ଏହି ପୃଥିବୀ ବଡ଼ । ପୃଥିବୀରେ ଆତଯାତ ହେଉଥିବା ଅଥଚ ନିଜର ଯାବତୀୟ ଶ୍ରଦ୍ଧାର୍ଜନ ଏବଂ ଶକ୍ତିକୁ ଲଗାଇ ଏହି ପୃଥିବୀଟିକୁ ସାକାର ତଥା ସ୍ନେହଯୁକ୍ତ କରି ରଖିଥିବା ମଣିଷ ପୃଥିବୀଠାରୁ ମଧ୍ୟ ବଡ଼ । ଯୋଉ ପୃଥିବୀକୁ ଭଗବାନ ତିଆରି କରିଛନ୍ତି ବୋଲି ଆମେ ବିଶ୍ଵାସ କରୁଛୁ, ମଣିଷ ବିନା ସେହି ଭଗବାନଙ୍କୁ ମଧ୍ୟ କିଏ ଆବିଷ୍କାର କରିଥାଆନ୍ତା ? ପ୍ରବନ୍ଧର ଅସଲି ପ୍ରେରଣାଟି ହେଉଛି ଠିକ୍ ଏଇଠି । ପ୍ରବନ୍ଧ ସାହିତ୍ୟକୁ ନେଇ ପୃଥିବୀ ସହିତ ଯୋଡିବ ଏବଂ ପୃଥିବୀକୁ ନେଇ ଭଗବାନଙ୍କ ସହିତ ଯୋଡିବ ଏବଂ ଯେଉଁଦିନ ସତକୁ ସତ ସେକଥା ହେବ, ସେହି ଦିନଟି କ'ଣ କେବେହେଲେ ମାମୁଲି ଦିନଟିଏ ହେବ, ଯେଉଁଥିରେ କି ମାମୁଲି ସାହିତ୍ୟର ସେହି ମାମୁଲି ହାଟଟା ବସିଥିବ ଓ ଆଜିପରି ମାମୁଲି ପୃଥିବୀଟାକୁ ନେଇ ମାମୁଲି ମଣିଷମାନେ ନସରପସର ହୋଇ ଧାଇଁଥିବେ, ସୁଖ ଖୋଜୁଥିବେ ଅଥଚ ବହୁ ଦୁଃଖର କାରଣ ହେଉଥିବେ ?ଏବଂ ଏକ ଅତି ମାମୁଲି ଭାବପ୍ରବଣତା ଭିତରେ ନିତାନ୍ତ ଅଣଅକ୍ତିଆର ଭାବରେ ନିଃସଙ୍ଗତା ସହିତ ଉପଧା ମିଜାଇ କେଳି କରୁଥିବେ ? ବିକଳ୍ପ ପୃଥିବୀଟିରେ ସବୁ ମଣିଷ ରହିଥିବେ । ଥୋକେ ସୁବେଶ ହୋଇ ଗଭାରେ ନାନାଦି ଫୁଲ ଖୋସି ନାଚିବେ ବୋଲି ଆଉ ଥୋକେ ମଣିଷଙ୍କୁ ମୋଟେ ଲଣ୍ଡା ହୋଇ ରହିବାକୁ ବାଧ୍ୟ ହେବାକୁ ପଢ଼ୁନଥିବ । ତେଣୁ, ପ୍ରବନ୍ଧ ଗୋଟାସୁଦ୍ଧା ଜବର ହୋଇ ଏହି ବର୍ତ୍ତମାନ ଉପରେ ଛିଡ଼ା ହୋଇ ରହିଥିଲେ ମଧ୍ୟ ତାକୁ ନିରନ୍ତର ସତେଅବା ଏକ ଅନ୍ୟ ଭବିଷ୍ୟ ବା ଅନ୍ୟ ସମ୍ଭାବନା ବନ୍ଧୁପରି ଡାକିବାରେ ଲାଗିଥାଏ । ସେହି ବନ୍ଧୁଟିକୁ ଏଠି ଘରକୁ ଡାକି ଆଣି ବସାଇବାରେ ତପସ୍ୟା ହେଉଛି ପ୍ରବନ୍ଧର ତପସ୍ୟା । ଅତୀତ ମଧ୍ୟ ପ୍ରବନ୍ଧକୁ କମ୍ ପ୍ରେରଣା ଦିଏନାହିଁ । ମାତ୍ର ତା' ବୋଲି ଅତୀତ ନାମକ ମାଲ୍ୟାଣୀର ଫୁଲଟିକୁ ସୁଙ୍ଘି ପ୍ରବନ୍ଧ କଦାପି ତାହାରି ପାଖରେ ମେଣ୍ଢାଟିଏ ପରି ବାନ୍ଧିହୋଇ ରହିବାକୁ ଇଚ୍ଛା କରେ ନାହିଁ । ଅତୀତର ଚୁଲିରୁ ଆବଶ୍ୟକ ଅଙ୍ଗାରଗୁଡ଼ିକୁ ସଂଗ୍ରହ କରି ସିଏ ବର୍ତ୍ତମାନର ଚୁଲିରେ କୁହୁଳା ପକାଏ ଓ ଭବିଷ୍ୟତ ପାଇଁ ସାମଗ୍ରୀ ରାନ୍ଧି ବାଢ଼ିଦିଏ ।

 

ପ୍ରବନ୍ଧ ଅଛୁଆଁ ବାରେନାହିଁ । ପ୍ରବନ୍ଧ ଖୁବ୍ ଲଢ଼େ । ଏହି ପୃଥିବୀର ପୁରୁଣାଗୁଡ଼ାକ ସହିତ ଲଢ଼େ, ଜଡ଼ତା ସହିତ ଲଢ଼େ । ଆଉ କିଛି ବୃହତ୍ତରକୁ ଭଲ ପାଉଥାଏ ବୋଲି ସିଏ ଏହିସବୁ ନିତ୍ୟ ଲଢ଼େଇ ଲଢ଼ିବାରେ ଲାଗିଥାଏ । ଭାବର ନୂଆ ନୂଆ ଅସ୍ତ୍ରରେ ଯାବତୀୟ ଭାବପ୍ରବଣତା ସହିତ ଲଢ଼େ । କ୍ଷୁଦ୍ରତାଗୁଡ଼ିକୁ ଅତ୍ୟନ୍ତ ଛନ୍ଦରହିତ ଭାବରେ କ୍ଷୁଦ୍ରତା ବୋଲି ଘୋଷଣା କରେ । ଜଣେ ଭୀରୁ ମଣିଷ ଭୀରୁ ହୋଇ ରହିବାଲାଗି ଏହି ଜଗତକୁ ଯେଉଁ ପ୍ରେରଣା ପାଏ, ପ୍ରବନ୍ଧ ତାହାଠାରୁ ଦୂରରେ ରହିବାକୁ ହିଁ ନିଜର ଧର୍ମବତ୍ ମାନୁଥାଏ । ସାହିତ୍ୟ ଭିତରେ ମଧ୍ୟ ସାନ ସାନ ଚାହିଦା ମେଣ୍ଟାଇବା ଲାଗି ସାନ ସାନ ଠାକୁର ବହୁସଂଖ୍ୟାରେ ରହିଥାଆନ୍ତି । ସେମାନଙ୍କର ବାନାଆଡ଼କୁ ଅନାଇ ଜଳକା ହୋଇ ରହିବାଲାଗି ସେହି ସାହିତ୍ୟ ଭିତରେ ମଧ୍ୟ କମ୍ ରସିକ ନଥାନ୍ତି-। ପ୍ରବନ୍ଧ ସେହି ସେହି ଠାକୁର ଓ ସେହି ସେହି ଭକ୍ତ ବା ରସିକମାନଙ୍କ ବିଷୟରେ ସର୍ବଦା ସାବଧାନ ରହିଥାଏ । ତେଣୁ, ସମସ୍ତଙ୍କ ଘରେ ଯାଇ ପଶେ । ସତେଅବା ଆଦୌ କାହାକୁ ମାନେନାହିଁ । ସମସ୍ତଙ୍କର ନିଦ ଭଙ୍ଗାଏ । ସମସ୍ତଙ୍କୁ ଆପଣାର ବୋଲି ଅନୁଭବ କରୁଥାଏ ବୋଲି ସମସ୍ତଙ୍କର ନିଦ ଭଙ୍ଗାଏ । କାରଣ, ଆମେ ନାନା ନିଦ ମୋହରେ ଅଳପ ହୋଇ ରହିଥିବା ବେଳେ ଆମର ସେହି ନିଦକୁ ଭାଙ୍ଗିଦେବାକୁ ଆସୁଥିବା ବନ୍ଧୁଟିଠାରୁ ଅଧିକ ବଡ଼ ବନ୍ଧୁ ପୃଥିବୀରେ ଆଉ କିଏ ଅଛି ?

 

[ଝଙ୍କାର, ୪୯/୯, ଡିସେମ୍ବର, ୧୯୯୭]

☆☆☆

 

ପ୍ରବନ୍ଧର ଶୈଳୀ

 

ଛୋଟା ଲୋକଟିଏ ଯେମିତି ଚାଲେ, ତା'ର ଏକ ଶୈଳୀ ଅବଶ୍ୟ ଥାଏ । ଛୋଟା ବୋଲି ସିଏ ସେହିପରି ଏକ ଶୈଳୀରେ ଚାଲେ ଅଥବା ଭାବିଚିନ୍ତି ନିଜ ପାଇଁ ଏକ ଶୈଳୀ ବାହାର କରିଥାଏ, ସେ ପୃଥିବୀଯାକର ଛୋଟାମାନେ ହିଁ ପ୍ରକୃତ ସତକଥାଟି କହିପାରିବେ । ଅନ୍ଧମାନେ ଯେପରି ବାଡ଼ିରେ ବାଟ ବାରି ଅଥବା ହାତରେ ଅଣ୍ଡାଳି ଅଣ୍ଡାଳି ବାଟ ଚାଲନ୍ତି, ତା'ର ମଧ୍ୟ ଏକ ଶୈଳୀ ରହିଥାଏ । ଅନ୍ଧ ହୋଇଥିବା ହେତୁ ସେମାନଙ୍କର ଚାଲିବା ଶୈଳୀଟା ସେହିପରି ହୋଇଥାଏ କିମ୍ବା ସେମାନେ ଭାବିଚିନ୍ତି ସେହିପରି ଗୋଟିଏ ଶୈଳୀକୁ ଗ୍ରହଣ କରିଥାନ୍ତି, ଅନ୍ଧ ନ ହୋଇଥିଲେ ମଧ୍ୟ ଯେକୌଣସି ମନୁଷ୍ୟକୁ ତାହାର ନିର୍ଭୁଲ ଉତ୍ତରଟିଏ ସହଜରେ ମିଳିଯାଇ ପାରିବ-। କଥା କହିବାର ମଧ୍ୟ ଗୋଟିଏ ଶୈଳୀ ରହିଛି । କବିତା ଲେଖାର ମଧ୍ୟ ସେହିପରି ଗୋଟିଏ ଶୈଳୀ ରହିଛି । ପୃଥିବୀଯାକର ଆଈମାଆମାନେ ନିଜ ଚାରିପାଖରେ ଛୁଆମାନଙ୍କୁ ବସାଇ ଯେପରି ଗପ କହନ୍ତି, ସେଇଟାର ମଧ୍ୟ ମୋଟାମୋଟି ଶୈଳୀଟିଏ ରହିଛି । ପିଲାମାନେ ମଧ୍ୟ ସଚରାଚର ଯେପରି ଭାବରେ ଆଈମାଆ ପାଖରେ ବସି ଗପ ଶୁଣନ୍ତି, ସେଇଟିର ମଧ୍ୟ ସଚରାଚର ଗୋଟିଏ ଶୈଳୀ ନରହିବ କାହିଁକି ? ମନୁଷ୍ୟ ମାତ୍ରକେ ପ୍ରତ୍ୟେକର ଜୀବନରେ ଶୈଳୀଟିଏ ରହିଛି, ଠିକ୍ ଯେପରି ଏକ ଶୀଳ ରହିଛି । ସାହିତ୍ୟକୁ ମଧ୍ୟ କେବଳ ଶୈଳୀଗତ ଦିଗରୁ ନୁହେଁ, ଶୀଳଗତ ଦିଗରୁ ମଧ୍ୟ ଅତ୍ୟନ୍ତ ସୁସମ୍ପନ୍ନ ଭାବରେ ବିଚାର କରାଯାଇପାରିବ । ଶୀଳ ଥିବ, ତେଣୁ ଶୈଳୀଟିଏ ଅବଶ୍ୟ ରହିଥିବ । ଶୀଳ ନଥାଇ ଶୈଳୀ, ଅନେକ ସମୟରେ ସାହିତ୍ୟ ଭିତରେ ଏପରି ଏକ ବିଚିତ୍ର ଭିଆଣ ମଧ୍ୟ ଦେଖିବାକୁ ମିଳିଥାଏ । ଶୈଳୀ ଅନୁସାରେ ଶୀଳ ଅଥବା ଶୀଳ ଅନୁସାରେ ଶୈଳୀ ଆମେ କେଉଁଟିକୁ ଅଧିକ ସୁସ୍ଥ ବୋଲି ଜାଣିବା, ସେ ବିଷୟରେ ମଧ୍ୟ ସୁଧୀଗଣଙ୍କ ମଧ୍ୟରେ ମତଭେଦ ଅଲବତ ରହିବ ।

 

ଆଧୁନିକ ଯୁଗରେ ଯାଇ ସାହିତ୍ୟମାନଙ୍କର ଶୈଳୀର ଗୁରୁତ୍ଵ ବା ମହତ୍ତ୍ଵ ଅତିମାତ୍ରାରେ ବଢ଼ିଗଲା । ଏହି କଥାଟିର ମଧ୍ୟ ଅବଶ୍ୟ କେତେକ କାରଣ ରହିଥିବ । ତଥାକଥିତ ଆଧୁନିକ ଜୀବନ ସହିତ ତଥାକଥିତ ଆଧୁନିକ ସାହିତ୍ୟର ଯେପରି ଏକ ସମ୍ପର୍କ ରହିଛି ବୋଲି ଅନୁମାନ କରାଯାଉଛି, ସାହିତ୍ୟରେ ଶୈଳୀଟାକୁ ଏଡ଼େ ବୃହତ୍ କରି ଦେଖିବା, ଏପରିକି ଶୀଳକୁ ନଦେଖି ଶୈଳୀଟାକୁ ହିଁ ଆଗ ଦେଖିବାର ବା ଏପରିକି ଶୀଳକୁ ମୋଟେ ଦେଖିବ ନାହିଁ ବୋଲି ମୂଳରୁ ଧରି ନେଇ ଶୈଳୀକୁ ଦେଖିବା ସହିତ ମଧ୍ୟ ଆଧୁନିକ ଜୀବନର ଏକ ସମ୍ପର୍କ ରହିଛି କି ? ଅନେକ ସମୟରେ କଳାରେ, ସାହିତ୍ୟରେ ଏବଂ ଏପରିକି ସାଧାରଣ ଜୀବନର କ୍ଷେତ୍ରରେ ଏପରି ଗୋଟିଏ ଗୋଟିଏ ଶୈଳୀ ଆସି ପହଞ୍ଚେ, ଯାହାକି ଶୀଳଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ ଓ ଆହତ କରିପକାଏ । ସତେଅବା ଶୈଳୀଟା ହିଁ ଏକୁଟିଆ ବାହାରି ପଡ଼ି ଆମ ଜୀବନ ଏବଂ ଅନ୍ଦାଜମାନଙ୍କର ଘୋଡ଼ା ଉପରେ ସବାର ହେବାକୁ ଦଉଡ଼ିଯାଏ । ସେତେବେଳେ ଜୀବନରେ ସତକୁ ସତ ଗୋଟିଏ ଶୀଳ ମଧ୍ୟ ରହିଛି ବା ରହିବା ଉଚିତ ବୋଲି ସଂପୃକ୍ତ ସମସ୍ତେ ପ୍ରାୟ ବାଳବତ୍ ପାସୋରି ପକାଇଥାନ୍ତି । ଜଣେ ମନୁଷ୍ୟର ଭିତର ଓ ବାହାର ଉଭୟେ ସର୍ବଦା ଗୋଟିଏ ସମଗ୍ରତା ମଧ୍ୟରେ ହିଁ ଅନ୍ତର୍ଗତ ହୋଇ ରହିଛନ୍ତି ବୋଲି ମନୁଷ୍ୟ ସ୍ଵଭାବର ସୂତ୍ରଧରମାନେ କାଳେ କାଳେ କହି ଆସିଛନ୍ତି । ଭିତରଟା ବାହାରର ବଇରୀ ନୁହେଁ, ବାହାରଟା ମଧ୍ୟ ଭିତର ସହିତ ବହୁ ରଜ୍ଜୁରେ ପରସ୍ପର ସହିତ ଏକତ୍ର ବାନ୍ଧି ହୋଇ ରହିଥାଏ । ତଥାପି, ଅର୍ଥାତ୍ ଏହି ସତ୍ୟଟିକୁ ହୃଦୟଙ୍ଗମ କରି ମଧ୍ୟ ବହୁତ ମଣିଷ କ'ଣ ପାଇଁ ବାହାରଟାର ବହୁ ପ୍ରସାଧନ ଏବଂ ପ୍ରକୋପଦ୍ଵାରା ଭିତରଟାକୁ ପୋତି ପକାଇବାକୁ ଅର୍ଥାତ୍ ଲୁଚାଇ ରଖିବାକୁ ଇଚ୍ଛା କରୁଥାନ୍ତି କେଜାଣି ? ବାହାରର ଚେରମାନେ ଭିତରେ ଥଳପାଇ ପାରୁନଥିଲେ ମନୁଷ୍ୟମାନେ ନିଃସଙ୍ଗ ହୁଅନ୍ତି । ଏବର ଯେଉଁ ନିଃସଙ୍ଗତା ବିଷୟରେ ଏତେ ବ୍ୟକ୍ତି ଏତେ ଏତେ ଚର୍ଚ୍ଚା କରୁଛନ୍ତି, ସେଇଟି ପଛରେ ମଧ୍ୟ ସେହିପରି କୌଣସି କାରଣ ରହିଛି କି ?

 

ପୃଥିବୀରେ ବିରାଗୀମାନେ ବାହ୍ୟଟାର ଖୁବ୍ ନିନ୍ଦା କରିଛନ୍ତି । ସମ୍ଭବତଃ ସେହିଭଳି କୌଣସି କାରଣରୁ ବିରାଗୀମାନେ ଫାନ୍ଦି ଯାଇଥିବା ଦର୍ଶନର ବିଚାରଗୁଡ଼ିକରେ ଶ୍ରଦ୍ଧା ତୁଳନାରେ ନିନ୍ଦା ବିଷୟରେ ହିଁ ସମଧିକ ଆଲୋଚନା କରାଯାଇଛି, ବାହ୍ୟ ବସ୍ତୁଗୁଡ଼ିକର ସମାହାର ଏହି ଜଗତକୁ କେତେ ଶକ୍ତିଶାଳୀ ଭାବରେ ଅନିତ୍ୟ ଏବଂ ମିଥ୍ୟା ବୋଲି କୁହାଯାଇଛି । ଏସବୁର ମାୟା ବିଷୟରେ ଆମକୁ ସତର୍କ କରି ଦିଆଯାଇଛି; ତଥାପି, ଏହି ମାୟାବାଦୀମାନଙ୍କୁ କିଏ ବୁଝାଇକରି କହିପାରିବ ଯେ, ବାହାରର ଏହି ଖୋଳଗୁଡ଼ିକ ନଥିଲେ ତାହାକୁ ଡେଇଁ ଭିତରକୁ ଯିବାପାଇଁ ଆମର ଆଦୌ ମନ ହେଉନଥାନ୍ତା ? ଶୀଳର ଜଗତରେ ଯେଉଁଭଳି ସ୍ତର ସ୍ତର ହୋଇ ରହିଛି, ଶୈଳୀର ଜଗତରେ ମଧ୍ୟ ସେହିଭଳି ସ୍ତର ସ୍ତର ଅବଶ୍ୟ ରହିବ । ଆମ ଶୈଳୀର ସ୍ତରଟି ଆମ ଶୀଳନାମକ ସ୍ତରଟିର ମଧ୍ୟ ନାନାବିଧ ସୂଚନା ଆଣିଦେଇ ପାରୁଥିବ । ଯେଉଁଠାରେ ଶୈଳୀକୁ ନେଇ ଏକ ଅତିଚରିତା ସୃଷ୍ଟି କରାଯାଏ ଏବଂ ସେହି ଉତ୍ସାହରେ ଶୀଳଟିଏ ମଧ୍ୟ କେଉଁଠି ଅଛି ବୋଲି ସେହି ଅନ୍ୟ ଅନୁମାନଟିକୁ ଅସ୍ଵୀକାର କରିବାର ଚେଷ୍ଟା କରାଯାଉଥାଏ, ସେଠାରେ ମଧ୍ୟ ଶୀଳ ରହିଥାଏ । ଶୀଳଗୁଡ଼ିକର ବେଡ଼ାଭିତରେ ପ୍ରବେଶ କରିବାକୁ ଆମ ଭିତରର କୌଣସି ଦୋସର ହୁଏତ ଭୟ କରୁଥାଏ ବୋଲି ଆମେ ନିଜକୁ ସିଆଡ଼ୁ ଅନ୍ୟମନସ୍କ କରି ରଖିଥାଉ । ସଚରାଚର ଭିତରଟାକୁ ଅବଦମିତ କରି ରଖିବାକୁ ବାଧ୍ୟ ହେଉଥିବା ମନୁଷ୍ୟମାନେ ହିଁ ବାହାରଟିକୁ ପ୍ରାଧାନ୍ୟ ଦେଇ ଦେଖାଇବା ନିମନ୍ତେ ସତ ପ୍ରୟାସ କରିବାରେ ଲାଗିଥାନ୍ତି । ଆଧୁନିକ ଯୁଗରେ ବିମୋଚିତ ହୋଇ ପାରିବାର ବହୁତର ପ୍ରତିଶ୍ରୁତି ଲାଭ କରିଥିଲେ ମଧ୍ୟ ଆଧୁନିକ ମଣିଷ ତଥାପି ବହୁବିଧ ଚାତୁର୍ଯ୍ୟ ସହିତ ଯେ ଅବଦମିତ ହୋଇରହିଛି ଆଧୁନିକ ମାନବବିଦ୍ୟା କ୍ରମେ ସେହି କଥାଟିର ରହସ୍ୟ ଭେଦକରିବା ନିମନ୍ତେ ପ୍ରୟାସ କଲାଣି । ବିମୋଚନର ଏହି ନାନା ପ୍ରତିଶ୍ରୁତି ମନୁଷ୍ୟକୁ କେବଳ ବାହାର ଆଡ଼କୁ ନୁହେଁ, ଭିତରଆଡ଼କୁ ମଧ୍ୟ କେତେ କେତେ ସଂସ୍ପର୍ଶନ ଏବଂ ଅବଗାହନର ମାର୍ଗ ବିଷୟରେ ସୂଚନା ଦେଇଯାଉଛି । ତଥାପି ମଣିଷମାନେ କାହିଁକି ଏତେ ରୀତିରେ ଅବଦମିତ ହୋଇ ରହିଛନ୍ତି, ବାହାରଟାର ଅତିପ୍ରଦର୍ଶନ ଓ ଅତିଅନୁଶୀଳନ ଦ୍ଵାରା ଭିତରଟାକୁ ଘୋଡ଼ାଇ ପଳାଇବାର ଉଦ୍ୟମ କରିବାରେ ଲାଗିଛନ୍ତି ? ସତେଅବା ନିଜର ଶୀଳଗତ ଘରମାନଙ୍କରେ ଚୋର ହୋଇ ରହିବାର ଅଭିପ୍ରାୟରେ ଶୈଳୀଗୁଡ଼ାକୁ ଉଖାରି ଦେଖିବାରେ ଓ ଦେଖାଇବାରେ ହିଁ ଆପଣାର ପ୍ରାୟ ଯାବତୀୟ ଜିଜ୍ଞାସାକୁ ନିୟୋଜିତ କରି ରଖିଛନ୍ତି ।

 

ସ୍ଵୟଂ ସାରଳା ଦାସ ମହାଭାରତ ଲେଖୁଥିବା ସମୟରେ ସମ୍ଭବତଃ ନିଜ କୃତିଟିର ଶୈଳୀ ବିଷୟରେ ଆଦୌ ଖୁବ୍ ବେଶୀ ସଚେତନ ହୋଇନଥିବେ । ତା'ପରେ ଓଡ଼ିଆ ସାହିତ୍ୟକୁ ଯେଉଁ ସନ୍ଥମାନେ ଆସିଲେ, ସେମାନେ ସତେଅବା ଆପଣାର ଗଭୀରରୁ ହିଁ କୌଣସି ଅନ୍ତରଙ୍ଗ ଭ୍ରମରଟିର ଗୁଣୁଗୁଣୁ ଶବ୍ଦଟିକୁ ଶୁଣି ବାହାରେ, ସାହିତ୍ୟରେ ତଥା ଜୀବନରେ ବାଟ ଚାଲୁଥିଲେ କି କ'ଣ କେଜାଣି, ନିଜ ରଚନାକୃତିଗୁଡ଼ିକର ଶୈଳୀ ବିଷୟରେ ମଥା ଖର୍ଚ୍ଚ କରିବା ପାଇଁ ସେମାନଙ୍କର କୌଣସି ଆଗ୍ରହ ହିଁ ନଥିଲା । ଜଗନ୍ନାଥ ଦାସ ଓ ସମସାମୟିକ ଅନ୍ୟମାନଙ୍କର ନବାକ୍ଷରୀ ପଦଗୁଡ଼ିକର ବ୍ୟବହାରକୁ ଏକାଧିକ ଯୁକ୍ତିଦେଇ ଏକ ଶୈଳୀ ବୋଲି ନକହି ଯଥାସମ୍ଭବ ଅଧିକ ମନୁଷ୍ୟଙ୍କ ପାଖରେ ସରଳ ଏବଂ ସୁଖବୋଧ୍ୟ ଭାବରେ ନିଜକୁ ପହଞ୍ଚାଇ ପାରିବାର ଏକ ଅନ୍ତଃପ୍ରେରିତ ପ୍ରୟାସ ବୋଲି କୁହାଯାଇପାରିବ । ସାହିତ୍ୟରଚନା ଭିତରକୁ ସଚେତନ ଭାବରେ ଶୈଳୀକୁ ଆମନ୍ତ୍ରଣ କରି ଅଣାଗଲା ଯେତେବେଳେ ପରବର୍ତ୍ତୀ ଯୁଗରେ କାବ୍ୟକାରମାନେ ରୀତିର ଲଟାଭିତରେ ଆସି ପଶିଲେ, ଯେତେବେଳେ ସାହିତ୍ୟ ସଭାକୁ ଆସିଲା, ଯେତେବେଳେ ପ୍ରଚଳିତ ଅଳଙ୍କାର ଶାସ୍ତ୍ରଗୁଡ଼ିକର ଅନୁକରଣ ହେଲା । ସାହିତ୍ୟାଳଙ୍କାର ଗୁଡିକାର ପୁରୁଣା ବାକ୍ସଗୁଡ଼ିକୁ ଖୋଲି ସାହିତ୍ୟରେ ବ୍ୟବହାର କରାଗଲା । ନିଜ ଦେହରେ ଆଣି ଖଞ୍ଜି ତାହାରି ଦ୍ଵାରା କୋଟି ବ୍ରହ୍ମାଣ୍ଡର ସୁନ୍ଦରୀ ପରି ଦିଶିବାକୁ ସଉକ ନହୋଇଥିବା ପର୍ଯ୍ୟନ୍ତ ଅଳଙ୍କାରତତ୍ତ୍ଵ ସାହିତ୍ୟକୁ ମୋଟେ ମାଡ଼ି ବସିବାକୁ ସାହସ କରନ୍ତା ନାହିଁ । ଓଡ଼ିଆ ସାହିତ୍ୟରେ ରୀତିଯୁଗରେ ଶୈଳୀର ସତେଯେପରି କୌଣସି ବାଇସ ହିଁ ରହିଲା ନାହିଁ । ରୀତିଘରେ ପ୍ରାୟ ମେଣ୍ଢାଟିଏ ହୋଇ ବନ୍ଧାହୋଇ ରହିବାକୁ ମନକରି ସାହିତ୍ୟ ଭିତରେ ବହୁ ଅରୀତିକୁ ଆଣି ପୂରାଇ ଦିଆ ଯାଇଥିଲା । ସ୍ଵୟଂ କବିସୂର୍ଯ୍ୟ ଏଥିପାଇଁ ଏକଦା କ୍ଷୋଭ ପ୍ରକାଶ କରିଥିଲେ ସତ, ମାତ୍ର ସେତେବେଳକୁ ଗୁଡ଼ଟା ନେଡ଼ିରୁ ପୂରା କହୁଣିଯାଏ ବୋହି ଯାଇଥିଲା । ଓଡ଼ିଆ ସାହିତ୍ୟରେ ଏକାବେଳକେ ଏହି ଆମ ଯୁଗଟାରେ ପ୍ରାୟ ଏକ ସ୍ଵତନ୍ତ୍ର ଆନୁଷ୍ଠାନିକତା ସହିତ ରୀତିକାବ୍ୟର ସେହି ପର୍ଯ୍ୟାୟଟି ମଧ୍ୟରେ ଆମକୁ ପୂରାଇ ରଖିବାର ଯେଉଁ ଶୋଭାମୟ ଉଦ୍ୟମମାନ କରାଯାଉଛି ଏବଂ ଏକ ମିଛ ଜାତୀୟତା’ର ଉଦବୋଧନ ଦିଆଯାଉଛି, ସାହିତ୍ୟକୁ ଶୈଳୀ ମଧ୍ୟରେ ହିଁ ବାନ୍ଧି ରଖିବା ନିମନ୍ତେ ତଦ୍ଦ୍ୱାରା ଅଜାଣତରେ ଏକ ଅଭିସନ୍ଧି କରା ଯାଉନାହିଁ ତ ?

 

ବ୍ରଜନାଥ ବଡ଼ଜେନା, ଗୋପାଳକୃଷ୍ଣ ଓ ଗଙ୍ଗାଧର ମେହେର ପ୍ରାୟ ଏକ ବିଭାଜକ ରେଖା ଉପରେ ଛିଡ଼ା ହୋଇ ସାହିତ୍ୟକୁ ବା ଅନ୍ତତଃ କାବ୍ୟକାରିତାକୁ ଶୈଳୀର ମୁଖରୁ ଉଦ୍ଧାର କରି ଶୀଳ ପାଖକୁ ଆଣିବାର ଆବଶ୍ୟକତା ଉପଲବ୍ଧି କରିଥିବାର କେତେକ ଆଭାସ ମଧ୍ୟ ମିଳିଯାଉଛି । ସେନାପତି ଫକୀରମୋହନଙ୍କର ପଦ୍ୟ ଓ ଗଦ୍ୟ ଉଭୟ କୃତିରେ ଶୈଳୀ ଅବଶ୍ୟ ରହିଛି, ମାତ୍ର ନିଜେ ଅନ୍ତରାଳରେ ରହି ଶୀଳକୁ ବାଟ ଛାଡ଼ି ଦେଇଛି । ପଣ୍ଡିତ ଗୋପବନ୍ଧୁଙ୍କର ସାହିତ୍ୟ–ଶୈଳୀ ତାଙ୍କ ଜୀବନ-ଶୈଳୀଠାରୁ ମୋଟେ ସଚେତନ ଭାବରେ ଫରକ ହେବାପାଇଁ ଚେଷ୍ଟା କରିନାହିଁ । ନିଜ ସାମ୍ପଦକୀୟ ଲେଖାଗୁଡ଼ିକରେ ସିଏ ଆଧୁନିକ ଓଡ଼ିଆ ପ୍ରବନ୍ଧର ଯେଉଁ ନମୁନା ଦେଇ ଯାଇଛନ୍ତି, ସେଗୁଡ଼ିକ ଚେରଠାରୁ ଆରମ୍ଭ କରି ପତ୍ର ଓ ଫୁଲ ପର୍ଯ୍ୟନ୍ତ ଏବେ ମଧ୍ୟ ପ୍ରବନ୍ଧଲେଖକମାନଙ୍କ ଲାଗି ପ୍ରେରଣାର ବହୁ କାରଣ ହୋଇ ରହିଛନ୍ତି । 'ଉତ୍କଳ ସାହିତ୍ୟ'ର ସମ୍ପାଦକ ଶ୍ରୀ ବିଶ୍ଵନାଥ କର ଓଡ଼ିଆ ପ୍ରବନ୍ଧ ସକାଶେ ବହୁ ଉନ୍ମୋଚନର ଦ୍ଵାର ସୂଚିତ କରି ଦେଇଛନ୍ତି ସିନା, ତଥାପି ତାଙ୍କ ଲେଖା ଓ ଅନୁଚିନ୍ତାର ଚେରଗୁଡ଼ିକ ସତେଅବା କେଉଁଠାରୁ ବୁହାହୋଇ ଆସିଥିବା ପରି ବେଳେବେଳେ ଭାରି ମନେ ହେଉଛି । ଭାରତବର୍ଷର ସ୍ଵାଧୀନତା ସଂଗ୍ରାମର ସମଗ୍ର ସ୍ଵଭାବାତ୍ମାଟି ସମ୍ଭବତଃ ଏପରି ସ୍ଵତନ୍ତ୍ର ଧାତୁର ହୋଇଥିଲା ଯେ, ସେତେବେଳେ ଭାରତୀୟ ସାହିତ୍ୟରେ ମଧ୍ୟ ଶୈଳୀର ପ୍ରକୋପ ସେତେ ବେଶି ଅନୁଭୂତ ହେଉନଥିଲା । ଅଧିକାଂଶ ସାହିତ୍ୟିକ ମୂଳତଃ ନିଜକୁ ଖୋଜୁଥିଲେ; ଜଣେ ମନୁଷ୍ୟ ଯେ ଇଚ୍ଛାକଲେ ଆପଣାକୁ ଏକ ବୃହତ୍ତର ବ୍ରତସାଧନ ନିମିତ୍ତ ନିବେଦିତ କରିଦେଇ ପାରନ୍ତା, ସେମାନେ ସବାଆଗ ସେହି କଥାଟିକୁ କହିବାକୁ ଚେଷ୍ଟା କରୁଥିଲେ । ସଂଗ୍ରାମର ଯୁଗ ଯାବତୀୟ ଅର୍ଥରେ ସାହସର ଏକ ଯୁଗ, ସୋପାନ ଉଠିବାର ଯୁଗ, ଗିରି ଶିଖର ଉପରେ ଲୟ ରଖି ଅନୁକ୍ଷଣ ବାଟ ଚାଲିବାର ଏକ ଯୁଗ । ଆଲୁଅ ଓ ଅନ୍ଧାର ଭିତରେ, ଯାହା କିଛି ଯେମିତି ରହିଛି ଓ ଯାହା କିଛି ଆସିବ ବୋଲି ସ୍ଵପ୍ନ ଦେଖାଯାଉଛି ମଧ୍ୟରେ ଚିରକାଳ ଭିତରେ ଏବଂ ବାହାରେ ଯେଉଁ ସଂଗ୍ରାମ ଲାଗିଛି, ସେଥିରେ ନିଜେ ମଧ୍ୟ ସୋଚ୍ଚାର ଭାବରେ ଏକ ପକ୍ଷ ବାଛିନେବାର ଯୁଗ । ସେତେବେଳେ ଶୈଳୀପାଇଁ ହୁଏତ କାହାରି ଏତେ ବେଳହିଁ ନଥିଲା । ଏହି ଶତାବ୍ଦୀର ଦ୍ଵିତୀୟ ଏବଂ ତୃତୀୟ ଦଶକର ସାହିତ୍ୟ ସେଥିଲାଗି ମୋଟେ ଶୈଳୀକୁ ଜାବୁଡି କରି ଧରିନାହିଁ । ଯାହା ପ୍ରକୃତରେ କହିବାର କଥା, ତାହାହିଁ ମୁଁ ତାହାକୁ କିପରି କହିବି ଉପରେ ପୂର୍ଣ୍ଣ ଅଗ୍ରାଧିକାର ଲାଭ କରିଛି । ଏହା ଅନ୍ୟପ୍ରକାର ହେବାଲାଗି ସମ୍ଭବତଃ ସେତେବେଳେ କୌଣସି ଅବକାଶ ହିଁ ମିଳୁନଥିଲା ।

 

ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କରୁ କରୁ ସାହିତ୍ୟକୁ ମଧ୍ୟ ଶୈଳୀମାନେ ଅତ୍ୟନ୍ତ ଅସହଯ ଭାବରେ ମାଡ଼ି ବସିବାକୁ ଆସି ପହଞ୍ଚିଗଲେ । ଏହି ଘଟଣାଟି ପଛରେ ଏକାଧିକ କାରଣ ଅବଶ୍ୟ ରହିଥିବ । ଦେଶର ଯେଉଁ ବିଭାଜନ ଘଟିଲା ସେକଥା ହୁଏ । ସାହିତ୍ୟିକ ଲାଗି ଏକ ମୋହଭଙ୍ଗର କାରଣ ହେଲା ଏବଂ ସେଥିପାଇଁ ଅସଲ ଅନ୍ତରଗୁଡ଼ିକଠାରୁ ଦୂରରେ ରହି ବାହାରେ ଶୈଳୀର ଏକ ଅଭିନବ ଉଲ୍ଲାସୀକରଣ ମଧ୍ୟରେ ଯାଇ ଆଶ୍ରୟ ନେବା ସକାଶେ ଏକ ଦୁଷ୍ଟ ଜିଦ୍ ହୁଏତ ଆମ ଲେଖକମାନଙ୍କୁ ଭାରି ପ୍ରଲୋଭନ ଦେଖାଗଲା । କାରଣ ଯାହା ହୋଇଥାଉ ଅଥବା ନହୋଇଥାଉ ପଛକେ, ସେମାନେ ଅଧିକାଂଶତଃ ସେହି ପ୍ରଲୋଭନର ଯାଇ ପଡ଼ିଗଲେ । ଶେଯ ଉପରେ ଗଡ଼ିବା ପରି ଅନୁଭବ କଲେ । ସେହିମାନଙ୍କର ପୂର୍ଣ୍ଣ ପରିଚାରରେ ଆମ ସାହିତ୍ୟରେ ସତେଅବା ଏକ ନୂଆ ରୀତିଯୁଗ ଆରମ୍ଭ ହୋଇଗଲା । ଏବେ ପ୍ରାୟ ବେରସିକ ଭାବରେ ଏହିଠାରୁ ହିଁ ଓଡ଼ିଆ କବିତାରେ ଆଧୁନିକ ଯୁଗ ଆରମ୍ଭ ହୋଇଛି ବୋଲି କୁହାଯାଇଛି । ପିଲାଦିନେ କେତେଥର ଦେଖିଛି, ଆମ ଗାଆଁରେ ବଢ଼ିପାଣି ଆସି ବିଲ ଧୋଇଗଲେ ବାପା ପାଖରେ ଥିବା ନାଳକୂଳ ଗାଆଁ ମଉସାଙ୍କ ଘରୁ ଧାନତଳି ଆଣି ଜମିରେ ରୁଆଇ ଦେଉଥିଲେ । ପୁନଶ୍ଚ ମଉସାଙ୍କ ଗାଆଁରେ ମରୁଡ଼ି ପଡ଼ିଲେ ଦୋହରା ରୁଆଇବା ନିମନ୍ତେ ମଉସା ମଧ୍ୟ ବାପାଙ୍କଠାରୁ ଧାନତଳି ମଗାଇ ନେଉଥିଲେ । ସ୍ଵାଧୀନତା ପରେ ଭାରତବର୍ଷର ସର୍ଜନାତ୍ମକତାରେ ଧୋଇ କିମ୍ବା ମରୁଡ଼ି ପଡ଼ିବାର କୌଣସି ପ୍ରଶ୍ନ ହିଁ ନଥିଲା । ଏକଦା ଇଂଲଣ୍ଡର କବି ୱାର୍ଡ଼ସ୍ ୱାର୍ଥ ଫରାସୀ ବିପ୍ଳବ ବିଷୟରେ ନିଜ କବିତାରେ ଯାହା ଲେଖିଥିଲେ, ସ୍ଵାଧୀନତା ପାଇଥିବାର ସେହି ନୂତନ ଯୁଗପ୍ରବେଶ ଅଥବା ଗୃହପ୍ରବେଶର ପର୍ଯ୍ୟାୟଟିରେ ଭାରତବର୍ଷ ବିଷୟରେ ଯାବତୀୟ ଅର୍ଥର ମୁଖ୍ୟତଃ ତାହାହିଁ କୁହାଯାଇ ପାରିଥାନ୍ତା । ସ୍ଵପ୍ନମାନଙ୍କୁ ଘର ମଧ୍ୟକୁ ଆମନ୍ତ୍ରଣ କରି ଅଣା ଯାଇପାରିଥାନ୍ତା । ମାତ୍ର ସେତେବେଳେ ଆମ ଘରର କବିମାନେ ଏପରି ଆନମନା ହୋଇପଡ଼ିଲେ କାହିଁକି କେଜାଣି ? ଓଡ଼ିଆ କବିତା ସମେତ ଓଡ଼ିଆ ସାହିତ୍ୟର ଯେକୌଣସି ମୂଲ୍ୟସନ୍ଧାନର କ୍ଷେତ୍ରରେ ସବାଆଗ ସେହି ପ୍ରଶ୍ନଟିକୁ ଅବଶ୍ୟ ପଚରା ଯାଇପାରିବ । କାରଣ ବହୁତ; ମାତ୍ର, ତାହାର ଏକ ସମଗ୍ର ପରିଣାମସ୍ୱରୂପ, ଶୀଳମାନେ ଗୋଟି ଗୋଟି ହୋଇ ଖସିପଡ଼ିଲେ, ଶୈଳୀମାନେ କମରବନ୍ଧ ପାଖରୁ ଉଠି ଉଠି ଏକାବେଳେ ମୁକୁଟଥାନରେ ଯାଇ ପହଞ୍ଚିବାକୁ ମନକଲେ । ଏବଂ ଶୈଳୀ ରାଜାହୋଇ ବସିଲେ ଦଶା ଯାହାହୁଏ, ଆମ ସାହିତ୍ୟର ଦଶ ତାହାହିଁ ହେଲା ।

 

ସେତେବେଳେ ଇଉରୋପରେ ଏକ ବିଶାଳ ମୋହଭଙ୍ଗର ସମୟ । ଦୁଇ ଦୁଇଟା ମହାଯୁଦ୍ଧ ଫଳରେ ଇଉରୋପୀୟ ବିଶ୍ଵାସର ଅଣ୍ଟା ଭାଙ୍ଗି ଯାଇଥାଏ । ବୃହତ୍ ସାମ୍ରାଜ୍ୟଗୁଡ଼ିକ ହାତଛଡ଼ା ହୋଇ ଯାଉଥାନ୍ତି । ଇଉରୋପ ବା ପାଶ୍ଚାତ୍ୟ ଯେ ପୃଥିବୀର ଗୋଟିଏ ମାତ୍ର ନିୟାମକ ନୁହେଁ, ଅତ୍ୟନ୍ତ ଅବସନ୍ନ ଭାବରେ ସେହି ସତକଥାଟିକୁ ଗିଳିବାକୁ ପଡ଼ୁଥାଏ । ଏକ ବହୁଗମ୍ଭୀର ଆତ୍ମସଂଶୟ ଇଉରୋପର ମୂଳପ୍ରତ୍ୟୟଗୁଡ଼ିକୁ ପ୍ରଚଣ୍ଡ ଆହ୍ଵାନ ଦେବାରେ ଲାଗିଥାଏ । ଶୀତଳ ଯୁଦ୍ଧର ନୂଆ ନାଟକଟିକୁ ଭବିଷ୍ୟାନୁମାନର ଆକାଶଖଣ୍ଡକୁ ମେଘପରି ଆଚ୍ଛନ୍ନ କରି ରଖିଥାଏ । ସେତେବେଳେ ସେଠି ପୋଡ଼ାଭୂଇଁ ବ୍ୟତୀତ ଆଉ କୋଉ ଜୀବନର ବର୍ଣ୍ଣନା ହୋଇପାରିଥାନ୍ତା ? ମାତ୍ର, ସେତିକିବେଳେ ଆମର ଏଠା ଡିହରେ ଯେଉଁମାନେ ସାହିତ୍ୟରେ ଯୌବନ ଅନ୍ତେ ପ୍ରୌଢ଼ ହେବାକୁ ଡରୁଥିଲେ, ନୂତନର ପ୍ରତିଷ୍ଠାରେ ଭାଗନେବାକୁ ଭୟ କରୁଥିଲେ, ସେମାନେ କ'ଣ ଭାବି ସେହି ମିଛ ଭୂଇଁଟା ଉପରେ ଆମ ସାହିତ୍ୟକୁ ନେଇ ଥୋଇବାକୁ ସରାଗୀ ହୋଇପଡ଼ିଲେ କେଜାଣି-? ସେମାନଙ୍କୁ ଏହି ରାସ୍ତାଟା ସବୁଠାରୁ ସହଜ ଦେଖାଗଲା କି ? ସେମାନେ ଏଠାରେ ମଧ୍ୟ କିଛି ନବଦଳୁ ବୋଲି ଇଚ୍ଛା କରୁଥିଲେ କି ? ତେଣୁ ଆଧୁନିକତା ନାମରେ ଆମର ସାହିତ୍ୟକୁ ଏକ ନୂଆ ଉତ୍ପୀଡ଼ନ ଗ୍ରାସ କରିବାକୁ ଆସି ପହଞ୍ଚିଗଲା । ଏହି ଉତ୍ପୀଡ଼ନ ହେଉଛି ଶୈଳୀର ଉତ୍ପୀଡ଼ନ-। ସେଥିରେ ବକ୍ତବ୍ୟ ଯେତିକି ତଥାପି ଥିଲା, ତାହାର ବସନଭୂଷଣ ସବୁକିଛି ସମେତ ତାହା ମୁଖ୍ୟତଃ ଏକ ଲମ୍ପଟ ଅନୁକରଣ । ଏହି ଭୂଇଁରେ କେବେ ଯେ ଗୋଟାଏ ସାହିତ୍ୟ ଥିଲା, ଆଧୁନିକମାନେ ଏଣିକି ବାଢ଼ି ଦେବାକୁ ମନ କରୁଥିବା ପଣ୍ୟରୁ ତାହାର କୌଣସି ଇଙ୍ଗିତ ମଧ୍ୟ ମିଳିଲା ନାହିଁ-। ଆଧୁନିକମାନେ ସତେଅବା ଏକାବେଳେକେ ଏକ ଅଲଗା ଗୋଠରେ ପରିଣତ ହୋଇଗଲେ । ଇଂରାଜୀ ମାଧ୍ୟମରେ ସହରରେ ପଢ଼ୁଥିବା କୌଣସି ପିଲା ଛୁଟିରେ ଗାଆଁକୁ ଗଲେ ଯେପରି ସେଠି ରହିଥିବା ଯାବତୀୟ ଜୀବନରୁ ନିଜକୁ ଅସଂଲଗ୍ନ ପରି ବୋଧ କରେ ଓ ଉଗ୍ରହୁଏ, ପ୍ରାୟ ସେହିପରି-। ଏକ ଭୂଇଁଛଡ଼ା ପାଠ ପଢ଼ି ବଡ଼ ଆମଲା ହୋଇଥିବା ବ୍ୟକ୍ତିମାନେ ଶାସନରେ ଉଚ୍ଚ ଓ ମୂଳତୁଠମାନଙ୍କରେ ବସିଥିଲେ ମଧ୍ୟ ଯେପରି ଆମ ଭୂଇଁର ଅସଲ ଆକାଂକ୍ଷାଗୁଡ଼ିକଠାରୁ ଦୂରଛଡ଼ା ହୋଇ ରହିଥାନ୍ତି, ଆମ ଆଧୁନିକ ସାହିତ୍ୟ ମଧ୍ୟ ଅତ୍ୟନ୍ତ ସୂତ୍ରଛିଣ୍ଡା ଭାବରେ ଏଠି ବାସ କରୁଥିବା କୋଟି କୋଟି ମଣିଷଙ୍କଠାରୁ ପ୍ରାୟ ସେହିପରି ଦୂରରେ ରହିଛି ଓ ସେଥିରୁ କିଞ୍ଚିତ୍ ସୁଖ ମଧ୍ୟ ପାଉଛି । ଏବଂ ଆମ ରୀତିଯୁଗର କବିମାନେ ଶବ୍ଦ ଏବଂ ବାକ୍ୟବସାଣର ଚାରୁରୀ ଦେଖାଇ ଆପଣାର ସାରସ୍ଵତ କୃତିତ୍ଵରେ କଳ୍ପନାରେ ସେକାଳେ ଯେଉଁପରି ଟାକରା ଫୁଟାଉଥିଲେ, ଏବେ ଆଧୁନିକମାନେ ନିଜର ଶୈଳୀଗୁଡ଼ିକର ପ୍ରଦର୍ଶନରେ ସେହିପରି ପୁଲକ ଅନୁଭବ କରୁଛନ୍ତି-। କେଡ଼େ ବଡ଼ ବଡ଼ ମଣିଷ କେତେ କେତେ ଶୈଳୀର ବେଢ଼ ଦେଇ ପ୍ରକୃତରେ ବହୁତ ଅଳପ କଥା କହୁଥିଲେ ମଧ୍ୟ ଆଧୁନିକ ସାହିତ୍ୟର ଶୋଭାଯାତ୍ରାରେ ଜଣେ ଜଣେ ପହିଲିମାନଭଳି ଦେଖା ଯାଉଛନ୍ତି । ଯଦି ତୁମର ପ୍ରକୃତରେ କହିବାକୁ ସେପରି କିଛି ନଥିବ, ତେବେ ଶୈଳୀଟାକୁ ବର୍ମପରି ବ୍ୟବହାର କରି ତୁମେ ଯେ ନିଜକୁ ତା' ଭିତରେ ଲୁଚାଇ ରଖିପାରିବ, ଆଧୁନିକ କବିତା ସମେତ ଆଧୁନିକ ସାହିତ୍ୟରେ ମନୁଷ୍ୟ ମଥାର ସେହି କରାମତିଟା ଭାରି ଆଖିଦୃଶିୟା ଭାବରେ ପ୍ରତିପାଦିତ ହୋଇଯାଉଛି ।

 

ଶୈଳୀର ପ୍ରକୋପଟା କ୍ରମେ ଆମ ଗଳ୍ପ ଏବଂ ଉପନ୍ୟାସ ଭିତରକୁ ମଧ୍ୟ ସଂକ୍ରମିତ ହୋଇଯାଇଛି । ଗଳ୍ପ ଏବଂ ଉପନ୍ୟାସ ଚାରିପାଖର ଜୀବନରୁ ଆପଣାର ଅସଲ ଆହ୍ଵାନଗୁଡ଼ିକୁ ଗ୍ରହଣ କରିନିଅନ୍ତା ସିନା, ମାତ୍ର ସେହି ଆହ୍ଵାନଗୁଡ଼ିକୁ ସତେଅବା ଏଡ଼ି ଦେବାର ଅର୍ଥାତ୍ ଦେଖି ମଧ୍ୟ ନଦେଖିବାର ଭାଣ କରିବାର ଅନ୍ୟ ପ୍ରବୃତିଟି ଆମ ଗଳ୍ପକାରମାନଙ୍କୁ ଏପରି ଆକର୍ଷକ କାହିଁକି ମନେ ହେଉଛି କେଜାଣି ? କ'ଣ ଗୋଟାଏ ବୃହତ୍ ଅଥଚ ନିର୍ଦ୍ଦିଷ୍ଟ ଝୁଙ୍କରେ ପଡ଼ି ଏବେ ପ୍ରେମକୁ ଶରବ୍ୟ କରି ଅଧିକତର ଗଳ୍ପ ଲେଖାଯାଉଛି । କେବଳ ଗଳ୍ପର ପସରା ବସାଇବାର ଯୋଜନା କରି ପତ୍ରିକାମାନେ ବାହାରୁଛି । ଉତ୍ସାହ ଆହୁରି ଅଧିକ ହେଲେ ପ୍ରେମଗଳ୍ପର ବିଶେଷାଙ୍କ ଛପାଇବାର ଯୋଜନା ମଧ୍ୟ କରାଯାଉଛି । ଆମ ସାମୂହିକ ଜୀବନର ସମ୍ବାଦ ରଖିଥିବା ସାମାନ୍ୟ ବିଲେଇଟା ମଧ୍ୟ ହୁଏତ କହି ଦେଇପାରିବ ଯେ, ଏଠି ହୁଏତ ଆଉ ସବୁକିଛି ରହିଛି, ମାତ୍ର ପ୍ରେମର ଅଭାବ ରହିଛି । To gain the whole world and lose one's soul, ବାଇବେଲ୍ ର ସେହି କଥାଟି ପରି ଆମେ ଆଧୁନିକ ଅନୁଧାବନଗୁଡ଼ିକ ବିଷୟରେ ସେହି କଥାଟି କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ । ନିଜକୁ ନିଃସର୍ତ୍ତଭାବରେ ଦେବା, ନିଜଠାରୁ ବୃହତ୍ତର କୌଣସି କିଛିକୁ ସମ୍ମୁଖରେ ଥାପନା କରି ତାହାରି ପାଇଁ ବାଟଚାଲିବା, ଯୁଗେ ଯୁଗେ ତାହାକୁ ହିଁ ପ୍ରେମ ବୋଲି କୁହାଯାଇଛି । ଆମର ଗପମାନଙ୍କରେ ସେହି ପ୍ରେମଲାଗି ସତେଅବା କବାଟ କିଳାହୋଇ ରହିଛି । ସତେଅବା କ'ଣ ଗୋଟାକୁ ଗିଳିବା ପାଇଁ ଧାଇଁବା ଏବଂ ଗିଳି ପାରିଲି ନାହିଁବୋଲି ରୁଷ୍ଟହେବା, କାମକାତର ହୋଇପଡ଼ିବା ଅଥବା କ୍ଷିପ୍ର ଭାବରେ ଶାର୍ଦ୍ଦୁଳ ପରି ଆଉ ଗୋଟାଏ କିଛି କରି ପକାଇବା, ଆମ ଏବର ଗପଗୁଡ଼ିକୁ ବ୍ୟବଚ୍ଛେଦ କରିବସିଲେ ଅନେକ ସମୟରେ ସେହିଗୁଡ଼ାକର ବାରତା ବେଶି ମିଳୁଛି ଏବଂ ଖଳ ଗଳ୍ପକାର ଏହି ସବୁର ପଛରେ ଛିଡ଼ାହୋଇ ପାଠକର ମଜା ଦେଖଛନ୍ତି ଓ ହୃଷ୍ଟ ହୋଇ ଆହୁରି ଗଳ୍ପ ଲେଖୁଛନ୍ତି । ଏହି ସବୁକିଛିକୁ ନୂଆ ଶୈଳୀ ବୋଲି କୁହାଯାଉଛି । ତୁମ ଟୋକେଇରେ ତୁଚ୍ଛା ଗୋବର ଥିଲେ ମଧ୍ୟ ତୁମେ ନୂଆ ଶୈଳୀରେ ସେଇଟିକୁ ମୁଣ୍ଡ ଉପରେ ବୋହିପାରିଲ ବୋଲି ତୁମକୁ ସମସ୍ତେ ସାଧୁବାଦ ଦେବେ, ଇଏ ପୁଣି କି କଥା ? ଯଦି ତୁମେ କେବଳ ଶୈଳୀକୁ ଆଶ୍ରାକରି ଗଳ୍ପଗୁଡ଼ିକୁ ଲେଖିଥିବ, ତେବେ ଶହେ ବର୍ଷପରେ ସେଗୁଡ଼ିକର ଆଦୌ କୌଣସି ମୂଲ୍ୟ ରହିବଟି ? କୁହାଯାଇଥାଏ ଯେ, ଏବେ କୁଆଡ଼େ ମନୁଷ୍ୟ ପାଖରେ ସାହିତ୍ୟରେ ହୃଦୟଭେଦ କରିବାକୁ ମୋଟେ ଫୁରସତ୍‍ ନାହିଁ । ତେଣୁ, ତାକୁ ଏପରି କାହାଣୀ ପରଷି ଦେବାକୁ ହେବ, ଯାହା ଶୈଳୀରେ ଚକଚକ ମାରୁଥିବ, ଅଥଚ କିଞ୍ଚିତ୍ ଗଭୀର ଭିତରକୁ ଯିବାର କୌଣସି ତାଡ଼ନା ନଥିବ । ଅର୍ଥାତ୍ ଜୀବନଟା ଯେପରି ଏଠୁ ମେରାମୁଣ୍ଡଳୀ ପର୍ଯ୍ୟନ୍ତ ଗାଡ଼ିରେ ବସି ଯାଉଥିବାର ଏକ ନିତ୍ୟନୈମିତ୍ତିକ ଅଗତ୍ୟାକୃତ ଯାତ୍ରା ଏବଂ ସେଥିରେ ତୁମକୁ କ୍ଷଣେ ଚମକାଇ ଦେବା ନିମନ୍ତେ ଯେତିକି ଉପାଦାନ ଆବଶ୍ୟକ, ଏବର ଗଳ୍ପରେ କେବଳ ସେତିକିମାତ୍ର ରହିଲେ ଯଥେଷ୍ଟ ହେବ । ତେଣୁ, ବକ୍ତବ୍ୟ ବେଶି କିଛି ନଥିବ, ଅଥଚ ଶୈଳୀବଳରେ ଏକ ମସ୍ତିଷ୍କଚଞ୍ଚଳକାରୀ ଉତ୍ତେଜକ ସ୍ପର୍ଶ ମିଳି ପାରୁଥିବ । ଏହି ଉତ୍ତେଜକ ସ୍ପର୍ଶକୁ ପୁରୁଣା ରସବିଧାନରେ କାମସ୍ପର୍ଶ ବୋଲି କୁହାଯାଇ ପାରିଥାନ୍ତା ।

 

ଗଳ୍ପରେ ଶୈଳୀ, ଉପନ୍ୟାସର ମଧ୍ୟ ଶୈଳୀ । ସେହି ଶୈଳୀପାଇଁ ତେଲମସଲା ସବୁକିଛି ବାହାରୁ ଆସିଛି । ଇଉରୋପ ନାମକ ସେହି ଅନ୍ୟ ଭୂଭାଗଟିରେ ଶୈଳୀ ନାମରେ ଯାହାକିଛିର ଉଦ୍‍ଭାବନ ବା ଆବିର୍ଭାବ ଘଟିଛି, ତାହାର ଏକ କ୍ଷେତ୍ରଗତ କାରଣ ରହିଛି ଓ ତେଣୁ ତାହାର ଏକ ଅର୍ଥସଙ୍ଗତି ମଧ୍ୟ ରହିଛି । ଏବଂ, ଆମେ ଯେଉଁମାନେ ଇଂରାଜୀ ଭାଷାରେ ଗଳ୍ପ ଓ ବା ଉପନ୍ୟାସମାନ ପଢ଼ିପାରୁଛୁ ବୋଲି ଶୈଳୀଗୁଡ଼ିକୁ ଦୁହିଁ ନେଇଆସୁଛୁ ଓ ସେହି ମାପରେ ଏଠାରେ ଗପ ଏବଂ ଉପନ୍ୟାସ ଫାନ୍ଦି ପକାଉଛୁ, ଇଉରୋପ ବା ଓଡ଼ିଶା କେଉଁଟାକୁ ହେଲେ ବୁଝିନାହୁଁ । ଶୈଳୀକୁ ଏବେ ଆଙ୍ଗିକ ବୋଲି କୁହାଯାଉଛି । ଅଙ୍ଗ ବା ଆଙ୍ଗିକ ହେଉଛି ଏକ ଖୋଳ ଯାହାକି ଆଉ ଗୋଟିଏ କ'ଣକୁ ସମ୍ଭାରି ରଖିଥାଏ । ସେହି ଗୋଟିଏ କ'ଣର ଆବଶ୍ୟକତା ଅନୁସାରେ ହିଁ ନିୟମତଃ ଆଙ୍ଗିକର ସର୍ଜନା ହୋଇଥାଏ । ମାତ୍ର, ସେହି ଅସଲ ଆବଶ୍ୟକତାଟି ଅନୁଭୂତ ହେବା ପୂର୍ବରୁ ଗୋଟିଏ ଉଧାରକରା ଶୈଳୀ ଭିତରେ ଗୋଟାଏ ଗଳ୍ପକୁ ଯଦି ପୂରାଇ ଦିଆଯାଏ, ତେବେ ଆମେ ସେଥିପାଇଁ କାରିଗରର ଅବଶ୍ୟ ତାରିଫ୍ କରିପାରିବା ସିନା, ମାତ୍ର ବିଚରା ସାହିତ୍ୟ ଝୁରି ହେଉଥିବ । ଏବଂ, ଆମ ଭିତରେ ଯେଉଁ ଅସଲଟିକୁ ଆମେ କେତେ ତଳେ ଯାଇ ଅବଦମିତ କରିରଖିଛୁ, ଆମର ସେହି real unconscious ବି କ'ଣ କମ୍ ଝୁରି ହେଉଥିବ ? ତେଣୁ ଯେଉଁମାନେ ଖାଲି ଶୈଳୀକୁ ଜାବୁଡ଼ି ଧରିବେ ବୋଲି ଆପଣାର କେତେ କ'ଣ ଗୋପ୍ୟ କରି ରଖିଥାନ୍ତି, ସେମାନଙ୍କର ଲେଖିଥିବା ପଦାର୍ଥଗୁଡ଼ିକୁ ପାଠ କଲାବେଳେ ଅନେକ ସମୟରେ ସେମାନଙ୍କ ପ୍ରତି ଭାରି ଅନୁକମ୍ପା ଜାତାହୁଏ । ଏବର ନାଟକମାନେ ମଧ୍ୟ ଶୈଳୀମାନଙ୍କ ସୂତାରେ ଏପରି ବାନ୍ଧି ହୋଇ ରହିଛନ୍ତି ଯେ ତାକୁ ପଢ଼ିଲେ ବା ଦେଖିଲେ ନାଟ୍ୟକାର କ'ଣ ପାଇଁ ଏପରି ଏକ ମଞ୍ଚଭ୍ରମକୁ ମନେକଲେ ବୋଲି ପଚାରିବାକୁ ଭାରି ଇଚ୍ଛା ହୁଏ । ନାଟକକାର ବୈଷ୍ଣବ ପାଣିଙ୍କୁ କେଡ଼େ ଚତୁରଭାବରେ ଗଣକବିର ପର୍ଯ୍ୟାୟକୁ ଠେଲିଦେବା ପରେ ନୂଆ ଶୈଳୀର ଶିବିରଟି ଓଡ଼ିଆ ନାଟକ ଅଭିନୟର କାଳକାଳର ପରମ୍ପରାଟିକୁ ପ୍ରତ୍ୟାଖ୍ୟାନ କରିଛି । ତା'ପରେ ବଙ୍ଗଳା ନାଟକରୁ ପ୍ରେରଣା ଆଣି ପ୍ରାୟ ଏକ ଶତାବ୍ଦୀ ହେଲା ଥିଏଟର ନାମରେ ଯାହାସବୁ ଅଭିନୀତ ହେଉଥିଲା, ସେଗୁଡ଼ିକ ମଧ୍ୟ କ୍ରମେ ପାସୋର ଗଲାଣି । ପାଣିଙ୍କର ନାଟକଗୁଡ଼ିକ ବର୍ତ୍ତମାନ ବାଳିକା ବିଦ୍ୟାଳୟଗୁଡ଼ିକର ଅନୁଗ୍ରହରୁ ରେଡ଼ିଓ ଦ୍ଵାରା ପ୍ରଚାରିତ ଯାହା ହେଉଛି । ଏବର ଯାତ୍ରାପାର୍ଟିମାନେ ପୁରୁଣାଠାରୁ ଡୋର ଛିଣ୍ଡାଇ ପ୍ରାୟ ଆଧୁନିକ ରୋଜଗାର କରିପାରୁଛନ୍ତି । ଏକଦା ବକ୍ସି ଜଗବନ୍ଧୁଙ୍କୁ ମଞ୍ଚ ଉପରକୁ ଆଣିଥିବା ନାଟକଲେଖକ ନୂଆ ଶୈଳୀ ଅର୍ଥାତ୍ ନୂଆ ଚମକର ଦାଣ୍ଡିରେ ଏତେ ଅନ୍ୟଆଡ଼େ ଯାଇ ପ୍ରବେଶ କଲେଣି ଯେ ,ନିଜର ସେହି ପ୍ରଥମ ଚରଣର କୃତିଟିକୁ ହୁଏତ ତେଜ୍ୟପୁତ୍ର କରି ସାରିଲେଣି । ଶୈଳୀ ବଦଳିବ, ଯେତେବେଳେ ତୁମ ବକ୍ତବ୍ୟରେ ମଧ୍ୟ ସତକୁ ସତ କିଛି ପରିବର୍ତ୍ତନ ଘଟିଥିବ । ଏବଂ, ଏକ ପରିଚିତ ପରମ୍ପରାର ଭୂମିଟି ଉପରେ ହିଁ ଯାହାକିଛି ହୁଏତ ବଦଳୁଥିବ । ମାତ୍ର, ଆଗ ନାଟକର ସେପାଖ ବଜାରରୁ ତୁମେ ଗୋଟାଏ ନୂଆ ଶୈଳୀକୁ ଆଣି ଏଠି ଘରେ ମଧ୍ୟ ପୂରାଇବ ବୋଲି ମନକରି ଯଦି ବହକି ପଡ଼ିଲ, ତେବେ ତାହାରି ତାଡ଼ାନାରେ ନିଜ ବକ୍ତବ୍ୟଟାକୁ ମଧ୍ୟ ତାହାରି ଅନୁସାରେ ନୂଆ ପରିଚ୍ଛଦ ଦେବାକୁ ଚେଷ୍ଟା କରିବ, ଏବଂ ତାହା ଏକ ଶୋଚନୀୟ ବଣିଜ ହେବାକୁ ବାଧ୍ୟହିଁ ହେବ ।

ସମ୍ପ୍ରତି ଅଧିକରୁ ଅଧିକ ସାହିତ୍ୟଶିକାରି ଏହି ଶୈଳୀର ଜଙ୍ଗଲ ଭିତରେ ଯାଇ ପଶିଥିବା ସମୟରେ ପ୍ରବନ୍ଧର ଘରେ ମଧ୍ୟ ଆମେ ଶୈଳୀ ବିଷୟରେ କ'ଣ ସବୁ କହିପାରିବା ? ପ୍ରବନ୍ଧର ଭାଗ୍ୟ ଯେ ଆମ ସାହିତ୍ୟର ପ୍ରାଚୀନ ଯୁଗରେ କୌଣସି ପ୍ରବନ୍ଧ ଲେଖା ଯାଉନଥିଲା । ତେଣୁ, ପ୍ରବନ୍ଧର ପରମ୍ପରାରେ ଆପେ ଶୈଳୀଟିଏ ବା ଧାରାଟିଏ ନିର୍ବାଚନ କରିବାର ଅବକାଶ ଅବଶ୍ୟ ଅଧିକ ପରିମାଣରେ ରହିଛି । ସାହିତ୍ୟ ବଂଶରେ ସନ୍ତାନମାନଙ୍କ ମଧ୍ୟରେ ପ୍ରବନ୍ଧନାମକ ବର୍ଗଟି ହେଉଛି ସର୍ବକନିଷ୍ଠ । ଏଥିରେ ସୁବିଧା ଅସୁବିଧା ଉଭୟ ରହିଛି । ସୁବିଧା ରହିଛି ଏହି କାରଣରୁ ଯେ ପ୍ରବନ୍ଧଲେଖକ ପାଇଁ ଶୈଳୀର କ୍ଷେତ୍ରରେ ଅଧିକ ସ୍ଵାଧୀନତା ରହିଛି, ଅସୁବିଧା ବି ଏଇଥିପାଇଁ ଯେ, ବାଛିବାର ଏହି ପ୍ରକ୍ରିୟାଟିରେ ତାକୁ ଦୃଷ୍ଟାନ୍ତ ଯୋଗାଇଦେବା ସକାଶେ କୌଣସି ପୂର୍ବଗୁଳା ନାହିଁ । ପ୍ରାୟ ଶହେବର୍ଷ ଇଂଲଣ୍ଡରେ ସାମୁଏଲ୍ ସ୍କାଇଲ୍‍ସ ଯେତେବେଳେ Character ବା Selfhelf ପ୍ରଭୃତି ପ୍ରବନ୍ଧମାନ ବାହାର କରୁଥିଲେ ଅଥବା ରାଣୀ ଭିକ୍ଟୋରିଆଙ୍କର ରାଜତ୍ଵକାଳ ବୋଲି Victorian Essays ଶୀର୍ଷକରେ ମଧ୍ୟ ତେଣେ ପ୍ରବନ୍ଧ ଲେଖା ହୋଇପାରୁଥିଲା, ସେତେବେଳେ ଆମ ଦେଶରେ ଏକାଧିକ ପ୍ରବନ୍ଧଲେଖକ ତାହାରି ଶୈଳୀକୁ ଆଶ୍ରାକରି ଭାରତୀୟ ଭାଷାମାନଙ୍କରେ ମଧ୍ୟ ପ୍ରବନ୍ଧ ଲେଖିଲେ । ହଁ, ଇସ୍କୁଲ ଓ କଲେଜମାନଙ୍କରେ ବି ପ୍ରବନ୍ଧ ଲେଖିବା ପାଠ ଏବଂ ପରୀକ୍ଷାର ଏକ ଅଙ୍ଗବିଶେଷ ହୋଇ ରହିଥିଲା । ସେହି ରୀତି ଅଳ୍ପବହୁତେ ଆଜିଯାଏ ଗଡ଼ି ଆସିଛି । ପରୀକ୍ଷାରେ ପିଲାମାନଙ୍କୁ ପ୍ରବନ୍ଧ ଲେଖିବାକୁ କୁହାଯାଉଛି । ମାର୍ଗଦର୍ଶନ କରାଇବା ନିମନ୍ତେ ପ୍ରବନ୍ଧର ବହିସବୁ ମଧ୍ୟ ବାହାରିଲାଣି । ପ୍ରବନ୍ଧଟା କାଳେ ଲେଖୁ ଲେଖୁ ଅବାଗିଆ ହୋଇଯିବ ଅର୍ଥାତ୍ ଭାବନାର ଡାଳଟା ଉପରେ ବସି ପିଲାମାନେ କାଳେ ବାଗ ବାହାରକୁ ଚାଲିଯିବେ, ସେଥିଲାଗି ବହିରେ ପ୍ରସଙ୍ଗ ଭେଦ ଅନୁସାରେ ଇଙ୍ଗିତଗୁଡ଼ିକୁ ଯୋଗାଇ ଦିଆଯାଉଛି । ପିଲାଏ ପରୀକ୍ଷାରେ ସେହିସବୁ ଇଙ୍ଗିତକୁ ମାନି ପ୍ରବନ୍ଧଟିକୁ ଲେଖିଲେ ଅଧିକ ନମ୍ବର ପାଉଛନ୍ତି, ହୁଡ଼ିଗଲେ ସଜା ପାଉଛନ୍ତି । ଜଣେ ମଣିଷର କଳ୍ପନା ଓ ଭାବନା ସର୍ଜନାତ୍ମକ ହେବାକୁ ମନକଲେ ଯେ ବାଗରୁ ବାହାରିଯାଏ ଓ ଗୁଳାଗୁଡ଼ିକୁ ପାସୋରିଦିଏ, ଆମ ଶିକ୍ଷକମାନେ ସେହି କଥାଟିକୁ ମନେ ରଖି ପାରୁଥାନ୍ତେ କି !

ଓଡ଼ିଆର ଅଧିକାଂଶ ପ୍ରବନ୍ଧକାର ଶିକ୍ଷକତା କରନ୍ତି । ଅଥବା, କଲେଜମାନଙ୍କରେ ଅଧ୍ୟାପନା କରନ୍ତି । ଅଧ୍ୟାପନା ବା ଶିକ୍ଷାଦାନ ହେଉଛି ସେମାନଙ୍କର ଆଠପ୍ରହରୀ ବୃତ୍ତି, ସାହିତ୍ୟ କରିବା ପ୍ରାୟ ଯାବତୀୟ ଅର୍ଥରେ ପୋଷାକୀ । କଲେଜ ହେଉ କିମ୍ବା ଇସ୍କୁଲ ହେଉ, ଶିକ୍ଷାଦାନର ଗୁଳା ବା ଶୈଳୀ (ଅଶୈଳୀ ?) ଗୁଡ଼ାକ ସଂପୃକ୍ତ ବୟସ୍କଟିଠାରୁ ଯେ ସେପରି କୌଣସି ସୃଜନାତ୍ମକତା ଦାବିକରେ, ସେକଥା ଆଦୌ କହି ହେବ ନାହିଁ । ତେଣୁ, ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କୁ ସେହି ବୟସ୍କ ଯେପରି ଢଙ୍ଗରେ ପାଠ ପଢ଼ାଏ, ପ୍ରାୟ ସେହିପରି ଏକ ଢଙ୍ଗରେ ସାହିତ୍ୟ ନିମନ୍ତେ ପ୍ରବନ୍ଧ ବି ଲେଖେ, ଏପରି ଅନୁମାନ ବି କରାଯାଇ ପାରିବ । ଏବଂ, ଶ୍ରେଣୀଗୃହର ଅଧ୍ୟାପନା ଭିତରେ ଅଭ୍ୟସ୍ତଭାବରେ ଯାନ୍ତ୍ରିକ ହୋଇ ଆଉ ଏକ ଆବେଗ ତିଆରି କରି ପ୍ରବନ୍ଧ ଲେଖିବା ସମୟରେ ଆବଶ୍ୟକତା ମୁତାବକ ନିଜକୁ ସର୍ଜନାତ୍ମକ କରିପାରିବା ଏଇଟା ପ୍ରକୃତରେ ବଡ଼ ଅସହଜ ଓ ଅସୁବିଧାର କଥା । ହୁଏତ ତନ୍ତ୍ରସାଧନା ଦ୍ଵାରା ଆପଣାକୁ ପ୍ରସ୍ତୁତ କରି ହେଉଥିବ । ସତକୁ ସତ ସର୍ଜନାତ୍ମକ ମଣିଷ ତା'ର ଶ୍ରେଣୀକକ୍ଷରେ ଅଧ୍ୟାପନା ସମୟରେ ମଧ୍ୟ ଭାରି ଧରା ପଡ଼ିଯିବ । ତା'ପରେ ପିଲାଙ୍କର ପ୍ରୀତ୍ୟର୍ଥେ ସୁଲଭ ସହଚରମାନେ ଲେଖିବାକୁ ମଧ୍ୟ ତାକୁ ଅତ୍ୟନ୍ତ ଅସହଜ ଲାଗିବ । ଏ ବାଟରେ ଗଲେ ନିଜର ବୃତ୍ତିଗତ ଜୀବନରେ ମଧ୍ୟ ହୁଏତ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ସାହିତ୍ୟ ବ୍ରତ ନହେଲେ ସାହିତ୍ୟ ଲେଖିବାଟା ପ୍ରାୟ ଏକ ନିୟମ ଅନୁସାରେ ଭାରି ଅସହଜ ହୋଇଯାଏ ଏବଂ ଏକାବେଳେକେ ବ୍ରତ ଓ ବୃତ୍ତି ଭିତରେ ଆନ୍ଦୋଳିତ ହେବାକୁ ପଡ଼ୁଥିଲେ ଭିତରେ ଅସଲ ଆସ୍ଥାନଟିକୁ ବହୁତ ସନ୍ତାପ ଆଚ୍ଛନ୍ନ ରଖିଥାଏ । ନିଜ ପ୍ରତି ବଡ଼ ବିରକ୍ତ ବି ମାଡ଼େ । ଅଙ୍ଗେ ନିଭାଇବା ବ୍ୟକ୍ତି ପ୍ରତ୍ୟେକ ସେକଥା ଅଳ୍ପବହୁତ ଅବଶ୍ୟ ଜାଣିଥିବେ । ପ୍ରାୟ ବାଧ୍ୟ ହୋଇ, ଅର୍ଥାତ୍ ଜୀବିକାର ସିଢ଼ିରେ ଉପର ଭାଡ଼ିକୁ ଉଠିଯାଇ ପାରିବେ ବୋଲି ଯେତେବେଳେ ନିବନ୍ଧଟିଏ ଲେଖିବାକୁ ପଡ଼େ, ସମ୍ଭବତଃ ସେହି କାରଣରୁ ହିଁ ଅନେକ ଅଧ୍ୟାପକ ବହୁ ସନ୍ତାପ ଭିତରେ କାଳ କାଟୁଥାନ୍ତି ଏବଂ ତିନିବର୍ଷର କାର୍ଯ୍ୟକୁ ଛଅବର୍ଷ ଲଗାନ୍ତି ଅଥବା ସେପରି ଜରୁରତ୍ ଆସି ପଡ଼ିଲେ ପାଞ୍ଚ ବରଷର କାର୍ଯ୍ୟକୁ ପନ୍ଦର ମାସରେ ବି ସାରି ଦିଅନ୍ତି । କହିବା ବାହୁଲ୍ୟ, ଏହି ପ୍ରକ୍ରିୟାଟିରେ ପ୍ରକୃତ ସର୍ଜନାତ୍ମକତା’ର ଖୁବ୍ କମ୍ ଭୂମିକା ମଧ୍ୟ ରହିଥାଏ ଏବଂ ଥରେ ଏହି କିସମର ତଥାକଥିତ କାର୍ଯ୍ୟଟି ସମ୍ପନ୍ନ ହୋଇଗଲେ ସେମାନେ ଆଉ କେବେହେଲେ ତାହାକୁ ମନେକରନ୍ତି ନାହିଁ ।

ପୁଣି ସେହି ପ୍ରଶ୍ନଟି, ପ୍ରବନ୍ଧର ଆଲୋଚନା କରୁଥିବାବେଳେ ଆମେ ଶୈଳୀ ବିଷୟରେ ପ୍ରକୃତରେ କ'ଣ ସବୁ କହିପାରିବା ଏବଂ କ'ଣ ସବୁ ବିଷୟରେ ସାବଧାନ ମଧ୍ୟ ରହିବା ? ସବାଆଗ କଥାଟି ହେଉଛି, ଯାବତୀୟ ପ୍ରବନ୍ଧଲେଖା ପଛରେ ପ୍ରବନ୍ଧଲେଖକର ଏକ ସୁସ୍ପଷ୍ଟ Conviction ବା ସଂପ୍ରତ୍ୟୟ ରହିଥିବ । ସଂପ୍ରତ୍ୟୟର ଅସଲ ଅର୍ଥ ହେଉଛି ଯେ, ତୁମେ ଯାହା ପ୍ରବନ୍ଧର ମାଧ୍ୟମରେ ଉପସ୍ଥାପନ କରିବାକୁ ଯାଉଛ, ତାହାର ମୂଳ ତୁମ ହୃଦୟ ଭିତରେ ରହିଥିବ । ଅନେକ ସମୟରେ ଆମର ମଥା ପୃଥିବୀ ଭିତରୁ କେତେ କ'ଣ ଗୋଟାଇ ନେଇଆସେ ଓ ସେଗୁଡ଼ିକ ସଜାଇ କେତେ କ'ଣ କରିବାକୁ ମନ କରୁଥାଏ । ଅଥଚ, ହୃଦୟ ଭିତରେ ତାହାର ହୁଏତ କୌଣସି ଚେର ନଥାଏ । ଅର୍ଥାତ୍ ଆମ ମଥାର ଅର୍ଜନଟି ଆମ ନିଜସ୍ଵ ଧନରେ ପରିଣତ ହୋଇନଥାଏ । ଆମେ ଯାହାସବୁ କହୁଥାଉ, ସେଥିରେ ଆମେ ନିଜେ ନଥାଉ, ଆମର ପାଣ୍ଡିତ୍ୟ ଥାଏ ଗଛାଇ କହିବାର ଚାତୁରୀ ମଧ୍ୟ ଥାଏ, ମାତ୍ର ନିଜର କହିବା କଥାଗୁଡ଼ିକ ପାଇଁ ଆମେ ନିଜକୁ ଦାୟୀ ବୋଲି ଅନୁଭବ କରିନଥାଉ । ଅନ୍ୟ ପ୍ରକାରେ କହିଲେ, ନିଜର ଜୀବନରେ ଯିଏ ନିଜର ଧର୍ମଟିକୁ ଆବିଷ୍କାର କରିବାରେ ସମର୍ଥ ହୋଇଥାଏ, ସେଇ ନିପୁଣ ଭାବରେ ନିଜ ଦ୍ଵାରା ଲିଖିତ ପ୍ରବନ୍ଧଗୁଡ଼ିକର ମାଧ୍ୟମରେ ନିଜକୁ ହିଁ ପ୍ରକଟ କରିବାରେ ସଫଳ ହୁଏ । ଏହିପରି କରିବା ଦ୍ଵାରା ସିଏ ସବୁଠାରୁ ଅଧିକ ଖୁସିହୁଏ । ଦ୍ଵିତୀୟତଃ, ପ୍ରବନ୍ଧର ଅସଲ ଏକ ଶୈଳୀ ହେଉଛି ଡୋର ଲଗାଇବାର ଶୈଳୀ । ନିଜକୁ ଲୁଚାଇ ରଖିବାକୁ, କିମ୍ବା ଡୋରମାନଙ୍କୁ ଛିଣ୍ଡାଇ ଅଲଗା ସତେଅବା ଆଉ ଏକ ଜାଗାରେ ଛିଡ଼ା ହୋଇଥିବା ପରି ଦେଖାଯିବାକୁ ପ୍ରବନ୍ଧର ଲେଖକ କେବେ ଚେଷ୍ଟାକଲେ ବଡ଼ ହାସ୍ୟାସ୍ପଦ ଭାବରେ ଧରା ପଡ଼ିଯାଏ । ଯଦି ଆପଣଙ୍କୁ ମଣିଷ ଗନ୍ଧାଉଥିବେ, ତେବେ ଆପଣଙ୍କୁ ଆପଣଙ୍କର ଶତକୋଟି ରାଣ, ଆପଣ ପ୍ରବନ୍ଧର ଅଡ଼ୁଆ ଭିତରେ ମୋଟେ ପଶନ୍ତୁ ନାହିଁ-। ଏହି ପୃଥିବୀରେ କେତେ କେତେ ବିଚିତ୍ର ପ୍ରକାରର ମଣିଷ, ସେମାନଙ୍କର ବହୁବିଧ ବେଦନା ଓ ଭାବନା, ଆପଣ ସେଗୁଡ଼ିକୁ ସ୍ଵୀକୃତି ଦିଅନ୍ତୁ । ଅନ୍ୟପଥ ଓ ଅନ୍ୟମତକୁ ସ୍ଵୀକୃତି ଦିଅନ୍ତୁ-। ଏହି ପୃଥିବୀରେ ଗୋଟିଏ ଧିସାରେ କିଛି ଚାଲୁନାହିଁ କି କିଛି ବାଜୁନାହିଁ । କେତେ ତାନ ମିଶି ଯେଉଁ ଐକ୍ୟତାନ ହିଁ ଏଠାରେ ଆମ ଜୀବନ ନାମକ ସଦନଟିର ଅସଲ ପରିଚିତି ହୋଇରହିଛି, ଆପଣ ଇଚ୍ଛାକଲେ ସେଇଟିକୁ ମଧ୍ୟ ଆତ୍ମସ୍ଥ କରିପାରିବେ । ପ୍ରବନ୍ଧର ବାଦହେଉଛି ଏକାଧିକ ଅର୍ଥରେ ଏକ ଅନେକାନ୍ତବାଦ ।

ଏକାନ୍ତବାଦୀମାନେ କାଳେ କାଳେ କେଡ଼େ ନିଷ୍ଠାର ସହିତ ପୂରା ପୃଥିବୀଟାକୁ ଗୋଟାଏ ଧିସାରେ ଆଣି ପକାଇବେ ବୋଲି ଆପଣାକୁ ଧାବମାନ କରି ରଖିଛନ୍ତି । ସାହିତ୍ୟକୁ ପ୍ରୋପାଗଣ୍ଡାର ସ୍ତରକୁ ଅବଦମିତ କରି ଆଣିଛନ୍ତି । ଆମକୁ ଦରିଦ୍ର ହୋଇ ରହିବାରେ ସେମାନେ ସାହାଯ୍ୟ କରିଛନ୍ତି । ବିଜ୍ଞାନ ଦ୍ଵାରା ଆମର ଏହି ବିଶ୍ଵଘରଟି ଯେତିକି ଫିଟି ଫିଟି ଯାଇଛି, ଏକାନ୍ତବାଦୀମାନଙ୍କର ଧ୍ଵଜାଗୁଡ଼ିକ ତାହାକୁ ସତେଅବା ସେତିକି ସେତିକି କିଳି ଆଣିବାର ଷଡ଼ଯନ୍ତ୍ର କରି ବାହାରିଛନ୍ତି । ବାବୁ, ତୁମେ ନିଜକୁ କିଳିକରି ରଖିବାକୁ ମନ କରୁଥିଲେ ପ୍ରବନ୍ଧ ଲେଖି ଆଦୌ ଶାନ୍ତି ପାଇପାରିବ ନାହିଁ । ଅନ୍ୟମାନଙ୍କ ଠାରୁ ଶୁଣିବ ବୋଲି ହିଁ ତୁମେ ନିଜର ଗନ୍ତାଘରୁ କିଛି ଶୁଣାଇବାକୁ ଇଚ୍ଛା କରିବ, ସର୍ବତ୍ର ଏଇଥିରୁ ହିଁ ତୁମର ପ୍ରବନ୍ଧଟିଏ ପଢ଼ିବାକୁ ମନହେବ, ପ୍ରବନ୍ଧଟିଏ ଲେଖିବାକୁ ବି ମନହେବ । ପ୍ରବନ୍ଧ ସତେଅବା ଆଲୁଅଟିଏ ଦେଖାଇ ତୁମକୁ ନିଜ ଭିତରକୁ ନେଇ ଯିବାକୁ ବାସନା ରଖିଥାଏ । ସେହି ଅସଲ ଭିତରଟା ଗଭୀର ଯେତିକି, ପ୍ରଶସ୍ତ ମଧ୍ୟ ସେତିକି ।

ଏଥର ଭଲକରି ବୁଝିହେବ ଯେ, ବାହାରେ ଆମର ପୃଥିବୀଟା ଯେତିକି ପ୍ରଶସ୍ତ ହେବାକୁ ଆରମ୍ଭ କଲା ଓ ଏହି ପୃଥିବୀରେ ଆମ ସାଙ୍ଗରେ ଆହୁରି ଅନେକେ ମଧ୍ୟ ଅଛନ୍ତି ବୋଲି ଆମର ଯହୁଁ ଯହୁଁ ଅଧିକ ହୃଦବୋଧ ହେଲା, ତାହାରି ସହିତ ହିଁ ପ୍ରବନ୍ଧ ବୋଲି ନୂଆ ପଂକ୍ତିଟିଏ ସାହିତ୍ୟ ଭିତରେ ଆପେ ଖୋଲିଗଲା । ଏହି ପଂକ୍ତିଟି ଆଗରୁ ରହିଥିବା ପଂକ୍ତିଗୁଡ଼ିକ ସହିତ ଆଦୌ କୌଣସି ଝଗଡ଼ା କଲାନାହିଁ । ସମସ୍ତଙ୍କ ଉପରେ ସର୍ଦ୍ଦାରୀ ମଧ୍ୟ କଲା ନାହିଁ । ତାହା ସମସ୍ତଙ୍କୁ ଅଧିକ ପ୍ରଶସ୍ତ ଓ ଅଧିକ ଗଭୀର ଭାବରେ ବୁଝିଲା, ଅଧିକ ଅନ୍ତରଙ୍ଗ ଭାବରେ ସମସ୍ତଙ୍କ ଭିତରେ ଭେଦିଲା ଏବଂ ତଥାପି ଆହୁରି ଆଗକୁ ରହିଥିବା ସେମାନଙ୍କର ସମ୍ଭାବନା ବିଷୟରେ ସେମାନଙ୍କୁ ଜାଗରୁକ କରି ଆଣିବା ନିମନ୍ତେ ପ୍ରୟାସ କଲା । ଏହି ପ୍ରୟାସ ଲାଗି ରହିଥିବ । ମୋ ନିଜ ଭିତରେ ରହିଥିବା ବର୍ଣ୍ଣର ସମ୍ଭାବନା ବିଷୟରେ ଯିଏ ମୋତେ ସତକୁ ସତ ଜାଗରୁକ କରିଦେଇ ପାରୁଛି, ଏହି ପୃଥିବୀର କୁସୁମ ନକ୍ଷତ୍ରରେ ତା'ଠାରୁ ବଳି ମୋର ଆଉ ବଡ଼ ବନ୍ଧୁ କିଏ ଅଛି ? ଏଣୁ, ପ୍ରବନ୍ଧ ତା'ର ଧର୍ମଟିକୁ ଆଦୌ ଭୁଲି ନଯାଉ, ସାହିତ୍ୟର ଅନ୍ୟ କ୍ଷେତ୍ରଗୁଡ଼ିକର ସେବା ଖଟୁଥାଉ, ଧନ୍ୟ ହେଉ । ଆମ ଜୀବନରେ ଆତ୍ମଆବିଷ୍କାର ଲାଗି ରହିଥିବା ସହିତ ଆମର ପୃଥିବୀ-ଆବିଷ୍କାର ମଧ୍ୟ ଆହୁରି ଅଧିକ ମର୍ଯ୍ୟାଦାବନ୍ତ ହେବାରେ ଲାଗିଥାଉ । ତେବେ ପ୍ରବନ୍ଧ ପାଇଁ ଆମର ରୁଚି ବଢ଼ିବ ହିଁ ବଢ଼ିବ ।

[ଝଙ୍କାର, ୪୯/୧୧, ଫେବୃଆରୀ, ୧୯୯୮]

☆☆☆

 

ପ୍ରବନ୍ଧର ଭାଷା

 

ମନୁଷ୍ୟର ହୃଦୟକୁ ଆମେ ଏପରି ଏକ ରସାୟନଶାଳା ବୋଲି କହିପାରିବା, ଯେଉଁଠାରେ ଜୀବନର ଅଗଣିତ ଅନୁଭୂତିରୁ କ'ଣ ସବୁ କେମିତି ରନ୍ଧା ହୋଇ ଭାବ ବୋଲି ଏକ ପଦାର୍ଥ ଜାତ ହୁଏ । ଭାବ ଜୀବନକୁ ଅର୍ଥ ଆଣିଦିଏ । ଜୀବନରେ ଗତି ଆଣିଦିଏ । ଭାବ ସାନ ଘରଟି ମଧ୍ୟରୁ ଗୋଡ଼ କଢ଼ାଇନିଏ । ଜାଣେ କେଡ଼େ ସାନ ଓ କେତେ ନା କେତେ ତାତ୍କାଳିକ ବୋଲି ଦିଶୁଥିଲେ ମଧ୍ୟ ଭାବର ପରିପ୍ରେରଣା ଲାଭ କରି ଜଣେ ଆପଣାକୁ କେତେ ନା କେତେ ଥାନରେ ବାନ୍ଧି ହୋଇଯାଏ । ସେହି ବନ୍ଧନ ପ୍ରସାର ଆଣିଦିଏ । ଆମ ଜୀବନର ଅସଲ ପ୍ରସାରଣ–କାହାଣୀମାନେ ଆଦୌ ପଳାୟନର କାହାଣୀ ନୁହନ୍ତି, ସେଗୁଡ଼ିକ ବାନ୍ଧି ହୋଇଯିବାର କାହାଣୀ, ଅତ୍ୟନ୍ତ ସକାରାତ୍ମକ ଏକ ଅର୍ଥରେ ମାୟାର କାହାଣୀ । ଜାଣିଶୁଣି ଆପଣାକୁ ବୃହତ୍ ଓ ଆହୁରି ବୃହତ୍ ମାୟାଗୁଡ଼ିକ ଭିତରେ ଧରାଦେବା, ଛନ୍ଦି ହୋଇଯିବା, ତାହାହିଁ ଆତ୍ମୀୟତା । ଏହି ସବୁକିଛି ସହିତ ଛନ୍ଦି ହୋଇଯିବା ଏବଂ ତଥାପି ଉଶ୍ଵାସ ଅନୁଭବ କରିବା, ସମ୍ଭବତଃ ତାହାକୁ ଏକାଧିକ ଅର୍ଥରେ ଏକ ଭାଗବତ ସାନ୍ନିଧ୍ୟ ଲାଭ ବୋଲି କୁହାଯାଇପାରିବ । ଭଗବାନ ଭାବଦ୍ଵାରା ଯେ ବଶହୁଅନ୍ତି, ଏହି ଭକ୍ତିଟି କ'ଣ ଏହିପରି ଏକ ପ୍ରକ୍ରିୟାଗତ କାରଣରୁ ଜନ୍ମଲାଭ କରିଛି କି ?

 

ଭାବ ଉକୁଟିଲେ ଭାଷା । କ୍ଷୀର ଦୁହାଁ ନଗଲେ ଗାଈ-ପହ୍ନାର ଯେଉଁ ଦଶା ହୁଅନ୍ତା, ଭାଷାରେ ଫୁଲ ଓ ଫଳ ହୋଇ ପ୍ରତ୍ୟକ୍ଷ ନହୋଇ ପାରିଲେ ବିଚରା ଭାବର ଠିକ୍ ସେହି ଦଶା ହେଉଥିବ । ଏହି ଦୃଷ୍ଟିରୁ ଭାଷାକୁ ଭାବର ମୂର୍ତ୍ତ ହେବାର ପ୍ରକ୍ରିୟାରେ ଏକ ଅବଶ୍ୟମ୍ଭାବୀ ପ୍ରସ୍ଥବୋଲି କୁହାଯାଇପାରିବ ଏବଂ ଭାବ ମଧ୍ୟ ଏପରି ଏକ ଦରବ, ଯାହାକି ଗୁମ୍ଫା ଭିତରେ ବନ୍ଦୀ ହୋଇ ରହିଥିବା ପର୍ଯ୍ୟନ୍ତ ଭାରି କଷ୍ଟପାଏ, ଭାରି ଅଣନିଃଶ୍ଵାସୀ କରି ରଖିଥାଏ, ସମ୍ଭବତଃ ଅନେକ ଆତ୍ମଅବସାଦର କାରଣ ହୁଏ । ତେଣୁ, ଭାବ ପଛେ ପଛେ ଯେ ମଣିଷକୁ ବାଟଟିଏ ଯୋଗାଇ ଦେବାପାଇଁ ମଣିଷ ପାଖରେ ଏକ ଭାଷା ରହିଛି, ତାହାକୁ ପ୍ରକୃତରେ ଏକ ମହାନ୍ ପ୍ରତିଶ୍ରୁତି ବୋଲି କହିବାକୁ ହେବ । ପଶୁପକ୍ଷୀଙ୍କର ମଧ୍ୟ ଏକ ଭାଷା ରହିଛି । ମାତ୍ର ତାହା କେବଳ ସେମାନଙ୍କର ଜୀବନଗତ କେତେଟା ପ୍ରୟୋଜନ ମେଣ୍ଟାଇବାରେ ହୁଏତ କାମରେ ଲାଗିପାରୁଛି । ମାତ୍ର ମଣିଷର ଭାଷା ଏକାବେଳେକେ ଏକ ଅନ୍ୟ ସ୍ତରର ଓ ଅନ୍ୟ ପ୍ରସ୍ଥର । ଏପରିକି, ଆପଣାର ଭଗବତ ସ୍ଵତନ୍ତ୍ର କ୍ରିୟା ଓ ପ୍ରକ୍ରିୟାଗୁଡ଼ିକୁ ଆବିଷ୍କାର କରିପାରିବା ପୂର୍ବରୁ ହିଁ ଆମେ ମନୁଷ୍ୟମାନେ କୌଣସି ଏକ ଭାଷାର ପରିଚୟରେ ଆସିପାରୁଛୁ, ତାହାକୁ ନିଜର ଭାଷା ବୋଲି କହିପାରୁଛୁ । ନିଜର ବୋଲି କହି କେତେ ଖୁସି ହେଉଛୁ ଏବଂ ଗୌରବ ଅନୁଭବ ବି କରୁଛୁ । ଆମକୁ ଆମ ଗୋଡ଼ତଳେ ସତେଅବା ଟାଣ ଭୂଇଁଟିଏ ମିଳିଯାଉଛି । ମାଆପେଟରୁ ଜନ୍ମ ହୋଇ ସଂସାର ଭିତରେ ପ୍ରବେଶ କରିବାର ଏକ ଅପରିହାର୍ଯ୍ୟ ଆନୁଷଙ୍ଗିକ ରୂପେ ମଣିଷ ଯେଉଁ ଭାଷାଟିକୁ ସତେଅବା ବଳେ ବଳେ ଶିଖିଯାଏ, ଏବେ ଜାତୀୟତାବାଦୀ ଯୁଗକୁ ଆସି କେଡ଼େ ଆତ୍ମୀୟତା ସହିତ ତାହାକୁ ମାତୃଭାଷା ବୋଲି କୁହାଯାଉଛି । ମାତୃଭାଷା ଅର୍ଥାତ୍ ମୋ ନିଜର ଭାଷା । ତେଣୁ, ଏହି ଭାଷାରେ ଲେଖା ହୋଇଥିବା ଏବଂ ହେଉଥିବା ସାହିତ୍ୟ ମଧ୍ୟ ମୋ ନିଜର ସାହିତ୍ୟ ।

 

ଭାଷାର ସରଣୀଟିଏ ପାଇ ଯାଉଥିବାରୁ ଭାବ ସତକୁ ସତ ମୁକ୍ତ ପାଉଥିବା ପରି ଅନୁଭବ କରୁଥିବ ଏବଂ ଭାବର ଏକ ବାହନରୂପେ-କାର୍ଯ୍ୟ କରି ପାରୁଥିବାରୁ ଭାଷା ମଧ୍ୟ କ୍ରମେ ନିଜକୁ କେତେ କେତେ ତାତ୍ପର୍ଯ୍ୟ ସହିତ ଯୋଡ଼ି ନିଜକୁ କେତେ ନା କେତେ ଧନୀ ହୋଇଗଲା ପରି ଅନୁଭବ ବି କରୁଥିବ । ମଣିଷର ସାହିତ୍ୟ ଯେତେବେଳେ ଏକ ଲିଖିତ ସାହିତ୍ୟର ପର୍ଯ୍ୟାୟକୁ ଉତ୍ତୋଳିତ ହୋଇଆସିଲା, ସେତେବେଳେ ସିଏ ଯେପରି ଭାବରେ ଅର୍ଥାତ୍ ଛାଞ୍ଚରେ କଥାଗୁଡ଼ିକୁ କହୁଛି, ଅବିକଳ ସେହି ଛାଞ୍ଚ ଦେଇ ଲେଖିବାଟା ଆଦୌ ସମୀଚୀନ ହେବନାହିଁ ବୋଲି ସିଏ କ'ଣ ସବୁ ବିଚାର କରି ସ୍ଥିର କଲା କେଜାଣି ? ଆମର ଅସମାନ ସମାଜରେ ସମସ୍ତେ କଦାପି ଲିଖିତ ଭାଷାର ପରିଧି ଭିତରକୁ ପ୍ରବେଶର ଅଧିକାର ପାଇନଥିବେ । ଯେଉଁମାନେ ଅର୍ଥାତ୍ ସମାଜର ଯେଉଁ ବର୍ଗମାନେ ଭାଷାକୁ ଲେଖିପାରିଲେ, ସେମାନେ ଆପଣାକୁ ପଂକ୍ତି ବାହାରେ ଥିବା ଅନ୍ୟମାନଙ୍କୁ ହୁଏତ ଅବର ବୋଲି ଓ ଏପରିକି ଅଧମପ୍ରାୟ ମଧ୍ୟ ସମଝିଥିବେ । ଅନ୍ୟ କେତେକଙ୍କୁ ବଞ୍ଚିତ କରି ସଂସାରରେ ଯାହା ଲାଭ କରାଯାଏ, ସଂପୃକ୍ତ ସେମାନେ ନିଜକୁ ଅଧିକ ଭାଗ୍ୟବାନ୍ ଓ ଅଧିକ ଅଧିକାରର ଯୋଗ୍ୟବୋଲି ଭାବିବାକୁ ଆରମ୍ଭ କରନ୍ତି । ସମ୍ଭବତଃ ସେକାଳର ସାହିତ୍ୟ ସେହି କାରଣରୁ କିଞ୍ଚିତ୍ ଫୁଲେଇ ହୋଇ କେବଳ ଯୋଗ୍ୟ କେତେଜଣଙ୍କର ମଣୋହି ସାମଗ୍ରୀ ବୋଲି କହିବାକୁ ଏକ ବିଶେଷ ଉତ୍ସାହ ଅନୁଭବ କରିଥିବ । ଆମ ଭାରତବର୍ଷରେ ସେହିଭଳି ଗୋଟିଏ କାରଣରୁ ସାହିତ୍ୟ ତଥା ସାହିତ୍ୟିକ ଅଭିବ୍ୟକ୍ତିକୁ ଦେବୀ ସରସ୍ଵତୀଙ୍କ ସହିତ ନେଇ ଯୋଡ଼ି ଦିଆ ଯାଇଥିବ । ଦେବୀ ସରସ୍ଵତୀଙ୍କର କୃପାହେଲେ ଯାଇ ସାହିତ୍ୟ ଫୁରିବ ବୋଲି ଯେଉଁ ବିଶେଷ ମିଥ୍‍ଟି ସେହି କାଳରୁ ପ୍ରଚଳିତ ହୋଇସାରିଛି, ଆମେ ଇଚ୍ଛାକଲେ ତାହାକୁ ଏହି ବିଶେଷ ପରିପ୍ରେକ୍ଷୀଟି ଉପରେ ମଧ୍ୟ ବିଚାର କରି ବି ପାରିବା । ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ କରିଥିବା ବର୍ଗଟି ସମ୍ଭବତଃ ଏହିପରି ଭାବରେ ସରସ୍ଵତୀଙ୍କର ଇଲାକାଟିକୁ ମଧ୍ୟ ନିଜ ଆଡ଼କୁ ଢଳାଇ ନେବାକୁ ବିଚାର କରି ପକାଉଛି କି ? ପୃଥିବୀରେ ଯେଉଁସବୁ ସମାଜ ଏବେ ମଧ୍ୟ ଅସମାନ ହୋଇ ରହିଛି ଅର୍ଥାତ୍ ଯେଉଁଠାରେ ଏବେ ମଧ୍ୟ ମନୁଷ୍ୟ ମନୁଷ୍ୟ ମଧ୍ୟରେ ନାନାଭଳି ଖାଇ ସୃଷ୍ଟି ହୋଇ ରହିଛି, ସେଠାରେ ସାହିତ୍ୟଟା ବି ମୂଳତଃ ଲକ୍ଷ୍ମୀମନ୍ତମାନଙ୍କର ସମ୍ପତ୍ତିରେ ପରିଣତ ହୋଇ ରହିଛି । ସାହିତ୍ୟକୁ ଏକ ଉପଯୋଗୀ ଭାବପ୍ରବଣତା ସହିତ ସତେଅବା ଏକ ପବିତ୍ର କ୍ଷେତ୍ର ଓ ପବିତ୍ର ଧନ୍ଦା ବୋଲି ଘୋଷଣା କରାଯାଉଛି । ସାହିତ୍ୟକୁ କ'ଣ ସବୁ ଭାବି ବା ସତେଅବା ଆଉ କେଉଁମାନଙ୍କୁ ବଞ୍ଚିତ କରି ରଖିବାପାଇଁ ଏକ ସାରସ୍ଵତ କାର୍ଯ୍ୟ ବୋଲି କୁହାଯାଉଛି । ମନୁଷ୍ୟ ମାତ୍ରକେ ସବୁରି ଭିତରେ ସୃଜନାତ୍ମକ ସମ୍ଭାବନାମାନ ଯେ ଅବଶ୍ୟ ରହିଛି, ସୃଜନାତ୍ମକ ପ୍ରକ୍ରିୟାର ବିଜ୍ଞାନ ସେ କଥାଟିକୁ ଯେତେ ପ୍ରତିପାଦନ କରୁଥିଲେ ମଧ୍ୟ ଏହିସବୁ ସମାଜରେ ତାହାକୁ ସତେ ଯେପରି ଭାରି ଏଡ଼ାଇ ଦେବାର ଫିକର କରାଯାଉଛି । ଆଗେ ରାଜସଭାମାନଙ୍କରେ ସାହିତ୍ୟିକ ପଣ୍ଡିତ ଓ ସମାଦୃତମାନେ ଯେପରି କରୁଥିଲେ, ପ୍ରାୟ ସେହିପରି ।

 

ସେକାଳେ ସାହିତ୍ୟ କହିଲେ କାବ୍ୟକୁ ବୁଝାଉଥିଲା । କାବ୍ୟମାନେ ସମାଜରେ ଅପେକ୍ଷାକୃତ ଅଧିକ ଶିଷ୍ଟ ଅର୍ଥାତ୍ ଅଧିକ ଉଚ୍ଚରେ ଅବସ୍ଥିତ କେତେ ମନୁଷ୍ୟଙ୍କର ସାରସ୍ଵତ ଲେହ୍ୟ ପ୍ରାୟ ହୋଇ ରହିଥିଲେ । ତେଣୁ, କାବ୍ୟରେ ବ୍ୟବହୃତ ଭାଷାଟି ମଧ୍ୟ ଅଳ୍ପବହୁତେ ଆପଣଙ୍କର ଲେହ୍ୟ ପ୍ରାୟ ହୋଇ ରହିବା ଆବଶ୍ୟକ ହେଉଥିଲା । ମଣିଷର ସକଳ ପ୍ରହରର ଭାଷାକୁ ସାହିତ୍ୟ ଭିତରକୁ ଆସିବାଟାକୁ ସତେଅବା ଏକ ସାରସ୍ଵତ ଅପରାଧ ଓ ତେଣୁ ବର୍ଜନୀୟ ବୋଲି ଗଣା କରାଯାଉଥିଲା । ଦେବତାମାନେ ଉଚ୍ଚରେ ସ୍ଵର୍ଗରେ ଥିଲେ, ଆରାଧନାର ଅଭୀଷ୍ଟ ହୋଇ ରହିଥିଲେ ଏବଂ ଦୈବ ପ୍ରେରଣାକୁ ଉତ୍ସାହିତ ହୋଇଆସିଛି ବୋଲି ମନେ କରା ଯାଉଥିବା କାବ୍ୟ ଓ ସାହିତ୍ୟ ଅନେକତଃ ଏପରି ଏକ ଭାଷାରେ ଆପଣାକୁ ବ୍ୟକ୍ତ କରୁଥିଲା, ଯାହା କଦାପି ପ୍ରାତ୍ୟହିକ ହୋଇନଥିବ । କାବ୍ୟର ଭାଷା ଅଧିକରୁ ଅଧିକ ଚିତ୍ତବିନୋଦକ ହେବ, ସତ୍ତାଯୋଗ୍ୟ ହେବ; ତେଣୁ ଯଥାସମ୍ଭବ ଆଳଙ୍କାରିତାରେ ଖୁନ୍ଦି ହୋଇ ରହିବ, ନାନା ଚମତ୍କାର ଦ୍ଵାରା ଚମକାଇ ଦେଉଥିବ । ଆମେ ଯେଉଁଠାରେ ଅଛୁ ଅର୍ଥାତ୍ ଜୀବନ ବଞ୍ଚୁଛୁ, ଆମକୁ ସେଠାରୁ କୁଆଡ଼େ କେତେ ଦୂରକୁ ଉଡ଼ାଇ ନେଇ ଯାଉଥିବ । ସେହି କାଳର ନ୍ୟାୟରେ 'ଅସାରେ ଖଳୁ ସଂସାରେ' କବିକୁ ହିଁ ଏକମାତ୍ର ପ୍ରଜାପତି ବୋଲି କୁହା ଯାଉଥିଲା । ସେତେବେଳେ ସମସ୍ତେ ଯେ କବିଥିଲେ, ସେକଥା ଆଦୌ ନୁହେଁ, ତଥାପି ଜଣେ କବିକୁ ପ୍ରଜାପତି ବୋଲି ଆଖ୍ୟାୟିତ କରି ସାଧାରଣ କାବ୍ୟ-ରସିକମାନେ ମଧ୍ୟ ସତେଅବା ନିଜ ଭିତରୁ ପ୍ରଜାପତିଟିଏ ହୋଇ ଆଉ କୁଆଡ଼କୁ ଉଡ଼ି ବାହାରିଯିବା ଭଳି ଅନୁଭବ କରିପାରୁଥିଲେ । ଫୁଲଟିଏ ସମ୍ଭବ ହେବାକୁ ହେଲେ ଫୁଲଗଛଟିଏ ଦରକାର । ଫୁଲଗଛଟିଏ ସମ୍ଭବ ହେବାକୁ ହେଲେ ତଳେ ଦମ୍ଭହୋଇ ମାଟି ବୋଲି ଏକ ଉପାଦାନ ବି ରହିଥିବା ଦରକାର, ସର୍ବୋପରି ମାଳିଟିଏ ଦରକାର । ପୃଥିବୀର ଭାଗ୍ୟ ଭଲ ଯେ ଏଠାରେ ସମସ୍ତେ ପ୍ରଜାପତି ହେବାକୁ ଇଚ୍ଛା କରୁନାହାନ୍ତି, ଏଠି ମାଳି ବି ରହିଛନ୍ତି । ପ୍ରଜାପତିମାନଙ୍କର ତୁଳନାରେ ହୁଏତ ଅଧିକତର ସଂଖ୍ୟାରେ ମାଳିମାନେ ଅଛନ୍ତି । ସାହିତ୍ୟରେ ମଧ୍ୟ ଯହୁଁ ଯହୁଁ ଏହି କଥାଟିକୁ ବୁଝି ପାରିବା ଅକଲଟିକୁ ଥାନ ଛାଡ଼ି ଦିଆଯାଇଛି, ସେତିକି ସେତିକି ସାହିତ୍ୟରେ ସଂଜ୍ଞା ବଦଳିଛି, ପଦ୍ୟ ଓ କାବ୍ୟ ସହିତ ସହାବସ୍ଥିତ ଭାବରେ ଗଦ୍ୟକୁ ବାଟ ଛାଡ଼ି ଦିଆଯାଇଛି ।

 

ଅଥବା, ସାହିତ୍ୟନାମକ ଆମ ପୃଥିବୀଟିରେ ମାଳି ଓ ପ୍ରଜାପତି କ୍ରମେ ଉଭୟକୁ ସ୍ଵୀକୃତି ଦିଆଯାଇଛି । ଅଥବା, ସେଇ ଗୋଟିଏ ମଣିଷ ଭିତରେ, ସବୁ ମଣିଷଙ୍କ ଭିତରେ ମାଳିଟିଏ ରହିଛି, ପ୍ରଜାପତିଟିଏ ରହିଛି । ଜୀବନ ନାମକ ଚଢ଼େଇଟି ଭିତରେ ନୀଡ଼ ତଥା ଆକାଶ ଉଭୟର ପ୍ରେରଣା ଏବଂ ପାଞ୍ଚନା ଅବଶ୍ୟ ରହିଛି । ଭାବଗୁଡ଼ିକୁ ସହଜରେ ବ୍ୟକ୍ତକରି ହେବ ନାହିଁ ବୋଲି ହୁଏତ ଏକଦା ସାହିତ୍ୟରେ କଥିତ ଭାଷାକୁ ପ୍ରାୟ ବାଦ୍ ଦେଇ କାବ୍ୟିକ ଆଉ ପ୍ରକାରେ ଭାଷାର ଭିଆଣ କରାଯାଉଥିଲା । ଏହି ସଂସାରଟା ପ୍ରତି ଉଦାସୀନ ନହେଲେ ଆଦୌ କୌଣସି କାବ୍ୟକାରିତା ସମ୍ଭବ ହେବନାହିଁ ବୋଲି ସେତେବେଳେ ଏକ ଶଙ୍କା ମଧ୍ୟ ରହିଥିଲା । ତେଣୁ, ଜୀବନକୁ ଛାଡ଼ି ସାହିତ୍ୟରେ ରୀତିର, ରସର ଗୋଟାଏ ଗୋଟାଏ ଅଲଗା ତତ୍ତ୍ଵ ଏବଂ ବ୍ୟାକରଣର ତଲାସ କରାଯାଉଥିଲା, ବେଳେବେଳେ ଏପରି ଅତିରିକ୍ତତାମାନ ବି ଦେଖିବାକୁ ମିଳୁଥିଲା, ଯେତେବେଳେ କି ଆଦୌ ଭାବ ନଥାଇ ମଧ୍ୟ ଶବ୍ଦସଜ୍ଜାର ବାଣମାରି ରମ୍ୟ ଅର୍ଥାତ୍ ରମଣଯୋଗ୍ୟ କାବ୍ୟମାନ ବାନ୍ଧି ଦିଆ ଯାଉଥିଲା ଏବଂ ରୀତିକୁ ସତେଅବା ପ୍ରୀତିର ଏକ ଭବ୍ୟ ସ୍ଥାନାପନ୍ନ ବୋଲି ଗ୍ରହଣ କରାଯାଉଥିଲା । ସମ୍ଭବତଃ ତାହାରି ପ୍ରାଦୁର୍ଭାବରେ ସାହିତ୍ୟର ଭାଷା କହିଲେ ଏକାବେଳକେ ଏକ ଅନ୍ୟ ଉଆସରେ କାରବାର ତଥା ବେହରଣ କରିବାକୁ ବୁଝାଉଥିଲା । ଆମ ଆଧୁନିକ ସମୟଟାରେ ମଧ୍ୟ ଯେଉଁମାନେ ଖାଲି କାବ୍ୟକବିତା ମଧ୍ୟରେ ନିଜର ସାହିତ୍ୟିକ ଇଚ୍ଛାପୂରଣକୁ ସୀମାବଦ୍ଧ କରି ରଖିଥାନ୍ତି, ଅନେକ ସମୟରେ ସେମାନେ ମଧ୍ୟ ଆପଣାକୁ ହୁଏତ ଏତେ ଅନମନୀୟ ପ୍ରମାଣେ ପ୍ରଜାପତି ସଦୃଶ ଭାବନ୍ତି ଯେ, ସେମାନେ ନାକରେ ଗୁଞ୍ଜିଥିବା ଫୁଲଟି ତଳକୁ ଯେ ବୃନ୍ତଟିଏ ରହିଛି, ବୃନ୍ତ ତଳକୁ ଶାଖାଟିଏ ବା ବୃକ୍ଷଟିଏ ରହିଛି ଓ କୋଉଠି ମାଟିଟିଏ ରହିଛି ବୋଲି ଯେ ଏହି ସବୁକିଛି ସମ୍ଭବ ହେଉଛି, ସେକଥା ସ୍ଵୀକାର କରୁଥିବା ପରି ଆଦୌ ମନେହୁଅନ୍ତି ନାହିଁ । ସେମାନେ ସତେଅବା 'ବ୍ୟାଲୋଳଗଣ୍ଡସ୍ଥଳ' ହୋଇ ବିଚରଣ କରୁଥାନ୍ତି । ଭାରି ଲୋସଡ଼ି ପଡ଼ିଥାନ୍ତି । ସାହିତ୍ୟର ଉତ୍ତରାଧିକାର ଯେ ଆମ ସମସ୍ତଙ୍କ ପାଇଁ ନୁହେଁ, ଆମକୁ ସେହିପରି ଏକ ଧାରଣା ଆଣି ଦେଇଥାନ୍ତି ।

 

ପୃଥିବୀ-ଇତିହାସରେ ଏକ ନିର୍ଦ୍ଦିଷ୍ଟ ଯୁଗାନ୍ତକାରିତା’ର ପ୍ରସ୍ତାବ ଦେଇ ତଥା ଆମନ୍ତ୍ରଣ ଜଣାଇ ଯେତେବେଳେ ଇଉରୋପ ଆସି ଭାରତବର୍ଷ ଉପରେ ଲଦି ହୋଇପଡ଼ିଲା, ସେତେବେଳେ ଏଠି ମଧ୍ୟ ଆମ ସାହିତ୍ୟିକ ସରୋବରଟି ମଧ୍ୟରେ ଏକ ଅଭିନବ ଚଞ୍ଚଳତା ଆରମ୍ଭ ହୋଇଗଲା । ସତେଅବା ସମଗ୍ର-ପରିମଳଟି ବଦଳି ଯିବାର ଏକ ଆହ୍ଵାନ ଆସି ଆମକୁ ହାବୁଡ଼ିଗଲା । ୟୁରୋପରେ ପୂର୍ବବର୍ତ୍ତୀ ଏକାଧିକ ଶତାବ୍ଦୀ ଧରି ମନୁଷ୍ୟମାନଙ୍କର ସାମୂହିକ ଆସ୍ପୃହାରାଜ୍ୟରେ ଯେଉଁସବୁ ଆଲୋଡ଼ନ କ୍ରମେ ଗଭୀର ଚେରମାନ ମଡ଼ାଇ ନିଜକୁ ଇଉରୋପୀୟତା ବୋଲି ପ୍ରକଟ କରି ଆଣିଥିଲା, ଭାରତବର୍ଷ ଉପରେ ସତେଅବା ସେହିଗୁଡ଼ିକ ଆସି ଅଜାଡ଼ି ହୋଇ ପଡ଼ିଲା । ସେଥିପାଇଁ ଯଥାରୀତି ନିଜକୁ ପ୍ରସ୍ତୁତ କରିବାର ବି ବେଳ ନଥିଲା, ତାହାକୁ ନାହିଁ ବୋଲି କହି ଲେଉଟାଇ ଦେବାର ବି ଆଦୌ ସମ୍ଭାବନା ନଥିଲା । ଏହି ନୂତନ ଆଲୋଡ଼ନଟିର ଇଉରୋପରେ ମଧ୍ୟ ଏକ ଦୀର୍ଘ ଇତିହାସ ରହିଥିଲା, ରେନେସାଁସ୍ ଏବଂ Enlightmentର ସାହସୀ ଉଦବେଳନଗୁଡ଼ିକ ୟୁରୋପକୁ ଏକ ନବ ସଂସ୍କରଣର ଗଢ଼ଣରେ ତିଆରି କରି ଆଣିଥିଲା । ଷୋଢ଼ଶ ଶତାବ୍ଦୀର Refomation ଫଳରେ ଇଉରୋପୀୟ ମନୁଷ୍ୟ ଏକାବେଳେକେ ନୂଆ ନୂଆ ପ୍ରତିଶ୍ରୁତି ଓ ଫଳଶ୍ରୁତିମାନ ସତେଅବା ଯୁଗମନରେ ସମର୍ଥନ ଲାଭକରି ଧ୍ଵଜାପରି ଉଡ଼ିବାକୁ ଆରମ୍ଭ କଲେ । ଫରାସୀ ବିପ୍ଳବ, ଜର୍ମାନୀର କୃଷକ-ବିଦ୍ରୋହ, ସାମନ୍ତବାଦୀ ବ୍ୟବସ୍ଥାର କ୍ରମାବଲୋପ, ସାର୍ବଜନୀନ ଶିକ୍ଷା, ଆଧୁନିକ ଇଉରୋପକୁ ପୂର୍ଣ୍ଣରୂପେ ବୁଝିବାକୁ ହେଲେ ଏଗୁଡ଼ିକୁ ଗୋଟିଏ ଗୋଟିଏ ନବ ପ୍ରବର୍ତ୍ତନକାରୀ ସୋମାନରୂପେ ବୁଝିବାକୁ ପଡ଼ିବ । ଏବଂ, ଏକାନ୍ତ ସ୍ଵାଭାବିକ ଭାବରେ ଇଉରୋପୀୟ ସାହିତ୍ୟ ଏହି ସବୁକିଛିର ବାହନ ହୋଇ ରହିଥିଲା । ସାହିତ୍ୟ ବଦଳିଲା ଏବଂ ତତ୍କାଳୀନ ସମଗ୍ରରେ ଯାବତୀୟ ବଦଳି ଯିବାର କ୍ଷେତ୍ରରେ ସାଧନ ପରି କାର୍ଯ୍ୟ ମଧ୍ୟ କରିଥିଲା । ସେହି ସ୍ଥିତିରେ ଖାଲି ପଦ୍ୟ, ଖାଲି କାବ୍ୟ ମୋଟେ କୁଳାଇ ନଥାନ୍ତା । ତେଣୁ କାବ୍ୟର ସରିସା ହୋଇ ଗଦ୍ୟର ବି ଉଦ୍‍ଭବ ହୋଇ ଆସିଥିଲ । ଆଧୁନିକ ସାହିତ୍ୟ କହିଲେ ସାମ୍ପ୍ରତିକ ପୃଥିବୀରେ ଯେତେ ଯାହା ପ୍ରସାରଣକୁ ଏବେ ବୁଝାଉଛି, ଏହି ସବୁକିଛିର ଉନ୍ମେଷ ସେତିକିବେଳେ ସେଇଥିରୁ ହୋଇଥିଲା ବୋଲି କହିଲେ ମୋଟେ ଅତ୍ୟୁକ୍ତି ହେବନାହିଁ ।

 

ଏଠାରେ ଆଉ ଗୋଟିଏ କଥା ଉପରେ ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ । ଆଧୁନିକ ଏବଂ ପ୍ରାଚୀନ ଯୁଗ ମଧ୍ୟରେ ସମ୍ଭବତଃ ସବାବଡ଼ ପାର୍ଥକ୍ୟଟି ହେଉଛି ଯେ, ପ୍ରାଚୀନ ଯୁଗରେ ମନୁଷ୍ୟମାନେ ସେମାନଙ୍କର କଳନାର ବାହାରେ, ଏପରିକି ଏହି ପୃଥିବୀର ବାହାରେ ଥିବା ଏକ ନିୟତି ଦ୍ଵାରା ପରିଚାଳିତ ହେଉଥିଲେ । ସ୍ଵର୍ଗବାସୀ ଭଗବାନ୍ ବୋଲ ନମାନୁଥିବା ମଣିଷ ଉପରେ ପ୍ରତିଶୋଧ ବି ନେଇ ପାରୁଥିଲେ । ଭାଗ୍ୟନାମକ ଏକ ରଜ୍ଜୁ ସିଆଡ଼େ କୁଆଡ଼େ ଥାଇ ଏଠି ମନୁଷ୍ୟକୁ କ୍ରୀଡ଼ାନକ ପରି ପଚାଇବାରେ ଓ ନଚାଇବାରେ ଲାଗିଥିଲା । ପ୍ରକୃତିର ସତ୍ୟଗୁଡ଼ିକୁ ଅଧିଗମି ପ୍ରକୃତି ଉପରେ ଅଧିକରୁ ଅଧିକ ଅକ୍ତିଆର ଅର୍ଜନ କରି ଜାଗତିକ ଜୀବନକୁ ଅଧିକ ପରିବର୍ତ୍ତନସମର୍ଥ କରି ତିଆରି କରିପାରିବା ସଙ୍ଗେ ସଙ୍ଗେ ମଣିଷମାନେ ସତ୍ୟକୁ, ଭଗବାନଙ୍କୁ ଅଧିକରୁ ଅଧିକ ଔଚିତ୍ୟ ସହିତ ନିଜ ଭିତରେ ଠାବ କରିପାରିଲେ; ସେଥିରୁ ସାହସ ପାଇଲେ ବିଶ୍ଵାସ ଲାଭକଲେ । ଏହି ପୃଥିବୀ ମିଛଟାରେ କାହିଁକି ଯାବତୀୟ କଥାରେ ଏକ ଅଦୃଶ୍ୟ କର୍ତ୍ତାର ଅନୁକମ୍ପା ଉପରେ ନିର୍ଭର କରିବ, ଏହିପରି ଏକ ସନ୍ଦେହ ମଧ୍ୟ ମନୁଷ୍ୟମାନଙ୍କୁ ଆଉ ପ୍ରକାରେ ଜିଜ୍ଞାସୁ କରାଇ ଆଣିଲା ଓ ତା' ନିଜ ଭିତରେ ନାନା ନୂତନ ଉଜ୍ଜ୍ଵଳତା’ର ସମାଚାର ଆଣିଦେଲା । ଗତ ଶତାବ୍ଦୀର ଭାରତବର୍ଷରେ ଯାବତୀୟ ନବଜାଗରଣ ଏବଂ ନୂତନ ଉନ୍ମେଷଣାର ପଶ୍ଚାତରେ ଇଉରୋପର ଏହି ସତ୍ୟଟି ଭାରତୀୟ ଦ୍ରଷ୍ଟାମାନଙ୍କୁ ସବୁଠାରୁ ଅଧିକ ପ୍ରତ୍ୟୟର ସହିତ ଆକୃଷ୍ଟ କରିଥିବାର ଦୃଷ୍ଟିଗୋଚର ହୋଇପାରିବ । ଆଗର କେତେକ ଉପନିଷଦରେ ଅବଶ୍ୟ ଏହିଭଳି ଏକ ଘୋଷଣା ରହିଥିଲା, କିନ୍ତୁ ଭାରତର ସାମୂହିକ ଜୀବନନାଳୀଗୁଡ଼ିକୁ ତାହା ଆଦୌ ସ୍ପର୍ଶ କରିନଥିଲା-। ସତେଅବା ସେହି ଆଦ୍ୟକାଳରୁ ହିଁ ଭାରତୀୟତା ଅତ୍ୟନ୍ତ ଶୋଚନୀୟ ଭାବରେ ଦୁଇଖଣ୍ଡ ହୋଇ ରହିଥିଲା । ମଣିଷମାନଙ୍କର ଜୀବନ ବହୁବିଧ ଦାସତ୍ଵ ଦ୍ଵାରା ଅସମର୍ଥ ଓ ତିମିରାଚ୍ଛନ୍ନ ହୋଇ ରହିଥିଲା ଏବଂ ତେଣୁ ଋଷି ଉଚ୍ଚାରିତ ଅଧ୍ୟାତ୍ମବାକ୍ୟଗୁଡ଼ିକ ମୁଖ୍ୟତଃ ସେହି ତିମିରାଚ୍ଛନ୍ନତା ଭିତରେ ସେମାନଙ୍କୁ କିଞ୍ଚିତ୍ ଭାବପ୍ରବଣ ହୋଇ ରହିବାଲାଗି ଖୋରାକ ଆଣି ଯୋଗାଇ ଦେଇଥିଲା-। ଏବେ ମଧ୍ୟ, ଯେଉଁମାନେ ସାମୂହିକ ଜୀବନର ଅବିବେକିତାଗୁଡ଼ିକ ଭିତରେ ନାକଯାଏ ଛନ୍ଦିହୋଇ ରହିଛନ୍ତି, ସେମାନେ ଭାରତୀୟ ପ୍ରାଚୀନ ଶାସ୍ତ୍ରମାନଙ୍କରୁ ଆପ୍ତ ସତ୍ୟଗୁଡ଼ିକୁ ସଭାମାନଙ୍କରେ ବାଢ଼ିଦେଇ କେତେ ପୁଲକ ଅନୁଭବ କରୁଛନ୍ତି ।

 

ଦେବତାମାନଙ୍କର ସ୍ତୁତି କରାଯାଏ । ମହୀମଣ୍ଡଳରେ ରାଜାମାନଙ୍କର ବି ସ୍ତୁତି କରାଯାଏ । ଚାରଣମାନେ ହିଁ ସବୁଠାରୁ ଅଧିକ ଦକ୍ଷତା ଏବଂ ବିଚକ୍ଷଣତା ସହିତ ସ୍ତୁତିଗୁଡ଼ିକ ଗାଇପାରନ୍ତି ଏବଂ ରଚନା ବି କରିପାରନ୍ତି । ଓଡ଼ିଆ ରୀତିଯୁଗର ଅଧିକାଂଶ କାବ୍ୟକୃତିକୁ ବହୁତ ସମୀଚୀନତା ସହିତ କେତେକାଂଶରେ ସ୍ତୁତି ବୋଲି କୁହାଯାଇ ପାରିବ । ଆମର ଏହି ଜାତୀୟବାଦୀ ତଥାକଥିତ ନବଯୁଗରେ ମଧ୍ୟ କେତେ କେତେ କବିଙ୍କର କୃତିମାନ ଗୋଟାପଣେ ସ୍ତୁତି ଭଳି ଶୁଭିଥାଏ । ବର୍ଣ୍ଣନାରେ ଚାତୁର୍ଯ୍ୟ ରହିଛି, ମାଧୁର୍ଯ୍ୟ ରହିଛି, ମାତ୍ର ତଥାପି ମାଟି ଛାଡ଼ି ରହିଛି । ଜୀବନ ଛାଡ଼ି ରହିଛି । ଅସଲ ସତ୍ୟ ଓ ଅସଲ କର୍ତ୍ତୃତ୍ଵ ଆମଠାରୁ ବାହାରେ ରହିଛି ବୋଲି ଠଣା କରୁଥିବାଯାଏ ମଣିଷ ଚାରଣଟିଏ ହେବାକୁ ବାଧ୍ୟହୁଏ । ମାତ୍ର ତାହା ଏଇଠି ଆମରି ଭିତରେ ଆମ ଚାରିପାଖରେ ରହିଛି ବୋଲି ଅନୁଭବ କରିବା ସହିତ ତା'ର ଚେତନା ବଦଳିଯାଏ, ମାର୍ଗଧାରା ବଦଳିଯାଏ । ସେହି ଧାରା ପ୍ରାୟ ପ୍ରୟୋଜନତଃ ନିଜର ଭାଷା ପାଇଁ ଗଦ୍ୟକୁ ଖୋଜେ । ଅନ୍ତତଃ ଚାରଣ ହେବାକୁ ମୋଟେ ରାଜି ହୁଏନାହିଁ । ଏହିପରି ବିଭିନ୍ନ ପରିପ୍ରେକ୍ଷୀରୁ ତଉଲି ଏବର ସାହିତ୍ୟକୁ କେବଳ ନୁହେଁ, ଏବର ଜୀବନସ୍ପର୍ଦ୍ଧାଗୁଡ଼ିକୁ ମଧ୍ୟ ଗଦ୍ୟର ଅପେକ୍ଷାକୃତ ଅଧିକ ନିକଟବର୍ତ୍ତୀ ବୋଲି କୁହାଯାଇପାରିବ । ଗଦ୍ୟ ଯେ ଶୁଷ୍କହେବାକୁ ବାଧ୍ୟ ହେବ, ଏହି ଅପବାଦଟି ସମ୍ଭବତଃ ତାକୁ ପଦ୍ୟ ଓ କାବ୍ୟର ପ୍ରତିନିଧିମାନଙ୍କଠାରୁ ମିଳିଥିବ । ନିତିଦିନର ଭାଷାକୁ ଆମେ ଗଦ୍ୟରେ ହିଁ କହିଥାଉ, ମାତ୍ର ତା' ବୋଲି ସେହି ଭାଷା କ'ଣ ଶୁଷ୍କ ହେବାକୁ ବାଧ୍ୟହୁଏ ? ଭଗବାନଙ୍କ ପରି ରସର ମଧ୍ୟ ହୁଏତ କୌଣସି ଲିଙ୍ଗ ନାହିଁ କି ଜାତି ନାହିଁ । ସବୁ ପଦ୍ୟରେ ଯେମିତି କଦାପି ରସ ଫୁଟେ ନାହିଁ, ସବୁ ଗଦ୍ୟ ସେହିପରି ରସହୀନ ହେବାକୁ କଦାପି ବାଧ୍ୟ ହୁଏ ନାହିଁ । ହଁ, ଯାବତୀୟ ଯଥାର୍ଥ ଗଦ୍ୟ ପ୍ରାୟ ଧର୍ମତଃ ସିଧା ହେବାକୁ ବାଧ୍ୟହୁଏ । ଜୀବନର ଅନୁଭୂତିରେ ସ୍ପଷ୍ଟତା ବଢ଼ିଲେ, ମଣିଷ ଭିତରେ ସିଏ ଜୀବନରେ ବାଟ ଚାଲି ଲାଭ କରିଥିବା ପ୍ରତ୍ୟୟଗୁଡ଼ିକ ନିଜ ଗୋଡ଼ରେ ଛିଡ଼ା ହୋଇ ଶିଖିଲେ ଜଣେ ମଣିଷ ମଧ୍ୟ ସିଧା ହେବାକୁ ବାଧ୍ୟ ହୁଏ । ସିଧା ମଣିଷକୁ ସତକୁ ସତ ବୁଝିହୁଏ, ବିଶ୍ଵାସ କରିହୁଏ, ସିଧା ମଣିଷହିଁ ଅଧିକ ବିଶ୍ଵାସନୀୟତା ସହିତ ଆମର ସାଙ୍ଗ ହୋଇପାରେ । ବଙ୍କା କଥା ଖୁବ୍ ବିହ୍ଵଳ କରିପାରେ, ସୁନା ମିରିଗ ପରି ହୁଏତ ଏକ ମିଛ ପୌରୁଷକୁ ଜାଗୃତ କରି ଆଣିବାକୁ ଭାରି ଚେଷ୍ଟାକରେ । ମୁଗ୍ଧ କରେ, ଦୋଳାରେ ବସାଇ ନଚାଇପାରେ । ଆଖର ସିଧା ଭାଷା ହିଁ ସିଧା ହୋଇ ଶିଖାଏ । ଗଦ୍ୟରେ ଗପ ଲେଖାଯାଏ, ଉପନ୍ୟାସ ଓ ନାଟକ ବି ଲେଖାଯାଏ । ତଥାପି ସେଗୁଡ଼ିକ ଭିତରେ କୋଉଠି କ'ଣ ସବୁ ବଙ୍କା ହୋଇ ରହିଥାଏ କେଜାଣି, ତାହା ଅସଲ କଥାଗୁଡ଼ିକୁ ସତେଅବା ଭାରି ଲୁଚାଇ ରଖିବାକୁ ଚେଷ୍ଟାକରେ । କାବ୍ୟର ଯୁଗର ହୁଏତ ଏପରି ଗୋଟିଏ ପର୍ଯ୍ୟାୟ କେବେ ରହିଥିଲା, ଯେତେବେଳେ ବି କିଛି ନା କିଛି ଲୁଚାଇ ରଖିବାକୁ କଳାତ୍ମକତା ବୋଲି କୁହା ଯାଉଥିଲା ଏବଂ ଲୁଚାଇ ରଖିବାର ଅର୍ଥାତ୍ ବଙ୍କାରେ କହିବାର ସେହି ଧନ୍ଦାରେ ଏକଦା ଭାଷା ମଧ୍ୟ ମନ୍ଦ ସହଯୋଗ କରୁନଥିଲା । ସିଧା କହିବାଟାକୁ ଶୀଳନତା’ର ବିରୋଧୀ ବୋଲି ବିବେଚନା କରାଯାଉଥିଲା ।

 

ନ୍ୟାୟତଃ ଗପ, ଉପନ୍ୟାସ ଏବଂ ନାଟକର ବହୁ ପରେ ଯାଇ ସାହିତ୍ୟକୁ ପ୍ରବନ୍ଧ ଆସିଲା । ଜୀବନର ଭାଷା ଏକ ନିର୍ଦ୍ଦିଷ୍ଟ ଅନୁରାଗ ବିନ୍ଦୁ ପାଖରେ ଆସି ପହଞ୍ଚିଲେ ତାହା ମୂଳତଃ ସମୀକ୍ଷାତ୍ମାକ ହୋଇଥାଏ । କଳାତ୍ମକତା ବା ସାହିତ୍ୟିକତା ସବାଆଗ ସମୀକ୍ଷାତ୍ମକ ହେବ ନା ଭାବପ୍ରବଣ ହେବ, ସେହି ବିଷୟରେ ଏକ ବିତର୍କ ବେଶ୍ ସମ୍ଭବ ହୋଇପାରିବ । ମଣିଷ ଭିତରେ ଅସଲ ସମୀକ୍ଷାତ୍ମକ ନେତ୍ରଟିଏ ଖୋଲିଲେ ଯାଇ ସିଏ ସାହିତ୍ୟରେ ପ୍ରବନ୍ଧକୁ ଅଧିକ ମନକରେ । ପ୍ରବନ୍ଧ ପଢ଼ିବାକୁ ମନକରେ, ପ୍ରବନ୍ଧ ଲେଖିବାକୁ ମନକରେ । ତା' ମୁହୂର୍ତ୍ତଗୁଡ଼ାକ କେବଳ ଆଖି ବୁଜି କୁଆଡ଼କୁ ବୋହି ପଳାଇବାକୁ ଆଦୌ ଇଚ୍ଛା କରନ୍ତିନାହିଁ । ତା'ର ହଡ଼ା ଭିତରକୁ କାଳିସୀମାନେ ପ୍ରବେଶ କରିବାକୁ ବି ସାହସ କରନ୍ତି ନାହିଁ । ପ୍ରକୃତିକୁ ଭଲପାଇବା ଅର୍ଥାତ୍ ପ୍ରକୃତି ସହିତ ଯୁକ୍ତ ହୋଇ ରହିବା, ମନୁଷ୍ୟ ସହିତ ଯୁକ୍ତହେବା ଓ ମଣିଷକୁ ଭଲପାଇବା, ଜୀବନକୁ ଭଲପାଇବା ଓ ଜୀବନ ସହିତ ଯୁକ୍ତ ହୋଇ ରହିବା, କେବଳ ଏକ ସମୀକ୍ଷାତ୍ମକ ନେତ୍ର ରହିପାରିଲେ ଯାଇ ଏସବୁ ଏକ ନିର୍ଦ୍ଦିଷ୍ଟ ସଙ୍ଗତି ସହିତ ସମ୍ଭବ ହୋଇଥାଏ । ଏପରି ଗୋଟାଏ ପ୍ରକାରର ଭାଷା ରହିଛି, ଯାହା କେତେ ସହଜରେ ପାଠକର ଗୋଡ଼କୁ କୁଆଡ଼େ ମନ କୁଆଡ଼େ ଖସାଇ ନେଇଯାଏ; ଏପରି ଭାଷାଟିଏ ବି ରହିଛି, ଯାହା ସତେଅବା ଏକ ବୁଢ଼ୀଆଣୀ ପରି ସିଏ ପାତି ରଖିଥିବା ଜାଲଟି ଭିତରକୁ ଆକୃଷ୍ଟ କରାଏ, ଆକୃଷ୍ଟ କରେଇ ବାନ୍ଧି ପକାଏ । ପୋଷ ମନାଇନିଏ । ବହୁତ ପାଠକ ହୁଏତ ଥାଆନ୍ତି, ଯେଉଁମାନେ ସତେଅବା ଗୋଡ଼ ଖସାଇ କୁଆଡ଼େ ସଡ଼କରି ଖସିଯାଇ ପାରିବା ଅଥବା କୋଉଠି ଜାଲରେ ଆସି ବାନ୍ଧିହୋଇ ଯିବାକୁ ଭାରି ଖୁସିପାଆନ୍ତି ଏବଂ ସେଥିଲାଗି ସାହିତ୍ୟରେ ଅନୁରୂପ ଭାଷାଟିଏ ଖୋଜୁ ବି ଥାଆନ୍ତି । ସୃଷ୍ଟିକର୍ତ୍ତାଙ୍କର ଅପାର ଦୟା ଯେ ସିଏ ସବୁ ଜାତିର ଓ ସବୁ ରୁଚିର ମଣିଷଙ୍କ ପାଇଁ ଅନୁରୂପ ସାହିତ୍ୟମାନ ଖଞ୍ଜି ଦେଇଛନ୍ତି ଓ ସେହି ଅନୁସାରେ ଗୋଟିଏ ଗୋଟିଏ ଭାଷା ମଧ୍ୟ ଆଣି ଦେଇଛନ୍ତି । ଜଣେ ଲେଖକ ଯାହା ହୋଇଥିବ ଏବଂ ସେହି ଅନୁସାରେ ଯାହା ଲେଖିବାକୁ ଇଚ୍ଛା କରୁଥିବ, ପୃଥିବୀରେ ତାକୁ ସେହିଭଳି ଭାଷାଟିଏ ଅବଶ୍ୟ ମିଳିଯାଇ ପାରିବ । ସୃଷ୍ଟିକର୍ତ୍ତାଙ୍କର ଏହା ମଧ୍ୟ ଅପାର କୃପା ଯେ ପୃଥିବୀର ଅଧିକ ମଣିଷ ସତେଅବା ସହଜାତ ଭାବରେ ଗପ, ଉପନ୍ୟାସ ଓ ନାଟକକୁ ଲୋଡ଼ନ୍ତି । ଅଧିକ ଆନନ୍ଦ ବିନୋଦନକୁ ଲୋଡ଼ନ୍ତି । ସେମାନେ ଶାନ୍ତ ସଂସାର ସମରରୁ ଘଡ଼ିଏ ଛୁଟି ପାଇଯିବେ ବୋଲି ଇଚ୍ଛା କରୁଥାନ୍ତି, ଘଡ଼ିଏ ଗୋଡ଼ ଖସି ଯାଉଥିବା ପରି କାହାର ଫାଶରେ ବାନ୍ଧି ହୋଇ ଯାଉଥିବା ଭଳି ଅନୁଭବ କରି ଭାରି ଉଶ୍ଵାସ ହୁଅନ୍ତି । ପାରମ୍ପରିକ ପୃଥିବୀରେ ତେଣୁ ବିନୋଦନ ହିଁ ଯେ ସାହିତ୍ୟର ସର୍ବପ୍ରଧାନ କର୍ମ ହୋଇ ରହିଥିଲା, ଏଥିରୁ ସେହି କଥାଟିକୁ ବେଶ୍ ସହଜରେ ବୁଝି ହୋଇ ଯାଉଥିବ-। ସଂସାରରେ ବିଭୁକୃପା ବଳରେ ସାହିତ୍ୟରେ ମଜ୍ଜି ରହିବାକୁ ଇଚ୍ଛା କରୁଥିବା ମଣିଷମାନେ ଯେପରି ଖର୍ବ ଅଖର୍ବ ସଂଖ୍ୟାରେ ରହିଛନ୍ତି, ମଜ୍ଜାଇ ପାରୁଥିବା ମଣିଷ ମଧ୍ୟ ସେହି ଅନୁପାତରେ ଅବଶ୍ୟ ରହିଥିବେ । ମାତ୍ର, ସତକୁ ସତ କିଛି ହୋଇ ପାରିବାର ମଣିଷ, ଏମାନେ କାହିଁକି ଯେ ବହୁ ସଂଖ୍ୟାରେ ରହିବେ, ତାହାର ଆଦୌ କୌଣସି କାରଣ ନାହିଁ ।

 

କିଛି ସତକୁ ସତ ହେବା, ସତକୁ ସତ ନିଜ ଭିତରର କେନ୍ଦ୍ରଟିକୁ ଆବିଷ୍କାର କରିବା ଏବଂ ତାହାରି ନିର୍ଦ୍ଦେଶରେ ପରବର୍ତ୍ତୀ ଅନ୍ୟ ସୋପାନଗୁଡ଼ିକ ଲାଗି ବାସନା ରଖି ବାଟଟିଏ ଚାଲିବା, ଏହା ହେଉଛି ଏକାବେଳେକେ ଏକ ଅନ୍ୟ ଗହନର କଥା, ଏକ ଅନ୍ୟ ଆକର୍ଷଣର ବି କଥା । ଯେଉଁ ସାହିତ୍ୟ ଏହି ସବୁକୁ ଲକ୍ଷ୍ୟରୂପେ ଆପଣା କରି ସଂସାରକୁ ବାହାରିଥାଏ, ତାହାର ଭାଷା ପ୍ରୟୋଜନତଃ ଅଲଗା ପ୍ରକାରର ହେବା ନିମନ୍ତେ ଅବଶ୍ୟ ବାଧ୍ୟ ହେବ । ତାହା ଏକାବେଳେକେ କଳାତ୍ମକ ହେବ, ସମୀକ୍ଷାତ୍ମକ ହେବ; ଏକାବେଳେକେ ଏକ କେନ୍ଦ୍ରଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବ ଓ ପରିଧିମାନଙ୍କୁ ଆବଶ୍ୟକ ବିସ୍ତାରଗୁଡ଼ିକ ଆଣି ଯୋଗାଇ ବି ଦେଉଥିବ । ସାହିତ୍ୟର ଏକ ବର୍ଗ ରୂପେ ପ୍ରବନ୍ଧ ଯେ ସର୍ବତ୍ର କାହିଁକି ସବା ଶେଷରେ ଆସି ସଂସାର ଭିତରେ ପହଞ୍ଚିଲା, ସମ୍ଭବତଃ ସେଇଥିରୁ ହିଁ ଆମକୁ ଏହାର ଏକ କାରଣାନୁମାନ ମିଳି ଯାଇପାରିବ । ଗୋଟିଏ ପୂର୍ଣ୍ଣମତି ତଥା ପୂର୍ଣ୍ଣଗତି ପ୍ରବନ୍ଧ ସକାଶେ ମଧ୍ୟ ସର୍ବଦା ଏକ ଆଳଙ୍କାରିକତା’ର ଆବଶ୍ୟକତା ରହିଛି ସତ, ମାତ୍ର ତାହା ଗଳ୍ପ ଓ ଉପନ୍ୟାସାଦି ସକାଶେ ଲୋଡ଼ା ହେଉଥିବା ଆଲଙ୍କାରିତା ଠାରୁ ଅବଶ୍ୟ ଭିନ୍ନ ହେବ । ହୁଏତ ଏହାହିଁ ଗୋଟିଏ କାରଣ ହୋଇପାରିବ, ଯେଉଁଥି ସକାଶେ ପ୍ରଧାନତଃ ଗପ ଓ ଉପନ୍ୟାସ କିମ୍ବା କବିତା ଲେଖୁଥିବା ବ୍ୟକ୍ତିମାନେ କ'ଣ ଭାବି ପ୍ରବନ୍ଧ ଲେଖିବାକୁ ମଧ୍ୟ ମନ ବଳାଇଥାନ୍ତି । ଅଧିକାଂଶତଃ ଏସବୁ ଲେଖିବା ଓ ପ୍ରବନ୍ଧ ଲେଖିବାର କାର୍ଯ୍ୟଟି ସେହି ଏକା ପଇତାରେ ଆଦୌ ହୋଇ ପାରେ ନାହିଁ । ଓଡ଼ିଆ ସାହିତ୍ୟରେ ଏପରି ଉଦାହରଣ ହୁଏତ ଏକାଧିକ ଦେଖିବାକୁ ମିଳିପାରିବ । ଆଧୁନିକ ଓଡ଼ିଆ ସାହିତ୍ୟରେ ଜଣେ ଜଣେ ଉଜ୍ଜ୍ଵଳ ତା’ରକା ରୂପେ ଆମ ଆଗରେ ପ୍ରତିଷ୍ଠିତ ହୋଇ ରହିଥିବା ତ୍ରୟୀ–ରାଧାନାଥ, ମଧୁସୂଦନ ଓ ଫକୀରମୋହନଙ୍କର କୃତିରୁ ମଧ୍ୟ ସେହି କଥାଟି ଅତ୍ୟନ୍ତ ସ୍ପଷ୍ଟଭାବରେ ପ୍ରକଟ ହୋଇ ରହିପାରିବ । ଶ୍ରୀଯୁକ୍ତ ବିଶ୍ଵନାଥ କର ଫକୀରମୋହନଙ୍କୁ କବିତା ଛାଡ଼ି ଉପନ୍ୟାସ ଲେଖିବାକୁ ପ୍ରବର୍ତ୍ତାଇ ଥିଲେ, ସେହି ରୀତିର ଅନୁସରଣ କରି ଯଦି କେହି ବିଶ୍ଵନାଥ କରଙ୍କୁ ମଧ୍ୟ କବିତା କିମ୍ବା ଗପ ଲେଖିବାକୁ ପ୍ରବର୍ତ୍ତାଇ ଥାଆନ୍ତା, ତେବେ ତହିଁରୁ କି ଫଳ ଫଳିଥାଆନ୍ତା କେଜାଣି ? ଏବଂ ଏକାବେଳକେ ଦୁଇଟା ପଇତା ପିନ୍ଧି ସାହିତ୍ୟକର୍ମ କରିବା ଏବଂ ଉଭୟ ପ୍ରତି ନ୍ୟାୟ ବିଚାର ମଧ୍ୟ କରିପାରିବା, ଏକଥା ହୁଏତ ଅତି କ୍ଵଚିତ୍ ସମ୍ଭବ ହୋଇଥାଏ । ଅବଶ୍ୟ ଏପରି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ଆଖି ପାଇଁ ଦୁଇ ଜାତିର ଚଷମା ବ୍ୟବହାର କରିଥାଆନ୍ତି । ସେମାନେ ଆବଶ୍ୟକତାରେ ପଡ଼ି ସେପରି କରିଥାନ୍ତି । ସାହିତ୍ୟରେ ସେଡ଼େ ସହଜରେ ଦୁଇଟି ଚଷମା ମୋଟେ ବ୍ୟବହାର କରିହୁଏ ନାହିଁ ।

 

ଶ୍ରୀଯୁକ୍ତ ଗୋପୀନାଥ ନନ୍ଦଶର୍ମା ଆମ ସାହିତ୍ୟରେ ମୁଖ୍ୟତଃ ଗଦ୍ୟ ପ୍ରବନ୍ଧ ଲେଖିଛନ୍ତି, ନିଜର ଏକାଧିକ କ୍ଷେତ୍ରରେ ସେ ପୁରୋଗାମୀ ରୂପେ କାର୍ଯ୍ୟ କରିଛନ୍ତି । ମାତ୍ର, ତାଙ୍କର ଭାଷା ପଣ୍ଡିତଙ୍କର ଭାଷା । କେବଳ ପଣ୍ଡିତମାନେ ହିଁ ସେହି ଭାଷାକୃତିଗୁଡ଼ିକର ଆଗ୍ରହୀ ପାଠକ ହୋଇ ପାରୁଥିବେ । ଏହିଭଳି ରଚନାମାନଙ୍କରେ ପ୍ରକୃତରେ କ'ଣସବୁ କୁହାଯାଉଛି, ତା' ପ୍ରତି ଯେତେ ଦୃଷ୍ଟି ଦିଆନଯାଏ, ପାଣ୍ଡିତ୍ୟପୂର୍ଣ୍ଣ ଅତ୍ୟାନୁରାଗରେ ଆମର ବୋଧଦ୍ଵାରଗୁଡ଼ିକୁ ଆଘାତ କରି ପାରୁଥିବା ଉପରେ ହୁଏତ ତାହାଠାରୁ ଅଧିକ ଅଭିପ୍ରାୟ ରହିଥାଏ । ମୁଁ ଯାହା ଲେଖିବି, ତାକୁ ଯଥାସମ୍ଭବ କମ୍ ବ୍ୟକ୍ତି ବୁଝି ପାରୁଥିବେ, ତେଣୁ ମୁଁ ଭାଷାନାମରେ ଉପଳଖଣ୍ଡମାନ ନିକ୍ଷେପ କରିବାର ଉଦ୍ୟମ କରୁଥିବି— ଏକଦା ଏଇଟା ମଧ୍ୟ ସାହିତ୍ୟରେ ଗୋଟିଏ କୌଶଳ ହୋଇ ଖୁବ୍ ରହିଥିବ । ଆହୁରି ଆଗକୁ ଆସି ଆମେ ଶ୍ରୀଯୁକ୍ତ ରତ୍ନାକର ପତି ଏବଂ ବିପିନ ବିହାରୀ ରାୟଙ୍କର ପ୍ରବନ୍ଧଗୁଡ଼ିକ ପାଖରେ ପହଞ୍ଚି ପାରିବା । ଅଧ୍ୟାପକ ପତି ଆମକୁ ନ୍ୟାୟଶାସ୍ତ୍ର ପଢ଼ାଉଥିଲେ । ନିହାତି ଯାନ୍ତ୍ରିକ ସୂତ୍ରଗୁଡ଼ିକୁ ସିଏ କେତେ ମନୋରମ ଓ ଚିତ୍ତଗ୍ରାହୀ କରି ବ୍ୟକ୍ତ କରି ପାରୁଥିଲେ । ମାତ୍ର, ଓଡ଼ିଆ ଭାଷାରେ ପ୍ରବନ୍ଧ ଲେଖିବା ସମୟରେ ଏପରି କାହିଁକି କଠିନ ହୋଇ ପଡ଼ୁଥିଲେ କେଜାଣି ? ଏହି କିସମର କେତେ କେତେ ନମୁନା ଆମର ଏହି ଚଳନ୍ତି ଯୁଗରେ ମଧ୍ୟ ବେଶ୍ ଦେଖିବାକୁ ମିଳିଥାଏ । ସନ୍ଦେହ ହୁଏ ଯେ, କେତେକ ପ୍ରବନ୍ଧ ଲେଖକ ସତେଅବା ଜାଣିଶୁଣି କର୍କଶ ଭାଷାରେ ପ୍ରବନ୍ଧ ଲେଖନ୍ତି ବୋଲି ବହୁସଂଖ୍ୟକ ପାଠକ ପୂର୍ବରୁ ସାବଧାନ ହୋଇଯାଆନ୍ତି ଓ ମୋଟେ ସେହି ତୋଟା ଭିତରକୁ ଗୋଡ଼ ପକାନ୍ତି ନାହିଁ । କେତେ କେତେ ଅଧ୍ୟାପକ ପାଠ ପଢ଼ାଇବା ସମୟରେ ସତେଅବା ଜାଣିଶୁଣି ଭାଷାରେ ପାଣ୍ଡିତ୍ୟ ବାହାର କରନ୍ତି । ଭାଷାଗାମ୍ଭୀର୍ଯ୍ୟ ଦ୍ଵାରା ବିଦ୍ୟାର୍ଥୀମାନଙ୍କୁ ସତେଅବା ହୁରାଡ଼ିଦେବା ଲାଗି ମନ କରିଥାନ୍ତି । ବିଦ୍ୟାର୍ଥୀ ଏପରି ଭାବରେ ହୁରୁଡ଼ି ଯିବ ଯେ, ଗୋଟିଏ ବୋଲି ପ୍ରଶ୍ନ ପଚାରିବାକୁ ଇଚ୍ଛା କରିବନାହିଁ । ପାଠକକୁ ଡରୁଥିବା ପ୍ରବନ୍ଧକାରମାନେ ପଣ୍ଡିତିଆ କର୍କଶ ଭାଷାରେ ବାଣ ମାରିବାକୁ ଆବଶ୍ୟକ ମନେ କରୁଥାନ୍ତି କି ? ଆମ ଅଧ୍ୟାପନାର ଅଳିନ୍ଦମାନଙ୍କରେ ଯେ କ୍ଵଚିତ୍ କେହି କୌଣସି ପ୍ରଶ୍ନ ପଚାରନ୍ତି, ଏହି ଦୁର୍ଭାଗ୍ୟଟି ସକାଶେ ଆମେ ହୁଏତ ଆଖି ବୁଜି ଆମ ପଣ୍ଡିତମାନଙ୍କୁ ଦାୟୀ କରିପାରିବା । ପାଠକ ପାଖକୁ ଲାଗି ଆସିବାକୁ ସତକୁ ସତ ମନ କରୁଥିଲେ ଲେଖକ ସହଜ ହୁଏ । ମୁଁ ଉପସ୍ଥାପିତ କରୁଥିବା ଆଲୋଚନାଟି ଆଉ ବାରଜଣଙ୍କୁ ମଧ୍ୟ ଆକର୍ଷିତ ଓ ସଂପୃକ୍ତ କରିଆଣୁ, ଜଣେ ସୁସ୍ଥ ପ୍ରବନ୍ଧକାରର ଏହାହିଁ ଅଭିଳାଷ ହୋଇ ରହିଥିବା ଉଚିତ । ଗୋଟିଏ ପ୍ରବନ୍ଧରେ ତଥ୍ୟ ଯୋଗାଇବାକୁ ପଡ଼ୁଥିଲେ ଯେ ଭାଷାଟାକୁ ଧର୍ମତଃ କଠିନ କରିବାକୁ ପଡ଼େ, ସେକଥା ମଧ୍ୟ ମୋଟେ ଠିକ୍ ନୁହେଁ । ଗୋଟାଏ ଡିଗ୍ରୀ ପାଇବାକୁ ଆମର ଏଠି ତଥ୍ୟ ଓ ସନ୍ଦର୍ଭବହୁଳ ଯେଉଁ ଲେଖାଗୁଡ଼ିକୁ ପ୍ରସ୍ତୁତ କରାଯାଏ, ସେଗୁଡ଼ିକ ସଂପୃକ୍ତ ଶ୍ରମିକମାନଙ୍କୁ ଯଥାଭିଳଷିତ ଅଭୀଷ୍ଟଗୁଡ଼ିକୁ ଲାଭ କରିବାରେ ଅବଶ୍ୟ ସାହାର୍ଯ୍ୟ କରିଥାନ୍ତି, ମାତ୍ର ସାହିତ୍ୟର ଗଣନା ଭିତରେ ସେମାନଙ୍କୁ ହୁଏତ କ୍ଵଚିତ୍ ସ୍ମରଣ କରାଯାଇଥାଏ ଏବଂ ଏପରି ବି ହୁଏତ ହୁଏ ଯେ ଆମେ ଇଂରାଜୀ ଭାଷାରୁ ବହୁ ତଥ୍ୟ– ସମର୍ଥନକୁ ଦୁହିଁ ଆଣି ଆମ ନିଜର କୃତିଟି ମଧ୍ୟରେ ମଣ୍ଡନ କରି ରଖିଥାଉ । ସେଗୁଡ଼ିକ ସତେଅବା ବାହାରେ ବାହାରେ ଲେଖା ହୋଇ ରହିଥାନ୍ତି, ସମ୍ଭବତଃ ଆଦୌ ଖାପ ଖାଉନାହାନ୍ତି ଏବଂ ଆମେ ନିଜେ ବି ସେଗୁଡ଼ିକ ଆଦୌ ଉଚିତ ପ୍ରସ୍ଥଗୁଡ଼ିକ ଦେଇ ବୁଝି ପାରିନଥାଉ । ତେଣୁ, ଭାଷା ପ୍ରୟୋଗ କ୍ଷେତ୍ରରେ ଭାରି ଭେସରା ହୋଇ ରହୁ ଓ ଧରା ପଡ଼ିଯାଉ । ପଣ୍ୟଗୁଡ଼ିକୁ ଇଂରାଜୀ ଅଥବା ଅନ୍ୟ ଯେକୌଣସି ଭଣ୍ଡାରରୁ ଆଣିବାରେ ଆଦୌ କୌଣସି ବାଧା ନାହିଁ, କିନ୍ତୁ ସବାଆଗ ଆଭ ପେଟରେ ପଡ଼ି ସେଗୁଡ଼ିକ ଜୀର୍ଣ୍ଣ ହୋଇ ପାରିଥିବା ଆବଶ୍ୟକ । ଯେଉଁ ମନୀଷୀଙ୍କ ଠାରୁ ଆମେ ଉକ୍ତିଟିଏ ଉଧାର କରି ଆଣୁଛୁ, ଆମେ ନିଜେ ସେହି ମନୀଷୀଙ୍କୁ ଯଥାସମ୍ଭବ ଅଧିକ ସମଗ୍ରଭାବରେ ବୁଝିଥିବା ମଧ୍ୟ ଆବଶ୍ୟକ । ନହେଲେ ଆମର ଭାଷା ଭାରି ଅସାମଞ୍ଜସ୍ୟ ହେବ ହିଁ ହେବ । ଓଡ଼ିଆରେ ଅନେକ ଲେଖକ ଏଭଳି ଅଛନ୍ତି, ଯେଉଁମାନେ କି ଆଗ ଇତର କୌଣସି ଭାଷାର ବିଚାରଟିଏ ପାଇ ମୁଗ୍ଧ ହୁଅନ୍ତି ଓ ତାହାକୁ ଆମ ନିଜ ଭାଷାରେ ନିଜର ବିଚାର ବୋଲି ଚଳାଇ ନେବାକୁ ଉତ୍ସାହିତ ହୁଅନ୍ତି । ସେମାନେ ଲେଖୁଥିବା ପ୍ରବନ୍ଧର ଭାଷା କର୍କଶ ହେବାକୁ ବାଧ୍ୟ ହୁଏ । ସେମାନେ ବି ଭାରି ଧରା ପଡ଼ିଯାଆନ୍ତି । ପଣ୍ଡିତ ହୋଇ ରହିଯାଆନ୍ତି ସିନା, କିନ୍ତୁ ଆମ ସାହିତ୍ୟକୁ ସମ୍ଭବତଃ କୌଣସି ପ୍ରକାରେ ସାହାର୍ଯ୍ୟ କରି ପାରନ୍ତିନାହିଁ । ସତେଅବା କେଉଁଠାରେ ଗୋଟାଏ ଶ୍ରେଣୀରେ ପାଠ ପଢ଼ାଉଥିବା ପରି ମନେ ହୁଅନ୍ତି, ଆମକୁ ପ୍ରବନ୍ଧଠାରୁ ହୁରୁଡ଼ାଇ ରଖିବାରେ ଏହିମାନଙ୍କର ମଧ୍ୟ ଏକ ଅବଦାନ ରହିଛି । ଆମେ ସେମାନଙ୍କଠାରୁ ସାବଧାନ ରହିବା । ସାହିତ୍ୟକୁ ଶ୍ରେଣୀଘରର ଅନାଚାରକୁ ମୁକ୍ତ ନରଖି ପାରିଲେ ପଣ୍ଡିତମାନଙ୍କର ହୁଏତ କିଛି କ୍ଷତି ହେବନାହିଁ, ମାତ୍ର ସାହିତ୍ୟ ରୋଦନ କରିବାରେ ଲାଗିଥିବ । ପ୍ରବନ୍ଧ ଲାଜରା ହୋଇ ରହିଥିବ ।

 

ଏପରି ଅଭିଯୋଗ ହୋଇପାରେ ଯେ, ଏକ ଗାଉଁଲି ସରଳ ଭାଷା କ'ଣ ତେବେ ପ୍ରବନ୍ଧ ଲେଖିବାରେ ମାଧ୍ୟମ ହୋଇ ରହିବ ? ଗାଉଁଲୀ ଭାଷାକୁ ଯେଉଁମାନେ ସରଳ ବୋଲି କହନ୍ତି, ସେମାନେ ସମ୍ଭବତଃ ନିଜ ଅନ୍ତରଙ୍ଗ ସମର୍ଥନଗୁଡ଼ିକର କ୍ଷେତ୍ରରେ କୋଉଦିନୁଁ ଗାଆଁଙ୍କୁ ଛାଡ଼ି ସାରିଥାନ୍ତି । ତତ୍‍ସମ ଓ ଏପରି କି ତଦ୍‍ଭବ ଶବ୍ଦଗୁଡ଼ିକୁ ଦେଇ କିଛି ଲେଖିଲେ ପଣ୍ଡିତମାନେ ତାକୁ ଖୁସିରେ ବୁଝିପାରିବେ ସିନା, ମାତ୍ର ଗାଆଁର ବହୁପୋଖତ ତଥାକଥିତ ସରଳ ଭାଷାକୁ ସେମାନେ ଯଥୋଚିତ ବ୍ୟଞ୍ଜନାଗୁଡ଼ିକ ସହିତ ସେତେ ସହଜରେ ମୋଟେ ବୁଝିପାରିବେ ନାହିଁ । ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଏଭଳି ଅନେକ ଶବ୍ଦ କାଳର ପଥର ଉପରେ ବାଡିଆ ହୋଇ ହୋଇ ଏପରି ପୋଖତ ଏବଂ ପାକଳ ହୋଇରହିଛି ଯେ ଖାସ୍ ସେହି ଶବ୍ଦଗୁଡ଼ିକୁ ବ୍ୟବହାର ନକରିଥିବା ପର୍ଯ୍ୟନ୍ତ ଆମେ କହିବାକୁ ଇଚ୍ଛା କରୁଥିବା କଥାଟି ଆଦୌ ବ୍ୟକ୍ତ ହୋଇପାରିବ ନାହିଁ । କୌଣସି ପଣ୍ଡିତ ଅଭିଧାନରୁ ଚରୁ ଆଣି ସେହି ଶବ୍ଦଗୁଡ଼ିକୁ ଆଦୌ ତିଆରି କରିନାହାନ୍ତି । ଯେଉଁମାନେ ଆମ ସାମୂହିକ ଜୀବନର ଅନ୍ତରଙ୍ଗ ଗୁଳାଗୁଡ଼ିକରେ କାଳ କାଳରୁ ନିଜକୁ ଆତଯାତ କରି ଆଣିଛନ୍ତି, ପ୍ରଧାନତଃ ହୃଦୟର ସଦନରେ ରହି ସମ୍ପର୍କଗୁଡ଼ିକୁ ବଞ୍ଚାଇଛନ୍ତି, ସେହିମାନଙ୍କର ତୁଣ୍ଡ ମାଧ୍ୟମରେ ସେହି ଶବ୍ଦଗୁଡ଼ିକ ଉଦ୍‍ଭୁତ ହୋଇ ଆସିଛନ୍ତି ଏବଂ ସ୍ଵୀକୃତି ଲାଭ କରିଛନ୍ତି । ଯୁଗେ ଯୁଗେ ପଣ୍ଡିତମାନେ ଏମାନଙ୍କୁ ନାକ ଟେକି ଯେତେ ଅଶାସ୍ତ୍ରୀୟ କହି ନିନ୍ଦା କଲେ ମଧ୍ୟ ଏମାନେ ତଥାପି ଦବି ଯାଇନାହାନ୍ତି, ବହିରେ ନହେଲେ ମଧ୍ୟ ଲୋକ ଜୀବନରେ ରହିଛନ୍ତି ଓ ଲୋକଜଗତଟିକୁ ଉଜ୍ଜୀବିତ କରି ରଖିଛନ୍ତି । ଆମେ ସେହି ଶବ୍ଦଗୁଡ଼ିକର ଚୟନ କରିବା । କବିତା, ଗପ ବା ଉପନ୍ୟାସ- ଏମାନେ ନକରନ୍ତୁ ପଛକେ, ପ୍ରବନ୍ଧାକାର କରିବ । ଲିଖିତ ସାହିତ୍ୟ ମଧ୍ୟରେ କଥିତ ଭାଷାର ଶକ୍ତିମନ୍ତ ବ୍ୟଞ୍ଜନାଟିର ପ୍ରବେଶ ଘଟାଇବାକୁ ଚେଷ୍ଟା କରିବ । ତଦ୍ୱାରା ତା'ର ଶବ୍ଦ ସମ୍ଭାର ବୃଦ୍ଧି ପାଇବ, ଆମ ଅଭିଧାନଗୁଡ଼ିକ ଅଧିକ ଧନାଢ଼୍ୟ ହେବେ । ଆଧୁନିକ କବିତା, ଆଧୁନିକ ଗପ ଓ ଉପନ୍ୟାସ, ଆଧୁନିକ ନାଟକ ସତେଅବା ଏକ ଅନ୍ୟ ବାସନଦ୍ଵାରା ବାଇଆ ହୋଇ ଘରୁବାହାରି ପଳାଇବାର ଦୁଷ୍ଟାମି କରୁଥିବା ସମୟରେ ପ୍ରବନ୍ଧ ସଂପୃକ୍ତ ସମସ୍ତଙ୍କୁ ପୁନର୍ବାର ଘର ଭିତରକୁ ଫେରାଇ ଆଣିବାକୁ ପ୍ରୟାସୀ ହେବ । କାବ୍ୟ-ପ୍ରବନ୍ଧାକାର ସାରଳା ଦାସ ଏକଦା ତାହା କରିଥିଲେ, ସୃଜନାତ୍ମକ ହେବାର ମାର୍ଗରେ ସିଏ ସତେଅବା ଚାରିଦଉଡ଼ି କାଟିଦେଇ ହୁଣ୍ଡା ହୋଇ ପାରିଥିଲେ । ପ୍ରାୟ ସେହି କାଳୁ ହିଁ ଅଧିକ ବ୍ୟଞ୍ଜନାମୟ ଓଡ଼ିଆ ଭାଷାଟି ପଣ୍ଡିତମାନଙ୍କର ଦୁରାଗ୍ରହ ସହିତ ସଂଗ୍ରାମ କରି ଆସିଛି । କେତେକ ଅର୍ଥରେ ଏବେ ମଧ୍ୟ କରୁଛି । ସେହି କାଳରୁ ସ୍ପର୍ଶକାତର ସଂସ୍କୃତ ପଣ୍ଡିତମାନଙ୍କ ସହିତ ସଂଗ୍ରାମ କରୁଥିଲା, ଏ କାଳରେ ଇଂରାଜୀର କବଚ କୁଣ୍ଡଳ ପରିଧାନ କରିଥିବା ଆମ prodigal ମାନଙ୍କ ସହିତ କରୁଛି ।

 

ସାମ୍ପ୍ରତିକ ସମୟରେ ଆମ ସମାଜରେ ଫାଳେ ପାଠ ପଢ଼ିଛନ୍ତି, ଫାଳେ ନିରକ୍ଷର ହୋଇ ରହିଛନ୍ତି । ମୂର୍ଖ ନୁହେଁ, କେବଳ ନିରକ୍ଷର ହୋଇ ରହିଛନ୍ତି । ପାଠୁଆମାନଙ୍କ ଭାଷାଗତ ଫେରଗୁଡ଼ାକ କାଳେ ଧୂଳି ଲାଗିଯିବ ବୋଲି ତଳକୁ ଆସିବାକୁ ଡରୁଛି, ପାଠୁଆଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିବା ନିମନ୍ତେ ପାଠ ବଞ୍ଚିତମାନଙ୍କ ନଗି ପାଉନାହିଁ । ନିଜକୁ ନାୟକ କରି ପାଠୁଆମାନେ ନିଜ ପାଇଁ ସାହିତ୍ୟ କରୁଛନ୍ତି ଏବଂ ସତେଅବା ଅନୁକମ୍ପା ଦେଖାଇବା ପରି ଅପାଠୁଆମାନଙ୍କ ଠାରୁ ଯାହାସବୁ ସଂଗ୍ରହ କରୁଛନ୍ତି ତାହାକୁ ବହୁତ ପ୍ରେମରେ ଲୋକସାହିତ୍ୟ ବୋଲି କହୁଛନ୍ତି । ଏହିପରି ଭାବରେ ଆମ ଜୀବନ ପରି ସାହିତ୍ୟଟା ମଧ୍ୟ ଦୁଇଫାଳ ହୋଇରହିଛି । ଭାଷାଟି ମଧ୍ୟ କେବଳ ଦୁଇଫାଳ ନୁହେଁ, ଅଞ୍ଚଳ ଅନୁସାରେ କେତେ ଫାଳ ହୋଇରହିଛି । ସ୍ଵାଧୀନ ଦେଶରେ ଦିନେ ନା ଦିନେ ସମସ୍ତେ ସାକ୍ଷର ହେବେ । ସାହିତ୍ୟରେ କ୍ରମେ ସମସ୍ତେ ନିଜର ଭାଗଟି ଉପରେ ଦାବି କରିବାକୁ ବାହାରି ଆସିବେ । ସେତେବେଳେ ଶାସ୍ତ୍ରୀୟ ଓ ଦେଶଜ ବୋଲି ଭାଷାରେ ମଧ୍ୟ ଦୁଇଟା ଜାତି ରହିବାର କୌଣସି ପ୍ରାସଙ୍ଗିକତା ନଥିବ । ତୁଚ୍ଛା ଦେଶଜମାନେ ବି ସାଧୁ ହେବେ ଅର୍ଥାତ୍ ସାଧୁଭାଷାର ପଂକ୍ତି ଭିତରକୁ ଆସିବେ । ଆମ ସାହିତ୍ୟ ଏଇଦିନୁ ସେହି ସ୍ଵପ୍ନଟିକୁ ଦେଖିଲେ ପ୍ରକୃତରେ କିପରି ହୁଅନ୍ତା ? ଆମ ଅନେକଙ୍କର ଗଉଁ ଭାଙ୍ଗି ଯାଆନ୍ତା ସିନା ମାତ୍ର ପରିତ୍ରାଣ ବି ହୋଇଯାଆନ୍ତା । ଏକାଧିକ ଦୃଷ୍ଟିରୁ ବିଚାର କଲେ ପ୍ରବନ୍ଧରୁ ହିଁ ଏହି ଅନ୍ୟ ପ୍ରୟାସଟି ଅଧିକ ଯଥାର୍ଥ ଭାବରେ ଆରମ୍ଭ ହୋଇପାରିବ । ଭାବପ୍ରବଣମାନେ ହୁଏତ ପ୍ରସ୍ତୁତ ହେବାରେ ଡେରିକରିବେ, ମାତ୍ର ସମୀକ୍ଷାତ୍ମକ ନେତ୍ରଟି ଭାରି ସହଜରେ ବୁଝିବ ଓ ରାଜି ହୋଇଯିବ । ଯେଉଁସବୁ ସମାଜରେ ପ୍ରତ୍ୟେକ ମନୁଷ୍ୟର ମନୁଷ୍ୟପଣକୁ ସ୍ଵୀକୃତି ଦିଆଯାଇଛି, ସେଠାରେ ସାଧୁ ଓ ଅସାଧୁ ନାମରେ କୌଣସି ଅନାବଶ୍ୟକ ବ୍ୟବଧାନରେ ଫନ୍ଦା କରାଯାଇନାହିଁ । ଆମ ହୃଦୟ ଯେତିକି ଅଧିକ ଗ୍ରହଣଶୀଳ ହୋଇପାରୁଥିବ, ଆମର ଭାଷା ମଧ୍ୟ ସେତିକି ସର୍ବସ୍ଵକାରୀ ହେବ । ଆମ ସାହିତ୍ୟରୁ ଏବ ସମୟରେ ବହୁବିଧ ଅସ୍ପୃଶ୍ୟତା ଦୂର ହୋଇଯିବ । ପ୍ରବନ୍ଧର ଭାଷା ଏହି ଯୋଡ଼ିବାର କାମଟି ଖୁସି ହୋଇ କରୁ । ସଭିଙ୍କୁ ଘରକୁ ଫେରାଇ ଆଣିବାରେ ଅଗ୍ରଗାମୀ ହେଉ ।

 

[ଝଙ୍କାର, ବିଷୁବ ସଂଖ୍ୟା, ୧୯୯୮]

☆☆☆

 

Unknown

ପ୍ରବନ୍ଧର ପାକଶାଳା

 

ବାକ୍ୟ ରସାତ୍ମକ ହେଲେ ତାହା କାବ୍ୟରେ ପରିଣତ ହୋଇଯାଏ ବୋଲି ମତିମାନ ତତ୍ତ୍ଵକାରମାନେ କୋଉକାଳୁ ଆମକୁ ବୁଝାଇ ଦେଇଛନ୍ତି । ଶୁଣିବାବେଳକୁ କେଡ଼େ ସହଜ ମନେ ହେଉଛି । ହୁଏତ ସବୁଠାରେ ସୂତ୍ରଟିଏ ଧରାଇ ଦେଇ ତତ୍ତ୍ଵଗୁଡ଼ିକୁ ଏବଂ ପ୍ରକ୍ରିୟାଗୁଡ଼ିକୁ ସହଜ କରି ଦିଆଗଲା ବୋଲି ଏକ ଧାରଣା ସୃଷ୍ଟି କରାଯାଇଛି ଏବଂ ଆହୁରି ଗୋଳମାଳିଆ କଥା ହେଉଛି ଯେ, ଯେଉଁମାନେ ତତ୍ତ୍ଵ କାଢ଼ିଛନ୍ତି ଓ ତତ୍ତ୍ଵକୁ ବୋଧଗମ୍ୟ କରିବା ଲାଗି ସୂତ୍ରମାନ ବାଢ଼ିଛନ୍ତି, ସେମାନେ ସ୍ଵୟଂ କ୍ଵଚିତ୍ କାବ୍ୟର ରଚନା କରିଛନ୍ତି । ଏବଂ ଅପର ପକ୍ଷରେ, ଯେଉଁମାନେ କାବ୍ୟଗୁଡ଼ିକୁ ସତକୁ ସତ ଲେଖିଛନ୍ତି, ସେମାନେ ଆଦୌ ସହଜରେ ତତ୍ତ୍ଵ ବା ସୂତ୍ର ଆଡ଼େ ଯାଇନାହାନ୍ତି । ସେମାନଙ୍କୁ କେହି ତତ୍ତ୍ଵ ଏବଂ ସୂତ୍ର ଦ୍ଵାରା ବୁଝୁ ବୋଲି ସେମାନେ ସମ୍ଭବତଃ ଆଦୌ ପସନ୍ଦ କରିନାହାନ୍ତି । ତତ୍ତ୍ଵକାର ଏବଂ ସୂତ୍ର ନିରୂପକମାନେ କାହିଁକି ନିଜେ କାବ୍ୟ ଲେଖିଲେ ନାହିଁ କେଜାଣି ? ଏବଂ କାବ୍ୟର ଲେଖକମାନେ ତତ୍ତ୍ଵ ତଥା ସୂତ୍ରର ତୋଟା ଭିତରକୁ ଯାଇ ଆପଣା ଲାଗି ରସଦ ସଂଗ୍ରହ କଲେ ନାହିଁ କାହିଁକି କେଜାଣି ? କେତେ ତତ୍ତ୍ଵକାର ପୁଣି ଆଉ ପାହାଚେ କତିକୁ ଆସିବା ପାଇଁ ଡର ଡର ହୋଇ ତୁଚ୍ଛା ଅଳଙ୍କାରଗୁଡ଼ିକୁ ଆଣି ଶବ୍ଦଗୁଡ଼ିକୁ ଯୋଡିବାକୁ ହିଁ ରସାତ୍ମକତା ବୋଲି କହିଲେ ଏବଂ ସେଥିରେ କେତେ ମଜ୍ଜିଗଲେ ଏବଂ କ'ଣ ଗୋଟାଏ ନିଧି ପାଇଯିବା ପରି ଏଡ଼େ ପାଟି ବି କଲେ । କ'ଣ ପାଇଁ ଗୋଟାଏ ନିର୍ଦ୍ଦିଷ୍ଟ କାଳରେ କାବ୍ୟର ତତ୍ତ୍ଵ ଓ ସୂତ୍ରମାନ ନିରୂପଣ କରିବାରେ ଏତେ ଏତେ ଶ୍ରମ କରା ଯାଇଥିଲା, ଏବେ ସାମାଜିକ ସ୍ଥିତି ଏବଂ ବ୍ୟକ୍ତିଗତ ପ୍ରକୃତି-ବିକୃତିର ସନ୍ଦର୍ଭ ଉପରେ ତାହାର ବିଶଦ ଆଲୋଚନା ଚାଲିଛି ।

 

ରସ କହିଲେ ପାକଶାଳାର କଥା ସତେଅବା ଆପେ ଆପେ ମନେ ପଡ଼ିଯାଉଛି । ପାକଶାଳାରେ ଯେପରି ଭୋଜନଦ୍ରବ୍ୟର ରନ୍ଧନ କରାଯାଏ, ଠିକ୍ ସେହିପରି କ'ଣ ଗୋଟାଏ ସଦୃଶ ପାକଶାଳାଟିଏ ରହିଛି, ଯେଉଁଠାରେ କି ଭିନ୍ନ ଭିନ୍ନ ବସ୍ତୁ ବା ଉପାଦାନକୁ ଏକତ୍ର କରାଇ, ଘାଣ୍ଟି, ରାନ୍ଧି, କାବ୍ୟର ମଧ୍ୟ ରନ୍ଧନ କରାଯାଏ ? ଏବେ ମଧ୍ୟ ଆମ ସାହିତ୍ୟରେ କବିତା ବୋଲି ଯାହାସବୁ ଲେଖାଯାଉଛି, ତାହା ପଛରେ କ'ଣ ଜଣେ ରାନ୍ଧୁଣିଆ ବସିଛି ? ବା କାବ୍ୟରେ କି କବି ସ୍ଵୟଂ ଏକ ପ୍ରକ୍ରିୟାରେ ରନ୍ଧନସାମଗ୍ରୀର ଏକ ଶୋଭନ ଡାଲାରେ ପରିଣତ ହୋଇଯାଉଛି, ଆପେ ଆପେ ସଜାଡ଼ି ହୋଇଯାଉଛି ଏବଂ ଆଉ କିଏ ରାନ୍ଧୁଣିଆ ହୋଇ ତାହାକୁ ରାନ୍ଧୁଛି ? ଅନ୍ତତଃ, ଆଧୁନିକ ସମୟର ବହୁତ କବିଙ୍କର କବିତାକୁ ପରଖି ଦେଖିଲାବେଳେ, ସେମାନେ ଯେ ନିଜେ କଦାପି ରାନ୍ଧୁଣିଆ ନୁହନ୍ତି, ସେ କଥାଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଧରା ପଡ଼ିଯାଉଛି । ଅଧିକାଂଶ କବି ସାମଗ୍ରୀଗୁଡ଼ିକୁ ସତେଅବା ଡାଲାଟିଏ ମଧ୍ୟରେ ସଜାଡ଼ି ଦେଇଛନ୍ତି ଏବଂ ତାହାରି ଭିତରେ ନିଜେ ବି କୋଉଠି ଗଳି କରି ପଶି ଯାଉଛନ୍ତି ଏବଂ ପ୍ରାୟ ସେହି ପ୍ରକ୍ରିୟାରେ କବିତାଟିଏ ରାନ୍ଧି ହୋଇ ଯାଉଛି-। ସାମଗ୍ରୀଗୁଡ଼ିକରୁ କ'ଣ ରନ୍ଧା ହେବ କି ନାହିଁ, ସେକଥା ସାମଗ୍ରୀମାନ କଦାପି ସ୍ଥିର କରିପାରନ୍ତେ ନାହିଁ । ତେଣୁ, କବିତାଟିଏ ପଢ଼ୁଥିବା ସମୟରେ ସତେଅବା କୋଉଠି ଭାରି ଅଣଅକ୍ତିଆର ଭାବରେ କବିଟିଏ ସାମଗ୍ରୀରେ ପରିଣତ ହୋଇଯାଇଛି ଏବଂ ଅକସ୍ମାତ ରାନ୍ଧୁଣିଆ ଜଣେ ଆସି କବିତାନାମକ ପ୍ରକରଣଟିକୁ ରାନ୍ଧିଦେଇ ରଖିଯାଇଛି ବୋଲି ଭାରି ମନେ ହେଉଥାଏ-। ରନ୍ଧନସାମଗ୍ରୀ ସହିତ ଏକାତ୍ମ ହେବାକୁ ମୋଟେ ମନ ଯାଏନାହିଁ ଏବଂ ରାନ୍ଧୁଣିଆଟାକୁ ଖୋଜି ଖୋଜି ଭାରି ନୟାନ୍ତ ହେବାକୁ ପଡ଼େ ।

 

ସାହିତ୍ୟର ଏହି ରସଗୁଡ଼ିକର ସଂଖ୍ୟା ନିରୂପଣ ବି କରାଯାଉଛି । ତାହା କାବ୍ୟକାରମାନେ ନୁହନ୍ତି, କାବ୍ୟର ତତ୍ତ୍ଵକାରମାନେ କରିଛନ୍ତି । କାବ୍ୟର ଜିରାରୁ ଶିରାଗୁଡ଼ିକୁ କାଢ଼ି ଦେଖାଇ ଦେବାର ସେହି ପ୍ରୟାସ କାଳରେ ମଣିଷର ଅଭ୍ୟନ୍ତରଟା ବିଷୟରେ ବିକାରମୁକ୍ତ ଭାବରେ ସେତେ ବେଶି ଅନ୍ଵେଷଣ କରା ଯାଇନଥିଲା । ଅଭ୍ୟନ୍ତର ଏବଂ ବାହ୍ୟକୁ ସତେଅବା ଦୁଇଟା ଅଲଗା ଅଲଗା ବ୍ୟାପାର ବୋଲି ଅନୁମାନ କରାଯାଉଥିଲା । ମଣିଷ ଭିତରେ ଯେ ଅବଚେତନ ବୋଲି ଆହୁରି ଭୂମିଟିଏ ରହିଛି, ସେତେବେଳେ କେହି ତାହାର ବାରତା ପାଇନଥିଲେ-। ଅଚେତନାକୁ କାର୍ଯ୍ୟତଃ ଏକ ଚେତନାହୀନତା ବୋଲି ଗଣ୍ୟ କରାଯାଉଥିଲା-। ସର୍ବୋପରି, ମଣିଷର ଯାବତୀୟ ରସାନୁଭୂତି ଯେ ତା'ର ବ୍ୟକ୍ତିତ୍ଵନାମକ ଏକ ସମଗ୍ର ବିକଶମାନତା’ର ଭିନ୍ନ ଭିନ୍ନ ପରିପ୍ରକାଶ, ସେ କଥା ଯାଏ ସିଡ଼ି ପକାଇବାକୁ ମଣିଷର ବିବେକ ଏବଂ ବୁଦ୍ଧି ସାହସ କରିନଥିଲା । ହଁ, ଭାରତବର୍ଷରେ କେନ୍ଦ୍ରରେ ଥିବା ଏକ ଆତ୍ମାର କଥା ଅବଶ୍ୟ କୁହା ଯାଇଥିଲା ସତ, ମାତ୍ର ତାହା ଆମ ଜୀବନର ଅବର ଯାବତୀୟ ଅଂଶ-ଅଭିବ୍ୟକ୍ତିରୁ ଅଲଗା ହୋଇ ରହିଛି ବୋଲି କଳ୍ପନା କରାଯାଉଥିଲା । ପୁନଶ୍ଚ, ଏହି ଅଂଶଗୁଡ଼ିକରୁ ବନ୍ଧନ ତୁଟାଇ ଦେବାରେ ହିଁ ଆତ୍ମାର ବିମୋଚନ ନିହିତ ରହିଛି ବୋଲି ସେକାଳର ସତ୍ୟଦ୍ରଷ୍ଟମାନେ ପରାମର୍ଶ ଦେଇ ଯାଇଥିଲେ-। ନିତିଦିନର ଭାଷାରେ ଏହି ରସଗୁଡ଼ିକୁ ଅନେକ ସମୟରେ ଗୋଟିଏ ଆଉ ଗୋଟିକର ଓଲଟା ବୋଲି ମଧ୍ୟ କୁହାଯାଇଛି । ମଣିଷକୁ ଜାଣିବାର ଓ ଅଧିକରୁ ଅଧିକ ସମଗ୍ର ଭାବରେ ଅନୁଭବ କରିବାର ବିଜ୍ଞାନଗୁଡ଼ିକରେ ଅଗ୍ରଗତି ହେଉଥିବା ସଙ୍ଗେ ସଙ୍ଗେ ପୁରାକାଳର ସେହି ରସ ପ୍ରସଙ୍ଗର ବ୍ୟାଖ୍ୟାଟି ମଧ୍ୟ କ୍ରମେ ଅକାମୀ ହୋଇଯାଉଛି । ତେଣୁ ରସର ଏକ ସମ୍ପୂର୍ଣ୍ଣ ଚଉହଦୀ ଟଣା ସଂଜ୍ଞା ମଧ୍ୟ ଆଗପରି ଆଉ ମୋଟେ ସୁଲଭ ହୋଇ ପାରୁନାହିଁ । ରସଗୁଡ଼ିକର ସେହି ପୁରୁଣା ପ୍ରତିମାନ ଦେଇ ଆଧୁନିକ ମନୁଷ୍ୟକୁ ଏବଂ ତା'ର ସାହିତ୍ୟକୁ କଳିବା ମଧ୍ୟ ଆଉ କିପରି ନିର୍ଭରଯୋଗ୍ୟ ହୋଇପାରିବ ?

 

ଉପନିଷଦ ପରମ ସତ୍ୟକୁ ରସ ବୋଲି ଘୋଷଣା କରାଯାଇଛି । ସବୁ ଆକାଶକୁ ପୂର୍ଣ୍ଣ କରି ଆନନ୍ଦ ବା ରସ ପରିବ୍ୟାପ୍ତ ହୋଇ ରହିନଥିଲେ, ଆଦୌ କିପରି କୌଣସି ଜୀବନ ସମ୍ଭବ ହୋଇଥାନ୍ତା ବୋଲି ମନ୍ତ୍ରଦ୍ରଷ୍ଟା ଋଷି ପ୍ରଶ୍ନ କରିଛନ୍ତି । ତାହାରି ସହିତ ଯୁକ୍ତି ହୋଇ ରହିଲେ ଯାଇ ଜଣେ ମନୁଷ୍ୟ ନିର୍ଭୟ ହୋଇପାରିବ ବୋଲି ଆମକୁ ନିର୍ଭର ମଧ୍ୟ ଦିଆଯାଇଛି ଏବଂ ଉକ୍ତିଟିର ସବା ଶେଷରେ "ଆନନ୍ଦଂ ବ୍ରହ୍ମଣୋ ବିଦ୍ଵାନ୍ ନ ବିଭେତି କଦାଚନ" ବୋଲି କୁହାଯାଇଛି । ଅର୍ଥାତ୍, ସେହି ରସ ଅଥବା ଆନନ୍ଦକୁ ଉପଲବ୍ଧି କଲେ ଯାଇ ଆମେ ପୂରା ନିର୍ଭୟ ହୋଇପାରିବା ବୋଲି ସତେଅବା ବାଟଟିଏ ଦେଖାଇ ଦିଆଯାଇଛି । ପରମସତ୍ୟବାଚକ ରସ ଓ ସାହିତ୍ୟର ରସ, ଏହି ଦୁଇଟିକୁ ଆମେ କଦାପି ଗୋଟିଏ ବୋଲି ଦାବି କରିପାରିବା ନାହିଁ । ସାହିତ୍ୟ ରସରୁ ସତ୍ୟ ରସ ଯାଏ ବାଟଟିଏ ମିଳିଯିବ–କିନ୍ତୁ ଏହା କଦାପି ଛାଏଁ ଛାଏଁ ସମ୍ଭବ ହୋଇ ଯିବାନାହିଁ । ହଁ, ସାହିତ୍ୟରସ ଅନେକ ସମୟରେ ସତ୍ୟରସର ଅଭିମୁଖରେ ପାହାଚଟିଏ ପରି କାର୍ଯ୍ୟ କରିପାରେ । ସମ୍ଭବତଃ ସେହିପରି ଏ ସମ୍ଭାବନାର ପ୍ରତ୍ୟହ ଦେବାଲାଗି ଏକଦା ସାହିତ୍ୟର ଜଣେ ତତ୍ତ୍ଵକାର କାବ୍ୟାନନ୍ଦକୁ ବ୍ରହ୍ମାସ୍ଵାଦର ସହୋଦର ବୋଲି କହିଛନ୍ତି । ଆମେ ଇଚ୍ଛା କଲେ ଯାଇ ହୁଏତ ଏପରି ହୋଇପାରିବ । ଯଦି ଆମେ ଏଇଠି ଏହି ପାହାଚ ଅଥବା ପାକଶାଳାଟିରେ ଅଟକି ଯିବା ନିମନ୍ତେ ଏକ ନିଷ୍ପତି କରି ରଖିଥିବା, ତେବେ ଆମ ସାହିତ୍ୟ ଆମକୁ ସେହି ସତ୍ୟଯାଏ କଦାପି ପରିଚାଳିତ କରି ନେଇ ଯାଇପାରିବ ନାହିଁ । ଭାରତୀୟ ଆଧ୍ୟାତ୍ମାକୁ ଯେଉଁମାନେ ଭାରତୀୟ ସାହିତ୍ୟର ମାଧ୍ୟମରେ ସୂଚାଇ ଦେବାକୁ ଚେଷ୍ଟା କରିଥାନ୍ତି, ସେମାନେ ମଧ୍ୟ ହୁଏତ ଏହିଭଳି ଏକ ସଙ୍କଟରେ ପଡ଼ି ଯାଇଥାନ୍ତି । ଅନେକ ସମୟରେ ଏହି କ୍ଷେତ୍ରରେ ଏକ ବିଡ଼ମ୍ୱନ ମଧ୍ୟ ଖୁବ୍ ଘଟିପାରେ । ଅର୍ଥାତ୍, ସତ୍ୟର ରସଯାଏ ଗମିବା ସକାଶେ ଆସ୍ପୃହା ନଥାଏ ବୋଲି ବେଳେବେଳେ ଅନେକ ମନୁଷ୍ୟ ସାହିତ୍ୟ ରସର ଏଠା ପାହାଚର ସରୋବରଟିରେ ରମି ରହିବାର ଏକ ରମ୍ୟ ବ୍ୟାପାର ସୃଷ୍ଟି କରି ରଖିଥାନ୍ତି । ଏହି ସାହିତ୍ୟ ଭିତରେ ହିଁ ସବୁକିଛି ରହିଛି ଏବଂ ତେଣିକି ଆଉ କିଛି ନାହିଁ ବୋଲି ଆମକୁ କହିବାକୁ ଇଚ୍ଛା କରନ୍ତି । ଏହି ପାକଶାଳାଟି ହିଁ ସବୁକିଛି, ଏଠାରୁ ବା ଏହାକୁ ବଳି ଆଉ କୌଣସି ପାକଶାଳା କେଉଁଠିହେଲେ ନାହିଁ, ସେମାନେ ଭାରି ପୁଲକରେ ଏକ ଯଥାନୁସାରୀ ତତ୍ତ୍ଵର ସାହାଯ୍ୟ ନେଇ ଆମକୁ ଏଇଠି ଅଟକାଇ ରଖିବାର ପ୍ରୟାସ କରୁଥାନ୍ତି । ଆମକୁ ସତ୍ୟପ୍ରୟାସୀ ନୁହେଁ, ସାହିତ୍ୟ ନାମରେ ସତେଅବା ସୁଖବାଦୀ କରି ରଖିବାର ଫାନ୍ଦଗୁଡ଼ିକୁ ମେଳ ଦେଇଥାନ୍ତି । ଆମ ଜାତୀୟତାବାଦୀ ସାହିତ୍ୟାକାରୀତାକୁ ଅନେକାଂଶରେ ସମ୍ଭବତଃ ସେହିଭଳି ଏକା ବିମୂଢ଼କାରୀ ବିଚକ୍ଷଣତା ବୋଲି କୁହାଯାପାରିବ ।

 

ଏଠି ଆମର ଏହି ପାକଶାଳାମାନଙ୍କରେ ପୁଲକନାମକ ସେହି ପ୍ରାପ୍ତି ଧନଟିକୁ ପରଷି ଦେବାର ଯେଉଁ କେତେ ପରିଚିତ ପ୍ରୟାସଟି ସାହିତ୍ୟ ନାମରେ ଚାଲି ଆସିଛି, ଆମେ ଇଚ୍ଛା କଲେ ସେଇଟିକୁ କିଞ୍ଚିତ୍ ପରିମାଣରେ ପରଖି ଦେଖିପାରିବା । ସଭାରେ କବିମାନଙ୍କୁ ବାନ୍ଧିରଖି କାବ୍ୟ ଆଦାୟ କରୁଥିବାର ଯୁଗରେ ସତେଅବା ଏହି ପୁଲକଟା ହିଁ ଯାବତୀୟ ସାହିତ୍ୟର ପରମାରାଧ୍ୟ ଏବଂ ପରମସ୍ଵାଦ ହୋଇ ରହିଥିଲା । ବିଚରା କବିଟି ମଧ୍ୟ କାଳକ୍ରମେ ତଦନୁରୂପେ ଖୁବ୍ ମଣ ହୋଇ ଯାଇଥିଲା କି କ'ଣ କେଜାଣି, ସିଏ ମଧ୍ୟ ସେହି ସଭାଟା ଭିତରେ ନିଜକୁ ଅତ୍ୟନ୍ତ ଚମତ୍କାର ପ୍ରକାରେ ଧରାଦେଇ ଦେଉଥିଲା । ପଦ୍ୟଯୁଗ ପ୍ରସାରିତ ହୋଇ ଯେତେବେଳେ ଗଦ୍ୟ ପାଇଁ ମଧ୍ୟ ଥାନ କରି ଦିଆଗଲା, ସେତେବେଳେ ସେହି ପୁଲକଟାକୁ ନିଠ ଲକ୍ଷ୍ୟ କରି ରଖି ହିଁ କ'ଣ ଗଳ୍ପ ଏବଂ ନାଟକାଦିର ଭିଆଣମାନ ହେଲା କି ? ଦଶକୁମାର ଚରିତ, କଥାସାରିତ-ସାଗର,ଏପରିକି ଜାତକର କାହାଣୀପେଡ଼ିଟା ମଧ୍ୟ ପ୍ରଧାନତଃ ସଂପୃକ୍ତ ମାନସଗୁଡ଼ିକୁ ପୁଲକ ଯୋଗାଇ ଦେବାଲାଗି ବିବର୍ତ୍ତିତ ହୋଇ ଆସିଲେ କି ? ହଁ, ଏକାଳ ପରି ସେକାଳରେ ମଧ୍ୟ ପଣ୍ଡିତମାନେ ସେଗୁଡ଼ିକ ଭିତରେ ନୀତିଗତ ନାନାବିଧ ଦ୍ୟୋତନା ଲୁକ୍‍କାୟତ ହୋଇରହିଛି ବୋଲି ଆବିଷ୍କାର କଲେ । ଏଶପ୍‍ଙ୍କର ଗପ, ଆରବ୍ୟ କାହାଣୀ ଓ ସମଧର୍ମୀ ସେକାଳର କେତେ ଆଖ୍ୟାନ ଭିତରୁ ଆମକୁ ଖୋଜିଲେ ମଧ୍ୟ ନୈତିକ ପରାମର୍ଶଟିଏ ମିଳି ଯାଇପାରିବ । ମାତ୍ର, ଯାବତୀୟ ଅର୍ଥରେ ସେଇଟା ଗୌଣ, ପୁଲକ-ପ୍ରଦାନ ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆମ ସାମ୍ପ୍ରତିକ କାଳରେ ଯେ ଗଳ୍ପର ପାକଶାଳାମାନେ ଏହି କିସମର ସର୍ବବୃହତ୍ କାରଖାନା, ସେହି କଥାଟିକୁ ଆଖିବୁଜି ମଧ୍ୟ ଜଣେ ହାତରେ ଅଣ୍ଡାଳି ନିଶ୍ଚୟ କହି ଦେଇପାରିବ । ଯେକୌଣସି ଭାଷାର ଉଦାହରଣ ନେଇ ଦେଖିଲେ ମଧ୍ୟ ସେଥିରେ ଗଳ୍ପର ପାକଶାଳାରେ ହିଁ କାରିଗର ଏବଂ ପରିକର ସର୍ବାଧିକ, ଗଳ୍ପ ରନ୍ଧାହେବାର ହଣ୍ଡାଗୁଡ଼ିକ ହିଁ ସବୁଠାରୁ ଅଧିକ ମସ୍ତ ମସ୍ତ । ପାଠକ ଯେତିକି, ଲେଖକ ତା'ର ତିନି ସେତିକି । ଗଳ୍ପର ଅବୟବ ଏବଂ ବକ୍ତବ୍ୟଠାଣିକୁ ବଢ଼ାଇ ସେହି ଗୋଟାଏ ନହସରେ ଏବଂ ସେହି ଗୋଟିଏ ପାକଶାଳାରୁ କାଳର ବରାଦ ଅନୁସାରେ ଉପନ୍ୟାସ ବି ଆସିଛି । ସତେଅବା ବିବିଧତା’ର ପୁଲକ ଲାଭ କରିବାକୁ ମିନିଗଳ୍ପ, କ୍ଷୁଦ୍ର ଉପନ୍ୟାସ ଏବଂ ଦୀର୍ଘ ଗଳ୍ପ, ଏହିପରି କେତେ କ'ଣ ନାମରେ ସେହି ଗୋଟାଏ ରନ୍ଧା ପଦାର୍ଥ ହିଁ ବଜାରମାନଙ୍କୁ ଚମକାଇ ଦେଇଛି, ଚହଟାଇ ରଖିଛି । ବୃକୋଦରମାନେ ପାକଶାଳାରେ ବିବିଧ ପ୍ରୟୋଗରେ ଭଳି ଭଳି ଦ୍ରବ୍ୟ ଲେଖି ଥୋଇ ଦେଇଛନ୍ତି । ଏବଂ ସର୍ବତ୍ର ପୁଲକ ହିଁ ଇଷ୍ଟ ହୋଇ ରହିଛି । ସୁଖବାଦୀମାନେ କହୁଥିଲେ, ସୁଖ ହେଉଛି ଏହି ଜୀବନର ପରମ ଇଷ୍ଟ । ଗ୍ରୀସ୍ ର ଏପିକିଭରସ୍ ଏବଂ ଭାରତବର୍ଷର ଚାର୍ବାକ୍ ଏବଂ ବାତ୍ସାୟନଙ୍କର ତତ୍ତ୍ଵ ଭିତରେ ଆମେ ଏହି ଦୃଷ୍ଟିରୁ ବହୁତ ସାମଞ୍ଜସ୍ୟ ଦେଖିବାକୁ ପାଇବା । ଅବଶ୍ୟ ଏକଥା ମଧ୍ୟ ସତ ଯେ ତତ୍କାଳୀନ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଯୁଗରେ ପ୍ରତିକ୍ରିୟା ରୂପେ ସୁଖବାଦ ପ୍ରାୟ ଅତ୍ୟନ୍ତ ନ୍ୟାୟସଙ୍ଗତ ଭାବରେ ଜନମାନସରେ ଆପଣାକୁ ଗ୍ରହଣୀୟ କରି ନେଇଥିଲା । ଆମ ଏ ଯୁଗରେ ମଧ୍ୟ ବହୁତ ଜୀବନ ଦର୍ଶନ ସୁଖକୁ ହିଁ ଯାବତୀୟ ଉଦ୍ୟମ ତଥା ଉତ୍ସାହର ନିଦାନ ବୋଲି ବିଚାର କରୁଛି । କାଲି କ'ଣ ହେବ ଜଣାନାହିଁ, ତେଣୁ ଆଜି ମନଇଚ୍ଛା ସୁଖମାନଙ୍କୁ ପିଇ ତୁମେ ଲାଭବାନ୍ ହୁଅ, ସ୍ଥୂଳ ଦିଶ ଏବଂ ସେତିକିକୁ ତୁମର ଏହି ପୃଥିବୀକୁ ଆସିଥିବାର ପରମ ଔଚିତ୍ୟ ସ୍ୱରୂପ ମାନିନିଅ । ଏହା ପଛରେ ଅନ୍ତ୍ର ଭିତରେ କେଉଁଠି ଏକ ମୂଳଭୂତ ନିରାଶା ଆତ୍ମଗୋପନ କରି ରହିଛି କି ? ଯାହାକୁ, ଯେଉଁ ପୃଥିବୀକୁ ତୁମେ ତୁମ ଘର ବୋଲି ଗ୍ରହଣ କରି ନାନାବିଧ ସଙ୍ଗତି ସହିତ ଜୀବନଟିଏ ବ୍ୟତୀତ କରୁଛ ଏବଂ ସମ୍ବନ୍ଧମାନଙ୍କୁ ଯୋଡ଼ୁଛ, ସେହି ଘରେ ତୁମର କେହି ନାହାନ୍ତି, ତେଣୁ ଆଜି ବେଳ ଥାଉଁ ଥାଉଁ ତୁମେ ସେହି ଘରକୁ ଲୁଟି କର, ଦୁହିଁ ନିଅ ଓ ଝୁଣି ପକାଅ, ଏହି ଯୁକ୍ତିଟି ପଛରେ ସତେଅବା କୋଉଠି ଗୋଟାଏ ଅସହାୟତା ଲୁଚି ଛପି ରହିଛି । ଘରଟିକୁ ମୁଁ ନିଜର ବୋଲି ନ କହିଲେ ଓ ଅନୁଭବ ନକଲେ ଏଇଟି ମୋର ଘର ବୋଲି ସେହି ଅସଲ ଅନୁଭବଟି ମଧ୍ୟ ସମ୍ଭବ କିପରି ହେବ ? ହୁଏତ ନିଜ ପାଖରେ ଜଣେ ମଣିଷ ଭାରି ଅସ୍ଵୀକୃତ ହୋଇ ରହିଥିଲେ ସିଏ ଯେଉଁଠାରେ ଛିଡ଼ା ହୋଇଥାଏ, ସେଇଟାକୁ ଲୁଟି ନେବାକୁ ଇଚ୍ଛା କରେ । ସୁଖବାଦୀମାନେ ତା' ଭିତରେ କେତେ ଜଣ ଋଷି ମୁନିଙ୍କର ନାମ ମଧ୍ୟ ସାମିଲ୍ ହୋଇରହିଛି, ଏଇ ଉଦ୍ଭଟ ବେଭାରଟାକୁ ସୁଖଭୋଗ ବୋଲି କିପରି କହିଲେ କେଜାଣି ? ଚିତ୍ତ ବିନୋଦନ ହିଁ କାବ୍ୟଶାସ୍ତ୍ର ଲେଖିବା ଏବଂ ପାଠ କରିବାର ମୁଖ୍ୟ ମତଲବ ବୋଲି ଘୋଷଣା କରି ଆମେ ଅନେକ ସମୟରେ ନିଜ ଭିତରେ କୋଉଠି ଲାଗିଥିବା କଳହଟାକୁ ହିଁ ପଦାରେ ପକାଇ ଦେଇଥାଉ କି ? ପ୍ରଧାନତଃ ଅବସାଦଗ୍ରସ୍ତମାନେ ପୁଲକର, ସୁଖର ରଜ୍ଜୁଟାଏ ଆଶ୍ରା କରି ସତେଅବା କୁଆଡ଼େ ପଳାଇ ଯିବାକୁ ଭାରି ଇଚ୍ଛା କରୁଥାନ୍ତି । ସାମ୍ପ୍ରତିକ ଯୁଗରେ ପାକଶାଳାମାନଙ୍କରେ ହଣ୍ଡା ହଣ୍ଡା ଗଳ୍ପ ଯେ ରନ୍ଧା ହେବାରେ ଲାଗିଛି, ସେଇ ଅତ୍ୟୁତ୍ସାହଟି ପଛରେ ସତକୁ ସତ ଆମ ଭିତରେ କୌଣସି ଅବସାଦବୋଧ ଆତ୍ମଗୋପନ କରି ରହିଛି କି ? କ'ଣ ପାଇଁ ଆମେ କେଡ଼େ ବିକଳ ଓ ବ୍ୟାକୁଳ ହୋଇ ପିଲାଦିନର ସେଇ ଆଈ ମାଆଟି ପାଖକୁ ଫେରିଯିବାକୁ ଇଚ୍ଛା କରୁଛୁ, ଯିଏକି ଗୋଡ଼ ଲମ୍ବାଇ ମଝିରେ ବସିଥିବ, ଆମେ ତାକୁ ବେଢ଼ି କରି ବସିଥିବା, ସିଏ କେଡ଼େ ସୂତରରେ ଆମ ମୁଣ୍ଡର ବାଳ ଭିତରେ ମଧ୍ୟେ ମଧ୍ୟେ ତା' ଆଙ୍ଗୁଠିଗୁଡ଼ିକୁ ସଞ୍ଚାଳିତ କରି ଆଣୁଥିବ ଏବଂ ଆମକୁ ଭାରି ସଲ ସଲ ଲାଗୁଥିବ ଓ ଏହିପରି ସଲସଲ ଲାଗୁ ଲାଗୁ ଆମକୁ କେତେବେଳେ ଯେ ନିଦ ଲାଗିଯିବ, ସେ କଥା ଆମେ ମଧ୍ୟ ଜାଣି ପାରିବା ନାହିଁ । ବିଶେଷତ୍ଵ, ଆଜିକାଲି କବିତାଗୁଡ଼ିକ ଭିତରେ ଅତି ମାତ୍ରାରେ ବୁଦ୍ଧିମାନେ ପଶି ଯାଉଥିବାରୁ ସମସ୍ତେ ତା' ଭିତରକୁ ସାହସ କରୁନାହାନ୍ତି ଏବଂ ତେଣୁ ହୁଏତ ଗପ ପଢ଼ି ଆଈ ମାଆ ମୁଣ୍ଡବାଳ ଭିତରେ ଅଙ୍ଗୁଳି ସଞ୍ଚାଳନ କରୁଥିବା ପରି କିଞ୍ଚିତ୍ ସଲସଲ ଲାଗିବ ବୋଲି ଆମେ ସେଇ ସରହାଣ୍ଡିଟା ଆଡ଼କୁ ଅଧିକ ମନ କରୁଛୁ । ବେଦାନ୍ତ ଓ ଆଧ୍ୟାତ୍ମାର ଆହ୍ଵାନ ଏବଂ ଅଭିବ୍ୟଞ୍ଜନାଗୁଡ଼ିକ ଯେତେବେଳେ ଆଉ ଗୋଟେ ଦାନ୍ତରେ ହେଲାନାହିଁ, ଠିକ୍‍ ସେତିକିବେଳେ ପୁରାଣର କାହାଣୀମାନଙ୍କ ଦ୍ଵାରା ଯେପରି ଜନମନକୁ ମଜ୍ଜାଇ ରଖିବାର ଏକ ମର୍ଯ୍ୟାଦାପୂର୍ଣ୍ଣ ଉଦ୍ୟମ କରଯାଇଥିଲା, ଏହି କ୍ଷେତ୍ରରେ ମଧ୍ୟ ସେହିପରି ଅନୁମାନଟିଏ କରାଯାଇ ପାରିବ କି ? କେଜାଣି ?

 

ଆମ ଭିତରେ ଏପରି ଆଉ ଏକ ବାଟର ସରାଗୀ ଏବଂ ଅନୁରାଗୀମାନେ ଅଛନ୍ତି, ଯେଉଁମାନେ ଲୋକକଥା ତଥା ଲୋକକାହାଣୀଗୁଡ଼ିକୁ ସଂଗ୍ରହ କରିବାକୁ ହିଁ ନିଜ ସାହିତ୍ୟିକ ଗୁଜରାଣର ମୁଖ୍ୟ ଧନ୍ଦା ବୋଲି ଗ୍ରହଣ କରିନେଇଥାନ୍ତି । ଦେଶର, ଜାତିର ଅସଲ ସାଂସ୍କୃତିକ କଲିଜାଟି କୁଆଡ଼େ ସେହି ଲୋକକାହାଣୀମାନଙ୍କରେ ଦୁକୁ ଦୁକୁ ହେଉଛି ବୋଲି ଏହି ସୁଜ୍ଞାନୀମାନେ କେଡ଼େ ବ ବିଗଳିତ ଭାବରେ କହନ୍ତି । ଲୋକମାନଙ୍କ ଅପେକ୍ଷା ସତେଅବା ଲୋକକାହାଣୀଗୁଡ଼ିକରେ ହିଁ ସେମାନଙ୍କର ସମଧିକ ଶ୍ରଦ୍ଧା ରହିଥାଏ । ଅନେକ ସଜ୍ଜନ ତ ନିଜେ ଲୋକଙ୍କ ଯାଏ ଯାଇପାରନ୍ତି ନାହିଁ ବୋଲି ଚାରମାନଙ୍କୁ ବରଗି ସେମାନଙ୍କର କାହାଣୀଗୁଡ଼ିକୁ ସଂଗ୍ରହର କରି ନେଇଆସନ୍ତି । ବିଜ୍ଞାନସମ୍ମତ ପରିପାଟୀରେ ଘୋର ଗବେଷଣାମାନ ହୁଏ । ନିବନ୍ଧ ଲେଖାହୁଏ । ଏହି ସବୁ କିଛି ଆମକୁ ଗୋଟାଏ ପ୍ରକାରର ବ୍ୟାଧିତ ପୁଲକ ଆଣି ଦେଇଥାଏ । ଆମେ ସତକୁ ସତ ଲୋକଙ୍କର ସନ୍ନିଧାନରେ ରହିଛୁ ବୋଲି ଅନୁଭବ କରି ନିଜ ଭିତରେ ରହିଥିବା କୋଉ ଅସଜ ଜାଗାଟିର ପ୍ରାୟଶ୍ଚିତ୍ତ କରୁଥାଉ କେଜାଣି ? ଯେତେବେଳେ ଆଲୋକମାନେ ଅନୁପ୍ରବେଶ କରିନଥିଲେ, ଯେତେବେଳେ ଅତି ସ୍ଵାଭାବିକ ଭାବରେ ଲୋକ ଜୀବନରେ ଏହି କାହାଣୀଗୁଡ଼ିକ ପ୍ରକୃତରେ ସଚଳ ଥିଲା, ସେତେବେଳେ ବରଂ ଅବସ୍ଥା ଅଧିକ ସୁସ୍ଥ ଥିଲା । ଆମେ ପୁଲକ ପାଇବା ବୋଲି ଆମ ପାକଶାଳାକୁ ତାଙ୍କର କାହାଣୀଗୁଡ଼ିକୁ ଲୁଟିଆଣିବା, ସପୃକ୍ତ ମନୁଷ୍ୟମାନେ ପ୍ରାୟ ପାରମ୍ପରିକ ଭାବରେ ଯେ ତିମିର ଭିତରେ ପଡ଼ି ରହିଛନ୍ତି, ହୁଏତ ଆମେ ସ୍ଵୟଂ କିଛି ପରିମାଣରେ ତାହାର କାରଣ ହୋଇଥିବା, ଏଥିରେ ଆମର ଅବଚେତନ ଭିତରେ ଉଗ୍ର ହୋଇ ରହିଥିବା ଉପେକ୍ଷାଗୁଡ଼ିକୁ ହିଁ ଆସନ ଓ ପାଦାସନ ମିଳିବାରେ ଲାଗିଥିବ ଓ ସାହିତ୍ୟରେ ରମଣ କରୁଥିବା ଆମକୁ ଏହି ପରି ମନୁଷ୍ୟବିମୁଖ ହୋଇ ରହିବାକୁ ହୁଏତ ମୋଟେ ଲାଜ ମାଡ଼ୁ ନଥିବ । ଆମକୁ ତାତ୍ତ୍ଵକ ଆଶ୍ଵାସନା ଦେଇ ଆମ ଏ ଯୁଗରେ ମଧ୍ୟ ଆନନ୍ଦବର୍ଦ୍ଧନ ଏବଂ ଅଭିନବଗୁପ୍ତମାନେ ଅନୁରୂପ ଅସୁମାରି ସିଦ୍ଧାନ୍ତ ବାଢ଼ି ଦେବାରେ ଲାଗିଥିବେ । ଆମ ସାହିତ୍ୟରେ ଏବେ ଯାହା ହେଉଛି, ତାହାହିଁ ହୋଇ ଚାଲିଥିବ ।

 

ଭୋଜନର ରୁଚି ବଦଳୁଥିବା ସଙ୍ଗେ ସଙ୍ଗେ ସାହିତ୍ୟରେ ପାକଶାଳାର ଘଟଣା ଓ ପ୍ରକୃତି ମଧ୍ୟ ଅବଶ୍ୟ ବଦଳି ଯାଉଥିବ । ଅନେକ କହନ୍ତି, ଗୋଟାଏ ନୂଆ ଯୁଗ ଆସେ ଏବଂ ସେହି ଅନୁସାରେ ଆନୁଷ୍ଠାନିକ ବହୁତ କିଛି ବଦଳି ଯାଏ । ଅଥବା ଏକ ଅନ୍ୟ ବ୍ୟଞ୍ଜନାରେ କହିଲେ, କେତେକ ମଣିଷ ସତେଅବା ଏକ ଅନ୍ୟ ଚେତନାର ଅର୍ଥାତ୍ ଅନ୍ୟ ସମ୍ଭାବନାର ଗନ୍ଧ ପାଆନ୍ତି । ନିଜ ଭିତରୁ ପାଆନ୍ତି ଏବଂ ନିଜ ବାହାରୁ ମଧ୍ୟ ପାଆନ୍ତି । ଆଗ କେଉଁଠାରୁ ପାଆନ୍ତି, ସେହି ବିଷୟରେ ମଣ୍ଡପମାନଙ୍କରେ ଲାଗିଥିବା କହଳଗୁଡ଼ିକର ନିଷ୍ପତି ଏବେ ମଧ୍ୟ ହୋଇନାହିଁ । ଚେତନା ଅଧିକ ସଚଳ ହେଲେ ତାହା କେଜାଣି କାହିଁକି ଏକ ଆହ୍ଵାନ ରୂପେ ଅନୁଭୂତ ହୁଏ । ସମ୍ଭାବନାମାନେ ମର୍ତ୍ତୀ ହୋଇ ଆସିବାପରି ବୋଧ ହୁଅନ୍ତି । ରତ୍ନାକର ଦସ୍ୟୁ ସମ୍ଭବତଃ ଠିକ୍ ଏହିପରି ଏକଦା ଏକ ଆହ୍ଵାନ ଅନୁଭବ କରିଥିଲା । ତଦ୍ଦ୍ଵାରା ତା' ଭିତରର ଦସ୍ୟୁଟି ଦୋହଲିଗଲା, ହୁଏତ ଜାଣି ଜାଣି ଦୋହଲିଗଲା ଏବଂ ତେଣୁ ବାଟ ଛାଡ଼ିଦେଲା । ଏକ ଅନ୍ୟ ପରିଚୟ ଭିତରେ ଆପଣାକୁ ନବୀନ କରିଦେଲା । ଆଗକାଳରେ ସାହିତ୍ୟ କଂସପରି କିମ୍ବା ରାବଣ ପରି ଅତ୍ୟାଚାରୀ ଏବଂ ତା'ର ତା'ର ଦର୍ପକୁ ଭାଙ୍ଗି ଧରାତଳକୁ ଶୀତଳ କରିବା ସକାଶେ ଗର୍ବଗଞ୍ଜନ ମହାପ୍ରଭୁ ଏଠାରେ ଅବତୀର୍ଣ୍ଣ ହେଲେ ଏବଂ କ'ଣଟିଏ ଜାଗାରେ ଆଉ କ'ଣଟିଏ ସଂସ୍ଥାପନ କଲେ, ଏପରି ମୋଟେ ଘଟେ ନାହିଁ । ଅନ୍ୟ ସମ୍ଭାବନାର ଦୃଶ୍ୟପଟମାନେ ଖୋଲିଯାଆନ୍ତି ଏବଂ ତାହାରି ଏକ ଉଚ୍ଚାଟନରୂପେ ଆହ୍ଵାନମାନେ ଆସି ଉଭା ହୋଇଯାଆନ୍ତି । ଆପଣାକୁ ସତେଅବା ଏକ ନିମିତ୍ତ ପରି ଅନୁଭବ ହୁଏ । ସତକୁ ସତ କେତେ ନା କେତେ ମହିମାନ୍ଵିତ ମନେହୁଏ । ଯାହା ଚାଲି ଯାଉଥାଏ, ତାହାରି ପରିପ୍ରେକ୍ଷୀରେ, ଯାହା ଆସୁଥାଏ, ସମସ୍ତେ ତାହାକୁ ଆଧୁନିକ ବୋଲି କହନ୍ତି । ଖାଲି ସାହିତ୍ୟ ନୁହେଁ, ସତେ ଯେପରି ସମଗ୍ର ଯୁଗଟା ହିଁ କଡ଼ ଲେଉଟାଇବା ପରି ମନେହୁଏ । ତା'ପରେ ଆଉ ପୁରୁଣା ପାକଶାଳାରେ ମୋଟେ ମନ ମାନେନାହିଁ । ପୁରୁଣା, ହଣ୍ଡା, ଚଟୁ ଏମାନେ ତେଣିକି ଆମ ସଂଗ୍ରହାଳୟ ଭିତରେ ଶୋଭା ପାଇବାକୁ ଯାଆନ୍ତି । ନୂଆଟା ଅନୁସାରେ ଏକାବେଳକେ ଏକ ନୂଆ ତାଲିକା ତିଆରି ହୋଇ ପାକଶାଳା ନିମନ୍ତେ ସାମଗ୍ରୀର ବରାଦ ହୁଏ । ନିଜକୁ ସେହି ପୁରୁଣା ବୃକୋଦର ବୋଲି କହିବାକୁ ମୋଟେ ମନ ହୁଏନାହିଁ । ପ୍ରବନ୍ଧ ଲେଖୁଥିବା ନିମିତ୍ତଟିଏ ଆଉ କ'ଣ ସେହିଭଳି ଆହ୍ଵାନଟିଏ ଶୁଣିଥାଏ କି ? ନହେଲେ, କବିତା, କାହାଣୀ ଏବଂ ଉପନ୍ୟାସର ଚିହ୍ନା ଗହଳିଆ ହାଟମାନଙ୍କୁ ଛାଡ଼ି, ସିଏ ପ୍ରବନ୍ଧ ଆଡ଼େ କାହିଁକି ମନ ବଳାଏ ? ନିଜ ପାକଶାଳା ସକାଶେ କାହିଁକି ନୂଆ ତାଲିକାଟିଏ ତିଆରି କରେ ?

 

ସାହିତ୍ୟ ଭିତରେ ପ୍ରବନ୍ଧ ନାମକ ଏହି ମାର୍ଗ ଅଥବା ବର୍ଗଟି ଯେ ପ୍ରାୟ ସବାଶେଷରେ ଆସି ପହଞ୍ଚିଛି, ଏହାକୁ ଆମେ ଏକ ଆକସ୍ମିକତା ବୋଲି ଆଦୌ କହିବାନାହିଁ । ଏପରି ବି କହି ହେବନାହିଁ ଯେ, ଏକଦା ଏମାନେ ସମସ୍ତେ ଏକାଠି ଯାତ୍ରା ଆରମ୍ଭ କରିଥିଲେ, ପ୍ରବନ୍ଧ ହୁଏତ ବାଟରେ କେଉଁଠି ଘାଲେଇ ପଡ଼ିଲା ଏବଂ ତେଣୁ ସବାଶେଷରେ ଆସି ପହଞ୍ଚିଲା । ଏବଂ ଅପରପକ୍ଷରେ, କାବ୍ୟ, କବିତା, ଗଳ୍ପ ଓ ଉପନ୍ୟାସ ଓଗେଇ ପୂରା ଚେଙ୍ଗା ହୋଇ ଦଉଡ଼ି ଆସିପାରିଲେ ଓ ତେଣୁ ଧଅସି ଆସି ପହଞ୍ଚିଗଲେ । କାବ୍ୟ, କବିତା ଏବଂ କାହାଣୀ ପ୍ରଭୃତିରେ ସାହିତ୍ୟର ପ୍ରାସାଦଟିକୁ ଖଚିତ କରୁଥିବା ସମୟରେ ସମ୍ଭବତଃ ତଥାପି କିଛି ଅଭାବ ରହି ଯାଉଥିଲା ଏବଂ ସେହି ଅଭାବବୋଧଟିକୁ ଏକ ସକାରାତ୍ମକ ଚରିତାର୍ଥତା ଦେଇ ପ୍ରବନ୍ଧର ଆବିର୍ଭାବ ଘଟିଲା– ଏପରି କିଛି ପ୍ରକୃତରେ କୁହାଯାଇ ପାରିବ କି ? ଏକ ସମାନ୍ତରର ଉଲ୍ଲେଖ କରି କହିଲେ, ଏକଦା ପଦ୍ୟରେ ତ ଚମତ୍କାର କାର୍ଯ୍ୟ ଚଳି ଯାଉଥିଲା । ଖାଲି ଆମ ସାହିତ୍ୟଟାରେ ନୁହେଁ, ପୃଥିବୀଯାକର ସାହିତ୍ୟରେ କାମ ଚଳି ଯାଉଥିଲା । ତଥାପି କେଉଁଠାରେ କ'ଣ ଅଭାବ ରହିଯାଉଥିଲା ଓ ଆତ୍ମା ପୂରୁ ନଥିଲା କେଜାଣି ବେଳ ଜାଣି ଗଦ୍ୟ ପାଇଁ ଡାକରା ପଡ଼ିଲା । ପଦ୍ୟର ପାକାଗାରୀମାନେ ସେଥିରେ କେତେ ପ୍ରତିବାଦ କରିଥିଲେ । ତଥାପି ଗଦ୍ୟ ଆସିଲା ଓ ଅଲବତ ଆସିଲା । ଆମ ଭାରତବର୍ଷରେ ଏକଦା ଗୋଟାଏ ଭାଷା ସଂସ୍କୃତରେ ହିଁ ଯାବତୀୟ ସାହିତ୍ୟ କର୍ଷଣ କରାଯାଉଥିଲା ସେତେବେଳକେ ଯେଉଁସବୁ ସଭାରେ ସଭାକବିମାନେ ସଂସ୍କୃତରେ ପୟାର ଲେଖି ରାଜନଙ୍କର ଚିତ୍ତ ପ୍ରସାଧନ କରୁଥିଲେ, ହୁଏତ ସେହି ରାଜାଙ୍କୁ ମଧ୍ୟ ସ୍ଥଳେ ସ୍ଥଳେ ସଂସ୍କୃତ ମାଲୁମ ନଥିଲା । ତଥାପି ନିଜକୁ ସତେଅବା ହରିଣ ବୋଲି ଭାବୁଥିବାରୁ ସେତେବେଳେ ଥୋକେ ସଂସ୍କୃତକୁ ହିଁ ସରସ୍ଵତୀଙ୍କ ଗାଆଁର ମଉରସୀ ଭାଷା ପରି ଗ୍ରହଣ କରୁଥିଲେ । ତଥାପି କ'ଣ ଗୋଟାଏ ଅଭାବ ରହି ଯାଉଥିଲା ଏବଂ ସେହି ଅଭାବ ସ୍ଥାନଟାର ପୂରଣ ନିମନ୍ତେ କଥିତ ଭାଷାଗୁଡ଼ିକ ପାଇଁ ଥାନ କରି ଦିଆଗଲା । ପ୍ରବନ୍ଧର ଆଗମନକୁ ଆମେ ପୃଥିବୀର ସାହିତ୍ୟରେ ସେହିପରି ଏକ ନୂତନ ଆଉ କିଛି ବୋଲି ଗ୍ରହଣ କରିପାରିବା କି ?

 

କବିତା, କାବ୍ୟ, ଗଳ୍ପ, ଉପନ୍ୟାସ ଓ ନାଟକ–ଏହି ସବୁକିଛିର ପାକଶାଳା ବିଷୟରେ ଅବଶ୍ୟ ଏକ ପ୍ରବନ୍ଧ ଲେଖାଯାଇ ପାରିବ । ହୁଏତ ଏମାନେ ସମସ୍ତେ ନିଜ ନିଜ ନିମନ୍ତେ ଗୋଟିଏ ଗୋଟିଏ ଅଲଗା ପାକଶାଳା ସର୍ବଦା ରହିଆସିଛି ବୋଲି ଅଭିଯୋଗ କରି କହିଲେ ମଧ୍ୟ ଏମାନଙ୍କୁ ସମସ୍ତଙ୍କୁ ଗୋଟିଏ ସାହି ଭିତରେ ଅନ୍ତର୍ଭୁକ୍ତ କରି ତଥାପି ଦେଖିହେବ । ମାତ୍ର, ପ୍ରବନ୍ଧର ପାକଶାଳାଟି ଯେ ଏକାବେଳେକେ ଅଲଗା ପାକଶାଳା, ସେହି ଗପ, କବିତା ଓ ନାଟକାଦିର ପାକାଗାରୀମାନେ ସମ୍ଭବତଃ ନିଜଆଡ଼ୁ ତାହା ଦାବି କରିବା ନିମନ୍ତେ ଆଗ ବାହାରି ଆସିବେ । ସାହିତ୍ୟ ଭିତରକୁ ପ୍ରବନ୍ଧନାମକ ଏହି ଜନ୍ତୁଟା କାହିଁକି ମିଛଟାରେ ପଶିଆସିଲା ବୋଲି ହୁଏତ ଏବେ ମଧ୍ୟ କେତେକ କବିତା ଏବଂ ଗପଘରର ମାଳାକାର ତଥାପି ବିଚାର କରୁଥିବେ । ଏକାବେଳକେ ଏକ ସତକଥା ଯେ, ପ୍ରବନ୍ଧ ଆସି ପହଞ୍ଚିଯିବା ପରେ ସେହି ଅନ୍ୟଗୁଡ଼ିକର ଅନ୍ଦାଜଜଗତରେ ସମ୍ଭବତଃ ଅନେକ ଶାନ୍ତିଭଙ୍ଗ ହୋଇଛି । ଆଗେ ତ କବିମାନେ କବିତା ଲେଖି ମଣିଷମାନଙ୍କର ମନ ତୋଷି ପାରୁଥିଲେ ତାଙ୍କଠାରୁ ଅସରପି ମିଳୁଥିଲା । ସମସ୍ତେ ଯେ ବସ୍ତୁତଃ ସେହି ସୌଭାଗ୍ୟ ଲାଭ କରୁଥିଲେ, ସେକଥା ଆଦୌ ନୁହେଁ । ତଥାପି ସମସ୍ତେ ଯେ ସେହି ରାଜସ୍ଵୀକୃତିକୁ କଣ୍ଟ କରି ରଖି ନିଜର କାବ୍ୟକସରତ ନିମନ୍ତେ ପ୍ରେରଣାମାନ ପାଉଥିଲେ, ତାହାକୁ କଦାପି ଅସ୍ଵୀକାର କରାଯାଇ ପାରିବନାହିଁ । ଏବେ ମଧ୍ୟ କବିତା ଏବଂ ଗଳ୍ପର କେତେ ଲେଖକ ଜଣେ ପ୍ରବନ୍ଧକାର ପାଖକୁ ଆସୁଥିବେ ସେମାନଙ୍କର କୃତିଟି ଏ ବିଷୟରେ ସମୀକ୍ଷାଟିଏ ଲେଖି ଦେବାକୁ । କହିବାବାହୁଲ୍ୟ, ସେମାନେ ନିଜ ଲିଖି ସମୀକ୍ଷାଟିଏ ଲେଖାଇ ନେବାକୁ ସମୀକ୍ଷକ ପାଖରେ ଅଳି କରୁଥିବେ । ବିଚରା ସମୀକ୍ଷକ ଯଦି ବରାଦ ମୁତାବକ ସେପରି କିଛି ଲେଖି ନପାରିବ, ସେଥିରେ ସେମାନେ କିଞ୍ଚିତ ଖପା ବି ହୋଇଯିବେ । ସତେଅବା ସେମାନଙ୍କର ଆତ୍ମା ଭିତରେ କୋଉଠି ଗୋଟାଏ ଶିରିଷଦେହା ଏକାବେଳେକେ ଜାଉଁଳି ପଡ଼ୁଥିବ । ଆମର ଏହି ଯୁଗରେ ଓ ଆମ ଓଡ଼ିଶାରେ ମଧ୍ୟ ଏପରି କବି ଅଛନ୍ତି ଯେଉଁମାନେ କି କିଞ୍ଚିତ୍ ସମୀକ୍ଷା ପାଇଁ ନିଜର ବହିକୁ ନେଇ ଜଣେ ସମୀକ୍ଷକ ପାଖରେ ଦେଇଆସନ୍ତି । କେଡ଼େ କୋମଳ ଭାବରେ ସମୀକ୍ଷାଟିଏ ପାଇଁ ଅନୁରୋଧ କରନ୍ତି । ତୁଣ୍ଡ ଖୋଲି ନ କହିଲେ ମଧ୍ୟ, ସମୀକ୍ଷାଟି ଯେପରି ସ୍ଵୟଂ ସେହିମାନଙ୍କ ଲାଗି କିଞ୍ଚିତ୍ କାମସ୍ପର୍ଶ ଆଣିଦେବ, ଯାବତୀୟ କଥା ତଥା ଅଙ୍ଗଭଙ୍ଗୀ ଦ୍ଵାରା ସେହି ଭାବନାଟିକୁ ପ୍ରକାଶ କରିବାକୁ ଇଚ୍ଛା କରୁଥାନ୍ତି । ଏହିସବୁ କ୍ଷେତ୍ରରେ ବିଚରା ସମୀକ୍ଷକ ପାଇଁ ନାହିଁ କହିଲେ ମଲ,– ସତେଅବା ଏହପରି ଏକ ଦଶା ଆସି ପହଞ୍ଚି ଯାଇଥାଏ । ନିଜ ଲାଖି ସମୀକ୍ଷାଟିଏ ବାହାରିଲେ କବିତା ଅଥବା ରୂପକ ତନୟଟି ସତେଅବା କାନରେ ସୁନାନୋଳି ଲଗାଇ ଦାଣ୍ଡକୁ ବାହାରିଥିଲା ପରି ଦେଖାଯାଏ ଏବଂ ସେଥିରୁ କବି ତଥା ଗଳ୍ପକାରଟିକୁ କୋଟିନିଧି ମିଳି ଯାଉଥାଏ । ଏଥିରୁ ବେଳେବେଳେ ଲାଗେ, ସେହି ଆଗର ପାକଶାଳାଟି କବିତାଦି ସାହିତ୍ୟ କର୍ମରେ ନଜରରେ ଏବଂ ଆନୁଷଙ୍ଗିକ ଯାବତୀୟ ନସରପସର ସତେଅବା ଏବେ ମଧ୍ୟ ସେହିପରି ରହିଛି; କିଛି ହେଲେ ବଦଳିନାହିଁ । ସତକୁ ସତ ଯେକୌଣସି vestige ପରି ହୋଇରହିଛି, ତଥାପି ବଡ଼ ସୁହାଉଛି । ଭାଗ୍ୟର ବିଷୟ ଯେ ପ୍ରବନ୍ଧ ବା ପ୍ରବନ୍ଧକାରମାନେ ଏପର୍ଯ୍ୟନ୍ତ ତେଣେ ମନ କରିନାହାନ୍ତି ।

 

ଏବେ ସାହିତ୍ୟନାମକ ଆମ ଭାଡ଼ିଟିରେ ଆହୁରି ଗୋଟିଏ ଗଳଦ୍‍ଗର୍ମ ପ୍ରବୃତ୍ତି ଆସି ପ୍ରବେଶ କରୁଛି; ଯାହାକି ଆମକୁ ସଭାକାଳର, ଆତ୍ମଶ୍ଲାଘା କାଳର ଏବଂ ପାକଶାଳାଟିକୁ ମଣିମାଙ୍କ ପାଇଁ ଅନୁକୂଳିତ କରି ରଖିବାର ସେହି vestige ଟିର ଭାରି ସ୍ମରଣ କରାଇ ଦେଉଛି । ଆମେ ଯାହାକିଛି ଲେଖୁଛୁ, ତାହାର ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଏକ ସମ୍ଭାବନା ଅର୍ଥାତ୍ ଏକ Career ରହିଛି । ତେଣୁ ନିଜ ଭାଷାଟିରେ କିଛି ଲେଖିଦେଲେ ଅର୍ଥାତ୍ ରାନ୍ଧି ଥୋଇଦେଇ ରାନ୍ଧୁଣିଆମାନଙ୍କର ମୋଟେ ମନବୋଧ ହେଉନାହିଁ । ଚାଲି ଶିଖିବା ପୂର୍ବରୁ ସେମାନଙ୍କ ଦେହରେ ସତେଅବା ଦୁଇଟା ଡେଣା ଲାଗିଯାଉଛି । ଏବର ଅନେକ କବିତା ଏବଂ ଗପକୁ ଭୂଇଁଛଡ଼ା କରିବାରେ ଏବଂ ଗୋତ୍ର ହରାଇବାରେ ଏହି ଅଲକ୍ଷଣା ଡେଣା ଦୁଇଟା ଖୁବ୍ ସାହାଯ୍ୟ କରୁଛନ୍ତି । ତେଣୁ, ନିଜର ଲେଖାଗୁଡ଼ିକ ଆଗ ଏ ଭାଷାରେ ଓ ସେ ଭାଷାରେ ଅନୁବାଦ କରାଯାଉ ବୋଲି ଏକ ଉଚ୍ଚାଟନ ଜାତ ହେଉଛି । ଏବଂ, ଏବେ ଭାରତୀୟ ଭାଷାମାନଙ୍କରେ କରା ଯାଉଥିବା ଅନୁବାଦ ପଛରେ ଅଧିକାଂଶ ସ୍ଥଳରେ ହୁଏତ ସେହି ଉଚ୍ଚାଟନଟା ହିଁ ସର୍ବାଧିକ ପରିମାଣରେ ଦଉଡ଼ାଇ ନେଇଯାଉଛି । ଯେଉଁମାନଙ୍କ ଭିତରେ ସେଇଟା ହିଁ ଅତି ପ୍ରବଳ ହୋଇଉଠୁଛି ଏବଂ ବିବେକର ନୀବିନ୍ଧମାନଙ୍କୁ ମଧ୍ୟ ଫିଟାଇ ପକାଉଛି, ସେମାନେ ତ ଏବେ ଅନୁବାଦକୁ ଆଖି ଆଗରେ ରଖି ପାକଶାଳାଟାର ଧର୍ମଗତ ମୂଳରୀତିଗୁଡ଼ିକୁ ମଧ୍ୟ ସତେଅବା ବଳ ପ୍ରୟୋଗ କରି ବଦଳାଇ ଦେଉଛନ୍ତି । ଲେଖାଟିକୁ ଯେପରି ଭାବରେ ଅନାୟାସରେ ଅନୁବାଦ କରାଯାଇପାରିବ, ସେଥିପାଇଁ ମୂଳରୁ ହିଁ ତାହାକୁ ଏକ ଅନୁରୂପ ବାଗରେ ବା ଅବାଗରେ ଲେଖିବାକୁ ଚେଷ୍ଟା କରାଯାଉଛି । ଭାରତବର୍ଷରେ ନାନା ଅସାମାଜିକ କାରଣରୁ ଆମ ସାହିତ୍ୟନାମକ କର୍ମଟିଏ ଏହି ପ୍ରକୋପୀମାନଙ୍କରେ କରଗତ ହୋଇ ରହିଛି । ଅନ୍ତତଃ ଏବର ସାହିତ୍ୟିକ ନାନା ଅବସରରେ ସେଇମାନେ ସବୁଠାରୁ ଭଲକରି ପୋଷାକ ପିନ୍ଧିଥିବା ଦୁଆରୀଙ୍କ ପରି ଦେଖା ଯାଉଛନ୍ତି । ନିଜ ଭାଷାରେ ପ୍ରାୟ କିଛି ନ ଲେଖିଥିବା ଏବଂ ନିଜ ଲେଖକୀୟ ପାକଶାଳାରେ ମୁଖ୍ୟତଃ ନିଜ ମସ୍ତିଷ୍କ ଭିତରେ ଗୋଟାଏ ଅନୁବାଦ କଳ ବସାଇ ଅଭ୍ୟସ୍ତ ଏକ ଅନ୍ୟ ଭାଷାରେ ଯାହାକିଛି ନିର୍ମାଣ ବା ଭିଆଣ କରି ତେଣୁ ନାମଜାଦା ହୋଇଯିବାର କାଗଜ ଖଣ୍ଡେ ହାତରେ ଧରିଥିବା କେତେଜଣ ତ କ୍ରମେ ମନ୍ତବ୍ୟ ଦେଉଛନ୍ତି ଯେ ଭାରତୀୟ ଭାଷାରେ ଭାବର ଅଭିବ୍ୟକ୍ତ ନିମନ୍ତେ ଆଦୌ ଏତେ ଶବ୍ଦ ନାହିଁ, ଯେପରି ସେମାନେ ବ୍ୟବହାର କରୁଥିବା ସେହି ଅନ୍ୟ ଭାଷାଟିରେ ରହିଛି । ହେତୁ ହେବା ପୂର୍ବରୁ ନିଜ ଭୂଇଁଟି ସହିତ ପ୍ରାୟ ସବୁଯାକ ଚେର ଛିଣ୍ଡି ଯାଇଥିବା ଏମାନେ ଯେଉଁମାନେ ନୀଳରଙ୍ଗର ବିଶେଷ ବସ୍ତ୍ରମାନ ପରିଧାନ କରି ପ୍ରାୟ ଦରଲଙ୍ଗଳା ହୋଇ ମାମୁଁଘର ରାଇଜର swimming pool ମାନଙ୍କରେ ପହଁରି ପହଁରି ଦିହକ କଟାଇଲେ, ସେମାନଙ୍କୁ ନିଜ ଗାଆଁର ନଈ ବା ପୋଖରୀ କିପରି ଏବଂ କାହିଁକି ବା ଆରେଇବ ? ଏହିକ୍ଷେତ୍ରରେ ଜଣେ କବି ବା ଗଳ୍ପକାରକୁ ଯେଉଁ ପାକଶାଳାଟିର ଆଶ୍ରୟ ନେବାକୁ ପଡ଼ିବ, ତାହାକୁ ଅମେ ପ୍ରକୃତରେ ବିଚିତ୍ର ବୋଲି କହିବା । ଏବେ ଓଡ଼ିଶାର ସହରମାନଙ୍କରେ ଥିବା ବୈଦୁର୍ଯ୍ୟମୟ ହୋଟେଲମାନଙ୍କରେ ଯେତେବେଳେ ନିଜ ଘର କିମ୍ବା ନିଜ ଗାଆଁ ଦେଉଳର କୌଣସି ପରଷା ଖାଇବାକୁ ମନକଲେ କେବଳ ହତାଶ ହେବାକୁ ହୋଇଥାଏ, ସେତେବେଳେ ଅନେକ ସମୟରେ ସେହି ବିଶେଷ କାଟର ସାହିତ୍ୟ-ପାକଶାଳାମାନେ ଭାରି ମନେ ପଡ଼ିଯାଆନ୍ତି । ପ୍ରାୟ ନିୟମତଃ ଜଣେ ପ୍ରବନ୍ଧକାର ଏପର୍ଯ୍ୟନ୍ତ ସେହି ମାୟାରେ ପଡ଼ିନାହିଁ । ତେଣୁ, କୌଣସି ମଣିମାଙ୍କୁ ନଜରରେ ରଖି ଆସି ନିଜ ପାକାଶାଳାଟିକୁ ସଜାଡ଼ିବାର ଧୃଷ୍ଟତା ମଧ୍ୟ ଏପର୍ଯ୍ୟନ୍ତ କରିନାହିଁ । ତେଣୁ, ଯେକୌଣସି ସଭାରେ ବକମାନଙ୍କ ମଧ୍ୟରେ କାକଟିଏ ବୋଲି ବାରି ହୋଇ ପଢ଼ୁଛି । ନିଜର ପାକଶାଳାଟିକୁ ଯଦି ସିଏ ଅନ୍ୟଭଳି ଏହି ଯାବତ ପାକଶାଳାର ଛାଞ୍ଚରେ ଗଢ଼ିବ, ତେବେ ତାକୁ ନିଜ ପାଖରେ କେବଳ ଲାଜରା ହେବାକୁ ହିଁ ପଡ଼ିବ । ସାହିତ୍ୟର ଦାଣ୍ଡରେ ବାଟ ଚାଲୁଥିବା ଅନ୍ୟମାନେ ଯାହା ହୁଏତ ମୋଟେ ପାଇପାରିବେ ନାହିଁ, ସେହିପରି ଅଭିନବ ଓ ଅନନ୍ୟ କିଛି ପାଉଥିବା ପରି ତା'ର ଅନୁଭବ ନ ହେଉଥିଲେ ଗୋଡ଼ ଖସାଇ ଦେବାକୁ ତାକୁ ମଧ୍ୟ ଆଦୌ କୌଣସି ବିଳମ୍ବ ଲାଗନ୍ତା ନାହିଁ । ଭଗବାନ ପ୍ରବନ୍ଧକୁ ସେହିଭଳି ସାହସ ସବୁବେଳେ ଦେଉଥାଆନ୍ତୁ ।

 

ସାହିତ୍ୟର ଏନ୍ତୁଡ଼ିଶାଳାରେ ଆମେ ପ୍ରବନ୍ଧକାରକୁ ହୁଏତ ଜଣେ ଧାତ୍ରୀ ବୋଲି ବି କହିପାରିବା । ଶିଶୁଟି ଭୂମିଷ୍ଠ ହୋଇ ସାରିଲେ ସମସ୍ତେ, ମାଆଙ୍କୁ ଘେରି କୋଳାହଳ ଆରମ୍ଭ କରନ୍ତି, ମାଆକୁ ଭାଗ୍ୟବତୀ ବୋଲି କହନ୍ତି-ଧାତ୍ରୀଟି କଥା କାହାର ମନେଥାଏ ? ନିଜେ ନିଜର ଏକଧାରରେ ଧାତ୍ରୀ ଏବଂ ଜନନୀ ହୋଇପାରିବଟି ହେଉଛି କେବଳ ସାହିତ୍ୟରେ ନୁହେଁ, ଜୀବନରେ ମଧ୍ୟ ସର୍ବୋତ୍ତମ କଥା । ମାତ୍ର ତାହା ଅନେକ ସମୟରେ ସମ୍ଭବ ହୋଇ ପାରେ ନାହିଁ, କାରଣ ଜଣେ ଧାତ୍ରୀର ପ୍ରସ୍ତୁତି ଓ ଜଣେ ଜନନୀର ପ୍ରସ୍ତୁତି ପରସ୍ପରଠାରୁ ଧର୍ମତଃ ଭିନ୍ନ ହୋଇପାରିବ ହିଁ ରହିବ । ଏବଂ ଅସଲ ପ୍ରବନ୍ଧକାର ଯେତିକି ସ୍ଵାଭାବିକ ଭାବରେ ଧାତ୍ରୀ ଆଉ ଜନନୀ ମଧ୍ୟ ରହିଥିବା ପାର୍ଥକ୍ୟଟିକୁ ଅତିକ୍ରମ କରିଯାଇ ପାରିଥିବ, ସିଏ ସେତିକି ସଫଳ ଏବଂ ସର୍ବାଙ୍ଗ ଭାବରେ ଜଣେ ପ୍ରବନ୍ଧକାର ହୋଇପାରିବ । ଏବଂ, ପୃଥିବୀରେ ଏପରି ଜନନୀଟିଏ କେଉଁଠାରେ ଅଛି ଯିଏ କି ହୃଦୟ ଭିତରେ ସତେଅବା ନିଜର କା' ରୂପେ ଜଣେ ଧାତ୍ରୀଟିକୁ ବହନ କରିନାହିଁ ଏବଂ ଏପରି ଧାତ୍ରୀଟିଏ ବି କେଉଁଠାରେ ଅଛି ଯିଏ ପ୍ରାୟ ଧର୍ମ ଦ୍ଵାରା ଅନୁରୁଦ୍ଧ ହୋଇ ନିଜକୁ ଜନନୀ ପରି ଅନୁଭବ କରୁନାହିଁ । ପ୍ରବନ୍ଧକାର ମଧ୍ୟରେ ଜନନୀଟିଏ ନଥିଲେ ସେ କେବେହେଲେ ଧାତ୍ରୀ ହୋଇ ପାରନ୍ତାନାହିଁ, ଏବଂ କବି ଗଳ୍ପକାର ଇତ୍ୟାଦିଙ୍କ ମଧ୍ୟରେ ସତକୁ ସତ ଧାତ୍ରୀଟିଏ ନଥିଲେ ସେମାନେ ଜନନୀଟିଏ ବି କଦାପି ହୋଇପାରନ୍ତେ ନାହିଁ । ଅବଶ୍ୟ ସ୍ଵାଧିକାରପ୍ରମତ୍ତ ମଣିଷମାନଙ୍କ କଥା ସମ୍ପୂର୍ଣ୍ଣଭାବେ ନିଆରା । ଆମ ସାହିତ୍ୟତୋଟାଟାରେ ମଧ୍ୟ ସ୍ଵାଧିକାରପ୍ରମତ୍ତ ମଣିଷମାନଙ୍କର ସଂଖ୍ୟା ଆଦୌ କମ୍ ହେବନାହିଁ । ଉଦାହରଣ ସ୍ୱରୂପ, ଯେଉଁମାନେ ସାହିତ୍ୟକୁ ଜୀବନଠାରୁ ଅଲଗା ଓ ନିଆରା ଗୋଟାଏ ବିଶେଷ ଇଲାକା ବୋଲି ଭାବନ୍ତି, ସେମାନେ ଅବଶ୍ୟ ସ୍ଵାଧିକାରପ୍ରମତ୍ତ । ସାହିତ୍ୟନାମକ ବିଶେଷ କ୍ଷେତ୍ର ଉପରେ କେବଳ କେତେ ବିଶେଷ ବର୍ଗ ବା କିସମର ମଣିଷଙ୍କର ଅଧିକାର ରହିଛି ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ପୂରା ଧାତୁଟା ହେଉଛି ସ୍ଵାଧିକାରପ୍ରମତ୍ତ । ଭାରତବର୍ଷରେ ସାହିତ୍ୟ, ସଂସ୍କୃତି, କଳା ପ୍ରଭୃତିକୁ ଯେ କେତେ କେତେ କାଳରୁ ଗୋଟିଏ ଗୋଟିଏ ବିଶେଷ ବିଶେଷ ମାହାଲ ବୋଲି ବିଚାର କରାଯାଇ ଆସିଛି, ସେହି ବିଚାରଟି ପଛରେ ମଧ୍ୟ ଏକ ସ୍ଵାଧିକାରପ୍ରମତ୍ତତା ବାଘ ପରି ବସି ହାଉଁ ହାଉଁ ହେବାରେ ଲାଗିଛି । କୋଇଲିର ଛୁଆଟିକୁ କାଳ ହିଁ ଧାତ୍ରୀର ଭୂମିକା ଗ୍ରହଣ କରି ଏକ ପୂର୍ଣ୍ଣସମର୍ଥ କୋଇଲି ରୂପେ ଗଠନ କରି ଆଣିଥାଏ, ତଥାପି କୋଇଲିମାନେ କାଳକୁ ନିଜ ଜନନୀତ୍ଵରୁ କିଛି ଭାଗ ଦେବାକୁ ସମ୍ଭବତଃ ଆଗର ସେହି ସତ୍ୟଯୁଗରେ ମଧ୍ୟ ସମ୍ମତ ହୋଇନଥିବେ । ଏବଂ, ବର୍ତ୍ତମାନ ତ ଆମକୁ କଳିଯୁଗଟା ଭିତରେ ଆତଯାତ ହେବାକୁ ପଡ଼ୁଛି । ପ୍ରବନ୍ଧର ପାଠଶାଳାରେ ଆକାଶ ଓ ପୃଥିବୀ ଉଭୟେ ରହିଥାଆନ୍ତି । ସ୍ଵପ୍ନମାନେ ବି ଥାଆନ୍ତି ଯାହା ଯେକୌଣସି କବିର ସ୍ଵପ୍ନଚାରଣାକୁ ଚିତା କାଟିଦେଇ ପାରିବ । ପ୍ରବନ୍ଧକାରଟିଏ କ'ଣ କମ୍ ଉଡ଼ୁଥାଏ ? ତେଣୁ ତା'ର ପ୍ରୋୟଜନ ଅନୁସାରେ ଡେଣାମାନେ ନଥିଲେ ଚଳନ୍ତା କିପରି ? ପ୍ରବନ୍ଧକାର ଭିତରେ ହୃଦୟ ଥାଏ ମସ୍ତିଷ୍କ ମଧ୍ୟ ରହିଥାଏ । ଏମାନେ ସତେଅବା ପରସ୍ପରର ପରିପୂରକ ହୋଇ ରହିଥାଆନ୍ତି । ହୃଦୟ ଲୋସଡ଼ି ପଢ଼ିବାପରି ହେଲେ ମସ୍ତିଷ୍କ ପାଖରୁ ଥାଇ ତାକୁ ଆଶ୍ରା ଯୋଗାଇ ଦିଏ ଏବଂ ମସ୍ତିଷ୍କଟା ବି ଥକି ପଡ଼ିଲେ ହୃଦୟଟା ସତେଅବା ତା'ର ଚିହ୍ନା ବନ୍ଧୁଟିଏ ପରି ଯାଇ ପହଞ୍ଚିଯାଏ । ଆପଣ ଇଚ୍ଛା କଲେ ଜଣେ ପ୍ରବନ୍ଧକାରକୁ ଯୋଗୀଟିଏ ବୋଲି କହିପାରନ୍ତି, ଭୋଗୀଟିଏ ବୋଲି କହିପାରନ୍ତି । ଆପଣ ଯଦି ପୂରା ଭୋଗ ଭିତରେ ରହିଥିବେ, ତେବେ ଜଣେ ପ୍ରବନ୍ଧକାରର ଯୋଗୀ-ପରିଚୟଟାକୁ ଦେଖି ଆପଣ ହୁଏତ ପ୍ରମାଦ ଗଣିପାରନ୍ତି, ଏବଂ ଆପଣ ଯଦି ପୂରା ଯୋଗ ଭିତରେ ରହିଛନ୍ତି ବୋଲି ଭାବି ଭ୍ରମରେ ପଡ଼ିଥିବେ, ତେବେ ପ୍ରବନ୍ଧକାରର ଭୋଗୀ ପରିଚୟଟାକୁ ଦେଖି ଆପଣ ହୁଏତ ଏକ ଉପେକ୍ଷା ଭିତରେ ଯାଇ ପଶି ଯାଇପାରନ୍ତି, ,ମାତ୍ର ତଥାପି ପ୍ରବନ୍ଧାକାର ଯୋଗୀ ଏବଂ ଭୋଗୀ ଦୁଇଟାଯାକ ହୋଇ ରହିଥିବ । ତୁଚ୍ଛା ସାହିତ୍ୟରେ ଥିବା ଥୋକେ ମଣିଷ ସମ୍ଭବତଃ ସେହି କାରଣରୁ ପ୍ରବନ୍ଧକାରକୁ ମୋଟେ ଦୁଇ ଆଖିରେ ଦେଖିପାରନ୍ତି ନାହିଁ । ସେମାନେ ପ୍ରବନ୍ଧକାରକୁ ଈର୍ଷା କରନ୍ତି ଓ ପ୍ରବନ୍ଧଟା ଏକ ସୃଜନାତ୍ମକ କାର୍ଯ୍ୟ ବୋଲି ସ୍ଵୀକାର କଲାବେଳକୁ ଖୁବ୍ କୁନ୍ଥାଇ ହୁଅନ୍ତି । ଏହି କାଟର ସାହିତ୍ୟକାରମାନେ ହିଁ ସାହିତ୍ୟକୁ ସତେଅବା କୌଣସି କାଳିସୀର ଆକ୍ରମଣ ସହିତ ତୁଳନା କରନ୍ତି-। ସେମାନେ ବିଚରା ସେହି କାଳିସୀଟା ଭଳି ସ୍ଵୟଂ ସ୍ଵାଧିକାରପ୍ରମତ୍ତ ମଣିଷଙ୍କ ଲାଗି ଆଗକୁ ଯେଉଁ ଅନ୍ୟ ଯୁଗ ସମ୍ଭାବନାଟି ବିଷୟରେ ବାରତାମାନ ଆଣି ଦେବାକୁ ଆରମ୍ଭ କଲାଣି, ସେଇଟା ଭିତରେ କାଳିସୀ ଲାଗିଥିବା ସ୍ଵାଧିକାରପ୍ରମତ୍ତମାନେ ମୋଟେ ଖାପ ଖାଇ ପାରିବେ ନାହିଁ-। ଆଗକୁ ଯେଉଁ ଯୁଗଟି ଆସୁଛି, ସେଥିରେ ଜନନୀକୁ ଧାତ୍ରୀରୂପେ ଅନୁଭବ କରିହେବ ଏବଂ ଧାତ୍ରୀକୁ ମଧ୍ୟ ଜନନୀରୂପେ ଅନୁଭବ କରିହେବ । ଭାରତବର୍ଷରେ ଦେବୀକଳ୍ପନାରେ ଯାହାଙ୍କୁ ଜନନୀ କରିବାର ପ୍ରୟାସ କରୁଥାଏ ଓ ସେହିପରି ପ୍ରୟାସ କରି ହିଁ ଆପଣାକୁ ଧନ୍ୟ ମନେକରେ-। ନିଜର ପାକଶାଳାଟିରେ ସେଇ ଉଭୟଙ୍କ ପାଇଁ ସମିଧ ପ୍ରସ୍ତୁତ କରୁଥାଏ– ନିଜର ଚୟନ ଦ୍ଵାରା ସମଗ୍ର ପୃଥିବୀକୁ ଡାକିଆଣି ସିଏ ସମିଧ ପ୍ରସ୍ତୁତିରେ ପ୍ରୟୋଗ କରୁଥାଏ ଏବଂ, ବେଳେବେଳେ କ'ଣ ଆବଶ୍ୟକତା ଆସି ପହଞ୍ଚେ କେଜାଣି, ସିଏ ନିଜକୁ ମଧ୍ୟ ସମିଧ ପ୍ରସ୍ତୁତ ହେଇଥିବା ତା' ପାକଶାଳାରେ ସେହି ହାଣ୍ଡିଟି ଭିତରେ ନେଇ ପକାଇଦିଏ ଏବଂ ଖୁସି ହୋଇଯାଏ ।

 

[ଝଙ୍କାର, ଜୁନ୍ ୧୯୯୮]

☆☆☆

 

ପ୍ରବନ୍ଧର ଜ୍ଞାତିପଂକ୍ତି

 

ଗଦ୍ୟ ଭାଷାରେ ଚିରଯାବତ୍ ରହିଥିଲା । ଲୋକ ତୁଣ୍ଡରେ ଥିଲା । ସେହି ଲୋକ ତୁଣ୍ଡରୁ ହିଁ ସର୍ବପ୍ରଥମେ ପଦ୍ୟ ଫନ୍ଦା ହୋଇ ବାହାରିଲା । ଗଦ୍ୟର ପ୍ରାୟ ଏକ ବିନୋଦନକାରୀ ପରିପୂରକ ହୋଇ ରହିଥିଲା । ତା'ପରେ ସାହିତ୍ୟ ଏକ ବିଶେଷ ଭୋଗ ସାମଗ୍ରୀ ରୂପେ ସଭାକୁ ଆସିବା ପରେ ଗଦ୍ୟ ସେଥିରୁ ନିର୍ବାସିତ ହୋଇ ରହିଲା । କାବ୍ୟ ରଚନାକୁ ଗୋଟେ ଦିବ୍ୟ କର୍ମ ବୋଲି କୁହାଗଲା । ବାଗଦେବୀଙ୍କର ଭଣ୍ଡାରରେ ଗଦ୍ୟର ନିଶ୍ଚୟ ଆଦୌ କୌଣସି ସ୍ଥାନ ନଥିବ, ଦେବୀଙ୍କର ସ୍ତୁତିକାରମାନେ ଏହିପରି ଗୋଟିଏ ଧାରଣା ସାହିତ୍ୟ ଭିତରେ ଆଣି ପୂରାଇ ଦେଇଥିଲେ । ସାହିତ୍ୟ ସତେଅବା କେତେ କ୍ରୋଶ ବ୍ୟବଧାନରେ ଜୀବନଠାରୁ ଅଲଗା ହୋଇ ରହିଛି, ସାହିତ୍ୟର ରାଜ୍ୟ ଏକ ଅଲଗା ରାଜ୍ୟ ଏବଂ ଅନ୍ତତଃ ଆମ ସାଧାରଣ ଜୀବନରେ ବ୍ୟବହୃତ ହେଉଥିବା ଗଦ୍ୟଠାରୁ ସିଏ ସ୍ଵତନ୍ତ୍ର ହୋଇ, ପବିତ୍ର ହୋଇ ନିଜର ସ୍ଵତନ୍ତ୍ର ମଣ୍ଡନଟି ଭିତରେ ରହିବ ହିଁ ରହିବ, କାବ୍ୟକାର ଓ କାବ୍ୟତତ୍ତ୍ଵର ପ୍ରଣୋତାମାନେ ଏକଦା ଏହିପରି ଏକ ମୋହୋକ୍ତି ଦ୍ଵାରା ସାହିତ୍ୟ ପଦ୍ୟସର୍ବସ୍ଵ କରି ରଖିଦେଲେ । ତଥାପି, ମାନବଚେତନାର ଇତିହାସରେ ଏକ ପରବର୍ତ୍ତୀ କାଳରେ ସାହିତ୍ୟରେ ଗଦ୍ୟ ଆସି ବି ପହଞ୍ଚିଲା । ଗଦ୍ୟ ପଦ୍ୟ ସହିତ କୌଣସି କଳହ ବି କଲାନାହିଁ-। ତଥାପି ଏକାବେଳକେ ଏବେ ମଧ୍ୟ କବିପ୍ରାଣ ଓ କବିତାକାର ଏପରି କେତେକ ମନୁଷ୍ୟ ଏହି ପୃଥିବୀରେ ରହିଥିବେ, ଯେଉଁମାନେ କି ଗଦ୍ୟକୁ ଭାରି ନାକ ଟେକୁଥିବେ ।

 

କାଳକ୍ରମେ ଗଦ୍ୟର ପରିଚ୍ଛଦ ପିନ୍ଧି ସାହିତ୍ୟରେ ଗପ ଆସିଲା, ଉପନ୍ୟାସ ଆସିଲା; ପଦ୍ୟ ଫନ୍ଦା ଯାଉଥିଲା, ଗପ ଏବଂ ଉପନ୍ୟାସ ମଧ୍ୟ ଫନ୍ଦାଗଲା । ପଦ୍ୟରେ ନିଜର ବକ୍ତବ୍ୟଟିକୁ ଉପମାର, ଆଲଙ୍କାରିତା’ର ଉଲୁଗୁଣା ଦେଇ କୁହାଯାଉଥିଲା । ଗପ ଓ ଉପନ୍ୟାସର ମଧ୍ୟ ସେହିପରି ବୁଲାଇ, ବଙ୍କାଇ ଓ କାଳ୍ପନିକତା’ର ଅନୁପ୍ରାସ ଲଗାଇ ବକ୍ତବ୍ୟଗୁଡ଼ିକର ଉପସ୍ଥାପନା କରାଗଲା । ମଣିଷ ଯେତେବେଳେ ସତକୁ ସତ କିଛି ଅନୁଭବ କରେ, ନିଜକୁ ନେଇ ବା ନିଜକୁ ଡେଇଁଯାଇ କିଛି ଅନୁଭବ କରୁଥାଏ ଏବଂ ଜୀବନ ସହିତ ତା'ର ସତତ ଯେଉଁ କଥୋପକଥନ ଲାଗି ରହିଥାଏ, ତାହାକୁ ସିଏ କାହିଁକି ବୁଲାଇ, ବଙ୍କାଇ ପୁଟ ଦେଇ କହିବ ? ସମ୍ଭବତଃ ଏହିପରି ଗୋଟିଏ ପ୍ରଶ୍ନ କ୍ରମେ ମଣିଷ ଭିତରେ ରହିଥିବା ସର୍ଜନାନୁରାଗୀ ଆତ୍ମାଟିକୁ ଘାରିବାକୁ ଆରମ୍ଭ କଲା-। ଏକ ନାଟକୀୟତା ନହେଲେ କ'ଣ ପ୍ରକୃତରେ ମୋଟେ କିଛି କୁହାଯାଇ ପାରିବ ନାହିଁ-? ସାହିତ୍ୟର ଗଳ୍ପ ଓ ଉପନ୍ୟାସ ଭିତରେ ସଚରାଚର ଏହି ନାଟକୀୟତା’ର ଭାବଟା ହିଁ ସବୁଠାରୁ ଅଧିକ ରହିଥିବା ପରି ଧରା ପଡ଼ିଯାଏ । କାହାର ଯେପରି କିଛି କହିବାକୁ ରହିଛି, ତଥାପି କେଜାଣି କାହିଁକି ତା' ଭିତରେ ଦୋସର ପରି ଆଉ ଗୋଟିଏ କିଏ କହିବା ନିମନ୍ତେ ଅମଙ୍ଗ ହେଉଛି; ସତେଅବା ଏହିପରି ଏକ ଧର୍ମସଙ୍କଟରୁ ରକ୍ଷାପାଇବା ନିମନ୍ତେ ଲେଖକମାନେ ବୁଲାଇ ବେହରଣ ଦେଇ କହିବା ପାଇଁ ଗପ ଓ ଉପନ୍ୟାସକୁ ମନକରନ୍ତି କି ? ସେହି ନାଟକୀୟତା’ର ବିଶେଷ ବୃତ୍ତିଟିକୁ କାଳକ୍ରମେ ସାହିତ୍ୟରେ ଶୈଳୀ ବୋଲି କୁହାଯାଇ ଆସିଛି । ସାହିତ୍ୟରେ ଇତିହାସ ଉପରେ କିଞ୍ଚିତ୍ ଆଖି ବୁଲାଇ ଆସିଲେ ମନେହେଉଛି, ସତେଯେପରି ନିଜକୁ ପ୍ରକଟ, ବ୍ୟକ୍ତଓ ପରିଚିତ କରିବାକୁ ନୁହେଁ, ନିଜକୁ ଏକ କଳାତ୍ମକ କୁଜ୍‍ଝଟିକା ଭିତରେ ଘୋଡ଼ାଇ ରଖିବାର ଅଭିପ୍ରାୟରେ ହିଁ ଲେଖକମାନେ ଶୈଳୀର ଆଶ୍ରୟ ନେଇଛନ୍ତି । ସାହିତ୍ୟ ସମେତ ନିଜକୁ ମଧ୍ୟ ସେମାନେ ଭାରି କୁହେଳିକାମୟ କରି ରଖିଛନ୍ତି ।

 

ସମ୍ଭବତଃ ସେହି ପ୍ରମାଦଟିର ଏକ ସଂଗତିଯୁକ୍ତ ଅପନୋଦନ ଲୋଡ଼ି, ସାହିତ୍ୟ ଭିତରକୁ ପ୍ରବନ୍ଧର ଆଗମନ ଘଟିଛି । ଯେକୌଣସି ସାହିତ୍ୟରଚନା ଭିତରେ ସିଧା ଜୀବନକଥା କେତେ ରହିଛି ଏବଂ ନାଟକୀୟତା କେତେ ରହିଛି, ତାହାକୁ ନିଷ୍ଠାର ସହିତ ଦର୍ଶାଇ ଦେବାପାଇଁ ହୁଏତ ପ୍ରବନ୍ଧ ଆସି ପ୍ରବେଶ କରିଛି । ନାଟକୀୟତା ମୋଟେ ଏକ ମନ୍ଦ ଦ୍ରବ୍ୟ ନୁହେଁ । ବିଶ୍ଵମୟ ସତ୍ୟର ପ୍ରତୀକ ଏହି ଦିଗନ୍ତବିସ୍ତୃତ ନୀଳ ଆକାଶକୁ କେତେ ବୈଚିତ୍ର୍ୟମୟ ବର୍ଣ୍ଣପ୍ରତୀତି ଦେଇ ବେଳେବେଳେ ଘୋଡ଼ାଇ ରଖୁଥିବା ମେଘଗୁଡ଼ିକର କ'ଣ କୌଣସି ପ୍ରାସଙ୍ଗିକତା ତଥା ପ୍ରୟୋଜନ ନାହିଁ ? ପ୍ରବନ୍ଧ ନାମକ ସାହିତ୍ୟିକ ପ୍ରକରଣଟି ମେଘକୁ ମେଘ ଏବଂ ଆକାଶକୁ ଆକାଶ ବୋଲି ଚିହ୍ନାଇବାକୁ ହିଁ ଚେଷ୍ଟା କରିଆସିଛି । ମାଧୁର୍ଯ୍ୟକୁ ଚିହ୍ନାଇ ଦେବାପାଇଁ ସାହିତ୍ୟରେ ଅନେକ ସମୟରେ ଭଳି ଭଳି ଚାତୁର୍ଯ୍ୟର ପ୍ରୟୋଗ କରାଯାଇଥାଏ । ମାଧୁର୍ଯ୍ୟଙ୍କୁ ଯଥାସମ୍ଭବ ଯାବତୀୟ ଚାତୁର୍ଯ୍ୟର ଖୋଳପା ଭିତରୁ କାଢ଼ି ଆଣି ଯଥାସମ୍ଭବ ସକଳାଙ୍ଗ କରି ଦେଖାଇବା– ଏକାଧିକ ଦୃଷ୍ଟିରୁ ଆମେ ତାହାଙ୍କୁ ହିଁ ଗୋଟିଏ ପ୍ରବନ୍ଧର ଅସଲ କାର୍ଯ୍ୟ ବୋଲି ହୁଏତ କହିପାରିବା । ଜୀବନକୁ ଚାତୁର୍ଯ୍ୟ ଦ୍ଵାରା ଘୋଡ଼ାଇ ପକାଇବା, ହୁଏତ କେହି କେହି ଏହାକୁ ବଞ୍ଚିବାର ଏବଂ ନିଜକୁ ବ୍ୟକ୍ତ କରିବାର ଏକ ଶୈଳୀରୂପେ ଗ୍ରହଣ କରିଥାନ୍ତି । ସାହିତ୍ୟରେ ଏହି ବ୍ୟକ୍ତିମାନଙ୍କର ସଂଖ୍ୟା ସର୍ବଦା ବହୁଳ ହୋଇ ରହିଥାଏ । ପ୍ରବନ୍ଧକାର ଚାତୁର୍ଯ୍ୟକୁ ଅସ୍ଵୀକାର କରେ ନାହିଁ । ମାତ୍ର ଚାତୁର୍ଯ୍ୟକୁ ହିଁ ଜୀବନର ସବା ବଡ଼ ଆବେଦନ ବୋଲି କହିବାକୁ କେବେହେଲେ ସମ୍ମତ ହୁଏନାହିଁ । ଆମ ଏ ଯୁଗରେ ଚାତୁର୍ଯ୍ୟମାନେ ହିଁ ଜୀବନର ମର୍ମସ୍ଵପ୍ନଗୁଡ଼ିକୁ ଭାରି ଆତୁର ଭାବରେ ମାଡ଼ି ବସିଛନ୍ତି । ଖୋଳପା ଓ ମୁଖାଗୁଡ଼ାକ ପ୍ରବଳ ହୋଇ ନାଚୁଛନ୍ତି । ମନୁଷ୍ୟର ଯେଉଁ ଆଖିଟି ସିଧା ଚିହ୍ନେ, ଏକାବେଳେ ଅନ୍ତରଗଭୀର ପର୍ଯ୍ୟନ୍ତ ଯାଇପାରେ, ମୁଖାଗୁଡ଼ାକରେ ଆଦୌ ମଜ୍ଜି ରହି ଯାଏନାହିଁ, ସାହିତ୍ୟରେ ସେଇ ଆଖିଟି ହେଉଛି ପ୍ରବନ୍ଧର ଆଖି । ଯାବତୀୟ ପ୍ରକାର ଢାଙ୍କୁଣି ତଳେ ଅପେକ୍ଷାମାଣ ହୋଇ ବସିଥିବା ଅସଲ ସଖ୍ୟଟିକୁ ଲୋଡ଼ୁଥିବା ବାସନାଟି ହେଉଛି ପ୍ରବନ୍ଧର ବାସନା । ସେହି ଢାଙ୍କୁଣିଗୁଡ଼ିକ ହୀରାରେ, ହାଟକରେ ଅଥବା ମୋତିରେ ବଛା ବଛା ବଣିଆମାନଙ୍କ ଦ୍ଵାରା ତିଆରି ହୋଇଥିଲେ ମଧ୍ୟ ପ୍ରବନ୍ଧ ସେଥିରେ ଭଳି ଯାଏନାହିଁ । ପ୍ରବନ୍ଧ ଆହୁରି ସେପାଖକୁ ଯିବବୋଲି ଏକ ଅନ୍ୟ ସରାଗରେ ବାହାରିଥାଏ । ଆହୁରି ସେପାଖକୁ ଯିବା ଓ ଆହୁରି ସେପାଖକୁ ଦେଖିବାକୁ ଶାସ୍ତ୍ରରେ କ୍ରାନ୍ତଦର୍ଶିତା ବୋଲି କୁହାଯାଉଛି । ପ୍ରବନ୍ଧ ତାହାରି ଯୋଗ୍ୟ ହେବାଲାଗି ଚେଷ୍ଟା କରେ । ସେଇଥିପାଇଁ ନିଜକୁ ଘଷିବାରେ ମାଜିବାରେ ଲାଗିଥାଏ । ପୂର୍ଣ୍ଣ ସହାନୁଭୂତି ସହିତ ଦେଖିପାରିବ ବୋଲି ପୂର୍ଣ୍ଣ ସହାନୁଭୂତି ସହିତ ନିଜକୁ ଘଷିବାରେ ମାଜିବାରେ ଲାଗିଥାଏ । ଆପଣାକୁ ଧନ୍ୟ ମଣୁଥାଏ ।

 

ପ୍ରବନ୍ଧରେ ଆପଣାକୁ ଏହି ଘଷିମାଜିବାରେ ପର୍ବଟି ପ୍ରକୃତରେ ଖୁବ୍ କୌତୁହଳୋଦ୍ଦୀପକ । ପ୍ରାୟ ପ୍ରତ୍ୟେକ ସାହିତ୍ୟରେ ତା'ର ଏହି କ୍ରମବିକାଶ ଇତିହାସଟିରେ ଭିନ୍ନ ଭିନ୍ନ ସୋପାନ ରହିଛି । ପ୍ରଥମ ପ୍ରବନ୍ଧକୁ ଏ କାଳର ପ୍ରବନ୍ଧ ସହିତ ମିଳାଇ ଦେଖିଲେ ବେଳେବେଳେ ଭାରି ଆଚମ୍ବିତ ମଧ୍ୟ ଲାଗିଥାଏ । ପ୍ରବନ୍ଧକାରମାନେ ସେତେବେଳେ ନିଜକୁ ସତେଅବା କେଉଁ ଯଜମାନମାନଙ୍କର ପୁରୋହିତ ବୋଲି ଭାବୁଥିଲେ କି କ'ଣ କେଜାଣି, ସେମାନେ ପ୍ରବନ୍ଧ ଲାଗି ଏକ ସ୍ଵତନ୍ତ୍ର ଭାଷା ବ୍ୟବହାର କରୁଥିଲେ । ସେହି ଭାଷା ସତେଅବା କେବଳ ଚୋବାଇବା ପାଇଁ ଖାସ୍ ପାଗକରି ତିଆରି କରାଯାଉଥିଲା । ପଢ଼ିଲାବେଳକୁ ଦାନ୍ତ ଭାଙ୍ଗି ଯାଉଥିଲା ଓ ମଥା ବୁଲୁକି ଉଠୁଥିଲା । ମିଛଟାରେ କ'ଣ ସେ ଭାଷାକୁ ସାହିତ୍ୟର ଗୁରୁଜନମାନେ ସାଧୁଭାଷା ବୋଲି କହିଛନ୍ତି ? ପଣ୍ଡିତମାନେ ଅନେକ ସମୟରେ ସମ୍ଭବତଃ ଜାଣିଶୁଣି ଏହିପରି ଶବ୍ଦକଟାଳ କରିବାକୁ ଭାରି ଭଲପାଆନ୍ତି । ବଡ଼ କୃତିମପଣରେ ସନ୍ଧି ଓ ସମାସଗୁଡ଼ିକର ଦୁରୁପଯୋଗ କରନ୍ତି ଓ ଏପରି ଶବ୍ଦଗୁଡ଼ିକର ପ୍ରୟୋଗ କରନ୍ତି, ଯାହାକୁ ପାଠକ ପଢ଼ୁ ପଢ଼ୁ ତ୍ରାସ ଅନୁଭବ କରିଥାଏ । ଆମେ ଇସ୍କୁଲରେ ପଢ଼ୁଥିବା ସମୟରେ ଆମର ତଥାକଥିତ ସାହିତ୍ୟ ବହିଟା ଆମ ମନରେ ଯେଉଁଭଳି ତ୍ରାସର ସଞ୍ଚାର କରୁଥିଲା, ଇଏ ହେଉଛି ଠିକ୍ ସେହିପରି ଗୋଟିଏ କଥା-। ମୁଁ ପ୍ରବନ୍ଧର ଏକ ଛଦ୍ମ ପ୍ରୟୋଗ କରି ଯାହା ଲେଖିଦେଲି, ଯଦି ତାହାକୁ ଅବର ଓ ଅଧମ ସମସ୍ତେ ପଢ଼ୁ ପଢ଼ୁ ବୁଝିନେଲେ, ତେବେ ମୋର ଆଉ କ'ଣ କୃତିତ୍ଵ ରହିଲା-? କେବଳ ସେତେବେଳେ ଅର୍ଥାତ୍ ସେହି ଯୁଗରେ ନୁହେଁ, ଆମର ଏବ କାଳଟାରେ ମଧ୍ୟ କେତେକ ପ୍ରବନ୍ଧକାର ଅନେକ ସମୟରେ ସେହିପରି ଭାବୁଥିଲା ପରି ମାନେ ହୋଇଥାଏ । ସହଜବୋଧ୍ୟ ହେବାଟା ସତେଅବା ଏକ ଅଯୋଗ୍ୟତା ପରି ଲାଗେ । ପାଠକମାନଙ୍କ ପାଖରୁ ହାରିଗଲା ଭଳି ବୋଧହୁଏ । ଅଥବା, ଏପରି ମଧ୍ୟ ହୋଇପାରେ ଯେ, ମୁଁ ନିଜର ଯେଉଁ ବିଚାରଟିକୁ ମୋ ପ୍ରବନ୍ଧର ମାଧ୍ୟମରେ ପାଠକମାନଙ୍କ ପାଖରେ ନେଇ ବାଢ଼ିଦେବାକୁ ଇଚ୍ଛା କରୁଛି, ସେଇଟି ମୋ ନିଜ ପାଖରେ ମଧ୍ୟ ତଥାପି ସୁବୋଧ୍ୟ ହୋଇ ପାରେନାହିଁ, ସେଇଟିକୁ ହୁଏତ ମୁଁ ଗିଳିଛି ସିନା, ମାତ୍ର ହଜମ କରି ପାରିନାହିଁ, କେଉଁଠାରୁ ଦୁହିଁ ଆଣିଛି ସିନା, କିନ୍ତୁ ନିଜସ୍ଵ କରି ପାରିନାହିଁ ଏବଂ ତେଣୁ ଆପଣା ଭିତରେ ସେଇଟିକୁ ନେଇ ବଡ଼ ଅସହଜ ହୋଇରହିଛି ଏବଂ ଶବ୍ଦର ମହା ମହା ବାଡ଼ ବସାଇ ନିଜର ସେହିପରି କୌଣସି ଅସମର୍ଥତାକୁ ଘୋଡ଼ାଇ ରଖିବାକୁ ଇଚ୍ଛା କରୁଛି, ସାଧୁଭାଷାର ପୃଥୁଳ ପ୍ରୟୋଗ କରି ବର୍ତ୍ତିଯିବାର ପ୍ରୟାସ କରୁଛି । ଏଇଟାର ବି ଦୃଷ୍ଟାନ୍ତ ବହୁତ ମିଳିବ ।

 

ଏ କାଳରେ ସାହିତ୍ୟକୁ ଆସି ଆମେ ଦେଖିବାକୁ ପାଇବା ଯେ ପ୍ରବନ୍ଧର ସେହି ଗୋଟିଏ ମୂଳ ବୃକ୍ଷରୁ କ୍ରମେ କେତେ ନା କେତେ ଶାଖା ଓ ଉପଶାଖା ବାହାରିଲାଣି– ସିଅମାନେ ବାହାରି କେତେ କୁଆଡ଼େ ଖେଦିଗଲେଣି ଯେ ସେମାନଙ୍କର ପ୍ରଥମ ମୂଳଟି ଯେ ପ୍ରବନ୍ଧରେ ରହିଛି, ସେକଥା ମୋଟେ ବାରି ହେଉନାହିଁ । ସେଗୁଡ଼ିକର ଭିନ୍ନ ଭିନ୍ନ ନାମକରଣ ମଧ୍ୟ ହୋଇଛି, ମାତ୍ର ଆଗ ପ୍ରବନ୍ଧ ବୋଲି ପ୍ରକାରଟିଏ ସାହିତ୍ୟ ଭିତରେ ସମ୍ଭବ ହେଲା ବୋଲି ଯେ ପର୍ଯ୍ୟାୟକ୍ରମେ ନାନାବିଧ ଏମାନେ ସମ୍ଭବ ହେଲେ, ସେ କଥାଟି ଅବଶ୍ୟ ଜଣା ପଡ଼ିଯାଉଛି । ପ୍ରବନ୍ଧରେ ପ୍ରଥମ କାଳରେ ବ୍ୟବହୃତ ହେଉଥିବା ଭାଷାର ମଧ୍ୟ ପ୍ରକୃତି ବଦଳି ବଦଳି ଯାଇଛି । ପୁରୋହିତିଆ ସାଧୁ ଭାଷାର ହିଡ଼ଗୁଡ଼ାକୁ ଡେଇଁ ଭାଷା ସହଜ ହେଲାଣି ଏବଂ ଜଣେ ପ୍ରବନ୍ଧକାର ମନକଲା ମାତ୍ରକେ ପ୍ରବନ୍ଧଟିର ମାଧ୍ୟମରେ ତା'ର ପାଠକମାନଙ୍କ ସହିତ ଏକ କଥୋପକଥନ ସମ୍ଭବ କରିପାରୁଛି । ଜଗନ୍ନାଥ ଦାସଙ୍କର 'ଅର୍ଥ କୋଇଲି' ବହିରେ ତାଙ୍କ ମନରେ ପ୍ରକୃତରେ କ'ଣ ଆସିଲା ଯେ ସିଏ ପଦ୍ୟ ସାଙ୍ଗକୁ ଗଦ୍ୟର କେତେ ଧାଡ଼ି ଯୋଡ଼ି ଦେବାକୁ ମନକଲେ । ଉପଯୁକ୍ତ ମୁହୂର୍ତ୍ତଟି ଆସି ତଥାପି ପହଞ୍ଚି ନଥିଲା କି କ'ଣ କେଜାଣି 'ଅର୍ଥ କୋଇଲି' ବହିରେ ପଦ୍ୟ ପରି ସଂଯୋଜିତ ଗଦ୍ୟାଂଶ ଆଦୌ ସେତେ ବେଶି ସହଜ ଏବଂ ସାବଲୀଳ ହୋଇ ପାରିନାହିଁ । ଭିତରେ ପଶିଲାବେଳକୁ ମୁଣ୍ଡ ବାଜୁଛି । ସନ୍ଥ ଅରକ୍ଷିତ ଦାସଙ୍କର 'ମହାମଣ୍ଡଳ ଗୀତା'ରେ ମୋଟ ବୟାନବେ ଅଧ୍ୟାୟ ରହିଛି । ସେଥି ଭିତରୁ ମଝିରେ ଗୋଟିଏ ଅଧ୍ୟାୟକୁ ସିଏ ଗଦ୍ୟରେ ରଚନା କରିଛନ୍ତି । କ'ଣ ସବୁ ପାଞ୍ଚି ଏହିପରି କରିଛନ୍ତି କେଜାଣି ? ତଥାପି, ସେଥିରୁ ଗଦ୍ୟର ଯେଉଁ ସରସ ଅଥଚ ଗମ୍ଭୀର ନମୁନାଟିଏ ମିଳୁଛି, ସେଥିରୁ ଗଦ୍ୟପ୍ରବନ୍ଧର ବହୁ ସମ୍ଭାବନା ବିଷୟରେ ସେହି କାଳରୁ ହିଁ ବହୁତ ଆଶା କରିପାରିବା ଭଳି ଏକ ପ୍ରତିଶ୍ରୁତି ମିଳିଯାଉଛି । ସାହିତ୍ୟ ସିଧା ଜୀବନକୁ ଲୋଡ଼ିଲେ ଅର୍ଥାତ୍ ବଙ୍କାଇ ବୁଲାଇ ନକହିବା ଲାଗି ସମ୍ମତ ହେଲେ ଗଦ୍ୟ ଯେ ପ୍ରବନ୍ଧର ବେଢ଼ ଭିତରେ ରହି କେଡ଼େ ପ୍ରଭାବକ୍ଷମ ଅଥଚ ଅକୃତ୍ରିମ ହୋଇପାରିବ, ରାଜପୁତ୍ର ଅରକ୍ଷିତ ଦାସ ତାହା ସମ୍ଭବ କରି ଦେଖାଇ ଦେଇଛନ୍ତି । ବ୍ରଜନାଥ ବଡ଼ଜେନାଙ୍କୁ ଅଧିକ ମଣିଷ କବି ବୋଲି ଜାଣନ୍ତି । କାବ୍ୟରେ ସେ ନିଜ ଦେହରେ ରୀତିଯୁଗର ଛିଟାଗୁଡ଼ାକୁ କୋଡ଼ ପାରଙ୍ଗମତା ସହିତ ଅଙ୍ଗରେ ଲଗାଇଛନ୍ତି ସତ, ମାତ୍ର ଗଦ୍ୟ ରଚନା 'ଚତୁର ବିନୋଦ'ରେ ଗଦ୍ୟ ଅନ୍ତର୍ନିହିତ ବହୁ ସମର୍ଥତାକୁ ପ୍ରତିପାଦିତ କରିଛନ୍ତି-। ପ୍ରବନ୍ଧ ନିମନ୍ତେ ଭାଷାଟିଏ ଖୋଜିବାବେଳକୁ ଏବେ ମଧ୍ୟ ପ୍ରେରଣା ଦେଉଛନ୍ତି ।

 

ପ୍ରବନ୍ଧ ନାନାପ୍ରକାରର । ଆତ୍ମନିରୀକ୍ଷଣର ପ୍ରବନ୍ଧ ଏବଂ ବିଶ୍ଵନିରୀକ୍ଷଣର ପ୍ରବନ୍ଧ ମନନାତ୍ମକ ପ୍ରବନ୍ଧ ଏବଂ ସମାନ୍ତର ରୂପେ ବର୍ଣ୍ଣନାତ୍ମକ ପ୍ରବନ୍ଧ । ସାହିତ୍ୟର ସମୀକ୍ଷା, ଯୁଗର ସମୀକ୍ଷା, ସମାଜର ସମୀକ୍ଷା, ଜୀବନମୂଲ୍ୟ ଗୁଡ଼ିକର ସମୀକ୍ଷା । ଅତୀତର ମୂଲ୍ୟାୟନ ଓ ତାହାରି ଦର୍ପଣ ଉପରେ ବର୍ତ୍ତମାନର ମୂଲ୍ୟାୟନ ଅଥବା ଏକ ନିର୍ଦ୍ଦିଷ୍ଟ ଭବିଷ୍ୟଚିତ୍ର ଦ୍ଵାରା ଉଦ୍‍ବୁଦ୍ଧ ହେଇ ସେହି ଅନୁସାରେ ବିଗତ ଅତୀତଗୁଡ଼ିକର ଏକ ପୁନମୂଲ୍ୟାୟନ । ଯଥାର୍ଥ ମୂଲ୍ୟାୟନ ମଣିଷକୁ ଏକ ମୋହମୁକ୍ତିର ହିଁ ସନ୍ଧାନ ଦେଇଥାଏ । ଯେଉଁ ପ୍ରବନ୍ଧ ମନୁଷ୍ୟମାନଙ୍କୁ ସତେଅବା କ୍ରୀଡ଼ନକ ବୋଲି ଭାବି ଗୋଟିଏ ମୋହ ଭିତରୁ ମୁକ୍ତ କରି ଆଣି ଆଉଗୋଟିଏ ମୋହ ଭିତରେ ନେଇ ପକାଇଦିଏ, ବାହାରକୁ ଯେତେ ଉତ୍ସାହ ଓ ଉତ୍ତେଜନାର କାରଣ ହୋଇପାରୁଥିଲେ ମଧ୍ୟ ତାହାକୁ ଆମେ ସର୍ବଦା ଏକ ନିକୃଷ୍ଟ ଧରଣର ସର୍ଜନା ବୋଲି ହିଁ କହିବା । ଅସଲ ସମୀକ୍ଷା ଖେଳାଇ ଦେଖାଇ ଦିଏ; ମୋଟେ ଫାଶ ଦ୍ଵାରା ବାନ୍ଧି ପକାଏ ନାହିଁ । ଏବେ ତ ସାହିତ୍ୟମାନଙ୍କରେ ବି ସମୀକ୍ଷା ଲେଖାଗଲାଣି । ସାହିତ୍ୟର ଇତିହାସ ନାମରେ ମଞ୍ଜୁଳ ବର୍ଣ୍ଣନାମାନ ଦିଆଗଲାଣି । ପ୍ରବନ୍ଧକାରର ଅନ୍ଦାଜମାନେ ଏହିସବୁ କୃତୀକୁ ମାଧ୍ୟମ କରି କେତେ ଆଡ଼କୁ ଛୁଇଁ ପାରିଛନ୍ତି ଓ କିଭଳି ସୂତ୍ରଗୁଡ଼ିକୁ ପାଠକର ହାତରେ ଆଣି ଧରାଇ ଦେଉଛନ୍ତି, ସେହି ଅନୁସାରେ ସେଗୁଡ଼ିକୁ ସୋପାନ ପରେ ସୋପାନ କରି ହୁଏତ ଦେଖାଇ ମଧ୍ୟ ଦିଆଯାଇ ପାରିବ । ସରସ ଓ ନୀରସ ଏବଂ ବୃହତ୍ ଓ ସଂକୀର୍ଣ୍ଣର ନିରୂପଣ କରାଯାଇ ପାରିବ । ଏକ ସମୀକ୍ଷାର ଅସଲ ସ୍ଵାଧୀନତା ହେଉଛି ତାହାର ଶୃଙ୍ଖଳା । କବିତା’ର ଚିତ୍ରନଦୀରେ ତୁମେ ଏ କୂଳରେ ଛିଡ଼ା ହୋଇ ସେ କୂଳର ଯେକୌଣସି ବାରତା ଦେବାକୁ ମନକରିବ, ସେଇଟିକୁ ଅବଶ୍ୟ ଦେଇପାରିବ । ପ୍ରବନ୍ଧ ଓ ସମୀକ୍ଷାରେ ସେଭଳି କରିବାକୁ ମନକଲେ ହୁଏତ ପ୍ରମାଦ ଆସି ପହଞ୍ଚିବ । ଗୋଟିଏ ଦୃଷ୍ଟିରୁ ବିଚାର କଲେ ପ୍ରବନ୍ଧ ଓ ସମୀକ୍ଷାରେ ଏପରି ଗୋଟିଏ ପ୍ରକାରର ଉତ୍ତରଦାୟିତ୍ଵ ରହିଛି, ଯାହାକି କବିତା, ଗପ ବା ନାଟକାଦିରେ ହୁଏତ ଆଦୌ ଲୋଡ଼ା ହେବନାହିଁ । ଜଣେ କବି ଅସାର ସଂସାର ବଣରେ ହୁଏତ ପ୍ରଜାପତି ପରି ବିହାର କରିପାରିବ । ତାହାର ସେହି ସ୍ଵାଧୀନତା ଅନୁସାରେ ହିଁ ତା'ର ଶୃଙ୍ଖଳା । ପ୍ରବନ୍ଧ ଓ ସମୀକ୍ଷାବେଳକୁ ସେହି ଶୃଙ୍ଖଳା ଅଲଗା ପ୍ରକାରର । ସ୍ଵାଧୀନତା ବି ଅଲଗା ପ୍ରକାରର ।

 

ସମୀକ୍ଷାକୁ ଘଟଣାନ୍ତରରେ ସାହିତ୍ୟ-ସମାଲୋଚନା ବୋଲି କୁହାଯାଇଥାଏ । ଆଲୋଚନା କହିଲେ ତ ଏ ଏକ ମୋଟାମୋଟି ଅର୍ଥରେ ବୁଝି ହୁଏ । ମାତ୍ର ସମାଲୋଚନା ତା'ଠାରୁ କିଛି ଅଧିକ କାର୍ଯ୍ୟ ପ୍ରକୃତରେ କରିଥାଏ କି ? ଏହି ସମାଲୋଚନାର ଚଳଣିଟି ପ୍ରାୟ ଏକାବେଳକେ ଏବକାର କଥା । ଅନେକ ଅର୍ଥରେ ବିଚାର କଲେ ଭାରତବର୍ଷକୁ ତାହା ଆମର ଇଉରୋପ ସହିତ ସଂସ୍ରବ ହେତୁ ଆସିଛି । ଆଧୁନିକ ସାହିତ୍ୟର ଏକ ବିଶେଷ ପରମ୍ପରା କ୍ରମେ ଆମ ପାଖକୁ ଆସିଛି-। ଜଣେ କବି ସଭାରେ ମଉଡ଼ମଣି ହୋଇ ବସିଥିବା ରାଜାଙ୍କଠାରୁ ଅସରପିଟିଏ ପାଇବାର ମାଧ୍ୟମରେ ସ୍ଵୀକୃତିଟାକୁ ପାଇଗଲେ ତା' ଲେଖା କବିତା’ର ପୁଣି ଆଉ କାହିଁକି କୌଣସି ସମାଲୋଚନା କରାଯିବ ? ଅବଶ୍ୟ ଆଗେ ରାଜାଙ୍କର ପ୍ରୀତ୍ୟର୍ଥେ ସଭାରେ କବି ଲଢ଼େଇ ମଧ୍ୟ ହେଉଥିଲା । କବି ସହିତ କବିର ପ୍ରତିଦ୍ୱନ୍ଦିତା ହେଉଥିଲା । ରାଜା ଓ ସଭାସଦ୍‍ମାନେ ଦେଖୁଥିଲେ ଜଣେ କବି ଆଉ ଜଣକୁ କମ୍ ବୋଲି ପ୍ରମାଣ କରିବାକୁ ନିଜର ମେଧାଶକ୍ତି ପ୍ରୟୋଗ କରୁଥିଲା-। ଯିଏ ହାରୁଥିଲା, ସିଏ ରାଜଅନୁଗ୍ରହରୁ ବଞ୍ଚିତ ହେଉଥିଲା । ଜିତିବା ଅନ୍ୟଟିର ମଥାରେ ଶିରିପା ବନ୍ଧା ହେଉଥିଲା । ଏହିପରି ଗୋଟିଏ ସଂସ୍କାର ମଧ୍ୟ ସମାଲୋଚନାର ଅବକାଶ ନଥିଲା-। ମଝିରେ ବିଶ୍ଵସାହିତ୍ୟରେ ଏକ ଯୁଗ ଆସିଲା, ଯେତେବେଳେ କି ଯାବତୀୟ ସାହିତ୍ୟରଚନାକୁ ଅଙ୍ଗେ ନିଭାଉଥିବା ଓ ଅନୁଭବ କରୁଥିବା ଜୀବନର ଏକ ସମୀକ୍ଷା ବୋଲି କୁହାଗଲା-। ସେହି ଜୀବନସମୀକ୍ଷ୍ୟାରେ କିଏ କେତେ ଗଭୀରକୁ ଯାଇଛି, ଗଭୀରକୁ ଯିବା ସଙ୍ଗେ ସଙ୍ଗେ ଜିଏ ଆପଣାକୁ କେତେ ଅଧିକ ପରିମାଣରେ ସମ୍ପ୍ରସାରିତ କରିପାରିଛି ଏବଂ ସର୍ବୋପରି, ସେହି ଦୁଇଟିଯାକ ଅନୁଭବକୁ କିଏ ଅଧିକ ନିପୁଣ ଏବଂ ବିପୁଳ ଭାବରେ ନିଜର ରଚନା ମଧ୍ୟରେ ଫୁଟାଇ ଦେଇପାରିଛି, ତାହାରି ଭୂମି ଉପରେ ସର୍ବଦା ଯେକୌଣସି ଲେଖକ ତଥା ତା'ର ରଚନାର ଏକ ସମାଲୋଚନା ହୋଇପାରିବ । କୌଣସି ସାହିତ୍ୟିକ ତଥା ସାହିତ୍ୟରେ ଭାବଗତ, ନିଷ୍ଠାଗତ, ଉଚ୍ଚତାଗତ ଏବଂ ବିସ୍ତାରଗତ ଦୈର୍ଘ୍ୟପ୍ରସ୍ଥଗୁଡ଼ିକୁ ନିରୂପଣ କରିଦେବା ଏବଂ ତଦ୍ଦ୍ଵାରା ପରବର୍ତ୍ତୀ ସାହିତ୍ୟ ସର୍ଜନା ନିମନ୍ତେ ଅପେକ୍ଷା କରି ରହିଥ୍‌ବା ସମ୍ଭାବନାଗୁଡ଼ିକୁ ସୂଚିତ କରାଇଦେବା ହିଁ ସାହିତ୍ୟ-ସମାଲୋଚନାର ସବୁଠାରୁ ବଡ଼ କାର୍ଯ୍ୟ । ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ହିଁ ଏଇଟିକୁ ପ୍ରବନ୍ଧର ବର୍ଗ ଭିତରେ ସାମିଲ କରାଯାଇପାରିବ । ଅନ୍ୟ ଯେକୌଣସି ଇତିହାସ ପରି ସାହିତ୍ୟର ଇତିହାସ ଅବଶ୍ୟ ଏକ କାହାଣୀ ସତ । ମାତ୍ର ସେହି କାହାଣୀଟିର ପଛରେ ସର୍ବଦା ଏକ ତାତ୍ପର୍ଯ୍ୟ ବା ମହତ୍ତ୍ଵ ରହିଥାଏ । ଆହୁରି ଅଧିକ ନିର୍ଭୁଲ ଭାବରେ କହିଲେ, ଯେଉଁଭଳି ଏକ ତାତ୍ପର୍ଯ୍ୟ ଏବଂ ମହତ୍ତ୍ଵ ଦେଇ ଆମେ ସେହି କାହାଣୀଟି ପାଖକୁ ଯାଇଥାଉ ଅର୍ଥାତ୍ ସେହି କାହାଣୀଟିକୁ ଲେଖୁ କିମ୍ବା ପଢ଼ୁ, କାହାଣୀଟିର ମହତ୍ତ୍ୱ ବା ତାତ୍ପର୍ଯ୍ୟ ମଧ୍ୟ ସେହିପରି ଭିନ୍ନ ଭିନ୍ନ ମନର ଅଥବା ପ୍ରସ୍ଥର ହୋଇଥାଏ । ଏଇଟିକୁ ମତଭେଦ ବୋଲି ମୋଟେ କୁହାଯାଇ ପାରିବ ନାହିଁ, ଏହା ହେଉଛି ଏକ ଦୃଷ୍ଟିଭେଦ । ଯେଉଁଭଳି ଦୃଷ୍ଟି, ଠିକ୍‌ ସେହିଭଳି ଆଖି । ତେଣୁ ବିଭିନ୍ନ ଦୃଷ୍ଟି ଅବଶ୍ୟ ରହିବ-। ଏକାବେଳକେ ଏକାଧିକ ଦୃଷ୍ଟିକୁ ମଧ୍ୟ ସତ୍ୟ ବୋଲି କୁହାଯାଇପାରିବ । ସମାଲୋଚନାକୁ ସମାଲୋଚନା ସହିତ ନୁହେଁ, ଗୋଟିଏ ସମାଲୋଚନା ପଛରେ ରହିଥିବା ଦୃଷ୍ଟି ସହିତ ଆଉ ଗୋଟିଏ ସମାଲୋଚନା ପଛରେ ରହିଥିବା ଦୃଷ୍ଟିର ତୁଳନା କରାଯାଇ ପାରିବ ଏବଂ ତଦ୍ଦ୍ଵାରା ସମାଲୋଚନାର ମଙ୍ଗଳ ହେବ, ତେଣୁ ସାହିତ୍ୟର ମଧ୍ୟ ମଙ୍ଗଳ ହେବ ।

 

ପ୍ରବନ୍ଧର ସମଗ୍ର ଆୟତନଟି ମଧ୍ୟରେ ଭ୍ରମଣ କାହାଣୀ ହେଉଛି ଆଉ ଗୋଟିଏ ଶାଖା । ବହୁତ ଲୋକ ଭ୍ରମଣ କରନ୍ତି, କିନ୍ତୁ ସମସ୍ତେ କଦାପି ଭ୍ରମଣ କାହାଣୀ ଲେଖନ୍ତି ନାହିଁ । ମୁଁ କେଉଁଠିକି ଗଲି, କ’ଣ ସବୁ ଦେଖିଲି, କହୁଥିବା ସମୟରେ ଏଗୁଡ଼ିକ ଗପ ପରି କହି ହୋଇଯାଏ । ଭ୍ରମଣକାରୀମାନଙ୍କର ସହାୟତା ନିମନ୍ତେ ସରକାରଙ୍କର ପର୍ଯ୍ୟଟନ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥା ତରଫରୁ ସଚିତ୍ର ଓ ଆକର୍ଷକ ଭାବରେ ବର୍ଣ୍ଣନାମାନ ଦେଇ ପୁସ୍ତିକାମାନ ଲେଖା ହୋଇଥାଏ । ମାତ୍ର ସେଗୁଡ଼ିକ କେବେହେଲେ ସାହିତ୍ୟର ପଂକ୍ତି ଭିତରକୁ ଆସିବ ନାହିଁ । ନିଜର ଭ୍ରମଣ କାହାଣୀଟିକୁ ଲେଖିବା ନିମନ୍ତେ ଅନେକ ଭ୍ରମଣକାରୀ ଏକ ବିଶେଷ ଆବଶ୍ୟକତା ଅନୁଭବ କରିଥାନ୍ତି । ସେହି ବିଶେଷ ଆବଶ୍ୟକତା ବିଭିନ୍ନ ପ୍ରକାରର ହୋଇପାରେ । ଏହିଭଳି ବିଶେଷ ଆବଶ୍ୟକତାଟିଏ ଅନୁଭୂତ ହୋଇ ଭ୍ରମଣକାହାଣୀ ଲେଖାଗଲେ ଯାଇ ତାହା ସାହିତ୍ୟ ବୋଲି ଗଣାହୁଏ ଆବଶ୍ୟକତା ଭେଦରେ ଭ୍ରମଣକାହାଣୀଗୁଡ଼ିକ ଭିତରେ ମଧ୍ୟ ଭେଦ ରହିଥାଏ । ଦେଖିବାର ଆବଶ୍ୟକତାଟି ହିଁ ଦେଖଣାହାରୀର ଆଖିକୁ ବଦଳାଇ ଦିଏ, ସେଥିରେ ସର୍ଜନାତ୍ମକତା ଆଣିଦିଏ । ପୃଥିବୀର ପ୍ରାୟ ପ୍ରତ୍ୟେକ ସାହିତ୍ୟରେ ଭ୍ରମଣକାହାଣୀ ମାନ ରହିଛି । ସେଗୁଡ଼ିକ ଯେତେ କାହାଣୀପ୍ରଧାନ ଏବଂ ବର୍ଣ୍ଣନାଭିତ୍ତିକ ହେଲେ ମଧ୍ୟ ସେଥିରେ ଏକ ଜୀବନଦର୍ଶନ ଫୁଟି ଉଠିଥାଏ । ଆମେ ପ୍ରତ୍ୟେକେ ପୃଥିବୀକୁ ଦେଖୁଥିବା ସମୟରେ ଆଖିନାମକ ସେହି ଅନ୍ତରିନ୍ଦ୍ରିୟଟି ଉପରେ ଏକ ବିଶେଷ ଅଞ୍ଜନ ଲଗାଇ ଦେଖୁ । ତେଣୁ ପ୍ରତ୍ୟେକେ ଅଲଗା ଅଲଗା ପ୍ରକାରେ ଦେଖୁ, ଅଲଗା ଅଲଗା ବିଶେଷ ମହତ୍ତ୍ଵ ଓ ବ୍ୟଞ୍ଜନା ଦେଇ ଦେଖୁ । ଭ୍ରମଣକାହାଣୀ ନାମକ ସାହିତ୍ୟରେ ସେହି ମହତ୍ତ୍ଵ ଓ ବ୍ୟଞ୍ଜନାଟିକୁ ଭିତ୍ତି କରି ସେଗୁଡ଼ିକର ଆଲୋଚନା କରାଯାଇଥାଏ । ସେହି ଅନୁସାରେ ଗୋଟିଏ ସହିତ ଆଉ ଗୋଟିଏ ତୁଳନା ମଧ୍ୟ ହୋଇଥାଏ । ତାହାରି ମଧ୍ୟଦେଇ ଆମେ ଦୃଷ୍ଟ ସ୍ଥାନଗୁଡ଼ିକ ଅପେକ୍ଷା ସେଗୁଡ଼ିକୁ ଦେଖୁଥିବା ମନୁଷ୍ୟଟିକୁ ଅଧିକ ଦେଖୁ । ତୀର୍ଥଗୁଡ଼ିକ ଅପେକ୍ଷା ତୀର୍ଥଚାରଣ କରିଥିବା ଏକ ଆଖିକୁ ଓ ଏକ ମନକୁ ଦେଖୁ । ତାହାର ଆକଳନ କରୁ, ଆପ୍ୟାୟିତ ହେଉ ।

 

ମଣିଷ ମାତ୍ରକେ ସମସ୍ତେ ଜୀବନଟିଏ ବଞ୍ଚନ୍ତି ,ମାତ୍ର ସମସ୍ତଙ୍କର ଜୀବନ କଦାପି ଲେଖା ହୁଏ ନାହିଁ । କେତେକ ବ୍ୟକ୍ତି ଏପରି ଜୀବନଟିଏ ବଞ୍ଚିଥାଆନ୍ତି ଯେ, ତାହାକୁ ସାରଣୀ କରି ସତକୁ ସତ ଜୀବନଟିଏ ଲେଖିବାର ଏକ ଉତ୍ସାହ ଆଉ ଜଣେ ବ୍ୟକ୍ତିକୁ ଉଦ୍‌ବୁଦ୍ଧ କରେ । ଅବଶ୍ୟ ଏକଥା ସତ ଯେ, ଲେଖକମାନେ ନିଜ ନିଜ ଦୃଷ୍ଟିରୁ ଆଉ ଜଣକର ଜୀବନୀ ଉପରେ ଦୃଷ୍ଟିପାତ କରିଥାଆନ୍ତି । ସତେଯେପରି ସେମାନଙ୍କର ନିଜର କିଛି କହିବାକୁ ରହିଥାଏ, ଯାହାକୁ କି ସେମାନେ ଏକ ଜୀବନକଥାକୁ ଅବଲମ୍ବନ ରୂପେ ବ୍ୟବହାର କରି କହି ପାରିବାକୁ ଭାବିଥାନ୍ତି । ସମ୍ବବତଃ ସେହି କାରଣରୁ ହିଁ ଜୀବନୀ-ସାହିତ୍ୟ ବୋଲି ଏକ ସ୍ଵତନ୍ତ୍ର ବର୍ଗ ବିଶ୍ଵସାହିତ୍ୟରେ ସମ୍ଭବ ହୋଇଛି । ସେହି କାରଣରୁ ମଧ୍ୟ ଜୀବନୀଗୁଡ଼ିକୁ ବିଶେଷତଃ ଅପେକ୍ଷାକୃତ ଅଧିକ ସଫଳ ଜୀବନୀଗୁଡ଼ିକୁ ପ୍ରବନ୍ଧର ପରିଧି ଭିତରେ ରଖି ବିଚାର କରିବା ସମ୍ଭବ ହୋଇଥାଏ । ହଁ, ଶିଷ୍ୟମାନେ ମଧ୍ୟ ଅନେକ ସ୍ଥଳରେ ଗୁରୁମାନଙ୍କର ଚରିତାମୃତ ଲେଖିଥାନ୍ତି । ସେଥିରୁ ମୂଳରୁ ଶେଷଯାଏ ହୁଏତ ଅମୃତ ଗଳୁଥାଏ ସତ, ମାତ୍ର ତାହା ସାର୍ବଜନୀନ ଉଦବୋଧନର ଯୋଗ୍ୟ ହୋଇପାରେ ନାହିଁ । ସତେଅବା ସେଗୁଡ଼ିକ ସଉକିନିମାନଙ୍କର ଫୁଲେଇ ହେବାର ପେଟରା ଭିତରେ ବନ୍ଦ ହୋଇ ରହିଥାଏ । ନାନୀମାନେ ବେଳେବେଳେ ପେଟରାଟିକୁ ଖୋଲନ୍ତି ଓ ଏଡ଼େ ବଢ଼ିଆ ଦ୍ରବ୍ୟଟିଏ ଅଥବା ବସ୍ତ୍ରଟିଏ ପେଟରାରେ ରହିଛି ବୋଲି ଫୁଲେଇ ହୁଅନ୍ତି ଏକ ଅସ୍ୱାଭାବିକ ନିକଟସ୍ପର୍ଶ ଲାଭକରନ୍ତି । ସମ୍ପ୍ରଦାୟମାନଙ୍କ ତରଫରୁ ବହୁ କ୍ଷେତ୍ରରେ ମୂଳ ମହାପୁରୁଷଙ୍କୁ ନେଇ ଯେଉଁ ଜୀବନୀ ଲେଖା ଯାଇଥାଏ, ସେଥିରେ ସିଧା ପରମବ୍ରହ୍ମଙ୍କୁ ହିଁ ମହାପୁରୁଷଙ୍କର ପଣଅଜା ବା ଷଣଅଜା ବୋଲି ଦେଖାଇ ଦିଆ ଯାଇଥାଏ । ଏହାଦ୍ଵାରା ଉତ୍‍ଫୁଲ୍ଲ ହେବାଲାଗି ସଂପୃକ୍ତ ସମ୍ପ୍ରଦାୟମାନଙ୍କୁ ବହୁତ ସହଜ କାରଣ ମିଳି ଯାଇଥାଏ ସତ, ମାତ୍ର ସାହିତ୍ୟର ଅସଲ ନିକିତିରେ ସେଗୁଡ଼ିକର ପ୍ରାୟ କୌଣସି ଓଜନ ନଥାଏ ।

 

ସ୍ତାବକମାନେ ମଧ୍ୟ ଜୀବନୀ ଲେଖନ୍ତି । ତୋଷାମଦର ମଦଘଡ଼ାଟାକୁ ଭାଙ୍ଗିଦେଇ କୌଣସି ଲୋଭାସକ୍ତ ମତଲବ ସହିତ ଖପରାଗୁଡ଼ିକ ଉପରେ ଗଡ଼ି ଯାଉଥିବା ଜଣେ ମଣିଷକୁ ଦେଖିଲେ ଯେଉଁ ପ୍ରତିକ୍ରିୟା ହୋଇଥାଏ ଓ ଯେପରି ନାକରେ ଲୁଗା ଦେବାକୁ ହୋଇଥାଏ, ଏଗୁଡ଼ିକୁ ପ୍ରାୟ ସେହି ପର୍ଯ୍ୟାୟର ବୋଲି କହିହେବ । ସାହିତ୍ୟ ସେଗୁଡ଼ିକୁ ଗୋଡ଼ରେ ଆଡ଼େଇ ଦିଏ, ଭାରି ଭଲ କରେ । ରାଜନୀତିରେ ମଧ୍ୟ କ'ଣ ସବୁ ଆଶା କରି ଏହିଭଳି ଜୀବନୀମାନ ଲେଖା ଯାଇପାରେ । ନେତାମାନେ ବେଳେବେଳେ ନିଜକୁ ଦେଖି ଏପରି ଅଗାଧ ପ୍ରକାରେ ରଜଃସ୍ଵଳା ହୋଇପଡ଼ନ୍ତି ଯେ ବରାଦ ଦେଇ ନିଜର ଗୋଟିଏ ଜୀବନୀ ପୁସ୍ତକ ଲେଖାଇ ପକାନ୍ତି । ବକ ପରି ଉପେକ୍ଷାଭାବ ଦେଖାଇ ଏମାନେ ନିଜର ପ୍ରଶସ୍ତି ଶୁଣିବା ନିମନ୍ତେ ଏଭଳି କରନ୍ତି । ସେମାନଙ୍କର ଏହି ଆତ୍ମରତିର ଅଭିଯାନରେ ଯେଉଁମାନେ ସେମାନଙ୍କର ବରାଦରେ ରାଜି ହୋଇଯାନ୍ତି ଆପଣାର ପଦକ୍ଷମତାକୁ ଖଟାଇ ସେମାନେ ସେହି ଉପକାରୀ ଚାଟୁକାରୀମାନଙ୍କୁ ଅନୁଗୃହୀତ କରିବେ ବୋଲି ହୁଏତ ଆଗରୁ ସର୍ତ ବି ଦେଇଥାନ୍ତି । ପ୍ରବନ୍ଧ ସାହିତ୍ୟ ଏହି ସବୁକିଛିକୁ ଦେଖି ମୁରୁକି ହସିଦିଏ ଏବଂ ସେତିକି ହିଁ ଯଥେଷ୍ଟ ହୁଏ । ବିଶ୍ଵସାହିତ୍ୟରେ ଏପରି କେତେଜଣ ଲେଖକ ରହିଛନ୍ତି ଯେଉଁମାନେ କି ଖାଲି ଜୀବନୀ ଲେଖିଛନ୍ତି ଏବଂ ପ୍ରସିଦ୍ଧି ଲାଭ କରିଛନ୍ତି । ଏପରି ଦୁଇଜଣଙ୍କର ନାମୋଲ୍ଲେଖ ମଧ୍ୟ କରାଯାଇପାରିବ, ଯେଉଁମାନେ ମାତ୍ର ଗୋଟିଏ ଗୋଟିଏ ଜୀବନୀ ଲେଖି କେବଳ ପ୍ରସିଦ୍ଧ ହୋଇନାହାନ୍ତି, ନିଜର ସାହିତ୍ୟରେ ଗୋଟିଏ ନୂତନ ମୋଡ଼ର ଅୟମାରମ୍ଭ କରି ପାରିଛନ୍ତି । ଜଣେ ହେଉଛନ୍ତି ଶ୍ରୀନ୍ ସନ୍‍ଙ୍କର ଜୀବନୀ ଲେଖିକା ଇଂଲଣ୍ଡର ବସ୍ ୱେଲ୍ ଏବଂ Life of Jesus ଲେଖିଥିବା ଫ୍ରାନ୍ ସ୍ ର ଅର୍ନେଷ୍ଟ ରେନାନ୍ । ହଁ, ଜୀବନୀକୁ କେତେକ ଲେଖକ ଉପନ୍ୟାସ ପରି ବି ଲେଖିବାର ପ୍ରୟାସ କରିଛନ୍ତି । ମାତ୍ର ଅଧିକାଂଶ ଥଳରେ ନିଜ ପାଖରେ ବିଡ଼ମ୍ବିତ ହେଲାପରି ସେମାନେ ଔପନ୍ୟାସିକତା’ର ମୋହକଗୁଡ଼ାକ ଭିତରେ ଏପରି ଛନ୍ଦି ହୋଇ ଯାଇଛନ୍ତି ଯେ ଭାରି ମନୋରଞ୍ଜକ ଭାବରେ ବାଟ ହୁଡ଼ି ଯାଇଛନ୍ତି ଏବଂ ସତେଅବା, ସେମାନେ ଯାହାଙ୍କୁ ବହୁତ ବଡ଼ କରି ଦେଖାଇବାକୁ ଏତେ ଚେଷ୍ଟା କରିଛନ୍ତି, ତାଙ୍କୁ ଭାରି ଉପହାସିତ କରି ପକାଇଛନ୍ତି ।

 

ଜୀବନୀ ସହିତ ଲାଙ୍ଗୁଡ଼ ପରି ଲାଗିଛି ଆତ୍ମଜୀବନୀ । ସମସ୍ତେ ଆତ୍ମଜୀବନୀ ଲେଖିବାକୁ ସାହସ କରନ୍ତି ନାହିଁ । ଅବଶ୍ୟ କେତେକ ସ୍ଥଳରେ ଏପରି ଦୁଃସାହସ ମଧ୍ୟ କରାଯାଇଥାଏ । ଦୁଃସାହସ କରୁଥିବା ମହାତ୍ମାମାନେ ଭାରି କୌତୁକପୂର୍ଣ୍ଣ ଭାବରେ ଧରା ପଡ଼ିଯାଆନ୍ତି । ତେଣୁ, ସେହି ଦୁଃସାହସ ଦ୍ଵାରା ପାଠକର କିଛି କ୍ଷତି ହୁଏ ନାହିଁ । ସାହିତ୍ୟର ବା କାହିଁକି କୌଣସି କ୍ଷତି ହେବ ? ଆତ୍ମପ୍ରକଟନ କରିବାର ଅଭିପ୍ରାୟରେ ହିଁ ଆତ୍ମଜୀବନୀଟିଏ ଲେଖିବା ନିମନ୍ତେ ଉଦ୍ଦୀପନା ମିଳେ । ଅନେକ ସମୟରେ ଜଣେ ନିଜ ପାଖରେ ମଧ୍ୟ ସକଳ ପରିଚୟରେ ପ୍ରକଟ ହୋଇ ପାରୁନଥାଏ, ଏବଂ କଲମ ଧରି ଧାତ୍ରୀଟିଏ ପରି, ମିତ୍ରଟିଏ ପରି ନିଜ ଆଡ଼କୁ ଅବଲୋକନ କଲେ ଯାଇ ତାହା ସମ୍ଭବ ହୁଏ । ନିଜକୁ ସମୀଚୀନ ଅନୁପାତ, ପରିଧି ଏବଂ ସମଗ୍ରତାଗୁଡ଼ିକୁ ଦେଇ ଦେଖିହୁଏ । ମାତ୍ର, ଏଥିରେ ମଧ୍ୟ କେତେକ ଆତ୍ମଜୀବନୀକାର ପଥ ହୁଡ଼ିଯାଆନ୍ତି । ଆପଣାକୁ ପ୍ରକଟକରୁ କରୁ କ’ଣ ପାଇଁ ଆପଣାର ପ୍ରଚାର କରିବାରେ ମାଧୁର୍ଯ୍ୟ ଅନୁଭବ କରନ୍ତି । ନିଜର ଜୀବନ-ପୁସ୍ତକଟିକୁ ନିଜ ପାଖରେ କେତେ ଖୋଲି କରି ଧରିଲେ ଯେ ଏକ ଆତ୍ମଜୀବନୀ ଲେଖିହୁଏ, ସେକଥା ଅନୁଭବୀ ହିଁ କହିପାରିବ । ଅନେକ ମଣିଷ ତ ନିଜକୁ ଲୁଚାଇବାରେ ହିଁ ଆୟୁଷ ସାରିବାରେ ଲାଗିଥାନ୍ତି ଓ ନିଜ ପାଖରେ ଦୋଚାରୁଣୀ ହୁଅନ୍ତି । ସେମାନେ ସତେଅବା କେତେଟା ଭୂମିକାରେ ହିଁ ଅଭିନୟ କରୁଥାନ୍ତି । କାହାର ପରମାସରେ ସେକଥା କରୁଛନ୍ତି ନିଜେ ଜାଣି ନଥାନ୍ତି । ଯଥାର୍ଥ ଡାକରାଟି ନିଜ ଭିତରୁ ଶୁଣିବା ପୂର୍ବରୁ ଏବଂ ନିଜ ଭିତରର ପରମ ବନ୍ଧୁଟିଠାରୁ ଆଦୌ କୌଣସି ଅନୁମତିପତ୍ର ପାଇବା ପୂର୍ବରୁ କେତେ କେତେ ବ୍ୟକ୍ତି ସତେଅବା ବାହାରକୁ କେଡ଼େ ବଡ଼ ହୋଇ ଦିଶୁଥିବା ପଦ, ଅଧିକାର ତଥା ଭୁମିକାଗୁଡ଼ିକରେ ଏପରି ପ୍ରାୟ ନିକ୍ଷିପ୍ତ ହୋଇ ରହିଥାନ୍ତି ଯେ, ସେମାନଙ୍କ ଭିତରେ ସ୍ଵଧର୍ମଚାରୀଟିଏ ସେମାନଙ୍କୁ କିଛି କହିବ ବୋଲି ଅପେକ୍ଷା କରି ରହିଛି ବୋଲି ମୋଟେ ଠଉରାଇ ପାରନ୍ତି ନାହିଁ । ଦୈବ ହାତରେ ଦଉଡ଼ି ହୋଇଥାନ୍ତି ଓ କୁଆଡ଼େ ମନ କୁଆଡ଼େ ଛିଟିକି ଯିବାରେ ଲାଗିଥାନ୍ତି । ଏମାନେ ବି ଆତ୍ମଜୀବନୀ ଲେଖିଲେ ଭାରି ଧରାପଡ଼ି ଯାଆନ୍ତି । ପାଠକମାନଙ୍କ ନିମନ୍ତେ ଖୁବ୍‌ କାମରେ ଆସନ୍ତି-। ଅସଲ ଆତ୍ମଜୀବନୀରୁ ସଂପୃକ୍ତ ଗୋଟିଏ ମନୁଷ୍ୟର ଯେତେ ସମାଚାର ନମିଳେ, ତାକୁ ଦର୍ପଣ କରି ତା' ସମୟର ଚିତ୍ରଗୁଡ଼ିକ ବିବିଧ ପ୍ରକାରେ ଖୁବ୍‌ ଉକୁଟି ଉଠିଥାଏ । ଗୋଟିଏ କାଳର ଉତ୍ସାହ, ଉଦ୍ୟମ, ସଦର ଓ ମଫସଲ ବିଷୟରେ ସମ୍ୟକ୍‌ ଧାରଣା ଆଣି ଦିଏ । ପାଠକକୁ ତା' ନିଜର ଧର୍ମଟି ଅନୁସାରେ ବାଟଟିଏ ଚାଲିବାକୁ ବଳଦିଏ । ଆପଣା ଭିତରୁ ବାହାରି ଯାଇ ଆପଣାକୁ ଯଥାସମ୍ଭବ ଅଧିକ ନିଶଛଳ ଅଥଚ ଶୁଭବାସନାପୂର୍ଣ୍ଣ ଭାବରେ ଦେଖିବା ନିମନ୍ତେ ଅନୁରାଗ ଦେଇ ଯାଉଥାଏ ଆତ୍ମଜୀବନୀ ଯେ କେବଳ ଆମ ଆଧୁନିକ କାଳରେ ଆମ ସାହିତ୍ୟର ଖଳା ଭିତରେ ଆସି ପ୍ରବେଶ କଲା, ତାହାର ମଧ୍ୟ ସଂଗତିଯୁକ୍ତ କାରଣମାନ ଅବଶ୍ୟ ରହିଛି । ସଭାର ବାଣଭଟ୍ଟ ଅଥବା ବିଷ୍ଣୁଶର୍ମାମାନେ କଦାପି ଆତ୍ମଜୀବନୀ ଲେଖିପାରି ନଥାନ୍ତେ ।

 

ବେଳେବେଳେ ଲେଖକ ଆତ୍ମଜୀବନୀର ଏକ ବିକଳ୍ପ ଭାବରେ ସଂସ୍କରଣ ସବୁ ଲେଖିଥାନ୍ତି । ଏଗୁଡ଼ିକ ବି ସାହିତ୍ୟ ଭିତରେ କମ୍‌ ଆଗ୍ରହୋଦ୍ଦୀପକ ହୁଏ ନାହିଁ । ସେମାନେ ତ ବିଭିନ୍ନ ଲକ୍ଷ୍ୟ ଓ ଉପଲକ୍ଷ୍ୟ ଦ୍ଵାରା ପ୍ରେରିତ ହୋଇ କେତେ ନା କେତେ ଘଟଣା ତଥା ବ୍ୟକ୍ତିଙ୍କର ସମ୍ପର୍କରେ ଆସିଥାଆନ୍ତି । ମାତ୍ର ସମସ୍ତଙ୍କ ବିଷୟରେ ସଂସ୍ମରଣ କଦାପି ଲେଖନ୍ତି ନାହିଁ । ବାଛି ବାଛି ମାତ୍ର କେତୋଟି ଘଟଣା ବା କେତେକ ବ୍ୟକ୍ତିଙ୍କର କଥାକୁ ଲେଖନ୍ତି । ଅର୍ଥାତ୍‌ ବାଛି ବାଛି ମନେପକାନ୍ତି । ସାଧାରଣ ଜୀବନରେ ମଧ୍ୟ ଆମେ ସମସ୍ତେ ଘଟଣା ଓ ସମ୍ପର୍କଗୁଡ଼ିକୁ ବାଛି ବାଛି ମନେପକାଉ । ଆଉ ଅନ୍ୟକିଛି କରିବାକୁ ବାଟ ହିଁ ନଥାଏ । ଜଣେ ଲେଖକ କାହିଁକି କେତୋଟିକୁ ବାଛେ ବା ମନେ ପକାଏ ଏବଂ ଆଉ କେତୋଟିକୁ କାହିଁକି ବାଛେ ନାହିଁ ବା ସେଗୁଡ଼ିକ କାହିଁକି ତାଂର ମନେ ପଡ଼େନାହିଁ, ସେଥିରୁ ମଧ୍ୟ ଲେଖକକୁ ଚିହ୍ନିହୁଏ ଏବଂ ସେହି ଚିହ୍ନିବାରେ ଅନେକ ସାହିତ୍ୟିକ ମୂଲ୍ୟ ରହିଥାଏ । ଲେଖକନାମକ ଚେତନାଗୁଡ଼ିକୁ ତାହାର ଏହିସବୁ ଶାଖା ଓ ପ୍ରଶାଖା ଦେଇ ଅଧିକ ପ୍ରାଞ୍ଜଳ ଭାବରେ ଚିହ୍ନି ହୁଏ । ସେହି ଚିହ୍ନିବାରୁ ପାଠକ ନିଜ ଅନ୍ତର୍ଗତ ଜୀବନରେ ମଧ୍ୟ ବହୁ ଭାବରେ ଲାଭବାନ ହୁଏ । ଅନେକ ଲେଖକ ଅସୁମାରି ଚିଠି ଲେଖିଆନ୍ତି । ଚିଠି ଲେଖୁଥିବା ସମୟରେ ସେମାନେ ନିଜର କେତେକ ଜୀବନାଂଶକୁ ସତେଅବା ପଢ଼ି ଦେଖାଇ ଦେଉଛନ୍ତି ବୋଲି ଆଦୌ ସଚେତନ ନଥାନ୍ତି । ସଚେତନ ନଥିବା ସମୟରେ ହିଁ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣତର ଭାବରେ ପାଠକ ପାଖରେ, ପୃଥିବୀ ପାଖରେ ଧରାପଡ଼ି ଯାଉଥାଏ । ସଚେତନ ହୋଇ ତଥାକଥିତ ସାହିତ୍ୟ କାର୍ଯ୍ୟ ବା ସାରସ୍ଵତ କାର୍ଯ୍ୟଟି କରୁଥିବାବେଳେ ସିଏ ହୁଏତ ଅଜାଣତରେ ମଧ୍ୟ ଖୁବ୍‌ ସତର୍କ ହୋଇ ରହିଥାଏ ଏବଂ ସେଥିଲାଗି ସେଥିରୁ ତା’ର କେବଳ ଏକ ଖଣ୍ଡ ପରିଚୟ ମିଳିଥାଏ । ଚିଠିମାନେ ଏହି କ୍ଷେତ୍ରରେ ସୁସ୍ଥ ପରିପୂରକ ପରି କାର୍ଯ୍ୟ କରିଥାନ୍ତି । ଅଧିକ ଅନ୍ତର୍ଦୃଷ୍ଟି ଆଣି ଯୋଗାଇ ଦିଅନ୍ତି । ସାହିତ୍ୟର ଏଷଣାକୁ ସମୃଦ୍ଧ କରନ୍ତି ।

 

ଦିନଲିପି ବା ଡାଏରୀ ମଧ୍ୟ ଏବେ ଗଦ୍ୟ-ସାହିତ୍ୟରେ ଏପରି ଏକ ଅଙ୍ଗ ରୂପେ ଆବିର୍ଭୂତ ହେଲାଣି, ଜାହାକୁ ଆମେ ସାହିତ୍ୟିକ ବର୍ଣ୍ଣନିରୂପଣ ଅନୁସାରେ ପ୍ରବନ୍ଧର ସରିସା ରୂପେ ଗ୍ରହଣ କରିପାରିବା । ଥାନାରେ ଡାଏରୀ ରଖାଯାଏ, ଦୋକାନମାନଙ୍କରେ ଆୟବ୍ୟୟ ପଇଠ କରାଯାଇ ନିୟମିତ ଡାଏରୀ ରହେ । ହାକିମମାନେ ସରକାରଙ୍କଠାରୁ ନିଜର ପାଉଣା ଦାବି କରି ଗସ୍ତମାନଙ୍କରେ ଡାଏରୀ ଲେଖନ୍ତି । ଦରକାର ସମୟରେ ସେଗୁଡ଼ିକ ଅବଶ୍ୟ କାମରେ ଆସନ୍ତି, ସାକ୍ଷ୍ୟପ୍ରମାଣର ନମୁନା ହୋଇ ରହିଥାନ୍ତି । ମାତ୍ର ଫରାସୀ ସାହିତ୍ୟରେ ଏକ ବିଶେଷବର୍ଗୀୟ ନାମକରଣ ଦ୍ଵାରା ଯାହାକୁ Journal ବୋଲି କୁହାଯାଏ, ସେଇଟି ଏବେ ଅଧିକରୁ ଅଧିକ ବିଭବଯୁକ୍ତ ହୋଇ ଅନ୍ୟ ଭାଷାର ସାହିତ୍ୟମାନଙ୍କୁ ମଧ୍ୟ ସଂକ୍ରମିତ ହୋଇଯାଉଛି । ଜଣେ ସର୍ଜନାତ୍ମକ ମଣିଷର ନିଜ ପାଖରେ ଦିନମାନ ଯେଉଁ କଥୋପକଥନ ହୁଏ, ତାହାର ନିର୍ଯାସଟିକୁ ସିଏ ନିଜ ଡାଏରୀରେ ଲେଖି ରଖିଥାଏ । ନିଜକୁ ନିବିଡ଼ ଭାବରେ ଭେଟିଥିବାର ତଥା ନିଜେ ଚାଲୁଥିବା ଅନ୍ତରଙ୍ଗ ପଥଟି ଉପରେ ବୃହତ୍ତର ପୃଥିବୀରୁ ସିଏ ପାଇଥିବା ଆଘ୍ରାଣଗୁଡ଼ିକୁ ସତେଅବା ନିଜର କେଡ଼େ ଗୋପନୀୟ ସମ୍ପଦ ପରି ତା' ଡାଏରୀର ପୃଷ୍ଠାଗୁଡ଼ିକରେ ସାଇତି ରଖେ । ଅଧିକାଂଶ କ୍ଷେତ୍ରରେ ମୋଟେ କାହାରିକୁ ଦେଖାଇବାକୁ ମନ କରେନାହିଁ । ସତେଯେପରି ସେଇ ଏକା ହେଉଛି ସେଗୁଡ଼ିକର ମାଲିକ । ମାତ୍ର, ସାହିତ୍ୟ ଭିତରେ ଏପରି କୋଉଠି କ'ଣ ଧନ ବା ଅର୍ଜନ ରହିଛି, ଯାହା ଉପରେ କି ସଂପୃକ୍ତ ଲେଖକଟିଏ କେବଳ ନିଜର ମାଲିକାନା ଦାବିକରିବ ଓ ମୋଟେ କାହାରିକୁ କୌଣସି ଭାଗ ଦେବାକୁ ଇଚ୍ଛାକରିବ ନାହିଁ ? ଏପରିକି ଏହି ପୃଥିବୀରେ, ସଂଗ୍ରହ ଏବଂ ଚୟନରେ ଏହି ବୃହତ୍ ଭବନଟି ଭିତରେ ଏପରି କ'ଣ ସମ୍ପଦ ବି ରହିଛି, ଯାହାକୁ କି ଜଣେ କେବଳ ନିଜର ବୋଲି କହିପାରିବ ଏବଂ କୃପଣ ହେବାକୁ ମନ କରିବ ? ତେଣୁ, ଲୁଚାଇ ରଖୁ ରଖୁ ଡାଏରୀଗୁଡ଼ିକର ଲେଖକ ତାକୁ ସମସ୍ତଙ୍କ ପାଖକୁ ବହନ କରିନେବାକୁ ଇଚ୍ଛା କରେ । ସେଥିରୁ ସିଏ ଭାରି ଆନନ୍ଦ ପାଏ । ସତେ ଯେପରି ତା'ପରେ ତା'ର ନିଜର ଏକାନ୍ତ ଭାବରେ ନିଜର ବୋଲି ଆଉ ମୋଟେ କିଛି ରହେନାହିଁ ବୋଲି ସିଏ ଅପାର ଆନନ୍ଦଲାଭ କରୁଥାଏ । ନିଜର ପ୍ରିୟ ଭୁବନଟିକୁ ସମସ୍ତଙ୍କ ପାଖରେ ଖୋଲିଦେଇ ଭାରି ଉଶ୍ଵାସ ଅନୁଭବ କରିଥାଏ । ତେଣୁ ଡାଏରୀ ମାଧ୍ୟମରେ ହିଁ ଜଣେ ଲେଖକ ସହିତ ଆମର ସତକୁ ସତ ଏକ ଘନିଷ୍ଠ ପରିଚୟ ଘଟିଥାଏ-। ଏହି ସିଧାସଳଖ ଭାବନାଗୁଡ଼ିକର ସୂତ୍ର ଧରି ବୁଝି ବାହାରିଲେ ଜଣେ ମଣିଷର ବଙ୍କାଗୁଡ଼ିକୁ ମଧ୍ୟ ବୁଝିବା ନିମନ୍ତେ ସହଜ କେତେ ବାଟ ମିଳିଯାଏ । ପୃଥିବୀରେ, ସାହିତ୍ୟରେ, ସହୃଦୟତା ବୃଦ୍ଧିପାଏ-

 

ସବାଶେଷରେ, ପ୍ରବନ୍ଧର ଆଉ ଗୋଟିଏ ସ୍ଵତନ୍ତ୍ର ଡାଳ ରମ୍ୟରଚନା; ଏଇଟିର ଜାତକ ଅନୁସାରେ ନାମଟି Belles lettres । ଏବେ କେତେ ବ୍ୟକ୍ତି କିଞ୍ଚିତ୍ ଲାଳିମା ଦେଇ ତାହାକୁ ଲଳିତ ନିବନ୍ଧ ବୋଲି କହୁଛନ୍ତି । ରମ୍ୟରଚନା କ'ଣ ପ୍ରକୃତରେ ରମ୍ୟ ରଚନା ? ରଚନାଟିଏ କିପରି ହେଲେ ପାଠକର ଗବାକ୍ଷଟି ତାହାକୁ ରମ୍ୟ ବୋଲି ଗ୍ରହଣ କରେ ଏବଂ କିପରି ନହେଲେ ତାହାକୁ ଅରମ୍ୟ ବୋଲି କହି ପ୍ରତ୍ୟାଖ୍ୟାନ କରେ, ତାହାର ପ୍ରକୃତରେ କୌଣସି ମାନଦଣ୍ଡ ରହିଛି କି-? ରମ୍ୟ ଅରମ୍ୟ ଯାବତୀୟ କଥାକୁ ଏକ ଅନ୍ୟ ଭାଷାରେ କହିଲେ, ରମ୍ୟ ବା ଅରମ୍ୟ ଆଦୌ କିଛି ତା’ରତମ୍ୟ ନ ବିଚାରି ସାବଲୀଳ ଭାବରେ ଯାହାକିଛି ଲେଖି ହୋଇଯାଏ, ସାହିତ୍ୟରେ ସେଇଟି ରମ୍ୟରଚନା । ରମ୍ୟରଚନା କମ୍‌ ଶର ମାରେ ନାହିଁ, ମାତ୍ର କାହାକୁ ବିଶେଷ ଭାବରେ ବିଦ୍ଧ କରିବାର ଅଭିପ୍ରାୟରେ ସିଏ ଆଦୌ କିଛି କରେ ନାହିଁ । କାହାରି ସହିତ ଲଢ଼ିବାର କୌଣସି ଅଭିପ୍ରାୟ ନଥାଏ ଏବଂ ଏକ ନିର୍ଦ୍ଦିଷ୍ଟ ସଂପୃକ୍ତତା ସହିତ ଅବଲୋକନ କରୁ କରୁ ଏହି ରମ୍ୟରଚନାଟିଏ ଲେଖି ହୋଇଯାଏ । ରମ୍ୟରଚନାର ଭୂମିକା ସତେଅବା ଜଣେ ସହାନୁଭୂତିସମ୍ପନ୍ନ ଯବାନର ଭୂମିକା, ଯିଏକି ହସି ହସି ଆକ୍ରମଣ କରୁଥିବ ଓ ଅସୂୟାରହିତ ଭାବରେ ଆଲିଙ୍ଗନ କରି ଧରିଥିବ । ରମ୍ୟରଚନାର ଏହି ପୃଥିବୀରେ ବହୁତ ଦରବାରରେ କଳହ; ସମସ୍ତେ ସଜଗୋବର ବୋଲି ଯାହାକୁ କହିବେ, ସେଥିରେ ସିଏ କ'ଣ ପାଞ୍ଚ କରି ସତେଅବା ପୋକ ପକାଇ ଦେବାପରି ମନେ ହେଉଥିବ । ଏକ ବିଶେଷ ବକ୍ରୋକ୍ତି ପ୍ରୟୋଗ କରି ଏହାକୁ କେତେକ ଅବସରରେ ଏକ Lover's quarrel ବୋଲି ମଧ୍ୟ କୁହାଯାଇଛି । ପାରମ୍ପରିକ ସାହିତ୍ୟରେ ସାହିତ୍ୟିକମାନେ ସତେଅବା ଏକ ଅଲଗା ଗୋତ୍ରର ବୋଲି ନିଜକୁ ଭାବି ଯେପରି ମାନ କରି ବସୁଥିଲେ, ସେମାନଙ୍କର ମାନଗୁଡ଼ାକୁ ଭାଙ୍ଗିଦେଇ ସେମାନଙ୍କୁ ଜୀବନର ବୃହତ୍ତର ଭୂମିଗୁଡ଼ିକ ଉପରକୁ ଓହ୍ଲାଇ ଆଣିବାର ଏକ ମତଲବ ରଖି ଏହି ରମ୍ୟରଚନାର ଆଉ ଆବିର୍ଭାବ ହେଲା କି ? କେହି କେହି ମତଦିଅନ୍ତି ଯେ ପୃଥିବୀର ସାହିତ୍ୟ-କ୍ଷେତ୍ରରୁ ସବୁଯାକ ବର୍ଗ କ୍ରମେ ବିଦାୟ ନେଇଯିବେ, ଖାଲି ରମ୍ୟରଚନା ହିଁ ରହିବ । କିଞ୍ଚିତ୍ ଫିଟାଇ କରି କହିଲେ, କିଛି ଆଗକୁ ଯାଇ ଗପ, ଉପନ୍ୟାସ, କବିତା, ନାଟକ ସବୁକିଛି ରମ୍ୟରଚନାର ଶୈଳୀରେ ଲେଖାହେବ ଓ ରମ୍ୟରଚନା ପରି ଲାଗିବ-। ସାହିତ୍ୟ ଲାଗି ସାହିତ୍ୟ ଅଥବା କଳାପାଇଁ କଳା ପ୍ରଭୃତି ଯେଉଁ ମାନୀ କଥାଗୁଡ଼ିକ ଆଜିଯାଏ ଆମ ଚଳଣିଟି ଭିତରେ ରହି ଆସିଛି, ରମ୍ୟରଚନା ତାହାର ପେଟ ଭିତରେ ପଶି ସେଗୁଡ଼ିକୁ ଫଟାଇଦେବ ଓ ମୀନ ରୂପରେ ବକାସୁରମାନଙ୍କୁ ସଂହାର କରବ । ପ୍ରବନ୍ଧ ନାମକ ପୁରୁଣା ବୁଢ଼ାଟି ସେତେବେଳେ କେଉଁଠି ଥିବ କେଜାଣି ? ସାହିତ୍ୟ ଅଳପ କେତେଜଣଙ୍କର ମାମଲା ହୋଇ ନରହିଲେ ଏକଥା ହୁଏତ ଘଟିବ ହିଁ ଘଟିବ । ଅଶିଷ୍ଟ ଏବଂ ଶିଷ୍ଟ–ସେତେବେଳେ ଏହିଭଳି ଅଲଗା ହୋଇ ଦୁଇଟା ଜାତି ମୋଟେ ରହିବେ ନାହିଁ । ଏହି ଦୂରତାଗୁଡ଼ିକ ଦୂର ହେଲେ କେତେକ ମଣିଷ ଆଉ କଦାପି ଅଲକ୍ଷଣାଙ୍କ ପରି ଅଲଗା ଭାଡ଼ି ବାନ୍ଧି ସାହିତ୍ୟ କରିବା ନିମନ୍ତେ ମୋଟେ ମନକରିବେ ନାହିଁ । ମଣିଷ ସହିତ ମଣିଷକୁ ବାନ୍ଧି ରଖିଥିବା ଡୋରଟା ହିଁ ମନୁଷ୍ୟର ସର୍ବନିମ୍ନ ପରିଚୟ ହୋଇରହିବ; ତେଣୁ ସାହିତ୍ୟ ଓହ୍ଲାଇ ଆସିବ । ସାହିତ୍ୟ ଅମୁକ କରିବ, ସାହିତ୍ୟ ସ୍ଵର୍ଗୀୟ ଆନନ୍ଦ ଆଣିଦେବ ବୋଲି ଏବେ ଅଲଗା ହୋଇ ଉପରେ ବସିଥିବା ଫୁଲାମାନଙ୍କର ଫୁଲାଣିଆ କଥାଗୁଡ଼ାକର ଆଉ କୌଣସି ପ୍ରାସଙ୍ଗିକତା ରହିବ ନାହିଁ । ନିବିଡ଼ ଓ ଗହନ କଥାଗୁଡ଼ିକ ବିଷୟରେ ମଧ୍ୟ ମଣିଷମାନେ ସହଜ ହୋଇ କଥା ହୋଇପାରିବେ । ଯାବତୀୟ ରଚନା ସେତେବେଳେ ପ୍ରକୃତରେ ରମ୍ୟରଚନାରେ ହିଁ ପରିଣତ ହେବ ।

 

[ଝଙ୍କାର, ୫-୧୦-ଜାନୁଆରୀ, ୧୯୯୯]

☆☆☆

 

Unknown

ପ୍ରବନ୍ଧର ପଣ୍ୟଭଣ୍ଡାର

 

ଯାବତୀୟ ଲେଖିବା ପଛରେ ପ୍ରେରଣାଟିଏ ରହିଥାଏ । ପୃଥିବୀର ଯେତେ ଯେତେ ଯୁଗରେ ଏବଂ ଯେତେ ଯେଉଁଠି ମଣିଷ ସାହିତ୍ୟ ପାଖକୁ ଯାଇ ଖୁରି ଖାଇଛି କିମ୍ବା ସାହିତ୍ୟ ମଧ୍ୟ ମଣିଷ ପାଖକୁ ଆସି ଖୁରି ଖାଇଛି, ଏହି ସବୁକିଛି ପଛରେ ସବୁଟିକୁ ଅଭିଷିକ୍ତ ତଥା ଅନୁସିକ୍ତ କରି ପ୍ରେରଣାଟିଏ ରହିଛି ବୋଲି ଲେଖକମାନେ ଯୁଗେ ଯୁଗେ କହି ଆସିଛନ୍ତି । ଏହି ପ୍ରେରଣାଟି କ’ଣ ପ୍ରକୃତରେ ଗୋଟିଏ ପ୍ରେରଣା ? ପୃଥିବୀରେ ଏପରି ସାହିତ୍ୟରୂପୀ କିଏ ବା ଅଛି, ଯିଏକି ସାତଟା ବା ସତରଟା ପ୍ରେରଣାକୁ ମୋର ନୁହେଁ ବୋଲି କହି ଆଡ଼େଇ ଦେଇ ଏଇ ଗୋଟିକ ହିଁ ମୋର ପ୍ରକୃତ ପ୍ରେରଣା ବୋଲି ଦାବି କରିପାରିବ? ନିଜେ ଠାକୁରାଣୀ ସାରଳା ଦେବୀ ହିଁ ତାଙ୍କର ଏକମାତ୍ର ପ୍ରେରଣା ବୋଲି ବାରମ୍ୱାର ଉଚ୍ଚାରଣ କରିଥିବା ସାରଳା ଦାସ କ’ଣ ପ୍ରକୃତରେ ସେହି ଗୋଟିଏ ଉତ୍ସରୁ ହିଁ ତାଙ୍କର ପ୍ରେରଣା ପାଇଥିଲେ? ସମସାମୟିକ ବେଷ୍ଟିନୀଟି କ’ଣ ତାଙ୍କୁ କୌଣସି ଚିହ୍ନା ଅଚିହ୍ନା କେତେ କେତେ ଉତ୍ସ ଯେ ତା’ ପାଇଁ ପ୍ରେରଣାର ଭୂମିକାରେ ସକ୍ରିୟ ଭାବରେ ଅବତୀର୍ଣ୍ଣ ହୋଇ ଆସିଥାନ୍ତି, ବିଚାରା ଲେଖକ ମଧ୍ୟ ସେହି ବିଷୟରେ କେତେ ଅଳପ ଜାଣି ପାରୁଥାଏ । ତେଣୁ, ଯାବତୀୟ ପ୍ରେରଣା ପ୍ରକୃତରେ ଏକାବେଳେକେ ଅନେକ ପ୍ରସ୍ଥର, ଅନେକ ସ୍ତରର ଏବଂ ଅନେକ କିସମରେ । ଆମର ଚାରି ପାଖରେ ରହିଥିବ ଏହି ସଂସାର – ଏଥିରୁ ଆମେ କେତେ କେତେ ପ୍ରେରଣା ପାଇଥାଉ; ନିଜକୁ ବ୍ୟକ୍ତ କରିବାକୁ ଯେତିକି ପ୍ରେରଣା ପାଉ, ଆପଣାକୁ ନୀରବ କରିନେବାକୁ ମଧ୍ୟ ସେତିକି ପ୍ରେରଣା ପାଇଥାଉ । କୌଣସି କାଳିସୀ ଆସି ମାଡ଼ି ବସିଲେ ଯାଇ ଯେଉଁ ଲେଖକମାନେ ସାହିତ୍ୟ ନିମନ୍ତେ ପ୍ରେରଣା ପାଆନ୍ତି ଓ କାଳିସୀ ଛାଡ଼ିଗଲେ ବଡ଼ କ୍ଲାନ୍ତ ଓ ନିତ୍ୟନୈମିତ୍ତିକ ଭାବରେ ପଡ଼ିରହନ୍ତି, ସେମାନଙ୍କୁ ନିରନ୍ତର ପ୍ରେରଣାମୟ ଏହି ପୃଥିବୀରେ ପ୍ରାୟ ନ୍ୟାୟତଃ ଗୋଟିଏ ବିଚିତ୍ର ଜନ୍ତୁ ଅବା ଜୀବ ବୋଲି ହୁଏତ କୁହାଯାଇପାରିବ । ଏହି ପୃଥିବୀ ଭିତରେ ତଥ୍ୟ ବା ସତ୍ୟ ଭରପୂର ହୋଇ ରହିଥାଏ, ଯାହାକି ଆମକୁ ଉଦବେଳିତ କରୁଥିବା ପ୍ରେରଣାଗୁଡ଼ିକ ହାତଗୋଡ଼ ଦେଇଯାଏ, ଆକୃତି ଦିଏ, ନିର୍ଦ୍ଦିଷ୍ଟ ବିସ୍ତାର ନିମନ୍ତେ ଯୋଗ୍ୟ ବି କରାଏ-ଆମ ଭିତରୁ କିଏ ଆଗ ପୃଥିବୀଟାରୁ ପ୍ରେରଣା ପାଇ ଆପଣା ଭିତରେ ରହିଥିବା ସୃଜନାତ୍ମକ ବେଢ଼ାଟି ଭିତେ ରହିଥିବା ସର୍ଜନାତ୍ମକ ବେଢ଼ାଟି ଭିତରେ ଯାଇ ପ୍ରବେଶ କରିବାର ଭାଜନ ହୁଏ, ଆଦୌ କୌଣସି ଗଣିତ ଦ୍ୱାରା ଆମେ ତାହାର ବାଖ୍ୟାଟିଏ ଦେଇପାରିବା ନାହିଁ । ଆଗ ପୁଞ୍ଜିଟି ଯୋଗାଡ଼ ହୋଇଗଲେ ବାଣିଜ୍ୟ କରିବାକୁ ମନେହୁଏ ଅଥବା ଆଗ ବାଣିଜ୍ୟ କରିବାକୁ ବାସନାଟିଏ ଜନ୍ମଲାଭ କଲେ ପୃଥିବୀଟାଯାକ ହିଁ ‘ପୁଞ୍ଜି’ ରେ ଭର୍ତ୍ତି ହୋଇ ରହିଥିବା ପରି ପ୍ରତ୍ୟକ୍ଷ ହୁଏ, ସେକଥା କୋଉ ରସବିଦ୍ୟାବିତ୍‍ ଆସି ବତାଇ ବତାଇ ଦେଇପାରିବ ?

 

ଜଣେ କବି ପାଇଁ ତଥ୍ୟ ଆଗ ନା ପ୍ରେରଣା ଆଗ? କୌଣସି କବି କବିତା ଲେଖିବା ସକାଶେ କେଉଁଠାରୁ କିଛି ତଥ୍ୟ ସାଉଁଟି ନେବାର କୌଣସି ଆବଶ୍ୟକତା ଅନୁଭବ କରିଥାଆନ୍ତି କି? ପ୍ରାଚୀନ କାଳର କବିମାନେ ତ ସଚରାଚର କେବଳ ପ୍ରେରଣା କଥା ହିଁ କହିଛନ୍ତି। ଆମେ ଅନୁଭବ କହିଲେ ସାଧାରଣତଃ ଯାହା ବୁଝୁ ତାହା ମୂଳତଃ ଏକ ପ୍ରେରଣା ନା ଗୋଟିଏ ପ୍ରକାର ତଥ୍ୟ- ସମାହାର? ଜୀବନରେ ଆମେ ଯାହାକିଛି ଅଙ୍ଗେ ନିଭାଉ, ତାହା ପଛରେ ସତକୁ ସତ କୌଣସି ତଥ୍ୟୋପାଦାନ ମଧ୍ୟ ରହିଥାଏ କି? ଅଥବା, ହୁଏତ ଏପରି ମଧ୍ୟ କୁହାଯାଇପାରିବ ଯେ, ଆମ ଜୀବନରେ ଉପଲବ୍ଧ ତଥ୍ୟ ଏବଂ ସତ୍ୟଗୁଡ଼ିକ ହିଁ କ୍ରମେ ଆମ ଅନ୍ଦାଜର ଆକାଶଗୁଡ଼ିକରେ ପ୍ରେରଣାରୂପୀ ବର୍ଣ୍ଣାଢ଼୍ୟ ଦିଗ୍‍ବଳୟମାନଙ୍କର ସୃଷ୍ଟି କରିଥାଆନ୍ତି ଓ ଆମକୁ ଅନୁରୂପ ଭାବରେ ଏକ ପରିଚୟ ଦେଇ ରଖିଥାନ୍ତି? ଜଣେ ଗଳ୍ପଲେଖକ ପାଇଁ ଆଗ ତଥ୍ୟ ନା ଆଗ ପ୍ରେରଣା? ଆଧୁନିକ ଯୁଗରେ ଜଣେ ଜଣେ କାହାଣୀକାର ବା ଔପନ୍ୟାସିକ ନିଜର କଳ୍ପିତ ଗଳ୍ପ ଓ ଉପନ୍ୟାସଟି ପାଇଁ ଆଗ କିଛି ତଥ୍ୟ ସଂଗ୍ରହ କରିବାର ପ୍ରବ୍ରଜ୍ୟା ଅବଶ୍ୟା କରନ୍ତି ଓ ତା’ପରେ ଯାଇ ଲେଖିବାର ରଣାଙ୍ଗନରେ ଆସି ଅବତୀର୍ଣ୍ଣ ହୁଅନ୍ତି । ଏବଂ, ନାଟକ ପାଇଁ ଯେ ଆଧୁନିକ କାଳରେ ବହୁତ ତଥ୍ୟାହରଣ କରିବାକୁ ପଡ଼ୁଥିବ, ତାହା ଅବଶ୍ୟ ସ୍ୱୀକାର କରିବାକୁ ପଡ଼ିବ । ଏବେ ତ ପୁଣି ଗୋଟିଏ ପ୍ରକାରକୁ ଏକାଧିକ ପ୍ରକାରରେ ବିଭାଜିତ କରି ଜୀବନମୂଳକ ଉପନ୍ୟାସ ଲେଖାଗଲାଣି, ଏତିହାସିକ ନାଟକ ଏବଂ ଐତିହାସିକ ଉପନ୍ୟାସମାନ ଲେଖା ହେଲାଣି । ଏସବୁ ନିମନ୍ତେ ଯେ କେବଳ ଇତିହାସ ଓ ତଥ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି, ସେକଥା ଆଦୌ ନୁହେଁ । ସବା ଆଗ ନିଜର ଭିତ୍ତିଦୃଷ୍ଟିକୁ ସ୍ଥିର କରି ନେଇ ସେହି ଅନୁସାରେ ତଥ୍ୟଚୟନ କରିବାର ପ୍ରଣାଳୀଟି ମଧ୍ୟ ସାହିତ୍ୟରେ ଭାରି ପ୍ରାମଣିକତା ସହିତ ବେଶ୍‍ ଚଳି ଆସିଲାଣି । ତୁଚ୍ଛା ଜୀବନ ଲେଖାରେ ଏହି ଅକାଇଦାଟା କ୍ରମେ ଏକ କାଇଦ ପରି ଭାରି ଚଳିଲାଣି । ଆମ ସମସ୍ତଙ୍କର ରାଜ୍ୟରେ ଚଳୁଛି ଯେତେବେଳେ, ସେତେବେଳେ ତାହାକୁ ଏକ ଅକାଇଦା ବୋଲି କହିବା ଉଚିତ ହେବ ନାହିଁ। ତୁଚ୍ଛା ଖୋସାମଦି କରିବା ଉଦ୍ଦେଶ୍ୟ ରଖି ସତେ ଅବା କୌଣସି ତଣ୍ତରେ ପଡ଼ି ଜୀବନଟିଏ ମଧ୍ୟ ଲେଖା ଯାଇପାରେ, ତୁଚ୍ଛା ସ୍ତବଗାନର ଶୈଳୀରେ ମଧ୍ୟ କେଉଁ ହତଭାଗ୍ୟ ମହାପୁରୁଷ କେତେ ନା କେତେ ଊର୍ଦ୍ଧ୍ୱ ଓ ଶୂନ୍ୟ ଭିତରକୁ ପରମପ୍ରୀତିର ସହିତ ଫିଙ୍ଗି ଦିଆଯାଇପାରେ। ଏହି ସବୁକିଛିର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଆମକୁ ଓଡ଼ିଶାରେ ମିଳିପାରିବ । ଏ ସବୁର ପାଶ୍ଚାତରେ ଅବଶ୍ୟ ମତଲବ ରହିଥାଏ ସତ, ମାତ୍ର ସେହି ପ୍ରେରଣାମାର୍ଗକୁ ଆମେ କାହିଁକି ଏକ ସାହିତ୍ୟିକ ବିଚାର ଏପରିକି କୌଣସି ପ୍ରକାରର ଆଲୋଚନା ଲାଗି ହୁଏତ ତଥ୍ୟାଦିର ମୋଟେ କୌଣସି ପ୍ରୟୋଜନ ହୁଏ ନାହିଁ । ଦେବୀ ବା ଦେବତା ପ୍ରସନ୍ନ ହେଲେ ନିଜ ଭିତରୁ କାବ୍ୟ ଫୁରେ ବୋଲି କଥାଟି ଭାରତବର୍ଷରେ ଯେ ବହୁତ ସୁଆଦିଆ ଶୁଭେ, ସେକଥାଟି ଅତ୍ୟନ୍ତ ଉତ୍ତମ ଭାବରେ ଅବଶ୍ୟ ବୁଝି ହେଉଛି । ଆମ ଓଡ଼ିଶାରେ ସାହିତ୍ୟ-ଆଲୋଚକମାନେ ବି କ’ଣ ଭାବି ଜଗନ୍ନାଥଙ୍କର କରୁଣା ଦ୍ୱାରା ଆବିଷ୍ଟ ହୋଇ ସମୀକ୍ଷା ଓ ନିବନ୍ଧମାନଙ୍କରେ ବି ମନୋନିବେଶ କରିଥାଆନ୍ତି । ଏହି ପ୍ରବୃତ୍ତିଟିକୁ ଏକ ଅପବାଦ ବୋଲି ଗ୍ରହଣ କରିନେଇ ତଥାପି ଆମେ କହିପାରିବା ଯେ ପୃଥିବୀର ସାହିତ୍ୟରେ କୌଣସି ଲେଖକ ଦେବଦେବୀମାନଙ୍କର ପ୍ରେରଣା ଲାଭ କରି କୌଣସି ପ୍ରବନ୍ଧ ଲେଖିଛନ୍ତି ବୋଲି କେବେହେଲେ କହିବାକୁ ଇଚ୍ଛା କରିନାହାନ୍ତି । ପ୍ରବନ୍ଧ ଲେଖିବା ପଛରେ ଅବଶ୍ୟ ଏକ ଅନୁରୂପ ପ୍ରେରଣା ରହିବ ହିଁ ରହିବ । ମାତ୍ର, ଏକ ତଥ୍ୟଭଣ୍ତାର ବା ପଣ୍ୟଭଣ୍ତାର ମଧ୍ୟ ଅଲବତ ଥିବ । ହଁ ପ୍ରେରଣା ପରିସରଟି ପରୋକ୍ଷ ଭାବରେ ପଣ୍ୟ ଭଣ୍ତାରର ପରିସରକୁ ମଧ୍ୟ ସୀମାଙ୍କିତ କରି ଦେଉଥିବା । ପ୍ରେରଣାର ସୋପାନଟି ତଥ୍ୟ ସଚେତନାତା’ର ସୋପାନଟିକୁ ମଧ୍ୟ ଚିହ୍ନିତ କରି ଦେଉଥିବା ଏବଂ ଏହି ତଳୁ ଥାଇ କହି ବସିଲେ, ଜଣେ ପ୍ରବନ୍ଧ ଲେଖକ କେତେ ଅଳପ ଓ କିମ୍ୱା ବିସ୍ତାର ଦେଇ ତା’ର ପ୍ରାସଙ୍ଗିକ ପଣ୍ୟଭଣ୍ତାରଟିର ଅନ୍ଦାଜ କରାଯାଇପାରିବ। କବିତା, ଗପ, ଉପନ୍ୟାସ, ନାଟକ ଏହି ସବୁକିଛିରେ ଏକ ପଣ୍ୟଭାଗ ଅର୍ଥାତ୍‍ ତଥ୍ୟଭାଗ ରହିଥିବ ସତ, ମାତ୍ର ପ୍ରବନ୍ଧବେଳକୁ ସେଇଟି ଅପେକ୍ଷାକୃତ ଅଧିକ ଲୋଡ଼ା ପଡ଼ିବ, ଅଧିକ ପ୍ରାସଙ୍ଗିକତା ବହନ କରୁଥିବ, ଅଧିକ ଦିଶିଯାଇ ପାରୁଥିବ ।

 

କବିତା ପାଇଁ କେତେ ପଣ୍ୟ ଦରକାର ହୁଏ, କବିତା ପାଇଁ ଆଦୌ କୌଣସି ପଣ୍ୟ ଦରକାର ହୁଏ ନା କେବଳ ପ୍ରେରଣାରେ କାମ ଚଳିଯାଏ, ସେକଥା କବିମାନେ କହିବେ । ଗଳ୍ପ ଉପନ୍ୟାସ ବା ନାଟକାଦି ନିମନ୍ତେ ବିଶେଷ ଭାବରେ କୌଣସି ପଣ୍ୟ ନଥାଇ ତଥାପି ଯେ ଚମତ୍କାର ରାନ୍ଧଣା ସମ୍ଭବ ହୋଇପାରେ, ଆମ ଭାଷାର ସାହିତ୍ୟରୁ ତାହାର ସମର୍ଥନରେ ସମ୍ପ୍ରତି ଭୂରି ଭୂରି ଦୃଷ୍ଟାନ୍ତ ଅବଶ୍ୟ ମିଳିଯିବ । ମାତ୍ର, ପ୍ରବନ୍ଧ ପାଇଁ ପଣ୍ୟଭଣ୍ଡାରଟିଏ ଖୋଜିବାକୁ ଗଲେ ଏକାବେଳକେ ଅନ୍ୟ ଏକ ସ୍ଥିତି ଭିତରେ ଆସି ପହଞ୍ଚିବାକୁ ପଡ଼ିବ । ଏହି କ୍ଷେତ୍ରରେ ଆପଣ ଯେତେ ଲୋଡ଼ିବେ, ଆପଣଙ୍କୁ ସେତେ ଅଧିକ ପଣ୍ୟ ମିଳିଯିବ । ଯେତେ ଗ୍ରହଣଶୀଳ ହୋଇପାରିବେ, ସେତେ ଅଧିକ ଆସି ଆପଣଙ୍କୁ ହାବୁଡ଼ି ଯିବାରେ ଲାଗିଥିବେ । ଏହି ଗୋଟିଏ ଦୃଷ୍ଟିରୁ ଦେଖିଲେ ମଧ୍ୟ ଜଣେ ପ୍ରାବନ୍ଧିକର ଜୀବନ ହେଉଛି ଏକ ନିତ୍ୟ ଅସନ୍ତୋଷର ଜୀବନ, ସେହି ଏକା କଥାକୁ କିଞ୍ଚିତ୍ ସକାରାତ୍ମକ ଭାବରେ କହିଲେ, ଏକ ନିତ୍ୟ ଆହ୍ଵାନର ବି ଜୀବନ । ଏହି ଜୀବନ, ଏହି ପୃଥିବୀ ଓ ଜୀବନ ତଥା ପୃଥିବୀକୁ ପ୍ରାୟ ଦୀପଦାଣ୍ଡି ରୂପେ ଗ୍ରହଣ କରି ଏକ ଆବିଷ୍କାର-ଯାତ୍ରାରେ ବାହାରିଥିବା ଆମର ସାହିତ୍ୟ ନାମକ ଏହି ନିତ୍ୟବ୍ୟାକୁଳତା–ଏସବୁ କଦାପି ଆମ ଆଖିଗୁଡ଼ାକ ଦ୍ଵାରା ନିୟନ୍ତ୍ରିତ ହୋଇ ରହିପାରିବେ ନାହିଁ । ଆମେ ଯେତିକି ଦେଖିବାକୁ ମନକରିବା, ଏହି ଜୀବନ ଏବଂ ଏହି ପୃଥିବୀ ଅମକୁ ସେତିକି ପଣ୍ୟ ଓ ସତ୍ୟ ଆଣି ଯୋଗାଇଦେବେ । ମାପିବା ନିମନ୍ତେ ଆମ ପାଖରେ ଆମ ନିଜ ନିଜର ସଂଯୋଗ ତଥା ସଂସ୍କାରବଶତଃ ଯେଡ଼ିକି ତରାଜୁଟିଏ ବା ଯେତିକି ମାପକାଠି ରହିଛି, ତାହାରି ଦ୍ଵାରା ହିଁ ଆମେ ଯାବତୀୟ ଆକଳନ କରିବାକୁ ଯେ ବାଧ୍ୟ ହେଉଛୁ, ଏହି ପୃଥିବୀ ତଥା ଏହି ଜୀବନ ପ୍ରତି ଶ୍ରଦ୍ଧା ବଢ଼ିପାରିଲେ ଆମେ ସେହି ସତ୍ୟଟିକୁ, ଅନୁଭବଟିକୁ ଲାଭ କରିଥାଉ । ନାନା ପ୍ରସୀମନ ଦ୍ଵାରା ଆମର ମୂଲ୍ୟାଦର୍ଶମାନେ ପ୍ରାୟ ନିୟନ୍ତ୍ରିତ ହୋଇ ରହିଥାନ୍ତ ବୋଲି ଆମେ ଆମକୁ ଜନନୀ ପରି ବେଷ୍ଠନ କରି ରହିଥିବା ପୃଥିବୀଟିକୁ ଭାରି କ୍ଷୁଦ୍ର କରି ଦେଖାଉ । ସେହି କ୍ଷୁଦ୍ରତାମାନେ ଆମର ନାନା ତାତ୍କାଳିକ inertia ଦ୍ଵାରା ସୀମାଙ୍କିତ ହୋଇ ରହିଆନ୍ତି ଏବଂ ଆମକୁ ମୁଗ୍ଧ କରି ରଖିଥାନ୍ତି । ସାହିତ୍ୟରେ ପ୍ରବନ୍ଧ ହିଁ ଏକାଧିକ ପ୍ରକାରେ ସେହି ମୁଗ୍ଧତାଗୁଡ଼ିକର ପରମ୍ପରା ଭାଙ୍ଗିବା ସକାଶେ ଆହ୍ଵାନ ଦେବାକୁ ସାହସ କଲା । ତୋ ଦେଶ ଏହି ପୃଥିବୀର ଏକମାତ୍ର ଦେଶ ନୁହେଁ, ତୋ ଠାକୁରମାନେ ମଧ୍ୟ ମୋଟେ ଏକମାତ୍ର ଠାକୁର ନୁହନ୍ତି, ତୋର ତଥାକଥିତ ପବିତ୍ର ଗ୍ରନ୍ଥମାନଙ୍କରେ ହିଁ ପବିତ୍ରତା ବିଷୟରେ ଆଦୌ ସବୁକିଛି କଥା କୁହାଯାଇ ନାହିଁ , ଯେକୌଣସି ଦେଶର ଜାତୀୟତାବାଦୀ ପର୍ଯ୍ୟାୟରେ ଏତିକି କଥା କହିବାର ନିମନ୍ତେ ସାହିତ୍ୟକୁ କମ୍‌ ସଂଗ୍ରାମ କରିବାକୁ ପଡ଼ିନଥିବ । ଆମର ଅଭ୍ୟସ୍ତ ଆଖିଗୁଡ଼ିକର ବାହାରେ ମଧ୍ୟ ଆହୁରି ଆଖିମାନେ ରହିଛନ୍ତି – ନିଜର ହୃଦୟଟାକୁ ଏତିକି ବୁଝାଇ ପାରିବା ନିମନ୍ତେ କ'ଣ କମ୍‌ ସାହସ କରିବାକୁ ପଡ଼େ ? ଅତୀତରେ ଯେଉଁସବୁ ଯୁଗରେ ସାହିତ୍ୟ କହିଲେ ଖାଲି କାବ୍ୟ ଓ କବିତାକୁ ବୁଝାଉଥିଲା, ଖାଲି ସଭାମାନଙ୍କରେ ହିଁ ସାହିତ୍ୟର ପତର ପଡ଼ୁଥିଲା ଏବଂ ପ୍ରଧାନତଃ ଚିତ୍ତବିନୋଦନ ନିମନ୍ତେ କାବ୍ୟଦେବୀଙ୍କର ଆବାହନ ଏବଂ ଉପାସନା କରାଯାଉଥିଲା, ଭାରି ଭଲ କଥା ଯେ ସେତେବେଳେ ପ୍ରବନ୍ଧ ନଥିଲା– ଏପରିକି ଗଦ୍ୟକୁ ମଧ୍ୟ ଯେକୌଣସି ହସ୍ତକ୍ଷେପ କରିବାକୁ ଦିଆ ଯାଉନଥିଲା ।

 

ଗଦ୍ୟ ଆସି ମଣିଷର ଆଖିରେ ପ୍ରସାର ଆଣିଦେଲା । ଜୀବନକୁ ସାହିତ୍ୟର ନିୟାମକ କଲା ଅର୍ଥାତ୍ ସାହିତ୍ୟକୁ ଜୀବନର ସମବାଚୀ ବି କରାଗଲା । ସମାଜରେ ଅଧିକରୁ ଅଧିକ ମଣିଷ ସାହିତ୍ୟରେ ବିଚାର ଏବଂ ପରିଧି ଭିତରକୁ ଆସିଲେ । ଧର୍ମ, ସମାଜତନ୍ତ୍ର, ଭାଗ୍ୟ ପୁରୁଷାର୍ଥ – ଏହି ସବୁ ଯାବତୀୟ ବିଚାରର ବିବେକ ବଦଳିଗଲା, ଆୟାମମାନେ ମଧ୍ୟ ବଦଳିଗଲେ । ଏହିସବୁ ବିବିଧ ବଦଳିଯିବା ଫଳରେ ମଣିଷ ପାଇଁ ଯେଉଁ ଯୁଗଟି ସମ୍ଭବ ହୋଇ ଆସିଲା, ଆମେ ଯାବତୀୟ ଅର୍ଥରେ ତାହାକୁ ହିଁ ଆଧୁନିକ ଯୁଗ ବୋଲି କହୁଛୁ । ଆଧୁନିକ ଯୁଗ ହେଉଛି ସମୀକ୍ଷାର ଯୁଗ, ସମାଜ-ସମୀକ୍ଷାର ଯୁଗ । ତେଣୁ ଅସଲ ଆତ୍ମସମୀକ୍ଷାର ଯୁଗ, ଜଗତକୁ କେନ୍ଦ୍ର କରି ଆପଣାକୁ ସମୀକ୍ଷା କରିବାର ଯୁଗ ଏବଂ ଆପଣାକୁ କେନ୍ଦ୍ରକରି ଜଗତ-ସମ୍ଭାବନାଗୁଡ଼ିକର ସମୀକ୍ଷା କରିବାର ଯୁଗ । ଏତିକି କରି ନପାରିଲେ ଖାଲି ସାହିତ୍ୟରେ ନୁହେଁ ଜୀବନରେ ମଧ୍ୟ ପଳାୟନ ହିଁ ଏକମାତ୍ର ଧର୍ମ ଓ ଏକମାତ୍ର ଗତି ହୋଇ ରହିଯାଏ । ଯଦି ପଳାୟନ କରିବାକୁ ବାଟ ଖୋଜୁଥିବେ, ତେବେ ପ୍ରବନ୍ଧ ଭିତରେ ପଶିବାକୁ ଆପଣଙ୍କର କଦାପି ମନ ବଳିବ ନାହିଁ । ଖାଲି ପ୍ରବନ୍ଧଟିଏ ଲେଖିବାକୁ ନୁହେଁ, ପ୍ରବନ୍ଧଟିଏ ପଢ଼ିବାକୁ ମଧ୍ୟ ମନ ବଳିବ ନାହିଁ । ସେ ଯୁଗର ପ୍ଲେଟୋ ଏହି ପଳାୟନକାରୀମାନଙ୍କୁ ଦୃଷ୍ଟିରେ ରଖି ବୋଧହୁଏ ନିଜ କଳ୍ପନାର ଆଦର୍ଶନଗର ବ୍ୟବସ୍ଥାଟିରୁ କବିମାନଙ୍କୁ ବହିଷ୍କୃତ କରି ରଖିବାକୁ ଇଚ୍ଛା କରିଥିବେ । ସାହିତ୍ୟର ହିଁ ଏକ ବର୍ଗରୂପେ ସ୍ଵୀକୃତ ହେଉଥିଲେ ମଧ୍ୟ ପ୍ରବନ୍ଧ ସାହିତ୍ୟକୁ ନୁହେଁ ଜୀବନକୁ ହିଁ ଆପଣାର ଉଚ୍ଚତମ ଶିଖର ବୋଲି ସ୍ଵୀକାର କରିଥାଏ । ପୁରାତନ ଯୁଗପରି ଏ ଯୁଗରେ ମଧ୍ୟ ଥୋକେ ସାହିତ୍ୟକୁ ହିଁ ସାହିତ୍ୟର ଶେଷ ବୋଲି ମାନନ୍ତି । ସେମାନେ ପ୍ରାୟ ପ୍ରବନ୍ଧ ଲେଖନ୍ତି ନାହିଁ । ପ୍ରବନ୍ଧ ଲେଖିଲେ ଭାରି ଧରା ପଡ଼ିଯାଆନ୍ତି । ବହୁବିଗଳିତ ଭାବରେ ସେମାନେ କେତେ କ'ଣ ଲେଖନ୍ତି ସିନା, ମାତ୍ର ଭାରି ଲୁଚି ବୁଲୁଥାନ୍ତି । ପଦ୍ୟ ଓ ଗଦ୍ୟ ଉଭୟକୁ ହିଁ ଭାରି ଲୋସଡ଼ା କରି ରଖିଥାନ୍ତି । କେବଳ ଭାଷା ନୁହେଁ, ସେମାନଙ୍କର ଭାବ-ଭାଗଟି ମଧ୍ୟ ସତେଅବା ସେମାନଙ୍କୁ ଲୁଚାଇ ରଖିବା ନିମନ୍ତେ ଭାରି ଚେଷ୍ଟା କରୁଥାଏ ଏବଂ ସମୀକ୍ଷାର କଷଟିରେ ଭାରି ଧରାପଡ଼ି ଯାଉଥାଏ । ଆଧୁନିକ ଜୀବନକୁ ସମଗ୍ର ଓ ଆହୁରି ସମଗ୍ର ଭାବରେ ବୁଝିବାକୁ ହେଲେ ଶ୍ରଦ୍ଧା ଏବଂ ସଂଶ୍ଳିଷ୍ଟତା’ର ଆଖିରେ ଯେତେ ଯେତେ ପ୍ରସ୍ଥ ଦୃଷ୍ଟିଗୋଚର ହୋଇଥାଏ, ପ୍ରବନ୍ଧାକାର ଧର୍ମତଃ ସେହି ପ୍ରସ୍ଥଗୁଡ଼ିକ ଆଡ଼କୁ ଆକୃଷ୍ଟ ହୋଇଯାଏ । ଆଖି ଆଗରେ ଏକାବେଳକେ ଏତେଗୁଡ଼ାଏ ବାଟ ପଡ଼ିଛି ବୋଲି ଭୟ କଲେ ଅଥବା କୁଣ୍ଠାଗ୍ରସ୍ତ ହେଲେ ପ୍ରବନ୍ଧ ଲେଖିହୁଏ ନାହିଁ । ସାହିତ୍ୟର ଶ୍ରଦ୍ଧାଙ୍ଗନ ମଧ୍ୟକୁ ପ୍ରବନ୍ଧର ଆଗମନ ଘଟିବା ପରେ ଯାଇ ଆମ ପୃଥ୍ଵୀଜ୍ଞାନର କେତେକେତେ ଅଭିନବ କ୍ଷେତ୍ର ସାହିତ୍ୟ ଭିତରେ ଆସି ପ୍ରବେଶ କରିଛି । ବିଜ୍ଞାନ, ସମାଜବିଜ୍ଞାନ, ଅର୍ଥନୀତି, ରାଜନୀତି, କୃଷିବିଦ୍ୟାଠାରୁ ଆରମ୍ଭ କରି ଅନ୍ତରୀକ୍ଷ ସମ୍ବନ୍ଧରେ ଯାବତୀୟ ବିଜ୍ଞାନାନୁମାନ, ଚିକିତ୍ସାଶାସ୍ତ୍ର, ମନୁଷ୍ୟ ଜୀବନର ନାନାବିଧ ସ୍ଵଭାବ, ବିକୃତି ଏବଂ ବିଚ୍ୟୁତି– ଏହି ସବୁକିଛି କ୍ରମେ ସାହିତ୍ୟର ଅନ୍ତର୍ଭୁକ୍ତ ହୋଇ ଆସିଲାଣି । ଇତିହାସକୁ କେହି ଅତୀତର ସମାଜବିଜ୍ଞାନ ବୋଲି କହିଲେଣି । ସମାଜ ବିଜ୍ଞାନକୁ ମଧ୍ୟ ବର୍ତ୍ତମାନର ଇତିହାସ ବୋଲି କହିଲେଣି । ଏକାବେଳକେ ବହୁ ବାତାୟନ ଦେଇ ଜୀବନକୁ ଦେଖିବା – ସତ୍ୟର ଯାବତୀୟ ଅନେଷ୍ଵଣରେ ସତେଅବା ଏକ ସର୍ବପ୍ରଥମ ଶୃଙ୍ଖଳା ରୂପେ ଅନେକାନ୍ତବାଦକୁ ସ୍ଵୀକାର କରିବା – ଏହି ଆହ୍ଵାନଟି ହିଁ ଆଧୁନିକ ମନୁଷ୍ୟକୁ କ୍ରମେ ଅଧିକରୁ ଅଧିକ ଅର୍ଥରେ ଆଧୁନିକ କରି ଆଣୁଛି ଏବଂ ସେହି ପ୍ରକ୍ରିୟାରେ ପ୍ରବନ୍ଧ ହିଁ ସମ୍ଭବତଃ ସାହିତ୍ୟ ଲାଗି ଜଣେ ସଦ୍‍ବନ୍ଧୁ ପରି କାର୍ଯ୍ୟ କରୁଛି ।

 

ପ୍ରବନ୍ଧର ପଣ୍ୟଭୂମିଗୁଡ଼ିକ ମଧ୍ୟରୁ ଯଦି ଆମେ ତଥାପି ସବାଆଗରେ ଦିଶି ଯାଉଥିବା ପ୍ରଥମ ଦୁଇଟି ଭୂମିକୁ ଚିହ୍ନଟ କରିବା ସକାଶେ ଇଚ୍ଛାକରିବା, ତେବେ ସେହି ଦୁଇଟିକୁ ଇତିହାସ ଓ ଆମର ସମାଜ ବୋଲି କୁହାଯିବ । ଏହି ଦୁଇଟି ହେଉଛନ୍ତି ଆମକୁ ତିଆରି କରି ଆଣିଥିବା ଓ ଏକ ସ୍ଵତନ୍ତ୍ର ପରିଚୟରେ ଚିହ୍ନଟ କରାଇପାରିଥିବା ଦୁଇଟି ଭୂମି । ଆମେ ସେହି ଦୁଇଟି ଉପରେ ଛିଡ଼ା ହୋଇଛୁ । ଆମେ ଜାଣୁ ବା ନଜାଣୁ, ଅବଶ୍ୟ ଛିଡ଼ା ହୋଇଛୁ । ସମାଜରେ ବାସ କରୁଥିବା ଅଧିକାଂଶ ମନୁଷ୍ୟ ସେହି କାରଣରୁ ହିଁ ପରସ୍ପରର ସଜାତୀୟ ହୋଇ ରହିଥିବା ପରି ବାସ କରୁଛନ୍ତି-। ଆମର ସମାଜ ଦୀର୍ଘକାଳ ଧରି କେତୋଟି ମୂଲ୍ୟ ପରିଧିକୁ ନିଜର ବୋଲି ଗ୍ରହଣ କରିନେଇଛି ଓ ଆଉ କେତୋଟିକୁ ହୁଏତ ପରିହାର ମଧ୍ୟ କରିଛି । ବିଭିନ୍ନ ସମାଜରେ ସେହି ପ୍ରକ୍ରିୟାଟି ଆପଣାକୁ ବିଭିନ୍ନ ପ୍ରକାରେ କ୍ରିୟାଶୀଳ କରିଛି । କେତୋଟି ବୃତ୍ତି ବା ପ୍ରବୃତ୍ତିକୁ ମୁଖ୍ୟ ବା ଅସଲ ବୋଲି ମାନିଛି ଓ ଆଉ କେତୋଟିକୁ ଗୌଣ ବୋଲି ଘୋଷଣା କରିଛି ଏବଂ ସେହି ଅନୁସାରେ ପ୍ରତ୍ୟେକ ସମାଜରେ ଭଲ, ମନ୍ଦ, ଉଚିତ, ଅନୁଚିତ, ଧର୍ମ ଓ ଅଧର୍ମର ବିଶେଷ ନିର୍ଦ୍ଧାରଣମାନ କରାଯାଇଛି-। ଅଧିକାଂଶ ସ୍ଥଳରେ ନୈତିକତା ନାମକ ଦ୍ରବ୍ୟଟି ପ୍ରାୟ ସେଇଥିରୁ ହିଁ ଜନ୍ମଲାଭ କରିଛି । ଗୋଟିକୁ ଦେବଗୁଣ ବୋଲି କହି ପ୍ରଶଂସା କରାଯାଇଛି ଓ ଆଉ ଗୋଟିକୁ ଅବଗୁଣ କହି ବର୍ଜନ କରିବାର ପରାମର୍ଶ ଦିଆଯାଇଛି । ଆମ ଇତିହାସ ତଥା ଆମର ସମାଚ୍ଚ ଆମର ଶୁଭଚିନ୍ତକ ଭାବରେ ଆମ ପାଇଁ କେତୋଟି ଗୁଳାର ବନ୍ଦୋବସ୍ତ କରି ଦେଇଛି । ଅଧିକାଂଶ ମଣିଷ ସେହି ଗୁଳାଗୁଡ଼ିକୁ ଅନୁସରି ବାଟ ଚାଲୁଛନ୍ତି । ଯେଉଁମାନେ ତାହା ପାରୁନାହାନ୍ତି, ସେମାନେ ଗଞ୍ଜଣା ସହୁଛନ୍ତି ଓ ନାନା ତାଡ଼ନାର ଶରବ୍ୟ ହେଉଛନ୍ତି । ତଥାପି ତିଷ୍ଠିଯାଇ ପାରିଲେ ସେମାନେ ନୂଆ ରାସ୍ତାମାନ ବାହାର କରୁଛନ୍ତି ଏବଂ ବହୁ ପରିବର୍ତ୍ତନର କାରଣ ହେଉଛନ୍ତି । ଏହାଦ୍ଵାରା ମନୁଷ୍ୟଗୋଷ୍ଠୀ ବହୁ ବହୁ ସ୍ଥାଣୁତାରୁ ରକ୍ଷାପାଇ ପାରୁଛି । ଏବେ ପଣ୍ଡିତମାନେ ସମାଜ ସହିତ ସଂସ୍କୃତି ବୋଲି ଆଉ ଗୋଟିଏ କଥାକୁ ମଧ୍ୟ ଯୋଡ଼ୁଛନ୍ତି । ସମାଜ ପରି ଏହି ସଂସ୍କୃତି ସହିତ ମଧ୍ୟ ଅନେକ ଛଦ୍ରମଭରା ଭାବପ୍ରବଣତାକୁ ଆଣି ଲେଶି ଦିଆଗଲାଣି । ନିଜର ସମାଜକୁ ସିଧା ଅନାଇବା ପାଇଁ ଇଚ୍ଛା ନ କରୁଥିଲେ ହିଁ ଅନେକ ମଣିଷ ଆମ ସମାଜ ବୋଲି କହନ୍ତି । ନିଜ ଦେଶ ଆଡ଼କୁ ସିଧା ନ ଅନାଇବା ନିମନ୍ତେ ସତେଅବା ଆଗରୁ ପଣ କରିଥିବା ପରି ମନୁଷ୍ୟମାନେ ମୋ ଦେଶ ବା ଆମ ଦେଶ ବୋଲି କାମୁକତାଭରା ସମ୍ବୋଧନଗୁଡ଼ିକୁ ଆବିଷ୍କାର କରି ବାହାରନ୍ତି ଏବଂ ଏହିପରି ଏକ ମୁଗ୍ଧ ନ୍ୟାୟରେ ଦେଶକୁ ପବିତ୍ର ବୋଲି କୁହାଯାଏ– ଏବଂ ସେହିପରି ଏକ ଭାବଗଣିତର ପଣିକିଆ ଅନୁସାରେ ଭଗବାନଙ୍କୁ ମଧ୍ୟ ତଳକୁ ଓଟାରି ଆଣି ଦେଶ ଓ ଜାତିର ଖୁଣ୍ଟରେ ବାନ୍ଧି ଦିଆଯାଏ-। ଠିକ୍‌ ସେହିପରି ସଂସ୍କୃତିନାମକ କଥାଟିକୁ ନେଇ ବି ମଣିଷମାନେ କମ୍‌ ବିହ୍ଵଳତା ପ୍ରକଟ କରନ୍ତି ନାହିଁ । ସେହି ବିହ୍ଵଳତାଗୁଡ଼ିକ ଆମକୁ ଭାରି ଅଣଆୟତ୍ତ କରି ମାଡ଼ି ବସିଥିବା ପର୍ଯ୍ୟନ୍ତ ବହୁ ବର୍ବରତାକୁ ମଧ୍ୟ ଆମ ସଂସ୍କୃତିର ସନ୍ତକ ରୂପେ ଦେଖାଇ ହେବାରେ ଲାଗିଥାଉ । ସେହି ବର୍ବରତା ଆମ ସାହିତ୍ୟ ଭିତରକୁ ମାଡ଼ି ଆସି ଆମକୁ ଯେ କେଉଁ ଖଞ୍ଜରେ ଅକ୍ତିଆର କରିନିଏ, ସେକଥା ଆମ ଭିତରର ବିଜ୍ଞ ଲୋକମାନେ ମଧ୍ୟ ମୋଟେ ଜାଣିପାରନ୍ତି ନାହିଁ । ଭେଳା ବୁଡ଼ିବାବେଳକୁ ହୁଏତ ଜ୍ଞାନ ଆସେ ଓ ସେତେବେଳେ ମୋଟେ ବେଳ ନଥାଏ । ପ୍ରବନ୍ଧ ଏହି ବିଷୟରେ ଅବଶ୍ୟ ଅବହିତ ହେଉଥିବ । ସାବଧାନ ବି ହେଉଥିବ, ତେଣୁ ଖାଲି ତଥାକଥିତ ନିଜର ସମାଜ, ନିଜର ସଂସ୍କୃତି ଓ ନିଜର ସନ୍ତକଗୁଡ଼ିକୁ ସଂସାରର ସର୍ବସାର ବୋଲି ଦେଖାଇଦେଲେ ବା ଦେଖାଇ ହେଲେ ମୋଟେ କାମ ଚଳିବ ନାହିଁ ଓ ମୋଟେ ଅସଲ କର୍ତ୍ତବ୍ୟଟି ସମ୍ପନ୍ନ ହେବ ନାହିଁ । କବିତା, ଗପ, ଉପନ୍ୟାସ ଏବଂ ନାଟକ ଯେତେବେଳେ ଏଇଯାଏ ଆସି ରହିଯାଏ ଏଚଂ ନିଜେ. ଲୋସଡ଼ାଇ ପଡ଼ିଲା ବୋଲି ଆମ ସମସ୍ତଙ୍କୁ ମଧ୍ୟ ଲୋଡ଼ାଯାଇ ପକାଇବା ସକାଶେ ବରାଦ କରୁଥାଏ, ସେତେବେଳେ ପ୍ରବନ୍ଧ ଭାରି ସାବଧାନ ରହିବ । ଏକାବେଳେ ଅନ୍ୟ ଆଖିରେ, ଅର୍ଥାତ୍ ଅନ୍ୟ ବିବେକରେ ସମାଜକୁ, ସଂସ୍କୃତିକୁ ଓ ମନୁଷ୍ୟର ସାମୂହିକ ନିୟତିଟିକୁ ଦେଖିପାରିବା ଲାଗି ଚେଷ୍ଟା କରିବ । ଗୋଠ ସହିତ ଖଣ୍ଡିଆ ବନି ମାତିଯିବା ଲାଗି ମୋଟେ ମନକରିବ ନାହିଁ ।

 

ସମାଜ କହିଲେ ଯିଏ ଖାଲି ନିଜ ସାମାଜିକ ଗୁମ୍ଫାଟିର ସାମୂହିକ ବାଡ଼ଗୁଡ଼ିକୁ ହିଁ ଦେଖୁଥାଏ, ସଂସ୍କୃତି କହିଲେ କେବଳ ନିଜ ଚଳଣିର ଛାଞ୍ଚଗୁଡ଼ିକୁ ଦେଖେ, ସିଏ ଭାରି ଖଣ୍ତିଆ କରି ଦେଖେ ଏବଂ ଭାରି ଏକଆଖିଆ ହୋଇ ରହିଥାଏ । ତେଣୁ, ଅନେକ ସମାଜର ପରିପ୍ରେକ୍ଷୀରେ ହିଁ ନିଜର ସମାଜଟିକୁ ଦେଖି ପାରିବାକୁ ହୁଏ । ଭୂମାର କଷଟି ଉପରେ ନିଜର ଚିହ୍ନା ବୃତ୍ତଟିକୁ ପରଖି ନ ପାରିଲେ ଜୀବନର ଅସଲ ପରିଚୟ ଗୁଡ଼ିକର କ୍ଷେତ୍ରରେ ସଚରାଚର ଭାରି ଅପଦସ୍ଥ ହେବାକୁ ପଡ଼େ । ଅନେକ ଖଣ୍ଡିଆ ମଣିଷ ଅଛନ୍ତି, ଯେଉଁମାନେ କି ନିଜର ତଥାକଥିତ ଧର୍ମକୁ ନେଇ ମଧ୍ୟ ଭାରି ଅପ୍ରସ୍ତୁତ ହୋଇ ରହିଥାନ୍ତି । ନିଜର ସନ୍ତକ, ଅଭ୍ୟାସ ଏବଂ ଆଚାରଗୁଡ଼ାକୁ ଧର୍ମ ବୋଲି କହନ୍ତି ଏବଂ ତାହାରି ଭିତରେ ଭାରି ମୁହଁ ମାଡ଼ି ପଡ଼ି ରହିଥାନ୍ତି । ଅଭିଶାପ ପାଇଥିବା ପରି ଏହି ପୃଥି‌ବୀକୁ ସେମାନେ ଭାରି ଉପଦ୍ରବପୂର୍ଣ୍ଣ କରି ରଖିଥାନ୍ତି । ଏହି ଲୋକମାନେ ସାହିତ୍ୟ ଭିତରକୁ ମଧ୍ୟ ବହୁ ପୌତ୍ତଳିକତା’ର ଆବର୍ଜନାକୁ ଆଣି ପୂରାଇ ଦିଅନ୍ତି । ପୃଥିବୀରେ ଧର୍ମଗୁଡ଼ିକ ନିମିତ୍ତ କରି ଲେଖାଯାଇଥିବା ଭରଣ ଭରଣ ସାହିତ୍ୟ ଯେ ପୃଥିବୀ ଲାଗି ବହୁ ଅଧର୍ମର କାରଣ ହୋଇଛି, ଉପଦ୍ରବୀମାନେ ସମ୍ଭବତଃ ସେହି ବିଷୟରେ କୌଣସି ଚିନ୍ତା ମଧ୍ୟ କରିପାରିବେ ନାହିଁ । ଏବେ ମଧ୍ୟ ବହୁ ପଣ୍ଡିତ ଧର୍ମଭାବନା ଓ ଧର୍ମବିଚରଣାର ପ୍ରାୟ ସେହି ସ୍ତରରେ ସାତଶହ ଗଣ୍ଠିରେ ବନ୍ଧା ହୋଇ ପଡ଼ି ରହିଛନ୍ତି । ସେମାନେ ଆମ ସମସ୍ତଙ୍କୁ ବାଟ ଓଗାଳି ଛିଡ଼ା ହୋଇଛନ୍ତି । କିଏ ସବାବଡ଼ ଠାକୁରଙ୍କୁ ଓଡ଼ିଶା ଭିତରେ କିଳିରଖିଛି ତ ଆଉ କିଏ ଭାରତବର୍ଷ ନାମକ ଭାଡ଼ିଟା ଭିତରେ ବାନ୍ଧି ରହିଛି । ଧର୍ମ କହିଲେ କିୟତ୍କାଳ ଯାବତ୍ ଚଳି ଆସିଥିବା କେତୋଟା ତୁଚ୍ଛା ଆଚାରକୁ ହିଁ ବୁଝାଉଛି-। ଏଣେ, ଆମ ନିଜ ଗୋଟିଏ ଗାଆଁରେ ମଧ୍ୟ ଛଅଟା ସାହିରେ ମଧ୍ୟ ଛଅ ପ୍ରକାରର ଆଚାର ଚାଲିଛି ଓ ସେହି ଅନୁସାରେ ମଣିଷମାନଙ୍କୁ ଉଚ୍ଚ, ନୀଚ କରି ରଖାଯାଇଛି । ଅସଲ ଧର୍ମ ଯାଇ ଭଟାରେ ପଶିଲାଣି । ଧର୍ମ ପଣ୍ଡିତ ମଣିଷଙ୍କର ଏକ ବିଳାସରେ ପରିଣତ ହେଲାଣି-। ବିଳାସର ନିଶା ଯେତିକି ବଢ଼ୁଛି, ବିଧିଗୁଡ଼ାକର ଜାକଜମକ ମଧ୍ୟ ସେତିକି ବହୁ ବିସ୍ଫାରିତ ହେବାରେ ଲାଗିଛି-। ଅନ୍ୟାୟର ସନ୍ତକ ରୂପେ ରାବଣର ଏକ କଉତୁକିଆ ଭୂତମୂର୍ତ୍ତି ଦେହରେ ନିଆଁ ଲଗାଇ ଦିଆଯାଉଛି ଓ ତାହାକୁ ହିଁ ଅନ୍ଧାର ଉପରେ ଆଲୋକର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ବୋଲି କୁହାଯାଉଛି । ମଣିଷମାନେ ଏକାନ୍ତ ନିଷ୍ଠାର ସହିତ ବୋକା ବନିବାକୁ ରାଜି ହେଉ ନଥିଲେ ଆମ ସାମୂହିକ ଜୀବନର ଅଗଣାଟାରେ ଏହି ପ୍ରହସନଟାକୁ କରିବା ଆଦୌ ସମ୍ଭବ ହୁଅନ୍ତା ନାହିଁ-। ଯେଉଁ ଦର୍ପୀମାନେ ଦିବାଲୋକରେ ଆମ ଭାଗ୍ୟ ନିର୍ଦ୍ଧାରଣର ସାହିଗୁଡ଼ାକରେ ମତ୍ତ ହୋଇ ବୁଲି ଆମ ଜୀବନବଗିଚାର ନାନାବିଧ ପ୍ରତିଶ୍ରୁତିରୂପୀ ବୃକ୍ଷମାନଙ୍କର କଅଁଳ କୁଆଁଗୁଡ଼ିକୁ ଟୁଙ୍କି ଖାଇଦେବାରେ ଲାଗିଛନ୍ତି ସେହିମାନେ ହିଁ ଆମ ଅନ୍ଧାରପୋଡ଼ିରେ ପୁରୋଧା ହୋଇ ଆସୁଛନ୍ତି ଏବଂ ତାହାକୁ ଏକ ସାଂସ୍କୃତିକ ମହାକାର୍ଯ୍ୟ ବୋଲି ଜାଣିବାକୁ ଆମକୁ ଫୁସୁଲାଇବାରେ ଲାଗିଛନ୍ତି-। ତାମସା ବାହାର କରି ଧର୍ମସଭାମାନଙ୍କରେ ସମନ୍ଵୟର କଥା ମଧ୍ୟ କମ୍‌ କୁହାଯାଉନାହିଁ । ଭିନ୍ନ ଭିନ୍ନ ବିଧି ଓ ଚଳଣିକୁ ଏକାଠି କରି ଗୋଟାଏ ଖେଚେଡ଼ି କରି ଥୋଇଦେଲେ ଯଦି ତାହା ଗୋଟାଏ ସମନ୍ଵୟ ହୋଇ ଯାଉଥାନ୍ତା, ତେବେ ତଦ୍ଵାରା ଏହି ପୃଥି‌ବୀରେ ଅଧ୍ୟାତ୍ମର ହିଁ ସବୁଠାରୁ ଅଧିକ ଅବମାନନା କରାଯାଆନ୍ତା । ଏହିଭଳି ଅବମାନନାର ଏକ ନିଦର୍ଶନରୂପେ ସମ୍ଭବତଃ ଓଡ଼ିଶାରେ ଏକାଧି‌କ ଅବସରରେ ଜଗନ୍ନାଥଙ୍କୁ ସମନ୍ଵୟର ଏକ ଦୃଷ୍ଟାନ୍ତ ବୋଲି କୁହାଯାଇଥାଏ କି ?

 

ଜଗନ୍ନାଥଙ୍କୁ ସାମଗ୍ରୀକ ରୂପେ ବ୍ୟବହାର କରି ଓଡ଼ିଆରେ କେତେ ଜଣାଣ, ଭଜନ, ଗପ, ଉପନ୍ୟାସ ଏବଂ ନାଟକ ଲେଖାଯାଇଛି । ଏବେ ତ ସେହି ନହସରେ ପ୍ରାୟ ସେତିକି ଓଳମରେ ପ୍ରବନ୍ଧ ମଧ୍ୟ ଲେଖାଗଲାଣି । ଏହି ସବୁକିଛି ଦ୍ଵାରା ଜଗନ୍ନାଥ ନାମକ ସତ୍ୟୋପଲବ୍ଧଟିକୁ ସତେଅବା ପହଡ଼ ପକାଇ ରଖି ଦିଆଯାଇଛି । ଅସଲ ପ୍ରବନ୍ଧ ପହଡ଼ ପଡ଼ିଛି ବୋଲି ଦେଖି ମୋଟେ ଫେରି ଯିବ ନାହିଁ । ରଥର ସବା ଆଗରେ ବସି ଦାଣ୍ଡ କମ୍ପାଉଥିବା ଡାହୁକମାନଙ୍କୁ ଆମର ବୋଲି କହିବ ନାହିଁ । ଏହି ଜାତିର ବୋଲି ବି କହିବ ନାହିଁ । ଉନ୍ମୋଚନକାରୀ କୌଣସି ସତ୍ୟକୁ ଯେତେବେଳେ ଗୋଟାଏ ଜାତିର ବା ଅଞ୍ଚଳର ସମ୍ପତ୍ତି କରି ରଖାଯାଏ, ସେତେବେଳେ ଲବଣର ଲବଣତ୍ତ୍ଵକୁ ନଷ୍ଟ କରିଦେବା ହିଁ ସାର ହୁଏ, ସେତେବେଳେ ଅଧ୍ୟାତ୍ମ ଉପରେ ଏବଂ ଯାବତୀୟ ଆତ୍ମପରିଚୟର କ୍ଷେତ୍ରରେ ଅନାଚାର ହିଁ କରାଯାଏ । ପ୍ରବନ୍ଧ ଡାହୁକମାନଙ୍କୁ ଡେଇଁ ଆହୁରି ସେପାଖକୁ ଯିବା ନିମନ୍ତେ ବାସନା ରଖିଥିବ । ସିଏ ଓଡ଼ିଶାର ସନ୍ଥମାନଙ୍କୁ ଲୋଡ଼ିବ, ଭୀମଭୋଇଙ୍କ ପାଖରେ ମଧ୍ୟ ଘଡ଼ିଏ ଯାଇ ବସିବ । ମହାନିତ୍ୟପୁରରେ ଦେବତାମାନଙ୍କର ଗହଳିକୁ ଡେଇଁ ଆଦିଦେବଙ୍କୁ ଘ୍ରାଣ କରି ପାରୁଥିବ । ତା' ନହେଲେ ଲଟା ଭିତରେ ଛନ୍ଦି ହୋଇଯିବ, ଅଫିମ ଖାଇ ଅଟକିଯିବ । ବଜାର ଭିତରୁ ବାଛି ଜାଣିବ ଏବଂ ସୋପାନ ସୋପାନ ଉଠିଯାଇ ପାରିଲେ ଅସଲ ସାକ୍ଷାତକାରଟି ଯେ ନିଜର ବେଢ଼ାଟି ଭିତରେ ମଧ୍ୟ ବାଟ ଚାହିଁ ବସିଛି, ସିଏ 'ବ୍ରହ୍ମାଣ୍ଡ ଭୂଗୋଳ'ର ସେହି ବାର୍ତ୍ତାଟିକୁ ସତକୁସତ ଅଙ୍ଗେ ନିଭାଇବ । ଦୃଷ୍ଟି ସୁସ୍ଥ ହେଲେ ତାହା ଯେ ନିଜର ସାନ ବେଢ଼ାଟିକୁ ତେଇଁ ପୃଥିବୀ ତମାମ ସବୁ ବେଢ଼ାର ଭାଜନ ହୋଇପାରିବା ଲାଗି ପ୍ରୟାସ କରୁଥାଏ ଓ କଦାପି ଆଦୌ କୌଣସି କୋପନା ଯୁକ୍ତ ଉଲ୍ଲାସରେ ପୃଥିବୀତମାମକୁ ନିଜ ବେଢ଼ାଟା ଭିତରକୁ ଘିଚି ଆଣି ଚୋରଗଣେଶ କରି ରଖେ ନାହିଁ, ପ୍ରବନ୍ଧ ଯାବତୀୟ ଧର୍ମାଲୋଚନାରେ ସେହି ସୂତ୍ରଟିକୁ ମନେ ରଖିଥିବ । ତେବେ ଯାଇ ଧାନ ଆଉ ଅଗାଡ଼ିକୁ ଅଲଗା ଅଲଗା କରି ଦେଖିବା ସମ୍ଭବ ହେବ । ଗୋଟିଏ ବେଢ଼ା ଭିତରେ ପୃଥିବୀର ସବୁ ବେଢ଼ା ଦେଖି ହେଉଥିବ । ନିଜକୁ ସ୍ପର୍ଶ କରି ପୃଥିବୀଯାକର ସ୍ପର୍ଶଲାଭ ସମ୍ଭବ ହେଉଥିବ । ସିଧା ଦେଖିବା, ସମଗ୍ର ଭାବରେ ଦେଖିବା, ମୋହମୁକ୍ତ ଅର୍ଥାତ୍‍ ଶ୍ରଦ୍ଧାଯୁକ୍ତ ହୋଇ ଦେଖିବା, ସାମ୍ପ୍ରତିକ ଜ୍ଞାନମୀମାଂସାରେ ସତେଯେପରି ଏହା ହିଁ କ୍ରମେ ବିଶ୍ଵମନୁଷ୍ୟ ଲାଗି ଯାବତୀୟ ମାର୍ଗଯାତ୍ରାରେ ସବାମୂଳ ଶୈଳୀ ଓ ସବାମୂଳ ଶୀଳରେ ପରିଣତ ହେବାକୁ ଯାଉଛି । ଏଥିରେ ପ୍ରବନ୍ଧ ସହଯୋଗ କରିବ ଏବଂ ସାହିତ୍ୟକୁ ଏକ ମହନୀୟ ଅନ୍ୟ ପ୍ରତିଶ୍ରୁତି ଲାଗି ଯୋଗ୍ୟ କରି ଆଣିବ ।

ପ୍ରତ୍ୟେକ ମନୁଷ୍ୟର ପେଟଟିଏ ଅଛି । ପେଟ ଅଛି, ଅର୍ଥାତ୍ ଭୋକ ଅଛି । ଏକ ଭୌତିକ ଜୀବନ ରହିଛି । ପୃଥିବୀରେ ଏତେ ବୁଦ୍ଧି ଓ ଜ୍ଞାନସମ୍ପଦ ଏବଂ ସମ୍ଭାବନା ଭରି ହୋଇ ରହିଥିବା ସତ୍ତ୍ୱେ ଏଠାରେ କାହିଁକି ଅଧେ ମଣିଷଙ୍କର ପେଟର ଭୋକ ମେଣ୍ଟି ପାରୁନାହିଁ ? ଭୌତିକ ଜୀବନର ଅତ୍ୟାବଶ୍ୟକତାରୁ କାହିଁକି ଏପରି କୋଟି କୋଟି ମଣିଷ ବଞ୍ଚିତ ହୋଇ ରହିଛନ୍ତି ? ଅଳପ ମଣିଷଙ୍କର ସୁଖ କାହିଁକି ବହୁତ ମଣିଷଙ୍କ ନିମନ୍ତେ ଦୁଃଖର କାରଣ ହୋଇଛି ? ଗୋଟିଏ ସମାଜର ଅର୍ଥନୀତି ହିଁ ସେଥିରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନରେ ଯାବତୀୟ ମୀମାଂସାର କାରଣ ହୁଏ ବୋଲି ଯେଉଁ ସିଦ୍ଧାନ୍ତଟି ରହିଛି, ସେଇଟି ବିଷୟରେ ଦୀର୍ଘସମୟ ଧରି ବହୁ ପ୍ରକାର ବିତର୍କ ଲାଗି ରହିଛି । ତର୍କ ଏବେ ମଧ୍ୟ ଛାଡ଼ି ପାରୁନାହିଁ । କାରଣ ସିଦ୍ଧାନ୍ତ ତ ସତ ନୁହେଁ ବୋଲି ଯେଉଁମାନେ ମତ ଦେଉଛନ୍ତି ଏବଂ ମନୁଷ୍ୟର ଜୀବନରେ ସୌନ୍ଦର୍ଯ୍ୟ କଳା ସୃଷ୍ଟି, ସାହିତ୍ୟ ଓ ସଂସ୍କୃତି ପ୍ରଭୃତି ଅସଲ ଉପଲବ୍ଧିର ଅଧିକ ମୂଲ୍ୟ ରହିଛି ବୋଲି ଯୁକ୍ତି କରୁଛନ୍ତି, ସେମାନେ ପେଟ ପୂରୁଥିବା ପକ୍ଷଟିରେ ରହିଛନ୍ତି । ପେଟ ପୂରୁ ନଥିବା ପକ୍ଷଟି ହିଁ ପେଟ ସବାଆଗ ବୋଲି ଅଭିଯୋଗ କରିବାରେ ଲାଗିଛି । ହୃଦୟ କହୁଛି ଯେ, ଯାହା ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ପାଦ ପକାଏ କିମ୍ବା ସୋପାନଟିଏ ଉଠେ, ତାହା ହିଁ ଅସଲ ସୁଖ, ଅସଲ ସଂସ୍କୃତି ଏବଂ ଅସଲ ପ୍ରାପ୍ତି । ସାହିତ୍ୟ ଜୀବନର ଅର୍ଥାତ୍‌ ସାର୍ବଜନିକ ସମ୍ଭାବନାର ସେହି ଅର୍ଥନୈତିକ ଦିଗଟିକୁ କଦାପି ଏଡ଼ି ଚାଲିଯାଇ ପାରିବ ନାହିଁ । ହଁ, ଜାଣି ଜାଣି ଆଖିବୁଜି ଦେଇପାରିବ ଅଥବା ମତଲବୀଙ୍କ ପରି ଜାଣିଶୁଣି ଉଦାସୀନ ହୋଇ ରହିବ ଅଥବା ଉପେକ୍ଷା କରୁଥିବ ସିନା, ମାତ୍ର ସେପରି କଲେ ସ୍ଵୟଂ ଖଣ୍ଡିଆ ହୋଇ ରହିଯିବ, ଅତ୍ୟଧିକ ପରିମାଣରେ ବୌଦ୍ଧିକ ଓ ନିର୍ମମ ହେବ, ବହୁ ବିକୃତି ଦ୍ଵାରା ଆକ୍ରାନ୍ତ ହୋଇ ରହିଥିବ । ଏକଦା ପୃଥ୍ଵୀ-ସାହିତ୍ୟରେ ଆମ ବୋଧର କୌଣସି ଗଭୀର ଚଳରେ ରହିଥିବା ହୃଦୟର ଉଚ୍ଚାଟନାଟିକୁ ଜବାବ ଦେଇ ସାହିତ୍ୟରେ ବାସ୍ତବବାଦ ବୋଲି ଯେଉଁ ପ୍ରବୃତ୍ତିଟି ଜନ୍ମଲାଭ କରିଥିଲା, ତାହା ପୂର୍ବତନ ପରମ୍ପରାର ରାଜା ଓ ରାଣୀମାନଙ୍କୁ ଛାଡ଼ି ସାଧାରଣ ମଣିଷମାନଙ୍କ ଆଡ଼କୁ ପ୍ରସାରିତ ହୋଇଗଲା, ସାହିତ୍ୟ ଭିତରେ ନୂଆ ନୂଆ ବାସନାକୁ ଜନ୍ମ ଦେଲା-। ନୂଆ ନୂଆ ପରିଚ୍ଛଦ ବି ପିନ୍ଧାଇ ପାରିଲା । ଭାରତବର୍ଷ ପରି ଦେଶମାନଙ୍କରେ, ଯେଉଁଠାରେ ସୁଖ ଓ ସୁଯୋଗ କହିଲେ ତଥାପି କେତେକଙ୍କର ଭାଗ୍ୟବିଳାସକୁ ବୁଝାଉଥିଲା ଏବଂ ବୁଝାଉଛି, ସେଠାରେ ପରମ୍ପରା ନାଆଁରେ ମାତ୍ର ଅଳପ ମଣିଷ ହିଁ ସାହିତ୍ୟରେ ବିହାର କରିବାର ଅଧିକାରକୁ ନିଜ ହାତରେ ରଖିଲେ । ସମ୍ବେଦନଶୀଳତାକୁ ଏକ ବାବାଜିଆ ଅର୍ଥରେ ବଖାଣିଲେ ଏବଂ ସାମୂହିକ ଜୀବନର ଆକାଶଗୁଡ଼ିକୁ ଭାରି ଅଧିକାରପ୍ରମତ୍ତ କରି ରଖିଲେ । ଏଠି ଆଧୁନିକ ଯୁଗରେ ସାହିତ୍ୟରେ କୁହାଯାଉଥିବା ଅଧିକାଂଶ କଥା ସତେଅବା ଏକ ହୃଦୟହୀନ କଳାବିଳାସକୁ ହିଁ ପ୍ରାୟ କର୍ତ୍ତବ୍ୟ କଲାପରି ଖୋରାକ ଯୋଗାଇ ଆସୁଛି । ପ୍ରାୟ ଧର୍ମତଃ ଦ୍ଵୀପମତି ହୋଇରହିଛି, ଅପଣାକୁ ବିବିଧ କ୍ଷୟକାରୀ କୁଣ୍ଠା ଦ୍ଵାରା କ୍ଷୁଦ୍ର ଓ ଅଳ୍ପ କରି ରଖୁଛି । ଏଠି ସତେଅବା ଲୁଚିକରି ଯାହାକିଛି ସାହିତ୍ୟ ହେଉଛି; ନିଜ ଘରଠାରୁ ଲୁଚି, ପଳାଇ ଆଗର ସାମନ୍ତମାନେ ଯେପରି ବାରନାରୀର ଆସରରେ ଅସଲ ଆନନ୍ଦ ଓ ଅସଲ ମୁକ୍ତିର ଚାକୁଳି କରିଦାକୁ ଚାଲି ଯାଉଥିଲେ, ବେଳେ ବେଳେ ଭାରି ସେହିପରି ମନେହେଉଛି ।

ଆମ ସାହିତ୍ୟର ବରିଷ୍ଠ କବି, ଗଳ୍ପକାର ଏବଂ ଔପନ୍ୟାସିକମାନେ ଅନେକ ସମୟରେ ବୁଲାଇ ବଙ୍କାଇ ସାହିତ୍ୟ ଏପରି ବା ଏପରି ହେବା ଉଚିତ ବୋଲି ଯେତେବେଳେ ବ୍ୟାଖ୍ୟାମାନ ଦେଉଛନ୍ତି, ସେତେବେଳେ ସେମାନେ ସତେଅବା ସେହିପରି କୌଣସି ବାରନାରୀ-ବିଳାସ ବିଷୟରେ ହାଇଁପାଇଁ ହେଉଛନ୍ତି କି ? ନିଜ ଜୀବନର ଶୃଙ୍ଗାରିକ ପ୍ରସ୍ଥଗୁଡ଼ିକରେ କୌଣସି ରୋଗ ବା ରୁଗ୍ମତା ରହିଥିଲେ ଜଣେ ସାହିତ୍ୟିକ ସବୁ ମଣିଷଙ୍କୁ ବାଦଦେଇ କେବଳ କେତେକଙ୍କୁ ନେଇ ଫେଣେଇ ହୁଏ ଏବଂ ସେହିପରି ଫେଣେଇ ହେବାଦ୍ଵାରା ହିଁ ନୂଆ ଶୈଳୀ, ନୂଆ ବାଗ ଓ ନୂଆ ଅବାଗମାନଙ୍କୁ ଆବିଷ୍କାର କରେ । ଜୀବନଟା ଖାଲି ପେଟଦ୍ଵାରା ନିୟନ୍ତ୍ରିତ ହେଉଛି ବୋଲି କହିବା ଯେତିକି ମାରାତ୍ମକ, ଜୀବନଟା ଖାଲି ସୌନ୍ଦର୍ଯ୍ୟ, କଳା ଏବଂ ସେହି ଗୋତ୍ରର କେତେଟା ରୁଚି ବା ସଉକ ଦ୍ଵାରା ନିୟନ୍ତ୍ରିତ ହେଉଛି ବୋଲି କହିବା ମଧ୍ୟ ଠିକ୍‍ ସେହିପରି ମାରାତ୍ମକ । ପରିପୂର୍ଣ୍ଣ ହେବାର ପ୍ରୟାସରେ ପ୍ରଥମ ପାହାଚଟି ହେଉଛି ଦେହ ଏବଂ ଅନ୍ନ । ସେଇଟିକୁ ନିଜ ପାଇଁ ଲୁଟି କରିନେଇ ଅନ୍ୟ ଅନେକଙ୍କୁ ଅକିଞ୍ଚନ ଭାବରେ ପଡ଼ି ରହିବାକୁ ବାଧ୍ୟ କରି ଯିଏ ପଞ୍ଚମାଂଶ ବା ପଞ୍ଚଦଶ ସୋପାନଟାକୁ ମାଡ଼ି ବସି ସୂକ୍ଷ୍ମବୋଧ କିମ୍ବା ଭୋଗଗୁଡ଼ିକର କଥା କହୁଛି, ତାହାକୁ ଆମେ ନୃଶଂସ ବୋଲି କହିବା । ଭାରତବର୍ଷର ଅଧ୍ୟାତ୍ମ ସାଧନାରେ ଅନ୍ନର ଚର୍ଯ୍ୟା ହିଁ ସବପ୍ରଥମ ଚର୍ଯ୍ୟା ହୋଇ ରହିଛି । ଅନ୍ନ ସ୍ତରଟିରେ ସୁସ୍ଥ ସମାଧାନ ବିନା ଯିଏ ଆନନ୍ଦକୁ ଯାଇ ଯାବୁଡ଼ି ଧରୁଛି, ସିଏ ସତ୍ୟର ହାନୀ କରାଉଛି । ମୂଳ ସୋପାନଟି ମୂଳରେ ରହିଛି ବୋଲି ତାହା ବିଶେଷ ଭାବରେ ମହତ୍ତ୍ଵପୂର୍ଣ୍ଣ । ସାହିତ୍ୟର ଆଲୋଚନାରେ ପ୍ରବନ୍ଧ ସେହି କଥାଟିକୁ ଅବଶ୍ୟ ମନେରଖିବ । ସଭ୍ୟତାକୁ ଭୋଜନ କରିବାର ଅତି ଲାଳସା ରଖୁଥିବା ବିଶେଷ କାଟର ମଣିଷମାନେ ହିଁ ନିଜେ ଯେକୌଣସି ପ୍ରକାରେ ତରିଯାଇ ଉପରକୁ ପଳାନ୍ତି ଓ ଅନ୍ୟ ଅନେକଙ୍କୁ ଅସ୍ଵୀକାର କରିବାର ପ୍ରମତ୍ତତାରେ ହିଁ ସାହିତ୍ୟ କରୁଥାନ୍ତି । ବହୁ ବଞ୍ଚନା ଓ ପ୍ରବଞ୍ଚନାରେ ସମାଜରେ ସେମାନେ ସବା ଉପରେ ଥାଆନ୍ତି ଓ ସରସ୍ଵତୀଙ୍କୁ ଲକ୍ଷ୍ମୀ ଠାକୁରାଣୀଙ୍କ ପରି ଭୋଗ କରୁଥାନ୍ତି । ଯାବତୀୟ ସାହିତ୍ୟ-ଦୃଷ୍ଟିର ପଶ୍ଚାତରେ ଯେଉଁ ମେଦିନୀଟି ରହିଛି, ସେଥିରେ ଜଣେ ଲେଖକ ପଛରେ ରହିଯାଇଥିବା ବଞ୍ଚିତ କୋଟି କୋଟି ମଣିଷଙ୍କର ଅସମାହିତ ସେହି ପ୍ରଥମ ପାହାଚଟି ବିଷୟରେ କ’ଣ ଭାବୁଛି ଓ ନ ଭାବୁଛି, ଯାବତୀୟ ମୂଲ୍ୟାୟନରେ ପ୍ରବନ୍ଧ ସେହି କଥାଟିକୁ ଅବଶ୍ୟ ଉଖାରି ଦେଖିବ । ପୃଥିବୀର ସାମାଜିକ, ରାଜନୀତିକ ତଥା ସାଂସ୍କୃତିକ ମାର୍ଗଯାତ୍ରା ଗୁଡ଼ିକରେ ଅର୍ଥନୀତି କିପରି ଏକ ମୂଳ ଭୂମିକା ଗ୍ରହଣ କରିଆସିଛି ଏବଂ ଏବେ ମଧ୍ୟ ମୂଳସ୍ଥ ଆର୍ଥିକ ସ୍ଵାର୍ଥଗୁଡ଼ିକ କିପରି ପୃଥିଵୀରେ ରହିଥିବା ଯୌଥ ବା ଜାତୀୟ ଅନ୍ୟ ସ୍ଵାର୍ଥଗୁଡ଼ିକୁ ନିୟନ୍ତ୍ରିତ କରୁଛି, ଅଣକମ୍ୟୁନିଷ୍ଟ ଆମେରିକାରେ ହିଁ ସେହି ବିଷୟରେ ଅଧିକ ଚିନ୍ତା ପ୍ରକଟ କରାଯାଇଛି । ତେଣୁ, ପ୍ରାବନ୍ଧିକର ପଣ୍ୟଭଣ୍ଡାରରେ ଅର୍ଥନୀତି ଅବଶ୍ୟ ଏକ ବିଚାରଦଣ୍ଡ ହୋଇ ରହିବ । ହାତରେ କୌଣସି ପତାକା ଧରି ନଥିଲେ ଏବଂ ଆଦୌ କୌଣସି ସ୍ଲୋଗାନ୍ ଦେଉନଥିଲେ ମଧ୍ୟ ପ୍ରବନ୍ଧ ଅବଶ୍ୟ ତାହା କରିବ । କାରଣ ଜୀବନର ଏହି ସର୍ବପ୍ରଥମ ମୂଳଟିକୁ ଭୁରୁଡ଼ାଇ ଦେଇ ସାହିତ୍ୟର ଆଦୌ କୌଣସି ମୂଲ୍ୟାୟନ ସମ୍ଭବ ହେବନାହିଁ ।

ପଣ୍ୟବଜାରର ଯେଉଁ ସମ୍ପଦଟି ପ୍ରାବନ୍ଧିକର ବିଶେଷ କାମରେ ଲାଗିବ, ସେଇଟି ହେଉଛି ନୃତତ୍ତ୍ଵ ବିଜ୍ଞାନ । ବିଜ୍ଞାନ-ପରମ୍ପରାରେ ପ୍ରାୟ ଏକାବେଳକେ ଏକ ଆହ୍ଵାନ ରୂପେ ଆସି ଆବିର୍ଭୂତ ହୋଇଥିବା ନୃତତ୍ତ୍ଵବିଜ୍ଞାନ ଆଧୁନିକ ଯାବତୀୟ ସାଂସ୍କୃତିକ ଆକଳନରେ ବହୁତ ନୂତନ ଚକ୍ଷୁ ଯୋଗାଇ ଦେଇଛି । ପୃଥିବୀର ସମୂହମାନେ ଯୁଗେ ଯୁଗେ କେବଳ ନିଜର ସଂସ୍କୃତିଟିକୁ ଜାଣିଥିଲେ । ନିଜଟିକୁ ହିଁ ଶୁଦ୍ଧ, ସମୃଦ୍ଧ ଏବଂ ସନାତନ ବୋଲି ପ୍ରାୟ ଏପରି ବାତୁଳ ଭାବରେ ଧରି ନେଉଥିଲେ ଯେ, କୌଣସି ଅନ୍ୟ କିସମର କିଛି ଦେଖିଲେ ପ୍ରାୟ ଏକ ନୈତିକ ନିଷ୍ଠା ସହିତ ନାସିକା କୁଞ୍ଚନ କରୁଥିଲେ । ମ୍ଲେଚ୍ଛ, ଯବନ ଓ କାଫେର ଆଦି ଅସୂୟାଦ୍ୟୋତକ କଥାଗୁଡ଼ିକ କାଳାନୁକ୍ରମେ ସେହି ମନ୍ଦ ଉତ୍ସାହ ଦ୍ଵାରା ହିଁ ଭାରି ପ୍ରଶ୍ରୟ ଲାଭ କରୁଥିଲା ଓ ପୃଥିବୀର ମନୁଷ୍ୟମାନଙ୍କ ପାଇଁ ଯଥାର୍ଥ ଶ୍ରଦ୍ଧାର ଉନ୍ମୀଳନ ପଥରେ ବାଧକ ହୋଇ ରହିଥିଲା । ଗୋଟାଏ ଗାଆଁ ମଧ୍ୟ ନାନାଦ୍ଵେଷ ତଥା ଦୂରତାକୁ ଧର୍ମପ୍ରାୟ ମଣି ନାନାଭାବେ ବିଭକ୍ତ ଏବଂ ବିବିକ୍ତ ହୋଇ ରହୁଥିଲା । ଯେଉଁ ଶାସ୍ତ୍ରଗୁଡ଼ାକ ଗାଦି ଉପରେ ପୂଜା ପାଉଥିଲେ, ବାସ୍ତବ ସମ୍ବନ୍ଧର ଜୀବନକ୍ଷେତ୍ରରେ ସେଗୁଡ଼ିକ ପାସୋର ହୋଇ ରହିଥିଲା । ଗୋଟିଏ ମଧ୍ୟବର୍ତ୍ତୀ ପର୍ଯ୍ୟାୟ ଆସିଲା, ଯେତେବେଳେ ନିଜର ଦରବଟାକୁ ସବୁଠାରୁ ଅଧିକ ସରସ ଏବଂ ସୁଉଚ୍ଚ କରି ଦେଖାଇବାକୁ କେତେ ମଣିଷ ସତେଅବା ଦୟାକରି ଅନ୍ୟମାନଙ୍କର ଦ୍ରବ୍ୟଗୁଡ଼ିକ ବିଷୟରେ କିଛି ଜ୍ଞାନଲାଭ କରିବାରେ ମନଦେଲେ । ତାହାକୁ ଗାମ୍ଭୀର୍ଯ୍ୟର ସହିତ ସଂସ୍କୃତିର ତୁଳନାତ୍ମକ ଅଧ୍ୟୟନ ବୋଲି କୁହାଯାଉଥିଲା । ଏକଦା ଖ୍ରୀଷ୍ଟିଆନ୍ ମିଶନାରୀମାନେ ଏହି ଅବେଭାରଟାରେ ଅଗ୍ରଗାମୀ ପରି କାର୍ଯ୍ୟ କରିଥିଲେ । ନିଜ ଧର୍ମକୁ ଆଉସବୁ ଧର୍ମଠାରୁ ଅଧିକ ତାରିଫ କରି ଦେଖାଇ ପ୍ରଚାର କରିବାର ପଦ୍ଧତିଟି ପଛରେ ମଧ୍ୟ ସେହି ମଇଳାଟା ରହିଥିବାର ଦୃଷ୍ଟିଗୋଚର ହୋଇଥାଏ । ଇତିହାସରେ ଏହିପରି ନିଜ ମନ୍ଦିରଟିକୁ ତୋଳାଇବା ନିମନ୍ତେ କେତେ କେତେ ମନ୍ଦ ଅଭିଯାନ ଓ ଅଭିପ୍ରାୟ ଦ୍ଵାରା ଅନ୍ୟର ମନ୍ଦିରକୁ ଭାଙ୍ଗି ପକାଇବାର ଫିକର କରାଯାଇଛି । ଏବେ ତ ସେହି ନିଶାଟାକୁ ନେଇ ରାଜନୀତିରେ ପରିଣତ କରାଯାଉଛି । ନୃତତ୍ତ୍ଵ ବିଜ୍ଞାନ ସେହି ମିଛ ମିଥ୍‌ଟା ଉପରେ କଠିନ ଆଘାତ କରିଛି । ମଣିଷର ଆଖିକୁ ସ୍ଵୀକାରଧର୍ମୀ କରିବାରେ ବହୁତ ସାହାଯ୍ୟ କରୁଛି । ଜଣେ ପ୍ରାବନ୍ଧିକ ମଧ୍ୟ ନିଜ ପାଇଁ ସେହି ଆଖିଟିକୁ ଲୋଡ଼ିଯିବା ପାଇଁ ରାଜିହେବ ।

ଏବଂ ସବାଶେଷରେ ମନୋବିଜ୍ଞାନ । ଶ୍ରୀଯୁକ୍ତ ବର୍ଟ୍ରାଣ୍ଡ ରସେଲ ଥରେ ମନୋବିଜ୍ଞାନକୁ ଭବିଷ୍ୟତର ବିଜ୍ଞାନ ବୋଲି କହୁଥିଲେ । ଅର୍ଥାତ୍ ମନୋବିଜ୍ଞାନ ଆଉ ଯାବତୀୟ ଚିଜ୍ଞାନର ନିରୂପଣକାରୀ ଭୂମି ପରି ହୋଇରହିବ । ବ୍ୟକ୍ତିର ସ୍ଵଭାବ ଏବଂ ସେହି ଅନୁସାରେ ତା’ର ସବୁକିଛି ଅଭିବ୍ୟକ୍ତି । ଯାବତୀୟ ଆତ୍ମପ୍ରକାଶ ପଛରେ ଆପଣାକୁ ପ୍ରକାଶ କରୁଥିବା ବ୍ୟକ୍ତିଟି ରହିଥାଏ ଯାହାର କି ନିଜର ନିର୍ମାଣକାରୀ ପ୍ରକ୍ରିୟାର ଏକ ସ୍ଵଭାବ ରହିଥାଏ । ସେହି ସ୍ଵଭାବଟି ଯେ ଏମିତି ନହୋଇ ଏମିତି ହେଉଛି, ତାହାର ଏକ କାରଣ ରହିଥାଏ । ସେହି କାରଣକୁ ସଂପୃକ୍ତ ବ୍ୟକ୍ତିଟି ନ ଜାଣିଥିଲେ ମଧ୍ୟ ତାହା ରହିଥାଏ । ଚେତନ ତଳେ ଏକ ଅବଚେତନ ରହିଥାଏ ଯାହାକି ପ୍ରାୟ ସୂତ୍ରଧର ହୋଇ କାର୍ଯ୍ୟ କରୁଥାଏ । ମନୋବିଜ୍ଞାନ ସେହି ସୂତ୍ରଧରଟିର ତଲାସ କରେ । ସାହିତ୍ୟ-ସୃଜନ ପଛରେ ରହିଥିବା ସୂତ୍ରଧରଟି ପାଖରେ ପହଞ୍ଚିବାକୁ ହେଲେ ଆମକୁ ଯେ କେତେ ସହାନୁଭୂତି ସହିତ ଅଗ୍ରସର ହେବାକୁ ହୋଇଥାଏ, ଯଥାର୍ଥ ଦରଦ ଦେଇ ଜୀବନକୁ, ଜଗତକୁ ଏବଂ ଜଗତବାସୀଙ୍କୁ ବୁଝିବାକୁ ଚେଷ୍ଟା କରୁଥିବା ପ୍ରତ୍ୟେକ ବ୍ୟକ୍ତି ତାହାକୁ ଅବଶ୍ୟ ଅଙ୍ଗେ ନିଭାଇଥିବେ । ନିଜକୁ ମଧ୍ୟ ଉଚିତ ଦରଦ ଦେଇ ବୁଝିବା ମୋଟେ ସହଜ ନୁହେଁ । ଏହି ବୁଝିବାକୁ ଅନେକଙ୍କର କୋକୁଆ ଭୟ ରହିଥାଏ । ନିଜର ମୁଖାଗୁଡ଼ାକୁ ହିଁ ବହୁତ ଲେଖକ ନିଜର ଅସଲ ମୁହଁ ଓ ଅସଲ ରୂପ ବୋଲି ଦେଖାଇବାକୁ ଇଚ୍ଛା କରନ୍ତି । ପୃଥିବୀରେ ଯାଉଣୁ ଆସୁଣୁ ଉପଦେଶ ଦେଉଥିବା ମଣିଷମାନେ ଅଧିକାଂଶତଃ ମୁଖା ପିନ୍ଧିଥାନ୍ତି ଓ ଅନ୍ୟମାନଙ୍କୁ ସେହି ମାର୍ଗରେ ନଚାଇବାକୁ ଭାରି ଭଲପାଆନ୍ତି । ସେମାନେ କେଡ଼େ ସହଜରେ ମଝିରେ ବତାଟାଏ ପକାଇଦେଇ ଏପାଖଟାକୁ ଭଲ ଏଵଂ ସେପାଖଟାକୁ ମନ୍ଦ ବୋଲି କହୁଥାନ୍ତି । ସାହିତ୍ୟରେ ମନୋବିଜ୍ଞାନ ସମ୍ଭବତଃ ସର୍ବପ୍ରଥମେ ଆସି ଏଇଟାକୁ ଅରୀତି ବୋଲି କହିଲା ଓ ଯାହା ଉପରକୁ ଦିଶୁନାହିଁ, ତାହାହିଁ ଆମର ଦିଶୁଥିବା ଭାଗଟିର ଅନୁମନ୍ତା ହୋଇରହିଛି ବୋଲି ଘୋଷଣା କଲା । ଏହାଫଳରେ ଅନେକେ ଅପଦସ୍ଥ ହେଲେ ଓ ବହୁତଙ୍କର ଗଣ୍ଠିଗୁଡ଼ାକ ମଧ୍ୟ ଭାରି ଧରା ପଡ଼ିଗଲା । ସାହିତ୍ୟରେ ଅନେକତଃ ଏହାରି ବଳରେ ହିଁ ଉଚ୍ଛ୍ଵାସ ଏବଂ କଲ୍ଲୋଳର ଯୁଗ ଯାଇ ମନନ, ଅବଗାହନ ଏବଂ ଅନବଗୁଣ୍ଠନର ଯୁଗ ଆସିଲା । ପ୍ରସାଧନର ଯୁଗ ଯାଇ ଉନ୍ମୋଚନର ଆସ୍ପୃହାଟିଏ ଜନ୍ମଲାଭ କଲା । ଏକ ଶୁଭମୁକ୍ତି ଦ୍ଵାରା ସତକୁସତ ସମୀପବର୍ତ୍ତୀ ହେବାର ଅନୁଭବ ହୋଇପାରିଲା ।

ସୁସ୍ଥ ଓ ଅସୁସ୍ଥର ସଂଜ୍ଞା ବଦଳିଗଲା । ହେବା ଓ କହିବା ଭିତରେ ଯେ ବେଳେବେଳେ ଅନେକ ଫାଙ୍କ ରହିଯାଏ, ସେହି କଥାଟିକୁ କ୍ରମେ ସ୍ଵୀକାର କରିଦେଲା । ନହୋଇ ପାରିବାର ଅବଶୋଷଟାକୁ କୌଣସି ପ୍ରକାରେ ଏକ କ୍ଷତିପୂରଣ ଯୋଗାଇ ଦେବାକୁ କେତେକ ମନୁଷ୍ୟ ସାହିତ୍ୟକୁ ଆଶ୍ରା କରିଥାନ୍ତି କି ? ଦେଶ ଓ ବିଦେଶରେ ସାହିତ୍ୟର ଇଲାକାରେ ଯେଉଁସବୁ ବାଦ ଓ ବିବାଦକୁ ନେଇ ଭାରି ଧସ୍ତାଧସ୍ତି ଲାଗିଛି, ସେଇଟିକୁ ହୁଏତ ଏହିପରି ଏକ ଜରିବ ପକାଇ କିଞ୍ଚିତ୍ ଜାଣିହେବ ବୋଲି ଅନ୍ଦାଜ କରି ହେଲା । ପ୍ରବନ୍ଧ ସକାଶେ ପ୍ରକୃତରେ ବହୁତ ପୁଞ୍ଜି ମିଳିଗଲା । ସର୍ଜନାତ୍ମକତାକୁ ଅଧିକ ଗଭୀର ମାପକାଠି ଏବଂ କଷଟିଗୁଡ଼ିକ ଦେଇ ଅନୁମାନ କରିହେଲା । ଆଗେ ସାହିତ୍ୟ ଭିତରେ ସମସ୍ତେ ସତେଅବା ଆଉ କିଛି ଗରଜରେ ପଡ଼ି ହିରୋର ସନ୍ଧାନ କରିବାରେ ଲାଗିଥିଲେ । କାହାକୁ ପ୍ରଶଂସା କରି ଆପେ ପ୍ରଶଂସିତ ହେବାପରି ଅନୁଭବ କରୁଥିଲେ-। ଅଥବା କାହାକୁ ନିନ୍ଦାକରି ଆତ୍ମସାନ୍ତ୍ୱନା ବି ପାଉଥିଲେ । ସାହିତ୍ୟର ଜାତୀୟତାବାଦୀ ଯୁଗରେ ସେହି ରୀତିଟା ବହୁ ପ୍ରକାରର ମିଛ ଗାରିମା ପାଇଁ ଭାରି ସାହାଣ ବି ଯୋଗାଇ ଦେଉଥଲା-। ସାହିତ୍ୟର ବେଢ଼ା ଭିତରେ ମନୋବିଜ୍ଞାନର ପ୍ରବେଶ ଘଟିବା ଫଳରେ ସେସବୁରୁ ପ୍ରବନ୍ଧ ବହୁତ ଲାଭବାନ ହୋଇପାରିଲା । ମନୋବିଜ୍ଞାନର ପ୍ରଥମ କାଳରେ ମଣିଷର ବାନ୍ଦର ପାଖଟାକୁ ଭାରି ଉଜ୍ଜ୍ୱଳ ଓ ଚକ୍‌ଚକ୍ କରି ଦେଖାଇବାର ଯେଉଁଭଳି ସଉକଟିଏ ଲେଖକକୁ କେଡ଼େ ସଲସଲ କରୁଥିଲା, ମନୁଷ୍ୟର ବୃହତ୍‌ ସମ୍ଭାବନାଗୁଡ଼ିକ ବିଷୟରେ ମନୋବିଜ୍ଞାନ କ୍ରମେ ସାବାଳକ ହୋଇ ଆସିବା ସଙ୍ଗେ ସଙ୍ଗେ ସେଇଟିର ବି ଚେତାବନୀ ମିଳିବାକୁ ଆରମ୍ଭ କଲା । କୌଣସି ସାହିତ୍ୟରେ ସମୀକ୍ଷାର କ୍ଷେତ୍ରରେ ଏହି ଦ୍ଵିତୀୟ ଅନୁମାନଟିକୁ କେତେଦୂର ବାଟ ଛାଡ଼ି ଦିଆଯାଇପାରିଛି ବା ପାରୁଛି, ସେଥିରେ ପ୍ରବନ୍ଧକୁ ମଧ୍ୟ ଏକ ନିଜସ୍ଵ ପରିପକ୍ଵତା ଲାଭ କରିବାର ସୁଯୋଗ ଅବଶ୍ୟ ମିଳିଯାଇପାରିବ ।

ଆଧୁନିକ ପୃଥିବୀରେ ପଣ୍ୟର ବଜାରରେ କେତେ କେତେ ପଣ୍ୟ ଭର୍ତ୍ତି ହୋଇରହିଛି । ତେଣୁ ପ୍ରାବନ୍ଧିକକୁ ବାଛିବାକୁ ହିଁ ପଡ଼ିବ । ସିଏ ନିଜର ଆସ୍ପୃହା ଅନୁସାରେ ବାଛିବ । ଶିଖରଯାଏ ପହଞ୍ଚିବା ସକାଶେ ପାହାଡ଼ ଚଢ଼ୁଥୁବା ମଣିଷଟିକୁ ଯେପରି ନିଜର ବାଟଟିଏ ବାଛିବାକୁ ପଡ଼େ, ଇଏ ହେଉଛି ଠିକ୍‌ ସେହିପରି ଗୋଟିଏ କଥା । ସମାଜବିଜ୍ଞାନ, ମନୋବିଜ୍ଞାନ ଅଥବା ନୃତତ୍ତ୍ଵ ବିଜ୍ଞାନରେ ପ୍ରବୀଣ ହୋଇଗଲେ ଯେ ସାହିତ୍ୟରେ ଦିଗ୍‌ବିଜୟୀ ଭଳି ପ୍ରବେଶ କରିବା ସମ୍ଭବ ହୋଇଯିବ ସେକଥା ଆଦୌ ନୁହେଁ । ସବାଆଗ ସାହିତ୍ୟିକ ଦୃଷ୍ଟିଟିଏ ଅବଶ୍ୟ ରହିଥିବ । କାହା ଉପରେ ମାର୍କାଟିଏ ବାଡ଼େଇ ଦେବା ଯଦି ପ୍ରବନ୍ଧନାମକ ଧନ୍ଦାର ଅଭିପ୍ରାୟ ହୋଇଥାଏ, ତେବେ ତାହା ଅବଶ୍ୟ ଅନ୍ୟ କଥା ହେବ । ମାତ୍ର ସେହିପରି ହେଲେ ସେହି ପ୍ରବନ୍ଧ ମାଡ଼ ଖାଇଯିବ ଏବଂ ସେହିଭଳି ପ୍ରବନ୍ଧ ଗୁଡ଼ିକର ମାଧ୍ୟମରେ ସାହିତ୍ୟ ମଧ୍ୟ ମାଡ଼ ଖାଇ ଯାଉଥିବ । ଦିଗଗୁଡ଼ିକୁ ପୂର୍ଣ୍ଣ ସହାନୁଭୂତି ସହିତ ବୁଝିଲେ ଯାଇ ଦିଗ୍-ବିଜୟ ସମ୍ଭବ ହୋଇପାରିବ । ଯେଉଁମାନେ ଖାତାପରେ ଖାତା ଟିପ୍ପଣୀ ଲେଖି ଭର୍ତ୍ତି କରିଦିଅନ୍ତି, ସେମାନେ ମଧ୍ୟ ପ୍ରବନ୍ଧ ଲେଖନ୍ତି ଏବଂ ପ୍ରବନ୍ଧ ଲେଖି‌ବାକୁ ସେମାନଙ୍କୁ କେହି କଦାପି ମନା ବି କରିବ ନାହିଁ । ବଡ଼ ପଣ୍ଡିତମାନେ ଯେ ସବୁଠାରୁ ଭଲ ପ୍ରବନ୍ଧଗୁଡ଼ିକୁ ଲେଖିପାରିବେ, ସେହି ଦାବି ଏପର୍ଯ୍ୟନ୍ତ ପଣ୍ଡିତ ବା ପ୍ରବନ୍ଧକାର କେହି ହେଲେ କରିନାହାନ୍ତି । ଜୀବନକୁ, ମନୁଷ୍ୟକୁ ଏବଂ ଏହି ପୃଥିବୀର ସମ୍ଭାବନାକୁ ଅନ୍ତରଙ୍ଗଭାବେ ବୁଝିବା ଯଦି ସାହିତ୍ୟର କାର୍ଯ୍ୟ ହୁଏ, ତେବେ ପ୍ରବନ୍ଧ ନ୍ୟାୟତଃ ସେଇଥିପାଇଁ ହିଁ ମନୋବିଜ୍ଞାନ, ନୃତତ୍ତ୍ଵବିଜ୍ଞାନ ଏବଂ ସମାଜ ବିଜ୍ଞାନ ଭିତରେ ଅଧିଗମିବାକୁ ମନ କରିବ । ଏଗୁଡ଼ିକୁ ଆୟତ୍ତ କରି ସିଏ ନିଜର ପରିଧିଗୁଡ଼ିକୁ ଅଧିକ ବୃହତ୍ କରିପାରିବ ଏବଂ ଅଧକ ଭିତରକୁ ଭେଦି ମଧ୍ୟ ପାରିବ । ନିଜର ଆହୂତ ସାମଗ୍ରୀଗୁଡ଼ିକୁ ସିଏ ଅନ୍ତର୍ଦୃଷ୍ଟି ସହିତ ବ୍ୟବହାର କରିପାରିବ । ବିଶେଷତଃ, ସାହିତ୍ୟର ଆଧୁନିକ ଯୁଗକୁ ତାହାର ବହୁବିଧ ପ୍ରସ୍ଥ ଦେଇ ବୁଝି ପାରିବାକୁ ହେଲେ ଜଣେ ପ୍ରବନ୍ଧକାରକୁ ଅଧ୍ୟୟନର ଏହିସବୁ କ୍ଷେତ୍ର ସହିତ ପରିଚିତ ହେବାକୁ ପଡ଼ିବ ।

ପଣ୍ୟଭଣ୍ଡାର ବଢ଼ି ବଢ଼ି ଯାଉଥିବା ସଙ୍ଗେ ସଙ୍ଗେ ପୃଥ୍ଵୀଜୀବନର ମୀମାଂସକ ସତ୍ୟଗୁଡ଼ିକ ସମୟର ପ୍ରୟୋଜନ ଅନୁସାରେ ନୂଆ ନୂଆ ପ୍ରସ୍ଥରେ ଆସି ଆବିର୍ଭୂତ ହେବାରେ ଲାଗିଥିବେ । ରକ୍ଷଣଶୀଳମାନେ ତଥାପି ସାହିତ୍ୟକୁ ସେହି ପୁରୁଣା ପେଟରାଗୁଡ଼ାକ ଭିତରେ ଆବଦ୍ଧ କରି ରଖିବାପାଇଁ ଇଚ୍ଛା କରୁଥିବେ । ସେମାନେ ଏହି କ୍ଷେତ୍ରରେ ହୁଏତ ସତସ୍ଵତୀଙ୍କ ନାମ ନେଇଥିବେ, ସତ୍ୟଗୁଡ଼ିକୁ ଶାଶ୍ଵତ ବୋଲି କହୁଥିବେ । ଧର୍ମର କ୍ଷେତ୍ରରେ ଆଦୌ ବାଟଟିଏ ଚାଲୁନଥିବା ମଣିଷମାନେ ଯେପରି ସ୍ଵୟଂ ଜଳକା ହୋଇ ରହିବାକୁ ଧର୍ମକୁ ସନାତନ ଧର୍ମ ବୋଲି କହି ମାଦଳ ହୋଇ ବସିଥାନ୍ତି, ବେଳେବେଳେ ସାହିତ୍ୟରେ ମଧ୍ୟା ସେହିପରି ପ୍ରବୃତ୍ତିଟିଏ ଦେଖିବାକୁ ମିଳିଥାଏ । ପ୍ରବନ୍ଧ ସେହି ବିଷୟରେ ସର୍ବଦା ସାବଧାନ ରହିଥିବ । ନିଜର ଜିଜ୍ଞାସାଟିକୁ ନିରନ୍ତର ସଚଳ କରି ରଖିଥିଲେ ଯାଇ ସିଏ ଏହି ପ୍ରମାଦରୁ ରକ୍ଷା ପାଇପାରିବ । ନିଜ ଦୁଆରଟିକୁ ଖୋଲା ରଖିଥିଲେ ଯାଇ ଜଗତଯାକର ପବନ ଅବାଧରେ ଆମ ଚେତନା ଭିତରକୁ ପ୍ରବେଶ କରିପାରିବ । ସମୀକ୍ଷା ଉତରୋତ୍ତର ଭାବରେ ସମୃଦ୍ଧ ହେବାରେ ଲାଗିଥିବ । ଆମର ସାହିତ୍ୟ ଯେଡ଼େ ସ୍ଥାନୀୟ ହୋଇଥିଲେ ମଧ୍ୟ ଆମେ ତାହାକୁ ମାଧ୍ୟମ କରି ସମଗ୍ର ପୃଥିବୀଟିକୁ ଦେଖି ମଧ୍ୟ ପାରୁଥିବା । ସାହିତ୍ୟର ପୃଥିବୀଟି ଏପରି ଭାବରେ କ'ଣ ପାଇଁ ତିଆରି ହୋଇ ରହିଥାଏ ଯେ ପୃଥିବୀଯାକର ନାନାବିଧ ଜଡ଼ତା ତାହାକୁ ଭାରି ସହଜରେ ଗ୍ରାସ କରିପକାନ୍ତି ? ଜଡ଼ତା ଗ୍ରାସ କରିଥିବା ଲୋକେ ହିଁ ସାହିତ୍ୟ ନାମରେ ଅଧିକ ଉତ୍ସବ ପାଳନ କରିବାକୁ ମନକରନ୍ତି । ଦରବାର ବସାନ୍ତି । ସମୀକ୍ଷାକୁ ନିକାଲି ଦେଇ ସେମାନେ ହୁଏତ ଅଧିକ ନିରାପଦ ଅନୁଭବ କରୁଥାନ୍ତି । ଯଥାର୍ଥ ସମୀକ୍ଷା ଯୁଗେ ଯୁଗେ ସେହି ମୋହଟିକୁ ଭାଙ୍ଗି ଦେବାଲାଗି ହିଁ ତିଆରି ହେଉଥାଏ ଏବଂ ସେଇଥିଲାଗି ଆବଶ୍ୟକ ପଣ୍ୟ-ପରିଚିତିର ପ୍ରୟୋଜନ ହୁଏ । ଭାବପ୍ରବଣତା ଖୁବ୍‌ ବେଶି କାମ ଦିଏନାହିଁ । ପଡ଼ୋଶୀ ଆଉ ଆଉ ସାହିତ୍ୟ ତୁଳନାରେ ଆମର ସାହିତ୍ୟ ଅଧିକ ବା ଅନ୍ତତଃ ସମସ୍ତରୀୟ ବୋଲି କହିବାକୁ ମନହୁଏ ନାହିଁ । ତାହା ଅନେକ ସ୍ଥଳରେ ନିଶା ଔଷଧ ପରି କାମ ଦିଏ । ଶୁଆଇ ପକାଇବା ମୋଟେ ପ୍ରବନ୍ଧର କାର୍ଯ୍ୟ ନୁହେଁ । ନିଦ ଭାଙ୍ଗିଦେବାରେ ହିଁ ତାହା ସ୍ଵଧର୍ମର ପାଳନ କରିଥାଏ ଏବଂ, ଯଥାନୁରୂପ ଭାବରେ ପଣ୍ୟ ଆହରଣ କରି ପାରୁଥିଲେ ପ୍ରବନ୍ଧର ସେହି ଧର୍ମଟିକୁ ଅଧିକ ସମର୍ଥ ଭାବରେ ପାଳନ କରିପାରେ । ପୃଥିବୀଯାକର ପଣ୍ୟକୁ ହସ୍ତାମଳକ ପରି ବ୍ୟବହାର କରି ଶିଖିଲେ ଯାଇ ତାହା ସମ୍ଭବ ହୁଏ ।

[ଝଙ୍କାର, ବିଷୁବ 99]

☆☆☆

 

ପ୍ରବନ୍ଧର ଫଳଶ୍ରୁତି

 

ଗୋଟିଏ କବିତା କାମିନୀପ୍ରାୟ ହୋଇପାରିଲେ ଯାଇ ଯେ ତାହା ଯଥାର୍ଥ କବିତାଟିଏ ହୋଇପାରିବ, ଆମ ସାହିତ୍ୟର ସେହି ରୀତିଯୁଗରେ ଜଣେ କବି ସେ କଥା କହିଥଲେ । ଅନେକ ସମୟରେ ନିଜର ଗୋଟିଏ କବିତାକୁ କାମିନୀପ୍ରାୟ କରିବାର ଆଗ୍ରହରେ ଜଣେ ଜଣେ କବି ମଧ୍ୟ ସ୍ଵୟଂ ଆପଣାଙ୍କୁ ସତେଅବା ଜଣେ କାମିନୀ ପରି ଅନୁଭବ କରିବାଲାଗି ପ୍ରାୟ ଏକ ସଚେତନ ପ୍ରୟାସ କରିଥାନ୍ତି । ପାଶ୍ଚାତ୍ୟ ସାଧନା – ସାହିତ୍ୟରେ mystical substitution ବୋଲି ଯେଉଁ କଥାଟି ରହିଛି, ଆମେ ହୁଏତ ତାହାରି ବାଡ଼ିଟିକୁ ପକାଇ ଏହି କଥାଟିର କିଞ୍ଚିତ୍‍ କଳନା କରିପାରିବା । କୌଣସି ଆଗ୍ରହଗତ କାରଣରୁ ନିଜକୁ କାମିନୀଟିଏ ପରି ଅନୁଭବ କରିପାରିଲେ ନିଜେ ଲେଖୁଥିବା କବିତାଟି ମଧ୍ୟ ଅଧିକ ସ୍ଵତଃସ୍ପୁର୍ତ୍ତ ଭାବରେ କାମିନୀର ସାଦୃଶ୍ୟ ତଥା ଚାତୁର୍ଯ୍ୟ ଲାଭ କରିଥାଏ ଅଥବା ଆଗ ସାହିତ୍ୟାଭିଧାନର ସମସ୍ତ ରୀତିକୁ ଲଗାଇ ନିଜ ଧୀଷଣାର ପ୍ରୟୋଗ ଦ୍ଵାରା ନିଜେ ଲେଖୁଥିବା କବିତାଟିକୁ କାମିନୀ ପ୍ରାୟ କରି ଗଢ଼ିଦେଇ ପାରିଲେ ତା'ପରେ ସ୍ଵତଃସ୍ପୁର୍ତ୍ତ ଭାବରେ ନିଜକୁ ମଧ୍ୟ କାମିନୀପ୍ରାୟ ଅନୁଭବ କରିବା ସମ୍ଭବ ହୋଇଯାଏ, କିଞ୍ଚିତ ଅଧିକ ଗଭୀରକୁ ଗଲେ ଆମକୁ ସେହି କଥାଟିର ମୀମାଂସା ମଧ୍ୟ ଅବଶ୍ୟ ମିଳିଯାଇ ପାରିବ । ତେବେ, ଆମର ଅଭିକ୍ରମଟି ଅନୁସାରେ ଆମକୁ ଯେଉଁ ଉତ୍ତରଟି ମିଳୁ ପଛକେ, କାମିନୀ ପରି ଦେଖାଯିବାକୁ ଅର୍ଥାତ୍‍ କୀମିନୀପ୍ରାୟ ହେବାକୁ ଆମେ କେତେଦୂର ଆମ କବିତା’ର ଫଳଶ୍ରୁତି ବୋଲି କହିପାରିବା ? ଅବଶ୍ୟ, ଏହି କ୍ଷେତ୍ରରେ ଆଉ ଏକ ତତ୍ତ୍ଵାନୁମାନ ବି ରହିଛି ଯାହାକି ପ୍ରତିଭାକୁ ତଥା ସୃଜନ କରିବାର ଯାବତୀୟ ସାମର୍ଥ୍ୟକୁ ଏକାନ୍ତ ଭାବାର୍ଦ୍ର ଭାବରେ ଜନ୍ମଜାତ ବୋଲି ଘୋଷଣା କରିଥାଏ । ଯଦି ଆମ ଭିତରେ ମଧ୍ୟ ସେହିପରି ପ୍ରତ୍ୟୟଟିଏ ରହିଥାଏ, ତେବେ ହୁଏତ ଫଳଶ୍ରୁତି ସମ୍ବନ୍ଧରେ ଆଲୋଚନା କରିବାର ଆଦୌ କୌଣସି ଅବକାଶ ହିଁ ରହିବ ନାହିଁ । ଆଗକାଳେ, ସାହିତ୍ୟକାରିତା’ର ସେହି ଆପ୍ୟାୟନ ଯୁଗରେ ସମ୍ଭବତଃ ସେହି କାରଣରୁ ଏହି କ୍ଷେତ୍ରରେ ଆଲୋଚନା ପାଇଁ ବିଶେଷ ସ୍ଥାନ ବା ସ୍ଵୀକୃତି ନଥିଲା । କାଳିଦାସଙ୍କର କବିପ୍ରତିଭାକୁ ଜନ୍ମଜାତ ବୋଲି ଘୋଷଣା କରି ସ୍ଵୟଂ ନୃପତି ହୁଏତ ତାଙ୍କର ମଧ୍ୟ ଉଜ୍ଜୟିନୀର ସିଂହାସନରେ ବସିଥିବାର ସେହି ବିରଳ ଭାଗ୍ୟଟିକୁ ସଂପୂର୍ଣ୍ଣ ଭାବରେ ଜନ୍ମଜାତ ପ୍ରତିଭାର ପରିଣାମ ବୋଲି ମାନି ନେଉଥିଲେ ଏବଂ ସଭାରେ ସମସ୍ତଙ୍କୁ ଅନୁରୂପ ଭାବରେ ମନାଇ ନେଉଥିଲେ । ଆମ ଏ ଯୁଗରେ ଯାଇ ସିନା କେହି କେହି ସେହି ତତ୍ତ୍ଵଟି ବିଷୟରେ କ୍ରମେ ସଂଶୟ ବ୍ୟକ୍ତ କରିବାକୁ ମନ କଲେ ।

 

ନିଜର କବିତାଟିକୁ କାମିନୀ କିମ୍ବା ଭାମିନୀପ୍ରାୟ ଦେଖିବାକୁ ଇଚ୍ଛା କରୁଥାନ୍ତି ବୋଲି ଢେର କବି ନିଜେ ସତେଅବା କେତେ ଯତ୍ନର ସହିତ ଅନୁରୂପ କ’ଣଟିଏ ଭଳି ଦିଶି ପାରିବାର ପ୍ରୟାସ ମଧ୍ୟ କରିଥାନ୍ତି । ଛବି ଆଙ୍କୁଥିବା ଶିଳ୍ପୀମାନେ ବି ଝୁଙ୍କିଟାଏ ହେଲେ ସେହି ପ୍ରୟାସଟିକୁ ଆଦୌ କମ୍‌ କରନ୍ତି ନାହିଁ । ତେଣୁ, ଜଣେ ଜଣେ ମଣିଷଙ୍କୁ ଦେଖିବା ମାତ୍ରକେ ହିଁ ସେମାନେ ଆମର ଯେତେ ଅଚିହ୍ନା ହୋଇଥିଲେ ମଧ୍ୟ ସେମାନେ କବି କିମ୍ବା ଶିଳ୍ପୀ ଅବଶ୍ୟ ହୋଇଥିବେ ବୋଲି ଚେହେରାଟାରୁ ହିଁ ଅନୁମାନ କରିହୁଏ ଏବଂ ଅନୁସନ୍ଧାନ କଲେ ଆମ ଅନୁମାନଟି ସମ୍ପୂର୍ଣ୍ଣ ଠିକ୍‌ ବୋଲି ପ୍ରମାଣିତ ହୋଇଯାଇଥାଏ । ଆମ ପିଲାଦିନେ ଯେତେବେଳେ ପୁଅପିଲା ହିଁ ଗୋଟିପିଲା, ରାଣୀ, ଦାସୀ ଅଥବା ରାକ୍ଷାଶୁଣୀ ହେବେ ବୋଲି ନାଚଦଳରେ ଯାଇ ମିଶୁଥିଲେ, ସେତେବେଳେ ଦିନରେ ମଧ୍ୟ ସେମାନଙ୍କର କେଶ ଓ ଦେହର ବିନ୍ୟାସରୁ ମଧ୍ୟ ସେମାନେ ନିଶ୍ଚୟ କୌଣସି ନାଟଦଳରେ ଅଛନ୍ତି ବୋଲି ଜାଣି ହୋଇ ଯାଉଥି‌ଲା । ପୁରୁଷମାନଙ୍କର ପ୍ରାଦୁର୍ଭାବଟା ବେଶି ରହିଥିବା ଆମର ଏହି ସାମ୍ପ୍ରତିକ ସମାଜରେ ପୁରୁଷମାନେ ହିଁ ସାଧାରଣତଃ ନିଜର ବୃତ୍ତିରେ ଯାହା, ନାନା ପ୍ରସାଧନର ସାହାଯ୍ୟରେ ତାହାରି ଅନୁରୂପ ହୋଇ ଦେଖାଯିବେ ବୋଲି ପ୍ରୟାସ କରୁଥାନ୍ତି । ଆମେ ସେମାନଙ୍କ ଉପରେ ଦୟା କରିବା ନାହିଁ ସତ, ତଥାପି ଆମ ମନରେ ଗୋଟିଏ ପ୍ରଶ୍ନ ଆସି ଅବଶ୍ୟ ଆଘାତ କରିବ । ଜଣେ କବି ଭଳି ଦେଖାଯିବା, ତାହାହିଁ କ'ଣ କବି ହେବାର ଏକ ସର୍ବପ୍ରାମାଣିକ ଫଳଶ୍ରୁତି ? ଜଣେ ଶିଳ୍ପୀ ଭଳି ଦେଖାଯିବା କ'ଣ ଶିଳ୍ପୀ ହେବାର ମଧ୍ୟ ଏକ ନିର୍ଭରଯୋଗ୍ୟ ପ୍ରମାଣ ? ଏସବୁ ଭାବନା ଆମ ଯୁଗର ମାନସ ଭିତରେ କୋଉଦିନୁଁ କାହିଁକି ଆସି ପ୍ରବେଶ କଲା କେଜାଣି ? ଜଣେ ଓକିଲର ଅଥବା ଆରକ୍ଷୀର ଆନୁଷ୍ଠାନିକ ପରିଚ୍ଛଦକୁ ଦେଖି ତାହାକୁ ଓକିଲ ଅଥବା ଆରକ୍ଷୀ ବୋଲି ଚିହ୍ନିହେବ ସିନା, ମାତ୍ର ସେହି କାରଣରୁହିଁ ତାହାକୁ ଜଣେ ଉତ୍ତମ ଓକିଲ ଅଥବା ଉତ୍ତମ ଆରକ୍ଷୀ ବୋଲି କିପରି କହି ହେବ ? ପିଲାଦିନେ ମୁଁ ଯେଉଁ ଗାଆଁରେ ପାଠ ପଢ଼ୁଥିଲି, ସେଠାରେ ମଣିଆନାଁ ଖୁବ୍ ଉତ୍ତମ ଭାବରେ ପୁରାଣ ପାରାୟଣ କରୁଥିଲେ ବୋଲି ଖରାଦିନେ ଖୁବ୍‌ ଦୂର ଦୂର ଜାଗାରୁ ତାଙ୍କୁ ସେଥିଲାଗି ଆମନ୍ତ୍ରଣ ଆସୁଥିଲା । ମାତ୍ର, ତାଙ୍କର ଏଭଳି ଗୋଟିଏ ଯୋଗ୍ୟତା ରହିଛି ବୋଲି ତାଙ୍କଚାଳରେ କୌଣସି ପ୍ରଦର୍ଶକ ଫଳକ ଓହଳାଯାଇ ନଥିଲା । ଗନ୍ଧିଆଁନାଁ ହୁଏତ ଭଲମୁଖା ତିଆରି କରୁଥିଲେ ବା ଖତିଆନାଁ ଭଲ ସାଇକେଲ ମରାମତି କରି ପାରୁଥିଲେ, ମାତ୍ର ତାଙ୍କ ଘର ସାମ୍‌ନାରେ ସେଥିଲାଗି କୌଣସି ସୂଚକ କିମ୍ବା ପରିଚାୟକ ଟଙ୍ଗାଇବାର ଆବଶ୍ୟକତା ନଥିଲା । ସେକଥା ସଂପୃକ୍ତ ସମସ୍ତେ ଜାଣିଥିଲେ ।

 

କାଳକ୍ରମେ କି ପ୍ରୟୋଜନ ଆସି ପହଞ୍ଚିଲା କେଜାଣି, ଖତିଆନା ନିଜ ଘର ଆଗରେ ଖଣ୍ଡେ ବାଉଁଶ ପୋତିଦେଲେ ଏବଂ ତା' ଉପରେ ଦୁଇଟା ପୁରୁଣା ଅକାମୀ ଟାୟାର୍‌ ଝୁଲାଇ କରି ରଖିଲେ । ସେଇଥିରୁ ତାଙ୍କର ପରିଚୟ ମିଳିଲା । ଏବେ ତ ଦୋକାନମାନଙ୍କ ଆଗରେ କେତେ ପ୍ରକାର ରୂପ ଓ କେତେ ପ୍ରକାରେ ସଜ୍ଜା, ଯେଉଁଥିରୁ କି ତୁମେ ତାଙ୍କୁ ଠିକ୍‍ଣା କରି ଚିହ୍ନିପାରିବ । ପ୍ରାୟ ସେଇଥି ସକାଶେ ହିଁ ଆଧୁନିକ ପ୍ରଦର୍ଶନ-ଵଜାରରେ ବିଜ୍ଞାପନଗୁଡ଼ିକର ବରାଦ ହେଲା । କେତେ କଳାତ୍ମକ ଏବଂ ମନୋରଞ୍ଜକ ଭାବରେ ରେଡ଼ିଓରେ ସେକଥାକୁ କୁହାଗଲା ଏବଂ ଦୂରଦର୍ଶନରେ ଦେଖାଇବି ଦିଆଗଲା । ସୁନ୍ଦର ମୁହଁମାନ ଖାସ୍‌ ସେଇଥିପାଇଁ ମଡ଼େଲ୍‌ ହେଲେ । ଆମ ସାହିତ୍ୟଭିତରକୁ ମଧ୍ୟ ସେଇ ଖୋଇଟା ସଂକ୍ରମିତ ହୋଇ ଆସିଲା । ପୁସ୍ତକମାନଙ୍କର ଔପଚାରିକ ଉଦ୍‍ଘାଟନ ହେଲା, ନେତାମାନେ ପଦେ କହିବା ନିମନ୍ତେ ଡକା ହୋଇ ଆସିଲେ । ଚର୍ବ୍ୟ ଓ ଚୋଷ୍ୟର ପରିବେଷଣ ହେଲା । ସତେଅବା କେଉଁ ବାହାଘରର ନିର୍ବନ୍ଧ ପାଇଁ ଆସିଥିବା ପରି ଲାଗିଲା । ଆଶୀର୍ବାଦ କରିବାକୁ ମନ ହେଲା । ଏବଂ ହୋଟେଲ ମାନଙ୍କରେ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ବରଗି ଆଣି ଭାନୁମତୀ ଖେଳର ଆଲୋକ ତଥା ଆସରସଜ୍ଜାରେ ଉନ୍ମୋଚିତ ହେବାକୁ ଯାଉଥିବା ପୁସ୍ତକଟିର ଜବରଦସ୍ତିଆ ଅଂଶଗୁଡ଼ିକୁ ପାଠ କରାଗଲା ଓ ପାଠଗୁଡ଼ିକୁ ସ୍ମରଣୀୟ କରି ରଖିବା ଲାଗି ଶୀତଳ ବା ଉଷ୍ମପାନୀୟ ଦ୍ଵାରା ଯୁଗପତ୍ ଭାବରେ ଶକ୍ତିଯୁକ୍ତ ମଧ୍ୟ କରାଯାଉଥିଲା । ବୁଦ୍ଧି ଥାଉ କି ନଥାଉ, ଡାବୁ ଥିଲେ ସେକଥା ସର୍ବଲକ୍ଷଣଯୁକ୍ତ ଭାବରେ ସମ୍ଭବ ହୋଇପାରିଲା । ଏହି ଭେକ, ଏହି ପ୍ରଦର୍ଶନ ଏବଂ ଅତ୍ୟନ୍ତ ଉଦାର ଭାବରେ ଆପଣାର ଆତ୍ମକାମିତାକୁ ନିବେଦନ କରି ଦେବାର ଏହି ଉଚ୍ଚାଟ, ଏହା କ'ଣ ସାହିତ୍ୟର ଫଳଶ୍ରୁତି ଏବଂ ଏହାରି ଦ୍ଵାରା ହିଁ କ’ଣ ଆମକୁ ସତରେ ସବୁକିଛି ମିଳିଯିବ ? ଏବଂ ମିଳିଯାଉଥିବା ପରି ଯେତେ ବୋଧ ହେଉଥିଲେ ମଧ୍ୟ ତଥାପି ମିଳିପାରିବ ?

 

ଗୋଟିଏ କବିତା ଭଳି କବିତା ଲେଖିପାରିବ ବୋଲି ଜଣେ କବି କୁଆଡ଼େ ତାହାରି ପ୍ରୟୋଗ ସ୍ଵରୂପ ଜୀବନଯାକ କବିତା ଲେଖୁଥାଏ ବୋଲି ସେଦିନ ଜଣେ କବିଙ୍କର ଏକ ମନ୍ତବ୍ୟ ପଢ଼ୁଥିଲି । କବିତା ଭଳି କବିତାଟିଏ ଲେଖା କେବେହେଲେ ହୁଏନାହିଁ ଏବଂ ତେଣୁ କବିତା ଲେଖିବାର ପ୍ରୟୋଗଟି ମଧ୍ୟ କେବେହେଲେ ସରେ ନାହିଁ । ସେହି କବିତା ଭଳି କବିତାଟି ପ୍ରକୃତରେ କେଉଁଠାରେ ରହିଥାଏ ଓ ଆମକୁ ବିଲ ବଣ ବୁଲାଇବାରେ ଲାଗିଥାଏ ? ଗୋଟିଏ ଗଳ୍ପର ଫଳଶ୍ରୁତି କ'ଣ ହୋଇପାରେ ? ଏବଂ ଉପନ୍ୟାସର ? ଜୀବନର ନାଟକ ଭିତରେ ରହିଥିବା ଯାଏ ଜଣେ ନାଟ୍ୟକାର ନାଟକ ଲେଖି ଲେଖି ଯାଉଥାଏ । ପ୍ରୟୋଗ ପରେ ପ୍ରୟୋଗ କରି ଚାଲିଥାଏ । ଏହି ପ୍ରୟୋଗଟା ହିଁ କ’ଣ ଫଳଶ୍ରୁତି ? ଆମ ଏ କାଳର ପ୍ରୟୋଗ କରି କରି ହାଲିଆ ହୋଇ ପଡ଼ୁଥିବା ଲେଖକମାନଙ୍କ ସହିତ ଘଡ଼ିଏ କଥାବାର୍ତ୍ତା ହେଲାପରେ ଭାରି ମନେହୁଏ ଯେ ସେମାନେ ଯେପରି କେବଳ ଏକା ପ୍ରୟୋଗ କରିଛନ୍ତି, ଆଉ କେହି କୌଣସି ପ୍ରୟୋଗ କରିନାହାନ୍ତି-। ଆଧୁନିକ ଓଡ଼ିଆ କବିତାରେ ଭଗୀରଥ ହୋଇ ସବାଆଗ ଗଙ୍ଗାକୁ କିଏ ନିଜର ପ୍ରୟୋଗ ବଳରେ ଏଠାରେ ଅବତୀର୍ଣ୍ଣ ଓ ଅନୁଭୂତ କରାଇଛି, ସେଥିନେଇ ଏବେ ମଧ୍ୟ ବାଦୀ ଓ ପ୍ରତିବାଦୀମାନେ ଦଣ୍ଡନାଟ କରିବାରେ ବ୍ୟସ୍ତ ଅଛନ୍ତି । ଠିକ୍‌ ସେହିପରି ଆଧୁନିକ ଗପଟିଏ ବା ଆଧୁନିକ ଉପନ୍ୟାସଟିଏ ସବାଆଗ କିଏ ଲେଖିଲା ? ସାରା ଭାରତବର୍ଷରେ ଆମ ଓଡ଼ିଶାର ଜଣେ ଲେଖକ ହିଁ ସର୍ବପ୍ରଥମ ଗନ୍ଥ ଲେଖିଛନ୍ତି ବୋଲି ମୋଟେ କୌଣସି ଗପ ଲେଖି ନଥିବା ହିରୋମାନେ କେଡ଼େ ଉଲ୍ଲସିତ ହୋଇ କହନ୍ତି । ଏମାନେ ମଧ୍ୟ କେବଳ ସେତିକିରୁ ହିଁ ସତେଅବା କେତେ କ'ଣ ଫଳଶ୍ରୁତି ପାଇ ଯାଉଥିବା ପରି ମନେ ହେଉଥାଏ । ଜଣେ କବି ଯେପରି ଭାବରେ ବିହ୍ଵଳ ହୋଇ ଆପଣା କବିତାକୃତିର ପ୍ରମୋଦ-ଉଦ୍ୟାନରେ ବିଚରଣ କରୁଥାଏ, ବିଚାରା ପ୍ରବନ୍ଧକାର ସେକଥା ମୋଟେ କରିପାରେ ନାହିଁ କାହିଁକି କେଜାଣି ? ହଁ, ହର୍ଷରେ ବିହ୍ଵଳ, ଶୋକରେ ବିହ୍ଵଳ, ବେଦନାରେ ବିହ୍ଵଳ ଏବଂ ବିଧୂରତାରେ ବିହ୍ଵଳ । କୌଣସି କବିତା ପାଠୋତ୍ସବରେ ଅଧିକାଂଶ ଅବସରରେ କବିତା’ର ଆବେଦନ ଭାଗଟି ଅପେକ୍ଷା ତା'ର ବିହ୍ଵଳତା ଭାଗଟିର ହିଁ ସତେଅବା ଅଧିକ ପରିପ୍ରକାଶ ରହିଥାଏ । ନିଜର କବିତାଟିକୁ ପାଠ କରୁଥିବା ସମୟରେ କବିତାକାର ସତେଯେପରି କେବଳ ନିଜକୁ ହିଁ ଦେଖୁଥାନ୍ତି । ଅନୁପ୍ରସ୍ଥ ଓ ଅନୁଲମ୍ବ ଉଭୟ ଭାବରେ ହିଁ ନିଜକୁ ସେଇଥିପାଇଁ ସମ୍ଭବତଃ କବିତାଟିକୁ ପାଠ କରିସାରିବା ପରେ ସିଏ ଭାରି କ୍ଲାନ୍ତ ହେବାପରି ମୁଖମୁଦ୍ରାଟିଏ କରି ଆପଣାର ଥାନକୁ ବାହୁଡ଼ି ଆସନ୍ତି ଏବଂ ମଉକାଟିଏ ପାଇବା ମାତ୍ରକେ କକ୍ଷତ୍ୟାଗ ବି କରିଥାନ୍ତି-। ଏବେ ଗ୍ରନ୍ଥକାରମାନେ ମଧ୍ୟ କ୍ରମେ କବିମାନଙ୍କ ଭଳି ବ୍ୟବହାର କରିବାକୁ ଅଧିକ ପସନ୍ଦ କଲେଣି-। ନିଜ ନିଘାର ମଣ୍ଡଳ ଭିତରେ ସେମାନେ ସତେଅବା ଏକ ନୂଆ ଆସକ୍ତତା’ର ରେଖାନିର୍ଣ୍ଣୟ ମଧ୍ୟରେ-। ମୁଖ୍ୟତଃ ନିଜକୁ ହିଁ ଅଧିକ ଦେଖିଲେଣି । ନାଟକକାରମାନେ ବି କେଉଁ ଦୁର୍ଭାଗ୍ୟକୁ କାହିଁକି ପଛରେ ପଡ଼ିରହିବେ ? ହଁ, କବିତା ପାଠୋତ୍ସରେ ମଝିରେ ସଂଯୋଜକ ରହି ଯିଏ ଡାହୁକର ଭୂମିକାରେ ଯୋଦ୍ଧାମାନଙ୍କୁ ଅବତୀର୍ଣ୍ଣ ହେବାପାଇଁ କହୁଥାନ୍ତି ଏବଂ କବିତାପାଠ ଅନ୍ତେ ସତେଅବା କୌଣସି ଆଶୁକବିଙ୍କର କଳାତ୍ମକ ଟାହି କରିବାର ଏକ ଶୈଳୀରେ ପଦେ ଦୁଇପଦ ଖୁଞ୍ଚା ଦେଉଥାନ୍ତି, ସେମାନେ ମଧ୍ୟ ପ୍ରାୟ ସେହି ବିହ୍ଵଳ ମୁଦ୍ରାରେ ରହିଥାଆନ୍ତି । ବିହ୍ଵଳ ହେବା, ବିହ୍ଵଳ କରିବା, ଏତିକି ମାତ୍ର କ'ଣ ସତକୁ ସତ ଏହିସବୁ ସାରସ୍ଵତ ମୁହୂର୍ତ୍ତର ଫଳଶ୍ରୁତି, କବିତାଆସରର କାମିନୀମାନଙ୍କୁ ସେହି କଥାଟି ପଚାରିବା ସକାଶେ ଭାରି ଇଚ୍ଛା ହୁଏ । ତଥାପି, କ'ଣ ପାଇଁ ଆଦୌ ପଚାରି ହୁଏନାହି । ଫୁଲର ସରି ଏ ମାଳ ବାଜୁବନ୍ଧରେ ବାନ୍ଧି ପଣା ପିଇ କବିତାପୁଲିନରେ ଆପଣାକୁ ସଂଖୋଳି ଆସିଥିବା ସେହି ସମଧର୍ମୀମାନଙ୍କର ସରାଗ ଭାଙ୍ଗି ଦେବାକୁ ଆଦୌ ମନ ଯାଏନାହିଁ-

 

ଗୋଟିଏ ପ୍ରବନ୍ଧର ଫଳଶ୍ରୁତି ପ୍ରକୃତରେ କ'ଣ ହୋଇଥିବ ? ଜଣେ ପ୍ରବନ୍ଧକାର ପାଇଁ ସତକୁ ସତ କିଭଳି ଏକ ଫଳଶ୍ରୁତି ତା’ ସମ୍ମୁଖରେ ରହି ତାକୁ ଆଗକୁ ଆଗକୁ ବାଟ କଢ଼ାଇ ନେଉଥିବ ? ଅବଶ୍ୟ ଆମର ଏ କାଳଟାରେ କେତେ ମଣିଷ ପ୍ରବନ୍ଧ ମଧ୍ୟ ଏଭଳି ଲେଖିଲେଣି, ଯେଉଁମାନେ କି ମୁଖ୍ୟତଃ ବିହ୍ଵଳ ହୋଇ ନିଜର ରଚନାକର୍ମଟିକୁ କରୁଥାନ୍ତି । କେଜାଣି କାହିଁକି ଏବେ ଦାଣ୍ଡରେ ଭାରି ଚାଲୁଥିବା ରମ୍ୟରଚନା ନାମକ ଶବ୍ଦଟି ଏପରି ଲୋକପ୍ରିୟ ଭାବରେ ଚାଲିଲାଣି ଯେ, ସେମାନେ ନିଜର ପରିପୂର୍ଣ୍ଣ ସାରଲ୍ୟରେ ରମ୍ୟରଚନା କହିଲେ ଯେତିକି ଅଥବା ଯାହା ବୁଝନ୍ତି, ପ୍ରାୟ ସେହି ଧିସାରେ ପ୍ରବନ୍ଧକୁ ଲେଖିଥାନ୍ତି; ଭାରି ଭଲଲାଗେ, ବିହ୍ଵଳ କରିଦିଏ । ଭାଷାଟିକୁ ମଧ୍ୟ ସେହି ମୁତାବକ ନାନା ଭାବପ୍ରବଣତା ଦ୍ଵାରା ଖସଡ଼ା କରି ଦିଆଯାଇଥାଏ । ପଢ଼ିବାବେଳକୁ ଖାଲି ଗଦ୍ ଗଦ୍ ହୋଇ ଖସି ଯାଇହୁଏ, ଗୋଟାସୁଦ୍ଧା ମୋହିତ କରିଦିଏ, ତଥାପି ସତେଅବା କିଛି କୁହାହୋଇ ନଥାଏ । ଆଦୌ କୌଣସି ଫଳଶ୍ରୁତି ନିମନ୍ତେ ସେସବୁ ସାଧାରଣତଃ ଲେଖା ହୋଇନଥାଏ । ପିଲାମାନଙ୍କୁ ବର୍ଷଶେଷରେ ପରୀକ୍ଷା ସକାଶେ ଗଳ୍ ଗଳ୍‌ କରି ଯାହା କୁହାଇ ଦିଆଯାଏ, ସେଥିରେ କାହିଁକି ବା କୌଣସି ଫଳଶ୍ରୁତି ରହିବ ? ପିଲାମାନେ ମଧ୍ୟ ଗୁରୁବରମାନଙ୍କର ନାଭି ଏବ ନାଡ଼ୀ ଉଭୟଟିକୁ ଖୁବ୍‍ ସୁନିଶ୍ଚିତ ଭାବରେ ଠଉରାଇ ନେଇଥାନ୍ତି ଏବଂ ତେଣୁ ପରୀକ୍ଷ । ଖାତାରେ ଅନୁରୂପ ଠାଣିରେ ରମ୍ୟରଚନା କାଟରେ କେତେ କ'ଣ ଲେଖିଆସନ୍ତି । ସ୍ଵୀକୃତି ପାଆନ୍ତି ଏବଂ ସଫଳତା ହାସଲ କରନ୍ତି ।

 

ପ୍ରବନ୍ଧ ସାହିତ୍ୟ ଏକ ବର୍ଗରୂପେ ବହୁ ପ୍ରକାରେ ତଥା ବହୁ ନୂଆ ନୂଆ ଆହ୍ଵାନର ସମ୍ମୁଖୀନ ହେବାକୁ ମନକରି ଯେ ଏକ ସ୍ଵତନ୍ତ୍ର ବିବର୍ତ୍ତନର ପ୍ରକ୍ରିୟାରେ ରମ୍ୟରଚନା ଯାଏ ଅସିଛି, ବିହ୍ଵଳମାନଙ୍କୁ ସେ କଥାଟିକୁ ମୋଟେ ବୁଝାଇ କହିହେବ ନାହିଁ । ଭାରତୀୟ ସାହିତ୍ୟମାନଙ୍କରେ ରମ୍ୟରଚନା ସମ୍ଭବତଃ ତା'ର ମାତ୍ର ଶୈଶବ ମଧ୍ୟଦେଇ ଗତି କରୁଛି ଏହାର ହୁଏତ ଗୋଟିଏ ପ୍ରଧାନ କାରଣ ହେଉଛି ଯେ, ଏଠି ପ୍ରବନ୍ଧର ବର୍ଗଟି ମଧ୍ୟ ସାଧାରଣ ଭାବରେ ଏକ ପ୍ରତ୍ୟୟ ଦେଇପାରିବା ଭଳି ସୃଜନାଗ୍ରହରେ ପରିଣତ ହୋଇପାରି ନାହିଁ । ଓଡ଼ିଶାର ଯେକୌଣସି ସାହିତ୍ୟପତ୍ରିକାର ଅଙ୍ଗାବରଣଟିକୁ ଦେଖିଲେ ସେହି କଥାଟି ସବୁବେଳେ ଧରା ପଡ଼ି ଯାଇଥାଏ । ପ୍ରବନ୍ଧ ପୋଖତ ହେବାପାଇଁ ସାହିତ୍ୟ ରଚନାର ପରିମଳ ଭିତରେ ଯେଉଁସବୁ ନିର୍ଭରଯୋଗ୍ୟ ପରିପକ୍ଵତା ଆଗ ଆସିପାରିବା ଉଚିତ, ଆମ ହାତରେ ଚକଚକ ହୋଇ ଶୋଭା ପାଉଥିବା କେତୋଟି ପତ୍ରିକା ଆମ ସକାଶେ ସେହି ସନ୍ଦେଶଟିକୁ କେତେଦୂର ବହନ କରିଥାନ୍ତି ? ଆମେ ସାହିତ୍ୟକୁ ଶୀତଳ କରିଦେବାର ଏକ ସାମଗ୍ରୀ ରୂପେ ଗ୍ରହଣ କରୁଥିବା ପର୍ଯ୍ୟନ୍ତ ଓ ମୁଖ୍ୟତଃ ସେହି ପ୍ରୟୋଜନରେ ପଡ଼ି ସାହିତ୍ୟକୁ ଲୋଡ଼ୁଥିବା ପର୍ଯ୍ୟନ୍ତ ଏଠି ପ୍ରବନ୍ଧ ତାହାର ଯଥାର୍ଥ ଉଜ୍ଜ୍ୱଳତା ସହିତ ଆଦୌ ବାହାରକୁ ଅସିପାରିବ ନାହିଁ । ପ୍ରବନ୍ଧ ବିହ୍ଵଳ କରେନାହିଁ, ପ୍ରବନ୍ଧ ଆହ୍ଵାନ ଦିଏ । ତେଣୁ ଆହ୍ଵାନସଚେତନ ମନୁଷ୍ୟମାନେ ହିଁ ଆପେ ଖୋଜି ପ୍ରବନ୍ଧ ପାଖରେ ଯାଇ ପହଞ୍ଚିବାକୁ ଆଗ୍ରହ କରିଥାନ୍ତି । ଜୀବନରେ ମୁଖ୍ୟ ଧର୍ମଟି ସାଧୁତା’ର ସହିତ ଆରୋହଣକାମୀ ହୋଇଥିଲେ ଯାଇ ଜଣେ ମଣିଷ ତା' ପଥଯାତ୍ରାର ଉପଯୁକ୍ତ ଆହ୍ଵାନଗୁଡ଼ିକୁ ଶୁଣିପାରେ, ଏକାବେଳେକେ ସଚେତନ ଭାବରେ ମଧ୍ୟ ଶୁଣିପାରେ । ଆମ ସମାଜଟା ଏବେ ମଧ୍ୟ ଏପରି ଏକ ଗଢ଼ଣ ଭିତରେ ରହିଛି ଯେ, ଅଧିକ ମଣିଷ ଚିହ୍ନା ଗୁଳାଟି ଭିତରେ ଚାଲିବାକୁ ହିଁ ସଜ୍ଜନତା ବୋଲି ଧରି ନେଉଛନ୍ତି । ଚିହ୍ନା ଗୁଳାରେ ଚାଲିବାକୁ ଆମ ପ୍ରିୟ ପ୍ରବକ୍ତାମାନେ ମଧ୍ୟ ସଂସ୍କୃତି ବୋଲି କହୁଛନ୍ତି । ଏପରି କହି ସେମାନେ ଏକ ସନାତନ ଧର୍ମର ବୋଲ ମାନୁଛନ୍ତି ବୋଲି ବେଶ୍‌ ଅନୁଭବ କରିଛନ୍ତି । ତେଣୁ ଆମ ସାହିତ୍ୟ ତାଂର ପ୍ରବନ୍ଧ ଭାଗଟିକୁ ମୋଟେ ସମୁଚିତ ସ୍ଵୀକୃତି ଦେଇ ପାରୁନାହିଁ । ସାହିତ୍ୟକୁ ସେହି ସ୍ଵୀକୃତି ଦେବାର ଯୋଗ୍ୟକରି ଆଣିବା ହୁଏତ ଯାବତୀୟ ଅର୍ଥରେ ଆମ ପ୍ରବନ୍ଧର ସର୍ବପ୍ରଧାନ କାର୍ଯ୍ୟ ହୋଇରହନ୍ତା । ମଙ୍ଗ ମୋଡିବାର କାର୍ଯ୍ୟ ଏବଂ ସାହିତ୍ୟାବେଦନର ହୃଦୟ ଭିତରକୁ ପ୍ରବେଶ କରିବାର ସେହି କାର୍ଯ୍ୟ ହିଁ ପ୍ରବନ୍ଧକୁ ସର୍ବାଧିକ ପ୍ରେରଣା ଦିଅନ୍ତା । ସମସ୍ତେ ଖୋଳକରତାଳ ଧରି ସିଦ୍ଧରେତାଙ୍କ ସଦୃଶ ନାଚୁଥିବା ସମୟରେ ପ୍ରବନ୍ଧ ସେମାନଙ୍କର ମଝି ଭିତରକୁ ପଶିଆସନ୍ତା – କିଛି କଥା କହନ୍ତା ନାହିଁ, ଶାନ୍ତ ହୋଇ ସଭିଙ୍କ ଆଡ଼କୁ ଅନାଇ ପାରୁଥାନ୍ତା ଓ ମୁରୁକି ମୁରୁକି ହସି ପାରୁଥାନ୍ତା । ଅର୍ଥାତ୍‌, ଏତିକି ସୂଚାଇ ଦେବାକୁ ଚାହୁଁଥାନ୍ତା ଯେ ବିହ୍ଵଳତା ଯଥେଷ୍ଟ ନୁହେଁ, କାହାକୁ ମୋର ବୋଲି କହି ଯାବୁଡ଼ି ଧରିବା ଆଦୌ ସାହିତ୍ୟିକତା ନୁହେଁ । ଆହୁରି କହିବାକୁ ମନ କରୁଥାନ୍ତା ଯେ ସିଏ ମୋଟେ ଗୁରୁଜନ ହୋଇ ଏମାନଙ୍କ ମେଳକୁ ଆସିନାହିଁ, ହିତବାଣୀ ଶୁଣାଇବାକୁ ଆସିନାହିଁ । ଏମାନଙ୍କୁ ମିତ୍ର ବୌଲି ଜାଣି ମିତ୍ରଟିଏ ହୋଇ ହିଁ ଆସଛି । ଏବଂ, ବିହ୍ଵଳତା ଏବଂ ସହଜପ୍ରମତ୍ତତା ସେପାଖକୁ ଯେ ଅନୁଭବ କରିବାର ଏବଂ ଅନ୍ତର୍ଗତ କରିନେବାର ଆହୁରି ଅନ୍ୟ ସମ୍ଭାବନାଟିଏ ସାହିତ୍ୟରେ ତଥା ଆମ ଜୀବନ ଭିତରେ ରହିଛି, ସର୍ବୋପରି ତାହାରି ଇସାରାଟିଏ ଦେଇ ଯାଉଥାନ୍ତା ।

 

ସାହିତ୍ୟରେ ଆଗ୍ରହଗୁଡ଼ିକ ଯେପରି ଥାକ ଥାକ, ସାହିତ୍ୟର ଫଳଶ୍ରୁତି ମଧ୍ୟ ସେହିପରି ଥାକ ଥାକ । କେଉଁଟି ପ୍ରକୃତରେ କିପରି ଆବେଦନ ସହିତ ଆମର ଗ୍ରହଣଦ୍ଵାର ଗୁଡ଼ିକୁ ଉଖାରି ଦେଉଛି ଓ ସଚଳ କରିଦେଇ ପାରୁଛି, ଏହି କ୍ଷେତ୍ରରେ ଅସଲ ମୀମାଂସାଟି ସମ୍ଭବତଃ ସେହିଠାରେ ଯାଇ ରହିଛି । ଯେକୌଣସି ସାହିତ୍ୟର ସର୍ବପ୍ରାଥମିକ କାର୍ଯ୍ୟଟି ହେଉଛି ଏକ ବିରେଚକର କାର୍ଯ୍ୟ । କବିତା, ଗପ ବା ପ୍ରବନ୍ଧଟିଏ ଲେଖିଲେ ଅନ୍ତତଃ ସେହି ସମୟଟି ସକାଶେ କେଡ଼େ ହାଲୁକା ଲାଗେ, ହାଲୁକା ଲାଗୁଥିବାରୁ ଖୁସି ମଧ୍ୟ ଲାଗେ ସାହିତ୍ୟର ପାଠକ ମଧ୍ୟ କମ୍‌ ହାଲୁକା ଅନୁଭବ କରେନାହିଁ-। ସମ୍ଭବତଃ ସେଇଥି ସକାଶେ ମନୋରଞ୍ଜନ ଓ ଚିତ୍ତବିନୋଦନକୁ ବହୁ ବ୍ୟକ୍ତି ସାହିତ୍ୟର ଉଦ୍ଦେଶ୍ୟ ବୋଲି କହିଛନ୍ତି । ସଂସାରଟା ଅର୍ଥାତ୍‍ ଜୀବନଟା କୁଆଡ଼େ ବୋଝ ପରି ଆମକୁ ମାଡ଼ି ବସିଥାଏ ଓ ସାହିତ୍ୟ ଲେଖି ଅଥବା ସାହିତ୍ୟ ପାଠକରି ଆମର ସେହି ବୋଝଟି କିୟଦଂଶ ପରିମାଣରେ ହାଲୁକା ହୋଇଗଲା ପରି ଅନୁଭବ ହୁଏ । ପୃଥିବୀରେ ଅଧିକ ସଂଖ୍ୟକ ମଣିଷ ସାହିତ୍ୟକୁ ଏକ ବିରେଚକ ରୂପେ ବ୍ୟବହାର କରିଥାନ୍ତି ଏବଂ ଉପକୃତ ହୁଅନ୍ତି । ଏତିକି ମଧ୍ୟରେ ହିଁ ଯାବତୀୟ ସାହିତ୍ୟ ସୃଜନ ଓ ସାହିତ୍ୟ ପଠନକୁ ସୀମାବଦ୍ଧ କରିଥିଲେ ମନୁଷ୍ୟମାନେ ସବାଆଗ ଗପ ଓ ଉପନ୍ୟାସକୁ ଲୋଡ଼ନ୍ତି । କେତେକ କିସମର କବିତାକୁ ହୁଏତ ଲୋଡ଼ନ୍ତି, ମାତ୍ର ପ୍ରବନ୍ଧକୁ ହାତେ ଦୂରରେ ରଖିଥାନ୍ତି । ହାଲୁକା ହେବାକୁ କେହି ପ୍ରବନ୍ଧ ଲେଖିବାକୁ ପଢ଼ିବାକୁ ମନକରନ୍ତି ନାହିଁ-। ହୁଏତ ସେଇଥି ଲାଗି ଗୋଟିଏ ଗୋଟିଏ ଭାଷାରେ କବିତା ଓ ଗପମାନେ ମାଛ ବଉଳିଥି‌ବା ପରି ସାହିତ୍ୟର ପୋଖରୀଟା ଭିତରେ ପହଁରିବାରେ ଲାଗିଥାନ୍ତି ସିନା, ମାତ୍ର ପ୍ରବନ୍ଧ ପାଇଁ ଇଚ୍ଛାକରନ୍ତି ନାହିଁ । ସଚେତନ ଭାବରେ ଯେଉଁମାନେ ସାହିତ୍ୟ ସହିତ, ଜୀବନ ସହିତ ଏବଂ ଜୀବନର ସନ୍ତକ ବହନ କରିଥିବା ଏହି ଯାବତୀୟ ସମ୍ବନ୍ଧଗୁଡ଼ିକ ସହିତ ଜାଣିଶୁଣି ଛନ୍ଦି ହୋଇ ରହିବାକୁ ଏକ ଅନୁରାଗ ରଖିଥାନ୍ତି, ସମ୍ଭବତଃ ସେଇମାନେ ସାହିତ୍ୟ ଭିତରେ ପ୍ରବନ୍ଧକୁ ମନକରନ୍ତି-। ଏହି ପୃଥିବୀର ଦୁର୍ଭାଗ୍ୟ ଯେ ଏଠି ଅଧିକାଂଶ ମଣିଷ ସତେଅବା ବାଧ୍ୟ ହୋଇ ଜୀବନଟିଏ ବଞ୍ଚୁଥାଆନ୍ତି-। ବାଧ୍ୟ ହୋଇ ସମ୍ବନ୍ଧମାନ ଯୋଡ଼ିଥାନ୍ତି – ସେଇମାନେ ହିଁ ଅନ୍ତତଃ କିଛି ମୁହୂର୍ତ୍ତ ହାଲୁକା ହୋଇଯିବା ସକାଶେ ହିଁ ସାହିତ୍ୟ ଲେଖନ୍ତି ଅଥବା ପଠନ କରିଥାନ୍ତି ।

 

ତେଣୁ, ଯାହାର ସଉଦା ଯେତିକି ଯାଏ, ଫଳଶ୍ରୁତି କହିଲେ ସିଏ ଅନେକତଃ ସେତିକିକୁ ହିଁ ବୁଝିବ । ଏଠି ଆମ ଦେଶରେ ଓ ଆମ ସମାଜରେ ଅଧିକ ମଣିଷ ସାହିତ୍ୟର ବାହାରେ ହିଁ ରହିଛନ୍ତି । ଆମ ସମାଜର ଓଳମଗୁଡ଼ାକୁ ସତେଅବା କୋଉ ବିଶ୍ଵକର୍ମାର କୌଶଳରେ ଏପରି କର୍କଶ ଭାବରେ ବାନ୍ଧି ଦିଆଯାଇଛି ଯେ, ଏଠି ସବୁ ମଣିଷଙ୍କୁ ଏକାଠି ଗୋଟିଏ କଳ୍ପନା ଭିତରେ ସମ୍ଭାରି ଧରି ଆମେ ଆଦୌ କୌଣସି ଜୀବନର ଚିତ୍ର ଆଙ୍କିବାକୁ ସତେଅବା ଭାରି ଭୟ କରୁଛୁ । ସମସ୍ତେ ଯଦି ଏକାଠି ଥାଆନ୍ତେ ଅର୍ଥାତ୍ ବର୍ତ୍ତମାନର ବଞ୍ଚିତମାନେ ଯଦି ଆମ ସହିତ ରହିଥାଆନ୍ତେ, ଅଣ୍ଟା ସିଧାକରି ଛିଡ଼ା ହୋଇପାରୁଥାନ୍ତେ ଓ ଆଖି ସିଧା କରି ନିଜ ବାହାରକୁ ତଥା ନିଜ ଭିତରକୁ ଅନାଇ ପାରୁଥାନ୍ତେ ତେବେ ଆମ ସାହିତ୍ୟର ସୁରତଶକଲଟା ପ୍ରକୃତରେ କିପରି ହୋଇଥାନ୍ତା ? ଭଲ ଓ ମନ୍ଦ ଏବଂ ସୁସ୍ଥ ଓ ଅସୁସ୍ଥ ବିଷୟରେ ଆମର ସଂଜ୍ଞାଗୁଡ଼ିକ ମଧ୍ୟ କିପରି ହୋଇଥାନ୍ତେ ? ସେତେବେଳେ ସ୍ନେହ, ପ୍ରେମ, ଅଭ୍ୟୁଦୟ ଏବଂ ଜୀବନନୀତି କହିଲେ ଆମେ ହୁଏତ କେତେ ଅନ୍ୟପ୍ରକାରେ ବୁଝୁଥାନ୍ତୁ । ଆମର ଧର୍ମ, ଆମର ଠାକୁରମାନେ, ନ୍ୟାୟ ଏବଂ ବିବେକ ସମ୍ବନ୍ଧରେ ଆମର ଯାବତୀୟ ଭାବନା ଏବଂ ବିଚାରଣା ମଧ୍ୟ ଭାରି ନିଆରା ପ୍ରକାରର ହୁଅନ୍ତା । ବିହ୍ଵଳ ମଣିଷମାନେ ହୁଏତ ଏସବୁ କଥା ଭିତରେ ମୁଣ୍ଡ ପୂରାଇବାକୁ ଆଦୌ ଫୁରୁସତ ପାଇବେ ନାହିଁ । ମାତ୍ର ପ୍ରବନ୍ଧଟିଏ ଲେଖି ବସିବାବେଳକୁ ତୁମକୁ ସବାଆଗେ ଏହିସବୁ ଅଡ଼ୁଆ ଭିତରେ ପଶିବାକୁ ହିଁ ପଡ଼ିବ । ଏବର ସମାଜରେ ଓ ଏବର ତଦନୁରୂପ ଅନ୍ଦାଜଗୁଡ଼ିକ ମଧ୍ୟରେ ଯେତେ ଯାହା କବିତା, ଗଳ୍ପ, ନାଟକ କିମ୍ବା ଉପନ୍ୟାସଗୁଡ଼ିକ ଲେଖା ହେଉଛି, ସେଗୁଡ଼ିକ ପ୍ରାୟ ନିପାତନସିଦ୍ଧ ଭାବରେ ସେଇ ଏବର ଖଣ୍ଡିଆଗୁଡ଼ିକ ଭିତରେ ଆପଣାକୁ ପ୍ରସୀମିତ କରି ରଖିନାହାନ୍ତି କି ସେମାନେ ଆଉ ଆମକୁ ସେତିକି ଭିତରେ କିଛି ରଖିବାକୁ ଉଦ୍ୟୋଗ କରୁଛନ୍ତି କି ? ଏବଂ, ସର୍ବୋପରି ସେହି କିଳି ହୋଇ ରହିବାଟା ହିଁ ଆଧୁନିକ ସାହିତ୍ୟ ଏବଂ ଆଧୁନିକ ଚେତନାର ବାଟରେ ସବୁଠାରୁ ବଡ଼ ଅସୁସ୍ଥତା ହୋଇ ଛିଡ଼ା ହୋଇନାହିଁ କି ? ପ୍ରବନ୍ଧଟିଏ ସବାଆଗ ଏହିଗୁଡ଼ିକ ବିଷୟରେ ପ୍ରଶ୍ନ କରିବାକୁ ମନକରିବ ଏବଂ ସମସ୍ତେ ତଥାକଥିତ ସୃଜନାତ୍ମକ ଭିତରେ ଲୋସଡ଼ି ପଡ଼ିଥିବା ସମୟରେ ପ୍ରବନ୍ଧ ଏହିସବୁ ଅଡ଼ୁଆଗୁଡ଼ିକୁ ଆଣି ଆଗରେ ରଖିଯିବ । ପ୍ରବନ୍ଧର ସବୁଠାରୁ ବଡ଼ ଗୌରବ ହେଉଛି ଯେ ତୁମେ ତାକୁ ଆଦୌ ଅଳପ ଭିତରେ ସାଧ୍ୟ କରି ରଖିପାରିବ ନାହିଁ ।

 

ଗପ, କବିତା, ନାଟକ ଏବଂ ଉପନ୍ୟାସ ଆଦି ଗୁରୁଜନମାନେ ପ୍ରବନ୍ଧକୁ ଚଗଲା ନହେବାକୁ ଓ ଅଭ୍ୟସ୍ତ ହିତର ଗୁଳାଗୁଡ଼ିକ ମଧ୍ୟରେ ହାଲୁକା ହୋଇ ରହିବାକୁ କେତେ ପରାମର୍ଶ ଦେବେ ସତ, ମାତ୍ର ପ୍ରବନ୍ଧ ନିଜର ଧର୍ମଟିକୁ ଅନୁସରଣ କରିବ ହିଁ କରିବ । ତୁଛା ବଗୁଲିଆଙ୍କ ପରି ସିଏ ନପଡ଼ିଥିବା କଥାଗୁଡ଼ିକୁ ଆଣି ପକାଇବ ଏବଂ ବିକ୍ଷୋଭ ସୃଷ୍ଟି କରାଇବ । ବିକ୍ଷୋଭ ପରବର୍ତ୍ତୀ ଉତ୍ତୋଳନଗୁଡ଼ିକ ପାଇଁ ଖୋରାକ ଆଣି ଯୋଗାଇଦେବ । କବିତା, ଗଳ୍ପ ଉପନ୍ୟାସାଦି କ'ଣ ସେହି ବିକ୍ଷୋଭ ସୃଷ୍ଟି କରାଇପାରନ୍ତେ ନାହିଁ ? ଅବଶ୍ୟ ପାରନ୍ତେ । କବିଟିଏ ତଥା ଗଳ୍ପ ଲେଖକଟିଏ ସେତିକି ପ୍ରସ୍ଥ ଦେଇ ଜୀବନକୁ ଆଘ୍ରାଣ କରି ପାରୁଥିଲେ ତାହା ଅବଶ୍ୟ ସମ୍ଭବ ହୋଇପାରନ୍ତା । ମାତ୍ର, ବିଶ୍ଵାସାହିତ୍ୟର ଅଧିକାଂଶ ନଜିର ଭିତରୁ ଆମେ ସେହି ଘଟଣାଟି ଘଟିଥିବାର ସେତେ ବେଶି ଦେଖିବାକୁ ପାଉନାହିଁ କାହିଁକି କେଜାଣି ? ସମ୍ଭବତଃ ତାହାର ଗୋଟିଏ କାରଣ ହୋଇପାରେ ଯେ, କବିତା ଓ ଗଳ୍ପ ପ୍ରଭୃତିର ଗଢ଼ଣଟା ଏପରି ହୋଇଥାଏ ଯେ, ସେଥିରେ ସିଧା କହିବାବେଳକୁ ତଥାପି ଏକ ତଥାକଥିତ କଳାତ୍ମକତା’ର ଅନୁରୋଧରେ ସବୁ ବଙ୍କା ହୋଇଯାଏ । ରସ, ଛନ୍ଦ, ଅଳଙ୍କାର ଏବଂ ଶୈଳୀମାନେ ସେଗୁଡ଼ିକୁ ଫୁସୁଲାଇ ସତେଅବା ଆଉ କୁଆଡ଼େ ନେଇଯାଆନ୍ତି । ସାହିତ୍ୟରେ ସବୁକିଛି କଥା ସିଧା କରି କହି ହେଉନଥିଲା ଓ ସବୁକିଛି ବାର୍ତ୍ତା ସିଧା କରି ଦେଇ ହେଉନଥଲା ବୋଲି ସେହି ଅଭାବଟିର ସମାଧାନ କରି ଏକଦା ପ୍ରବନ୍ଧର ଆବିର୍ଭାବ ହୋଇଥିଲା ବୋଲି ବହୁତ ସମୀଚୀନତା ସହିତ ଅବଶ୍ୟ କୁହାଯାଇ ପାରିବ । ପଦ୍ୟ ଓ ପଦ୍ୟକାରିତା ଦ୍ଵାରା ଯେପରି ସବୁକଥା କୁହାହୋଇ ପାରୁନାହିଁ ବୋଲି ଉପଲବ୍ଧିଟିଏ ହେବାରୁ ସାହିତ୍ୟ ଭିତରକୁ ଏକଦା ଗଦ୍ୟ ଆସିବା ଆବଶ୍ୟକ ହେଲା, ଇଏ ହୁଏତ ଠିକ୍‍ ସେହିପରି ଗୋଟିଏ ବ୍ୟାପାର ହୋଇଥିବ । କବିତାରେ ଶବ୍ଦଗୁଡ଼ିକୁ ଖୋଜୁ ଖୋଜୁ ଏବଂ ସେଗୁଡ଼ିକୁ ଏକ ନିର୍ବାଚିତ ଗଢ଼ଣଶୈଳୀରେ ନେଇ ପକାଉ ପକାଉ ଅଭିବ୍ୟକ୍ତିର କ୍ଷେତ୍ରରେ ସମ୍ଭବତଃ କେଉଁଠାରେ କ'ଣ ଶ୍ଳଥନ ଘଟିଯାଏ କେଜାଣି, ଯାହା କହିବାର କଥା ତାହା କହି ହୁଏ ନାହିଁ । ଗଳ୍ପ ଓ ଉପନ୍ୟାସରେ ମଧ୍ୟ ଶୈଳୀମାନେ ଜଣେ ଲେଖକକୁ କମ୍‌ ହୁନ୍ଦର କରି ମାଡ଼ି ବସିନଥାନ୍ତି । ସଜାଇ କହିବା ପାଇଁ ନିଜର କର୍ତ୍ତବ୍ୟଟା ବିଷୟରେ ସତର୍କ ଏବଂ ଅନୁଗତ ରହିବା ଦ୍ଵାରା ଅସଲ କହିବାଟା ଯେ କେତେବେଳେ କେତେ ସାଲିଶ୍‌ ଭିତରେ ବନ୍ଧା ପଡ଼ି ରହିଯାଏ, ଲେଖକମାନେ ସ୍ଵୟଂ ସେକଥା ଜାଣି ପାରନ୍ତିନାହିଁ । ତେଣୁ ଅସଲ ବକ୍ତବ୍ୟଗୁଡ଼ିକ ଗଣ୍ଠିଗଣ୍ଠିକିଆ ହୋଇଯାଏ । ଭାରି ସୁନ୍ଦର ଶୁଭେ ଓ ଭାରି ସୁନ୍ଦର ଦିଶେ, କେଡ଼େ ମୋହକ ପରିବେଶଟିଏ ସୃଷ୍ଟି କରିଆଣିଲା ପରି ମନେ ହେଉଥାଏ ଏବଂ ତେଣେ, ଅଭିବ୍ୟକ୍ତି ଗୁଡ଼ିକର ଅସଲ ଘରମାନଙ୍କରେ ସତେଅବା ଗୋଟା, ବେତାଳ ହିଁ ବିକ୍ରମର କାନ୍ଧରେ ଯାଇ ବସି ରହିଥାଏ ।

 

ପ୍ରବନ୍ଧ ଲେଖୁଥିବା ସମୟରେ ସୌଭାଗ୍ୟବଶତଃ କୌଣସି ଦେବତାଙ୍କର ଉପ୍ରୋଧଗୁଡ଼ାକୁ ସହିବାକୁ ପଡ଼ିନଥାଏ । ଜଣେ ପ୍ରବନ୍ଧକାର ଯାହାକୁ ସତ୍ୟ ବୋଲି ନିଜ ଭିତରକୁ ସ୍ଵୀକାର କରି ନେଇଥାଏ ଓ ଯାହାକୁ ସିଏ ନିଜ ଜୀବନରେ ମଧ୍ୟା ମୀମାଂସକ ପରମ ସହଚର ବୋଲି ଗ୍ରହଣ କରିଥାଏ, ସେଇ ମଙ୍ଗ ଧରି ବସେ ଏବଂ ପ୍ରବନ୍ଧକାର କାତ ଧରି ଅଭିବ୍ୟକ୍ତିର ଡଙ୍ଗାଟିକୁ ପ୍ରାୟ ସ୍ଥିର ଶାନ୍ତ ଭାବରେ ବାହିବାକୁ ଆରମ୍ଭ କରେ । ଗଦ୍ୟ ବ୍ୟତୀତ ଆଉ କିଛିହେଲେ ତା'ର ସେଇ ଆତ୍ମଉପସ୍ଥାପନାର ପ୍ରକ୍ରିୟାରେ ସମ୍ଭବ ହୋଇପାରନ୍ତା ନାହିଁ । କାନ୍ଧ ଉପରେ ବସିଥିବା ବେତାଳଟା ଉପରେ ବାବୁ ବିକ୍ରମଙ୍କର ପ୍ରାୟ କୌଣସି ଅକ୍ତିଆର ନଥାଏ ବୋଲି ସିଏ ଲେଖୁଥିବା ସାହିତ୍ୟ ବଡ଼ ପୀଡ଼ାଦାୟକ ଭାବରେ ଅବୋଧ୍ୟ ହୋଇଥାଏ । ଏବର କବିତା ଅବୋଧ୍ୟ ହେଉଛି ବୋଲି ହେଉଥିବା ପାଠକୀୟ ଅଭିଯୋଗଟିର ସମ୍ମୁଖରେ କବିମାନେ ଯେତେ ତୋଡ଼ ଦେଖାଇ ଯେତେ ଯାହା କୈଫିୟତ ଦେଉଥିଲେ ମଧ୍ୟ, ସେହି ଗୋଟିଏ ମାତ୍ର ସତକଥା ହେଉଛି ଯେ, ସେମାନେ ନିଜ ଉପରେ ବସାଇଥିବା ବେତାଳକୁ ଅକ୍ତିଆର ଭିତରକୁ ଆଣିପାରି ନଥାନ୍ତି, ତେଣୁ କେତେକେତେ କୁଣ୍ଠାର କୁହୁଡ଼ି ପହଁରିବାରେ ଲାଗିଥାନ୍ତି ଏବଂ ସେହି କାରଣରୁ ନିଜର କଲମ ସେମାନଙ୍କ ତରଫର ହୋଇ ଯାହାସବୁ ଲେଖିଯାଉଛି, ସେଗୁଡ଼ିକ ସେମାନଙ୍କର ନିଜ ପାଖରେ ମଧ୍ୟ ଅବୋଧ୍ୟ ହୋଇ ରହିଛି । ସତ୍ୟଟିକୁ ସିଧା ନଦେଖି ପାରୁଥିଲେ ଅର୍ଥାତ୍ ସତ୍ୟଟି ନିଜର ଜୀବନକୁ ସତକୁ ସତ ସକ୍ରିୟ ଭାବରେ ଛୁଇଁ କରି ନ ରହିଥିଲେ, ସେହି ସତ୍ୟକୁ ଶବ୍ଦ ଦେଇ ବ୍ୟସ୍ତ କଲେ ମୁଁ ଅବୋଧ୍ୟ ନହୋଇ ଆଉ କ'ଣ ହେବି ? ଏବଂ, ମୋ ଦାଣ୍ଡରୁ ସାଉଁଟି ଆଣିଥିବା ଯାବତୀୟ ଆଳଙ୍କାରିତା ଓ ଚିତ୍ରକଳ୍ପ– ବିଦ୍ୟା ବ୍ୟାପାରଟାକୁ ହୁଏତ ଆହୁରି କୁହେଳିକାଯୁକ୍ତ କରି ରଖିବାରେ ସହାୟତା କରୁଥିବ ଓ ମୋତେ ମୋ ପାଖରେ ଭୁରୁଡ଼ାଇ ରଖିଥିବ । ସାହିତ୍ୟର ବିଧାତାଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ପ୍ରବନ୍ଧ ନାମକ ଏହି ସ୍ଵତନ୍ତ୍ର ବର୍ଗଟି ଆମ ଆକଳନ ଭିତରକୁ ଆସିଲା, ଆମକୁ ତା' ପାଇଁ ଯୋଗ୍ୟ କରିନେଲା । ଏବଂ, ଆମ ଆଧୁନିକ ପୃଥିବୀ ତଥା ସେଥିରୁ ଜନ୍ମଲାଭ କରିଥିବା ଏହି ଆଧୁନିକ ସମୟଟିକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେ ତାହା ପ୍ରବନ୍ଧଲାଗି ଉପଯୁକ୍ତ ଆହ୍ଵାନଗୁଡ଼ିକୁ ଆଣି ଯୋଗାଇଦେଲା ଏବଂ ପ୍ରାୟ ଏକାବେଳେକେ ଗୋଟିଏ ନୂତନ ଭାବସମ୍ବନ୍ଧିତ ସକଳାଙ୍ଗ ପରିବେଶ ମଧ୍ୟକୁ ଆମକୁ ଅବତୀର୍ଣ୍ଣ କରାଇ ଆଣିପାରିଲା ।

 

ପୃଥିବୀରେ ବେତା ବେତା ତଥ୍ୟ ରହିଛି ଏବଂ ହାତ ବଢ଼ାଇଦେବା ମାତ୍ରକେ ତୁମେ ସେଥିରୁ ନିଜ କାମରେ ଲଗାଇ ପାରିବା ସକାଶେ ବୋଝ ବୋଝ ବୋହିଆଣି ପାରିବ । ପ୍ରବନ୍ଧ ଭିତରେ ତଥ୍ୟ ଅବଶ୍ୟ ରହିବ, ମାତ୍ର ଗୁଡ଼ାଏ ତଥ୍ୟର ସମାହାର ଜରିଦେବା ଦ୍ଵାରା ତୁମର ପ୍ରବନ୍ଧଟି ଯେ ଅଧିକ ସତ୍ୟର ବାହକ ହେବ, ସେକଥା ଆଦୌ ଠିକ୍‌ ନୁହେଁ । ବରଂ, ଠିକ୍ ଓଲଟାଟାକୁ ହିଁ ପ୍ରକୃତ କଥା ବୋଲି କୁହାଯିବ । ତୁମ ଜୀବନରେ ତୁମେ ଯଦି ଅଙ୍ଗେ ନିଭାଇ, ଅର୍ଥାତ୍ ନିଜେ ଖୋଜି ଓ ନିଜେ ସଂଗ୍ରହ କରି ସତ୍ୟଟିଏ ପାଇଥିବ, ତେବେ ଯାଇ ତୁମେ ଅନୁରୂପ ତଥ୍ୟଗୁଡ଼ିକୁ ମଧ୍ୟ କାମରେ ଲଗାଇପାରିବ । ସତ୍ୟ ମୁତାବକ ହିଁ ତଥ୍ୟ ତଥ୍ୟର ଗୋଟିଏ ଉଚ୍ଚସ୍ତୂପ ଭିତରୁ ଯେ ସତ୍ୟ ଆପେ ବାହାରି ଆସିପାରିବ, ତାହା ମୋଟେ ଠିକ୍‌ ନୁହେଁ । ସେହି କାରଣରୁ ହିଁ ଖାଲି ପଣ୍ଡିତମାନେ ପ୍ରବନ୍ଧ ଲେଖିବା ସମୟରେ ନିଜକୁ ବଡ଼ ଅକୁଶଳ ବୋଲି ପ୍ରତପାଦିତ କରି ଦେଇଥାନ୍ତି । ବହିମାନଙ୍କରୁ ଟିପା ହୋଇ ଭରଣ ଭରଣ ତଥ୍ୟ ଖାତାରେ ଭରି ହୋଇ ରହିଥାଏ ଓ ପାଦଟୀକାଟା ତାହାରି ଦାଉରେ କେଡ଼େ ଦୀର୍ଘ ହୋଇ ରହିଥାଏ ସିନା, ତଥାପି ତୁମର ପ୍ରସ୍ତୁତ ପ୍ରବନ୍ଧଟି ହୁଏତ କୌଣସି ସତ୍ୟର ପରିଚୟ ଦେଇପାରେ ନାହିଁ । ଜୀବନ ସହିତ, ପୃଥିବୀ ସହିତ ତଥା ଆମରି ଭିତରେ ରହି ଆମକୁ ଧାତ୍ରୀ ପରି ଘଷି ମାଜି ନେଉଥିବା ଆମ ଦୋସରଟି ସହିତ ନିରନ୍ତର କଥୋପକଥନ ଦ୍ୱାରା ଆମେ ଯେଉଁସବୁ ଜୀବନସତ୍ୟରେ ଉପନୀତ ହୋଇଥାଉ, ସେହିଗୁଡ଼ିକ ହିଁ ଏକ ପ୍ରବନ୍ଧ ରଚନା କରିବା ସମୟରେ ମୁଖ୍ୟ ମୀମାଂସକ ହୋଇ କାର୍ଯ୍ୟ କରନ୍ତି ଏବଂ ଆମେ ଲେଖୁଥିବା ପ୍ରତ୍ୟେକଟି ବାକ୍ୟକୁ ଏକ ନିର୍ଦ୍ଦିଷ୍ଟ ଅର୍ଥ ଆଣି ଦିଅନ୍ତି । ଏବଂ, ସେହି ଅର୍ଥଟିକୁ ଅଧିକରୁ ଅଧୁକ ସଳଖ ଏବଂ ପ୍ରାଞ୍ଜଳ ଭାବରେ ପ୍ରକଟ କରିପାରିବା ନିମନ୍ତେ ଆମେ ସଂଗୃହୀତ ତଥ୍ୟଗୁଡ଼ିକୁ ସଂବଳକ ରୂପେ ବ୍ୟବହାର କରିଥାଉ । ଅନେକେ ଥାଆନ୍ତି, ଯେଉଁମାନେ ଯେତିକି ପାଇଥାନ୍ତି ବା ପାଇଛନ୍ତି ବୋଲି ଭ୍ରମ କରୁଥାନ୍ତି, ସେମାନେ ବଡ଼ ଟାଉଟାଉ ହୋଇ ସେତିକିକୁ ସବୁଯାକ ସତ୍ୟ ବୋଲି କେଡ଼େ ଦମ୍ଭରେ ଘୋଷଣା କରନ୍ତି ଓ ଆମ ସମସ୍ତଙ୍କୁ ଗିଳି ପକାଇବେ ବୋଲି ଦିଗ୍‌ବିଜୟରେ ବାହାରି ଥାଆନ୍ତି । ସେମାନେ ସାହିତ୍ୟ ଭିତରେ ବି ଥାଆନ୍ତି । ପ୍ରବନ୍ଧ ଲେଖିବାକୁ ବି ମନକରନ୍ତି । ସେମାନେ ପ୍ରଚାରକ ହୁଅନ୍ତି, ଭାରି ଅସଦ୍‍ଭାବରେ ତୁମ ଉପରେ ଆସି ଲଦି ହୋଇପଡ଼ନ୍ତି । ଯିଏ ଆଦୌ ଗିଳି ପକାଏ ନାହିଁ ଏବଂ ସତକୁ ସତ ନିଜପାଇଁ ସତ୍ୟଗୁଡ଼ିକର କିଛି ସନ୍ଧାନରେ ବାହାରିଥାଏ, ସିଏ କଦାପି ସେକଥା କରିବ ନାହିଁ । ପୃଥିବୀରେ ଧର୍ମ ସାହିତ୍ୟମାନେ ଅତ୍ୟନ୍ତ ଅଶାଳୀନ ଭାବରେ ଯୁଗ ଯୁଗ ଧରି ତାହା କରି ଆସିଛନ୍ତି । ଏବେ ମଧ୍ୟ ଆମ ପୃଥିବୀରେ ବହୁସଂଖ୍ୟକ ଗୁରୁ ଏଭଳି ରହିଛନ୍ତି, ଯେଉଁମାନେ ସାଧାରଣ ମନୁଷ୍ୟମାନଙ୍କର ସାଧୁତାରୁ ଫାଇଦା ଉଠାଇ ସେମାନଙ୍କୁ ଗିଳି ପକାଇବାର ଅଭିଯାନରେ ବାହାରିଥାଆନ୍ତି । ସେମାନେ ସତ୍ୟପକ୍ଷର ନୁହନ୍ତି । ସେମାନେ କ୍ଷମତା ପକ୍ଷର । ସାହିତ୍ୟ କ୍ଷମତା ପଟେ ନଥାଏ, ସାହିତ୍ୟ କ୍ଷମତାକୁ ଚୁନୌତି ଦିଏ ଏବଂ ପ୍ରବନ୍ଧ ସାହିତ୍ୟର ସେହି କାର୍ଯ୍ୟଟିକୁ ବିଶେଷ ଭାବରେ ସମ୍ପନ୍ନ କରିଥାଏ । ତାହାହିଁ କରି ସବୁଠାରୁ ଅଧିକ ଖୁସି ହୁଏ ।

ପ୍ରବନ୍ଧକାର ଗୁରୁଦୀକ୍ଷା ଦେଇ ଗିଳି ପକାଇବାରେ କୌଣସି ହୃଷ୍ଟତା ଦେଖାଏ ନାହିଁ । ନିଜର ଏକ ଜିଜ୍ଞାସା ନେଇ ସିଏ ସଂସାରକୁ ବାହାରିଥାଏ । ଅନ୍ୟ ଜିଜ୍ଞାସୁମାନଙ୍କୁ ଖୋଜୁଥାଏ । ସମଧର୍ମୀମାନଙ୍କୁ ପାଇଲେ ହିଁ ସବୁଠାରୁ ଅଧିକ ଖୁସି ହୁଏ । ସମ୍ଭବତଃ ତାହାକୁ ହଁ ତା' ଅନ୍ୱେଷଣର ସବାବଡ଼ ଫଳଶ୍ରୁତି ବୋଲି ଅନୁଭବ କରେ । ଏହି ପୃଥିବୀରେ ଯଦି ଗୋଟିଏ ବାଟ ଥାଆନ୍ତା ଓ ସମସ୍ତେ ଗୋଟିଏ ପିତୁଳାକୁ ମଥାନ ଉପରେ ଆଣି ପୂଜା କରୁଥାନ୍ତେ, ତେବେ ପୃଥିବିଟା କ୍ରମେ ବଡ଼ ଦରିଦ୍ର ହୋଇଯାଆନ୍ତା, ଜୀବନକୁ ସ୍ଵର୍ଗୀୟତା’ର ପ୍ରସାର ଆଣି ଦେଉଥି‌ବା ଯାବତୀୟ ଗୁଣ ଏବଂ ଯାବତୀୟ ମୂଲ୍ୟ ପ୍ରକୃତରେ ଭାରି କୃଶ ହୋଇଯାଆନ୍ତେ । ସାହିତ୍ୟ ଭିତରେ ମଧ୍ୟ ବହୁସଂଖ୍ୟକ କବି, ଗଳ୍ପକାର ଓ ଆହୁରି କ'ଣମାନେ ସବୁକାଳେ ରହିଥାଆନ୍ତି,ଯେଉଁମାନେ କି ପୃଥିବୀଟାକୁ ସେହି ଅର୍ଥରେ ଅତ୍ୟନ୍ତ କୃଶ କରିପକାନ୍ତି । ପ୍ରାଚୀନ ଯୁଗର ଗାଡ଼ି ଗାଡ଼ି ସାହିତ୍ୟକୁ ଆମେ ସେହି ବର୍ଗରେ ହିଁ ସୁମାରି କରିପାରିବା । ସମ୍ଭବତଃ ସେଇଥିପାଇଁ ପ୍ରାଚୀନ ସାହିତ୍ୟାଙ୍ଗନ ମାନଙ୍କରେ ପ୍ରବନ୍ଧ ନିମନ୍ତେ ଅନୁକୂଳ ଥାନଟିଏ ସୃଷ୍ଟି ହୋଇ ହିଁ ନଥୁଲା । ସମସ୍ତେ ସବୁକିଛି ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଜାଣିଛନ୍ତି ବୋଲି ହୁଙ୍କାର ଦେଇ କହୁଥିଲେ ଏବଂ ପ୍ରତ୍ୟେକ ମଣିଷ ମଧ୍ୟରେ ଉନ୍ମୋଚନ ନିମନ୍ତେ ଯେ କ'ଣ ଗୋଟିଏ ଅନୁରାଗ ପ୍ରଚ୍ଛନ୍ନ ହୋଇ ରହିଛି, କେହି ତାହାର କଳ୍ପନା କରି ପାରୁନଥିଲେ । ଭଲହେଲା, ଆମର ଏହି ଆଧୁନିକ ସମୟ ଭିତରକୁ ଆସି ଦମ୍ଭୀ ମଣିଷମାନଙ୍କର ସେହି ଟାଣଟା ଭାଙ୍ଗିଗଲା । ଜୀବନଦୃଷ୍ଟି ଅନେକାନ୍ତବାଦୀ ହେଲା । ସାହିତ୍ୟ ଭିତରେ ପ୍ରବନ୍ଧ ହିଁ ସେହି ନୂତନ ଦୃଷ୍ଟିଟିର ଦ୍ୟୋତକ ଏବଂ ପ୍ରେରକ ହୋଇ ରହିବ । ହୁଏତ, ପ୍ରବନ୍ଧ ସେହି ଦୃଷ୍ଟିଟିକୁ ପୁରୋଭାଗରେ ରଖି ଯେତିକି ଯେତିକି ସ୍ଵପ୍ରତିଷ୍ଠ ହେବ, ସେହି ଦୃଷ୍ଟିଟି କବିତା, ଗଳ୍ପ ଏବଂ ଉପନ୍ୟାସ ଆଦି ଭିତରକୁ ମଧ୍ୟ କ୍ରମେ ସେତିକି ସଂକ୍ରମିତ ହୋଇଯିବ । ଏବଂ, ତାହାରି ଫଳରେ ସାହିତ୍ୟ ନିମିତ୍ତ ହୋଇ ମନୁଷ୍ୟକୁ ଏକ ନୂତନ ପ୍ରସ୍ଥର ଉଦବୋଧନ ଦେବ ।

ପ୍ରବନ୍ଧର ଅସଲ ଫଳଶ୍ରୁତି ସେଇଠି । ଚେତନାଗୁଡ଼ିକୁ ଗିଳି ପକାଇ ମନୁଷ୍ୟର ଜୀବନକୁ କୌଣସି ନିର୍ଦ୍ଦିଷ୍ଟ ଗୁଳା ଭିତରେ ଆଣି ସାଧ୍ୟ ଓ ବାଧ୍ୟ କରି ରଖିବା ନୁହେଁ, ପ୍ରତ୍ୟେକ ମନୁଷ୍ୟକୁ ଭିତରେ ଏବଂ ବାହାରେ ଯେଉଁ ମୁକ୍ତି ଓ ଯେଉଁ ଅଭୟ ଉପଲବ୍ଧ ହୋଇପାରିଲେ ସିଏ ନିଜ କେନ୍ଦ୍ରଟିରୁ ବଞ୍ଚି ଶିଖିବ, ନିଜର କେନ୍ଦ୍ରଟି ପାଖରୁ ଖୁସି ହୋଇ ସମଗ୍ର ବିଶ୍ଵ ମଧ୍ୟକୁ ପ୍ରସାରିତ ହୋଇପାରିବ, ଅସୀମ ସମ୍ଭାବନାକୁ ହିଁ ମନୁଷ୍ୟର ଯାବତୀୟ ସମସ୍ୟାର ମୂଳଭୂତ ଉତପ୍ରେରକ ରୂପେ ଆବିଷ୍କାର କରିପାରିବ, ସେହି ମୁକ୍ତି ଏବଂ ସେହି ଅଭୟ ଆଡ଼କୁ ପାଦ ପାଇବାର ସାହସ ତଥା ସଦ୍‍ଭାବନା ଯୋଗାଇଦେବା ହିଁ ଆଗାମୀ ଯୁଗାବ୍ଧିମାନଙ୍କରେ ସାହିତ୍ୟ ପାଇଁ ହୁଏତ ସର୍ବୋଚ୍ଚ ଆହ୍ଵାନରେ ପରିଣତ ହେବାକୁ ଯାଇଛି । ସାହିତ୍ୟର ଏକ କନିଷ୍ଠ ଅଙ୍ଗଜ ରୂପେ ପ୍ରବନ୍ଧ ସେହି କାର୍ଯ୍ୟଟିକୁ ଉତ୍ସର୍ଗୀକୃତ ଭାବରେ କରିବ ଏବଂ ଆପଣା ଔଚିତ୍ୟର ପ୍ରମାଣ ଦେବ । ଯେଉଁମାନେ ଏକ ଅଭ୍ୟସ୍ତ ପାରମ୍ପରିକତା ମଧ୍ୟରେ ବାନ୍ଧିହୋଇ ରହି ସାହିତ୍ୟକୁ ଜୀବନଠାରୁ କ'ଣ ଗୋଟାଏ ଅଲଗା ଉପାଦାନ ଅଥବା ପ୍ରଶମକ ବୋଲି ଭାବୁଛନ୍ତି ସେମାନଙ୍କର ଭ୍ରମଟା ମଧ୍ୟ କ୍ରମେ ପଦାରେ ପଡ଼ିଯିବ । ପାରମ୍ପରିକମାନଙ୍କ ପାଇଁ ସାହିତ୍ୟ ମୁଖ୍ୟତଃ ଜୀବନରୁ ପଳାଇଯିବାର ଅଥବା ଜୀବନକୁ ଏକୁଟିଆ ଭୋଗ କରିବାର ଏକ ଗେହ୍ଲା ସରଞ୍ଜାମ ହୋଇ ଯାହା ରହିଆସିଛି, କ୍ରମେ ଯାବତୀୟ ଅର୍ଥରେ ସେହି ମିଥ୍‌ଟି ଅପସରି ଯିବ । ଜୀବନ ପାଖରେ ପରସ୍ପର ପାଖରେ ପ୍ରତିବଦ୍ଧ ହୋଇ ରହିବା ହିଁ ସେତେବେଳେ ଧରାପୃଷ୍ଠରେ ସବୁଠାରୁ ଅଧିକ ଆକର୍ଷଣକାରୀ ଧର୍ମରୂପେ ସ୍ଵୀକୃତ ହେବ । ଜୀବନ ସହିତ ଅଧିକରୁ ଅଧିକ ନିବିଡ଼ ଭାବରେ ଗୁନ୍ଥା ହୋଇ ରହିବାକୁ ସୁଖ ଏବଂ ବିଶ୍ଵସ୍ତତା’ର ଅସଲ ରହସ୍ୟ ବୋଲି ମାନି ନିଆଯିବ ।

ସେହିପରି ଏକ ଚେତନାର ଆହ୍ଵାନଭୂମି ଆଡ଼କୁ ଆମ ସାହିତ୍ୟକୁ ପ୍ରସ୍ତୁତ ଓ ସମ୍ମତ କରି ନେଇଯିବା ହେଉଛି ପ୍ରବନ୍ଧର ଅସଲ କାର୍ଯ୍ୟ ଓ ଅସଲ ଫଳଶ୍ରୁତି । ପ୍ରବନ୍ଧକାର ସେହି କାର୍ଯ୍ୟଟି ନିମନ୍ତେ ପ୍ରସ୍ତୁତ ହେଉ, ଯୋଗ୍ୟତା ଅର୍ଜନ କରୁ । ସ୍ଥାନୀୟ ଯେକୌଣସି ଭାଷାରେ ତଥା ସ୍ଥାନୀୟ ଯେକୌଣସି ଭୂମିରେ ବିଚରଣ କରୁଥିଲେ ମଧ୍ୟ ପ୍ରବନ୍ଧ ଯେତିକି ଯେତିକି ନିଜର ସେହି ଆହ୍ଵାନଟି ଲାଗି ଯୋଗ୍ୟ ହେବ, ସଂପୃକ୍ତ ନିଜ ସାହିତ୍ୟଟି ନିମନ୍ତେ ତାହା ସେତିକି ପରିଚର୍ଯ୍ୟାରେ ଲାଗିପାରିବ-। ସାହିତ୍ୟକୁ ତଥାକଥିତ ସାହିତ୍ୟର ସଂଜ୍ଞାଗୁଡ଼ିକ ଭିତରୁ ଡିଆଁଇ ନେଇଯିବା ହେଉଛି ପ୍ରବନ୍ଧର ଅସଲ କାର୍ଯ୍ୟ । ଭାଷାର ସୀମା, ସ୍ଥାନର ସୀମା, ପରମ୍ପରାର ସୀମା, ସାହିତ୍ୟର ସମଗ୍ର ଆବେଦନଟି ଉପରେ ଦେଖି ଶିଖିଲେ ଏଗୁଡ଼ିକ ପ୍ରକୃତରେ ଗୋଟିଏ ଗୋଟିଏ ସୀମା-। ସେମାନେ ଲୋଭ ଦେଖାଇବେ, ଏଇଠି ଏତିକି ଭିତରେ ବାନ୍ଧି ରଖିବାକୁ ଭାନୁମତୀ ହୋଇ ଫାଶ ପକାଇବେ-। ପୃଥିବୀଯାକ ସାହିତ୍ୟରେ ସେହି କଥାଟି ହିଁ ଏବେ ମଧ୍ୟ ଅଧିକ ହେଉଛି । ବିଶେଷ କରି ବହୁ ଅସମାନତା ଦ୍ଵାରା ଅନମନୀୟ ହୋଇ ରହିଥିବା ସମାଜଗୁଡ଼ିକରେ ତାହା ଅଧିକ ମାତ୍ରାରେ ହେଉଛି । ପ୍ରବନ୍ଧ ସେହି ସୀମାଗୁଡ଼ିକୁ ଡିଆଁଇ ନେଇଯିବ, ଅସଲ ବନ୍ଧ ପରି ହିଁ କାର୍ଯ୍ୟ କରିବ-

[ଝଙ୍କାର, ୫୧/୪, ୧୯୯୯]

☆☆☆

 

ପ୍ରବନ୍ଧର ପ୍ରଜ୍ଞାୟନ

 

Why write, if this too easy activity of pushing a pen across paper is not given a certain bull-fighting risk and we do not approach dangerous, agile and two horned topics ?

 

–Jose Ortega Y Gasset

 

ଶ୍ରୀଯୁକ୍ତ ଓର୍ଟେଗା ଏକଦା ଇଉରୋପର ସ୍ପେନ ଦେଶରେ ଦର୍ଶନଶାସ୍ତ୍ରର ଅଧ୍ୟାପକ ଥିଲେ । ସେତେବେଳେ ସେହି ଦେଶରେ ଜେନେରାଲିସିମୋ ଫ୍ରାଙ୍କୋଙ୍କର ଏକାଧିପତ୍ୟ ଚାଲିଥିଲା-। ଯେତେବେଳେ ଅନ୍ଧାରମାନେ ମୁନିଆଁ ମୁନିଆଁ ତେଣ୍ଟା ହୋଇ ଲୋକଜୀବନକୁ ଧମକାଇ ମଣ କରିବାରେ ଲାଗିଥାନ୍ତି, ସେତେବେଳେ ଦର୍ଶନ ଶାସ୍ତ୍ରର ଅଧ୍ୟାପନା ଆଦୌ ଏକ ସହଜ ବ୍ୟାପାର ହୋଇ ରହିପାରେ ନାହିଁ । ଏକ ସଚେତନ ଦର୍ଶନଶାସ୍ତ୍ର କଦାପି ଛାତ୍ରମାନଙ୍କୁ ଆବଶ୍ୟକ ରନ୍ଧନଦ୍ରବ୍ୟଗୁଡ଼ିକୁ ଯୋଗାଇ ଦେଇ କୌଣସି ଏକ ପରୀକ୍ଷାର ଭୋଜିସଭାରେ ପେଟେ ପେଟେ ଗିଳାଇବା ନାମକ ଆମର ଅତି ପରିଚିତ ଧନ୍ଦାଟିରେ ମଣ କରାଇ ନିଜର କାମ ସାରି ଦିଏନାହିଁ-। ଦର୍ଶନଶାସ୍ତ୍ର ଏକ ଡାୟଲଗ୍‌ ହୋଇ ରାସ୍ତାକୁ ବାହାରେ, ବିବେକମାନଙ୍କୁ ଆହ୍ଵାନ ଦିଏ ଏବଂ ଜୀବନର ଅସଲ ମହିମାଗୁଡ଼ିକ ବିଷୟରେ ଚେତାଇ ଦେବାକୁ ପଣ କରି ବାହାରେ ପ୍ରତିଷ୍ଠିତ କର୍ତ୍ତୃତ୍ଵଗୁଡ଼ିକ ଆଗରେ ତଥାପି ପ୍ରଶ୍ନଗୁଡ଼ିକର ଉତ୍ଥାପନ କରେ; ସିଏ ସତେଅବା ଜଣେ ମାଟାଡ଼ୋର୍‌ର ପରିଚ୍ଛଦରେ ଷଣ୍ଢଟା ସହିତ ଯୁଦ୍ଧ କରିବାକୁ ବାହାରି ଆସେ । ଲେଖିବା କହିଲେ ସେତେବେଳେ ସତେଅବା ଏକ ଯୁଝିବାକୁ ବୁଝାଉଥାଏ । ଯେଉଁ ଯୁଗାବଧିଟିରେ ଷଣ୍ଢମାନେ ପ୍ରବଳ ହୋଇ ଶିଙ୍ଗ ଦେଖାଇ ମଣିଷ ଉପରେ ଆକ୍ରମଣ କରିବାକୁ ମାଡ଼ି ଆସୁଥାନ୍ତି, ସେତେବେଳେ ଯିଏ ନିମଳ ଚିତ୍ତ-ଆର୍ଦ୍ରକାରୀ ଆନନ୍ଦ ଲାଭ କରିବାର ମତଲବରେ ଲେଖିବାରେ ଓ ଲେଖା ପଢ଼ିବାରେ ଲାଗିଥାଏ, ଆମେ କ'ଣ ଝଅକ ମାରି ସେଇଟାକୁ ହିଁ ଆମର ଏଠି ସାହିତ୍ୟରେ ଆଧୁନିକ ଯୁଗ ବୋଲି କହିବା କି ? ଅତୀତରେ ଆମ ସମାଜଗୁଡ଼ିକରେ ସର୍ପପୂଜା, ଶାସ୍ତାପୂଜା ଓ ଏପରିକି ଚଡ଼କପୂଜାର ଯେଉଁ ଲୋକବିଧାନମାନ ପ୍ରଚଳିତ ଥିଲା, ସେଥିରେ ଆମଠାରୁ ଅଧିକ ବଳବାନ୍ ଗୋଟିଏ କାହାର ପୂଜା କରିବାର ପଦ୍ଧତିଟି ରହି ଆସିଥିଲା । ଆମ ରୀତିଯୁଗର ସାହିତ୍ୟର ସାମନ୍ତ ହିଁ ସେହି ପାରମ୍ପରିକ ଅଭ୍ୟାସଟିର ସିଂହାସନାସୀନ ପ୍ରତୀକର ଭୂମିକା ଗ୍ରହଣ କଲା । ବୀରମୀନଙ୍କୁ ସେକାଳେ କବିମାନେ ଯେପରି ବେଳେବେଳେ ପୁଙ୍ଗବ ବୋଲି ସମ୍ବୋଧିତ କରିଛନ୍ତି, ତାହା ସମ୍ଭବତଃ କେବଳ ଚିତ୍ରକଳ୍ପର ହିଁ ଏକ ବ୍ୟାପାର ନୁହେଁ । ସାମନ୍ତମାନଙ୍କୁ ପୁଙ୍ଗବରୂପେ ପ୍ରତ୍ୟକ୍ଷ କରିବା ଲାଗି ଆମ ଏବର ସମାଜରେ ମଧ୍ୟ କୌଣସି ବାଧା ନାହିଁ ।

 

ଷଣ୍ଢ ସହିତ ଯୁଝି ତା’ ପରାକ୍ରମର ଅବସାନ ଘଟାଇବା ଏବଂ ଷଣ୍ଢକୁ ଆସନରେ ବସାଇ ତାହାର ପ୍ରୀତ୍ୟର୍ଥେ ପ୍ରଶସ୍ତି ଗାନକରିବା– ଦୁଇ ସମ୍ଭାବନା ମଧ୍ୟରେ ଚିରକାଳ ରହିଥିବା ପାର୍ଥକ୍ୟଟି ଅନୁସାରେ ଆମେ ସାହିତ୍ୟକୁ ମଧ୍ୟ ଦୁଇ ପ୍ରକାରର ଭେଦରେ ଦେଖିପାରିବା ଓ କଳିପାରିବା । ସାହିତ୍ୟ ହେଉଛି ପ୍ରଧାନତଃ ଚିତ୍ତବିନୋଦନ ପାଇଁ, ଏହି କଥାଟିକୁ ଯେତେବେଳେ ସାହିତ୍ୟରେ ରମଣ କରୁଥିବା ଶିଷ୍ଟ ଓ ସାମନ୍ତମାନେ ବିଶ୍ଵାସ କରୁଥିଲେ, ସେତେବେଳର ସେମାନଙ୍କୁ ଆମ ଏ ଯୁଗରେ ଥାଇ ଆମେ ମୋଟେ ଗାଳି ଦେବାନାହିଁ ସତ, ମାତ୍ର ସେମାନଙ୍କର ସେହି ବିଶ୍ଵାସଟିକୁ ତଥାପି ଆମ ଏ ଯୁଗରେ ମଧ୍ୟ ପ୍ରାସଙ୍ଗିକ ବୋଲି କହିବାକୁ ମନ କରିବା ନାହିଁ । ସେକାଳେ ସଂପୃକ୍ତ ସେମାନେ ଦେବୀ ସରସ୍ଵତୀ ବୋଲି କହିଲେ ଯାହା ବୁଝୁଥିଲେ, ଏବେ ଆମେ ମଧ୍ୟ ସାହିତ୍ୟର ପ୍ରେରଣାଟିକୁ ସରସ୍ଵତୀ ବୋଲି କହିବା ପଛକେ, କିନ୍ତୁ ତାଙ୍କୁ ସେହି ଆଗର ଅର୍ଥ ସୀମାଟି ଭିତରେ କଦାପି କଳ୍ପନା କରିବା ନିମନ୍ତେ ଚେଷ୍ଟା କରିବା ବି ନାହିଁ । କଳା ଓ ସାହିତ୍ୟର ପ୍ରତିଭାକୁ ସେହି ଆଗଭଳି ଜନ୍ମଦତ୍ତ ବୋଲି ଏବେ କହିବାକୁ ଆମକୁ ସଙ୍କୋଚ ଲାଗିବ । ଆମେ ଚେତନା ନାମକ ଆଉ ଗୋଟିଏ ସମ୍ପତ୍‍କୁ ତାହାର ଅଧିକରୁ ଅ‌ଧିକ ପ୍ରସ୍ଥ ଦେଇ ଲୋଡ଼ିବାକୁ ବରଂ ଅଧିକ ସମୀଚୀନ ବୋଲି ଗ୍ରହଣ କରିବା । ଚେତନାର ସବାମୂଳ ଧର୍ମ ହେଉଛି ସଂପ୍ରସାରିତ ହେବା, ଏକାତ୍ମକତା ଅର୍ଜନ କରିବା, ସତକୁ ସତ ହୃଦୟ ଭିତରେ ଖିଅଟିଏ ଅଥବା ଖିଅଗୁଡ଼ିକୁ ଯୋଡ଼ି, ଲଗାଇ ଓ ଲମ୍ବାଇ ଦେଇ ଅନୁଭବ କରିବା । ସେଥିରୁ ମଧ୍ୟ ଆନନ୍ଦ ମିଳିବ, ମାତ୍ର ତାହା ହେଉଛି ଏକ ଉପଲବ୍ଧିର ଆନନ୍ଦ, ସଖ୍ୟସ୍ଥାପନର ଆନନ୍ଦ ଏବଂ ଅସଲ ସଖ୍ୟସ୍ଥାପନକୁ ଅଙ୍ଗୀକୀରବଦ୍ଧତା ବ୍ୟତୀତ ପ୍ରକୃତରେ ଆଉ ଅନ୍ୟ କ'ଣ କୁହାଯାଇପାରିବ ?

 

ଆଗର ସାହିତ୍ୟ ଘୋଷଣା କରୁଥିଲା, ବିସ୍ମରଣରେ ହିଁ ଆନନ୍ଦ ରହିଛି । ଏବର ସାହିତ୍ୟ କହିବ, ଖିଅ ଲଗାଇବାରେ ହିଁ ଆନନ୍ଦ ରହିଛି । ଖିଅ ଲଗାଇବ, ଅର୍ଥାତ୍‌ ଛନ୍ଦି ହୋଇଯିବ । ସତେଅବା ପୂର୍ଣ୍ଣ ସଚେତନ ଭାବରେ ଅଡ଼ୁଆ ଭିତରେ ପ୍ରବେଶ କରିବ, ମୋଟେ ପଳାଇ ଯିବନାହିଁ-। ପ୍ରାଚୀନ ଭାରତବର୍ଷରେ ଅରଣ୍ୟକୁ ପଳାଇ ଯାଇଥିବା ଲୋକମାନେ ଆମ ବିଦ୍ୟାରେ ରହିଥିବା ସବୁଠାରୁ ଅଧିକ ଅଧ୍ୟାତ୍ମଘନ କଥାଗୁଡ଼ିକ ଏକଦା କହିଥିଲେ ବୋଲି ପ୍ରାୟ ତାହାରି ଫୁସୁଲାରେ ପଡ଼ି ଭାରତବର୍ଷରେ ଏବଯାଏ ମଧ୍ୟ କୌଣସି ନା କୌଣସି ଅର୍ଥରେ ପଳାତକ ଅର୍ଥାତ୍ ବାହାରର ହୋଇ ରହିବାକୁ ତହିଁ ବିଜ୍ଞତା ବୋଲି ବିଶ୍ଵାସ କରାଯାଇ ଆସିଛି କି ? ସଂସାରକୁ ମାୟା ବୋଲି କହିବାର ସେହି ପ୍ରାୟ archetypal ଅଭ୍ୟାସଟି ପାୟ ସେହିଭଳି କୌଣସି ପଳାୟନ- ଶ୍ରଦ୍ଧାରୁ ଜନ୍ମଲାଭ କରିଛି କି ? ଏପରିକି, ଯେଉଁମାନେ ସଂସାରକୁ ଚନ୍ଦନପରି ମଣି ଏଠାରେ ନାକଯାଏ ସେଥିରେ ବୁଡ଼ି ରହିଛନ୍ତି, ସେମାନେ ମଧ୍ୟ ବେଳେବେଳେ କେଡ଼େ ଗଦ୍ ଗଦ୍ ହୋଇ ଜଗତଟାକୁ ଚୁଚ୍ଛା ମାୟା ବୋଲି କହିବାକୁ ଅଥବା ଧର୍ମାତ୍ମା ବୈରାଗୀମାନଙ୍କର ମୁହଁରୁ ଶୁଣିବାକୁ ପ୍ରାୟ ରଙ୍କ ହୋଇ ପଡ଼ୁଛନ୍ତି । ଏବେ ମଧ୍ୟ ଆମ ମିଡ଼ିଆରେ ଖ୍ୟାତି ଅର୍ଜନ କରିଥିବା ମହୀୟାନ ଏବଂ ସିଦ୍ଧ ବିଭୂତିମାନେ ଶିଷ୍ୟମାନଙ୍କର ଅନ୍ୱେଷଣ କରି କିପରି ସଂସାର ଭିତରେ ହିଁ ମସ୍ତ ଓ ମାରଣ-। ହୋଇ ବସିଥିବା ସିଦ୍ଧ ଷଣ୍ଢମାନଙ୍କର ସମୀପରେ ଆସି ପହଞ୍ଚି ଯାଉଛନ୍ତି, ସେଥିରୁ ମଧ୍ୟ ଆମେ: ଆଉ ପ୍ରକାରେ କିଛି ନିଷ୍କର୍ଷ ବାହାର କରିପାରିବା କି ?

 

କବିତା’ର ଖାସ୍‌ ଗହନଟି ହୁଏତ ଏବେ ମଧ୍ୟ ବିନୋଦନର ବେହରଣ ବା ବେହେରାପଣ କରିବାରେ ହିଁ ଲାଗିଛି । ଆଉ କିଛି କରିବା ନାହିଁ ବୋଲି ପଣ କରି ଆମ ଆଧୁନିକ ସାହିତ୍ୟଗଡ଼ଟା ଭିତରେ କବିମାନେ ପ୍ରାୟ ଏକ କ୍ଲାସିକ ବୁଦ୍ଧିମତା ସହିତ ଶୈଳୀ ଭିତରେ ଯାଇ ପଶିଛନ୍ତି । କେତେକ ଖାସ୍‌ କାରଣରୁ ଶୈଳୀ-ଆହରଣର ସେହି ଦନ୍ତଯୁକ୍ତ ପ୍ରକ୍ରିୟାରେ ସାମନ୍ତମାନେ ହିଁ ପ୍ରବର ବନି ଅବରମାନଙ୍କୁ ପଥ ଦେଖାଉଛନ୍ତି । ଖିଅ ଲଗାଇଲେ ସିନା ସେମାନଙ୍କୁ ସାଙ୍ଗ ମିଳନ୍ତେ – ତେଣୁ ସେମାନେ ନିଃସଙ୍ଗତା ନାମକ ଅନ୍ୟ ଏକ ଦେବୀଙ୍କର ଛଳଶରଣ ଭିତରେ ଯାଇ ପଶିଛନ୍ତି । ଆଧୁନିକ ସମୟରେ ପୃଥିବୀଟାକୁ ନିଃସଙ୍ଗତା ଗ୍ରାସ କରି ପକାଇଲା ବୋଲି ହୁରି ପକାଇଛନ୍ତି । ମିଛୁଆ ରାଧୁଆଟାର ତ ହେଲେ ନିଜ ଗାଆଁ ବୋଲି ଚେରଟାଏ ରହିଥିଲା, ମାତ୍ର ଆମ ରାଧିକାପ୍ରସାଦମାନଙ୍କର କୌଣସି ଗାଆଁ ନାହିଁ କିମ୍ବା କୌଣସି ଚେର ନାହିଁ । ଏକଦା ସେମାନେ ଭାଗ୍ୟଲକ୍ଷ୍ମୀମାନଙ୍କୁ ଏକୁଟିଆ ଭୋଗ କରିବେ ବୋଲି ଯେ ସହରକୁ ଆସିଥିଲେ, ତା'ପରେ ଆଉ ଯେଉଁଠାରୁ ଆସିଥିଲେ, ତାହାକୁ ଲୋଡ଼ିବାକୁ ମନ କରିନାହାନ୍ତି । ମଣିଷ ସଙ୍ଗ ଅପେକ୍ଷା ଶବ୍ଦଗୁଡ଼ାକୁ ହୁଏତ ଅଧିକ ମନ କରିଛନ୍ତି । ଧର୍ମତଃ ଆତ୍ମନେପଦୀମାନ ରଚନା କରିଛନ୍ତି, ନିଜର ଏକୁଟିଆ ଡିହଟାକୁ କେଡ଼େ ଛଦ୍ରମରେ ନିଜ ସିଂହାସନ ବୋଲି କହିଛନ୍ତି, ଏକା ଏକା ବାଦଶାହ ବନିଛନ୍ତି । କ୍ରମେ ଗଣମାନେ ବି ଏହି ନୂଆ କବିତା’ର ବନସୀକଣ୍ଟାରେ ଆସି ଧରା ଦେଇଛନ୍ତି । ଚାରିପାଖରେ ଥିବା ଜୀଅନ୍ତା ମଣିଷମାନଙ୍କୁ ସିଧା ନଦେଖି ଶୈଳୀ ମାଧ୍ୟମରେ ଦେଖିବାଟାକୁ ପ୍ରକୃତରେ କେଉଁଭଳି ନାମକରଣ ଦ୍ଵାରା ବୁଝିହେବ କେଜାଣି ? ସମଗ୍ରଟି ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ଭୁରୁଡ଼ାଇ ଦେବି ବୋଲି ମୁଁ ଆଉ ଏହିସବୁ ଯାବତୀୟ ନୂଆ ଶୈଳୀର ଶରଣ ନେଇନାହିଁ ତ ? ସାହିତ୍ୟକୁ ଗୋଟାଏ ଅଲଗା ମାହାଲରୂପେ ଭୋଗ କରିବାକୁ ମନ କରିଥିବା ଗଳ୍ପକାରମାନେ ମଧ୍ୟ କ'ଣ ଭାବି କ୍ରମେ ଶୈଳୀ ମାଧ୍ୟମରେ ମଣିଷମାନଙ୍କୁ ବୁଡ଼ାଇ ଦେବାର ପ୍ରୟାସ କରି ପକାଇଲେ । ସିଧା ନକହିବାର ନୂଆ ଛଳଟା କ୍ରମେ ଉପନ୍ୟାସରେ ବି ଆସି ପଶିଗଲା । ନାଟକମାନେ ତ ଏକାବେଳକେ ସାତସାତଟା କିଆବାଡ଼କୁ ଡେଇଁ ଚାଲିଗଲେ । ସେମାନଙ୍କର ସେହି ନୂତନ ସଣିବନବିଦ୍ୟାର ପ୍ରୟୋଗଟାର ପରିଣାମରେ ନୂଆ ନାଟକର ଯେଉଁ ବହିରାଗତ ଘୋଡ଼ାନାଟମାନ ଆରମ୍ଭ ହେଲା, ତାହାକୁ ଦେଖି ସ୍ଵୟଂ ବୈଷ୍ଣବ ପାଣି ମଧ୍ୟ ଛତ୍ରଭଙ୍ଗ ଦେଇ କୁଆଡ଼େ ପଳାଇଲେ । ତାଙ୍କ ପଳାଇ ଯିବାର ଦେଖି ଆମ ନୂଆମାନେ ପ୍ରକୃତରେ ବଡ଼ ଆଶ୍ଵସ୍ତି ଅନୁଭବ କରିଥ୍‌ବେ । ନୂଆ ମଞ୍ଚରେ ନିରଙ୍କୁଶ ହୋଇ ଶୋଭା ପାଇଥିବେ । କବିତା ଥିଲା, ନୂଆ କବିତା ତାକୁ ଖାଇଗଲା । ଆଗରୁ ଗପ ଓ ନାଟକମାନେ ରହିଥିଲେ, ଆମର ନୂଆଗପ ଓ ନାଟକମାନେ ସେମାନଙ୍କୁ ଖାଇଗଲେ । ଆଗରୁ ପ୍ରବନ୍ଧ ନଥିଲା, ତେଣୁ ଭାରି ଭଲ ହେଲା । କାହାକୁ ଖାଇବାକୁ ହୁଏତ ମନ କରୁଥିଲେ ମଧ୍ୟ ତାକୁ ଖାଇଯିବା ନିମନ୍ତେ ଆଦୌ କିଛି ମିଳିଲା ନାହିଁ । ସାହିତ୍ୟ ଭିତରେ ପ୍ରବନ୍ଧ ବୋଲି ଶବ୍ଦଟିଏ ପ୍ରଚଳିତ ରହିଥିଲା ସତ, ମାତ୍ର ତାହା ଏକାବେଳେକେ ଅନ୍ୟ ଏକ ଅର୍ଥରେ । ଇଂରାଜୀ ସାହିତ୍ୟର Essay ନାମକ ଶବ୍ଦଟିକୁ ଓଡ଼ିଆରେ କାହିଁକି ପ୍ରବନ୍ଧ ବୋଲି କୁହାଗଲା, ତାହାର କାରଣ ଖୋଜିଯିବା ମଧ୍ୟ ବେଶ୍‌ ଆଗ୍ରହୋଦ୍ଦୀପକ ହୋଇପାରେ । ହିନ୍ଦୀ ଭାଷାରେ ପ୍ରବନ୍ଧ ଶବ୍ଦଟି କହିଲେ ଏବେ ମଧ୍ୟ Essay କୁ ବୁଝାଏ ନାହିଁ । ହଁ, ବଙ୍ଗଳା ଭାଷାରେ ବୁଝାଏ । ତେଣୁ, ସମ୍ଭବତଃ ଏକ ଅନୁମାନ କରାଯାଇପାରିବ ଯେ, ଶବ୍ଦଟି ଏହି ନିର୍ଦ୍ଦିଷ୍ଟ ଅର୍ଥଟିକୁ ବହନ କରି ବଙ୍ଗଳା ସାହିତ୍ୟରୁ ଓଡ଼ିଆ ସାହିତ୍ୟକୁ ଆସିଛି । ବିଗତ ଶତାବ୍ଦୀରେ ସାହିତ୍ୟର ବହୁତ ସରଞ୍ଜାମ ଯେପରି ଆସିଛି, ଠିକ୍‌ ସେହିଭଳି । ଏଠି ଓଡ଼ିଆ ସାହିତ୍ୟରେ ପ୍ରଧାନତଃ ଏହି ଉପକୂଳ ଅଞ୍ଚଳରେ ଅତ୍ୟନ୍ତ ସୁସ୍ଥଚେତନ ଭାବରେ ଯାହାକିଛି କର୍ଷଣ ହୋଇଥିଲା, ସେଥିଲାଗି ଲଙ୍ଗଳଗୁଡ଼ିକ ସତେଅବା ସେହି ବଙ୍ଗ ସାହିତ୍ୟରୁ ହିଁ ଏଠାକୁ ଅଣା ଯାଇଥିଲା । ସମ୍ଭବତଃ ଅନ୍ୟପ୍ରକାରେ ହେବାର ପ୍ରଶ୍ନ ହିଁ ନଥିଲା । ଶ୍ରୀଯୁକ୍ତ ବିଶ୍ଵନାଥ କରଙ୍କ ଯାଏ ସେହି ପର୍ଯ୍ୟାୟରେ ଲେଖାହୋଇଥିବା ପ୍ରାୟ ସବୁ ପ୍ରବନ୍ଧର ସମ୍ଭୂତିପ୍ରେରଣାର ସନ୍ଧାନ କରିବାକୁ ଯାଇ ଆମେ ବଙ୍ଗ ସାହିତ୍ୟକୁ ହିଁ ହାତ ବଢ଼ାଇ ଦେଖାଇ ଦେଇପାରିବା । ସେତେବେଳେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଉଭୟ ଭାବରେ ଓଡ଼ିଶାର ନେତୃତ୍ଵ ଏକାଧିକ କାରଣରୁ ବଙ୍ଗଳାକୁ ଇର୍ଷା କରୁଥିଲା ଏବଂ ସେଇଥିପାଇଁ ବଙ୍ଗଳାକୁ ଅନୁକରଣ ମଧ୍ୟ କରୁଥିଲା । ପ୍ରବନ୍ଧର ଦାଣ୍ଡିଧରି ପଣ୍ଡିତ ଗୋପବନ୍ଧୁଙ୍କ ଯାଏ ଆସି ପହଞ୍ଚିଲେ ଯାଇ ଓଡ଼ିଆ ପ୍ରବନ୍ଧର ଏହି ଭୂମିରେ ହିଁ ପ୍ରକୃତରେ କେହି ବାପାମାଆ ଅଛନ୍ତି ବୋଲି ଉପଲବ୍ଧ ହୋଇଥାଏ । ଗୋପବନ୍ଧୁ ଯେ କେବଳ ସାହିତ୍ୟ ଭିତରେ ନଥିଲେ, ସେଇଟାକୁ ସମ୍ଭବତଃ ସେହିପରି ହେବାର ଏକ ବୃହତ୍ କାରଣ ବୋଲି ଅନ୍ଦାଜ ମଧ୍ୟ କରାଯାଇପାରିବ । ପୁନଶ୍ଚ, ଗୋପବନ୍ଧୁ ଅଶାନ୍ତ ଜୀବନ ଭିତରେ ଦଣ୍ଡେ ଶାନ୍ତି ପାଇବାର ଏକ ମାଧ୍ୟମ ରୂପେ ସାହିତ୍ୟକୁ ଆଦୌ ଗ୍ରହଣ କରି ନଥିଲେ । ଜୀବନର ବୃହତ୍‌ ଏବଂ ସମଗ୍ର ଉଦ୍ୟମ ମଧ୍ୟରେ ସେ ସାହିତ୍ୟକୁ ମଧ୍ୟ ଏକ ଅନୁପୂରକ ଅଂଶରୂପେ ଦେଖୁଥିଲେ ।

 

ପଳାଇ ଯିବାକୁ ଇଚ୍ଛା କରୁଥିବା ଜଣେ ବ୍ୟକ୍ତିକୁ ପ୍ରବନ୍ଧ ମୋଟେ ଆରେଇବ ନାହିଁ । ପ୍ରବନ୍ଧ ଲେଖିବା ତ ଆହୁରି ଦୂରର କଥା, ପ୍ରବନ୍ଧ ପଢ଼ିବାଟା ମଧ୍ୟ ତାକୁ ମୋଟେ ସୁଖକର ମନେ ହେବନାହିଁ । ଭାବଟିଏ ଆସି ପହଞ୍ଚିଲା, ମୁଁ ବିଗଳିତ ହୋଇପଡ଼ିଲି, ହୁଏତ ଅଣଅକ୍ତିଆର ହୋଇପଡ଼ିଲି, ତେଣୁ ଏଇଟି ବା ସେଇଟି ଲେଖି ପକାଇଲି ଏବଂ ତାହା ମୋର ଅନ୍ତରର ଏକ ଝଙ୍କାର ବୋଲି ଘୋଷଣା କଲି– ଖୁସି ହେଲି ବା ଉଶ୍ଵାସ ଅନୁଭବ କଲି– ଏହି ଧାରାଟି ପ୍ରବନ୍ଧକୁ ମୋଟେ ପୋଷାଇବ ନାହିଁ । ଏହିପରି ଏକ ଅଭିବ୍ୟକ୍ତି ପ୍ରକ୍ରିୟାକୁ ଯଦି କେହି ଲିରିକ୍ ବୋଲି କୁହନ୍ତି, ତେବେ ପ୍ରବନ୍ଧର ପ୍ରକରଣଟି ମଧ୍ୟରେ ଲିରିକ୍‍ ପାଇଁ ସେତେବେଶି ସ୍ଥାନ ମୋଟେ ରହିବନାହିଁ । ଖାଲି ତଥ୍ୟର କୁଢ଼ କୁଢ଼ ସଂଗ୍ରହ, ତଦ୍ଵାରା ନିଜର ସଂଗ୍ରହ କରିବାର ପରିଚୟ ଦିଆଯାଇ ପାରିବ ସିନା, କିନ୍ତୁ ପ୍ରବନ୍ଧ ବିଚାରର ଗୋଟିଏ ସୋପାନରେ ପହଞ୍ଚି ସେଇଟା ମଧ୍ୟ ଅତ୍ୟନ୍ତ ଗୌଣ ବୋଲି ଅନୁଭୂତ ହେବ । ଅନ୍ୟ ମହାନ୍ ଲେଖକମାନଙ୍କଠାରୁ ଉଦ୍ଧୃତି ପରେ ଉଦ୍ଧୃତି ଦୁହିଁ ଆଣି ପ୍ରବନ୍ଧକୁ ପୃଥୁଳ କରିବାରେ ଅନେକ ସମୟରେ ଯେପରି ଏକ ନିଷ୍ଠାର ପ୍ରଦର୍ଶନ କରାଯାଇଥାଏ, ତାହା ମଧ୍ୟ ପ୍ରବନ୍ଧର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାର ବହୁ ଆଶଙ୍କା ରହିଥାଏ । ପ୍ରଥମେ ପ୍ରଥମେ ପ୍ରବନ୍ଧ ଲେଖୁଥିବା ସମୟରେ ହୁଏତ ଏହି କଥାଟି ବେଶ୍‌ ଆକର୍ଷକ ବୋଧ ହୋଇଥାଏ । ବହୁତ ବହୁତ ପୁସ୍ତକ ପାଠକରି ମୁଁ ଏତେ ଏତେ କଥା ସଂଗ୍ରହ କରିପାରିଛି ବୋଲି ପ୍ରମାଣଟିଏ ଦେବାପାଇଁ ଏକ ପ୍ରଲୋଭନ ଭିତରେ ବସିଥିବା ନୂଆ ଡାଆଣୀଟାକୁ ଭାରି ମାଡ଼ିବସେ ଓ ବିଡ଼ମ୍ୱନରେ ପକାଇଦିଏ । ମାତ୍ର, ଯେତିକି ଯେତିକି ନିଜ ଅଭିବ୍ୟକ୍ତିରେ ଏକ ସାବାଳକତା ସମ୍ଭବ ହୋଇ ଆସୁଥାଏ, ପ୍ରବନ୍ଧକାରର ନିଜର ଗୋଟିଏ ବିଷୟରେ କିଛି କହିବାକୁ ରହିଛି ବୋଲି ପ୍ରତ୍ୟୟଟିଏ ଗଠିତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ରୀତି ବଦଳିଯାଏ, ରୁଚି ବଦଳିଯାଏ ଏବଂ ତେଣୁ ନିଷ୍ଠା ମଧ୍ୟ ବଦଳିଯାଏ । ବସ୍ତୁତଃ, ନିଜର ବୋଲି କିଛି କହିବାକୁ ନଥିଲେ ପ୍ରବନ୍ଧଟିଏ ଲେଖିବାକୁ ମନ ବା କାହିଁକି ହେବ ? କୌଣସି ବିଷୟରେ ଅନ୍ୟମାନେ କ'ଣ କହିଛନ୍ତି, ସେଗୁଡ଼ିକ ସମ୍ବନ୍ଧରେ ଅବଗତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଭିତରେ କୋଉଠି ନିଜର ଚୁଲିଟି ଉପରେ ବି କ'ଣ ସବୁ ରନ୍ଧା ହେବାକୁ ଆରମ୍ଭ କରେ ଏବଂ ପରିଣାମ ସ୍ଵରୂପ ନିଜସ୍ଵ ବ୍ୟଞ୍ଜନଟିଏ ପରଷି ଦେବାକୁ ଭାରି ଶ୍ରଦ୍ଧା ହୁଏ । ଆଗରୁ ଅନ୍ୟମାନେ କରି ଆସିଥିବା ଆଲୋଚନାରେ ଯେ ମୋ ଦ୍ଵାରା କିଞ୍ଚିତ୍ ସଂପ୍ରସାରଣ ସମ୍ଭବ ହୋଇପାରିଲା, ପ୍ରବନ୍ଧକାର ସେଥିରୁ ବହୁତ ଆନନ୍ଦ ପାଏ । କାହାକୁ ପରାସ୍ତ କରିବାକୁ ପଡ଼େ ନାହିଁକ କାହାଁକୁ ଟପିଯାଇ ବାହାଦୂରୀ ନେବାର ମଧ୍ୟ ଆଦୌ କୌଣସି ସ୍ପର୍ଦ୍ଧା ନଥାଏ । ଅନ୍ୟମାନଙ୍କର ମେଳରେ ଯାଇ ବସିବା ନିମନ୍ତେ ଏବଂ ଚର୍ଚ୍ଚାର ସୂତ୍ରଗୂଡ଼ିକୁ କେତୋଟି ନୂଆ ପ୍ରସ୍ଥ ଆଣି ଦେବାକୁ ହିଁ ଏହି କ୍ଷେତ୍ରରେ ସବୁଠାରୁ ବଡ଼ ଶ୍ରେୟ ବୋଲି ମାନିବାକୁ ହୁଏ ।

 

ନିଜର କ'ଣ ବିଶେଷ କଥାଟିଏ କହିବାର ଅଛି ଅଥବା କୌଣସି ଏକ ଚର୍ଚ୍ଚାରେ ନିଜର ଗୋଟିଏ ବିଶେଷ ପ୍ରସ୍ଥ ଯୋଡ଼ିବାର ଅର୍ଥ କଦାପି ନୁହେଁ ଯେ ମୁଁ ନିଜର ମତ ବା ମନ୍ତବ୍ୟଟିକୁ ନେଇ ଅନ୍ୟମାନଙ୍କ ଉପରେ ଲଦିଦେବି । ସତ୍ୟ କେବଳ ଗୋଟିଏ ବୋଲି ଦାବି କରୁଥିବା ଦୁରାଗ୍ରହୀମାନେ କାଳେ କାଳେ ପୃଥିବୀରେ ବହୁ ଅନାଚାରର କାରଣ ହୋଇ ଆସିଛନ୍ତି । ଗୋଟାଏ ଗୋଟାଏ ଧର୍ମ ତ ତରବାରୀ ଧରି ଆପଣାର ଗୁଳାଟା ନିମନ୍ତେ ପୃଥିବୀ ଜୟ କରିବା ସକାଶେ ବାହାରି ପଡ଼ିଛନ୍ତି ଓ ଏଥିରେ ସେମାନଙ୍କର ଭଗବାନଙ୍କର ସମର୍ଥନ ଅଲବତ ରହିଛି ବୋଲି ଦାବି ମଧ୍ୟ କରିଛନ୍ତି । ଇତିହାସରେ ଜଣେ ଜଣେ ଶାସକ ସ୍ଵୟଂ ଗୋଟିଏ ଧର୍ମରେ କୌଣସି କାରଣରୁ ଦୀକ୍ଷିତ ହୋଇଯିବା ପରେ ତମାମ ପ୍ରଜାକୁଳଟାକୁ ମଧ୍ୟ ସେହି ଧର୍ମଟାର ଗାତ ଭିତରକୁ ଟାଣି ହୋଇ ଆସିବାଲାଗି ବାଧ୍ୟ କରିଛନ୍ତି । ପୃଥିବୀରେ ସତ୍ୟର ସଂକ୍ରମଣକୁ ପ୍ରାୟ ଗୋଟାସୁଦ୍ଧା ମାରା କରି ପକାଇଛନ୍ତି । ଆଧୁନିକ ଯୁଗରେ ସତ୍ୟର ବହୁ ପ୍ରସ୍ଥ ଏବଂ ଅବଲୋକନର ବହୁ କୋଣ ଅବଶ୍ୟ ଅଛି ବୋଲି ସ୍ଵୀକୃତ ହୋଇ ଆସିଲାଣି । ସେହି ଦୃଷ୍ଟିରେ ପ୍ରତିନିଧିତ୍ୱ କରି ପାରୁଥିଲେ ହିଁ ପ୍ରବନ୍ଧ ସାହିତ୍ୟର ଚାରଣକ୍ଷେତ୍ରଟି ସୁସ୍ଥ ରହିବାରେ ସାହାଯ୍ୟ କରିପାରିବ । ନିଜକୁ ମଧ୍ୟ ସୁସ୍ଥ ବୋଲି ସ୍ଵୀକୃତ କରାଇବ । ଭାରତବର୍ଷର ପାରମ୍ପରିକ ମଞ୍ଜଟାକୁ ସେହି ପୁରାତନ ସାମନ୍ତବାଦଟା ଏବେ ମଧ୍ୟ କାମୁଡ଼ି ରହିଥିବାରୁ ବହୁକ୍ଷେତ୍ରରେ ଆମ ସାହିତ୍ୟଟାକୁ ମଧ୍ୟ ତଦ୍ଦ୍ୱାରା ଭାରୀ ଉତ୍ପୀଡ଼ିତ କରି ରଖାଯାଏ । ଏଠାରେ ବୟୋଜ୍ୟେଷ୍ଠ ହିଁ ଜିତନ୍ତି କାରଣ, କନିଷ୍ଠମାନେ ସେମାନଙ୍କ ଆଗରେ ସମାନ୍ତର କିମ୍ବା ସମକକ୍ଷ କରି କିଛି ଥୋଇବାକୁ ଅତ୍ୟନ୍ତ ଅଶାଳୀନ ବୋଲି ବିଚାର କରାଯାଇଥାଏ-। ଇଏ ମଧ୍ୟ ସମ୍ଭବତଃ ଗୋଟିଏ ବଡ଼ କାରଣ, ଯେଉଁଥିପାଇଁ ଆମ ସାହିତ୍ୟରେ ପ୍ରବନ୍ଧଟା ସେତେ ବେଶି ଉଧେଇ ପାରେନାହିଁ । ଏକ ସାମନ୍ତବାଦୀ ଜୀବନଦୃଷ୍ଟି ଆପଣାକୁ ପରିବାରଠାରୁ ଧର୍ମମନ୍ଦିର ପର୍ଯ୍ୟନ୍ତ ଜାହିର କରି ରଖିଥିବାରୁ, ପ୍ରତ୍ୟେକ ସତ୍ୟର ଏକାଧିକ ପ୍ରସ୍ଥ ଅବଶ୍ୟ ରହିଥିବ ବୋଲି କଥାଟିକୁ .ସହଜରେ ହଜମ କରା ଯାଇପାରେନାହିଁ । ଏକାନ୍ତବାଦୀ ସତ୍ୟନିଷ୍ଠମାନେ ସତ୍ୟର ଉଦ୍‍ଘାଟନ କରିବାରେ ଯେତେ ଶ୍ରଦ୍ଧାବାନ୍ ହୋଇ ରହିନଥାନ୍ତି, ସମସ୍ତଙ୍କୁ ଗୋଟିଏ ଗୁଳାରେ ଅବଶ୍ୟ ଯିବାକୁ ପଡ଼ିବ ଓ ଗୋଟିଏ ଧିସାକୁ ହିଁ ଈଶ୍ଵରବାକ୍ୟବତ୍ ପଇଟାଇ ରଖିବାକୁ ପଡ଼ିବ ବୋଲି ଅଝଟ କରିବାରେ ଲାଗିଥାନ୍ତି, ସାହିତ୍ୟ ଚର୍ଚ୍ଚାରେ ଆମର ଉଚ୍ଚ ଥାନମାନଙ୍କରେ ମଧ୍ୟ ଆମେ ଏହିପରି କେତେ କେତେ ଖୁମାଣ ଦେଖିବାକୁ ପାଇବା । ଏକାନ୍ତବାଦ ରାଜା ହୋଇ ବସିଥିବା ଯେକୌଣସି ଚଳଣିରେ ବିଚରା ପ୍ରବନ୍ଧକୁ ବହୁ ଗଞ୍ଜଣା ଭୋଗ କରିବାକୁ ହୋଇଥାଏ-

 

ପ୍ରବନ୍ଧର ମେଦିନୀଟିକୁ ସାହିତ୍ୟରେ ନିଜର ମେଦିନୀ ବୋଲି ବରିନେବାର ବାସନା ହେଲେ ସବା ଆଗ ଅନେକାନ୍ତବାଦକୁ ହିଁ ସର୍ବପ୍ରଥମ ଶୃଙ୍ଖଳା ବୋଲି ମାନିବାକୁ ହୋଇଥାଏ । ତାହାରି ଫଳରେ ସାହିତ୍ୟ ନିଜକୁ ମଧ୍ୟ ଗୋଟିଏ ସ୍ଵତନ୍ତ୍ର ଇଲାକା ବୋଲି କହିବାର ଅଭ୍ୟାସଟା ମଧ୍ୟ ପରିହାର କରିବାକୁ ପଡ଼େ । ଅନେକେ ତ କ'ଣ ଗୋଟାଏ ମାଦକତା ମଧ୍ୟରେ ଥାଇ ସାହିତ୍ୟକୁ ଏକ ପବିତ୍ର ଇଲାକା ବୋଲି କେଡ଼େ ଖୁସି ହୋଇ ଭାବୁଥାନ୍ତି । ପୂରା ଜୀବନଟାକୁ ଅପବିତ୍ର କରି ରଖି ଏବଂ ଏହି ଅପବିତ୍ରତା ପାଇଁ ସ୍ଵୟଂ ଗୋଟିଏ ଗୋଟିଏ ବୃହତ୍ ଭୂମିକା ଗ୍ରହଣ କରି ଯେ ଅନେକେ ତଥାପି ସାହିତ୍ୟ ଭିତରେ ପଶି ଏକ ପବିତ୍ର କାର୍ଯ୍ୟ କଲେ ଏବଂ ଗୋଟିଏ ପବିତ୍ର ଖାତାରେ ନିଜର ନାମକୁ ଦରଜ କରି ରଖିଲେ, ଭାରତବର୍ଷୀୟ ସାହିତ୍ୟର ଦରବାରରେ ଏହି ଧାରଣାଟାକୁ କେଡ଼େ ପୁଲକରେ ପ୍ରଚାର କରାଯାଏ । ଭାଗ୍ୟକୁ ସେଠାରେ ସମସ୍ତେ ସେହି ଏକା ତାମ୍ବଳକୁ ସେବନ କରି ପାଟି ନାଲି କରି ବସିଥାନ୍ତି ବୋଲି କଥାଟା ଚଳିଯାଏ । ଜଣେ ପ୍ରବନ୍ଧକାର ହିଁ ସବାଆଗ ତାହାର ପ୍ରତିବାଦ କରି ବାହାରେ । ଏହି ପବିତ୍ରତାକୁ ମଧ୍ୟ ସିଏ ଏକ ଅନେକାନ୍ତବାଦୀ ବ୍ୟାପାରରୂପେ ଦେଖୁଥାଏ । ତୁମେ ଆପଣେ ଜୀବନରୁ ଆଉ ଦଶଟା ଭୂମିକାରେ କେତେ ମନ କେତେ କ'ଣ ନିତାନ୍ତ ଅସାଧୁ ତଥା ଅପବିତ୍ର ହୋଇ ରହିଥିବ ଏବଂ ସାହିତ୍ୟକୁ ଆସି ବଡ଼ସିଙ୍ଗାର ହୋଇ ସେହି ଅବସରଟିକୁ ପବିତ୍ର ଓ ସାରସ୍ଵତ ବୋଲି କହିବ, ପ୍ରବଦ ସେହି କଥାଟିକୁ ଆଦୌ ଗ୍ରହଣ କରିପାରେ ନାହିଁ । ଆଧୁନିକ ଯୁଗରେ ଆମ ସାହିତ୍ୟିକମାନେ ଏପରି ଯେ ହୋଇ ପାରୁଛନ୍ତି, ତାହାକୁ ପ୍ରବନ୍ଧ ଏକ ପ୍ରବଞ୍ଚନା ପରି ହିଁ ଦେଖେ । ଏହିପରି ଭାବରେ ନିଜକୁ ମଧ୍ୟ ନିଜେ ଧୋକା ଦେଉଥିବା ମଣିଷଟିଏ ପ୍ରବନ୍ଧର ଅସଲ ସଦନଟି ଯାଏ ଆସିବାକୁ ବଡ଼ ସଂକୋଚ ଅନୁଭବ କରିଥାଏ, ଗୁଣ୍ଡା ଗିଳିବାକୁ ଯେତେ ଫୁଲେଇ ହେଲେ ମଧ୍ୟ ତଣ୍ଟିରେ ଲାଗେ ଓ ସିଏ ଧରା ପଡ଼ିଯାଏ-। ପ୍ରବନ୍ଧକାରର କଷଟି ପଥର ଦାବି କରୁଥାଏ ଯେ, ପ୍ରବନ୍ଧ ବୋଲି ଯାହା ଲେଖା ହେଉଛି ବା ହେବ, ସେଥିରେ ଲେଖକ ମଧ୍ୟ ସ୍ଵୟଂ ପ୍ରତିଫଳିତ ହୋଇ ପାରୁଥିବା ଉଚିତ । ଅର୍ଥାତ୍‍ ଆପଣାକୁ ଲୁଚାଇବାକୁ କବିତା ଅଥବା ଗପଟିଏ ଲେଖାଯାଇପାରେ, ମାତ୍ର ପ୍ରବନ୍ଧ ଲେଖିବାକୁ ବସିଲେ ନିଜକୁ ଲୁଚାଇ ବସିଲେ କେବଳ ନିଜକୁ ନୁହେଁ, ସଂସାରଟାକୁ ମଧ୍ୟ ଧୋକା ଦେବା ସାର ହୁଏ-। ଏ ଯୁଗରେ ଯେ ସାହିତ୍ୟର ଉଜ୍ଜ୍ଵଳତା କମି ଗଲାପରି ଲାଗୁଛି, ସାହିତ୍ୟ ପଛରେ କୌଣସି conviction ନଥିବାରୁ ଓ ତାହା ଜଣେ ସାହିତ୍ୟଲେଖକର ଜୀବନ ସହିତ ସାମଞ୍ଜସ୍ୟତା ରଖିପାରୁ ନଥିବାରୁ ସେପରି ହେଉଛି କି ? ସାହିତ୍ୟ କହିଲେ ଯେ ଏକ ବେଶ ପିନ୍ଧିବାକୁ ବୁଝାଏ ନାହିଁ, ତାହାକୁ ପ୍ରାଞ୍ଜଳ କରିଦେବା ପ୍ରବନ୍ଧର ଏକ ନିତ୍ୟ ଧର୍ମ ହୋଇ ରହିଥାଏ ।

 

ଓଡ଼ିଆ ସାହିତ୍ୟରେ ତଥାକଥିତ ଏହି ଜାତୀୟତାବାଦୀ ପର୍ଯ୍ୟାୟରେ ପ୍ରବନ୍ଧକୁ ସମ୍ଭବତଃ ବହୁ ପ୍ରକାରେ କ୍ଷତବିକ୍ଷତ ହେବାକୁ ପଡ଼ିଥିବ । ଗୋଟିଏ ସମୂହର ଜୀବନରେ ଜାତୀୟ ଚେତନାର ଏକ ଆବଶ୍ୟକତା ରହିଥାଏ ସତ, ମାତ୍ର, ସମୂହର ନେତୃତ୍ଵଟା ଯେତେବେଳେ ଅବିବେକ ହାତରେ ପଡ଼ିଥାଏ, ସେତେବେଳେ ସଂପୃକ୍ତ ସମସ୍ତେ ଏତେ ବେଶି ପରିମାଣରେ ଭାବରେ ବୋହିଯିବା ପରି ହେଉଥାନ୍ତି ଯେ, ପ୍ରବନ୍ଧ ସତକୁ ସତ ବିମୂଢ଼ ପ୍ରାୟ ଅନୁଭବ କରୁଥାଏ ଏବଂ ଅନାଇ ରହିଥାଏ । ସମସ୍ତେ କହୁଥାନ୍ତି ମୋ ଭୂଇଁଟା ପୃଥିବୀଯାକରେ ସବୁଠାରୁ ବଡ଼, ସମସ୍ତେ କହନ୍ତି ମୋ ଭାଷା ପରି ସମକକ୍ଷ ଆଉ ଗୋଟାଏ ଭାଷା ସମଗ୍ର ପୃଥିବୀରେ ନାହିଁ, ସମସ୍ତେ କହନ୍ତି ଆମ ଠାକୁରଙ୍କ ପରି ଠାକୁର ଜଗତରେ କେବେ ସମ୍ଭବ ହୋଇନାହିଁ– ଜାତୀୟ ଏକତ୍ଵ ଭାବନା ସମ୍ଭବ କରିବାର ପ୍ରାଥମିକ ଅବସ୍ଥାରେ ଏସବୁ ଅତିରଞ୍ଜନର ହୁଏତ ଖାସ୍‌ କୌଶଳଗତ ଏକ ପ୍ରୟୋଜନ ରହିଥାଏ– ମାତ୍ର ଦେଶ ସ୍ଵାଧୀନତା ଲାଭ କରିବାର ଅଧାଶତାବ୍ଦୀଟାଏ ଚାଲିଯିବା ପରେ ମଧ୍ୟ ଏକ ଥୋବରା ଭାବପ୍ରବଣତା ଯଦି ସେଗୁଡ଼ାକୁ ନେଇ ଥେଇ ଥେଇ ହୋଇ ନାଚୁଥାଏ ଏବଂ ବିଦ୍ୟାଳୟରେ ପିଲାମାନଙ୍କୁ ମଧ୍ୟ ଯଦି ସେତିକି ଭିତରେ ଭୋଳ କରି ରଖାଯାଇଥାଏ, ସେତେବେଳେ ପ୍ରବନ୍ଧ ସେହି ନିର୍ବୋଧତାଟା ସହିତ ଏକତ୍ର ତାଳ ମିଳାଇ ଗୋଡ଼ ପକାଇବାକୁ ଆଦୌ ରାଜି ହୁଏନାହିଁ । ଦେଶରେ ଅଧେ ମଣିଷଙ୍କୁ ଅନ୍ଧାରରେ ଅବଜ୍ଞା ମଧ୍ୟରେ ରଖି ତଥାପି ଯେ ଏଠାରେ ଜାତୀୟତା’ର ଦୁନ୍ଦୁଭିନାଦ କରାଯାଉଥାଏ, ତାହାର ଅର୍ଥ ହେଉଛି ଯେ ଆମେ ନିପଟ ପ୍ରତା’ରକମାନେ ଏହିପରି ଏକ କପଟପୂର୍ଣ୍ଣ ସମୟର ଫାଇଦା ଉଠାଇବାକୁ ଇଚ୍ଛା କରୁଛୁ ବୋଲି କାରଣ ଅକାରଣରେ ଜାତି ଓ ଜାତିତ୍ଵର ଉଲ୍ଲେଖ କରୁଛୁ । ଜାତି କହିଲେ ସବାଆଗ ଏଠାରେ ବାସ କରୁଥିବା ଯେଉଁ ମଣିଷମାନଙ୍କୁ ବୁଝାଇବା ଉଚିତ, ସେମାନଙ୍କ ପ୍ରତି ନିତାନ୍ତ ଉଦାସୀନ ରହିଛୁ ବୋଲି ଆମେ ଜାତୀୟତାବାଦର ମିଛ ହାବୁକା ମାରୁଛ । ଭୂଇଁଟିକୁ ସତକୁ ସତ ଭଲ ପାଉଥିଲେ ଆମେ କଦାପି ଏପରି କରନ୍ତୁ ନାହିଁ । ଜାତିର ଦ୍ଵାହି ଦେଇ ଯେଉଁମାନେ ମଣିଷମାନଙ୍କୁ ଧୋକା ଦେଉଛନ୍ତି ଓ ସେମାନଙ୍କୁ ଘୁଷୁରି କରି ରଖିଛନ୍ତି । ସେମାନଙ୍କୁ ମଧ୍ୟ ସାହିତ୍ୟ ଭିତରେ ଦେଖି ପ୍ରବନ୍ଧ ପ୍ରକୃତରେ ଆତଙ୍କିତ ହୋଇଉଠେ । ମନୁଷ୍ୟମାନଙ୍କୁ ନଦେଖି ତୁମେ ଜାତି ନାମରେ ନିଆରା ଆଉ କଅଣ ସବୁକୁ ଦେଖୁଥିବ ମନୁଷ୍ୟମାନଙ୍କୁ ଭୁଲୁଣ୍ଠିତ କରି ତୁମେ ଜାତିକୁ ଟେକୁଥିବ, ବର୍ତ୍ତମାନକୁ ଆଖି ବୁଜିଦେବା ପାଇଁ ତୁମେ ଅତୀତଟାକୁ ପୁଷ୍ପକ ଯାନରେ ବସାଇ ତାହାର ପ୍ରଶସ୍ତିଗାନ କରୁଥିବ– ଏବଂ ତେଣେ ସାହିତ୍ୟରେ ଆଧୁନିକ ଯୁଗଟା ତେଣୁ କୁଆଡ଼ୁ ଆସି ତୁମକୁ ଜ୍ଵର ପରି ମାଡ଼ି ବସିଥିବ, ତେଣିକାର କୋଉ ପୁରାଣ ଅନୁସାରେ ଯୁଗଟା ମଣିଷମାନଙ୍କୁ ନିଃସଙ୍ଗ କରି ପକାଇଲାଣି ବୋଲି ଖୋଳ ବାଡ଼ିଆ ହେଉଥିବ, ପ୍ରବନ୍ଧ ଅବଶ୍ୟ ତାହାର ପ୍ରତିବାଦ କରିବ । ସିଏ ମଣିଷମାନଙ୍କର ପଟ ନେବ – ଜାତି କହିଲେ ସବୁ ମଣିଷଙ୍କୁ ସୁମାରି କରାଯାଇ ପାରୁଥିଲେ ବିକଳ୍ପ ଯେଉଁ ସ୍ଥିତିଟି ସମ୍ଭବ ହୋଇ ପାରୁଥାନ୍ତା, ପ୍ରବନ୍ଧ ସେହି ଚିତ୍ରଟିକୁ ଆଙ୍କି ପାରିବାକୁ ଚେଷ୍ଟାକରିବ । କଳାଟାକୁ କଳା ବୋଲି କହିବ, ଧୋବ ଭିତରେ ଲୁଚି ରହିବାକୁ ଉଦ୍ୟମ କରୁଥିବା କଳାଟାକୁ ମଧ୍ୟ ସିଏ କଳା ବୋଲି କହିବ-। ଅନ୍ତତଃ ନିଜକୁ ଧୋକା ଦେବନାହିଁ ।

 

ପ୍ରବନ୍ଧ ଜାତିକୁ ଦେଖିବା ପୂର୍ବରୁ ବ୍ୟକ୍ତିକୁ ଆଗ ଦେଖିବ । ଜାତି ଆଗ କି ବ୍ୟକ୍ତି ଆଗ ସେହି ବିବାଦଟି ଏବେ ମଧ୍ୟ ତୁଟି ପାରୁନାହିଁ । ହିଟଲ୍‍ରମାନେ ଜାତି ଆଗ ବୋଲି କହୁଛନ୍ତି ଏବଂ ଲେଓନାର୍ଡୋଦାଭିଞ୍ଚିମାନେ ବ୍ୟକ୍ତି ଆଗ ବୋଲି କହୁଛନ୍ତି । ହିଟଲ୍‍ରମାନେ ନିଜକୁ ଏକାବେଳକେ ଜଣେ ଜଣେ ବିଶେଷ ବ୍ୟକ୍ତି ବୋଲି ଧରି ନେଉଛନ୍ତି । ଅନ୍ୟ ମଣିଷମାନଙ୍କୁ ଯୂଥ କରି ଅଡ଼ାଇ ନେଇ ପାରିବେ ଓ ଏକାବେଳକେ ସବା ଉପରେ ରହି ଶାସନ କରିବେ ବୋଲି ସାନ ବଡ଼ ସବୁ ହିଟଲ୍‍ର ଜାତିଟା ବଡ଼ ବୋଲି ହୁରି କରି ଆସିଛନ୍ତି । ବ୍ୟକ୍ତିମାନେ ଘୁଷୁରି ହୋଇ ରହିଥିବା ପର୍ଯ୍ୟନ୍ତ ଜାତିଟା ମଧ୍ୟ ବହୁ ଦୁର୍ଗତି ମଧ୍ୟରେ ସଢ଼ିବାରେ ଲାଗିଥିବ ଏବଂ ବଡ଼ମାନେ ଧୋକା ଦେବାରେ ଲାଗିଥିବେ । ଓଡ଼ିଆ ଜାତୀୟତା ନାମରେ ଓଡ଼ିଶାରେ ଅଧିକସଂଖ୍ୟକ ଓଡ଼ିଆଙ୍କୁ ମୂଳତଃ ଧୋକା ଦିଆଯାଇ ଆସିଛି । ତଥାକଥିତ ସ୍ଵତନ୍ତ୍ର ଉତ୍କଳ ଗଢ଼ା ହେବାର ପରେ ସେହି ଧୋକା ହୁଏତ ଆହୁରି ବଢ଼ିଛି । ଗଡ଼ଜାତର ଓଡ଼ିଆ ରଜାଙ୍କୁ ଓଡ଼ିଆ ଆନ୍ଦୋଳନର ଚଉକୀମାନଙ୍କରେ ବସାଇ ଗଡ଼ଜାତର ଓଡ଼ିଆ ପ୍ରଜାମାନଙ୍କୁ ନିର୍ମମ ଶୋଷଣ ଭିତରକୁ ପେଲି ଦିଆଯାଇଛି । ଓଡ଼ିଆର ଜାତୀୟତାକୁ ଏଡ଼େ ଏଡ଼େ ଦୈର୍ଘ୍ୟ ପ୍ରସ୍ଥରେ ଦେଖାଇ କେତେ ଓଡ଼ିଆ କବିତା ଲେଖାଯାଇଛି, ଓଡ଼ିଆ ରଜାମାନଙ୍କୁ ନେଇ ନାଟକ ଓ ଉପନ୍ୟାସ ଲେଖାଯାଉଛି । ଆମ ହୁଣ୍ଡା ଶାସକମାନେ ନିଜକୁ ଖାରବେଳ ବୋଲି କହୁଛନ୍ତି ଓ ଖାରବେଳଙ୍କ ନାମରେ ବର୍ଷପାଳନ କରୁଛନ୍ତି । ଓଡ଼ିଆ ଜାତିର ପରିଚିତିଗୁଡ଼ିକୁ ବହୁ ଅଧ୍ୟୟନ ଦ୍ଵାରା ଠାବ କରାଯାଉଛି । ଓଡ଼ିଆ ଜାତିର ତତ୍ତ୍ଵାବଧାନ କରିବାକୁ ପୁରୀରେ ଜଗନ୍ନାଥ ରହିଛନ୍ତି ବୋଲି ଏବେ ମଧ୍ୟ ବାଉଳା କିମିଆକାରୀମାନେ ଆମକୁ କହିବାରେ ଲାଗିଛନ୍ତି ଏବଂ ସେଇ ଶୋଷଣ ଚାଲିଛି, ଉପବାସ ଏବଂ ଅଶିକ୍ଷ । ହିଁ ଅଧେ ଓଡ଼ିଆଙ୍କୁ ଅସହାୟ ହୋଇ ରହିବାକୁ ବାଧ୍ୟ କରୁଛନ୍ତି । କବିତା, ନାଟକ, ଉପନ୍ୟାସମାନେ ନିଶା ଖାଇ ତାହାରି ଭିତରେ ରହନ୍ତୁ ପଛକେ, ପ୍ରବନ୍ଧ ଅଲବତ ଯାହା କହିବାର କହିବ । ସିଏ ସାମନ୍ତମାନଙ୍କୁ ମୋଟେ ଶୁଆଇ ଦେବନାହିଁ । ଓଡ଼ିଆ ଜାତି କହିଲେ ସିଏ ଲକ୍ଷ ଲକ୍ଷ ଓଡ଼ିଆଭାଷୀ ବ୍ୟକ୍ତି– ମନୁଷ୍ୟଙ୍କୁ ହିଁ ବୁଝିବ ଏବଂ ଯାବତୀୟ ବୁଦ୍ଧି ତଥା ନ୍ୟାୟ ପାହାଡ଼, ଅରଣ୍ୟ ଏବଂ ପାଣିକାଦୁଅ ପାରହୋଇ ସମସ୍ତଙ୍କର ପହୁଞ୍ଚଯାଏ ନଯିବା ପର୍ଯ୍ୟନ୍ତ ସିଏ ଶାନ୍ତିଭଙ୍ଗ ହିଁ କରିବ । ସବୁ ମଣିଷଙ୍କୁ ବିଚାରକୁ ଆଣୁ ନଥିବା ସଂସ୍କତିକୁ ସିଏ ଅପସଂସ୍କୃତି ବୋଲି କହିବ ଏବଂ ବିଶୁଦ୍ଧ ପାଳିମାନେ କିପରି ମଣିଷକୁ ବାଦଦେଇ ନିଜ ଧୂର୍ତ୍ତତାରେ ଯୁଗଟାକୁ ପ୍ରଦୂଷଣପୂର୍ଣ୍ଣ କରିବାରେ ସହାୟତା କରୁଛନ୍ତି, ସେହି ବିଷୟରେ ସାହିତ୍ୟର ଦାଣ୍ଡରେ ମଧ୍ୟ ଏକ ବିତର୍କ ଆରମ୍ଭ ହେଉ ବୋଲି ଦାବି କରିବ ।

 

କଅଁଳ ହେଲେ କୁଆଡ଼େ କେତେ ମଣିଷ କଳା ଓ ସଂଗୀତାଦି ସୂକ୍ଷ୍ମ କାରବାର ଆଡ଼େ ମନଦିଅନ୍ତି । କଅଁଳ ନହେଲେ କେହି କଦାପି ଗୋଟିଏ କବି ବା ଏପରିକି ସାହିତ୍ୟିକ ହୋଇପାରିବ ନାହିଁ ବୋଲି ହୁଏତ ବହୁତ ଲୋକ କହିବାକୁ ବାହାରି ପଡ଼ିବେ । କଅଁଳ ନହେଲେ ଅର୍ଥାତ୍‍ ଭାବ ଗଦ୍‍ଗଦ୍ ହୋଇ ଲୋସଡ଼ି ନପଡ଼ିଲେ କେହି ଭକ୍ତ ବି ହୋଇପାରିବ ନାହିଁ ବୋଲି ବହିମାନଙ୍କରେ ବହୁତ କଥା । କୁହାଯାଇଛି । ଆମ ସାହିତ୍ୟ ପାଠୋତ୍ସବମାନଙ୍କରେ ନୂଆ ବହିଟିଏ ସମବେତ ଜଳଯୋଗର ଏକ ବିଶେଷ ଆସରରେ ଉନ୍ମୋଚିତ ହେଉଥିବା ସମୟରେ ସମେସ୍ତ ଯେପରି କଅଁଳ ଥଲଥଲ ହୋଇ କଥା କହୁଥାନ୍ତି ଏବଂ ଧାଆଁ ଧପଡ଼ କରୁଥାନ୍ତି ସେଗୁଡ଼ାକ ଦେଖି ସାହିତ୍ୟ ମୋଟେ ଖୁସି ହେଉନଥିବ । ହୃଦୟଟିଏ ସବାଆଗରେ ରଖି ବାଟ ଚାଲୁଥିବା ମଣିଷଟିଏ ଅଭିନୟଗୁଡ଼ାକୁ ଦେଖି କିପରି ଥୟ ଧରି ରହିପାରିବ କହନ୍ତୁ ତ ! ତୁମ ଭିତରେ ଯଦି ସଂକଳ୍ପଟିଏ ନାହିଁ, ତୁମର ଆଖି ଆଗରେ ଯଦି ତାରାଟିଏ ସ୍ପଷ୍ଟ ଓ ପ୍ରାଞ୍ଜଳ ହୋଇ ଜଳୁନାହିଁ, ଯଦି ତୁମେ ଦିନରେ ମେଣ୍ଢା ହୋଇ ରାତିରେ ଭେଣ୍ଡା ହେବା ବୋଲି ଅପଶାଇପ ପାଇଛ ଓ ତାହାରି ଭିତରେ ଧନ୍ଦି ହୋଇ ମରୁଛ, ଯଦି ତୁମ ଦେଶର ସବୁ ମଣିଷଙ୍କୁ ସାମନା କରିପାରିବ ନାହିଁ ବୋଲି ତୁମେ ଲେଖି କରି ଏଣେ ଏହି ସାହିତ୍ୟ ଭିତରକୁ ପଶିଆସିଛ, ତେବେ ତୁମ ଭିତରେ ମେରୁଦଣ୍ତଟିଏ ଖୋଜିଲେ ମଧ୍ୟ ସମ୍ଭବତଃ ମୋଟେ ମିଳିବ ନାହିଁ । ପ୍ରବନ୍ଧ ମେରୁଦଣ୍ଡ ଖୋଜି ବୁଲୁଥାଏ, ଯାବତୀୟ ସମୀକ୍ଷାକୁ ସିଏ ଏକ ମେରୁଦଣ୍ଡ ଖୋଜିବାର ସମବାଚୀ ବୋଲି ଜାଣିଥାଏ । ଏବଂ ମେରୁଦଣ୍ଡଟିଏ ନଥିଲେ ତୁମ ଭିତରେ ହୃଦୟଟିଏ ବା ଆଉ କାହିଁକି ରହିବ ? ସ୍ଵାର୍ଥ ଏବଂ ତତ୍ତୁଲ୍ୟ ଆଉ ନାନାବିଧ ଆତ୍ମକାତରତାରେ ଲୋସଡ଼ି ପଡ଼ିଥିବା ମଣିଷମାନେ ନିଜ ମେରୁଦଣ୍ଡକୁ ସତେଅବା ଆଉ କେଉଁଠାରେ ବନ୍ଧା ଦେଇ ଆସିଥାଆନ୍ତି । ମେରୁଦଣ୍ଡ ନଥାଏ, ତେଣୁ ହୃଦୟ ନଥାଏ । ଏବେ ଆମ ସାହିତ୍ୟ ଭିତରେ ଗୋଟାଏ ଦୁଃସମୟ ଚାଲିଛି ବୋଲି ଯାହା କୁହାଯାଉଛି, ହୃଦୟହୀନ ଓ ମେରୁଦଣ୍ଡହୀନ ଲୋକମାନେ ସାହିତ୍ୟ ଭିତରେ ବେଜାଏ ସଂଖ୍ୟାରେ ଆସି ପଶିଗଲେ ବୋଲି ସେପରି ହୋଇଛି କି ? ଏହିଭଳି ଗୋଟିଏ ସଂଶୟରୁ ହିଁ ପ୍ରବନ୍ଧ ତା'ର ସାହିତ୍ୟ ଜିଜ୍ଞାସା ଆରମ୍ଭ କରିବ ।

 

ଅସଲ ଜିଜ୍ଞାସା ହୃଦୟକୁ ଖୋଜେ । ଆଠପହରୀଟାକୁ ଖୋଜେ । ଆଠପହରୀର ପରିଚୟ ହେଉଛି ଜଣେ ଲେଖକ ତଥା ତାହାର ଲେଖାର ଯଥାର୍ଥ ପରିଚୟ । ଆଠ ପହରୀଟାକୁ ଘୋଡ଼ାଇବା ନିମନ୍ତେ ମଣିଷମାନେ କାଳେକାଳେ ପୋଷାକୀ ବ୍ୟବହାର କରି ଆସିଛନ୍ତି, ତଥାପି, ଆଧୁନିକ ମନୋବିଜ୍ଞାନ କହିଲାଣି ଯେ, ଜଣେ ବ୍ୟକ୍ତିର ପାଜି ପୋଷାକୀଟାରୁ ମଧ୍ୟ ଆମେ ଯଥେଷ୍ଟ ଗଭୀରକୁ ଯାଇପାରିଲେ ତା'ର ଦୁଃଖୀ ଆଠପହରୀର ବାରତା ଅବଶ୍ୟ ପାଇପାରିବା । ଏବେ ସାହିତ୍ୟରେ ସେହି ପୋଷାକୀଟାକୁ ସତେଅବା ସର୍ବସମର୍ଥ ବୋଲି ଦେଖାଇବା ନିମନ୍ତେ ଶୈଳୀମାନଙ୍କୁ ବ୍ୟବହାର କରାଯାଉଛି ଏବଂ ଶବ୍ଦମାନଙ୍କୁ ଆଣି ମୁକୁତା’ର ମାଳା ରୂପେ ରଥର ଚାରିପାଖେ ସଜାଇ ଦିଆଯାଉଛି । ଜରୀର ଚକଚକ ସଜ୍ଜା ଭିତରେ ପିଲାଏ ଯେମିତି ଗଣେଶଙ୍କୁ ଡୁବାଇ ପକାନ୍ତି, ସମ୍ଭବତଃ ସେହିପରି । ପ୍ରବନ୍ଧ ଶୈଳୀକୁ ଡରିବ ନାହିଁ ଓ ଶୈଳୀ ପାଖରେ ମୋଟେ ଅଟକି ରହିଯିବନାହିଁ । ଶବ୍ଦର ଆଡ଼ମ୍ବରକୁ ଡରିବ ନାହିଁ ବା ସେଇଟା ପାଖରେ ଅଟକି ଯିବନାହିଁ । ହୃଦୟଟିଏ ଅର୍ଥାତ୍‍ ଆଠପହରୀଟି ଦିଶିପାରିବା ଏବଂ ଜବାବ ଦେଇପାରିବା ପର୍ଯ୍ୟନ୍ତ ଉପର ପରସ୍ତଗୁଡ଼ିକୁ ଆଡ଼େଇ ଆଡ଼େଇ ଯାଇ ପାରୁଥିବା ହୃଦୟ ପାଖରେ ପହଞ୍ଚିଲେ ଯାଇ ଅସଲକୁ ଦେଖିବ । ଶୈଳୀ, ଶବ୍ଦ, ଚିତ୍ରକଳ୍ପ– ଏମାନେ ସମସ୍ତେ ପ୍ରଧାନତଃ ଢାଙ୍କି ରଖିବାକୁ ଇଚ୍ଛା କରୁଥାନ୍ତି । ସେମାନେ ହୃଦୟକୁ ଲୁଚାଇ ରଖୁଥାନ୍ତି । ମାତ୍ର, ହୃଦୟ ନିଜକୁ କଦାପି ଢାଙ୍କି ରଖି ପାରେ ନାହିଁ । ମିତଟିଏ ପାଇଁ ଅପେକ୍ଷା ରଖିଥାଏ ଏବଂ ତେଣୁ କିଛି ସେଯାଏ ଯାଇ ପହଞ୍ଚି ପାରିଲେ ମିତଟିଏ ପରି ବାହାରି ଆସେ । ଯିଏ ମିତ, ଯିଏ ଉପରର ଏହି ପରସ୍ତ ଗୁଡ଼ାକରେ କେବେହେଲେ ଭୁଲିଯାଏ ନାହିଁ । ଯେତେ ଅପ୍ରୀତିକର ହେଉଥିଲେ ମଧ୍ୟ ପ୍ରବନ୍ଧକୁ ସେହି ମିତର ଭୂମିକାଟିଏ ଗ୍ରହଣ କରିବାକୁ ହୁଏ । ପ୍ରକୃତ ମିତ ହିଁ ସମୀକ୍ଷା କରିପାରେ । ଆଉମାନେ ଖୋସାମତ କରନ୍ତି, ଆପେ ସିରିଣି ଖାଇବେ ବୋଲି ପୂଜ୍ୟପୂଜା କରନ୍ତି । ଅତିରଞ୍ଜନର ଅଠାରେ ପ୍ରକୃତରେ ବଡ଼ ଅସହଜ କରିପକାନ୍ତି । ଓଡ଼ିଶାରେ କ’ଣ ଏସବୁ କମ୍‌ ହୋଇଛି ଓ ହେଉଛି ? ସିରିଣି ଖାଇବାକୁ ମନ ରହିଥିବା ଅନ୍ୟ ରସିକମାନେ ପ୍ରବନ୍ଧକୁ ଅର୍ଥାତ୍ ସମୀକ୍ଷାକୁ ମୋଟେ ସହ୍ୟ କରିପାରନ୍ତି ନାହିଁ । ସାହିତ୍ୟଟା ପୂରା ସତ୍ତାର ପଣ୍ୟ ବୋଲି କହୁଥିବା ବ୍ୟକ୍ତିମାନେ ପ୍ରବନ୍ଧକୁ ଅଡ଼ୁଆ ପ୍ରାୟ ମଣନ୍ତି । ସେମାନେ ସମୀକ୍ଷାକୁ ଭୟ କରନ୍ତି । ସ୍ଵାଧୀନ ଭାରତବର୍ଷରେ ଖାଲି ସାହିତ୍ୟରେ ନୁହେଁ, ସମଗ୍ରତଃ ଆମ ସାମୂହିକ ଜୀବନ ତଥା ସମ୍ପର୍କର ଯାବତୀୟ କ୍ଷେତ୍ରରେ ତାମସାର ବିଚିତ୍ର ବିଚିତ୍ର ସଂସ୍କରଣମାନ ଆସି ପଶିଯାଇଛି ବୋଲି ଆମର ଏଠୁ ସମୀକ୍ଷା ବସ୍ତୁତଃ ବିଦାୟ ନେଇ ପଳାଇଛି କି ? ସମସ୍ତେ ଏବେ ନିଜ ନିଜର ଖବରକାଗଜ ବାହାର କରି ନିଜ କଥାଗୁଡ଼ିକକୁ ଛାପୁଛନ୍ତି ଓ ନିଜର ଫଟୋଗୁଡ଼ିକୁ ଦେଖି ସତେଅବା କାମସ୍ପର୍ଶ ଲାଭ କରୁଛନ୍ତି । ପୃଥିବୀରେ ଆଉ କେହି ହୁଏତ ରହିଥିବେ ବୋଲି ଦୟା କରି ଅନ୍ଦାଜ କରିବାକୁ ବି କୌଣସି ଅବକାଶ ମିଳୁନାହିଁ । ନିରନ୍ତର ସମୀକ୍ଷା ବିହୁନେ ଆମର ସାମୁଦାୟିକ ଜୀବନଟା ଫିମ୍ପି ମାରିଯାଉଛି ।

 

ରାଜନୀତିରେ ସମୀକ୍ଷା ନାହିଁ । ବିଶ୍ଵବିଦ୍ୟାଳୟରେ ବି ସମୀକ୍ଷା ନାହିଁ । ସରକାର ବୋଲି ଫେଶନିଆ ହୋଇ ଯେତିକି ଚାଲିଛି, ସେଠାରେ ଶିଡ଼ି ପ୍ରମାଣରେ ଏକାବେଳେକେ ତଳୁ ଏକାବେଳେକେ ଉପରଯାଏ ପ୍ରାଣୀମାନେ ସଞ୍ଚା ପାଇ ଏକ ନନ୍ଦନକାନନ ତିଆରି କରି ରଖୁଛନ୍ତି । ସେଠାରେ ମଧ୍ୟ ସମୀକ୍ଷା ନାହିଁ । ସମୀକ୍ଷାକୁ ଯଥାସମ୍ଭବ ବୟକଟ କରି ରଖିପାରିବା ନିମନ୍ତେ ସେଠାରେ ହାକିମମାନେ ଦୁଆରି ହୋଇ ଉଆସ ଜଗିଛନ୍ତି । ସତ୍ୟମାନଙ୍କୁ ଟାଳି ହେବାକୁ ହିଁ ଏତେ ଦରମା ନେଉଛନ୍ତି, ଏବଂ ସେଥିନିମନ୍ତେ ଅନୁରୂପ ତାଲିମ ପାଇ ବି ଆସିଛନ୍ତି । ପାଠ ପଢ଼ୁଥିବା ସମୟରେ ଦେଶର ସରକାରୀ ନବରଙ୍ଗରେ ଗୋଟାଏ ଉଚ୍ଚ ହାକିମ ହେବେ ବୋଲି ସେମାନେ ଯେତେବେଳେ ନିଜ ପାଇଁ ଫଇସଲାଟିଏ କରିଥିବେ, ସେତେବେଳେ ସେମାନଙ୍କର ନାଡ଼ିଟାକୁ ଦେଖି ଜଣେ ପ୍ରକୃତ ବୈଦ୍ୟ ସେମାନଙ୍କ ଭିତରେ ଆସି ସବାର ହୋଇଥ୍‌ବା ଅସଲ ରୋଗ ଅର୍ଥାତ୍‍ ଅସଲ କାମନା ବିଷୟରେ ଅବଶ୍ୟ ବହୁତ କିଛି କହି ଦେଇ ପାରିଥାନ୍ତା । ସେମାନଙ୍କ ଭିତରୁ କେହି କେହି ସତେଅବା ଭୁଲ ଜାଗାଟା ଭିତରେ ପଶିଯାଇ କାହିଁକି ନିଜ ହୃଦୟଟା ପାଖରେ ବେଅକଲ ହେଲେ ବୋଲି ପ୍ରାୟଶ୍ଚିତ କଲାପରି ସାହିତ୍ୟ ମଧ୍ୟ କରି ପକାଉଛନ୍ତି । ଦ୍ଵିପତ୍ରୀଳ ଜୀବନ ଭିତରେ ପ୍ରାୟ ଦୁଇଟାଯାକ ପାଖରେ ମଧ୍ୟ କୃତ୍ରିମ ହେବାକୁ ବାଧ୍ୟ ହେଉଛନ୍ତି, ନିଜକୁ ଦୁଇଟା ଦର୍ପଣରେ ଦେଖିବାର କଲବଲ ଭୋଗୁଛନ୍ତି । ଆଉ କିଏ ପାଠରେ ଅଛି, କିଏ କଳାସାଜ ପିନ୍ଧି କଚେରୀରେ ସ୍ଵାଧୀନ ବ୍ୟବସାୟ କରୁଛି; କିଏ ଥାନରେ କେତେ ଘଡ଼ି, ବସି ବିଜାର ହୋଇଯାଉଛି କି କ'ଣ, କାଗଜ କଲମରେ ନିଜ ପାଇଟିଟା ଉପରେ ଟିକ୍ ମାରିଦେଇ ଘଡ଼ିଏ ସାହିତ୍ୟ ଭିତରକୁ ରସପାନ କରି ରକ୍ଷାପାଇବ ବୋଲି ଧାଇଁ ଆସୁଛି । ସେମାନେ କଦାପି କେହିହେଲେ ସମୀକ୍ଷାକୁ ମନକରିବେ ନାହିଁ । ନିଜ ନିଜ ରାଜମହଲରୁ ଖୁବ୍‌ ବେଶି ହେଲେ ରଙ୍ଗମହଲ ଯାଏ ଆସିବେ । କର୍ମଭୂମି ଓ ରଙ୍ଗଭୂମି (ମୁନ୍‍ସୀ ପ୍ରେମଚନ୍ଦଙ୍କର ଏହି ଦୁଇ ନାମରେ ଦୁଇଟି ଉପନ୍ୟାସ ରହିଛି) ମଧ୍ୟରେ ମୋଟେ କୌଣସି ବୁଝାମଣା କରାଇ ପାରୁନଥିବେ ଏବଂ ତେଣୁ ସ୍ଵୟଂ ଦୁଇଭାଗ ଅର୍ଥାତ୍ ଭାଗ ଭାଗ ହୋଇ ରହିଥିବେ । ଆମ ଦେଶଟାକୁ ବର୍ତ୍ତମାନ ଏହି କିସମର ବ୍ୟକ୍ତିମାନଙ୍କର ଦାଉକୁ ହିଁ ସହ୍ୟ କରିବାକୁ ପଡ଼ୁଛି । ସାହିତ୍ୟ ଶତକଡ଼ା ଦଶ ବା ପନ୍ଦର ଭାଗଙ୍କ ମଧ୍ୟରେ ସୀମିତ ହୋଇ ରହିଛି । ଅସଲ ସମୀକ୍ଷା ବାକି ପଡ଼ି ଯାଇଥିବା ନବେଭାଗଙ୍କୁ ଲୋଡ଼ିବ । ଦଶଭାଗ ହିଁ ସାହିତ୍ୟ ଘରେ ସାର୍ବଭୌମ ହୋଇ ରହନ୍ତି ବୋଲି ଇଚ୍ଛା କରୁଥିବ । ସାହିତ୍ୟସ୍ଥମାନେ ବସ୍ତୁତଃ ସମୀକ୍ଷାର ସେହି ଅଭିଳାଷଟିକୁ ସେମାନଙ୍କର ବିରୋଧରେ ଏକ ଚକ୍ରାନ୍ତ ବୋଲି ବିଚାର କରୁଥିବା ସାହିତ୍ୟଟା ଘୋର ବିଡ଼ମ୍ବନା ମଧ୍ୟରେ ଆଉଟି ପାଉଟି ହେବାରେ ଲାଗିଥିବ । ଠିକ୍‌ ବର୍ତ୍ତମାନ ଭଳି ।

 

କେବଳ ଆପ୍ୟାୟିତ ହୋଇ ରହିବାକୁ କେହି ଜୀବନଟିଏ ବଞ୍ଚେ ନାହିଁ । କେବଳ ଆପ୍ୟାୟିତ ହେବାକୁ କେହି କେବେହେଲେ ସାହିତ୍ୟ ପଢ଼େ ନାହିଁ କିମ୍ବା କେବଳ ଆପ୍ୟାୟିତ କରିବାକୁ କେହି ସାହିତ୍ୟ ଲେଖେନାହିଁ । କେଉଁ ଯୁଗରେ ଯେ ସାହିତ୍ୟକୁ ଆପ୍ୟାୟିତ ହେବାର ଏବଂ ଆପ୍ୟାୟିତ କରିବାର ଏକ ସାଧନ ରୂପେ ଗଣା ଯାଇଥିଲା, ତାହା ସେହି ଯୁଗର ରୀତିଟି ସକାଶେ ସେପରି ହେଉଥିଲା । ସେଇଟା ଭାଗ୍ୟର ଯୁଗ ଥିଲା, ଭାଗ୍ୟବାନ ମନୁଷ୍ୟମାନେ ପୃଥିବୀଟାକୁ ଚଉଷଠି ବନ୍ଧରେ ଭୋଗ କରିବେ ବୋଲି ଭାଗ୍ୟହୀନମାନଙ୍କୁ ସେମାନଙ୍କର ଅସହାୟତା ମଧ୍ୟରେ ଘାଣ୍ଟି ହେବା ପାଇଁ ଛାଡ଼ି ଦେଉଥିଲେ ଏବଂ ଆନନ୍ଦ ବର୍ଦ୍ଧନମାନେ ସେହି ଅନୁସାରେ କାବ୍ୟର ତତ୍ତ୍ଵ ଲେଖି ଥୋଇ ଦେଉଥିଲେ । ସ୍ଥାନୀୟତା’ର କାନ୍ଥମାନେ ଭାଙ୍ଗିପଡ଼ିବା ସଙ୍ଗେ ସଙ୍ଗେ ପୃଥିବୀ କ୍ରମେ ବଡ଼ ହୋଇ ଦେଖାଗଲା ଓ ତାହା ଅଧିକରୁ ଅଧିକ ମଣିଷଙ୍କ ନିମନ୍ତେ ଜୀବନର ସଂଜ୍ଞାକୁ ବଦଳେଇ ଦେଲା । ମଣିଷ ନିଜର ଏକକ ସୁଖ ଓ ଏକକ ମୁକ୍ତିକୁ ଲୋଡ଼ିବା ପରିବର୍ତ୍ତେ ପରସ୍ପରକୁ ଲୋଡ଼ିଲା । ଏପରି ଗୋଟିଏ ପାରସ୍ପରିକତା, ଯାହାର ଉପଲବ୍ଧି ପାଇଁ ବହୁତ ବିପ୍ଳବ ହେଲା, ପ୍ରତିଷ୍ଠିତ ଧାରଣାଗୁଡ଼ିକରେ କେତେ ଓଲଟପାଲଟ ହୋଇଗଲା । ସାହିତ୍ୟ ମଧ୍ୟ ଏକ ନୂତନ ସ୍ପର୍ଶ ପାଇଲା, ନାନା ନୂତନ ପ୍ରସ୍ଥରେ ପ୍ରସାରିତ ହୋଇଗଲା; ସ୍ଥାନୀୟ ସାହିତ୍ୟ ଜାତୀୟ ସାହିତ୍ୟ ହେଲା– ଆରୋହଣର ଆଉ ଏକ ପାହାଚରେ ବିଶ୍ଵ ସାହିତ୍ୟର ଜନ୍ମ ହେଲା । ଜୀବନ ଭଳି ସାହିତ୍ୟରେ ମଧ୍ୟ ସମୀକ୍ଷା ହିଁ ସର୍ବପ୍ରଧାନ ବିନ୍ଦୁ ହୋଇ ରହିଲା । ଭାରତବର୍ଷରେ ଯେତିକି ଯେତିକି ସବୁ ମଣିଷକୁ ଆମର ଚଳନ୍ତି ସ୍ଥିତି ତଥା ନିୟତିଗୁଡ଼ିକରେ ସ୍ଥାନ ଦିଆଯାଉଥାଏ, ଏଠାରେ ସାହିତ୍ୟ ମଧ୍ୟ ଆଉ ଥୋକେ ମଣିଷଙ୍କର ବିନୋଦନ-ବ୍ୟାପାର ନହୋଇ ଆପଣାର ଆବେଦନ ତଥା ଆସ୍ପୃହାରେ ବ୍ୟାପକ ହେବାରେ ଲାଗିଥିବ । ସାହିତ୍ୟକୁ ସେତେବେଳେ ଏକ ଅଲଗା ତଥା ନିକାଞ୍ଚନ ଶୋଭନୀୟତା ଯୋଗାଇଦେଇ ମୋଟେ ଏକ ସାରସ୍ଵତ ପବିତ୍ର କାର୍ଯ୍ୟ ବୋଲି କୁହାଯିବ ନାହିଁ । ସମସ୍ତ ଜୀବନକୁ ଏକ ପବିତ୍ର ତଥା ସମ୍ଭାବନାମୟ ପ୍ରୟାସକ୍ଷେତ୍ର ଭଳି ଅଙ୍ଗେ ନିଭାଇବାର ଅନ୍ୟ ପ୍ରୟୋଗଟିଏ ଆରମ୍ଭ ହୋଇଯିବ । କେବଳ ପ୍ରବନ୍ଧ ନୁହେଁ, ସେତେବେଳେ କବିତା, ଗଳ୍ପ ଉପନ୍ୟାସ ଏବଂ ନାଟକର ମଧ୍ୟ ଏକ ନୂତନ ଉପନୟନ ହେବ । ଆମେ ସଚେତନ ହେଲେ ଅଧିକ ତ୍ଵରାର ସହିତ ହେବ ।

 

ଏବେ କୌଣସି ପତ୍ରିକାରେ କବିତା ବିଷୟରେ ଏକ ଧାରାବାହିକ ଆଲୋଚନା ଦେଖିବାକୁ ମିଳିଲା, ଯେଉଁଥିରେ କି ବିଷୟଟିର ଶୀର୍ଷକରେ ହିଁ କବିତାକୁ 'ପରମେଶ୍ଵରୀ' ବୋଲି କୁହାଯାଇଛି । କବିମାନେ କବି ପରମେଶ୍ଵରୀକୁ ନେଇ ଘର କରି ରହିବାକୁ ଯଦି ମନ କରୁଥାନ୍ତି କରନ୍ତୁ, ସାହିତ୍ୟ ଜୀବନର ବୃହତ୍ତର ସମୀକ୍ଷାକୁ ବହନ କରି ତଥାପି ଆହୁରି ଆଗକୁ ବାହାରିଯିବ, ବ୍ୟାପକତର ହେବ । ଅନେକ ଅଧିକ ଦାବି କରିବ ଏବଂ ଅନେକ ଅଧିକ ଲାଗି ପ୍ରସ୍ତୁତ ହେବ । ଏବେ ରାଜନୀତିରେ ରହିଥିବା କିଛି ମଣିଷ ଯେପରି ହୁଏତ ରାଜନୀତିଟାକୁ ପରମେଶ୍ଵର ବୋଲି କହିବେ, ପ୍ରାୟ ସେହିଭଳି କିଛି ଅନ୍ଦାଜ ବା ଅଭିସନ୍ଧି ରଖି କିଛି କବି କବିତାକୁ ପରମେଶ୍ଵରୀ ବୋଲି ଘୋଷଣା କରିବାକୁ ସଅକ କରୁଛନ୍ତି କି ? ପାଶ୍ଚାତ୍ୟ ଜଗତର କୌଣସି ଆଧୁନିକ କବି ସେଯାଏ ଯାଇପାରିବେ କି ନାହିଁ କେଜାଣି ? ଭାରତୀୟ ପୁରାତନ କାବ୍ୟତତ୍ତ୍ଵରେ ପୁଙ୍ଗବମାନଙ୍କର ପଙ୍‍କ୍ତିରେ ଯେଉଁମାନଙ୍କର ନାଆଁ ଅଛି, ସେମାନେ ମଧ୍ୟ ପରମେଶ୍ଵରଙ୍କ କଥା ପଡ଼ିବାବେଳେ ମୋଟେ କବିତା’ର ଚୌକାଠଟା ପାଖରେ ଅଟକି ଯିବେ ନାହିଁ ।

 

ଏବଂ ପ୍ରବନ୍ଧକୁ ଜଣେ ପ୍ରବନ୍ଧାକାର ଆପଣ ଦଶକୋଟି ଟଙ୍କା ଲାଞ୍ଚ ଯାଚିଲେ ମଧ୍ୟ ପରମେଶ୍ଵର ବୋଲି କହିବନାହିଁ । ପରମେଶ୍ଵର ଅଥବା ପରମେଶ୍ଵରଙ୍କର ବାସନା ପାଇଥିବା କୌଣସି ଜୀବ କଦାପି ମଧ୍ୟବର୍ତ୍ତୀ କୌଣସି ଛାଞ୍ଚକୁ ପରମେଶ୍ଵର ବା ପରମେଶ୍ଵରୀ ବୋଲି କହିବ ନାହିଁ । କବିତା ମଧ୍ୟ ଏକ ମାଧ୍ୟମ, ସାହିତ୍ୟ ବି ମାଧ୍ୟମ । ଏମାନେ କେହି ପରମେଶ୍ଵର ନୁହନ୍ତି । କେବଳ ପୌତ୍ତଳିକମାନେ ହିଁ ପୁତ୍ତଳିଟାକୁ ପରମେଶ୍ଵର ବୋଲି ଭ୍ରମକରନ୍ତି ଗଣା ହୁଅନ୍ତି । ବହୁ ପ୍ରମାଦର କାରଣ ହୁଅନ୍ତି । ଗିରି ଶିଖରକୁ ପଡ଼ିଥିବା ବାଟଟାକୁ ସତକୁ ସତ ଗିରିଶିଖର ଉପରେ ଲୟ ରଖିଚାଲିଥିବା ମଣିଷ କେବେହେଲେ ବି ଗିରିଶିଖର ବୋଲି କହିବନାହିଁ । ଯେଉଁମାନେ ଗିରିଶିଖରକୁ ଉଦ୍ଦେଶ୍ୟ କରି ବାଟ ଚାଲୁଛନ୍ତି, ପ୍ରବନ୍ଧ ସସମାନଙ୍କ ନିମନ୍ତେ ସମ୍ଭବତଃ gadflyର ଭୂମିକା ଗ୍ରହଣ କରିବ । ବାଟ ଚାଲୁଥିବା ମଣିଷ ଆଳସ୍ୟ ହେତୁ ଅଥବା ଅନ୍ୟ କୌଣସି ଅନ୍ୟମନସ୍କତା’ର କାରଣରୁ ବାଟରେ ଅଟକିଯିବାକୁ ମନ କଲା ମାତ୍ରକେ ପ୍ରବନ୍ଧ ଥିବ ଥିବ, ରୁଟ କରି କାମୁଡ଼ି ଦେବ । ନିଦ ଭାଙ୍ଗିଦେବ, ବେତା’ର ଦେଉଥି‌ବ । ବିଶେଷତଃ ସାହିତ୍ୟକୁ ପ୍ରାୟ ଏକ ପୀଡ଼ାପ୍ରଶମକ ଭଳି ବ୍ୟବହାର କରିବାକୁ ବେଶ୍‌ ଷଡ଼ଯନ୍ତ୍ର ହେଉଥାଏ ଆମର ଏହି ବଡ଼ ଏକବାଗିଆ ଆହ୍ଲାଦିଆ ସମୟଟାରେ gadfly ହିଁ ଏକ ସତ୍ ବନ୍ଧୁ ପରି କାର୍ଯ୍ୟ କରିବ । ପ୍ରବନ୍ଧକ ଦେଖିଲେ ହୁଏତ ଚିଡ଼ି ମାଡ଼ୁଥିବ, ରସିକମାନେ ପ୍ରବନ୍ଧଟିଏ ଦେଖିଲେ ଓ କେହି ସେମାନଙ୍କ ସମ୍ବନ୍ଧରେ ସମୀକ୍ଷାତ୍ମକ ଭାବରେ କ'ଣ ପଦେ କହିଛି ବୋଲି ଜାଣିଲେ ପ୍ରମାଦ ଗଣିବେ ସିନା, ତଥାପି ପ୍ରବନ୍ଧ ହିଁ ବନ୍ଧୁର କାମ କରିବ, ନେଉଳଭାଇ ପରି ଅସଲ କାମ ଦେଉଥିବ । ଆମେ ତାକୁ ଯେତେ ଘଉଡ଼ାଇ ଦେବାକୁ ଇଚ୍ଛା କରୁଥିଲେ ମଧ୍ୟ ତଥାପି ସିଏ ଆମର ଅସଲ ଆରୋହଣଗୁଡ଼ିକ ସମୟରେ ପାଖରେ ଆସି ପହଞ୍ଚି ଯାଉଥିବ । ଯାବତୀୟ ପ୍ରକାରର ସମ୍ମୋହନକୁ ତ୍ୟାଗ କରି ସମୀକ୍ଷାକୁ ଅଧିକରୁ ଅଧିକ ଥାନ ଛାଡ଼ିଦେବାରେ ହିଁ ପୃଥିବୀର ଭାଗ୍ୟ ନିର୍ଭର କରୁଛି ବୋଲି ଯଦି ଆମେ ବୁଝି ପାରୁଥିବା, ତେବେ ପ୍ରାୟ ଆଖି ବୁଜି କହିଦେଇ ହେବ ଯେ, ଏଣିକି ସାହିତ୍ୟରେ ପ୍ରବନ୍ଧକୁ ହିଁ ଅଧିକରୁ ଅଧିକ ମଣିଷ ଲୋଡ଼ି ବାହାରିବେ । ହାତରେ ଧରିଥିବା ଯଷ୍ଟିଟିକୁ ଛାଡ଼ି, ଏଣିକି ଆଖିକୁ ହିଁ ଅଧିକ ଲୋଡ଼ିବେ । ପ୍ରବନ୍ଧ ସେମାନଙ୍କୁ ନିଜକୁ ହସି ଶିଖାଇବ, ଆବଶ୍ୟକ ହେଲେ ସେମାନଙ୍କ ଉପରକୁ ବିଦ୍ରୂପର ବାଣମାରି ସେମାନଙ୍କର ପରିତ୍ରାଣ ବିଧାନ କରିବ । ସାହିତ୍ୟଟା ସତକୁ ସତ ମୋଟେ ଅଫିମ ନୁହେଁ, ଆମେ ଇଚ୍ଛା କଲେ ତାହା ଯେ ଆମଲାଗି ଏକ ଉନ୍ମୋଚନକାରୀ ବନ୍ଧୁପରି କାମ ଦେଇପାରେ, ଆପଣା ବାଗରେ ପ୍ରବନ୍ଧ ନିରନ୍ତର ସେହି କଥାଟିକୁ ହିଁ କହି ଦେଉଥିବ ।

 

[ଝଙ୍କାର,ଶାରଦୀୟ ସଂଖ୍ୟା ,୧୯୯୯]

 

Unknown

ସମାଜ, ବ୍ୟକ୍ତି ଓ ସ୍ଵାଧୀନତା

 

ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗରେ ଏକାବେଳେକେ ସତ୍ୟବାଦୀର ସମୟଯାଏ ଆସି ହିଁ ଆମେ ବ୍ୟକ୍ତି କୁ ଭେଟିବା । ବ୍ୟକ୍ତିଚରିତ୍ରମାନେ ଆଗରୁ ବି ସାହିତ୍ୟ ଭିତରେ ଥିଲେ; ଗଳ୍ପ, ନାଟକ ଓ କବିତା ସବୁଥିରେ ରହୁଥିଲେ । ମାତ୍ର, ସେମାନେ ସତେଅବା ପ୍ରଧାନତଃ ମୁଣ୍ଡ ସୁମାରି ହେବା ଭଳି ରହିଥିଲେ । ଧର୍ମ ଥିଲା, ଆଚାର ଥିଲା, ବିଧି ଓ ନିୟତି ସବୁ ଥିଲା, ଏବଂ ବ୍ୟକ୍ତିମାନେ ତା’ ଭିତରେ ସତେ ଅବା କ୍ରୀଡ଼ନକବତ୍ ରହିଥିଲେ । ସମୂହ ଭିତରେ ବ୍ୟକ୍ତି ମଣିଷ ନିମିତ୍ତ ପରି ହୋଇ ରହିଥିଲା । ଜଙ୍ଗଲ ଭିତରେ କ’ଣ ଗଛ ନଥାଏ ? ମାତ୍ର ଗଛ ଗଛ ଏକତ୍ର ହୋଇ ଯେ ଜଙ୍ଗଲଟିଏ ସମ୍ଭବ କରନ୍ତି, ଜଙ୍ଗଲକୁ ଏକ ବୈଚିତ୍ରା ଆଣିଦିଅନ୍ତି, ଇଏ ହେଉଛି ଏକ ଅନ୍ୟ ଭାବନା, ଏକ ଅନ୍ୟ ମୂଲ୍ୟ କଳ୍ପନା ଏବଂ, ଆମ ସାହିତ୍ୟରେ ସତ୍ୟବାଦୀ ଯୁଗକୁ ଆସିଯାଇ ସେଇ ମୂଲ୍ୟ କଳ୍ପନାଟି ଆମ ଚେତନାକୁ ସ୍ପର୍ଶ କରୁଥିବା ପରି ମନେ ହୋଇଥାଏ । ଆଖିଗୁଡ଼ାକ ବାହାରୁ ଭିତର ଆଡ଼କୁ ବୁଲିପଡ଼ନ୍ତି । ମଣିଷଟିଏ ଯେ ବାହାରେ ଆଉ କାହାଦ୍ଵାରା ପରିଚାଳିତ ହୋଇ ବାଧ୍ୟ ଏକକଟିଏ ପରି ଘୋଷାରି ହୋଇ ଯାଉନାହିଁ, ତା’ର ଯେ ଏକ ସମ୍ଭାବନା ରହିଛି, ଇଚ୍ଛା ଓ ଆସ୍ପୃହା ରହିଛି, – ଯୁଗର, ସମୂହର ଗତିଧାରାକୁ ଏକ ନିର୍ଦ୍ଧିଷ୍ଟ ଦିଗ ଅଥବା ଆଭିମୁଖ୍ୟ ଆଣିଦେବାରେ ତା’ର ଯେ ଏକ ଅବଦାନ ରହିଛି, ସେ କଥା ଯାଇ ସତ୍ୟବାଦୀ ଯୁଗରେ ଲେଖକମାନେ ଆମର ଅବଧାରଣା ଭିତରକୁ ଆଣିଲେ । ଜଣେ ଜଣେ ବ୍ୟକ୍ତି ହିସାବରେ ଆମକୁଏକ ଅନ୍ୟ ସ୍ଵୀକୃତି ଦେଲେ । ଆଗରୁ ଓଡ଼ିଆ ମଧ୍ୟ ଯୁଗରେ ସନ୍ଥ ସାହିତ୍ୟରେ ବ୍ରହ୍ମାଣ୍ଡ ସାହିତ୍ୟ ପିଣ୍ଡର ସମାନ୍ତର-ସାହିତ୍ୟଟିକୁ ଘୋଷଣା କରାଯାଇଥିଲା ସିନା, – ତଥାପି ଉପଯୁକ୍ତ ସମୟଟି ଆସି ପହଞ୍ଚିନଥିଲା ନା କ’ଣ କେଜାଣି, ପିଣ୍ଡତତ୍ଵ ଖାଲି ତତ୍ତ୍ଵରେ ରହିଗଲା । ସେହି ଆଡ଼କୁ କିଞ୍ଚିତ୍ ଉଦବେଳନର ଅନୁଭବ ହେଲା ସିନା, ମାତ୍ର ବ୍ୟକ୍ତି ତଥାପି ସେହି ବହୁ ପାରମ୍ପରିକ ସାମୂହିକତା ଭିତରେ ଗୁରାଇ ତୁରାଇ ହୋଇ ରହିଗଲା ।

 

ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ– ଏମାନେ ସମସ୍ତେ ଓଡ଼ିଆ ଜାତୀୟତା’ର ମୂଳ ଉନ୍ମେଷ ଯିଏ ପାଶ୍ଚାତ୍ୟ ସଂକ୍ରମଣରୁ ହିଁ ଭାରତବର୍ଷକୁ ଆସିଥିଲା । ନାନା ତତ୍କାଳିକ କାରଣରୁ ଓଡ଼ିଶାକୁ ତାହା କିଛି ବିଳମ୍ବରେ ଆସିଥିଲା । ସିଧା ନ ଆସି ମଝିରେ ତିନି ହାତ ହୋଇ ଆସିଥିଲା । ସେଥିଲାଗି ଓଡ଼ିଆ ସାହିତ୍ୟରେ ତାହା ପରିପୂର୍ଣ୍ଣ ବ୍ୟଞ୍ଜନାଟି ଅନୁଭୂତ ହେବାକୁ ବେଶ୍ ସମୟ ମଧ୍ୟ ଲାଗିଲା । ତଥାପି ଗୋପବନ୍ଧୁ ପ୍ରଭୃତିଙ୍କର ସମୟରୁ ତାହା ସତେଅବା ସାକାର ପ୍ରେରଣା ରୂପରେ ଦୃଷ୍ଟି ଗୋଚର ହେଲା । ତା’ପରେ ସବୁଜ ଓ ସବୁଜ ପର ଯୁଗମାନଙ୍କରେ ଅଧିକ ସ୍ପଷ୍ଟ ଭାବରେ ଓଡ଼ିଶାରେ ଆମର ଚେତନା ଓ ଶ୍ରଦ୍ଧାର ଘରମାନଙ୍କୁ ସ୍ପର୍ଶ କରିଥିଲା । ଭାରତବର୍ଷରେ ରାଜନୀତିକ ସ୍ଵାଧୀନତା ନିମନ୍ତେ ଚାଲିଥିବା ସଂଗ୍ରାମଟିକୁ ଓଡ଼ିଶା ଭିତରକୁ ଆଣିବା ଲାଗି ପଣ୍ଡିତ ଗୋପବନ୍ଧୁ ପୁରୋଗାମୀ ରୂପରେ କାର୍ଯ୍ୟ କରିଥିଲେ । ସ୍ଵାଧୀନତାଲାଗି ସଂଗ୍ରାମ, ତାହା ଯେକୌଣସି ଦେଶର ସଂଗ୍ରାମ ହୋଇଥାଉ ପଛକେ, ତାହା ଦ୍ଵାରା ବ୍ୟକ୍ତିର ମଧ୍ୟ ନିଦ ଭାଙ୍ଗିଯାଏ । ବ୍ୟକ୍ତି ସତେ ଅବା ନିଜର ଏକ ନୂତନ ପରିଚୟ ଲାଭ କରେ, ନିଜ ପାଇଁ ଏକ ନୂତନ ଭୂମିକାର ଆବିଷ୍କାର କରେ, ଯାହା ସମୂହର କ୍ଷେତ୍ରରେ ଘଟୁଛି ବା ଘଟିବ, ସଚେତନ ବ୍ୟକ୍ତି ହିଁ ସମର୍ଥ ଓ ସମ୍ମତ ହେଲେ ତାହା ଘଟୁଛି ଓ ଘଟିବ ବୋଲି ଏକ ଅଭିନବ ସତ୍ୟର ଉପଲବ୍‍ଧି ହୁଏ । ଇଉରୋପୀୟ ରେନେସାଁସ୍‍ରୁ ସମାବର୍ତ୍ତିତ ହୋଇ ଯେଉଁ ଅଭିନବ ସତ୍ୟଗୁଡ଼ିକର ଉନ୍ମୋଚନ ହୋଇ ଆସିଥିଲା, ତାହା ହିଁ ଇଉରୋପେରେ ନାନାବିଧ ବିପ୍ଳବ ଓ ପରିବର୍ତ୍ତନ ଲାଗି ବାଟ କଢ଼ାଇ ନେଲା, ଜାତୀୟତା’ର ଉଦବୋଧନ ଘଟାଇଲା ଏବଂ ଜାତିତ୍ଵର ପ୍ରକ୍ରିୟାଟି ଅଧିକରୁ ଅଧିକ ପରିପକ୍ଵ ଏବଂ ସୁଗଠିତ ହୋଇ ଆସିବା ସଙ୍ଗେ ସଙ୍ଗେ ଯାବତୀୟ ସମୂହ ଭାବନା ସାମୂହିକ ପ୍ରୟାସରେ ବ୍ୟକ୍ତି ହିଁ ଅଧିକରୁ ଅଧିକ ପରିମାଣରେ ପୁରୋଭାଗକୁ ଆସିଲା । ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଯୁଗରେ ଆମେ ପ୍ରାୟ ସେହିପରି ଏକ ନୂତନ ଅତିକ୍ରମଣର ସମ୍ମୁଖୀନ ହେଇଥାଉ । ଅଧିକରୁ ଅଧିକ ପ୍ରତ୍ୟୟର ସହିତ ଆମେ ନିଜର ଭିତରକୁ ଚାହିଁ ଦେଖିବାର ପ୍ରଚୋଦନା ଲାଭ କରିଥାଉ ପାହାଚ ଉଠି ପାରୁଥିଲେ ବାହାରେ ମଧ୍ୟ ସମସ୍ତଙ୍କୁ ସାଙ୍ଗରେ ନେଇ ଆମେ ବହୁବାଟ ଚାଲି ଯାଇ ପାରିବା ବୋଲି ଏକ ସାହସ ମଧ୍ୟ ଲାଭ କରିଥାଉ ।

 

ପ୍ରକୃତରେ କେଉଁଟା ସତ, ସମାଜ ଆଗ ନା ବ୍ୟକ୍ତି ଆଗ ? ପ୍ରାଚ୍ୟ ଓ ପାଶ୍ଚାତ୍ୟ ରାଜନୈତିକ ନ୍ୟାୟ ଶାସ୍ତ୍ରର ଏହି ବିଷୟରେ କେଡ଼େ ଉତ୍ସାହର ସହିତ କେତେ ଆଲୋଚନା କରାଯାଉଛି । ତଥାପି ଯେତେ ଦୂର ମନେ ହେଉଛି, ଏଇଟି ଗୋଟେ ନ୍ୟାୟ ଶାସ୍ତ୍ର ର ପ୍ରଶ୍ନ ନୁହେଁ, ଏହା ମୂଳତଃ ଦୃଷ୍ଟିଭଙ୍ଗୀର ହିଁ ପ୍ରଶ୍ନ । ଏଇଟା ଠିକ୍ ହେଲେ ସେଇଟା ଭୁଲ୍ ଏବଂ ସେଇଟା ଠିକ୍ ହେଲେ ଏଇଟା ଭୁଲ୍, –ଏହିପରି ଗୋଟିଏ ଏକତରଫା କଥାର ଘୋଷଣା କରିଥିବା ଧୁରନ୍ଧରମାନେ ପୃଥିବୀ ଇତିହାସ ର ଆଦୌ କମ୍ ବାହାରି ନାହାନ୍ତି । ନିଜ ନିଜର ମତକୁ ଅଧିକ ବଳ ଏବଂ ପୌଷ୍ଟିକତା ଯୋଗାଇଦେବାକୁ ଅନେକ ଈଶ୍ଵରଙ୍କୁ ମଧ୍ୟ ସାକ୍ଷୀକରି ଆଣି ଛିଡ଼ା କରାଇ ଦେବାକୁ ଚେଷ୍ଟା କରିଛନ୍ତି । କଥା ଏବଂ ଉପକଥା ମାନ ମଧ୍ୟ ତିଆରି କରାଯାଉଛି । ଭାରତୀୟ ଋଷିମାନେ ଅଧ୍ୟାତ୍ମର ତତ୍ତ୍ଵ ବଖାଣି ବ୍ୟକ୍ତିକୁ କେଡ଼େ ବଡ଼ ଓ କେତେ ମହତ୍ ବୋଲି ଦେଖାଇଅଛନ୍ତି ସିନା, ମାତ୍ର ଯେଉଁ ଅନ୍ୟ ଋଷିମାନେ ସମାଜ ଚଲାଇବାପାଇଁ ସୂତ୍ରମାନ ଯୋଗାଇ ଦେଇଛନ୍ତି, ସେମାନେ ଗୋଟାଏ ଗୋଟାଏ ସାମୂହିକତା’ର ପଥର ତଳେ ମନୁଷ୍ୟ ବ୍ୟକ୍ତିକୁ ଏକାବେଳେ ଚାପି ଦେଇଛନ୍ତି । ଗୋଟାଏ ପାଖରେ ଅଧ୍ୟାତ୍ମ ଓ ଆଉ ଗୋଟାଏ ପାଖରେ ଧର୍ମାଚର– ଦୁଇଟା ମଧ୍ୟରେ ଭାରତ ବର୍ଷ ପ୍ରାୟେ ଆବହମାନ କାଳରୁ ଭାରି ହନ୍ତ ସନ୍ତ ହୋଇ ରହିଛି । ସୁବିଧାବାଦୀ ମାନେ ସେଥିରୁ ସମ୍ଭବତଃ ସବୁଠାରୁ ଅଧିକ ଲାଭବାନ୍ ହୋଇଛନ୍ତି । ଆମ ମହାପୁରାଣମାନଙ୍କରେ ଭଲ ପୁଅ, ଭଲ ପତ୍ନୀ, ଭଲ ଭାଇ ଏକାଧିକ ରହିଛନ୍ତି, – ଭଲ ବ୍ୟକ୍ତିଟିଏ ଖୋଜିଲେ ମଧ୍ୟ କେଉଁଠି ସନ୍ଧାନ ମିଳୁ ନାହିଁ । ଭଲ ବ୍ୟକ୍ତି ଯାହା ଭିତରେ କି ବିବେକ ବୋଲି ଚେତନାଟିଏ ସବା ଆଗରେ ରହିଛି, –ଯିଏ ନିଜେ ଭଲ ମନ୍ଦ ଉଚିତ ଅନୁଚିତ ବିଚାର କରିପାରୁଛି, ସମୂହ ପ୍ରତି ଯିଏ ନିଜର କର୍ତ୍ତବ୍ୟ କରୁଛି ସିନା, ମାତ୍ର ଗଧ ପରି ସମୂହକୁ ମାନି ନେଉ ନାହିଁ । ଅର୍ଥାତ୍ ସିଏ ଚିନ୍ତା କରୁଛି, ଶାସ୍ତ୍ର ଓ ଶାସ୍ତ୍ରକାରମାନଙ୍କୁ ସମ୍ମାନ ଦେଉଛି ସତ, ମାତ୍ର ନିଜ ଧାରାରେ, ନିଜେ ଗ୍ରହଣ କରୁଥିବା ମୂଲ୍ୟଗୁଡ଼ିକ ଅନୁସାରେ ଜୀବନଟିଏ ବଞ୍ଚୁଛି ଏବଂ ସମାଜରେ ବାନ୍ଧି ଦିଆ ଯାଉଥିବା ଗାର ସେପାଖକୁ ଅନାଇ ପାରୁଛି । ଗାର ସେପାଖକୁ ଅନାଇ ପାରିବା, ସମ୍ଭବତଃ ସୁଯୁକ୍ତିଯୁକ୍ତ ଭାବରେ ଏହାକୁ ହିଁ ସୃଜନାତ୍ମକତା’ର ଅସଲ ପରିମାନ ବୋଲି କୁହାଯିବ ।

 

ଶାସ୍ତ୍ରୀୟ ଆଚାର ଦ୍ଵାରା ବାନ୍ଧି ହୋଇ ରହିଥିବା ଏକ ସମାଜ ସମ୍ମୁଖରେ ଛିଡା ହୋଇ ଗୌତମ ବୁଦ୍ଧ ହିଁ ଜଣେ ବ୍ୟକ୍ତିର ସନ୍ଦୀପିତ ବିବେକ ନେଇ ଆପଣାର ପ୍ରତିଭା ବ୍ୟକ୍ତ କରିଥିଲେ । ମଣିଷ ମାନି ନେବା ହିଁ, ସିଏ ଶାସ୍ତ୍ରର କଥାକୁ ସର୍ବଶେଷ କଥା ବୋଲି କହିବ ନାହିଁ । ଯାହା ସମାଜରେ ଦୀର୍ଘକାଳ ଧରି ଚାଲିଆସିଛି, ତାହାକୁ ଅମୋଘ ଏବଂ ଅପରିବର୍ତ୍ତନୀୟ ବୋଲି ଧରି ହେବ ନାହିଁ । ସିଏ ଶାସ୍ତ୍ର ପଢ଼ିବ, ମହଜ୍ଜନମାନଙ୍କର ପରାମର୍ଶ ବାଣୀଗୁଡ଼ିକ ଅବଶ୍ୟ ଶୁଣିବ ,–ମାତ୍ର ସେଗୁଡ଼ିକ ନିଜେ ତଉଲି ଦେଖିବ, ନିଜର ମୂଲ୍ୟ କାଠି ମାନଙ୍କରେ ମାପିବ ଏବଂ ତାପରେ ଯାଇ ନିଜ ପାଇଁ ବାଟଟିଏ ଅର୍ଥାତ୍ ଉଚିତଟିଏ ବାଛିବ । ଏତିକି କହିବା ନିମନ୍ତେ ମଧ୍ୟ ସେତେବେଳେ ବୁଦ୍ଧଦେବଙ୍କୁ କେତେ ପ୍ରତିକୂଳତା’ର ସମ୍ମୁଖୀନ ହେବାକୁ ପଡ଼ିଥିବ । ତାଙ୍କର ଏକ ସର୍ବଶେଷ ସନ୍ଦେଶରେ ସିଏ ମନୁଷ୍ୟକୁ ନିଜେ ନିଜର ଦୀପ ହେବା ପାଇଁ କହିଥିଲେ । ହୁଏତ ମାଟିଦିପଟି ବାହାରର ଆଉ କାହା ଦ୍ଵାରା ଗଢ଼ା ହୋଇଥିବ, ସଳିତା ବାହାରୁ ଆସିଥିବ, ତେଲ ବି ବାହାରୁପଡ଼ିଥିବ; ମାତ୍ର ଦୀପର ଆଲୁଅଟିକୁ କଦାପି କେବଳ ଏହି ବସ୍ତୁଗୁଡ଼ିକରୁ ନିଷ୍ପନ୍ନ ଏକ ବହିଃ ପଦାର୍ଥ ବୋଲି କହି ହେବନାହିଁ । ଦୀପ, ସଳିତା ଓ ତେଲକୁ ଯଦି ସମାଜ ବୋଲି କୁହାଯିବ ତେବେ ନିଆଁକୁ ଆମେ ବ୍ୟକ୍ତି ବୋଲି କହିବା । ବୁଦ୍ଧଦେବ ଗଲାପରେ ଭାରତୀୟ ସମାଜ ତାଙ୍କୁ ଚଳୁ କରିଦେଲା ତାଙ୍କୁ ନିମିତ୍ତ କରି ମୂର୍ତ୍ତି ଗଢ଼ା ହେଲା, ରାଜାମାନେ ତାଙ୍କରି ନାମରେ ସାମ୍ରାଜ୍ୟ ବିସ୍ତାର କଲେ, ପଣ୍ଡିତମାନେ ତାଙ୍କୁ ଅବତା’ର ବୋଲି ସଜାଇ ଦେଲେ । ଆତ୍ମଦୀପ୍ତ ହେବାର ସେଇ ଉଜ୍ଜ୍ୱଳ ଆହ୍ଵାନଟି ବିସ୍ମୃତ ହୋଇ ରହିଗଲା । ଓଡ଼ିଶାକୁ ବୌଦ୍ଧ ଧର୍ମ ଆସିବା ବେଳକୁ ତାହା ପ୍ରାୟ ଏକ ପୌତ୍ତଳିକତାରେ ପରିଣତ ହେଇ ସାରିଥିଲା । ଏଠି ଜୟଦେବ ବୁଦ୍ଧଙ୍କୁ ନବମ ଅବତା’ର କରି ବସାଇ ଦେଲେ, ସାରଳା ଦାସ ତାଙ୍କୁ ଏକା ବେଳେ ଜଗନ୍ନାଥଙ୍କ ଭିତରେ ନେଇ ଥାପି ଦେଇଥିଲେ-। ଉତ୍କଳ ନାମକ ଭୂମିଟି ଗୌତମଙ୍କର ଅସଲ ସନ୍ଦେଶଗୁଡ଼ିକରୁ ବଞ୍ଚିତ ହୋଇ ରହିଗଲା-

 

ହୁଏତ ଏକାବେଳେ ସିଧା ପ୍ରସଙ୍ଗଟି ଭିତରକୁ ଯାଇ କହିହେବ ଯେ ବ୍ୟକ୍ତି ଆଗ ନୁହେଁ ଅଥବା ସମାଜ ଆଗ ନୁହେଁ । ଦୁଇଟି ମଧ୍ୟରେ ଏକ ନିତ୍ୟସଂଲଗ୍ନ ସହାବସ୍ଥାନ ହିଁ ଆବହମାନ କାଳରୁ ରହି ଆସିଛି । ବ୍ୟକ୍ତି ସକଳ ଅର୍ଥରେ ବ୍ୟକ୍ତିଟିଏ ହେବ ବୋଲି ସମାଜର ଶୁଶ୍ରୂଷା ଆବହମାନକାଳରୁ ଅପରିହାର୍ଯ୍ୟ ହୋଇ ରହିଛି ଏବଂ ବ୍ୟକ୍ତିଟିଏ ଗୁଣଯୁକ୍ତ ହୋଇ, ପରିପକ୍ଵତା ହାସଲ କରି କେବଳ ଏକ ସମାଜରେ ହିଁ ଆପଣାର ପରିଚୟଟିକି ସାବ୍ୟସ୍ତ କରିପାରିବ । ବ୍ୟକ୍ତି ସତକୁସତ ଯାହାକିଛି ହୋଇ ପାରିଲା, ସେଥିଲାଗି ତାକୁ ସମୂହ ପାଖରେ କୃତଜ୍ଞ ହୋଇ ରହିବାକୁ ହେବ ଏବଂ ତେଣୁ ସମୂହ ନିମନ୍ତେ ନିଜର ଜୀବନଟିକୁ ବଞ୍ଚି ବ୍ୟକ୍ତି ସାର୍ଥକତମ ଭାବରେ ସମାଜ ପାଖରେ ତା’ର ଋଣଟିକୁ ପରିଶୋଧ କରିପାରିବ । ସର୍ବୋତ୍ତମ ସମାଜ ସେଇଟି, ଯିଏ ବ୍ୟକ୍ତିକୁ ତାହାର ଗୁଣ ସମ୍ଭବନାଗୁଡ଼ିକର ବିକାଶ ଘଟିବା ଲାଗି ଯଥାସମ୍ଭବ ସକଳ ଅନୁକୂଳତା ଯୋଗାଇ ଦେବ ଏବଂ ସର୍ବୋତ୍ତମ ବ୍ୟକ୍ତି ସେଇ, ଯିଏ ଆପଣାର ଅର୍ଜିତ ସକଳ ଯୋଗ୍ୟତାକୁ ସମାଜ ନିମନ୍ତେ ହିଁ ନିୟୋଜିତ କରିପାରୁଥିବ । ତେଣୁ ସମାଜ ଏବଂ ବ୍ୟକ୍ତିକୁ ଆମେ କଦାପି ଦୁଇଟି ଅଲଗା ଅଲଗା ତତ୍ତ୍ଵ ବୋଲି ବିଚାର କରିପାରିବା ନାହିଁ । ଏପରି ଅଲଗା ବିଚାର କରାଯାଉଥିବା ପର୍ଯ୍ୟନ୍ତ ସମାଜ ଏବଂ ବ୍ୟକ୍ତି ଉଭୟ ଅସୁସ୍ଥ ହୋଇ ରହିଥିବେ; ଦୁହେଁ ଦୁହିଁଙ୍କ ଉପରେ ଉପଦ୍ରବ କରିବାରେ ଲାଗିଥିବେ, ଉଭୟ ଉଭୟେ ସକାଶେ ବାଧକ ହୋଇ ରହିଥିବେ । ବଗିଚା ନଥିଲେ ଫୁଲ ଗଛଟିଏ ପୋତା ହେବ କେଉଁଠି ଯେ, ସେଥିରୁ ଫୁଲଟିଏ ଫୁଟି ପାରିବ ? ଅସଲ ଫୁଲଟିଏ ଅନ୍ୟ ଭାବରେ ଆପଣାକୁ ବିକଶିତ କରି ଆଣୁଥିବା ସଙ୍ଗେ ସଙ୍ଗେ ବଗିଚାଟି ପାଖରେ ସିଏ ଯେ କେତେ ଋଣୀ, ସେହି କଥାଟିକୁ ଉପଲବଧି କରିବାରେ ଲାଗିଥିବ । ଫୁଲଟିଏ ଫୁଟି ଆସୁଥିବାର ଦେଖି ବଗିଚା ମଧ୍ୟ କଦାପି ଫୁଲଟିକୁ ମୋର ବୋଲି କହି ଗିଳି ପକାଇବାକୁ ଧାଇଁ ଯିବ ନାହିଁ । ଦୁହେଁ ଦୁହିଁକୁ ସ୍ଵୀକୃତି ଦେବେ ଏବଂ ତାହାରି ଦ୍ଵାରା ହିଁ ସମ୍ପଦବାନ୍ ହୋଇ ରହିଥିବେ ।

 

ଏବଂ, ସମାଜ କହିଲେ ସମାଜରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ବୁଝାଇବ । ପୁରାତନ ସମାଜରେ, ସାମନ୍ତବାଦୀ ତଥା ପୁଞ୍ଜିବାଦୀ ସମାଜମାନଙ୍କରେ ସେହି ସତ୍ୟଟିକୁ ସ୍ଵୀକାର କରିବା ନିମନ୍ତେ ସର୍ବଦା ଏକ କୁଣ୍ଠା ପ୍ରକାଶିତ ହୋଇଆସିଛି । ପୁରାତନ ସମାଜ ହେଉଛି ଏକ ଭାଗ୍ୟବାଦୀ ସମାଜ । ଭାଗ୍ୟବାଦୀ ସମାଜରେ ବେଳେ ବେଳେ ଭାଗ୍ୟ ଭଗବାନଙ୍କୁ ମଧ୍ୟ ତଳକୁ ଚାପି ଦେଇ ଆପେ ଉପରେ ଯାଇ ବସିଯାଇଥିବା ପରି ମନେ ହେଉଥାଏ । ଭାଗ୍ୟ ସବୁ କରୁଛି, – ଯାହା ଯେପରି ଯେତିକି ହେବ ବା ନହେବ, ସେ କଥା ଆଗରୁ ସ୍ଥିର ହୋଇ ରହିଛି । ତାକୁ କେହି ଟାଳି ଦେଇ ପାରିବେ ନାହିଁ । ଭାଗ୍ୟ ମୁତାବକ କିଏ ବଡ଼ ହେଇଛି ତ କିଏ ସାନ ହେଇଛି । ମଣିଷ ମାନଙ୍କୁ ଜୀବନ ବିରାଗୀ ଏବଂ ପଥର ପରି ଉଦାସୀନ କରି ରଖିବାର, ଅର୍ଥାତ୍ ମଣିଷ ଭିତରେ ଥିବା ହୃଦୟର ଅସଲ ବାସନାଗୁଡ଼ିକ ଖର୍ବକରି ରଖିବାର ପୃଥିବୀଯାକ ଏହି ଭାଗ୍ୟବାଦ ହିଁ ଏକ ଅତ୍ୟୁଗ୍ର ଭୂମିକା ଗ୍ରହଣ କରି ଆସିଛି । ଭାଗ୍ୟବାଦୀ ସମାଜ ଆପଣାର ବୁଦ୍ଧି ଭିତରେ ନାନାଖଳତା ଏବଂ ହୀନମନ୍ୟତାକୁ ମିଶାଇ ଜାତିଭେଦକୁ ଜନ୍ମ ଦେଇଛି । ଭାଗ୍ୟବାଦୀ ସମାଜ ମନୁଷ୍ୟ ଜୀବନର ଅସଲ ମୀମାଂସାଗୁଡ଼ିକ ତା’ରି ଭିତରେ ରହିଛନ୍ତି ବୋଲି ନକହି ଗ୍ରହ ନକ୍ଷତ୍ର ମାନଙ୍କୁ ଫାଶ ଭିତରେ ବାନ୍ଧି ଏକ ଫଳିତ ଜ୍ୟୋତିଷର ଭିଆଣ କରିଛି । ସେହି ଭାଗ୍ୟବାଦର ପ୍ରକୋପ ହେତୁ ଭାରତୀୟ ସମାଜର ମନୁଷ୍ୟମାନେ ନିଜର ଆଚରଣକ୍ଷେତ୍ରଗୁଡ଼ିକରେ ଏହି ଆଧୁନିକ ଯୁଗରେ ମଧ୍ୟ ବହୁ ଅର୍ଥରେ ନିର୍ମମ ଓ ଆଦିମ ହୋଇ ରହିଛନ୍ତି । ଗୋଟିଏ ଭାଗ୍ୟବାଦୀ ମଣିଷ ତା’ ଭିତରୁ ହିଁ ତା’ର ନିୟତିରେ ନିର୍ଦ୍ଦେଶନାମା ନ ପାଇବା ପୂର୍ବରୁ ଅତ୍ୟନ୍ତ ନିର୍ବୋଧ ଓ ନିର୍ଭରଶୀଳ ଭାବରେ ବାହାରକୁ ଅନାଇଥାଏ । ଉପନିଷଦର ଭାଷାରେ ଏହିଭଳି ମନ୍ୟୁଷ୍ୟମାନଙ୍କୁ ହୁଏତ ‘ଆତ୍ମହନୋ ଜନାଃ’ ବୋଲି କୁହାଯାଇପାରିବ । ମଣିଷମାନେ ଭାଗ୍ୟବାଦୀ ହେଲେ ହେଁ ସର୍ବଦା କେବଳ ଆପଣାକୁ ଦେଖନ୍ତି, ଆଉମାନଙ୍କୁ ମୋଟେ ଦେଖି ପାରନ୍ତି ନାହିଁ । ସୁଖ କହିଲେ କେବଳ ଆପଣାର ସୁଖକୁ ହିଁ ବୁଝନ୍ତି । ଭାରତବର୍ଷର ମନୁଷ୍ୟମାନଙ୍କୁ ଦାୟିତ୍ଵହୀନ ଓ ଉପେକ୍ଷା ପ୍ରଧାନ କରିବାରେ ଏହି ଭାଗ୍ୟବାଦର କେତେ ଅବଦାନ ରହିଛି ବା ନ ରହିଛି, ଆମେ ଇଚ୍ଛା କଲେ ତାହାର ଏକ ଚମତ୍କାର ଅଧ୍ୟୟନ କରାଯାଇପାରନ୍ତା ।

 

ସାମନ୍ତମାନଙ୍କର ଯୁଗ ରାଜରାଜୁଡ଼ାମାନଙ୍କର ଯୁଗ । ସାମନ୍ତମାନଙ୍କ ପାଇଁ ସେବକମାନେ ଅବଶ୍ୟ ରହିବେ । ପୃଥିବୀର ମଧ୍ୟ ଯୁଗରେ ବିଭିନ୍ନ ଦେଶରେ ଓ ସମାଜରେ ଆମେ ମେଳା ମେଳା ସାମନ୍ତ ଦେଖିବାକୁ ପାଇବା । ସେତେବେଳ ସେମାନଙ୍କୁ ନରରୂପୀ ନାରାୟଣ ବୋଲି କୁହାଯାଉଥିଲା । ଇଉରୋପରେ ରାଜାମାନଙ୍କ ଠାରେ ଏକ ଈଶ୍ଵରବିତ୍ ଅଧିକାର ନ୍ୟସ୍ତ ହୋଇ ରହିଥିଲା । ଆଧୁନିକ ବିଜ୍ଞାନ ଓ ଆଧୁନିକ ଯନ୍ତ୍ର କୌଶଳମାନ ଆସିବା ସଙ୍ଗେ ସଙ୍ଗେ ପୁଞ୍ଜିର ମାଲିକମାନେ ହିଁ ନୂଆ ସାମନ୍ତ ହୋଇ ବାହାରିଲେ । ପୁଞ୍ଜିବାଦ ଓ ଏକ ସଂକୀର୍ଣ୍ଣ ଜାତୀୟତାବାଦ ଏକାଠି ମିଶି ପୃଥିବୀରେ ସାମ୍ରାଜ୍ୟବାଦର ଉତ୍ପାତ ଆରମ୍ଭ ହୋଇଗଲା । ଚାର୍ଲସ୍ ଡାରଉଇନ୍‍ଙ୍କର ବିବର୍ତ୍ତନବାଦକୁ ଖଳମାନେ ପୁରା ମତଲବବାଦୀ ହୋଇ ସାମାଜିକ ଡାରଉଇନ୍‍ବାଦକୁ ଅବନମତି କରି ଆଣିଲେ । ସେଥିରୁ ଜାତିବାଦ ବା Racialism ବାହାରିଗଲା । ସବୁ ମଣିଷଙ୍କୁ ପୃଥିବୀରେ ସମାନ ଭାଗ ଦିଆଯିବ ନାହିଁ ବୋଲି ଜିଦ୍ କରି ବୁଦ୍ଧିଆମାନେ, ପାରମ୍ପରିକ ଭାବରେ ଅଧିକ ସୁଯୋଗ ସମ୍ପନ୍ନତା ଭିତରେ ରହିଥିବା ବର୍ଗମାନେ କେତେ କ’ଣ ଅବ୍ୟବସ୍ଥାକୁ ଆମ ପୃଥିବୀକୁ ଡାକି ଆଣିଥିଲେ । ସେହି ଖଳ ମାନଦଣ୍ଡଗୁଡ଼ାକରେ ପୃଥିବୀକୁ ବି ମପାଗଲା । ଗୋଟିଏ ଦେଶରେ ଶୋଷକ ଓ ଶୋଷିତ ଦୁଇଟି ବର୍ଗ ରହିଲେ । ପଣ୍ଡିତମାନେ ବହି ଲେଖି Laissez faire ନାମକ ଏକ ଅନାଚାରକୁ ପରମସତ୍ୟ ବୋଲି ଘୋଷଣା କଲେ । ଏହାଦ୍ଵାରା ଅସମାନ ସମାଜମାନଙ୍କର ବଳୁଆମାନେ ଅଧିକ ବଳିୟାନ ହେବାର ଲାଇସେନ୍ ପାଇଗଲେ । ପୁଞ୍ଜିବାଦରେ ମଣିଷକୁ ଗୋଟାଏ Thing ବା ଗୋଡ଼ି ମାଟିରେ ଜ୍ଞାନରେ ଦେଖାଗଲା । ସେଇଥିରୁ ଯୁଦ୍ଧ ଉପୁଜିଲା, ସାନ ସାନ ଯୁଦ୍ଧର ସ୍ତରରୁ ରାଷ୍ଟ୍ରମାନେ ବିଶ୍ଵଯୁଦ୍ଧର ମହାସ୍ତରକୁ ଉନ୍ନୀତ ହୋଇ ଆସିଥିଲେ । ଅର୍ଥନୀତି, ରାଜନୀତି, ଓ ବୈଜ୍ଞାନିକ ଉଦ୍ଭାବନରେ ଧାରାଗୁଡ଼ିକ ତାହାରି ପାଇଁ କାମରେ ଆଣି ଲଗାଗଲା । ସେହି ପର୍ଯ୍ୟାୟରେ ବହୁ ଅସୁସ୍ଥ ପ୍ରତିଯୋଗିତାରେ ହାରି ଯାଇ କେତେ ଜଣ ବ୍ୟକ୍ତି ଓ କେତେ ସମୂହ ଯେ ବିଲୁପ୍ତ ହୋଇଗଲେ, ତାହାର ଅଧ୍ୟୟନମାନଙ୍କୁ ଏବେ ବହୁ ତଥ୍ୟ ଯୋଗାଇ ଦେଇ ପାରୁଛି । ସେତିକିବେଳେ ଆଫ୍ରିକାରୁ କଳାମାନଙ୍କୁ ଆମେରିକା ଲାଗି ଅପହରଣ କରି ନିଆଯାଇଥିଲା । ସେହି ସମୟର ବ୍ରିଟିଶ ସ୍ଵାର୍ଥ ଅଧିକ ପୃଥୁଳ ହେବ ବୋଲି ଭାରତବର୍ଷର ଆର୍ଥିକ ଏବଂ ସାମାଜବ୍ୟବସ୍ଥାରେ ବହୁ ବିଡ଼ମ୍ୱନକୁ ଆଣି ଭର୍ତ୍ତି କରାଯାଇଥିଲା । ଉଭୟ ଦକ୍ଷିଣ ଏବଂ ଉତ୍ତର ଆମେରିକା ଏବଂ ତେଣେ ଅଷ୍ଟ୍ରେଲିଆର ମୂଳ ଅଧିବାସୀ ମାନଙ୍କର ସମୂଳ ବିଲୁପ୍ତି ନିମନ୍ତେ କେତେ ଅମାନୁଷିକତାକୁ ପ୍ରଶ୍ରୟ ଦିଆ ଯାଇଥିଲା ।

 

ଭାରତବର୍ଷରେ କୌଣସି ଯୁଗରେ ମଧ୍ୟ ସମାଜ ଭିତରେ ସବୁ ମଣିଷଙ୍କୁ ସ୍ଵୀକାର କରାଯାଇନାହିଁ । ସ୍ଵୀକୃତି ମିଳିବା ତ ଆହୁରି ଅଧିକ ଦୂରର କଥା । ଭାରତବର୍ଷରେ ମନୀଷୀମାନେ କେତେ କେତେ ଉଚ୍ଚ ଭାବନା ଭାବିଛନ୍ତି, ମାତ୍ର ତାହା ସବୁ ମଣିଷଙ୍କର ସମ୍ପଦ ଯେପରି ନ ହୋଇପାରିବ, ସେଥିଲାଗି ଅର୍ଗଳମାନ ତିଆରି କରି ରଖି ଦିଆଯାଇଛି । ଯେଉଁ ଭାଷାରେ ଶାସ୍ତ୍ରଗୁଡ଼ିକୁ ଲେଖାଯାଇଛି, ତାହାକୁ ଅଶିଷ୍ଟମାନଙ୍କଠାରୁ ଅନ୍ତରାଳ ଓ ଅପହଞ୍ଚ କରି ରଖାଯାଇଛି । ଗୁରୁକୁଳରେ ଏକ ପବିତ୍ର ପରିବେଶ ଭିତରେ ଯେଉଁ ଶିକ୍ଷା ଦିଆଯାଇଛି, ସେକାଳର କେତେଜଣ ବିଦ୍ୟାର୍ଥୀ ତାହାର ପ୍ରବେଶାଧିକାର ପାଇ ପାରିଛନ୍ତି, ଆମେ ଇଚ୍ଛା କଲେ ଏବେ ମଧ୍ୟ ତାହାର ଅନ୍ଦାଜ୍ କରିପାରିବା । ଦେଶ ରାଜନୀତିକ ସ୍ଵାଧୀନତା ଲାଭ କରିବାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ଆମ ସମାଜ ଓ ସାମୂହିକ ଜୀବନର ଯାବତୀୟ ପରିମଳ ମୁଖ୍ୟତଃ ସାମନ୍ତବାଦୀ ଅର୍ଥାତ୍‍ ଦୂରତାବାଦୀ ହୋଇ ରହିଛି । ସବୁ ମଣିଷଙ୍କୁ ଗୋଟିଏ ଖିଅରେ ବାନ୍ଧିବାକୁ ଦେଶରେ ଗୋଟିଏ ସମ୍ବିଧାନ ତିଆରି ହୋଇ ରହିଛି ସିନା, ମାତ୍ର ଥୋକାଏ ମଣିଷ ଏହି ଦେଶର ଯାବତୀୟ ଉପଚାରକୁ ସତେଅବା ଆପଣାର ଅବସର ବିନୋଦନ ଏବଂ ସୁଖବିବର୍ଦ୍ଧନ ପାଇଁ ବ୍ୟବହାର କରୁଛନ୍ତି । ଦେଶରେ ମୋଟେ ଅଧଯାଏ ପିଲା ପାଠ ପଢ଼ୁଛନ୍ତି– ସେହି ପାଠଟା ମଧ୍ୟ ସୋପାନ ବିଚାରରେ କାର୍ଯ୍ୟତଃ ସାତଭାଗ ହୋଇ ରହିଛି । ଦେଶର ଅଶୀଭାଗ ମଣିଷ ଅରକ୍ଷିତ ଓ ଅକିଞ୍ଚନ ହୋଇରହିଥିବା ସମୟରେ ସମ୍ଭବତଃ ଦଶଭାଗ ବା ତା’ଠାରୁ ଆହୁରି କମ୍ ମଣିଷ ଅଶୀଭାଗ ସମ୍ପଦ ଏବଂ ସୁଯୋଗରେ ମାଲିକ ହୋଇ ବସିଛନ୍ତି । ଅମଲାତନ୍ତ୍ର ଅଳପ ମଣିଷଙ୍କର ପକ୍ଷରେ ରହିଛି । ପୁରୁଣା ଜାତିଭେଦ ପତଳା ହୋଇ ଆସୁଥିଲେ ମଧ୍ୟ ନୂଆ ନୂଆ ଜାତିତ୍ଵ ଏବଂ ଦୂରତା ର ଭାବନା ମଣିଷମାନଙ୍କୁ କାମୁଡ଼ି ଧରିଛି । ଧନୀ ଅଧିକ ଧନୀ ଓ ଦରିଦ୍ର ଅଧିକ ଦରିଦ୍ର ହେଉଛି । ଅଧିକାଂଶ ମଣିଷଙ୍କୁ ଯଥା ସମ୍ଭବ ଅଧିକ ଅସହାୟ ଓ ଅବଳ କରି ଅଳପ ମଣିଷ ଗୟଳ ଏବଂ ଗଣ୍ଡାରମାନଙ୍କ ପରି ଏକ ଅଭୟାରଣ୍ୟରେ ବିଚରଣ କରୁଛନ୍ତି । ସେହିମାନେ ହିଁ ସାହିତ୍ୟ ସଂସ୍କୃତି ଓ ଜୀବନ ଧାରଣର ଅନ୍ୟ ଯାବତୀୟ ସୂକ୍ଷ୍ମ ଆସ୍ପୃହାଗୁଡ଼ିକ ନିଜର କୁକ୍ଷିଭିତରେ ଆୟତ୍ତ କରି ରଖିଛନ୍ତି । ପୂର୍ବକାଳରେ ବ୍ରାହ୍ମଣ ଓ ଶାସ୍ତ୍ରଚରିତ୍ରମାନଙ୍କ ପରି ସେମାନେ ଏପରି ଗୋଟିଏ ଭାଷାର ଡାଳରେ ବସି ଦୋଳି ଖେଳୁଛନ୍ତି, ଯାହାକୁ କି ଦେଶର ନବେଭାଗ ମଣିଷ ବୁଝି ପାରୁନାହାନ୍ତି ଓ ଅସଲ ମୂଳ ବୃକ୍ଷଟିର ହୃଦୟଟି ସହିତ ଯାହାର ଆଦୌ କୌଣସି ସମ୍ବନ୍ଧ ନାହିଁ । ଉପରମାନେ ସତେଅବା ଏକ ଧର୍ମ କାର୍ଯ୍ୟ କଲାପରି ତଳ ପାଇଁ କିଛି ଦୟା ବା ଅନୁଗ୍ରହ ପ୍ରଦର୍ଶନ କରୁଛନ୍ତି ସତ, ମାତ୍ର ଦେଶର ଅର୍ଥାତ୍ ସମାଜର ସମସ୍ତଙ୍କୁ ନିଜ ସହିତ ସମକକ୍ଷ କରି ଆଣିବା ର ସେହି ଅନ୍ୟ ଭାବନାଟି ସେମାନଙ୍କୁ ଏବେ ବି ସ୍ପର୍ଶ କରି ନାହିଁ । ଯାବତୀୟ କ୍ଷମତା ଅଳପଙ୍କ ହାତରେ ରହିଥିବାରୁ ଶାସନଟା ମଧ୍ୟ ପ୍ରଧାନତଃ ଅନୁଗ୍ରହ କଲାପରି ହିଁ ଚାଲିଛି ।

 

ଏକ ଶୋଷଣମୁକ୍ତ ଆଦର୍ଶ ସମାଜର ଉଦବୋଧନ ଦେଇ ପ୍ରାୟେ ଦେଢ଼ଶହ ବର୍ଷ ତଳେ ଇଉରୋପେରେ କାର୍ଲମାର୍କ୍ସ from the free development of each to the free development of all ବୋଲି ସଂଜ୍ଞାଟିଏ ପ୍ରଦାନ କରିଥିଲେ । ରସ୍କିନ୍‍ଙ୍କର Unto This Last ପୁସ୍ତକର ଚିନ୍ତାଧାରା ଦ୍ଵାରା ଅନୁପ୍ରାଣିତ ହୋଇ ମହାତ୍ମା ଗାନ୍ଧୀ ‘ସର୍ବୋଦୟ’ ନାମକ ସମାଜ ସତ୍ୟଟିର ସନ୍ଧାନ ପାଇଥିଲେ । ଏବେ କେହି କେହି ତାକୁ ଅନ୍ତ୍ୟୋଦୟ ବୋଲି କହୁଛନ୍ତି । ସବୁ ମଣିଷଙ୍କର ଉଦୟ, ଆମର ଏହି ଆତ୍ମକାମୀ ଅସୂୟାପ୍ରଧାନ ସମାଜରେ ଏହା ହେଉଛି ଯାବତୀୟ ଅର୍ଥର ଏକ ସାଂଘାତିକ କଥା । ପୃଥିବୀର ଧର୍ମମାନେ ସମ୍ଭବତଃ ନିରାପତ୍ତା ଦୃଷ୍ଟିରୁ ଏହି ସାଂଘାତିକ କଥାଟିଠାରୁ ଯଥା ସମ୍ଭବ ଦୂରରେ ରହିବାକୁ ଚେଷ୍ଟା କରି ଆସିଛନ୍ତି ଏବଂ ତେଣୁ ଅଧିକାଂଶ ଅବସରରେ ଅଧିକ ଭୋଗୀ ବର୍ଗଟି ଆଡ଼କୁ ଆଉଜି ପଡ଼ିଛନ୍ତି । ମଣିଷର ଉଦୟକୁ ପ୍ରାୟ ଅସମ୍ଭବ କରି ରଖିବାରେ ସହାୟକ ଭଳି କାର୍ଯ୍ୟ କରିଛନ୍ତି । ଯାବତୀୟ ସୁସ୍ଥ ସମାଜଭାବନା କହିବ ଯେ, ସବାଆଗ ପ୍ରତ୍ୟେକ ମଣିଷ ଆପଣାର ଯାବତୀୟ ସମ୍ଭାବନାକୁ ପ୍ରସ୍ଫୁଟିତ କରି ଆଣିବା ଲାଗି ସମାନ ସୁଯୋଗ ଅବଶ୍ୟ ପାଇବା ଉଚିତ୍ । ଗୋଟିଏ ଦେଶର ନାଗରିକମାନଙ୍କୁ ସମାନ ସୁଯୋଗ ଅଧିକାର ନ ମିଳିଲେ ସେମାନେ ଜଣେ ଜଣେ ବ୍ୟକ୍ତି ହିସାବରେ କଦାପି ଆପଣାର ସ୍ଵତନ୍ତ୍ର ପରିଚୟ ଦେଇପାରିବେ ନାହିଁ । ସବୁ ମଣିଷଙ୍କୁ ଆଖିଆଗରେ ରଖି ହିଁ ପୃଥିବୀର ଗଣତନ୍ତ୍ରର ଭାବନାଟି ଆପଣାର ପ୍ରତିଷ୍ଠା କରି ଆସିଛି । ପ୍ରାଚୀନ ଅଥବା ମଧ୍ୟ ଯୁଗୀୟ ପୃଥିବୀରେ ସମ୍ବଳ କମ୍ ଥିଲା, ମଣିଷ ମାନଙ୍କର ଜ୍ଞାନ ଓ ଅନ୍ଦାଜ୍‍ଗୁଡ଼ିକ ମଧ୍ୟ ଅତ୍ୟନ୍ତ ସୀମିତ ଓ ସ୍ଥାନୀୟ ହୋଇ ରହିଥିଲା । ତେଣୁ ସବୁ ମଣିଷଙ୍କୁ ଏକାଠି ଆଖି ଆଗରେ ଧରି ଚିନ୍ତା କରିବାକୁ ମଧ୍ୟ ଯଥେଷ୍ଟ ଅବସରଟିଏ ନଥିଲା । ମାତ୍ର ବୃହତ୍ ପୃଥିବୀରେ ଏବେ ମନୁଷ୍ୟ ହାତରେ ଯେଉଁ ସବୁ ସମ୍ବଳ ଏବଂ ଜ୍ଞାନ କୌଶଳ ଆସି ଉପଲବ୍ଧି ହେଲାଣି, ସେହି ପରିପ୍ରେକ୍ଷୀରେ ସବୁ ମଣିଷଙ୍କୁ କାହିଁକି ସର୍ବୋତ୍ତମ ଭାବରେ ସର୍ବନିମ୍ନ ସୁଯୋଗଗୁଡ଼ିକୁ ତଥାପି ମିଳିପାରିବ ନାହିଁ, ତାହାର କୌଣସି କାରଣ ହିଁ ରହିବା ଉଚିତ୍ ନୁହେଁ । ଆମେ ଏକ ଅନ୍ୟ ବିବେକ ପାଖରେ ରାଜି ହୋଇପାରିଲେ ଆମ ପୃଥିବୀରେ ତାହା ଅବଶ୍ୟ ସମ୍ଭବ ହେବ । ସବୁ ପିଲା ସ୍କୁଲକୁ ଆସି ଶିକ୍ଷା ଲାଭ କରିବାର ସମ୍ବଳ ଯଦି ପୃଥିବୀରେ ଅଛି, ତେବେ ଅଧେ ପିଲା କାହିଁକି ସେଥିରୁ ବଞ୍ଚିତ ହୋଇ ରହିଥିବେ ? ଯଦି ସମର୍ଥ ପ୍ରତ୍ୟେକ ମଣିଷକୁ କାମ ଯୋଗାଇ ଦେବାର ଆବଶ୍ୟକ ଭିତ୍ତିଭୂମି ପୃଥିବୀରେ ମହଜୁଦ ହୋଇରହିଛି, ତେବେ ପୃଥିବୀରେ କାହିଁକି କାହାକୁ ଅବଲମ୍ବନହୀନ ହୋଇ ରହିବାକୁ ପଡ଼ିବ ? ଆଧୁନିକ ପୃଥିବୀରେ କ୍ରମେ ଏହି ପ୍ରଶ୍ନଗୁଡ଼ିକ ପଚରାଗଲାଣି, ପ୍ରାୟ ଏକ ନୂଆ ସାହାସରେ ସେଗୁଡ଼ିକର ଉତ୍ତର ମଧ୍ୟ ଖୋଜାଗଲାଣି ।

 

ଏକ ଅସମାନ ସମାଜରେ ପ୍ରାୟ ଏକ ଅବଶ୍ୟମ୍ଭାବୀ ପରିଣାମ ସଦୃଶ କେତେକ ବ୍ୟକ୍ତି ରାଢ଼ ଓ ରାକ୍ଷାସ ହେବା ଲାଗି ମୁହଁ ପାଆନ୍ତି ଓ ଯାବତୀୟ ଅଦ୍ଭ୍ୟୁଦୟକାମୀ ପ୍ରୟାସକୁ ଭାରି ଦୂଷିତ କରି ରଖିଥାନ୍ତି । କେତେକ ବ୍ୟକ୍ତି ପ୍ରାୟ ପ୍ରକୁପିତ ଭାବରେ ସବୁଯାକ ସମ୍ପଦ ଓ ସମ୍ଭାବନାର କ୍ଷେତ୍ରକୁ ମାଡ଼ି ବସିଥାନ୍ତି । ଅନ୍ୟ ଅନେକଙ୍କୁ ଅସହାୟ ଓ ବଞ୍ଚିତ କରି ରଖିଥାନ୍ତି ଏବଂ ନିଜେ ମଧ୍ୟ ଅଲକ୍ଷଣା ହୋଇ ରହିଥାନ୍ତି । ଜାତୀୟବାଦ ଯେଉଁ ସବୁ ଦୃଷ୍ଟାନ୍ତରେ ଏକ ଅସମାନ ସମାଜକୁ ସମସ୍ତଙ୍କ ପାଇଁ ସମାନ ସୁଯୋଗଯୁକ୍ତ ଏକ ଅନ୍ୟ ସାମୂହିକତା’ର ପ୍ରତିଷ୍ଠା ଲାଗି ଉଦ୍ୟମ କରିଛି, ସେଠାରେ ତାହା ସୁସ୍ଥ ହୋଇ ରହିଛି । ଅନ୍ୟ ପକ୍ଷରେ, ଯେଉଁଠି ତାହା ଅସଲ ପ୍ରଶ୍ନଗୁଡ଼ିକୁ ପଚାରି ପାରି ନାହିଁ, ସେଠାରେ ତାହା କେବଳ ଅଧିକ ସୁବିଧା ଭୁଞ୍ଜୁଥିବା କେତୋଟି ବର୍ଗଙ୍କର ସ୍ଵାର୍ଥସାଧନାରେ ହିଁ ଅଧିକ ସହାୟତା କରିଛି । ଏପରିକି, ସମତା’ର ଆଦର୍ଶରେ ଏକ ନୂଆ ସମାଜର ଗଠନ ଆଡ଼କୁ ବାଟ ଫିଟାଇ ଦେବାଲାଗି କ୍ଷମତାସୀନ କତ୍ତାମାନେ ରୁଷିଆରେ ଯେତେବେଳେ ବାଟ ହୁଡ଼ିଛନ୍ତି ,ସେତେବେଳେ ସେଠାରେ ଏକ ମିଛ ଜାତୀୟତାବାଦର ଦ୍ଵାହି ଦିଆଯାଉଛି ଏବଂ କ୍ଷମତାରେ ରହିଥିବା ରାଜନୀତିକ ଗୋଷ୍ଠୀଟି ଆପଣାଲାଗି ହିଁ ପ୍ରାୟ ସବୁଯାକ ସୁଯୋଗକୁ ଅକ୍ତିଆକାର କରି ନେଇ ଇତିହାସର ଆକାଂକ୍ଷାକୁ ଭ୍ରଷ୍ଟ କରିଦେବାକୁ ଆରମ୍ଭ କରିଦେଇଛି, ସମସ୍ତ ବ୍ୟବସ୍ଥାଟିକୁ ଏକ ଦୁର୍ବିପାକ ମଧ୍ୟକୁ ଟାଣି ନେଇଯାଇଛି । ଭାରତୀୟ ବ୍ୟବସ୍ଥାର ଆଦୌ କୌଣସି ପାଞ୍ଜିରେ ପ୍ରତ୍ୟେକ ମଣିଷକୁ ଆଦୌ ମୂଳରେ ରଖି ବିଚାର କରାଯାଇ ନାହିଁ । ତେଣୁ ପଚାଶ ବର୍ଷର ସ୍ଵାଧୀନତା ଏବଂ ଗଣତନ୍ତ୍ର ଛଞ୍ଚାର ଶାସନସତ୍ତ୍ୱେ ଦେଶ ଏବଂ ସମାଜ ଏବେ ମଧ୍ୟ ନାନା ସ୍ଵାର୍ଥ ଏବଂ ବଞ୍ଚନାରେ ଭାଗ ଭାଗ ହୋଇ ରହିଛି ଏବଂ ଯୋଗ୍ୟତା ବଳରେ ନୁହେଁ , ଭାଗ୍ୟବଳରେ ଯେଉଁ ସାତଭାଗ ବା ପାଞ୍ଚଭାଗ ସବା ଉପରେ ରହିଛନ୍ତି, ସେହିମାନେ ହିଁ ଦେଶଟାକୁ ଭୋଗ କରୁଛନ୍ତି । ଦେଶର ମହାନ୍ ଅତୀତଟାକୁ ଏଡ଼େ ଉତ୍‍ଫୁଲ୍ଲ ଭାବରେ ଦେଖାଇ ସେମାନେ ବର୍ତ୍ତମାନ ବିଷୟରେ ଯାବତୀୟ ସଚେତନାରୁ ଆମର ଧ୍ୟାନକୁ ହୁଡ଼ାଇ ନେବାର ଚେଷ୍ଟା କରୁଛନ୍ତି । ଭବିଷ୍ୟତଟା ମଧ୍ୟ ଠିକ୍‍ ଏହିପରି ସେଇମାନଙ୍କର ଅନୁକୂଳ ଓ ଏକଚାଟିଆ ହୋଇ ରହିଥାଉ ବୋଲି ଇଚ୍ଛା କରି ସତେଅବା ଏକ ଷଡ଼ଯନ୍ତ୍ର କଲାପରି ଜାତୀୟତବାଦକୁ କାମରେ ଲଗାଇବାକୁ ମନ କରୁଛନ୍ତି । ଜାତି କହିଲେ ସେମାନେ କେବଳ ନିଜକୁ ଦେଖୁଛନ୍ତି । ତଥାକଥିତ ଗଣମାଧ୍ୟମର ପ୍ରଧାନତଃ ସେହିମାନଙ୍କର ବେହେଲ ଗୁଡ଼ାକର ପ୍ରଚାର ହେଉଛି । ସେହିମାନଙ୍କର ବର୍ଗଗୁଡ଼ିକୁ ସୁହାଇପାରିବା ଭଳି ଶିକ୍ଷାର ଯାବତୀୟ ବ୍ୟବସ୍ଥାକୁ ମୂଳତଃ ଏକ ଅବ୍ୟବସ୍ଥାରେ ପରିଣତ କରି ରଖାଯାଇଛି । ତେଣୁ, ପ୍ରଦୂଷଣ ଲାଗି ରହିଛି ।

 

ଏକ ଅସମାନ ସମାଜରେ ଯେଉଁ ବର୍ଗ ଅଥବା ବ୍ୟକ୍ତିମାନେ ଅସୁରବତ୍ ସବୁକିଛି ମାଡ଼ି ବସିଥାନ୍ତି, ସେମାନେ ଆପଣାର ପ୍ରୀତ୍ୟର୍ଥେ ନିଜକୁ ଗୋଟିଏ ଗୋଟିଏ ମହାବର୍ଗ ଅଥବା ମହାବ୍ୟକ୍ତି ରୂପେ ହୁଏତ ପ୍ରଦର୍ଶାଇ ହେଉଥାନ୍ତି ସତ, ମାତ୍ର ବାସ୍ତବ ମନୁଷ୍ୟ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ବହୁତ ପ୍ରମାଦ ଏବଂ ବହୁତ ଅବକ୍ଷୟର କାରଣ ହୋଇ ରହିଥାନ୍ତି । ସତ କଥା କହିବାକୁ ଗଲେ ସେମାନଙ୍କୁ ଗୋଟିଏ ଗୋଟିଏ ଅବର୍ଗ ଅଥବା ଅବ୍ୟକ୍ତି ବୋଲି ହିଁ କୁହାଯାଇପାରିବ । ଆପଣାର ଅଲଗା ପାହିଆଟା ବିଷୟରେ ସେମାନେ ଏଡ଼େ ବ୍ୟାଧିତ ଭାବରେ ଅତି ସଚେତନ ହୋଇ ରହିଥାନ୍ତି ଯେ, ସବୁ ମଣିଷଙ୍କର କଥା ପଡ଼ିଲେ ହିଁ ପ୍ରତିବାଦ କରି ଉଠନ୍ତି । ସତେ ଅବା ଏକ ଅଶୁଭ ଆଶଙ୍କାରେ ପୀଡ଼ିତ ହୋଇପଡ଼ନ୍ତି ବୋଲି ପ୍ରତିବାଦ କରନ୍ତି । ରାଜନୀତିକ କ୍ଷମତାରେ ଥିଲେ ଏହି ମିଛ ଯୋଗ୍ୟ ମାନେ ପ୍ରାୟ ସକଳ ଦାୟିତ୍ଵବୋଧକୁ ପାଣିରେ ପକାଇ ଦେଲେ ଆପଣାର ଅମାରଗୁଡ଼ିକୁ ଭର୍ତ୍ତି କରିବାରେ ଲାଗିଥାନ୍ତି । ଜଣେ ଜଣେ ମଣିଷ ହିସାବରେ ଆପଣାର ସବୁଯାକ ଗୁଣ ଓ ସମ୍ଭ୍ରମକୁ ହରାଇ ବସୁଥିଲେ ମଧ୍ୟ ତଥାପି ଯଥା ସମ୍ଭବ ସବୁଯାକ ସିଂହାସନରେ ବସିବା ସକାଶେ ବୋକା ଅର୍ଥାତ୍ ଧରାପଡ଼ି ଯାଉଥିବା ପିଲାଙ୍କ ପରି ଲାଳାୟିତ ହେଉଥାନ୍ତି । ନିଜର ଆତ୍ମକାମୀ ଆଚରଣଗୁଡ଼ାକ ସକାଶେ ସେମାନେ ସମ୍ଭାବ୍ୟ ସବୁପ୍ରକାର ସଖ୍ୟର ଅଯୋଗ୍ୟ ହୋଇ ରହିଥାନ୍ତି । ଆମ ଦେଶର ଶିକ୍ଷା, ସଂସ୍କୃତି, ଶାସନ ଓ ସାହିତ୍ୟର ପ୍ରାୟ ଯାବତୀୟ ସମ୍ମାନ ସ୍ଥାନରେ ଆମେ ଅଧିକାଂଶତଃ ଏହି ଅବ୍ୟକ୍ତିମାନଙ୍କୁ ଖୁବ୍ ଭେଟି ପାରିବା । ଯିଏ ସଂସାରରେ ଏତେ ସାଙ୍ଗ ପାଇବାର କ୍ଷେତ୍ର ଓ ଅସର ରହିଥିଲେ ମଧ୍ୟ ତଥାପି ନିଜ ଭିତରେ କୌଣସି ଖୁଣ ରହିଥିବା ହେତୁ ବିଚାର କାହାରି ସାଙ୍ଗରେ ହୋଇପାରେ ନାହିଁ, ତାକୁ ଆମେ ସତକୁ ସତ ବଡ଼ ଦରିଦ୍ର ବୋଲି କହିବା । ଆମରି ଆଧୁନିକ କାଳୀନ ସାହିତ୍ୟରେ ଏବେ କବିତା’ର ବନ୍ଧ ଦେଇ ଯେଉଁମାନେ ନିଃସଙ୍ଗତା’ର ଘଣ୍ଟ ବଜାଉଛନ୍ତି, ଆମେ ଏକାଧିକ ନ୍ୟାୟରେ ସେମାନଙ୍କ ମଧ୍ୟ ଏହି ଅତିବ୍ୟକ୍ତି ଅର୍ଥାତ୍ ଅବ୍ୟକ୍ତିମାନଙ୍କର ପଂକ୍ତି ଭିତରେ ହୁଏତ ଗଣା ବି କରିପାରିବା । ଏହି ଅପ୍ରତିନିଧିମାନେ ହୁଏତ ଆମ ସାମୂହିକତା’ର ଭାଗ୍ୟକୁ ନେଇ ସବୁଠାରୁ ଅଧିକ ଖେଳୁଛନ୍ତି ଓ ପ୍ରତିହିଂସା ନେଲା ପରି ବିଧାତା ସେମାନଙ୍କୁ ତଥାପି ନିଃସଙ୍ଗ କରିରଖିଛି ।

 

ଗୋଟିଏ ବ୍ୟକ୍ତିତ୍ଵ, ଆଉ ଗୋଟିଏ ବ୍ୟକ୍ତିବାଦ । ଅବ୍ୟକ୍ତି ବା ଅତିବ୍ୟକ୍ତିମାନେ ହେଉଛନ୍ତି ବ୍ୟକ୍ତିବାଦୀ । ନିଜ ଭିତରେ ସେମାନେ ଅସଲ ବ୍ୟକ୍ତିତ୍ଵଟିର ବିକାଶ ନିମନ୍ତେ ସମ୍ଭବତଃ ଉପଯୁକ୍ତ ସମ୍ମତିଗୁଡ଼ିକୁ ଦେଇପାରିନାହାନ୍ତି ବୋଲି ବ୍ୟକ୍ତିବାଦୀ ହୋଇ ବସିଛନ୍ତି । ଦେହର ମାଂସ ବଢ଼ାଉ ବଢ଼ାଉ ଦେହକୁ ଭାରି ଅସହଜ ଭାବରେ ପୃଥୁଳ କରି ରଖିଛନ୍ତି ଏବଂ ସମ୍ବେଦନାର କ୍ଷେତ୍ରରେ ପୁରା ବାହାଡ଼ା ଏବଂ ଗୋଦଡ଼ା ହୋଇ ରହିଛନ୍ତି । ଯୁଗର ଯାବତୀୟ ଆହ୍ଵାନ ଲାଗି ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ବଧିରା ହୋଇ ରହିଛନ୍ତି । ସମୂହବାଦରେ ଓଲଟା ଶବ୍ଦଟା ହେଉଛି ବ୍ୟକ୍ତିବାଦ । ଗୋଟିକୁ ଇଂରାଜୀ ଭାଷାରେ Collectivism ବୋଲି କୁହାଯାଏ ଓ ଅନ୍ୟଟିକୁ Indivisualism ବୋଲି କୁହାଯାଏ । ପ୍ରଥମଟି ମନ୍ୟୁଷ୍ୟକୁ ସ୍ଵୀକାର କରେନାହିଁ । ମନୁଷ୍ୟକୁ ନିଜର କେବଳ ଏକ ଅଂଶ ବୋଲି ସ୍ଵୀକାର କରେ । ଯେଉଁ ଅଂଶରେ ଜଣେ ମନୁଷ୍ୟ ଏକ ସମୂହର ଅଧୀନ ଓ ଅନ୍ତର୍ଗତ ହୋଇ ରହିଥାଏ, ଖାସ୍ ସେଇ ଅଂଶଟିକୁ ସ୍ଵୀକାର କରେ । ଏବଂ ବ୍ୟକ୍ତିବାଦ ମନ୍ୟୁଷ୍ୟର କେବଳ ଗୋଟିଏ ଅଂଶକୁ ବୁଝେ ଏବଂ ସ୍ଵୀକାର କରେ । ମନ୍ୟୁଷ୍ୟକୁ କେହି ହେଲେ ସମଗ୍ର ଭାବରେ ଏକ ଐକ୍ୟ ରୂପେ ସ୍ଵୀକାର କରନ୍ତି ନାହିଁ । ବ୍ୟକ୍ତିବାଦୀ ମନ୍ୟୁଷ୍ୟ ଅନ୍ୟ ବ୍ୟକ୍ତିମାନଙ୍କ ସହିତ ବହୁବିଧ ପ୍ରତିଯୋଗିତା କରିବାରେ ବ୍ୟସ୍ତ ହୋଇ ରହିଥାଏ । ସମସ୍ତଙ୍କୁ ବଳି ଯାଇ ସମସ୍ତଙ୍କ ଠାରୁ ଅଧିକ ବୋଲି ଦେଖାଯିବାକୁ ଚେଷ୍ଟା କରିଥାଏ । ସିଏ ଅଧିକ ସମ୍ପତ୍ତି, ଅଧିକ ସମ୍ମାନ ଓ ଅଧିକ କ୍ଷମତା ପାଇଁ ଚେଷ୍ଟା କରୁଥାଏ । ଅଧିକ ଜମାକରେ, ଅଧିକ ଛଡ଼ାଇ ନେଉଥାଏ, ଅଧିକ ଗରୁ ହେବାରେ ଲାଗିଥାଏ । ଯଥାସମ୍ଭବ ଅଧିକଙ୍କୁ ଗିଳି ପକାଇବାକୁ ଇଚ୍ଛା କରୁଥାଏ । ସମାଜକୁ ସିଏ କିଛି ଦିଏନାହିଁ । ସିଏ ଆପଣାକୁ ଆଦୌ କାହାରି ଲାଗି ପ୍ରସ୍ତୁତ କରି ନଥାଏ । ଆଦୌ ଅନ୍ୟ କାହାରି ଲାଗି ବଞ୍ଚୁନଥାଏ । ଆଧୁନିକ ସମାଜରେ ହୁଏତ ଏହି ବ୍ୟକ୍ତିବାଦୀ ମଣିଷମାନେ ହିଁ ଅଧିକ ସଂଖ୍ୟାରେ ରହିଛନ୍ତି । ଭାରତବର୍ଷରେ ଅସମାନ ସମାଜରେ ତଥାକଥିତ ଆଧୁନିକ ହେବାର ନିଲାମ ଆମ କେତେକଙ୍କୁ ଘାରିବା ଦିନଠାରୁ ଆମେ ପ୍ରଧାନତଃ ବ୍ୟକ୍ତିବାଦୀ ହିଁ ହୋଇଛୁ । ଆମ ଆଧୁନିକ ସାହିତ୍ୟ ସେଥିଲାଗି ମୂଳତଃ ବ୍ୟକ୍ତିବାଦୀ ହୋଇରହିଛି । କୋଟି କୋଟି ଅସହାୟ ଓ ଅଳ୍ପ ସମ୍ବଳ ମଣିଷମାନଙ୍କର ସମୁଦ୍ର ଭିତରେ ଆମେ ବ୍ୟକ୍ତିମାନେ ଖଣ୍ଡେ ଖଣ୍ଡେ ଉଚ୍ଚ ଢିପ ପରି ଦିଶିବା ନିମନ୍ତେ ସତେଅବା ଆମ ଜୀବନର ସର୍ବଶେଷ୍ଠ ଗରିମା ରୂପେ ଗ୍ରହଣ କରିନେଇଛୁ । ଆମେ ସମାଜ ପାଇଁ କାଳ ପରି ହୋଇରହିଛୁ, ସମୟ ପାଇଁ ବି କାଳ ହୋଇରହିଛୁ । ଯାବତୀୟ ସୁସ୍ଥ ପରିବର୍ତ୍ତନରେ ବାଧା ହୋଇ ରହିଛୁ ।

 

ମନୁଷ୍ୟ ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥିବା ଗୁଣ ଓ ସମ୍ଭାବନାଗୁଡ଼ିକର ଯଥାସମ୍ଭବ ପୂର୍ଣ୍ଣ ଓ ମୁକ୍ତ ବିକାଶଲାଭ ଫଳରେ ସିଏ ଯେଉଁ ସମ୍ପଦଟିର ଅଧିକାରୀ ହୋଇଥାଏ, ଆମେ ତାହାକୁ ତା’ର ବ୍ୟକ୍ତିତ୍ଵ ବୋଲି କହିବା । ବ୍ୟକ୍ତିତ୍ଵ ହିଁ ଜଣେ ମନୁଷ୍ୟକୁ ଅନ୍ୟ ମନ୍ୟୁଷ୍ୟମାନଙ୍କଠାରୁ ସ୍ଵତନ୍ତ୍ର ଏବଂ ଅନନ୍ୟ ଭାବରେ ପରିଚିତ କରାଇ ଦେଇଥାଏ । ବ୍ୟକ୍ତିତ୍ଵ ଅଧିକରୁ ଅଧିକ ପରିପକ୍ଵ ଅର୍ଥାତ୍ ସମଗ୍ର ହେବା ସଙ୍ଗେ ସଙ୍ଗେ ବ୍ୟକ୍ତିର ଜୀବନ ଅଧିକରୁ ଅଧିକ ସାର୍ଥକ ଭାବରେ ସର୍ଜନାତ୍ମକ ହେବାରେ ଲାଗିଥାଏ । ବ୍ୟକ୍ତିତ୍ଵ ବ୍ୟକ୍ତିକୁ ସହଜ କରେ, ବହୁ କୃପଣତାରୁ ମୁକ୍ତ କରେ; ତେଣୁ ଅନ୍ୟ ବ୍ୟକ୍ତିମାନଙ୍କ ସହ ନିଜକୁ ଅତ୍ୟନ୍ତ ସହଜ ଓ ଶଙ୍କରାହିତ ଭାବରେ ଆରି ଯୁକ୍ତି କରି ଦେଇପାରେ । ବ୍ୟକ୍ତିତ୍ଵ ବହୁ ଭୟକୁ ଭାଙ୍ଗି ଦେଇଯାଏ, ଅଲଗା ହୋଇ ରହିବାର ଅନ୍ୟମାନଙ୍କଠାରୁ ଅଲଗା ହୋଇ ଦିଶିବାର ଯାବତୀୟ ମଳିନତା ଏବଂ ଜୁଗୁପ୍‍ସାକୁ ଦୂର କରେ । ଏକ ସମାଜରେ ହିଁ ଜଣେ ମଣିଷ ଯାହା ହୋଇ ପାରିବାରେ ହୋଇପାରିଛି, ଯଥାର୍ଥ ବ୍ୟକ୍ତିତ୍ଵ ସେହି ବିଷୟରେ ନିରନ୍ତର ହୋଇ ସଚେତ ହୋଇ ରହିଥାଏ । ସିଏ ସମାଜ ପାଖରେ କୃତଜ୍ଞ ରହିଥାଏ, ତେଣୁ ନିଜର ଯାବତୀୟ ସମ୍ପଦ ଓ ଅର୍ଜନକୁ ଅକୁଣ୍ଠିତ ହୋଇ ସମୁଦାୟ ସକାଶେ ହିଁ କାମରେ ଲଗାଏ । ଅନ୍ୟ ମଣିଷ ମାନେ ତାକୁ ସତକୁସତ ଭଲ ଲାଗନ୍ତି, ଅନ୍ୟ ଅନେକଙ୍କର ଅଧିକରୁ ଅଧିକ କାମରେ ଲାଗିବାକୁ ସିଏ ସତକୁ ସତ ସଦା ଇଚ୍ଛୁକ ହୋଇ ରହିଥାଏ । ତା ଜୀବନରେ ଆଉ କାହାକୁ ଗିଳି ପକାଇବାର କିମ୍ବା କାହା ଉପରେ ଲଦି ହୋଇ ରହିବାର କୌଣସି ପ୍ରୟୋଜନ ବା ପ୍ରଶ୍ନ ହିଁ ନଥାଏ-। ଏକ ପରିପକ୍ଵ ବ୍ୟକ୍ତିତ୍ଵ ହିଁ ନିଜ ସମାଜର ଭୂମିଉପରେ ଆଗ ଦୃଢ଼ଭାବରେ ଛିଡ଼ା ହୋଇ ଆହୁରି ଆଗକୁ ଦେଖିପାରେ ଏବଂ ଆହୁରି ଆଗକୁ ସାହସ ମଧ୍ୟ କରିପାରେ । ବ୍ୟକ୍ତିତ୍ଵ ଥିବା ମଣିଷଟି କେବେହେଲେ ମେଣ୍ଢା ହୁଏନାହିଁ । ଅନ୍ୟ କାହାରିକୁ ମଧ୍ୟ ନିଜ ବୋଲଗୁଡ଼ାକର ମେଣ୍ଢା ରଖିବା ପାଇଁ ସିଏ ଆଦୌ କୌଣସି ସରାଗ ଦେଖାଏ ନାହିଁ । ବ୍ୟକ୍ତିବାଦୀ ହିଁ ଅସହିଷ୍ଣୁ ହୁଏ, ନାନା ଅସୂୟା ଦ୍ଵାରା ଜର୍ଜର ହୋଇରହିଥାଏ । ନିଜ ଭିତରେ କେତେପ୍ରକାର ନ୍ୟୁନ ଓ ହୀନମାନ୍ୟ ହୋଇ ରହିଥାଏ ବୋଲି ବାହାରେ ବହୁ ପ୍ରକାରର ଉଗ୍ରମାନ୍ୟତା ଜାହିର କରିବାରେ ଲାଗିଥାଏ । ଯେଉଁ ସମାଜ ଯଥାର୍ଥ ବ୍ୟକ୍ତିଗୁଡ଼ିକର ଗଠନ ଲାଗି ସମୁଚିତ ଭୂମିଟିଏ ହୋଇ ରହିଥାଏ, ସେଇ ସେମାନଙ୍କ ଦ୍ଵାରା ସର୍ବାଧିକ ପରିମାଣରେ ଉପକୃତ ହୁଏ । ଏବଂ, ଯେଉଁ ସମାଜରେ ସତେଅବା ଏକ ଉର୍ବର ଭୂମି ମିଳି ଯାଇଥିବା ପରି ବ୍ୟକ୍ତି ବାଦୀମାନେ ହିଁ ସାଲୁବାଲୁ ହେଉଥାନ୍ତି, ସେହି ସମାଜକୁ ଆମେ ପ୍ରକୃତରେ କ’ଣ ବୋଲି କହିବା ?

 

ଅଧିକ ଦୂରକୁ ଦେଖିପାରୁଥିବା ବ୍ୟକ୍ତିମାନେ ହିଁ ସମାଜକୁ ବଦଳାନ୍ତି । ସେଥିପାଇଁ ହୁଏତ ବହୁତ ସହନ୍ତି, ତଥାପି ନଇଁପଡ଼ନ୍ତି ନାହିଁ । ଇତିହାସଯାକର ଯାବତୀୟ ନବୋନ୍ମେଷ ଏବଂ ନବୋଦ୍ୟମରେ ମୁଖ୍ୟତଃ ଏହି ବ୍ୟକ୍ତିମାନେ ହିଁ ନେତୃତ୍ଵ ନେଉଛନ୍ତି । ବ୍ୟକ୍ତିବାଦୀମାନେ କୃର୍ତ୍ତ୍ଵିତ୍ୱ ପ୍ରଦର୍ଶନରେ ହିଁ ବୟସ ସାରିଛନ୍ତି, ତେବେ ସୁଦ୍ଧା ବାଟ ଛାଡ଼ିବାକୁ ମନ କରିନାହାନ୍ତି । ସମାଜ ଭିତରେ ନାନାବ୍ୟାଧି ଓ ନାନା ରକ୍ଷଣଶୀଳତା ଘୋଟି ରହିଥିଲେ ତାହା ବ୍ୟକ୍ତିବାଦୀମାନଙ୍କୁ ଖୁବ୍ ସୁହାଇଛି । ସେହି ଅନ୍ଧାର ଓ ଅସମର୍ଥତାଗୁଡ଼ିକରୁ ସେମାନେ ସବୁବେଳେ ଫାଇଦା ଉଠାଇଛନ୍ତି । ଅସଲ ସମାଜ ଅର୍ଥାତ୍ ଏକ ସୁସ୍ଥ ସମାଜ ସେହି ସମାଜରେ ବାସ କରୁଥିବା ପ୍ରତ୍ୟେକ ମଣିଷଙ୍କ ଲାଗି ସର୍ବନିମ୍ନ ସୁଯୋଗ ଏବଂ ଆବ୍ୟଶକତାଗୁଡ଼ିକୁ ଅବଶ୍ୟ ଯୋଗାଇଦେବେ । ଏହି ଯୋଗାଇଦେବାର କ୍ଷେତ୍ରରେ କୌଣସି ପକ୍ଷପାତ ରହିବନାହିଁ, କୌଣସି ଅନ୍ୟାୟକୁ ପ୍ରଶୟ ଦିଆ ଯିବନାହିଁ । ଏତିକି ହାସଲ କରିବା ନିମନ୍ତେ ମଧ୍ୟ ଭାରତବର୍ଷ ଲାଗି ବହୁତ ବାଟ ବାକି ରହିଛି । ସେହି ବାଟଗୁଡ଼ିକୁ ଅର୍ଥାତ୍ ବାଧାଗୁଡ଼ିକୁ ଅତିକ୍ରମ କରିବାକୁ ହେବ । ଯଥାର୍ଥ ବ୍ୟକ୍ତିମାନେ ହିଁ ଏଥିରେ ସାଧୁ ଓ ସ୍ଵଚ୍ଛ ନେତୃତ୍ୱଟିଏ ନେଇପାରିବେ । ବ୍ୟକ୍ତିବାଦୀମାନେ କଦାପି ସେହି ନେତୃତ୍ଵର ଭାଜନ ହେବେନାହିଁ ।

 

ନିଜ ସମୂହ ପାଇଁ ବଞ୍ଚିବାରେ ଯେ ଜୀବନରେ ଯାବତୀୟ ଅର୍ଜନ ସର୍ବବୃହତ୍ ସାର୍ଥକତା ନିହିତ ହୋଇ ରହିଛି, ସୁସ୍ଥ ବ୍ୟକ୍ତିଟିକୁ ସେ କଥା ମୋଟେ କହିବାକୁ ବି ପଡ଼ିବ ନାହିଁ । ସୁସ୍ଥ ଭାବରେ ଆପଣାକୁ ନିର୍ମାଣ କରି ଆସୁଥିବା ବ୍ୟକ୍ତିସମୂହ ଲାଗି ଆପଣାକୁ ଅଧିକରୁ ଅଧିକ ନିୟୋଜିତ କରିପାରିବାରେ ସର୍ବାଧିକ ସନ୍ତୋଷ ଓ ସର୍ବାଧିକ ଆନନ୍ଦ ଲାଭ କରିପାରିବ । ଅନ୍ୟମାନେ ମଧ୍ୟ ବିମୋହିତ ହୋଇ, ବିକଶିତ ହୋଇ ତାହାରି ସହିତ ଆଗକୁ ଆଗକୁ ବାଟ ଚାଲନ୍ତୁ ବୋଲି ସିଏ ଅନୁକ୍ଷଣ ଇଚ୍ଛା କରୁଥିବ । ବ୍ୟକ୍ତିତ୍ଵର ବିକାଶ ଉଭୟ ଅନୁଲମ୍ବ (vertical) ଓ ଅନୁପ୍ରସ୍ଥ (horizontal) ସ୍ତରରେ ହୋଇଥାଏ । ଜଣେ ବ୍ୟକ୍ତି ଯେତିକି ଉପରକୁ ଉଠିପାରେ, ନିଜ ଚାରିପାଖକୁ ଅନାଇ ସିଏ ସେତିକି ଅଧିକ ଦେଖିବାକୁ ସମର୍ଥ ହୁଏ । ଆପଣାର ଉପଲବ୍ଧି କ୍ଷେତ୍ରରେ ମନୁଷ୍ୟର ଚେତନା ଯେତିକି ଯେତିକି ଉଚ୍ଚତର ଭାଜନ ହେବାରେ ଲାଗିଥାଏ, ତାହାର ଦୃଷ୍ଟି ବୃତ୍ତରେ (perspective) ମଧ୍ୟ ସେତିକି ସଂପ୍ରସାରଣ ଘଟେ । ଯଥାର୍ଥ ବ୍ୟକ୍ତିଟିଏ ଆପଣାକୁ କଦାପି ଅଲଗା ଦେଖେ ନାହିଁ । ସିଏ ତା’ ପାଇଁ ସତତ ପରି ପ୍ରସାରିତ ହୋଇଯାଉଥିବା ଏକ ପୃଥିବୀ ଭିତରେ ହିଁ ଆପଣାକୁ ଦେଖିପାରେ, ଦେଖିକରି ଧନ୍ୟ ହୁଏ । ଆତ୍ମପରିଚୟ କହିଲେ କଦାପି ନିଜର କୌଣସି ଅଲଗା ଗାତ ଭିତରେ ଯାଇ ପଶି ଯିବାକୁ ମୋଟେ ବୁଝାଏ ନାହିଁ, ଆତ୍ମ ପରିଚୟ ଅତ୍ୟନ୍ତ ସ୍ଵାଭାବିକ ଏବଂ ସ୍ଵଧର୍ମ ପ୍ରେରିତ ଭାବରେ ଏକ ବିଶ୍ଵ ପରିଚୟ ଆଡ଼କୁ ବାଟ କଢ଼ାଇ ନିଏ । ଆପଣାକୁ ନିବିଡ଼ ଭାବରେ ଅନୁଭବ କରିବା ମାତ୍ରକେ ସେଇଥିରୁ ଏପରି ନାନା ସଂବେଦନାଶୀଳତା’ର ଦ୍ଵାରା ସତେଅବା ଆପେ ଆପେ ଖୋଲି ଯିବାକୁ ଆରମ୍ଭ କରେ, ଯାହା ଫଳରେ କି ଏହି ପୃଥିବୀଯାକ ହିଁ ନିଜର ଘର ପରି ମନେ ହୁଏ । ଆପଣାକୁ ଅନାଇବା ସଙ୍ଗେ ସଙ୍ଗେ ପୃଥିବୀଟାଯାକ ଦିଶିଯାଏ । କବି ରବୀନ୍ଦ୍ରନାଥଙ୍କ ଭାଷାରେ କହିଲେ, ସେତେବେଳେ ଭବନ ଆଉ ଭୁବନ ମଧ୍ୟରେ ଆଉ କୌଣସି ଭେଦ ରହେନାହିଁ ।

 

ଭଗବାନଙ୍କୁ ଇଚ୍ଛାକଲେ ପୃଥିବୀକୁ ମୋଟେ ଛାଡ଼ିବାକୁ ପଡ଼େ ନାହିଁ । ଜାଗତିକ ଯାବତୀୟ ମର୍ମସତ୍ୟର ଭୂମିରେ ଭଗବାନ ହିଁ ବ୍ୟାପ୍ତ ହୋଇ ରହିଥିବାର ଅନୁଭବ ହେଉଥାଏ । ତେଣୁ ପୃଥିବୀରେ ବିଚରଣ କରିବାଟା ସତେ ଅବା ତାଙ୍କରି ଭିତରେ ଅର୍ଥାତ୍‍ ତାଙ୍କୁ ହିଁ ସାଥି କରି ବିଚରଣ କରିବା ପରି ଲାଗେ । ଉପେକ୍ଷା ବା ଉଦାସୀନତାକୁ ଆଉ ମୋଟେ ମନ ଯାଏନାହିଁ । ଏହିପରି ଭାବରେ ପୃଥିବୀ ଭାରି ଭଲଲାଗେ । ଏବଂ ଯାହା ଆମକୁ ପ୍ରକୃତରେ ଭଲ ଲାଗୁଛି, ଆମେ ତାହା ପ୍ରତି କିପରି ଆଦୌ କୌଣସି ଅବଜ୍ଞାଭାବ ପ୍ରଦର୍ଶନ କରିବା ? ଭଗବାନଙ୍କୁ ଲୋଡୁ ଲୋଡୁ ଅନେକେ ସଂପ୍ରଦାୟ ଭିତରେ ଯାଇ ପଶିଯାଆନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ଗୁଳାକୁ ଏକ ମାତ୍ର ଗତି ବୋଲି ମାନନ୍ତି ଏବଂ ମତଟାକୁ ହିଁ ଅତ୍ୟନ୍ତ ଭାବବିହ୍ଵଳ ଭାବରେ ସତ୍ୟ ବୋଲି ଦେଖାଇ ହେଉଥାନ୍ତି-। ଏମାନଙ୍କ ଭିତରେ ଅସଲ ବ୍ୟକ୍ତିଟି ଏବଂ ଅସଲ ଆବିଷ୍କାରୀ ଯାତ୍ରୀଟି ମରିଯାଏ । ଏମାନେ ପଳାୟନ କରନ୍ତି । ଜଣେ ଆଲୋକମୁଖୀ ବ୍ୟକ୍ତି ପଳାୟନ କରେ ନାହିଁ; ସିଏ ଅନ୍ଧକାରକୁ ଡରେ ନାହିଁ, ଅନ୍ଧାରର ଗର୍ଭରେ ପ୍ରବେଶ କରି ତାହାକୁ ଆପଣାର ଆସ୍ପୃହା ଦ୍ଵାରା ଆଲୋକ ମଧ୍ୟକୁ ରୂପାନ୍ତରିତ କରି ଆଣେ । ସଂସାରରୁ ପଳାଇଥିବା ମଣିଷମାନେ ମସ୍ତ ମସ୍ତ ସଂପ୍ରଦାୟ ଗଢ଼ି ଥୋଇଦେବାରେ ଅଶେଷ ପାରଙ୍ଗମତା ଦେଖାଇଛନ୍ତି ସତ, ମାତ୍ର ସଂସାରର ଆଲୋକନରେ ଖୁ୍‍ବ ବେଶୀ ସାହାଯ୍ୟ କରିପାରିନାହାନ୍ତି । ଯଥାର୍ଥ ବ୍ୟକ୍ତି ସଂସାରର ଭିତରେ ରହିଛି, ସଂସାରର ଆପଣାର ପ୍ରୟୋଗଶାଳା ବୋଲି ଗ୍ରହଣ କରିଛି; ଉପର ପରସ୍ତଗୁଡ଼ାକରେ ଅନ୍ଧାରମାନେ ଯେତିକି ଜମାଟ ବାନ୍ଧିଥିଲେ ମଧ୍ୟ ସିଏ ଭିତରକୁ ଭେଦି ପ୍ରତ୍ୟେକ ମଣିଷ ଭିତରେ ଅପେକ୍ଷା କରି ରହିଥିବା ଆଲୋକଟିକୁ ଘ୍ରାଣ କରି ପାରିଛି; ସିଏ ସେହି ଆଲୋକଟି ସହିତ ମିତ ବସିଛି ଓ ମିତର ହାତଧରି ବାହାରକୁ ବାହାରି ଆସିଛି । ପୃଥିବୀରେ ସ୍ଥାୟୀ ପରିବର୍ତ୍ତନମାନ ଏହି ରୀତିରେ ହୋଇଛି-। ଏହି ସଂସାରକୁ ଅର୍ଥାତ୍ ମନୁଷ୍ୟ ସମାଜକୁ ଯାବତୀୟ ଉଚ୍ଚତର ସମ୍ଭାବନାର ଭୂମି ବୋଲି ଗ୍ରହଣ କରି ନେଇଥିବା ଉଦ୍ଦୀପିତ ବ୍ୟକ୍ତିମାନଙ୍କ ଦ୍ଵାରା ହୋଇଛି । ସଂସାରବିରାଗୀ ମାନଙ୍କ ଦ୍ଵାରା ମୋଟେ ହୋଇ ନାହିଁ ।

 

ସ୍ଵାଧୀନତା ହେଉଛି ସେହି ସର୍ବମୂଳ ବା ସର୍ବନିମ୍ନ ପୁଞ୍ଜି, ଯାହାକୁ ସଙ୍ଗରେ ଧରି ଏହି ପୃଥିବୀରେ ଜଣେ ମନ୍ୟୁଷ୍ୟ ଏକ ଯୋଗୀ ଓ ସୁସ୍ଥ ବ୍ୟକ୍ତିରେ ପରିଣତ ହୋଇପାରିବ । ତେଣୁ ସୁସ୍ଥ ଓ ପୂର୍ଣ୍ଣ ଭାବରେ ଏହି ସଂସାର ପାଇଁ, ସଂସାରରେ ଯାବତୀୟ ସତ୍ୟର ପ୍ରତିଷ୍ଠା ପାଇଁ ବଞ୍ଚିପାରିବ । ମନୁଷ୍ୟର ଅଧ୍ୟୟନ କରୁଥିବା ସବୁଯାକ ବିଜ୍ଞାନ ଏବେ କହୁଛନ୍ତି ଯେ ପୃଥିବୀରେ କୌଣସି ଦୁଇଜଣ ମନୁଷ୍ୟ ମଧ୍ୟ ପରସ୍ପର ସହିତ ଗୋଟା ସୁଦ୍ଧା ସମାନ ନୁହନ୍ତି । ପୃଥିବୀର କୌଣସି ଦୁଇଟି ଫୁଲ ଯେପରି ପରସ୍ପର ସହିତ ଗୋଟା ସୁଦ୍ଧା ସମାନ ନୁହନ୍ତି, ଇଏ ପ୍ରାୟ ସେହିଭଳି ବ୍ୟାପାର । ତେଣୁ କୋଉ ମହାନ୍ ଆଦର୍ଶର ଗୁଳା ସବୁ ମଣିଷଙ୍କୁ ଦେଖାଇବ, ଏବଂ କୋଉ ଗୋଟିଏ ଗୁରୁର କୃପାରେ ସବୁ ମଣିଷ ପ୍ରକୃତରେ ମୁକ୍ତି ପାଇପାରିବେ ? ପ୍ରତ୍ୟେକ ମନୁଷ୍ୟ ଭିତରେ ଏପରି ଏକ ଅନନ୍ୟ ସମ୍ପଦ ରହିଛି, ଯାହାକୁ ଆମେ ପ୍ରକାଶ ଲାଗି, ପ୍ରକଟ ହେବା ଲାଗି ଅପେକ୍ଷା କରି ରହିଥିବା ତା’ ବ୍ୟକ୍ତିତ୍ଵର ଅସଲ ଉପାଦାନ ବୋଲି କହି ପାରିବା । ତେଣୁ କୋଉ ଗୋଟାଏ ଶାସ୍ତ୍ର ବା ଗୋଟାଏ ସଂହିତା ପ୍ରତ୍ୟେକ ମଣିଷର ସେହି ଅନନ୍ୟ ତାକୁ ପ୍ରକାଶିତ ଓ ସାକାର ହୋଇ ଆସିବାପାଇଁ ବାଟ ଦେଖାଇ ପାରିବ ? ଇତିହାସରେ ଅଧିକ ସଂଖ୍ୟକ ବାଦ, ଅଧିକ ସଂଖ୍ୟକ ଆଦର୍ଶ, ଅଧିକ ସଂଖ୍ୟକ ଗୁରୁ ଓ ଅଧିକ ସଂଖ୍ୟକ ନୀତି ବାକ୍ୟ ମନୁଷ୍ୟର ସେହି ଅନନ୍ୟ ତାକୁ ପ୍ରଧାନତଃ ଚାପି ରଖିଛନ୍ତି, ତା କାନ୍ଧରେ ଗୋଟାଏ ନିର୍ଦ୍ଦିଷ୍ଟ ପଇତାକୁ ଆଣି ପକାଇ ଦେଇଛନ୍ତି ଅଥବା ତା’ ମୁହଁ ଉପରେ ଗୋଟିଏ ନିର୍ଦ୍ଦିଷ୍ଟ ମାର୍କାର ମୁଖା ପିନ୍ଧାଇ ଦେଇଛନ୍ତି । ହୁଏତ ଜଣେ ଘୁଷୁରି ହିଁ ଅନ୍ୟ ମଣିଷମାନେ ମୋଟା ମୋଟି ତାହାରି ପରି ଗୋଟିଏ ଘୁଷୁରି ହୁଅନ୍ତୁ, ତାହାରି ପରି ଭେକଟିଏ ଗଳାଇ ତାହାରି ପରି ଆତ୍ମପ୍ରବଞ୍ଚିତ ହୁଅନ୍ତୁ ବୋଲି ଇଚ୍ଛା କରିବ । ଧର୍ମରପ୍ରଚାର କରିବାକୁ ଯାଇ ଅଧ୍ୟାତ୍ମର ହତ୍ୟା କରିବ, ଠାକୁରମାନଙ୍କ ଦ୍ଵାହି ଦେଇ ସିଏ ମଣିଷ ଭିତରର ଦିବ୍ୟତ୍ଵକୁ ଦବାଇ ରଖିବାକୁ ଚେଷ୍ଟା କରୁଥିବ । ଜଣେ ବ୍ୟକ୍ତି ଯଦି ସର୍ବପ୍ରଥମେ ନିଜର ଭିତରେ ହିଁ ସତ୍ୟ ସନ୍ଧାନ ପାଇଥିବ, ଯଦି ସେ ନିଜକୁ ଫୁଲଟିଏ ପରି ଫୁଟି ଉଠିବା ପାଇଁ ସଂସାରକୁ ଆସିଥିବା ଏକ ସମ୍ଭାବନା ବୋଲି ଅନୁଭବ କରିଥିବ, ତେବେ ସିଏ କଦାପି କାହା ଉପରେ ଘୋଡ଼ା ଚଢିବାକୁ ଯିବ ନାହିଁ, ପୃଥିବୀଟାକୁ ମହତ୍–ମୟ ଦେଖିବ,–ସହଚାରି ହେବାରେ ହିଁ ଆନନ୍ଦ ପାଇବ ।

 

ଅସଲ ଶୃଙ୍ଖଳା ସ୍ଵାଧିନତାରୁ ଆସେ । ଜଣେ ସ୍ଵାଧୀନ ମଣିଷ ହିଁ ନିଦକ ଓ ନିରୁପଦ୍ରବହୋଇ ନିଜପାଇଁ ଜୀବନର ଲକ୍ଷ୍ୟ କଦାପି ବିଶ୍ଵ ଲକ୍ଷ୍ୟର ପରିପନ୍ଥୀ ହୁଏ ନାହିଁ । ଲକ୍ଷ୍ୟଟି ଅନୁସାରେ ଶୃଙ୍ଖଳା ଗୁଡ଼ିକ ମଧ୍ୟ ଭାରି ସହଜରେ ତିଆରି ହୋଇଯାଆନ୍ତି । ମାତ୍ର ଯେଉଁଠାରେ ଲକ୍ଷ୍ୟଟିଏ କାହା ଉପରେ ଲଦି ଦିଆଯାଇଥାଏ, ସେଠାରେ ଶୃଙ୍ଖଳାଗୁଡ଼ିକୁ ମଧ୍ୟ ସେହିଭଳି ଲଦିଦିଆ ଯିବାର ଫିକର ଲାଗି ରହିଥାଏ । ସମସ୍ତେ ବାଧ୍ୟ ହୋଇ ବାଟ ଚାଲୁଥାନ୍ତି, ବାଧ୍ୟ ହୋଇ ନିୟମ ମାନୁଥାନ୍ତି ଓ ଭିତରେ ରାକ୍ଷସଟାକୁ ଲୁଚାଇ ରଖି ବାହାରେ ସୁନା ପୁଅ ପରି ଦେଖାଯାଉଥାଆନ୍ତି । ଏସବୁ ପ୍ରୟୋଗ ପୃଥିବୀରେ ଖୁବ୍ ହୋଇଛି, ଏବେ ମଧ୍ୟ ହେଉଛି । ମାତ୍ର ସ୍ଵାଧିନତା’ର ପ୍ରୟୋଗ କେତେ କମ୍ ହୋଇଛି ଓ ହେଉଛି ? ତେବେ ମଣିଷ ଭିତରେ ଅନନ୍ୟ ବ୍ୟକ୍ତିଟି ଉପେକ୍ଷିତ ହୋଇ ରହିଯାଉଛି, ଫୁଲଟି ମୋଟେ ଫୁଟି ପାରୁନାହିଁ । ଆଦର୍ଶମାନେ, ଧର୍ମମାନେ ଓ ସତ୍ୟମାନେ ଗୋଟାଏ ଗୋଟାଏ ଛାଞ୍ଚ ଭିତରେ ପଡ଼ି ଛଟପଟ ହେଉଛନ୍ତି, ଅତ୍ୟନ୍ତ ହତବୀର୍ଯ୍ୟ ହୋଇରହିଛନ୍ତି । ପୃଥିବୀଟା ଦୃଶ୍ୟ ଓ ଅଦୃଶ୍ୟ ବହୁ ଡିକ୍ଟେଟରଙ୍କର କବଳରେ ପଡ଼ିଛି । ପୃଥିବୀ ଯାହା ହୋଇପାରନ୍ତା, ତାହା ହୋଇପାରୁନାହିଁ । ବ୍ୟକ୍ତିଟିଏ ଯିଏ ଯେତିକି ଶକ୍ତି ଓ ସାଧ୍ୟ ସୀମାର ପରିଚୟ ଦେଇପାରନ୍ତା, ତାହା ଆଦୌ ଦେଇପାରୁନାହିଁ । କେତେଟା ଅସାଧାରଣ, ଅତି ଉଚ୍ଚ ଓ ଅତି କ୍ଷମତାଶୀଳଙ୍କର ଉପଦ୍ରବରେ ସମାଜ ମୁଖ୍ୟତଃ Averageମାନଙ୍କରେ ଏକ ବାଧ୍ୟ ପଲରେ ପରିଣତ ହୋଇରହିଛି । ତେଣୁ ମଣିଷ ପାଇଁ ଆହୁରି ଅଧିକ ସ୍ଵାଧୀନତା ଦରକାର । ମଣିଷ ପିଲା ପାଇଁ ଅଧିକ ଆହୁରି ଅଧିକ ସ୍ଵାଧୀନତା ଦରକାର । ମଣିଷର ଅସଲ ଖୁସି ହେଉଛି ସ୍ଵାଧିନ ଭାବରେ ପ୍ରକୃତରେ କିଛି ହୋଇ ପାରିବାର ଖୁସି । ବର୍ତ୍ତମାନର ସମାଜକୁ ଯେଉଁମାନେ ଚଳାଉଛନ୍ତି, ସେମାନେ ସାନବେଳେ ହୁଏତ କେବେହେଲେ ଯଥାର୍ଥ ଭାବରେ ସ୍ଵାଧୀନତା’ର ଅନୁଭବ ପାଇନାହାନ୍ତି ବୋଲି ଏବେ ବଡ଼ ହୋଇ ତରୁଣ ଓ ଅରୁଣମାନଙ୍କ ଉପରେ ମଇ ମଡ଼ାଇ ନେବାକୁ ଇଚ୍ଛା କରୁଛନ୍ତି । ଗୋଟିଏ ଶିଶୁ ଭିତରରୁ ଅସଲ ବ୍ୟକ୍ତିତ୍ଵଟିକୁ ବିକଶିତ କରିଆଣିବା ପାଇଁ ଯେଉଁ ସ୍ଵାଧୀନ ଓ ବିଶ୍ଵାସପୂର୍ଣ୍ଣ ପରିମଣ୍ଡଳଟି ସୃଷ୍ଟି ହେବା ଲାଗି ଆଉ କେତେଦିନ ଲାଗିବ ? ମଣିଷ ମଣିଷକୁ କେତେ ଗଭୀର ଭାବରେ ବିଶ୍ଵାସ କଲେ ଯାଇ ଯେ ସମାଜରେ ସ୍ଵାଧୀନ ହୋଇ ବିକଶିତ ହେବା ପ୍ରତ୍ୟେକ ମଣିଷ ପାଇଁ ସମ୍ଭବ ହୋଇପାରିବ, ସେହି କଥାଟିର ଅନ୍ଦାଜ କରି ହେଉଛି ତ ? ଏବଂ, ନିଜ ଉପରେ କେତେ ଅଗାଧ ପରିମାଣର ବିଶ୍ଵାସ ରହିଲେ ଯେ ଆମେ ଅନ୍ୟକୁ ମଧ୍ୟ ବିଶ୍ଵାସ ଦେଇ ଦେଖିପାରିବା, ଆମେ ସେହି କଥାଟିରେ ବି ଅବଶ୍ୟ ବିଚାର କରିବା । ଅସଲ ବିଶ୍ଵାସ ପ୍ରକୃତରେ ଏକ ଅଧ୍ୟାତ୍ମ ସ୍ତରର ବିଶ୍ଵାସ । ଅସଲ ଶିକ୍ଷା ଏକ ଅଧ୍ୟାତ୍ମର ଶିକ୍ଷା । ଅସଲ ଶୃଙ୍ଖଳାକୁ ମଧ୍ୟ କାହିଁକି ଏକ ଅଧ୍ୟାତ୍ମସ୍ତରର ଶୃଙ୍ଖଳା ବୋଲି କୁହାନଯିବ ? ସେହି ଅଧ୍ୟାତ୍ମସ୍ତରରେ ହିଁ ସ୍ଵାଧୀନ ହୋଇଥିବା ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ବି ଯଥାର୍ଥ ସ୍ଵାଧୀନତା ଦେଇପାରିବ ।

 

କଥାର ଖିଅଗୁଡ଼ିକୁ ଏଥର ଏକତ୍ର ସଜାଡ଼ି ଆଣି କହିଲେ, ମନୁଷ୍ୟର ଜୀବନକୁ ସତକୁ ସତ ମନୁଷ୍ୟର ଜୀବନ ପରି ମୁକୁଳିତ କରି ଆଣିବାକୁ ହେଲେ ସମାଜକୁ ସେଥିଲାଗି ଆବଶ୍ୟକ ପ୍ରାଥମିକ ଭୂମିଗୁଡ଼ିକୁ ଯୋଗାଇ ଦେବାକୁ ପଡ଼ିବ । ଏବଂ କେବଳ କେତୋଟି ବର୍ଗ ଓ କେତେକ ବିଶେଷ ଜଣଙ୍କ ପାଇଁ ନୁହେଁ, ସବୁ ମଣିଷଙ୍କ ସକାଶେ ହିଁ ଯୋଗାଇ ଦେବାକୁ ପଡ଼ିବ । ରାଷ୍ଟ୍ର ବା ରାଜନୀତି ନିମନ୍ତେ ଏହା ହିଁ ସବା ଆଗରେ କାର୍ଯ୍ୟ ହୋଇ ରହିବ । ଏତିକି ସମ୍ଭବ ନ ହେଉଥିବା ପର୍ଯ୍ୟନ୍ତ, ଅନ୍ତତଃ ଯଥେଷ୍ଟ ସାଧୁତା’ର ସହିତ ସେଇ ଦିଗରେ ଉଦ୍ୟମମାନ ନ ହୋଇଥିବା ପର୍ଯ୍ୟନ୍ତ ରାଷ୍ଟ୍ର ଓ ରାଜନୀତି ମନୁଷ୍ୟମାନଙ୍କୁ ଠକୁଛି ବୋଲି କହିବାକୁ ହେବ । ଯେଉଁ ରାଷ୍ଟ୍ରରେ ବା ଯେଉଁ ରାଜନୀତି ଭିତରେ କେବଳ ଭାଗ୍ୟବାନ୍ ଲୋକମାନଙ୍କର କରାମତି ବା ଅପକୀର୍ତ୍ତୀମାନ ଦେଖିବାକୁ ମିଳିଥାଏ, ସେଠି ମଣିଷ ଓ ମଣିଷ ମଧ୍ୟରେ ରହିଥିବା ସକଳ ସମ୍ବନ୍ଧ ଏକ ନିତାନ୍ତ ଅସଭ୍ୟ ସ୍ତରରେ ରହିଛି ବୋଲି ହିଁ କୁହାଯିବ । ସେଠାରେ ହୁଏତ ଉଚ୍ଚ ଉଚ୍ଚ ସଂସ୍କୃତି କଥା କୁହାଯାଉଥିବ, ପ୍ରାଚୀନ ଗୌରବଗୁଡ଼ିକୁ ନେଇ ବାଣ ମରାଯାଉଥିବ, ତଥାପି ସାମୂହିକ ଜୀବନଟା ସେହି ଅସଭ୍ୟସ୍ତରରେ ହିଁ ରହିଥିବ । ଏହି ଅସଭ୍ୟତା ମଧ୍ୟରୁ ମୁକୁଳି ଆସିବାକୁ ହେଲେ ଯେଉଁ ଅନ୍ୟ ପ୍ରକାରରେ ଶିକ୍ଷା ଆବଶ୍ୟକ, ଅନ୍ତତଃ କେତେକ ବ୍ୟକ୍ତି ସେହି ଶିକ୍ଷାର ଏକ ପ୍ରୟୋଗ ଲାଗି ସାହସ କରିବାର ପ୍ରୟୋଜନ ରହିଥିବ । ସେହି ଶିକ୍ଷା ସବୁ ଶିଶୁମାନଙ୍କ ପାଇଁ ଗୋଟିଏ ପ୍ରକାରର ହେବ । ସେହି ଶିକ୍ଷାର ଯୋଜନାଟି କୁ କୌଣସି ଭାଗ୍ୟବାଦୀ ଭାବନା ଗ୍ରାସ କରିନଥିବ । ସେହି ଶିକ୍ଷାରେ ଭୟ ପ୍ରଦର୍ଶନ ନଥିବ, ବୟସ୍କର ଦୌରାତ୍ମ୍ୟ ନଥିବ, ଏକାବେଳକେ ଏକ ଅନ୍ୟ ଆଭିମୁଖ୍ୟ ସହିତ ସେହି ଶିକ୍ଷା ଶିଶୁର ଅନ୍ତର୍ନିହିତ ପ୍ରତିଭା ଏବଂ ଉଜ୍ଜ୍ୱଳତାଗୁଡ଼ିକୁ ପ୍ରକଟ କରି ଆଣିବାରେ ଜଣେ ବନ୍ଧୁପରି କାର୍ଯ୍ୟକରି ପାରୁଥିବ । ସେହି ଶିକ୍ଷାରୁ ଯେଉଁମାନେ ବାହାରିବେ, ସେମାନେ ସର୍ବପ୍ରଥମେ ନିଜ ଭିତରେ ତଥା ସାମୂହିକ ଜୀବନରେ ମଣିଷକୁ ହିଁ ଦେଖିବେ । ସେମାନେ ସାହସୀ ହେବେ । ଯାହାର ସମୟ ଗଲାଣି, ତାକୁ ଛାଡ଼ି ଚାଲି ଆସି ପାରୁଥିବେ । ଏକ ଅନ୍ୟ ନୂତନ ଲାଗି ବାସନା ରଖିଥିବେ । ସେମାନେ ସ୍ଵାଧୀନତାକୁ ହିଁ ଜୀବନର ଅସଲ ସନ୍ତକ ବୋଲି ଗ୍ରହଣ କରିଥିବେ ।

 

ପ୍ରକୃତରେ ସ୍ଵାଧୀନତା ହୋଇ ପାରିଥିବା ମଣିଷମାନେ ଆଦୌ ଆଉ କୁଆଡ଼କୁ ପଳାଇ ଯାଆନ୍ତି ନାହିଁ । ଆତ୍ମକାତା’ର ବା ଆତ୍ମକାମୀମାନେ ହିଁ ପଳାଇ ଯିବାକୁ ସ୍ଵାଧୀନତା ବୋଲି ମନେ କରୁଥାନ୍ତି । ପଳାଇଯାଇ ଉଶ୍ଵାସ ହୁଅନ୍ତି । ସ୍ଵାଧୀନ ମଣିଷର ପ୍ରକୃତରେ ଅଧିକରୁ ଅଧିକ ବାନ୍ଧି ହୋଇ ଯାଉଥାଏ । ଉଚ୍ଚତର କ’ଣଟିଏ ଲାଗି ନିଜକୁ ଉତ୍ସର୍ଗୀକୃତ କରି ରଖିବାକୁ ହିଁ ସିଏ ସ୍ଵାଧୀନତା ଚାହୁଁଥାଏ । ବୃହତ୍ତର କ’ଣଟିଏ ନିମନ୍ତେ ଜୀବନ ବଞ୍ଚିବ ବୋଲି ନାନା ଶୃଙ୍ଖଳା ଛିଡ଼ାଇ ଦେବାକୁ ଇଚ୍ଛା କରୁଥାଏ । ସତକୁ ସତ ସ୍ଵାଧୀନ ମଣିଷଟିଏ କେତେ କର୍ମରେ ନିଜକୁ ବାନ୍ଧି ରଖି ଥାଏ, ଆପଣାକୁ ଜ୍ଞାନରେ ବାନ୍ଧି ରଖିଥାଏ, ଶ୍ରଦ୍ଧାରେ ବାନ୍ଧି ରଖିଥାଏ । ସେଇ ପୃଥିବୀର ବହୁତ କାମ ଲାଗେ । ଭଗବାନଙ୍କର ଅନେକ କାମରେ ଲାଗେ । ଗାନ୍ଧୀ, ସକ୍ରେଟିସ୍ –ଏମାନେ ଜଣେ ଜଣେ ସ୍ଵାଧୀନ ମଣିଷ ଥିଲେ । ଏମାନେ ଆଦୌ ପଳାଇ ଯାଇ ନଥିଲେ । କୌଣସି ଗାତରେ କିମ୍ବା ପର୍ବତ ଶୃଙ୍ଗରେ ନିଜ ଜୀବନକୁ ଏକାକୀ ଭୋଗ କରିବାକୁ କେବେ ହେଲେ ଇଚ୍ଛା କରିନଥିଲେ । ଆମ ବହୁତଙ୍କର ତୁଳନାରେ ହୁଏତ ହଜାରେ ଗୁଣ ଅଧିକ ବାନ୍ଧି ହୋଇ ରହିଥିଲେ ।

 

ଆମର ପୃଥିବୀକୁ ସମ୍ଭବତଃ ସେହିପରି ଏକ ସ୍ଵାଧୀନତା’ର ଯୁଗ ଆସୁଛି । ଏପରି ଏକ ଚେତନା ଆସୁଛି ଯାହାକି ପ୍ରତ୍ୟେକ ମନୁଷ୍ୟକୁ ତା’ର ମୂଳଭୂତ ମହିମାର ଦ୍ୟୋତନା ଆଣି ଦେଇଯିବ । ଆଧୁନିକ ବିଜ୍ଞାନ, ଆଧୁନିକ ଜଗତରେ ଯାବତୀୟ ଆହ୍ଵାନ ମନୁଷ୍ୟକୁ ସେହି ମହିମା ପରିଚିତ କରାଇ ଦେବାରେ ହିଁ ସର୍ବାଧିକ ପରିମାଣରେ ସାହାଯ୍ୟ କରୁଛି । ବିଶ୍ଵଯାକର ବିଦ୍ୟା ଏହି ବିଶ୍ଵକୁ କ୍ରମେ ଏକ ଅନ୍ତରଙ୍ଗ ଘରରେ ପରିଣତ କରିଆଣୁଛି । ଆଉ କେହି ଅକିଞ୍ଚନ ହୋଇ ରହିବେ ନାହିଁ, ମଣିଷ ମଣିଷ ଭିତରେ ଦୂରତା ରହିବ ନାହିଁ । ପ୍ରତ୍ୟେକ ମଣିଷ ଏକ ଆରେକକୁ ସମ୍ମାନର ସହିତ ଦେଖିବେ । ସେତେବେଳେ ବ୍ୟକ୍ତି ତା’ର ଅସଲ ଘରଟିକୁ ପାଇଯିବ, ସେତେବେଳେ ସନ୍ତାନମାନଙ୍କର ହୁଏତ କୌଣସି ଆବଶ୍ୟକତା ରହିବ ନାହିଁ । ମିଛଗୁରୁ ଏବଂ ମିଛଧର୍ମମାନେ ଭାରି ପଦାରେ ପଡ଼ିଯିବେ ।

 

ବ୍ୟକ୍ତି ଏବଂ ସମାଜ ଭିତରେ ଯୁଗ ଯୁଗ ଧରି ଆସିଥିବା ବିରୋଧଗୁଡ଼ିକ ମଣିଷମାନଙ୍କୁ ଆଉ ମୋଟେ ଭଲ ଲାଗିବ ନାହିଁ । ସମାଜରେ ସ୍ଵାଧୀନତା ହିଁ ସର୍ବ ପ୍ରଥମେ ସଂହିତା ହୋଇ ରହିବ, ଭଗବାନଙ୍କୁ ମଧ୍ୟ ବନ୍ଧୁରୂପେ ଏଇଠି ଏହି ପୃଥିବୀ ଭିତରେ ଲୋଡ଼ିବାର ସୁରାଖ ମିଳିଯିବ । ଏବଂ, ଯଦି ଆମେ ବୁଦ୍ଧିମାନ୍ ହୋଇଥିବା, ତେବେ ଆମେ ସେଥିଲାଗି ଏଇଦିନୁ ହିଁ ପ୍ରସ୍ତୁତ ହେବା, ସେଇଟି ଆସୁ ବୋଲି ସମ୍ମତି ଦେବା । ପ୍ରସ୍ତୁତମାନେ ଏକାଠି ହେବା, ସମ୍ମତ ମାନେ ଏକାଠି ହେବା-। ସମ୍ମତମାନେ ଏକାଠି ହେଲେ ଦୂର ଆକାଶଟା ମଧ୍ୟ ଆମ ଆଡ଼କୁ, ଏହି ପୃଥିବୀ ଆଡ଼କୁ ଲାଗି ଲାଗି ଆସୁଥିବା ପରି ଦେଖାଯିବ ।

 

[ପଣ୍ଡିତ ନୀଳକଣ୍ଠ ସ୍ମାରକୀ ବକ୍ତୃତା–୭/୧୧/୧୯୯୬]

☆☆☆

 

ଫକୀରମୋହନଙ୍କର ମେଦିନୀଧାରଣା

 

ଆଧୁନିକ ଓଡ଼ିଆ ସାହିତ୍ୟର ଭୂମିପୂଜା-ପର୍ଯ୍ୟାୟରେ ଫକୀରମୋହନ ହେଉଛନ୍ତି ଏକ ପ୍ରବୁଦ୍ଧ ନାମ । ଠିକ୍ ଶହେବର୍ଷ ତଳେ ସେହି ପର୍ଯ୍ୟାୟରେ ଫକୀରମୋହନ ଯେଉଁ ଭୂମିକାଟି ଗ୍ରହଣ କରିଥିଲେ, ତାହା ଶହେବର୍ଷ ପରେ ଏବେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ଯଥାର୍ଥରେ ଏକ ଅଙ୍ଗୀକାରବୋଧ ରହିଥିବା ପ୍ରତ୍ୟେକ ଅନୁଶୀଳନକାରୀ ପାଠକକୁ ବିସ୍ମୟ ଭିତରେ ଆଣି ପକାଇଦିଏ । ପ୍ରଥମ କାଳର ସେହି ଅମିତ ଉତ୍ସାହ ତଥା ଉଦ୍ୟମର ଦୃଷ୍ଟାନ୍ତଟି ସହିତ ଓଡ଼ିଆ ସାହିତ୍ୟର ଏ କାଳରେ ଏହି ନବ୍ୟ ସାମନ୍ତବାଦୀ ଯୁଗର ରହିଥିବା ରଥୀମାନଙ୍କ ସହିତ ତୁଳନା କଲେ ପ୍ରକୃତରେ ଫକୀରମୋହନଙ୍କୁ ଅନାଇ ଅଭିଭୂତ ହୋଇଗଲା ପରି ମନେହୁଏ । ସାହିତ୍ୟ ପ୍ରତି, ଭାଷା ପ୍ରତି, ନିଜର ଭୂମିଟି ପ୍ରତି ଏତେ ଅଗାଧ ଶ୍ରଦ୍ଧା ଏବଂ ଆପଣାର ନିମିତ୍ତତ୍ଵଟି ବିଷୟରେ ଏପରି ଏକ ସଂକଳ୍ପବୋଧେ, ଆମର ଏହି ଅହଂସଚେତନ ଯଶୋଧର୍ମୀ ଯୁଗରେ ସତେଅବା ଆଉ କେବେହେଲେ କଦାପି ସମ୍ଭବ ହେବ ନାହିଁ ବୋଲି ମନେ ହୁଏ ।

 

ମେଦିନୀ, ଅର୍ଥାତ୍ ଆପଣାଠାରୁ ବୃହତ୍ତର ଏକ ଭୂମି, ଯାହା ପାଇଁ ନିଜର ଜୀବନଟିକୁ ବଞ୍ଚି ହୁଏ । ମେଦିନୀଧାରଣା, ଅର୍ଥାତ୍ ଏପରି ଗୋଟିଏ ଭୂମିର ଧାରଣା, ଯାହା ସମ୍ମୁଖସ୍ଥ ଏକ ଆହ୍ଵାନ ପରି ଆମ ଆଗେ ଆଗେ ଯାଉଥାଏ ଓ ଆମକୁ ଆଗକୁ ଆକର୍ଷିତ କରି ନେଇଥାଏ । ସାହିତ୍ୟ ଯେତେବେଳେ ପ୍ରାୟ ଏକ ବିନୋଦନରେ ସାମଗ୍ରୀରେ ପରିଣତ ହୁଏ, ସେତେବେଳେ ସାହିତ୍ୟର ମାଧ୍ୟମରେ ରସପ୍ରଦାନ କରୁଥିବା ସାହିତ୍ୟିକ କିମ୍ବା ସାହିତ୍ୟରୁ ରସ ଗ୍ରହଣ କରୁଥିବା ସାହିତ୍ୟ ରସିକମାନଙ୍କ ନିମନ୍ତେ ସତେଅବା ଏକ ମେଦିନୀ ଲାଗି ଆଦୌ କୌଣସି ପ୍ରୟୋଜନ ରହେ ନାହିଁ । ମେଦିନୀ ନଥାଏ, ତେଣୁ ଧାରଣା ମଧ୍ୟ ନଥାଏ । ଜୀବନଠାରୁ ସାହିତ୍ୟ ଅଲଗା ହୋଇପଡ଼ିଥାଏ, ମାତ୍ର ଥୋକେ ମଣିଷଙ୍କ ଲାଗି ପ୍ରାୟ ଏକ ପ୍ରକାରର ସାମଗ୍ରୀ ହୋଇ ରହିଥାଏ । ପ୍ରତ୍ୟେକ ସମାଜରେ ଏଭଳି ମନୁଷ୍ୟ ମଧ୍ୟ ବହୁସଂଖ୍ୟାରେ ଥାନ୍ତି, ଯେଉଁମାନେ ଆପଣାକୁ ହିଁ ଆପଣ ବଞ୍ଚିବାର ସତେ ଅବା ଏକ ସ୍ଵୟଂ ସଂପୂର୍ଣ୍ଣ କେନ୍ଦ୍ର ବୋଲି ଗ୍ରହଣ କରି ନେଇଥାନ୍ତି । କେନ୍ଦ୍ରର ଏକ ବୃହତ୍ତ ଅର୍ଥାତ୍ ପରିଧି ଅବଶ୍ୟ ରହିବ ବୋଲି ସେମାନେ ସ୍ଵୀକାର ହିଁ କରନ୍ତି ନାହିଁ । ବୃତ୍ତ ନଥାଏ, ମେଦିନୀ ନଥାଏ; ତେଣୁ ମେଦିନୀ ଧାରଣ ବି ନଥାଏ । ଆତ୍ମରତି ମନୁଷ୍ୟମାନେ ଭାରି ସ୍ଵଭାବ ପ୍ରେରିତ ଭାବରେ ତୁଚ୍ଛ ଆପଣାକୁ କାମୁଡ଼ି କରି ପଡ଼ି ରହିଥାନ୍ତି । ତୁଚ୍ଛା ଆପଣାର ପ୍ରୀତ୍ୟର୍ଥ ସେମାନେ ଜୀବନକୁ ବଞ୍ଚନ୍ତି; ଅତ୍ୟନ୍ତ ବ୍ୟାଧିତ ଭାବରେ ସତେଅବା ଆପଣାକୁ ଭୋଗ କରିଥାନ୍ତି । ତଥାପି ମେଦିନୀଟିଏ ରହିଥାଏ, ବହୁତର ଆହ୍ଵାନ ଏବଂ ଆବେଦନ ସହିତ ରହିଥାଏ, ମାତ୍ର ଆତ୍ମରତି ମନୁଷ୍ୟମାନେ ସତେଅବା ତା ବାହାରେ ବାହାରେ ରହିଥାନ୍ତି । ଅଥବା, ତା’ ଭିତରେ ଅବସ୍ଥିତ ରହିଥିଲେ ମଧ୍ୟ ଆଖିବୁଜି ରହିଥାନ୍ତି ।

 

ଫକୀରମୋହନଙ୍କର ଦୁଇ ସମସାମୟିକ ଲେଖକ – କବିବର ରାଧାନାଥ ଏବଂ ଭକ୍ତକବି ମଧୁସୂଦନଙ୍କୁ ସମାନ୍ତର ଦୃଷ୍ଟାନ୍ତଭାବେ ରଖି ଆମେ ଫକୀରମୋହନଙ୍କ ଆଡ଼କୁ ଅବଲୋକନ କରିପାରିବା । ରାଧାନାଥ ଆପଣାର କାବ୍ୟଗୁଡ଼ିକୁ ନିମନ୍ତେ ବାହାରୁ କେତେ କ’ଣ ଉପାଦାନ ଆଣିଥିଲେ । ମାତ୍ର ତା’ପରେ ସତେଅବା ଘରଟିର କବାଟ ଭିତରୁ କିଳି ଦେଇ ସେ ଓଡ଼ିଶା ଭିତରେ ରହିଗଲେ, ଓଡ଼ିଆ ସାହିତ୍ୟ ଭିତରେ ରହିଗଲେ । ରାଧାନାଥ ରାୟ ଆମର ଏଠି ସାହିତ୍ୟର ଘରଟି ଭିତରେ ପ୍ରବେଶ କରିବା ପରେ ସତେ ଯେପରି ତାରି ଭିତରେ ନିବୁଜ ହୋଇ ରହିଗଲେ । ତା’ପରେ ଝରକାଗୁଡ଼ିକୁ ଖୋଲିବାକୁ ଆବଶ୍ୟକ ମନେ କଲେ ନାହିଁ । ତଥା କଥିତ ସାହିତ୍ୟକୁ ମଧ୍ୟ ସେ ସତେଅବା ଏକ ବିଶେଷ କର୍ମ ବା ବିଶେଷ ଅନୁଚରଣା ବୋଲି ଗ୍ରହଣ କଲେ-। ଭକ୍ତ କବି ମଧୁସୂଦନ ବ୍ରାହ୍ମଧର୍ମର ଦୀକ୍ଷା ନେଇ ସାହିତ୍ୟ ମଧ୍ୟକୁ ଆସିଥିଲେ । ସିଏ ଯାହା କିଛି ଲେଖୁଥିଲେ, ସତେ ଅବା ସେଇ ଗୋଟିଏ ମାର୍କାର ଦୀପ୍ତିରେ ହିଁ ସେ ସେଗୁଡ଼ିକୁ ଝାଳି ଚକ୍‍ଚକ୍ କରି ଦେଖାଇବାକୁ ଚେଷ୍ଟା କରୁଥିଲେ । ଊନବିଂଶ ଶତାଦ୍ଦୀର ଶେଷ ଭାଗରେ ସମଗ୍ର ଭାରତବର୍ଷକୁ ଓ ବିଶେଷକରି ବଙ୍ଗପ୍ରଦେଶକୁ ନବଜାଗରଣ ଏବଂ ଦ୍ଵାରଉନ୍ମୋଚନର କେଉଁ ଉଦବେଳନ ପ୍ରାୟ ଅଦ୍ଭୂତପୂର୍ବ ଭାବରେ ଆଲୋଡ଼ିତ କରି ଦେଇଥିଲେ । ରାଧାନାଥ ଓ ମଧୁସୂଦନଙ୍କ ସାହିତ୍ୟ ଭିତରେ ସତେ ଯେପରି ତାହାର କିଞ୍ଚିତ୍ ଧାସ ମଧ୍ୟ ଅନୁଭବ କରିବାକୁ ମିଳୁନଥିଲା । ସେମାନେ ସତେଅବା ନିଜ ନିଜର ଖୋସାଟି ଭିତରେ କିଳି ହୋଇ ରହିଥିଲେ-

 

ଫକୀରମୋହନଙ୍କ ଆୟତନଟି ଭିତରକୁ ପ୍ରବେଶ କଲାମାତ୍ରକେ ସତେଅବା ଅନୁଭବ ଏକାବେଳେ ଅନ୍ୟ ପ୍ରକାରର ହୋଇଥାଏ । ରାଧାନାଥ ଓ ମଧୁସୂଦନଙ୍କ ତୁଳନାରେ ସେ ଅନେକ ଅଧିକ ପରିମାଣରେ ଗ୍ରହଣଶୀଳ ହୋଇ ରହିଥିଲେ । ଏହି ତିନି ଜଣଙ୍କର ସାହିତ୍ୟ ଭୂମିରେ ଭରସା ବାହାରୁ ଆସି ଓଡ଼ିଆ ସାହିତ୍ୟର ଅଳିନ୍ଦଟି ଭିତରେ ପ୍ରବେଶ କଲେ ଓ ନିଜ ନିଜର ଆୟତନକୁ ବାଛି ନେଇ ସେଇଠାରେ ହିଁ ଚକ୍ରବର୍ତ୍ତୀ ହୋଇ ବସିଲେ । ସେତେବେଳେ ଶିକ୍ଷିତ ଓ ଶିଷ୍ଟ କହିଲେ ଯେଉଁ ଲୋକଙ୍କୁ ବୁଝାଯାଉଥିଲା ଏମାନେ ସେମାନଙ୍କ ଗାର ଭିତରେ ହିଁ ରହୁଥିଲେ । ଗାର ଭିତରେ ରହୁଥିବା ମଣିଷ ପ୍ରାୟ ନିୟମିତ ସ୍ପର୍ଶକାତର ହୋଇ ରହିବାକୁ ଭାରି ପ୍ରଲୁବ୍ଧ ହୋଇଥାଏ । ଫକୀରମୋହନ ଅତ୍ୟନ୍ତ ଅଳପ ଭିତରେ ଜନ୍ମିଥିଲେ ଓ ପରିପାଳିତ ହୋଇଥିଲେ । ଅତ୍ୟନ୍ତ ଅନାମଧେୟ ଭାବରେ ବୟସର ପ୍ରାୟ ବାଳୁତ ହୋଇ ରହିଥିବା କାଳରୁ ଜୀବନରେ ସଂସ୍ଥାନଟିଏ ଆଦରି ନେବାକୁ ବାଧ୍ୟ ହୋଇଥିଲେ । ମାତ୍ର ତାଙ୍କର ଭୋକ ପ୍ରବଳ ଥିଲା । ଭୋକ ପ୍ରବଳ ହେଲେ ମଣିଷ ଭୂଇଁଗୁଡ଼ାକୁ ଆଦୌ ମାନେ ନାହିଁ । ଶିଶୁ ଗରୁଡ଼ ପରି ଉଦିତ ହେଉଥିବା ଚନ୍ଦ୍ରକୁ ମଧ୍ୟ ପାଚିଲା ଫଳପରି ଅନୁଭବ କରେ ଓ ତାହାକୁ ଖାଇବ ବୋଲି ମନେ କରେ । ଫକୀରମୋହନଙ୍କର ସମକାଳୀନ ଭାରତବର୍ଷରେ ଭାରତୀୟ ନବଜାଗରଣର ସେହି ଅଭାବନୀୟ ପର୍ବରେ ସଚେତନ ଓ ସମ୍ମତ ସମସ୍ତଙ୍କ ମଧ୍ୟରେ ସେହି ଦୁର୍ବାର କ୍ଷୁଧାର ଉଦ୍ରେକ କରାଇ ଦେବାକୁ ଆସିଥିଲା । ଓଡ଼ିଶାର ଦୁର୍ଭାଗ୍ୟ, ଓଡ଼ିଶା ସେହି ଉଦବେଳନକୁ ସିଧା ଆମନ୍ତ୍ରଣ କରି ଆଣିବାର ସୌଭାଗ୍ୟ ଲାଭ କରିନଥିଲା ଓ ବଙ୍ଗ ଦେଶକୁ ମାଧ୍ୟମ ରୂପେ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲା । ବର୍ତ୍ତମାନ ଠିକ୍ ଶହେବର୍ଷ ପରେ ପଛକୁ ଅନାଇ ଦେଖିଲେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବାରି ହୋଇପଡ଼େ ଯେ ଓଡ଼ିଶାର ଯେଉଁ ମୁଷ୍ଟିମେୟ କେତେଜଣ ସେହି ଉଦବେଳନଟିକୁ ଗ୍ରହଣ କରିବାର ଯୋଗ୍ୟ ହୋଇପାରିଥିଲେ ଫକୀରମୋହନ ସତେ ଅବା ସେମାନଙ୍କ ଭିତରେ ସବା ଆଗରେ ରହିଥିଲେ ।

 

ଫକୀରମୋହନଙ୍କର ଶିକ୍ଷାଗତ ଯୋଗ୍ୟତା ଅଥବା ବୃତ୍ତିଗତ ପଦବୀ ନୁହେଁ, ତାଙ୍କର ଏଇ ସଦାସମ୍ମତ ଗ୍ରହଣଶୀଳତା ହିଁ ତାଙ୍କୁ ଏକ ନିତାନ୍ତ ସାଧନାରେ ଓ ସାନ ପରିସର ଭିତରେ ଥାଇ ମଧ୍ୟ ବୃହତ୍ତର ଆଡ଼କୁ ଆକର୍ଷିତ କରି ନେଇଥିଲା । ସେ ପ୍ରାୟ ଏକ ରାକ୍ଷସର ସଂକଳ୍ପ ଓ ଶକ୍ତିଦ୍ଵାରା ଆପଣାକୁ ଉଦ୍‍ବୁଦ୍ଧ କରି ବଙ୍ଗଳା ସଂସ୍କୃତ ଭାଷାରେ ପ୍ରବୀଣତା ହାସଲ କରିଥିଲେ । ଇଂରାଜୀ ଭାଷାକୁ ମଧ୍ୟ ସାହସ କରିଥିଲେ ଏବଂ ସର୍ବୋପରି ଇଂରାଜୀ ଗୁଣସମ୍ପନ୍ନ ଅଫିସର ଜନ୍‍ ବୀମ୍‍ସଙ୍କ ବନ୍ଧୁତା ମଧ୍ୟ ଲାଭ କରି ପାରିଥିଲେ । ଆଲୋକଟି ସମାନଧର୍ମୀ ଆଉ ଏକ ଆଲୋକକୁ ଚିହ୍ନି ନେଲା ପରି ଜନ୍‍ ବୀମ୍‍ସ ଫକୀରମୋହନଙ୍କୁ ଚିହ୍ନି ନେଇଥିଲେ । ଏହି ମିତ୍ରତା ସମ୍ପୃକ୍ତ ସମସ୍ତଙ୍କ ଲାଗି ଶୁଭଙ୍କର ଏବଂ ଉନ୍ମୋଚନକରି ପରି ପ୍ରତିପାଦିତ ହେଲା । ଜନ୍‍ ବିମ୍‍ସ ଜଣେ ପ୍ରଦୀପ୍ତ ତରୁଣଙ୍କୁ ଓଡ଼ିଶାର ସନ୍ତକ ରୂପେ ପାଇଲେ, ଜନ୍‍ ବିମ୍‍ସଙ୍କ ମାଧ୍ୟମରେ ଫକୀରମୋହନ ପାଶ୍ଚାତ୍ୟ ଜଗତର ଜଣେ ପ୍ରତିଭୂଙ୍କ ସହିତ ପରିଚିତ ହେଲେ ଏବଂ ସେହି ପରିଚୟ ତାଙ୍କୁ ନିଜ ଭିତରର ବହୁସଂଭାବ୍ୟତା ସମ୍ବନ୍ଧରେ ଏକ ଦୃଢ଼ ପ୍ରତ୍ୟୟ ଆଣି ଦେଇଥଲା ଏବଂ ଏହି ଉଭୟଙ୍କୁ ନିମିତ୍ତ କରି ଓଡ଼ିଶା ମଧ୍ୟ ଏକାଧିକ ଦୃଷ୍ଟିରୁ ଉପକୃତ ହୋଇପାରିଲା ।

 

ଫକୀରମୋହନଙ୍କର ପ୍ରଥମ ରଚନା ହେଉଛି ଏକ ଅନୁବାଦ, ବଙ୍ଗଳାଭାଷାରେ ଈଶ୍ଵର ଚନ୍ଦ୍ର ବିଦ୍ୟସାଗରଙ୍କ ଦ୍ଵାରା ଲିଖିତ କେତୋଟି ଜୀବନୀର ଓଡ଼ିଆଭାଷାକୁ ଅନୁବାଦ । ତତ୍କାଳୀନ ବଙ୍ଗଳା ଏବଂ ଓଡ଼ିଶା ଭୂମି ଉପରେ ବିଦ୍ୟାସାଗର ଏବଂ ଫକୀରମୋହନଙ୍କୁ ଏକା ଦୃଷ୍ଟିରୁ ପରସ୍ପର ସହଧର୍ମୀ ବୋଲି ବିଚାର କରାଯାଇପାରିବ । ଏହି ଜୀବନ ଚରିତ୍ରର ଆଠଜଣ ଇଉରୋପୀୟ ବୈଜ୍ଞାନିକଙ୍କର ଜୀବନୀ ସନ୍ନିବେଶିତ କରଯାଇଥିଲା । ସେହି ତାଲିକାରେ ନିଉଟନ୍ ଥଲେ । ଗାଲିଲିଓ ଥିଲେ ଓ କୋପରିନିକସ୍ ମଧ୍ୟ ରହିଥିଲେ । ଆପଣାର କାଳରେ ଏହି ବୈଜ୍ଞାନିକମାନେ କେବଳ ତତ୍କାଳୀନ ବିଜ୍ଞାନରେ ନୁହେଁ, ଜୀବନପ୍ରତି ସମସାମୟିକ ଦୃଷ୍ଟିକୋଣରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣି ଦେଇଥିଲେ । ସେହି ବୈଜ୍ଞାନିକମାନଙ୍କୁ ଓଡ଼ିଆଭାଷାର ବସ୍ତ୍ର ପିନ୍ଧାଇ ଓଡ଼ିଶାକୁ ଆଣିବା, ଏକଥା ଫକୀରମୋହନଙ୍କ ବ୍ୟତୀତ ଆଉ କାହାଦ୍ଵାରା ସମ୍ଭବ ହୋଇଥାନ୍ତା ? ସର୍ବନିମ୍ନ ପ୍ରାଥମିକଶିକ୍ଷା ମଧ୍ୟ ସମାପ୍ତ କରିନଥିବା ଜଣେ ଯୁବକପକ୍ଷରେ ଆଧୁନିକ ପୃଥିବୀକୁ ଧରିବାରେ ଏହି ଅଦ୍ଭୁତ ଅନୁରାଗ, ଏହା ହିଁ ଫକୀରମୋହନଙ୍କ ଭିତରେ ତାଙ୍କୁ ଆଗକୁ ଆଗକୁ ନେଇ ଯାଉଥିବା ସେଇ ତୁରନ୍ତ କ୍ଷୁଧାଶକ୍ତିର ପରିଚୟ ଆଣିଦିଏ । ତାଙ୍କ ଧାରଣାରେ ମେଦିନୀଟି ଯେ ତାଙ୍କର ତତ୍କାଳୀନ ସାହିତ୍ୟସ୍‍ ତୀର୍ଥମାନଙ୍କରେ ଛଳନାରେ ଏକାବେଳେ ଅନ୍ୟ ପ୍ରକାରର ଥିଲା, ତାହାକୁ ପ୍ରମାଣିତ କରିଦିଏ । ଶହେବର୍ଷ ପରେ ମଧ୍ୟ ଆମକୁ ବିସ୍ମିତ କରେ ।

 

ଫକୀରମୋହନ ତାଙ୍କ ଲେଖକ ଜୀବନର ପ୍ରଥମ କାଳରେ ମୁଖ୍ୟତଃ କବିତା ଲେଖିଥିଲେ । ସେହି କବିତାଗୁଡ଼ିକ ସହିତ ଫକୀରମୋହନଙ୍କ ସହିତ ବାଟ ଚାଲିଲେ ଆମକୁ ସତେଅବା ସମଗ୍ର ପୃଥିବୀ ବୁଲି ଆସିବାପରି ମନେହେବ । ସେତେବେଳେ ଓଡ଼ିଶାର ମେଦିନୀଟି ଏକାଧିକ କାରଣରୁ ଅତ୍ୟନ୍ତ ଛୋଟ ଥିଲା । ସାହିତ୍ୟରେ ଖୁବ୍‍ ବେଶୀ ହେଲେ ସଂସ୍କୃତ ସହିତ ହିଁ ଓଡ଼ିଆ ସୃଜନଶୀଳତା’ର କିଛି କିଛି ଖିଅ ଲାଗିଥିଲା । ଭାଷା ଅତ୍ୟନ୍ତ କ୍ଲୀଷ୍ଟ ଥିଲା, ସର୍ବନ୍ତକରଣରେ କ୍ଳେଶଦାୟକ ପଣ୍ଡିତ ମାନଙ୍କର ଭାଷା ଥିଲା । ଫକୀରମୋହନ ନିଜର କବିତାରେ ସେହି ଭାଷାକୁ କୂଅ ଭିତରୁ ମୁକ୍ତ କରି ଆଣିଥିଲେ । ଏବଂ ତାକୁ ଏକ ନୂତନ ବହମାନତା’ର ସ୍ଵାଭାବିକ ଛନ୍ଦସୌନ୍ଦର୍ଯ୍ୟ ଆଣି ଦେଇଥିଲେ । କବିତାଗୁଡ଼ିକର ବିଷୟବସ୍ତୁ ଠାବ କରିବାରେ ସେ କେତେ କେତେ ଦୂରକୁ ଖେଦି ଯାଇଥିଲେ । ତାଙ୍କ କବିତା’ର ସାମଗ୍ରୀ ଭିତରେ ସନ୍ଥ ତୁକାରାମ ଥିଲେ, ଯୋଶେଫାଇନ୍‍ ଥିଲେ, ଯୀଶୁଖ୍ରୀଷ୍ଟ ଓ କ୍ଲିଓପେଟ୍ରା ରହିଥିଲେ । ୧୯୦୪ ମସିହାରେ ରୁଷ୍‍ ଜାପାନ ଯୁଦ୍ଧ ରହିଥିଲା । ଏବଂ ଏସବୁକୁ ଖେଦି ଆସିବା ପଛରେ ସମ୍ଭବତଃ ସେଇ ଗୋଟିଏ ବ୍ୟାକୁଳତା ସର୍ବତ୍ର ରହିଥିଲା । "ଚାରିଆଡ଼େ ପଡ଼ିଅଛି ଉନ୍ନତି ଚହଳ, ନିଦ୍ରିତ କି ରହିଥିବ ଉତ୍କଳ କେବଳ’’ ବୋଲି ସତେଅବା ସେ ଓଡ଼ିଶାବାସୀଙ୍କର କାନ ପାଖରେ ଏଡ଼େ ବଡ଼ ପାଟି କରି କହିବାକୁ ଇଚ୍ଛା କରୁଥିଲେ । ନିଜ ଧାରଣାର ମେଦିନୀଟି ଅନୁସାରେ ସେ ସମଗ୍ର ଓଡ଼ିଶାକୁ ସତେଅବା ଅନୁରୂପ ଭାବରେ ଉତ୍ତୋଳିତ କରିନେବାକୁ ଇଚ୍ଛା କରୁଥିଲେ ଓ ସେଥିଲାଗି ଆକୁଳ ହୋଇ ଉଠିଥିଲେ ।

 

ଆଗରୁ କେବଳ ଖ୍ରୀଷ୍ଟିୟାନ୍‍ମାନେ କଟକ ସହରରେ ଛାପାକଳଟିଏ ଆଣି ପକାଇଥିଲେ-। ତାହା ଏକ ବିଶେଷ କାର୍ଯ୍ୟସାଧନାରେ ବ୍ୟବହୃତ ହେଉଥିଲା । ତଦ୍ୱାରା ଓଡ଼ିଶାର ଭୋକ କଦାପି ମେଣ୍ଟିନଥାନ୍ତା । ଫକୀରମୋହନ କେଡ଼େ ଆଣ୍ଟ କରି ନିଜେ ଛାପାକଳ ଆଣି ବାଲେଶ୍ଵରରେ ପକାଇବେ ବୋଲି କଲିକତା ବାହାରିଲେ । ଶଗଡ଼ଉପରେ ଲଦି କଲିକତାରୁ ଛାପାକଳ ଆଣି ବାଲେଶ୍ଵରରେ ପକାଇବେ ବୋଲି କଲିକତା ବାହାରିଲେ । ଶଗଡ଼ଉପରେ ଲଦି କଲିକତାରୁ ଛାପାକଳ ଆଣିଲେ । ଓଡ଼ିଶା ଲୋକଙ୍କୁ ତାହା ଏକ ଅଦ୍ଭୁତ ଘଟଣା ପରି ଲାଗିଥିବ । ଇଂଲଣ୍ଡରେ ଜର୍ଜ ଷ୍ଟିଫେନସନ୍ ପ୍ରଥମଥର ପାଇଁ ତାଙ୍କ ବାଷ୍ପଚାଳିତ ଇଞ୍ଜିନିଟିକୁ ଚଳାଇବା ଦିନ ତାଙ୍କର ଦେଶବାସୀ ଯେଉଁଭଳି ବିସ୍ମୟରେ ଉଦବେଳିତ ହୋଇ ଉଠିଥିବେ, ଏଇଟି ପ୍ରାୟ ସେହିଭଳି ଗୋଟିଏ କଥା । ସେହି ଛାପାକଳରୁ ଫକୀରମୋହନ ପତ୍ରିକା ବାହାର କଲେ, ନିଜର ସମ୍ବାଦପତ୍ର ବାହାର କଲେ । ଲୋକମାନଙ୍କର ପାରମ୍ପରିକ ପୃଥିବୀରେ ସେ ସତେଅବା ନୂଆ ଆଖି ଆଣି ଯୋଡ଼ିଦେଲେ । ନୂଆ ଆଖି ଏକ ନୂଆ ପ୍ରତିଶ୍ରୁତିର ଅମିତ ସମ୍ଭାବନାକୁ ବହନ କରି ଆଣିଥିଲା-। ଜୀବନଯାକ ଫକୀରମୋହନ ଆଗକୁ ଆଗକୁ ପାଦପକାଇ ପରବର୍ତ୍ତୀ କାଳମାନଙ୍କରେ ଯାହା କିଛି ଲେଖିଲେ, ପ୍ରାୟ ସେହି ସବୁକିଛିରେ ଆମେ ତାଙ୍କର ସେହି ନୂଆ ଆଖିଟିର ପରିଚୟ ହିଁ ପାଇଥାଉ, ସେହି ଅମିତ ଉଦ୍ୟମଶୀଳତା ଓ ବଦ୍ଧପରିକରତା’ର ପରିଚୟ ପାଇଥାଉ ଏବଂ ସର୍ବୋପରି ନିଜଭିତରୁ ନିଜ ଶକ୍ତି ତଥା ପାରମଙ୍ଗତା’ର ପରିଚୟ ପାଇଲେ ଜଣେ ସୃଜନଶୀଳ ମନୁଷ୍ୟର ଯାବତୀୟ ଦୃଷ୍ଟି ତଥା ଧାରଣାରେ ଯେଉଁ ଅଦମ୍ୟ ହସିବା ଶକ୍ତି ଅତ୍ୟନ୍ତ ସ୍ଵଭାବସିଦ୍ଧ ଭାବରେ ଫୁଟି ବାହାରି ଆସିଥାଏ, ଆମେ ସେହି humourର ପରିଚୟ ପାଇଥାଉ ।

 

ପାରମ୍ପରିକ ସମାଜ ଫକୀରମୋହନଙ୍କୁ ପ୍ରାୟ ଆରମ୍ଭରୁ ହିଁ ଅପୂର୍ବ ଅସମର୍ଥ ଏବଂ ଅଯଥେଷ୍ଟ ବୋଲି ବୋଧ ହୋଇଥିଲା । ପାରମ୍ପରିକ ସମାଜ ତାଙ୍କ ଜୀବନକୁ ଏକ ପରିପୂର୍ଣ୍ଣ ସାକାରତା ଆଣିଦେବାରେ କି ସହଯୋଗ କରିଥିଲା ଯେ ସେ ତାହାକୁ ଯଥେଷ୍ଟ ବୋଲି ସ୍ଵୀକାର କରିଥାନ୍ତେ ? ହିନ୍ଦୁ ପାରମ୍ପରିକତା ପ୍ରତି ତାଙ୍କର ମୂଳରୁ ହିଁ ଏକ ବିରାଗ ରହିଥିଲା । ବାଲେଶ୍ଵରରେ ଏକତ୍ର ବାସ କରୁଥିବା ସମୟରେ ସେ ଓ କବି ରାଧାନାଥ ଓ ଏକଦା ହିନ୍ଦୁଧର୍ମ ଛାଡ଼ି ଖ୍ରୀଷ୍ଟିୟାନ୍‍ ଧର୍ମ ଗ୍ରହଣ କରିବାକୁ ବିଚାର କରିଥିଲେ ଓ ଆପାତତଃ ଏକ ନିଷ୍ପତ୍ତି ନେଇ ସାରିଥିଲେ । ମାତ୍ର ଘଟଣା ଏପରି ହେଲା ଯେ ରାଧାନାଥ ଦିନେ ସେ ହିନ୍ଦୁଧର୍ମ କେବେବି ଛାଡ଼ି ପାରିବେ ନାହିଁ ବୋଲି ତାଙ୍କୁ ଜଣାଇ ଦେଇଥିଲେ । ଏକୁଟିଆ ଧର୍ମାନ୍ତର ଗ୍ରହଣ କରିବାକୁ ଫକୀରମୋହନଙ୍କର ସାହସ ନଥିଲା । ଦୁହେଁ ଏକତ୍ର ଏପରି କାର୍ଯ୍ୟ କଲେ ଯେ ସମ୍ଭବତଃ କମ୍ ଭୟ ଲାଗିବ ବୋଲି ସେ ଅନୁମାନ କରିଥିଲେ । ନିଜ ଜୀବନର ପ୍ରାୟ ଶେଷ ଚରଣରେ ୧୯୦୯ ମସିହାରେ ତାଙ୍କ ଦ୍ଵାରା ଲିଖିତ ଏବଂ ପ୍ରକାଶିତ ‘ବୌଦ୍ଧାବତା’ର କାବ୍ୟ’ର ଭୂମିକାରେ ସେ ‘’ଭାରତର ସମସ୍ତ ଦୁର୍ଦ୍ଦଶାର କାରଣ ହିନ୍ଦୁ ଧର୍ମ ଅଟେ” ବୋଲି ମନ୍ତବ୍ୟ ଦେଇଥିଲେ । ଅବଶ୍ୟ ତାହାର ଅର୍ଥ ନୁହେଁ ଯେ ଫକୀରମୋହନ ହିନ୍ଦଧର୍ମକୁ ଗୋଟାସୁଦ୍ଧା ଅସାର ବୋଲି ମଣୁଥିଲେ ଅଥବା ଖ୍ରୀଷ୍ଟିୟାନ୍ ଧର୍ମକୁ ସକଳ ଅଡ଼ୁଆର ସମାଧାନ ବୋଲି ଭାବୁଥିଲେ । ଖ୍ରୀଷ୍ଟିୟାନ୍ ପାଦ୍ରୀମାନଙ୍କୁ ସେ ନିଜର ଆତ୍ମଜୀବନ ଚରିତରେ କେତେ ଟାହି କରିଛନ୍ତି ଗୋଟିଏ ପ୍ରସଙ୍ଗରେ ଖ୍ରୀଷ୍ଟିୟାନ୍ ଧର୍ମଶାସ୍ତ୍ର ବାଇବେଲ୍‍କୁ 'ସରକାରୀ ମହାପୁରାଣ ' ବୋଲି ଉଲ୍ଲେଖ କରିଛନ୍ତି । ଇଂରେଜମାନଙ୍କର ଶାସନ ସଭା ଏବଂ ଇଉରୋପୀୟ ପାଦ୍ରୀମାନଙ୍କର ଧର୍ମପ୍ରଚାରର ଉତ୍ସାହ ମଧ୍ୟରେ ଯେ ଏକ ସାଧର୍ମ୍ୟ ଅବଶ୍ୟ ଲୁକ୍କାୟିତ ହୋଇ ରହିଥିଲା, ବିଚକ୍ଷଣ ଫକୀରମୋହନ ସେହି କଥାଟିକୁ ନିଶ୍ଚୟ ଠଉରାଇ ପାରିଥିଲେ । ଖ୍ରୀଷ୍ଟଧର୍ମର ମୂଳ ସନ୍ଦେଶଗୁଡ଼ିକ ଯେ ତାଙ୍କର ହୃଦୟରେ ଏକ ସକଳମାନବିକ ସଂବେଦନଶୀଳତା’ର ଉଦ୍ରେକ କରାଇଥିଲା, ସେଥିରେ ଆଦୌ କୌଣସି ସନ୍ଦେହର ଅବକାଶ ନାହିଁ ।

 

ଫକୀରମୋହନ ହିନ୍ଦୁଧର୍ମର ମୂଳ ସନ୍ଦେଶଗୁଡ଼ିକୁ ମଧ୍ୟ ଯଥାର୍ଥ ଭାବରେ ନିଶ୍ଚୟ ଚିହ୍ନିଥିଲେ । ରୁଗ୍‍ଣା ପତ୍ନୀଙ୍କର ପ୍ରୀତ୍ୟର୍ଥେ ଯେ ସେ ରାମାୟଣ, ମହାଭାରତ, ଗୀତା, ହରିବଂଶ ଏବଂ କେତକ ଉପନିଷଦର ଓଡ଼ିଆ ଅନୁବାଦ କରିଥିଲେ, ଏହାକୁ କଦାପି ସଂପୂର୍ଣ୍ଣ ସତ୍ୟ ବୋଲି କୁହାଯାଇପାରିବ ନାହିଁ । ଭାରତୀୟ ସଂସ୍କୃତି ତଥା ଭାରତୀୟ ଅଧ୍ୟାତ୍ମବୋଧର ଉଲ୍ଲିଖିତ ଗ୍ରନ୍ଥଗୁଡ଼ିକ ଲାଗି ତାଙ୍କର ଏକ ଅନ୍ତର୍ଗତ ଶ୍ରଦ୍ଧା ଅବଶ୍ୟ ରହିଥିଲା । ସେହି ଗ୍ରନ୍ଥଗୁଡ଼ିକରେ ଉଦଘୋଷିତ ଚିରନ୍ତନ ଜୀବନ ମୂଲ୍ୟଗୁଡ଼ିକ ପ୍ରତି ତାଙ୍କର ଆନ୍ତରିକ ସ୍ଵୀକୃତି ରହିଥିବାରୁ ହିଁ ସେ ସେଗୁଡ଼ିକର ଅନୁବାଦରେ ହାତ ଦେଇ ପାରିଥିଲେ । କୌଣସି ଏକ ଗ୍ରନ୍ଥପ୍ରତି ସତକୁ ସତ ଏକ ଶ୍ରଦ୍ଧା ରହିନଥିଲେ ଜଣେ ବ୍ୟକ୍ତି ପ୍ରକୃତରେ ତାହାକୁ ଅନୁବାଦ କରିବାଲାଗି କିପରି ଆଗ୍ରହ ପ୍ରକାଶ କରିପାରିବେ ? ପୃଥିବୀରେ ପ୍ରଚାରିତ ବିଭିନ୍ନ ଧର୍ମମାର୍ଗରେ ସାର ସନ୍ଦେଶଗୁଡ଼ିକୁ ସେ ଅତ୍ୟନ୍ତ ଗଭୀରଭାବରେ ଠାବ କରି ନେଇ ପାରୁଥିଲେ ଓ ତେଣୁ ଅସାର ଉପରିଭାଗର ଯାବତୀୟ ବାହ୍ୟକତା’ର ଆବରଣକୁ ଭେଦି ଭିତରକୁ ଯାଇ ପାରିବା ତାଙ୍କ ଲାଗି ସମ୍ଭବ ହୋଇ ପାରୁଥିଲା ।

 

ବାଇବେଲର Many Mansions ସଂକ୍ରାନ୍ତୀୟ ଉଦଘୋଷଣା ପରି ଆପଣାର ଗୋଟିଏ କବିତା’ର ଫକୀରମୋହନ ଏକ ଅନୁରୂପ ଚିତ୍ରକୁ ଆଣି ଆମ ସମକ୍ଷରେ ଉପସ୍ଥାପିତ କରି ପାରିଛନ୍ତି । ଜଗତପିତାଙ୍କର ସଦନରେ ଏକାଧିକ ଅଟ୍ଟାଳିକା ଅବଶ୍ୟ ରହିଛି । ତେଣୁ କୌଣସି ଗୋଟିଏ ମାର୍ଗରେ ନିବୁଜ ହୋଇ ବାଟ ଚାଲିଲେ ଆଧୁନିକ ମଣିଷର ଅଧ୍ୟାତ୍ମବାସନାର କଦାପି ପୂର୍ଣ୍ଣତୃପ୍ତ ଏବଂ ସିଦ୍ଧକାମ ହୋଇ ରହିପାରିବ ନାହିଁ, –ଏକଥା ବିଂଶ ଶତାବ୍ଦୀରେ ମଣିଷ ମଣିଷର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ମଣିଷମାନେ ଅଧିକରୁ ଅଧିକ ନିବିଡ଼ ଭାବରେ ଉପଲବ୍ଧି କରିବାକୁ ଆରମ୍ଭ କରୁଛନ୍ତି । ସୁଦୂର ସେକାଳରେ ପ୍ରାୟ ଶହେବର୍ଷ ତଳେ ଫକୀରମୋହନଙ୍କର ଆଧ୍ୟାତ୍ମିକ ବ୍ୟାକୁଳତା ମଧ୍ୟ ସେହି ସତ୍ୟର ଗାରକୁ ସ୍ପର୍ଶ କରି ପାରିଥିଲା । ଚାରିଗୋଟି ମାର୍ଗରୁ ସତ୍ୟକୁ ସେ ଏକତ୍ର ଯୋଡ଼ି ଏକ ସମନ୍ଵୟରେ ପଥ ସୂଚିତ କରି ଦେଇଥିଲେ । ଇସ୍‍ଲାମର ବିଶ୍ଵାସ, ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ପ୍ରତାରିତ ପ୍ରେମ, ଗୌତମଙ୍କର ବୈରାଗ୍ୟ ଏବଂ ଚୈତନ୍ୟଙ୍କର ଭକ୍ତି, –ଏକାବେଳେ ଏହି ଚାରୋଟିଯାକର ଅଧିକାରୀ ହେଲେ ଯାଇ ଜଣେବ୍ୟକ୍ତି ସ୍ଵର୍ଗର ଅଧିକାର ଲାଭ କରିବ ବୋଲି ସେ କେତେ ସହଜରେ କହି ପାରିଥିଲେ । ବୈରାଗ୍ୟ, ପ୍ରେମ ଓ ଭକ୍ତିକୁ ଫକୀରମୋହନ ଧର୍ମଚାରଣାର ଚାରିଟି ଅପରିହାର୍ଯ୍ୟ ପାଦ ବୋଲି ଅନୁଭବ କରିଛନ୍ତି ।

 

ଆଧ୍ୟାତ୍ମିକ ଆହ୍ଵାନ ପରମ୍ପରାର ଗଗନରେ ସେ ଗୌତମ ବୁଦ୍ଧ, ଯୀଶୁଖ୍ରୀଷ୍ଟ, ମହମ୍ମଦ, ନାନକ, ଶଙ୍କରାଚାର୍ଯ୍ୟ, ଶ୍ରୀ ଚୈତନ୍ୟ ଏବଂ ରାମମୋହନ ରାୟଙ୍କୁ ସପ୍ତର୍ଷି ବୋଲି ଘୋଷଣା କରିଛନ୍ତି । ଅର୍ଥାତ୍, ଆପଣାର ମେଦିନୀଧାରଣାକୁ ଗଠିତ କରି ଆସିବାରେ ଫକୀରମୋହନ ଏହି ମନୀଷୀମାନଙ୍କଠାରୁ ପ୍ରେରଣା ଲାଭ କରିଛନ୍ତି । ଆଉ ଗୋଟିଏ କବିତାରେ ସେ କୃଷ୍ଣ ଏବଂ ଯୀଶୁଖ୍ରୀଷ୍ଟଙ୍କୁ 'ଏକ ବୃନ୍ତେ ଦୁଇ ପୁଷ୍ପ ' ବୋଲି କହିଛନ୍ତି । ସେତେବେଳେ ବୈଷ୍ଣବ ମାର୍ଗ ଏବଂ ମିଶନାରୀମାନେ ପ୍ରଚାର କରୁଥିବା ଖ୍ରୀଷ୍ଟିୟାନ୍ ଧର୍ମ ଓଡ଼ିଶାରେ ମଣିଷମାନଙ୍କ ନେତ୍ରକୁ ନାନା ଏକଦେଶୀୟତା ମଧ୍ୟରେ ଆଣି ପକାଇ ଦେବାର ପ୍ରମାଣରେ ଏକ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । ଫକୀରମୋହନ ତଥାପି ଏହି ଉଭୟ ମାର୍ଗ ମଧ୍ୟରେ ସତ୍ୟଗୁଡ଼ିକୁ ଖାଦମଧ୍ୟରୁ ଅଲଗା କରି ଦେଖି ପାରିଥିଲେ ଏବଂ ଆପଣାରେ ବିଚାରରେ ଉଭୟ ମଧ୍ୟରେ ଏକ ସଂଲଗ୍ନକାରୀ ସେତୁ ରହିଛି ବୋଲି ଅନୁଭବ କରିଥିଲେ । ଏତିକି କରିବା ନିମନ୍ତେ ତାଙ୍କର ସେହି କାଳରେ କମ୍ ସାହସ ଏବଂ କମ୍ ବିଶ୍ଵାସର ପ୍ରୟୋଜନ ହୋଇ ନଥିବ ।

 

ଅନେକ କବି ପ୍ରାୟ ବିହ୍ଵଳ ହୋଇ ଆଦର୍ଶ ମେଦିନୀଟିଏର ସନ୍ଧାନରେ ବେଳେବେଳେ ଆଉ କୌଣସି ଥାନକୁ ପଳାଇ ଯିବାକୁ ଇଚ୍ଛା କରିଥାନ୍ତି । ଧର୍ମରେ ସେହି ଥାନଟିକୁ ସ୍ଵର୍ଗ ବୋଲି କୁହାଯାଇଥାଏ । ଭାରତବର୍ଷ ପରି ଏକ ଭାଗ୍ୟବାଦୀ ଓ କର୍ମବାଦୀ ପରମ୍ପରାରେ ପଳେଇ ଯିବାର ଏହି ଅତି ସହଜ ପ୍ରବୃତ୍ତିଟି ସାହିତ୍ୟଭିତରକୁ ମଧ୍ୟ କମ୍ ସଂକ୍ରମିତ ହୋଇ ଆସିନାହିଁ । ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କ ସମକାଳୀନ ଅନ୍ୟତୁଙ୍ଗ କବିମାନେ ଅଧିକାଂଶତଃ ସେହି ବୃତ୍ତିଟିରେ ପ୍ରତିନିଧିତ କରିଥିବା ପରି ମନେ ହୁଅନ୍ତି । ପରବର୍ତ୍ତୀ ସବୁଜ ଯୁଗରେ ମଧ୍ୟ ଏହି ପଳାୟନରୁ ଅନେକ କବି ଅନେକ ଉଲ୍ଲାସ ପାଇଛନ୍ତି । ଆଧୁନିକ ଯୁଗରେ ନିଃସଙ୍ଗତା ଓ ଏକାକିତ୍ଵବୋଧ ପ୍ରଭୃତି ନାମରେ ଯାହାସବୁ ଉଲୁଗୁଣା କରାଯାଉଛି, ସେଥିରେ ମଧ୍ୟ ପଳାଇଯିବାର ଗନ୍ଧଟା ସାଧାରଣତଃ ସର୍ବପ୍ରଧାନ ହୋଇରହିଛି । ଆପଣାର ଯୁଗଭିତରେ ଥାଇ ମଧ୍ୟ ଶ୍ରୀଯୁକ୍ତ ଫକୀରମୋହନ ତଥାପି ଏକ ବ୍ୟତିକ୍ରମ ପରି ମନେ ହୁଅନ୍ତି । ନ୍ୟାୟତଃ ଗ୍ରହଣକାତର ମନୁଷ୍ୟମାନେ ଆପଣାର ମେଦିନୀକୁ କ୍ରମ ସଙ୍କୁଚିତ କରି ଅଶାନ୍ତି ଓ ଆପଣାର ନାନା ଉଦାସୀନତା ଦ୍ଵାରା ନିର୍ମିତ ବିମ୍ବରଟି ଭିତରକୁ ପଳାୟନ କରି ଆପଣାକୁ ସୁରକ୍ଷିତ ମଣନ୍ତି ଓ ସେହି ମଣିବାରୁ କେତେ ବା କେତେ ଆନନ୍ଦ ପାଇଥାନ୍ତି । ଫକୀରମୋହନଙ୍କର ମେଦିନୀଟି ଏକ ଭିନ୍ନ ଧାତୁରେ ଗଢ଼ା ହୋଇଥିଲା । ସେ ଆପଣାକୁ କୌଣସି ପ୍ରକାରେ ସ୍ପର୍ଶକାତରତା ମଧ୍ୟରେ ବଧିର କରି ରଖିଦେବାକୁ କୌଣସି ପ୍ରୟାସ କରୁନଥିଲେ ।

 

ତେଣୁ ସେ ବାରବାର ଏହି ପୃଥିବୀଭିତରକୁ ଫେରି ଆସୁଥିଲେ । ପୃଥିବୀ ମଧ୍ୟରେ ଆଉ ଏକ ସମ୍ଭାବ୍ୟ ଅନ୍ୟ ପୃଥିବୀର ଦର୍ଶନ କରୁଥିଲେ ଓ ସେଇଥିରୁ ଆନନ୍ଦ ଲାଭ କରୁଥିଲେ । ବାହ୍ୟିକିତା ତଥା ଯାବତୀୟ ଭାବ ପ୍ରବଣତା ଓ କୃତ୍ରିମତାକୁ ସର୍ବଦା ଟାପରା କରୁଥିଲେ । ଯେଉଁମାନେ ଦେହକୁ ଚିତ୍ର କରନ୍ତି, ମୃଗଚର୍ମ, କମଣ୍ଡଳୁ, ଦଣ୍ଡ ବା ବିଭୂତିର ଆଭରଣକୁ ନିଜ ଉପରେ ବୋହିକରି ବୁଲୁଥାନ୍ତି, ଏବଂ ସର୍ବୋପରି, 'ଧନୀଦତ୍ତ ବିତ୍ତଅର୍ଥେ ' ଜୀବିକା ପୋଷଣ କରୁଥାନ୍ତି, ଫକୀରମୋହନ ସେମାନଙ୍କୁ ଆଦୌ ପ୍ରକୃତ ଯୋଗୀ ବୋଲି ସ୍ଵୀକାର କରି ନାହାନ୍ତି ।ଏହିଭଳି ଯୋଗୀମାନେ ଭାରତବର୍ଷରେ କାଳେ କାଳେ ଅସୁମାରୀ ସଂଖ୍ୟାରେ ରହି ଆସିଛନ୍ତି । ଭାରତବର୍ଷରେ ସନ୍ଥମାନେ କାଳେ କାଳେ ସେମାନଙ୍କର ନିନ୍ଦା କରି ଆସିଛନ୍ତି । ସେମାନଙ୍କୁ ଏକ ଗୁରୁ ବୋଲି କହିଛନ୍ତି ଓ ସେମାନେ ମନୁଷ୍ୟ ମାନଙ୍କର ଉଦୟପଥକୁ ବଣା କରି ଦେବାରେ ସର୍ବଦା ଚକ୍ରାନ୍ତ କରନ୍ତି ବୋଲି ସମ୍ପୃକ୍ତ ସମସ୍ତଙ୍କୁ ସତର୍କ କରି ଦେଇଛନ୍ତି । ଭାରତର ଅଧ୍ୟାତ୍ମଶାସ୍ତ୍ର ମଣିଷଭିତର ହୃଦୟରୁ ହିଁ ମଣିଷ ବିଚାର କରିବାଲାଗି ସବୁକାଳେ ଉଦବୋଧନ ଦେଇ ଆସୁଥିଲେ-। ମଧ୍ୟ ଭାରତୀୟ ଆଚରଣକ୍ଷେତ୍ରରେ ବହୁ ବ୍ୟହିକତା ଆମର ମନକୁ କାମୁଡ଼ି ରହିଛି ଓ ଆମକୁ ବଣା କରିଛି । ଏବେ ମଧ୍ୟ ଆମ ସଂସାରତ୍ୟାଗୀ ଯୋଗୀମାନେ ଧନୀଦତ୍ତ ବିତ୍ତଅର୍ଥ ଦ୍ଵାରା ଜୀବିକାପୋଷଣ କରୁଛନ୍ତି ଏବଂ ମୂଳତଃ ଏକ ଅଧର୍ମାଶ୍ରିତ ସମାଜ ବ୍ୟବସ୍ଥା ହିଁ ଆମ ପୃଥିବୀର କେତେ ମଣିଷର ଧନୀ ହୋଇ ରହିବାର ସବୁଠାରୁ ଅଧିକ ସାହାର୍ଯ୍ୟ କରିଆସିଛି-। ଆଗେ ରାଜାମାନେ ସାଧୁମାନଙ୍କୁ ପାଳୁଥିଲେ, ଏବେ ଧନୀମାନେ ସେହି କାର୍ଯ୍ୟଟିକୁ ସମ୍ପାଦିତ କରୁଛନ୍ତି-। ଫକୀରମୋହନ ଏହି କ୍ଷେତ୍ରରେ ରହିଥିବା ବିରୋଧଟିକୁ ଘୃଣା କରି ପାରୁଥିଲେ ଏବଂ ସେହି କାରଣରୁ ଧନୀର ଚିତ୍ତାଶ୍ରୟରେ ପ୍ରତିପାଳିତ ହେଉଥିବା ଯୋଗୀକୁ ଯୋଗୀ ବୋଲି ସ୍ଵୀକାର କରିବାକୁ ସେ ସମ୍ମତ ହୋଇ ପାରିଲେନାହିଁ ।

 

ଧର୍ମଶାସ୍ତ୍ରଗତ ବିଶ୍ଵାସ ଅନୁସାରେ ମୃତ୍ୟୁପରେ ପ୍ରତ୍ୟେକ ମନୁଷ୍ୟର ଆଉଏକ ଦରବାରରେ ଅନ୍ତିମ ବିଚାର ହୋଇଥାଏ । ସେହି ବିଚାର ଅନୁସାରେ ପୁଣ୍ୟବାନ୍‍ମାନେ ସ୍ଵର୍ଗକୁ ଯାଆନ୍ତି ଓ ପାପୀମାନଙ୍କ ଲାଗି ନରକର ବ୍ୟବସ୍ଥା ହୁଏ । ସ୍ଵୀକୃତ ଧର୍ମ ବିଧାନକୁ ମାନୁଥିବା ମଣିଷମାନଙ୍କୁ ସାଧାରଣତଃ ପୁଣ୍ୟବାନ୍ ବୋଲି କୁହାଯାଏ । ନ ମାନୁଥିବା ଅନ୍ୟମାନେ ଦୁରାଚାରୀ ବୋଲି ଘୋଷିତ ହୁଅନ୍ତି ଏବଂ ନରକକୁ ଯାଆନ୍ତି । ପାପପୂଣ୍ୟ ମୂଲ୍ୟାୟନରେ ସେହି ଚତୁର ପରମ୍ପରାଟି ପ୍ରାୟ ଅସ୍ଵୀକାର କରି ଆପଣାର ଗୋଟିଏ କବିତାରେ ଫକୀରମୋହନ ନିଜର ଏକ ସ୍ଵତନ୍ତ୍ର ମାନଦଣ୍ଡରେ ସମଗ୍ର ପ୍ରସଙ୍ଗଟିର ବିଚାର କରିଛନ୍ତି । ତାଙ୍କର ଗଭୀର ଅନ୍ତର୍ବିବେକରେ ମେଦିନିଟି ତାଙ୍କୁ ଯେପରି ବତାଉ ଥିଲା, ସେ ସେହି ଅନୁସାରେ ହିଁ ସ୍ଵର୍ଗ ଓ ନର୍କର ସମାଧାନ କରିଛନ୍ତି । ଜଣେ ମନୁଷ୍ୟ ଯେଉଁ ଧର୍ମରେ ଥାଉ ବା ବାହ୍ୟତଃ ଯେଉଁ ଭେକର ବିଧାନ ମାନୁଥାଉ ପଛକେ, ଅପରକୁ ଘୃଣା କରୁଥିବା, ଭିତରେ ଆପଣାକୁ ଅନ୍ତରାଳ କରି ରଖି ଉପରେ ଧର୍ମାନୁଗତ ବୋଲି ଦେଖାଇ ହେଉଥିବା ଓ କୌଣସି ଗୋଟିଏ ଗୁଳାରେ ନିଜକୁ କିଳି ରଖିଥିବା କୌଣସି ମନୁଷ୍ୟ କଦାପି ଅସଲ ଅର୍ଥରେ ମୁକ୍ତିର ଭାଜନ ହୋଇ ପାରିବନାହିଁ ବୋଲି ସେ କେତେ ସିଧା ହୋଇ କହି ଦେଇଛନ୍ତି । ଅନ୍ୟମାନଙ୍କୁ କାଫେର୍ ବୋଲି କହୁଥିବା ଜଣେ ମୁସଲମାନ୍ ପ୍ରକୃତରେ ମୁସଲମାନ ନୁହେଁ, ବେକରେ ଭେକ ଗଳାଇ ବୈଷ୍ଣବ ସାଜିଥିବା ବୈଷ୍ଣବ ପ୍ରକୃତରେ ବୈଷ୍ଣବ ନୁହେଁ ଏବଂ ଖାଲି ଯୀଶୁଙ୍କର ଉପାସନା କରୁଥିବା ଖ୍ରୀଷ୍ଟିୟାନ୍ ମଧ୍ୟ ପ୍ରକୃତ ଖ୍ରୀଷ୍ଟିୟାନ୍ ନୁହେଁ, ଏହା ହେଉଛି ଫକୀରମୋହନଙ୍କ ଘୋଷଣା । ସେତେବେଳେ ଓଡ଼ିଶାରେ ଆଉ କିଏ ଏକଥା ଘୋଷଣା କରିବାକୁ ହୁଏ ତ ସାହସ ହିଁ କରିନଥିବେ । ସେହି ନ୍ୟାୟରେ ଅନ୍ୟମାନକୁ ମ୍ଳେଛ ବା ଯବାନ କହୁଥିବା ହିନ୍ଦୁ ମଧ୍ୟ ଫକୀରମୋହନଙ୍କର ସଂଜ୍ଞାଭିଧାନ ଅନୁସାରେ ପ୍ରକୃତ ହିନ୍ଦୁ ହୋଇପାରିବ ନାହିଁ, କେବଳ ଆପଣାର ବାଟକୁ ଏକମାତ୍ର ଠିକ୍ ବାଟ ବୋଲି ମାନୁଥିବା ସ୍ପର୍ଶକାତର କୌଣସି ବ୍ୟକ୍ତି ପ୍ରକୃତ ଧର୍ମ ବିବେକ ଭିତରେ ରହିଛି ଏବଂ ଜୀବନ ବଞ୍ଚୁଛି ବୋଲି କଦାପି କୁହା ହେବନାହିଁ ।

 

ପଡ଼ୋଶୀ ବଙ୍ଗପ୍ରଦେଶରେ ସେତେବେଳେ ଶ୍ରୀ କୃଷ୍ଣ ପରମହଂସଙ୍କର ଯୁଗ । ଫକୀରମୋହନଙ୍କର ଉକ୍ତି ଗୁଡ଼ିକରେ ସତେ ଅବା ରାମକୃଷ୍ଣଙ୍କ ବହୁଉକ୍ତି ପ୍ରତିଧ୍ଵନୀ ଶୁଣିବାକୁ ମିଳିଥାଏ । ରାମକୃଷ୍ଣ ପରମହଂସଙ୍କର ସ୍ଥାନ ତତ୍କାଳୀନ ବଙ୍ଗ ଦେଶରେ ମଧ୍ୟ ଅନନ୍ୟ ଥିଲା । ସଂସ୍କାରବାଦୀ ବ୍ରାହ୍ମଧର୍ମ ମଧ୍ୟ ତାଙ୍କୁ ସହାନୁଭୂତି ସହିତ ବୁଝିବାକୁ ଚେଷ୍ଟା କରିନଥିଲା । ଓଡ଼ିଶାରେ ଫକୀରମୋହନଙ୍କର ଏହି କବିତାଗୁଡ଼ିକୁ ସେତେବେଳେ କିଏ କିପରି ଗ୍ରହଣ କରିଥିବ କେଜାଣି ? ଫକୀରମୋହନଙ୍କର ଗଦ୍ୟଭିତରେ ଫକୀରମୋହନଙ୍କର ସବୁକିଛି ରହିଛି ବୋଲି ଓଡ଼ିଆ ସାହିତ୍ୟାଲୋଚନା ମଧ୍ୟରେ ରହିଥିବା ଆସିଥିବା ଭ୍ରମହେତୁ ତାଙ୍କ କବିତା ଭିତରେ ରହିଥିବା ଏହିସବୁ ଘୋଷଣା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଲୋକଗୋଚରକୁ ଆସି ପାରିନାହିଁ । ଧର୍ମ ଧର୍ମ ମଧ୍ୟରେ ଦୂରତା, ମାର୍ଗ ମାର୍ଗ ମଧ୍ୟରେ ଅସୂୟା, ଭାରତରେ ଏବେ ମଧ୍ୟ ସାମୂହିକ ଜୀବନର ଏକ ବୃହତ୍ ସମସ୍ୟା ହୋଇରହିଛି । ପ୍ରଧାନତଃ କ୍ଷମତା ଆତ୍ମସାତ୍ କରିବା ଲାଗି ଉଦ୍ଦିଷ୍ଟ ରାଜନୀତି ଏହି ସମସ୍ୟାକୁ ଅଧିକରୁ ଅଧିକ ଜଟିଳ କରିଦେବାରେ ଲାଗିଛି ଏହିଭଳି ଗୋଟିଏ ପୃଷ୍ଠ ଭୂମିଉପରେ ଫକୀରମୋହନଙ୍କର ଧର୍ମ ଧାରଣାଗୁଡ଼ିକୁ ଅଧିକ ସହାନୁଭୂତି ସହିତ ଅନୁଶୀଳନ କରିବା ଲାଗି ହୁଏତ ଅନେକ ଅବକାଶ ରହିଛି ।

 

'ଯମଦରବାର’ କବିତାରେ ସ୍ଵର୍ଗରେ ମନୁଷ୍ୟମାନେ ପୃଥିବୀରେ କରିଥିବା ଅପରାଧଗୁଡ଼ିକର ବିଚାର ହେଉଛି । ସମସ୍ତଙ୍କୁ ଗାଳି ଦେଉଥିବା ବଦ୍‍ରାଗୀ ମଣିଷ, ପିଲାଙ୍କୁ ମାଡ଼ ମାରୁଥିବା ଇସ୍କୁଲମାଷ୍ଟର, ଖବରକାଗଜ ପଢ଼ି ପଇସା ନ ଦେଉଥିବା ଜମିଦାର, ନିଜ ମାଆର ଅବହେଳା କରି ଶ୍ଵଶୁରାଳୟରେ ରହୁଥିବା ଇଂରେଜୀ ପଢ଼ୁଆ ଯୁବକ ଏବଂ ଅଶ୍ଳୀଳ କବିତା ଲେଖୁଥିବା କବି ସେହି ଦରବାରର ସମସ୍ତେ ଦଣ୍ଡ ପାଇଛନ୍ତି । କେବଳ ପେଟ ବିକଳରେ ଚୋରି କରୁଥିବା ଚୋର 'ନଟ୍ ଗିଲ୍‍ଟି ' ବା ନିରପରାଧ ବୋଲି ଘୋଷଣା ହେଉଛି । ସାଧାରଣ ଭାଷାରେ 'ଯମ ଦରବାର' ବୋଲି ଯାହାକୁ କୁହାଯାଏ, ଫକୀରମୋହନଙ୍କ ଲାଗି ତାହାହିଁ ଅସଲ ବିବେକର ଦରବାର । ଆମ ପୃଥିବୀରେ ଏଠି ଅନେକ ଅନ୍ୟାୟ ଓ ଅବିବେକକୁ ଯେପରି ନ୍ୟାୟ ଓ ବିବେକରେ ମୋହର ଦେଇ ଛାଡ଼ି ଦିଆଯାଏ, ଫକୀରମୋହନ ଶ୍ଳେଷର ଏକ ପରିହାସମୟ ପରିବେଶ ସୃଷ୍ଟି କରି ତାହାରି ଟୀକା କରିଛନ୍ତି ।

 

‘ଅବସର ବାସରେ’ କବିତା-ସଙ୍କଳନରେ ଫକୀରମୋହନଙ୍କର 'ଉତ୍କଳ କୃଷକ' କବିତାଟି ଆମର ଆଖିରେ ଏକ ଅନନ୍ୟ କବିତାରୂପେ ଅବଶ୍ୟ ପଡ଼ିବ । ସେହି ସମୟରେ କୃଷକର ଜୀବନକୁ ନେଇ ଦୂରରୁ ଥାଇ ଅନେକ ଭାବପ୍ରବଣ କବିତା ଅବଶ୍ୟ ଲେଖା ହୋଇଥିବ । ସେତେବେଳେ ଓଡ଼ିଶାରେ ଶିଳ୍ପର ଉନ୍ନୟନ କଥା କୁହାଯାଉଥିଲା, ସ୍ଵଦେଶୀ କଥା ବି କୁହାଯାଉଥିଲା । ମାତୃଭାଷାର ଉନ୍ନତି ବିଷୟରେ ମଧ୍ୟ ସହରରେ କେତେ ନାଗରା ପିଟା ହେଉଥିଲା ମାତ୍ର, ଓଡ଼ିଶା ନାମକ ଏକ ସମୂହର ଅସଲ ମେରୁଦଣ୍ଡ ଅବହେଳିତ ହୋଇ ରହିଥିଲା । ଫକୀରମୋହନ ମଧ୍ୟ ସେହିସବୁ ଆୟୋଜନରେ କମ୍ ରହିନଥିଲେ । ତଥାପି ନିଜକୁ ଧିକ୍କାରିବା ପରି ସିଏ ଆମକୁ ସେହି ଅବହେଳାଟି ବିଷୟରେ ସଚେତନା ମଧ୍ୟ କରି ଦେଉଥିଲେ । କୃଷକକୁ ଦର୍ପଣ କରି ସେ ଲେଖିଥିବା କବିତା’ର କେତୋଟି ଧାଡ଼ି ଆମକୁ ତାହାର ଏକ ଦୃଷ୍ଟାନ୍ତ ଆଣି ଦେଇପାରିବ ।’’ ସମସ୍ତଙ୍କୁ ବାଣ୍ଟେ ଅନ୍ନ ସମସ୍ତଙ୍କୁ ଭୟ, ଆହାରେ ସମାଜ କେଡ଼େ କଠିନ ନିର୍ଦ୍ଦୟ । କେହି ଭାବେ ଶିଳ୍ପ କଥା- କେହି ବା ସ୍ଵଦେଶୀ, ମାତୃଭାଷା ଉନ୍ନତିଟି କେହି ଭାବେ ବେଶୀ । କୃଷକ ଆଡ଼କୁ କେହି ନ ଅନାଏ ବାରେ, ଭାତ କ’ଣ ମିଳୁ ନାହିଁ, ଚିନ୍ତା ସେ କଥାରେ ? କୃଷକ ତ କରେ ନାହିଁ ବକ୍ତୃତା ରଚନା, କେ କହିବ ତା କଥା କି ପାଇଁ ଭାବନା ?’’

 

ପାରମ୍ପରିକ ସମାଜରେ ଗାଁ ହିଁ ସାମୂହିକ ଜୀବନର ଏକକ ଥିଲା ଓ ଗ୍ରାମର କୃଷକ ସେହି ଏକକ ଭିତରେ ପ୍ରେରକ କେନ୍ଦ୍ରପ୍ରାୟ ହୋଇ ରହିଥିଲା । ନୂତନ ଶାସନ ଓ ନୂତନ ସଭ୍ୟତା’ର ସଂସ୍ରବରେ ଆସି ଥୋକେ ଶିକ୍ଷିତ ହେଲେ । ସେମାନେ ହିଁ ସାମୂହିକ ଜୀବନରେ ସବୁକିଛି ପ୍ରତିଭୂ ହୋଇ ରହିଗଲେ । ତେଣୁ ପୁରାତନ ଭାରସାମ୍ୟଟି ଭାଙ୍ଗିଗଲା, ନୂତନ ତଥାକଥିତ ସଭ୍ୟତା ସହରରେ ଥାଇ ସତେଅବା ଭାଙ୍ଗିଯିବାର ହିଁ ଅଧିକ ସହାୟତା କରୁଥିଲା । ଫକୀରମୋହନ ସେହି ପ୍ରବୃତ୍ତିର ପ୍ରତିବାଦ କରିଥିଲେ । ସେହି ସଭ୍ୟତାକୁ ସେ ସଭ୍ୟତା ବୋଲି କହିବାକୁ ମଧ୍ୟ ଅସମ୍ମତି ପ୍ରକାଶ କରିଥିଲେ । ‘‘ବିଳାସ ବାସନା, ଅନ୍ନ ପାଇଁ ହାହାକାର, ପ୍ରବଞ୍ଚନା ପ୍ରତା’ରଣା ଅଳୀକ ବେଭାର ସ୍ଵାର୍ଥ ପାଶେ ପରାର୍ଥକୁ ଦେବା ବଳିଦାନ, ନିତ୍ୟ ବ୍ୟସ୍ତ ଲଭିବାକୁ ଗୌରବ ସମ୍ମାନ ଲୋଡ଼ା ନାହିଁ ସେ ସଭ୍ୟତା, କି ହେବ ସେ ଜ୍ଞାନେ, ଦେବାକୁ ଯଦ୍ୟପି ହେବ କଷ୍ଟ ପରପ୍ରାଣେ । ଯେ ବିଦ୍ୟା ସଭ୍ୟତା କ୍ଷଣଭଙ୍ଗୁର ଜୀବନ, କଳୁଷିତ କରେ, ତହିଁ କିବା ପ୍ରୟୋଜନ ?" ଏହି ପଂକ୍ତିଗୁଡ଼ିକର ଆଧୁନିକର ବିରୋଧରେ ପ୍ରାଚୀନର ଅଭିଯୋଗ ନୁହେଁ, ଏହା ହେଉଛି ଅର୍ବାଚୀନ ଅତିକରଣ ପଥରୋଧ କରିବା ଲାଗି ସନାତନ ମୂଲ୍ୟସଚେତନର ପ୍ରତିବାଦ, ଏକ ଯୁକ୍ତିଯୁକ୍ତ ବାଦ । କବି ରାଧାନାଥଙ୍କର ‘ଦରବାର’ ବ୍ୟତୀତ ଏହି ପ୍ରତିବାଦ ତତ୍କାଳୀନ କୌଣସି କବିତାରେ ସମ୍ଭବତଃ ଦେଖିବାକୁ ହିଁ ମିଳିବନାହିଁ ।

 

ଏତେ ଏତେ ଦୂରକୁ ଏବଂ ଉଚ୍ଚକୁ ସ୍ଵପ୍ନ ଦେଖିଥିବା ଅର୍ଥାତ୍ ସାହସ ଓ ଶ୍ରଦ୍ଧା କରିଥିବା ମେଦିନୀଟି ତଥାପି ଗୋଟିଏ ଗାରକୁ ଆସି ଅଟକି ଯାଉଥିଲା ଏବଂ ଏକ କର୍ମବାଦୀ ନିରୁତ୍ତରତା ପାଖରେ ମୁହଁ ମାଡ଼ି ପଡ଼ୁଥିଲା । ଏକ ପ୍ରତିକାରର ସନ୍ଧାନ କରିବାକୁ ଯାଇ ଫକୀରମୋହନ ସେହି ଦୈବ ପାଖରେ ଆସି ଅଟକି ଯାଉଥିଲେ । ମନେ ହେଉଥିଲା, ସେ ତଥାପି ପୁରୁଣାଟା ସହିତ ବାନ୍ଧି ହୋଇ ରହୁଥିଲେ । ମନୁଷ୍ୟର ଉଦ୍ୟମ ଅପେକ୍ଷା ଦୈବୀ ଦଣ୍ଡ ଉପରେ ଅଧିକ ବିଶ୍ଵାସ ରଖୁଥିଲେ । ବେଳେବେଳେ ସଂସାରରେ ହେଉଥିବା ଅନ୍ୟାୟଗୁଡ଼ିକର ବିଚାର ‘ପରଲୋକରେ’ ହେବ । ବୋଲି ନିଜକୁ ଓ ଆମ ସମସ୍ତଙ୍କୁ ବୁଝାଇ ଆଶ୍ଵାସନା ଦେବାକୁ ଚେଷ୍ଟା କରୁଥିଲେ । ଫକୀରମୋହନଙ୍କର ଉପନ୍ୟାସଗୁଡ଼ିକରେ ମଧ୍ୟ ତାଙ୍କ ବର୍ଣ୍ଣନାରେ ପ୍ରତିଭାତ ହୋଇ ଉଠିଥିବା ସକଳ ସାହସିକତା ସତ୍ତ୍ୱେ ଶେଷକୁ ଏକ ଅଦୃଷ୍ଟବାଦୀ ଦୃଷ୍ଟି ସତେଅବା ସର୍ବପରାକ୍ରମୀ ହୋଇ ବସିଛି । ରାମଚନ୍ଦ୍ର ମଙ୍ଗରାଜେ ଓ ଚମ୍ପା ଚତୁରୀ ସେମାନଙ୍କର କର୍ମ ଫଳ ଭୋଗ କରିଛନ୍ତି । 'ମାମୁଁ ' ଉପନ୍ୟାସରେ ମଧ୍ୟ ଭାଗ୍ୟବାଦର ଜିତାପଟ ହୋଇଛି । ଏବଂ ‘ଲଛମା’ରେ ଶ୍ଵେତାଙ୍ଗ ଇଂରେଜମାନଙ୍କର ଶାସନ ପ୍ରତିଷ୍ଠିତ ହୋଇ ସମାଜର ଉଦ୍ଧାର ସମ୍ଭବ ହେବ ବୋଲି ଭରସା ଦିଆଯାଇଛି ।

 

ଆସ୍ପୃହା ଏବଂ ଉଦ୍ୟମର ଏହିପରି ଏକ ମେଦିନୀର ସମାନ୍ତରେ ଦୃଷ୍ଟାନ୍ତଟିଏ ଆମେ ଫକୀରମୋହନଙ୍କ ପରେ ଶ୍ରୀ ଗୋପବନ୍ଧୁ ଦାସଙ୍କର ଜୀବନରେ ଦେଖିବାକୁ ପାଇବା । ଫକୀରମୋହନଙ୍କ ସମୟରେ ସମ୍ଭବତଃ କବି ଭୀମଭୋଇ, ପ୍ୟାରିମୋହନ ଆଚାର୍ଯ୍ୟ ଏବଂ ଗଙ୍ଗାଧର ମେହେରେଙ୍କ କ୍ଷେତ୍ରରେ ସେହି ଉଦ୍‍ଭାସିତର ପରିଚୟ ମଧ୍ୟ ମିଳିପାରିବ । ଶତାବ୍ଦୀର ଶେଷଆଡ଼କୁ ସେହି ମେଦିନୀ କ୍ରମଶଃ କ୍ଷୁଦ୍ର ହୋଇ ଆସିଲା । କେତେକ ସ୍ଥାନୀୟ କ୍ଷୋଭ ଓ ତଦ୍ଜନିତ ତତ୍କାଳିକ ସମସ୍ୟା ଦିଗ୍‍ବଳୟଗୁଡ଼ିକୁ ସତେ ଅବା ଛୋଟ କରି ଆଣୁଥିଲା । ଜଗନ୍ନାଥ ମଧ୍ୟ କ୍ରମେ ଜାତୀୟ ହୋଇଗଲେ, ଓଡ଼ିଶାର ଏକ ସମ୍ପତ୍ତିରେ ପରିଣତ ହୋଇଗଲେ । ହୁଏ ତ ସେହି ରୋଗ ଏବେ ମଧ୍ୟ ଓଡ଼ିଶାର ନେତୃତ୍ଵକୁ ଅନେକକ୍ଷେତ୍ରରେ କାମୁଡ଼ି ଧରିଛି । ଆଧୁନିକ ପୃଥିବୀ ଓ ଏପରିକି ଆଧୁନିକ ଭାରତବର୍ଷରେ ଥାଇ ମଧ୍ୟ ଓଡ଼ିଶାର ସବୁକିଛି ସତେ ଅବା ଭାରି ସ୍ଥାନୀୟ ଏବଂ ଅଳପ ହୋଇରହିଛି ।

 

[ଭଞ୍ଜବିହାରଠାରେ ଅନୁଷ୍ଠିତ ଏକ ସେମିନାରରେ ପଠିତ ଓ ଆଲୋଚିତ ] ୩୦/୧/୯୩

☆☆☆

 

Unknown

ଓଡ଼ିଆ ସାହିତ୍ୟ, ସର୍ବଭାରତୀୟ ପରିପ୍ରେକ୍ଷୀରେ

 

ମାନନୀୟ ସଭାପତି ମହୋଦୟ, ବନ୍ଧୁଗଣ,

 

ଉତ୍କଳ ସାହିତ୍ୟ ସମାଜର ଏହି ବାର୍ଷିକ ସମାରୋହରେ କିଛି କହିବା ଲାଗି ଆପଣମାନେ ମୋତେ ନିର୍ଦ୍ଦେଶ ଦେଇଛନ୍ତି, ସେଥିଲାଗି ଆପଣମାନଙ୍କୁ ଅନ୍ତରର କୃତଜ୍ଞା ଜଣାଉଛି-। ମାତ୍ର ମୋ ପରି ଜଣେ ଅପାଂକ୍ତେୟକୁ ଆପଣମାନେ ଏଭଳି ଏକ ଅବସରରେ କାହିଁକି ଯେ ଡାକିଲେ, ମତେ ବାରମ୍ବାର ଆପଣାକୁ ସେହି ପ୍ରଶ୍ନଟି ପଚାରିବାକୁ ହେଉଛି । ଏଠାରେ ଉପସ୍ଥିତ ଆପଣମାନଙ୍କୁ ମଧ୍ୟ ମୁଁ ସେହି ପ୍ରଶ୍ନ ପଚାରୁଛି । ପ୍ରଧାନତଃ ଦୁଇଟି ଦୃଷ୍ଟିରୁ ବିଚାର କରି ଦେଖିଲେ ଯେ ଏପରି ଗୋଟିଏ ଅବସର ଲାଗି ମୁଁ ନିଶ୍ଚୟ ଜଣେ ଅପାଂକ୍ତେୟ ବୋଲି ହିଁ ପରିଗଣିତ ହେବି ଏବଂ ଅପାଂକ୍ତେୟ ହୋଇଥିବାରୁ ଅଯୋଗ୍ୟ ବୋଲି ପରିଗଣିତ ହେବି ।

 

ପ୍ରଥମ କଥା ହେଉଛି ଯେ ସାହିତ୍ୟର କୌଣସି ଜାତି ଅଛି ବୋଲି ମୁଁ ବିଶ୍ଵାସ କରି ପାରେନାହିଁ । ଯେମିତି ପ୍ରେମର ଜାତି ନାହିଁ, ଭଗବତ୍–ସାଧନାର ଜାତି ନାହିଁ ବା ଅନ୍ତଃପ୍ରେରିତ କୌଣସି ଯଥାର୍ଥ ସମର୍ପଣରେ ମଧ୍ୟ କୌଣସି ଜାତି ନାହିଁ ସେହିପରି ସାହିତ୍ୟର ବି କୌଣସି ଜାତି ନାହିଁ । ତେଣୁ ଯେତେବେଳେ ପରମ ଔପଚାରିକତା ବହୁଳ ଆନୁଷ୍ଠାନିକତା ଏବଂ ଉତ୍ସାହ ସହିତ ସାହିତ୍ୟରେ ଗୋଟାଏ ନିର୍ଦ୍ଦିଷ୍ଟ ମାର୍କକୁ ଲଗାଇ ଦିଆହୋଇ ତାହାର ଆଲୋଚନା, ଅବଲୋକନ, ଅଥବା ଅତି-ପ୍ରଦର୍ଶନମାନ କରାଯାଏ, ମୁଁ ସେଗୁଡ଼ାକରୁ କାହିଁକି ଖୁବ୍ ବେଶୀ ଉତ୍ସାହ ପାଇପାରେ ନାହିଁ । ସାହିତ୍ୟର ଘରେ ସାହିତ୍ୟର ଦାଣ୍ଡରେ ମୁଁ ଯେତେବେଳେ ଆପଣାକୁ ସତେଅବା ଭାରି ଶଙ୍କିତ ପରି ଅନୁଭବ କରେ । ଓଡ଼ିଶାର ଯେଉଁ ସାହିତ୍ୟର କର୍ଷଣ ହୁଏ ବା ସର୍ଜନା ହୁଏ, ତାହାକୁ ଆମେ ଓଡ଼ିଶାର ସାହିତ୍ୟ ବୋଲି ନିଶ୍ଚୟ କହିବା; ଓଡ଼ିଆ ଭାଷାକୁ ମାଧ୍ୟମ କରି ଯେଉଁ ସାହିତ୍ୟର ସୃଷ୍ଟି ଓ ପରିବେଷଣ ହୁଏ, ଆମେ ତାହାକୁ ଅବଶ୍ୟ ଓଡ଼ିଆ ସାହିତ୍ୟ ବୋଲି ଚିହ୍ନିବା ଏବଂ ତାହା ଆମର ବା ଆମ ଜାତିର ସାହିତ୍ୟ ବୋଲି ଆମେ କୌଣସି ପ୍ରକାରେ ଭାବପ୍ରବଣତା ରେ କଦାପି ଭାସିଯିବା ନାହିଁ । ତାହା ମଧ୍ୟରେ ବିଚ୍ଛିନ୍ନତାଧର୍ମୀ କୌଣସି ଜାତିବାଦର ଆରୋପ କରି କୌଣସି ପ୍ରକାରେ ତାତିବାକୁ ମନ କରିବା ନାହିଁ ।

 

ଦ୍ଵିତୀୟତଃ, ସାହିତ୍ୟର କ୍ଷେତ୍ରରେ ମୁଁ ସଙ୍ଗଠନକୁ ଖୁବ୍ ବେଶି ମହତ୍ଵ ଦେଇପାରେ ନାହିଁ-। ସାହିତ୍ୟ ଭିତରେ ସହଭୋଜନ ପୂରାମାତ୍ରାରେ ରହୁ ଏବଂ ସଂଗଠନ ତଥା ସାଙ୍ଗଠନିକ ଅନୁରାଗଟା ଯଥା ସମ୍ଭବ କମ୍ ରହୁ । ମୁଁ ସବୁବେଳେ ଏହିପରି ଇଚ୍ଛା କରେ । ପ୍ରାୟ ଯାବତୀୟ ପ୍ରକାରର ସାଧନା, କୃଷ୍ଟି ଓ ସଂସ୍କୃତିରେ ପ୍ରଥମତଃ ଓ ସର୍ବପ୍ରଧାନତଃ ସହଭୋଜନ ହିଁ ରହିବା ଦରକାର । ସଂଗଠନ ଯଥାସମ୍ଭବ କମ୍ ରହିବା ଦରକାର । ଇଂରାଜୀ ଭାଷାରେ ଯାହାକୁ sharing ବୋଲି କୁହାଯାଇଥାଏ । ଏଠାରେ ସହଭୋଜନ କହିଲେ ମୁଁ ତାହାକୁ ହିଁ ବୁଝୁଛି-। ସଂଗଠନର ଉତ୍ସାହଗୁଡ଼ିକ କ୍ରମେ ଅତିପ୍ରବଳ ହେବାକୁ ବସିଲେ ସାଧାନା, କୃଷ୍ଟି ଏବଂ ସଂସ୍କୃତିରେ ଯେ ନାନା ବିପଦଜନକ ହାନି ଆସି ପହଞ୍ଚେ ,ସଂଗଠନର ପଘା ଓ ଫାଶିଗୁଡ଼ିକରେ ଆକାଂକ୍ଷୀ ଅସଲ ମଣିଷଟା ଯେ କ୍ରମେ ଅଧିକରୁ ଅଧିକ ବାନ୍ଧି ହୋଇଯାଏ, ଆମ ପୃଥିବୀ ଇତିହାସରେ ତାହାର କେତେ କେତେ ଦୃଷ୍ଟାନ୍ତ ମିଳିବ । ଆମ ଆଧୁନିକ ଯୁଗରେ ଆମେ ଆପଣାରେ ମାନବୀୟ ଅସଲ ଆହ୍ଵାନଗୁଡ଼ିକରୁ ହୁଡ଼ିଯାଇ କ୍ରମେ ଗୋଟିଏ ଗୋଟିଏ ସଂଗଠନ ସର୍ବସ୍ଵ ମଣିଷରେ (Organization Man) ଯେ ପରିଣତ ହେବାକୁ ବସିଲୁଣି, ସମାଜ ବିଜ୍ଞାନରେ ଏବେ ଏକଥା ମଧ୍ୟ କୁହଗଲାଣି । ଶିକ୍ଷାରେ ଆଦୌ କୌଣସି ଅଭିରୁଚି ନଥାଇ ଜଣେ ଯେପରି ଏଡ଼େବଡ଼ ଶିକ୍ଷାବତ୍‍ଟାଏ ହୋଇପାରେ ଶିକ୍ଷାବିଭାଗରେ ଓଜନଦାର ହାକିମଟାଏ ବି ହୋଇପାରେ, ଠିକ୍ ସେମିତି ସାହିତ୍ୟ ଭିତରକୁ କୌଣସି ଅଭିରୁଚି ନଥାଇ ମଧ୍ୟ ଜଣେ ବଡ଼ ଚମତ୍କାର ଗୋଟାଏ ସାହିତ୍ୟ–ସଂଗଠକ ହୋଇପାରେ, ସାହିତ୍ୟିକର ପରିଚ୍ଛେଦ ଲଗାଇ ବିଚରଣ କରିପାରେ । ଏହି ଓଡ଼ିଶାରେ ସାହିତ୍ୟକୁ ନେଇ ଆମେ ସହଭୋଜନ ଲାଗି ବେଶୀ ଆଗ୍ରହ ରଖିବା ନା ନିଜକୁ ସାଙ୍ଗଠନିକତା’ର ନାନା ଅନୁକମ୍ପା ଭିତରେ ଗୋଟାସୁଦ୍ଧା ବୁଡ଼ାଇ କରି ରଖିବା ?

 

‘‘ସର୍ବଭାରତୀୟ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ ସମସ୍ୟା’’ –ଏହି ବିଷୟରେ ମୋତେ ଏଠାରେ କିଛି କହିବା ଲାଗି ଅବକାଶ ଦିଆଯାଇଛି । 'ଉତ୍କଳ ସାହିତ୍ୟ ସମାଜ’ର କର୍ମକର୍ତ୍ତାମାନେ ମୋ’ ଲାଗି ଏହି ବିଷୟଟିକୁ ଠିକ୍ କରି ଦେଇଛନ୍ତି । ମୁଁ ଆଦେଶ ମୁତାବକ ଆପଣା ଦୃଷ୍ଟି ଓ ଭାବନାର ଖିଅଗୁଡ଼ିକୁ ସଜାଡ଼ି ଓ ଗୁନ୍ଥି ମୋ ବକ୍ତବ୍ୟଟିକୁ ପ୍ରସ୍ତୁତ କରି ଆଣିଛି । ମୋର ମନ୍ତବ୍ୟଗୁଡ଼ିକ ଆପଣମାନଙ୍କ ଲାଗି ଗ୍ରାହ୍ୟ ହୋଇପାରେ, ଗ୍ରାହ୍ୟ ନହୋଇ ବି ପାରେ, ପ୍ରୀତିକର ହୋଇପାରେ, ପ୍ରୀତିକର ନହୋଇ ବି ପାରେ – ମୁଁ ସେଥିଲାଗି ପ୍ରଥମରୁ ହିଁ ଆପଣମାନଙ୍କର ସହୃଦୟତା ପ୍ରାର୍ଥନା କରୁଛି ।

 

ଭାରତୀୟ ରାଜନୀତିରେ ନୁହେଁ, ଭାରତୀୟ ସାହିତ୍ୟରେ ହିଁ ଆମେ ଏହି ସର୍ବଭାରତୀୟ ପରିପ୍ରେକ୍ଷୀଟିକୁ ବିଚାର କରିବାଲାଗି ଚେଷ୍ଟା କରିବା ଏବଂ ଭାରତବର୍ଷ ରାଜନୈତିକ ସ୍ଵାଧୀନତା ଲାଭ କରିବାପରେ ବିଗତ ହୋଇଯାଇଥିବା ପ୍ରାୟ ପଚିଶିବର୍ଷ ଅବଧିକୁ ଆମେ ଏହି ଆଲୋଚ୍ୟ ପରିପ୍ରେକ୍ଷୀଟିର ଅବଧି ବୋଲି ଗ୍ରହଣ କରିବା । ଆମକୁ ପ୍ରଥମରୁ ହିଁ ସ୍ଵୀକାର କରିନେବାକୁ ହେବ ଯେ ଗତ ପଚିଶିବର୍ଷ ଭିତରେ ଭାରତୀୟ ରାଜନୀତିରେ ଯାହା ଘଟିଛି, ଭାରତୀୟ ସାହିତ୍ୟରେ ମଧ୍ୟ ସମଗ୍ରତଃ ପ୍ରାୟ ତାହାହିଁ ଘଟିଛି । ଅର୍ଥାତ୍ ସ୍ଵାଧୀନତା ଲାଭ କରିବାର ପରବର୍ତ୍ତୀ ଏହି ପଚିଶିବର୍ଷର ସମୟକୁ ଭାରତୀୟ ରାଜନୀତି ତଥା ଭାରତୀୟ ସାହିତ୍ୟ ଉଭୟ କ୍ଷେତ୍ରରେ ଆମେ ଏକ ଅବକ୍ଷୟର ଯୁଗ ବା ପର୍ଯ୍ୟାୟ ବୋଲି କହିବା । ଇଂରାଜୀ ପରିଭାଷାର ଏହି ଅବକ୍ଷୟକୁ Decadence ବୋଲି କୁହାଯାଇଥାଏ । ଯେତେବେଳେ ନାନାପ୍ରକାରର ମୁଗ୍ଧତା ଏବଂ ମିଛ ଅନୁରୁକ୍ତିଗୁଡ଼ାକ ଭିତରେ ପଡ଼ି ଅସଲ ଅଭ୍ୟୁଦୟଗୁଡ଼ାକୁ ଅଟକାଇ ରଖାଯାଏ, ସେତିକିବେଳେ ଯେକୌଣସି ସମୂହ ବା ଗୋଷ୍ଠୀର ଜୀବନରେ ଅବକ୍ଷୟର ଏକ ଦୁଃସମୟ ଆସି ପହଞ୍ଚେ । ମଣିଷକୁ ଦବାଇ ରଖି ସେତେବେଳେ କ୍ଷମତାକୁ ବାଟ ଛାଡ଼ି ଦିଆଯାଏ । ଯେକୌଣସି ପ୍ରକାରେ ସଫଳତା ହାସଲ କରିବାକୁ ହିଁ ସବୁଠାରୁ ବଡ଼ କରାମତି ବୋଲି ମାନି ନିଆଯାଏ । ସେତେବେଳେ ନେତୃତ୍ୱ ସ୍ଵୟଂ ପଥଛଡ଼ା ଓ ଧର୍ମଛଡ଼ା ହୋଇଯାଏ । ମଣିଷକୁ ବାଟର ପ୍ରେରଣା ଦେବା ପରିବର୍ତ୍ତେ ତାହା ମଣିଷର କାନ୍ଧ ଉପରେ ଯାଇ ସବାର ହୋଇ ବସିବାର ଆମୋଦ ପାଏ । ଆମ ଦେଶର ରାଜନୀତିକ ଆକାଶରୁ ବର୍ତ୍ତମାନ ସେହିପରି ଏକ ଅବକ୍ଷୟ ଯୁଗ ଘୋଟି କରି ରହିଛି-। ଗୋଟାଏ ବିପ୍ଳବ ଅର୍ଥାତ୍ ରାଜନୈତିକ କ୍ଷମତା ଲାଭର ବିପ୍ଳବଟି ସିଦ୍ଧ ହୋଇଯିବା ପରେ ଏଠି ଆହୁରି ଅନେକ ବିପ୍ଳବ ହେବ ବୋଲି କେତେ ମସୁଧା ରହିଥିଲା, ଏହି ସମାଜକୁ ଭାଙ୍ଗି ନୂଆକରି ଗଢ଼ିବା ଲାଗି ଏବଂ ତାହାକୁ ଏହି ଦେଶର ସମସ୍ତଙ୍କ ଲାଗି ଅଧିକ ଯୋଗ୍ୟ ତଥା ଅନୁକୂଳ କରି ତିଆରି କରିବାଲାଗି ଏଠି ଦିନେ କେତେ ସ୍ଵପ୍ନ ଦେଖା ହେଇଥିଲା । କିନ୍ତୁ ତଥାପି ସେଗୁଡ଼ିକୁ ବଡ଼ ଚତୁରତା ସହିତ ଭୁଲାଇ ଦିଆଗଲା, ସଂଗ୍ରାମୀମାନେ ଦେଖୁଁ ଦେଖୁଁ ଭୋଗୀ ପାଲଟିଗଲେ, କ୍ଷମତା ବଶ୍ୟତା ମଧ୍ୟରେ କ୍ଷମତା ଜଡ଼ ହୋଇ ରହିଗଲା । ସମ୍ପଦ ବଢ଼ିଲା, ସମ୍ପନ୍ନତା ବଢ଼ିଲା, ସୌଧ ଉପରେ ସୌଧ ଉଠିଲା, ଦେଶର ସମରଶକ୍ତି ବଢ଼ିଲା, ଦଣ୍ଡ ଶକ୍ତି ବଢ଼ିଲା, ମାତ୍ର ମଣିଷ କୁ ଗଧ କରି ରଖାଗଲା, ତାକୁ ସତେ ଅବା ଗୋଡ଼ି ପଥର ପରି ବ୍ୟବହାର କରାଗଲା । ମାତ୍ର କେତେଜଣ ହିଁ ସାମନ୍ତ ହୋଇ ବସିଲେ, ଭାଗ୍ୟବନ୍ତ ହେଲେ ଏବଂ ଶହେରେ ପଞ୍ଚାନବେଜଣ ଅରକ୍ଷିତ ଓ ଅକିଞ୍ଚନ ହୋଇରହିଲେ, ଅଥବା ଖୁବ୍ ବେଶୀ ହେଲେ କ୍ଷମତାଧୀଶମାନଙ୍କର ଗୁହାରିଆ ହୋଇ ରହିଲେ ।

 

ଅଧିକରୁ ଅଧିକ ଉଦ୍ଧତ ହୋଇ କ୍ଷମତା କ୍ରମେ ଆଖି ହରାଇ ବସିବାକୁ ଯାଉଥିବାବେଳେ କଳା ସାହିତ୍ୟ ମୋହାନ୍ଧ ଉଗ୍ର ମଣିଷକୁ ଆଖି ଦେବାଲାଗି, ଅର୍ଥାତ୍ ତା’କୁ ତା’ ସୀମାଗୁଡ଼ିକ ବିଷୟରେ ସାବଧାନ କରାଇ ଦେବା ଲାଗି, ଏକ ଆହ୍ଵାନ ଅନୁଭବ କରିଥାଏ ବୋଲି ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ କେନେଡ଼ି ଥରେ ମତ ପ୍ରକାଶ କରିଥିଲେ । ସ୍ଵାଧୀନ ଭାରତରେ ରାଜନୀତିକ କ୍ଷମତା ଏଠି ଏକମାତ୍ର ଭଗବାନ ହୋଇ ବସିବାର ଦମ୍ଭ କରିବାବେଳେ ଭାରତୀୟ ସାହିତ୍ୟ ହିଁ ସବା ଆଗ ତାହାର ପ୍ରତିବାଦ କରି ବାହାରିଥାନ୍ତା । ଯେଉଁ ସବୁ ବିପ୍ଳବ ଏବଂ ପରିବର୍ତ୍ତନକୁ ଏଠାରେ ଅବହଳିତ ଓ ବିସ୍ମୃତ କରି ରଖାଯାଇଛି, ଭାରତୀୟ ସାହିତ୍ୟ ଲୋକମାନସକୁ ତାହାରି ଲାଗି ତିଆରି କରିଥାନ୍ତା । କିନ୍ତୁ ତାହା ହୋଇ ପାରିଲା ନାହିଁ । ମୂଳରୁ ନାଡ଼ି ଦେଖି ଯେଉଁ ବୈଦ୍ୟ ଅବକ୍ଷୟକୁ ହୁଏତ ଅବକ୍ଷୟ ବୋଲି କହି ପାରିଥାନ୍ତା, ସିଏ ସ୍ଵୟଂ ଅବକ୍ଷୟ ଭିତରେ ଆସି ପଡ଼ିଗଲା । ଭାରତୀୟ ସାହିତ୍ୟ ତା’ର ଅସଲ ପ୍ରଭାଟିକୁ ହରାଇ ବସିଲା । ଅସଲ ପ୍ରାଣଖିଅଟିକୁ ହାତଛଡ଼ା କରି ପକାଇଲା । ସ୍ଵାଧୀନତା ପରେ ଦେଶରେ ମୁଖ୍ୟତଃ ଯେଉଁ ବର୍ଗ ବା ଶ୍ରେଣୀ ରାଜନୀତି ଏବଂ ରାଷ୍ଟ୍ରକରଣାରେ ସବୁ କ୍ଷମତାଗୁଡ଼ିକୁ ଯାଇ ମାଡ଼ି ବସିଲେ, ହୁଏ ତ ସେହି ବର୍ଗ ବା ଶ୍ରେଣୀର ବ୍ୟକ୍ତିମାନେ ହିଁ ଆମର ସାହିତ୍ୟ ବ୍ୟାପାରରେ ମଧ୍ୟ ସର୍ବମାନ୍ୟ କାରପଟାଦର ହୋଇ ରହିଥିବାରୁ ହିଁ ସମ୍ଭବତଃ ସେପରି ଘଟିଲା । ସାହିତ୍ୟ ଭିତରେ ଆତ୍ମନ୍ୟୁନତା ପଶିଗଲା । ସାହିତ୍ୟ କ୍ଷମତା ପାଖରେ ତିରଣ ଧରି ବସିଲା କ୍ଷମତା’ର ଅନୁଗ୍ରହକୁ ଅପେକ୍ଷା କରି କହିଲା ଏବଂ କ୍ରମେ ସେହି ଅନୁଗ୍ରହଲାଭକୁ ହିଁ ସାହିତ୍ୟରେ ମଧ୍ୟ ଆପଣାର ଶ୍ରେୟ ଲାଭ ବା ବରପୁରସ୍କାର ଲାଭ ବୋଲି ମନେ କରିବାକୁ ଲାଗିଲା । ଆପଣାକୁ ଅନ୍ୟ ଧର୍ମୀ ଅନେକ ରଜ୍ଜୁର ବଶବର୍ତ୍ତୀ କରି ରଖି ସାହିତ୍ୟ ସ୍ଵୟଂ ଆପଣାର ରଜ୍ଜୁଟିକୁ ଆପଣା ହାତରୁ ହରାଇ ବସିଲା ।

 

ସାରା ଭାରତବର୍ଷରେ ସମସ୍ୟା ଯାହା, ସାନ ଓ ସ୍ଥାନୀୟ ଓଡ଼ିଶାରେ ମଧ୍ୟ ସମସ୍ୟା ଅନେକତଃ ସେଇଆ । ଆମର ଏଠି ସାହିତ୍ୟ ପ୍ରଧାନ ପ୍ରଧାନ ସମସ୍ୟାଗୁଡ଼ିକ ପ୍ରକୃତରେ କ’ଣ ? ସାଧାରଣତଃ ଯେଉଁଗୁଡ଼ାକ ବଡ଼ ସମସ୍ୟା ବୋଲି କୁହାଯାଇଥାଏ, ପ୍ରସଙ୍ଗ ପଡ଼ିଲାବେଳେ ଯେଉଁଗୁଡ଼ାକର ଚର୍ଚ୍ଚା ହୋଇଥାଏ ସେଗୁଡ଼ାକ ଆମ ସାହିତ୍ୟର ପ୍ରକୃତ ସମସ୍ୟା ହୁଏତ ଆଦୌ ନୁହେଁ । ସାହିତ୍ୟର ପ୍ରଧାନ ପ୍ରଧାନ ଅସୁବିଧା ବା ସମସ୍ୟା ବୋଲି ଏଠି ସାଧାରଣତଃ ଯାହା ସବୁ ଅଭିଯୋଗ କରାଯାଇଥାଏ, ପ୍ରକୃତ ସମସ୍ୟା ମୋଟେ ତାହା ନୁହେଁ । ଏଠାରେ ଅନେକ ସମୟରେ ଅଭିଯୋଗ କରାଯାଇଥାଏ, ପ୍ରକୃତ ସମସ୍ୟା ମୋଟେ ତାହା ନୁହେଁ । ଏଠାରେ ଅନେକ ସମୟରେ ଅଭିଯୋଗ କରାଯାଇଥାଏ ଯେ ଓଡ଼ିଶାର ପାଠକେ ଓଡ଼ିଶାର ଲେଖକମାନଙ୍କୁ ମୋଟେ ଆଦରିଲେ ନାହିଁ, ଅର୍ଥାତ୍ ସେମାନେ ଲେଖକ ମାନଙ୍କର ବହିକୁ କିଣିଲେ ନାହିଁ । ଅର୍ଥାତ୍ ସାହିତ୍ୟର ଆଦର କଲେ ନାହିଁ । ପ୍ରକାଶକମାନେ ବି କୁଆଡ଼େ ଲେଖକମାନଙ୍କୁ ପଚାରିଲେ ନାହିଁ ବୋଲି କୁହାଯାଇଥାଏ । ପ୍ରକାଶକମାନେ ମଧ୍ୟ ଆପଣାର ଦୁଃଖଗୁଡ଼ାକୁ ଗାଈ ଆପଣା ସମସ୍ୟାଗୁଡ଼ାକର ଆଦୌ କମ୍ ବୟାନ କରନ୍ତି ନାହିଁ । ସେମାନେ କହନ୍ତି ଯେ ସେମାନେ ଆଗେ ପାଠ୍ୟପୁସ୍ତକ ଓ ତଦାନୁଷଙ୍ଗିକ କେତେ ବହିପତ୍ର ଛପାଇ ବ୍ୟବସାୟ ହାରିବାଭଳି ଆୟ କରିପାରୁଥିଲେ ବୋଲି ସାହିତ୍ୟର ସେବା କରିବାକୁ ଅର୍ଥାତ୍ ସାହିତ୍ୟିକମାନଙ୍କରୁ ଲେଖାବହି ସବୁ ଖଣ୍ଡେ ଅଧେ ଛପାଇ ଦେବାକୁ ବି ମନ ବଳାଇ ପାରୁଥିଲେ । ସେତେବେଳେ ଗୋଟାଏ ପାଖରେ ହେଉଥିବା ପର୍ଯ୍ୟାପ୍ତ ଲାଭ ହେତୁ ଅନ୍ୟପାଖରେ ସହୁଥିବା କ୍ଷତିଗୁଡ଼ାକ ସେମାନଙ୍କୁ ଆଦୌ ବାଧୁନଥିଲା । ତେଣୁ ସଂସାରର ଭାଗମାପ ଠିକ୍ ରହୁଥିଲା । ମାତ୍ର ଏବେ ପାଠ୍ୟ ପୁସ୍ତକଗୁଡ଼ାକୁ ହାତକୁ ନେଇ ସରକାର ସବୁ ଭଣ୍ଡୁର କରିଦେଲେ । ସାହିତ୍ୟ ପ୍ରକାଶନରେ ଗୋଛି କାଟିଦେଲେ । ପାଠାଗାର ଆଦିକୁ ଦାନ କରିବା ଲାଗି ସରକାର ଆଗେ କେତେକେତେ ବାଜେ ବହି ଖରିଦ କରୁଥିଲେ, ସ୍କୁଲ କଲେଜରେ ପୁରସ୍କାର ବିତରଣ ସକାଶେ ବି ଟଙ୍କା ମଞ୍ଜୁର କରୁଥିଲେ । ଏବେ ସେଗୁଡ଼ାକ ମଧ୍ୟ ପ୍ରାୟ ବନ୍ଦ ହୋଇଗଲା ଏବଂ ତେଣୁ ସାହିତ୍ୟିକ ପୁସ୍ତକର ମୋଟା କିଣାଳୀ ମଧ୍ୟ ଆଉ କେହି ରହିଲେ ନାହିଁ । ତେଣୁ ଓଡ଼ିଆ ବହିଗୁଡ଼ାକ ଆଉ କିପରି ବିକ୍ରି ହେବ କିପରି ଏବଂ ଛପା ହେବ ମଧ୍ୟ କାହିଁକି ? ଏଗୁଡ଼ାକ ଯେ ସାହିତ୍ୟ–ଲେଖକ ଏବଂ ସାହିତ୍ୟ–ପ୍ରକାଶକଙ୍କ ଲାଗି ଗୋଟାଏ ଗୋଟାଏ ବାସ୍ତବ ସମସ୍ୟା, ସେ କଥାକୁ କେହି କଦାପି ଅସ୍ଵୀକାର କରିବ ନାହିଁ । ମାତ୍ର ଏଗୁଡ଼ାକ ଆମ ସାହିତ୍ୟର ଆଦୌ ଅସଲ ସମସ୍ୟା ନୁହେଁ, ଏଗୁଡ଼ାକ ସାହିତ୍ୟିକ ସମସ୍ୟା ନୁହେଁ । ୧୯୭୧ ମସିହାର ଜନଗଣନା ଅନୁସାରେ ସାରା ଭାରତବର୍ଷରେ ଶହେରେ ମୋଟେ ତିରିଶିଜଣ ମଣିଷ ସାକ୍ଷର ବୋଲି ଘୋଷଣା କରାଯାଉଛି । ଓଡ଼ିଶାରେ ଆମେ ଏହି ସିଡ଼ିରେ ସାଧାରଣ ସ୍ତରରେ ଆହୁରି ତଳକୁ ରହିଛୁ । ଆମ ଏଠାରେ ଶହେରୁ ମୋଟେ ମାତ୍ର ଛବିଶଜଣ ସାକ୍ଷର ହୋଇପାରୁଛନ୍ତି । ଆଉ ଟିକିଏ ଅଧିକ ଖେଳେଇ କରି ଦେଖିଲେ ଓଡ଼ିଶାର ତଫସିଲଭୁକ୍ତ ଜାତିମାନଙ୍କ ଭିତରେ ଶହେରେ ମାତ୍ର ପନ୍ଦରଜଣ ଏବଂ ଆଦିବାସୀମାନଙ୍କ ମଧ୍ୟରେ ମୋଟେ ନ’ଜଣ ଲୋକ ଲେଖା ପଢ଼ା ଜାଣିଛନ୍ତି-। ଅଳ୍ପ କେତେଟା ସହର ତୁଳନାରେ ଗାଁ ଗହଳିର ଅକ୍ଷୋହିଣୀ ପ୍ରମାଣ ଜନସମୁଦ୍ରରେ ନିରକ୍ଷର ହିଁ ଅଧିକତର ସଂଖ୍ୟାରେ ରହୁଛନ୍ତି । ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀମାନଙ୍କ ମଧ୍ୟରେ ନିରକ୍ଷରତା ଅଧିକ ପରିବ୍ୟାପ୍ତ ହୋଇ ରହିଛନ୍ତି । ଯେଉଁ ଗାଁରେ ଶହେ ଘରରୁ ମୋଟେ ପଚିଶିଟି ଘରର ଜମିରେ ଧାନ ଫଳୁଛି, ସେଠି ସମସ୍ତଙ୍କର ଅମାର ଭର୍ତ୍ତି ହେବ କିପରି ? ତେଣୁ ଓଡ଼ିଆମାନଙ୍କ ଘରେ ଶହେରେ ପଞ୍ଚସ୍ତରୀଜଣ ମଣିଷ ଏହି ରାଜ୍ୟର ବ୍ୟବସ୍ଥିତ ବରାଦ ଅନୁସାରେ ପଢ଼ି ଲେଖି ନ ଜାଣିଥିବାବେଳେ ଆମେ ଯେ ତଥାପି ଏଠାରେ ଲେଖା ହେଉଥିବା ସାହିତ୍ୟକୁ ଓଡ଼ିଆ ସାହିତ୍ୟ ବୋଲି କହିପାରୁଛୁ । ହୁଏ ତ ତାହାକୁ ହିଁ ଆମର ପରମପ୍ରସାଦ ଲାଭ ବୋଲି କହିବାକୁ ହେବ-

 

ତେଣୁ ଏହି ପ୍ରବନ୍ଧଟିରେ ଆମେ ସେହି ସମସ୍ୟାଗୁଡ଼ିକର କୌଣସି ଆଲୋଚନା କରିବା ନାହିଁ । ଆମେ ସାହିତ୍ୟିକ ସମସ୍ୟାଗୁଡ଼ିକର ହିଁ ଆଲୋଚନା କରିବା । କାରଣ ଏହି କ୍ଷେତ୍ରର ସମସ୍ୟା କହିଲେ ବସ୍ତୁତଃ ସାହିତ୍ୟର ସମସ୍ୟାଗୁଡ଼ାକୁ ହିଁ ବୁଝାଇବ । ଅର୍ଥାତ୍ ଯାହାକିଛି ସାହିତ୍ୟର ପଥକୁ ଓଗାଳି ରହିଛି, ସାହିତ୍ୟର ସମାଜ ଆୟତନଟିକୁ ଯାହା କିଛି ଅସମାଜିକ କରି ରହିଛି, ସାହିତ୍ୟର ରୁଚିଗୁଡ଼ାକୁ ଏଠି ଯାହାକିଛି ଅରୁଚିକରତାରେ ପରିଣତ କରି ରଖିଛି, ଏହି ସମସ୍ୟା ହେଉଛି ଧର୍ମତଃ ତାହାରି ସମସ୍ୟା ।

 

ଭାରତବର୍ଷର ସ୍ଵାଧୀନତା ଲାଭପରେ ଏଠି ଲୋକଜୀବନର ଯାବତୀୟ ବ୍ୟାପାର ମଧ୍ୟରେ ରାଜନୀତିଟା ହିଁ ବ୍ରାହ୍ମଣର ସ୍ଥାନ ଅଧିକାର କରି ବସିଛି । ରାଜନୀତି ଅର୍ଥାତ୍ କ୍ଷମତାପନ୍ନ ହୋଇ ରହିବାର ଅତି ଲାଳସା ଓ ଅତ୍ୟୁଗ୍ରତାଗୁଡ଼ାକ ହିଁ ଆମର ସାମୂହିକଜୀବନକୁ ସତେଅବା ଗୋଟା ସୁଦ୍ଧା ଗ୍ରାସିକରି ରହିବାକୁ ମନ ବଳାଇଛି । ଆମ ଓଡ଼ିଶାରେ ମଧ୍ୟ ସେହି ଘଟଣା ଘଟିଛି, ହୁଏତ ଅଧିକ ଦୟନୀୟ ଭାବରେ ଘଟିଛି । କ୍ଷମତାସୀନର ଅନୁଗ୍ରହ ନ ପାଇଲେ ବା ସେହି ଅନୁଗ୍ରହକୁ ଆଶ୍ରୟ କରି ନ ରହିପାରିଲେ ଯେ ସାହିତ୍ୟ କେବେହେଲେ ତିଷ୍ଠି ପାରିବ ନାହିଁ । ଆମ ସାହିତ୍ୟିକମାନେ ଅଧିକରୁ ଅଧିକ ସଂଖ୍ୟାରେ ସତେ ଅବା ସେହି ଭଳି ଏକ ଅପବିଶ୍ଵାସ ବା ଅନ୍ଧବିଶ୍ଵାସରେ ଆପଣାକୁ ମଣକରି ରଖିଛନ୍ତି । ଏହା ସେମାନଙ୍କୁ ଅନେକ ସମୟରେ ଆଶାତୀତ ଓ ଯୋଗ୍ୟତାତୀତ ସଫଳମାନ ଆଣି ଦେଇଛି, ସେମାନଙ୍କୁ କେତେକେତେ ସଭା ମଣ୍ଡପଉପରେ ରାଜାର ପାର୍ଶ୍ଵବର୍ତ୍ତୀ କରି ବସାଇଛି ଓ କୃତ୍ୟକୃତ୍ୟ କରିଦେଇଛି ସତ; ମାତ୍ର ଓଡ଼ିଆ ସାହିତ୍ୟଲାଗି ତାହାହିଁ ପ୍ରାୟ ଏକ ଜୀବନଘାତୀ ସମସ୍ୟା ପରି ଆସି ଠିଆ ହୋଇଛି । ମନ୍ତ୍ରୀ ନହେଲେ ଏଠି ସାହିତ୍ୟଗୁଡ଼ାକ ସତେଅବା ଅପୂରା ହୋଇରହୁଛି । ମନ୍ତ୍ରୀ ଅର୍ଥାତ୍ ସରକାରଙ୍କର ଅନୁଗ୍ରହ ନହେଲେ ସାହିତ୍ୟର ଗଛରେ ଯେ ଆଦୌ କୌଣସି ଫଳ ଫଳି ପାରିବନାହିଁ, ଆମ ସାହିତ୍ୟ ବଗିଚାରେ ଅନ୍ୟାଗ୍ରାହୀ ମାଳିମାନେ କ୍ରମେ ଏହିପରି ଏକ ବିଶ୍ଵାସ ପୋଷଣ କରିବାକୁ ଆରମ୍ଭ କରିଛନ୍ତି । ଉତ୍କଳର ନାନାପ୍ରସଙ୍ଗ ପରି ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି ମଧ୍ୟ କ୍ରମେ ଓଡ଼ିଶା ସରକାରଙ୍କ ଏକ ପ୍ରସଙ୍ଗ ଏବଂ ତେଣୁ ଏକ ପବିତ୍ର କର୍ତ୍ତବ୍ୟରେ ପରିଣତ ହୋଇଯାଇଛି । ତେଣୁ ସତେ ଅବା ପରିସ୍ଥିତି ଦ୍ଵାରା ବାଧ୍ୟ ହେଲାପରି ଆମର ସାହିତ୍ୟ କ୍ରମେ ରାଜନୀତି ମୁହାଁ ଓ ରାଜଧାନୀ ମୁହାଁ ହୋଇଯାଇଛି; ଆପଣାର ଅସଲ ମୁହଁଟାକୁ ଲୁଚାଇ ରଖି ତାହା ରାଜନୀତିର ମୁଖାଟା ଦ୍ଵାରା ହିଁ ଆପଣାକୁ ମଣ୍ଡାଇ ରଖିବାଲାଗି କ୍ରମେ ଭାରି ସରାଗ ଦେଖାଇଛି । ସାହିତ୍ୟ ସଭାରେ ରାଜନୀତିର ବଳୁଆ ନେତାରେ ପ୍ରଶସ୍ତି ଗାନ ହୋଇଛି । ସାହିତ୍ୟ ମଞ୍ଚର ପୁଙ୍ଗବମାନେ ଭାରି ଆହ୍ଲାଦ ସହକାରେ ଏହିସବୁ ପ୍ରଶସ୍ତି ଗାନ କରିଛନ୍ତି; ଲାଜ ହରାଇଛନ୍ତି ଓ ବଡ଼ ସାହିତ୍ୟିକ ହେବାର ସ୍ଵୀକୃତି ଲାଭ କରିଛନ୍ତି । ରାଜନୀତି ସହିତ ଖାପ ଖାଇଲାପରି ଓ ରାଜନୈତିକ ନେତା’ର ମନକୁ ପାଇଲା ପରି ସେମାନେ ଆପଣାର ବୁଦ୍ଧିଗୁଡ଼ାକ କ୍ରମେ ଅନୁରୂପ ଭାବରେ ମୋଟା କରି ରଖିବାକୁ ଚେଷ୍ଟା କରିଛନ୍ତି; ସାହିତ୍ୟର ସାମିଆନା ତଳେ ସ୍ଵୟଂ ଗୋଟାଏ ଗୋଟାଏ ନେତା ପରି ଦିଶିଛନ୍ତି ଏବଂ ସେଇଥିରୁ ହିଁ ସର୍ବତ୍ର ଶମନକାରୀ ଏକ ପରିତର୍ପଣ ଲାଭ କରିଛନ୍ତି । ସେମାନେ ସ୍ଵୟଂ ଝଟକି ଉଠିବା ସଙ୍ଗେ ସଙ୍ଗେ ସେମାନଙ୍କ ସହିତ ଓଡ଼ିଆ ସାହିତ୍ୟଟା ମଧ୍ୟ ଏକାବେଳେ ଝଟକି ଉଠିବା ପରି ଅନୁଭବ କରି ହୃଷ୍ଟ ହୋଇ ଉଠୁଛନ୍ତି । କୌଣସି ଭାଷାରେ ବା କୌଣସି ରାଜ୍ୟରେ ସରକାରୀ ମନ୍ତ୍ରୀ ଏବଂ କ୍ଷମତା ସ୍ଥୂଳ ରାଜନୈତିକ ନେତା କେତେବେଶୀ ସଂଖ୍ୟାରେ ଓ କେତେ ସହଜ ଯୁକ୍ତିର ସହିତ ସାହିତ୍ୟର ସଭା ମଣ୍ଡାଇବାକୁ ଧରା ଆସିଛନ୍ତି । ଯଦି ତାହାର ଏକ ହିସାବ ସଂଗ୍ରହ କରାଯାଏ, ତେବେ ଓଡ଼ିଶା ରାଜ୍ୟ ଓ ଓଡ଼ିଆଭାଷାର ଏହି ଗତ ପଚିଶିବର୍ଷର ପର୍ଯ୍ୟାୟଟାକୁ ନିଶ୍ଚୟ ସର୍ବପ୍ରଥମେ ସ୍ମରଣ କରିବାକୁ ପଡ଼ିବ ।

 

ଏପରି କାହିଁକି ହେଲା ? ଭାରତ ସ୍ଵାଧୀନତା ଲାଭ କରିବା ପୂର୍ବରୁ ଯେଉଁମାନେ ଓଡ଼ିଆ ସାହିତ୍ୟରେ ଏକ ସୁନ୍ଦରତାରେ ଜୀବନ ଲାଗି କେତେ ଆକାଂକ୍ଷା ଓ ଉନ୍ମାଦନା ସୃଷ୍ଟି କରିଥିଲେ, ନୂତନ ଲାଗି କେତେପ୍ରକାର ଉଦ୍‍ବୁଦ୍ଧ କରିଥିଲେ ଓ ସାହସ ଆଣି ଦେଇଥିଲେ, ବିପ୍ଳବୀ ବୀଣା ବଜାଇଥିଲେ ବା ସବୁଜ ସ୍ଵପ୍ନ ଦେଖିଥିଲେ । ସ୍ଵାଧୀନତାଟା ହାସଲ ହୋଇ ଯିବାପରେ ସେମାନେ ଏତେ ତର ତର ହୋଇ ଆପଣାର ଦୀପଗୁଡ଼ାକ ଏପରି ନିର୍ମମ ଭାବରେ ନିଭାଇ ଦେଇପାରିଲେ କିପରି ? ଭବିଷ୍ୟତର ସାହିତ୍ୟ ସମୀକ୍ଷକ ଦିନେ ସେହି କଥାଟିର ବିଚାର କରିବାକୁ ଆସିବ । ଦେଶ ରାଜନୀତିକ ସ୍ଵାଧୀନତା ପାଇଯିବାପରେ ଏମାନେ ସତେ ଯେପରି ଆଉକିଛି ହେଲେ କରିବାକୁ ସମର୍ଥ ହୋଇପାରିଲେ ନାହିଁ, ଗୋଟାସୁଦ୍ଧା ବୁଢ଼ା ହୋଇଗଲେ, ହଳଦିଆ ପଡ଼ିଗଲେ, ନାନା ଅନ୍ୟାୟ, ଅହଂଜର୍ଜରତା ଏବଂ ଲଜ୍ଜ୍ୟାବର୍ଜିତ ଆଡ଼ମ୍ବର ସହିତ ସାଲିସ୍ କରି ପଳାଇଲେ ସତେ ଯେପରି ଖାଲି ଫଳଗୁଡ଼ାକ ଭୁଞ୍ଜିବାଲାଗି ହିଁ ବଞ୍ଚି ରହିଲେ । ସେମାନଙ୍କର ଫଳକାମନାଗୁଡ଼ାକ ଅବଧ ଉତ୍ସାହ ପାଇ କ୍ରମେ ଏକ ଫଳ କାମୁକତାରେ ପରିଣତ ହେବାକୁ ବସିଲା । ସ୍ଵଧର୍ମକୁ ଭୁଲି ସେମାନେ ଗୋଟାସୁଦ୍ଧା ପୁରସ୍କାରଲୋଭୀ ହୋଇପଡ଼ିଲେ, ତେଣୁ ତଦନୁପ୍ରେରିତ ହୋଇ ଗୋଟିଏ ଗୋଟିଏ ମହାଜନତୋଷୀ ସାହିତ୍ୟିକ ହୋଇ ବାହାରିଲେ । ଆମର ଏଠାରେ ଯେଉଁ ନ୍ୟାୟଦ୍ଵାରା ଚାଳିତ ହୋଇ ସାହିତ୍ୟରେ ପୁରସ୍କାରଗୁଡ଼ାକ ଦିଆଯାଏ ବା ନିଆଯାଏ ଏବଂ ସେଥିଲାଗି ଆମର ପ୍ରତିଷ୍ଠା ତୃଷିତ ସୁଜ୍ଞ ସାହିତ୍ୟିକମାନେ ଯେପରି ହନ୍ତସନ୍ତ ଆଉ ଲଣ୍ଡଭଣ୍ଡ ହୋଇ କ୍ଷମତାଧାରୀମାନଙ୍କ ପାଖକୁ ଧାଇଁବାରେ ଲାଗିଥାନ୍ତି, କେତେ ଏକାଗ୍ର ନିଷ୍ଠାର ସହିତ କେତେ ପାଦ ଓ ଆପାଦ ଧରିବାକୁ ମଧ୍ୟ ତିଆରି ହୋଇପଡ଼ନ୍ତି, ସେଥିରୁ ସୂତାଟାଏ ଉଖାରି ଦେଖିଲେ ମଧ୍ୟ ଆମକୁ ଆମ ସାହିତ୍ୟ ଚର୍ଯ୍ୟାର ଏହି ଲାଜଟା ସତେ ଅବା ଭାରି ଜଳଜଳ ହୋଇ ଦିଶିଯିବ । ଆମର ସାହିତ୍ୟ-ସରାଗ ତଥା ସାହିତ୍ୟାୟୋଜନରେ ଯାବତୀୟ ଆଡ଼ମ୍ବର ଓ ଆବରଣ ଭିତରୁ ସବୁଠାରୁ ଆମର ଏହି ନିର୍ଲଜ୍ଜ ଲଙ୍ଗଳାପଟା ହିଁ ଆଗେ ଧରା ପଡ଼ିଯାଏ ।

 

ସାହିତ୍ୟିକ ରାଷ୍ଟ୍ରର ସମ୍ପତ୍ତି ନୁହେଁ, ସାହିତ୍ୟ ରାଷ୍ଟ୍ରର ଧନ ନୁହେଁ । ଅବଶ୍ୟ ଏକଥା ସତ ଯୁଗେଯୁଗେ ଏକାଧିକ ଦେଶରେ ରାଷ୍ଟ୍ରମାନେ ସାହିତ୍ୟଟାକୁ ମଧ୍ୟ ଆପଣାର ଧନ କରି ରଖିବାଲାଗି ପ୍ରବଳ ପ୍ରୟାସ କରି ଆସିଛନ୍ତି ଓ ସାହିତ୍ୟିକକୁ ଆପଣାର ପୋଷ ମନାଇ ରଖିବାକୁ କେତେ ଠକ ରୀତିର ଆଚରଣ କରିଛନ୍ତି । ଖୋଦ୍ ସାହିତ୍ୟିକ ମଧ୍ୟ ସାମୟିକତା’ର କେତେ ପ୍ରଲୋଭନାରେ ପଡ଼ି ଆପଣାକୁ ଗୋଟାସୁଦ୍ଧା ରାଷ୍ଟ୍ରର ହିଁ ପରିଚାରକ କରି ରଖିଛି, କେତେଭଳି ମତ୍ତ ହୋଇ କେତେ ସ୍ଵର୍ଣ୍ଣଶୃଙ୍ଖଳ ପିନ୍ଧି ବସିଛି । ସିଏ ରାଷ୍ଟ୍ରର ମୁକୁଟ ଆଣି ପିନ୍ଧିଛି, ରାଷ୍ଟ୍ରର ସ୍ଵୀକୃତି ପାଇବ ବୋଲି କେତେଥର ଧର୍ମ ହରାଇ ବସିଛି, ମହତ୍ ଭୁଲିଛି, ସରସ୍ଵତୀଙ୍କୁ ଲକ୍ଷ୍ମୀ ରୂପେ ପରାୟଣ କରିଛି । ତଥାପି ସତକଥା ହେଉଛି ଯେ ଲେଖକ ରାଷ୍ଟ୍ରର ନୁହେଁ, ସିଏ ହେଉଛି ସମାଜର, ସିଏ ମଣିଷର । ତା’ର ସଫଳ ସମର୍ପଣ ସମାଜ ଲାଗି, ସମ୍ପୂର୍ଣ୍ଣତା’ର ଜୀବନ ଲାଗି, ସୁନ୍ଦରତା’ର ମଣିଷ ଲାଗି; ଯୁଗେ ଯୁଗେ କ୍ଷମତାକୁପିତତା’ର ନାନା ଅପଦମ୍ଭଦ୍ଵାରା ଜୀବନ ତଥା ଜନଭାଗ୍ୟକୁ ମଳିନ କରିଥିବା ରାଷ୍ଟ୍ର ଲାଗି ନୁହେଁ । ଭାରତ ସ୍ଵାଧୀନ ହେବାପୂର୍ବରୁ ଭାରତର ସାହିତ୍ୟିକ ପ୍ରଧାନତଃ ତା’ର ସମାଜ ଲାଗି ଓ ସେହି ସମାଜର ସମ୍ଭାବ୍ୟ ଭାଗ୍ୟ ଲାଗିହିଁ ଆପଣାକୁ ସମର୍ପିତ କରି ରଖିଥିଲା । ମାତ୍ର ଭାରତ ସ୍ଵାଧୀନ ହୋଇଯିବାପରେ କେଉଁ ଦୁର୍ଭାଗ୍ୟ ହେତୁ ସେ କାହିଁକି ଅନ୍ୟମୁହାଁ ହୋଇଗଲା କେଜାଣି, ରାଷ୍ଟ୍ରୀୟ ପ୍ରମତ୍ତତା ପାଖରେ ମହତ ବିକି ବସିଲା । ସିଏ କେତେମନ୍ତେ ଶୋଭା ପାଇଲା, ଦିଲ୍ଲୀ ଯାଏ ଡାକରା ହୋଇଗଲା, କେଡ଼େ କୌଶଳରେ କେତେ ପାଦର ଆଶ୍ରା କରି କେତେ କେତେ ପଦ ଓ ମାନ୍ୟତା’ର ଲାଙ୍ଗୁଳଗୁଡ଼ାକୁ ଶିର ବସ୍ତ୍ର କରି ବାନ୍ଧିଲା– ମାତ୍ର ସ୍ଵାଧୀନତାପର ଭାରତର ରାଜନୈତିକ ନେତୃତ୍ଵ ପରି ସିଏ ମଧ୍ୟ ସ୍ଥାଣୁ ହୋଇଗଲା, ଆପଣାକୁ ଅଟକାଇ ରଖିଲା, ମନୁଷ୍ୟର ଊଦୟକୁ ଅଟକାଇ ରଖିବାରେ ସହାୟକ ପରି କାର୍ଯ୍ୟ କଲା, ଯାବତୀୟ ନୂତନ ପ୍ରବର୍ତ୍ତନ ଲାଗି ବାଧକ ହୋଇ ରହିଲା ।

 

ଆମର ଦ୍ଵିତୀୟ ସମସ୍ୟା ହେଉଛି ଅସହିଷ୍ଣୁତା’ର ସମସ୍ୟା । ଭାରତର ଧର୍ମଶାସ୍ତ୍ରରେ ‘ପରସ୍ପରାନୁକଥାନ’ ସକାଶେ ଏକ ସ୍ଥାନ ରହିଛି ସତ, ମାତ୍ର ଆମ ସାହିତ୍ୟ ଭିତରେ ପରସ୍ପର ସହିତ ଏକାଠି ବସି ସାହିତ୍ୟାଲୋଚନା କରିବା ଆମଲାଗି କ୍ରମେ ଦୁରୂହ ହୋଇ ପଡ଼ୁଛି । ନିଜର କ୍ଷୁଦ୍ର ଅର୍ଜନଗୁଡ଼ାକୁ ଏଡ଼େ ଏଡ଼େ ଆଖିରେ ଦେଖି ଏକାନ୍ତ ଜୀବନ ଭୀରୁ ହୋଇ ବସିଗଲେ ଯେଉଁ ଅସହିଷ୍ଣୁତା ଜନ୍ମଲାଭ କରିଥାଏ, ମୁଁ ଏଠାରେ ସେହି ଅସହିଷ୍ଣୁତା କଥା କହୁଛି । ଆମ ସାହିତ୍ୟ ଭିତରେ ଆମେ ପରସ୍ପରକୁ ସତେ ଯେପରି ଆଦୌ ସହି ପାରୁନାହୁଁ । ଜ୍ୟେଷ୍ଠ କନିଷ୍ଠକୁ ସହିପାରୁ ନାହିଁ, କନିଷ୍ଠ ଜ୍ୟେଷ୍ଠକୁ ମଧ୍ୟ ସହି ପାରୁନାହିଁ, ନବୀନ ତଥା ପ୍ରବୀଣ ପରସ୍ପର ପ୍ରତି ସରାଗ ରଖି ପରସ୍ପରର ମୁହଁ ଆଡ଼କୁ ଆଉ ମୋଟେ ସିଧା କରି ଅନାଇ ପାରୁନାହାନ୍ତି । ସେ ଯୁଗଟାକୁ ସବୁକିଛି ବୋଲି ମନେ କରୁଥିବା ସେମାନେ ଏବଂ ସେ ଯୁଗଟାକୁ ଆଦୌ କିଛି ନୁହେଁ ବୋଲି କହୁଥିବା ଏବଂ ଆଉ ଗୋଟିଏ ଯୁଗକୁ ସବୁକିଛି ବୋଲି ଆବୋରି ଧରିଥିବା ଏମାନେ ପରସ୍ପର ସହିତ ଆଦୌ ଏକାଠି ବସି ସାହିତ୍ୟିକ ଦୁଖ ସୁଖ ହୋଇ ପାରୁନାହାନ୍ତି । ବିଚାରର ବିନିମୟ କରିବା ତ ଆହୁରି ପରକଥା ହୋଇ ରହିଛି । ପ୍ରାଚୀନ ବାଲା ଆଧୁନିକକୁ ସେତିକି ବଡ଼ ନାକ ଟେକୁଛି । ଆପଣା ଘରେ କେହି ଆଉ ଅନ୍ୟ କାହାରିକୁ ସ୍ଥାନ ଦେବାଲାଗି ସତେ ଅବା ବଦ୍ଧପରିକର ହୋଇବସିଛନ୍ତି । ଆଉ ଜଣକୁ ତଡି ନିକାଲିଦେବା ଉପରେ ହିଁ ସାହିତ୍ୟ ଭିତରେ ଜଣକର ଅସ୍ତିତ୍ଵ ଧରି ରହିବାଟା ପୂର୍ଣ୍ଣମାତ୍ରାରେ ନିର୍ଭର କରି ରହିଛି । ଗୋଟାଏ ସାହିତ୍ୟ, ଗୋଟାଏ ଭୂଇଁ, ସେଇ ଗୋଟାଏ ବଗିଚାରେ ଆମେ ସମସ୍ତେ ମାଳି; ମାତ୍ର ତଥାପି ଆମ ଭିତରେ ଏତେ ଅସହିଷ୍ଣୁତା କାହିଁକି ? ଅନ୍ୟ ସମସ୍ତଙ୍କୁ ତଳକୁ ଖସାଇ ପକାଇ ସବାଆଗ ଯାଇ ପିରାମିଡ୍‍଼ର ସବା ଉପର ଶିଖଉପରେ ବସିବାକୁ ଆମର ଏ ବ୍ୟଗ୍ରତା କାହିଁକି ?ଏଇଆଟାକୁ ଆମେ ଉଗ୍ରମନ୍ୟତା କହିବା ନା ହୀନମନ୍ୟତା ବୋଲି କହିବା ? ନା, ଭିତର ଆପଣା ପାଖରେ ହୀନମନ୍ୟ ଓ ଅସ୍ଵୀକୃତ ହୋଇ ରହିଥିବାରୁ ବାହାରେ ସତେଅବା ତାହାର ଏକ କ୍ଷତିପୂରଣ ସକାଶେ ଉଗ୍ରମନ୍ୟ ହୋଇ ଲାଞ୍ଜ ବାଡ଼ୋଇଥିବା ଏକ ଦୁଃଖଗ୍ରସ୍ତତା ବୋଲି କହିବା, ଆପଣା ଅନୁରାଗର ଅନୁରୂପ କରି କିଛି ସୃଷ୍ଟି ନ କରିପାରିବାର ଆତ୍ମାକ୍ଷୁର୍ଣ୍ଣତାରୁ ଜାତ ହୋଇଥିବା ଏକ ଚରମ ଦୟନୀୟତା ବୋଲି କହିବା ?

 

ଯେଉଁଠାରେ ଅସହିଷ୍ଣୁତା ହିଁ ସର୍ବଭୂମିର ଅଧିପତି ହୋଇ ବସିଥାଏ, ସେଠି ଯଥାର୍ଥରେ କୌଣସି ସମୀକ୍ଷା ଅଥବା ସମାଲୋଚନା ସମ୍ଭବ ହୁଏ ନାହିଁ । ଆପଣାକୁ କିମ୍ବା ବ୍ୟବହାର ଆଡ଼କୁ ଅନାଇ ଦେଖିବା ଲାଗି କୌଣସି ଲୋଚନ ଦରକାର ହୁଏନାହିଁ । କୌଣସି ପ୍ରକାରର ସଖ୍ୟ, ସହଚରିତା ଅଥବା ସହଭୋଜନ ଲୋଡ଼ା ହୁଏନାହିଁ । ମୋର ସାହିତ୍ୟିକ ବିଗ୍ରହଟି ମଧ୍ୟକୁ କେହି ଅନାଇବାକୁ ଚେଷ୍ଟା କଲେ, ଅର୍ଥାତ୍ ମୋ ଚାରି ପାଖରେ ଘେରି ରହିଥିବା ପାଣି, ପବନ ଏବଂ ପରିବେଶଟି ମଧ୍ୟରେ ସମଗ୍ର କରି କଳିବାଲାଗି ଚେଷ୍ଟା କଲେ, ତାହା ମୋର ଅଭିମାନକୁ ବାଧେ, ତାକୁ ମୁଁ ସହିପାରେ ନାହିଁ । ଓଡ଼ିଆ ସାହିତ୍ୟରେ ସେଥିଲାଗି ସମୀକ୍ଷାର କ୍ଷେତ୍ରଟି ଆଜି ବି ଅଲୋଡ଼ା ହୋଇ ପଡ଼ି ରହିଛି । ଏଠାରେ ସଭା ମଣ୍ଡାଇ କେତେ ପୂଜ୍ୟ ଓ ଅପୂଜ୍ୟର ପୂଜାମଣ୍ଡଣି କରାଯାଏ, କେତେ ଜୟନ୍ତୀ ପାଳନର ବୈଜୟନ୍ତୀ ଉଡ଼ାଯାଏ, ଭାଷଣଗୁଡ଼ାକ ଗଛବାଣ ହୋଇ ସତେ ଅବା କାନ ଅତଡ଼ା ପକାଇବାରେ ଲାଗିଥାନ୍ତି । ତଥାପି ସମ୍ୟକ ଆଲୋଚନା ହୋଇପାରେନାହିଁ । ଦିଅଁଙ୍କ ନାଆଁରେ ସବୁ ହୁଏ, ତଥାପି ଦିଅଁ ଦେଖା ହୋଇପାରେ ନାହିଁ । ଆଧୁନିକ ସାହିତ୍ୟ କେବଳ ମଲା ଓ ତେଣୁ ନିରାପଦମାନଙ୍କ ପାଖକୁ ଆସି ଅଟକିଯାଏ, ଜିଅନ୍ତା ବିଛାଙ୍କୁ ସ୍ପର୍ଶ କରିବାଲାଗି ବି ଭୟ କରେ । ବଞ୍ଚିଥିବା ସାହିତ୍ୟିକମାନେ ଆପଣାର ସତୀର୍ଥ ଓ ସମସାମୟିକମାନଙ୍କୁ ହାଡ଼େ ହାଡ଼େ ଈର୍ଷା କରୁଥାନ୍ତି । ଏକଦନ୍ତ ହୋଇ ସାହିତ୍ୟର ସଂପୂର୍ଣ୍ଣ ଭୂଇଁଟାକୁ ଏକା ତାଡ଼ିବାଲାଗି ପ୍ରତ୍ୟେକ ଆଣ୍ଟ କରୁଥାନ୍ତି, ଲୋଭାସକ୍ତ ହୋଇ ରହିଥାନ୍ତି ଏବଂ ମୃତମାନଙ୍କର ପ୍ରଶସ୍ତି ଗାନକରିବା ବ୍ୟତୀତ ଆଉ ପ୍ରାୟ କିଛିହେଲେ କରିପାରନ୍ତି ନାହିଁ । ଦେହ ଛାଡ଼ିବା ଓଡ଼ିଆ ସାହିତ୍ୟର ବରପୁତ୍ର ହୋଇ ଶୋଭା ପାଆନ୍ତି । ଓଡ଼ିଆ ସାହିତ୍ୟର ଆକାଶରେ ସମସ୍ତେ ଜ୍ୟୋତିଷ୍କ ହୋଇ ଜଳନ୍ତି । ମାତ୍ର ଏହି ଯାବତୀୟ ସରାଗକୁ ଜଳକା କରିଦେଇ ଆମର ଆତ୍ମଗରୁ ଅଭିମାନଟା ହିଁ ସବୁଠାରୁ ଅଧିକ ଦପ୍ ଦପ୍ ହୋଇ ଜଳୁଥାଏ ଓ କାନ୍ଥରେ ଧାଡ଼ି ହୋଇ ଟଙ୍ଗା ହୋଇଥିବା ଫଟୋ ଗୁଡ଼ାକୁ ସତେ ଅବା ଛିଗୁଲେଇବାରେ ଲାଗିଥାଏ ।

 

ତାପରେ ସାହିତ୍ୟର ପ୍ରକାଶନ ଓ ପ୍ରଚାରର ସମସ୍ୟା । ପଚିଶିବର୍ଷ ତଳେ ଓଡ଼ିଶାରେ ଯେତେ ପ୍ରକାଶକ ଏବଂ ପୁସ୍ତକ ବିକ୍ରେତା ଥିଲେ, ବର୍ତ୍ତମାନ ସେମାନଙ୍କର ସଂଖ୍ୟା ତା’ଠାରୁ ହୁଏତ ଦଶଗୁଣ କି ପଚିଶିଗୁଣ ଅଧିକ ହୋଇସାରିଲାଣି । କଟକର ବଜାର ବହି ଦୋକାନର ଭର୍ତ୍ତି ହୋଇଗଲାଣି । ପ୍ରକାଶକମାନେ ବଡ଼ଲୋକ ହେଲେଣି, ଶୁଭ, ଲାଭ, ଋଦ୍ଧି ଓ ସିଦ୍ଧିର କେତେ ବାଟ ଓ କେତେ ସୂତ୍ର ଜାଣିଲେଣି; କେତେ ପାହାଚ, ଗଳି ଆଉ ଗୋହିରୀ ବାଟ ଧରି ସେମାନେ କେଡ଼େ କେଡ଼େ ବଡ଼ ଜାଗାରେ ଯାଇ କାମ ହାସଲ କରିପାରିଲେଣି ଏବଂ ତେଣୁ ସେମାନେ ମଧ୍ୟ କେଉଁ କେଉଁ ଲେଖକ ଙ୍କର ବହିଗୁଡ଼ିକୁ ପ୍ରକାଶ କରିବା ଉଚିତ୍, ସେ କଥା କ୍ରମେ ସ୍ଵୟଂ ନିର୍ବାଚନ କରି ଜାଣିଲେଣି । ସାହିତ୍ୟିକ ମୂଲ୍ୟର ମାନଦଣ୍ଡରେ ବିଚାର କରି କରି କୌଣସି ପୁସ୍ତକକୁ ପ୍ରକାଶ କଲେ ତାହା ପ୍ରକାଶକ ଲାଗି ସର୍ବଦା ଯେ ଲାଭଜନକ ହେବ, ସେ କଥା ଆଦୌ କୁହାଯାଇପାରିବ ନାହିଁ । ତେଣୁ ମଣିଷ ଦେଖି, ଅର୍ଥାତ୍ କାହାଦ୍ଵାରା ବ୍ୟବସାୟଗତ ଅନ୍ୟ କାର୍ଯ୍ୟଗୁଡ଼ାକ କେତେ ପରିମାଣରେ ହାସଲ ହୋଇପାରିବ, ଅନେକ ସମୟରେ ସେହି କଥାଟିକୁ ହିଁ ପୁସ୍ତକ ପ୍ରକାଶର ନିର୍ଣ୍ଣୟ କଲାବେଳେ ସର୍ବାଗ୍ରସ୍ଥାନ ଦିଆଯାଇଥାଏ । ଯେଉଁମାନେ ପାଠ୍ୟପୁସ୍ତକ ନିର୍ବାଚନ କରୁଥିବା କମିଟିମାନଙ୍କରେ ଆପଣଲାଗି ସ୍ଥାନ କରି ପାରିଛନ୍ତି, କଲେଜରେ ବିଭିନ୍ନ ବିଭାଗରେ ଯେଉଁ ମାନେ ମହୁଡ଼ମଣି ହୋଇଛନ୍ତି, ଯେଉଁମାନଙ୍କ କଥାରେ ବିଶ୍ଵବିଦ୍ୟାଳୟରେ କଳା ଧଳା ହେଉଛି ଏବଂ ନକଲି ଅସଲି ହୋଇପାରୁଛି, ସରକାରଙ୍କର ମଣୋହୀଘରମାନଙ୍କରେ ଯେଉଁମାନେ ସର୍ବାଧ୍ୟକ୍ଷ ସିଂହହାକିମ ହୋଇ ବସିଛନ୍ତି । ପ୍ରକାଶକର ଲାଳଗୁଡ଼ାକ ନିୟମତଃ ସେହିମାନଙ୍କ ଆଡ଼କୁ ଆଗ ବୋହି ଯାଉଛି । କଳସଗୁଡ଼ାକ ପ୍ରୟୋଜନତଃ ସେହିମାନଙ୍କ ମୁଣ୍ଡ ଉପରେ ଢଳା ହେଉଛି । ଓଡ଼ିଆ ସାହିତ୍ୟରେ ଯୁଗାନ୍ତକାରୀ ଆଲୋଡ଼ନ ଏବଂ କାରୁଣ୍ୟ ସୃଷ୍ଟି କରି ସେହିମାନଙ୍କର ବହିଗୁଡ଼ାକ ସୁଦୃଶ୍ୟବପୁ ହୋଇ ବାହାରୁଛନ୍ତି, ଓଡ଼ିଆ ସାହିତ୍ୟର ମହାରଣ୍ୟକୁ ଘଞ୍ଚ କରି ରଖିଛନ୍ତି । ସେମାନେ ଯାହା ଲେଖୁଛନ୍ତି, ଗୁଣ ଓ ମୂଲ୍ୟର ନିର୍ବିଶେଷରେ ସେଗୁଡ଼ାକ, ସବୁତକ ଛପାବହି ହୋଇ ବାହାରି ପଡ଼ୁଛନ୍ତି । ଓଡ଼ିଆ ସାହିତ୍ୟର ଭଣ୍ଡାର କ୍ରମଶଃ ବୃଦ୍ଧି ହେବାରେ ଲାଗିଛି ।

 

ଭାରତ ବର୍ଷରେ ସମ୍ଭବତଃ ଦୁଇଟି ରାଜ୍ୟ– କେରଳ ଓ ବଙ୍ଗଳାକୁ ଛାଡ଼ିଦେଲେ ଆଉ ସବୁଯାକ ରାଜ୍ୟରେ ଅଳ୍ପବହୁତ ଏହିପରି ଘଟିଥାଏ । ଓଡ଼ିଶା ରାଜ୍ୟରେ ଏହା ବିଶେଷ ଭାବରେ ହୁଏ, ଏହି ଅପରିତିଟାରେ ହିଁ ସାହିତ୍ୟ କର୍ମ ଚଳେ । ଏହାଦ୍ଵାରା ଯେଉଁ ଲେଖକମାନେ ଲାଭବାନ ହୁଅନ୍ତି, ସେମାନେ ଏହି ରୀତିଟାକୁ ନେଇ ଭାରି ଖୁସି ହୋଇ ରହିଥାନ୍ତି । ସତତ ଉତ୍ପାଦନଶୀଳ ହୋଇ ରହିଥାନ୍ତି; ଏବଂ ଯେଉଁମାନେ ଲାଭ ନ ହୁଅନ୍ତି, ଅର୍ଥାତ୍ ପ୍ରକାଶଙ୍କର ଉପକାର କରି ସ୍ଵୟଂ ଉପକୃତ ହୋଇ ପାରନ୍ତିନାହିଁ, ସେମାନେ ରୋଦନ କରନ୍ତି, ଈର୍ଷା କରନ୍ତି ଏବଂ ଓଡ଼ିଆ ସାହିତ୍ୟର ଘୋରଦୁର୍ଗତି ଏବଂ ଦୁର୍ଦ୍ଦଶାର କ୍ରୋଧପ୍ରକାଶ କରନ୍ତି । କେରଳ ରାଜ୍ୟରେ ଲେଖକମାନଙ୍କର ହିଁ ଗୋଟିଏ ସମବାୟ ସଂଗଠନ ରହିଛି । ପ୍ରବୀଣ ଓ ନବୀନ କେତେଲେଖକ ସେଥିରେ ସଭ୍ୟ ହୋଇ ରହିଛନ୍ତି । ସେହି ସଂଗଠନ ଜରିଆରେ ସେମାନେ ଆପଣାର ପୁସ୍ତକମାନେ ପ୍ରକାଶ କରନ୍ତି ଏବଂ ତେଣୁ ପୁସ୍ତକପ୍ରକାଶରେ ସେଠାରେ ଗୁଣାତ୍ମକ ଯୋଗ୍ୟତାରେ ଅଧିକ ବିଚାର ହୋଇଯାଏ । ଆମ ଓଡ଼ିଶାରେ ମଧ୍ୟ ଥରେ ଅଧେ ଏ ଭଳି ଏକ ସଂଗଠନ ଗଢ଼ିବା ସକାଶେ କିଞ୍ଚିତ ଉତ୍ସାହ ପ୍ରକାଶ ପାଇଥିଲା, ମାତ୍ର ସେଥିରୁ କାର୍ଯ୍ୟତଃ କିଛି ସମ୍ଭବ ହେବାପୂର୍ବରୁ ତାହା ଫସର ଫାଟିଗଲା । ଆବଶ୍ୟକତା ଦ୍ଵାରା ବାଧ୍ୟ ହୋଇ ଆଫ୍ରିକାର ସିଂହମାନେ ଏବେ କୁଆଡ଼େ ଆଉ ଏକାକୀ ନରହି ଯୂଥ ବାନ୍ଧିବାକୁ ଆରମ୍ଭ କଲେଣି । ମାତ୍ର ଓଡ଼ିଆ ସାହିତ୍ୟର କେଶରୀମାନେ 'ଏକସ୍ତରତି ଦୁର୍ଗାଣୀ’ ବାକ୍ୟଟି ଉପରେ ଏବେ ମଧ୍ୟ ବିଶ୍ଵାସ ରଖିଛନ୍ତି । ଦିନେ ଏହି ଓଡ଼ିଶା ଗଜପତିମାନଙ୍କର ରାଜ୍ୟ ଥିଲା । ସେହି ଓଡ଼ିଶାର ଜୀବନ ଜଙ୍ଗଲରେ ଆଜି ଆମେ ପ୍ରତ୍ୟେକ ଗୋଟାଏ ଗୋଟାଏ ଗଜପତି ହୋଇ ବିଚରଣ କରିବା ଲାଗି ସ୍ଵଧର୍ମ ବୋଲି ଆବୋରି ନେଉଛୁ । ଓଡ଼ିଶାର ଲେଖକମାନଙ୍କୁ ଏହି ରୀତିଟା ହୁଏ ତ ସବୁଠାରୁ ଅଧିକ ଜବର ଭାବରେ କାମୁଡ଼ି ଧରିଛି ।

 

ଓଡ଼ିଶାର ସାହିତ୍ୟ ହେଉଛି ଅତିରିକ୍ତ ପରିମାଣରେ ଏକ ଅଧ୍ୟାପକ ଅଧ୍ୟୁଷିତ ସାହିତ୍ୟ, ଏଇଟା ହେଉଛି ଓଡ଼ିଆ ସାହିତ୍ୟର ଆଉ ଏକ ସମସ୍ୟା । ବେଳେବେଳେ ଏଠି ଚତୁର୍ଦିଗକୁ ଦୃଷ୍ଟିପାତ କଲାବେଳେ ମନେ ହୁଏ ସତେ ଯେମିତି ଅଧ୍ୟାପନା ନଥିଲେ ଓଡ଼ିଶାରେ ସାହିତ୍ୟ ହିଁ ହୋଇପାରନ୍ତା ନାହିଁ । ଆମର ଏଇ କଲେଜଗୁଡ଼ାକ ନଥିଲେ ହୁଏତ ଆମ ସାହିତ୍ୟର କୌଣସି ଚର୍ଚ୍ଚା ହିଁ ହୋଇପାରନ୍ତା ନାହିଁ । ଆମ କଲେଜମାନଙ୍କରେ ଅନ୍ୟାନ୍ୟ ନାନା ବିଷୟ ସହିତ ଓଡ଼ିଆ ମଧ୍ୟ ଗୋଟିଏ ବିଷୟ ସହିତ ପଢ଼ାଯାଏ । ଓଡ଼ିଆ କାବ୍ୟ କବିତା, ଉପନ୍ୟାସ, ନାଟକ ଓ ଗଦ୍ୟ ପଦ୍ୟ ମିଶାଇ ଆହୁରି କେତେ କ’ଣ ପଢ଼ାଯାଏ । ନିୟମ ଅନୁସାରେ ଏ ସବୁ ବିଷୟରେ ପରୀକ୍ଷାଦେବାକୁ ପଡ଼େ ଓ ପରୀକ୍ଷାରେ ସଫଳ ହୋଇ ଅଗ୍ରସର ହେବାକୁ ପଡ଼େ । ଏହି ପରୀକ୍ଷାଗୁଡ଼ାକୁ ପିଲାଏ ଯେପରି ଅଳପ ଆୟାସରେ ପାର ହୋଇ ବାହାରି ଯାଇପାରିବେ ସେଥିପାଇଁ ଆମ ଗୁଣବାନ୍ ଅଧ୍ୟାପକମାନେ ସେମାନଙ୍କୁ କେତେମନ୍ତ ସାହାଯ୍ୟ କରିବା ଲାଗି ଆଗଭର ହୋଇଆସନ୍ତି । ପିଲାମାନଙ୍କୁ ପାଠ ପଢ଼ାଇବା ଅପେକ୍ଷା ସେମାନଙ୍କୁ ପରୀକ୍ଷାରେ ପାସ କରାଇବାରେ ହିଁ ହୁଏତ ସେମାନେ ଆପଣାର ସେବାକୁ ଅଧିକତର ଭାବରେ ନିୟୋଜିତ କରି ରଖିଥାନ୍ତି । ସେମାନେ ସାହିତ୍ୟ ସହଚରମାନେ ଲେଖନ୍ତି । ସୁଲଭ ସହଚରଦ୍ଵାରା ସାହିତ୍ୟର ଦୁର୍ଗମପଥକୁ ଅତିକ୍ରମ କରିବାର ବାଟ ବିତାଇ ଦିଅନ୍ତି । ଆପଣାର ତଥା ପିଲାମାନଙ୍କର ଶ୍ରମକୁ ଯଥା ସମ୍ଭବ ଅଧିକ ଲାଘବ କରିପାରିବା ଲାଗି ସେମାନେ ଅନେକ ସମୟରେ ନିଜେ ଲେଖିଥିବା ବହିଗୁଡ଼ାକ ମଧ୍ୟ ପିଲାଙ୍କ ପାଠ୍ୟପୁସ୍ତକ ରୂପେ ମଞ୍ଜୁର କରାଇନିଅନ୍ତି । ଓଡ଼ିଆ ସାହିତ୍ୟ ର ଯେତିକି ଅଂଶ ବା ଯେତିକି ଇଲାକାକୁ ସେମାନେ ନିଜେ ହଜମ କରିଥାନ୍ତେ ପିଲାମାନଙ୍କୁ କେବଳ ସେତିକି ପଢ଼ାଇ ଦିଅନ୍ତି; ଅମଡ଼ା ଓ ଅଦେଖା ଭିତରକୁ ଯିବାଲାଗି ସ୍ଵୟଂ ଡରୁଥାନ୍ତି ଏବଂ ପିଲାମାନଙ୍କୁ ମଧ୍ୟ ସେହି ଗଞ୍ଜଣାରୁ ମୁକ୍ତ ଓ ନିରାପଦ କରି ରଖନ୍ତି । ଓଡ଼ିଆ ସାହିତ୍ୟର କୌଣସିପ୍ରକାର ଆଲୋଚାନା କଲାବେଳେ ମଧ୍ୟ ଏହି ଅଧ୍ୟାପକମାନେ ସତେ ଅବା ସେଇ କଲେଜ ପିଲାଙ୍କ ସକାଶେ ସହଚରମାନେ ଲେଖୁଥିବା ଭଳି ହିଁ କଳ୍ପନା କରୁଥାନ୍ତି । ଓଡ଼ିଶାଯାକର ଅନୁରାଗୀ ପାଠକମାନଙ୍କୁ ସତେଅବା କେଉଁ ପରୀକ୍ଷାରେ ପାସ୍‍ କରାଇଦେବା ଲାଗି ପଣ କରି ବାହାରିଥାନ୍ତି । ଆମର ଅସଲ ଅନୁରାଗଗୁଡ଼ାକୁ ସେମାନେ ଭାଙ୍ଗିଦେବାରେ ହିଁ ଅଧିକ ସାହାଯ୍ୟ କରନ୍ତି, ଆମ ଆଗ୍ରହକୁ ଅଧିକ ତଳକୁ ଖସାଇ ଆଣନ୍ତି । ଆମକୁ ଆପଣାଲାଗି ଗୋଟିଏ ଲୋଚନର ଅନୁଶୀଳନ କରିବାରେ ଆବଶ୍ୟକତା ବିଷୟରେ ଏକାବେଳେ ବିସ୍ମୃତ କରାଇ ରଖନ୍ତି । ଆପଣାର ଆଲୋଚନାଗୁଡ଼ାକ ଆଢ଼ୁଆଳରେ ରହି ଏମାନେ ଆପଣ ଆପଣା ଭିତରେ କେତେ କଜିଆ କରନ୍ତି । କେତେ ବାଦ ଲଗାନ୍ତି, କୌଣସି ଅନ୍ତର୍ଗତ ଅନୁରାଗରେ ପରିଚୟ ଦେବା ପୂର୍ବରୁ ପାରସ୍ପରିକ ଅସୂୟଗୁଡ଼ିକର ହିଁ ପ୍ରଚାରେ କରିବାରେ ଲାଗିଥାନ୍ତି, ଆପଣା ସରକାରୀ ବିଭାଗ ବା ଆପଣା କଲେଜର ବ୍ୟକ୍ତିଗତ ବିବାଦଗୁଡ଼ାକୁ ପଦାରେ ପକାଇ ନିଜେ ହାସ୍ୟାସ୍ପଦ ହୁଅନ୍ତି ଏବଂ ଫଳରେ ବିବାଦଗୁଡ଼ାକ ହିଁ ସଂକ୍ରମଣ ହୁଏ, ଗୋଟାଏ ତୁଠର ବାର୍ତ୍ତାଚାରିଟା ତୁଠକୁ ସଂକ୍ରମିତ ହୋଇଯାଏ, ସାହିତ୍ୟର ସର୍ବବିଧ ଜିଜ୍ଞାସା ଲାଜରା ହୋଇ ଲୁଚିପଳାଏ । ଆମ ଦେଶର ସନ୍ଧିତ୍ସାହୀନ ଶିକ୍ଷାପରି ସନ୍ଧିତ୍ସାହୀନ ସାହିତ୍ୟଟା ମଧ୍ୟ ବଳିୟାନ୍ ହୋଇ ରହିଥାଏ ।

 

ଆମ ଅଧ୍ୟାପକମାନେ ଯେଉଁ କାରଖାନାମାନଙ୍କରେ କାମ କରନ୍ତି, ଯେଉଁଠି କୌଣସି କଳର ପେଚଟାଏ କି କବ୍‍ଜାଟାଏ ହୋଇ ସେମାନେ ସ୍ଵଜୀବନରେ ଫୁଲନ୍ତି ଓ ଫଳନ୍ତି, ସେହି କାରଖାନା ବା କଳର ଅନ୍ତଃରୀତି ଓ ବହିଃରିତିଗୁଡ଼ାକ ଯେ ସେମାନଙ୍କୁ ଅର୍ଥାତ୍ ସେମାନଙ୍କର ଜୀବନଦୃଷ୍ଟି ତଥା ଜୀବନକାଙ୍‍କ୍ଷାକୁ ମଧ୍ୟ ଅଳ୍ପ ବହୁତ ଗ୍ରାସ ନ କରି ଛାଡ଼ି ଦେଉଥିବ, ସେ କଥା କଦାପି କୁହାଯାଇ ପାରିବ ନାହିଁ । ସେହି କାରଖାନାଟି ଭିତରେ ବଡ଼ ଚାକିରିଆ ଥାନ୍ତି ସାନ ଚାକିରିଆ ବି ଥାନ୍ତି । ବଡ଼ ଚାକିରିଆମାନେ ସାନ ଚାକିରିଆମାନଙ୍କ ଉପରେ ଘୋଡ଼ା ଚଢ଼ନ୍ତି; ପ୍ରଫେସର ମାନେ ରିଡ଼ର୍ ବା ଦରପ୍ରଫେସରଙ୍କ ଉପରେ ଘୋଡ଼ା ଚଢ଼ନ୍ତି, ରିଡ଼ରମାନେ ଖାଲି ଲେକ୍‍ଚରମାନଙ୍କ ଉପରେ ଘୋଡ଼ା ଚଢ଼ନ୍ତି ଏବଂ ସମସ୍ତେ ମିଶି ସ୍ନାନାର୍ଥୀ ହୋଇ ଆସିଥିବା ଛାତ୍ରମାନଙ୍କ ଉପରେ ଘୋଡ଼ା ଚଢ଼ନ୍ତି । ଉପର ସମ୍ବନ୍ଧରେ ବଡ଼ମାନେ ସାନମାନଙ୍କୁ ଅବୋଧ ପୁତ୍ର ତୁଲ୍ୟ ବ୍ୟବହାର କରନ୍ତି, ସାନମାନେ ବଡ଼ମାନଙ୍କର ତୋଷାମଦ କରନ୍ତି; ମାତ୍ର ଭିତରେ ସମସ୍ତେ ସମସ୍ତଙ୍କୁ ଭୟ କରନ୍ତି । ସମସ୍ତେ ସମସ୍ତଙ୍କ ପ୍ରତି ଦ୍ଵେଷ ରଖିଥାଆନ୍ତି ଏବଂ ସେହିଭଳି ଏକ ପ୍ରୀତି ଘୃଣାର ସମାହାର ବା ambivalence ଭିତରେ ବିଭାଗ ଚାଲିଥାଏ । ଅଧ୍ୟାପନା ମଧ୍ୟ ଚାଲିଥାଏ । ଛାତ୍ରମାନେ ଗୋରୁପଲ ପରି ଅଡ଼ାହେବାରେ ଲାଗିଥାନ୍ତି । ଗୁରୁପ୍ରସାଦ ଲାଭର ନ୍ୟାୟରେ ସେମାନଙ୍କର ପରୀକ୍ଷାରୂପି ଭାଗ୍ୟର ନିରୂପଣ କରାଯାଏ । କେହି ସେମାନଙ୍କୁ ବିକଶିତ ହୋଇଆସୁଥିବା ମଣିଷପରି ଦେଖେ ନାହିଁ ଏବଂ ପ୍ରୟୋଜନର ତାଡ଼ନାରେ ପଡ଼ି ସ୍ଵୟଂ ସେମାନେ ମଧ୍ୟ ସେମାନଙ୍କ ଭିତରେ କେଉଁଠି କଢ଼ଟିଏ ଫୁଟିବାଲାଗି ଅପେକ୍ଷା କରି ରହିଛି ବୋଲି ଅନୁଭବ କରିବାକୁ ସାହସ ବି କରିପାରନ୍ତି ନାହିଁ । ବଡ଼ ନୈବର୍ତ୍ତିକ ଓ ଲୋଚନହୀନ ଭାବରେ ପଥର ବିଚରଣ ହୁଏ । ଏହାଦ୍ଵାରା ଚାକିରି ମିଳେ, ଚାଲାଖି ବଢ଼େ, ଯୁଗଟାକୁ ଚିତାକାଟି ଚମତ୍କାର ସଫଳତା ହାସଲ କରାଯାଏ ସତ ମାତ୍ର ସାହିତ୍ୟ ହାରିଯାଏ, ଫୁଲବଗିଚା ପଡ଼ିଆ ହୋଇରହେ, ସାହିତ୍ୟକୁ ନେଇ ସାମନ୍ତଗିରି କରିବାଟା ପ୍ରାୟ ବଂଶାନୁଗତ ହୋଇଯାଏ । ସାହିତ୍ୟ ଆଉ କୌଣସି ନୂତନ ଗବାକ୍ଷ ଖୋଲି ପାରେନାହିଁ, ଏକ ଦାମ୍ଭିକ ତୁଚ୍ଛ ବିଳାସରେ ପରିଣତ ହୋଇ ରହେ । ଆପଣା ଅନ୍ନଗତତା, ଅଳ୍ପାୟତନତା ଏବଂ ଅହଂକାମିତା’ର ଦାସମାନେ କେବେହେଲେ କିଛି ସୃଷ୍ଟି କରିପାରନ୍ତି ନାହିଁ । ଆମ ଓଡ଼ିଆ ସାହିତ୍ୟରେ ବର୍ତ୍ତମାନ ଯେଉଁ ଦୁର୍ଗତିଟା ସାର ହୋଇ ରହିଛି କ୍ରମେ ସେଇଟା ହିଁ ଅଭ୍ୟାସରେ ପଡ଼ିଯାଏ ।

 

ସାହିତ୍ୟ ପଢ଼ିବା ଏବଂ ସାହିତ୍ୟ ପଢ଼ାଇବା ଆମ ଦେଶର ଯେଉଁଭଳି ଏକ ଶିକ୍ଷା ପଦ୍ଧତିରେ ଅନ୍ତର୍ଗତ ହୋଇରହିଛି; ଶିକ୍ଷାବିତ୍‍ମାନଙ୍କ ମତରେ ସେଥିରୁ ଶିକ୍ଷା ଅପେକ୍ଷା ଅପଶିକ୍ଷାଟା ହିଁ ଅଧିକ ପରିମାଣରେ ଉପୁଜିବାରେ ଲାଗୁଛି । ଏହି ଶିକ୍ଷା ମଣିଷର ସୃଷ୍ଟିଶୀଳତାକୁ ମାରି ଦେଇଛି-। ମଣିଷ ଭିତରେ ନୂତନ ପିପାସାକୁ ମାରି ଦେଉଛି । ଆପଣାକୁ ସତେଅବା ଏକ ଯାନ୍ତ୍ରିକ ବୋଲକରା ଜୀବ ବୋଲି ବିଚାର କରିବାଲାଗି ତାକୁ ନିୟତ ପ୍ରରୋଚନା ଦେବାରେ ଲାଗିଛି-। ସେଇ ଅପଶିକ୍ଷାର ଧନ୍ଦାକୁ ଯେଉଁମାନେ ପରିପୂର୍ଣ୍ଣ ସନ୍ତର୍ପଣରେ ଚାଲୁ ରଖିବାକୁ ହିଁ ଆପଣା ଜୀବନର ଧନ୍ଦାବୋଲି ଗ୍ରହଣ କରୁଛନ୍ତି, ସେମାନଙ୍କର ନିଜର ସୃଷ୍ଟିଧର୍ମୀ ଆକୃତିଗୁଡ଼ାକ ମଧ୍ୟ କ୍ରମେ ଖତରା ହୋଇଯାଉଛି । ଏବଂ ଯେଉଁ ସାହିତ୍ୟରେ ଏହିମାନଙ୍କର ହିଁ ପ୍ରାଦୁର୍ଭାବଟା ଏକ ବ୍ୟାଧି ପ୍ରମାଣ ମାଡ଼ି ରହିଛି, ସେହି ସାହିତ୍ୟର ଅନେକ ସମ୍ଭାବନା ତଥା ଅନେକ ସାହିତ୍ୟିକତା’ର ଦ୍ଵାରା ତଦ୍ୱାରା କେବଳ ଅବରୁଦ୍ଧ ହିଁ ହୋଇ ରହିଛି । ତେଣିକାର ଅନେକ ବ୍ୟାଧି ଏଠି ସାହିତ୍ୟର ସ୍ଵଭାବଧର୍ମଟିକୁ ମଧ୍ୟ ଗ୍ରାସ କରି ରହିଛି, ତେଣିକାର କେତେ ଟଣା ଘୋଷରା, କେତେ ବାଦବିବାଦ ଏବଂ କେତେ ଅହଂକାର ତଥା ପରଶ୍ରୀକାତରତା ଏଠି ସାହିତ୍ୟ ମଧ୍ୟରେ ବି ଆସି ପଶିଯାଇଛି-। ଆମ ସାହିତ୍ୟରେ ତାହା ଅନେକପ୍ରକାର ଦୂରତା ସୃଷ୍ଟି କରିଛି, ଅନେକ ଜାତିଗତ ସ୍ପୃଶ୍ୟା ସ୍ପୃଶ୍ୟତାକୁ ପ୍ରଶୟ ଦେଇଛି । ସାହିତ୍ୟର କ୍ଷେତ୍ରରେ ଅନେକ ଆରୋହଣକୁ ଭଣ୍ଡୁର କରି ରଖିଛି-। ଆମ ସାହିତ୍ୟ ଗତ ଅନେକ ସମ୍ମିଳନୀକୁ ରସଶୁଷ୍କ ଓ ଆସ୍ପୃହାବର୍ଜିତ କରି ରଖିଛି । ଆପଣା କଲେଜରେ ଆପଣାର ପଦ ଅନୁସାରେ ସାହିତ୍ୟ ଭିତରେ ମଧ୍ୟ ଆପଣାଲାଗି ତଦନୁରୂପ ଏକ ପଦ ଦାବି କରିବାକୁ ଯାଇ ଅଧ୍ୟାପକ ସାହିତ୍ୟକ୍ଷେତ୍ରରେ ଅନେକ ଅରାଜକତା’ର କାରଣ ହେଉଛି, ଅନେକ ପ୍ରକାରର ଅନ୍ୟ ଆଗ୍ରହକୁ ସାହିତ୍ୟ ଭିତରକୁ ଡାକି ନେଇ ଆସୁଛି ।

 

ଆମ ଦେଶରେ ଜନ୍ମ ହୋଇଥିବା ଏପରି ଅନେକ ଡାକ୍ତର, ଇଞ୍ଜିନିୟର ତଥା ଅନ୍ୟାନ୍ୟ ବିଶେଷବିତ୍ ବ୍ୟକ୍ତିମାନେ ଅଛନ୍ତି, ଯେଉଁମାନେ କି ନାନାକାରଣରୁ ଦେଶ ଛାଡ଼ି ବାହାରକୁ ଚାଲିଯାଇଛନ୍ତି । ଆପଣାର ପିଲାଦିନେ ଏମାନେ ଏଇଠି ମଣିଷ ହୋଇଥିଲେ, ସାନରୁ ବଡ଼ ହେବାପାଇଁ ଏମାନଙ୍କର ଆଖି ପ୍ରଥମେ ଏହି ଦେଶରେ ହିଁ ଫିଟିଥିଲା । ମାତ୍ର ବଡ଼ ହୋଇ ଏମାନେ ଆପଣାର ଭୂଇଁଟିକୁ ଛାଡ଼ି ଅନ୍ୟ ଭୂମି ଲୋଡ଼ିଲେ । ଭାରତ ଛାଡ଼ି ଆମେରିକା ଗଲେ, ବିଲାତ ଗଲେ, କାନାଡ଼ା ଗଲେ ବା ଜର୍ମାନୀ ଗଲେ । ସେଇଠି ଆହୁରି ବଡ଼ ଗଲେ, ବଡ଼ ଚାକିରି କରି ବେଶୀ ପଇସା ପାଇଲେ, କିଛି ନଥିବା ବା କିଛି ସମ୍ଭବ ହେଉନଥିବା ଏହି ଦେଶଟାକୁ ଛାଡ଼ି ସେସବୁ ଦେଶକୁ ଚାଲି ଯାଇଥିବାରୁ ସେମାନେ ଆପଣାର ଭାଗ୍ୟକୁ ଧନ୍ୟବାଦ ଦେଲେ । ଓଡ଼ିଶାରୁ ମଧ୍ୟ ଏହିଭଳି ଅନେକ କୁଶଳୀ ବ୍ୟକ୍ତି ବିଲାତ ଓ ଆମେରିକା ଯାଇଛନ୍ତି । ସେଠାରେ ଉଚ୍ଚତର ଶିକ୍ଷା ଅର୍ଜନ କରିବାକୁ ଯାଇ ସିଆଡ଼େ ରହି ଯାଇଛନ୍ତି । ଏଠି କିଛି ହୋଇ ରହିପାରିବ ନାହିଁ ବୋଲି ଜାଣି ଆପଣାକୁ ଗୋଟାସୁଦ୍ଧା ସିଆଡ଼ର ଦୀକ୍ଷାରେ ଦୀକ୍ଷିତ କରାଇ ନେଇଛନ୍ତି । ଏମାନେ ଯେତେବେଳେ ମଝିରେ ମଝିରେ ଓଡ଼ିଶା ଆସନ୍ତି, କିଛି ଦିନ ସକାଶେ ଘରେ ସଙ୍ଖୋଳି ଆସନ୍ତି, ସେତେବେଳେ ଏଠି ଏମାନଙ୍କର କଥା ଖବରକାଗଜରେ ବାହାରେ । ଏମାନଙ୍କର ଫଟୋ ବାହାରେ । ଏମାନଙ୍କୁ ଓଡ଼ିଶାର ଗୌରବ ବୋଲି ବର୍ଣ୍ଣନା କରାଯାଏ; ଏମାନେ ଯାହା କରିଛନ୍ତି ତାହାକୁ ଜଣେ ଓଡ଼ିଆର କୃତିତ୍ଵ ବୋଲି କହି ଗର୍ବ ଅନୁଭବ କରାଯାଏ । ଏମାନେ କାହାର ପୁଅ, କାହାର ନାତି ବା କାହାର ଜାମାତା ବୋଲି ମଧ୍ୟ ଲେଖି ଦିଆଯାଇଥାଏ । ପଳାତକକୁ ତଥାପି ଆପଣାର ଗୌରବ ବୋଲି କହିବାରେ ଏହି ରୀତିଟିକୁ ଆମେ ଆମର ଏକ ସଂପୂର୍ଣ୍ଣ ସ୍ଵକୀୟ ଏବଂ ଅନନ୍ୟ ରୀତି ବୋଲି କହିବା । ଓଡ଼ିଶାର ସାଂପ୍ରତିକ ସାହିତ୍ୟରେ ମଧ୍ୟ ଠିକ୍ ସେହିପରି ଏକ ପଳାତକତା ବା କ୍ରମେ ପ୍ରବଳ ହୋଇ ଉଠିବାକୁ ଆରମ୍ଭ କରିଛି । ଯାହାକୁ କି ଆମେ ବେଶ୍ ଗୋଟିଏ ସମସ୍ୟା ବୋଲି କହିପାରିବା ।

 

ଆଧୁନିକତା କହିଲେ ମୂଳତଃ କୌଣସିପ୍ରକାରର ଆଧୁନିକ ଜୀବନ ଦୃଷ୍ଟି ଅର୍ଜନ କରିବାକୁ ଆବଶ୍ୟକ ବୋଲି ନସମ୍‍ଝି ଯେଉଁମାନେ ଖାଲି ଅନୁକରଣ ଏବଂ ଅନୁମଣ୍ଡନ ଦ୍ଵାରା ଆପଣାକୁ ନେଇ ଆଧୁନିକ କରିବାର ଫନ୍ଦି ଭିତରେ ପଡ଼ିଯାଆନ୍ତି, ସେମାନେ ଯେକୌଣସି ଭାଷା, ଭୂମି ଏବଂ ସାହିତ୍ୟ ଲାଗି ଅନେକ ସମୟରେ ଏକ ସମସ୍ୟା ହୋଇ ଠିଆ ହୁଅନ୍ତି । ସେମାନେ ବସ୍ତୁତଃ ଆଧୁନିକ ହୋଇପାରନ୍ତି ନାହିଁ କିମ୍ବା ସାଂପ୍ରତିକ ବି ହୋଇପାରନ୍ତିନାହିଁ । କାରଣ ଯେଉଁ ଭୂମି ଉପରେ ଠିଆହୋଇ ସେମାନେ ସାହିତ୍ୟ କରନ୍ତି, ସେହି ଭୂମିର ସାଂପ୍ରତିକ ସ୍ଥିତିଟି ସହିତ ସେମାନଙ୍କ ପ୍ରାୟ କୌଣସି ଚେର ଲାଗିନଥାଏ । କୌଣସି ପ୍ରକାରେ ଆନ୍ତରିକତା ଅର୍ଜନ କରିବାର ଉଦ୍ୟମ କରିବା ପୂର୍ବରୁ ଏମାନେ ଆନ୍ତର୍ଜାତିକ ହେବାରେ ବିଡ଼ମ୍ୱନ ଭିତରେ ପଡ଼ିଯାଇଥାନ୍ତି । ଅନ୍ଧ ଦେଶରେ ଭଳି ଭଳି ବିଲାତି ଦର୍ପଣ ବିକି ବାହାରନ୍ତି, ଅର୍ଥାତ୍ ଏଠି ଆମ ସମସ୍ତଙ୍କୁ ଅନ୍ଧ କରି ରଖିଥାନ୍ତି । ସେମାନେ ସିଆଡ଼ୁ ଶୈଳୀ ଆଣନ୍ତି, ସିଆଡ଼ୁ ଭାଷା ଆଣନ୍ତି, ସିଆଡ଼ର ଛନ୍ଦ, ଯମକ ଓ ଭାବର ତିଅଣ ମାଗିଆଣି କେତେ ନୂଆ କବିତା, ନୂଆ ଗପ ଓ ନୂଆ ନାଟକର ଅବତା’ରଣା କରନ୍ତି-। ସିଆଡ଼େ ଯାହା ସବୁ ହୋଇଛି ବା ହେଉଛି, ଆମର ଏଠାକୁ ମଧ୍ୟ ସେଗୁଡ଼ାକୁ ବୋହି ଆଣି ଏଠାରେ ଅବସ୍ଥାପିତ କରାଇ ପାରୁଛନ୍ତି ବୋଲି ସେମାନେ ଭାରି ପୁଲକ ଅନୁଭବ କରନ୍ତି, ସେଇଟାକୁ ସେମାନେ ଆପଣାର ସବୁଠାରୁ ବଡ଼ ଅଭିକ୍ରମ ବୋଲି ଧରି ନିଅନ୍ତି-। ଗହଣା ଓ ଭରଣାଗୁଡ଼ିକ ସହିତ ଅନେକ ସମୟରେ ବୋହୁ ମଧ୍ୟ ସିଆଡ଼ୁ ପସନ୍ଦ ହୋଇ ଆସୁଥାଏ-। ଅର୍ଥାତ୍ ସାହିତ୍ୟର ଆଙ୍ଗିକ ସହିତ ଆତ୍ମିକ ଅର୍ଥାତ୍ ସର୍ବମୂଳ ବକ୍ତବ୍ୟଟି ମଧ୍ୟ ସିଆଡ଼ୁ ଆସିଥାଏ-। ବିଲାତ ଓ ଆମେରିକାର ଅବକ୍ଷୟ, ଅନାବଶ୍ୟକ, ବିସମ୍ବାଦକୁ ସେମାନେ ଏଠି ଆମ ସାହିତ୍ୟଟା ଉପରେ ଆଣି ଲଦି ଦିଅନ୍ତି । ଆମର ଏଠି ଚହଳଟାକୁ ହିଁ ପରମସତ୍ୟ ବୋଲି ଗ୍ରହଣ କରି ନ ନେଲେ ବିଲାତ ବା ଆମେରିକାର ସେର ମାଣ ଅନୁସାରେ ଆମକୁ କେହି କଦାପି ଆଧୁନିକ ବୋଲି କହିବ ନାହିଁ ବୋଲି ସେମାନେ କେଡ଼େ ଉତ୍ସାହରେ କହିବାରେ ଲାଗିଥାନ୍ତି । ଏଠି ଯେ ପବ ପବ କରି ଆପଣାର ଭୂଇଁଟିକୁ ତିଆରି କରିବାର ଏକ ଆହ୍ଵାନ ରହିଛି, ଆଗ ଆପଣାର ଘରଟିଏ ତିଆରି କରି ସେହି ଘରର ଝରକା ବାଟେ ହିଁ ବାହାରର ସବୁ ପବନକୁ ଭିତରକୁ ଆମନ୍ତ୍ରଣ କରାଯାଇ ପାରିବାର ଯେ ଏକ ସୁସ୍ଥ ଓ ସ୍ଵାଭାବିକ ରୀତି ରହିଛି, ଏକଥା ସେମାନେ ମୋଟେ ଶୁଣିବାକୁ ଚାହାନ୍ତି ନାହିଁ-। ଏମାନେ ଏହି ଭୂମିରୁ ପଳାଇଯାଇ ତଥାପି ଏହି ଭୂମିର ଗୌରବ ହୋଇ ରହିବାର ଦାବି କରନ୍ତି, ହିରୋ ହେବାର ଉଚ୍ଚ ଆଶା ଧରି ବସିଥାନ୍ତି । ଆପଣା ଆପଣା ଭିତରେ ସଭା ମଣ୍ଡାଇ ସେମାନେ ଆପଣା ଆପଣାର ପ୍ରଶସ୍ତି ଗାନ କରନ୍ତି, ପରସ୍ପରର ପ୍ରଚାର ଧର୍ମୀ ଆଲୋଚନାମାନ ଖବର କାଗଜ ଲେଖି ପଠାନ୍ତି ଏବଂ ଓଡ଼ିଆ ସାହିତ୍ୟରେ ପୁରୁଣା ଆଊ ମସିହା ଅନେକ ପରମ୍ପରାକୁ ଭାଙ୍ଗି ତାହାକୁ ଏକ ନୂତନ ମୋଡ଼ ଏବଂ ଏକାବେଳେକେ ଏକ ନୂତନ ଭାଙ୍ଗ ଦେଇ ଗୋଟାସୁଦ୍ଧା କୃତ୍ୟକୃତ୍ୟ କରିଦେଲେ ବୋଲି ଦମ୍ଭୋକ୍ତିମାନ କରୁଥାନ୍ତି । ଶୈଳୀ, ଶବ୍ଦବସାଣର କୌଶଳ (ଯାହାକୁ ଅନେକ ସମୟରେ ଚିତ୍ରକଳ୍ପର ନୂତନ ପରୀକ୍ଷା ବୋଲି ଦାବି କରାଯାଇଥାଏ) ଏବଂ ଦୃଷ୍ଟିବର୍ଜିତ କେତେଟା ପ୍ରୟୋଗ ବିଷୟରେ ଏହିପରି ଦମ୍ଭୋକ୍ତିକୁ ହିଁ ସେମାନେ ସାହିତ୍ୟରେ ନୂତନ ସମୀକ୍ଷା ବୋଲି ପ୍ରତ୍ୟକ୍ଷ ଦେବାକୁ ଚେଷ୍ଟା କରୁଥାନ୍ତି ।

 

ଆପଣାର ଲେଖାଗୁଡ଼ାକୁ ଯେତେ ଶୀଘ୍ର ସମ୍ଭବ ଇଂରାଜୀରେ ଉତୁରାଇ ଦେବାଲାଗି ଏମାନେ ସତତ ଉଦବ୍ୟଗ୍ର ହୋଇ ରହିଥାନ୍ତି । ଓଡ଼ିଶାରେ କେହି ସେ ସବୁକୁ ପଢ଼ିଲେ ବା ସମଝିଲେ କି ନାହିଁ, ସେ ବିଷୟରେ କୌଣସି ଖବର ନରଖି ସେମାନେ ଆଗ ଆପଣାକୁ ଇଂରାଜୀ ବଜାରରେ ଚାଲୁ କରିଦେବାକୁ ଏବଂ ମୁକ୍ତି ପାଇଯିବାକୁ ହିଁ ଜୀବନର ଏକ ଖାସ୍ ସାର୍ଥକତା ବୋଲି ଧରି ନେଇଥାନ୍ତି ଏବଂ ସେହି ଇଂରାଜୀବଜାରରୁ ପ୍ରଖ୍ୟାତି ଲାଭ କରିପାରିଲେ ଏଠାରେ ସମସ୍ତେ ସେମାନଙ୍କୁ ଅଲବତ୍ ସ୍ୱୀକୃତି ଦେବେ ଓ ଓଡ଼ିଆ ସାହିତ୍ୟର ଗୌରବ ବୋଲି କହିବେ ବୋଲି ଆଣ୍ଟ କରି ବସିଥାନ୍ତି । ଇଂରେଜ ଶାସନ ଅମଳରେ ଇଂରାଜୀଭାଷାକୁ ନେଇ ସୃଷ୍ଟି କରାଯାଉଥିବା ଅନେକ ଅନ୍ଧ ବିଶ୍ଵାସ ଓ ଅରସିକ ମୋହରୁ ଫାଇଦା ଉଠାଇ ଏମାନେ ଏଭଳି କଳ୍ପନା କରିଥାନ୍ତି । ଆପଣାର ଗୌରବ ଲାଭକୁ ଦ୍ରୁତତର କରିବା ଲାଗି ଏମାନେ ଅନେକ ସମୟରେ ସିଧା ଇଂରାଜୀରେ ଲେଖନ୍ତି । ଏଠି ଘରେ କାହା ଆଗରେ ଚିହ୍ନାଦେବା ଆଗରୁ ଆପଣାର ଫଟୋଟିକୁ ସିଧା ବିଦେଶୀ ଚଉପାଢ଼ିକୁ ପଠାଇ ଦିଅନ୍ତି । ଓଡ଼ିଶା ବା ଭାରତ ବାହାରେ ଏବଂ ବିଶେଷତଃ ବିଲାତରେ ବା ଆମେରିକାରେ କିଏ ଆଗ ଏକ ବିଦେଶୀ ଭାଷାରେ ସାହିତ୍ୟ ଲେଖେ ଓ ସେହି ବିଦେଶରୁ ମୂଲହୋଇ ଘରକୁ ଆସେ ଓ ଘରର ଗୌରବ ବଢ଼ାଏ । ସାହିତ୍ୟ ଜଗତରେ ହିସାବ ରଖୁଥିବା ଗଣକମାନେ ଆମକୁ ହୁଏ ତ ସେ କଥାଟିର ବି ହିସାବ ଦେଇପାରିବେ । ମାତ୍ର ଏପରି ଏକ ପ୍ରବୃତି ଦ୍ଵାରା ଆମର ଏହି ସାନ ଘରଟିରେ ଅନେକ ଅସ୍ଵାଭାବିକତାକୁ ପ୍ରଶୟ ଦିଆଯାଏ, ଏହି ଘର ଭିତରେ ବି ଘର ଉଦାସ ହୋଇ ରହିବାର ଅପସଉକଟାକୁ ଅନେକ ଉଦ୍ଧତ ହେବାର ଅବକାଶ ମିଳେ । ଏଇଟାକୁ ହିଁ ଆଧୁନିକତା ବୋଲି ପ୍ରଘଟ କରି ଦିଆଯାଏ, ଅସଲ ଆଧୁନିକତା ତଥା ଅସଲ ଆନ୍ତରିକତା’ର ବେକ ମୋଡ଼ି ଦିଆଯାଏ । ସାହିତ୍ୟ ମଧ୍ୟରେ ନାନାପ୍ରକାର ବିଚ୍ଛିନ୍ନତା ଆସି ପହଞ୍ଚେ, ତେଣୁ ସାହିତ୍ୟିକ ନିବେଦନର କ୍ଷେତ୍ରରେ ଅନେକ ପ୍ରମଦା ବି ଆସି ପହଞ୍ଚେ । ଅନାବଶ୍ୟକ ଭାବରେ ଅନେକ ଅବଜ୍ଞା, ଅନେକ ଅସୂୟା ଏବଂ ଅନେକ ଦୂରତା ଆସି ପହଞ୍ଚେ, ଅନେକ ଅନ୍ୟ ପ୍ରେରଣା ଆସି ସାହିତ୍ୟର ଅସଲ ପ୍ରେରଣାଗୁଡ଼ାକୁ ମୁଣ୍ଡା ଓ ଦନ୍ଥଡ଼ା କରିପକାଏ ।

 

ତେଣୁ ସମଗ୍ର ଭାବରେ ବିଚାର କଲେ ଆମ ସାହିତ୍ୟର ସର୍ବମୂଳ ସମସ୍ୟାଟି ହେଉଛି ଚେତନାର ଏକ ସମସ୍ୟା, ଚେତନାର ସ୍ତରଟିକୁ ସମ୍ପ୍ରସାରିତ କରିବାର ସମସ୍ୟା । ଏପର୍ଯ୍ୟନ୍ତ ଚେତନାର ଯେଉଁ ସ୍ତରରେ ରହି ଆମେ ସାହିତ୍ୟର ଯାବତୀୟ କାରବାର କରି ଆସିଚୁ, ସେହି ସ୍ତରଟିରେ ଏକ ପରିବର୍ତ୍ତନ, ଅର୍ଥାତ୍ ଏକ ଉତ୍‍କ୍ରମଣ ଘଟାଇବାରେ ସମସ୍ୟା । ନାନାକାରଣରୁ ଅଥବା ନାନା ପ୍ରଲୋଭନରେ ପଡ଼ି ଆମେ ଆପଣାକୁ ସେହି ଉତ୍‍କ୍ରମଣ ପରିବର୍ତ୍ତନ ଲାଗି ପ୍ରସ୍ତୁତ କରି ପାରୁନାହିଁ ବୋଲି ସତେଅବା ଆପଣାର ସେହି ଅସଲ ଲଜ୍ଜା ଓ ଗ୍ଳାନିଟିକୁ ଭୁଲି ରହିବା ସକାଶେ ଆମେ ଅସହିଷ୍ଣୁ ହେଉଛୁ । ପୁରସ୍କାର ପଛରେ ଆତୁର ହୋଇ ଧାଉଁଛୁ, କ୍ଷମତାସ୍ଥମାନଙ୍କର ଗୋଡ଼ାଣିଆ ହୋଇ ଇଜ୍ଜତ ହରାଉଛୁ, ମିଛ ଆଧୁନିକତା’ର ବାଣମାରି ଓ ଭାଣ ଦେଖାଇ ମିଛ ନିଶଦାଢ଼ି ଲଗାଇ ବାହାରୁଛୁ । ଆପଣା ଜୀବନଟାକୁ ଓ ଆପଣାର ଆକୃତିଗୁଡ଼ାକୁ ଆମେ ଯେଉଁ ସ୍ତରରେ ବାଡ଼ ଦେଇ ରଖିବାରେ ଅଭ୍ୟସ୍ତ ରହି ଆସିଛୁ, ସେହି ସ୍ତରରେ ଏକ ଉତ୍ତୋରତ୍ତୋର ଉତ୍ତୋଳନ ଲାଗି ଆମର ଜୀବନରେ ଏକ ସତତ ପ୍ରୟାସ ଲାଗି ରହିଥିଲେ ଆମେ ଆପଣା ଜୀବନରେ ଓ ଆମେ ସାହିତ୍ୟରେ ଆମର ବାଟକୁ ଘୁଙ୍ଘାଳି ରଖିଥିବା ଅନେକ ସମସ୍ୟାକୁ ହୁଏତ କାଟିଦେଇ ବାହାରି ଯାଇପାରନ୍ତେ । ଆମର ସମ୍ୱନ୍ଧ, ସାହଚର୍ଯ୍ୟ ଏବଂ ସହାନୁଭୂତିରେ କ୍ଷେତ୍ରରେ ଆମେ ବର୍ତ୍ତମାନ ଆପଣାର ଜୀବନକୁ ଯେତିକି ବଡ଼ ଆୟତନଟିଏ ବୋଲି ସଂସ୍କାର ପ୍ରବୃତ୍ତଭାବରେ ଗ୍ରହଣ କରି ନେଉଛୁ ତାହାକୁ ଉତ୍ତରତ୍ତୋର ଅଧିକ ବ୍ୟାପ୍ତି ଓ ଅଧିକ ପ୍ରସାରଣ ଦେବାଲାଗି ଆମ ଭିତରେ ଏକ ନିତ୍ୟପ୍ରୟାସ ଜାରି ରହିଥିଲେ ଆମେ ଆମର ଅନେକ ସମସ୍ୟାକୁ ଅତିକ୍ରମ କରି ଯାଇପାରନ୍ତେ, ଆହୁରି ଅନେକ ସମ୍ଭାବନା ଲାଗି ବାଟ ଫିଟାଇ ଦେଇପାରନ୍ତେ, ବୃହତ୍ତର ଜୀବନ ଏବଂ ବୃହତ୍ତର ମନୁଷ୍ୟ-ସଂସାର ସହିତ ଆହୁରି କେତେକେତେ ଅନୁରାଗରେ ସେତୁ ବାନ୍ଧି ପାରିବା ଲାଗି ଅଧିକ ସାହସୀ ହୋଇପାରନ୍ତେ । ଆମର ଜୀବନ-ସୃଜନ ଓ ସାହିତ୍ୟ-ସର୍ଜନା ମଧ୍ୟରେ ବର୍ତ୍ତମାନ ବଳବତ୍ତର ରହିଥିବା ଦୂରତାଗୁଡ଼ିକୁ ସେତେବେଳେ ଅନେକ କମ୍ ହୋଇଯାଆନ୍ତା । ମଣିଷଗୁଡ଼ାକ ମୋଟେ ଗନ୍ଧାନ୍ତେ ନାହିଁ, ଦେଶଟାକୁ କେବଳ କେତେକ ଭାଗ୍ୟବନ୍ତଙ୍କ ସକାଶେ ଏକ ହୃଦୟ ଶୂନ୍ୟ ବିଳାସ ଘରେ କରି ରଖିବାକୁ ସେତେବେଳେ ଆଉ କୌଣସି ଖଳ ଆଗ୍ରହ ଆମର ବିବେକଗୁଡ଼ାକୁ କଦାପି ଗ୍ରାସ କରି ରହନ୍ତା ନାହିଁ । ଏ ସବୁ ହୁଅନ୍ତା, ଯଦି ଆମେ ଅନ୍ତଲୋର୍କକୁ ହିଁ ସର୍ବୋଚ୍ଚ ବୁଦ୍ଧି ବୋଲି ଆଦରି ପାରନ୍ତେ ।

 

'ମଣିଷମାନଙ୍କର କାହାରି ଭିତରେ କୌଣସି ତୃଷା ନାହିଁ, ସମସ୍ତେ କେବଳ ପିଇକରି ମତ୍ତ ହୋଇ ବସିଛନ୍ତି’ - ମିଶର ସଭ୍ୟତା’ର ଅତି ପ୍ରାଚୀନକାଳର ଏକ ପୋଥିରେ ଏହିପରି ଗୋଟିଏ ଉକ୍ତି ଲିପିବଦ୍ଧ ହୋଇରହିଛି । ଆଜି ମଧ୍ୟ ଆମେ ସତେ ଅବା ଠିକ୍ ସେହିପରି ପିଇ କରି ମତ୍ତ ହୋଇ ବସିଛୁ । କେତେ କ’ଣ ପିଇ କେତେପ୍ରକାରେ ଉନ୍ମତ୍ତ ହୋଇ ବସିଛୁ । କିଏ କ୍ଷମତା ପାଇଛି କିଏ ପଇସା ପିଇଛି, କିଏ ସାନ ଥାଇ ତଥାପି ବଡ଼ ହୋଇ ଦିଶିବାର ଜିଦ୍‍ଗୁଡ଼ାକ ପିଇ ଦୁଃଶାସନ ହୋଇ ବାହାରିଛି, କିଏ ଅଧିକ ବୟସରେ, ଅଧିକ ଖ୍ୟାତିର କିମ୍ବା ଅଧିକ ସ୍ୱୀକୃତିର କେତେ ମଦପିଇ ଆମ ଦାଣ୍ଡରେ କେତେପ୍ରକାର ମାତଲାମି କରୁଛି । କିଏ ରାଜନୀତିର ମଦ ପିଉଛି, ଭୋଟ ଲଢ଼ୁଛି ଓ ଭୋଟ ଜିତିଛୁ ଏବଂ ଆମ ଘରଟାକୁ କେତେପ୍ରକାରର ଦୁର୍ଗନ୍ଧରେ ବଡ଼ ଉତ୍କଟ କରି ରଖିଛି । କିଏ ଜାତୀୟତା’ର ମଦ ପିଇଛି, ଜଗନ୍ନାଥ ମହାପ୍ରଭୁଙ୍କୁ ମଦ ଠେକି ପରି ବ୍ୟବହାର କରୁଛି, ଜାତିଗତ ଓ ପ୍ରାନ୍ତଗତ ବିଚ୍ଛିନ୍ନତାକୁ ଏକ ଧର୍ମ ର ପୁଟ ଦେଇ ସେ ଆମ ସମସ୍ତଙ୍କର ଚେତନାକୁ ଏଇଠି ଏତିକି ଭିତରେ କିଳି ରଖିବାଲାଗି ଭାରି ପ୍ରୋତ୍ସାହନ ଦେଉଛି । ଆମ ଆରୋହଣର ବାଟଟାକୁ ବଣା କରି ରଖିଛି । କିନ୍ତୁ ତୃଷା କାହିଁ ? ଆହୁରି ଅଧିକ ସଖ୍ୟ ଓ ସମ୍ମିଳନୀର ବା ତୃଷା କାହିଁ ? ଅତ୍ୟନ୍ତ ବିଚାର ଶୂନ୍ୟଭାବରେ ଆମେ ସତ୍ୟ ବୋଲି ମାନି ନେଇଥିବା ଏହି ବିଜ୍ଞାପନ ଗୁଡ଼ାକ ସତେଅବା ଆମର ସକଳ ତୃଷାକୁ ଦାବି କରି ରଖିଛି । ଆମର ସାହିତ୍ୟ ଆମକୁ ପୁରସ୍କାର ନଦେଉ ପଛକେ, ଆମ ଭିତର ଏହି ତୃଷାଗୁଡ଼ାକୁ ହିଁ ସଂଜୀବିତ କରି ରଖିଥାଉ । ଚେତନାର ଅଭିବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଆମ ଆତ୍ମୀୟତା’ର ଆୟତନଗୁଡ଼ାକରେ ମଧ୍ୟ ଏକ ଅଭିବୃଦ୍ଧି ଘଟିଥାଏ, ଆମ ଜୀବନରେ ମଧ୍ୟ ଏକ ଉତ୍ତୋଳନ ବା ରୂପାନ୍ତର ଘଟିଥାଏ । ଯାହା ଆଜି ଆମଲାଗି ଆଦର୍ଶ ହୋଇ ରହିଛି, ସେସବୁ କ୍ରମେ ଜୀବନର ଗୋଟିଏ ଗୋଟିଏ ଉପଲବ୍ଧି ସତ୍ୟରୂପେ ଅନୁଭୂତ ହୋଇ ଆସୁଥାଏ । ଚେତନାର ଏହି ଅବିବୃଦ୍ଧି ହିଁ ଆମ ସାହିତ୍ୟର ସର୍ବପ୍ରଧାନ କଷଟି ହୋଇ ରହୁ । ଏହି ଦୃଷ୍ଟିରୁ ସାହିତ୍ୟିକ ମଧ୍ୟ ଆମେ ଏକ ସାଧନା ବୋଲି କହିପାରିବା । ସାହିତ୍ୟ ହେଉଛି ଚେତନାକୁ ଉତ୍ତୋଳିତ କରିନେବାର ସାଧନା । ଶ୍ରୀ ଅରବିନ୍ଦଙ୍କର ଭାଷାରେ କହିଲେ, ଏହା ହେଉଛି ଏକ ମନ୍ତ୍ରର ସାଧନା । ମନ୍ତ୍ରକୁ ସିଦ୍ଧ କରିବାକୁ ହୁଏ, ମନ୍ତ୍ରକୁ ଦେଖି ପାରିବାକୁ ହୁଏ, ଆମର ଆକୃତିମୟ ଏହି ଜୀବନର ଏକ ପ୍ରେରକରେ ପରିଣତ କରିଦେବାକୁ ହୁଏ । ସେତେବେଳେ ସାହିତ୍ୟର ଡେଣା ଧରି ଜୀବନରୁ ଖସି ପଳାଇବା ଲାଗି ଆଉ କୌଣସି ଆବଶ୍ୟକତା ରହିବ ନାହିଁ । ପଳାୟନ ପରତା’ର ଫିସାଦଗୁଡ଼ାକ ଆପଣାଛାଏଁ ତଳକୁ ଖସି ପଡ଼େ ।

 

ଓଡ଼ିଶାରେ ସ୍ଵାଧୀନତାକାଂକ୍ଷାର ପ୍ରଥମ ପ୍ରାଣୋତ୍ସାହର ସଂଚାର କରିଥିବା ଉତ୍କଳର ମଣି ଗୋପବନ୍ଧୁ ଦାସ ସେତେବେଳେ 'ଆଧ୍ୟାତ୍ମିକ ଭାବରେ ଲାଗିଛି ଲଢ଼ାଇ, ଭାଙ୍ଗିବାକୁ ପଶୁବଳର ବଡ଼ାଇ, ବୋଲି ଗାଇଥିଲେ । ସେତେବେଳେ ଭାରତବର୍ଷରେ ତାହା ହିଁ ସଂଗ୍ରାମର ସର୍ବମୂଳ ଉତପ୍ରେରକ ହୋଇ ରହିଥିଲା । ବର୍ତ୍ତମାନ ସତେଅବା ଠିକ୍ ଓଲଟା ସଂଗ୍ରାମଟା ଚାଲିଛି, ସତେଅବା ଓଲଟା ପବନଟା ହିଁ ବୋହିବାରେ ଲାଗିଛି । ବର୍ତ୍ତମାନ ଆଧ୍ୟାତ୍ମିକ ଭାବର ବଡ଼ାଇଟାକୁ ଭାଙ୍ଗି ସାବାଡ଼ କରି ଦେବାପାଇଁ ସତେ ଅବା ପଶୁବଳରେ ହିଁ ଲଢ଼ାଇ ଚାଲିଛି, ମାଲଗୋଦାମ ଠାରୁ ମାର୍କଣ୍ଡେଶ୍ଵରଙ୍କ ପର୍ଯ୍ୟନ୍ତ ସବୁଠାରେ ସତେଅବା ସେହି ଲଢ଼ାଇଟା ହିଁ ତୁମୂଳ ହୋଇ ଲାଗିରହିଛି । ଓଲୁ ସାହିତ୍ୟିକ ବି ଭେରୀତୂରୀ ବଜାଇ ଅନେକ ସମୟରେ ସେଇଥିରେ ବେଶ୍ ସାମିଲ୍ ହୋଇଯାଉଛି । ପଶୁବଳର ଅନୁକମ୍ପା ଲାଭକରି କେଉଁ ଉଚ୍ଚ ପଦରେ ଘଡ଼ିଏ ଯାଇ ବସିଯିବ ବୋଲି ବା କେଉଁଠି ପ୍ରମୋଶନଟିଏ ପାଇଯିବ ବୋଲି ସିଏ ବିଚରା ମହତ୍ ହରାଇ ପକାଉଛି । ଓଲୁ ସାହିତ୍ୟିକ ସବୁଯୁଗରେ ଓ ସବୁ ଭୂଖଣ୍ଡରେ ରହିଥିଲେ, ଆମର ଏହି ଖଣ୍ଡଟାରେ ମଧ୍ୟ ରହିଛନ୍ତି । ତଥାପି ସବୁ ସାହିତ୍ୟିକ ସବୁ ଯୁଗରେ ଓ ସବୁ ଦେଶରେ କଦାପି ଓଲୁ ହେବାକୁ ଯାଇନାହାନ୍ତି । ଆମର ଏଠି ମଧ୍ୟ ସେମାନେ କଦାପି ସମସ୍ତେ ଓଲୁ ହେବାକୁ ଯିବେ ନାହିଁ । ସେମାନେ ଆପଣା ଭିତରେ ଅପେକ୍ଷା କରି ରହିଥିବା ନୂତନ ଚେତନାଟିରେ ସ୍ପନ୍ଦନଟିକୁ ନିଶ୍ଚୟ ଅନୁଭବ କରିବେ, ପଶୁବଳ ଯେତେ ଚଣ୍ଡ ବା ପ୍ରଚଣ୍ଡ ହେଲେ ମଧ୍ୟ ସେମାନେ ତଥାପି ସେହି ଅସଲ ସ୍ପନ୍ଦନଟିକୁ ଅନୁଭବ କରିବେ ଓ ସେହି ଅନୁଭବଟି ଦ୍ଵାରା ହିଁ ଅନୁପ୍ରେରିତ ହେବେ । ଯାବତୀୟ ଅବକ୍ଷୟ ବା ଅବକ୍ଷୟ ସ୍ମୃତିରେ ଏହି ବହଳ ବରଫ ତଳେ ସେମାନେ ବୀଜ ପରି ସଂରକ୍ଷିତ ହୋଇ ରହିବେ । ଇଟାଲୀର ପ୍ରଖ୍ୟାତ ଉପନ୍ୟାସକର ignazio Silone ତାଙ୍କର ଏକ ଉପନ୍ୟାସର ନାମକରଣ 'The seed beneath the snow ' ବୋଲି କହିଛନ୍ତି । ପଶୁବଳ ସବୁକାଳରେ ହିଁ ଅଳ୍ପବଳର ଶକ୍ତି ହୋଇ ରହିଆସିଛି । ତେଣୁ ଅସଲ ଜୀବନଟି ସହିତ ଯୁକ୍ତ ହୋଇ ପାରି ନଥିବା ସାହିତ୍ୟିକ ହିଁ ପଶୁବଳକୁ ଯଥାର୍ଥରେ ଏକ ବଳ ବୋଲି ମାନିବି, ମାତ୍ର ଅଳ୍ପ କେତେଜଣଙ୍କର ସୌଖୀନ ଦମ୍ଭ ଦର୍ପଗୁଡ଼ାକୁ ହିଁ ସେ ଯଥାର୍ଥରେ ମୂଲ୍ୟ ବୋଲି ସ୍ଵୀକାର କରିବ । ପଶୁବଳ ସଂସାରର ସବୁଠାରେ ଯେମିତି ହାରିଛି, ଏଠି ମଧ୍ୟ ଠିକ୍ ସେହିପରି ହାରିଯିବ । ବହୁ ମଣିଷଙ୍କର ଅସଲ ବଳଟି ପାଖରୁ ହିଁ ସେ ହାରିବ ଏବଂ ସବୁଠି ସାହିତ୍ୟ ଭିତରେ ହିଁ ଯେ ପଶୁବଳକୁ ହରାଇବାର ପ୍ରଥମ ପ୍ରସ୍ତୁତି ହୋଇସାରିଛି ଓ ପ୍ରଥମ ଶପଥ ନିଆଯାଇଛି, ପୃଥିବୀର ଇତିହାସରୁ ଆମେ ତାହାର ଭୂରି ଭୂରି ପ୍ରମାଣ ପାଇପାରିବା ।

☆☆☆

 

ଇଂରାଜୀ ମିଡିୟମ୍ ସାହିତ୍ୟ

 

ଆମ ପିଲାଦିନେ ଭାରତକୁ ଇଂରେଜମାନେ ଶାସନ କରୁଥିଲେ । ସେତେବେଳେ ଇଉରୋପରୁ ଆସି ସତ୍ୟପ୍ରଚାର କରୁଥିବା ମିଶନାରୀମାନେ ଏଠାରେ କାଁ ଭାଁ ଯେଉଁ ସବୁ ସ୍କୁଲକୁ ବସାଇଥିଲେ, ସେଗୁଡ଼ିକର ସବୁଯାକ ବିଷୟ ଇଂରାଜୀରେ ପଢ଼ା ହେଉଥିଲା । ଇଂରାଜୀ ରାଜଭାଷା ଥିଲା ଏବଂ ତେଣୁ ତାହା ହିଁ ଶ୍ରେଷ୍ଠଭାଷା ବୋଲି ସ୍ଵୀକୃତ ହେଉଥିଲା । ସେହି ସମୟରେ ପ୍ରଧାନତଃ କେଉଁ ଭଳି ପରିବାରର ପିଲାମାନେ ଇଂରାଜୀ ମିଡିୟମରେ ପଢ଼ିବା ସକାଶେ ସେହି ସବୁ ଶିକ୍ଷାସ୍ଥାନକୁ ଯାଉଥିଲେ, ସେମାନଙ୍କର ଧାତୁକୁ ବିଚାର କରି ଆମେ ସେମାନେ ଲାଭ କରୁଥିବା ଶିକ୍ଷାର ଧାତୁ ବିଷୟରେ ମଧ୍ୟ ବହୁତ କିଛି ଅନ୍ଦାଜ ଓ ଅନୁମାନ କରିପାରିବା । ସେହି ସବୁ ଅଧିକାଂଶ ଖ୍ରୀଷ୍ଟିୟାନ୍ ଥିଲେ, ଆଙ୍ଗ୍ଲୋଇଣ୍ଡିଆନ୍ ଥିଲେ ଏବଂ ବାକିମାନେ ଭାରତୀୟ ହୋଇ ମଧ୍ୟ ଭାରତୀୟ ଯାବତୀୟ କଥାକୁ ନାକ ଟେକୁଥିଲେ । ଏମାନେ ଇଂରେଜ ଶାସନର ତତ୍କାଳୀନ କଳଟାରେ ଭଲ ଗୋଲମଟିଏ ତଥା ବଡ଼ ଗୋଲମଟିଏ ହେବାପାଇଁ ମାନବଜୀବନରେ ସବୁଠାରୁ ବଡ଼ ତପସ୍ୟା ବୋଲି ବିଶ୍ଵାସ କରୁଥିଲେ । ଭାରତୀୟ ଘରମାନଙ୍କରେ ଜନ୍ମ ହୋଇ ମଧ୍ୟ ସେହିସବୁ ଶିକ୍ଷାଳୟରେ ପିଲାମାନେ ଘରଭାଷାକୁ ପଢ଼ୁନଥିଲେ ଏବଂ ପରୋକ୍ଷ ସକାଳ କିସମର ପ୍ରବର୍ତ୍ତନ ଦ୍ଵାରା ଘୃଣା କରିବାକୁ ହିଁ ଶିକ୍ଷା କରୁଥିଲେ । ସଂସ୍କୃତି କହିଲେ ସେ କାଳର ନବ୍ୟ ବାବୁ ବିଳାସର ଯେଉଁ ସବୁ କାଇଦା ଏବଂ କଦରଗୁଡ଼ିକୁ ହାସଲ କରିବାକୁ ବୁଝାଉଥିଲେ, ସେଥିରେ ଏଠା ଜୀବନର ଅସଲ ଚେରଗୁଡ଼ିକୁ ଅସ୍ଵୀକାର କରାଯାଉଥିଲା । ଖ୍ରୀଷ୍ଟିୟାନ୍ ମିଶନାରୀମାନେ ଧର୍ମର କ୍ଷେତ୍ରରେ ସେତେବେଳେ ଯେଉଁ ଭୂମିକାଟି ପୂରଣ କରୁଥିଲା, ଇଂରାଜୀ ମିଡିୟମ୍ ସ୍କୁଲଗୁଡ଼ିକୁ ଶିକ୍ଷା, ସଂସ୍କୃତି ଏବଂ ଆଚାରବିଚାରର କ୍ଷେତ୍ରରେ ସ୍ଥୂଳତଃ ସେହି କାର୍ଯ୍ୟଟିକୁ କରୁଥିଲେ ବୋଲି କହିଲେ ଆଦୌ ମିଥ୍ୟା କୁହାଯିବ ନାହିଁ ।

 

ସ୍ଵାଧୀନତା ଆସିବା ପରେ ଇଂରେଜ ଶାସନ ଗଲା, ତଥାପି ଇଂରାଜୀ ମିଡିୟମ୍ ସ୍କୁଲଗୁଡ଼ିକ ରହିଗଲା । ଏପରିକି ଅବସ୍ଥା ବଦଳିଯିବାରୁ ମିଶନାରୀମାନଙ୍କର କାର୍ଯ୍ୟକଳାପ ମଧ୍ୟ ସାବଧାନତା ଅବଲମ୍ବନ କରି ଉପସ୍ଥିତ ନୂତନ ସ୍ଥିତିରେ ନିଜକୁ କେତେପ୍ରକାର କାଁଟ୍ ଛାଁଟ୍ କରିନେଲା, ତଥାପି ଇଂରାଜୀ ମିଡିୟମ୍ ସ୍କୁଲଗୁଡ଼ିକ ରହିଗଲା । ଉଚ୍ଚ ବରଗଡ଼ ସାମାଜିକ ସାମନ୍ତମାନେ ହିଁ ନିମିତ୍ତ ହୋଇ ସେଗୁଡ଼ିକର ତିଷ୍ଠି ରହିବାରେ ପୁରୋଧା ଭଳି କାର୍ଯ୍ୟ କଲେ । ଦେଶ ଶାସନର ଉଚ୍ଚତମ ଭାଡ଼ିମାନଙ୍କରେ ଉଚ୍ଚବର୍ଗଟା ହିଁ ଘୋଡ଼ା ହୋଇ ନେତୃତ୍ଵ ଦେଉଥିଲା ଏବଂ ତେଣୁ ତାହାର ସେହି ଉଦ୍ୟମଟି ଅବ୍ୟାହତ ରହିପାରିଲା । ଏହି ଦେଶରେ ଉଚ୍ଚ ବର୍ଗଟା ଭାରତବର୍ଷଟା ଅପେକ୍ଷା ନିଜର ବର୍ଗଟାକୁ ହିଁ ଅଧିକ ପ୍ରେମ କରି ଆସିଛନ୍ତି ବୋଲି ଯଥେଷ୍ଟ ପ୍ରମାଣ ସହିତ କୁହାଯାଇପାରିବ । ଭାରତବର୍ଷରେ ଶହେରେ ଅଧାଭାଗ ମଣିଷ ନିରକ୍ଷର ରହିଛନ୍ତି, ପିଲାଙ୍କ ପାଇଁ କୌଣସି ପ୍ରାଥମିକ ବିଦ୍ୟାଳୟ ନାହିଁ । ତଥାପି, ନେତୃତ୍ଵ ମୂଳରୁ ହିଁ ଅବାଗିଆ ହୋଇଗଲା ବୋଲି ଇଂରାଜୀ ମିଡିୟମ୍ ବିଦ୍ୟାଳୟଗୁଡ଼ିକୁ ଅଧିକ ପୃଷ୍ଠପୋଷକତା ମିଳିଲା । ସେଗୁଡ଼ିକର ପଢ଼ୁଥିବା ପିଲାମାନେ ଦେଶରେ ଅନ୍ୟ ପିଲାମାନେ ଅନ୍ତତଃ ସର୍ବନିମ୍ନ ଗାରଟି ଯାଏ ଆସିବାଯାଏ କିଞ୍ଚିତ୍ ସବୁର କରନ୍ତୁ ବୋଲି କହିବାକୁ ଦିଲ୍ଲୀ ଉଚ୍ଚ ନଅରରେ କାହାରି ବିବେକ ନଥିଲା । ଭାରତୀୟ ଭାଷାଗୁଡ଼ିକୁ ଘୃଣାକରି ଶିଖାଇବାକୁ ସତେ ଯେପରି ସେହି ନିଆରା ଇସ୍କୁଲମାନଙ୍କରେ ମନ୍ତ୍ରଣା ଦିଆଯାଉଥିଲା । ଅଧିକାଂଶ ପିଲା ଘରେ ଘରେ ଯେଉଁ ଭାଷା କହୁଥିଲେ, ଇସ୍କୁଲରେ ତାହାକୁ ସମାନ ନଜରରେ ଦେଖିବାକୁ ଶିକ୍ଷା କଲେ । ନିଜ ପିଲା ଇଂରାଜୀ ମିଡିୟମ୍ ସ୍କୁଲ ରେ ପଢ଼ୁଥିବା ବ୍ୟାପାରଟା ସୀମାନ୍ତମାନଙ୍କର ରିଜର୍ଭ ଜଙ୍ଗଲରେ ଏକ ବିଶେଷ ସମ୍ମାନସ୍ପଦତା’ର କିମିଆ ସୃଷ୍ଟି କଲା । ଇଂରେଜୀ ଶାସନ ଗଲାପରେ ସେମାନେ ଏହି ଦେଶରେ ଅନ୍ଧାରଗୁଡ଼ିକରେ ସୁଯୋଗ ନେଇ ଏଠାରେ ଆପେ ଇଂରାଜୀ ହୋଇ ରହିବାକୁ ମନକଲେ । ସ୍ଵାଧୀନ ଭାରତରେ ସମ୍ପୃକ୍ତ ଶିବିରମାନଙ୍କରେ ରାଜନୀତିକ ଇଚ୍ଛାଟା କ୍ରମେ ଶୀତଳ ହୋଇ ଆସିବାରୁ ଏହି ବର୍ଗଟି ପାଇଁ ପୁଷମାସ ଆସି ପହଞ୍ଚିଗଲା ଏବଂ ଆମ କଚେରୀମାନଙ୍କରେ, ଥାନାରେ, ନ୍ୟାୟାଳୟରେ, ସବୁଠାରେ ଇଂରାଜୀ ମିଡିୟମ୍ ଟା ହିଁ ଘୋଡ଼ା ହୋଇ ରହିଗଲା । ବିଶ୍ଵବିଦ୍ୟାଳୟମାନେ ଶିକ୍ଷାଦାନର ଅସଲ କର୍ତ୍ତବ୍ୟଟିରେ କ୍ରମେ ଦେବାଳିଆ ବନିଲେ ଏବଂ ଧୂର୍ତ୍ତତା’ର ପରିଚୟ ସିନା ଦେଲେ, ମାତ୍ର ଇଂରାଜୀ ମିଡିୟମ୍‍ଟାକୁ ତଥାପି କାମୁଡ଼ି ରଖିଲେ ।

 

ସେତେବେଳର ସେହି ପିଲାମାନେ ବଡ଼ ହେଲାପରେ ସେମାନଙ୍କ ମଧ୍ୟରୁ ଯେଉଁମାନେ ସାହିତ୍ୟକୁ ମନା କଲେ, ସେମାନେ ଇଂରାଜୀ ଭାଷାରେ ଲେଖିବା ବ୍ୟତୀତ ବସ୍ତୁତଃ ଆଉ କ’ଣ କରିଥାନ୍ତେ ? ପାଠ ପଢ଼ିବା ସମୟରେ ଯେଉଁ ଗୋଟିଏ ମାତ୍ର ଭାଷାକୁ ଦ୍ଵାରପ୍ରାୟ ବ୍ୟବହାର କରି ସେମାନେ ସାହିତ୍ୟ ଅକଲର ଯାବତୀୟ ପରିଚୟ ଲାଭ କରିଥିଲେ, ସେଇଟି ବ୍ୟତୀତ ସେମାନେ ଆଉ କେଉଁ ଡାଳଟିରେ ଆଶ୍ରୟ ନେଇ ପାରିଥାନ୍ତେ ? ବ୍ରିଟିଶ୍ ଅମଳରେ କେତେ ପ୍ରଖ୍ୟାତ ଭାରତୀୟ ଇଂରାଜୀର ଡେଣାରେ ସାହିତ୍ୟନାମକ ସକଳ ଭୁବନଟିର ପ୍ରବେଶ ଅଧିକାର ଲାଭ କରିଥିଲେ । କୁମାରୀ ତରୁ ଦତ୍ତ, ଅରବିନ୍ଦ ଓ ଆହୁରି କତିପୟ ବ୍ୟକ୍ତିଙ୍କୁ ଆମେ ଏହି ଗୋଷ୍ଠୀ ଟି ଭିତରେ ସୁମାରି କରିପାରିବା । ଅରବିନ୍ଦଙ୍କର ବାପା ବିଲାତରୁ ଡାକ୍ତରୀ ପାସ କରି ଆସିଥିଲେ । ସେହିଠାରୁ ସିଏ ହୁଏତ ଅନୁରୂପ କୌଣସି ଅଫିମ ଖାଇ ଆସିଥିଲେ, ଯାହା ଫଳରେ କି ତାଙ୍କର ପୁଅମାନେ ଯେପରି ଭାରତୀୟ ଆଦୌ କିଛିର ସ୍ପର୍ଶ ନପାଇବେ, ସେ ସେଥିପାଇଁ ସେମାନଙ୍କୁ ଶୈଶବରୁ ହିଁ ବିଲାତକୁ ପଠାଇ ଦେଇଥିଲେ । ବିଚରା ଅରବିନ୍ଦ ଘୋଷ, ନିଜର ବାପଙ୍କର ଦୁରାଗ୍ରହ ହେତୁ ତାଙ୍କୁ ଭାରତବର୍ଷକୁ ଫେରି ଆସିବା ପରେ ଯାଇ ନିଜର ଭାଷା ଶିଖିବାକୁ ପଡ଼ିଲା-। ଅରବିନ୍ଦ ଭୂଇଁକୁ ଖୋଜିଲେ ଓ ଭୁଇଁ ଟିକୁ ଭଲ ପାଇଲେ ବୋଲି ସିନା ସେପରି କଲେ ଏବଂ ବଙ୍ଗଳା ଭାଷାରେ ମଧ୍ୟ କିଛି ଲେଖିଲେ । ନିଜ ଭୁଇଁ ଟି ବିଷୟରେ ସ୍ପୃହାହୀନ ହୋଇ ରହିବାକୁ କଅଁଳ ବୟସରୁ ଶିକ୍ଷା କରିଥିବା ଅନ୍ୟମାନେ ମଧ୍ୟ ତାହା କରିଥାନ୍ତେ ବୋଲି ଆମେ କଦାପି ଆଶା କରିପାରିବା ନାହିଁ । ହଁ, ଅରବିନ୍ଦ ନିଜକୁ ଭାରତୀୟ ଜାତୀୟ ଜାଗରଣ ଏବଂ ରାଜନୀତିକ ଆନ୍ଦୋଳନରେ ସାମିଲ ହେଲେ ବୋଲି ସିନା ନିଜର ଭାଷାଟି ଅଛି ବୋଲି ମଧ୍ୟ ଅନୁଭବ କଲେ ଓ ତାହାକୁ ଭୂଇଁବୋଲି ସିନା ସ୍ଵୀକାର କରିନେଲେ । ଅନ୍ୟମାନେ ଇଂରାଜୀର ଲଟି ଭିତରେ ପଶି ଏମିତି ବାନ୍ଧି ହୋଇ ଯାଇଥିଲେ ଯେ ମୋଟ ସେଥିରୁ ବାହାରି ପାରିଲେ ନାହିଁ ।

 

ସେମାନେ ଇଂରାଜୀରେ ଲେଖିଲେ । ନିଜର ଭାଷାଟି ଆସୁଥିଲେ ସିନା ନିଜ ଭାଷାରେ ଲେଖିଥାନ୍ତେ । ତେଣୁ, ପାଠକ ହିସାବରେ ଭାରତବର୍ଷରେ ଯେଉଁମାନଙ୍କୁ ପାଇଲେ, ସେମାନେ ମଧ୍ୟ ପ୍ରାୟ ଉଚ୍ଚବର୍ଗର ଥିଲେ । ଏବଂ ପାଠ ପଢ଼ିଥିବାବେଳର ସଂସ୍କାରଟି ଦ୍ଵାରା ବାଧ୍ୟ ହୋଇ ଗାଁରେ ଭଣ୍ଡାରି ରହିଥିଲେ ମଧ୍ୟ ସାଲୁନକୁ ଖୋଜିଲେ । ହଁ, ଏମାନଙ୍କର ଲେଖା ବହିଗୁଡ଼ାକ ମଧ୍ୟ ସତେଅବା ସେହି ନିୟମରେ ବିଲାତରେ ଛାପା ହେଲା ଓ ସେମାନେ ସେଇଆଡ଼ୁ ହିଁ ଛଞ୍ଚାଣପକ୍ଷୀ ପରି ଆସି ଆମ ଉପରେ ପଡ଼ିଲେ । ସ୍ଵାଧୀନ ଭାରତବର୍ଷରେ ଯଦି ଶିକ୍ଷାର କ୍ଷେତ୍ରରେ ସୁସ୍ଥ ଓ ଆବଶ୍ୟକ ପରିବର୍ତ୍ତନମାନ ହୋଇଥାନ୍ତା; ତେବେ ଏହି ଛଞ୍ଚାଣମାନେ ହୁଏ ତ ସେହି ସମୟରୁ ହିଁ ଛଞ୍ଚାଣ ବୋଲି ଧରାପଡ଼ି ଯାଇଥାନ୍ତେ । ଭାରତ ବର୍ଷରେ ଇଂରାଜୀ ମିଡିୟମ୍ ପଢ଼ିଥିବା ବା ପଢ଼ୁଥିବା ପାଠକ ବର୍ଗଟି ପାଇଁ ସେମାନେ ପ୍ରିୟଜନ ହୋଇ ରହିବାଟା ବେଶ୍ ସହଜ ହୋଇଯାଇଥିବ । ଏବଂ, ତା’ପରେ ଉଚ୍ଚବର୍ଗଟା ଯହୁଁ ଯହୁଁ ଏହି ଦେଶର ଭାଗ୍ୟଟା ଉପରେ ଅଧିକରୁ ଅଧିକ ପ୍ରକାରେ ପ୍ରତ୍ତିପତି ଜାରି କରି ରହିଲେ, ଇଂରାଜୀ ଭାଷାଟା ମଧ୍ୟ ସେହି ଅନୁପାତରେ ଆମ ସାମୂହିକ ସଭାପରିମଳରେ କ୍ରମଶଃ ମୁଦୁସୁଲୀ ହେବାର ଲାଇସେନ୍‍ସଟାଏ ପାଇଗଲା । ସରକାରମାନେ ଇଂରାଜୀ ଭାଷାରେ ତଥାପି ଚାଲିଲେ ଓ ତେଣୁ ବଜାରର ନାଡ଼ିଟାକୁ ଠଉରାଇ ଦେଶରେ ଇଂରାଜୀ ମିଡିୟମ୍ ସ୍କୁଲଗୁଡ଼ିକର ସଂଖ୍ୟା ବଢ଼ିଲା, ଥାଇତି ବଢ଼ିଲା; ଶିକ୍ଷିତ, ପ୍ରତିଷ୍ଠିତ ଓ ସମ୍ପନ୍ନମାନଙ୍କର ନିଜ ଘରର ଭାଷା ଓ ସାହିତ୍ୟଗୁଡ଼ିକ ପ୍ରତି ଉଦାସୀନତା ଏବଂ ଅବଜ୍ଞା ମଧ୍ୟ ବୃଦ୍ଧି ପାଇଲା । ପୁଅମାନଙ୍କୁ ଆଉ ବାପାମାନେ ଭଦ୍ର ଦେଖାଗଲେ ନାହିଁ । ହୁଏତ ଏହିପରି ଭାବରେ ଏକ ଅନୁକୂଳ ପବନ ପାଇ ଅଧିକ ବ୍ୟକ୍ତି ତେଣିକି ଖାଲି ଇଂରାଜୀରେ ଲେଖିଲେ ଏବଂ ଆଉ କେତେକ ଇଂରାଜୀରେ ଲେଖିବା ନିମନ୍ତେ ପ୍ରଲୁବ୍ଧ ମଧ୍ୟ ହେଲେ । ଭାରତର ସାହିତ୍ୟରେ ସେମାନଙ୍କର ଏକ ଅଲଗା ଗୋଠ ତିଆରି ହୋଇଗଲା । ସେହି ପ୍ରଥମ କାଳରେ ଯେଉଁମାନେ ଭାରତବର୍ଷରେ ନିଜ ଭାଷାରେ ନଲେଖି ଇଂରାଜୀରେ ଲେଖୁଥିଲେ, ସେହିମାନଙ୍କର ସର୍ବ ପ୍ରଥମ ଏକ ସମୀକ୍ଷତ୍ମକ ଅଧ୍ୟୟନ ପ୍ରସ୍ତୁତ କରି ପ୍ରଖ୍ୟାତ ଅଧ୍ୟାପକ ଡକ୍ଟର ଶ୍ରୀ ନିବାସ ଆୟଙ୍ଗର Indian in English ବୋଲି ପୁସ୍ତକଟିଏ ମଧ୍ୟ ଲେଖିଥିଲେ ।

 

ଏବେ ପ୍ରାୟ ଦୁଇବର୍ଷ ତଳେ ଲଣ୍ଡନ ଅଧିବାସୀ ପ୍ରଖ୍ୟାତ ଲେଖକ ଶ୍ରୀଯୁକ୍ତ ସଲମାନ ରୁଶ୍‍ଦିଙ୍କର ସହ ସମ୍ପାଦନାରେ The vintage Book of Indian Writing * ବୋଲି ଆଉ ଗୋଟିଏ ପୁସ୍ତକ ପ୍ରକାଶ ପାଇଛି । ସ୍ଵାଧୀନତା-ପରବର୍ତ୍ତୀ ପଚାଶ ବର୍ଷରେ ଭାରତୀୟ ସାହିତ୍ୟ ବୋଲି କୁହାଯିବ, ସେଥିରୁ ବତିଶିଜଣ ଲେଖକଙ୍କର ଲେଖାକୁ ଏକତ୍ର କରି ଏହି ଗ୍ରନ୍ଥରେ ପ୍ରକାଶିତ କରାଯାଇଛି । ସ୍ଵୟଂ ସଲମାନ ରୁଶ୍‍ଦି ଗ୍ରନ୍ଥଟିରେ ମୁଖବନ୍ଧ ଲେଖିଛନ୍ତି । ସଂଗୃହୀତ ଲେଖକମାନଙ୍କ ମଧ୍ୟରେ ପଣ୍ଡିତ ଜବାହରଲାଲ ନେହେରୁଠାରୁ ଆରମ୍ଭ କରି ସତ୍ୟ ଜିତ୍ ରାୟଙ୍କ ଲଗାଏତ ୧୯୬୨ ମସିହାରେ ଜନ୍ମ ଗ୍ରହଣ କରିଥିବା ଚାଳିଶବର୍ଷ ବୟସରୁ କମ୍ ଜଣେ ଲେଖକ ମଧ୍ୟ ଅଛନ୍ତି । ମୁଖବନ୍ଧର ଚଉଦଟି ପୃଷ୍ଠାରେ ଶ୍ରୀଯୁକ୍ତ ରୁଶ୍‍ଦି ଏପରି ଏକ ସଂଗ୍ରହଟିଏ କେଉଁ ଆଭିମୁଖ୍ୟରେ ପ୍ରସ୍ତୁତ କରାଯାଇଛି, ତାହାର ଏକ ଅବତରଣିକା ଦେଇଛନ୍ତି । ସର୍ବ ପ୍ରଥମ କଥା ହେଉଛି ,ସମ୍ଭବତଃ ଶ୍ରୀ ସତ୍ୟଜିତ ରାୟଙ୍କୁ ଛାଡ଼ି ନିର୍ବାଚିତ ଆଉ ସମସ୍ତେ ଲେଖୁଥିବା ଇଂରାଜୀ ବହିରୁ ହିଁ ଲେଖା ଗୁଡ଼ାକ ଆହୃତ ହୋଇଛି । ସମ୍ଭବତଃ ଶ୍ରୀ ସତ୍ୟଜିତ ରାୟ ଙ୍କୁ ଛାଡ଼ି ଆଉ କେହି ଜଣେ ହେଲେ କେବଳ ଇଂରାଜୀ ବ୍ୟତୀତ ଭାରତୀୟ କୌଣସି ଭାଷାରେ ଆଦୌ କିଛି ଲେଖି ନାହାନ୍ତି । ଏମାନେ ସମସ୍ତେ ହୁଏ ତ ଇଂରାଜୀ ମିଡିୟମ୍ ସ୍କୁଲ ରେ ପାଠ ପଢ଼ିଥିବାରୁ ନିଜର ଏକ ମାତୃଭାଷା ରହିଥିଲେ ମଧ୍ୟ ସେଥିରେ କିଛି ଲେଖି ନାହାନ୍ତି ଏବଂ ଇଂରାଜୀ ଭାଷାକୁ ଆଦରି ନେଇଥିବାରୁ ନିଜର ଘର ଭାଷାଟିକୁ ପ୍ରାୟ ବର୍ଜନ କରି ଆସିଛନ୍ତି । ବହିଟିର ଶେଷ ରେ ଯେଉଁ ଲେଖକ ପରିଚିତ ରହିଛି, ସେଥିରୁ ଜଣା ଯାଉଛି ଯେ ଲେଖକ ଲେଖିକା ପ୍ରାୟ ସମସ୍ତେ ବିଦେଶରେ ରହିଛନ୍ତି । ବା ରହୁଛନ୍ତି, ବିଦେଶରେ ହିଁ କେତେ ଜଣଙ୍କର ଉଚ୍ଚ ଶିକ୍ଷା ସମ୍ପନ୍ନ ହୋଇଛି-। ଏବଂ ବିଶେଷ ଭାବରେ ସ୍ମରଣୀୟ ଆଉ ଗୋଟିଏ କଥା ହେଉଛି ଯେ, ଗୋଟିଏ ବା ଦୁଇଟିକୁ ଛାଡ଼ିଦେଲେ, ରଚନାଗୁଡ଼ିକ ଯେଉଁସବୁ ବହିରୁ ଆସିଛି, ସେଗୁଡ଼ିକ ସବୁ ସିଧା ସେହି ବିଲାତ କିମ୍ବା ଆମେରିକାରେ ଛାପା ଯାଇଛି । ସମ୍ପାଦନା ସମୟରେ ଯେଉଁ ରଚନାଗୁଡ଼ିକ ସେଠି ବିଲାତ ବଜାରରେ ମିଳୁଛି, ସେଗୁଡ଼ିକ ଆଣି ନିର୍ବାଚନର ସାମଗ୍ରୀଗୁଡ଼ାକ ବଛାଯାଇଛି କି ?

 

ସମ୍ପାଦିତ ପୁସ୍ତକଟିର ପୃଷ୍ଠା ଓଲଟାଇ ସୂଚୀପତ୍ର ଉପରେ ଆଖିବୁଲାଇ ଆଣୁ ଆଣୁ ଗୋଟାଏ ବିଶେଷ କଥା ଧରା ପଡ଼ିଯିବ ଏବଂ ଘରେ ପଶୁ ପଶୁ ଚାଳଟା ଆସି ମୁଣ୍ଡରେ ବାଜିଲା ପରି ଲାଗିବ । ଆମ ଦେଶରେ ଏତେ ଭାଷା, ପ୍ରତ୍ୟେକ ଭାଷାର ଭଣ୍ଡାର ସାହିତ୍ୟ ଏବଂ ଥାକ ଥାକ ଲେଖକ । ସେହି ଲେଖକମାନଙ୍କ ଭିତରୁ କୌଣସି ଜଣକର ନାଁ ଆପଣ ଏଠି ତାଲିକାରେ ଦେଖିବାକୁ ପାଇବେ ନାହିଁ । ସ୍ଵାଧୀନତା’ର ପରେ ଭାରତବର୍ଷରେ ଆମ ଭାଷାମାନଙ୍କରେ କ’ଣ ପସନ୍ଦଯୋଗ୍ୟ ବା ସ୍ମରଣଯୋଗ୍ୟ ଆଦୌ କିଛି ଲେଖା ହୋଇନାହିଁ ? ହଁ, ପଣ୍ଡିତ ଜବାହରଲାଲଙ୍କ ଲେଖା ବୋଲି ବୋଲି ଯେଉଁଠି ରହିଛି, ସେଇଟିକୁ ଯିଏ ଭାରତବର୍ଷର ସ୍ଵାଧୀନତା ପାଇବାର ସେହି ମଧ୍ୟ ରାତ୍ରିରେ ଏକ ଭାଷଣ ରୂପେ ଦେଇଥିଲେ । ବିଜ୍ଞ ସମ୍ପାଦନମାନଙ୍କର ଆଖିରେ ଆଉ କେହି କିଛି ଦୃଷ୍ଟିଗୋଚର ହେଲେ ନାହିଁ କିପରି; ଆମେ ବିମୂଢ଼ ପ୍ରାୟ ନିଜକୁ ସେଇ ପ୍ରଶ୍ନଟିକୁ ପଚାରିବାକୁ ଆରମ୍ଭ କରିବା । ହଁ, ସଲମାନ ଯଦି ଲେଖିଥାନ୍ତେ ଯେ ଦେଶର କୌଣସି ଭାଷାରେ ଲିଖିତ ହୋଇଥିବା କୌଣସି ସାହିତ୍ୟ ସହିତ ତାଙ୍କର ପରିଚୟ ଘଟି ନାହିଁ ଏବଂ ତେଣୁ ସିଏ ଏଭଳି କରିବାକୁ ବାଧ୍ୟ ହୋଇଛନ୍ତି, ତେବେ ତାଙ୍କ କଥାଟିକୁ ବୁଝି ହୋଇଥାନ୍ତା । ମାତ୍ର ସିଏ ସେପରି ନ କରି ଆଉ ଗୋଟିଏ ପୂରାପୂରି ଅବୁଝା କଥା ହିଁ କହିଛନ୍ତି । ସ୍ଵାଧୀନତା ପରେ ଏହି ପଚାଶ ବର୍ଷର ଅବଧି ମଧ୍ୟରେ ଭାରତୀୟ ଭାଷାଗୁଡ଼ିକୁ ଯାହା ଲେଖା ହୋଇଛି, ଏହି ସମୟରେ କେତେକ ଭାରତୀୟ ଇଂରାଜୀ ଭାଷାରେ ଲେଖିଥିବା ସାହିତ୍ୟ ଆଗରେ ସେଗୁଡ଼ିକ କିଛି ନୁହେଁ ବୋଲି ରୁଶ୍‍ଦୀ ମତ ଦେଇଛନ୍ତି । ତାଙ୍କରି ଭାଷାରେ କହିଲେ :

 

‘‘ବିଶ୍ଵର ପୁସ୍ତକଜଗତକୁ ଅଦ୍ୟାବଧି ଭାରତର ଯାହା ଅବଦାନ, ତାହାର ସବୁଠାରୁ ଅଧିକ ମୂଲ୍ୟବାନ ଅଂଶଟି ଆଙ୍ଗ୍ଲୋଭାରତୀୟ ସାହିତ୍ୟ କୃତିରେ ହିଁ ଆବିଷ୍କାର କରିପାରିବା । ଇଣ୍ଡୋଆଙ୍ଗ୍ଲିକାନ (indo–anglican) ସାହିତ୍ୟ କହିଲେ ଶ୍ରୀଯୁକ୍ତ ରୁଶ୍‍ଦୀ ଭାରତୀୟ ଲେଖକମାନଙ୍କ ଦ୍ଵାରା ଇଂରାଜୀରେ ଲେଖା ହୋଇଥିବା ସାହିତ୍ୟକୁ ବୁଝିଛନ୍ତି । ଆହୁରି ଖୋଲି କରି କହିଲେ, ସେଗୁଡ଼ିକୁ ଏଭଳି ଲେଖକମାନେ ଲେଖିଛନ୍ତି, ଯେଉଁମାନେ କେବଳ ଇଂରାଜୀରେ ଲେଖିଛନ୍ତି ଓ ନିଜ ମାତୃଭାଷାରେ କିଛି ବି ଲେଖିନାହାନ୍ତି । ଆହୁରି ସିଧା କରି କହିଲେ, ଯେଉଁମାନଙ୍କୁ ନିଜ ଭାଷାଟି ସତକୁ ସତ ଆସେ ନାହିଁ ଏବଂ ଯେଉଁମାନେ ଇଂରାଜୀରେ ଭାଷାରେ ଚିଲମଟାକୁ ପୂର୍ଣ୍ଣ ତୃପ୍ତି ଲାଭ କଲାପରି ଜଳାଇବା ନିମନ୍ତେ ନିଜର ଭାଷାଟିକୁ ସେଥିରେ କୁହୁଳା କରି ପକେଇ ଦେଇଛନ୍ତି ଏବଂ ସେହି ଗ୍ଳାନିଟାକୁ ମହନୀୟ କରି ନେବାପାଇଁ ଇଂରାଜୀକୁ ସତେଅବା ପୃଥିବୀର ରାଜଭାଷା ବା ପାଟଭାଷା ବୋଲି ମାନୁଛନ୍ତି ଓ ନିଜକୁ ପୋଇଲି ଭାଷାର ମର୍ଯ୍ୟାଦା ଦେଇ ଦେଖୁଛନ୍ତି । ସେମାନେ ନିଜ ଭିତରେ ନିଜକୁ ପୋଇଲି ବୋଲି କାହିଁକି ଭାବୁଛନ୍ତି କେଜାଣି ? ସଲମାନ୍ ରୁଶ୍‍ଦି ଆହୁରି ଲେଖିଛନ୍ତି, "ସ୍ଵାଧୀନ ଭାରତର ଗତ ପଚାଶବର୍ଷରେ ଭାରତୀୟ ଗଦ୍ୟ ସାହିତ୍ୟରେ ଇଂରାଜୀ ଭାଷାରେ ଲେଖା ହୋଇଥିବା ସାମଗ୍ରୀଗୁଡ଼ିକ ହିଁ ସରକାରଙ୍କ ଦ୍ଵାରା ସ୍ଵୀକୃତି ପାଇଥିବା ଭାରତୀୟ ଜାତୀୟ ଭାଷାଗୁଡ଼ିକରେ ସାମଗ୍ରୀ ତୁଳନାରେ ନିଜକୁ ଅଧିକ ଶକ୍ତିଶାଳୀ ଏବଂ ଅଧିକ ମହତ୍ଵପୂର୍ଣ୍ଣ ବୋଲି ପ୍ରମାଣିତ କରିଛନ୍ତି । " ଏବଂ ସର୍ବୋପରି, ରୁଶ୍‍ଦୀଙ୍କର ବୟାନ ମୁତାବକ, ଏହିଗୁଡ଼ିକର ମାଧ୍ୟମରେ ହିଁ ଭାରତୀୟ ସାହିତ୍ୟ ପୃଥିବୀରେ ପରିଚିତ ହୋଇପାରିଛି । ଆମ ଭାଷାରେ ବ୍ୟକ୍ତ କଲେ, ଏହାକୁ ଆମେ ଇଂରାଜୀ ମାଧ୍ୟମରେ ଲିଖିତ ସାହିତ୍ୟର କରାମତି ବୋଲି କହିପାରିବା ।

 

***The Vintage Book of Indian Writing (1947-1997), Edited by Salman Rushdie and Elizabeth West, Vintage, London, 1997, ପୃଷ୍ଠାସଂଖ୍ୟା-୫୭୮

 

କଥାଟି ଏକାବେଳେ ସତ୍ୟ । ଯାହାକିଛି ଆମ ଓଡ଼ିଆ ଭାଷାରେ ଲେଖାଯାଉଛି, ତାହାକୁ ଖାଲି ଓଡ଼ିଆ ଜାଣିଥିବା ହିଁ ପଢ଼ିପାରିବେ । ଠିକ୍ ସେହିପରି ବଙ୍ଗଳା, ହିନ୍ଦୀ, ମରାଠୀ କିମ୍ବା ମାଲୟାଲମ୍ ଭାଷା ବିଷୟରେ ମଧ୍ୟ ପଢ଼ି ପାରୁନଥିବେ । ଜର୍ମାନ୍ ଜାଣୁଥିବା ମଣିଷଟି ଜର୍ମାନ୍ ଭାଷାରେ ଲେଖଥିବା ସାହିତ୍ୟକୁ କିପରି ବୁଝିବ ? ତେଣୁ ଭାରତୀୟ ସାହିତ୍ୟରୁ ଯେତିକିର ଇଂରାଜୀ ଅଥବା ଅନ୍ୟଭାଷାରେ ଅନୁବାଦ ହେବ, ବୃହତ୍ତର ପୃଥିବୀର ଲୋକମାନେ କେବଳ ସେହିଗୁଡ଼ାକ ସହିତ ପରିଚିତ ହୋଇପାରିବେ । କିନ୍ତୁ ତା’ ବୋଲି, ଭାରତୀୟ ଯେତିକି ସାହିତ୍ୟକୁ ଇଂରାଜୀ ମିଡିୟମରେ ଲେଖୁଥିବା ଲେଖକମାନେ ଲେଖିଛନ୍ତି, ତାହାକୁ ହିଁ କାହିଁକି ତୁମ ଭାରତର ସମୁଦାୟ ମହତ୍ଵପୂର୍ଣ୍ଣ ଏବଂ ଶକ୍ତିଶାଳୀ ସାହିତ୍ୟ ବୋଲି କହିବ ? ରୁଷିଆର ସବୁ ସାହିତ୍ୟ ଆଦୌ ଇଂରାଜୀ ଭାଷାରେ ଅନୁବାଦ ହୋଇନାହିଁ, ଯେତିକିର ଅନୁବାଦ ଇଂରାଜୀ କିମ୍ବା ଅନ୍ୟ ଭାଷାରେ ହୋଇଛି, ସେତିକି ସହିତ ହିଁ ବୃହତ୍ତର ପୃଥିବୀର ପରିଚିତ ହୋଇଛି । ଯଦି ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ସାହିତ୍ୟରୁ ଚୟନ କରି କେହି ଭାରତ ବାହାରେ ତାହାକୁ ପରିଣତ କରାଇବାକୁ ଇଚ୍ଛା କରିବ, ତାକୁ ପ୍ରକୃତରେ ବିଭିନ୍ନ ଭାରତୀୟ ସାହିତ୍ୟରୁ ପସନ୍ଦ ମୁତାବକ କିଛି ନିର୍ବାଚିତ କରିବାକୁ ପଡ଼ିବ ଓ ସେଗୁଡ଼ିକର ଅନୁବାଦ କରିବାକୁ ପଡ଼ିବ । ଶ୍ରୀଯୁକ୍ତ ସଲ୍‍ମାନ୍‍ ରୁଶ୍‍ଦୀ ଏବଂ ତାଙ୍କର ସମଗୋତ୍ରୀମାନେ ସେହି କାର୍ଯ୍ୟଟିକୁ କଦାପି କରି ପାରିବେନାହିଁ । କେବଳ ଇଂରାଜୀରେ ଲେଖା ହୋଇଥିବା ସାହିତ୍ୟରୁ ମେଞ୍ଚାଏ ଏକାଠି କରି ତାହାକୁ ଭାରତୀୟ ସାହିତ୍ୟ ବୋଲି କହିବାରେ ତଦ୍ୱାରା ତୁମର ଅବିବେବିକତା ହିଁ ଅଧିକ ପରିମାଣରେ ଧରା ପଡ଼ିବ ।

 

ଆପଣ ଇଂରାଜୀ ଭାଷା ବ୍ୟତୀତ ଆଉ କୌଣସି ଭାଷା ନଜାଣନ୍ତୁ, ସେଥିରେ କୌଣସି ବାଧା ନାହିଁ, କିନ୍ତୁ ତା’ ବୋଲି ବିଶ୍ଵ ସାହିତ୍ୟ କହିଲେ ଆପଣ କାହିଁକି କେବଳ ଇଂରାଜୀ ଭାଷାର ଉପଲବ୍ଧ ହେଉଥିବା ସାହିତ୍ୟକୁ ହିଁ ବୁଝିବେ ? ବିଶ୍ଵ ସାହିତ୍ୟ କହିଲେ ଯଦି ଏକ ବିଶେଷ ମାନର ମୂଲ୍ୟବୋଧ ଏବଂ ଅଭିବ୍ୟକ୍ତି-ସାମର୍ଥ୍ୟକୁ ବୁଝାଇବ, ତେବେ ଲିଓ ଟଲଷ୍ଟୟଙ୍କର ଲେଖା ଇଂରାଜୀକୁ ଅନୁବାଦ ହୋଇନଥିଲେ ମଧ୍ୟ ତଥାପି ତାହା ବିଶ୍ଵ ସାହିତ୍ୟ ବୋଲି ଗଣା ହେବ । ମୁଁ ବା ଆମେ ଭାଷା ନଜାଣିଥିବା କାରଣରୁ କୌଣସି ସାହିତ୍ୟ ବିଶ୍ଵ ସାହିତ୍ୟ ନୁହେଁ ବୋଲି ଯଦି ଏଡ଼େ ବଡ଼ ପାଟିରେ କହିବା, ତେବେ ତଦ୍ୱାରା ଆମର ଉଦ୍ଧତପଣିଆଟା ହିଁ ପଦାରେ ପଡ଼ିଯିବ । ଇଂରେଜମାନଙ୍କ ଅମଳରୁ ଇଂରାଜୀକୁ ଏକମାତ୍ର ଭାଷା ବୋଲି ମୁଣ୍ଡାଇ ଥିବା ମଣିଷମାନେ ଆମ ଦେଶରେ ବହୁ ପ୍ରକାରେ ତା’ର ପରିଚୟ ଦେଇ ଆସିଛନ୍ତି । ସେମାନଙ୍କର ଦାୟାଦମାନେ ଏବେ ମଧ୍ୟ ରହିଛନ୍ତି ଏବଂ ସେମାନଙ୍କ ଭିତରୁ ଥୋଲାଏ ଇଂଲଣ୍ଡ ଆମେରିକାରେ ହିଁ ଅଧିକତର ଆନୁଗତ୍ୟ ସହିତ ଭାବଗତ ଆହରବିହାର କରୁଛନ୍ତି । ଭାରତବର୍ଷରେ ଉପନିଷଦ ଓ ଅନ୍ୟାନ୍ୟ ପ୍ରାଚୀନଗ୍ରନ୍ଥ ଏବେ ସିନା ଇଂରାଜୀ ତଥା ଅନ୍ୟ ଭାଷାକୁ ଅନୁଦିତ ହେଲା, ମାତ୍ର ତାହା ରଚିତ ହେବା ସମୟରୁ ହିଁ ବିଶ୍ଵ ସାହିତ୍ୟର ଅନ୍ତର୍ଗତ ହୋଇ ଅବଶ୍ୟ ରହିଥିଲା ଏବେ ଯାଇ ମଣିଷ ମଣିଷ ଭିତରେ ଆଦାନପ୍ରଦାନ ବଢ଼ିଲା ଏବଂ ତେଣୁ ବିଶ୍ଵସାହିତ୍ୟ ନାମକ ଚେତନାଟି ଅଧିକ ଥଳ ପାଇଲା ଏବଂ ଅଧିକ ମଣିଷକୁ ପ୍ରେରଣା ମଧ୍ୟ ଦେଇପାରିଲା ।

 

ନିଜ ମୁଖବନ୍ଧଟିରେ ଶ୍ରୀ ରୁଶ୍‍ଦୀ ତାଙ୍କର ଆଉଜଣେ ସମଗୋତ୍ରୀ ଶ୍ରୀଯୁକ୍ତ ନାଇପାଲ୍‍ଙ୍କ (V.S. Naipaul) ଙ୍କର ଭାରତ ସମ୍ବନ୍ଧୀ ଗୋଟିଏ ବହିରୁ କିଛି ବାକ୍ୟୋଦ୍ଧାର କରି ଆଣିଛନ୍ତି । ନାଇପାଲ୍‍ଙ୍କର କୌଣସି ପୂର୍ବଜ ଏକଦା ପଶ୍ଚିମ ଗୋଲାର୍ଦ୍ଧର ଟ୍ରିନିଡାଡ୍ ଦ୍ଵୀପକୁ ଭାରତବର୍ଷରୁ ଛାଡ଼ି ଚାଲି ଯାଇଥିଲେ । ଇଏ ଏବେ ମଝିରେ ମଝିରେ ଭାରତ ଆସୁଛନ୍ତି ଓ ପାଶ୍ଚାତ୍ୟ ଜଗତର ପାଠକମାନଙ୍କ ପାଇଁ ଭାରତ ବିଷୟରେ ରୋମାଞ୍ଚକାରୀ ବହି ସବୁ ଲେଖୁଛନ୍ତି ଇଂରାଜୀ ଭାଷା ବ୍ୟତୀତ ଭାରତୀୟ କୌଣସି ଭାଷା ତାଙ୍କୁ ମାଲୁମ୍ ନାହିଁ । ଦିଲ୍ଲୀରୁ କୌଣସି କମିଶନ ଆସି ଓଡ଼ିଶାରେ ଦୋଭାଷିଆଙ୍କ ମାଧ୍ୟମରେ ସାହାଯ୍ୟରେ ରନ୍ଧନ ସାମଗ୍ରୀ ସଂଗ୍ରହ କରୁଥିବେ ଏବଂ ସେଇଥିରୁ ବହି ରାନ୍ଧି ଇଂରାଜୀ ଜାଣିଥିବା ପୃଥିବୀଟା ଆଗରେ ପରସି ଦେଉଥିବେ । ଶ୍ରୀ ନାଇପଲ୍ କୁଆଡ଼େ ଇଂରାଜୀ ଅନୁବାଦରେ ଭାରତୀୟ ସାହିତ୍ୟର ଯେତିକି ପଢ଼ିଲେ, ସେଥିରେ ସିଏ ସେପରି କିଛି ଓଜନିଆ ଥିବାର ଆଦୌ ଦେଖିଲେ ନାହିଁ ଓ ଅଧିକ ପଢ଼ିବାଲାଗି ଉତ୍ସାହିତ ବି ହେଲେ ନାହିଁ । ମୁନ୍‍ସୀ ପ୍ରେମଚନ୍ଦ ମଧ୍ୟ ତାଙ୍କୁ ଅତି ମାମୁଲି ଭଳି ଲାଗିଲେ । ଅନ୍ୟ ଲେଖକମାନେ ତାଙ୍କୁ କ୍ଳାନ୍ତ କରି ପକାଇଲେ, ଏପରିକି ଆମ ଏଠାକାର ବହୁ ଆଧୁନିକ ଗଳ୍ପ ମଧ୍ୟ ତାଙ୍କୁ ଅତ୍ୟନ୍ତ ପୋଲା ପରି ଲାଗିଲା । ଭାରତରେ ମଧ୍ୟ ଏବେ ବି ଇଂରାଜୀ ମାଧ୍ୟମରେ ସାହିତ୍ୟ କରୁଥିବା ବହୁତ ବ୍ୟକ୍ତିଙ୍କୁ ଭାରତୀୟ ସାହିତ୍ୟ ବିଷୟରେ ପଚାରିଲେ ପ୍ରାୟ ଅନୁରୂପ ଭାବରେ ଗୋଟା ସୁଦ୍ଧା ପୋଲା ପରି ଲାଗିବ । ସେମାନେ ସେହିଭଳି ପୋଲ କଥାମାନ କହିବେ ଏବଂ ତୁମକୁ ଭାରି ହାଲିଆ କରିଦେବେ ।

 

କିଞ୍ଚିତ୍ ସୁଖର କଥା ଯେ, ଇଂରାଜୀ ମିଡିୟମ୍ ଯେ ସାହିତ୍ୟର ଅଥବା ସାବାଳକତା’ର ଏକମାତ୍ର ମିଡିୟମ୍ ନୁହେଁ, ଏକଦା ଇଂରାଜୀ ମିଡିୟମରେ ପାଠ ପଢ଼ିଥିବା ଓ ସେହି ଅସମର୍ଥତା ହେତୁ କେବଳ ଇଂରାଜୀ ମିଡିୟମରେ ସାହିତ୍ୟ କରୁଥିବା କେତେକ ଲେଖକଙ୍କର ସ୍ପଷ୍ଟତଃ କିଞ୍ଚିତ୍‍ ମୋହଭଙ୍ଗ ହେଲାପରି ଲାଗୁଛି । ଶ୍ରୀଯୁକ୍ତ ନୀରଦ ଚୌଧୁରୀ ଇଂରାଜୀ ମିଡିୟମରେ ପାଠ ପଢ଼ୁଥିଲେ ଓ ସମ୍ଭବତଃ ସେହି ଘଟାଟୋପ ତଳେ ତାଙ୍କ ଭିତରେ ଯେଉଁ ଖଣ୍ଡିତ ଧୀଦୃଷ୍ଟିର ବିଜପନ ହୋଇଥିଲା, ତାହାରି ଦ୍ଵାରା ତାଡ଼ିତ ହୋଇ ସିଏ ଇଂରାଜୀ ମାଧ୍ୟମରେ ଲୁଚିଥିବା ସାହିତ୍ୟ ଭିତରେ କେତେ ଖିଙ୍କାରି ଓ ବିଦାରି ହେଲେ ଏବଂ ତଦ୍ୱାରା ପାଶ୍ଚାତ୍ୟ ଇଂରାଜୀ ପାଠକମାନଙ୍କର ପ୍ରଭୂତ ଚିତ୍ତ ବିନୋଦନ କରିଥିଲେ । ଶତାୟୁ ହେବାବେଳକୁ ଯାଇ ତାଙ୍କର ସେହି ପୂର୍ବ ପ୍ରତିଜ୍ଞାରୁ ଓହରି ସିଏ ଏବେ ନିଜର ଭାଷା ବଙ୍ଗଳାରେ ମଧ୍ୟ ଲେଖୁଛନ୍ତି । ଲଣ୍ଡନରେ ଅଛନ୍ତି, ବଙ୍ଗଳାରେ ଲେଖୁଛନ୍ତି-। ଏହାକୁ ଅବଶ୍ୟ ଏକ ଘଟଣା ବୋଲି କୁହାଯିବ । ଆମ ଓଡ଼ିଶାରେ ଶ୍ରୀ ଜୟନ୍ତ ମହାପାତ୍ର ଇଂରାଜୀ ମିଡ଼ିୟମରେ ପାଠ ପଢ଼ି ଆଦ୍ୟ ଦଶକଗୁଡ଼ିକରେ ଖାଲି ଇଂରାଜୀରେ ଲେଖିଲେ, ଓଡ଼ିଆ କୁ ଛୁଇଁ ନଥିଲେ । ବିଦେଶରେ କେତେ ନାଁ କଲେ । ମାତ୍ର ଏବେ ଯାଇ ଓଡ଼ିଆରେ ଲେଖିଥିଲେ; ଓଡ଼ିଶାକୁ ଫେରି ଆସିଲେ । ଓଡ଼ିଆରେ ଲେଖିବା ପରେ ତାଙ୍କର ଇଂରାଜୀ ରଚନାଗୁଡ଼ିକ ମଧ୍ୟ ଯେ ପରିସ୍ପୁଟ ହେଉଛି, ସେ କଥା ସିଏ ନିଜେ ମଧ୍ୟ ଅଙ୍ଗେ ନିଭାଉଥିବା । ବଙ୍କିମ ଚନ୍ଦ୍ର ତାଙ୍କର ପ୍ରଥମ ପୁସ୍ତକଟି କ’ଣ ମନେ କରି ଇଂରାଜୀରେ ଲେଖିଥିବେ କେଜାଣି ? ସେକାଳର ତଥା କଥିତ ଏକ Anglophiillia ର ବନ୍ୟାରେ ବଙ୍ଗଳାର କେତେକ ଲେଖକ ଏପରି ଅସହଜ ଭାବରେ ଭାସି ଯାଇଥିଲେ, ଯେ ନିଜ ନାଁ ସହିତ ଗୋଟିଏ ଗୋଟିଏ ଇଂରାଜୀ ଖଣ୍ଡ ନାମ ଯୁକ୍ତ କରି ଅତୀବ ପ୍ରସନ୍ନତା ଲାଭ କରୁଥିଲେ । ସେମାନେ ସମସ୍ତେ ଇଂରାଜୀ ମିଡିୟମରେ ପାଠ ପଢ଼ିଥିଲେ-

 

ଶ୍ରୀଯୁକ୍ତ ରୁଶ୍‍ଦୀ ଇଂରାଜୀକୁ ଏକ ଭାରତୀୟ ଭାଷା ବୋଲି ସିଦ୍ଧ କରିବାକୁ ବହୁଶ୍ରମ କରିଛନ୍ତି । ବିଲାତର କୌଣସି ଭାଷାତତ୍ତ୍ଵବିତ୍ ମଧ୍ୟ ତାଙ୍କ ସହିତ ଏକମତ ହେବେ ନାହିଁ । ଏଠାରେ କହି ରଖିବା ଉଚିତ ଯେ ଇଂରାଜୀ ଏକ ଭାରତୀୟ ଭାଷା ନ ହୋଇଥିଲେ ମଧ୍ୟ ଭାରତୀୟଙ୍କର ଲାଗି ଆଦୌ କମ୍ ମହତ୍ଵପୂର୍ଣ୍ଣ ନୁହେଁ । ବୃହତ୍ତର ପୃଥିବୀ ସହିତ ଆମର ଯାବତୀୟ ବୌଦ୍ଧିକ ତଥା ଭାବଗତ ବିନିମୟ ଇଂରାଜୀର ମାଧ୍ୟମରେ ହିଁ ହେବ, ଭାରତ ଭିତରେ ମଧ୍ୟ ଭିନ୍ନ ଭିନ୍ନ ଅଞ୍ଚଳ ଭିତରେ ଇଂରାଜୀ ଭାଷା ଅତ୍ୟନ୍ତ ସଂଗତି ଯୁକ୍ତ ଭାବରେ ଯାବତୀୟ ପରିଚୟରେ ସେତୁ ହୋଇ ରହିଥିବ । ମାତ୍ର, ଭାରତବର୍ଷରେ ଅନ୍ୟ ସକଳକ୍ଷେତ୍ର ପରି ଭାରତରେ ସାହିତ୍ୟ ବା ଭାରତୀୟ ସାହିତ୍ୟ ବା ଭାରତୀୟ ସାହିତ୍ୟ ମଧ୍ୟ ଏକାବେଳେ ତଳୁ ଅର୍ଥାତ୍ ଲୋକସ୍ତରରୁ ନିର୍ମିତ ହେବ । ଭାରତୀୟ ସମସ୍ତେ ଆଗ ନିଜର ମାତୃଭାଷାକୁ ଭଲ ପାଇବେ, ମାତୃଭାଷାକୁ ହିଁ ନିଜର ଭୂମି ବୋଲି ଗ୍ରହଣ କରିବେ ଏବଂ ଭାରତୀୟ ଲେଖକମାନେ ସବାଆଗ ନିଜ ମାତୃଭାଷାରେ ହିଁ ଲେଖିବେ । ଯିଏ ଭାଗ୍ୟର ଡୋରୀରେ ଟଣା ହୋଇ ବିଦେଶରେ ରହିବାକୁ ବାଧ୍ୟ ହେଉଛି, ସିଏ ଯଦି ଭାରତୀୟ ସାହିତ୍ୟକୁ ପୃଥିବୀରେ ବୃହତ୍ ଦରବାର ଯାଏ ନେବାକୁ ଆଗ୍ରହ ରଖିବ, ତେବେ ସିଏ ଅନୁବାଦ ଜରିଆରେ ହିଁ ତାହା କରିବ । ଇଂରାଜୀ ମାଧ୍ୟମରେ ପାଠ ପଢ଼ିଛି ବୋଲି ସ୍ଵୟଂ ଇଂରାଜୀରେ ଲେଖି ତାହାକୁ ହିଁ ଶ୍ରେଷ୍ଠ ଏବଂ ଶ୍ରେୟଯୁକ୍ତ ଭାରତୀୟ ସାହିତ୍ୟ ବୋଲି ମୋତେ ହୁରି କରିହେବ ନାହିଁ । ସିଏ ଭାରତୀୟ ଆଧୁନିକ ସାହିତ୍ୟକୁ ଅଧିକ ଗମିବାକୁ ଯାଇ ଭାରତର ପ୍ରାଚୀନ ସାହିତ୍ୟରେ ବି ଆବଗାହୀ ଆସିବାକୁ ନିଜର କର୍ତ୍ତବ୍ୟ ବୋଲି ଜାଣିବ, ସବାଆଗ ଭାରତୀୟ ଲୋକ ଜୀବନରେ ଆସ୍ପୃହା ଏବଂ ଆବଶ୍ୟକତାଗୁଡ଼ିକୁ ବୁଝିବ, ଭାରତୀୟ ଲୋକମନରେ ଇଚ୍ଛା ଏବଂ ସଂବେଦନା ସହିତ ନିଜକୁ ସଂପୃକ୍ତ କରି ରଖିବ । ଭାରତବର୍ଷକୁ ଛାଡ଼ି ଅନ୍ୟତ୍ର ଯିବା ପାଇଁ ଯେଉଁମାନେ ଡିହ ଖଣ୍ଡେ କରି ରହିଲେଣି ଓ ଦୂରରୁ ଥାଇ ଭାରତକୁ ଦେଖୁଛନ୍ତି, ସେମାନେ ହୁଏତ କେବଳ ସମ୍ବାଦିକତା କରିପାରିବେ ଓ ସେମାନଙ୍କର ସାହିତ୍ୟକୁ ମର୍ମତଃ ଏକପ୍ରକାରର ସାହିତ୍ୟିକ ସମ୍ବାଦିକତା ବୋଲି କୁହାଯାଇପାରିବ । ଇଂରାଜୀ ଭାଷାରେ ଭାରତୀୟ ଲେଖକମାନେ ଯାହାକିଛି ଲେଖୁଛନ୍ତି, ତାହା ଅଧିକ ସେହି ପର୍ଯ୍ୟାୟର ହୋଇରହିଛି । କବିତା ଭିତରେ ମଧ୍ୟ ସେହି ଖୋଇଟା ଭାରି ଦିଶି ଯାଇଥାଏ । ଯେଉଁମାନେ ତାହା ପଢ଼ିବେ ବୋଲି ଅଭିପ୍ରାୟ ପୋଷଣ କରି ଲେଖାଯାଇଥାଏ, ସେହିମାନଙ୍କର ବାହ୍ୟ ଚାହିଦାଗୁଡ଼ିକ ପ୍ରତି ଭାରି ଲକ୍ଷ୍ୟ ରଖି ଲେଖା ଯାଇଥାଏ-। ନିତାନ୍ତ ଭାବରେ ନାନା ଅନୁକୃତି ଭଳି ଗନ୍ଧାଉଥାଏ ।

 

ଭାରତବର୍ଷରେ ମଧ୍ୟ ଥୋକାଏ ଲେଖକ ଥାଆନ୍ତି, ଯେଉଁମାନେ କି ଭାରତବର୍ଷକୁ ସାନ ମଣନ୍ତି, ଓଡ଼ିଶାକୁ ତ ପ୍ରାୟ ନଗଣ୍ୟ ବୋଲି ମଣନ୍ତି । ଓଡ଼ିଆର ଲେଖୁଥାନ୍ତି ସିନା, ମାତ୍ର ଇଂରାଜୀରେ ପ୍ରସାବ କରିବାର ସ୍ଵପ୍ନ ଦେଖୁଥାନ୍ତି । ସେମାନେ ନିଜର ଲେଖାଗୁଡ଼ିକୁ ଇଂରାଜୀରେ ଅନୁବାଦ କରାଇ ନିଅନ୍ତି, ବାଗ ପାଇନଥିଲେ ବି ନିଜେ ମଧ୍ୟ ବେଳେ ବେଳେ ବାଲୁ ବାଲୁ ଇଂରାଜୀ ଭାଷାରେ ଲେଖି ପକାନ୍ତି । ଖୁବ୍ ମନେପଡ଼ୁଛି ଆମ ଓଡ଼ିଶାର କେତେ ଜଣ ଉଚ୍ଚାଭିଳାଷୀ ଗଜା ଲେଖକ ତୁଚ୍ଛା ଇଂରାଜୀ ପରିଚ୍ଛେଦରେ ପୁରା ଅହ୍ୟ ହୋଇ ଦିଶିବେ ବୋଲି ଏକଦା ନିଜେ ବାହାର କରୁଥିବା ପତ୍ରିକାର ଗୋଟାଏ ସଂପୂର୍ଣ୍ଣ ସଂଖ୍ୟାକୁ କେବଳ ଇଂରାଜୀରେ ବାହାର କରି ପଳାଇଥିଲେ-। ତାହାକୁ ପାଠ କରିଥିଲେ ସାହିତ୍ୟ ନକରୁଥିବା ଯେକୌଣସି ଇଂରେଜ ମଧ୍ୟ ହୁଏତ ନିଜ ଭାଷାଟିର ଇଏ କ’ଣ ହେଲା ବୋଲି ହା ହା କରି ଉଠିଥାନ୍ତା । ଆମ ଏକାଳରେ କ୍ରମେ ଅଧିକ କବି ଓ ଲେଖକ କ’ଣ ପାଇଁ ନିଜକୁ ଇଂରାଜୀ ଭାଷାର ମାଧ୍ୟମରେ ବଡ଼ସିଂହାର ବେଶରେ ଦେଖିବେ ବୋଲି ବ୍ୟାକୁଳ ହେଉଥାନ୍ତି କେଜାଣି ? ଏମାନେ ଯଦି ଅକସ୍ମାତ୍‍ ଜଣେ ଇଂରାଜୀର ହାବୁଡ଼ରେ ପଡ଼ିଯାନ୍ତେ, ତେବେ ସିଏ ପ୍ରକୃତରେ ଭାରି ହଡ଼ବଡ଼େଇ ଯାଉଥାନ୍ତେ । ଇଂରାଜୀରେ ସେହି ଅତ୍ୟନୁରାଗୀମାନେ ଏ ଦେଶକୁ ନେଇ କ’ଣ କୌଣସି ସ୍ଵପ୍ନ ଦେଖନ୍ତି ନାହିଁ ? ଆପଣା ପ୍ରାଣ ନାଡ଼ୀରେ ସ୍ତରର ଏଠି ସବାତଳେ ବହୁ ଅବହେଳା ଏବଂ ଉପେକ୍ଷାରେ ଅସମ୍ମାନିତ ମଣିଷଙ୍କ ସହିତ ନିଜକୁ ସାମିଲ କରି ଆଗକୁ ଆଦୌ କୌଣସି ଚିତ୍ର ଆଙ୍କନ୍ତି ନାହିଁ ? ତେବେ, ସେହିମାନଙ୍କ ଭାଷାକୁ ନିଜର ଭାଷା ବୋଲି ଗ୍ରହଣ କରିବାକୁ ସଙ୍କୋଚ ବୋଧ କରନ୍ତି କାହିଁକି ? ସେମାନେ କ’ଣ କେବଳ ଆପେ ବ୍ରାହ୍ମଣ ରହି ଏଠି ଆଉ ସମସ୍ତଙ୍କୁ ଆବର ଓ ଶୁଦ୍ରସ୍ତରୀୟ କରି ରଖିବାକୁ ଇଚ୍ଛା କରୁଥାନ୍ତି କି ? ଯେଉଁମାନେ ଅନ୍ୟ ଅନେକଙ୍କୁ ବଞ୍ଚିତ କରି ଏହି ଦେଶତାକୁ ଯଥା ସମ୍ଭବ ଏକା ଭୋଗ କରିବାକୁ ମନାସ କରିଥାନ୍ତି, ସେମାନେ ହିଁ ସମ୍ଭବତଃ କୌଣସି ନିୟମ ମାନି ଭାରତବର୍ଷରେ ଇଂରାଜୀ ମିଡିୟମ୍ ଶିକ୍ଷା ଏବଂ ଇଂରାଜୀ ମିଡିୟମ୍ ସାହିତ୍ୟର ପକ୍ଷ ସମର୍ଥନ କରିବାରେ ଭାରି ଲାଗିଥାନ୍ତି । ସଲମାନ୍ ରୁଶଦୀ ଏବଂ ତାଙ୍କରି ଗୋତ୍ରର ଅନ୍ୟମାନେ ମଧ୍ୟ ଜାଣତ ଅଥବା ଅଜାଣତରେ ସେହିମାନଙ୍କର ପକ୍ଷଟା ଭିତରେ ନିଜକୁ ସାମିଲ କରି ରଖିଥାନ୍ତି କି ?

 

ସୁସ୍ଥ ମଣିଷମାନେ ମଧ୍ୟ ଠିକ୍‍ ଓଲଟା କରୁଥାନ୍ତେ । ସେମାନେ ନିଜର ଭାଷାରେ ଭୂମିଟାକୁ ଟାଣ କରି ନେବା ସଙ୍ଗେ ସଙ୍ଗେ ପ୍ରାୟ ଯୁଗପତ୍ ଭାବରେ ଇଂରାଜୀ ଭାଷାର ଗବାକ୍ଷ ଦେଇ ସମଗ୍ର ପୃଥିବୀ ଭିତରେ ଖେଦିଯାନ୍ତେ ଏବଂ ଅନୁବାଦ ମାଧ୍ୟମରେ ନିଜ ଘରକୁ ରତ୍ନଗୁଡ଼ିକୁ ବୋହି ନେଇ ଆସନ୍ତେ । ସେ କାଳର ସାଧବମାନଙ୍କ ଭଳି ଆମ ଘରକୁ ଭରି ଦିଅନ୍ତେ । ଅନୁବାଦରେ ଆମର ଅମାର ଭର୍ତ୍ତି କରନ୍ତେ, ଆମର ଆଖିଗୁଡ଼ିକୁ ଏକ ବୃହତ୍ତର ଭବିଷ୍ୟତୀର୍ଥ ଆଡ଼କୁ ସମ୍ପ୍ରସାରିତ କରି ଦେଇ ପାରନ୍ତେ । ଅଳପ ମଣିଷ ଇଂରାଜୀ ମିଡିୟମ ସାହିତ୍ୟ ଜରିଆରେ ଇଂରାଜୀ ଭାଷାରେ ବହି ଲେଖିବେ, ପ୍ରଖ୍ୟାତି ଅର୍ଜନ କରିବେ ଏବଂ ଅନ୍ୟ ପକ୍ଷରେ ଆମର ପାରିବାର ଲେଖକମାନେ ଅନୁବାଦ ଦ୍ଵାରା ପୃଥିବୀଯାକର ସମ୍ପଦକୁ ଏହି ଭୂମି ନିମନ୍ତେ ଉପଲବ୍ଧ କରି ଆଣନ୍ତେ ଏବଂ ତଦ୍ୱାରା ଏଠା ଲୋକମାନସର କ୍ଷେତ୍ରରେ ସମ୍ଭବତଃ କେତେଶହ ବର୍ଷର ପଥକୁ ମୋଟା କେତେଟା ବର୍ଷରେ ଅତିକ୍ରାନ୍ତ କରି ନିଅନ୍ତେ ଦୁଇଟା ମଧ୍ୟରୁ କେଉଁଟାରେ ଅଧିକ ପୁରୁଷାର୍ଥ ନିହିତ ରହିଛି, ସେ କଥା ସମ୍ପୃକ୍ତ ସମସ୍ତେ ସ୍ଵୟଂ ବିଚାର କରି ସ୍ଥିର କରି ନିଅନ୍ତୁ । ଏବଂ ଯେତେ ଯାହା ଗଭା ବାନ୍ଧିଲେ ଅଥବା ନେତା ଉଡ଼ାଇଲେ ବି ଏବେ ଯେଉଁ ଭାରତୀୟମାନେ ପ୍ରାୟ ଏକ ବ୍ୟାଧିଗ୍ରସ୍ତ ସଉକ ସହିତ ଖାଲି ଇଂରାଜୀ ଭାଷାରେ ଲେଖୁଛନ୍ତି, ଇଂରାଜୀ ସାହିତ୍ୟର ଇତିହାସରେ କେହି କଦାପି ସେମାନଙ୍କର ନାମକୁ ଆଣି ଭର୍ତ୍ତି କରିବାକୁ ମନ କରିବା ନାହିଁ । ଏଣେ ଭାରତୀୟ ଭୂମିରୁ ମଧ୍ୟ ଖିଅଟି ହଜି ଯାଇଥିବ ଏବଂ ଗୋଟା ସୁଦ୍ଧା ତଳି ଛାଡ଼ି ଯାଇଥିବ । ବାଦୁଡ଼ି ହୋଇ ଜୀବନଟା ସରିଯିବା ହିଁ ସାର ହେବ ସିନା !

 

ଇଂରେଜ ଅମଳରେ ଡକ୍ଟର ସଦାଶିବ ମତେ ପାଠ ପଢ଼ାଉ ଥିଲେ । ପିଲାଦିନେ ସିଏ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସତ୍ୟବାଦୀ ବିଦ୍ୟାଳୟର ଛାତ୍ର ଥିଲେ ବୋଲି ମୁଁ ବହୁତ ପରେ ଯାଇ ଜାଣିଲି । ସ୍ଵାଧୀନ ଭାରତରେ ସିଏ ଏକାଧିକ ବଡ଼ ବଡ଼ ପଦରେ ଅଧିଷ୍ଠିତ ହୋଇଥିଲେ । ପ୍ରାୟ ଦଶ ପନ୍ଦରବର୍ଷ ତଳେ ଆଉ ଥରେ ସେଇ ରେଭେନ୍ସା କଲେଜରେ ଆମେ ଉଭୟେ ବକ୍ତା ରୂପେ ଡାକରା ହୋଇ ଯାଇଥିଲୁ । ସେଦିନ ସିଏ ଆପଣାର ଇଂରାଜୀ ଭାଷାରେ ଯାହା କହିଥିଲେ, ମୋର ଏବେ ମଧ୍ୟ ସ୍ମରଣ ହୋଇ ରହିଛି । ସିଏ କେଡ଼େ ଦୃଢ଼ତା’ର ସହିତ କହିଥିଲେ ଯେ ଓଡ଼ିଆ ଛାତ୍ର ଛାତ୍ରୀ କଲେଜରୁ ହିଁ ସବୁବେଳେ ଇଂରାଜୀ ଭାଷା କହିବାକୁ ଶିକ୍ଷା କରିବା ଉଚିତ୍ । କହିବାକୁ, ଲେଖିବାକୁ ଇତ୍ୟାଦି ଇତ୍ୟାଦି । କାରଣ ସର୍ବଭାରତୀୟ ସ୍ତରରେ ହେଉଥିବା ପରୀକ୍ଷା ସବୁ ଯେତେବେଳେ ଇଂରାଜୀରେ ହେଉଛି, ସେଥିପାଇଁ ଆମେ କଲେଜରେ ପଢ଼ିବା ଅନୁରୂପ ଭାଷା କହିବା, ଇଂରାଜୀରେ କହିବା, ଇଂରାଜୀ ଶୁଣିବା, ଇତ୍ୟାଦି ଇତ୍ୟାଦି । ସିଏ ଆହୁରି କହିପାରିଥାନ୍ତେ, ଇଂରାଜୀରେ ଫୁଲିବା, ଇଂରାଜୀରେ ଉତୁରି ପଡ଼ିବା । ସେଦିନ ମୁଁ ସାରଙ୍କୁ ଆବାକ୍ ହୋଇ ଶୁଣୁଥିଲି । ତା’ପରେ ସିଏ ଅବସର ନେଲେ, ସାଧାରଣ ଜୀବନକୁ ଆସିଲେ, ସାହିତ୍ୟ ଭିତରକୁ ଆସିଲେ । ମତେ ଆଉଥରେ ଆବାକ୍ କଲେ, ଯେଉଁଦିନ ତାଙ୍କର ଲେଖା ଓଡ଼ିଆରେ ପ୍ରଥମ ବହିଟା ବାହାରିଲା । ତାପରେ ସେ ଓଡ଼ିଆରେ ଆହୁରି ଅଧଡଜନେ ବହି ଲେଖିଛନ୍ତି ଏବଂ ସବୁ ଓଡ଼ିଆ ଭାଷାରେ । ଡେରିରେ ହେଉ ପଛକେ, ସାର୍ ସତକୁ ସତ ଘରକୁ ଆସିଲେ । ଇଂରାଜୀ ମିଡିୟମ୍ ସାହିତ୍ୟ ଲେଖିବାର ଯେଉଁମାନେ ବୟସ ଏବଂ ଉତ୍ସାହ ସାରୁଛନ୍ତି, ସେମାନେ ତେଣେ ଦୁର୍ଦ୍ଦଣ୍ଡ ଭାବରେ ଖ୍ୟାତି ଅର୍ଜନ କରୁଥାନ୍ତୁ ପଛକେ, ଆମେ ସେମାନଙ୍କ ବିରୋଧରେ କଦାପି ଜେହାଦ୍ ଘୋଷଣା କରିବା ନାହିଁ । ମାତ୍ର ନିଦା କଥାଟା ହେଉଛି, ସେମାନେ କଦାପି ତାହାକୁ ହିଁ ଭାରତ ବର୍ଷର ପ୍ରତିନିଧିମୂଳକ ସାହିତ୍ୟ ବୋଲି କହିପାରିବା ନାହିଁ । ଏବଂ ଇଂରାଜୀ ଭାଷାକୁ ଭାରତୀୟ ଭାଷା ବୋଲି ଚଳାଇ ଦେଇ ହେବ ନାହିଁ । ଭାରତୀୟ ସାହିତ୍ୟ କହିଲେ ସର୍ବଦା ଏବଂ ସର୍ବପ୍ରଥମେ ଭାରତୀୟ ଭାଷାମାନଙ୍କରେ ଲେଖା ହେଉଥିବା ସାହିତ୍ୟକୁ ବୁଝାଇବ । ଯାହା ଓଡ଼ିଆରେ ଲେଖାଯାଉଛି, ତାହା ହିଁ ଓଡ଼ିଆ ସାହିତ୍ୟ । ଓଡ଼ିଆମାନେ ସ୍ଵତନ୍ତ୍ର ପତ୍ରିକାମାନଙ୍କରେ ତରଳ ଇଂରାଜୀ ଭାଷାରେ ଯାହା ଲେଖିବେ, ତାହାକୁ କଦାପି ଓଡ଼ିଆ ସାହିତ୍ୟର ଅନ୍ତର୍ଗତ କରାଯାଇ ପାରିବ ନାହିଁ । ଅତଏବ, ଇଂରାଜୀ ମିଡିୟମର ସାହିତ୍ୟ ନିରନ୍ତର ଏବଂ ନ୍ୟାୟିକ ସାହିତ୍ୟ ହୁଏତ ଏକପ୍ରକାର ସ୍ଵତନ୍ତ୍ର ସାହିର ସାହିତ୍ୟ ହୋଇ ହିଁ ରହିବ । ଭାରତବର୍ଷର ଏହି ବିଶାଳ ଭୂମିରେ ଏକାବେଳେ ବିବିଧ କଥା ଦେଖିବାକୁ ଅବଶ୍ୟ ମିଳିବ, ମାତ୍ର ତଦ୍ୱାରା ଭାରତବର୍ଷରେ ଆଦୌ କୌଣସି ଲୋକସାନ ହେବ ନାହିଁ । ଭାରତବର୍ଷର ମୁଖ୍ୟସ୍ରୋତ ତାହାକୁ ଅବଶ୍ୟ ସହିଯିବ ସତ, ମାତ୍ର ତାହାର ପ୍ରାଦୁର୍ଭାବରୁ ସର୍ବଦା ଦୂର ହୋଇ ରହିଥିବ । ସେମାନେ ଦିନେ ବାଇବେଲ୍ prodigal son ଭଳି ଘରକୁ ଫେରିଆସିବେ ବୋଲି ଆଶା ରଖିଥିବେ । ସରସ୍ଵତୀଙ୍କ ପାଖରେ ସେମାନଙ୍କର ଶୁଭ ମନାସ କରୁଥିବ ।

 

ଗୋଟିଏ ସତକଥା କହି ମୁଁ ପ୍ରବନ୍ଧର ଉପସଂହାର କରିବି । ସାନ ଓଡ଼ିଶାରେ ମଧ୍ୟ କେତେକ ଇଂରାଜୀ ଭାଷାରେ ପତ୍ରିକା ବାହାରୁଛି । ଏହି କଥାଟି ସେହିଭଳି ଗୋଟିଏ ପତ୍ରିକା ବିଷୟରେ । ସେହି ପତ୍ରିକାରେ କିଛି ଲେଖା, ଓଡ଼ିଆ ସାହିତ୍ୟରୁ କିଛି ଅନୁବାଦ ସହିତ କିଞ୍ଚିତ ପୁସ୍ତକ ସମୀକ୍ଷା ମଧ୍ୟ ରହିଥାଏ । ସମ୍ପାଦକ ବନ୍ଧୁ ଥରେ ମୋତେ ସେହି ପତ୍ରିକାର ଦୁଇ ତିନଟି ସଂଖ୍ୟା ପାଠ କରିବା ଲାଗି ଦେଇଥିଲେ । ସେଥିରୁ ଗୋଟିଏ ସଂଖ୍ୟାରେ ମୁଁ ଏପରି ଗୋଟିଏ ପୁସ୍ତକର ସମୀକ୍ଷା ଦେଖିବାକୁ ପାଇଲି ଯାହାକୁ କି ମୁଁ ନିଜେ ଆଗରୁ ପଢ଼ିଥିଲି । ବହିଟିର ନାଁ Commonwealth Literature, ଲେଖକ ମହୀଶୂରର ପ୍ରଖ୍ୟାତ ଇଂରାଜୀପୁସ୍ତକ ଲେଖକ ଡକ୍ଟର ନରସିଂହାୟା । ଇଂଲଣ୍ଡର ପୂର୍ବତନ ସାମ୍ରାଜ୍ୟର କେତୋଟି ଦେଶ ଏବେ ନିଜକୁ କମନୱେଲ୍‍ଥ ନାମରେ ପରିଚିତ କରାଉଛନ୍ତି । ମଝିରେ ମଝିରେ ବୈଠକ ବସି ସେଥିରେ ପାରସ୍ପରିକ ଦୁଃଖ ସୁଖର ଆଲୋଚନା ହୁଏ । ସେହି ସଦସ୍ୟ ଦେଶଗୁଡ଼ିକରୁ ସାହିତ୍ୟିକ ସନ୍ଦର୍ଭରୂପେ ରଖି ପୁସ୍ତକଟିରେ ଆଲୋଚନା କରାଯାଉଛି । ସ୍ପଷ୍ଟତଃ, ଏହି ଭିନ୍ନ ଦେଶଗୁଡ଼ିକରୁ ସାହିତ୍ୟ ମଧ୍ୟରେ ସେପରି କୌଣସି ସାଧାରଣ ଖିଅ ନାହିଁ , ଯାହାକୁ ଅନ୍ଦାଜରେ ରଖି ଏଗୁଡ଼ିକର ସାହିତ୍ୟଗୁଡ଼ିକୁ ଗୋଟିଏ ଏକକ ରୂପେ ଆଲୋଚନା କରାଯିବ । ଲେଖକ ସ୍ଵୟଂ ସେ କଥା ସ୍ଵୀକାର କରିଛନ୍ତି, ତଥାପି ସୂତା ସହିତ ସୂତା ଯୋଡ଼ିଲା ପରି ବହିଟିକୁ ଲେଖିଛନ୍ତି । ବହିର ସର୍ବଶେଷ ଅଧ୍ୟାୟରେ ସିଏ ମନ୍ତବ୍ୟ ପ୍ରକାଶ କରିଛନ୍ତି ଯେ ଏହି ଦେଶ ଗୋଷ୍ଠୀର ଅନ୍ତର୍ଗତ ପ୍ରତ୍ୟେକ ଦେଶର ସାହିତ୍ୟକୁ ଆମେ ବରଂ ଗୋଟିଏ ଗୋଟିଏ ଏକକବୋଲି ବିଚାର କରିବା ଯେଉଁ ମାନେ କି ଭିନ୍ନ ଭିନ୍ନ ହୋଇ ଅବସ୍ଥିତ ରହିଥିଲେ ମଧ୍ୟ ତଥାପି ସେମାନଙ୍କୁ ସେହି କମନୱେଲ୍‍ଥ ରୂପକ ସାଗର ଭିତରେ ଖେଳାଇ ହୋଇ ରହିଥିବା ଭିନ୍ନ ଭିନ୍ନ ଦ୍ଵୀପ ରୂପେ ଦେଖା ଯାଇପାରିବ । ଦୁର୍ଯୋଗବଶତଃ ଲେଖକ ଆଧ୍ୟାୟଟିର ଆରମ୍ଭରେ ଗୌତମ ବୁଦ୍ଧଙ୍କର ଗୋଟିଏ ବିଶ୍ଵ ପ୍ରସିଦ୍ଧ ବାକ୍ୟକୁ ଉଦ୍ଧାର କରିଛନ୍ତି । ବସ୍ତୁତଃ ମୂଳ ବାକ୍ୟଟି ହେଉଛି "ଆତ୍ମଦ୍ଵୀପ ଭବ" । ଏବଂ ସିଏ ଇଂରାଜୀରେ ବାକ୍ୟଟିରେ ଅନୁବାଦ କରି "Be an island unto yourself" ବୋଲି ଉଲ୍ଲେଖ କରିଛନ୍ତି ଏବଂ ସେହି ଅନୁସାରେ ଭିନ୍ନ ଭିନ୍ନ ଦେଶରେ ସାହିତ୍ୟକୁ ଗୋଟିଏ ଗୋଟିଏ ଦ୍ଵିପ ବୋଲି ପ୍ରତିପାଦିତ କରିଛନ୍ତି ।

 

ମୋତେ ବଡ଼ ଖଟକା ଲାଗିଲା; ଖଟକା ଲାଗିବାର ହିଁ କଥା । ମୂଳ ବାକ୍ୟଟିର ପ୍ରକୃତ ଅର୍ଥ ହେଉଛି "ନିଜେ ନିଜର ଦ୍ଵୀପ ହୁଅ" । Be a lamp unto yourself; ଏବଂ କେଉଁ ପଣ୍ଡିତ ଦୀପକୁ ଦ୍ଵୀପ ବୋଲି ଭାବି (Island) ବୋଲି ତାହାର ଅନୁବାଦ କରି ପକାଇଛନ୍ତି । ଆମ ଆଲୋଚ୍ୟ ପୁସ୍ତକର ଲେଖକ ନିଜ ନିଜ ଅନୁମାନଟି ସିଦ୍ଧ କରିବା ନିମନ୍ତେ କେଉଁ ଇଂରାଜୀ ବହିରେ (island) ବୋଲି ଲେଖା ହୋଇଥିବାର ପାଇ ସେହିଟିକୁ ନିଜର ପୁସ୍ତକରେ କାମରେ ଲଗାଇବେ ବୋଲି ଦୁହିଁ ଆଣିଛନ୍ତି । ମୂଳ ବୁଦ୍ଧ-ବାଣୀଟିକୁ ଖୋଜିଥିଲେ ସିଏ ଏପରି ଏକ ଭ୍ରମରେ କେବେହେଲେ ପଡ଼ି ନଥାନ୍ତେ । ପରେ ପତ୍ରିକାର ସମ୍ପାଦକଙ୍କ ସହିତ ଦେଖା ହେଲାବେଳେ ମୁଁ ତାଙ୍କୁ ସେହି କଥାଟି ସୁଚାଇ ଦେଲି । ପୁସ୍ତକଟିର ସମୀକ୍ଷକ ତାଙ୍କର ସମୀକ୍ଷାରେ ଉକ୍ତ ପ୍ରମାଦଟି ବିଷୟରେ କିଛି ଉଲ୍ଲେଖ କରି ନଥିଲେ । ମୂଳ ବୁଦ୍ଧ–ବାଣୀଟିକୁ ହେତୁ କରିବାକୁ ସିଏ ବା କାହିଁକି କଷ୍ଟ ସ୍ଵୀକାର କରି ନଥାନ୍ତେ । ମୁଁ ଆଶା କରୁଥିଲି, ସମ୍ପାଦକ କଥାଟିକୁ ସମୀକ୍ଷକ ମହାଶୟଙ୍କର ଗୋଚରକୁ ନେବେ ଏବଂ ପତ୍ରିକାର ଏକ ପରବର୍ତ୍ତୀ ସଂଖ୍ୟାରେ ପାଠକଙ୍କର ଅବଗତି ନିମନ୍ତେ ମଧ୍ୟ ସେହି କଥାଟିକୁ ଜଣାଇ ଦିଆଯିବ । କହିବା ବାହୁଲ୍ୟ, ସେପରି କୌଣସି ଉପଚାର କରାଗଲା ନାହିଁ । ମୁଁ ଭାବୁଛି, ଇଂରାଜୀରେ କୌଣସି ବିଷୟ ଲେଖା ହୋଇଥିଲେ ଅନେକ ବ୍ୟକ୍ତି ସେହି କାରଣରୁ ହିଁ ତାହାକୁ ଏପରି ପବିତ୍ର ବୋଲି ଭାବନ୍ତି ଯେ, ସେଇଟାରେ ମଧ୍ୟ ସଂଶୋଧନ ବେଳେବେଳେ କରିବାକୁ ହୁଏ ବୋଲି ସମ୍ଭବତଃ ଚିନ୍ତା କରି ପାରନ୍ତି ନାହିଁ । ଆମ ଗାଁ ହାଇସ୍କୁଲରେ ଇଂରାଜୀ ପଢ଼ାଉଥିବା ଆଜ୍ଞାଙ୍କୁ ଯେପରି ଆଦୌ ଚ୍ୟାଲେଞ୍ଜ କରି ହୁଏନାହିଁ ଓ ସିଏ ନିଜେ ମଧ୍ୟ ସେପରି କିଛି ଘଟିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଇଏ ହୁଏତ ସେହିପରି କଥାଟିଏ ।

 

ଇଂରାଜୀ ମିଡିୟମ ସ୍କୁଲମାନଙ୍କରେ ପିଲାମାନଙ୍କର ନିଜ ଭାଷା ଯେପରି ଭାବରେ ଉପେକ୍ଷା କରାଯାଉଛି, ଏହି ଇଂରାଜୀ ମିଡିୟମ୍ ସାହିତ୍ୟ ମଧ୍ୟ ଭାରତୀୟ ଭୂମି ସାହିତ୍ୟଗୁଡ଼ିକୁ ମୋଟେ ଉପେକ୍ଷା ନ କରୁ । ଆମ ସାହିତ୍ୟର ବହୁତ କିଛି ଅନୁବାଦ କରି ଇଂରାଜୀ ଭାଷୀ ବୃହତ୍ତର ପାଠକ ଜଗତର ସମକ୍ଷକୁ ଆଣିବା ଲାଗି ଅବଶ୍ୟ ଏକ ଆବଶ୍ୟକତା ରହିଛି । ମାତ୍ର ଯିଏ ଏହି କାମଟିକୁ କରିବ, ସିଏ ଭାରତୀୟ ମୂଳ ସାହିତ୍ୟରେ ମଧ୍ୟ ସବାଆଗ ପ୍ରବେଶ କରୁ, ତାହାକୁ ସମ୍ମାନ ଦେଉ । ତେବେ ଯାଇ ତା’ର କହୁଥିବା କଥାଗୁଡ଼ିକର ଓଜନ ରହିବ । ଜଣେ ଲେଖକ ଇଂଲଣ୍ଡରେ ରହିଲେ ମଧ୍ୟ ତାହା କରିପାରିବ, ଭୁବନେଶ୍ଵରରେ ମଧ୍ୟ ରହିପାରିବ । ଇଂରାଜୀ ଭାଷାକୁ ଭଲ ପାଇବା ଏବଂ ଇଂରାଜୀ ଟକଳା ହେବା, ଏହି ଦୁଇଟିଯାକ ଆଦୌ ଗୋଟିଏ କଥା ନୁହନ୍ତି । ଇଂରାଜୀ ଟକଳାମାନେ କୌଣସି ଏକ ସୌଖୀନ ବ୍ୟାଧିରେ ଆକ୍ରାନ୍ତ ହୋଇ ଭାଷାର ଆକାଶରେ ସେଇ ଗୋଟିଏ ମାତ୍ର ବେଲୁନକୁ ନେଇ ଫୁଲେଈ ହେବାରେ ଲାଗିଥାନ୍ତି । ଏ ସବୁ ବଡ଼ ହାସ୍ୟାସ୍ପଦ ବ୍ୟାପାର । ଏକଦା ଉପନିବେଶ ହୋଇ ରହିଥିବା ଦେଶମାନଙ୍କରେ ଏହି ପ୍ରବୃତିଟି ଥୋକେଙ୍କ ଭିତରେ ରହିଛି । ସେଥିରୁ କେତେକ ଅଧିକ ନିରଙ୍କୁଶ ହେବେ ବୋଲି ବିଲାତ ବା ଆମେରିକାରେ ଯାଇ ଡେରା ପକାଇଛନ୍ତି । ସେହିଠାରେ ଡିହଟାଏ ପକାଇ ନେଇ ପୁଚ୍ଛ ଟେକି ହାସ୍ୟାସ୍ପଦ ହେଉଛନ୍ତି । ଆମ ମୁକ୍ତ ଆକାଶ ତଥା ମୁକ୍ତ ଅରଣ୍ୟଟା ଅପେକ୍ଷା ସେମାନଙ୍କର ସୁନା ପଞ୍ଜୁରୀଟା ଅଧିକ ସତ୍ୟ ବୋଲି ଆମକୁ ଫୁସୁଲାଇବାକୁ ଇଚ୍ଛା କରୁଛନ୍ତି । ଭାରତବର୍ଷରେ ମଧ୍ୟ ସେମାନଙ୍କ ଅନୁରୂପ ଦଳେ ଅନୁଗାମୀ ଅଛନ୍ତି, ଯେଉଁମାନେ ଇଂରାଜୀ ଭାଷାକୁ ଆଗକାଳରେ ସଂସ୍କୃତବତ୍ ଦେବଭାଷା ବୋଲି ଭାବୁଛନ୍ତି । ଆମ ପୃଥିବୀର ଆଗାମୀ ଯୁଗଟା ହେଉଛି ଧର୍ମତଃ ଏକ ମୋହମୁକ୍ତିର ଯୁଗ । ସେହି ଯୁଗରେ ଟକଳାମାନେ ଭାରି ଧରା ପଡ଼ିଯିବେ । ଭାଷା ଭାଷାକୁ ସ୍ଵୀକୃତି ଦେବେ, ସମ୍ମାନ କରିବ, ସେତେବେଳେ ଇଂରାଜୀରେ ଲେଖୁଥିବା ଭାରତୀୟମାନଙ୍କୁ ତେଣେ ଯାଇ ଡେରା ପକାଇ ଭାରତବର୍ଷର କଥା କହିବାର ହୁଏତ ସେପରି କୌଣସି ମୂଲ୍ୟ ରହିବ ନାହିଁ । କେତେକ ନମୁନା ଏବଂ ସେଗୁଡ଼ିକର ସୌଦାଗର ଅବଶ୍ୟ କିଛି ରହିଥିବେ । ସେତେବେଳେ ଇଂଲଣ୍ଡର ବୋଇତ ସିଧା ଭାରତବର୍ଷକୁ ଆସିବ ଓ ଭାରତବର୍ଷର ବୋଇତ ସିଧା ଇଂଲଣ୍ଡକୁ ଯିବ ଓ ସାହିତ୍ୟ ପଣ୍ୟର ଆଦାନ ପ୍ରଦାନ ହେବ । ଇଂଲଣ୍ଡରୁ ଗୁଣୀମାନେ ଏବେ ମଧ୍ୟ ଭାରତକୁ ଆସିଛନ୍ତି ଏବଂ ଭାରତର ଭାଷାଗୁଡ଼ିକୁ ଶିଖି ସ୍ଵଅବଗାହନର କାହାଣୀଟିକୁ କେଡ଼େ ଚିହ୍ନରା ବନ୍ଧୁ ଭଳି କହି ପାରୁଛନ୍ତି । ଭାରତରେ ସବୁଦିନ ପାଇଁ ସେହି ଗୁଣୀ ବନ୍ଧୁମାନଙ୍କର କଦର ହେବା, ଚାହିଦା ମଧ୍ୟ ରହିଥିବ । ସେମାନେ ଯାହା ଲେଖିବେ, ଆଗାମୀ ଭାରତ ବର୍ଷର ସାହିତ୍ୟ ତାହାକୁ ନେଇ ଅଧିକ ଗୌରବ ଅନୁଭବ କରିବେ ।

 

[ବର୍ତ୍ତିକା, ଶାରଦୀୟ ବିଶେଷାଙ୍କ, ୧୯୯୯]

☆☆☆

 

Unknown

ବାସ୍ତବବାଦର ବାସ୍ତବତା

 

ଜଣେ ମଣିଷ ଆଉ ଜଣେ ମଣିଷ ଭିତରେ ଯେତେବେଳେ ଆପଣାଭଳି ଏକ କ୍ରିୟାଶୀଳ ଆତ୍ମାକୁ ଅନୁଭବ କଲା, ସମ୍ଭବତଃ ସେଜି ମୁହୂର୍ତ୍ତଟି ହିଁ କ୍ରମପ୍ରସାରିତ ଅର୍ଥାତ୍ କ୍ରମ ବିକଶିତ ହୋଇ ମାନବବାଦ ନାମକ ସେହି ଅଭିନବ ଜୀବନଦୃଷ୍ଟିକୁ ଜୀବନ ଚର୍ଚ୍ଚାଭିତରକୁ ସ୍ଵାଗତ କରି ଆଣିଥିଲା । ସଂବେଦନାଶୀଳତା’ର ଜନନୀ ହେଉଛି ବେଦନା; ଯେତେବେଳେ ନିଜର ବେଦନାକୁ ମୁଁ କେବଳ ନିଜର ବେଦନା ବୋଲି ପ୍ରାୟ ଏକ ସ୍ଵାଧିକାର ପ୍ରମତ୍ତ ଅତିଚାରିତା ସହିତ ଅନୁଭବ କରୁଥିବି ଓ ସେଇଥିରୁ ଏକ ବ୍ୟାଧିତ ଉତ୍ତେଜନା ଅନୁଭବ କରୁଥିବି, ସେ ପର୍ଯ୍ୟନ୍ତ ମୁଁ ନିଜ ଭିତରେ ହୁଏତ ଗୋଟାଏ ରାକ୍ଷସ ସହିତ ଗଆଁଠାଇ ହୋଇ ରହିଥିବି ଓ ନିଜ ଭିତରର ମାନବତ୍ଵଟିକୁ ଚାପି ରଖିଥିବି । ଅପର ପକ୍ଷରେ, ସେହି ବେଦନାରେ ଏକ ସଂପ୍ରସାରଣ ଦେଇ ମୁଁ ଯଦି ଅନ୍ୟମାନଙ୍କର ବେଦନାକୁ ଆବିଷ୍କାର କରିପାରିବି, ତେବେ ସଂବେଦନଶୀଳ ହୋଇପାରିବି । ନିଜର ଅସଲ ଘର ଅର୍ଥାତ୍ ଅସଲ ସମ୍ପତ୍ତିଟିରେ ଅଭ୍ୟାସ ଲାଭ କରିବି, ଏକ ଅନ୍ୟ ସତ୍ୟ ଲାଗି ସାହସ କରିପାରିବି । ସଂବେଦନଶୀଳତାରୁ ସହଭାଗିତା (ଏହାକୁ ଯାବତୀୟ ଅର୍ଥ ଧର୍ମରେ ସହଭାଗିତା ବୋଲି କାହିଁକି ବା କୁହାନଯିବ – ଠିକ୍ ତୈତ୍ତିରୀୟ ଉପନିଷଦର ସହ ନୌଭୁନକ୍ତୁ ପରି-?) ସହଚାରିତା, ଏକତ୍ର ସ୍ଵପ୍ନ ଦେଖିବା ଏବଂ ଏକତ୍ର ସେହି ସ୍ଵପ୍ନକୁ ଏଇଠି ଏକ ପରିପ୍ରେରିତ ସାମୂହିକ ଜୀବନରେ ସାକାର କରିବାର ଏକ ବିଶ୍ଵାସ ଯୁକ୍ତ ସକାରାତ୍ମକ । ଆଧୁନିକ ବିଜ୍ଞାନ ଏକ ସମ୍ବଳକ ହିସାବରେ ସାଙ୍ଗରେ ବାହାରିବାପରେ ଏହି ବିଚାରଟି ସତେ ଅବା ଏକ ସ୍ଵତନ୍ତ୍ର ଡେଣା ପାଇଗଲା ଏବଂ ନାନାବିଧ ସମାଜଦର୍ଶନ ରୂପେ ପ୍ରତିଭାତ ହୋଇ ଉଠିଲା । ଏକାଧିକ କାରଣ ଅର୍ଥାତ୍ ପ୍ରମାଣ ଦର୍ଶାଇ କହିହେବ ଯେ, ବର୍ତ୍ତମାନ ସେହି ମାନବବାଦର ବା ମାନବିକତାବାଦ ପୃଥିବୀଯାକର ଚିତ୍ତକୁ ସବୁଠାରୁ ଅଧିକ ବ୍ୟାକୁଳତା ତଥା ବିଶ୍ଵାସନୀୟତା ସହିତ ଆଲୋଡ଼ିତ କରିବାରେ ଲାଗିଛି । ପୁରୁଣା ଧର୍ମ, ପୁରୁଣା ରାଷ୍ଟ୍ରନୀତି ଓ ପୁରୁଣା ଗୁପ୍‍ସାମାନଙ୍କ ଦୁର୍ଗଗୁଡ଼ିକ ଭାଙ୍ଗି ଭାଙ୍ଗି ଯାଉଛନ୍ତି ।

 

ସେହି ମାନବବାଦରୁ ହିଁ ବାସ୍ତବବାଦ । ଏହି ମର୍ତ୍ତ୍ୟଭୂମିର ଏପରି ଏକ ନାମକରଣ ହୋଇଥିଲା, କାରଣ ସେକାଳେ ଏଠା ବିମୁଖ ମହାମନାମାନେ ଏଠାରେ କେବଳ ମରଣଶୀଳତାକୁ ପ୍ରତ୍ୟକ୍ଷ କରୁଥିଲେ । ଏଠି ସବୁ ନଶ୍ଵର, ମାତ୍ର ଦୁଇ ଦିନର, –ମାୟାମୟ, Original Sin ଦ୍ଵାରା ଅଭିଶପ୍ତ କେବଳ ଦୁଃଖମୟ ଗୋଟିଏ ଧାମ । ଆଗକାଳର ସାହିତ୍ୟ ମଧ୍ୟ ଠିକ୍ ସେହି ବିଚାରଟିର ଗରଜରେ ପଡ଼ି, ସେହିପରି କହିବାରେ ଲାଗିଥିଲା । ଏଠୁ ଗଲେ ସେଠୁ ଯାଇ ମୁକ୍ତି । ତୃଷ୍ଣାର ବିଲୁପ୍ତିରେ ହିଁ ଦୁଃଖର ବିନାଶ । ମଣିଷ ଏକା ଏକା ଆସିଛି ଏବଂ ସେହିଭଳି ଏକା ଏକା ଯିବ । ଏତିକି କହିବାକୁ ମଣିଷମାନଙ୍କ ଭିତରେ ରହିଥିବା ସେକାଳର ପ୍ରାୟ ସବୁ ଚକ୍ଷୁଷ୍ମାନ୍ ମହାନ୍‍ମାନେ କୁଢ଼ କୁଢ଼ ଶାସ୍ତ୍ର ଲେଖିଛନ୍ତି । ଅସୁମାରି ଦେଉଳ ଓ ଗୀର୍ଜା ଗଢ଼ି ଥୋଇ ଦେଇଛନ୍ତି, –ବହୁତ ବହୁତ ଅଳଙ୍କାର ଲଗାଇ ମାନବ ଜୀବନକୁ ନିଃସାର ବୋଲି ଜାଣିବାକୁ ପରାମର୍ଶ ପ୍ରଦାନ କରିଛନ୍ତି । ମାନବତାବାଦ ହିଁ ପାର୍ଥିବ ମାନବର ନଜରଗୁଡ଼ିକୁ ତଳକୁ ଆଣିଲା,– ବାସ୍ତବତାକୁ ଭୂମିରୂପେ ଗ୍ରହଣ କରି ଶିଖାଇଲା । ବାସ୍ତବତା ମଧ୍ୟରେ ପ୍ରଚ୍ଛନ୍ନ ହୋଇ ରହିଥିବା ପ୍ରତିଶ୍ରୁତିମାନଙ୍କୁ ଠାବ କରିବାର ରହସ୍ୟମାନଙ୍କୁ ଉଦ୍ଘାଟିତ କଲା । ପୃଥିବୀଟା ସତେଅବା ତା’ର ବାଳୁତ ବୟସର ଅଳ୍ପତାମାନଙ୍କୁ ପରିହାର କରି ଏକ ତାରୁଣ୍ୟ ମଧ୍ୟରେ ପ୍ରବେଶ କରିବାର ବୋଧିସ୍ତରକୁ ଉନ୍ନୀତ ହୋଇଆସିଲା । ଏହି ନୂତନ ଆଭିମୁଖ୍ୟ ବା ନୂତନପ୍ରେରଣା ହିଁ ବହୁବିଧ ସ୍ଥାନୀୟ ପ୍ରକ୍ରିୟାର ମାଧ୍ୟମରେ ସାହିତ୍ୟର ମଧ୍ୟ ଏପରି ଏକ ଅଦ୍ଭୁତ ପୂର୍ବ ପର୍ଯ୍ୟାୟକୁ ଜନ୍ମ ଦେଲା । ଯାହାକୁ କି ଆମେ ବାସ୍ତବବାଦ ବୋଲି କହି ଶିଖିଲୁ । ବାସ୍ତବତାକୁ ବଦଳାଇବାର ନାନା ଦୁର୍ନିବାର ପରୀକ୍ଷା ଦ୍ଵାରା ଯେ ମଣିଷମାନଙ୍କର ସମୂହ ଏହି ପୃଥିବୀରେ ଯାବତୀୟ ଆଦର୍ଶକୁ ସାକାର କରି ଆଣିପାରିବେ, ଆପଣାର ଭାଗ୍ୟକୁ ନାନାଭାବେ ମୂର୍ତ୍ତ କରିପାରିବେ, – ଏକ ମହତ୍ତର ଜୀବନ ପାଇଁ ପ୍ରୟାସ କରି ସେମାନେ ଏହି ଧରାତଳଟିକୁ ଯେ ଏକ ଦେବଶିଳ୍ପ ସଦୃଶ ନିର୍ମାଣ କରି ଆଣିବେ, ଆଧୁନିକ ମନୁଷ୍ୟ ତଥା ତା ସାହିତ୍ୟର ବାସ୍ତବବାଦୀ ବିଶ୍ୱାସଟିକୁ ଆଉ କଦାପି ପୃଥିବୀରୁ ଟଳାଇ ଦିଆ ଯାଇପାରିବ ନାହିଁ । ବାସ୍ତବ ଭାଙ୍ଗି ଯାଉଥିବ, ଗଢ଼ି ହୋଇ ଯାଉଥିବା; ବିକଳ୍ପତାରେ ବିକଳ୍ପରେ ପ୍ରୟୋଗ ତଥା ପରୀକ୍ଷଣ ଲାଗି ରହିଥିବ । ସାହିତ୍ୟ ମୁଖ୍ୟତଃ ସେଇଥିରେ ହିଁ ପୌରୋହିତ୍ୟ କରିବ, ଅଧିକରୁ ଅଧିକ ମଣିଷଙ୍କୁ ଡାକି ଆଣି ଏକତ୍ର ସମବେତ କରାଇବା ଭାଗ୍ୟ ଶବ୍ଦଟିରେ ପରିଭାଷା ବଦଳିଯିବ । ସତ୍ୟଗୁଡ଼ିକର ଧରାବତରଣ କରିବ । କେତେକେତେ ସମ୍ଭାବନାମୟ ଡୋର ଯେ ମଣିଷକୁ ମଣିଷ ସହିତ ବାନ୍ଧି ରଖିଛି, ଏହି ଧୂଳି ଉପରେ ହିଁ ତା’ର ପ୍ରମାଣ ମିଳିବାରେ ଲାଗିଥିବ । ବର୍ତ୍ତମାନର ବହୁ ବିରୋଦ୍ଧାଭାସ ଅତିକ୍ରାନ୍ତ ହୋଇଯିବ ।

 

ବାସ୍ତବବାଦ ସତେ ଅବା ଏକ ଅନ୍ୟ ମାନବନିୟତିର ପ୍ରତ୍ୟୟ ଆଣିଦେଲା । ଏକ ଅନ୍ୟ ମାନବ ନିୟତିର ପ୍ରତ୍ୟୟ ଏକ ଅନ୍ୟ ମାନବସ୍ଵୀକୃତି ଆଡ଼କୁ ବାଟ କଢ଼ାଇ ନେଲା । ସାମନ୍ତବାଦଭିତରୁ ମୁକ୍ତି ଦେଇ ଏକ ନିତ୍ୟ ନୈମିତ୍ତିକ ପାରସ୍ପରିକତା ନିମନ୍ତେ ଉଦବୋଧନ ଆଣି ଦେଲା । ଆଗେ, ଅର୍ଥାତ୍‍ ପାରମ୍ପରିକ ବରାଦଗୁଡ଼ିକ ଅନୁସାରେ ପୃଥିବୀ ସତେଅବା ମାତ୍ର କେତେକ ବର୍ଗ ଅଥବା କେତେଙ୍କ ବ୍ୟକ୍ତିଙ୍କ ସକାଶେ ଗୋତି ଖଟୁଥିଲା । କ୍ରମେ ନାଗରିକର ନୂତନ ବିଚାରଟି ସାମୂହିକ ଜୀବନୋଦ୍ୟମଗୁଡ଼ିକର କ୍ଷେତ୍ରରେ ଏକ ନୂଆ ଉଦବେଳନକୁ ସଂଚାରିତ କରି ଆଣିଲା । ବଂଶ ନୁହେଁ, ଧନ ନୁହେଁ, କ୍ଷମତା ନୁହେଁ, ଅଥବା କୌଣସି ପ୍ରକାରର ଧୂର୍ତ୍ତତା ମଧ୍ୟ ନୁହେଁ, ମଣିଷ ହିସାବରେ ମଣିଷର, ପ୍ରତ୍ୟେକ ମଣିଷର ସବୁ ମଣିଷଙ୍କର ଏପରି ଏକ ପରିଚୟ ରହିଛି, ଯାହାକୁ କି ମୋଟେ କୌଣସି ଅର୍ଦ୍ଧସତ୍ୟ କିମ୍ବା ଅସତ୍ୟ ସହିତ ସାଲିସ୍ କରି ଚାପି ଦିଆ ଯାଇ ପାରିବନାହିଁ । ବାସ୍ତବବାଦୀ ଚେତନା ହିଁ ବିଜ୍ଞାନ ନିମନ୍ତେ ପୂର୍ବରୁ ଅଭାବନୀୟ ବହୁ ଗୋଡ଼ହାତ ଆଣି ଯୋଗାଇ ଦେଲା । ଖୁବ୍ ଅଭ୍ୟସ୍ତଭାବରେ ସମାଜରେ ଆଚରିତ ହୋଇ ଆସୁଥିବା ବହୁ ଅନ୍ୟାୟଆଡ଼କୁ ଅଙ୍ଗୁଳିନିର୍ଦ୍ଦେଶ କରିଥିଲା । ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ତା’ର ଯଥା ସମ୍ଭବ ସକାଳଙ୍ଗ ବିକାଶ ନିମନ୍ତେ ଏକ ଅନୁକୂଳ ପରିବେଶ ଯୋଗାଇଦେବା ହେଉଛି ଆମ ସମୁଦାୟଗୁଡ଼ିକର ଦାୟିତ୍ଵ । ସବୁ ପିଲା ପାଠ ପଢ଼ିବେ, ଯୋଗ୍ୟତା ଅନୁସାରେ ସୁଯୋଗମାନ ଲାଭ କରିବେ । ପୁରାତନଗୁଡ଼ିକ ବାଟ ଓଗାଳିଲେ ଏବଂ ସେଥିଲାଗି ପ୍ରତିବାଦ ହେଲା, ବହୁ ବିପ୍ଳବର ବନ୍ଧୁର ପଥଦେଇ ତଥାପି ଅଗ୍ରସର ହେବାକୁ ପଡ଼ିଲା । ଏହି ପରିବର୍ତ୍ତନ ତଥା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଦେବା ପାଇଁ ଏକ ବାସ୍ତବବାଦୀ ସାହିତ୍ୟ ଗଠିତ ହୋଇଆସିଥିଲା । ମାମୁଲି ମଣିଷମାନେ ସାହିତ୍ୟ ଭିତରେ ଥାନ ପାଇଲେ । କୁଳୀନମାନେ ପ୍ରତିବାଦ କଲେ, ତଥାପି ରୋକି ପାରିଲେ ନାହିଁ-। ମଣିଷ ମଣିଷକୁ ଅନାଇଲେ ତଳକୁ ଅବଶ୍ୟ ଆସିବ । ଆପଣା ସହ ଅନ୍ୟମାନଙ୍କୁ ଲୋଡ଼ିଲେ ଚାରିପାଖକୁ ଅବଶ୍ୟ ଅନାଇବ । ସମସ୍ତଙ୍କ ସକାଶେ ଘର ଭଳି ଘରଟିଏ ଏଠାରେ ତିଆରି ହୋଇପାରି ନାହିଁ ବୋଲି ଅନୁଭବ କରି ସିଏ ସବାଆଗ ଏକ ଅନ୍ୟ ଭୂମି ଅନ୍ୟ ମୂଳଦୁଆ ଓ ଅନ୍ୟ ସତ୍ୟ ସମ୍ପତ୍ତିଗୁଡ଼ିକର ପ୍ରତିଷ୍ଠା ନିମନ୍ତେ ଆଗ୍ରହ ପ୍ରକାଶ କରିବ । ସାହିତ୍ୟ ଭିତରେ ଏହି ଆହ୍ଵାନଟି ଯାହା ସ୍ଵାଗତ କରି ଆଣିଛି ତାହା ହିଁ ବାସ୍ତବବାଦ । ବାସ୍ତବବାଦ କହିଲେ ଆମେ ମୂଳତଃ ବାସ୍ତବତଟିକୁ ଅଧିକରୁ ଅଧିକ ମଣିଷ ଲାଖି କରି ଗଢ଼ିବାରେ ଏହି ଆହ୍ଵାନଟିକୁ ହିଁ ବୁଝିବା-

 

ପ୍ରାଚୀନ କାଳରେ ଦେବତାମାନେ ହିଁ କାବ୍ୟମାନଙ୍କର ନାୟକ ହେଉଥିଲେ । ବାସ୍ତବବାଦ ସେହି ରୀତିଟିକୁ ବଦଳାଇ ଦେଲା । ରାଜା ଓ ସାମନ୍ତମାନଙ୍କୁ ମଧ୍ୟ ତାହା ସାହିତ୍ୟ ଭିତରେ ଏକମାତ୍ର ଅଧିକାର ପ୍ରାପ୍ତ ନାୟକ ବୋଲି ସ୍ଵୀକାର କଲାନାହିଁ । ସାଧାରଣ ମନୁଷ୍ୟମାନେ ପ୍ରବେଶଧିକାର ଲାଭ କଲେ । ଜର୍ମାନୀର ନାଟ୍ୟକାର ଗେରାର୍ଡ଼ ହାଉଫ୍‍ଟ୍‍ମାନ, ଯେତେବେଳେ ଦରିଦ୍ର ତନ୍ତିମାନଙ୍କର ଜୀବନ ଚିତ୍ରକୁ ସାମଗ୍ରୀରୂପେ ବ୍ୟବହାର କରି ନାଟକ ଲେଖିଲେ, ସେତେବେଳ ସମ୍ଭ୍ରାନ୍ତ ମହଲରେ ଚହଳ ପଡ଼ି ଯାଇଥିଲା । ତଥାପି ଯାହାର ଆସିବାର ଥିଲା, ତାହା ଅବଶ୍ୟ ଆସିଲା । ସମାଜରେ ସବାତଳ ମଣିଷର ଭାଗ୍ୟ ପରିବର୍ତ୍ତନ ବିଷୟରେ ନାନା ଭଳି ଚିନ୍ତା କରାଗଲା । ନାନା ଭଳି ସଂସ୍କାରର ପ୍ରବର୍ତ୍ତନଦ୍ଵାରା ସମାଜକୁ ସତେ ଅବା ସମସ୍ତଙ୍କର ଘର ବୋଲି ଘୋଷଣା କରାଗଲା । ସେଥିପାଇଁ ବହୁ ଆଲୋଡ଼ନ ଓ ଉଦବେଳନର ସୂତ୍ରପାତ ହୋଇଥିଲା । ବିଚାରର ଜୟଯାତ୍ରାରେ ସାଧାରଣ ମଣିଷକୁ ଅର୍ଥାତ୍‍ ସବୁ ମଣିଷଙ୍କୁ ସବାଆଗରେ ରଖାଗଲା । ବ୍ୟବଧାନଗୁଡ଼ିକ ହ୍ରାସ ହୋଇ ଆସିଲା, ସୁଯୋଗ ମାନ ସାର୍ବଜନୀନ ହେଲେ କହିବା ବାହୁଲ୍ୟ, ଇଉରୋପ ହିଁ ଏହି କାୟା ପରିବର୍ତ୍ତନରେ ଅଗ୍ରଗାମୀ ରଙ୍ଗମଞ୍ଚ ରୂପେ ଆବିଭୂର୍ତ ହୋଇଥିଲା । ନୂଆ ବିଜ୍ଞାନ ଏଥି ଲାଗି ସମ୍ବଳ ଯୋଗାଇ ଦେଲା । ଉନବିଂଶ ଶତାଧିର ଶେଷଭାଗକୁ ଏହି ନୂଆ ପବନଟି ଭାରତବର୍ଷକୁ ମଧ୍ୟ ସଂକ୍ରାମିତ ହୋଇଆସିଲା । ଭାରତୀୟ ସାହିତ୍ୟକୁ ସତେଅବା ଗୋଟିଏ ନୂଆ ଲୋଚନ ଯୋଗାଇ ଦେଇଥିଲା । ଭାରତବର୍ଷରେ ଏକ ସ୍ଵାଧୀନତା ଆନ୍ଦୋଳନକୁ କୁହୁଳାଇ ଆଣିବା ସଙ୍ଗେ ସଙ୍ଗେ ତାହାରି ମାଧ୍ୟମରେ ଏକ ସାମାଜିକ ନବ ରଚନା ନିମନ୍ତେ ମଧ୍ୟ ମନୁଷ୍ୟମାନଙ୍କର ଚେତନାକୁ ଉଦ୍‍ବୁଦ୍ଧ କରି ଆଣିଥିଲା । ସେତେବେଳର ଭୂମିଷ୍ଠ ହୋଇଥିବା ବର୍ତ୍ତମାନର ନିତ୍ୟସ୍ମରଣୀୟ ଆମର ଅତିମାନ୍ ଏବଂ ଚକ୍ଷୁଷ୍ମାନମାନେ, ସ୍ଵାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ , ଶ୍ରୀ ଅରବିନ୍ଦ ତଥା ଆହୁରି କେତେ ନା କେତେ ନିଜର ନିଜର ସ୍ଵତନ୍ତ ଭାଷା ଏବଂ ଭୂମିକୁ ବ୍ୟବହାର କରି ସେହି ସର୍ବଜନାର ଜାଗରଣକୁ ହିଁ ସ୍ଵ ସ୍ଵ ବିଚାରର ପୁରୋଭାଗରେ ଆଣି ରଖି ଥିଲେ । ଦରିଦ୍ରମାନଙ୍କ କଥା କହିଲେ ଆପଣାର ଅଧ୍ୟାତ୍ମ ସନ୍ଦେଶଗୁଡ଼ିକୁ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏକ ନୂତନ ସମାଜ ଚିନ୍ତାରେ ଅଭିମନ୍ତ୍ରଣ ଦ୍ଵାରା ସମୁଜ୍ଵଳ କରି ଦର୍ଶାଇବାରେ ଆଗୁଆ ହୋଇ ବାହାରିଲେ । ସେମାନେ ଭଗବାନଙ୍କୁ ସତେ ଅବା ଜୀବନର ବାସ୍ତବଟି ଭିତରକୁ ଅବତୀର୍ଣ୍ଣ କରାଇ ଆଣିଲେ । ଭାରତୀୟ ସାହିତ୍ୟରେ ଯାବତୀୟ ଅର୍ଥରେ ଏକ ଆଧୁନିକ ଯୁଗ ପର୍ଯ୍ୟାୟର ଆରମ୍ଭ ହେଲା । ବାସ୍ତବବାଦ ହିଁ ସେହି ପର୍ଯ୍ୟାୟଟିକୁ ଏକାଧିକ ବ୍ୟଞ୍ଜନରେ ଆବଶ୍ୟକ ଅବୟବଗୁଡ଼ିକୁ ଯୋଗାଇ ଦେଇଥିଲା ।

 

ଓଡ଼ିଶାରେ ଏବଂ ଅଧିକ କ୍ଷେତ୍ରନିର୍ଦ୍ଧିଷ୍ଟ ଭାବରେ କହିବାକୁ ଗଲେ ଓଡ଼ିଆ ସାହିତ୍ୟରେ ଆଧୁନିକ ଆବେଦନଟିଏ ବହନ କରିଥିବା ବାସ୍ତବବାଦ କବିବର ରାଧାନାଥ, ସେନାପତି ଫକୀର ମୋହନ, ପ୍ୟାରିମୋହନ ଆଚାର୍ଯ୍ୟ ପ୍ରଭୂତି କେତେଜଣଙ୍କୁ ମାଧ୍ୟମ କରି କ୍ରମ ବ୍ୟକ୍ତ ହୋଇ ଆସିଥିଲା । କଟକରୁ ପ୍ରକାଶିତ ଗୌରିଶଙ୍କରଙ୍କର ଉତ୍କଳ ଦୀପିକା କାଗଜ ଟି ଏହି ପ୍ରକ୍ରିୟାଟିକୁ ଅତ୍ୟନ୍ତ ଉଲ୍ଲେଖ ଯୋଗ୍ୟ ନିଷ୍ଠାର ସହିତ ତ୍ୱରାନ୍ୱିତ ବି କରି ଦେଇଥିଲା । ତଥାପି କିଞ୍ଚିତ୍ ତୁଳନାତ୍ମକ ଭାବରେ ବିଚାର କଲେ ଖୁବ୍ ମନେ ହୁଏ ଯେ ବଙ୍ଗଳାର ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜୀବନ ଆଲେଖ୍ୟଟିରୁ ମୁଖ୍ୟ ପ୍ରେରଣାଗୁଡ଼ିକୁ ଗ୍ରହଣ କରିଥିବା ଫକୀରମୋହନ ହିଁ ସମ୍ଭବତ ଏହି ସଂକ୍ରମଣରେ ମୁଖ୍ୟ ହୋଇ ରହିଥିଲେ । ଉତ୍କଳର ଗୌରବ ମଧୁସୂଦନ ଓଡ଼ିଶା ଏବଂ ଓଡ଼ିଆ ଜାତି ପାଇଁ ପ୍ରାୟ ଏକ ଅଭୁତ ପୂର୍ବ ବ୍ୟାକୁଳତା ସହିତ ଯେଉଁ ସ୍ୱାଭିମାନୀ ବେଦନାକୁ ଅନୁଭବ କରିଥିଲେ ଏବଂ ତାହାରି ଉଚ୍ଚାଟନରେ ଓଡ଼ିଶାକୁ ଭୂମି କରି ଯାହା କିଛି ସେ ଏଠାରେ ଗଢ଼ି ଥୋଇଦେବାକୁ ଏବଂ ତଦ୍ୱାରା ପଡ଼ୋଶୀମାନଙ୍କର ସମକକ୍ଷ ବୋଲି ସ୍ଵୀକୃତ ହେବାକୁ ପ୍ରଚେଷ୍ଟା କରିଥିଲେ, ସେଥିରେ ଏକ ସ୍ଥାନ ନିଷ୍ଠ ଜାତୀୟତାବାଦର ଏକ ଅଦ୍ୟରୋପଣ ହୋଇପାରିଲା ସିନା, କିନ୍ତୁ ତାହା ବାସ୍ତବବାଦର ସେହି ଅନ୍ୟ ଡାଲଟି ଯାଏ ପ୍ରସାରିତ ହେବା ଲାଗି ସତେ ସମୟ ପାଇନଥିଲା । ସେହି ସନ୍ଦର୍ଭରେ ସମ୍ଭବତଃ ଖୁବ୍ ନ୍ୟାୟର ସହିତ କୁହାଯାଇପାରିବ ଯେ ଜାତୀୟତାବାଦ ସ୍ୱନିହିତ ଏକ ବିଶେଷ ଉତ୍ସାହ ଅର୍ଥାତ୍ ଉଷ୍ମତା’ର ଚାପରେ ପଡ଼ି ଅଧିକାଂଶ ସ୍ଥଳରେ ଏପରି ଏକାମୁହାଁ ହୋଇଯାଏ ଯେ ବାସ୍ତବ ଆଡ଼େ ଆଦୌ ଯଥେଷ୍ଟ ନିଘା ଦେଇପାରେ ନାହିଁ । ଜାତୀୟତା ନାମରେ ଡିଣ୍ଡିମ ବାଜୁଥାଏ ଏବଂ ତଥାପି ଘୋର ଦୁଃସ୍ଥିତି ଭିତରେ ଘୁଷୁରି ହେଉଥିବା ମଣିଷଙ୍କର ବାସ୍ତବ ଜୀବନଟାକୁ ତାହା ସତେଅବା ଦେଖୁଥିଲେ ମଧ୍ୟ ତଥାପି ଦେଖି ପାରୁନଥାଏ । ଆମ ପୃଥିବୀରେ, ଆମ ଭାରତବର୍ଷରେ ବି ଏବେ ମଧ୍ୟ ଜାତୀୟତାବାଦୀ ସେହି ଉପର ମୁହାଁ ଅତି ସରାଗଗୁଡ଼ିକ ଜୀବନ୍ତ ମନୁଷ୍ୟଙ୍କୁ ନେଇ ଆତଜାତ ହେଉଥିବା ସାମୂହିକ ବାସ୍ତବ ଜୀବନ ପ୍ରତି ସତେ ଅବା କୌଣସି ଅନ୍ୟ ପ୍ରୟୋଜନାରେ ପଡ଼ି ନିତାନ୍ତ ଉଦାସୀନ ଏବଂ ଅନ୍ୟମନସ୍କ ହୋଇରହିଛି ଏବଂ ଏହି କ୍ଷେତ୍ରରେ ଏକ ଅଧିକ ଗର୍ହିତ କଥା ହେଉଛି ଯେ ତାହା ଅବୋରି ଧରିଥିବା ସଂସ୍କୃତି, ସାହିତ୍ୟ, ନୈତିକତା ବୋଧ ତଥା ଅଗ୍ରାଧିକାର ଦେବାର କ୍ଷେତ୍ରରେ ପ୍ରାୟ ଯାବତୀୟ ମୂଲ୍ୟ ନିର୍ଣ୍ଣୟରେ ନିତାନ୍ତ ବାସ୍ତବ ବିମୁଖ ହୋଇ ଯାଇଛି ।

 

ଆଗକୁ ମନକରି ଆମେ ଏହାପରେ ସତ୍ୟ ବାଦୀ ଯୁଗରେ ଆସି ପହଞ୍ଚିବା, ଉତ୍କଳ ମଣି ଗୋପାବନ୍ଧୁଙ୍କର ସାହିତ୍ୟ ତଥା ତାଙ୍କ ଜୀବନର ଯାବତୀୟ କରଣୀରେ ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଜାତୀୟତାବୋଧ ତଥା ଜାତିପ୍ରୀତି ଭରି ରହିଥିଲା । ମାତ୍ର ସର୍ବତ୍ର ସେଥିରେ ଏକ ବାସ୍ତବ ଜୀବନ ନିୟତିଗତ ସଂବେଦନା ଅତ୍ୟନ୍ତ ଉଜ୍ଜ୍ଵଳ ଏବଂ ଶକ୍ତିମନ୍ତ ହୋଇ ରହିଥିଲା । ଏକ ଭବିଷ୍ୟତ ଛବି ଅତ୍ୟନ୍ତ ସକାରାତ୍ମକ ଭାବରେ ଉଦବୁଦ୍ଧ କରୁଥିଲା ଏବଂ ଏହି ବାସ୍ତବ ଭିତରୁ ସତେଅବା ସ୍ଵୟଂ କବିଙ୍କର ହାତଧରି ସେହି ଭବିଷ୍ୟ ଭିତରକୁ ବାଟ କାଢ଼ି ଚାଲିଯିବାକୁ ମନ ହେଇଥିଲା । ଯେଉଁଠାରେ ଶଠତା ନଥିବ, ଯେଉଁଠାରେ ପ୍ରଜାର ମତରେ ଶାସନ ଚାଲିବ, ଯେଉଁଠି ପରସ୍ପର ଭିତରେ ସକଳ ବାସ୍ତବ ଅର୍ଥରେ ହିଁ ଭଗବାନ କ୍ରିୟାଶୀଳ ହୋଇ ରହିଥିବା ପରି ଅନୁଭବ ହେଉଥିବ । ଦେଶକୁ ସତକୁ ସତ ଏକ ସ୍ଵାଧୀନ ଭୂମିରେ ପରିଣତ କରିବାର ବାସ୍ତବ ସଂଗ୍ରାମଟି ମଧ୍ୟ ଓଡ଼ିଶାରେ ଗୋପବନ୍ଧୁଙ୍କଠାରୁ ଆରମ୍ଭ ହୋଇଥିଲା । ଏହାପରେ ସବୁଜମାନେ ଆସିଲେ । ଆହୁରି ଅଧିକ ସ୍ଵପ୍ନ ଦେଖିଲେ । କିନ୍ତୁ ବୟସଟା ଅଧିକ ପୋଖତ ହେଉ ହେଉ ସତେ ଅବା ନିଜ ନିଜର ବାଟ ଧରିଲେ, ସ୍ଵପ୍ନ ପ୍ରୟାସର ନାନାବିଚିତ୍ର, ଦାଣ୍ଡିରେ ଆଧୁନିକ ହେଲେ । ସତେ ଅବା ବେଳ ଆସିବା ଆଗରୁ ହିଁ ହଳଦିଆ ପଡ଼ିଗଲେ । ହଳଦିଆ ପଡ଼ି ଆସୁଥିବା ଏହି ସବୁଜମାନଙ୍କ ଉପରୁ ବିଶ୍ୱାସ ହରାଇ ଯେଉଁ କେତେଜଣ ତରୁଣ ତଥାପି ଆହୁରି ଆଗକୁ ସ୍ଵପ୍ନ ଦେଖୁଥିଲେ ଏବଂ ଅଧିକ ଅଙ୍ଗୀକାରବଦ୍ଧ ଭାବରେ ଆପଣାର କ୍ଷେତ୍ରଗୁଡ଼ିକରେ କ୍ରିୟାଶୀଳ ହୋଇ ରହିବାକୁ ମନସ୍ଥ କରିଥିଲେ ସେହିମାନଙ୍କର ସମ୍ମିଳିତ ପ୍ରଚେଷ୍ଟାରେ ରାଜଧାନୀ କଟକରୁ 'ଆଧୁନିକ' ନାମରେ ପତ୍ରିକାଟିଏ ପ୍ରକାଶିତ ହୋଇଥିଲା ।

 

ସେତେବେଳକୁ ଭାରତୀୟ ମୁକ୍ତି ସଂଗ୍ରାମ ଆହୁରି କେତେ ପାହୁଣ୍ଡ ଆଗକୁ ଚାଲିଗଲାଣି-। ପୂର୍ଣ୍ଣ ସ୍ଵାଧୀନତା ହିଁ ଭାରତବାସୀଙ୍କର ଲକ୍ଷ୍ୟ ବୋଲି ଜାତୀୟ ଆଂଦୋଳନର ତତ୍କାଳୀନ ପ୍ରାୟ ଏକମାତ୍ର ମଞ୍ଚରୁ ଘୋଷଣା କରାଯାଇ ସାରିଲାଣି । କେବଳ ରାଜନୀତିର କର୍ମ ମଞ୍ଚରେ ନୁହେଁ ଭାରତୀୟ ଜୀବନର ସମଗ୍ର ଆୟତନରେ ହିଁ ସତେ ଅବା ପୁରୁଣା ପିଢ଼ୀଟି ବିଦାୟ ନେଇ ଚାଲି ଯାଉଛି ଓ ପରବର୍ତ୍ତୀ ପୀଢ଼ିଟିଏ ତାହାର ସ୍ଥାନାପନ୍ନ ଭାବରେ ଆସି ପହଞ୍ଚି ଗଲାଣି ବୋଲି ଅଧିକ ଚାକ୍ଷୁସ ହୋଇଆସୁଛି । ସେତେବେଳେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ନାହାନ୍ତି ସତ, ତଥାପି ଏଠି ସବୁକିଛି ସେହି ମହାଜାତୀୟ ଆହ୍ଵାନଗୁଡ଼ିକର ଆବଶ୍ୟକତା ଅନୁସାରେ ଅଗ୍ରସର ହୋଇ ଚାଲିଛି । ସଂଗ୍ରାମର ନେତା ମହାତ୍ମା ଗାନ୍ଧୀଙ୍କର ଜାତୀୟ ପ୍ରସ୍ତୁତିମୂଳକ ଯାବତୀୟ କାର୍ଯ୍ୟକ୍ରମରେ ଏକ ଭବିଷ୍ୟ ନିର୍ମାଣର ସନ୍ଦେଶଗୁଡ଼ିକ ସର୍ବଦା ଅଧିକ ଜଳ ଜଳ ହୋଇ ଦିଶୁଛନ୍ତି । 'ଆଧୁନିକ'ର ବନ୍ଧୁ ଗୋଷ୍ଠୀ ସେତିକି ବେଳେ ସତେ ଅବା ଆପଣାର ରାଜନୀତିକ ପ୍ରତ୍ୟୟଗୁଡ଼ିକୁ ଅଧିକ ନିର୍ଦ୍ଦିଷ୍ଠ କରିଦେବା ସକାଶେ ‘ସମାଜବାଦୀ କର୍ମୀସଂଘ’ଟିଏ ଗଢ଼ିଛନ୍ତି । ଏବଂ ଭାବୀ ଭାରତବର୍ଷ କହିଲେ ଏକ ନିର୍ଦ୍ଧିଷ୍ଟ ସାମୂହିକ ଚିତ୍ରଟିଏ ସେମାନଙ୍କୁ ଟାଣିବାରେ ଲାଗିଛି । ସାହିତ୍ୟ କହିଲେ ଯେ ପ୍ରାୟ ଗୋଟା ସୁଦ୍ଧା ଏକ ଆଦ୍ୟପ୍ରାପ୍ତ ଅଙ୍ଗୀକାରବଦ୍ଧତାକୁ ବୁଝାଏ, ଏମାନେ ତାହାକୁ ନିଜର ସର୍ବ ପ୍ରଥମ ଆନୁମାନରୂପେ ସ୍ଵୀକାର କରି ନେଇଛନ୍ତି । ଓଡ଼ିଆ ସାହିତ୍ୟରେ ବାସ୍ତବବାଦ ସମ୍ବନ୍ଧରେ ଯେକୌଣସି ନିର୍ଭରଯୋଗ୍ୟ ଆଲୋଚନା 'ଆଧୁନିକ’ ପତ୍ରିକାକୁ ସବାମୂଳ ପାହାଚରୂପେ ଗ୍ରହଣ କରି ହିଁ ସତକୁ ସତ ଆଗକୁ ପାଦ ପକାଇ ପାରିବ । ନ ହେଲେ ଭାବପ୍ରବଣତା ଜନିତ ଏକାଧିକ ଦରିଦ୍ର ଭିତରେ ବାଟ ହୁଡ଼ି ରହିଯିବା ହିଁ ଯାହା ସାର ହେବ । ଓଳମମାନେ ବାଟବଣା ହୋଇଯିବେ-

 

'ଆଧୁନିକ' ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ଭଗବତୀ ଚରଣ ପାଣିଗ୍ରାହୀ ଦୁଇରୁ ଅଧିକ ଗଳ୍ପ ଲେଖିଥିଲେ ବୋଲି ଅନ୍ୟ ମତଟିଏ ଅବଶ୍ୟ ରହିଛି । ତଥାପି ଓଡ଼ିଆ ସାହିତ୍ୟ ଚର୍ଚ୍ଚାରେ ତାଙ୍କର ଦୁଇଟି ଗଳ୍ପ ହିଁ ଅଧିକତର ଭାବରେ ସର୍ବଦା ସ୍ଥାନ ପାଇଥାଏ । ଗୋଟିଏ ହେଉଛି ‘ଶିକାର’ ଓ ଆଉ ଗୋଟିଏ ହେଉଛି ‘ଜଙ୍ଗଲି’ ଦୁଇଟି ଦୁଇଭିନ୍ନ କିସମର ଗଳ୍ପ ଏବଂ ସେତେବେଳ ମନୁଷ୍ୟର ବାସ୍ତବ ଅନ୍ଵେଷଣରେ ଜଗତରେ ହେଉଥିବା ଦୁଇଟି ମୁଖ୍ୟ ଆଲୋଡ଼ନକୁ ସଂପୂର୍ଣ୍ଣ ସିଧା ଭାବରେ ସୂଚାଇଦେବାର ପ୍ରୟାସ କରିଛନ୍ତି । ଗୋଟିଏ ହେଉଛି କାଲ୍‍ମାର୍କ୍ସଙ୍କର ସମାଜ ବାଦୀ ଚିନ୍ତାଧାରା ଓ ଅନ୍ୟଟି ସିଗ୍‍ମଣ୍ଟ ଫ୍ରୟଡ଼ଙ୍କର ମନୋବିଶ୍ଳେଷଣର ସେହି ଅଭିନବ ସନ୍ଧାନଟି ପ୍ରବୃତିଟି । ଶ୍ରୀ ମାର୍କ୍ସ ଏବଂ ଶ୍ରୀ ଫ୍ରଏଡ଼ ଏବେ ମଧ୍ୟ ପୃଥିବୀରେ ଆଦୌ କମ୍ ଆଲୋଚିତ ହେଉନାହାନ୍ତି । ସମାଜବାଦୀ, ସାମ୍ୟବାଦୀ ବା କମ୍ୟୁନିଷ୍ଟ ରାଷ୍ଟ୍ରସ୍ଥାପନାର ଯେଉଁ ପ୍ରଥମ ପ୍ରୟୋଗଟି ଇଉରୋପେରେ ଏବେ ଭାଙ୍ଗିରୁଜି ଗଲା, ପୃଥିବୀରେ କମ୍ୟୁନିଜିମ୍‍ର ମୂଳ ଆହ୍ଵାନଟିର ସନେନ୍‍ଟିକୁ ତାହା ଆଦୌ ଉଣା କରି ଦେଇ ନାହିଁ । ସମଗ୍ର ପୃଥିବୀର ବହୁ ପୁରୁଣା ଅନ୍ୟାୟ ଓ ଶୋଷଣ ଏବେ ମଧ୍ୟ ପ୍ରଭାବ ବିସ୍ତାରି ରହିଛି । ମନୁଷ୍ୟ ସମାଜ ଏବେ ମଧ୍ୟ ତା’ ସାମୂହିକ ଜୀବନର ପରିବର୍ତ୍ତନ ନିମନ୍ତେ ଆପଣାର ପ୍ରୟାସର ସେଥିରୁ ବହୁପ୍ରେରଣା ପାଉଛି । ଅସମାନତା ମାନ ଜାରି ରହିଛନ୍ତି; ଗୋଟିଏ ଗୋଟିଏ ଜାତୀୟତାବାଦ ରାଷ୍ଟ୍ର ମନୁଷ୍ୟକୁ ଯେତେ ଯେତେ ଏକଚାଟିଆ ସୁଖ ଆଣି ଦେବାର ନାନାବିଧ ପ୍ରଲୋଭନମୟ ଚକ୍ରାନ୍ତ କରୁଥିଲେ ମଧ୍ୟ ମଣିଷମାନେ ସତେଅବା ଆଉ କିଛି ଅଧିକ କ’ଣ ସବୁର ପ୍ରତିଷ୍ଠା ଚାଲୁଥିବା ପରି ବିକଳ୍ପମାନଙ୍କର ଅନ୍ଵେଷଣ କରୁଛନ୍ତି ଏବଂ ସେହି ଅନ୍ଵେଷଣରେ କମ୍ୟୁନିଜି୍‍ମ ତଥାପି ବହୁବିଧ ଆଖି ଯୋଗାଇ ଦେଉଥିବା ଭଳି ଲାଗୁଛି ଓ ସମ୍ପୃକ୍ତ ବହୁ ସମୂହ କୌଣସି କମ୍ୟୁନିଷ୍ଟ ପାର୍ଟିରେ ଔପଚାରିକ ବେଢ଼ା ଭିତରେ ନଥିଲେ ମଧ୍ୟ ସେଥିରୁ ପ୍ରେରଣା ଲାଭ କରୁଛନ୍ତି । ଶ୍ରୀଯୁକ୍ତ ଭଗବତୀ ପାଣିଗ୍ରାହୀ 'ଶିକାର' ଗଳ୍ପଟିକୁ ଲେଖିଥିବା ସମୟରେ ଓଡ଼ିଶାରେ ଏକ ସ୍ଵତନ୍ତ୍ର କମ୍ୟୁନିଷ୍ଟ ଦଳ ଗଢ଼ିବା ଲାଗି ଏକ ପ୍ରାରମ୍ଭିକ ମୂଳଦୁଆ ପଡ଼ୁଥିଲା ଏବଂ ସେଥିରେ ସ୍ଵୟଂ ପାଣିଗ୍ରାହୀ ହିଁ ଅଗ୍ରଜ ତଥା ଅଗ୍ରତମ ହୋଇ ରହିଥିଲେ । ପରାଧୀନତା’ର ରାଜନୀତିକ ବେଡ଼ିଟିଭିତରୁ ମୁକୁଳି ସାରିବା ପରେ ଏହି ଦେଶର ଯେଉଁ ସାମାଜିକ ବ୍ୟବସ୍ଥା ବଦଳରେ ଦ୍ଵିତୀୟ ପର୍ବଟି ଆରମ୍ଭ ହେବ, ସେହି ପର୍ବର ପ୍ରସ୍ତୁତି ସେହି ଆଦି ସମୟଟିରୁ ଆରମ୍ଭ ହୋଇଯିବା ଉଚିତ ବୋଲି ଶ୍ରୀ ପ୍ରାଣିଗ୍ରାହୀ ଓ ତାଙ୍କର ସାଥିମାନେ ସକ୍ରିୟ ହୋଇ ଚିନ୍ତା କରୁଥିଲେ-। ‘ଆଧୁନିକ’ ସେହି ପ୍ରସ୍ତୁତିର ହିଁ ମୁଖପାତ୍ର ଥିଲା, ଆଗାମୀ ବାସ୍ତବଟି ଯେଉଁଭଳି ଧାରାରେ ତିଆରି ହୋଇ ଆସିବା ଉଚିତ୍‍ ବୋଲି ସେହି ସାଥିଦଳ ବିଶ୍ୱାସ କରୁଥିଲା, ‘ଶିକାର’ ଗଳ୍ପଟି ସମ୍ଭବତଃ ତାହାରି ଏକ ବଳଯୁକ୍ତ ପ୍ରତିନିଧିତ୍ଵ କରିବା ସକାଶେ ଏକାଧିକ ପ୍ରକାରେ ଉଦ୍ଦିଷ୍ଟ ହୋଇ ରହିଥିଲା-

 

ଶ୍ରୀଯୁକ୍ତ ଫ୍ରଏଡ଼୍ ମନୁଷ୍ୟର ଚେତନମନ ପଛରେ ରହିଥିବା ଅବଚେତନର ଉଦଘାଟନ କରି ଦେଖାଇଲେ । ମଣିଷର ଅସଲ ବାସ୍ତବ ତା’ର ତଥାକଥିତ ଚେତନ ନୁହେଁ ଅବଚେତନର ହାତରେ ହିଁ ତା’ର ଯାବତୀୟ ଉନ୍ମେଷଣାର ଅସଲ ରଜୁଗୁଡ଼ିକୁ ରହିଛି । ସମାଜ ଭିତରେ ବାସ କରୁଥିବାରୁ ମଣିଷମାନେ ବହୁ ବହୁ ନିଷେଧଦ୍ଵାରା ବାଧ୍ୟ ହୋଇ ସତେଅବା ପୋଷାକି ଜୀବନଟିଏର ମାଧ୍ୟମର ନିଜକୁ ବ୍ୟକ୍ତ କରୁଛନ୍ତି । ଅସଲ ମଣିଷଟି ଅବଚେତନର କଟାହଟା ମଧ୍ୟରେ ଟକଟକ ହୋଇ ଫୁଟୁଛି, ଆପଣାର ବାସନାଗୁଡ଼ିକ ରଜ୍ଜୁଗୁଡ଼ିକୁ ଛିଣ୍ଡାଇ ବାହାରି ଆସିବାକୁ ଉଚ୍ଛନ୍ନ ହେଉଛନ୍ତି, ମାତ୍ର ବିଚରା ମଣିଷମାନେ ସେଗୁଡ଼ିକୁ ଅବଦମିତ କରି ରଖୁଛନ୍ତି ଓ ପରସ୍ପର ପାଖରେ ଯେକୌଣସି ପ୍ରକାରେ ଏକ ଅନ୍ୟ ପରିଚୟରେ ଆତଯାତ ହୋଇ ପାରୁଛନ୍ତି । ଶ୍ରୀ ଫ୍ରଏଡ଼୍‍ ଆପଣାର ନାନା ବୈଜ୍ଞାନିକ ଖୋଳତାଡ଼ ଏବଂ ସ୍ତର ବିଶ୍ଳେଷଣ ଦ୍ଵାରା ଏହି ମୌଳିକ ସିଦ୍ଧାନ୍ତଟିରେ ପହଞ୍ଚିଥିଲେ ଯେ ମନୁଷ୍ୟ, ସବୁ ମଣିଷଙ୍କର ମୂଳ ତଥା ଏକାନ୍ତ ଅମନୀୟ ପିପାସାଟି ହେଉଛି ତା’ର ଯୌନ ପରିତୃପ୍ତିର ପିପାସା । ଏପରିକି ଯୌନ ପରିତୃପ୍ତିର ଦୈହିକ ସାମର୍ଥ୍ୟଟି ଆସିବାପୂର୍ବରୁ ଆମ ଜୀବନଗଠନରେ ଆଦ୍ୟପିପାସ ରୂପେ ତାହା ଆମକୁ ନିମିତ୍ତ କରି ପୋଖତ ହେବାରେ ଲାଗିଥାଏ-। ନିଜକୁ ପରିତୃପ୍ତ କରିବାରେ ପ୍ରୟାସଟି ମଧ୍ୟ ସେହି ପ୍ରାକ୍‍କାଳଟିରୁ ହିଁ ଆରମ୍ଭ ହୋଇଥାଏ-। ବିଚରା ମଣିଷ, ନିଜ ସାମାଜିକ ନାନାବାରଣ ଭିତରେ ବାନ୍ଧି ହୋଇ ସେହିମତେ ଏକ ପୂର୍ଣ୍ଣ ତୃପ୍ତି ହାସଲ କରିବା ପାଇଁ ତା’ର ଭାରି ଅଳପ ଶକ୍ତି ରହିଥାଏ । ଏବଂ ଯାହାର ପରିତୃପ୍ତି ହୋଇନପାରେ ତାହା ଅବଚେତନ ନାମକ ସେହି ଅନ୍ୟ ଗହନ ଭିତରେ, ସେହି ଖତଟି ଭିତରେ ଛାପି ହୋଇ ରହିଯାଏ । ସେହିଟି ହିଁ ଅଥିର କରେ, ପରିତୃପ୍ତିର ନାନା ବାଟ ଖୋଜି ନିତ୍ୟ ଅଥୟ କରି ରଖିଥାଏ, ପ୍ରତ୍ୟେକ ମନୁଷ୍ୟର ଅଳ୍ପବଳ ଚେତନ ଜୀବନଟିକୁ ନିରନ୍ତର କ୍ଲେଶଜର୍ଜର ଓ ବହୁଗ୍ରସ୍ତ କରି ରଖିଥାଏ । ତେଣୁ, ମଣିଷର ଅସଲ ଆଚରଣରୂପଟିକୁ ବୁଝିବାକୁ ହେଲେ ଆମକୁ ଅବଚେତନ ନାମକ ସେହି ମୀମାଂସକୁ ରାଜ୍ୟଟି ଭିତରେ ପ୍ରବେଶ କରିବାକୁ ହେବ, ବାନ୍ଧି ରଖିଥିବା ବେଡ଼ିଗୁଡ଼ିକୁ ଫିଟାଇ ଦେବାକୁ ହେବ । ତେବେ ଯାଇ ମୁକ୍ତି ମିଳିବ, ଏକ ସୁସ୍ଥ ତାଡ଼ନା ମୁକ୍ତଜୀବନ ବଞ୍ଚିବା ସମ୍ଭବ ହେବ । ବାସ୍ତବାଦୀ ହେବାକୁ ଉତ୍ସାହ ପ୍ରକାଶ କରି ଇଉରୋପେରେ ସାହିତ୍ୟ ସେହି କାଳରୁ ଫ୍ରଏଡ଼ୀୟ ଉଦ୍ଭାବନାଟି ଦ୍ଵାରା ସତେ ଅବା ଏକ ବର୍ଣ୍ଣାଢ଼୍ୟ ନୂଆ ଛିଟା ଲୁଗାପରି ଦେଖାଯିବାକୁ ପ୍ରାୟ ସଚେତନ ଭାବରେ କେତେ କେତେ ଉଦ୍ୟମ କରିଛି ଏବଂ ସଚେତନ ଭାବରେ ଅବଚେତନ ନାମକୁ ସେହି ରାଜ୍ୟଟିକୁ ଘାଣ୍ଟିବାରେ ତଥା ଉଖାରିବାରେ ପାଠକମାନଙ୍କୁ କେତେ କେତେ ନୂଆ ସ୍ୱାଦର ବ୍ୟଞ୍ଜନ ବାଢ଼ି ଦେବାକୁ ମନ କରିଛି । ଏବଂ ଇଉରୋପରୁ ଆମ ଭାରତବର୍ଷଯାଏଁ ଆସିବାକୁ ତାକୁ ବେଶୀ ବେଳ ଲାଗିବାରେ ଆଦୌ କୌଣସି କାରଣ ରହିବା ଉଚିତ୍‍ ନଥିଲା ।

 

ତେଣୁ, ସାହିତ୍ୟିକ ବାସ୍ତବବାଦରେ ବସ୍ଥୁତଃ ଏହି ଦୁଇଟା ଦାନ୍ତ, ସ୍ଵଆବେଦନର ବୃତ୍ତ ତଥା ଧର୍ମରେ ଏକାଧିକ ଅର୍ଥରେ ଏକାବେଳେ ଭିନ୍ନେ ଭିନ୍ନେ । ଗୋଟିଏ କହୁଛି, ମଣିଷର ବାହାର ସାମୂହିକ ବ୍ୟବସ୍ଥାଟା ଭାରି ଅମାନବିକ, ଶୋଷଣଦ୍ଵାରା ନିୟନ୍ତ୍ରିତ ଏବଂ ଅନ୍ୟାୟାଶ୍ରୟତା ବହୁ ବ୍ୟବଧାନଦ୍ଵାରା ସତେ ଅବା ମଞ୍ଚଭିତରେ ମଧ୍ୟ ଅସୁସ୍ଥ ଏବଂ ଅନିଷ୍ଟକାରୀ । ଏହି ସମ୍ପର୍କ ବଦଳୁ । ଅସମାନତାଗୁଡ଼ିକୁ ଅତିକ୍ରମ କରାଯାଉ ମଣିଷ ମଣିଷ ଭିତରେ ଡୋର ଲଗାଇ ରଖିଥିବା ବହୁବିଧ ହୃଦୟକୁ ହିଁ ଯାବତୀୟ ବଞ୍ଚିବାର ତଥା ଯାବତୀୟ ଅଗ୍ରଗତିରେ ଅସଲ କଉଡ଼ି ରୂପେ ସ୍ଵୀକାର କରାଯାଉ । ସେହି ଅନୁସାରେ ଏକ ଅଧିକ ମନୁଷ୍ୟଚିତ ସମ୍ପର୍କ ସମ୍ବେଦନାର ଚିତ୍ରକୁ ଆଗରେ ରଖି ଅର୍ଥନୀତି ବଦଳୁ, ରାଜନୀତି ଅନ୍ୟଭଳି ହେଉ, – ନେତୃତ୍ଵଗୁଡ଼ିକ ମଧ୍ୟ ନିଜକୁ ସେହି ଅନୁସାରେ ସଜାଡ଼ି ଦିଅନ୍ତୁ । ଯଦି ପରିବର୍ତ୍ତନଗୁଡ଼ିକ ବୁଝାମଣା ଦ୍ଵାରା ନ ହୋଇପାରୁଛି, ତେବେ ବିପ୍ଳବ ବି ହେଉ । ଅର୍ଥାତ୍, ତଳୁ ଆବଶ୍ୟକ ଜାଗୃତିଗୁଡ଼ିକ ଠିକ୍ କରାଯାଉ, ବଞ୍ଚିତମାନେ ଦାବି କରି ଜାଣନ୍ତୁ, ପ୍ରତିବାଦ ଓ ପ୍ରତିରୋଧ କରନ୍ତୁ । ଏହି ବିଚାରଟି ପ୍ରାୟ ପାରମ୍ପରିକ ଅଧ୍ୟାତ୍ମ ସହିତ ସମତାଳ ହୋଇ କହୁଛି ଯେ ପ୍ରତ୍ୟେକ ମନୁଷ୍ୟ ଭିତରେ ସତ୍ୟ ପ୍ରଚ୍ଛନ୍ନ ହୋଇ ରହିଛି ଏବଂ ସେହି ସତ୍ୟଟିର ପରିପୂର୍ଣ୍ଣ ଆବିଷ୍କାର ତଥା ପ୍ରକାଶ ଲାଗି ଅନୁକୂଳ ପରିବେଶ ଓ ସୁଯୋଗମାନ ପ୍ରତ୍ୟେକ ମଣିଷ ଲାଗି ଉପଲବ୍ଧ କରି ଆଣିବା, ତାହାହିଁ ଆମର ଏହି ଜ୍ଞାନ ବିଜ୍ଞାନ ପରିପୂର୍ଣ୍ଣ ପୃଥିବୀରେ ରାଷ୍ଟ୍ରର ସର୍ବ ପ୍ରଥମ କରଣୀୟ ହୋଇ ରହୁ । ସାହିତ୍ୟର ଭୂମିଟିକୁ ଯେ ଏହି ବିଚାର ତଥା ତାହାକୁ ବହୁ ଭବିଷ୍ୟ ଚିତ୍ରର ଉଜ୍ଜ୍ଵଳତା ଦ୍ଵାରା ମଣ୍ଡିତ କରି ରଖିଥିବା ସ୍ଵପ୍ନଟି ଉଦବେଳିତ ଅବଶ୍ୟ କରନ୍ତା, ତାହା ଖୁବ୍ ସହଜରେ ବୁଝି ହେଉଛି । ଓଡ଼ିଶାରେ ସ୍ଵାଧୀନତା ପ୍ରାପ୍ତିପୂର୍ବର ଏକାଧିକ ଦଶନ୍ଧିରେ ଆମକୁ ତାହାର ବହୁ ନିଦର୍ଶନ ମିଳି ଯାଇପାରିବ । ହଁ, ସ୍ଵାଧୀନତା ସଂଗ୍ରାମରେ ସମଗ୍ରତା’ର ଭିତ୍ତିଟି ଉପରେ ଆପଣାକୁ ବ୍ୟକ୍ତ କରୁଥିବା ହୁଏତ ସେହିଟି ଭିତରେ ଅନେକ ସମୟରେ ଜାତୀୟତାବାଦୀ ଆଭିମୁଖ୍ୟଟା, ଆମ ଅନେକଙ୍କ ନିମନ୍ତେ ସବାଆଗରେ ରହିଥିଲା ସତ, ମାତ୍ର ସଂଗ୍ରାମପରେ ଏହି ଦେଶ ଲାଗି ସଂଗ୍ରାମୀମାନେ ଯେଉଁ ଚିତ୍ରଟିକୁ ଏଠି ସାକାରେ କରି ଆଣିବେ ବୋଲି ଅନୁମାନ କରୁଥିଲେ, ସେଥିରେ ପୋଷଣ, ଅସମାନତା ଇତ୍ୟାଦି ଲାଗି କୌଣସି ସ୍ଥାନ ନଥିଲା । ଭାରତବାସୀ ସମସ୍ତେ ଭାରତଜନନୀଙ୍କ ସନ୍ତାନ ହେବାର ସମ୍ମାନ ଲାଭ କରିବେ ବୋଲି କଳ୍ପନା କରାଯାଉଥିଲା ।

 

ତତ୍କାଳୀନ ଓଡ଼ିଆ ସାହିତ୍ୟରୁ ଉଭୟ ଗଦ୍ୟ ଓ ପଦ୍ୟରେ ଏହି କଥାଟିର ବହୁଳ ଦୃଷ୍ଟାନ୍ତ ମିଳିବ । ହଁ, ଅନ୍ୟ ପ୍ରବୃତ୍ତିଟି, ଫ୍ରଏଡୀୟ ପ୍ରବୃତ୍ତିର କେତେକ ନମୁନା ଅବଶ୍ୟ ମିଳିବ– ମାତ୍ର ସେଇଟିକୁ କଦାପି ତତ୍କାଳୀନ ଆମ ସାହିତ୍ୟ ର ମୁଖ୍ୟ ସଂଚାର ଭୂମି ବୋଲି କୁହାଯାଇ ପାରିବନାହିଁ-। ସ୍ଵାଧୀନତା ପରେ ଯାଇ ଓଲମଟା କ୍ରମେ କ୍ରମେ ବଦଳିଲା କବିତା, ଗପରେ ଉପନ୍ୟାସରେ ଏବଂ ନାଟକରେ ସତେ ଅବା ସମସ୍ତେ ସେଇ ଅନ୍ୟ ଆଡ଼ଟାରୁ ଚରୁସଂଗ୍ରହ କରି ଆଣିବା ଲାଗି ଅଧିକ ଆଗ୍ରହ ପ୍ରଦର୍ଶନ କଲେ । ସାହିତ୍ୟର ମଣିଷ ଲାଗି ସଂବେଦନ କମିଲା, ଶୈଳୀ ମାଧ୍ୟମରେ ନୂଆ ନୂଆ ବାଣ ମାରିବାର ନାନା ଚାତୁର୍ଯ୍ୟ ବୃଦ୍ଧି ପାଇଲା । ସାହିତ୍ୟ କମ୍ ଦିଶିଲା ଲେଖକର ଆଖିରେ ସ୍ଵୟଂ ସତେଅବାଗୁଡ଼ାଏ ବଡ଼ ହୋଇ ଦିଶିଲା । ଲେଖକମାନେ ଅଧିକ ବୁଦ୍ଧିଆ ହେଲେ । ଅଧିକ ନ କରି ମୂଳ ପୁଞ୍ଜିଗୁଡ଼ିକୁ ସଂଗ୍ରହ କଲେ । ସାହିତ୍ୟ କ୍ରମେ ଏକ ବିଶେଷ ବିହରଣ ତଥା ରମଣ କ୍ଷେତ୍ରରେ ପରିଣତ ହୋଇଗଲା ଏବଂ ଖାସ ସାହିତ୍ୟିକମାନେ ହିଁ ସେଥିରେ ପ୍ରବେଶାଧିକାର ପାଇଲେ । ଫ୍ରଏଡୀୟ ମାର୍ଗରୁ ପ୍ରୋତ୍ସାହନ ପାଇ ସେମାନେ ଭିତରକୁ ଭିତରକୁ ଉଖାରି ଦେଖିବାକୁ ଅଧିକ ମନେ କଲେ । ଚାରିପାଖକୁ ଅନାଇ ଦେଖିବା ସକାଶେ ସାହସ କରିପାରିଲେ ନାହିଁ ବୋଲି ଆଉ ସେହିଭଳି ମନ କରିବାକୁ ବାଧ୍ୟ ହେଲେ କି ? ସିଗ୍‍ମଣ୍ଟ ଫ୍ରଏଡ଼୍‍ ତାଙ୍କ ସମୟର ମଣିଷର ଭିତରକୁ ଭେଦିବାର ଏହି ନୂଆ ପାଠ ଓ ପ୍ରଣାଳୀଟିକୁ ଚଳନ୍ତି ବିଜ୍ଞାନର ଗୁଳାରେ ଆଣି ପକାଇବେ ବୋଲି ପ୍ରୟାସ କରୁଥିଲେ । ତେଣୁ ତାଙ୍କର ପରୀକ୍ଷଣଶାଳାକୁ ଆସୁଥିବା ମାନସିକ ପୀଡ଼ିତମାନଙ୍କୁ ସିଏ କାର୍ଯ୍ୟତଃ କୌଣସି ଲାବୋରେଟରୀରେ ଦ୍ରବ୍ୟ ଭଳି ଅଧିକ ଦେଖୁଥିଲେ । ମନୁଷ୍ୟବତ୍ କ୍ଵଚିତ୍ ଦେଖୁଥିଲେ । ତାଙ୍କ ନିଜ ଭାଷାରେ କହିଲେ, ମନୋବିଶ୍ଳେଷଣରେ ଏହି ନୂତନ ସାମ୍ରାଜ୍ୟରେ ଅଧୀଶ୍ଵର ରୂପେ ସିଏ ଆପଣାର ବିଦ୍ୟାନୁଶୀଳନଟିକୁ ସଂପୂର୍ଣ୍ଣଭାବରେ ଏକ ବ୍ୟକ୍ତି ନିରପେକ୍ଷ ବିଜ୍ଞାନରେ ସ୍ଥୂଳ ମର୍ଯ୍ୟାଦାରେ ପ୍ରତିଷ୍ଠିତ କରିବାକୁ ଇଚ୍ଛା କରିଥିଲେ । ଓଡ଼ିଆ ସାହିତ୍ୟରେ ସ୍ଵାଧୀନତା ପ୍ରାପ୍ତିପରେ ଲେଖକମାନେ ବାସ୍ତବବାଦୀ ହେବାର ଏହି ବାଟଟିକୁ ଏକାନ୍ତ ନିରାପଦ ବୋଲି ଦେଖିଲେ ଏବଂ ତେଣୁ ଏଇଆଡ଼େ ମାଡ଼ିଗଲେ କି ? ଉପନିବେଶ ସମୟର ଆହୁରି କିଛି ଆକର୍ଷଣ ଓ ପ୍ରଲୋଭନ ମଧ୍ୟ କେତେକଙ୍କୁ ତଥାପି କାମୁଡ଼ି ଧରିଥିଲା, ଯାହା ଫଳରେ କି ସେମାନେ ସେହି ଦାଣ୍ଡିଟିକୁ ଧରି ନେଇଥିଲେ ।

 

ଭାରତବର୍ଷରେ ସେହି ଆବହମାନକାଳରୁ ତୁଚ୍ଛା inhibition ଗୁଡ଼ାକୁ ହିଁ ସଂଯମ ବୋଲି ଭ୍ରମ କରାଯାଉଛି । ଏବଂ, ଏହି ପଦ୍ଧତିରେ ଧର୍ମଗୁଡ଼ିକୁ ବହୁବିଧ ନୈତିକତା ମଧ୍ୟରେ ଛନ୍ଦି କରି ରଖାଯାଉଛି । ଭାରତରେ ତଦନୁରୂପଗାରମାନଙ୍କ ଭିତରେ ରହି ଲେଖାଥିବା ଶାସ୍ତ୍ରମାନେ ଏଥିରେ ଖୁବ୍ ସାହାଯ୍ୟ କରିଛନ୍ତି । ଅଧିକାଂଶ ଗୁରୁ ହୁଏତ ଭବ୍ୟ ସମ୍ପ୍ରଦାୟଗୁଡ଼ିକୁ ନେଇ ନିରଙ୍କୁଶ ଭାବରେ ସାଧାରଣ ତୁମ ଆମ ପରି ମଣିଷଙ୍କର ସ୍ୱୀକୃତି ପାଇବେ ବୋଲି ମଧ୍ୟ ପ୍ରାୟ ସେତିକିରେ ଏକ ରାଜକୀୟ ଲାଳସା ସହିତ ରହି ଯାଇଛନ୍ତି । ଅଧ୍ୟାତ୍ମ ବେକରେ ଢିଙ୍କିଆ ପକାଇ ରଖିଛନ୍ତି । ଏବଂ କେତେକ ସ୍ଥାନୀୟ କାରଣରୁ ଯୌନତୃପ୍ତିର କାମନାକୁ ଏଠାରେ ସବୁଠାରୁ ଅଧିକ ନିନ୍ଦନୀୟ ତଥା ଅପରାଧ ମୁକ୍ତ ବୋଲି ଘୋଷଣା କରାଯାଉଛି । ଭାରତର ମହାମୂଲ୍ୟବାନ୍ ଶାସ୍ତ୍ରଗୁଡ଼ିକୁ ପରାୟଣ କରି ଏଠାରେ ଅଧିକାଂଶ ମନୁଷ୍ୟ ଯେ ଉପର ଦିହରେ କେତେଟା ତଥାକଥିତ ନୈତିକତାକୁ ଗୁରାଇ ଦେଇଛନ୍ତି । ଏବଂ ନୀତି ଅର୍ଥାତ୍ ଯଥାର୍ଥ ଜୀବନ ରୀତିଗୁଡ଼ିକରୁ ଗାର ବି ମାନି ନାହାନ୍ତି, ଏବେ ଭାରତବର୍ଷରେ ଘଟୁଥିବା ନିତ୍ୟ ପ୍ରାତ୍ୟହିକ ଘଟଣାଗୁଡ଼ାକରୁ ତାହାର ପ୍ରମାଣ ମିଳିଯାଇଛି । ତଥାକଥିତ ଶିକ୍ଷାପ୍ରାପ୍ତ, ଧନିକ ତଥା କ୍ଷମତାସୀନମାନେ ହି ସବୁଠାରୁ ଅଧିକ ଆଦିମ ଅସଭ୍ୟତା’ର ପରିଚୟ ଦେଉଛନ୍ତି । ତେଣୁ, ଦେଶ ସ୍ଵାଧୀନ ହେବାପରେ ବହୁ ବହୁ ଅତୃପ୍ତି ମଧ୍ୟରେ ପ୍ରାୟ ବ୍ୟାଧିତ ହୋଇ ପଡ଼ିଥିବା ଆମର ତାଳମନଟା ତତ୍କାଳୀନ ଫ୍ରଏଡ଼୍‍ଙ୍କର ଏହି ନୂଆ ବ୍ୟାଖ୍ୟାଟି ଭିତରକୁ ଯେ ଫକ୍ କରି ଡେଇଁ ପଡ଼ିଥିବ, ସେଥିରେ ସନ୍ଦେହ କରିବାର ଅବକାଶ ହିଁ ନାହିଁ । ଭିତରୁ ପଘା ଛିଡ଼ାଇ ଖୁଣ୍ଟ ଉପାଡ଼ି ଆମେ ଅନେକ ଯେ ଏଥିରୁ ପୁଳାଏ ପୁଳାଏ ଧରି ସାହିତ୍ୟରେ ଆସି ପହଞ୍ଚିଗଲୁ, ହୁଏ ତାହାରି ଫଳରେ ବାସ୍ତବବାଦୀର ଏହି ଦିଗଟା ହିଁ ଆମ ସମେତ ଆମ ସାହିତ୍ୟ ସର୍ଜନାକୁ ମଧ୍ୟ ଭାରି ଜଙ୍ଗଲି କରିଦେଲ ଏବଂ ସେଥିରୁ ଆମେ ଅପରମ୍ପାରେ କେତେ ଆନନ୍ଦ ବି ଲାଭ କରିଥିଲୁ । ସେହି ଉପଦ୍ରବଟା ଏବେ ମଧ୍ୟ ପୁରା ଦର୍ପରେ ଚାଲିଛି । ଆମ ଅନ୍ତର୍ଗତ କ୍ଷୋଭମାନଙ୍କୁ ଏକ ପୁଲକ ପ୍ରଦାନକାରୀ ପ୍ରଦାହ ଆଣି ଯୋଗାଇଛି । ପ୍ରଦାହଗୁଡ଼ିକର ଉପଶମ ନିଭାଇବାରେ ଛଳନା ଦେଖାଇ ବହୁ ଅନ୍ୟ ପ୍ରଦାହଗୁଡ଼ିକର ସୃଷ୍ଟି କରାଉଛି । ଆମ ସାହିତ୍ୟରେ ତଥା ବିବେକରେ ବହୁ ଶୀଳଭଙ୍ଗୀରେ କାରଣ ହେଉଛି ।

 

ପ୍ରେମ, ତଥାକଥିତ ଆମ ସାହିତ୍ୟସ୍ଥ ପ୍ରେମ କହିଲେ ସେହି କାରଣରୁ ଯୌନବାସନରେ ପରିତୃପ୍ତିକାରୀ ଏକ ତୁଚ୍ଛା ପ୍ରଦାହକୁ ବୁଝାଉଛି । ପ୍ରାୟ ସେହିପରି ଏକ ଭାଡ଼ିତଳେ ପଶିଯାଇ ଆମେ ପ୍ରେମ କବିତା ଲେଖୁଛୁ, ଅଳସ ତଥା ନାନାଭାବେ କ୍ଷୁଦା ଏବଂ କ୍ଷୋଭ ଜର୍ଜର ପ୍ରହରଗୁଡ଼ାକର ଥକା ମେଣ୍ଟାଇବାକୁ ପ୍ରେମଗଳ୍ପ ପଢ଼ୁଛୁ ବା ଲେଖୁଛୁ । ମନୁଷ୍ୟର ଏକ ମୂଳପ୍ରବୃତ୍ତି ରୂପେ sex ଅଥବା libidoର ବ୍ୟବହାର କଲାବେଳେ ଫ୍ରଏଡ଼୍‍ ସମ୍ଭବତଃ ଖାଲି ଆମର ଏହି ତାପିତ ତଥା କ୍ଷୁଧିତ ଅପମାନଗୁଡ଼ାକର ପ୍ରଶମକଟିକୁ ମୋଟେ ବୁଝି ନଥିଲେ । ଏକଦା ନିଜ ଜିଜ୍ଞାସାର ଏକ ପରିପକ୍ଵ ତା’ର ଗର୍ବରେ ସିଏ Beyond the Pleasure Principle ବୋଲି ଗୋଟିଏ ଗ୍ରନ୍ଥ ବି ଲେଖିଥିଲେ । ଏକ ଅନ୍ୟ ପ୍ରସଙ୍ଗରେ, ଅସଲ ପ୍ରେମର କ୍ଷେତ୍ରରେ ସିଏ ସେକ୍‍ସ୍ ସ୍ତରର ସୂତ୍ରଗୁଡ଼ିକ କଦାପି ପ୍ରଯୁଜ୍ୟ ହେବନାହିଁ ବୋଲି ସୂଚାଇ ଦେଇଥିଲେ । ଫ୍ରଏଡ଼୍‍ଙ୍କ ପରେ ମନୋବିଶ୍ଳେଷଣର ଜିଜ୍ଞାସା–ଜଗତର ଆଗକୁ ଆଗକୁ କେତେ ବାଟ ଫିଟି ଫିଟି ଗଲାଣି ଏବଂ ଯୌନ ପରିତୃପ୍ତି ସମ୍ବନ୍ଧରେ ସିଏ ତାଙ୍କ ଅଧ୍ୟୟନଟିର କ୍ଷେତ୍ରରେ ଏକଦା ପକାଇ ରଖିଥିବା ସେହି ଗଣ୍ଠିଟିକୁ ମଧ୍ୟ କେତେ ପ୍ରକାରେ ଆପେକ୍ଷିକ ବୋଲି ଦର୍ଶାଇ ଦିଆଗଲାଣି । ତଥାପି ଆମ ସାହିତ୍ୟର ବାସ୍ତବବାଦୀ ଦାଣ୍ଡିଟାକୁ ତାହା ଏବେ ମଧ୍ୟ ଅତ୍ୟନ୍ତ ଐକାନ୍ତିକତା ସହିତ କାମୁଡ଼ି ଧରିଛି । ଏକ ଅନୁସିଦ୍ଧାନ୍ତ ରୂପେ ସାହିତ୍ୟଟାକୁ ମଧ୍ୟ ସମଗ୍ରତଃ ଏକ ସାନ୍ତ୍ଵନାଦାୟକ ପ୍ରଶମକର ଦୃଷ୍ଟିରେ ଦେଖୁଛି ଏବଂ ଏକାଳର ଭୋଗୀମାନଙ୍କ ନିମନ୍ତେ ପ୍ରାୟ ଏକ ରକ୍ଷା ଢାଲ ପରି କାର୍ଯ୍ୟ କରୁଛି । ଆମ ସାହିତ୍ୟକୁ ସେହି କାତର ଗେଲବସରମାନଙ୍କର ଏକ ସ୍ଵତନ୍ତ୍ର ସମ୍ପତିରେ ପରିଣତ କରି ରଖିଛି-

 

ସମାନ ସୁଯୋଗ, ସମ୍ମାନ ବୋଧ ଏବଂ ମନୁଷ୍ୟ ସ୍ୱୀକୃତିର ସେହି ଅନ୍ୟ ବାସ୍ତବବାଦୀ ଆବେଦନଟି ସତେଅବା ଏବର ବଜାର ସକାଶେ ଆଦୌ ଉପଯୁକ୍ତ ନହେଉଥିବା ପରି ଆତ୍ମଗୋପନ କରି ରହିଛି । ଅଥଚ ସ୍ଵାଧୀନ ଭାରତବର୍ଷରେ ସକଳ ଅର୍ଥରେ ସେଇଟି ହିଁ ଅମଲାଗି ସବାପ୍ରଥମ ଚ୍ୟାଲେଞ୍ଜ ହୋଇ ରହିଥାନ୍ତା, ସ୍ଵାଧୀନତା ପରେ ଆମ ଭୂମିଟା ଯେଉଁ ପରିବର୍ତ୍ତନ ଭୀରୁ ଭୋଗ କାଙ୍ଗାଳ କ୍ଷମତାଧାରୀମାନଙ୍କର କବଳରେ ଯାଇ ପଡ଼ି ଯାଇଛି, ସେହି ଅନ୍ୟ ବାସ୍ତବବାଦର କଥା କହି ପାରୁଥିବା ସାହିତ୍ୟ ତାହାକୁ ଚ୍ୟାଲେଞ୍ଜ ଦେଇ ପାରୁଥାନ୍ତା । ପ୍ରତ୍ୟେକ ମଣିଷ ନିମନ୍ତେ ସେହି ଅନ୍ୟ ଭବିଷ୍ୟଟିର ଏକ ପୂର୍ଣ୍ଣ ପ୍ରତ୍ୟୟ ଯୁକ୍ତ ଆବାହନ କରି ପାରୁଥାନ୍ତା । ଯାବତୀୟ ଦରକାରୀ ଦୁର୍ଦ୍ଧଶାରୁ ନିଜକୁ ମୁକ୍ତ ରଖିଥାନ୍ତା ଓ ମାନବିକ ଆସ୍ପୃହାର ଆଦର୍ଶଗୁଡ଼ିକୁ ଏଠାକୁ ଏହି ଧୂଳି ଉପରକୁ ସବୁ ମଣିଷଙ୍କର ହାତପାଆନ୍ତାକୁ ଅବତୀର୍ଣ୍ଣ କରାଇ ଆଣିବାରେ ସେହି ସ୍ଵତନ୍ତ୍ର ସ୍ପର୍ଦ୍ଧାଟିକୁ କରି ପାରୁଥାନ୍ତା । ସେହି ଅନୁସାରେ ସାହିତ୍ୟ ର ଭାଷା ଅନ୍ୟପ୍ରକାରେ ହୋଇପାରୁଥାନ୍ତା, ଆଙ୍ଗିକ ତଥା ଆତ୍ମିକ ବ୍ୟାକରଣଟା ମଧ୍ୟ ଅନ୍ୟଭଳି ହୋଇଥାନ୍ତା । ତାହା ମନୁଷ୍ୟମାନଙ୍କର ହୃଦୟ ଯାଏ ପହଞ୍ଚି ପାରୁଥାନ୍ତା ଏବଂ ତାହାକୁ ସଙ୍କଳ୍ପଯୁକ୍ତ ଭାବରେ ସଚଳ କରି ଦେଉଥାନ୍ତା । ରସିକମାନେ ଯେ ସାହିତ୍ୟକୁ ନିଜ ଆପ୍ୟାୟନ ତାଲିକା ମଧ୍ୟରେ ଏକ ଅନ୍ୟତମ ପରିଚାରିକା ରୂପେ ନିୟୋଜିତ କରି ରଖିଛନ୍ତି, ତାହାର ହୁଏତ ଅର୍ଥ ହେଉଛି ଯେ ସେମାନେ ସତକୁ ସତକିଛି ବଦଳୁ ବୋଲି ଇଚ୍ଛା କରୁନାହାନ୍ତି । ଦଶଦିଶକୁ ଭୋକ ଭୁଲାଇ ରଖିବାରେ ମନ୍ଦ ମତଲବରେ ସାହିତ୍ୟ ମଧ୍ୟରେ ଆସି ପ୍ରବେଶ କରିଛନ୍ତି । ଅର୍ଥମାନଙ୍କୁ ଅନର୍ଥରେ ପରିଣତ କରିଛନ୍ତି, ଆମ ଭୂମିର ପ୍ରାୟ ଯାବତୀୟ ନିର୍ମାଣ ତଥା ନବଗଠନକୁ ଏକ ଲୋକ ଅପମାନକର ତାମସାରେ ପରିଣତ କରିଛନ୍ତି । ଏପରିକି, ଦେଶ ସ୍ଵାଧୀନ ହେବାପୂର୍ବରୁ ଏଠି ଯେଉଁମାନେ ନୂତନ ସମାଜ ଏବଂ ନୂତନ ମନୁଷ୍ୟର ସ୍ଵପ୍ନ ଦେଖୁଥିଲେ, ସ୍ଵାଧୀନତା ପ୍ରାପ୍ତିପରେ ସେମାନେ କେହି କେହି ମଧ୍ୟ ନିଜର ସାହିତ୍ୟ ନାମକ ହୃଦୟଟିକୁ ନାନା ଅନ୍ୟ ଚାତୁରୀ ଖଟାଇ ଯେ ଗର୍ବବହୁଳ କରି ରଖିଲେ, ସେହି କଥାଟିର ମଧ୍ୟ ଏକ ସହାନୁଭୂତିପୂର୍ଣ୍ଣ ଅଧ୍ୟୟନ ଅବଶ୍ୟ ହୋଇପାରନ୍ତା । ସେମାନେ କ’ଣ ତଥାପି ଇଚ୍ଛା କରି ବସିଛନ୍ତି ଯେ ଏହି ଭେଦ ଏବଂ ଏହି ପ୍ରବଞ୍ଚମାନେ ତଥାପି ରହିଥାନ୍ତୁ, ଅଧେ ମଣିଷଙ୍କୁ ସେମାନଙ୍କର ସର୍ବନିମ୍ନ ମାନବୀୟ ଅଧିକାର ଓ ଆବଶ୍ୟକାତରୁ ବଞ୍ଚିତ କରି ରଖି ମାତ୍ର କତିପୟ ପେଟୁଆ ହୋଇରହନ୍ତୁ, ତଳୁ ଉପରଯାଏ ଆମର ତଥାକଥିତ ଶିକ୍ଷା ତଥା ଶାସନ ବ୍ୟବସ୍ଥା ଆମ ବ୍ୟାବହାରିକ ଯାବତୀୟ ସମ୍ପର୍କ ଏବଂ ସଂସ୍କୃତିରେ ସେମାନଙ୍କୁ ଏହିଭଳି ପେଟୁଆ ହୋଇ ରହିବାର ଚକ୍ରାନ୍ତମାନ କରିବାରେ ଲାଗିଥାଉ ?

 

ତେଣୁ, ମନୁଷ୍ୟର ପକ୍ଷନେଇ ପୂର୍ଣ୍ଣ ହୃଦୟଯୁକ୍ତ ଭାବରେ ଆମ ସାହିତ୍ୟରେ ବାସ୍ତବବାଦର କଥା ମଧ୍ୟ ପଡ଼ୁ । ବାସ୍ତବ ଜୀବନର ଭୂମିଟି ଉପରେ ହିଁ ବାସ୍ତବବାଦୀ ସାହିତ୍ୟ ଛିଡ଼ାହେବାର ଶ୍ରଦ୍ଧାଟିକୁ ଅର୍ଜନ କରୁ । ଆମ ସାହିତ୍ୟ ଆମ ଜୀବନକୁ ସତକୁ ସତ ଆସି ଛୁଇଁବାକୁ ମୋଟେ ନ ଡରୁ । ଯେଉଁ ହୃଦୟ କୌଣସି ସଂକ୍ରମଣକୁ ନ ଡରି ଅନ୍ୟ ଅନେକ ହୃଦୟ ସହିତ ଧର୍ମତଃ ଛନ୍ଦି ହୋଇଥାଏ, ତାହା ହିଁ ଅସଲ ସାହିତ୍ୟ ଏବଂ ଅସଲ ବାସ୍ତବବାଦ । ଏବର ବ୍ୟାଧିତମାନଙ୍କ ଲାଗି ସେମାନେ ମନ କଲେ ତାହା ଔଷଧ ପରି ମଧ୍ୟ କାର୍ଯ୍ୟ କରିପାରେ । ନିଃସଙ୍ଗ ପ୍ରକୂପିତମାନଙ୍କ ପାଇଁ ନାନାସାଙ୍ଗ ସମ୍ଭାବନାକୁ ବହନ କରି ଆଶେ । ଆଗାମୀ ପୃଥିବିଟା ନିମନ୍ତେ ସୁସ୍ଥ ଭାବରେ ତିଆରି କରି ନିଏ । Prodigal ପଳାତକ ମାନଙ୍କୁ ଘରକୁ ବାହୁଡ଼ି ଆସିବାର ବାଟ ବତାଇଦିଏ ।

☆☆☆

 

Unknown

ପୁସ୍ତକ ସମୀକ୍ଷା

 

ଓଡ଼ିଶାରେ ସାମୂହିକ ଅର୍ଥାତ୍ ସାଂସ୍କୃତିକ ଆଗ୍ରହର ଏକ ବିଶେଷ କାଳରେ ଜାଗନ୍ନାଥ ଦାସ ଭାଷା ପ୍ରବନ୍ଧରେ ଭାଗବତ ଲେଖିଥିଲେ । ଆମ ସାହିତ୍ୟରେ ଆମେ ଏବେ ମଧ୍ୟ ସେହି ପ୍ରବନ୍ଧ ଶବ୍ଦଟିକୁ ତାହାର ସେହି ଅର୍ଥଟିରେ ବ୍ୟବହାର କରୁଛୁ କି ନାହିଁ, ତାହାର ଉତ୍ତର ଦେବାକୁ ଯାଇ ଅବଶ୍ୟ ଏକାଧିକ ମତ ପ୍ରକାଶ ପାଇବ । ଆଗ କାଳର ଭାଷ୍ୟଗୁଡ଼ିକୁ ଯଦି ସମୀକ୍ଷାଧର୍ମୀ ବୋଲି କୁହାଯାଏ । ତେବେ ସେଗୁଡ଼ିକ ପ୍ରବନ୍ଧ ବୋଲି କୁହାଗଲେ ଆଦୌ ଦୋଷାବହ ହେବା ଉଚିତ ନୁହେଁ । ମୂଳ ଏକ ପୁସ୍ତକର, ଦର୍ଶନର ବା ବିଚାରର ସମୀକ୍ଷା, ତାହାହିଁ ଭାଷ୍ୟ । ସେହି ମାର୍ଗରେ ଜଗନ୍ନାଥ ଦାସ ‘ଅର୍ଥ କୋଇଲିକୁ’ ମଧ୍ୟ ଗଦ୍ୟପଦ୍ୟ ଯୁକ୍ତ ଏକ ଭାଷ୍ୟ ଅର୍ଥାତ୍ ସମୀକ୍ଷା ରୂପେ ଲେଖିଥିଲେ । ଏ କାଳରେ ମଧ୍ୟ ପୁସ୍ତକ–ସମୀକ୍ଷାଗୁଡ଼ିକ ଆମେ ସେହିଭଳି କୌଣସି ସଜାତୀୟ ପ୍ରସ୍ଥ ଦେଇ ବିଚାର କରିପାରନ୍ତେ , ନିଜେ ବି ସମୀକ୍ଷା ଲେଖିପାରନ୍ତେ । ଅବଶ୍ୟ ଏତିକି ଫରକ ରୁହନ୍ତା ଯେ, ଆଗ ଛାଞ୍ଚର ସେହି ଭାଷ୍ୟ ବା ସମୀକ୍ଷମାନଙ୍କୁ କୌଣସି ନିର୍ଦ୍ଧିଷ୍ଟ ମତ ବା ସମ୍ପ୍ରଦାୟର ଅନୁମାନ ଦ୍ଵାରା ପରଖି ଲେଖା ଯାଉଥିଲା । ଏବେ ସେଭଳି କରିବାକୁ ମନ କଲେ ତାହା କଦାପି ଆଧୁନିକ ଜିଜ୍ଞାସାର ପରିପୋଷକ ହେବନାହିଁ । ମତ ଭିତରେ ଆଣି ପକାଇବାର ପ୍ରାୟ ଯାବତୀୟ ମତଲବ ଆଲୋଚ୍ୟ କୌଣସି ଗ୍ରନ୍ଥର ଦୁଆରଗୁଡ଼ିକୁ ଭାରି କିଳି ପକାଇବା ଭଳି ଲାଗୁଥିବ ଏବଂ ତେଣୁ ଅସଲ ସମ୍ପର୍କ ସ୍ଥାପନ ଗୁଡ଼ିକର କ୍ଷେତ୍ରରେ ବାଧକ ହିଁ ହେବ ।

 

ପୁସ୍ତକମାନଙ୍କର ସମୀକ୍ଷା ନିନ୍ଦା କରିବ ନାହିଁ, ଅନାବଶ୍ୟକ ପ୍ରଶଂସା ମଧ୍ୟ କରୁନଥିବ, ପୁନଶ୍ଚ ତୋଷାମଦରୁ ଯଥାସମ୍ଭବ ଦୂରରେ ରହିଥିବା ପୁସ୍ତକ ସମୀକ୍ଷା ଧର୍ମତଃ ଏକ ସୁସ୍ଥ ଉନ୍ମୋଚନର ହିଁ ଅଭିଲାଷ ରଖିଥିବ । ପୁସ୍ତକଟିକୁ ମାଧ୍ୟମ କରି ଜଣେ ଲେଖକ ଯାହା କହିବାକୁ ଅର୍ଥାତ୍ ଆମ ଗୋଚର ଭିତରକୁ ଆଣିବାକୁ ମନେ କରିଥିବେ, ପୁସ୍ତକ ସମୀକ୍ଷା ସେଥିରେ ଅଧିକ ପ୍ରସାରଣ ଆଣିଦେବ । ଜଣେ ଲେଖକର ଭାବ ଅଥବା ବିଚରଣର ନିବେଦନ କ୍ଷେତ୍ରରେ ସର୍ବଦା ଯେ ଏକ ବୃହତ୍ତର ପୃଷ୍ଠଭୂମି ତଥା ପୁରୋଭୂମି ରହିଛି, ସମୀକ୍ଷକ ମୁଖ୍ୟତଃ ସେହି କଥାଟି ବିଷୟରେ ଚେତାଇ ଦେଇ ପାରୁଥିବେ । ଲେଖକ ଓ ସିଏ ବାଢ଼ି ଦେଉଥିବା ସାହିତ୍ୟଦ୍ରବ୍ୟଟି ପ୍ରତି ସବାଆଗ ଶ୍ରଦ୍ଧାଟିଏ ନଥିଲେ, ଖୁସୀ ହୋଇ ସିଏ ସେମାନଙ୍କ ସହିତ ସହଅବଗାହୀ ହେବାକୁ ଇଚ୍ଛା କରୁନଥିଲେ, ପୁସ୍ତକ ସମୀକ୍ଷାରେ ବହୁ ଅସଙ୍ଗତି ଆସି ପଶିଯିବାର ଆଶଙ୍କାମାନ ରହିଥିବ ।

 

ଯେକୌଣସି ଭାଷାର ସାହିତ୍ୟରେ ଗଳ୍ପ, ଉପନ୍ୟାସ ବା କବିତା ପଢ଼ିବାରେ ଉତ୍ସାହ ରହିଥିବା ପାଠକଙ୍କ ସଂଖ୍ୟା ତୁଳନାରେ ବହୁ ଅଳପଲୋକ ପ୍ରବନ୍ଧ ପଢ଼ନ୍ତି । ଏମାନଙ୍କଠାରୁ ଆହୁରି ଅଳପ ହୁଏତ ପୁସ୍ତକ ସମୀକ୍ଷା ଆଡ଼କୁ ସରାଗ ରଖିଥାନ୍ତି । ସାହିତ୍ୟ ଓ ଜୀବନ ମଧ୍ୟରେ ଏକ ସ୍ଵାଭାବିକ ପାରସ୍ପରିକ ସମ୍ପୃକ୍ତି ସମ୍ଭବ ହୋଇନଥିବା ସମାଜମାନଙ୍କରେ ସଚରାଚର ଅଧିକ ପରିମାଣରେ ସେପରି ଦେଖିବାକୁ ମିଳେ । ଓଡ଼ିଆ ସାହିତ୍ୟ ଭିତରେ ଆତ ଯାତ ହେଉଥିବା ଆମେ ସମସ୍ତେ ତେଣୁ ଖୁବ୍ ଖୁସୀ ହେବା ଯେ ପୁସ୍ତକ– ସମୀକ୍ଷାରେ କ୍ଷେତ୍ରରେ ଆମ ସମ୍ମୁଖରେ ଅତ୍ୟନ୍ତ ପ୍ରଶସ୍ତ ଭୂମିଟିଏ ଏବେ ମଧ୍ୟ ପଡ଼ିରହିଛି ।

 

ଏହି ପ୍ରକରଣଟିରେ ଶେଷକୁ ଆଠଟି ପୁସ୍ତକସମୀକ୍ଷାକୁ ଏହି ଉଦ୍ଦେଶ୍ୟରେ ଗୁନ୍ଥି ଦିଆଯାଇଛି ଯେ ସେଗୁଡ଼ିକ ସମଧର୍ମୀମାନଙ୍କୁ ଆବିଷ୍କାର କରି ବାହାରିବେ ଏବଂ ଆହୁରି ଅନେକଙ୍କୁ ଉଦ୍ୟମଟି ମଧ୍ୟକୁ ଆମନ୍ତ୍ରଣ କରି ଆଣିବେ ।

 

୧–ବିଶ୍ଵ ଓ ବ୍ୟକ୍ତି

 

ଅଧ୍ୟାପକ ଶତ୍ରୁଘ୍ନ ନାଥ

ପ୍ରକାଶକ–ଗ୍ରନ୍ଥମନ୍ଦିର, କଟକ

ପୃଷ୍ଠାସଂଖ୍ୟା–୯୯, ମୂଲ୍ୟ–୨୪

 

ଆଗ ବିଶ୍ଵ ନା ଆଗ ବ୍ୟକ୍ତି ? ଆଗ ଗଛ ନା ମଞ୍ଜି ? ଆଗ ଚଢେଇ ନା ଆଗ ଅଣ୍ଡା ? ପୃଥିବୀର ନ୍ୟାୟଶାସ୍ତ୍ରମାନଙ୍କରେ ବଡ଼ କୌତୁକପୂର୍ଣ୍ଣ ଭାବରେ ସେହି ପ୍ରଶ୍ନଟିର ଉତ୍ଥାପନ କରାଯାଇଇଛି ଓ ସେଥିରୁ ଭଳି ଭଳି ସିଦ୍ଧାନ୍ତର ସର୍ଜନା କରାଯାଇଛି । ସେହି ରୀତିରେ ଆମେ ମନେକଲେ ‘ଆଗ ଭଗବାନ ନା ଆଗ ମଣିଷ ' ବୋଲି ବି କହିପାରିବା । "ଆଗ ମୁଁ ନା ଆଗ ମୋର ସଂସ୍କୃତି" ଆଗ ପେଟ, ଆଗ ଅନ୍ନ ନା ଆଗ ଆନନ୍ଦ ଓ ଆଦର୍ଶ ?’ –ସେହି କ୍ରମରେ ଏହିପରି କେତେ କେତେଆଡ଼କୁ ମଧ୍ୟ ଆମେ ମାଡ଼ି ଯାଇପାରିବା । ଶ୍ରୀଯୁକ୍ତ ଶତ୍ରୁଘ୍ନ ନାଥ ଲେଖିଥିବା 'ବିଶ୍ଵ ଓ ବ୍ୟକ୍ତି ନାମକ ପୁସ୍ତକରେ ସେହି ବିଷୟଟିର ପ୍ରାୟ କୌଣସି ଆଲୋକ–ପ୍ରଦାନକାରୀ ସ୍ଵତନ୍ତ୍ର ଆଲୋଚନାଟିଏ ହୋଇନାହିଁ । ସେହି ନାମକ ପୁସ୍ତକ ଭିତରେ କୌଣସି ପ୍ରବନ୍ଧ ମଧ୍ୟ ନାହିଁ । ଅନେକ ସମୟରେ କେତୋଟି ପ୍ରବନ୍ଧକୁ ନେଇ ଯେଉଁ ସଂକଳନଟିଏ ହୋଇଥାଏ, ସେଥିରେ କୌଣସି ଗୋଟିଏ ପ୍ରବନ୍ଧ ନାମ ଅନୁସାରେ ପୁରା ବହିଟିର ନାମ କରଣ ହୋଇଥାଏ । ପ୍ରସ୍ତୁତ ସଂକଳନଟିର ସେହି ରୀତିଟିକୁ ମଧ୍ୟ ଅନୁସରଣ କରାଯାଇ ନାହିଁ ।

 

ହଁ, ବହିର ନାମ ଅନୁସାରେ ମଲାଟ ଉପରେ ଯେଉଁ ଚିତ୍ରଟି ଅଙ୍କା ଯାଇ ଛପା ହୋଇଛି ସେଥିରେ ନିଷ୍ଠାର ସହିତ ବ୍ୟକ୍ତି ଓ ବିଶ୍ଵ ଉଭୟଙ୍କୁ ଉପର ତଳ କରି ଦେଖାଇ ଦିଆଯାଇଛି । ଉପରେ ମନୀଷ ମୁଣ୍ଡଟିଏ ଆଙ୍କି ଦିଆ ଯାଇଛି ଓ ମଝିରେ କିଛି ରୈଖିକ ଅଳଙ୍କରଣ ଦେଇ ତଳକୁ ବିଶ୍ଵ ବୋଲି ପୃଥିବୀର ପରିଚୟ ଦେଉଥିବା ଗୋଲାର୍ଦ୍ଧଟିଏ ଝାପ୍‍ସା ଝାପ୍‍ସା କରି ଦର୍ଶାଇ ଦିଆଯାଇଛି । ବ୍ୟକ୍ତି କହିଲେ ଲେଖକ ଯେ ମଣିଷର ମୁଣ୍ଡକୁ ବୁଝନ୍ତି ନାହିଁ, ଅଥବା ବିଶ୍ଵ କହିଲେ ଏକ ଗୋଲାର୍ଦ୍ଧକୁ ବୁଝନ୍ତି ନାହିଁ, ଲେଖକ ଯେତେ ଅଭିଯୋଗ କରିଥିଲେ ମଧ୍ୟ ଶିଳ୍ପୀ କ’ଣ ତଥାପି ଶୁଣିଥାନ୍ତେ ? ସିଏ ତ ପ୍ରକାଶକଙ୍କ ବରାଦରେ ନିଜ ପାଇଟିଟିକୁ କରିଥିବେ । ତେଣୁ, ଲେଖକଙ୍କ ମନ ଭିତରେ କ’ଣ ଅଛି କି ନାହିଁ, ସିଏ କ’ଣ ପାଇଁ ତାହା ଶୁଣିବାକୁ ଯିବେ ? ବହିଟି ଯେ ପ୍ରଥମତଃ ଜଣେ ଲେଖକର ଏବଂ ତାପରେ ହୁଏତ ପ୍ରକାଶକର, ଓଡ଼ିଶାର ପ୍ରକାଶନ ବଜାରରେ ଏ ପର୍ଯ୍ୟନ୍ତ ସେହି ପରିମଳଟି ପ୍ରବେଶ କରିପାରି ନାହିଁ ।

 

ପ୍ରସ୍ତୁତ ସଂକଳନଟିରେ ମୋଟ ପନ୍ଦରଟି ପ୍ରବନ୍ଧ । ଏଥିରେ ଧର୍ମର ସାମଗ୍ରୀ ରହିଛି, ଜାତୀୟ ସଂହତି ସମେତ ଅଗଷ୍ଟ ପନ୍ଦରର ଚର୍ଚ୍ଚା କରାଯାଉଛି । ଆଧ୍ୟାତ୍ମିକ ଶିକ୍ଷା ସମେତ ଶିକ୍ଷାର ମଧ୍ୟ ଆଲୋଚନା ହୋଇଛି । ସାମ୍ପ୍ରଦାୟିକ ସଦ୍‍ଭାବର ପର୍ଯ୍ୟାୟରେ ସମ୍ପ୍ରଦାୟିକତାକୁ ରୋକିବା ଲାଗି ଜଣେ ଶିକ୍ଷକ କ’ଣ ସବୁ କରିପାରିବ, ସେ କଥା ମଧ୍ୟ କିଛି କିଛି ପଡ଼ିଛି । ଏବଂ ପ୍ରାୟ ଯାବତୀୟ ପ୍ରବନ୍ଧର ପରିସରକୁ ମୂଳତଃ ଭାରତବର୍ଷ ମଧ୍ୟରେ ସୀମିତ କରି ରଖାଯାଇଛି । ଖାସ୍ ଓଡ଼ିଶା ବିଷୟରେ ଗୋଟିଏ ପ୍ରବନ୍ଧ ରହିଛି, ଯେଉଁଥିରେ କି ଭାରତ ନାମକ ପଙ୍କଜରେ ଉତ୍କଳ ଅନ୍ୟତମ ପାଖୁଡ଼ା ବୋଲି କୁହାଯାଉଥିବା କବିବର ରାଧାନାଥ ଙ୍କର ସେହି ଚିତ୍ର ରୂପଟିର ଆଲୋଚନା କରାଯାଇଛି । ସଂକଳନର ଦୁଇଟି ପ୍ରବନ୍ଧ, –‘ମନୁଷ୍ୟ ଓ ମଣିଷପଣିଆ’ ଏବଂ 'ବିଜୟ ସେଇଠି ଯେଉଁଠି କାହାର ପରାଜୟ ନାହିଁ କୁ ଅବଶିଷ୍ଟ ପ୍ରବନ୍ଧଗୁଡ଼ିକୁ ବାନ୍ଧି ରଖିଥିବା ସୂତାଟିରେ ତଥାପି ଗଣ୍ଠାଇ ଦେବାକୁ ପ୍ରୟାସ ମଧ୍ୟ କରାଯାଉଛି ।

 

ଅଧ୍ୟାତ୍ମିକମାନଙ୍କୁ ମଧ୍ୟ ନିଜର ସଜ୍ଞାଗୁଡ଼ିକୁ ଆଉ ଥରେ ପରଖି ଦେଖିବାକୁ ଅବକାଶ ଆଣି ଦେଇପାରିବା ଉଚିତ । ଆଗେ ତ ରାଜା ଓ ନବାବମାନଙ୍କର ହୁକୁମରେ ସୈନ୍ୟମାନେ ଏଇଟାକୁ ବା ସେଇଠାକୁ ଭାଙ୍ଗି ପକାଉଥିଲେ । ଆମ ବାବାଜିମାନଙ୍କ ଭିତରେ ଯମ ଓ ନିୟମ ରଖିବା ନାଁରେ ଅବଦମିତ ହୋଇ କିପରି କ’ଣ ହିଂସ୍ରତା କାହିଁକି ରହିଥିଲା, ଯାହାକି ଅଗର ସବୁ ଦୃଷ୍ଟାନ୍ତକୁ ଟପିଯାଇ ପାରିଲା ? ଯେଝା ଧର୍ମରେ ଯିଏ ରହିବେ, ଯେଝା ମୋହରେ ଯିଏ ବାନ୍ଧି ହୋଇଥିବେ, ଏବଂ ତେଣେ ବଳିବର୍ଦ୍ଧ ବନି ନିଷ୍ଠା ପର ଭାବରେ ଯମ ଓ ନିୟମର ପାଳନ କରୁଥିବେ, –ଏହି ମାର୍କାର ମନୁଷ୍ୟମାନେ ଆମ କାଳରେ ପ୍ରାୟ ଏକ କାଳ ହୋଇ ରହିନାହାନ୍ତି କି-?

 

'ଯୁଗେ ଯୁଗେ ସଦାଚାରୀ ବ୍ୟକ୍ତି ଅଛନ୍ତି, ...କିନ୍ତୁ ସଦାଚାରୀ ସମାଜ କାହିଁ' ? ସଂକଳନର ଦ୍ଵିତୀୟ ପ୍ରବନ୍ଧରେ ଲେଖକ ଏହି ପ୍ରଶ୍ନଟିକୁ ପଚାରିଛନ୍ତି ଓ ସମ୍ଭବତଃ ଅସଲ ବିଶ୍ଳେଷଟିର ଖୁବ୍ ପାଖକୁ ଆସିଲା ପରି ମନେ ହେଉଛନ୍ତି । ବ୍ୟକ୍ତିମାନଙ୍କୁ ଏକାଠି କରି ଯଦି ସମଷ୍ଟି ବା ସମାଜ ଟିଏ ଆପେ ଆପେ ସମ୍ଭବ ହୋଇ ଯାଉଥାନ୍ତା, ତେବେ ସଦାଚାରୀ ବ୍ୟକ୍ତି ସଦାଚାରୀ ସମାଜ ନିମନ୍ତେ ନିଶ୍ଚୟ ବାଟ କାଢ଼ି ଦେଇ ପାରୁଥାନ୍ତା । ଯୁଗେ ଯୁଗେ ସଦାଚାରୀ ବହୁ କିସମର ଓ ବହୁ ଅଭିପ୍ରାୟର ରହି ଆସିଛନ୍ତି । ସଦାଚାରର ତଥ୍ୟ ପତ୍ର ବାଢ଼ି ଦେଇ ମୋହମୁଦ୍‍ଗର ଲେଖାଯାଇଛି, ବିବେକ–ଚୂଡ଼ାମଣି ମଧ୍ୟ ପରିବେଷିତ ହୋଇଛି । ଭର୍ତ୍ତୃହରି ଏବଂ ବିଷ୍ଣୁଶର୍ମାମାନେ କେତେ ସାହିତ୍ୟିକ ଛାଣ୍ଟ୍‍ରେ ସଂସାରର ହିତଲାଗି ସଦାଚାର ସାମଗ୍ରୀର ବିତରଣ କରିଛନ୍ତି । ତଥାପି ସଦାଚାରୀ ସମାଜଟିଏ କାହିଁକି ସେ କାଳରୁ ଏଯାବତ୍ ଆମ ଲାଗି ଆକାଶ କୁସୁମ ହୋଇ ରହିଛି ? କାହିଁକି ମଣିଷ ମଣିଷକୁ ଗ୍ରାସ କରି ପକାଉଛି, ଋଷି ମାନଙ୍କର ଶାସ୍ତ୍ର ରାଜି ପୂଜା ପାଉଥିବା ଦେଶରେ ଅର୍ଥନୀତି , ରାଜନୀତି କାହିଁକି ବର୍ବର ସ୍ତରରେ ଚାଲିଛି ? ସଦାଚାରୀ ସମାଜ ଟିଏ ହେଉ ବୋଲି ଆକାଂକ୍ଷା ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ସେଗୁଡ଼ିକର ଅବତା’ରଣା କରାଇବାକୁ ଇଚ୍ଛା ମଧ୍ୟ କରନ୍ତୁ । ସେହି କାଟର ପ୍ରଶ୍ନ ମାନ ପଚାରନ୍ତୁ ଏବଂ ସେହି କାଟ ପ୍ରଶୟମାନର ବିତର୍କ ଟିଏ ମଧ୍ୟ ଆରମ୍ଭ ହେଉ । ସଦାଚାର ସହିତ ଯେ ଶ୍ରଦ୍ଧାର ଅବଶ୍ୟ ଅଭିବୃଦ୍ଧି ହୁଏ, ସେ କଥା କେହି ଦୃଢ଼ଭାବରେ କହିପାରିବେ ନାହିଁ । ବରଂ ଅତୀତର କଥାମାନଙ୍କରୁ ଏପରି ଏକାଧିକ ଦୃଷ୍ଟାନ୍ତ ଦେଇହେବ, ଯେଉଁଠି ଆଚାର ମାନି ମାନି ଉଚ୍ଚସ୍ତରୀୟ ମନୁଷ୍ୟ ଜନ୍ତୁ ମାନେ ସହୃଦୟ ନାମକ ଧନଟିକୁ ହରାଇ ବସନ୍ତି ଓ ଅପରପକ୍ଷରେ ତଥାକଥିତ ଆଚାରବିହୀନ ଅବରମାନେ ହିଁ ବିଶାଳ ହୃଦୟବତ୍ତ ର ପରିଚୟ ପ୍ରଦାନ କରିଥାନ୍ତି ।

 

ସଙ୍କଳନର ଶେଷ ଭାଗରେ ଥିବା ଗୋଟିଏ ପ୍ରବନ୍ଧରେ ପ୍ରବନ୍ଧକାର ଲେଖିଛନ୍ତି : 'କାର୍ଯ୍ୟତଃ ଦାରିଦ୍ର୍ୟ ହିଁ ମନୁଷ୍ୟ ମନୁଷ୍ୟ ମଧ୍ୟ ରେ ଘୃଣା ଜାତ କରେ । ଘୃଣା କ୍ରମେ ସମ୍ପ୍ରଦାୟିକତାରେ ପରିଣତ ହୁଏ । ବିଚ୍ଛିନ୍ନତା ବାଦ ଓ ଗୋଷ୍ଠୀବାଦ ଏଇଥିରୁ ଉପୁଜେ । ତେଣୁ ବିକାଶର ଧାରାକୁ ସଂକୀର୍ଣ୍ଣ ରାଜନୀତିରୁ ମୁକ୍ତ କରି ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରଖାଯିବ । ସାଂପ୍ରତିକ ଭାରତବର୍ଷର ଦୃଶ୍ୟ ହେଊଥିବା ଯାବତୀୟ ଦୂରତା ଏବଂ ଦୃଷ୍ଟତା’ର ମୂଳଗୁଡ଼ିକୁ ଅନ୍ଦାଜ କରି ପାରିବାକୂ ହେଲେ ଆମେ ଏହି କଥା ଗୁଡ଼ିକ ର ଆଲୋଚନା କରି ପାରୁଥାନ୍ତେ । ପ୍ରାୟ ଆବାହମାନ କାଳରୁ ଆମେ ଏଠାରେ ଏକ ଅସମାନ ସମାଜରେ ବାସ କରି ଆସିଛୁ । ଆମ ପ୍ରାଚୀନ ମାନେ ପ୍ରଣୟନ କରିଥିବା ସାମାଜିକ ଆଚାର ସଂହିତା ମାନ ପ୍ରାୟ ଧର୍ମତଃ ସେହି ଅସମାନତାକୁ ସତେ ଅବା ଏକାନ୍ତ କାମ୍ୟ ବୋଲି ଯୁକ୍ତି ବାଢ଼ି ଆସିଛନ୍ତି । ଭାରତବର୍ଷ ସ୍ଵାଧୀନତା ହାସଲ କରିବା ପରେ ସେହି ଦୃଷ୍ଟିରୁ ଏଠାରେ ମୂଳତଃ ଏକ ଗୂହାମୁକ୍ତି ର ଆନ୍ଦୋଳନ ହୋଇଥାନ୍ତା-। ସ୍ଵାଧୀନ ଭାରତ ର ନେତୃତ୍ଵ ମାନେ ଅତ୍ୟନ୍ତ ଚତୁରତା’ର ସହିତ ସେହି ଗୁହା ମୁକ୍ତିକୁ ସମ୍ଭବ କରାଇ ଦେଲେ ନାହିଁ । ଆମର ସମାଜ ଏବଂ ସାମାଜିକ ସୁଯୋଗମାନ ପ୍ରାୟ ଯାବତୀୟ ଅର୍ଥରେ ସର୍ବଜନଙ୍କ ନିମନ୍ତେ ଉନ୍ମୁକ୍ତ ହୋଇ ରହିପାରିଲା ନାହିଁ । ଅଧିସଂଖ୍ୟକ ମଣିଷଙ୍କୁ ଅଳପଙ୍କର କବଳ ଭିତରେ ଦାବି ରଖିଲା । ଜାତୀୟତା ନାମରେ କେବଳ କେତେକଙ୍କର ସ୍ଵାର୍ଥକୁ ସୁରକ୍ଷିତ କରି ରଖାଗଲା । ବ୍ୟବସ୍ଥା ବଦଳିଲା ନାହିଁ ।ଦୟା, ବାଦନ୍ୟତା ଓ ତଥାକଥିତ ସଜ୍ଜନାକୁ ଅର୍ଗଳ କରି ଆଗକୁ ଯିବାର ରାସ୍ତା ବନ୍ଦ କରି ଦିଆଗଲା । ସେହି ସବୁ ବେଡ଼ୀ ଖୋଲି ଦେବାକୁ ଯଦି ରାଜନୀତି ବୋଲି କୁହାଯାଏ, ତେବେ ପ୍ରସ୍ତୁତ ସଙ୍କଳନଟି ବିଷୟରେ ଯେକୌଣସି ସମୀକ୍ଷକ ଅଭିଯୋଗ ବାଢ଼ି କହିବ ଯେ, ଏଥିରେ ରାଜନୀତିର କୌଣସି ଚର୍ଚ୍ଚା ହୋଇ ନାହିଁ । ରାଜନୀତିକୁ ଏଡାଇ ଦିଆଯାଇଛି ଏବଂ ଏଭଳି ଏଡାଇ ଦିଆ ଯାଉଥିବା ପର୍ଯ୍ୟନ୍ତ ଏକ ଅସମାନ ସମାଜର ସଂହତି, ସଂସ୍କୃତି, ସଦାଚାର, ଜୀବନ ମୂଲ୍ୟ ଏବଂ ଯାବତୀୟ ପାରସ୍ପରିକ ସମ୍ବନ୍ଧରେ ଆଉ ପ୍ରକୃତରେ କି ଆଲୋଚନା ହୋଇ ପାରିବ ? ହାଣ୍ଡିରୁ ଗୋଟାଏ ଭାତର ଦୃଷ୍ଟାନ୍ତ ଦେଇ କହିଲେ, ଦେଶର ଶିକ୍ଷାର ସର୍ବପ୍ରାଥମିକ ସ୍ତରରେ ମଧ୍ୟ କାହିଁକି ସତର ପ୍ରକାରର ଶିକ୍ଷା ଦିଆଯାଉଛି ଓ ପିଲାମାନଙ୍କୁ ମୂଳରୁ ସତର ଭାଗ କରି ଦିଆଯାଉଛି ,–ରାଜନୀତିର ଲାଙ୍ଗୁଡରେ ହାତ ନ ମାରି ଏହି ବିଷୟ ଟିରେ ଆଦୌ କୌଣସି ଶୁଦ୍ଧ ବୌଦ୍ଧିକ ଚର୍ଚ୍ଚା କରାଯାଇପାରିବ କି ? ଶ୍ରୀଯୁକ୍ତ ନାଥ ମଧ୍ୟ ସେହି ପ୍ରସଙ୍ଗଟିକୁ ଉଠାଇ ବା ସକାଶେ ମୋଟେ ମନ କରି ନାହାନ୍ତି ।

 

ସ୍ଵବୃତ୍ତି ଏବଂ ସ୍ଵବର୍ଣ୍ଣରେ ଅଧ୍ୟାପକ ନାଥ ସବା ଆଗ ଜଣେ ଶିକ୍ଷକ । ଶିକ୍ଷକ ମାନଙ୍କର ବୃହତ୍ ଯୂଥ ଟି ମଧ୍ୟରେ ଏକାବେଳେ ବାରି ହୋଇ ପଡ଼ିବା ଭଳି ଜଣେ ଶିକ୍ଷକ । ଆମ ଅନେକଙ୍କର ଅଗ୍ରଜ ତୁଲ୍ୟ । ସେଥିପାଇଁ କୃତଜ୍ଞତା ଜଣାଇ ଏବେ ଆମେ ତାଙ୍କ ବିଷୟରେ ଏକାଠି ଅଭିନନ୍ଦନ–ଗ୍ରନ୍ଥ ଟିଏ ପ୍ରସ୍ତୁତ କରିଛୁ । ମୁଁ ନିଜେ ମଧ୍ୟ ସେଥିରେ ଲେଖାଟିଏ ଲେଖିଛି । ନିଜର ଶିକ୍ଷକଜୀବନ–କାଳରେ ସିଏ ପୁରୋଗାମୀ ରୂପେ କେତେ କେତେ ବିକଳ୍ପର ଚିନ୍ତା କରିଛନ୍ତି । ଏକାଧିକ କ୍ଷେତ୍ରରେ ନିଜେ ବିକଳ୍ପ ଟିଏ ବି ହୋଇ ପାରିଛନ୍ତି । ବର୍ତ୍ତମାନ ରୁ ଭବିଷ୍ୟତକୁ ଏହି ବିକଳ୍ପମାନେ ହିଁ ବାଟ କାଢ଼ିବେ । ଖାଲି ବିକଳ୍ପ ଶିକ୍ଷା ବତ୍ ଟିଏ, ବିକଳ୍ପ ରାଜନୈତିକ ନେତା ଟିଏ ନୁହେଁ, ବିକଳ୍ପ ମଣିଷ ମାନେ ହିଁ ସବୁଠାରୁ ଅଧିକ ପରିମାଣରେ ଏଣିକି ବିଧାତାଙ୍କର କାମରେ ଲାଗିବେ । ଶ୍ରୀଯୁକ୍ତ ନାଥ ଆମ ଅନେକଙ୍କ ପାଇଁ ଜଣେ ବିକଳ୍ପ ମଣିଷ, ଉପସ୍ଥିତ କାଳର ବିକ୍ଷୋଭ ଗୁଡ଼ିକ ବିଷୟରେ ଆହୁରି ଅଧିକ ବିତର୍କ ନିମନ୍ତେ ତାଙ୍କର ବିଚାର ସମ୍ପୃକ୍ତ ଆମ ସମସ୍ତଙ୍କୁ ବହୁ ଖୋରାକ ଅବଶ୍ୟ ଯୋଗାଇବ-। ଆଦୌ କୌଣସି ବିତର୍କ ହେଉନଥିବା ଆମର ସାଧାରଣ ଜୀବନରେ ଆହୁରି ଅଧିକ ପ୍ରସ୍ଥ ଯୁକ୍ତ ବିତର୍କ ନିମନ୍ତେ ଅବସର ସୃଷ୍ଟି କରି ଦେଉଥିବ । ଅଧିକରୁ ଅଧିକ ନିଷ୍ଠାତା’ର ବିତର୍କ ହିଁ ଆମକୁ ସମାଧାନ ର ନିକଟବର୍ତ୍ତୀ କରାଇ ଆଣୁଥିବ ।

 

[ଅନୁପମ ଭାରତ, ୨୦-୭-୯୭]

 

୨–ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ :

 

ମନ୍ମଥନାଥ ଦାସ

ପ୍ରକାଶକ : ବିଦ୍ୟାପୁରୀ, କଟକ

ପୃଷ୍ଠା ସଂଖ୍ୟା–୭୦୩ +୬ ,ମୂଲ୍ୟ–୧୯୦

 

ଜଣେ ବ୍ୟକ୍ତିଙ୍କର ଜୀବନ–ବିବରଣୀକୁ ଏକାଧିକ ଅର୍ଥରେ ଏକ ଭ୍ରମଣ-କାହାଣୀ ବୋଲି କୁହାଯାଇପାରେ । ଅନ୍ତତଃ ତାଙ୍କ ନିଜ ପାଇଁ ଏହା ସୁନିଶ୍ଚିତ ଭାବରେ ଏକ ଭ୍ରମଣ କାହାଣୀ-। ଫରାସୀ ଲେଖକ ଶ୍ରୀଯୁକ୍ତ ରୋମାଁ ରୋଲାଁ ତାଙ୍କ ଆତ୍ମଜୀବନକୁ La voyage interieure ଅର୍ଥାତ୍ ଅନ୍ତର୍ଯାତ୍ରା ବୋଲି କହିଛନ୍ତି । ନିଜ ଜୀବନର ଯାତ୍ରା ମର୍ମତଃ ଏକ ଅନ୍ତର୍ଯାତ୍ର ମଣିଷ କ’ଣ ସବୁ ଦେଖେ ବା ହାସଲ କରେ, ସେଇଟା ତା’ର ବଡ଼ ସମ୍ପଦ ନୁହେଁ, ସିଏ ସତକୁ ସତ କ’ଣ ସବୁ ହୁଏ, ତାହା ହିଁ ତା’ର ଅସଲ ଅର୍ଜନ, ଅସଲ ପରିଚୟ ଓ ଅସଲ ଆନନ୍ଦ । ଶ୍ରୀ ମନ୍ମଥ ଦାସ ଲେଖିଥିବା ଏହି ବୃହତ୍ ପୁସ୍ତକଟି ଏକ ଆତ୍ମ ଜୀବନୀ ଓ ଭ୍ରମଣ କାହାଣୀ ବୋଲି କହିଛନ୍ତି-। ପୁସ୍ତକଟିର ଅଙ୍ଗସଜ୍ଜା ଅତ୍ୟନ୍ତ ସୁରୁଚି ସମ୍ପନ୍ନ; ଆଦୌ କୌଣସି ଖୁଣ ନଥିଲା ପରି ଲାଗୁଛି ଏବଂ ଦେଖିଲେ ମନ ଖୁସି ହୋଇ ଯାଉଛି । ପ୍ରକାଶକ ସତେ ଅବା ଆଦୌ କୌଣସି ଠାରେ କୌଣସି ତ୍ରୁଟି କରିନାହାନ୍ତି ।

 

ଗ୍ରନ୍ଥଟିରେ ଭ୍ରମଣଭାଗ ଟି ଅଧିକ, ଜୀବନୀଭାଗ ଟି ଅଳ୍ପ । ଭ୍ରମଣ ଭାଗ ଟି ବର୍ଣ୍ଣନା ବହୁଳ ଏବଂ ଜୀବନୀଭାଗଟି ଘଟଣାବହୁଳ । ମୋଟାମୋଟି ହିସାବ କରି ଦେଖିଲେ ୪୧୦ ସିରିଜ ପୃଷ୍ଠା ଭ୍ରମଣର ବିବରଣୀ ଏବଂ ବାକି ଅଂଶଟି ଜୀବନର ଅବଶିଷ୍ଟ ଘଟଣାଚକ୍ର ର ଏକ ସମାହାର । ଭ୍ରମଣର ବର୍ଣ୍ଣନାଗୁଡ଼ିକ ଆବଶ୍ୟକ ନାନାଛବି ଦ୍ଵାରା ପରିପୁଷ୍ଟ ହୋଇଛି । ପୁସ୍ତକଟିର ସୌଷ୍ଠବ ହିଁ ସମ୍ଭବତଃ ଏହି ପୁସ୍ତକଟି ବିଷୟରେ ସବା ଆଗ କଥା । ଭାଷାରେ ନାଟକୀୟତା ଭର୍ତ୍ତି ରହିଛି । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ନିଜର ଜୀବନକୁ ଯଥା ସମ୍ଭବ ଅଧିକ ନାଟକୀୟ ଭାବରେ ସଜାଇ ବାରେ ସର୍ବାଧିକ ପ୍ରୟାସ କରୁଥାନ୍ତି । ସମ୍ଭବତଃ ଭଗବାନ ମଧ୍ୟ କ’ଣ ଅଭିପ୍ରାୟ ରଖି ସେମାନଙ୍କୁ ସେହିପରି ଭାବରେ ସହଯୋଗିତା ମଧ୍ୟକରୁଥାନ୍ତି ।ଏହିଭଳି ବ୍ୟକ୍ତି ମାନଙ୍କର ଲେଖା ଓ ଭାଷା ନାଟକୀୟ ହେବାକୁ ବାଧ୍ୟ ହୋଇଥାଏ । ଉଦାହରଣ ସ୍ୱରୂପ, ଶ୍ରୀଯୁକ୍ତ ଦାସ ବ୍ୟାସକବି ଫକିର ମୋହନ ଏକଦା ବାସ କରୁଥିବା ଘରେ ଶୋଇବାକୁ ଯାଇ ବାରଣ୍ଡାରେ କଠାଉ ଶବ୍ଦ ଶୁଣିଲେ, କବିଙ୍କର ପ୍ରେତ ପଦଚାରଣା କରୁଛି ବୋଲି ଅନ୍ଦାଜ କଲେ ଏବଂ ଆପଣାର ଭ୍ରମ ଓ ଭୟ ଦୂର କରିବା ସକାଶେ ହାତରେ ଲଣ୍ଠନ ଧରି ବାହାରକୁ ଆସି ଏବଂ ଛାତ ଉପରକୁ ଉଠି ଦାଢି ଯୁକ୍ତ ପୁଞ୍ଛ ଗଳଟିଏ ଆବିଷ୍କାର କଲେ । ବାଲେଶ୍ଵର କଲେଜରେ ସେ କାଳେ ଯୋଗ ଦେଇଥିବା ଜଣେ ତରୁଣ ଅଧ୍ୟାପକ ତାଙ୍କ ସ୍ମରଣରେ ହୁଏ ତ ସବା ଆଗରେ ରହିଥିବା ଏହି ବୃତ୍ତାନ୍ତ ଟିକୁ ଯେ ପାଠକ ମାନଙ୍କ ଲାଗି ବାଢ଼ି ଦେଇଛନ୍ତି, (ପୃଷ୍ଠା–୧୪) ପାଠକର ଚିତ୍ତରେ ମଧ୍ୟ ତାହା ଏକ ପ୍ରକାର ନାଟକୀୟତା ସୃଷ୍ଟି କରି ପାରୁଛି । ନିଜର ଜୀବନ ବୃତ୍ତାନ୍ତ ଲେଖିବାର ମଧ୍ୟ ନାଟକୀୟତା ହୁଏ ତ ଏକ ମୁଖ୍ୟ ଶୈଳୀ ହୋଇପାରିବ ।

 

ଲେଖକ ଥିଲା ଘରେ ଜନ୍ମ ହୋଇଥିଲେ । ତାଙ୍କ ବାପଙ୍କର ଅସଲ କୃଷି ମାହାଲ ଟି ଗଙ୍ଗାର ମୁହାଣ ସୁନ୍ଦରବନ ଭିତରେ ଅବସ୍ଥିତ ଥିଲା । ଲେଖକ ଭଲ ପାଠ ପଢ଼ୁଥିଲେ, ପାହାଚକୁ ପାହାଚ ଅତ୍ୟନ୍ତ ଅବଲୀଳା କ୍ରମେ ଉଠିଯାଇ ପାରୁଥିଲେ । ଆଇ. ଏ. ପରୀକ୍ଷା ଦେଇ ଫଳ ବାହାରିବା ପୂର୍ବରୁ ଅର୍ଥାତ୍ କୋଡିଏ ବର୍ଷ ପୂରିବା ପୂର୍ବରୁ ଜଣେ ତେର ବର୍ଷ ର କନ୍ୟାଙ୍କୁ ବିବାହ କରି ସାରିଥିଲେ । ୧୯୪୪ ମସିହାରେ କଟକ ଆସିଲେ ପଢ଼ିବାକୁ, ସେଠାରେ ଅଧ୍ୟାପକ ମାନଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲେ ଓ ତେଣେ ତତ୍କାଳୀନ ରାଜନୀତିକ ନେତାମାନଙ୍କ ଦ୍ଵାରା ଆକର୍ଷିତ ବି ହୋଇଥିଲେ । ଗୋଟିଏ ସଭାରେ ବକୃକ୍ତା ଦେଇ ଶ୍ରୀ ହରେକୃଷ୍ଣ ମହତାବଙ୍କର ବିଶେଷ ଦୃଷ୍ଟି ରେ ପଡ଼ିଲେ । ତାଙ୍କରି ବାଟେ ଅର୍ଥାତ୍‍ ତାଙ୍କରି ବାଟେ ଅର୍ଥାତ୍ ତାଙ୍କ ଦରବାରରେ ହଜାର ହେବା ମାଧ୍ୟମରେ (ପୃଷ୍ଠା–୮୫) ବିରେନ ମିତ୍ର ଓ ବିଜୁ ପଟ୍ଟନାୟକଙ୍କ ସହିତ ପରିଚିତ ବି ହେଲେ । ମହତାବଙ୍କ ନିର୍ଦ୍ଧେଶରେ ଜିଲ୍ଲା ବୋର୍ଡ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିଲେ । ତଥାପି ବିଧିର ଯାହା ନିର୍ଦ୍ଦେଶ ଥିଲା ତାହା ହିଁ ହେଲା । ସିଏ ପାଠ ପଢ଼ିଲେ, ଆହୁରି ଉଚ୍ଚପଥ ପଢ଼ିବାକୁ ଲଣ୍ଡନ ଗଲେ । ଅଧ୍ୟାପନା ଭିତରେ ପ୍ରବବେଶ କଲେ । ରାଜନୀତି ନିମନ୍ତେ ଯେଉଁ ଆଗ୍ରହ ବା ଅଭିଳାଷ ଥିଲା, ତାହା ହୁଏ ତାଙ୍କ ଅବଚେତନା ଭିତରେ ରହିଜାଇଥିଲା-। ବିଶ୍ଵ ବିଦ୍ୟାଳୟରେ ଶିକ୍ଷା ବରଣ ଭିତରକୁ ଆସିବା ସଙ୍ଗେ ସଙ୍ଗେ ଲେଖକ ଙ୍କର ବିଶ୍ଵ ଭ୍ରମଣର ପର୍ବ ଟି ଆରମ୍ଭ ହୋଇ ଯାଇଥିଲା ।

 

ସେଇ ଯେ ଆରମ୍ଭ ହୋଇଥିଲା, ବିଶ୍ଵ ବିଦ୍ୟାଳୟରେ ତାଙ୍କର ଅବଧିଟି ସରିବା ପର୍ଯ୍ୟନ୍ତ ତାହା ପ୍ରାୟ ନିରଙ୍କୁଶ ଭାବରେ ଲାଗି ରହିଥିଲା । ଶ୍ରୀଯୁକ୍ତ ଦାସଙ୍କର ଭ୍ରମଣ ବର୍ଣ୍ଣନା ଓ ସେଗୁଡ଼ିକ ଯଥାସମ୍ଭବ ଅଧିକ ସୁଠାମ ଭାବେ ଉପସ୍ଥାପିତ କରିବାରେ ତାଙ୍କର ଯେଉଁ ଆଗ୍ରହ, ସେଥିରୁ ମନେ ହେଉଛି, ସତେ ଅବା ଅଧ୍ୟାପନା ଟା ତାଙ୍କର ବୃତ୍ତି ହୋଇ ରହିଥିଲା ଏବଂ ବିଶ୍ଵ ଭ୍ରମଣ ଏକ ବ୍ରତରେ ପରିଣତ ହୋଇ ରହି ଯାଇଥିଲା । ଭାରତବର୍ଷ ସ୍ଵାଧୀନ ହେବା ପରେ ଏକାଧିକ ଦୃଷ୍ଟିରୁ ଶିକ୍ଷା ହିଁ ତାହାର ଯାବତୀୟ ଊଦ୍ୟମରେ ଏକ ମୀମାଂସାକାରୀ ମର୍ଯ୍ୟାଦାପୂର୍ଣ୍ଣ କ୍ଷେତ୍ର ହୋଇ ରହିବା ଅତ୍ୟନ୍ତ ସ୍ଵାଭାବିକ ଏବଂ ଓଡ଼ିଶାର ସର୍ବପ୍ରଥମ ବିଶ୍ଵ ବିଦ୍ୟାଳୟରେ ଜଣେ ବରିଷ୍ଠ ଅଧ୍ୟାପକ ହୋଇ ରହିବା, ତାହା ପ୍ରକୃତରେ କେତେକେତେ ବୃହତ ଆହ୍ୱାନର ସମ୍ମୁଖୀନ ହେବାକୁ ଅବଶ୍ୟ ବୁଝାଇବ । ଆଲୋଚ୍ୟ ଆତ୍ମଜୀବାନୀଟିରେ ସେହି ବିଷୟରେ କେବଳ ବିଶେଷ କିଛି ନୁହେଁ, ବସ୍ତୁତଃ ପ୍ରାୟ ବିଶେଷ କିଛି ନାହିଁ । ତଥାକଥିତ ସେହି ବିହାରଗୁଡ଼ିକ ଏବେ ମଧ୍ୟ ଯେ ନୂଆହୋଇ ଗଢ଼ିବାକୁ ମନ କରୁଥିବା ଏକ ସାମୂହିକ ଜୀବନର ପରିପ୍ରେକ୍ଷୀରେ ପ୍ରାୟ ଖାପ ଛଡ଼ା ହୋଇ ରହିଛନ୍ତି, ସେହି କଥାଟିକୁ ବୁଝିବାରେ ଆମକୁ ଏଥିରୁ ହୁଏତ ଝାପ୍‍ସା ଝାପ୍‍ସା ବହୁତ ଆଭାସ ମଧ୍ୟ ମିଳି ଯାଇପାରିବ । ଆପଣାର ଅଧ୍ୟାପକ-ପର୍ଯ୍ୟାୟକୁ ଡକ୍ଟର ମନ୍ମଥ ଦାସ ଗୋଟିଏ ଜାଗାରେ 'ଗଜଦନ୍ତ ଗମ୍ବୁଜ' ବା ivory tower ବୋଲି ଉଲୁଗୁଣା ମଧ୍ୟ ଦେଇଛନ୍ତି (ପୃଷ୍ଠା–୬୪୦) । ବିଶ୍ଵ ବିଦ୍ୟାଳୟରେ ଅଧ୍ୟାପନା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେ ବିଶ୍ଵଭ୍ରମଣ ସକାଶେ ଏତେ ଏତେ ଭାଗ୍ୟ ମିଳେ, ସେପରି ଆଦୌ ନୁହେଁ । ସେଥିପାଇଁ ହୁଏତ ଅନୁରୂପ ଭାବରେ ଯୋଗ୍ୟ ହେବାକୁ ହୁଏ ଏବଂ ଆଗ୍ରହ ପ୍ରକାଶ କରିବାକୁ ହୁଏ । କହିବା ବାହୁଲ୍ୟ, ସମସ୍ତେ ଆଦୌ ସେପରି ଯୋଗ୍ୟ ହୋଇପାରନ୍ତି ନାହିଁ, କୂର୍ମ ହୋଇ ରହିଯାନ୍ତି । ଅଧ୍ୟାପନା-କାଳର ଲେଖକ ଦୂରଦୂରାନ୍ତ କେତେଆଡ଼ ଯେ ବୁଲିଲେ ଏବଂ ଆମକୁ ଏତେ ଅନ୍ତରଙ୍ଗ ଏବଂ ମୁକ୍ତାଗ୍ରହ ଭାବରେ ଦେଖିଥିବା ଏନଗୁଡ଼ିକର ବାରତା ଆଣି ଯୋଗାଇଦେଲେ, ଆମ ସେଥିପାଇଁ ତାଙ୍କ ପାଖରେ ଅତ୍ୟନ୍ତ କୃତକ ହୋଇ ରହିବା-। ପୃଥିବୀର ଛଅଟା ମହାଦେଶଭିତରୁ ପାଞ୍ଚଟା ମହାଦେଶର କେତେ କେତେ କଥା ଆମମାନଙ୍କ ପାଇଁ ଆସି ବାଢ଼ି ଦେଇଛନ୍ତି । ବିଦେଶରେ ଭ୍ରମଣକୁ ହିଁ ଅଧିକ ଅଗ୍ରାଧିକାର ଦେଇଛନ୍ତି । (ପୃଷ୍ଠା–୧୩୯) ଭ୍ରମଣ କାହାଣୀକୁ ଏବେ ସାହିତ୍ୟରେ ଏକ ଅନ୍ୟତମ ବର୍ଗ ବୋଲି କୁହାଗଲାଣି । ଜଣେ ମନୁଷ୍ୟ ବୁଲୁବୁଲୁ ଯାହା କିଛି ଦେଖେ, ସିଏ ତାହାରି ବର୍ଣ୍ଣନାର ମାଧ୍ୟମରେ ଦୃଷ୍ଟ ବସ୍ତୁ ଓ ସ୍ଥାନଗୁଡ଼ିକ ଅପେକ୍ଷା ଅଧିକତର ପରିମାଣରେ ଆପଣାକୁ ହିଁ ପ୍ରକଟ କରିଦେବାରେ ଲାଗିଥାଏ-। ବେଳେବେଳେ ନିଜର ଆକାଶତରେ ସେହି ପ୍ରକ୍ରିୟାଟି ଚାଲିଥାଏ ଓ ତେଣୁ ଭାରି ଅସହଜ ଭାବରେ ଆମ ଆଗର ସିଏ ନିଜେ ଆଜି ଉକୁଟି ଉଠିଥାଏ । ଲଣ୍ଡନରେ ଉଡାଜାହାଜରେ ଟିକେଟ କିଣିବାକୁ ଗଲାବେଳେ ଲେଖକ ଭାରତୀୟ ଚଳଚ୍ଚିତ୍ରର ରାଜ କପୁରଙ୍କୁ ଭେଟି କଥା ହୋଇଥିବାର ବର୍ଣ୍ଣନା ମଧ୍ୟ ଆମକୁ ଦେଇଛନ୍ତି । (ପୃଷ୍ଠା–୧୮୪) ତାଙ୍କର କୋଊ ଛବିଟି ସବୁଠାରୁ ଭଲ ଲାଗିଛି ବୋଲି ଶ୍ରୀ ରାଜ କପୁର ପଚାରିଛନ୍ତି ଓ ଲେଖକ ତାହାର ଉତ୍ତର ମଧ୍ୟ ଦେଇଛନ୍ତି । କଳିକତାରୁ ଅଷ୍ଟ୍ରେଲିଆ ଯିବା ବାଟରେ ସହ ଅଧ୍ୟାପକମାନଙ୍କ ସହିତ ସିଏ କରିଥିବା 'ନିର୍ଦ୍ଦୋଷ ରହସ୍ୟ '(ପୃଷ୍ଠା–୩୬୦) ମଧ୍ୟ ପଢ଼ିବାକୁ ମିଳିବ । ସେ ଅଷ୍ଟ୍ରେଲିଆରେ କଙ୍ଗାରୁ ଦେଖିଛନ୍ତି ଓ ପାଠକମାନଙ୍କ ସକାଶେ ସେମାନଙ୍କର ପ୍ରାଞ୍ଜଳ ବର୍ଣ୍ଣନା ମଧ୍ୟ କରିଛନ୍ତି । ଗୋଟିଏ ଥରର ଆମେରିକା ବର୍ଣ୍ଣନାକୁ ସିଏ ସେତେବେଳେ ନିଜର ଡାଇରିରେ ତାରିଖ ଦେଇ ଯେଉଁ ପରି ଟିପି ଆଣିଥିଲେ ଆମ ପାଇଁ ଅବିକଳ ସେହି ଟିପାଗୁଡ଼ିକୁ ନିଜର କରି ବାଢ଼ି ଦେଇଛନ୍ତି । ଏହି ତିନିମାସର ବିବରଣୀ ଆଲୋଚ୍ୟ ପୁସ୍ତକଟିର ପୂରା ୫୨ ପୃଷ୍ଠା ଅଧିକାର କରିଛି । (ପୃଷ୍ଠା ୪୪୨–୪୯୫)

 

ଅଧ୍ୟାପନରୁ ଅବସର ଗ୍ରହଣ କରିବାପରେ ଲେଖକ ସତେ ଅବା ଅନ୍ତର୍ତାଡ଼ିତ ଭାବରେ ରାଜନୀତି ଭିତରେ ପ୍ରବେଶ କଲେ । ସ୍ଵାଧୀନତାର ପରବର୍ତ୍ତୀ ବିଗତ ଦଶନ୍ଧିଗୁଡ଼ିକରେ ଭାରତବର୍ଷର ରାଜନନୀତିର ହାଟ ଏବଂ ଉଚ୍ଚ ଶିକ୍ଷାର ଦ୍ଵିପଗୁଡ଼ିକ ଯେଉଁଭଳି ଭାବରେ ଆପଣାକୁ ପରିଚିତ କରାଇଛନ୍ତି, ସେହି ଦୃଷ୍ଟିରୁ ରହସ୍ୟ କରି ହୁଏ ତ କୁହାଯାଇପାରିବ ଯେ, ସିଏ gayacademmics ର ଅରଣ୍ୟରୁ gay politics ର ଅରଣ୍ୟ ଭିତରେ ଆସି ପ୍ରବେଶ କଲେ ଆମେ ଯାବତୀୟ ପ୍ରସଙ୍ଗକିତା ସହିତ gay ଶବ୍ଦଟିକୁ ଓଡ଼ିଆରେ 'ଆନନ୍ଦମୟ' ବୋଲି ମଧ୍ୟ କହିପାରିବା । ନିମିତ୍ତ ମାତ୍ର ହୋଇ ସ୍ଵୟଂ ରାଜୀବ ଗାନ୍ଧୀଙ୍କୁ ତାଙ୍କ ରାଜନୀତିରେ ପୂରାଇଲେ । ସତେ ଅବା ନିଜ ଅବଚେତନା ରୂପ ଏକ ଗ୍ରହର ପଲରେ ପଡ଼ି ସାଧୁମାନେ ଅସାଧୁମାନଙ୍କର ପାରିଷଦ ହେବା ଲାଗି ମନ କରିବାର ବୃହତ ଉଦାହରଣ ମାନ ଓଡ଼ିଶାରେ ଏକାଧିକ ରହିଛି । ଡକ୍ଟର ପ୍ରାଣକୃଷ୍ଣ ପରିଜା, ପ୍ରବୀଣ ଶିକ୍ଷା ସେବକ ହରିହର ମିଶ୍ର, ଲେଖକଙ୍କର ଅଧ୍ୟାପକ ଶ୍ରୀ ରାମଚନ୍ଦ୍ର ଦାସ ଓ ସତୀର୍ଥ ପ୍ରାୟ କୁଳପତି ବୈଦ୍ୟନାଥ ମିଶ୍ର ଙ୍କୁ ଲେଖକ ନିଶ୍ଚୟ ପୁରୋଗାମୀ ପ୍ରେରଣାଦାତା ଭାବରେ ଅନୁଭବ କରୁଥିବେ ଏବଂ ମହାଜନାମାନଙ୍କର ପଥକୁ ଅନୁସରଣ କରିବାରେ ଭରସା ପାଇଥିବେ । 'ରାଜୀବ ଗାନ୍ଧୀଙ୍କ ବ୍ୟକ୍ତିଗତ ପ୍ରାର୍ଥୀ 'ର ସନ୍ତକ ପତ୍ର ବହନ କରି ଡକ୍ଟର ମନ୍ମଥ ଦାସ କଂଗ୍ରେସ ର ଟିକେଟରେ ଲୋକସଭାକୁ ନିର୍ବାଚନ ପ୍ରାର୍ଥୀ ହୋଇଥିଲେ । ସିଏ ଖାଲି ସମ୍ମତି ଦେଲେ ହିଁ । shall take charge of your election ' ବୋଲି ରାଜୀବ ଗାନ୍ଧୀ ଯେ ତାଙ୍କୁ ସଫଳ ଭାବରେ ଉସକେଇ ଦେଇ ପାରିଲେ, ଅନାସକ୍ତ ଭାବରେ ସେଇ କଥାଟା ହିଁ ସବା ଆଗରେ ଖିଙ୍କାରି ଗୋଡ଼ାଉ ଥିବା ପରି ମନେ ହେଉଛି । (ପୃଷ୍ଠା–୬୪୧ ,୬୪୨) ଗୋଟିଏ ଭୋଟସଭାରେ ରାଜୀବଙ୍କୁ ସ୍ଵାଗତ ଜଣାଉ ଥିବାର ଅବସରରେ ଅଧ୍ୟାପକ ଦାସ 'i am proud to be your candidate ' ବୋଲି କହିଲେ । (ପୃଷ୍ଠା–୬୪୫) ସେତେବେଳକୁ ତାଙ୍କ ମୁଣ୍ଡଟା କୁ ସିଏ ସତେ ଅବା ବାଘର ପାଟିରେ ପୂରାଇ ସାରିଥିଲେ ଓ କିଛି କିଛି ସ୍ଵପ୍ନ ମଧ୍ୟ ଦେଖୁଥିଲେ ।

 

ଅଧ୍ୟାପନା କେହି ସଡ୍‍ କରି ବିଭାଗୀୟ ମୁଖ୍ୟ ହୋଇ ଯାଏନାହିଁ । ତଳୁ ହିଁ ଯିବାକୁ ହୁଏ ଓ ପାହାଚ ପାହାଚ ଅତିକ୍ରମ କରିବାକୁ ପଡ଼େ । ସେହିପରି ଅଧ୍ୟୟନରେ ତଳକୁ ଉପରକୁ ଯିବାକୁ ହୁଏ । ଯାବତୀୟ ସୁସ୍ଥ ରାଜନୀତିରେ ପ୍ରକୃତରେ ତାହା ହିଁ ହେଉଥାନ୍ତା । ନେତାମାନେ ଲୋକସ୍ତରକୁ ତଳୁ ଆରମ୍ଭ କରୁଥାନ୍ତେ । ନିଜକୁ ପରିକ୍ଷୀତ ଓ ପ୍ରମାଣିତ କରୁଥାନ୍ତେ । ଭାରତୀୟ ରାଜନୀତିରେ ବ୍ୟାଧମାନେ ପଶିବା ପରଠାରୁ ସେଇ ସୁସ୍ଥତା ମାଡ଼ ଖାଇ ଯାଉଛି । ସମସ୍ତେ ଉପରେ ଲଦି ହେବାକୁ ସିଆଡ଼ୁ ଆସୁଛନ୍ତି । ଅସଲ ବିବେକଟିକୁ ହରାଇ ଭାରତୀୟ ରାଜନୀତି ନାନା ଅରାଜ ନୀତି (ଅରାଜକ ତା) ର ଆଖଡ଼ାରେ ପରିଣତ ହେଉଛି ଓ ଏଠି ଆମ ସମସ୍ତଙ୍କର ନିୟତିକୁ ନାରଖାର କରି ପକାଉଛି । ଡାକ୍ତର ମନ୍ମଥ ଦାସ ତାଙ୍କ କ୍ଷେତ୍ରରେ ଆଉ ଗୋଟିଏ କଥା ମନେପଡ଼ି ଭାରି ଖଟକା ଲାଗୁଛି । ୧୯୬୨ ମସିହାରେ ଭାରତ ସରକାରଙ୍କର ଆଦେଶରେ ରୁଷିଆ ଯାଇଥିବା ସମୟରେ ଲେଖକ ମୋସ୍କୋ ରେଡ଼ିଓ ନଭେମ୍ବର ବିପ୍ଳବ ଉପଲକ୍ଷେ ଦେଇଥିବା ନିଜର ବାର୍ତ୍ତରେ ସୋଭିଏଟ୍‍ ବ୍ୟବସ୍ଥା ର ଭୂୟସୀ ପ୍ରଶଂସା କରିଥିଲେ ଓ ଶେଷରେ ଲେଖିଥିଲେ, ମହାତ୍ମା ଗାନ୍ଧୀ ଅହିଂସା ବିପ୍ଳବ ବଳରେ ବ୍ରିଟିଶ ସାମ୍ରାଜ୍ୟକୁ ଧ୍ଵଂସ କରି ଭାରତବର୍ଷକୁ ରାଜନୈତିକ ସ୍ଵାଧିନତା ଆଣି ଦେଲେ । କିନ୍ତୁ ସର୍ବହରା ଶ୍ରମିକ ଓ ଦରିଦ୍ର କୃଷକମାନଙ୍କର ସାମାଜିକ ଓ ଅର୍ଥନୈତିକ ମୁକ୍ତି ନିମନ୍ତେ ଭାରତବାସୀ ଏବେ ଆବଶ୍ୟକ କରୁଛନ୍ତି ଲେନିନ୍‍ଙ୍କ ପରି ଜଣେ ମହାନ୍ ବିପ୍ଳବୀଙ୍କୁ, ଯିଏ କି ଆମ ଦେଶରେ ପୁଞ୍ଜିବାଦ ଧ୍ଵଂସ କରି ସମାଜବାଦ ପ୍ରତିଷ୍ଠା କରିପାରିବେ (ପୃଷ୍ଠା ୩୨୪) । ତା’ ପରେ ମାତ୍ର କେତେଟା ବର୍ଷ ପରେ ଲେଖକ କାହିଁକି ଯେ ଅନ୍ୟ ସମ୍ମୋହନରେ ପଡ଼ିଗଲେ, ତାହା କ’ଣ କେବଳ ଏକ ଆକସ୍ମିକ କଥା ? ମଣିଷର ଭିତରେ ସମ୍ଭବତଃ ଏକ ବିଧାତା ଥାଏ, ଯିଏ କି ସତେ ଅବା କ’ଣ ମୁକୁଟ ଦେଖିବା ନିମନ୍ତେ ତାକୁ ହରବର କରିବାରେ ଲାଗିଥାଏ । ରାଜ କପୁରଙ୍କ ଅଭିନୀତ ଗୋଟିଏ ଚିତ୍ରରେ ମନୁଷ୍ୟ ନାମକ 'ହୀରୋ' ଟିର ଜୀବନରେ ବିଭିନ୍ନ ଅବସ୍ଥାରେ ବର୍ଣ୍ଣନା ଅତ୍ୟନ୍ତ କଳାତ୍ମକ ଏବଂ କାରୁଣ୍ୟ ପୂର୍ଣ୍ଣ ଭାବରେ କରାଯାଇଛି । ଶେଷ ପ୍ରହାରଟି ବା ଅବସ୍ଥାଟି ହେଉଛି ବାର୍ଦ୍ଧକ୍ୟ । ଠିକ୍‍ ଅପରାହ୍ନ ସମୟରେ ତନ୍ତ୍ରଶାସ୍ତ୍ରରେ ବର୍ଣ୍ଣିତ ଦେବୀଙ୍କର ଅବସ୍ଥା ସଦୃଶ । ଅବସର ଗ୍ରହଣ ପରେ ଅବଶ୍ୟ ଲେଖକ ସମ୍ରାଟ ଅଶୋକଙ୍କ ବିଷୟରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଇବାର ନିଶାରେ ମାତିଥିଲେ । ନାନା ଅବାଞ୍ଛିତ ମନୁଷ୍ୟଙ୍କର ସାନ୍ନିଧ୍ୟ ସ୍ଵାଦ ଚାଖିଲେ, ଧୋକା ଖାଇଲେ । ଏହି ପର୍ଯ୍ୟାୟଟିକୁ ସେ ଗ୍ରହ–ଦୁର୍ବିପାକ ବୋଲି ବର୍ଣ୍ଣନା କରିଛନ୍ତି । ଏହି ମୋହଭଙ୍ଗ ତାଙ୍କ ଜୀବନରେ ହୁଏତ ଏକ ଅବସ୍ଥାନ୍ତରଣର କାରଣ ହୋଇଥିବ । ରାଜା ଭର୍ତ୍ତୃହରି ସମ୍ଭବତଃ ସେହିପରି ଏକ କ୍ରମଦଶାର ଅବେଗରେ ପଡ଼ି ଶୃଙ୍ଗାର ଶତକ ଓ ନୀତି ଶତକ ପରେ ବୈରାଗ୍ୟ ଶତକ ନାମକ ତାଙ୍କର ତୃତୀୟ ପୁସ୍ତକଟି ଲେଖିଥିଲେ । ମାତ୍ର ଅଠେଇଶି ପୃଷ୍ଠାର ଶେଷ ଦୁଇଟି ପ୍ରକରଣ ପ୍ରସ୍ତୁତ ଆତ୍ମଜୀବନୀଟିରେ ସେହି କାରଣରୁ ଭାରି ମର୍ମନ୍ତୁଦ ହୋଇଛି । ଇତିହାସର ଅଧ୍ୟାପକ ଡକ୍ଟର ମନ୍ମଥ ଦାସ ଏହି ପର୍ଯ୍ୟାୟଟିରେ ଅଲୌକିକ ଅର୍ଥାତ୍‍ miracle ର ଅନ୍ଵେଷଣ ରେ ବାହାରିଛନ୍ତି ସେହି ଅନ୍ଵେଷଣ କୁ 'ନାସ୍ତିକତା ରୁ ଆସ୍ତିକତା ' ବୋଲି ନାଁ ଦେଇଛନ୍ତି । ଅଲୌକିକ କଦାପି ଲୌକିକର ବିପରୀତ ହୋଇ ନପାରେ । ସତ୍ୟ ଅନୁଭବ ଓ ସତ୍ୟ ଦର୍ଶନରେ ଏପରି ଏକ ଭୂମି ବା ଶିଖର ରହିଛି, ଯେଉଁଠି ସବୁ କିଛି ଅଲୌକିକ ଲୌକିକ ବା ସ୍ଵାଭାବିକରେ ପରିଣତ ହୋଇଯାଏ । ଶ୍ରୀ ଅରବିନ୍ଦଙ୍କ ପରିଭାଷାରେ କହିଲେ, ଯାବତୀୟ ତଥା କଥିତ abnormal normal ରେ ପରିଣତ ହୋଇଯାଏ । ଅବଶ୍ୟ, ଜୀବନରେ ଏପରି ଏକ ନିଃସ୍ଵ ଅବସ୍ଥା ରହିଛି, ଯେତେବେଳେ କି ବହୁ ତଥାକଥିତ ଆସ୍ତିକତା ପଛରେ ଦଉଡ଼ି ଦଉଡ଼ି ପରିଶେଷରେ ଏକ କ୍ଳାନ୍ତି ଆସେ ଓ ସେହି କ୍ଳାନ୍ତିଜନିତ ବହୁ ଅନ୍ତଃଭର୍ତ୍ସନାର କ୍ଷତିପୂରଣ ରୂପେ ମନୁଷ୍ୟ ଅଲୌକିକର ସନ୍ଧାନରେ ବାହାରେ । କେତେ ରାଜକୀୟତା ସହିତ ଅତିକ୍ରମ କରି ଆସିଥିବା ସମସ୍ତ ପଥଟିକୁ ସେ ନାସ୍ତିକତା ବୋଲି କହିଥାଏ ।

 

ଅଲୌକିକର ସନ୍ଧାନ କରୁ କରୁ ଲେଖକ ଆପଣାର ଏହି ସମ୍ପକୀୟ ଅନୁଭବରୁ ଇଂରାଜୀ ଭାଷାରେ ସଂପୂର୍ଣ୍ଣ ବହିଟିଏ ମଧ୍ୟ ଲେଖିଦେଲେ । ଏତେ କଥା କଲେ , ଏପରିକି ଜଣେ ସତ୍ୟ ପୁରୁଷଙ୍କର ପରିଚୟ ସିନା ପାଇଲେ, ତଥାପି ସନ୍ଦେହରୁ ମୁକ୍ତ ହୋଇ ପାରିଲେ ନାହିଁ । (ପୃଷ୍ଠା–୬୯୮) ନିଜ ପୁସ୍ତକର ସମାପ୍ତି ପ୍ରକରଣଟିକୁ ଡକ୍ଟର ଦାସ 'ସାୟାହ୍ନ–ଶୋଚନା ' ବୋଲି ନାମ ଦେଇଛନ୍ତି । ନିଜ ବାପାଙ୍କଠାରୁ ପିଲାଦିନେ ଶୁଣିଥିବା 'କପାଳଃ, କପାଳଃ କପାଳଃ ମୂଳମ୍‍' ନାମକ ଗୋଟିଏ ଶ୍ଳୋକକୁ 'ଶେଷବେଳର ସାନ୍ତ୍ଵନା' ବୋଲି ଗ୍ରହଣ କରିବା, ସିଏ ବି ନିଜ ଜୀବନର ସମୀକ୍ଷା କରିବାର ଗୋଟାଏ ରୀତି । (ପୃଷ୍ଠା–୬୯୮) ଆଉ ଗୋଟିଏ ରୀତି ହେଉଛି, ଜୀବନରେ ମୁଁ ଯାହା କିଛି ପାଇଲି ଓ ଯାହା କିଛି ହୋଇ ପାରିଲି, ସେଥି ଲାଗି କୃତଜ୍ଞତା ପ୍ରକାଶ କରିବା । ମୁଁ ପ୍ରକୃତରେ କାହା ପାଖରେ କୃତଜ୍ଞ ତା ପ୍ରକାଶ କରୁଛି, ସେହି ବିଷୟରେ ସ୍ପଷ୍ଟ ହୋଇ ପାରିନଥିଲେ ମଧ୍ୟ କ’ଣ ତଥାପି କୃତଜ୍ଞତା ପ୍ରକାଶ କରାଯାଇ ପାରିବ ନାହିଁ ? ଜୀବନର ଏକ ମୂଳଭୂତ ଉପଲବ୍ଧି ଏବଂ ଦୃଷ୍ଟିକୋଣ ହିସାବରେ କୃତଜ୍ଞ ଅନୁଭବ କରିବା ,– ହୁଏତ ଆମକୁ ତାହା ଅନେକ ସମଞ୍ଜସ୍ୟତା ବି ପ୍ରଦାନ କରିପାରିବ । ସେନାପତି ଫକୀର ମୋହନଙ୍କର ଆତ୍ମ ଜୀବନୀ ପୁସ୍ତକଟି ପାଠ କଲାବେଳେ ସତେଅବା ଆକାଶରେ ଗୋଟାଏ ତାରା ହାତଠାରି ପାଖକୁ ଯିବା ଲାଗି ଇଙ୍ଗିତ ଦେଉଥାଏ । ମାତ୍ର ବହିଟିର ଶେଷ କେତେପୃଷ୍ଠାରେ ଆସି ପହଞ୍ଚିବାବେଳକୁ କିଏ ଧୋକା ଦେଲା ପରି ହିଁ ଲାଗେ । କ’ଣ ଗୋଟାଏ ଭାରି ତୀବ୍ର ହୋଇ ସେହି ପୃଷ୍ଠାଗୁଡ଼ିକରେ ଥାଏ, ଯାହାକୁ କି ଫକୀରମୋହନଙ୍କ ସହିତ ସଂଗତି ରକ୍ଷା କରି ଆଦୌ ସାମନା କରିହୁଏ ନାହିଁ । ଆଲୋଚ୍ୟ ଗ୍ରନ୍ଥଟିର ଶେଷ ପ୍ରସ୍ଥଟିକୁ ଆସିବା ବେଳକୁ ସେହି ପରି ଲାଗୁଛି । ମୃତ୍ୟୁ କୁ ଅପେକ୍ଷା କରି ରହିବା, ପୁନର୍ଜନ୍ମ ଅଛି କି ନାହିଁ ବୋଲି ମସ୍ତିଷ୍କଟାକୁ ଘାଣ୍ଟିବା ଏବଂ ମଲାବେଳକୁ କେତେ ପରିମାଣରେ କଷ୍ଟ ପାଇବାକୁ ପଡ଼ିବ, ସେହି ବିଷୟରେ ଏକ ଦୀର୍ଘପୁସ୍ତକର ଶେଷ ଦାଣ୍ଡିକୁ ଆସି ଏକ 'ମୋହ ମୁଦ୍ ଗର ' ଶୁଣିବାକୁ ବାଧ୍ୟ ହେବା, ଏ ସବୁ କୌଣସି ସାହିତ୍ୟ ପାଠକଙ୍କ ପାଇଁ କଦାପି ପ୍ରୀତିକର ହେବ ନାହିଁ । 'ମୋହଗର' କୁ ଜଣେ ସଂସାର କାତର ବ୍ୟକ୍ତି ଲେଖିଛନ୍ତି । ସଂସାରରୁ ଭିତରେ ଅଜାଚିତ ଭାବରେ ଏତେ ଏତେ ସମ୍ପଦ ପାଇଥିବା ଆମେ ମୋଟେ ସିଆଡ଼କୁ ମନ କରିବା ନାହିଁ ।

 

[ଅନୁପମ ଭାରତ, ୩୧/୮/୯୭]

 

୩–ଭାରତ ଭ୍ରମଣ :

 

ପ୍ରଫେସର ଜଗନ୍ନାଥ ମହାନ୍ତି

ତକ୍ଷଶିଳା, କଟକ–୨, ୧୯୯୭, ପୃଷ୍ଠା ସଂଖ୍ୟା–୨୭୬ ମୂଲ୍ୟ-୯୦

 

ଏଡେ ସୁଖପାଠ୍ୟ, ସରଳ ସରସ ଅଥଚ ଦୃଷ୍ଟିଯୁକ୍ତ ଭ୍ରମଣ କାହାଣୀଟିଏ ଓଡ଼ିଆ ଭାଷାରେ ମୋଟେ ସହଜରେ ଦେଖିବାକୁ ମିଳେ ନାହିଁ । ଉପରୁ ଉପରୁ ଦେଖିଗଲେ ଅର୍ଥାତ୍ ପଢ଼ି ଯାଉଥିଲେ ଭଲ ଲାଗିବ , ଲେଖକଙ୍କ ସହିତ ରେଳଗାଡ଼ିରେ, ଟେମ୍ପୋରେ ଓ ଏପରିକି ରିକ୍‍ସା ବା ଆଉ କ’ଣ ଗୋଟିଏ ବସି ଯାଉଥିବା ପରି ମନେ ହେବ । ଲେଖକ ଦେଖାଇ ଦେଉଥିବେ ଓ ତୁମେ ତାଙ୍କରି କହିବା ଅନୁସାରେ ଆଖିବୁଲାଇ ସବୁ ଦେଖି ନେଉଥିବ ଓ ଖୁସି ହେଉଥିବ । ଯଦି ଗଭୀରକୁ ଯିବା ପାଇଁ ତମର ମନ ଥିବ, ଯଦି ତୁମେ ଭ୍ରମଣ କାହାଣୀକୁ ସାହିତ୍ୟ ବୋଲି ଭାବି ତା’ ଭିତରୁ ଅନ୍ୟ କିଛି ଖୋଜୁଥିବ, ତେବେ ମଧ୍ୟ ଆଲୋଚ୍ୟ ପୁସ୍ତକଟି ତୁମକୁ ଭଲ ଲାଗିବ ଅର୍ଥାତ୍ ତୃପ୍ତି ଦେବ । ଜଣେ ଜଣେ ମଣିଷଙ୍କ ଭିତରେ ଏମିତି କିଛି ଉପାଦାନ ରହିଥାଏ, ଯାହା ଫଳରେ କି ସେମାନେ ଏକାବେଳକେ ହାଲୁକା ଓ ଗମ୍ଭୀର ହୋଇପାରନ୍ତି ଏବଂ ପାଠକ ତା’ର ନିଜ ସ୍ଵଭାବ ଅନୁସାରେ ଯେଉଁଠାକୁ ଇଚ୍ଛା କରେ, ସେଠାକୁ ଯାଇ ବିହରଣ କରିପାରେ । ପ୍ରଫେସର ଜଗନ୍ନାଥ ମହାନ୍ତି ଏହି ଭ୍ରମଣ ବିବରଣୀଟି ନିମନ୍ତେ ଅନେକ ପାଠକଙ୍କ ପାଖରେ ଧନ୍ୟବାଦର ପାତ୍ର ହୋଇ ରହିବେ ।

 

ସ୍ଥାନ ଭ୍ରମଣର କାହାଣୀଟିଏ କାହିଁକି ସାହିତ୍ୟ ନାମକ ଏକ ପଂକ୍ତିଭିତରେ ସୁମାରି ହେବ, ଶହେ ବର୍ଷ ତଳେ ଯଦି ଏହି ପ୍ରଶ୍ନଟି ଓଡ଼ିଶାରେ ପଚରା ଯାଇଥାନ୍ତା, ତେବେ ଉତ୍ତରରେ ଆମକୁ ହଁ ଓ ନାହିଁ ଉଭୟ ପ୍ରକାରର ଜବାବ ମିଳିଥାନ୍ତା । ପାରମ୍ପାରିକ ସାମାଜରେ ଅତ୍ୟାବଶ୍ୟକ ନହେଲେ କେହି ନିକଟ ଛାଡ଼ି ଦୂରକୁ ଯାଉ ନଥିଲେ, ଚିହ୍ନ ଛାଡ଼ି ଅଚିହ୍ନା ଭିତରକୁ ମନ କରୁ ନଥିଲେ-। ଆମ ସାହିତ୍ୟରେ ସମ୍ଭବତଃ ସନ୍ଥମାନେ ହିଁ ପ୍ରଥମେ ଭ୍ରମଣକୁ ଏକ ଆବଶ୍ୟକତା ବୋଲି ଅନୁଭବ କଲେ, ସେମାନେ ତୀର୍ଥଚର୍ଯ୍ୟା କଲେ । ଗୁରୁ ନାନକ ପୁରୀ ଯାଏ ଆସିଥିଲେ-। ଆଦି ଶଙ୍କାରା ଚର୍ଯ୍ୟ ଅବଶ୍ୟ ତାଙ୍କ ଦିଗ୍‍ବିଜୟର କାର୍ଯ୍ୟ କ୍ରମରେ ଚାରିଧାମ ବୁଲି ଚାଲିଗଲେ-। ସେ କାଳେ ରାଜାମାନେ ଯେଉଁ ରାଜ୍ୟ ଜୟ ର ଅଭିପ୍ରାୟ ରେ ବାହାରୁଥିଲେ, ତାହାକୁ ସେମାନଙ୍କର ଏକ ଭ୍ରମଣ ବୋଲି କୁହାଗଲେ ଏବେ ଆମକୁ ଏକାଧିକ କାରଣରୁ କେବଳ ହସ ହିଁ ମାଡ଼ିବ-

 

ସନ୍ଥମାନଙ୍କ ପରେ ରାଜସଭାମାନଙ୍କୁ ପ୍ରାୟ ଏକ କାମ ସଭାରେ ପରିଣତ କରି ରୀତି ନାମକ ଯେଉଁ ଯୁଗଟି ଓଡ଼ିଆ ସାହିତ୍ୟକୁ ଆସିଲା, ସେଥିରେ କବିମାନେ ଏତେ ଏକାଶକ୍ତ ଓ ଏକନିଷ୍ଠ ଭାବରେ ରତି ଓ ପ୍ରୀତିର କଥାମାନ କହିଲେ ଯେ, ସେମାନେ ମଣିଷର ଧ୍ୟାନକୁ ସତେ ଅବା ଗୋଟାଏ ଅତ୍ୟନ୍ତ ଅପ୍ରଶସ୍ଥ ଗୁମ୍ଫା ଭିତରକୁ କିଳି ଆଣିଲେ । ପୃଥିବୀର ସବୁଠାରୁ ବଳି ଦୁଃଖ ରୂପେ କାନ୍ତାଠାରୁ ବିଚ୍ଛିନ୍ନ ହୋଇ ରହିବାର ଦୁଃଖଟାକୁ ହିଁ ଦର୍ଶାଇ ଦିଆଗଲା । କାନ୍ତା ତ ଘରେ; ତେଣୁ ତାକୁ ଛାଡ଼ି ଦୂରକୁ ଯିବାଟାକୁ ସାଂସାରିକ ଜୀବନରେ ସତେ ଅବା ଏକ ଅଧର୍ମ ବୋଲି କୁହାଗଲା । ଓଡ଼ିଆମାନେ ବାଧ୍ୟ ନହେଲେ ବା ବାହାରୁ ମାଗଣାରେ ସୁଯୋଗଟିଏ ନ ପାଇଲେ ସାଧାରଣତଃ ନିଜର ଟାପୁଟିକୁ ଛାଡ଼ି ଆଉ କୁଆଡ଼େ ଯାନ୍ତି ନାହିଁ, ଏହାକୁ କ’ଣ ଆମେ ସେଇ ରୀତିଯୁଗର ଏକ ଅପସଂସ୍କୃତି ଅବଶେଷ ବୋଲି କହି ପାରିବା କି ?

 

ସେନାପତି ଫକୀରମୋହନ 'ଉତ୍କଳ ଭ୍ରମଣଂ' ବୋଲି ଯେଉଁ ଚଟିବହି ଖଣ୍ଡିକ ପଦ୍ୟରେ ଲେଖିଛନ୍ତି, ତାହାକୁ ପାଠ ନ କରିଥିବା କେହି କେହି ବ୍ୟକ୍ତି ହୁଏ ତ ସେହି ନାଁଟାରୁ ଅନ୍ଦାଜ କରି ଗୋଟିଏ ଭ୍ରମଣ କାହାଣୀ ବୋଲି କହି ପାରନ୍ତି । ତଥାପି କୁହାଯାଇପାରିବ ଯେ, ଫକୀର ମୋହନଙ୍କର ସାହିତ୍ୟିକ ମନଟା ମୂଳତଃ ଚର୍ଯ୍ୟାଧର୍ମୀ ହିଁ ଥିଲା । ତେଣୁ 'ଉତ୍କଳ–ଭ୍ରମଣମ୍' ସିଏ ଯାହା ସବୁ କହିଛନ୍ତି, ତାହାକୁ ଅନ୍ୟ କୌଣସି ମାଧ୍ୟମରେ କଳେବର ଦେଇ ଉପସ୍ଥାପିତ କରିବାର ସମ୍ଭାବନା ରହିଥିଲେ ମଧ୍ୟ ସିଏ ତାକୁ ଭ୍ରମଣ କାହାଣୀର ପରିଚ୍ଛେଦଟିଏ ପିନ୍ଧାଇ ଦେଇଛନ୍ତି । ଆମ ଚିହ୍ନା ପରିଧିଗୁଡ଼ିକର ପାହାଡ଼ ସେପାଖରେ ଏକ ପୃଥିବୀ ରହିଛି, ଏଇଟି ଏକାବେଳ ଆମ ଆଧୁନିକ ମାନସର ଉପଲବ୍ଧି । ତେଣୁ କେବଳ ଆଧୁନିକ ଯୁଗକୁ ଆସି ହିଁ ଆମର ସାହିତ୍ୟ ଭ୍ରମଣ କାହାଣୀକୁ ମଧ୍ୟ ଆପଣାର ପରିସର ଭୁକ୍ତ କରିବାକୁ ମନ କରିପାରିଲେ ।

 

ଆମେ ଭାରତୀୟମାନେ ଭାରତବର୍ଷ ବିଷୟରେ ପ୍ରକୃତରେ କେତେ କମ୍ ଜାଣିଛୁ । ଭାଗ୍ୟକୁ କୌରବ ଓ ପାଣ୍ଡବମାନେ ଯେଉଁ ହସ୍ତିନାପୁରରେ ଥିଲେ, ସେଇଟିକୁ ମୂଳ କରି ଲେଖା ହୋଇଥିବା ମହାଭାରତରୁ ହିଁ ସାରା ଭୂମିଟା ବିଷୟରେ ଯତ୍କିଞ୍ଚିତ୍ ପରିଚୟ ପ୍ରାପ୍ତ ହୋଇଥାଏ । ଭାରତବର୍ଷର ଇତିହାସ ବୋଲି ଗୁନ୍ଥା ହୋଇଥିବା ଇତି ବୃତ୍ତରୁ ଉତ୍କଳ, ସୌରାଷ୍ଟ୍ର, ପାଣ୍ଡ୍ୟ, ଚୋଳ ଓ କାମରୂପମାନେ ମିଳନ୍ତି ସିନା, ଭାରତବର୍ଷ କେଉଁଠି ମିଳେ ନାହିଁ । ଏବେ ମଧ୍ୟ ଅଞ୍ଚଳାଭିମାନମାନେ ରହିଛନ୍ତି, ଯେଉଁମାନେ କି ନିଜର ଭାଷା, ନିଜର ସ୍ଥାନୀୟ ଇତିହାସ ତଥା ନିଜ ସମ୍ପ୍ରଦାୟ ଗୁଡ଼ିକୁ ସର୍ବଶ୍ରେଷ୍ଠ ବୋଲି କହୁଛନ୍ତି । ଭାରତବର୍ଷର ସାହିତ୍ୟକାରମାନେ ଜଣେ ଆରେକର ସାହିତ୍ୟକୁ ଜାଣିନାହାନ୍ତି । ତୀର୍ଥମାନେ ମଧ୍ୟ ପ୍ରାୟ ସେହି ଦଶାରେ ପଡ଼ି ଆପଣାର ଡିଣ୍ଡିମ ପିଟିବାରେ ଅଧିକତର ପାରଗତା ଲାଭ କରିଛନ୍ତି । ଓଡ଼ିଆଙ୍କୁ ଜଗନ୍ନାଥ ସବାବଡ଼, ଆସାମୀଙ୍କୁ କାମାକ୍ଷାତୀର୍ଥ ସବା ବଡ଼ତୀର୍ଥ ଏବଂ ଗୁର୍ଜରଦେଶୀଙ୍କୁ ଦ୍ଵାରକା ସବାବଡ଼ । ବଦ୍ରୀନାଥ ,ଦ୍ଵାରକା, ରାମେଶ୍ଵର ଓ ଆଉ ଆଉ ତୀର୍ଥ ଭୂମି ବୁଲିଆସି ମୁଁ ଶେଷରେ ତୋତେ ଏହିଠାରେ ଭେଟିଲି ବୋଲି ଜଗନ୍ନାଥ ଜଣାଣମାନଙ୍କରେ ଭଳି ଭଳି ଅତିଶୟୋକ୍ତିମାନ ବି ରହିଛି । ପ୍ରବ୍ରଜ୍ୟା କରି ଆସିଥିବା ସନ୍ନ୍ୟାସୀ ବା ତୀର୍ଥାନ୍ଵେଷୀମାନେ ହୁଏ ତ ସେହି ଭ୍ରମକୁ ତୁଟାଇବାରେ କାଳେ କାଳେ ବହୁତ ସାହାଯ୍ୟ କରି ଆସିଛନ୍ତି ।

 

ଆଲୋଚ୍ୟ ଭ୍ରମଣ-ପୁସ୍ତକଟିରେ ପ୍ରଫେସର ଜଗନ୍ନାଥ ମହାନ୍ତି ଆମକୁ ସମଗ୍ର ଭାରତବର୍ଷରେ ଦର୍ଶନୀୟ ସ୍ଥାନଗୁଡ଼ିକ ବିଷୟରେ ବର୍ଣ୍ଣାଢ଼୍ୟ ଭାବରେ କେତେ କଥା କହିଛନ୍ତି । ଏହି ପୁସ୍ତକରେ କାମ ରୂପ ରହିଛି, ଚଣ୍ଡିଗଡ଼ ଏବଂ କନ୍ୟାକୁମାରୀ ଅଛି, ହାଇଦ୍ରାବାଦ ସମେତ ପାଟଳି ପୁତ୍ର ମଧ୍ୟ ରହିଛି । ବଙ୍ଗଳାରେ 'ରମ୍ୟଣି ବୀକ୍ଷ ' ବୋଲି ଏକାଧିକ ଖଣ୍ଡରେ ଭାରତ ପର୍ଯ୍ୟଟନର ଯେଉଁ ପରିକ୍ରମାଟି ପ୍ରଦାନ କରାଯାଇଛି, ଆମ ଆଲୋଚ୍ୟ ବହିଟିକୁ ଅନେକ ପରିମାଣରେ ତାହାରି ସହିତ ତୁଳନା କରାଯାଇପାରିବ । ଏହି ବହିରେ ଓଡ଼ିଶା ନାହିଁ । ଓଡ଼ିଆ ପାଠକମାନଙ୍କ ସହିତ ନିଜ ଘର ଓଡ଼ିଶାର ରମ୍ୟସ୍ଥାନଗୁଡ଼ିକୁ ପରିଚିତ କରାଇଦେବାରେ ସେତେ ଆବଶ୍ୟକ ନୁହେଁ ବୋଲି ଲେଖକ ହୁଏତ ଅନୁଭବ କରିଛନ୍ତି । ଏଥିରେ ହିମାଳୟ ନାହିଁ, ଗୁଜରାଟ ନାହିଁ, କାଶ୍ମୀର ନାହିଁ, ଏବଂ ଗାଙ୍ଗେୟ ଉତ୍ତର ପ୍ରଦେଶ ବି ନାହିଁ । କାରଣ ଅତ୍ୟନ୍ତ ସ୍ପଷ୍ଟା ଲେଖକ ସ୍ଵୟଂ ଯୋଜନା କରି ଭାରତଭ୍ରମଣ କରିନାହାନ୍ତି କିମ୍ବା କୌଣସି ନିର୍ଦ୍ଧିଷ୍ଟ କାରଣରୁ କେତୋଟି ଅଞ୍ଚଳକୁ ଛାଡ଼ି ଆଉ କେତୋଟି ଅଞ୍ଚଳକୁ ବୁଲିଯିବେ ବୋଲି ସିଏ ନିଷ୍ପତି ନେଇ ନାହାନ୍ତି । ଜଣେ ଅଧ୍ୟାପକ ରୂପେ କୌଣସି କାର୍ଯ୍ୟର ଡାକରା ଯେତେବେଳେ ତାଙ୍କ ପାଖକୁ ଆସିଛି, ସିଏ ସେତେବେଳେ ସେହି ସ୍ଥାନକୁ ଯାଇଛନ୍ତି । ଏହିପରି ଭାବରେ ଯେଉଁଠାକୁ ଯିବାକୁ ସୁଯୋଗ ଆସିଛି, ହାତରେ କିଛି ଅଧିକ ସମୟ ରଖି ସିଏ ତାହାର ଆଖ ପାଖରେ ରହିଥିବା ଜାଗାଗୁଡ଼ିକୁ ମଧ୍ୟ ଦେଖି ଆସିଛନ୍ତି ।

 

ସ୍ଥାନ ଭ୍ରମଣ ବିଷୟରେ ନିଜର ଦୃଷ୍ଟିକୋଣଟିକୁ ସ୍ପଷ୍ଟ କରିଦେଇ ପ୍ରଫେସର ମହାନ୍ତି ଥାନକର (ପୃଷ୍ଠା–୧୭୯) ଲେଖିଛନ୍ତି, "ଭ୍ରମଣ ସତତ ଅନୁଭୂତିର ଏକ ଗନ୍ତାଘର । ନୂଆ ନୂଆ ସ୍ଥାନକୁ ଯାତ୍ରା କରି ନୂଆ ନୂଆ ଲୋକଙ୍କ ସମ୍ପର୍କରେ ଆସିବା, କଥାବାର୍ତ୍ତା କରିବା, ନୂଆ ନୂଆ ସମସ୍ୟାର ସମାଧାନ କରିବା ଏବଂ ନୂଆ ଘଟଣା ଗୁଡ଼ିକର ସମ୍ମୁଖୀନ ହେବାରେ କଷ୍ଟ ମିଳେ, ଅସୁବିଧା ସହିବାକୁ ପଡ଼େ । ମାତ୍ର ସେସବୁ ଭିତରେ ମନୁଷ୍ୟ ନୂତନ ଜ୍ଞାନ ଓ ଦୃଷ୍ଟିଭଙ୍ଗୀ ଲାଭ କରିଥାଏ । ସେଥିପାଇଁ ମନୁଷ୍ୟ ଜୀବନ ତଥା ପରିଭ୍ରମଣ ଏକ ପୁସ୍ତକଠାରୁ ବି ଅଧିକ ବାସ୍ତବ ଓ ଅଧିକ ସାର୍ଥକ । "ଲେଖକ ଅଧିକାଂଶ ସ୍ଥାନକୁ ସସ୍ତ୍ରୀକ ଯାଇଥିଲେ । ସିଏ ନିଜେ କାମରେ ଯାଇଥିଲେ । କାମରେ ଯାଇ ନଥିଲେ ହୁଏ ତ ନିଜ ବରାଦର ମୋଟେ ଯାଇ ନଥାନ୍ତେ ଏବଂ, ପତ୍ନୀ ସାଙ୍ଗରେ ନଥିଲେ ସେ ହୁଏ ତ ଏତେ ଗୁଡ଼ିଏ ଜାଗାକୁ ଏତେ ନିଷ୍ଠା ଦେଇ ମୋଟେ ଦେଖିନଥାନ୍ତେ-। ଏହି ପ୍ରସଙ୍ଗଟିକୁ ଲେଖକ ଭାରି ମନୋରମ ଭାବରେ ‘‘ମୋର’’ର କଦଳୀ ବିକା ସହିତ ତାଙ୍କର (ପତ୍ନୀଙ୍କର) ଦିଅଁ ଦେଖା’ ବୋଲି କହିଛନ୍ତି (ପୃଷ୍ଠା–୬୦) ଲେଖଙ୍କର ‘ବୃତ୍ତିଗତ କାର୍ଯ୍ୟ’ ସହିତ ପତ୍ନୀଙ୍କର 'ଧର୍ମଗତ କାର୍ଯ୍ୟ' ଅବାଧ ଭାବରେ ସମ୍ଭବ ହୋଇପାରିଛି । ହଁ, ଥରେ ନିଜର ପୁଅକୁ ମଧ୍ୟ ସାଙ୍ଗରେ ନେଇ ଲେଖକ ଏହି ବୃତ୍ତିଗତ ପରିଭ୍ରମଣରେ ଯାଇଛନ୍ତି ।

 

ଭାରତୀୟ ଭାଷାରେ ଲିଖିତ ଅଧିକାଂଶ ଭ୍ରମଣ-କାହାଣୀ ହେଉଛି ତୀର୍ଥଭ୍ରମଣର କାହାଣୀ । ଉଦାହରଣ ସ୍ୱରୂପ, ହିମାଳୟ ଅଞ୍ଚଳରେ ଅବସ୍ଥିତ ତୀର୍ଥଗୁଡ଼ିକର, ଧାର୍ମିକତା’ର ବର୍ଣ୍ଣନା ଦେଇ ପୃଷ୍ଠା ଭରି କରି ଦେଇଛନ୍ତି । ଏହା ଦ୍ଵାରା ଲେଖକମାନଙ୍କୁ ଭାବ ପ୍ରବଣତା ହେବାର ଅଧିକତର ଅବସର ମିଳିଯାଇଛି ଏବଂ ଭ୍ରମଣ-କାହାଣୀ ଗୁଡ଼ିକ ସତେ ଅବା ପରମୋତ୍ସାହ ପୂର୍ଣ୍ଣ ଗୋଟିଏ ଗୋଟିଏ ଆତ୍ମବିଳାପରେ ପରିଣତ ହୋଇଯାଇଛି । କେବଳ ସେହି କାତର ପାଠକମାନଙ୍କ ନିମନ୍ତେ ଏଗୁଡ଼ିକ ଭିତରେ ଅଧିକ ସାହିତ୍ୟିକ ମୂଲ୍ୟ ରହୁଥିବା ପରେ ମନେ ବି ହେଉଛି । ହିମାଳୟ ସ୍ଥିତ କୌଣସି ତୀର୍ଥକୁ ଯିବା ବାଟରେ ଯେଉଁ କେତେ କେତେ ଗାଁ ପଡ଼େ, ସେଗୁଡ଼ିକରେ ଜନମାନଙ୍କର ବସତି ମଧ୍ୟ ରହିଛି । ବିହ୍ଵଳ ଯାତ୍ରୀ ସକଳ ସତେ ସେଗୁଡ଼ିକ ଦେଖି ଯେପରି ଦେଖି ପାରନ୍ତି ନାହିଁ ବୋଲି ସେଗୁଡ଼ିକ ବିଷୟରେ କିଛି ଲେଖି ବି ପାରନ୍ତି ନାହିଁ । ପ୍ରାୟ ଏକ ଆଖିଆ ଓ ଏକ ନାକିଆ ହୋଇ ଯାଇଥାନ୍ତି ଓ ଠିକ୍‍ ସେହିପରି ଏକ ଆଖିଆ ଓ ଏକ ନାକିଆ ହୋଇଫେରନ୍ତି । ପାଠକମାନଙ୍କୁ ବଡ଼ ବିହ୍ଵଳ କରି ପକାନ୍ତି । ଭାରି ବିଗଳିତ ହୋଇ ରହିଥାନ୍ତି ।

 

ପ୍ରଫେସର ଜଗନ୍ନାଥ ମହାନ୍ତିଙ୍କ ଭାରତ ଭ୍ରମଣ ସେହିଭଳି ହେବା ପାଇଁ ଆଦୌ ମନ କରି ନାହିଁ । ସିଏ ଖାଲି ଦିଅଁମାନଙ୍କୁ ଦେଖିନାହାନ୍ତି, ଦିଅଁମାନଙ୍କୁ ବେଢ଼ି ରହିଥିବା ଓ ରାସ୍ତାଗୁଡ଼ିକୁ ମଧ୍ୟ ରସାଳ କରି ରଖିଥିବା ଜୀବନକୁ ଦେଖିଛନ୍ତି । ଆଲୋଚ୍ୟ ପୁସ୍ତକଟିକୁ ପାଠ କରୁଥିବା ସମୟରେ ମନେହୁଏ, ଲେଖକ ସମ୍ଭବତଃ ସର୍ବଦା ପାଖରେ କାଗଜ ଓ ପେନସିଲ ମହଜୁଦ କରି ରଖୁଥିଲେ ଏବଂ କଥା ଓ ଅକଥା ଯାହା ଯେଉଁଠାରେ ଦେଖୁଥିଲେ, ତତ୍‍କ୍ଷଣାତ ଟିପି ପକାଉଥିଲେ-। ଅଥବା, ଦେଖୁଥିବା ବେଳେ ସେଗୁଡ଼ିକୁ ସ୍ମୃତିର ଭଣ୍ଡାରରେ ଏକତ୍ର କରି ରଖୁଥିଲେ ଓ ଫୁର୍‍ସତ ପାଇବା ମାତ୍ରକେ ସେଗୁଡ଼ିକୁ ପୁରା କସରତ କଲାପରି ଟିପା ଖାତାରେ ଟିପି ଦେଉଥିଲେ-। ସେଗୁଡ଼ିକୁ ପରେ ପୁନର୍ବାର ଦେଖି କଥାକୁ କଥା ଖଞ୍ଜି ସିଏ ବହିଟିକୁ ଲେଖି ପାରିଲେ-

 

ତେଣୁ, ବହିଟିରେ ଦେଖିଥିବା ସ୍ଥାନଗୁଡ଼ିକର ବିଶେଷ ବର୍ଣ୍ଣନା ସହିତ ଆହୁରି କାହାଣ କାହାଣ ଅନ୍ୟ ସୂଚନା ମାନ ରହିଛି, ଯେଉଁଥିରୁ ଲେଖକଙ୍କର ପାରିପାର୍ଶ୍ଵିକ ପୃଥିବୀଗୁଡ଼ିକ ବିଷୟରେ ଏକ ସଚଳ ତଥା ସଚେତନ ମନର ପରିଚୟ ମିଳିଯାଉଛି । ରେଳରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ନିମନ୍ତେ ହୋଇଥିବା ସାର୍ବଜନୀନ ବ୍ୟବସ୍ଥାଗୁଡ଼ିକର ଗତାନୁଗତିକ ଅବସ୍ଥାର କଥାକୁ ମନ୍ତବ୍ୟ ଆକାରରେ ଲେଖି ଦିଆଯାଇଛି । ନିରାକାରପୁର ଛାତ୍ର ଓ ଅଧ୍ୟାପକମାନେ କିପରି ପ୍ରତ୍ୟହ ନିଜର କର୍ମସ୍ଥାନକୁ ନିଃଶୁକ୍ଳ ଯାତ୍ରା କରନ୍ତି, ସେଇଟିକୁ ବି ସୂଚାଇ ଦିଆଯାଉଛି । ପୁନଶ୍ଚ, ଉଦାହରଣ ସ୍ୱରୂପ, ବିଜୟୱାଡ଼ା ପାଖାପାଖି କୃଷ୍ଣାନଦୀ ଅଞ୍ଚଳର ସବୁଜ ସୁନ୍ଦର ଶସ୍ୟକ୍ଷେତ୍ର ଓ ସୁଦୃଶ୍ୟ ବୃକ୍ଷରାଜିର ବର୍ଣ୍ଣନା କଲାପରେ ଲେଖକ ଏହିପରି ଭାଷାରେ ପ୍ରସଙ୍ଗଟିକୁ ଶେଷ କରିଛନ୍ତି: ‘‘ସକାଳର ଶୀତଳ ବାୟୁରେ ଭାସି ଆସିଲା ଭୃଷଙ୍ଗ ପତ୍ର ଓ ମଲ୍ଲି, କାମିନୀ ଆଦି ଫୁଲର ମଧୁର ସୁବାସ, ପୁଣି ଆଖିରେ ପଡ଼ିଲା ଲୋକମାନଙ୍କର ପାଇଖାନା ।’’ (ପୃଷ୍ଠା–୬୧) ଆମ ବିଶ୍ୱବିଦ୍ୟାଳୟମାନଙ୍କରେ ଅତିଥି ଚର୍ଚ୍ଚାଠାରୁ ଆରମ୍ଭ କରି ସମଗ୍ରତଃ ଉଚ୍ଚଶିକ୍ଷାର ସେହି ବିପଣିରେ ଶିକ୍ଷା ଓ ପରୀକ୍ଷାର ବ୍ୟବସ୍ଥା ବିଷୟରେ ମଧ୍ୟ ଠାଏ ଠାଏ ଖୁବ୍ ଖେଞ୍ଚ ମରାଯାଇଛି । ପ୍ରାୟ ଏକ ନିରାସକ୍ତ ଆଗ୍ରହରେ ଲେଖକ ସବୁ ଲେଖି ଯାଇଛନ୍ତି ।

 

ପୁସ୍ତକଟିର ସବୁଠାରୁ ବଡ଼ ଅବଦାନ ହେଲା ମଣିଷମାନଙ୍କ ବିଷୟରେ ଲେଖକଙ୍କର ଆଗ୍ରହ । ସେ କେଉଁ ଠାରେ ରିକ୍‍ସା ବା ଅଟୋ ରିକ୍ସାରେ ବସିଛନ୍ତି, ତା’ର ଚାଳକକୁ ତା’ର ଦୁଖ ସୁଖ ପଚାରି ବୁଝିଛନ୍ତି । କେଉଁଠି ଅତିଥି ଶାଳାର ଜଗୁଆଳଟିର ବି ଏକ ପରିବାର ଥିବ ଓ ସିଏ ମଧ୍ୟ ତା ବାଗରେ ଆଗକୁ ଗୋଡ଼ ପକାଇବା ଲାଗି ଉଦ୍ୟମ ବା ସଂଘର୍ଷ କରୁଥିବ, ଏଗୁଡ଼ିକ ଅତ୍ୟନ୍ତ ନିପୁଣ ଭାବରେ ଚିତ୍ରିତ ହୋଇଛି । ଖାଲି ତୀର୍ଥ ଦର୍ଶନରେ ମନ ଥିଲେ ଏକଥା ହୁଅନ୍ତା ନାହିଁ । ନିଜକୁ ଖାଲି ପ୍ରଫେସରଟିଏ ଭାବିଲେ ପ୍ରଫେସର ମହାନ୍ତି ତେଣେ ଆଦୌ ମନ ଦେଇ ନଥାନ୍ତେ ।

 

ତାଙ୍କର ଭ୍ରମଣମୁଣିଟି ଭିତରେ ପଶି ମନେହେଉଛି, ପ୍ରଫେସର ମହାନ୍ତିଙ୍କର ପ୍ରଫେସର ପଦଟା ହୁଏତ ଗୋଟାଏ ଖୋଳ, ଲେଖକର ଭୂମିକାରେ ଅବତୀର୍ଣ୍ଣ ହୋଇ କିଛି ଡଉଲ ଡାଉଲ ଲେଖି ଥୋଇଦେବା ମଧ୍ୟ ଏକ ଖୋଳ ମଣିଷକୁ ଆହୁରି ପାଖରେ ପାଇବା ସକାଶେ ମଣିଷମାନଙ୍କୁ– ତାଙ୍କ ବାଟରେ ସିଏ ଭେଟୁଥିବ ସବୁ ମଣିଷ ଶଙ୍ଖୋଳି ଯିବା ହେଉଛି ଅସଲ କଥା ଓ ଅସଲ ଆଗ୍ରହ । ମଣିଷମାନେ କାହିଁକି କେଉଁ ଦୁଖରେ ନିଜ ନିଜର ବୃତ୍ତଟି ଭିତରେ ଏପରି ଛନ୍ଦି ହୋଇ ରହିଥାନ୍ତି ଯେ, ପରସ୍ପରକୁ ଆଦୌ ଦେଖି ପାରନ୍ତି ନାହିଁ, ଖାଲି ଖୋଳଗୁଡ଼ାକ ସତେ ଯେପରି ପରସ୍ପର ସହିତ ବାହୁଥାନ୍ତି ବହୁତ କୋଳାହଳ ସୃଷ୍ଟି କରନ୍ତି । ପ୍ରଫେସର ମହାନ୍ତିଙ୍କର ଏହି ପୁସ୍ତକଟିକୁ ପଢ଼ି ପୂରା ଜାଣି ହୋଇ ଯାଉଛି ଯେ, ତାଙ୍କର ଶିକ୍ଷକ ଜୀବନ ତାଙ୍କୁ ପ୍ରକୃତରେ ଭାରି ଭଲ ଲାଗିଥିବ । ବହିଟିରେ ଏତେ ଗୁଡ଼ାଏ ଛବି ନଦେଇଥିଲେ ଭଲ ହୋଇଥାନ୍ତା । ଟୁରିଷ୍ଟମାନଙ୍କ ପାଇଁ ଲେଖା ହୋଇଥିବା ବହିମାନଙ୍କରେ ଅଧିକରୁ ଅଧିକ ସଂଖ୍ୟାରେ ଛବି ଦେବା ଅତ୍ୟାବଶ୍ୟକ ମନେ ହୋଇଥାଏ । ପୃଥିବୀରେ କୌଣସି କଥାକୁ ସବୁ ମଣିଷ କଦାପି ସମାନ ଭାବରେ ଦେଖନ୍ତି ନାହିଁ । ହୃଦୟ ଦେଇ ଦେଖିଲେ ମଣିଷ ମଣିଷର ଦେଖା ଭିତରେ କେତେ ନା କେତେ ତଫାତ୍ ରହିଥିବାର ଧରା ପଡ଼ିଯାଏ । ତେଣୁ, ହୃଦୟ ଦେଇ ଯାହାକିଛି ଦେଖାଯାଏ, ସାହିତ୍ୟର ସ୍ତରକୁ ତାହାହିଁ ଆପେ ଉନ୍ନୀତ ହୋଇଆସେ । ଆପଣାର ସ୍ଵକୀୟ ବିଭାରେ ପ୍ରତିଭାତ ହୁଏ ଏବଂ ଆନନ୍ଦ ଦିଏ । ଓଡ଼ିଆ ଭାଷାରେ ଏହିପରି ଅନେକ ଭ୍ରମଣ କାହାଣୀ ଲେଖାଯାଉ । ଆମର ଏହି ସ୍ଥାନୀୟ ଦର୍ପଣଟି ଉପରେ ବିଶ୍ଵ ଉକୁଟି ଉଠୁ । ଏହି ନିଜ ଘରଟି ପରି ପ୍ରବାସ ମଧ୍ୟ ସମାନ ଭାବରେ ଭଲ ଲାଗୁ । ଆମର ସମ୍ପ୍ରସାରଣରେ ତାହା ସହାୟତା କରୁଥାଉ ।

 

[ଅନୁପମ ଭାରତ, ୨୮/୯/୯୭]

 

୪–ସ୍ଵାଧୀନତାପର ଭାରତ:

 

ଶରତ ଚନ୍ଦ୍ର ମିଶ୍ର

ବିଦ୍ୟାପୁରୀ, କଟକ–୨, ୧୯୯୭, ମୂଲ୍ୟ–୪୦ ଟଙ୍କା

 

ସାଂପ୍ରତିକ ଭାରତବର୍ଷର ଚଳନ୍ତି ଜୀବନଗୁଡ଼ିକ ବିଷୟରେ ଏକ ବିଧିବଦ୍ଧ ଆଧାରଭୂତ ଧାରଣା ଦେଇ ପାରିବାଭଳି ପୁସ୍ତକ ଓଡ଼ିଆରେ ଲେଖା ହୋଇନାହିଁ । ଓଡ଼ିଶାରେ ରାଜନୀତିଟା ସବୁବେଳେ ଏତେ ଅଧିକ ପରିମାଣରେ ରାଜନୈତିକ ମୂଳଭୂମିଗୁଡ଼ିକରୁ ଅଲଗା ହୋଇଯାଉଛି ଯେ, ଆମର ଏଠାରେ ଚାଲିଥିବା ରାଜନୈତିକ ସର୍କସରେ ଖେଳ ଦେଖାଉଥିବା ଜନ୍ତୁମାନଙ୍କୁ ବୁଝିବା, କଳନା କରିବା ଓ ସେମାନଙ୍କର ଓଳମକୁ ମାପିବା ଲାଗି ଆଉ ରାଜନୀତି ନାମକ ପରମ୍ପରାର କୌଣସି ସାହାଯ୍ୟ ନେବାକୁ ପଡ଼ୁନାହିଁ । ଏବେ ନେତାମାନେ ହିଁ ଅଛନ୍ତି, ନେତୃତ୍ଵ ନାମକ ସେହି ଅନ୍ୟ ପଦାର୍ଥଟି ଆଦୌ କେଉଁଠାରେ ହେଲେ ହିଁ ନାହିଁ । ରାଜନୈତିକ ଦଳମାନେ ରାଜନୀତିର ତତ୍ଵ ଅନୁସାରେ ଆଉ ମୋତେ ଚଳୁ ନାହାନ୍ତି । ସେମାନେ ନେତାଙ୍କର ମରଜି ଅନୁସାରେ ଚଳୁଛନ୍ତି । କେଉଁ କାଳେ ସିନା ପଇତା ଅନୁସାରେ ବ୍ରାହ୍ମଣକୁ ଚିହ୍ନିବା ଦରକାର ହେଉଥିଲା, ମାତ୍ର ବ୍ରାହ୍ମଣ ଅନୁସାରେ ପଇତାଟାର ଧାତୁକୁ ବେଶ୍ ଜାଣି ହୋଇଯାଉଛି । ସ୍ଵାଧୀନତା ପରେ ଭାରତବର୍ଷର ହୁଏତ ଏଇ କଥାଟିକୁ ହିଁ ଆମ ଦେଶର ସାମୂହିକ ଆତଯାତ ଗୁଡ଼ିକର କ୍ଷେତ୍ରରେ ସବୁଠାରୁ ବଡ଼ ଘଟଣା ବୋଲି କୁହାଯାଇପାରିବ । ନେତାଙ୍କର କ୍ଷମତା ଅଛି, ବିବେକ ନାହିଁ । ତାଙ୍କର ବୋଲ ମାନି ତାଙ୍କ ଦ୍ଵାରା ଉପକୃତ ହେବାଟା ହିଁ ସମ୍ପୃକ୍ତ ଦଳଗୁଡ଼ିକର ବ୍ୟବହାରିକ ଧର୍ମରେ ପରିଣତ ହୋଇ ଯାଉଛି । କ୍ଷମତା, କ୍ଷମତା ପଛକୁ ଅର୍ଥ ପରାକ୍ରମ ଓ ଏହି ଉଭୟଙ୍କର ସହାୟକ ରୂପେ ଏକ ମଲ୍ଲବାହିନୀ, ଯେଉଁମାନେ କି ପ୍ରୟୋଜନ ପ୍ରମାଣେ ଯାବତୀୟ ବିଗିଡ଼ିବାକୁ ସଜାଡ଼ି ଦେଇ ଅର୍ଥାତ୍ ସାବାଡ଼ କରି ଦେଇପାରିବେ । ଲୋକସାଧାରଣ ମଧ୍ୟ ସମ୍ଭବତଃ ସେଇଥିରେ ଖୁବ୍ ଅଭ୍ୟସ୍ତ ହୋଇଗଲେଣି ଓ ତେଣୁ ପୁସ୍ତକର ଆବଶ୍ୟକତା ନାହିଁ ।

 

ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ରଙ୍କର ଲିଖିତ ଏଠାରେ ଆଲୋଚ୍ୟ ପୁସ୍ତକଟି ସ୍ଵାଧୀନତାପର ଭାରତବର୍ଷ ବିଷୟରେ ଲେଖା କେତୋଟି ପ୍ରବନ୍ଧର ଏକ ସମଷ୍ଟି ରୂପେ ପ୍ରକାଶ ପାଇଛି । ସବୁଯାକ ପ୍ରବନ୍ଧ ଏହି ସତାନବେ ମସିହାରେ ଲେଖାଯାଇଛି । ସେଗୁଡ଼ିକରୁ ଅଧିକାଂଶ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି । ବାକି କେତୋଟିକୁ ଲେଖକ ଦେଇଥିବା କେତୋଟି ବକୃକ୍ତାକୁ ପ୍ରବନ୍ଧର ରୂପଦେଇ ବାନ୍ଧି ଦିଆଯାଇଛି । ସାଂପ୍ରତିକ ଭାରତବର୍ଷ ଏବଂ ସାଂପ୍ରତିକ ପୃଥିବୀକୁ ଓଡ଼ିଆରେ ପରିଚିତ କରାଇବା ଲାଗି ଶ୍ରୀ ମିଶ୍ର ଏକାଧିକ ପୁସ୍ତକ ଇତି ମଧ୍ୟରେ ସଂକଳିତ କରି ସାରିଲେଣି । ଉଲ୍ଲେଖ କରିବା ନିଷ୍କ୍ରାୟୋଜନ ଯେ, ସେ ଏହାଦ୍ୱାରା ଓଡ଼ିଆ ପାଠକମାନଙ୍କର ଏକ ନିର୍ଦ୍ଧିଷ୍ଠ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରୟାସ ହୋଇଛନ୍ତି । ଆଖପାଖ କର୍ମ ଜୀବନରେ ସେ ଓଡ଼ିଶା ଓ ଭାରତ ସରକାରଙ୍କର ଅଧୀନରେ ରହିଛନ୍ତି । ଭାରତୀୟ ଦୂତାବାସମାନଙ୍କରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେଣୁ, ବ୍ୟୁହଟିର ଭିତରେ ଥାଇ ଏପରି ବହୁତ କଥାକୁ ଜାଣି ପାରିଛନ୍ତି ଯାହାକି ଆଉମାନଙ୍କ ପାଇଁ ଆଦୌ ଦୃଷ୍ଟିଗୋଚର ହୋଇପାରିନଥାନ୍ତି । ଏବଂ, ଆଉ ଏକ ଦୃଷ୍ଟିରୁ ଲେଖିବସିଲେ, ସେହି କାରଣରୁ ତାଙ୍କର ରଚନା ଏବଂ ବର୍ଣ୍ଣନାଗୁଡ଼ିକରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନେକ ପ୍ରସୀମନ ମଧ୍ୟ ନ୍ୟାୟତଃ ରହି ଯାଇଥାଏ ।

 

ପୁସ୍ତକରେ ରହିଥିବା ଏଗାରଟି ପ୍ରବନ୍ଧମଧ୍ୟରୁ ଦୁଇଟି ପ୍ରବନ୍ଧ ହେଉଛି, 'ସ୍ୱାଧିନତା’ର ଅର୍ଦ୍ଧଶତାବ୍ଦୀ ' ଓ 'ସୁବର୍ଣ୍ଣ ଜୟନ୍ତୀ ଅନୁଚିନ୍ତା’ । ଅନ୍ୟ ନଅଟିଯାକ ପ୍ରବନ୍ଧର ପରିସର ଭିନ୍ନ ଭିନ୍ନ ହେଲେ ମଧ୍ୟ ସେଥିରେ ଭାରତର ସାଂପ୍ରତିକ ଚିତ୍ରଟିକୁ ହିଁ ପ୍ରଧାନତମ ସନ୍ଦର୍ଭ ହିସାବରେ ଗ୍ରହଣ କରାଯାଇଛି । ମାନବିକ ଅଧିକାର, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଆଇନର ଶାସନ, ନୂତନ ଅର୍ଥନୈତିକ ବ୍ୟବସ୍ଥା ଓ ପ୍ରଶାସନର ଭୂମିକା, ଶ୍ରମିକ ସଂଘ ଓ ପରିଚାଳନା, ସରକାରୀ ଚାକିରି ଓ ଦରମା, ଏଗୁଡ଼ିକୁ ଶୀର୍ଷ କରି ଗୋଟିଏ ଗୋଟିଏ ପ୍ରବନ୍ଧ ରହିଛି । ଓଡ଼ିଶାର ଦରିଦ୍ର ଉପରେ ଏକ ସ୍ଵତନ୍ତ୍ର ପ୍ରବନ୍ଧ ପ୍ରସ୍ତୁତ କରାଯାଇଛି । ଭାରତବର୍ଷର ରାଷ୍ଟ୍ରପତିମାନଙ୍କର ପୃଷ୍ଠ ଭୂମିଗତ ପରିଚୟ ବିଷୟରେ ପ୍ରାୟ ପରିସଂଖ୍ୟନ–ପ୍ରଧାନ ବିବରଣୀ ସହିତ ଆଲୋଚନାଟିଏ ରହିଛି ଏବଂ ସର୍ବଶେଷରେ ରହିଥିବା ଦିଓଟି ପ୍ରବନ୍ଧ ଆମେରିକା ବିଷୟରେ ଲେଖାଯାଇଛି । ଏହି ସବୁଗୁଡ଼ିକର ବହୁତ ତଥ୍ୟ ବିବରଣୀ ମିଳିପାରୁଛି । ସ୍ମରଣ ରଖିବାକୁ ହେବ, ଶ୍ରୀଯୁକ୍ତ ମିଶ୍ର ଏହି ପ୍ରବନ୍ଧଗୁଡ଼ିକୁ ଦୈନିକ ଖବର କାଗଜ ପାଇଁ ଲେଖିଥିଲେ । ଓଡ଼ିଆ ଦୈନିକମାନଙ୍କର ପ୍ରବନ୍ଧ ବୋଲି ପ୍ରଧାନତଃ ଯାହାସବୁ ଲେଖାଯାଏ, ସତେ ଅବା ସେଥିପାଇଁ ଲେଖକ, ସମ୍ପାଦକ ଓ ପାଠକମାନଙ୍କ ମଧ୍ୟରେ ଏକ ରାଜିନାମା ଅନୁସାରେ ସେଗୁଡ଼ିକ ଏକ ନିର୍ଦ୍ଧିଷ୍ଟ କାଟର ବା ଓଜନର ହେବ ବୋଲି ଧରି ନିଆଯାଇଥାଏ ଏବଂ ଅନେକ ସମୟରେ କାର୍ଯ୍ୟତଃ ତାହାହିଁ ଦେଖିବାକୁ ମିଳେ । ଆପଣ ଯାହା ଲେଖିବେ ତାହା ଆଦୌ ଭାରି ହେବ ନାହିଁ, ବେଶିଗୁଡ଼ାଏ ତଥ୍ୟ ନଥିବ, ଗଡ଼ ଗଡ଼ କରି ପଢ଼ା ଯାଇନଥିବ, ପଢ଼ିବାବେଳକୁ ଭାରି ଭଲ ଲାଗୁଥିବ ଅଥଚ ପଢ଼ି ସାରିବାପରେ ପଠିତ ସମଗ୍ରୀରୁ ପ୍ରାୟ କିଛି ମନେ ରହିବ ନାହିଁ ଇତ୍ୟାଦି, ଇତ୍ୟାଦି । ଆମ ଦେଶରେ ଯେଉଁସବୁ ବହୁସଂଖ୍ୟାରେ କଟୁଥିବା ଚିତ୍ରିତ ଇଂରାଜୀ ସାପ୍ତାହିକ ପତ୍ରିକାମାନ ବାହାରେ, ପ୍ରାୟ ନିୟମିତ ଭାବରେ ସେଗୁଡ଼ିକୁ ସେହିପରି ହିଁ ପ୍ରସ୍ତୁତ କରାଯାଇଥାଏ । ଆଲୋଚ୍ୟ ପୁସ୍ତକଟିରେ ଲେଖକ ତାଙ୍କର ନିଜ ଅଭିଜ୍ଞତା ଏବଂ ଅଧ୍ୟୟନ ଦୃଷ୍ଟିରୁ ଏଥିରେ ରହିଥିବା ପ୍ରବନ୍ଧଗୁଡ଼ିକରେ ମନ କରିଥିଲେ ଅବଶ୍ୟ ଗଭୀରକୁ ଯାଇ ପାରିଥାନ୍ତେ । ତେଣୁ ସନ୍ଦେହ ହେଉଛି ଯେ, ଏକ ଦୈନିକ ଖବର କାଗଜକୁ ଲେଖୁଛନ୍ତି ବୋଲି ସିଏ ଗୁଳାରେ ପଡ଼ି ଏଗୁଡ଼ିକୁ ହାଲୁକା କରି ଲେଖିବାକୁ ଇଚ୍ଛା କରେ କି ?

 

କାରଣ, ସବୁ ସାମ୍ବାଦିକ ଅର୍ଥାତ୍ ସମ୍ବାଦପ୍ରଧାନ ପ୍ରବନ୍ଧକୁ କଦାପି ସାହିତ୍ୟିକ ପ୍ରବନ୍ଧ ବୋଲି କୁହାଯାଇ ନପାରେ । ରାଜନୀତି, ଶାସନ, ଆର୍ଥିକ ସମସ୍ୟା, –ଏ ସବୁକୁ ଆଧାର କରି ସାହିତ୍ୟର ପରିସୀମାକୁ ସ୍ପର୍ଶ କଲାଭଳି ସର୍ବତ୍ର ବହୁତ କିଛି ଲେଖା ଯାଇପାରେ । ଜଣେ ଲେଖକ ଖବର କାଗଜ ପାଇଁ ଲେଖୁଥିଲେ ମଧ୍ୟ ତଥାପି ନିଜର ଆଲୋଚ୍ୟ ତଥା ବକ୍ତବ୍ୟର କ୍ଷେତ୍ରରେ ସାହିତ୍ୟିକ ସ୍ତରରେ ରହି ଅବଶ୍ୟ ତାହା କରିପାରେ । ଏଥିପୂର୍ବରୁ ଶ୍ରୀ ମିଶ୍ର ଲେଖିଥିବା ଏହି କାଟର ପାଞ୍ଚୋଟି ଯାକ ବହିରେ ପରିସୀମା ବା ପରିସର ଯେତିକି ରହିଥିଲା, ଏହି ପୁସ୍ତକଟିରେ ମଧ୍ୟ ଏଗୁଡ଼ିକ ପ୍ରାୟ ସେତିକିରେ ରହିଯାଇଛି । ମନନ ଅଥବା ଲୋକନରେ ସ୍ତରରେ ନିଜକୁ ଆଦୌ କୌଣସିପ୍ରକାରେ ସଂଶ୍ଳିଷ୍ଟ ନକରି ପାଠ୍ୟପୁସ୍ତକ ବା ତାହାର ସହଚରଗୁଡ଼ିକୁ ସାଧାରଣତଃ ସେହିପରି ଭାବରେ ପାଠ କରାଯାଏ ଓ ସମ୍ପୃକ୍ତ ଛାତ୍ର ଏବଂ ଛାତ୍ରୀମାନେ ତାହାକୁ ଯେଉଁ ଭଳି ମହାଗ୍ରହ ସହିତ ଗିଳି ପକାଇବାକୁ ଚେଷ୍ଟା କରିଥାନ୍ତି, ସାହିତ୍ୟିକ ଗାରକୁ ଛୁଇଁ ପାରିଥିବା ପୁସ୍ତକଟିଏ ତାଠାରୁ ଅବଶ୍ୟ ଅନ୍ୟ ପ୍ରକାରର ହେବ । ତାହା କେବଳ ଏକ ତତ୍କାଳିକ କାମରେ ନ ଲାଗି ଆମ ଗଭୀର ମନର ଗ୍ରହଣ କ୍ଷେତ୍ରରେ ମଧ୍ୟ ଆଘାତ କରି ପାରୁଥିବ, ଆମ ପାଇଁ ଭଳି ଭଳି ଆହ୍ଵାନ ଦେଇ ପାରୁଥିବ ଏବଂ ଆଲୋଚିତ ସଙ୍ଗଗୁଡ଼ିକ ସହିତ ପାଠକକୁ ମଧ୍ୟ ସଂଶ୍ଳିଷ୍ଟ କରି ଆଣୁଥିବ । ଆମ ଭାରତବର୍ଷରେ ସ୍ଵାଧୀନତା ପରେ ଘଟିଥିବା ସବୁକିଛି ଯେ କୌଣସି ମନସମର୍ଥ ଭାରତୀୟ ସକାଶେ ସର୍ବପ୍ରଥମେ ପ୍ରକୃତରେ ଏକ ଆହ୍ଵାନ ପରି ହିଁ ଅନୁଭୂତ ହେବ । ଅବଶ୍ୟ ଯେଉଁମାନେ ସ୍ଵାଧୀନ ଭାରତବର୍ଷକୁ ଯାବତୀୟ ଅର୍ଥରେ ପ୍ରାୟ ଏକ ଭୋଗଭୂମି ରୂପେ ଗ୍ରହଣ କରିଛନ୍ତି, ସେମାନଙ୍କ କଥା ସଂପୂର୍ଣ୍ଣ ଭାବରେ ନିଆରା ହେବାକୁ ବାଧ୍ୟ ହେବ । ସେହି ପ୍ରକାରର ମନୁଷ୍ୟ ମଧ୍ୟ ଏହି ଦେଶର ବହୁତ ସଂଖ୍ୟାରେ ରହିଛନ୍ତି । ଭାରତବର୍ଷ ଏକାଧିକ କାରଣରୁ ସମ୍ମୁଖସ୍ଥ ସମସ୍ୟାଗୁଡ଼ିକର ବୀରୋଚିତ ସମାଧାନ କରି ନପାରି ଯେତେବେଳେ ମନୁଷ୍ୟକୃତ ନାନାଅନ୍ଧାର ଭିତରେ ବାଡ଼ି ବୁଲାଇ ବୁଲାଇ ଅବସନ୍ନ ହୋଇ ପଡ଼ିଛି ଓ ଅସମର୍ଥ ଅନୁଭବ କରିଛି, ସେତେବେଳେ ଏଠି ବହୁସଂଖ୍ୟକ ମନୁଷ୍ୟ ସ୍ଵାଧୀନ ଭାରତରେ ଉପଲବ୍ଧ ସର୍ବବିଧ ସୁଯୋଗକୁ ସତେଅବା ଏକା ଭୋଜନ କରି ଆନନ୍ଦରେ ଟାକରା ଫୁଟାଇଛନ୍ତି; ଏବେ ମଧ୍ୟ କମ୍ ଫୁଟାଉନାହାନ୍ତି-। ଏବଂ, ସେମାନେ ମଧ୍ୟ ବହି ଲେଖିଛନ୍ତି । ସେହି ସାଆନ୍ତମାନେ ଏହି ଦେଶର ବିଷୟରେ ଯାହାକି ଲେଖି ବାଢ଼ି ଦେଉଛନ୍ତି, ସେଗୁଡ଼ିକ ଇଂରାଜୀରେ ଭାଷାର ସୁବର୍ଣ୍ଣ ପେଡ଼ିରେ ପଶି କେତେ ଶୋଭା ମଧ୍ୟ ପାଉଛି ।

 

ଭାରତବର୍ଷର ସ୍ଵାଧୀନତା ପାଇଁ ଏକ ସଂଗ୍ରାମ ଚାଲିଥିବା ସମୟରେ ଏଠାରେ ସଂଗ୍ରାମୀମାନେ କେତେ ସ୍ଵପ୍ନ ଦେଖିଥିଲେ । ସେହି ସବୁ ସ୍ଵପ୍ନଚାରଣା ଅନୁସାରେ ସେମାନେ ସ୍ଵାଧୀନତା ପରେ ନିଜ ଦେଶଟିକୁ ମଧ୍ୟ ଗଢ଼ିବେ ବୋଲି କେତେ କଳ୍ପନା କରିଥିଲେ । ରାଜନୈତିକ କ୍ଷମତାରେ ହସ୍ତାନ୍ତର ପରେ ସାମାଜିକ ପରିବର୍ତ୍ତନ ଓ ବିପ୍ଳବର କେତେ ନକ୍ସାଟାଣି ସେତେବେଳେ ଭାରତବାସୀଙ୍କ ସମ୍ମୁଖରେ ରଖାଯାଇଥିଲା । ସେହି ପରିବର୍ତ୍ତନର କାର୍ଯ୍ୟକ୍ରମ ମାଡ଼ ଖାଇଗଲା କାହିଁକି ? ଏବଂ ସେଥିପାଇଁ ସ୍ଵାଧୀନ ଭାରତର ଶାସକମାନେ ଓ ରାଜନୀତିରେ ରହିଥିବା ଉତ୍ତମ ମାନେ କେତେ ପରିମାଣରେ ଦାୟୀ ହେବେ ବା ନହେବେ ? ଭାରତବର୍ଷରେ ଅସମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରିବା ନିମନ୍ତେ ଆହୁରି ଆଗକୁ କ’ଣ ସବୁ ହେବାକୁ ଏବଂ ଘଟିବାକୁ ଯାଉଛି ? ଆଲୋଚ୍ୟ ପୁସ୍ତକଟିରେ ସବୁଠାରୁ ଅଧିକ ଆଗ୍ରହ ପ୍ରକାଶ କରାଯାଇ ସେହିଗୁଡ଼ିକର ଚର୍ଚ୍ଚା ହୋଇଥାନ୍ତା । ବଡ଼ ନିସ୍ପୃହ ଭାବରେ ଏକ ଅତ୍ୟନ୍ତ ନିରପେକ୍ଷ ଭାଷାରେ ଲେଖକ ସ୍ଵାଧୀନ ଭାରତର ଅର୍ଦ୍ଧ ଶତାବ୍ଦୀଟିକୁ ପାଠକ ଆଗରେ ଯେଉଁ ପରି ଆଣି ବାଢ଼ି ଦିଆଯାଇଛି, ସେଥିରେ ସେହି ସବୁକଥା ପ୍ରାୟ ଦେଖିବାକୁ ମିଳେ ନାହିଁ । ଯେତିକି ମିଳୁଛି, ଅତ୍ୟନ୍ତ ଉପରଠାଉରିଆ ଭାବରେ ହିଁ ମିଳୁଛି । ତେଣୁ, ଯେତେ ଅଧିକ ବିବରଣୀ ଦେଇ ବିଷୟଗୁଡ଼ିକର ବର୍ଣ୍ଣନା କରାଯାଇଥିଲେ ମଧ୍ୟ ପଥିକର ଅସଲ ପେଟଟି ମୋଟେ ପୁରୁନଥିଲା ପରି ଲାଗୁଛି । ଯଦି ଏକ ସର୍ବନିମ୍ନ ଅଙ୍ଗୀକାରବଦ୍ଧତା’ର ଅଭାବ ରହିଥାଏ, ତେବେ ନଥିପତ୍ରରୁ ଭରଣେ ଯୋଗାଇ ଦିଆ ଯାଇଥିଲେ ମଧ୍ୟ ତଥାପି ଯାବତୀୟ ବକ୍ତବ୍ୟ ଭାରି ପାଣିଚିଆ ଲାଗିବାକୁ ବାଧ୍ୟ ହୁଏ । ଏକ ପାଠ୍ୟପୁସ୍ତକର ଲେଖକଙ୍କ ଠାରୁ କେହି ସେ କଥା ଆଶା ମଧ୍ୟ କରୁନଥାଏ । ଯେଉଁ ଦେଶ ପ୍ରେମୀମାନଙ୍କର ତ୍ୟାଗ, ସାଧନା ଓ ସଂଗ୍ରାମ ଫଳରେ ଏ ଦେଶ ସ୍ଵାଧୀନ ହୋଇପାରିଲା, ସେହି ସ୍ଵାଧୀନତା ସଂଗ୍ରାମୀମାନଙ୍କର ମହାନ୍ ସ୍ମୃତି ଉଦ୍ଦେଶ୍ୟରେ ଲେଖକ ଏହି ପୁସ୍ତକଟିକୁ ଉତ୍ସର୍ଗ କରିଛନ୍ତି । ସଂଗ୍ରାମୀମାନଙ୍କ ପଟେ ରହି ଯେତେ ଯାହା ଲେଖା ହେବ ଏବଂ କୁହା ହେବ, ସେଥିରେ ଏକ ଅଙ୍ଗୀକରବଦ୍ଧତା ରହିବ ହିଁ ରହିବ ।

 

ଗଣତନ୍ତ୍ର, ସମାଜବାଦ, ମାନବିକ ଅଧିକାର – ଏହି ସବୁଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ବିଶ୍ଵାସ । ଏକ ବିଶ୍ୱାସ ହିଁ ଯୁଗେ ଯୁଗେ ମନୁଷ୍ୟମାନଙ୍କୁ ସେଗୁଡ଼ିକ ନିମନ୍ତେ ପରିଚାଳିତ କରିଛି । ସେଗୁଡ଼ିକ ସକାଶେ ରକ୍ତପାତ ହୋଇଛି, ଗୃହଯୁଦ୍ଧ ମଧ୍ୟ ହୋଇଛି । ଗୋଟିଏ ଦେଶ ବା ସମୂହ ସ୍ଵାଧୀନତା ଲାଭ କରିବାର କାହାଣୀ ହେଉଛି ମୂଳତଃ ସେହି ବିଶ୍ୱାସର କାହାଣୀ, କେତେକ ଦୃଷ୍ଟିରୁ ଏକ ସଂଗ୍ରାମ କାହାଣୀ । ସ୍ଵାଧୀନତା ପରେ ଆମେ ଏଠି ନେତୃତ୍ୱଗୁଡ଼ିକ କେତେକ ନିର୍ଦ୍ଧିଷ୍ଟ କାରଣରୁ ଅବାଗ ହୋଇ ରହିଯିବା ହେତୁ ଆମ ସ୍ଵପ୍ନଗୁଡ଼ିକ ଫଳି ପାରିନାହାନ୍ତି । ପୁରୁଣାମାନଙ୍କ ଉପରେ ଆବଶ୍ୟକ ପ୍ରହାର ହୋଇ ପାରୁନାହିଁ ଏବଂ ତେଣୁ ନୂଆଆଡ଼କୁ ସମର୍ଥ ଭାବରେ ଗୋଡ଼ ପକାଇ ହେଉନାହିଁ । ଭାରତବର୍ଷ କହିଲେ ଏଠାରେ ବାସ କରୁଥିବା ସବୁ ମଣିଷଙ୍କୁ ଆଦୌ ବିଚାରକୁ ନିଆଯାଉ ନାହିଁ । ଆଇନଗୁଡ଼ାକ ସମସ୍ତଙ୍କର ନାଁଆରେ କରାଯାଇଛି, ମାତ୍ର ତା’ପରେ ସତେ ଅବା ସୁଚିନ୍ତିତ ଭାବରେ ସବୁକିଛି କେବଳ ଆପଣାଲାଗି ମାତ୍ର କେତେ ପ୍ରତିଶତ ଲୋକ ମାଡ଼ି ବସିଛନ୍ତି । ସ୍ଵାଧୀନତା ପରବର୍ତ୍ତୀ ଭାରତବର୍ଷରେ ଯେକୌଣସି ହିସାବ ନିକାସ ଏବଂ ମୂଲ୍ୟାୟନରେ ପ୍ରସଙ୍ଗରେ ଅତ୍ୟନ୍ତ ସମୀକ୍ଷତ୍ମକ ଭାବରେ ସେଗୁଡ଼ିକର ଆଲୋଚନା ହୋଇ ପାରିଥାନ୍ତା । ଏଠାରେ ସମ୍ଭବତଃ ଶିକ୍ଷାକୁ ଏକ ଉଦାହରଣ ରୂପେ ନିଆ ଯାଇପାରେ । ସ୍ଵାଧୀନତା ଭାରତର ନୂତନ ଅବଶ୍ୟକତାକୁ ଏବଂ ଦୃଶ୍ୟ ପଟଗୁଡ଼ିକର ଅନୁସାରେ ଶିକ୍ଷାର ବ୍ୟବସ୍ଥା ଅବଶ୍ୟ ବଦଳି ଯାଇଥାନ୍ତା । କିନ୍ତୁ ତାହା ହୋଇପାରିଲା ନାହିଁ । ଶିକ୍ଷା କିପରି ହେବା ଉଚିତ, ମହାନ୍ କମିଶନମାନେ ବସି ସେହି ବିଷୟରେ ସ୍ଥୂଳକାୟ ପ୍ରବନ୍ଧ ମାନ ଲେଖିଲେ, ମାତ୍ର ସେଗୁଡ଼ିକୁ ପେଡ଼ି ଭିତରେ ସତେ ଅବା ଏକ ପବିତ୍ର ସାମଗ୍ରୀ କରି ରଖି ଦିଆଗଲା । ପୁରୁଣା କାଳର ଛଞ୍ଚାଗୁଡ଼ାକର ନକଲ କରି ନୂଆ ଭାରତର ଶିକ୍ଷାକୁ ମର୍କଟ କରି ଦିଆଗଲା । ତାହାର ହାସ୍ୟାସ୍ପଦ କୁପରିମାଣଗୁଡ଼ିକୁ ଦେଶ ଏବେ ମଧ୍ୟ ଭୋଗ କରୁଛି । ଏକଥା ଏଭଳି ଯେ ହେଲେ, ଏହା ପଛରେ ରାଜନୀତି ରହିଛି, ଉଦାସୀନତା ରହିଛି ଏବଂ ଉପରେ ରହିଥିବା ମଣିଷମାନଙ୍କର ପିଲାମାନେ ଗେହ୍ଲା ହୋଇ ପାଠ ପଢ଼ିବେ ଏବଂ ବାବୁ ହେବେ ବୋଲି ଦେଶରେ ଅଧେ ଅଧିକ ପିଲା ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି । ଅତ୍ୟନ୍ତ ଦୁର୍ଭାଗ୍ୟର କଥା, ଏହି ବହିଟିରେ ସେକଥାଟିର ପଦେ ମଧ୍ୟ ଚର୍ଚ୍ଚା ହୋଇନାହିଁ ।

 

ବିଭିନ୍ନ ସମୟରେ ଲେଖା ହୋଇଥିବା ପ୍ରବନ୍ଧଗୁଡ଼ିକୁ ଗୋଟିଏ ବହିରେ ଗୁନ୍ଥିବା ନିମନ୍ତେ ବିଚାର କରିବା ସମୟରେ ଲେଖକ ଏହି କଥାଗୁଡ଼ିକୁ ଦୃଷ୍ଟିରେ ରଖିଥାନ୍ତେ । ଅନେକ ସମୟରେ ଜଣେ ପ୍ରବନ୍ଧ ଲେଖକ ଖୁବ୍ କୁଶଳ ଭାବରେ ବହୁ ତଥ୍ୟାଦିରେ ପରିବେଷଣ କରି ସେଗୁଡ଼ିକର ପଶ୍ଚାତରେ ସ୍ଵୟଂ ଲୁଚି ରହିବାକୁ କାହିଁକି ଏକ ଅଭିଳାଷ ରଖିଥାନ୍ତି କେଜାଣି ? ଅସଲ ପ୍ରବନ୍ଧରେ ତଥ୍ୟାଦି ଅପେକ୍ଷା ସ୍ଵୟଂ ଲେଖକ ହିଁ ସବାଆଗରେ ଛିଡ଼ା ହୋଇଥିବା ପରି ଅନୁଭବ ହେଉଥିବା ଉଚିତ୍ । ପ୍ରତ୍ୟେକ ଲେଖକର ଆପଣାର ବୋଲି କହି ପାରିବା ଭଳି କିଛି ସଂପ୍ରତ୍ୟୟ (conviction) ଅବଶ୍ୟ ରହିଥାଏ । ଯାବତୀୟ ତଥ୍ୟ ପରିବେଷଣ ମଧ୍ୟରେ ଯାହା ସର୍ବତ୍ର ଜଳ ଜଳ ହୋଇ ଦେଖା ଯାଉଥାଏ ଏବଂ ଜଣେ ପାଠକ ସେଇଟି ସହିତ ଏକମତ ହେଉ ବା ନ ହେଉ, ପ୍ରବନ୍ଧର ସେହି ଉପାଦାନଟି ହିଁ ତାକୁ ମୁଗ୍ଧ କରେ, ତା’ର ମନଶ୍ଚେତନାର ଏକ ରେଖାପାତ ବି କରେ । ସାହିତ୍ୟରେ ପ୍ରବନ୍ଧ ନାମକ ଯେଉଁ ବର୍ଗଟି ରହିଛି, ସେଥିରେ ଆମେ ଏହାକୁ ହିଁ ସବୁଠାରୁ ଅଧିକ ମୂଲ୍ୟବାନ୍ ବୋଲି କହିପାରିବା । ଆଲୋଚ୍ୟ ସଂକଳନଟିରେ ଠିକ୍ ସେହିପରି ଉପାଦାନଟିରେ ସର୍ବାଧିକ ଅଭାବ ରହିଛି । ପାଠକ ଯେତେ ଖୋଜିଲେ ମଧ୍ୟ ନିରାଶ ହୋଇଯାଇଛି-

 

ସର୍ବଶେଷରେ, ଗୋଟିଏ କଥା ପ୍ରତି ଦୃଷ୍ଟି ଆକର୍ଷଣ କରା ନଗଲେ ଆମ ପୁସ୍ତକସମୀକ୍ଷାଟି ହୁଏ ତ ଅପୂର୍ଣ୍ଣ ରହିଯିବ । ସର୍ବପ୍ରଥମ ପ୍ରବନ୍ଧର ସର୍ବ ପ୍ରଥମପୃଷ୍ଠାରେ ହିଁ ଲେଖକ "ଦୀର୍ଘ ଦଶ ଶତାବ୍ଦୀ ଧରି ସ୍ଵାଧୀନତା’ର ରବି ଏ ଦେଶରେ ଅସ୍ତ ହୋଇଯାଇଥିଲେ’’ ବୋଲି କହିଛନ୍ତି । ପ୍ରବନ୍ଧଟି ବସ୍ତୁତଃ ସେହି ବାକ୍ୟଟି ଦ୍ଵାରା ଆରମ୍ଭ ହୋଇଛି । ଦଶ ଶତାବ୍ଦୀପୂର୍ବରୁ କେଉଁ ଭାରତବର୍ଷ ଥିଲା, ଯେଉଁଠାରେ କି ସ୍ଵାଧୀନତାର ରବି ଆକାଶରେ ଦୃଶ୍ୟମାନ ହେଉଥିଲେ ? ସେତେବେଳେ ଏହି ଭୂଖଣ୍ଡ ବହୁ ରାଜତନ୍ତ୍ରରେ ବିଚ୍ଛୁରିତ ହୋଇ ରହିଥିଲା । ଶବ୍ଦଟି ସେତେବେଳେ ଯୁଗବୋଧର ଅଭିଧାନ ଭିତରକୁ ମଧ୍ୟ ଆସିନଥିଲା । ଅଧିକନ୍ତୁ, ସେକାଳର ରାଜତନ୍ତ୍ରଗୁଡ଼ିକୁ ଭାବପ୍ରବଣତା ସହିତ ସ୍ଵାଧୀନତନ୍ତ୍ର ବୋଇଲ କହିଲେ ମଧ୍ୟ ବର୍ତ୍ତମାନ ସ୍ଵାଧୀନତା କହିଲେ ଭାରତବର୍ଷ ସମେତ ପୃଥିବୀଯାକର ମନୁଷ୍ୟମାନେ ଏକାବେଳେ ଏକ ଅନ୍ୟକଥାକୁ ହିଁ ବୁଝୁଛନ୍ତି । ଲେଖକ ଶ୍ରୀ ମିଶ୍ର ତାଙ୍କର ଦ୍ଵିତୀୟ ବାକ୍ୟରେ "ବିଦେଶାଗତ ମୁସଲମାନ ଓ ଇଂରେଜମାନଙ୍କ ଅଧୀନସ୍ଥ ହୋଇ ପୀଢ଼ି ପରେ ପୀଢ଼ି, ଭାରତୀୟମାନେ ସ୍ଵାଧୀନତାର ସ୍ୱାଦରୁ ବଞ୍ଚିତ ହେଉଥିଲେ" ବୋଲି ଲେଖିଛନ୍ତି । ଯେଉଁ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଉଦ୍ଦେଶ୍ୟରେ ଲେଖକ ନିଜର ଏହି ସଙ୍କଳନଟିକୁ ଉତ୍ସର୍ଗ କରିଦେଇଛନ୍ତି, ସେମାନେ କେହି ଏପରି ଭାବୁନଥିଲେ । ସଂଗ୍ରାମର ସେନାପତିମାନେ ମଧ୍ୟ ସେପରି ଭାବୁନଥିଲେ । ଭାରତବର୍ଷରେ ରାଜନୀତିକ ଅବକ୍ଷୟ ଆରମ୍ଭ ହେବାପରେ ଏକ ନିର୍ଦ୍ଦିଷ୍ଟ ଅଭିସନ୍ଧି ରଖି ଗୋଟିଏ ବା କେତୋଟି ରାଜନୀତିକ ଦଳ ଏପରି କହୁଛନ୍ତି-। ବହିଟିର ଲେଖକ ମଧ୍ୟ ତାହାରି ଦ୍ଵାରା ଅନୁପ୍ରରିତ ହୋଇ ଏପରି ମନ୍ତବ୍ୟ କରିଛନ୍ତି ବୋଲି କହିବାକୁ ଆଦୌ ମନେ ହେଉନାହିଁ । ଭାରତବର୍ଷରେ ତଥାକଥିତ ଆର୍ଯ୍ୟମାନେ ମଧ୍ୟ ବିଦେଶାଗତ-। ବର୍ତ୍ତମାନ ଭାରତବର୍ଷ ନାମକ ଏହି ଦେଶର ସେହି ଆର୍ଯ୍ୟମାନଙ୍କ ବ୍ୟତୀତ ଆର୍ଯ୍ୟେତରମାନେ ମଧ୍ୟ ଅଛନ୍ତି । ସଂସ୍କୃତିର ଭାଷାରେ କହିଲେ, ବ୍ରତ୍ୟମାନେ ହିଁ କାଳେ କାଳେ ଏହି ଭୂଖଣ୍ଡରେ ମୃତ୍ତିକାକୁ ଅଧିକ ପୁଷ୍ଟ ଏବଂ ପୁଷ୍କଳ କରି ରଖିଛନ୍ତି । ଏବଂ ଭାରତବର୍ଷର ସମ୍ବିଧାନ ଏହି ଦେଶରେ ବାସ କରୁଥିବା ସମସ୍ତଙ୍କ ପାଇଁ ଲେଖା ହୋଇଛି । ଭାରତବର୍ଷରେ ଏବେ ମଧ୍ୟ ସବୁ ସମର ସରି ନାହିଁ ଏବଂ ସେହି ସମରଗୁଡ଼ିକ ଲଢ଼ୁଥିବା ମନୁଷ୍ୟ ଓ ସଂଗ୍ରାମୀମାନେ ସଂପୂର୍ଣ୍ଣ ଏକ ଅନ୍ୟ ଭଳି ଭବିଷ୍ୟ ଦର୍ଶନ ଦ୍ଵାରା ଉଦ୍‍ବୁଦ୍ଧ ହୋଇ ଆଗକୁ ବାହାରିଛନ୍ତି ।

 

[ଅନୁପମ ଭାରତ, ୪/୧/୯୮]

 

୫–ବାଟ ହୁଡ଼ି ବାଟ ଖୋଜି :

 

ରବୀନ୍ଦ୍ର ପ୍ରସାଦ ପଣ୍ଡା

ଭାରତ-ଭାରତୀ ,କଟକ–୧, ମୂଲ୍ୟ–୩୦୦ ଟଙ୍କା

 

ବାଟ ଚାଲିବାକୁ ମନେ କଲେ ବାଟ ଖୋଜା ଆରମ୍ଭ ହୁଏ । କିଏ ଆଗ ବାଟଟିଏ ଖୋଜେ, ବାଟଟିଏ ପାଏ ଓ ତା’ପରେ ଯାଇ ବାଟ ଚାଲେ, ଜୀବନରେ ଏହିଭଳି ହୁଏ ନାହିଁ । ହଁ, ହୁଏତ ପଣ୍ଡିତମାନେ ଆଗ ବାଟ ଖୋଜି ବାହାରନ୍ତି, ବହୁ ସିଦ୍ଧାନ୍ତରେ ଗଣ୍ଠି ଦେଇ ବାଟଟିଏ ଅଛି ବୋଲି ଆମକୁ କୁହନ୍ତି । ଏବଂ ସେଇଥିରେ ଏତେବେଳ ଚାଲିଯାଏ ଯେ, ସତକୁ ସତ ବାଟଟିଏ ଚାଲି ପାରନ୍ତି ନାହିଁ । ଏବଂ, ବାଟଟିଏ ନ ଚାଲିଥିବା ପର୍ଯ୍ୟନ୍ତ ବାଟ ହୁଡ଼ିବାର କୌଣସି ପ୍ରଶ୍ନ ନଥାଏ-। ତେଣୁ ଚାଲିବା ଏବଂ ଖୋଜିବା, ବୋଧ ହୁଏ ତାହାହିଁ ସୁସ୍ଥ ରୀତି ।

 

ବହିଟି ଉପରେ ଆଖି ପଡ଼ିଯିବା ମାତ୍ରକେ ମନକୁ ମନ କହି ହେଇ ଯାଉଛି ଯେ, ଏଭଳି ସୁଦୃଶ୍ୟ ମନଲୋଭା ପୁସ୍ତକଟିଏ ଓଡ଼ିଆ ଭାଷାରେ ଆଗରୁ କେବେ ଦେଖିବାକୁ ମିଳିନଥିବ । ଅବୟବ ଏବଂ ଅଙ୍ଗସଜ୍ଜାରେ ମୋଟ କେଉଁଠାରେ ଖୁଣ ନାହିଁ, ଜଣେ ଶିଳ୍ପୀ ଉପର ପ୍ରଚ୍ଛଦଟିକୁ ଓ ଆଉଜଣେ ପଛ ପ୍ରଚ୍ଛଦଟିକୁ ଆଙ୍କିଛନ୍ତି । କାଗଜ ମୋଟା, ଅକ୍ଷରଗୁଡ଼ିକୁ କାଗଜକୁ ଭାରି ମାନୁଛି । ସବୁକିଛି ବଡ଼ ତୋରା ଦେଖାଯାଉଛି; ସ୍ଵୟଂ ଲେଖକଟିଏ ହୋଇଥିଲେ, "ମୋର ଖଣ୍ଡେ ବହି ଠିକ୍ ଏହିପରି ସୁନ୍ଦର ଭାବରେ ଛପା ହୋଇପାରନ୍ତା କି !" ବୋଲି ହୁଏ ତ ଆପେ ଆପେ ଭାବି ପକାଇବାକୁ ଇଚ୍ଛା ହେଉଛି । ଲେଖକ ଓ ପ୍ରକାଶକଙ୍କର ଉତ୍ସାହ ପରସ୍ପରକୁ ଲୋଡ଼ିଲେ ଓଡ଼ିଶାରେ ମଧ୍ୟ ଏକଥା ଅବଶ୍ୟ ସମ୍ଭବ ହୁଅନ୍ତା ।

Unknown

 

ପୁସ୍ତକଟିକୁ କେତୋଟି ଦୀର୍ଘ ଓ ନାତିଦୀର୍ଘ ପ୍ରବନ୍ଧର ଏକ ସଂକଳନ ବୋଲି କୁହାଯାଇପାରିବ । ଏଥିରୁ କେତେଗୁଡ଼ିଏ ଧାରାବାହିକ ଭାବରେ ସଂବାଦ ପତ୍ରରେ ପ୍ରକାଶିତ ହୋଇଥିଲା ମୋଟ ପନ୍ଦରଟି ପ୍ରବନ୍ଧ । ତେଣୁ ପନ୍ଦରଟି ବିଷୟ, ବିଷୟଗୁଡ଼ିକ ଗୋଟାଏ ସୂତାରେ ବନ୍ଧା ହୋଇଥିଲା ପରି ହଠାତ୍ ମନେ ନହେଉଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟ ରେ ଏକ ସଂଯୋଗକାରୀ ସୂତ୍ର ଅବଶ୍ୟ ରହିଛି । ସମଗ୍ର ଭାବରେ କୁହାଯାଇପାରିବ ଯେ ଏଗୁଡ଼ିକ ରେ ସାଂପ୍ରତିକ ଭାରତବର୍ଷକୁ ସାଂପ୍ରତିକ ବିଶ୍ଵର ଚିତ୍ତଦର୍ପଣ ଉପରେ ପକାଇ ଦେଖିବାର ଏକ ବଳିଷ୍ଠ ପ୍ରୟାସ କରାଯାଇଛି । ଉଭୟ ସାଂପ୍ରତିକ ଭାରତ ଏବଂ ସାଂପ୍ରତିକ ବିଶ୍ଵକୁ ଯଥାର୍ଥ ଆୟାମ ଓ ଓଳମଗୁଡ଼ିକୁ ଦେଇ ଯଥାସମ୍ଭବ ସଂପୂର୍ଣ୍ଣ ଭାବରେ ବୁଝିବା ସକାଶେ ଯେଉଁ ଇତିହାସ ନିର୍ଭର ଜିଜ୍ଞାସା ଏକାନ୍ତ ଆବଶ୍ୟକ, ସେହି ଜିଜ୍ଞାସା ହିଁ ଆଲୋଚ୍ୟ ପୁସ୍ତକଟିର ମୁଖ୍ୟ ପ୍ରବେଶଦ୍ଵାର ପରି କାର୍ଯ୍ୟ କରିଛି । ଯେକୌଣସି ସ୍ଥାନୀୟପ୍ରଶ୍ନ ପଛରେ ଯେ ବୃହତ୍ତର ବିଶ୍ଵର କେତେ କେତେ ପ୍ରଶ୍ନ ନିଗୂଢ଼ ହୋଇରହିଛି ଏବଂ ଯେକୌଣସି ବିଶ୍ଵସ୍ଥରୀୟ ପ୍ରଶ୍ନ ଯେ ବହୁ ବିଚିତ୍ରତାକୁ ମାଧ୍ୟମ କରି ଏକାଧିକ ସ୍ଥାନୀୟତା ମଧ୍ୟରେ ପ୍ରତିଫଳିତ ଏବଂ ପ୍ରତିବ୍ୟଞ୍ଜିତ ହୋଇଛି, ବିଷୟଗୁଡ଼ିକର ଆଲୋଚନାରେ ତାହାହିଁ ଲେଖକଙ୍କର ମୂଳ ଆଭିମୁଖ୍ୟ ହୋଇ ରହିଛି । ସମ୍ଭବତଃ ସେଥିପାଇଁ ବହିଟିକୁ ପଢ଼ିବାବେଳେ ଖୁବ୍ ଭଲ ଲାଗୁଛି । ତାଙ୍କ ଆଲୋଚନାରେ ସାରଣୀଗୁଡ଼ିକର ନିଜର ମଧ୍ୟ କିଛି ସାମଗ୍ରୀକୁ ସାଙ୍ଗରେ ପହଞ୍ଚିଯିବାକୁ ଇଚ୍ଛା ହେଉଛି ।

 

ବିଷୟ–ନିର୍ବାଚନରେ ପରିସୀମା ଭିତରେ ଓଡ଼ିଶା ଓ ଭାରତ ବର୍ଷ ଉଭୟେ ରହିଛନ୍ତି । ଓଡ଼ିଶା ବେଶୀ ଅଛି, ଭାରତବର୍ଷ କମ୍ ଅଛି । ଅଥବା, ଏପରି ବି କୁହାଯାଇପାରେ ପାରିବ ଯେ, ଭାରତବର୍ଷ ବେଶୀ ରହିଛି ଓ ଓଡ଼ିଶା କମ୍ ରହିଛି । ବ୍ୟକ୍ତିଗତ ସଂସ୍କରଣମାନ ଅଛି, ସାଧାରଣ ସିଦ୍ଧାନ୍ତ ନିର୍ଭର ପ୍ରଶସ୍ତ ଆଲୋଚନା ମଧ୍ୟ ରହିଛି । ଅବଶ୍ୟ ଯାବତୀୟ ଆଲୋଚନା ଯେଉଁ ମୂଳଚାଲୁଣିରେ ଚଳାଇ ସତ୍ୟଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଚେହେରା ଦେବାର ପ୍ରୟାସ ହୋଇଛି, ତାହା ହେଉଛି ମାର୍କ୍‍ସବାଦ ପୁସ୍ତକଟିର । ପ୍ରାୟ ମୂଳରୁ ହିଁ ଲେଖକ ସେହି କଥାଟିକୁ ସ୍ପଷ୍ଟ କରି ଦେଇଛନ୍ତି-। ତାଙ୍କରି ଭାଷାରେ "ଜୀବନର ଗତି ପ୍ରକୃତି ଧ୍ୟାନ ଧାରଣା ମଣିଷର ଅର୍ଥନୈତିକ ଭାବସ୍ଥିତିରୁ ଜନ୍ମେ ଓ ତାହାରି ଦ୍ଵାରା ନିୟନ୍ତ୍ରିତ ହୁଏ ।" (ପୃଷ୍ଠା–୭୬) ସିଏ ଶ୍ରେଣୀ ସଂଗ୍ରାମ ର କଥା ମଧ୍ୟ କହିଛନ୍ତି । ଅନ୍ତତଃ ଏହି ଦୁଇଟି କଥାକୁ ମାର୍କ୍ସବାଦୀ ବିଚାର ଆନ୍ଦୋଳନର ସବାମୂଳ ସନ୍ଦର୍ଭ ବୋଲି କୁହାଯାଇପାରିବ । ଲେଖକ ସମାଜତତ୍ତ୍ୱକୁ ଏକ ମୁଖ୍ୟ ସମଞ୍ଜସତା ସମ୍ପନ୍ନ ସମାଜର ନିୟାମକ ବ୍ୟବସ୍ଥା ବୋଲି ଗ୍ରହଣ କରିଛନ୍ତି । ତାଙ୍କ ଦୃଷ୍ଟିରେ,"ଗଣତନ୍ତ୍ର କି ପରିମାଣରେ ସଫଳ ହେବ, ତାହା ନିର୍ଭର କରେ ସମାଜ ତନ୍ତ୍ରରେ ସାଫଲ୍ୟରେ ସୋପାନ ଉପରେ ।" (ପୃଷ୍ଠା–୫୪୮ ସମାଜବାଦ ବା ସାମ୍ୟବାଦ ପରି ପରିଚିତ ନାମଗୁଡ଼ିକୁ ବ୍ୟବହାର ନକରି ଲେଖକ ଯେ ପୁସ୍ତକର ସର୍ବତ୍ର ସମାଜତନ୍ତ୍ର ଶବ୍ଦଟିକୁ ବ୍ୟବହାର କରିଛନ୍ତି, ସେ କଥା କାହିଁକି ଅଧିକତର ସମୀଚୀନ ବୋଧ ହେଉଛି-। ସମାଜତନ୍ତ୍ରର ଯଥାସମ୍ଭବ ପୂର୍ଣ୍ଣ ପରିଚିତିଟିଏ ଦେବାଲାଗି ସେ ଇଉରୋପେର ମାର୍କ୍‍ସବାଦୀ ଚିନ୍ତାଧାରାର ଏକ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଟିଏ ବାଢ଼ିଛନ୍ତି; ରୁଷିଆ ଏବଂ ପୂର୍ବ ଇଉରୋପେରେ ସେହି ବିଚାରଟିକୁ କିପରି ଏକ ସାକାରର ରୂପ ଦେବା ଲାଗି ଦୀର୍ଘ ବହୁ ବର୍ଷର ପ୍ରୟୋଗ ହେଲା ଏବଂ ତାପରେ କ’ଣ ପାଇଁ ସେହି ସୌଧାଟୀ ଏବେ ଭାଙ୍ଗି ପଡ଼ିଲା, ଲେଖକ ସେହି ଇତିବୃତ୍ତଟିର ମଧ୍ୟ ବିସ୍ତ୍ରୁତ ବିଶ୍ଳେଷଣ କରିଛନ୍ତି । ରୁଷିଆ ରେ ଲେନିନ ଙ୍କ ପରେ ଷ୍ଟାଲିନ୍ ନେତୃତ୍ବରେ ଯେଉଁ ପର୍ଯ୍ୟାୟ ଟି ଆସିଥିଲା, ଲେଖକ ତାହାର ସମ୍ୟକ ଆଲୋଚନା କରିଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଓଡ଼ିଆ ରାଜନୀତିକ ଆଲୋଚନାରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ପୁଷ୍ଟ ସମ୍ବଳନ ସହିତ ଏ ସବୁ ବିଷୟରେ ଚର୍ଚ୍ଚା ହୋଇନଥିଲା । ଚର୍ଚ୍ଚାଗୁଡ଼ିକର ନିଷ୍କର୍ଷ ସହିତ ଜଣେ ପାଠକ ଏକମତ ନ ହେଲେ ମଧ୍ୟ ବିଚାର–ଉପସ୍ଥାପନର ବଳିଷ୍ଠ ତାକୁ ଯେ ଅବଶ୍ୟ ସ୍ଵୀକାର କରିବ, ସେଥିରେ କୌଣସି ସନ୍ଦେହ ନାହିଁ ।

 

ପୃଥିବୀ ପଛକୁ ଭାରତ । ସ୍ଵାଧୀନତାପ୍ରାପ୍ତି ପରେ ଭାରତବର୍ଷରେ ଶାସନ, ରାଜନୀତି ଏବଂ ସାମଗ୍ରିକ ନେତୃତ୍ୱର କ୍ଷେତ୍ରରୁ ଯାହାସବୁ ଗତି ଓ ଦୁର୍ଗତି ଦୃଷ୍ଟିଗୋଚର ହୋଇଛି, ତଥା ହେଉଛି , ସେଗୁଡ଼ିକ କେବଳ ଗୋଟିଏ ଗୋଟିଏ ଘଟଣା ନୁହେଁ, ସେଗୁଡ଼ିକର ଏକ ଦୀର୍ଘପ୍ରସାରି ଇତିହାସ ରହିଛି । ଭାରତୀୟ ସଂସ୍କୃତି ଏବଂ ଯୁଗଚିନ୍ତନର ଖିଅଗୁଡ଼ିକୁ ତାହାକୁ ଏକ ନିର୍ଦିଷ୍ଟ ଗୁଳାରେ ବିବର୍ତ୍ତିତ କରି ଆଣିବାରେ ମୀମାଂସକୁ ଭୂମିକା ଗ୍ରହଣ ମଧ୍ୟ କରିଛନ୍ତି । ସେହି ଭିତ୍ତିଭୂମିର ଅସଲ ଅସଲ ନାମକଗୁଡ଼ିକୁ ନ ଜାଣିଲେ ଆମେ ଏଠାରେ ଘଟଣାର ସ୍ରୋତଗୁଡ଼ିକ ମଧ୍ୟ ଆଦୌ ପରିଚ୍ଛନ୍ନ ଭାବରେ ଠଉରାଇ ପାରିବନାହିଁ । ଲେଖକ ଶ୍ରୀଯୁକ୍ତ ପଣ୍ଡା ସେହି କାରଣରୁ ସାଂପ୍ରତିକ ଭାରତବର୍ଷର ଚଳନ୍ତି ନକ୍‍ସାଟିକୁ ଆମ ଆଗରେ ଆଣି ଥୋଇ ପାରିବେ ବୋଲି ପୂର୍ବ ଭିତ୍ତିଗୁଡ଼ିକରେ ବିଶଦ ଚିତ୍ରଟିଏ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । ତାହା ଫଳରେ ଏ ସବୁ ବିଷୟରେ ତାଙ୍କ ଦୃଷ୍ଟିକୋଣଟିକୁ ଯଥାର୍ଥ ସଂଗତି ସହିତ ବୁଝି ହୋଇ ଯାଉଛି । ଭାରତୀୟ ଆକାଂକ୍ଷାଗୁଡ଼ିକର ଫଳବତୀ ହେବାର ପଥରେ ଯାହା ସବୁ ପ୍ରତିବନ୍ଧକ ପରି କାର୍ଯ୍ୟ କରିଛି ଓ କରୁଛି, ସେଗୁଡ଼ିକର ଗୋଟିଏ balance sheet ବାହାର କରି ଗୋଟିଏ ସ୍ଥାନରେ ଲେଖକ "ସଂଖ୍ୟା ଗରିଷ୍ଠତା’ର ଅବମାନନା ଭାରତୀୟ ଗଣତନ୍ତ୍ରର ସବୁଠୁ ବଳି ବିଭବ " ବୋଲି ମନ୍ତବ୍ୟ ଦେଇଛନ୍ତି । (ପୃଷ୍ଠା–୧୨୭) ଭାରତର ଯେଉଁମାନେ ରାଜନୀତି କରୁଛନ୍ତି, ଶାସନ କରୁଛନ୍ତି, ସେମାନେ ଦରିଦ୍ରକୁ ଧୋକା ଦେଇଛନ୍ତି । ଶ୍ରୀଯୁକ୍ତ ପଣ୍ଡାଙ୍କର ଭାଷାରେ, "ଏଠି ଆଗ୍ନେୟଗିରିର ଶୃଙ୍ଗ ଉପରେ ବସି ରାଜନୀତି ପିକନିକ କରୁଛି ।" (ତର୍ତ୍ରେବ) ଦରିଦ୍ରଙ୍କ ଭିତରୁ ନେତା ବାହାରିଛନ୍ତି, ମାତ୍ର ସେମାନେ ଦରିଦ୍ରମାନଙ୍କୁ ଛାଡ଼ି ଏକାବେଳକେ ନିଜର ଅଙ୍ଗୀକାରଗୁଡ଼ିକୁ ଭୁଲି ଉପରକୁ ଉଠି ଯାଇଛନ୍ତି । ଓଡ଼ିଶାର ଦୁଃଖିନୀ କନିକାରେ ଏକଦା ହୋଇଥିବା ପ୍ରଜାପତିରୋଧରେ ଆଲୋଚନାଟି କରି ସେ କହିଛନ୍ତି, "ନେତା ଆଗରେ ଚାଲିବେ, ଲୋକେ ମେଣ୍ଢାପଲ ପରି ଖାଲି ପଛେ ପଛେ ଚାଲୁଥିବେ, କେଭେ ବି ମଣିଷ ହେବେ ନାହିଁ । ନେତା ତାଙ୍କୁ ମଣିଷ ହେବାକୁ ଦେବେ ନାହିଁ ।" (ପୃଷ୍ଠା–୮୮) ଠିକ୍ ପରବର୍ତ୍ତୀ ପୃଷ୍ଠାରେ ଲେଖକ ଅତ୍ୟନ୍ତ ଯଥାର୍ଥତା ସହିତ ପ୍ରଶ୍ନ କରିଛନ୍ତି : ମଧୁବାବୁ ଓ ଗୋପବନ୍ଧୁଙ୍କଠୁ ଆରମ୍ଭ କରି ଆଜି ଯାଏଁ କ’ଣ ପାଇଁ ଆମର ନେତୃତ୍ଵ ଆହ୍ଵାନଗୁଡ଼ିକ ଆସିବାବେଳେ ତା’ଠାରୁ ଦୂରେଇ ଯାଇ କଡ଼କିଆ ହେବାକୁ ପସନ୍ଦ କରେ ? ସିଏ ଭରସା ରଖିଛନ୍ତି ଯେ, ‘‘ପ୍ରତାରିତ ଏହି ପ୍ରଜନ୍ମର ପୁଅଝିଅ ବାରମ୍ବାର ସେଇ ପ୍ରଶ୍ନ ପଚାରିବେ ଏବଂ ସେଇ ପ୍ରଶ୍ନର ଉତ୍ତରରୁ ଆସିବ ଯେଉଁ ଅନ୍ତଦୃଷ୍ଟି, ତାରି ଆଲୁଅରେ ହୋଇପାରିବ ଯଥାର୍ଥ ନେତୃତ୍ୱର ସନ୍ଧାନ ଓ ଚିହ୍ନଟ ।"

 

ଦରିଦ୍ରଗଣ ନିଜେ ସଚେତନ ହୋଇ ନିଜ ବିମୋଚନରେ ନିଜେ ନେତୃତ୍ଵ ଗ୍ରହଣ କରି ପାରୁନାହାନ୍ତି, ଶ୍ରୀଯୁକ୍ତ ପଣ୍ଡା ଭାରତବର୍ଷର ଅତୀତକୁ ସେଥିପାଇଁ ଏକ ବଡ଼ ବାଧା ବୋଲି ଅନୁଭବ କରିଛନ୍ତି । ଭବିଷ୍ୟତର ସମ୍ମୁଖୀନ ହେବାକୁ ହେବାକୁ ଅସମ୍ମତ ହେଉଥିବାରୁ ଭାରତବର୍ଷରେ ଅନେକ ମଣିଷଙ୍କର ଚିନ୍ତା ଅତୀତ ଭିତରେ ଲାଖି ରହିବାକୁ ଭଲପାଏ, ସତେଅବା ସଂପୃକ୍ତ ଆମ ସମସ୍ତଙ୍କୁ ଏହାରି ଦ୍ଵାରା ଅନ୍ୟମନସ୍କ କରି ରଖିବାକୁ ମନ କରୁଥାଏ । ତେଣୁ ଅତୀତକୁ ପ୍ରତ୍ୟାଖାନ କରିପାରିବା ଉଚିତ୍ । ‘‘ଯାହା ଜୀର୍ଣ୍ଣ, ପୁରାତନ, ମଳିନ, ଅଚେତନ, ତାହାର ପ୍ରତ୍ୟାଖାନ ।’’ ଅତୀତ ପ୍ରତି ଏହି ଆସକ୍ତିକୁ ଭାଙ୍ଗିବାକୁ ହେବ । ଲେଖକଙ୍କ ମତରେ ଏହାରି ଫଳ ସ୍ୱରୂପ ଇଉରୋପେରେ ରେନେସାଁସ୍ ଆସିଥିଲା । (ପୃଷ୍ଠା–୨୨୬) ଭାରତରେ ସେହି ଯଥାର୍ଥ ରେନେସାଁସ୍ ଆସିଲେ ଯାଇ ଆଗକୁ ବାଟ ଖୋଲିବ । ଏହି ସନ୍ଦର୍ଭରେ ତାଙ୍କର ମନ୍ତବ୍ୟ ହେଉଛି ଯେ, ଖାଲି ବ୍ୟକ୍ତିଗତ ର‍୍ୟାଡ଼ିକଲିଜମ୍ ନୁହେଁ, ତାହାକୁ ଗଣ ଆନ୍ଦୋଳନ ସହିତ ଯୁକ୍ତ କରିବାର ନୈତିକ କଥା ରାଜନୈତିକ ପ୍ରୟାସ ମଧ୍ୟ ଅତ୍ୟାବଶ୍ୟକ ।

 

ପ୍ରବନ୍ଧ ଧର୍ମତଃ ଏକ ବୃହତ୍ତର ବିତର୍କ ନିମନ୍ତେ ଅବସର ଯୋଗାଇଦେବ, ଯେକୌଣସି ପ୍ରବନ୍ଧର ତାହାହିଁ ହେଉଛି ସବୁଠାରୁ ବଡ଼ ସାର୍ଥକତା । ସେହି ମାନଦଣ୍ଡ ଉପରେ ଆକଳନ କରି ଦେଖିଲେ ଆଲୋଚ୍ୟ ସଙ୍କଳନଟିରେ ପ୍ରତ୍ୟେକ ପ୍ରବନ୍ଧକୁ ତାହାର ଅବତାରଣା ଏବଂ ସମ୍ମୁଖଦୃଷ୍ଟିରେ ଗୋଟିଏ ଗୋଟିଏ ସାର୍ଥକ ପ୍ରବନ୍ଧ ବୋଲି କୁହାଯାଇପାରିବ । ପ୍ରବନ୍ଧ ଏପରି କିଛି କହିବାକୁ ଇଚ୍ଛା କରେ ନାହିଁ, ଯେଉଁଥିରେ କି ପାଠକମାନେ ଠକ୍‍ଠାକ୍ ରାଜି ହୋଇଯିବେ । ଯଥାର୍ଥ ଚିନ୍ତା ପାଠକର ମନରେ ଆହୁରି ଚିନ୍ତାର ଉଦ୍ରେକ କରାଏ । ଏକ ସଂଦୀପନ ଯୁକ୍ତ ପ୍ରବନ୍ଧ ଆପଣାର ପ୍ରତିବେଦନ ଦ୍ଵାର ଅଧିକ ଅନେକ ପ୍ରଶ୍ନକୁ ଜାଗୃତ କରି ଆଣେ । ଏପରିକି, ଆଉଜଣେ ପ୍ରବନ୍ଧଲେଖକ ଯଦି ଏହି ବିଷୟଗୁଡ଼ିକୁ ନେଇ ପ୍ରବନ୍ଧ ଲେଖିଥାନ୍ତେ ଏବଂ ପ୍ରାୟ ଉପସଂହାରରେ ଆସି ପହଞ୍ଚିଥାନ୍ତେ, ତେବେ ସେଥିରେ ମଧ୍ୟ ବିଶ୍ଳେଷଣରେ କେତେ ଫରକ ଅବଶ୍ୟ ରହିଥାନ୍ତା । ଶ୍ରୀଯୁକ୍ତ ପଣ୍ଡା ଏହି ପୁସ୍ତକରେ ଗୁନ୍ଥିଥିବା ପ୍ରତ୍ୟେକ ପ୍ରବନ୍ଧ ପାଇଁ ଅବଶ୍ୟ ଗୋଟିଏ ଗୋଟିଏ rejoinder ବା ପ୍ରତିମନ୍ତବ୍ୟ ଲେଖା ଯାଇପାରିବ ଏବଂ ଅସଲ ଯେକୌଣସି ପ୍ରତି ମନ୍ତବ୍ୟ କଦାପି ମୂଳ ବକ୍ତବ୍ୟଗୁଡ଼ିକର ଖଣ୍ଡନ କରେ ନାହିଁ, ବରଂ ଅନେକତଃ ପରିପୂରକ ପରି କାର୍ଯ୍ୟ କରିଥାଏ । ଏହା ଦ୍ଵାରା ସର୍ବଥା ଅଧିକ ସମୃଦ୍ଧ ହିଁ ହୋଇଥାଏ । ଉଦାହରଣସ୍ଵରୂପ, ଶ୍ରମିକମାନଙ୍କର ଶ୍ରେଣୀ ସଚେତନାକୁ ଏକ ବିପ୍ଳବ ପାଇଁ ଲେଖକ ଯେତେ ଐକାନ୍ତିକ ଭାବରେ ଗୋଟିଏ ପୂର୍ବସର୍ତ୍ତ ବୋଲି ମାନିଛନ୍ତି, ହୁଏତ ଅନ୍ୟଜଣେ ସେପରି ବିଚାର କରିବେ ନାହିଁ । ଏବେ ଚୀନରେ ଯେଉଁ ସମାଜତାନ୍ତ୍ରିକ ପ୍ରୟୋଗ ଚାଲିଛି, ତାହା ହୁଏତ ଏକ ଅନ୍ୟ କାର୍ଯ୍ୟକାରଣବାଦର ପ୍ରେରଣା ପାଇ ହୋଇଛି । ସୋଭିଏଟ୍‍ ରୁଷିଆ ଏବଂ ଷ୍ଟାଲିନ୍ ଯଦି ସଂଘର୍ଷ ଓ ଶ୍ରମିକ ସଚେତନା ପାକଳ ହେବାଯାଏ ଅପେକ୍ଷା କରିଥାନ୍ତେ, ତେବେ ପୂର୍ବ ଇଉରୋପର ଦେଶଗୁଡ଼ିକୁ ମୋଟେ ନିଜର କମ୍ୟୁନିଷ୍ଟ ନକ୍ସାଟି ଭିତରେ ମିଶାଇ ନଥାନ୍ତେ । ମଧ୍ୟ-ଏସିଆର ତଥାକଥିତ ଗଣରାଜ୍ୟଗୁଡ଼ିକୁ ସାମ୍ରାଜ୍ୟଭୁକ୍ତ କରିବାର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ରୁଷିଆ ଦେଶରେ ଏକ ସ୍ଵୈରତନ୍ତ୍ର ଚାଲିଥିବା ସମୟରେ ସେଠି କଳଟା ର ସର୍ବୋଚ୍ଚ ସ୍ଥାନରେ ବସିଥିବା ଜଣେ ବ୍ୟକ୍ତି କିପରି କଳକୁ ଭୁଷୁଡ଼ାଇ ପକାଇବାର ଏକ ପ୍ରକ୍ରିୟାରେ ନିଜକୁ ଯନ୍ତ୍ର ପରି ବ୍ୟବହାର କଲେ ଓ ପୃଥିବୀର ଏତେ ଏତେ ମୋହଭଙ୍ଗର ସୂତ୍ରପାତ କରାଇଲେ, ସେହି ପ୍ରସଙ୍ଗଟିର ମଧ୍ୟ ସବିସ୍ତାର ଓ ସହାନୁଭୂତିଶୀଳ ଆଲୋଚନା ହୋଇପାରିଥାନ୍ତା । ଭାରତବର୍ଷ ବିଷୟରେ ଆଲୋଚନା କରୁଥିବା ସମୟରେ ମହାତ୍ମାଗାନ୍ଧୀଙ୍କୁ ଯେତିକି ପରିସର ଦିଆଯାଆନ୍ତା, ପୁସ୍ତକଟିରେ ତାହା ହୋଇ ପାରିନାହିଁ, ସାଂପ୍ରତିକ ପୃଥିବୀର ଜୀବନ ଚିନ୍ତନ ଯେତିକି ସାବାଳକ ହୋଇଆସୁଛି, ଯାବତୀୟ ଆଲୋଚନାରେ ମାର୍କ୍ସ ଓ ଗାନ୍ଧୀ ସତେ ଯେପରି ପରସ୍ପରର ସେତିକି ଅଧିକ ନିକଟତର ହେବାରେ ଲାଗିଛନ୍ତି । ଅଧିକନ୍ତୁ ଭାରତବର୍ଷର ଲୋକନିୟତିକୁ ନିଜର ଆୟତନ ରୂପେ ଗ୍ରହଣ କରି କରାଯାଉଥିବା ଯେକୌଣସି ସକାରାତ୍ମକ ଆଲୋଚନାରେ ଏହି ଦୁଇମାର୍ଗର ମିଳନ ବିନ୍ଦୁଗୁଡ଼ିକ ଉପରେ ଅଧିକ ଦୃଷ୍ଟି ଦିଆଯାଇପାରିବ ଅତ୍ୟନ୍ତ ଉଚିତ ହୁଅନ୍ତା । ଦ୍ଵିତୀୟ ମହାଯୁଦ୍ଧର ପୂର୍ବରୁ ହିଁ ଇଉରୋପେରେ ସେହି ପ୍ରୟାସଟିର ଉଦାହରଣ ଦେଖିବାକୁ ମିଳିଥାଏ । Fuellep–Miller ଙ୍କର Lenin and Gandhi ଏବଂ Romain Rolland ଙ୍କର I will not rest ଗ୍ରନ୍ଥଦ୍ୱୟ ଆମେ ଇଚ୍ଛା କଲେ ଆମକୁ ବହୁ ସୂତ୍ର ଯୋଗାଇ ଦେଇପାରିବ । ଗାନ୍ଧୀ ଏବଂ ମାର୍କ୍ସଙ୍କର ଗୋଟିଏ ତୁଳନାତ୍ମକ ଗ୍ରନ୍ଥରେ ଭୂମିକା ଲେଖି ଆଚାର୍ଯ୍ୟ ବିନୋବା ଭାବେ ମାର୍କ୍ସ ମହାମୁନି ବୋଲି କହିଛନ୍ତି ।

 

ସର୍ବବିଧ ବାଟହୁଡ଼ା ଭିତରୁ ଏକ ଯଥାର୍ଥ Intellectual Leeadership ହିଁ ଆମ ସମସ୍ତଙ୍କ ଲାଗି ଆଗକୁ ସମ୍ଭାବ୍ୟ ବାଟଗୁଡ଼ିକୁ ଦେଖାଇ ପାରିବ ବୋଲି ଆଲୋଚ୍ୟ ଗ୍ରନ୍ଥର ଲେଖକ ଏକାଧିକ ଅବସରରେ ଯେଉଁ ସୂଚନାଗୁଡ଼ିକ ଦେଇଛନ୍ତି, ପ୍ରକୃତରେ ଅଧିକ ମନନ ଏବଂ ଆସ୍ପୃହା ସହିତ ଆମକୁ ସେହିଗୁଡ଼ିକୁ ପରୀକ୍ଷା କରି ଦେଖିବାକୁ ପଡ଼ିବ । ଏହି ନେତୃତ୍ଵ ସମ୍ବନ୍ଧରେ ସ୍ଵଧାରଣାର ସଜ୍ଞାଟିକୁ ବର୍ଣ୍ଣନା କରି ଲେଖକ କହିଛନ୍ତି, "ଜନ୍ମନିର୍ଦ୍ଦିଷ୍ଟ ବା ସମାଜ-ନିର୍ଦ୍ଧାରିତ ଜୀବନଧାରାକୁ ଅନତିକ୍ରମ୍ୟ ବୋଲି ଧରି ନେଇ ଚେତନାକୁ ତା ପାଖରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ କରିବାର ବୁଦ୍ଧିଗତ ଦୈନ୍ୟ ଯାହାର ଜୀବନ ଓ ଚିନ୍ତାରେ ଦେଖାଯାଏନା, ସେଇ ମଣିଷ କେବଳ ବୁଦ୍ଧି ଜୀବି ପଦବାଚ୍ୟ । (ପୃଷ୍ଠା–୨୮୭) ନୂତନ ପଥର ପୁରୋଭାଗରେ ଯେଉଁ ‘‘ମୁକ୍ତମତି ବୁଦ୍ଧିଜୀବୀ’’ ରହିବ, ସେଇ ପାରିବ । ଏହି ନୂତନ ପଥଟି ହେଉଛି ଲେଖକଙ୍କ ଭାଷାରେ ତୃତୀୟ ପଥ । ସେହି ବୁଦ୍ଧିଜୀବୀ ବଞ୍ଚିତକୁ ପ୍ରସ୍ତୁତ କରିବ, ତା’ ସାଙ୍ଗରେ ନିଜକୁ ବି । (ପୃଷ୍ଠା–୨୮୪) ବିକଳ୍ପ ଭାବରେ ଯେଉଁ ବାଟଟିକୁ ଖୋଜିବାକୁ ହେବ, ସେଇଟି ହେଉଛି "ସମାଜାଶ୍ରୟୀ ଗଣତାନ୍ତ୍ରିକ ସମାଜତନ୍ତ୍ରର ବାଟ" ଏବଂ "ସେଇ ଖୋଜିବାଟା, କୋଊ ତତ୍ତ୍ୱ-ଅନ୍ଵେଷଣ ନୁହେଁ, ନିଜର ଜୀବନରେ ଏବଂ ପ୍ରତିବେଶିରେ ଜୀବନରେ ସେଇସବୁ ପ୍ରତିବାଦୀ ମୂଲ୍ୟବୋଧର ପ୍ରତିଷ୍ଠା ଏବଂ ପ୍ରଚାର ।’’ (ପୃଷ୍ଠା–୨୮୬–୮୭) ପୁନଶ୍ଚ, "ଆତ୍ମପ୍ରଚେଷ୍ଟାରେ ବନ୍ଧନମୁକ୍ତି । ତୃଣମୂଳରୁ ଉଦ୍‍ଭୂତ ସେଇ ସମାଜତନ୍ତ୍ର, ସୋସିଆଲିଜିମ୍ ଫ୍ରମ ବିଲୋ । ଅର୍ଥାତ୍ ସମାଜ ବଦଳାଇବା ପାଇଁ ନିଜକୁ ବଦଳାଇବାକୁ ହେବ । ନିଜେ ବିପ୍ଳବର ଚେତନା ବହନ କରିଲେ ଯାଇ ବଞ୍ଚିତ ଆଉ ଶୋଷିତ ମଣିଷ ଆତ୍ମଉନ୍ମୋଚନାର ବାଟ ଖୋଜି ପାଇବେ, ଅନ୍ୟ କେହି ଆସି ପ୍ରକ୍ସି ସଂଗ୍ରାମରେ ଜିତି ତାଙ୍କ ହାତରେ ଆଣି ମୁକ୍ତି ଦେଇ ଯିବେନାହିଁ ।" (ପୃଷ୍ଠା–୩୪୦) ଏହା ଆଦୌ କୌଣସି ସମ୍ପ୍ରଦାୟବାଦୀର ଉକ୍ତି ନୁହେଁ । ଏହା ହେଉଛି ଜଣେ ମରମା ଭବିଷ୍ୟଗ୍ରାହୀ ବନ୍ଧୁର ଉକ୍ତି ।

 

ଆମ ଲେଖକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇବା । ଏହିଭଳି ଗ୍ରନ୍ଥଟିଏ ଓଡ଼ିଶାରେ ଅଧିକ ବିତର୍କ ଲାଗି ନିମିତ୍ତରୂପେ କାର୍ଯ୍ୟ କରୁ । ବହିଟିକୁ ପାଠ କରି ଜଣେ ପାଠକ ସବାଆଗ ତାହାହିଁ ଇଚ୍ଛା କରିବ । ଏହି ଗୋଟିଏ ବହିକୁ ମୂଳ କରି ଆହୁରି କେତେ ବହି ଲେଖା ହୋଇପାରିବ-। ଲେଖକ ନିଜେ ମଧ୍ୟ ତାହା କରିପାରିବେ । ଏହି ଭଳି ଗ୍ରନ୍ଥଟିଏ ଲେଖିପାରିବା ନିମନ୍ତେ ଉପଯୁକ୍ତ ଶବ୍ଦଗୁଡ଼ିକୁ ଖୋଜିବା ଲାଗି ଶ୍ରୀ ପଣ୍ଡାଙ୍କୁ ନିଶ୍ଚୟ ବହୁତ ମିହନ୍ତ କରିବାକୁ ପଡ଼ିଥିବ-। ଓଡ଼ିଆ ରାଜନୈତିକ ସାହିତ୍ୟ ସକାଶେ ତାଙ୍କର ଏହି ଉଦ୍ୟମ ଜଣେ ପୁରୋଗାମୀର ବଳିଷ୍ଠ ପ୍ରୟାସବତ୍ ହୋଇ ଅବଶ୍ୟ ରହିବ । ତଥାପି ପୁସ୍ତକଟିରେ ସତେଅବା ବିନା କାରଣରେ ଅତ୍ୟଧିକ ସଂଖ୍ୟାରେ ଇଂରାଜୀ ଶବ୍ଦମାନ ରହିଯାଇଛି । କହିବା ବାହୁଲ୍ୟ, ଅଭ୍ୟାସର ସ୍ଵୈରାଚାରରେ ପଡ଼ି ନିଜ ତୁଙ୍ଗ ଭାବନାଗୁଡ଼ିକୁ ମଧ୍ୟ ଆମେ ହୁଏ ତ ଇଂରାଜୀରେ ଭାବୁଛୁ । ନିଜର ଇନ୍ଧନ ସମଗ୍ରୀଗୁଡ଼ିକୁ ଆମେ ଇଂରାଜୀ ବହିମାନଙ୍କରୁ ହିଁ ଚୟନ କରୁଛୁ । ଓଡ଼ିଆ ଭାଷାରେ ସେଗୁଡ଼ିକର ତୁଲ୍ୟ ଶବ୍ଦଗୁଡ଼ିକ ଅଛି କି ନାହିଁ ଏବଂ ଏପରିକି, ଆମେ କିଞ୍ଚିତ ଚେଷ୍ଟା କଲେ ସମସ୍ତଙ୍କର ବୁଝିପାରିବା ଭଳି ତୁଲ୍ୟ ଶବ୍ଦଗୁଡ଼ିକୁ ତିଆରି କରି ପାରିବା କି ନାହିଁ, ଏଥିପାଇଁ ଆଦୌ କିଛି ଚିନ୍ତା କରିବା ପୂର୍ବରୁ ହିଁ ଆମେ ଇଂରାଜୀ ପଢ଼ୁଆମାନେ ଗଳ ଗଳ ଇଂରାଜୀ ଶବ୍ଦଗୁଡ଼ିକ ଗାଳି ପକାଉଛୁ । ଆମର ଇପ୍ସିତ ପରିବର୍ତ୍ତନଗୁଡ଼ିକ ତଳୁ ଆସୁ ବୋଲି ଯଦି ଆମେ ଧର୍ମତଃ ବିଶ୍ଵାସ କରୁଥିବା, ତେବେ ଆମେ ନିଜକୁ ସେହି ତଳ ଯାଏ ଯିବା ପାଇଁ ଏକ ନିଷ୍ଠାପର ଆଗ୍ରହ ଅବଶ୍ୟ ରଖିବା ।

 

ଆମ ଶିକ୍ଷକମାନେ, ଯେଉଁମାନେ ଆପଣାକୁ ତଳଠାରୁ ବିଲଗ କରି ରଖିବାକୁ ସତେଅବା ନିଜର ଅନ୍ତସ୍କରଣରେ ସ୍ଵୀକାର କରି ନେଇଛନ୍ତି, ସେମାନେ କହୁଥିବା କଥାରେ ଅତ୍ୟନ୍ତ ଅଶିକ୍ଷିତ ଭାବରେ ଇଂରାଜୀ ଶବ୍ଦଗୁଡ଼ିକୁ ବ୍ୟବହାର କରି ପକାଉଛନ୍ତି । ସେଦିନ ଏକ ଓଡ଼ିଆ ଉପନ୍ୟାସ ଭିତରେ ଦେଖୁଥିଲି, ସଂଳାପରେ ମିଛଟାରେ କିପରି ମେଞ୍ଚା ମେଞ୍ଚା ଇଂରାଜୀ ଶବ୍ଦ ଓ ବାକ୍ୟକୁ ଆଣି ଭର୍ତ୍ତି କରି ଦିଆଯାଇଛି । ସତେ ଯେପରି ଏଣ୍ଡି ପୋକ ରଖାଯାଇଥିବା ଗୋଟାଏ ଡାଲାରେ ଗୁଡ଼ାଏ ଝିଣ୍ଟିକା ସାଲୁସାଲୁ ହେଉଥିବା ପରି ମନେ ହେଉଛି । ଏଠାରେ ଆଲୋଚ୍ୟ ପୁସ୍ତକଟିରେ ବ୍ୟବହାର କରାଯାଇଥିବା ଇଂରାଜୀ ଶବ୍ଦଗୁଡ଼ିକୁ ଯଦି ଅଲଗା କରି ଗଣାଯାଏ, ତେବେ ତାହା ସମ୍ଭବତଃ କେତେ ହଜାରେ ଯାଏ ହୋଇଯିବ । ଏପରି ହେବା ଆଦୌ ଅତ୍ୟାବଶ୍ୟକ ନଥିଲା ।

 

"ବାଟ ହୁଡ଼ି ବାଟ ଖୋଜି " ପ୍ରସ୍ତୁତ ପୁସ୍ତକଟିରେ କେବଳ ଗୋଟିଏ ଅଧ୍ୟାୟର ନାମ । କେବଳ ଶେଷ ଅଧ୍ୟାୟଟିର ନାମ । ଏଥିରେ ଚର୍ଚ୍ଚାଟିକୁ ପୃଥିବୀର ଦୃଶ୍ୟପଟରୁ ଆରମ୍ଭ କରି ଭାରତବର୍ଷ ବାଟ ଦେଇ ଓଡ଼ିଶା ପାଖରେ ଶେଷ କରାଯାଇଛି । ଅଧ୍ୟାୟଟି ଶେଷ କଲାବେଳକୁ ସ୍ଵାଦଟା ମୋଟା–ମୋଟି ଏକ Apologeticର ସ୍ଵାଦ ପରି ମନେ ହେଉଛି । ଓଡ଼ିଶାରେ ନେତୃତ୍ୱରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କୁ କେନ୍ଦ୍ରରେ ଥାପନା କରାଯାଉଛି ।

 

ଶ୍ରୀଯୁକ୍ତ ଚୌଧୁରୀ କିପରି ସବୁବେଳେ ଠିକ୍‍ ଦେଖୁଥିଲେ, ସିଏ କିପରି ଠିକ୍‍ ଉପାଦାନରେ ଗଢ଼ା ହେଇଥିଲେ, ମାତ୍ର ତତ୍କାଳିକ ନାନାକାରଣ ବଶତଃ ଉପଯୁକ୍ତ ପରିବେଶ ଅଥବା ଉପଯୁକ୍ତ ସଙ୍ଗୀମାନଙ୍କୁ ନପାଇ ଅପେକ୍ଷା କରିବାକୁ ଏବଂ ନିଜ ନିର୍ବାସିତ କରି ରଖିବାକୁ ଶ୍ରେୟସ୍କର ମଣୁଥିଲେ । ଅତ୍ୟନ୍ତ ଧରାପଡ଼ି ଯାଉଥିବା ଭାଷାରେ ତୁହାଇ ତୁହାଇ ସେହି କଥା କୁହାଯାଇଛି । ଜର୍ମାନୀରେ ହିଟଲର ଶାସନ କରୁଥିବା ସମୟରେ ସେହି ଦେଶର ସାଧାରଣ ଜୀବନର ନେତୃତ୍ଵ କ୍ଷେତ୍ରରେ ଯେଉଁମାନେ ସତକୁ ସତ ବାଟ ଦେଖାଇ ପାରିଥାନ୍ତେ ଅଥଚ ଆଢ଼ୁଆଳରେ ରହିଗଲେ, କିଛି କଲେ ନାହିଁ ଅଥବା କରିପାରିଲେ ନାହିଁ, ସେମାନେ ନିଜ ନିଜର ସେହି ଆଚରଣଟିକୁ ଯୁଦ୍ଧ ପରେ କୈଫିୟତ, ଦେଲାପର ଏକ inner immigration ବୋଲି କହିଥିଲେ । ସେତେବେଳେ ତାହା ସମ୍ପୃକ୍ତ ସକଳ ମହଲରରେ ଖୁବ୍ ହାସ୍ୟକରଣ ସୃଷ୍ଟି ମଧ୍ୟ କରିଥିଲା । ଲେଖକ ଏହି ପୁସ୍ତକଟିକୁ "ନିତ୍ୟ ସ୍ମରଣୀୟ " ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଉତ୍ସର୍ଗ କରିଛନ୍ତି ।

 

[ଅନୁପମ ଭାରତ, ୨୫/୧/୯୮]

 

୬–ହେ ମୋର ସ୍ଵଦେଶ :

 

ବ୍ରଜନାଥ ରଥ

ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ

କଟକ–୨

ମୂଲ୍ୟ –ପଚାଶ ଟଙ୍କା

 

ଏହି ଭୂମିମାନେ ଆବହମାନ କାଳରୁ ଥିଲେ– ମଣିଷମାନଙ୍କର ଆବିର୍ଭାବ ହେବାରେ ବହୁ ପୂର୍ବରୁ ରହିଥିଲେ । ମଣିଷ ଆସିଲା, ଯୂଥମାନ ଗଢ଼ିଲା । ରାଜାମାନେ ରାଜତ୍ଵ କଲେ । ରାଜ୍ୟ ପରେ ରାଜ୍ୟଜୟ କରି ସାମ୍ରାଜ୍ୟ ବିସ୍ତାର କଲେ । ମାତ୍ର ଏହି ସ୍ଵଦେଶ କଥାଟି ବହୁ ପଛରେ ଆସିଲା । ମୁଖ୍ୟତଃ ଅନୁକରଣ କରି ଆମେ ଭାରତବର୍ଷରେ ସେହି ଅଭିଧାଟିକୁ ଗ୍ରହଣ କଲୁ । ସାରଳା ଦାସଙ୍କ ସମୟରେ ଭୂମି ରହିଥିଲା କିନ୍ତୁ ସ୍ଵଦେଶ ବୋଲି କଥାଟିର ମୁହୂର୍ତ୍ତ ଆସିନଥିଲା । ସେହି ମୁହୂର୍ତ୍ତଟି ପ୍ରାୟ ମାତ୍ର ଶହେବର୍ଷ ତଳେ ଆମ ଭାବନାର ଘର ମଧ୍ୟ ସଂଚାରିତ ହେଲା । ଭାବପ୍ରବଣତା’ର ହାନ୍ଦୋଳରେ ବସି କବିମାନେ ଯେତେବେଳେ ଏହି ଭୂମିକୁ ଜନନୀ ବୋଲି କହିଲେ, ସେତେବେଳେ ସେଇଟି ସମ୍ପୃକ୍ତ ସମସ୍ତଙ୍କୁ ଭାରି ଭଲ ଲାଗିଥିବ ।

 

ଆଧୁନିକ କାଳର ଓଡ଼ିଆ କବିତାରେ ଶ୍ରୀଯୁକ୍ତ ବଜ୍ରନାଥ ରଥ ଗୋଟିଏ ଚିହ୍ନା ନାମ, ଜଣେ ଚିହ୍ନା ବ୍ୟକ୍ତି । ବହୁତ ପରିମାଣରେ ବାରି ହୋଇପଡ଼ିଥିବା ଜଣେ ବ୍ୟକ୍ତି ଏବଂ ଆଲୋଚ୍ୟ ପୁସ୍ତକଟି ତାଙ୍କର ନବମ କବିତା ସଂକଳନ । ତଥାପି, ଅନ୍ୟ ସଂକଳନଗୁଡ଼ିକର ତୁଳନାରେ ଏଇଟି ହୁଏ ତ କିଛି ପରିମାଣରେ ସ୍ଵତନ୍ତ୍ର । ମାମୁଲି ଭାଷାରେ କହିଲେ, ଏଥିରେ ତାଙ୍କର ଦେଶାତ୍ମକ ବୋଧ କବିତାଗୁଡ଼ିକ ଏକାଠି ଗୁନ୍ଥି ସଂକଳନଟିଏ ତିଆରି କରିବା ଲାଗି ଉଦ୍ୟମ କରାଯାଇଛି । ବିଭିନ୍ନ କବିତାକୁ ଶ୍ରୀଯୁକ୍ତ ରଥ କେବେ ଲେଖିଥିଲେ, ତାହାର ସୂଚନା ଦିଆଯାଇ ନାହିଁ । ପାଠକ ପାଇଁ ଏଇଟି କିପରି କ’ଣ ଲାଗିବ କେଜାଣି, ସମୀକ୍ଷକୁ ଅବଶ୍ୟ ଭାରି ଅସୁବିଧାରେ ଆଣି ପକାଇଦେବ । ଯେତେବେଳେ କଖାରୁ ଗଛଟି ଲାଞ୍ଜରେ ଲଟାଇବାକୁ ଆରମ୍ଭ କରେ, ଏକ ପରବର୍ତ୍ତୀ ସମୟରେ ତାକୁ ଛାତ ଉପରକୁ ଯିବାକୁ ହେବ ବୋଲି ସିଏ କେତେ ଅଳ୍ପ ଜାଣିଥାଏ ଏବଂ ଛାତ ଉପରକୁ ଯାଇସାରିବା ପରେ ତା’ ରଞ୍ଜାବେଳର ବାସନା ଓ ବିବେକଗୁଡ଼ିକୁ ମଧ୍ୟ ସିଏ ହୁଏତ ଭାରି ଅନ୍ୟ ପ୍ରକାରେ ଦେଖୁଥାଏ । ଜୀବନରେ ବି ସେଇକଥା ହୁଏ । ଚେତନାରେ କ’ଣ କମ୍ ହୁଏ ? ତେଣୁ କବି ବଜ୍ରନାଥ ରଥ କବିତାଗୁଡ଼ିକୁ ରଚନା କାଳର ଅନୁକ୍ରମରେ ସଜାଇଥାନ୍ତେ ଅଥବା କେଉଁ କବିତାଟି ମୋଟା ମୋଟି କେବେ ଲେଖାହୋଇଛି, କବିତା’ର ଶେଷରେ ତାହା ପୂର୍ବରୁ ଦେଇଥାନ୍ତେ । ତାହା ପ୍ରକୃତରେ ଅଧିକ ସମୀଚୀନ ହୋଇଥାନ୍ତା ।

 

ସଙ୍କଳନର ଅଧିକସଂଖ୍ୟକ କବିତା ଭାରତବର୍ଷକୁ ଦର୍ପଣରୂପେ ସମ୍ମୁଖରେ ରଖି ଲେଖାଯାଇଛି । ମାତ୍ର ଓଡ଼ିଆ ମଧ୍ୟ କତିପୟ କରିବାରେ ଦର୍ପଣ ରୂପେ ବ୍ୟବହୃତ ହୋଇଛି । କେବଳ ଆୟତନ ନୁହେଁ, ଆମ ଆନୁଗତ୍ୟ ଦୃଷ୍ଟିରୁ ମଧ୍ୟ ଆମେ କଦାପି ଭାରତବର୍ଷ ଓ ଓଡ଼ିଶାକୁ ଏକାଭଳି ଜନନୀ ବୋଲି କହିପାରିବା ନାହିଁ । କହିଲେ ସଙ୍କଟରେ ପଡ଼ିବା, ନିଜର ଯାତ୍ରାରେ ମଧ୍ୟ ବହୁ ପ୍ରମାଦର କାରଣ ହେବା । ଭୂମିକୁ ଜନନୀ ରୂପେ ଠାବ କରିବାର ଏହି ଉତ୍ସାହଟି ଆମ ଲାଗି ହୁଏତ ଏକ ବ୍ୟାଧି ଦୃଷ୍ଟିର କାରଣ ହୋଇପାରେ । ଓଡ଼ିଶାକୁ ମା ବୋଲି କହୁ କହୁ ଏବେ କ୍ରମେ କୋଶଳ ଏବଂ ସୁବର୍ଣ୍ଣ ପୁରକୁ ମଧ୍ୟ ଜନନୀ ବୋଲି କହି ବ୍ୟକ୍ତିମାନେ କେତେ ପୁଲକ ଅନୁଭବ କଲେଣି । ହୁଏ ତ ଆହୁରି କିଏ ବାଙ୍କି ବାଲେଶ୍ଵର ବା ଆମ ବାଗଲପୁରକୁ ମଧ୍ୟ ସମୁଚିତ ଶବ୍ଦପୋଚାର ଗୁଡ଼ିକୁ ଦେଇ ପ୍ରାୟ ସେହିପରି ଏକ ଉଦବୋଧନ ଦେବାପାଇଁ ଅବଶ୍ୟ ବାହାରି ଆସିପାରିବ । ସାପଟି ଥରେ ପେଡ଼ିରୁ ବାହାରିଲେ ତାହା ଆମକୁ ହୁଏ ତ ନିର୍ବୋଧର ଏପରି ଚରମସୀମା ଯାଏ ଘଉଡ଼ାଇ ନେଇଯିବ ଯେ ଆମେ ସ୍ଵୟଂ ସେଥିରେ ବଡ଼ ଆଚମ୍ବିତ ହୋଇ ପଡ଼ୁଥିବା ଏବଂ ନିଜର ଉତ୍ତେଜନାଗୁଡ଼ିକ ଉପରେ ତଥାପି କୌଣସି ଅକ୍ତିଆର ମଧ୍ୟ ପାଉନଥିବା । ବିଗତ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଇଉରୋପେରେ କେତେ କୁନି କୁନି ଦେଶ ସେହି ଜନନୀ, ଜନକ ଏବଂ ମାତୃଭାଷାରେ ଉତ୍ସାହସ୍ତରରେ ରହିଥିଲେ । ସେଠି କବିମାନେ ବଡ଼ ବିଗଳିତ ଭାବନାଶୈଳୀରେ ସେତେବେଳେ ଗଦା ଗଦା କବିତା ଲେଖୁଥିଲେ । ସେହି ସବୁ ପ୍ରୟାସରେ ସାଧୁତା ଅବଶ୍ୟ ଥିଲା, ମାତ୍ର ଏବେ ସେହିଭଳି କବିତା କେହି ଲେଖିବେ ନାହିଁ ।

 

ଭାରତବର୍ଷକୁ ଆମ ସମସ୍ତଙ୍କ ପାଇଁ ଏକ ସ୍ଵାଧୀନ ଘରରୂପେ ପାଇବାର ପଚାଶବର୍ଷ ପରେ ମଧ୍ୟ ଯେ ଆମ ପୁରୁଣା ଧିସାଗୁଡ଼ିକ ତଥାପି ବଦଳୁନାହିଁ, ତା’ ପଛରେ ବସ୍ତୁତଃ କିଛି ଅସାଧୁତା ଆମକୁ ସେଇ ଖୁଣ୍ଟାଗୁଡ଼ିକରେ ବାନ୍ଧି ରଖିଛି ଓ ଆମେ ବି କ’ଣ ପାଇଁ ସେଇଠି ବନ୍ଧା ହୋଇ ରହିବା ପାଇଁ ଏକ କାର୍ଯ୍ୟସାଧକ କୌଶଳ ପରି ହୁଏତ ଗ୍ରହଣ କରି ନେଇଛୁ, ଏଥିରେ ସନ୍ଦେହ କରିବାକୁ ବେଶ୍‍ ମନେ ହେଉଛି । ଆପଣାର ଏକାଧିକ କବିତାରେ ଶ୍ରୀଯୁକ୍ତ ରଥ ଭାରତବର୍ଷ ‘ଭୁବନବନ୍ଦିତା’ ବୋଲି କହିଛନ୍ତି । (ପୃଷ୍ଠା–୪୨) ଆଉ ଗୋଟିଏ ସ୍ଥାନରେ ଅଦ୍ଭୁତ ବିଚିତ୍ର ଭାରତବର୍ଷ, ବୋଲି (ପୃଷ୍ଠା–୨୯) କୁହାଯାଇଛି । ଏହି ଅତିରଞ୍ଜନ ସମ୍ଭବତଃ କାବ୍ୟକବିତା’ର କତିପୟ ସ୍ୱଲକ୍ଷଣ ମଧ୍ୟରୁ ଗୋଟିଏ । ଅତିକଥନ ହେଲେ କାବ୍ୟ ରସସମର୍ଥ ହୋଇ ପାରେନାହିଁ ବୋଲି ସାହିତ୍ୟିକ ଅଳଙ୍କାରିକତାରେ ଗୋଟିଏ ଯୁଗର ସତେ ଅବା ତୁଙ୍ଗତମ ରୀତି ବୋଲି ମାନି ନିଆ ଯାଉଥିଲା । ଜାତୀୟତାବାଦୀ ଯୁଗରେ ରୀତି ଯୁଗରେ ଅତିକଥନ ଶୈଳୀଟି ଭାରି ଜମାକାଣିଆ ଭାବରେ ଯେ ଆସି ଗଦି ମାଡ଼ି ବସିଲା, ସେହି କଥାଟିକୁ ତଥାପି ବୁଝି ହେଉଛି । ସେତେବେଳେ ଶିବିରଟିଏ ତିଆରି ହୋଇ ଆସୁଥିଲା । କିନ୍ତୁ ସ୍ଵାଧୀନ ଭାରତବର୍ଷକୁ ଆମ ସନ୍ତାନମାନେ ଦୀର୍ଘ ପଚାଶ ବର୍ଷ ଶାସନ କରିବା ପରେ କବି ଯଦି ସେଇ ପୁରୁଣା କୁଲେଇଟିକୁ ପାଛୁଡ଼ି ନିଜକୁ ସୁନେଇ କିମ୍ବା ରୂପେଇ ବୋଲି ଅନୁଭବ କରୁଥିବ, ତେବେ ସେଥିରେ ହୁଏ ତା’ କେଉଁଠାରେ କିଛି ଅସହଜ ପଶି ଯାଇଥିଲା ପରି ନିଶ୍ଚୟ ମନେ ହେବ । ଭାରତବର୍ଷ ଅତୀତରେ କେଡ଼େ ମହାନ ଥିଲା ବୋଲି ଶ୍ରୀଯୁକ୍ତ ରଥ ଟମକର ଗୋଟିଏ କବିତାରେ ଭାରି ଝୁରି ହେଉଛନ୍ତି । ଶବ୍ଦର ବହୁ ଆଡ଼ମ୍ବରପୂର୍ଣ୍ଣ ଝୁମ୍ପା ଲଗାଇ ସିଏ ସେହିକାଳର ଭାରତବର୍ଷକୁ 'ରଶ୍ମି ଝରା' ଓ 'ବିଶ୍ଵମ୍ଭରା' ବୋଲି କହିଛନ୍ତି । ଯଦି ଆପଣ ସେହିଠାରୁ ଆହୁରି ଆଗକୁ ଆଗକୁ ପାଠ କରିବେ, ତେବେ ପ୍ରାୟ ଏକ କାବ୍ୟିକ ରୀତିରେ ଏଭଳି ଜୁଡ଼ୁବୁଡ଼ୁ ହୋଇଯିବେ ଯେ, ଭାରତବର୍ଷରେ ଏବେ ମଧ୍ୟ ମଣିଷମାନେ ରହିଛନ୍ତି ବୋଲି ଗୋଟାସୁଦ୍ଧା ପାସୋରି ପକାଇବେ । ସେହି କବିତାଟିରେ ଉଲୁଗୁଣା ଦେଇ କହିଲେ, କବିଙ୍କର ସେହି ସ୍ଵପ୍ନର ଭାରତବର୍ଷକୁ ଏବେ ସିଏ କ୍ରୁଶବିଦ୍ଧ ହେବାର କାହିଁକି ଦେଖୁଛନ୍ତି ? ସେ କାଳର ଭାରତବର୍ଷ ଏ କାଳର ଭାରତବର୍ଷ ଯାଏଁ କାହିଁକି ଆସିଲା-? ଗୋଟିଏ ଜନସମୂହର ନିୟତିକୁ ପ୍ରତାରିତ କରିବାରେ ସେଠାରେ ବାସ କରୁଥିବା କେତେ ମଣିଷଙ୍କର ଅବଶ୍ୟ ଭାଗ ରହିଥାଏ । ଆଧୁନିକ ଓଡ଼ିଆ କବିତାରେ ସେହି ଅରମାଟା ଭିତରେ ପଶିବା ନିମନ୍ତେ କେହି ମନ କରିନାହାନ୍ତି । ଏବଂ ଯଦିବା କେହି ବ୍ୟତିକ୍ରମ ଭାବରେ ତେଣେ ପୁଳାଏ ମାଡ଼ି ଯାଇଛନ୍ତି, ସେମାନେ କେଜାଣି କାହିଁକି କେହି ରୋଦନରେ ଓ ଆଉ କେହି କ୍ରୋଧରେ କାମ ଶେଷ କରି ଦେଇଛନ୍ତି ।

 

ଯଦି ଆପଣ ସାହିତ୍ୟ ଭିତରକୁ ଆସିବେ ଏବଂ ସତକୁ ସତ ଭାରତବର୍ଷକୁ ଲୋଡ଼ିବେ, ତେବେ ଆପଣଙ୍କୁ ମୂଳରୁ ହିଁ ସ୍ଵୀକାର କରି ନେବାକୁ ହେବ ଯେ, ଏହି ଭୂମିରେ କେବେହେଲେ ସବୁ ମଣିଷଙ୍କୁ ମଣିଷ ବୋଲି ବିଚାର କରାଯାଇନାହିଁ । ଏବେ ମଧ୍ୟ କରାଯାଉନାହିଁ ଏବଂ ଗୋଟିଏ ସ୍ଵାଧୀନ ଦେଶ କହିଲେ ନ୍ୟାୟତଃ, ଧର୍ମତଃ ତଥା ବସ୍ତୁତଃ ଯେ ସବୁ ମଣିଷଙ୍କୁ ବୁଝାଉଛି, ଉଚ୍ଚ ଏବଂ ବଡ଼ ମାନେ ମତ୍ମନଦରେ ବସି ସେଇ ମୁତାବକ ଏକ ସମ୍ବିଧାନ ତିଆରି କରିଦେଇଛନ୍ତି ସିନା, ମାତ୍ର ଅତି ଅଳ୍ପ କେତେକଙ୍କର ପ୍ରୀତ୍ୟର୍ଥେ ଦେଶଟାକୁ ବ୍ୟବହାର କରାଯାଉଛି । ଗୋଟାଏ ବହୁବିଭାଜିତ ସମାଜ କୋଉକାଳରୁ ଅସନା ହୋଇ ପଡ଼ିଛି । ତାହାକୁ ସଜାଡ଼ି ଏକ ଆଧୁନିକ ପ୍ରତ୍ୟୟ ସମ୍ଭବ କରିବାକୁ ହେଲେ ଏଠାରେ ବିଗତ ପଚାଶବର୍ଷ ହେଲା ଯାହାସବୁ ହୋଇଥାନ୍ତା, ତାହା ହୋଇ ନାହିଁ-। ଦେଶରେ ଅଧେ ମଣିଷ ନିରକ୍ଷର ହୋଇ ରହିଥିବା ସମୟରେ ସାହିତ୍ୟିକମାନେ ପ୍ରୟୋଜନାରେ ପଡ଼ି ସାମନ୍ତମାନଙ୍କର ପକ୍ଷରେ ରହିଛନ୍ତି । ଯେଉଁ ଅଳ୍ପ ସଂଖ୍ୟକ ପିଲା ଉପରକୁ ଶିକ୍ଷା ଲାଭରେ ସୁଯୋଗ ପାଇଛନ୍ତି, ସେମାନେ ମଧ୍ୟ ସତେ ଅବା ଏକ ନିରାପତ୍ତା ଦୃଷ୍ଟିରୁ ଅଳ୍ପବହୁତେ ସେଇ ପକ୍ଷରେ ଯାଇ ରହୁଛନ୍ତି । କବି ଏବଂ ଲେଖକମାନେ ଶୋଭା ପାଇପାରିବେ ବୋଲି ସାମନ୍ତମାନେ ସେମାନଙ୍କ ପାଇଁ ଆନୁଷ୍ଠାନିକ ବେଦୀଗୁଡ଼ିକ ବାନ୍ଧି ଦେଇଛନ୍ତି ଏବଂ ସାହିତ୍ୟକୁ ଉତ୍ସାହିତ କରିବା ନାମରେ ସେମାନେ ଅତିଶୟ ସରାଗରେ ନିଜ ସହିତ ନିଜେ ବାହା ହୋଇ ପଡ଼ୁଛନ୍ତି-। ତେଣୁ, ଭାରତବର୍ଷ କହିଲେ ଆମକୁ ଏକ ମିଛ ଅତୀତ ଆଡ଼କୁ ହୁଡ଼ାଇ ନେଉଛନ୍ତି, ଅଥବା ଅରଣ୍ୟ ରୋଦନ କରୁଛନ୍ତି; ସତେଅବା ସମ୍ପୃକ୍ତ ସମସ୍ତଙ୍କୁ ଏକ ଦାରୁଣ ଉପେକ୍ଷା, ଉଦାସୀନତା ଓ ଦାୟିତ୍ଵହୀନତାର Fraternity ର ଭିତରେ ନିଶା ଖୁଆଇ ରଖିବାକୁ ଉତ୍ସାହିତ ହେଉଛନ୍ତି-। ଶବ୍ଦର ଛନ୍ଦ ମାଧ୍ୟମରେ ଭାରତବର୍ଷକୁ ଚିହ୍ନିବାରେ ଏହି ରୀତି ବନ୍ଦ ହେଉ, ଏଠି ଆତଯାତ ହେଉଥିବା ସବୁ ମଣିଷଙ୍କୁ ସ୍ଵୀକାର କରି ସେମାନଙ୍କୁ ସମସ୍ତଙ୍କୁ ଥାନ ଦେଇପାରିଲା ଭଳି ଏକ ଅନ୍ୟ ସମ୍ଭାବନା ପାଇଁ କବି ସବାଆଗ ସଂକଳ୍ପ ନେଉ । ତାପରେ ସମୁଚିତ ଶବ୍ଦଗୁଡ଼ିକ ତାକୁ ଛାଏଁ ଛାଏଁ ମିଳିଯିବ-

 

ପ୍ରଧାନତଃ ଉଦାସୀନମାନେ ଯେ ଆମର ସାଂସ୍କୃତିକ ଯାବତୀୟ ନେତୃତ୍ଵ ନେଇଛନ୍ତି, ଏଠାରେ ନିକଟଟାକୁ ଉପେକ୍ଷା କରି, ବାସ୍ତବଟାକୁ ଉପେକ୍ଷା କରି ରଖିବାରେ ଅଭିପ୍ରାୟରେ ସେପରି କରାଯାଇଛି କି ? ଓଡ଼ିଶାର ପ୍ରଥମ କାଳୀନ ଆନ୍ଦୋଳନଗୁଡ଼ିକୁ ଲକ୍ଷ୍ୟ କଲେ ଆମେ ଜାଣିବାକୁ ପାଇବା ଯେ, ଏଠାରେ ଭାରତବର୍ଷକୁ ଜନନୀ ବୋଲି ଅନୁଭବ କରି ଶିଖାଇବାର ପୂର୍ବରୁ ହିଁ ଓଡ଼ିଶାକୁ ମା’ ବୋଲି ଚିହ୍ନିବାର ସେହି ଅନ୍ୟ ଆହ୍ଵାନଟିକୁ ଦିଆ ଯାଇଥିଲା । ସେହି ସମୟର ମୁଖ୍ୟ ଅନୁଷ୍ଠାନମାନଙ୍କର ଗଡ଼ଜାତର ରାଜାମାନେ ବିଶିଷ୍ଟ ଭୂମିକା ଗୁଡ଼ିକରେ ଅବତୀର୍ଣ୍ଣ ହେଉଥିବା ବେଳେ ଗଡ଼ଜାତର ରାଜମାନେ ବି ଯେ ସେହି ଓଡ଼ିଆ ନାମକ ସମଷ୍ଟି ଭିତରେ ଗଣା ହେବେ, ସେହି ବିଷୟରେ କାହାରି ଖିଆଲ ନଥିଲା । ଉତ୍କଳ ଗୌରବଙ୍କର ଓଡ଼ିଶା ଏବଂ କବି ବ୍ରଜନାଥ ରଥଙ୍କର ଓଡ଼ିଶା ମଧ୍ୟରେ କେତେ କେତେ ପାର୍ଥକ୍ୟ ରହିବ ହିଁ ରହିବ । ତେଣୁ ସେକାଳର ସେଇ ମାଆଟିକୁ ଆମ ଏ କାଳରେ ବ୍ୟବହାର କରିବାକୁ ଯାଇ ଆମେ ନିଜେ ମଧ୍ୟ ଭାରି ପ୍ରତାରିତ ହୋଇ ରହିଯିବା । ଉତ୍କଳକୁ ଭାରତ ନାମକ ପଙ୍କଜର ଗୋଟିଏ କୋରକ କବିବର ରାଧାନାଥ ଏକଦା ଆମ ଆଗରେ ଯେଉଁ ସମାଧାନଟି ରଖିଥିଲେ, ସମ୍ଭବତଃ ଏବେ ମଧ୍ୟ ତାହାଠାରୁ ଅଧିକ ସୁସ୍ଥ ଭାବରେ କେହି ସେହି କଥାଟିକୁ ଅନ୍ଦାଜ କରି ପାରିନାହାନ୍ତି । ଜଣେ କବିକୁ ମଧ୍ୟ ଆପଣାର ସକଳ ପ୍ରକାରର ଶବ୍ଦ ବିହାରରେ ସେହି କଥାଟି ବିଷୟରେ ଖିଆଲ ରଖିବାକୁ ହେବ । ଏପରିକି, ଆଧୁନିକ ସମାଜକୁ ସମ୍ମୁଖରେ ରଖି ତାକୁ ଏକ ସଂଗତି ଯୁକ୍ତ ରାଜନୀତିକ ଚେତନାରେ ରହି କଥା କହିବାକୁ ପଡ଼ିବ । ‘ହେ ଉତ୍କଳ, ଜନନୀ ଉତ୍କଳ’ ନାମକ କବିତାରେ କବି ରଥ ‘‘ମହାଭାରତୀୟତା’ର କୁରୁସଭା ତଳେ ମଦମତ୍ତ ଶତ ଦୁଃଶାସନ’’ ଉତ୍କଳ ଜନନୀଙ୍କର ଉତ୍ତରୀ ଭିଡ଼ୁଥିବାର କଥା କହିଛନ୍ତି-। (ପୃଷ୍ଠା–୪୬) କଥାଟା ଆଦୌ ତାଙ୍କରି ପରି ଲାଗୁନାହିଁ । ତାଙ୍କର ଅନ୍ୟାନ୍ୟ କବିତାରୁ ଆମେ କବିଙ୍କ ବିଷୟରେ ଯେଉଁ ମୁଖ୍ୟ ଚିତ୍ରଟି ଆମ ଭିତରେ ସମ୍ପାଦି ରଖିଛୁ, ସେଇଟି ଏଇଟା ସହିତ ମୋଟେ ମେଳ ଖାଉ ନାହିଁ । ଭାବପ୍ରବଣତା ଆମ ବିବେକର ନାକଟାକୁ ସମ୍ଭବତଃ ଆମର ଅଜାଣତରେ କେତେ କେତେ ଫାଶ ଭିତରେ ନେଇ ପକାଇ ଦେଇଥାଏ । ଆଉ ଏକ ଅବସରରେ ଭାରତବର୍ଷର ଉପସ୍ଥିତ ତାମସାଗୁଡ଼ିକୁ ଦେଖି କବି ବଜ୍ର ନାଥ ରଥ ଏହାକୁ "ଗଣତନ୍ତ୍ରର ଗଣିକାଳୟ " ବୋଲି ମଧ୍ୟ ଆଖ୍ୟାତ କରିଛନ୍ତି । (ପୃଷ୍ଠା–୪୯) ବିଚାରା ଆଳୟଟାର କି ଅପରାଧ-? ସାହିତ୍ୟ ସମେତ ରାଜନୀତି ଓ ଶିକ୍ଷା ଲଗାଏତ ସବୁଯାକ କ୍ଷେତ୍ରରେ ଆପେ ଗଣିକାହେବାକୁ ଯେ ନିଷ୍ପତ୍ତି ଗ୍ରହଣ କରାଗଲା, ସେଥି ସକାଶେ ଆମେ ଆଳୟଟାକୁ କାହିଁକି ଗଣିକାଳୟ ବୋଲି କହିବା ? ଜଣେ କବିର ତ ଏହି ବିଷୟରେ ସାତଥର ଚିନ୍ତା କରିବା ଉଚିତ ।

 

ସ୍ଵାଧୀନତା ପରେ ଭାରତବର୍ଷର କ’ଣ ହୋଇଥାନ୍ତା ଓ କ’ଣ ହେଲା, ଏହି ମୁଖ୍ୟ ସନ୍ଦର୍ଭଟି ଉପରେ ସଙ୍କଳନଟିର ସବୁଯାକ କବିତା ଭିତରକୁ ପ୍ରବେଶ କରି ହେବ, କବିଙ୍କ ଭାଷାରେ ଏଠି ଆମେ କେତେ ଅମୁକ ଅମୁକ ଗଢ଼ିବାକୁ ଚାହିଥିଲୁ, ଲଙ୍ଘିବାକୁ ଓ ଭାଙ୍ଗିବାକୁ ଚାହିଥିଲୁ, ‘‘ସାମ୍ୟ, ଶାନ୍ତି ଓ ସ୍ଵାଧୀନତା ଚାହିଥିଲୁ’’ । ପୁନଶ୍ଚ, "ଚନ୍ଦ୍ର ,ସୂର୍ଯ୍ୟ, ଗ୍ରହ ତାରା ଛୁଇଁବାକୁ ଚାହିଥିଲୁ’’, ଇତ୍ୟାଦି ଇତ୍ୟାଦି । (ପୃଷ୍ଠା–୧୮–୧୯) ରଥ ଏହି ପ୍ରସଙ୍ଗରେ ଶ୍ରେଣୀହୀନ ସମାଜର ହିରଣ୍ମୟ ଛବିଟିଏ ଆଙ୍କିଦେବା କଥା କହିଛନ୍ତି । (ପୃଷ୍ଠା–୧୬) ସତେଅବା ଝିଅକୁ ମାରି ନିଜ ଦି’ ଗାଲରେ ଦି ଚାପଡ଼ା ମାରିହୋଇ ସିଏ ଭାରତବର୍ଷର କର୍ଣ୍ଣଧାରମାନଙ୍କୁ ‘‘ମଣିଷକୁ ତୁମେ ମଣିଷର ଅଧିକାର ଦେଇ ତ ପାରିନ, ପୋଛିନ ଅଶ୍ରୁଧାର, ଦେଶ ବୋଲି କିଏ ଗର୍ବ କରିବ କିଆଁ " ବୋଲି ରାଗି କରି କହି ପଳାଇଛନ୍ତି । (ପୃଷ୍ଠା–୫୪) ଭାରତରେ ଅଧିକରୁ ଅଧିକ ମଣିଷ ଏହି ତରଫର । ସେମାନଙ୍କ ପାଇଁ ଜନନୀ ଫନନୀ କେହି ନାହାନ୍ତି । ଜନନୀର ଦ୍ଵାହି ଦେଇ କବିଙ୍କର ଯାବତୀୟ ଉଦ୍‍ଗୀରଣ ଏମାନଙ୍କ ପ୍ରତି ଜମା ଲାଗୁ ହେବ ନାହିଁ । ଯିଏ ବା ଯେଉଁମାନେ, ସିଏ କବି ହେଲେ ହୁଅନ୍ତୁ ପଛକେ, ତଥାପି ସେହି ପୁରୁଣା ଉଚ୍ଛ୍ୱାସଗୁଡ଼ିକୁ କବିତାର ଦାଣ୍ଡି ବସାଇ କହୁଛନ୍ତି । ସେମାନେ ଅଧିକ ପରିମାଣରେ ସମ୍ପୃକ୍ତ ଜୀବମାନଙ୍କୁ ଧୋକା ହିଁ ଦେଉଛନ୍ତି । ଶେଷ ଆଡ଼ର କେତେକ କବିତା ଆରମ୍ଭଗୁଡ଼ିକ ସହିତ ମୋଟେ ଖାପ ଖାଉ ନାହିଁ । ଶେଷଆଡ଼କୁ ସିଏ ଜନନୀମାନଙ୍କୁ ନୁହେଁ । ମଣିଷମାନଙ୍କୁ ସବାଆଗ ଦେଖିଛନ୍ତି । ସିଏ "ମୋ ଦେଶର କୋଟି ଜନଗଣ" ଙ୍କୁ ସମ୍ବୋଧନ କରି "ମହିଷାସୁରର ଶିରକୁ ଭୂମିରେ ଲୋଟାଇବା" ସକାଶେ ଉଦବୋଧନ ଦେଇଛନ୍ତି । (ପୃଷ୍ଠା–୬୭) ଏବଂ ଆଉ ଗୋଟିଏ କବିତାରେ ମଣିଷପଣିଆକୁ ଜଗତରେ ସବୁ ଧରମ ଠାରୁ ବଡ଼ ଓ ସବୁ ଦେବତାଙ୍କଠାରୁ ଅଧିକ ବୋଲି କହିଛନ୍ତି । ମଣିଷପଣିଆ ଅର୍ଥାତ୍ ମଣିଷମାନେ । ମଣିଷମାନେ ଅନ୍ଧ ନୁହନ୍ତି । ଜଡ଼ ମଧ୍ୟ ନୁହନ୍ତି । ଯାବତୀୟ ଜନନୀ-କଳ୍ପନାକୁ ଅତିକ୍ରମ କରି ମଣିଷ, ତା’ର ଅଧିକାର ଏବଂ ତାହାର ପ୍ରତିଷ୍ଠା ଆମ ପୃଥିବୀର ଯାହାକିଛି ବଦଳିବ, ତାହାକୁ ଜାଗ୍ରତ ଓ ସଚଳ ମଣିଷମାନେ ବଦଳାଇବେ । ଗୋଟିଏ ପ୍ରକାରର ଜାତୀୟତାବାଦ ଜନନୀର ଦ୍ଵାହି ଦେଇ ମଣିଷମାନଙ୍କୁ ଶୀତଳ କରି ଦେବାକୁ ଇଚ୍ଛା କରିଥାଏ । ମଣିଷକୁ ଛାଡ଼ିଦେଲେ ଏହି ସବୁକିଛି ସମ୍ଭବତଃ ଖାଲି କବିତ୍ଵ ।

 

ଏହି ପର୍ଯ୍ୟାୟକୁ ଆସି ସତେଯେପରି ଆମ ଆଗରୁ ଚିହ୍ନା କବି ଶ୍ରୀ ବ୍ରଜନାଥ ରଥଙ୍କୁ ପାଇହେଉଛି । ସାଂପ୍ରତିକ ଓଡ଼ିଆ କବିତାରେ ତାଙ୍କର ଏକ ସ୍ଵତନ୍ତ୍ର ମହୁଡ଼ ରହିଛି; ସେଠାରେ ଭାଷା ଅଲଗା, ସତେ ଯେପରି ଏକ ଏକାବେଳେ ଅଲଗା ସାବଲୀଳତା ଓ ଅଲଗା ସହଜତା ରଥଙ୍କର ଅଷ୍ଟମ କବିତା-ସଙ୍କଳନକୁ ସିଏ 'ଲଘୁ ଶତକ' ବୋଲି ନାମ କରଣ କରିଛନ୍ତି । ତାହାକୁ କେଜାଣି କ’ଣ ଭାବି ଏକ ବ୍ୟଙ୍ଗକବିତା-ସଂକଳନ ବୋଲି କୁହାଯାଇଛି । ନିତାନ୍ତ ସୁନିଶ୍ଚିତ ଭାବରେ କୁହାଯାଇପାରେ ଯେ, ସେଗୁଡ଼ିକୁ କବି ଭାରି ସହଜ ହୋଇ ଲେଖିଛନ୍ତି, ବଡ଼ ହାଲୁକା ହୋଇ କହିଛନ୍ତି । ଖୁବ୍ କମ୍ କସରତ କରିଛନ୍ତି । ଅନ୍ତରିକତା’ର ଅର୍ଥାତ୍‍ କବୀର ଅସଲ ଭିତରଟାକୁ ବୁଝିବାରେ ତାହା ପାଠକକୁ ସମ୍ଭବତଃ ସବୁଠାରୁ ଅଧିକ ସାହାଯ୍ୟ କରିଥାଏ । ସେଥିରେ ବଙ୍କା ଟଙ୍କା କିଛି ନା ହିଁ, ଭାବ ବ୍ୱିହଳ ନାହିଁ ଅଥବା ବୌଦ୍ଧିକତା ନାହିଁ । 'ଲଘୁଶତକ' ପରେ; ହେ ମୋର ସ୍ଵଦେଶକୁ ଶଙ୍ଖୋଳି ଗଲାବେଳେ କେମିତି ଅଡ଼ୁଆ ଅଡ଼ୁଆ ଲାଗୁଛି । କବିଙ୍କର ମନ ଜାଣି ପ୍ରଚ୍ଛଦପଦଟିକୁ ମଧ୍ୟ ଚିତ୍ରକର ସମ୍ଭବତଃ ଅନୁରୂପ ଭାବରେ ଆଙ୍କିଛନ୍ତି । ସତେ ଅବା ବରାଦ ନେଇ ପ୍ରସ୍ତୁତ କରିଛନ୍ତି । ଭାରତବର୍ଷର ମାନଚିତ୍ରଟିଏ ଅତ୍ୟନ୍ତ କାରିଗରୀ ସହିତ ଟୁକୁଡ଼ା ଟୁକୁଡ଼ା ହୋଇ ଯାଇଛି । ମଝିରେ ଆଖିଟିଏ ଯେ, ସେଥିରୁ ଅଶ୍ରୁ ବରଷୁଛି । ଏଗୁଡ଼ିକ ଦେଇ ପୁରୁଣା ଶୈଳୀ । ଭାରତବର୍ଷକୁ ଯଦି କାହା ଜନନୀ ବୋଲି କୁହାଯାଏ, ତେବେ ତାହା କଦାପି ଏକ ମାନଚିତ୍ର ନୁହେଁ । ଆମ ପିଲାଦିନେ ଆମଠାରୁ ବୟସରେ ବଡ଼ କେତେକ ନେତା ଆମକୁ ଓଡ଼ିଶା ବିଷୟରେ ଏହିଭଳି ଗୋଟିଏ ଧାରଣା ଦେବାକୁ ଚେଷ୍ଟା କରୁଥିଲେ । ଉତ୍କଳ ଜନନୀଙ୍କର ମସ୍ତକରୂପୀ ସିଂହଭୂମି ବିହାରରେ ଓ କାନ୍ଧରୂପୀ ମେଦିନୀପୁର ବଙ୍ଗଳାରେ କଟାହୋଇ ପଡ଼ିଛି । ସେହିପରି ମଧ୍ୟ ପ୍ରଦେଶ ଓ ମାନ୍ଦ୍ରାଜରେ କେତେଟା ଟୁକୁଡ଼ା ଯାଇରହିଛି । ଏପରି ଏକ ଚିତ୍ରରୂପରେ ସ୍ଥାପନା ଦ୍ଵାରା ଆମର କୋମଳ କିଶୋର ଚିତ୍ତଗୁଡ଼ିକୁ ସେତେବେଳେ କାହିଁକି ଏଭଳି ଚହଲାଇ ଦିଆ ଯାଉଥିଲା କେଜାଣି-? ଓଡ଼ିଶା ଏକ ସ୍ଵତନ୍ତ୍ର ରାଜ୍ୟରେ ପରିଣତ ହେବାପରେ ମଧ୍ୟ ଏଠି କେତେ କେତେ ବିରାବର ଊତ୍କଳ ସନ୍ତାନ ମଣିଷମାନଙ୍କୁ ଅରକ୍ଷିତ କରି ରଖି ନଅରରେ ରାଜା ହୋଇଛନ୍ତି । ଜୀବନ ସ୍ଵପ୍ନର ଯାବତୀୟ ଦେଉଳକୁ ମାରା କରି ରଖିଛନ୍ତି ।

 

ତେଣୁ, କବି ଆଉ ସ୍ଵଦେଶ ପାଖରେ ମୋଟେ ଅଟକି ନଯାଆନ୍ତୁ । ମଣିଷକୁ ସ୍ଵୀକାର କରନ୍ତୁ । ଦୀର୍ଘ ପଚାଶ ବର୍ଷରେ ଏଠି ମନୁଷ୍ୟମାନଙ୍କ ବିଷୟରେ ନିଜର ଉପଲବ୍ଧିକୁ ଚାରଣଗିରିର ଚାତୁର୍ଯ୍ୟରେ ଦୂଷିତ କରି ନ ପକାନ୍ତୁ । ସମ୍ମୁଖରେ ଥିବା ପରବର୍ତ୍ତୀ ପଚାଶ ବର୍ଷକୁ ସେମାନ ଅନ୍ୟପ୍ରକାର ସଂକଳ୍ପଦ୍ଵାରା ବଳଯୁକ୍ତ କରନ୍ତୁ । ରାମା, ଶାମା ସମସ୍ତେ ତ କ’ଣ ଘ୍ରାଣ କରି କହିଲେଣି ଯେ, ଏଥର ଭାରତବର୍ଷରେ ଦ୍ଵିତୀୟ ସ୍ଵାଧୀନତା’ର ସଂଗ୍ରାମଟିଏ ଆରମ୍ଭ ହେବାର ବେଳ ଆସିଗଲା-। କବି ମଧ୍ୟ ସେଥିରେ ସାମିଲ୍ ହେଉ, ସାଥି ହୋଇ ବାହାରୁ ।

 

[ଅନୁପମ ଭାରତ, ୧୪/୬/୯୮]

 

୭–ଅନ୍ତର୍ଜଳି ଈଶ୍ଵର, କବୀର ଅନ୍ତ୍ୟେଷ୍ଟି :

 

ରବୀନ୍ଦ୍ର ପ୍ରସାଦ ପଣ୍ଡା,

ଭାରତ-ଭାରତୀ, କଟକ–୧ ,୧୯୯୯, ମୂଲ୍ୟ – ତିନିଶହ ଟଙ୍କା

 

ଈଶ୍ଵର ମରନ୍ତି ନାହିଁ । ଯେଉଁ କେତେକ ମନୁଷ୍ୟ କ’ଣ ଗୋଟାଏ ଈଶ୍ଵରକୁ ବୋଲି ମନେ କରି ଜାବୁଡ଼ି ଧରିଥାଆନ୍ତି, ସେମାନଙ୍କର ରଞ୍ଜକ କୌଣସି କାରଣରୁ ସରିଆସିଲେ ସେହିମାନେ ହିଁ ଈଶ୍ଵର ମରିଗଲେ ବୋଲି କେଜାଣି କାହିଁକି ଭାରି ଉଲ୍ଲାସର ସହିତ କହିବାକୁ ଆରମ୍ଭ କରନ୍ତି । ଏକଦା ଇଉରୋପରେ କେତେ ଲେଖକ ରୁଷିଆରେ ପ୍ରତିଷ୍ଠିତ ହୋଇଥିବା କମ୍ୟୁନିଷ୍ଠ ସରକାରଙ୍କୁ କମ୍ୟୁନିଜମ୍ ବୋଲି ମାନି ନେଇଥିଲେ ଏବଂ ତା’ପରେ ସେହି ସରକାରଙ୍କର ଅବିଗୁଣଗୁଡ଼ିକୁ ଦେଖି ସେମାନଙ୍କର ଈଶ୍ଵର ବିଫଳ ହୋଇଗଲେ ଅର୍ଥାତ୍‍ ମରିଗଲେ ବୋଲି ଘୋଷଣା କରି ବହି ଲେଖିଥିଲେ । ଅଣ କମ୍ୟୁନିଷ୍ଟ ଦେଶମାନଙ୍କରେ ସେହି ବହି ଖୁବ୍‍ ବେଶୀ ସଂଖ୍ୟାରେ ବିକ୍ରି ହୋଇଥିଲା । କବି ମଧ୍ୟ ମରେ ନାହିଁ । ଯେଉଁ କବିତାନୁଗାମୀମାନେ ରାସ୍ତାର ସର୍ବଶେଷ ମାଇଲଖୁଣ୍ଟ ବୋଲି ମାନି ନିଅନ୍ତି ଅର୍ଥାତ୍ ସେହି ମାଇଲଖୁଣ୍ଟଟି ଠାରୁ ହିଁ ରାସ୍ତା ସରିଗଲା ବୋଲି ଗାରିମା କରୁଥାନ୍ତି, ସେମାନେ କ୍ରମେ ହଳଦିଆ ପଡ଼ି ଆସିବା ସଙ୍ଗେସଙ୍ଗେ କବି ମରିଗଲା ପାଟି କରି ଉଠନ୍ତି । ନିଶା ଖାଇଥିଲେ ହିଁ ନିଶା ଛାଡ଼ିବାର ସେହି ଦୁଖଦ ଅବସାଦଟିକୁ ଭୋଗିବାକୁ ପଡ଼ିଥାଏ । ସାହିତ୍ୟରେ ମଧ୍ୟ ନିଶା ଖାଇଥିବା ଏହି ଜୀବମାନେ କ’ଣ କମ୍ ସଂଖ୍ୟାରେ ଅଛନ୍ତି ? ସେମାନଙ୍କର ଦିନ ସରି ଆସିଲେ ସେମାନେ ପ୍ରଗଳ୍‍ଭ ହୁଅନ୍ତି । ନିଜର ଅନ୍ତ୍ୟେଷ୍ଟି ନିଜେ ପାଳନ କରନ୍ତି ।

 

ପ୍ରସ୍ତୁତ ପୁସ୍ତକଟିର ଆଲୋଚନାରୁ ଆମେ ତାହାର ଶରୀରଭେଦରୁ ଆରମ୍ଭ କରିବା । ଛଅଶହ ପୃଷ୍ଠାର ଏହି ବହିଟିରେ ପ୍ରକୃତରେ ତିନୋଟି କଳେବର ରହିଛି । ୧୯୬୪–୬୫ ମସିହାର 'କବିତା' ନାମରେ ଗୋଟିଏ ତ୍ରୈମାସିକ ପତ୍ରିକା କଟକରୁ ବାହାରିଥିଲା ଏବଂ ବର୍ଷଟିଏ ବାହାରିବା ପରେ ବନ୍ଦ ହୋଇ ଯାଇଥିଲା । ଆଲୋଚ୍ୟ ପୁସ୍ତକଟିରେ ସେହି ପତ୍ରିକାର ମୋଟ ଚାରୋଟିଯାକ ସଂଖ୍ୟାକୁ ସଂପୂର୍ଣ୍ଣ ଭାବରେ ଛପାଇ ଦିଆଯାଇଛି । ସେଇଟି ପୁସ୍ତକରେ ଦ୍ଵିତୀୟ ଅଂଶ । ପତ୍ରିକାଟି ବାହାରିବ ବୋଲି ପ୍ରେକ୍ଷାପୃଷ୍ଠରେ କିପରି କ’ଣ ସବୁ ତଦ୍‍ବିର ହେଉଥିଲା, ତାହାରି ଏକ ବିବରଣ ଚିଠି ମାଧ୍ୟମରେ ଦିଆଯାଇଛି । ତାହାର ସାହିତ୍ୟିକ ମୂଲ୍ୟ ପାଠକମାନଙ୍କ ନିମନ୍ତେ ବିଶେଷ କିଛି ନାହିଁ । ତଥାପି, ସାହିତ୍ୟିକୁ ପ୍ରାୟ ଏକ ବାରିକ୍ ମିସ୍ତ୍ରୀ କାମ ପରି ଧରିଲେ ଏବଂ ତାହାକୁ ହିଁ ସାହିତ୍ୟର ସମ୍ଭାବ୍ୟ ସବୁଯାକ (concern) ବୋଲି ଧରି ନେଲେ ଜଣେ ବା କେତେଜଣ ମଣିଷଙ୍କୁ କିପରି ବହୁ ଅସାହିତ୍ୟିକ ଜଞ୍ଜାଳ ଭିତରେ ପଶିବାକୁ ହୁଏ ଏବଂ ପରିମାଣରେ ସତେ ଅବା ବୈରାଗ୍ୟଟାକୁ ହିଁ ସର୍ବଶେଷ ଆଶ୍ରୟ ରୂପେ ଧରି ନେବାକୁ ହୁଏ, ବହିଟିର ତୃତୀୟ କଳେବରାଂଶରୁ ଆମେ ସେହି ହଂସଗାଥାର କିଞ୍ଚିତ୍‍ ଆଭାସ ହୁଏତ ପାଇଯିବା । ପ୍ରଥମ ଭାଗଟିକୁ ଲେଖକ ସ୍ଵୟଂ ଲେଖିଛନ୍ତି । ବହୁ ଉପରି ଭାଗରେ ସେଇଟିକୁ ଗୁନ୍ଥି କରି ଲେଖିଛନ୍ତି । ଏକ ସୁନିର୍ବାଚିତ ସନ୍ଦର୍ଭର ପ୍ରତୀତକୁ କାନଭାସ୍ ରୂପେ ବ୍ୟବହାର କରି ସିଏ ଆଧୁନିକ କବିତା, ତାହାକୁ ଆଧାର କରି ଓଡ଼ିଆ ସାହିତ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗଢ଼ିବାକୁ ମନ କରିଥିବା ଏକ ଆନ୍ଦୋଳନ ଲାଗି ଗୋଟିଏ ଉତ୍ସାହୀ ଉଦ୍ୟମ-ଇତ୍ୟାଦିର ଆଲୋଚନା କରିଛନ୍ତି । ଏହି ପ୍ରଥମ ଭାଗଟାକୁ ଲେଖକ ‘ଜମାନବନ୍ଦୀ’ ବୋଲି ନାମକରଣ କରିଛନ୍ତି । ଏଇଟି ତାଙ୍କର ନିଜର ଜମାନବନ୍ଦୀ ପରି ମନେହେଉଛି । ଏହି ଅଂଶର ପ୍ରଥମ ଶତାଧିକ ପୃଷ୍ଠାରେ ଅବଶ୍ୟ ଇଉରୋପୀୟ ସାକ୍ଷୀଗୁହାମାନଙ୍କୁ କାମରେ ଲଗାଇ ପରବର୍ତ୍ତୀ ଆଲୋଚନାଟି ନିମନ୍ତେ ସତେଅବା ଏକ ଅବତରଣିକା ସୃଷ୍ଟି କରାଯାଉଛି । ସାହିତ୍ୟ ବ୍ୟାଖ୍ୟାରେ ବ୍ୟବହୃତ ହୋଇ ଦୂର ବିଦେଶର ଏହି ଗୁହାମାନେ ପ୍ରକୃତରେ ଭାରି କଷ୍ଟ ପାଉଥିବେ । ଓଡ଼ିଶା ନାମକ ଏକ ଭୂମିରେ ସେମାନଙ୍କୁ କାହିଁକି ଯେ ଏଡ଼େ ଉଦାର ଭାବରେ ବ୍ୟବହାର କରାଯାଏ, ସେମାନଙ୍କ କାନରେ କେବେ ସେହି କଥାଟି ପଢ଼ୁଥିଲେ ସେମାନେ ହୁଏତ ଭାରି ଆଚମ୍ବିତ ହୋଇ ଯାଉଥିବେ । ଏବଂ ଏହି ଓଡ଼ିଶାରେ ଆମେ ମଧ୍ୟ ଆମ ସାହିତ୍ୟ ନିଶାପଗୁଡ଼ିକରେ ହକରା ହୋଇ ଆସୁଥିବା ଏହି ନାମଗୁଡ଼ିକୁ ହାବୁଡ଼ିଯାଇ ବି କମ୍ ଆଚମ୍ବିତ ହେଉନଥିଲା ।

 

ଏହି ଶତାବ୍ଦୀରେ ଆରମ୍ଭରେ ଆମ ସାହିତ୍ୟରେ ଏକ ନୂତନ ବେଗସଂଚାରର ଜୀବନ୍ୟାସ ଦେଇ ଯେଉଁ ନୂତନ ମୋଡ଼ଟିର ସୂତ୍ରପାତ ହୋଇଥିଲା, 'ଉତ୍କଳ ସାହିତ୍ୟ' ପତ୍ରିକାକୁ ତାହାରି ବାର୍ତ୍ତାବହ ହେବାର ସୌଭାଗ୍ୟ ମିଳିଥିଲା । ତିରିଶ ବର୍ଷ ତଳେ ସେହି ପତ୍ରିକାର ମୂଳ କେତୋଟି ସଂଖ୍ୟାକୁ ଏକତ୍ର ଗୋଟିଏ ବହିରେ ଆକାର ଦେଇ ଛପାଇ ଦେବା ଦ୍ଵାରା ସାହିତ୍ୟର ନିରୀକ୍ଷକମାନଙ୍କୁ ତାହା ବହୁଦିଗରୁ ଉପକୃତ କରିପାରିଲା । ସତ୍ୟବାଦୀ ଯୁଗ, ସବୁଜ ଯୁଗ ବିଷୟରେ ଆମ ନିମନ୍ତେ ସେହି ଭଳି କୌଣସି ଉପପୁସ୍ତକ କେହି ପ୍ରକାଶ କରି ନାହାନ୍ତି । ତା’ପରେ ‘ଆଧୁନିକ’, ଏହି ପତ୍ରିକାର ପୃଷ୍ଠପୋଷକ ଗୋଷ୍ଠୀଟି ବଡ଼ ସଚେତନଭାବରେ ଓଡ଼ିଆ ସାହିତ୍ୟରେ ଏକ ବିଶେଷ ଉଦବେଳନର ପ୍ରବାହ ସୃଷ୍ଟି କରିବାକୁ ଇଚ୍ଛା କରିଥିଲେ ଏବଂ ସେହି ପରିପ୍ରେକ୍ଷୀରେ ନିଜକୁ ସତେ ଅବା ଗୋଟିଏ ଧର୍ମ ସମ୍ପ୍ରଦାୟ ଅନୁଭବ କରୁଥିଲେ । ତା’ପରେ ଯେଉଁ ପ୍ରତିଭୂମାନେ ସାହିତ୍ୟରେ ଲେଖିଲେ, ସେମାନେ ପ୍ରାୟ ଏକ ଐକାନ୍ତିକ ଅନମନୀୟତାରେ ନିଜକୁ ଆଧୁନିକ ବୋଲି କହିଲେ ଏବଂ ସେମାନେ ଲେଖୁଥିବା କବିତାକୁ 'ନୂତନ' କବିତା ବୋଲି ପ୍ରଚାର କଲେ । ସାହିତ୍ୟର ଗବେଷକମାନେ କ’ଣ ବିଚାର କରି ସେହିମାନଙ୍କର ପ୍ରଚାର ସହିତ ରାଜି ହୋଇଯାଇଥିବା ପରି ସେହିଠାରୁ ହିଁ ଆମ ସାହିତ୍ୟର ଆଧୁନିକ ଯୁଗ ଆରମ୍ଭ ହୋଇଗଲା ବୋଲି ସ୍ଵୀକାର କରିନେଲେ । ସେହି ସ୍ଵୀକୃତିର ପ୍ରାୟ ନାନାଭଳି ପ୍ରତିକ୍ରିୟା ସ୍ୱରୂପ ପରବର୍ତ୍ତୀ ବର୍ଷମାନଙ୍କରେ ‘ଅନାମ’ ‘ଅବଧୂତ’ ଓ ‘ଆକ୍ରାନ୍ତ’ ଆଦି କେତେକ ଗୋଷ୍ଠୀ ବା ସମ୍ପ୍ରଦାୟ ମଧ୍ୟ ଆମ ସାହିତ୍ୟସଭାର ଗଗନରେ ଆସି ଉଦିତ ହୋଇଛନ୍ତି ଏବଂ ସମ୍ପୃକ୍ତ ବୀରମାନେ ବୟସ ହୋଇ ଆସିବା ସଙ୍ଗେ ସଙ୍ଗେ ଅସ୍ତମିତ ବି ହୋଇଛନ୍ତି । ଏ ସବୁର ବିସ୍ତୃତ ଆଲୋଚନା ହେଲେ ତାହା ଅବଶ୍ୟ ଅତ୍ୟନ୍ତ ଆମୋଦଦାୟକ ହୋଇପାରନ୍ତା ,

 

‘କବିତା’ ପତ୍ରିକାର ଚାରୋଟି ସଂଖ୍ୟାରେ ଯେଉଁ ଜ୍ୟୋତିଷ୍କମାନଙ୍କୁ ଆମେ ଖୁଜୁବୁଜୁ ହୋଇଯିବାର ସନ୍ଦର୍ଶନ କରିପାରୁଛୁ, ସେମାନେ ପ୍ରାୟ ସମସ୍ତେ ଇଂରାଜୀ ଭାଷା ଓ ସାହିତ୍ୟରେ ଅଧ୍ୟାପନା କରି ଜୀବିକା ନିର୍ବାହ କରିଛନ୍ତି । ଏଇଟା ଦେଖି ଆଶ୍ଚର୍ଯ୍ୟ ସିନା ଲାଗୁଛି, ମାତ୍ର ଗୋଟେ ଆକସ୍ମିକ ବୋଲି ମନେ ହେଉ ନାହିଁ । ଚାରୋଟି ସଂଖ୍ୟାଭିତରୁ ପୂରା ଗୋଟିଏ ସଂଖ୍ୟା ଶ୍ରୀ ଟି. ଏସ୍. ଇଲିଅଟ୍‍ଙ୍କ ସମ୍ପର୍କରେ ବାହାରିଛି । ଓଡ଼ିଆ କବିତା’ର ଏହି ସ୍ଵତନ୍ତ୍ର ମାର୍କାର ଆଧୁନିକ ଯୁଗଟି ମୂଳତଃ ,ଧର୍ମତଃ ତଥା ବସ୍ତୁତଃ ଇଲିଆଟି ପଦରଜକୁ ହିଁ ପ୍ରେରଣାରୁପେ ଦେହରେ ବୋଲି ହୋଇ ଆପଣାର ଯାହା କିଛି ସାହିତ୍ୟ କରାମତି ଦେଖାଇଛି । ଜଣେ ଜଣେ ତ ସେହି ଇଲିଅଟି ଅମାରରୁ ଧାନ କରଜ ଆଣି ହିଁ ଓଡ଼ିଆ କବିତାରେ ଖଇ ଭାଜିଦେବାକୁ ହିଁ ପ୍ରାୟ ମହାକାର୍ତ୍ତିକର ପୁଣ୍ୟବତ୍ ବିଚାର ବି କରିଛନ୍ତି, ଏବେ ଗୋଟିଏ କେଉଁଠାରେ ପଢ଼ୁଥିଲି, ସ୍ଵୟଂ ଇଲିଅଟ୍ ନିଜର ସମଗ୍ର କବିତାକୃତି ଉପରେ ଏକ ସିଂହାବଲୋକନ କରି ତାହାକୁ(ନିଜର ସୁବିଖ୍ୟାତ ଗୁଚ୍ଛକାବ୍ୟ Wasteland ଉପରେ ବିଶେଷ ଦୃଷ୍ଟି ନିବଦ୍ଧ କରି) 'just a piece of rhythmical grumbling' ବୋଲି କହିଛନ୍ତି, ଦ୍ଵିତୀୟ ମହାଯୁଦ୍ଧ ପରେ ପାଶ୍ଚାତ୍ୟ ପୃଥିବୀର ମଞ୍ଚ ଉପରେ ସେତେବେଳର ଇଲିଅଟ୍‍ଙ୍କୁ ବେଶ୍ ଉତ୍ତମ ରୂପେ ବୁଝି ହେଊଛି; ମାତ୍ର ସଦ୍ୟ ସ୍ଵାଧୀନତା ଲାଭ କରିଥିବା ସ୍ଵପ୍ନୋତ୍ସାହ – ଛଳ ଛଳ ଭରାତବର୍ଷର ଆଗରେ ମହନୀୟ ନାନା ଆହ୍ଵାନର ଏକ ଅନ୍ୟ ମୁହୂର୍ତ୍ତରେ ଆମର ଏଠାରେ ଯେ ଏହି କବିକୁଳ କାହିଁକି ରୁଷିବା ପାଇଁ ନିଷ୍ପତ୍ତି କଲେ, ସେ କଥା ଏବେ ମଧ୍ୟ ବୁଝି ହୁଏ ନାହିଁ । ସେହି ଆହ୍ଵାନ ଗୁଡ଼ିକୁ ଏଡ଼ି ଦେଇ ସେମାନେ ନବଲବ୍ଧ ସ୍ଵାଧୀନତାର ସୁଯୋଗଗୁଡ଼ିକୁ ଗୋଟାପଣେ ନାକ ଯାଏ ଭୋଗ କରିବାର ମାତ୍ମର୍ଯ୍ୟ ଭିତରେ ପଡ଼ିଯିବାରୁ ଏଭଳି ଆଚରଣ କଲେ କି ? ଏହି ଶଙ୍କାଟିର ସମାଧାନ ହେବା ଏବେ ମଧ୍ୟ ବାକି ରହିଯାଇଛି । ଇଂରେଜଙ୍କ ଅମଳରେ ଇଂରାଜୀ ଭାଷା ସାହେବମାନଙ୍କର ଭାଷା ଥିଲା, ତାହା ସ୍ଵାଧୀନତା ପରେ ଉଗ୍ର ଅଳପଙ୍କର ହିଁ କୁଣ୍ଡଳ ଓ କବଚ ହୋଇରହିଲା ଏବଂ ସେଇମାନେ ହିଁ ଦେଶଟାକୁ ଶାସନ କଲେ, ଦେଶଟାକୁ ଅଟକାଇ ରଖିଲେ, ଆମ ଦେଶରେ ନିଜେ ଏକୁଟିଆ ବ୍ରାହ୍ମଣ ହୋଇ ରହିଲେ । ସେଇଆଡ଼ୁ ଚରୁଅନ୍ନ ଆଣି ଆମ ସାହିତ୍ୟରେ ଆଧୁନିକ ଯୁଗରେ ଏକ ଭେଳିକି ଭର୍ତ୍ତି କରିଥିବା ଆମର ଏହି କବିମାନେ ସେହି ବ୍ରାହ୍ମଣମାନଙ୍କ ତରଫରୁ ସତେଅବା ମିଶନାରୀ ସଦୃଶ କାମ କଲେ-। ଆମ ହାଇସ୍କୁଲମାନଙ୍କରେ ଏକଦା ଇଂରାଜୀ ପଢ଼ାଉଥିବା ଶିକ୍ଷକମାନେ ଯେପରି ବାରି ହୋଇ ପଡ଼ୁଥିଲେ, ସାହିତ୍ୟ-ପୋଖରୀର ଏହି ଶୃଙ୍ଗୀମାନେ ସେହିପରି ସଫା ବାରିହୋଇ ପଡ଼ିଲେ-। ଆମ ଅନ୍ୟମାନଙ୍କୁ ଗୋଟାସୁଦ୍ଧା ଅଜାତିଆ ଏବଂ ଅପଙ୍‍କ୍ତିଆ ବୋଲି କହିଲେ ।

 

'କବିତା'ର ଗୋଟିଏ ସଂଖ୍ୟାରେ ଜଣେ କବି ତାଙ୍କ କବିତାରେ ‘ଏ ଜୀବନ ଯେପରି ଖାଲି ଅର୍ଥହୀନ ଗୁଲିଖଟି ଗପ’ (ପୃଷ୍ଠା–୨୨୬) ବୋଲି ଲେଖିଛନ୍ତି । କାହାକୁ ଖତେଇ ହୋଇ ସିଏ ଏପରି ଲେଖିଛନ୍ତି କେଜାଣି ? ଯେତେଦୂର ଅନୁମାନ ହେଉଛି, ଏପରି ଲେଖିଲାବେଳକୁ ତାଙ୍କର ବୟସ ମୋଟେ ତିରିଶି ପାଖାପାଖି ହୋଇଥିବ । ଜୀବନରେ ଏତେ ଶୀଘ୍ର ସିଏ ଏଡେ ବଡ଼ ଉପଲବ୍ଧିଟାଏ କରିପାରିଲେ । ଉପଲବ୍ଧି ମୋଟେ ନୁହେଁ, ଏଇଟା ହେଉଛି ସିଏ ଇଂରାଜୀ ଇଲିଅଟୀ ମୁଲକରୁ ସାଉଁଟି ଆଣିଥିବା ସାହିତ୍ୟ-ଫେସନର ଓଡ଼ିଆ ଭାଷାରେ ଏକ ଆମୋଦପ୍ରୋମୋଦିତ ଉଦ୍‍ଗୀରଣ, ହୁଏତ, ସେହି ସମଗ୍ର କବିତା-ପର୍ଯ୍ୟାୟ ଟିକୁ ଆଖିଆଗରେ ରଖି କୁହାଯାଇ ପାରିବ ଯେ, ବଡ଼ ଗେହ୍ଲାଙ୍କ ପରି ଏହି କବିମାନେ ଜୀବନଠାରୁ ଏବଂ ନିଜ ସମୟଟାଠାରୁ କେବଳ ଅସରନ୍ତି ପରିମାଣରେ ଚାହିଲେ, ଯେତେ ଯେତେ ପାଇଲେ ବି ରୁଷି ବସିଲେ ଏବଂ, ଜୀବନରେ ସତକୁ ସତ କିଛି ପାଇବାକୁ ହେଲେ ଖୁସି ହୋଇ ନିଜକୁ ଦେବାକୁ ହୁଏ ବୋଲି ସେହି ଅସଲ ଅନ୍ୟ ଶିକ୍ଷାଟିକୁ ଶିଖି ପାରିଲେନାହିଁ । ତେଣୁ ଅତ୍ୟନ୍ତ ଦୟନୀୟ ଭାବରେ ବ୍ୟର୍ଥ ହେଲେ, ଭାବରେ ଭୂମିରେ ଅତ୍ୟନ୍ତ କୃଶ ହେଲେ, ସାହିତ୍ୟର ବଜାରରେ ଉଗ୍ର ହେଲେ ଏବଂ ସାହିତ୍ୟ ତଥା ଜୀବନର ଅନୁରାଗୀ ସମ୍ପୃକ୍ତ ଆମ ସମସ୍ତଙ୍କୁ ଭାରି ହଇରାଣ କଲେ । ସେ କାଳର ସେହି ଆଧୁନିକମାନେ ବର୍ତ୍ତମାନ ବୟସରେ ପ୍ରାୟ ପ୍ରୌଢ଼ାବସ୍ଥାକୁ ପାର ହୋଇ ସାରିଲେଣି । ତଥାପି ଠିକ୍ ସେହିକାଳ ପରି ସେତିକି ପରିଧି ଭିତରେ ନିଜର ଖେଦବାଦୀ ଏବଂ ସଂଶୟବାଦୀ ବାଡ଼ିଗୁଡ଼ିକୁ ବୁଲାଇବାରେ ଲାଗିଛନ୍ତି । ଅଧିକାଂଶ ମନୁଷ୍ୟ ବଞ୍ଚିତ ହୋଇ ରହିଥିବା ଏହି ଦେଶରେ ସାମନ୍ତତୁଲ୍ୟ ଏକ ଚଳଣି ଭିତରେ ଚଳି ଆସିଛନ୍ତି ଏବଂ ସତେଅବା ମୋଟେ କେଉଁଠି କିଛି ଡୋର ଲାଗିନଥିବା ବ୍ୟକ୍ତିଟିଏ ପରି କେବଳ ଅଭିଯୋଗ କରି ଆସିଛନ୍ତି । ଈଶ୍ଵରଙ୍କୁ ବହୁତ ଧନ୍ୟବାଦ, ସେମାନଙ୍କର ପଛଧାଡ଼ିରେ ସେମାନଙ୍କର ପରିଚ୍ଛଦ ପିନ୍ଧିଥିବା ଆଉ ସେ ପରି କେହି ନାହାନ୍ତି । କବିତାରେ ଏବଂ ସାହିତ୍ୟରେ କ୍ରମେ ନୂଆ ନୂଆ ଶିଖରମାନେ ଦୃଷ୍ଟିଗୋଚର ହେଲେଣି ।

 

ଏହି ଆଧୁନିକ ଯୁଗଟିର ଗୋଟିଏ ବଡ଼ ଲକ୍ଷଣ ହେଉଛି ଯେ, ତାହା ଆମର ଜୀବନଦୃଷ୍ଟିକୁ ଭାରି ଫାଳ ଫାଳ କରିଦେବା ପାଇଁ ପ୍ରବର୍ତ୍ତନା ଦେବାରେ ଲାଗିଥିଲା । ସାହିତ୍ୟ ସତେଅବା ଏକ ବିଶେଷ ଧନ୍ଦାରେ ପରିଣତ ହୋଇଗଲା । ଜଣେ କବୀର କବିତା ମାଧ୍ୟମରେ ତାକୁ ଚିହ୍ନିବାକୁ ମନ କଲେ ବଡ଼ ଅପଦସ୍ତ ହେବାକୁ ପଡ଼ିଲା ଏବଂ ତା’ର ଜୀବନ ମାଧ୍ୟମରେ ତା’ କବିତାକୁ ଚିହ୍ନିବାକୁ ମନ କଲେ ବଡ଼ ନିରାଶ ହେବାକୁ ପଡ଼ିଲା । ଅର୍ଥାତ୍, ସତେ ଅବା ଜୀବନଟାକୁ ଏକ ବିପଣିଧର୍ମୀ ଧନ୍ଦା ପରି ଗ୍ରହଣ କରୁଥିବା ଭଳି ସେମାନେ ସାହିତ୍ୟକୁ ମଧ୍ୟ ସେହି ପ୍ରକ୍ରିୟାରେ ଅତ୍ୟନ୍ତ କମର୍ସିଆଲ କରି ପକାଇଲେ, ସାହିତ୍ୟର ଯୁଗ ଯୁଗର ଧର୍ମକୁ ସତେ ଅବା ଫନ୍ଦି କରି ଓଲଟାଇ ଦିଆଗଲା । କବିମାନେ ପ୍ରେମିକ ପରି ନୁହେଁ, ବନ୍ଧୁ ପରି ବି ନୁହେଁ, ପ୍ରାୟ ସକଳ ପରିମଳରେ ଚତୁର ଭାରଣ୍ଡ ପକ୍ଷୀଟିଏ ପରି ଦିଶିଲେ । ସେହି ପକ୍ଷୀମାନେ ପରସ୍ପରକୁ ଅଡ଼ୁଆ ହେଲେ, ଆତ୍ମନେପଦୀ ଗାଇଲେ ଏବଂ ନିଜ ନିଜର ସିଂହାସନ ଟିଏ ତୋଳି ଏକା ଏକା ବାଦଶାହ ପରି ବସିବାକୁ ମନ କଲେ । ଏହିପରି ଏକ autoeroticism ସତେ ଅବା ଆମର ଏହି ସାହିତ୍ୟକାଳଟାର ଇଜ୍ଜତ ହୁଡ଼ାଇନେବାର ଷଡ଼ଯନ୍ତ୍ର କରୁଥିବା ପରି ଲାଗିଲା । ସାହିତ୍ୟଆଡ଼କୁ ଅନାଇବାବେଳକୁ କେବଳ ପରସ୍ପରଠାରୁ ଛିନ୍ନ ହୋଇ ରହିଥିବା ଗୁଡ଼ିଏ ଦ୍ଵୀପ ହିଁ ଦେଖାଗଲେ । ତାହା କେବଳ ଆଖିକୁ ନୁହେଁ, ହୃଦୟକୁ ମଧ୍ୟ ବାଧିଲା, ଓଡ଼ିଆ କବିତା’ର ଏହି ଅବଧିଟିରେ ସମାନ୍ତର ଭାବରେ ଅନ୍ୟଭଳି ପ୍ରବୃତ୍ତି ମାନେ ବି ରହିଥିଲେ, ମାତ୍ର ପୁତନାମାନଙ୍କର ଆଖିଟାଭିତରେ କୋଉଠି କ’ଣ ରହିଥିଲା କେଜାଣି, ସେହି ଅନ୍ୟମାନେ ଉଧେଇ ପାରିଲା ନାହିଁ । ସେମାନେ ଥିଲେ ବୋଲି ଏବେ ଯାଇ କ୍ରମେ କିଞ୍ଚିତ ସୂଚନା ମିଳୁଛି ।

 

ଆପଣାର ଦୀର୍ଘ ଜମାନବନ୍ଦୀରେ ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରସାଦ ପଣ୍ଡା ସେହି ଆଧୁନିକମାନଙ୍କୁ ଚୁନୌତି ଦେବାକୁ ଯାଇ ‘ଆମର ସମଗ୍ର ମୂଲ୍ୟବାନ ଇଉରୋପ କେନ୍ଦ୍ରିକ ' ବୋଲି ମନ୍ତବ୍ୟ ଦେଇଛନ୍ତି । (ପୃଷ୍ଠା–୮୫) ମାତ୍ର, କେଜାଣି କାହିଁକି ନିଜ ଆଲୋଚନାରେ ସିଏ ମଧ୍ୟ ଯାବତୀୟ ଯୁକ୍ତିକୁ ସେହି ଇଉରୋପୀୟ ହାଣ୍ଡିମାନଙ୍କରେ ପରିବେଷଣ କରିବାକୁ ଉଚିତ ମଣିଛନ୍ତି । ସେ ଯେଉଁମାନଙ୍କୁ ବିଚାରର ଅଡ଼ାଭିତରେ ରଖି ନିଜର ପ୍ରତିଯୁକ୍ତିଗୁଡ଼ିକୁ ବାଢ଼ିଛନ୍ତି, ସେହିମାନଙ୍କର ବୁଝିବା ଭଳି ଡାଳମାନଙ୍କରୁ ଶୈଳୀ ଆଣି ସିଏ ଆପଣାର ବକ୍ତବ୍ୟମାନ ପ୍ରସ୍ତୁତ କରିଛନ୍ତି କି ? ଏକ ଉଲ୍ଲେଖ ଯୋଗ୍ୟକଥା ହେଉଛି, ଶ୍ରୀଯୁକ୍ତ ପଣ୍ଡା ଏହି ପ୍ରକରଣଟିକୁ ଦଶବର୍ଷ ପୂର୍ବେ ୧୯୮୮ରେ ଲେଖିଥିଲେ । ଓଡ଼ିଆ ସାହିତ୍ୟକୁ ପୃଷ୍ଠଭୂମି ତଥା ପୁରୋଭୂମିରେ ରଖି ସିଏ ନିଜର ଉକ୍ତିଗୁଡ଼ାକୁ ଇଚ୍ଛା କରିଥିଲେ କିଞ୍ଚିତ ଅନ୍ୟଭଳି ପ୍ରସ୍ଥମାନେ ଦେଇ କହି ପାରିଥାନ୍ତେ । ସିଏ ତାହା କଲେ ନାହିଁ । ସମ୍ଭବତଃ ଯଥାସମ୍ଭବ ଶୀଘ୍ରାତିଶୀଘ୍ର ତାଙ୍କୁ ନିଜର କଳ୍ପିତ ଅନ୍ତ୍ୟେଷ୍ଟିକ୍ରିୟାଟିକୁ ସମାପ୍ତ କରିଦେବା ଟା ହିଁ ସମୀଚୀନ ବୋଧ ହେଉଥିଲା ପରି ସିଏ ସେହିଭଳି କଲେ କି ?

 

ବରଂ, ପତ୍ରିକାଟିର ଦ୍ଵିତୀୟ ସଂଖ୍ୟାରେ ଶ୍ରୀଯୁକ୍ତ ସତ୍ୟନାରାୟଣ ତ୍ରିପାଠୀ କହିଥିବା କଥାଟିକୁ ଆମେ ସମଧିକ ଧ୍ୟାନ ସହିତ ସ୍ମରଣ ରଖିବା (ପୃଷ୍ଠା-୨୪୨): ‘କହିବା ବାହୁଲ୍ୟ ଯେ, ଇଉରୋପୀୟ ଚିନ୍ତାଧାରା ତଥା କବିମାନସ ଆଜି ଯେଉଁ ସ୍ତରରେ ପହଞ୍ଚିଛି, ତା’ ପଛରେ ସେଠାକାର ଇତିହାସ, ଭୂଗୋଳ, ଘଟଣା ପ୍ରବାହ, ଅର୍ଥନୀତି ସବୁ କିଛି ରହିଛି । ଏବଂ, ତେଣୁ (ପୃଷ୍ଠା–୨୪୬)’ ଆମେ ପାଶ୍ଚ୍ୟାତ ସାହିତ୍ୟର ମନୋଭାବକୁ ହଜମ କରି ସୁଦ୍ଧାଆମ ମାଟିରେ ପାଦ ରଖି ଛିଡ଼ା ହେବୁ; ଆମର କାବ୍ୟ ତତ୍ଵ ଓ ଏସଥେଟିକ୍‍ସ୍‍ର ଧର୍ମଗୁଡ଼ିକୁ ହଜାଇ ନଦେଇ ପାଶ୍ଚାତ୍ୟ ଚିନ୍ତାଧାରାର ସଂଯୋଗରେ ବରଂ ତାକୁ ଅଧିକ ସମୃଦ୍ଧି କରିବୁ ।’ ଏତିକି ପ୍ରକୃତରେ କେବଳ ସରଳ ସିଧା କଥା ! ମାତ୍ର ଦାସମାନେ ତାହା କରିପାରନ୍ତି ନାହିଁ । ନିଜ ଭୂମିକୁ ଘୃଣା କରି ନାକ ଟେକି ବାଟ ଚାଲୁଥିବା ବ୍ୟକ୍ତିମାନେ ସେଥିରେ ଅସମର୍ଥ ହିଁ ହୁଅନ୍ତି । ଓଡ଼ିଆ ସାହିତ୍ୟର ଏହି ଆଧୁନିକ ପର୍ବଟି ପ୍ରାୟ ସେହିମାନଙ୍କରେ ଉପଦ୍ରବ ହେତୁ ସେଥିରେ ଅସମର୍ଥ ହୋଇ ରହିଗଲା । ଶ୍ରୀଯୁକ୍ତ ପଣ୍ଡାଙ୍କ ଭାଷାରେ (ପୃଷ୍ଠା–୪୫୫), 'ସେମାନେ ପ୍ରାୟ ଏକ ସମ୍ପ୍ରଦାୟ ବା ବର୍ଗ ହିସାବରେ establishment ର ପ୍ରତିନିଧି ହୋଇ ରହିଗଲେ । କିଏ ଉଚ୍ଚପଦରେ ଅଧିଷ୍ଠିତ ରାଜପୁରୁଷତ କିଏ ସରକାରୀ ଶିକ୍ଷୟତନରେ ବେତନ ଭୋଗୀ ଶିକ୍ଷକ । ଭାବରେ ସେମାନେ ସାହିତ୍ୟରେ ଆଉ କେତେ ଦୂର ବା ଯାଇଥାନ୍ତେ ? ସ୍ଵାଧୀନତା ପରେ ଭାରତବର୍ଷର ତା’ ସାହିତ୍ୟରୁ ଯେଉଁ ସାଧୁତା ତଥା ସହଗାମିତାର ପ୍ରତ୍ୟାଶା ରଖିଥିଲା, ସେତିକି ପ୍ରତ୍ୟାଶାର ମଧ୍ୟ ପୂରଣ ହୋଇ ପାରିଲାନାହିଁ । ଏହି ଆଧୁନିକମାନେ ପ୍ରତିଷ୍ଠାନର ପକ୍ଷରେ ରହିଗଲେ । ଭାରତବର୍ଷରେ ଏକ ନୂଆ ବାବୁଅମଳ ସୃଜି ରଖିବାରେ ସେମାନେ ସ୍ଵୀକୃତିପ୍ରାପ୍ତ ବୟସ୍ୟବତ୍ କାର୍ଯ୍ୟ କଲେ । ସମାଜର ପରିବର୍ତ୍ତନରେ ଗୋଟିଏ କାଳ ସାହିତ୍ୟଠାରୁ ଯେଉଁ ହେମତ ପାଏ, ଓଡ଼ିଶା ଓ ଭାରତରେ ତାହା ହୋଇ ପାରିଲାନାହିଁ । ଆମ ନୂଆ ସାହେବମାନଙ୍କର ବିଳାସଘରେ ସାହିତ୍ୟ ସତେ ଅବା ପିକଦାନି ହୋଇ ରହିଗଲା ।

 

ପରବର୍ତ୍ତୀ ପୃଷ୍ଠାରେ ଶ୍ରୀଯୁକ୍ତ ପଣ୍ଡା ପୁଣି ଲେଖିଛନ୍ତି, ‘‘ରାଷ୍ଟ୍ରଶକ୍ତିକୁ ଆହ୍ଵାନ ନଜଣାଇ, କୌଣସି ମୌଳିକ ପରିବର୍ତ୍ତନ ସାଧନ, ସାଂସ୍କୃତିକ କ୍ଷେତ୍ରରେ ହେଉ କି ଶିକ୍ଷା ବ୍ୟବସ୍ଥାରେ, ଅସମ୍ଭବ ।’’ (ପୃଷ୍ଠା–୪୫୬) ଭାରତବର୍ଷରେ ଏହି ଅସଲ ବିପ୍ଳବଟିରେ ରାଷ୍ଟ୍ରଶକ୍ତି ଲୋକଶକ୍ତିକୁ ବାଟ ଛାଡ଼ି ଦେଇଥାନ୍ତା, ଅର୍ଥାତ୍ ଲୋକଶକ୍ତି ହିଁ ରାଜଶକ୍ତିକୁ ପରିଚାଳିତ କରିଥାନ୍ତା । ପଚାଶ ବର୍ଷର ସ୍ଵାଧୀନତା ପରେ ଆମେ ଏହି ଦେଶରେ ସର୍ବତ୍ର ଦେଖିପାରିବା ଯେ ରାଷ୍ଟ୍ର ଶକ୍ତି ହିଁ ଦେଶରେ ଏକ ଅନୁକୂଳ ଅନ୍ଧାର ସୃଷ୍ଟିକରି ଲୋକଶକ୍ତିକୁ ଭୂତାଇ ରଖିଛି । ଏବଂ ସରକାରୀ ହାକିମ ଓ ଅଧ୍ୟାପକ ହିସାବରେ କାର୍ଯ୍ୟ କରୁଥିବା ଆମ ସାହିତ୍ୟିକଯୂଥ ଏଥିରେ ରାଷ୍ଟ୍ରକୁ ହିଁ ସାହାଯ୍ୟ କରିଛି । ଠାଏ ଠାଏ ସରକାର ହିଁ ଗିଳି ପକାଇବା ନିମନ୍ତେ ଯାବତୀୟ ଉପଚାରମାନ ବାହାର କରିଛି । ସାହିତ୍ୟିକମାନଙ୍କୁ ପୋଷାପ୍ରାଣୀ ପ୍ରାୟ କରି ରଖିଛି । ଅସଲ କଥାଗୁଡ଼ିକ କହିବାଲାଗି ସତେ ଅବା ଜିଭ କଟା ହୋଇ ରହିଥିବା ପରି ଆମ ଆଧୁନିକମାନେ ତୁହାକୁ ତୁହା ଶୈଳୀର କଥା କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ହାହାକାର କରୁଥିବା ନିଃସଙ୍ଗ ମଣିଷଟିର କଥା କହିଛନ୍ତି । ପୁସ୍ତକର ପରିଶିଷ୍ଟ ତୃତୀୟ ଅଂଶଟି ପାଖକୁ ଆସିବା ପରେ ଭାରି କ୍ଷୋଭର ସହିତ କହିବାକୁ ପଡ଼ୁଛି ଯେ, ଲେଖକ ଏହି ପ୍ରସଙ୍ଗ ସମ୍ବନ୍ଧରେ ପ୍ରକୃତରେ ଅଧିକ ଆଲୋକପାତ କରି ପାରିଥାନ୍ତେ ଏବଂ, ଅଧିକ ମହତ୍ଵପୂର୍ଣ୍ଣ କଥାଟି ହେଉଛି, ସେହି ଆଲୋକପାତର ଦୃଶ୍ୟପଟଟି ଉପରେ ହିଁ ଆଧୁନିକ ଦାସ ଯୁଗଟିରେ ଏକ ଆଲୋଚନା ମଧ୍ୟ କରିଥାନ୍ତେ । ସତେଅବା କୌଣସି ମୋହଭଙ୍ଗ ତାଙ୍କୁ ମ୍ରିୟମାଣ କରି ପକାଇଥିବା ପରି ସିଏ ଅସଲ ଦାଣ୍ଡିଗୁଡ଼ିକ ଏଡ଼ି ଚାଲିଯାଉଥିବା ପରି ଲାଗୁଛନ୍ତି । ହୁଏତ ନିଜ ଭିତରେ ମଧ୍ୟ କୌଣସି ଘାଆ ଯେପରି ଅନ୍ୟମାନଙ୍କ ନଜରରେ ନ ପଡ଼େ, ସେଥିପ୍ରତି ସିଏ କିଞ୍ଚିତ ଚେଷ୍ଟିତ ମଧ୍ୟ ରହିଛନ୍ତି । ନିଜର ଏହି କୃତିଟିକୁ ଶ୍ରୀ ପଣ୍ଡା ସର୍ବ ପ୍ରଥମେ ଓଡ଼ିଆ ଲିଟଲ୍‍ ମାଗାଜିନ ଆଧୁନିକର ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଭଗବତୀ ବାବୁଙ୍କରେ ଛବିଟିଏ ମଧ୍ୟ ଏଥିରେ ଯୋଡ଼ା ହୋଇଛି । ମାତ୍ର ଭଗବତୀ ଚରଣଙ୍କୁ କ’ଣ ସିଏ ପ୍ରଥମ ଲିଟଲ ମାଗାଜିନ୍‍ର ସମ୍ପାଦକ ହିସାବରେ ସର୍ବପ୍ରଥମେ ସ୍ମରଣ କରିଛନ୍ତି ? ତେଣୁ, ସତକୁ ସତ ଯେଉଁଥିପାଇଁ ସ୍ମରଣ କରିଛନ୍ତି, ସେହି କଥାଟିକୁ ଲୁଚାଇଛନ୍ତି ବା କାହିଁକି ? ଯେଉଁ 'ଆଧୁନିକ'ର ଅବତାରଣା କରାଇବାକୁ ଭଗବତୀ ବାବୁ ସେହି ନାମରେ ପତ୍ରିକାଟିଏ କାଢ଼ି ଥିଲେ, କବିତାର ଏହି ଅନ୍ୟ ରାନ୍ଧୁଣିଆ ଗୋଷ୍ଠୀଟି ସହିତ ତାହାର ତୁଳନା କରି କେତେପଦ କଥା କୁହାହୋଇ ପାରିଥାନ୍ତା ।

 

ପରିଶିଷ୍ଟ ଗ୍ରନ୍ଥାଶଟି ମଧ୍ୟରେ ଖାଲି ଚିଠିପତ୍ର । ହଁ, ନିଜପକ୍ଷରୁ ଗୁହାଟିଏ ଛିଡ଼ା କରାଇ ସବାଆଗ ଶ୍ରୀଯୁକ୍ତ ଗୁରୁଚରଣ ପଟ୍ଟନାୟକଙ୍କର ସାହିତ୍ୟ-ସମାଲୋଚନା ସମ୍ପର୍କିତ ଲେଖାଟିଏ ବି ଗୁନ୍ଥି ଦିଆ ଯାଇଛି । ଚିଠି-ଟୋକେଇର ସବାଶେଷ ଚିଠିର ଶେଷଆଡ଼କୁ ପ୍ରାୟ ଏକ ଗୌଣ ମନ୍ତବ୍ୟ ପରି ଯେଉଁ ଅଧଧାଡ଼ିଏ ରହିଛି, ଆମେ ତାହାରି ସନ୍ଦର୍ଭରେ କିଛି ଆଲୋଚନା କରି ଏହି ସମୀକ୍ଷାଟିକୁ ଶେଷ କରିବା । ଲେଖାଟି ସ୍ଵୟଂ ଶ୍ରୀଯୁକ୍ତ ପଣ୍ଡାଙ୍କ ପାଖକୁ ଲିଖିତ ୧୯୬୫ ମସିହା ମଇ ମାସରେ ପ୍ରଫେସର ବିଧୁଭୂଷଣ ଦାସଙ୍କ ଦ୍ଵାରା ଇଂରାଜୀ ଭାଷାରେ । ସେତେବେଳେ ପ୍ରଫେସର ଦାସ ଓଡ଼ିଶା ବାହାରେ ରାଞ୍ଚିରେ । ଶ୍ରୀ ପଣ୍ଡା ଖୁବ୍‍ ସମ୍ଭବ କବିତା ପତ୍ରିକା ପାଇଁ ଲେଖାଟିଏ ପଠାଇବାକୁ ତାଙ୍କୁ ଅନୁରୋଧ କରିଥିଲେ । ଉତ୍ତରରେ ଶ୍ରୀଯୁକ୍ତ ଦାସ ଲେଖିଛନ୍ତି ଯେ, ପରୀକ୍ଷା କାର୍ଯ୍ୟରେ ସିଏ ଅତ୍ୟନ୍ତ ବ୍ୟସ୍ତ ଅଛନ୍ତି ଏବଂ ପରେ ଗୋଟିଏ ଲେଖା ପ୍ରସ୍ତୁତି କରି ପଠାଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସେତେବେଳେ ଚାରିଆଡ଼େ କ୍ଷମତା ଓ କର୍ତ୍ତୃତ୍ଵ ପାଈଁ ଅତ୍ୟନ୍ତ ଅବାଞ୍ଛିତ ଭାବରେ ଲାଗିଥିବା ନାନା କଳହ ଦ୍ଵାରା ଶୋଚନୀୟ ଅବସ୍ଥା ତାଙ୍କୁ ଭାରି ନୈରାଶ୍ୟ ଆଣିଦେଇଛି ବୋଲି ସେ ବ୍ୟଥିତ ହୋଇ ରହିଛନ୍ତି । ତାହା ଫଳରେ ଓଡ଼ିଶାର ବୌଦ୍ଧିକ ଜୀବନ ଅଣନିଃଶ୍ୱାସୀ ହୋଇ ଯାଇଥିବା ପରି ଲାଗୁଛି ବୋଲି ମଧ୍ୟ ସିଏ କହିଛନ୍ତି । ଏବଂ ତା’ପରେ ସେହି ତିର୍ଯ୍ୟକ୍‍ ଉଜ୍ଜଳ ସତ୍ୟବାକ୍ୟଟି : ‘Poetry nor for that matter literature has to primarily satrical in such a broken age ' (ପୃଷ୍ଠା–୭୦୦) ଏହି ବାକ୍ୟଟି କିପରି ଶ୍ରୀଯୁକ୍ତ ପଣ୍ଡାଙ୍କ ଆଖିରେ ପଡ଼ିଲା ନାହିଁ, ମୁଁ ସେହି କଥା ଭାବୁଛି । ଏବଂ ସେହି ମନ୍ତବ୍ୟକୁ ଆଧାର କରି ଯଦି ସିଏ ନିଜ ତରଫରୁ ଆଉ ପୃଷ୍ଠାଏ ଲେଖିଥାନ୍ତେ, ତେବେ ତାହା ହୁଏତ ଗ୍ରନ୍ଥଟିର ସର୍ବୋତ୍ତମ ମୁଣ୍ଡିମରା ହୋଇଥିବା ପରି ହୋଇ ରହିଥାନ୍ତା ।

 

Satire ଶବ୍ଦଟିର ଓଡ଼ିଆ କ’ଣ ହେବ? ଓଡ଼ିଶାରେ ତ ହାସ୍ୟରସର ସ୍ଵତନ୍ତ୍ର ଲେଖକମାନଙ୍କୁ ଏବେ ବର୍ଷକୁ ବର୍ଷ ସ୍ଵତନ୍ତ୍ର ଭାବରେ ପଦବୀ ଓ ପୁରସ୍କାରମାନ ଦିଆଗଲାଣି । ଅଧିକ ଉପଯୁକ୍ତ ଏକ ଶବ୍ଦର ଅଭାବରେ ମୁଁ satireକୁ ବିଦ୍ରୂପ ବୋଲି କହିବି । ଏହି ଅଲକ୍ଷମାନଙ୍କର ଯୁଗରେ ସାହିତ୍ୟ ମୂଳତଃ ବିଦ୍ରୂପ ହେବ ଉଚିତ ବୋଲି ପ୍ରଫେସର ଦାସ ମନ୍ତବ୍ୟ କରିଛନ୍ତି । କ୍ଷମତାଘରର ଗଉନ୍ତିଆମାନଙ୍କୁ ବିଦ୍ରୂପ, ଦେଶଟାକୁ ସୁଯୋଜିତ ଭାବରେ ଅସନା ଓ ଅରକ୍ଷ କରିରଖି ନିଜେ ଧୋବା ବୋଲାଉଥିବା ଉତ୍ତୁଙ୍ଗମାନଙ୍କୁ ମଧ୍ୟ ବିଦ୍ରୁପ । ସାଙ୍ଗଟିଏ ନଲୋଡ଼ି ଆମେ ନିଃସଙ୍ଗ ହୋଇଗଲୁ ବୋଲି ବିଳାପ କରୁଥିବା କବିତାକାରମାନଙ୍କୁ ମଧ୍ୟ ବିଦ୍ରୂପ, ଶାସନଯନ୍ତ୍ରଟାକୁ ତୁଚ୍ଛା ନିଜର ଜୀବନ ବ୍ୟସନରେ ଆଣି ଲଗାଉଥିବା ଶାସକ ସର୍ବଭକ୍ଷ୍ୟମାନଙ୍କୁ ବିଦ୍ରୂପ ଇତ୍ୟାଦି ଇତ୍ୟାଦି । ଅହମିକାକୁ ବିଦ୍ରୂପ, କପଟକୁ ବିଦ୍ରୂପ ଏବଂ ଯାବତୀୟ ଅଭିନୟକୁ ମଧ୍ୟ ବିଦ୍ରୂପ । ଧୋବ କବିମାନେ କଦାପି ଏହି କାର୍ଯ୍ୟଟିକୁ କରିପାରିବେ ନାହିଁ । ନବାବମାନଙ୍କର ପାରୁଶରେ ରହି ଫାଇଦା ଖାଉଥିବା ମାନସିଂହମାନେ କଦାପି ତାହା କରିବେ ନାହିଁ । ସେମାନେ ବରଂ ସାହିତ୍ୟର ଘରଟାକୁ ମାଡ଼ି ବସିବାରେ ହିଁ ବୁଦ୍ଧି ସାରିବେ । ସେମାନେ ବିବେକକୁ ଲୁଚାଇ ରଖିଥିବେ । ସାଂପ୍ରତିକ ଯୁଗରେ ବିବେକକୁ ଲୁଚାଇ ରଖିଥିବା ଲେଖକମାନଙ୍କର ସଂଖ୍ୟା ଅତି ପ୍ରବଳ । ତଥାପି ବିଦ୍ରୂପ ହେବ । ତାହା ନେଉଳଭାଇମାନେ କରିବେ, ଯବାନମାନେ କରିବେ । ମିଥ୍ୟାସହିତ ସମୁଦିପଣ କରିବାକୁ ମୋଟେ ମନ କରିବେ ନାହିଁ । ସେମାନଙ୍କର ବିଦ୍ରୂପ କରି ଏହି ଚଳନ୍ତି ପ୍ରତିଷ୍ଠାନଗୁଡ଼ିକ ପ୍ରତି ଆପଣାର ଅସହଯୋଗ ଘୋଷଣା କରିବେ । ପ୍ରତିବାଦୀ ହେବେ, ବିକଳ୍ପବାଦୀ ହେବେ, ସତ୍ୟାଗ୍ରହୀ ହୋଇ ବାହାରିବେ । ସମଗ୍ର ପୃଥିବୀରେ ଏହି ଅନ୍ୟ ଶିବିରଟି ସଜ ହୋଇ କ୍ରମେ ବାହାରି ପଡ଼ିବାକୁ ଆରମ୍ଭ କଲାଣି । ସତେଅବା ତାହାରି ମୁହୂର୍ତ୍ତଟି ଆସି ପହଞ୍ଚିଯିବାକୁ ହେଲାଣି ।

 

ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପାଖରେ ଆମେ କୃତଜ୍ଞତା ରହିବା, କାରଣ, ସିଏ ତାଙ୍କଦ୍ଵାରା ଏକଦା ସମ୍ପାଦିତ ଏକ ପୂର୍ଣ୍ଣ ସଂକଳନଟିଏ ଆମ ଗୋଚର ମଧ୍ୟକୁ ଆଣିଲେ । ବହୁ ନୂତନ ଚିନ୍ତାର ଉଦ୍ରେକ କରାଇଲେ ।

 

[ଅନୁପମ ଭାରତ, ୧୯/୧୨/୯୯]

 

The True Story of the Novel :

 

By Margaret Anne Doody,

Fontana Press, 77-78 Fulham Paalace Road,

Hammersmmith, London, W 8 JB, 1998 ,

ପୃଷ୍ଠା ସଂଖ୍ୟା–୫୮୦, ମୂଲ୍ୟ : ୯ .୯୯ ପାଉଣ୍ଡ

 

ଉପନ୍ୟାସର କାହାଣୀ ଅର୍ଥାତ୍ ଉପନ୍ୟାସ-ସାହିତ୍ୟର ଇତିହାସ । କିନ୍ତୁ ଏହି ପ୍ରକୃତ କାହାଣୀ କଅଣ ? ଇଂରାଜୀ ଭାଷାରେ ଉପନ୍ୟାସ-ସାହିତ୍ୟର ତ କେତେ କେତେ କାହାଣୀ ବା ଇତିହାସ ଲେଖା ହୋଇଛି ଓ ଏବେ ମଧ୍ୟ ଲେଖା ହେଉଥିବ । ପ୍ରସ୍ତୁତ ପୁସ୍ତକଟିର ଲେଖିକା ସେଗୁଡ଼ିକୁ କ’ଣ ଅପ୍ରକୃତ ବୋଲି ବିଚାର କରୁଛନ୍ତି ? ଏବଂ ସେଇଥି ସକାଶେ ପ୍ରଥମ କରି ଏକ ପ୍ରକୃତ କାହାଣୀ ଲେଖିବା ପାଇଁ ନିଜର ମନ ବଳାଇଛନ୍ତି ? ବହିଟି ଲେଖିବାରେ ତାଙ୍କୁ ଆଦୌ କମ୍ ଶ୍ରମ କରିବାକୁ ପଡ଼ିନଥିବ । ସହାୟକ ପୁସ୍ତକସୂଚୀର ନିଃସନ୍ଦେହ ଭାବରେ ପାଞ୍ଚ କି ସାତଶହ ଗ୍ରନ୍ଥର ଉଲ୍ଲେଖ ରହିଛି । ଗ୍ରୀକ୍, ଲାଟିନ୍, ଜର୍ମାନୀ, ଫରାସୀ, ଇଂରାଜୀ ଯାବତୀୟ ଭାଷାର । ଖାଲି ଛାପାବହି ନୁହେଁ, ପ୍ରାଚୀନ ପାଣ୍ଡୁଲିପି ଭିତରେ ପଶି ବି ତଥ୍ୟ ସଂଗ୍ରହ କରିବାକୁ ହୋଇଛି । ଇଉରୋପରେ ମୁଦ୍ରଣକୌଶଳ ତ ପଞ୍ଚଦଶ ଶତାବ୍ଦୀର ଶେଷ ଦଶକକୁ ଆସିଲା । ତା’ ପୂର୍ବରୁ ସେକାଳର ବିଭିନ୍ନ ଭାଷାର ସାହିତ୍ୟରେ ଶହ ଶହ ବହି ରହିଛି, ଯେଉଁମାନଙ୍କୁ ଛାପାକଳରେ ପଶିବାର ଭାଗ୍ୟ ତଥାପି ଜୁଟି ନାହିଁ । ଗବେଷଣାର କାର୍ଯ୍ୟଟିଏ ସମ୍ପୃକ୍ତ ବ୍ୟକ୍ତିଟି ଠାରୁ କେତେ ବେଶୀ ଅଙ୍ଗୀକରବଦ୍ଧତା ଲାଭ କଲେ ଯେ ଏହିଭଳି ଗ୍ରନ୍ଥଟିଏ ସମ୍ଭବ ହୁଏ, ସେହି କଥା ଭାବିବାକୁ ପଡ଼ୁଛି ।

 

ଲେଖିକାଙ୍କର ମୂଳ ଆପତ୍ତିଟି ହେଉଛି ଯେ ଉପନ୍ୟାସ କହିଲେ ଇଂଲଣ୍ଡରେ ସେହି ବିଷୟରେ କରାଯାଉଥିବା ଅଧ୍ୟୟନଗୁଡ଼ିକର ଏକ ଆଧୁନିକ ସାହିତ୍ୟ ବ୍ୟାପାରକୁ ବୁଝନ୍ତି । ସେମାନେ କହନ୍ତି ଯେ ଉପନ୍ୟାସ ମାତ୍ର ଏବେ ଅଷ୍ଟାଦଶ ଶତାବ୍ଦୀର ହିଁ ଇଂଲଣ୍ଡରେ ସର୍ବପ୍ରଥମେ ଲେଖା ହୋଇଥିଲା । ଲେଖିକା ସେହି ମତଟିକୁ ଅସ୍ଵୀକାର କରିଛନ୍ତି । ଏପରି ଦାବି କରିବାକୁ ସିଏ Chauvinism ବା ଏକ ଜାତୀୟ ଉଗ୍ରତା ବୋଲି କହିଛନ୍ତି । (ପୃଷ୍ଠା ୧–୨) ବିଲାତରେ ଗବେଷକମାନେ କୁହନ୍ତି ଯେ, ସାହିତ୍ୟରେ ଗୋଟିଏ ବର୍ଗ () ହିସାବରେ ଯାହାକୁ ସମ୍ପ୍ରତି ନୋବେଲ ବୋଲି କୁହାଯାଉଛି, ତାହାର ଆୟୁଷ ଅଧିକରୁ ଅଧିକ ହେଲେ ମୋଟେ ଦୁଇଶହ ବର୍ଷ ହେବ । ହଁ, ଆଗରୁ ଇଂଲଣ୍ଡରେ ବା ଇଉରୋପରେ ନୋଭେଲ ପୂର୍ବସାରିସା କହିଲା ଭଳି ଯାହା ଥିଲା, ତାହା ହେଉଛି ରୋମାନ୍ସ, ଆଦୌ ନୋଭେଲ ନୁହେଁ । କେବଳ ଇଂରାଜୀକୁ ଛାଡ଼ି ଦେଲେ, ଇଉରୋପୀୟ ଭାଷାମାନଙ୍କର ନୋଭେଲ ଶବ୍ଦଟି ବ୍ୟବହୃତ ହୁଏ ନାହିଁ । ଜର୍ମାନୀ, ଫରାସୀ, ଡେନିଶ୍, ସୁଇଡିସ୍, ଫିନିଶ୍ ତଥା ଆହୁରି ବହୁ ଭାଷାରେ ଉପନ୍ୟାସକୁ ନୋଭେଲ ନୁହେଁ, ରୋମାନ ବୋଲି ହିଁ କୁହାଯାଏ । କେବଳ ଇଂଲଣ୍ଡ କୁ ବା ଇଂରାଜୀ ଭାଷାକୁ ନୋଭେଲ ଶବ୍ଦଟା କିପରି କୁଆଡ଼ୁ ଆସିଲା କେଜାଣି ? ଲେଖିକା ଶ୍ରୀମତୀ ଡୁଡ଼ୀ କହିବାକୁ ଚାହାନ୍ତି ଯେ, ସେକାଳର ରୋମାନ୍ସ ଯାହା, ଆମ ଏକାଳରେ ନୋଭେଲ ତାହା । ଫରକ କରିବାର ଆଦୌ କୌଣସି କାରଣ ନାହିଁ । କିନ୍ତୁ ଏହି କଥାଟିକୁ ସିଡ଼ି ପରି ବ୍ୟବହାର କଲେ ସେ ସନ୍ଦର୍ଭଟି ମଧ୍ୟରେ ପ୍ରବେଶ କରିଛନ୍ତି ଏବଂ ଅଶେଷ ଧୀଷଣା ସହିତ ନିଜର ବକ୍ତବ୍ୟଟିକୁ ପ୍ରତିଷ୍ଠିତ କରିଛନ୍ତି ।

 

ଇଂରାଜୀ ବ୍ୟତୀତ ଇଉରୋପୀୟ ଅନ୍ୟ କୌଣସି ଭାଷାରେ ସାହିତ୍ୟାଲୋଚନାରେ ତେଣୁ ରୋମାନ୍ସ ଏବଂ ନୋଭେଲ ମଧ୍ୟରେ ପ୍ରଭେଦ କରାଯାଉନାହିଁ । ଇଂଲଣ୍ଡରେ ଆଲୋଚକମାନଙ୍କ ମଧ୍ୟରେ ଏହି ଧାରଣାଟି ରହିଛି ଯେ, ଇଂଲଣ୍ଡରେ ଅଷ୍ଟାଦଶ ଶତାବ୍ଦୀରେ ପୁରୁଷ ଲେଖକମାନେ ହିଁ ଉପନ୍ୟାସକୁ ଜନ୍ମ ଦେଇଥିଲେ । ଅନ୍ୟ ପକ୍ଷରେ ମହାଦେଶୀୟ ସମୀକ୍ଷକ ମିଖାଏଲ୍ ବାଖ୍‍ଟିନ୍ କହନ୍ତି ଯେ ଉପନ୍ୟାସର ଆରମ୍ଭ ଇଉରୋପରେ ରେନସାଁସ୍ ସମୟରୁ । ମାତ୍ର ଆଲୋଚନା ଗ୍ରନ୍ଥଟିର ଲେଖିକା ସେହି ଗାରଟିକୁ ମଧ୍ୟ ମାନି ନାହାନ୍ତି । ସିଏ ପଛକୁ ଯାଇ ଯାଇ ଖ୍ରୀଷ୍ଟପୂର୍ବ ଶତାବ୍ଦୀଗୁଡ଼ିକୁ ଚାଲି ଯାଇଛନ୍ତି । ତାଙ୍କର କାଳ-ନିରୂପଣରେ ନ୍ୟାୟ ଅନୁସାରେ କାହାଣୀ କହିବାର ଓ କାହାଣୀ ଲେଖିବାର ସଂସ୍କାରଟି ପ୍ରାଚ୍ୟ ସମୂହଗୁଡ଼ିକରୁ ଇଉରୋପରେ ଆସି ପ୍ରବେଶ କରିଛି । ପ୍ରାଚ୍ୟ ସମୂହ କହିଲେ ଏଠାରେ ପ୍ରାଚୀନ ମିଶର, ଆରବ, ପାରସିକ ଏବଂ ଭାରତୀୟମାନଙ୍କୁ ବୁଝାଉଛି । (ପୃଷ୍ଠା–୧୭) ପ୍ରାଚୀନ ଭୁର୍ଜପତ୍ରରେ ଲିଖିତ ହୋଇ ରହିଥିବା କାହାଣୀଗୁଡ଼ିକୁ ସୂଚାଇ ଦେଊଛନ୍ତି ଯେ, ପ୍ରାଚୀନ ଗ୍ରୀସ୍ ଏବଂ ରୋମ୍‍କୁ ସଂସ୍କାରଟି ବାହାରୁ ଆମଦାନୀ ହେଲାପରି ଆସି ଏହି ଦୁଇ ସଭ୍ୟତାରେ ପହଞ୍ଚିଛନ୍ତି । ଯେଉଁ ସବୁ ଅଞ୍ଚଳରୁ ରପ୍ତାନି ହୋଇ ତାହା ଆସିଛି, ତାହା ଏକଦା ଦକ୍ଷିଣ ଇଉରୋପ ସହିତ ପଶ୍ଚିମ ଏସିଆ ଓ ଉତ୍ତର ଆଫ୍ରିକାର ସଂସ୍ରବ ଫଳରେ ସମ୍ଭବ ହୋଇଛି । ଆଫ୍ରିକାର ମିଶରଠାରୁ ଆହୁରି ଦକ୍ଷିଣରେ ଅବସ୍ଥିତ ସୁଡ଼ାନ୍ ଏବଂ କାଟାଙ୍ଗାରୁ ମଧ୍ୟ ଲମ୍ବି ଆସିଛି । ଏହି ଦୃଷ୍ଟିରୁ ଲେଖିବା ଉପନ୍ୟାସର ଉତ୍ସଗୁଡ଼ିକୁ କେବଳ ଇଉରୋପୀୟ ବୋଲି ନ କହି ମଲ୍‍ଟିରେସିଆଲ୍‍ ଏବଂ ମାଲ୍‍ଟିଲିଙ୍ଗୁଆଲ ବୋଲି ଦାବି କରିଛନ୍ତି ।(ପୃଷ୍ଠା ୧୮) ଦାଣ୍ଡିଗୁଡ଼ିକୁ ଅଧିକ ପ୍ରାଞ୍ଜଳ କରିଦେଇ ଗୋଟିଏ ଉଦ୍ଧୃତିର ସାହାଯ୍ୟରେ ପୁଣି କୁହାଯାଇଛି (ପୃଷ୍ଠା–୨୫୧) : ଏହି ସବୁ ରସରତି ପୂର୍ଣ୍ଣ ସାହିତ୍ୟ ପ୍ରଥମେ ପାରସିକମାନଙ୍କଠାରୁ ଆରମ୍ଭ ହେଲା । ସେମାନେ ଏହି ରୀତିଟିକୁ ଆରବମାନଙ୍କୁ ପ୍ରଦାନ କରିଥିଲେ ଏବଂ ଆରବମାନେ ଉତ୍ତର ଆଫ୍ରିକା ବାଟଦେଇ ଜିବ୍ରାଲ୍‍ଟର ଡେଇଁ ଇଉରୋପରେ ପ୍ରବେଶ କରିବାର ମାଧ୍ୟମରେ ତାହା ସ୍ପେନ୍‍ରେ ପହଞ୍ଚିଲା ଏବଂ ସ୍ପେନ୍ ଠାରୁ ଫରାସୀମାନେ ତାହାକୁ ଶିକ୍ଷା କରିଥିଲେ । ଫ୍ରାନସରୁ ସେଇଟି ବାକି ଦେଶମାନଙ୍କୁ ମଧ୍ୟ ସଂକ୍ରମିତ ହୋଇ ଯାଇଥିଲା । କାହାଣୀ ବା ଉପନ୍ୟାସର ପ୍ରାଚୀନ ତମ ମୂଳଗୁଡ଼ିକୁ ସନ୍ଧାନ କରି ଦେଖାଇଦେବାର ପ୍ରୟାସରେ ଲେଖିକା ଗ୍ରୀସ୍‍ର ଉଉରିପାଇଡିସ୍ (ଖ୍ରୀଷ୍ଟପୂର୍ବ ୪୮୫–୪୦୬) ଏବଂ ଜେନୋଫନ୍ (ଖ୍ରୀଷ୍ଟପୂର୍ବ ୪୩୦–୩୫୪)ଙ୍କ ପାଖରେ ଯାଇ ପହଞ୍ଚିଛନ୍ତି । ପ୍ରାଚୀନ ମିଶରର ଦେବୀ ଇସିସ୍‍ଙ୍କର ଉପାସନାରେ ମଧ୍ୟ ଯେଉଁ ସବୁ କାହାଣୀର ଆବିଷ୍କାର କରାଯାଉଛି, ସେ ସେଗୁଡିକୁ ବି ଏକ କାହାଣୀ ତଥା ପରବର୍ତ୍ତୀ ଉପନ୍ୟାସର ପୂର୍ବଗାମୀ ରୂପେ ଚିହ୍ନାଇ ଦେଇଛନ୍ତି ।

 

ସ୍ଵକୀୟ ଅର୍ଥସଂଜ୍ଞାର ପରିଧି ଅନୁସାରେ ଲେଖିକା ଉପନ୍ୟାସର ସଜ୍ଞାଟିକୁ ମଧ୍ୟ ଗ୍ରନ୍ଥଟିର ମୂଳରୁ ହିଁ ନିର୍ଦ୍ଦିଷ୍ଟ କରି ଦେଇଛନ୍ତି (ପୃଷ୍ଠା–୧୬) : ଯେ କୌଣସି ରଚନା, ଯଦି ତାହା କାଳ୍ପନିକ ହୋଇଥାଏ, ଗଦ୍ୟରେ ଲେଖା ହୋଇ ଥାଏ ଏବଂ ଏକାବେଳେ କ୍ଷୁଦ୍ର ନ ହୋଇ ତାହାର କିଞ୍ଚିତ୍‍ ଦୈର୍ଘ୍ୟ ରହିଥାଏ, ତେବେ ସେହି ରଚନାକୁ ଉପନ୍ୟାସ ବା ନଭେଲ୍‍ ବୋଲି କୁହାଯିବ । ଏହି ମାନଦଣ୍ଡଗୁଡ଼ିକୁ ମଧ୍ୟ ଆବଶ୍ୟକ ହେଲେ କୋହଳ କରି ଦିଆଯାଇପାରେ । ତଥାପି ତାହା ଅବଶ୍ୟ ଗଦ୍ୟରେ ହିଁ ଲେଖା ଯାଇଥିବା ଉଚିତ । ପଦ୍ୟରେ ମଧ୍ୟ କେତେକାହାଣୀ ଲେଖା ଯାଇଛି । ମାତ୍ର ଲେଖିକାଙ୍କ ମତରେ ସେଗୁଡ଼ିକର ପ୍ରେରଣା ଅଲଗା, ତେଣୁ ଉତ୍ସ ଅଲଗା, ପ୍ରକାଶ ରୀତି ଏବଂ ଲକ୍ଷ୍ୟ ମଧ୍ୟ ଅବଶ୍ୟ ଅଲଗା । ଇଂଲଣ୍ଡରେ ଯେଉଁମାନେ ଅଷ୍ଟାଦଶ ଶତାବ୍ଦୀକୁ ହିଁ ଉପନ୍ୟାସ ର ଆଦି ମୁହୂର୍ତ୍ତ ବୋଲି କହନ୍ତି, ସେମାନଙ୍କର ବକ୍ତବ୍ୟ ହେଉଛି ଯେ, ତାହା ପୂର୍ବରୁ ସମାଜରେ ମନୁଷ୍ୟମାନଙ୍କୁ ଜଣେ ଜଣେ ବ୍ୟକ୍ତିର ସ୍ଵୀକୃତି ମିଳି ନଥିଲା । ସେମାନେ ଏକ ସାମାଜିକ ସିଷ୍ଟେମ୍ ଭିତରେ ଗୋଟିଏ ଯନ୍ତ୍ର ହୋଇ ରହିଥିଲେ, ନିରୂପିତ ନିୟମ ଗୁଳାଗୁଡ଼ିକୁ ଧରି ବାଟ ଚାଲୁଥିଲେ, ଭାଗ୍ୟବାଦୀ ଥିଲେ । ଇଉରୋପରେ ଷୋଡ଼ୋଶ ଶତାବ୍ଦୀରେ ଖ୍ରୀଷ୍ଟିୟାନ ଧର୍ମ ଦୁଇ ଭାଗହୋଇ ଗୋଟିଏ ନିଜକୁ ପ୍ରୋଟେଷ୍ଟାଣ୍ଟ କହି ଅଲଗା ହୋଇଗଲା । ମହାମାନ୍ୟ ପୋପ୍‍ଙ୍କୁ ଆଉ ମାଧ୍ୟମ ବୋଲି ନମାନି ପ୍ରତ୍ୟେକ ବ୍ୟକ୍ତିର ପରମ ଭଗବାନଙ୍କ ସହିତ ସିଧା ସମ୍ପର୍କ ରହିଛି ବୋଲି ଘୋଷଣା କରାଗଲା । ଏହି ଦ୍ଵିତୀୟ ଧାରାଟି ଆହୁରି ଅଧିକ ଶୁଦ୍ଧ ଏବଂ ନିୟମ ବଦ୍ଧ ହୋଇ ପିଉରିଟାନ୍ ଶାଖାର ଉଦ୍ଭବ ହେଲା । ପିଉରିଟାନମାନେ ହିଁ ଇଂଲଣ୍ଡକୁ ଆସି ବ୍ୟକ୍ତି-ସଚେତନା ନାମକ ନୂଆ ଭାବନାଟି ସେଠାରୁ ରୋପଣ କଲେ । ବ୍ୟକ୍ତି ପ୍ରେମ କଲା, ବ୍ୟକ୍ତି ବିପଦରେ ପଡ଼ିଲା ଏବଂ ତାହାର ସମ୍ମୁଖୀନ ହେଲା, ଦୁଃଖ ସହିଲା, ଏକ ଦାୟିତ୍ଵବୋଧ ସହିତ ଜୀବନ ବଞ୍ଚିଲା । ମୁଲ୍ୟଗୁଡ଼ିକ ମୂଳତଃ ବ୍ୟକ୍ତି-ସାପେକ୍ଷ ହେଲେ । ବ୍ୟକ୍ତି ସ୍ଵାଧୀନତା ଓ ବ୍ୟକ୍ତିର ଅଧିକାର ନାମକ କଥାଗୁଡ଼ିକ ଜନ୍ମ ଲାଭ କଲେ ଏବଂ ବ୍ୟକ୍ତିବୋଧ ହିଁ ସାହିତ୍ୟରେ ଆଧୁନିକ ଉପନ୍ୟାସ ନିମନ୍ତେ ଦ୍ଵାର ଉନ୍ମୋଚନ କରି ଆଣିଲା ।

 

ପୁସ୍ତକଟିର ଲେଖିକା ଏକାଧିକ ଅଧ୍ୟାୟରେ ଏହି ଯୁକ୍ତିଗୁଡ଼ିକର ପ୍ରତି ଜବାବ ଦେଇଛନ୍ତି ଏବଂ ବଳିଷ୍ଠ ତଥ୍ୟମାନ ଉପସ୍ଥାପିତ କରିଛନ୍ତି । ଭଲ ପାଇବା କୋଉ କାଳରେ ନ ଥିଲା ? କାହାକୁ ଭଲପାଇ ନିଦାରୁଣ କଷ୍ଟ ଭୋଗରେ ଶରବ୍ୟ ହେବା କୋଉ ଯୁଗରେ ନ ଥିଲା ? ଏପରି ପୂର୍ଣ୍ଣ ପରିମିତ ସମାଜ ବା ସମୂହଟିଏ କେଉଁଠାରେ କେଉଁ ସମୟରେ ଥିଲା, ଯେତେବେଳେ କି ସମସ୍ତେ ନିର୍ଦେଶ ଅନୁସାରେ କେବଳ ଗୁଳାରେ ହିଁ ଚାଲୁଥିଲେ ? ସବୁ ଯୁଗରେ ହିଁ ପ୍ରତିବାଦ ରହୁଥିଲା, ବିକଳ୍ପ ଏବଂ ବ୍ୟତିକ୍ରମମାନେ ରହିଥିଲେ ଏବଂ ବିଶେଷ ସାହସ ପ୍ରଦର୍ଶନ କରି ନାନାଦାରୁଣ ବିପର୍ଯ୍ୟାୟକୁ ମଧ୍ୟ ବରଣ କରୁଥିଲେ ଏବଂ ସେହି ବିକଳ୍ପ ତଥା ବ୍ୟତିକ୍ରମର ଦୃଷ୍ଟାନ୍ତଗୁଡ଼ିକ ସବୁବେଳେ ସର୍ଜାନାତ୍ମକ ମନୁଷ୍ୟଚିତ୍ତକୁ ମୁଗ୍ଧ ଏବଂ ଆକୃଷ୍ଟ କରୁଥିଲା ଓ ସେହି ଗୁଡ଼ିକୁ ନେଇ କାହାଣୀଗୁଡ଼ିକର ରଚନା କରାଯାଉଥିଲା । ଶ୍ରୀମତୀ ଡୁଡ଼ୀ ସେହି ପ୍ରଥମ ଶତାବ୍ଦୀଗୁଡ଼ିକରୁ ହିଁ ଶତାବ୍ଦୀ ଶତାବ୍ଦୀ ଅନୁକ୍ରମରେ କାହାଣୀଗୁଡ଼ିକରୁ ଆଖ୍ୟାନମାନ ଦେଇ ନିଜର ସେହି ଅନ୍ୟ ମତଟିକୁ ପୁଷ୍ଟ କରିଛନ୍ତି । ତଥାକଥିତ ଏ ଯୁଗର ପରବର୍ତ୍ତୀ ଉପନ୍ୟାସ ମାନଙ୍କରେ ବହୁ ପ୍ରାଚୀନ କାହାଣୀ ଗ୍ରନ୍ଥର ଭୂରି ଭୂରି ଉପାଦାନ ତଥା ଆଲେଖ୍ୟ କିଭଳି ପ୍ରତିଫଳିତ ହୋଇଛି, ସେ ସେହିଗୁଡ଼ିକୁ ବିଷାଦ ଆଲୋଚନା ଦ୍ଵାରା ଦର୍ଶାଇ ଦେବାର ପ୍ରୟାସ କରିଛନ୍ତି । ସତେ ଯେପରି ଉତ୍ତରାଧିକାର ଗୋଟିଏ ସୂତ୍ରରେ ହିଁ ଅତ୍ୟନ୍ତ ସ୍ପଷ୍ଟ ଏବଂ ଅବାରିତ ଭାବରେ ସେକାଳର ଦୃଷ୍ଟାନ୍ତଗୁଡ଼ିକୁ ଠାରୁ ଏ କାଳର ଦୃଷ୍ଟାନ୍ତ ଯାଏଁ ଲମ୍ବି ଆସିଛି । ତେବେ ଆମେ ଏ ଯୁଗର ଉପାନ୍ୟାସ ସହିଟ ପରିଚିତିମାନେ କାହିଁକି ସେ ଯୁଗରେ ସେଗୁଡ଼ିକୁ ମଧ୍ୟ ଉପନ୍ୟାସ ବୋଲି ଗଣା ନ କରିବା, ଲେଖିକା ଯାବତୀୟ ପ୍ରତିପାଦ୍ୟର ଅନ୍ତରାଳରେ ସେହି ପ୍ରଶ୍ନଟିର ଉତ୍ଥାପନ କରିଛନ୍ତି । ସେ କାଳର ଇତିହାସରେ ସିନା ସମ୍ରାଟମାନଙ୍କୁ ସେମାନଙ୍କର ସମ୍ରାଟର ପରିଚୟରେ ବର୍ଣ୍ଣନା କରାଯାଇଛି, ମାତ୍ର ସାହିତ୍ୟ ମଧ୍ୟରେ ବିଷୟରୂପେ ପ୍ରବେଶ କରି ସେମାନଙ୍କର ବିନ୍ୟାସଗୁଡ଼ିକ ସଂପୂର୍ଣ୍ଣ ଭାବରେ ଅନ୍ୟ ରୂପେ ହୋଇଛି-। ଶ୍ରୀମତୀ ଡୁଡ଼ୀ ତୃତୀୟ ଶତାବ୍ଦୀରେ ଲିଖିତ ଆଲେକଜାଣ୍ଡାରଙ୍କ ବିଷୟର ଏକ ଜୀବନୀମୂଳକ କଥା ପୁସ୍ତକର ଆଲୋଚନା କରିଛନ୍ତି, ଯେଉଁଟିରେ ତାଙ୍କୁ ବିଶ୍ଵ ବିଜୟୀ ଯୋଦ୍ଧା ରୂପେ ନୁହେଁ, ଜଣେ ସାଧାରଣ ମନୁଷ୍ୟ ହିସାବରେ ହିଁ ଚିତ୍ରଣ କରାଯାଇଛି । ସେ କାଳର କେବଳ ଜୀବନୀ ଗୁଡ଼ିକରେ ନୁହେଁ, କେତେ କେତେ ଭ୍ରମଣ କାହାଣୀରେ ମଧ୍ୟ ରୋମାନ୍ସ ବା କାହାଣୀର ବ୍ୟଞ୍ଜନଟି ହିଁ ସର୍ବପ୍ରଧାନ ଆବେଦନ ହୋଇରହିଛି ।

 

ବିଭିନ୍ନ ଅଧ୍ୟାୟରେ ବିଶ୍ଳେଷଣଗୁଡ଼ିକରୁ ଯାହା ଜଣା ପଡ଼ୁଛି- କାହାଣୀ, ରୋମାନ୍ସ ବା ଉପନ୍ୟାସକୁ କୌଣସି କାଳର ଶିଷ୍ଟ ଓ ସମ୍ଭ୍ରାନ୍ତମାନେ ଆଦୌ ଭଲ ନଜରରେ ଦେଖୁ ନଥିଲେ ।ପ୍ରଥମ ଶତାବ୍ଦୀ ଗୁଡ଼ିକରେ ନୈତିକ ଏବଂ ଧର୍ମୋପଚାରିକ ଜୀବନ ଉପରେ ଏତେ ମହତ୍ୱ ଦିଆଯାଇଥିଲା ଯେ, ପ୍ରାୟ ନିୟମ ସିଦ୍ଧ ଭାବରେ ସମାଜରେ ନ୍ୟୁନବର୍ଗମାନେ, ଅଳ୍ପ ବୟସ୍କମାନେ ଏବଂ ନାରୀମାନେ ହିଁ ସେଗୁଡ଼ିକୁ ପାଠ କରୁଥିଲେ କିମ୍ବା ଆଉ କିଏ ପାଠ କରୁଥିବା ସମୟରେ ତାହାକୁ ଶୁଣୁଥିଲେ । ସମାଜ ଧରାବନ୍ଧା ନିୟମ ଅନୁସାରେ ଚଳୁଥିଲା ଓ ଧର୍ମୋପାସନା ମଧ୍ୟ ନାନାସୂତ୍ର ଦେଇ ନିରୂପିତ ହୋଇ ରହିଥିଲା । ସେକ୍ରେଡ଼ ଏବଂ ପ୍ରୋଫେନ୍‍ ମଧ୍ୟରେ କଠୋରେ ପାର୍ଥକ୍ୟ ବିଚାର କରାଯାଉଥିଲା । ଉଚ୍ଚନଜରିଆମାନେ ଉପନ୍ୟାସକୁ ବହିରେ ଲେଖା ହୋଇଥିବା ତୁଚ୍ଛ ଆବର୍ଜନା (ଗାରବେଜ୍) ବୋଲି କହି ସେଥିରୁ ଦୂରତା ରକ୍ଷା କରୁଥିଲେ । ପୁରୁଷମାନେ କ୍ଵଚିତ ଉପନ୍ୟାସ ଲେଖିବାକୁ ମନ କରୁଥିଲେ । ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ, ଲେଖିକା ଆଲୋଚ୍ୟ ଏହି ବହିରେ ଯେଉଁ କୋଡ଼ିଏ ପଚିଶିଟି ଉପନ୍ୟାସର ଚର୍ଚ୍ଚା କରିଛନ୍ତି ,ସେଥିରୁ ଅଧିକାଂଶ ରଚନା ନାରୀମାନଙ୍କ ଦ୍ଵାରା ହୋଇଛି । ଉପନ୍ୟାସକୁ ନ୍ୟୁନ ନଜରରେ ଦେଖିବାର ପରମ୍ପରାଟି ପ୍ରାୟ ଏବକାଳ ପର୍ଯ୍ୟନ୍ତ ଏପରି ଚଳି ଆସୁଥିଲା ଯେ, ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମଧ୍ୟ (୧୯୭୮) ପ୍ରସିଦ୍ଧ ଉପନ୍ୟାସ ଲେଖିକା ଜେନ୍ ଅଷ୍ଟେନ୍ ଗୋଟିଏ ଚିଠିରେ ତାଙ୍କ ଘରେ ସମସ୍ତେ ପରିପୂର୍ଣ୍ଣ ଆଗ୍ରହ ସହିତ ଉପନ୍ୟାସ ପଢ଼ନ୍ତି ଓ ସେଥିପାଇଁ କେହି ଲଜ୍ଜ୍ୟା ଅନୁଭବ କରନ୍ତି ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଏହି ପୃଥିବୀରେ ମନୁଷ୍ୟମାନେ ଯାପନକରନ୍ତି, ତାହା ହେଉଛି ଏକ କର୍ଦ୍ଦମପୂର୍ଣ୍ଣ ବାଟହୁଡ଼ା ଜୀବନ; ଶାଶ୍ଵତ ବୋଲି ଯାହା କିଛି, ତାହା ପରମଶକ୍ତିମାନ ଇଶ୍ଵରଙ୍କର ସ୍ଵର୍ଗନାମକ ସେହି ଆଉ ରାଜ୍ୟଟିରେ ରହିଛି । ଏବଂ ଉପନ୍ୟାସମାନଙ୍କରେ ଯେତେବବେଳେ ଏହି ପାର୍ଥିବ ନଶ୍ଵର ଜୀବନଟାର ଛାର କଥାଗୁଡ଼ିକ ହିଁ ସାମଗ୍ରୀ କରି ଲେଖାଯାଇଛି, ସେହି ସ୍ଥିତିରେ ପ୍ରକୃତ ବିବେକୀମାନେ କଦାପି ତାହାକୁ ମନ କରିବେ ନାହିଁ । ଚଗଲମାନେ ହିଁ ତେଣିକି ଆକୃଷ୍ଟ ହେବେ । ଭାରତବର୍ଷରେ ମାୟାବାଦଟା ଯେ ପ୍ରାଚୀନ ସେହି କାଳଟାରେ ଆହୁରି କେତେ କେତେ ଭୂଖଣ୍ଡକୁ ଘାରି ରହିଥିଲା, ଏଥିରୁ ସେ କଥାଟିର ଖୁବ୍ ଇଙ୍ଗିତ ମିଳି ଯାଉଥିବ ।

 

ଉପନ୍ୟାସକୁ ସାହିତ୍ୟର ଉଚ୍ଚାଙ୍ଗ ଦାଣ୍ଡରେ ବାଟ ଚଳାଇ ନ ଦେବାକୁ ବିଶୁଦ୍ଧ ଏବଂ ବିଶିଷ୍ଟମାନଙ୍କର ଏତେ ଏତେ ଚକ୍ରାନ୍ତମୂଳକ ତତ୍ପରତା ସତ୍ଵେ ତଥାପି ଉପନ୍ୟାସ ନାମକ କ୍ଷୁଦ୍ର ପାଦପଟି ହାଉଲେ ହାଉଲେ ଏକ ବୃହତ୍ ବୃକ୍ଷରେ ପରିଣତ ହୋଇ ସମଗ୍ର ପୃଥିବୀର ପଠନାଗୃହ କ୍ଷେତ୍ରରେ ଆଦର ଲାଭ କଲା । ଏବେ ମଧ୍ୟ ତାହାର ଜୟପତାକାଟି ଅଧିକରୁ ଅଧିକ ଦର୍ପର ସହିତ ଉଡ଼ି ଉଡ଼ି ଚାଲିଛି । ସାହିତ୍ୟ ବଜାରରେ ଏହି କାହାଣୀ ଏବଂ ଉପନ୍ୟାସର ଗର୍‍ହାକ ସଂଖ୍ୟା ହିଁ ପ୍ରାୟ ଅନତିକ୍ରମ ଭାବରେ ଅଧିକତମ ହୋଇ ରହିଛି । ଲେଖିକା ସେହି ସତ୍ୟଟି ଆଡ଼କୁ ମଧ୍ୟ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ସିଏ ଗୋଟିଏ ଶବ୍ଦରେ ଉପନ୍ୟାସକୁ ବା ଉପନ୍ୟାସ-ପଠନକୁ ଏକ ପଳାୟନ (ଏସକେପ୍) ବୋଲି କହିଛନ୍ତି । ପଳାୟନ ଯେ ସର୍ବକ୍ଷେତ୍ରରେ ଏକ ନକରାତ୍ମକ ଆଚରଣ ହୋଇ ରହିଥିବ, ତାହାର କୌଣସି କାରଣ ନାହିଁ । ଜଣେ ମନୁଷ୍ୟ–ନିଦା ଏବଂ ସୁସ୍ଥଚେତନ ମନୁଷ୍ୟ ନିଶ୍ଚୟ ତା’ର ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ସ୍ଵତଃ ପ୍ରବୃତ୍ତ ହୋଇ ବହୁତ ଶୃଙ୍ଖଳା ମାନୁଥିବ ଓ ନିଜକୁ ବହୁତ ବହୁତ ଗାର ଭିତରେ ରଖିଥିବ । ତଥାପି ତା’ ଜୀବନରେ ଏମିତି କିଛି କିଛି ଅବସର ଆସୁଥିବ, ଯେତେବେଳେ କି ସିଏ ଯାବତୀୟ ବେଡ଼ିକୁ ଛିଣ୍ଡାଇ ଦେବାକୁ ଇଚ୍ଛା କରୁଥିବ । ନିଜର ଅଭ୍ୟସ୍ତ ତା’ର ଗୁଡ଼ିକୁ ଝାଡ଼ି ଦେବାକୁ ଚାହୁଁଥିବ, ସତେଅବା ଗୋଟିଏ ବନ୍ଧନହୀନ ପରିପୂର୍ଣ୍ଣ ରାଜକୀୟତା ଭିତରେ ନିଜକୁ ଏକ ମହନୀୟ ନିଜସ୍ୱ ଶୋଭାରେ ଅନୁଭବ କରିବାକୁ ଇଚ୍ଛା କରୁଥିବ । ସେତେବେଳେ ତାକୁ ଆବଶ୍ୟକ ରୁଟିନ୍‍ଗୁଡ଼ାକ ଆଦୌ ଭଲ ଲାଗିବ ନାହିଁ । ସତେଅବା ପିଲାଟିଏ ପରି ସିଏ ଗୋଟାସୁଦ୍ଧା ସହଜ ଏବଂ ସିଧାହୋଇ ଏକାବେଳକେ କୌଣସି ଅପରିଚିତ ଗଳି ଭିତରକୁ ଧାଇଁଯିବାକୁ ମନେ କରୁଥିବ । ନିଜ ସହିତ ଲୁଚକାଳି ଖେଳିବାକୁ ତ ଖାଲି ପିଲାମାନଙ୍କୁ ନୁହେଁ, ବଡ଼ମାନଙ୍କୁ ମଧ୍ୟ ବେଜାଏ ଭଲ ଲାଗୁଥିବ । ଫୁଙ୍ଗୁଳା ହୋଇ ପଳାଇ ଯିବାଟାକୁ ଆଦୌ ସକଳ କ୍ଷେତ୍ରରେ ଅସୁସ୍ଥତା ବୋଲି କୁହାଯାଇ ପାରିବ ନାହିଁ । ସଚେତନ ଭାବରେ ନିଜ ବେଢ଼ାଟିର କବାଟ ଫିଟାଇ ବାହାରକୁ ଘଡ଼ିକ ନିମନ୍ତେ ବାହାରି ଆସିବା, ହୁଏତ ଏକ ପୁନର୍ବାର ଗୃହ ପ୍ରତ୍ୟାବର୍ତ୍ତନ ଲାଗି ତାହା ବହୁତ ବହୁତ ପୁଷ୍ଟିସାର ଆଣି ଯୋଗାଇ ଦିଏ । ଉପନ୍ୟାସ ସେହି ଭଳି ଏକ ଏସକେପ୍‍ର ଅବସର ଆଣିଦିଏ, ଗଣ୍ଠିଗୁଡ଼ାକ ଫିଟାଇ ପକାଏ ଏବଂ ନିଜ ଭିତର ଓ ବାହାରର, ପୃଥିବୀର ଏକ ପୂର୍ଣ୍ଣତା ର ଆକଳନ କରିବା ଲାଗି ଅନେକ ଖୋରାକ ଆଣି ଯୋଗାଇ ଦିଏ ।

 

ପ୍ରଥମ ପର୍ଯ୍ୟାୟରେ ଉପନ୍ୟାସ ଆଦର୍ଶବାଦୀ ଥିଲା, ସ୍ଵର୍ଗର ଦେବତାମାନଙ୍କୁ ଇପ୍ସିତ ମୂଲ୍ୟଗୁଡ଼ିକର ପ୍ରତିଭୂ ରୂପେ ଥାପି ଦେଇ ସିଏ ମନୁଷ୍ୟମାନଙ୍କୁ ସେହି ଆଡ଼କୁ ଉଦ୍‍ବୁଦ୍ଧ କରୁଥିଲା । ଦେବତାମାନଙ୍କର କୋପ, ସେହି କୋପର ଶିକାର ହେଉଥିବା ମନୁଷ୍ୟ ପାଇଁ ବିହିତ ଶାସ୍ତିବିଧାନ, ଉତ୍ତମ ଇଶ୍ଵରାନୁଗତ୍ୟ ନିମନ୍ତେ ପୁରସ୍କାର, ସତ୍ୟ ଓ ଧର୍ମ ଅର୍ଥାତ୍ ଅଧିକ ଶକ୍ତିଶାଳୀର ଜୟ ଏବଂ ସେହି ଅନୁସାରେ ଅସତ୍ୟ ଓ ଅଧର୍ମର ପରାଜୟ—ଏହି ନୀତି ବା ରୀତିରେ ହିଁ ସେ କାଳର ଉପନ୍ୟାସ-ଭଣ୍ଡାର ପୂରି ରହିଥିଲା । ଦେବତାମାନଙ୍କର ଆଳରେ କ୍ରମେ ପୃଥିବୀ ଜୀବନର କଥାସବୁ ପ୍ରତିଫଳିତ ହୋଇଆସିଲା ଏବଂ ଏହିପରି ଭାବରେ ବର୍ଣ୍ଣନା ଏବଂ ଭାବନାର ଆଖିଗୁଡ଼ିକ ତଳି ଛୁଇଁଲା । ମଣିଷମାନଙ୍କ ଜୀବନଟି ମଧ୍ୟ ପ୍ରାୟ ସମାନ ଭାବରେ ବର୍ଣ୍ଣାଢ଼୍ୟ ଦିଶିଲା ଏବଂ ଦୃଷ୍ଟି ଆକର୍ଷଣ କଲା । ମର୍ତ୍ୟର ପ୍ରକୃତି ଅଧିକ ଆଗ୍ରହ ଦାବି କଲା । ବହିଃପ୍ରକୃତିର ନିକଟ ଅଧ୍ୟୟନ ଆଧୁନିକ ବିଜ୍ଞାନକୁ ଜନ୍ମ ଦେଲା ଏବଂ ଅନ୍ତ ପ୍ରକୃତିକୁ ସଂପୂର୍ଣ୍ଣ ଭାବେ ନୂତନ ନାନା ପରିଧି ଏବଂ ପରିପ୍ରେକ୍ଷୀ ଦେଇ ଅବଲୋକନ ରେନେସାଁସ୍ ନାମକ ସେହି ତାତ୍ପର୍ଯ୍ୟ ପୂର୍ଣ୍ଣ ଅଲୋଡ଼ନଟିକୁ ଆମନ୍ତ୍ରିତ କରି ଆଣିଥିଲା । ଏଇଥିରୁ ଉପନ୍ୟାସର ବାସ୍ତବବାଦୀ ସୋପାନଟିକୁ ଆବିଭୂର୍ତ ହୋଇ ଆସିଥିଲା । ଇଉରୋପେର ସମାଜ ବହୁ ଉଦବେଳନ ଏବଂ ସତ୍ୟୋନ୍ମୀଳନ ଦ୍ଵାରା ନାନା ନୂତନ ପ୍ରସ୍ଥକୁ ସ୍ପର୍ଶ କରୁଥିବା ହେତୁ ଅଭାବନୀୟ ଅନେକ ପରିବର୍ତ୍ତନ ଦ୍ଵାରା କଳେବର ବଦଳାଇଦେଲା । ଯେଉଁ ମନୁଷ୍ୟମାନେ ପାରମ୍ପରିକ ଭାବରେ ଅବଜ୍ଞାତ ଏବଂ ଅବହେଳିତ ହୋଇ ରହିଥିଲେ, ସେମାନେ ବି ସାହିତ୍ୟର ମେଦିନୀଭିତରକୁ ଆସିଲେ । ମାର୍କ୍ସଙ୍କର ନୂଆ ମନ୍ତ୍ରଟି ସେହି କାଳଠାରୁ ଆମ ଏ ପର୍ଯ୍ୟନ୍ତ ପୃଥିବୀର ବହୁ ସାହିତ୍ୟରେ ଉପନ୍ୟାସ ଏବଂ କାହାଣୀକୁ ସାମଗ୍ରୀ ଏବଂ ସରଣୀ ଯୋଗାଇ ଆସୁଛି । ସେହି ବାସ୍ତବବାଦ ଯେତେବେଳେ କେବଳ ଯେତିକି ଦିଶୁଛି, ସେତିକି ସଂପୂର୍ଣ୍ଣ ନ ମଣି ଗଭୀରକୁ ବି ଜିଜ୍ଞାସାର ପ୍ରସାରଣ ଘଟାଇଲା, ସେଥିରୁ ଚେତନକୁ ଏକ ତୁମୂଳ ପୃଷ୍ଠଭୂମିର ବ୍ୟାପ୍ତି ଦେଇ ଅବଚେତନ ଏବଂ ଅଚେତନର ବହୁବିଧ ଖନନ ସମ୍ଭବ ହେଲା । ଉଭା ପଛରେ ରହିଥିବା ପୋତାଟି ଉଭାକୁ ମଧ୍ୟ ଅଧିକ ଅନ୍ତରଙ୍ଗ ଭାବରେ ଗମିବାର ସରଞ୍ଜାମ ହାତ ପାଆନ୍ତାକୁ ନେଇ ଆସିଲା । ପୃଥିବୀର ଉପନ୍ୟାସ-ସାହିତ୍ୟର ବେଦିଟି ଅଧିକ ମଞ୍ଜୁଳ ହୋଇ ଦିଶିବାର କେତେ କେତେ ଉପାଦାନ ଆସି ମିଳିଗଲା ।

 

ଯେଉଁ ବାସ୍ତବର ସାମୂହିକ ମଞ୍ଚଟି ଉପରେ ମନୁଷ୍ୟମାନଙ୍କର ନିତ୍ୟନୈମିତ୍ତିକ ଜୀବନଟି ଆତଯାତ ହେଉଥାଏ, ଲେଖିକା ଶ୍ରୀମତୀ ଡୁଡ଼ୀ ତାହାକୁ ପ୍ରେସ୍‍କ୍ରିପଟିଭ୍ ରିଅଲିଜିମ୍ ବୋଲି କହିଛନ୍ତି । (ପୃଷ୍ଠା–୨୮୭) ଉପନ୍ୟାସର ପ୍ରଥମ ଯୁଗରେ ଯେତେବେଳେ ବିସ୍ମୟ ଟା ହିଁ ନିର୍ଣ୍ଣାୟକ ଭାବରେ ମାର୍ଗ-ନିର୍ଦ୍ଧାରଣ କରୁଥିଲା, ଲାଟିନ ଆମେରିକାନ୍ ସାହିତ୍ୟରୁ ଅଭିଧାଟିଏ ନେଇ ସିଏ ତାହାକୁ Lereal maravilloso ବୋଲି ନାମ ଦେଇଛନ୍ତି । ସେତେବେଳେ ଦେବତା, ଆଦର୍ଶ ଗୁଣ ଏବଂ ଅଲୌକିକ ଅର୍ଥାତ୍ ମନୁଷ୍ୟ ପାଇଁ ସେଇ ଅପହଞ୍ଚ ଶକ୍ତି ବା ଗୁଣଗୁଡ଼ିକ ହିଁ ମଡେଲ ରୂପେ କାର୍ଯ୍ୟ କରୁଥିଲା । ସାମାଜିକ, ରାଜନୀତିକ ତଥା ମନୋବିଶ୍ଲେଷଣାତ୍ମକ ବାସ୍ତବବାଦର ପର୍ଯ୍ୟାୟଟି ଭୋଗ ହୋଇଯିବା ପରେ ବିଂଶ ଶତାବ୍ଦୀରେ ଯେଉଁ ନୂଆ ଅନୁକଳ୍ପଟି ଆସି ଉପନ୍ୟାସ କାରମାନଙ୍କ ଦ୍ଵାରା ଅନୁସୃତ ହେଉଛି, ଲାଟିନ୍ ଆମେରିକାରେ ତାହାକୁ lerealism magic ବା magic realism ବୋଲି କୁହାଯାଉଛି । (ପୃଷ୍ଠା–୪୬୯) ଲାଟିନ୍ ଆମେରିକାର ପ୍ରାୟ ସବୁ ଦେଶରେ ଏକାଧିକ ରାଜନୈତିକ ଏବଂ ସାମାଜିକ ବର୍ବରତାମାନ ଲୋକ ଜୀବନ ଏବଂ ଲୋକ ମାନସ ଉପରେ ଶାସନ କରିବାରେ ଲାଗିଛି । ଆଧୁନିକ ସଭ୍ୟତାର ଯାବତୀୟ ଅତିରିକ୍ତତା ଏବଂ ଅବଜ୍ଞା ସହିତ ଉତ୍ତରରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରାଚୁର୍ଯ୍ୟାଦି ପ୍ରାୟ ଆଖି ସାମ୍ନାରେ ରହିଥିବାରୁ ଲାଟିନ୍ ଆମେରିକାସ୍ଥ କର୍ତ୍ତୃତ୍ଵମାନେ ତା’ ସହିତ ପୂରା ପରିଚିତ ହୋଇ ପାରିଛନ୍ତି ଓ ତେଣୁ ବର୍ବରତାଗୁଡ଼ିକ ଅଧିକ ନିର୍ମମ ହୋଇ ପାରୁଛନ୍ତି । ରାଜନୈତିକ ପ୍ରତିବାଦକୁ ନୃଶଂସ ଭାବରେ ଦବାଇ ଦିଆଯାଉଛି । ଏକମାତ୍ର ସାହିତ୍ୟ ସତେଅବା ସେଠାରେ କିଞ୍ଚିତ୍‍ ପ୍ରତିବାଦ କରି ପାରୁଛି । ଅଧିକାଂଶ ଦେଶରେ ମଜବୁତ୍ ହୋଇ ବସିଥିବା ଏକାଧିପତ୍ୟ ଏବଂ ଉତ୍ପୀଡ଼ନ ତଥା ମାଫିଆ ସାମ୍ରାଜ୍ୟବାଦରେ ପ୍ରତିବାଦ କରୁଛି । ଆପଣାର ସ୍ଵତନ୍ତ୍ର ଏକ ରୀତିରେ ପ୍ରତିଷ୍ଠିତ ସମାଜ-ବ୍ୟବସ୍ଥା ପାଇଁ ଏକ ଭୟର କାରଣ ହୋଇପାରୁଛି । ଉପନ୍ୟାସ ସକଳ କ୍ଷେତ୍ରରେ ସମାଜ ବ୍ୟବସ୍ଥାକୁ ଦୋହଲାଇ ଦିଏ ବୋଲି ଲେଖିକା ଯାହା ମନ୍ତବ୍ୟ କରିଛନ୍ତି (ପୃଷ୍ଠା-୨୮୫), ହୁଏତ ଏଡ଼େ ବଡ଼ କଥାଟାରେ ରାଜି ହେବା ଆମ ପାଇଁ ସମ୍ଭବ ନ ହୋଇପାରେ । ଉପନ୍ୟାସ ସିଧା କରି କିଛି କହେ ନାହିଁ । କଳାକୁ କଳା ବୋଲି କହିବା ସମୟରେ ମଧ୍ୟ ବଙ୍କା କରି ମାଠିମୁଠି କରି କହିବାକୁ ଚେଷ୍ଟା କରେ । ହୁଏତ ତାଦ୍ୱାରା ସ୍ଵୟଂ ଲେଖକ କେଡ଼େ ଚତୁର ଭାବରେ ବାଣଟାଏ ମାରିଦେଲା ବୋଲି ବିଚାରୀ ଆପେ ଗୁଡ଼ାଏ ଖୁସି ହୋଇପଡ଼ୁଥିଲେ ମଧ୍ୟ ପାଠକ ଭିତରେ ଅଭିପ୍ରେତ ପ୍ରତିକ୍ରିୟାଟିକୁ ସିଏ ତଥାପି ଜାଗୃତ କରାଇପାରେ ନାହିଁ । ବିଶେଷତଃ ଆଧୁନିକ ଶୈଳୀମାନେ ଯେଉଁଦିନଠାରୁ ଉପନ୍ୟାସ ଭିତରକୁ ପଶିଲେଣି ଅର୍ଥାତ୍ ଭାଷାଳଙ୍କରର ଚାତୁର୍ଯ୍ୟରେ ଉପନ୍ୟାସକାରମାନେ ସତ୍ୟଗୁଡ଼ାକୁ ସାଉଁଳିଆ କରି କହିବା ନିମନ୍ତେ ଯହୁଁ ଯହୁଁ ଅଧିକ ମନ କଲେଣି, ସେହିଦିନ ଠାରୁ ପାଠକ ମଧ୍ୟ ଆବେଦନଗୁଡ଼ିକୁ ଦେହସୁହା କରିନେବାରେ କ୍ରମେ ଅଧିକ ଅଭ୍ୟସ୍ତ ହୋଇ ପାରିଲେଣି । ମୁଗ୍ଧ ହେଲାଣି, ଲେଖକର କହିବା ପଣକୁ ଅନନ୍ୟ ସାଧାରଣ ବୋଲି କହିଲାଣି; କିନ୍ତୁ ଲେଖକ ଯେଉଁ ସତ୍ୟଗୁଡ଼ିକୁ ଆଣି ଉପସ୍ଥାପିତ କରିବାକୁ ଭାବିଥିଲା, ସେଗୁଡ଼ିକ ଆଉ ମୋଟେ ଅସ୍ଥିର କରି ଦେଉନାହିଁ । ମ୍ୟାଜିକ୍ ରିଅଲିଜିମ୍‍ର ମ୍ୟାଜିକ୍ ଅଂଶଟା ଏତେ ପ୍ରଧାନ ହୋଇପଡ଼ୁଛି ଯେ, ହୁଏତ ରିଅଲିଜିମ୍ ମାଡ଼ ଖାଇ ଯାଉଛି ।

 

ସ୍ପେନୀୟ ସମୀକ୍ଷମ Mario Vargas Liolsaଙ୍କର Fiction is temprorary succedancum for life ଉକ୍ତିଟିକୁ ଲେଖିକା ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । (ପୃଷ୍ଠା–୪୬୭) କେବଳ ଉପନ୍ୟାସକୁ ନୁହେଁ , ସାହିତ୍ୟକୁ ମଧ୍ୟ ବହୁତ ବ୍ୟକ୍ତି ଏକ ଏହିପରି substituter ବୋଲି ଗ୍ରହଣ କରିଛନ୍ତି । ଜୀବନର ଏକ ଚିତ୍ର ଦେବାକୁ ଯାଇ ଉପନ୍ୟାସ ବହୁତ ସମୟରେ ଜୀବନରୁ ଭୁଲାଇ ନିଏ । ଆମ ଅନୁଭବର ଚମଗୁଡ଼ାକୁ ସତେଅବା ଖୁବ୍ ବହଳିଆ ଚମ ଦ୍ଵାରା ଜୀବନ ପ୍ରତି ବିସ୍ମୃତ ହୋଇ ରହିବାକୁ ହୁଏତ ବହୁତ ଲୋକ ଉପନ୍ୟାସ ପଢ଼ିବାକୁ ଏତେ ବେଶି ଭଲପାନ୍ତି । ଆମ ସମ୍ମୁଖରେ ଆମଲାଗି ଆହ୍ଵାନ ପରି ହୋଇ ରହିଥିବା ଜୀବନକୁ ଦେଖି ମଧ୍ୟ ଜୀବନକୁ ନ ଦେଖୁଥିବା ପରି ହେବା ପାଇଁ କ’ଣ ଜୀବନର ଏକ ସାହିତ୍ୟିକ ମଣ୍ଡନମୟ ପ୍ରତୀତି ଭିତରେ ଘଡ଼ିକ ପାଇଁ ପାସୋରି ହୋଇ ରହିଯିବା—ଉପନ୍ୟାସକୁ ଏକ ଥେରାପି ବୋଲି କହି (ପୃଷ୍ଠା–୪୮୩) ଲେଖିକା କ’ଣ ସତକୁ ସତ ତାହାହିଁ ବୁଝୁଛନ୍ତି କି ? ଏହି ଯୁଗ ବହୁତ ବହୁତ ଅଭାବ ଏବଂ ଅପୂର୍ଣ୍ଣତାର ଯୁଗ । ମଣିଷମାନଙ୍କ ଉପରେ ନାନାବିଧ କତୃତ୍ଵ ଜାହିର୍ କରି ସେମାନଙ୍କୁ ବାଧ୍ୟ କରି ରଖିବାର ଯୁଗ । ଏହି ସଂକଟମୟ ମୁହୂର୍ତ୍ତ ରେ ଉପନ୍ୟାସ ଗୋଟିଏ ନୂତନ ମାନବିକତାବୋଧ (New humanism, ପୃଷ୍ଠା ୩୦୭)ର ବିକଳ୍ପ ପଥ ଦର୍ଶାଉଛି ବୋଲି ଲେଖିକା ଯାହା କହିଛନ୍ତି, ତଦ୍ୱାରା କ’ଣ ସିଏ କେବଳ ଏହି ସାମୟିକ Substitute କଥା ହିଁ ବୁଝୁଛନ୍ତି ? ଯାବତୀୟ ସାହିତ୍ୟ ସର୍ବଥା ଏକ ସାମୟିକ Katharsis ଭଳି କାର୍ଯ୍ୟ କରିଥାଏ ବୋଲି ଆମକୁ ତ ସେହି ପ୍ରାଚୀନ ଗ୍ରୀକ ସମୟରୁ କୁହାଯାଇ ଆସିଛି । ଏବଂ ଏକ ନିପଟ ଅସମାନ ସମାଜରେ ସୁଯୋଗମାନ ଭୋଗ କରୁଥିବା ପଟଟି ସାହିତ୍ୟର ମହଦାଶ୍ରାୟ ମଧ୍ୟରେ ଆପଣାକୁ ସୁରକ୍ଷିତ ପ୍ରାୟ ରଖି ବଞ୍ଚିତ ପଟଟି ସମ୍ବନ୍ଧରେ ପ୍ରଧାନତଃ ଉଦାସୀନ ହିଁ ରହି ଆସିଛି । ପୃଥିବୀଯାକ ସମ୍ଭବତଃ କାହାଣୀମାନେ ହିଁ ତାହାକୁ ଉଦାସୀନ ରହିବାର ଆବଶ୍ୟକ ଅବିବେକଟିକୁ ଯୋଗାଇ ଆସିଛନ୍ତି । ଲେଖିକା ଆଶା ବ୍ୟକ୍ତ କରୁଛନ୍ତି ଯେ, ଭିନ୍ନ ଭିନ୍ନ ଦେଶ, ଜନସମୂହ ଏବଂ ସାହିତ୍ୟ କ୍ରମେ ପରସ୍ପର ଅଧିକ ପରିଚୟକୁ ଆସୁଥିବାର ପ୍ରକ୍ରିୟାରେ ପାଶ୍ଚାତ୍ୟ ଓ ପ୍ରାଚ୍ୟ ମଧ୍ୟରେ ଆଦାନପ୍ରଦାନ ବୃଦ୍ଧି ପାଇବ ଏବଂ ତଥାକଥିତ ପ୍ରଭେଦଗୁଡ଼ିକ କମିଯିବ । ଉପନ୍ୟାସ ସର୍ବଦା ଭବିଷ୍ୟତମୁଖୀ ହୋଇ ରହିଆସିଛି ଏବଂ ପୃଥିବୀ ଯେତିକି ହୋଇ ରହିଛି, ସେତିକିରେ କଦାପି ରହିବ ନାହିଁ ବୋଲି ସିଏ ସ୍ଵପ୍ନ ଦେଖିଛି । ପ୍ରତ୍ୟେକ ସ୍ଥାନୀୟ ସଂସ୍କୃତି ଏବଂ ଆଚାରସୀମା ମଣିଷମାନଙ୍କୁ ସେତିକି ଭିତରେ ଛନ୍ଦି ରଖିବାକୁ ଚେଷ୍ଟା କରି ଆସିଛନ୍ତି । ଏବେ ମଧ୍ୟ ଚେଷ୍ଟା କରୁଛନ୍ତି । ଉପନ୍ୟାସ ସର୍ବଦା ଆଗକୁ ଅନେଇଛି ଏବଂ ସ୍ଥାନୀୟତାମାନଙ୍କୁ ଅତିକ୍ରମି ଯିବାର ପ୍ରରୋଚନା ଦେଇଛି । ଉପନ୍ୟାସକୁ ଲେଖିକା The repository of our hopes (ପୃଷ୍ଠା–୪୭୧) ବୋଲି କହିଛନ୍ତି । ଏବଂ ପ୍ରାୟ ଉପସଂହାର ର ଶେଷଭାଗକୁ ଆସି ଏକ ଉଦ୍ଧୃତିର ସାହାଯ୍ୟ ନେଇ ସିଏ ଉପନ୍ୟାସକୁ ଜଣେ ଦେବୀର ଆସ୍ଥାନର ନେଇ ବସାଇ ଦେଇଛନ୍ତି ଏବଂ ତାହାକୁ 'ମାଡୋନ ଅଫ ଦି ଫ୍ୟୁଚର ' ବୋଲି ଘୋଷଣା କରିଛନ୍ତି । (ପୃଷ୍ଠା–୪୮୪)

 

ସମୀକ୍ଷାଟିର ଶେଷରେ ଆମେ ପୁସ୍ତକଟିର ସମଗ୍ର ସନ୍ଦର୍ଭଟିକୁ ଆମର ନିଜ ସାହିତ୍ୟର ଦୃଶ୍ୟପଟଟି ଉପରେ ମଧ୍ୟ ବିଚାର କରିପାରିବେ । ଉପନ୍ୟାସ ବିଷୟରେ ଓଡ଼ିଆରେ ଯେତେ ଯେତେ ଆଲୋଚନା ହୋଇଆସିଛି,(ଭାରତବର୍ଷର ଯେକୌଣସି ସାହିତ୍ୟ ପାଇଁ ମଧ୍ୟ ତାହାହିଁ ଘଟିଥିବ) ସେଥିରେ ଆରମ୍ଭକାଳ ହିସାବରେ ଉନ୍ନବିଂଶ ଶତାବ୍ଦୀର ଶେଷ ଦୁଇ ବା ତିନି ଦଶନ୍ଧିକୁ ଦର୍ଶାଇ ଦିଆଯାଇଛି । ଉପନ୍ୟାସ ପାଇଁ ପ୍ରେରଣାଗତ ଉନ୍ମେଷ ଟି ପାଶ୍ଚାତ୍ୟ ଜଗତରୁ ଆସିଲା ବୋଲି ବିଶ୍ଳେଷଣ କରାଯାଇଛି । ଭାରତବର୍ଷ ପରି ସେହି ଆଦିମ ଯୁଗରୁ ହିଁ କାହାଣୀ ସମ୍ଭାରର କ୍ଷେତ୍ରରେ ଅଧିକ ପୁଷ୍କଳ ଭୂମି ପୃଥିବୀରେ ସମ୍ଭବତଃ ଅନ୍ୟତ୍ର କେଉଁଠାରେ ହେଲେ ମିଳିବ ନାହିଁ । ସେହି କାହାଣୀମାନେ ସଂଖ୍ୟାରେ ସହସ୍ର ସହସ୍ର । ଇଉରୋପରେ ରୋମାନ୍ସ ଓ ନୋଭେଲ ମଧ୍ୟରେ ରହିଥିବା ସୈଦ୍ଧାନ୍ତିକ ବାଡ଼ଟିକୁ ଯଦି ଉଠାଇ ଦିଆଯାଏ, ତେବେ ଆମେ ଉପନ୍ୟାସର ଉତ୍ସ ଖୋଜି ଖୋଜି ସବାମୂଳ ବୈଦିକ ଯୁଗକୁ ମଧ୍ୟ ଯାଇପାରିବା । ରାମାୟଣ, ମହାଭାରତ, ଅଠର ପୁରାଣ, ମାହାତ୍ମ୍ୟ— ଏଗୁଡ଼ିକ କାବ୍ୟରେ ସିନା ଲେଖାଯାଇଛି, ମାତ୍ର କାହାଣୀର ଉପାଦନାଟି ହିଁ ଏଗୁଡ଼ିକର ପାଠକରେ ଚିତ୍ତକୁ ଯୁଗେ ଯୁଗେ ଆକର୍ଷତ କରି ଆସିଛି ଏବଂ ପଞ୍ଚତନ୍ତ୍ର, ହିତୋପଦେଶ, କଥା ସରିତ ସାଗର, ଦଶକୁମାର ଚରିତ, ଏଗୁଡ଼ିକୁ ଆମେ ପ୍ରାଚୀନ ଉପନ୍ୟାସ ବୋଲି କହିବାକୁ କାହିଁକି ବା ମନ ନ ବଳାଇବା ? ଅଧିକନ୍ତୁ, ଲୋକ କାହାଣୀର ସେଇ ଅନ୍ୟ ଉର୍ବର ଐତିହଟିକୁ ଆମେ ଉପନ୍ୟାସ ସାହିତ୍ୟର ପୂର୍ବବର୍ତ୍ତୀ ଗୋଟିଏ ଜ୍ଞାତି ବୋଲି କେତେଦୂର ସ୍ଵୀକାର କରି ପାରିବା ? ଲୋକଗଳ୍ପ, ଏପରିକି ଲୋକଗାଥା ମାନଙ୍କୁ ଓଡ଼ିଶାରେ ପୂର୍ଣ୍ଣନିଷ୍ଠାର ସହିତ ଶିଶୁ ସାହିତ୍ୟର ପ୍ରକାରଣରେ ଆଣି ସାମିଲ୍ କରିବାରେ କିଛି ଚେଷ୍ଟା ମଧ୍ୟ କରାଯାଇଛି ଓ ଏପରି କରିବା ସପକ୍ଷରେ ଏକାଧିକ ଯୁକ୍ତି ବାଢ଼ି ଦିଆଯାଇଛି । ନାରାୟଣ ଅବଧୂତ ସ୍ଵାମୀ ଏବଂ ବ୍ରଜନାଥ ବଡ଼ଜେନାଙ୍କୁ ଆମେ ଏକ ସମାନ ନ୍ୟାୟରେ ଉପନ୍ୟାସକାର ବୋଲି ନ କହିବ କାହିଁକି-? ଅବଶ୍ୟ, ଏହି କ୍ଷେତ୍ରରେ ମତାମତ ମଧ୍ୟରେ ଆଦୌ କୌଣସି ଲଢ଼େଇ ଲାଗିଯିବା ଉଚିତ ନୁହେଁ-। ମାତ୍ର, ସାଧୁ ଆଲୋଚନାମାନ ସର୍ବଦା କରାଯାଇପାରିବ ।

 

ଓଡ଼ିଆ କାହାଣୀ ଏବଂ ଉପନ୍ୟାସରେ ଏକାବେଳରେ ଏ ଯୁଗକୁ ଆସି କଥାଭାଗଟି ତୁଳନାରେ ଶୈଳୀ ଏବଂ ଆଙ୍ଗିକ ଉପରେ ବେଶ୍ ଆଖିଦୃଶିଆ କେତେ ଗୁରୁତ୍ଵ ଦିଆଯାଇଛି । ଆଧୁନିକ କବିତା ପରି ଆଧୁନିକ ଉପନ୍ୟାସରେ ମଧ୍ୟ ମିଥ୍ ଏବଂ ରମଣୀୟ ନାନା ଚିତ୍ରକଳ୍ପର ଆଶ୍ରୟ ନିଆଯାଉଛି । ବଳଦିଆ ଭାବରେ କହିଲେ, ଏଣିକି ସିଧା ନ କହି କଥାଗୁଡ଼ାକୁ ବଙ୍କା କରି କୁହାଯାଉଛି । ପାଠକମାନଙ୍କର ରୁଚିରେ ମଧ୍ୟ ସିଧା ଅପେକ୍ଷା ବଙ୍କାଗୁଡ଼ାକର ଆଦର କ୍ରମେ ଅଧିକ ହେଲାଣି ଏବଂ ଓଡ଼ିଆ ଉପନ୍ୟାସରେ ଏବେ ମ୍ୟାଜିକ୍ ରିଅଲିଜିମ୍‍ର ମଧ୍ୟ କମ୍ ଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ । କେଜାଣି କ’ଣ ପାଇଁ ରିଅଲିଜିମ୍‍ଠାରୁ ମ୍ୟାଜିକ୍‍ଟା ଅଧିକ ସୁହାଉଛି । ଅଧିକ ଭଲ ହୁଏତ ଲାଗୁଛି । ଗଳ୍ପକାରିତା ଅଧିକତଃ ଏକ ନୈପୁଣ୍ୟଯୁକ୍ତ ସଚେତନ ସ୍କଲ୍‍ପଚରିଂ ବା ସ୍ଥପତି ବେଉସାରେ ପରିଣତ ହୋଇଯାଉଛି ।ସାମୟିକ ଭାବେ ଖୁବ୍ ମୁଗ୍ଧ କରାଉଛି, ସ୍ଵତନ୍ତ୍ର ଚେହେରା ଥିବା କ’ଣ ଗୋଟିଏ ପଢ଼ିଲି ବୋଲି ଭାବିଲାବେଳକୁ ଭିତରେ କିଏ ସତେଅବା କୁଣ୍ଢେମୋଟେ ହୋଇ ଯାଉଥିବା ପରି ଅନୁଭବ କରୁଛି । ଏପରି ଏକ ବାସ୍ତବବାଦ ବାସ୍ତବଟାକୁ ଏକ ଡୋରଛିଣ୍ଡା ରସୋତ୍ତୀର୍ଣ୍ଣ ମର୍ଯ୍ୟାଦାରେ ଦେଖିବା ଲାଗି ବହୁବିଧ ସମ୍ଭ୍ରାନ୍ତ ତଟସ୍ଥତା ଆଣି ଯୋଗାଇ ଦେଉଛି । ଚାରିପାଖର ଜୀବନର ବିକଟତାକୁ ଦେଖିବେ ନାହିଁ କିମ୍ବା ଦେହକୁ ନେବେ ନାହିଁ ବୋଲି ସତେଅବା ବହୁ କିମିଆର ସିଦ୍ଧ ପରଖ ଦେଇ ସେହି ବିକଟତାକୁ ସାମଗ୍ରୀ ରୂପେ ବ୍ୟବହାର କରି ଲେଖା ହୋଇଥିବା ଗଳ୍ପଗୁଡ଼ିକୁ ବା ଉପନ୍ୟାସଟିକୁ ପଢ଼ିବା ଲାଗି ପାଠକମାନେ ଅଧିକ ହିତକର ବୋଲି ବିଚାର କରୁଛନ୍ତି । ସତେଅବା କୌଣସି ଇନ୍ଦ୍ରଜାଲ ସୃଷ୍ଟି କରି ରଖିବେ ବୋଲି କେହି ପୁରାତନ ପାଳଗଦା ଭିତରୁ ବିଷ୍ଣୁ ଶର୍ମାଙ୍କୁ ବା ଅବୋଲକରାକୁ ମଧ୍ୟ ଆବିଷ୍କାର କରିବା ପାଇଁ ଉନ୍ମୁଖ ହୋଇ ଉଠୁଛି । ସମ୍ଭବତଃ ଏଭଳି କେତେକ କାରଣରୁ ସାହିତ୍ୟ ସାହିତ୍ୟ ବାଟେ ଯାଉଛି ଏବଂ ଜୀବନ ଜୀବନ ବାଟେ ଯାଉଛି । ସାହିତ୍ୟ ସାହିତ୍ୟ ମାର୍ଗରେ ପାଚୁଛି ଓ ଜୀବନ ଜୀବନରୂପେ ଡହଳବିକଳ ହେଉଛି । ସାହିତ୍ୟିକ, ଗଳ୍ପକାର ଓ ଉପନ୍ୟାସକାର ସମେତ ନିଜର ଗୋଟିଏ ସ୍ଵତନ୍ତ୍ର ମଞ୍ଚା ଉପରେ ଯାଇ ବସୁଛି । ଏହିପରି ବସିବାକୁ ସଂସ୍କୃତି ବୋଲି କହୁଛି ଏବଂ ଗୋଟିଏ ଜାତିର ସଂସ୍କୃତି ହିଁ ତାହାକୁ ବଡ଼ କରେ ବୋଲି କୁହାଟ ଦେଉଛି । ସାହିତ୍ୟ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜୀବନ ପ୍ରତି ଅଙ୍ଗୀକାରବଦ୍ଧତା— ଇଏ କ’ଣ ଦୁଇଟା ଅଲଗା ଅଲଗା ରାଜ୍ୟ ? ଏକ ଆତ୍ମରମଣକାରୀ କବଚ ରୂପେ ବ୍ୟବହାର କରନ୍ତି, ଏବର ସାହିତ୍ୟ ଆମକୁ ତାହାରି ପ୍ରମାଣଗୁଡ଼ିକୁ ପ୍ରାୟ ପ୍ରତ୍ୟହ ଦେଇ ଯାଉଥିବ ।

 

ଅଙ୍ଗୀକାରବଦ୍ଧତା ତଳକୁ ଆସେ । ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ସବୁଟିକୁ ସମଗ୍ର ଭାବରେ ଗୋଟିଏ ବୋଲି ଦେଖେ, ଗୋଟିଏ ବୋଲି ବଞ୍ଚେ । ତଳକୁ ଓହ୍ଲାଇ ଆସି ଆନନ୍ଦ ପାଏ । ବଙ୍କା ନ କହି ସିଧା କହେ । ଜୀବନକୁ ଭୁଲିବା ନିମନ୍ତେ ନୁହେଁ, ଜୀବନକୁ ଆହୁରି ଅନ୍ତରଙ୍ଗ ଭାବରେ ନିଜ ସହିତ ଯୋଡ଼ି କରି ଦେଖିବାକୁ ହିଁ ମିଥ୍‍କୁ ବ୍ୟବହାର କରିଥାଏ । ଶ୍ରୀମତୀ ମାର୍ଗାରେଟ୍ ଡୁଡ଼ୀଙ୍କର ତଥ୍ୟସଂପୁଷ୍ଟ ଏହି ଗ୍ରନ୍ଥଟିକୁ ଭୂମି କରି ଓଡ଼ିଆ ସାହିତ୍ୟ ତଥା ସ୍ଵତନ୍ତ୍ର ଭାବରେ ଓଡ଼ିଆ ଉପନ୍ୟାସରେ ଏକ ବହୁପ୍ରସ୍ଥ ଯୁକ୍ତ ଆଲୋଚନା ମଧ୍ୟ କରାଯାଇପାରେ । ମାତ୍ର ତଥାପି ଗୋଟିଏ କଥାରେ ସାବଧାନ ରହିବାକୁ ହିଁ ପଡ଼ିବ । ଆମର ଏଠାରେ ସାହିତ୍ୟକୁ ଏକ ସାରସ୍ଵତ ସାଧନା ବୋଲି କହି ହୁଏତ ସେହି ଆଦିକାଳରୁ ସାହିତ୍ୟକୁ ଜଣେ ଦେବୀଙ୍କ ସହିତ ଯୋଡ଼ି ଦିଆଯାଇଛି । ଏହି ଆଧୁନିକ ଯୁଗକ୍ଷଣରେ ମଧ୍ୟ ଅନେକ ନିଜର ସେହି ନାହିଟାକୁ ତଥାପି କାଟି ପାରୁ ନାହାନ୍ତି । ଅନେକ ସମୟରେ ସରସ୍ଵତୀ ପ୍ରେରଣା ଦେଉଥିବା ପର୍ଯ୍ୟନ୍ତ ମଣିଷମାନେ ସାହିତ୍ୟକୁ ସମୁଚିତ ପ୍ରେରଣା ଦେବାର ବାଟଟି ସତେ ଯେପରି ଅତ୍ୟନ୍ତ ବାରିତ ହୋଇ ରହିଥାଏ । ସରସ୍ଵତୀ ଅନେକ କ୍ଷେତ୍ରରେ ପ୍ରାୟ ଏକ ଦରଦ ଏବଂ ବିଶେଷ ସଂରକ୍ଷଣ ଯୋଗାଇ ଦେଇ ଆମକୁ ଏତେ ଆତୁର କରି ତାଙ୍କରି ସହିତ ଜଡାଇ ରଖିଥାନ୍ତି ଯେ, ଆମେ ହୁଏ ତ ମଣିଷକୁ, ଜୀବନକୁ ତଥା ସତ ଆହ୍ଵାନଗୁଡ଼ିକୁ ବାଦ୍ ଦେଇ ସାହିତ୍ୟକୁ ଦେଖିବାର ସେହି ଅନ୍ୟ ବୁଦ୍ଧିଟିର ଫାନ୍ଦରେ ପଡ଼ିଯାଉ । ଆପଣାକୁ ବହୁ ଯଥାର୍ଥ ସଂଖ୍ୟାରୁ ବଞ୍ଚିତ କରି ରଖିଥାଉ । ଓଡ଼ିଶାରେ ଅଥବା ସେହି କାରଣରୁ ଭାରତବର୍ଷରେ ସମ୍ପ୍ରତି ଉପନ୍ୟାସଟିକୁ ଯେ କେହି Madonna of the future ବୋଲି କହିବେ ନାହିଁ, ସେଥିରେ କୌଣସି ସନ୍ଦେହ ନାହିଁ । ଲେଖିକାଙ୍କ ଠାରେ ଆମେ କୃତଜ୍ଞ ରହିବା । କେବଳ ଏହି ତଥାକଥିତ ଆମ ଆଧୁନିକ କାଳର ବାଡ଼ ଭିତରେ ବାନ୍ଧି ହୋଇ ନୁହେଁ, ଓଡ଼ିଆ ସାହିତ୍ୟର ଏକ ସମଗ୍ର ଓ ସଂଲଗ୍ନ ଭୂମି ବିସ୍ତାର ଉପରେ ଏଠାରେ ଖାଲି ଉପନ୍ୟାସର ନୁହେଁ, ସଂପୂର୍ଣ୍ଣ ସାହିତ୍ୟର ଆଲୋଚନା ହେଉ, ଆବଶ୍ୟକ ବିବେକ ଏବଂ ବୈରାଗ୍ୟ ଅର୍ଥାତ୍ ମୋହମୁକ୍ତତା ସହିତ ପରସ୍ପରକୁ ପାଖରେ ବସାଇ ଆଲୋଚନା ହେଉ ! ମନୁଷ୍ୟ ନିୟତିକୁ ବିବେଚନାରେ ରଖି ଆଲୋଚନା ହେଉ ! ସେତେବେଳେ ପୂର୍ଣ୍ଣ ରୂପେ ହୃଦବୋଧ ହୋଇଯିବ ଯେ ଆଲୋଚ୍ୟ ପୁସ୍ତକଟିର ଲେଖିକା କେବଳ ଇଉରୋପର ସାହିତ୍ୟ ଅଥବା ଉପନ୍ୟାସକୁ କାନ୍ଥ କରି ବ୍ୟବହାର କରି ଆମ ପାଇଁ ଏତେ ଏତେ କଥା ଆଣି ବାଢ଼ି ଦେଇ ନାହାନ୍ତି । ସକଳ ଅର୍ଥରେ ସାହିତ୍ୟ କହିଲେ ଏକ ସମ୍ପୃକ୍ତି ହିଁ ବୁଝାଏ । ଶ୍ରୀମତୀ ଡୁଡ଼ୀ ଆମକୁ ସେହି ସମ୍ପୃକ୍ତିରେ ସାମିଲ୍ ହେବା ପାଇଁ ଆହ୍ଵାନ ଦେଇଛନ୍ତି ।

 

[ଏଷଣା ଡିସେମ୍ବର, ୧୯୯୯]

Image